01.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ପବିତ୍ର ଦୁନିଆକୁ ଯିବାକୁ ହେଲେ କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, କାମଜୀତ, ଜଗତ୍‌ଜୀତ ହେବାକୁ ପଡିବ ।

ପ୍ରଶ୍ନ:-
ପ୍ରତ୍ୟେକ ସନ୍ତାନ ନିଜର କାର୍ଯ୍ୟକଳାପ ଦ୍ୱାରା କେଉଁ ସାକ୍ଷାତ୍କାର ସମସ୍ତଙ୍କୁ କରାଇପାରିବେ ?

ଉତ୍ତର:-
ମୁଁ ହଂସ ନା ବଗ? ଏହା ପ୍ରତ୍ୟେକ ନିଜର କାର୍ଯ୍ୟକଳାପ ଦ୍ୱାରା ସମସ୍ତଙ୍କୁ ସାକ୍ଷାତ୍କାର କରାଇପାରିବେ କାରଣ ହଂସ କେବେ କାହାକୁ ଦୁଃଖ ଦିଏ ନାହିଁ । ବଗମାନେ ହିଁ ଦୁଃଖ ଦେଇଥାନ୍ତି କାରଣ ସେମାନେ ବିକାରୀ ଅଟନ୍ତି । ତୁମେ ପିଲାମାନେ ଏବେ ବଗରୁ ହଂସ ହୋଇଛ । ତୁମଭଳି ପାରସବୁଦ୍ଧି ହେଉଥିବା ସନ୍ତାନମାନଙ୍କର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ପାରସବୁଦ୍ଧି କରିବା ।

ଓମ୍ ଶାନ୍ତି ।
ଯେତେବେଳେ ଓମ୍ ଶାନ୍ତି କୁହାଯାଏ ସେତେବେଳେ ନିଜର ସ୍ୱଧର୍ମ ମନେ ପଡିଥାଏ । ଘର ମଧ୍ୟ ମନେ ପଡିଥାଏ । କିନ୍ତୁ ଘରେ ତ ବସିଯିବାର ନାହିଁ । ଯେହେତୁ ତୁମେମାନେ ବାବାଙ୍କର ସନ୍ତାନ ତେଣୁ ନିଜର ସ୍ୱର୍ଗ ଦୁନିଆକୁ ମଧ୍ୟ ନିଶ୍ଚିତ ମନେପକାଇବାକୁ ପଡିବ । ତେଣୁ ଓମ୍ ଶାନ୍ତି କହିବା ଦ୍ୱାରା ସାରା ଜ୍ଞାନ ବୁଦ୍ଧିରେ ଆସିଯାଉଛି । ମୁଁ ଆତ୍ମା ଶାନ୍ତ ସ୍ୱରୂପ, ଶାନ୍ତିର ସାଗର ବାବାଙ୍କର ସନ୍ତାନ । ଯେଉଁ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି ସେହି ବାବା ହିଁ ଆମକୁ ପବିତ୍ର ଶାନ୍ତ ସ୍ୱରୂପ କରୁଛନ୍ତି । ତେଣୁ ମୁଖ୍ୟ କଥା ହେଉଛି ପବିତ୍ରତା । ଏହି ଦୁନିଆ ହିଁ ପବିତ୍ର ଏବଂ ଅପବିତ୍ର ହେଉଛି । ପବିତ୍ର ଦୁନିଆରେ କେହି ଜଣେ ହେଲେ ବି ବିକାରୀ ରହିବେ ନାହିଁ । ଅପବିତ୍ର ଦୁନିଆରେ ୫ ବିକାର ଥାଏ ସେଥିପାଇଁ ତାକୁ ବିକାରୀ ଦୁନିଆ କୁହାଯାଏ । ନୂଆ ଦୁନିଆ ହେଉଛି ନିର୍ବିକାରୀ ଦୁନିଆ । ନିର୍ବିକାରୀ ଦୁନିଆରୁ ସିଡିରେ ତଳକୁ ଖସି-ଖସି ପୁଣି ବିକାରୀ ଦୁନିଆକୁ ଆସୁଛନ୍ତି । ତାହା ହେଉଛି ପାବନ ଦୁନିଆ, ଏହା ପତିତ ଦୁନିଆ । ତାହା ହେଉଛି ଦିନ ଅର୍ଥାତ୍ ସୁଖ, ଏହା ହେଉଛି ରାତି ଅର୍ଥାତ୍ ବାଟବଣା ହେବାର ସମୟ । ଏମିତି ତ ରାତିରେ କେହି ବାଟବଣା ହୋଇନଥାନ୍ତି । କିନ୍ତୁ ଭକ୍ତିମାର୍ଗକୁ ବାଟବଣା ହେବା କୁହାଯାଉଛି ।

ତୁମେମାନେ ଏଠାକୁ ସଦ୍‌ଗତି ପାଇବା ପାଇଁ ଆସିଛ । ତୁମ ଆତ୍ମାରେ ଅନେକ ଜନ୍ମର ପାପ ସବୁ ଥିଲା, ୫ ବିକାର ମଧ୍ୟ ଥିଲା । ଏଥିରେ ବି ମୁଖ୍ୟ ହେଉଛି କାମ ବିକାର । ଯାହା ଦ୍ୱାରା ହିଁ ମନୁଷ୍ୟମାନେ ପାପ ଆତ୍ମା ହେଉଛନ୍ତି । ଏକଥା ତ ପ୍ରତ୍ୟେକ ଜାଣିଛନ୍ତି ଯେ ଆମେମାନେ ହିଁ ପତିତ ଆତ୍ମା ଏବଂ ପାପ ଆତ୍ମା ଅଟୁ । ଏକମାତ୍ର କାମ ବିକାର କାରଣରୁ ହିଁ ଆତ୍ମାର ସବୁ କ୍ୱାଲିଫିକେସନ୍ ଅର୍ଥାତ୍ ଯୋଗ୍ୟତା ବିଗିଡି ଯାଇଛି । ସେଥିପାଇଁ ବାବା କହୁଛନ୍ତି କାମ ବିକାରକୁ ଜିତିବା ଦ୍ୱାରା ତୁମେ ଜଗତ୍‌ଜୀତ୍ ଅର୍ଥାତ୍ ନୂଆ ବିଶ୍ୱର ମାଲିକ ହେବ । ତେଣୁ ମନ ଭିତରେ ସେତିକି ଖୁସି ରହିବା ଉଚିତ୍ । ମନୁଷ୍ୟମାନେ ପତିତ ହେବା କାରଣରୁ କିଛି ବି ବୁଝି ପାରୁନାହାଁନ୍ତି । ତେଣୁ ବାବା ବୁଝାଉଛନ୍ତି - ତୁମ ଭିତରେ କୌଣସି ବି ବିକାର ରହବା ଉଚିତ ନୁହେଁ । ଏଥିରେ ମଧ୍ୟ ମୁଖ୍ୟ ହେଉଛି କାମ ବିକାର, ଏଥିପାଇଁ କେତେ ସବୁ ବିଶୃଙ୍ଖଳା ହେଉଛି । ଘରେ-ଘରେ କେତେ ଅଶାନ୍ତି, କେତେ ହାହାକାର ହୋଇଯାଉଛି । ଏହି ସମୟରେ ଦୁନିଆରେ ହାହାକାର କାହିଁକି ହେଉଛି? କାହିଁକି ନା ଏଠାରେ ପାପ ଆତ୍ମାମାନେ ହିଁ ଅଛନ୍ତି । ବିକାର କାରଣରୁ ଏମାନଙ୍କୁ ଅସୁର କୁହାଯାଉଛି । ଏବେ ତ ତୁମେମାନେ ଜାଣୁଛ ଯେ ଏହି ସମୟରେ ଦୁନିଆରେ ସବୁ କିଛି ମୂଲ୍ୟହୀନ ଅଟେ କାରଣ ଏବେ ଦୁନିଆ ରୂପକ ପାଳ ଗଦାରେ ନିଆଁ ଲାଗିଯିବ । ଯାହା କିଛି ଏହି ଆଖିରେ ଦେଖୁଛ, ସବୁଥିରେ ନିଆଁ ଲାଗିଯିବ । କିନ୍ତୁ ଆତ୍ମାରେ କେବେ ବି ନିଆଁ ଲାଗେନାହିଁ । ଆତ୍ମା ସର୍ବଦା ସୁରକ୍ଷିତ ରହିଥାଏ ଏବଂ ସର୍ବଦା ବଞ୍ଚି ରହିଥାଏ । ତେବେ ଆତ୍ମାର କେବେ କେହି ବୀମା କରନ୍ତି କି? ଶରୀରର ହିଁ ବୀମା କରାଯାଏ । ଆତ୍ମା ଅବିନାଶୀ ଅଟେ । ତେବେ ପିଲାମାନଙ୍କୁ ତ ବୁଝାଯାଇଛି ଯେ ଏହା ଏକ ଖେଳ ହିଁ ଅଟେ । ଆତ୍ମାମାନେ ତ ଉପରେ ହିଁ ରହିଥାନ୍ତି ଯାହାକି ୫ ତତ୍ତ୍ୱ ଠାରୁ ବିଲ୍‌କୁଲ୍ ଅଲଗା ସ୍ଥାନ । ତେବେ ୫ ତତ୍ତ୍ୱରେ ହିଁ ସାରା ଦୁନିଆ ତିଆରି । ଆତ୍ମା ତ କେବେ ତିଆରି ହୁଏ ନାହିଁ । ଆତ୍ମା ସର୍ବଦା ବିଦ୍ୟମାନ ରହିଥାଏ । କେବଳ କେତେବେଳେ ପୁଣ୍ୟ ଆତ୍ମା ତ କେତେବେଳେ ପାପ ଆତ୍ମା ହେଉଛି । ତେବେ ଆତ୍ମାକୁ ପୁଣ୍ୟ ଆତ୍ମା, ପାପ ଆତ୍ମା କୁହାଯାଏ । ୫ ବିକାର ଦ୍ୱାରା ହିଁ ଆତ୍ମା କେତେ ମ୍ଲେଛ ହୋଇଯାଉଛି । ଏବେ ବାବା ତୁମମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ ଆସିଛନ୍ତି । କାରଣ ବିକାରଗୁଡିକ ହିଁ ସମସ୍ତଙ୍କର ଚରିତ୍ର ବିଗାଡି ଦେଇଛି । ତେବେ ଚରିତ୍ର କାହାକୁ କୁହାଯାଉଛି, ଏକଥା ମଧ୍ୟ ବୁଝି ନାହାଁନ୍ତି । ଏହା ହେଉଛି ସର୍ବୋଚ୍ଚ ରୁହାନୀ ଗଭର୍ଣ୍ଣମେଣ୍ଟ ଅର୍ଥାତ୍ ଆଧ୍ୟାତ୍ମିକ ସରକାର । ସେଥିପାଇଁ ତୁମକୁ ପାଣ୍ଡବ ଗଭର୍ଣ୍ଣମେଣ୍ଟ ନ କହି ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ ମଧ୍ୟ କୁହାଯାଇ ପାରିବ । ତୁମେମାନେ ଜାଣିଛ ଯେ ଆମେ ହେଲୁ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ । ତେବେ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ କଣ କାର୍ଯ୍ୟ କରୁଛି? ଆତ୍ମାମାନଙ୍କୁ ପବିତ୍ର କରି ଦେବତା କରୁଛି । ନଚେତ୍ ଦେବତା କେଉଁଠୁ ଆସିବେ? ଏକଥା କେହି ବି ଜାଣି ନାହାଁନ୍ତି, ଏମିତି ତ ଦେବତାମାନେ ମଧ୍ୟ ମନୁଷ୍ୟ କିନ୍ତୁ ସେମାନେ ଦେବତା କିପରି ହେଲେ, କିଏ ତାଙ୍କୁ ଦେବତା କରିଲା? ଦେବତାମାନେ ତ ସ୍ୱର୍ଗରେ ଥାନ୍ତି । ତେବେ ତାଙ୍କୁ ସ୍ୱର୍ଗବାସୀ କିଏ କରିଲା? ସ୍ୱର୍ଗବାସୀ ପୁଣି ତ ନିଶ୍ଚିତ ଭାବରେ ନର୍କବାସୀ ହେବେ ପୁଣି ସ୍ୱର୍ଗବାସୀ ହେବେ । ଏକଥା ତ ତୁମେମାନେ ମଧ୍ୟ ଜାଣିନଥିଲ, ତେବେ ଅନ୍ୟମାନେ ପୁଣି କିପରି ଜାଣିବେ! ଏବେ ତୁମେମାନେ ଜାଣୁଛ ଯେ ଡ୍ରାମା ପୂର୍ବ ନିର୍ମିତ ଅଟେ ଏବଂ ସେଥିରେ ଏତେ ସବୁ ଅଭିନେତା ଅଛନ୍ତି । ଏହି ସବୁ କଥା ତ ବୁଦ୍ଧିରେ ରହିବା ଦରକାର ନା । ପାଠପଢା ତ ବୁଦ୍ଧିରେ ରହିବା ଉଚିତ ନା! ତା ସହିତ ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡିବ । ପତିତ ହେବା ତ ବହୁତ ଖରାପ କଥା । ତେବେ ଆତ୍ମା ହିଁ ପତିତ ହେଉଛି ଏବଂ ପରସ୍ପର ମଧ୍ୟରେ ବିକାରରେ ଯାଇ ପତିତ ହେଉଛନ୍ତି । ପତିତଙ୍କୁ ପାବନ କରିବା ହିଁ ତ ତୁମମାନଙ୍କର ଧନ୍ଦା । କାରଣ ପାବନ ହେଲେ ଯାଇ ତ ପାବନ ଦୁନିଆକୁ ଯିବେ ନା । ଏହି ସବୁ କଥା ଆତ୍ମା ହିଁ ଜାଣୁଛି । ଆତ୍ମା ନଥିଲେ ଶରୀର ମଧ୍ୟ ରହିପାରିବ ନାହିଁ କିମ୍ବା କୌଣସି ଜବାବ ମିଳିବ ନାହିଁ । ଆତ୍ମା ଜାଣିଛି ଯେ ଆମେ ପ୍ରକୃତରେ ପାବନ ଦୁନିଆର ନିବାସୀ ଅଟୁ । ଏବେ ବାବା ଆସି ବୁଝାଉଛନ୍ତି ଯେ ତୁମେମାନେ ବୁଦ୍ଧିହୀନ ହୋଇଯାଇଥିଲ, ସେଥିପାଇଁ ହିଁ ପତିତ ଦୁନିଆରେ ରହିବାର ଯୋଗ୍ୟ ହୋଇଯାଇଛ । ଏବେ ପବିତ୍ର ନ ହେବା ପର୍ଯ୍ୟନ୍ତ ସ୍ୱର୍ଗର ଯୋଗ୍ୟ ହୋଇପାରିବ ନାହିଁ । ସ୍ୱର୍ଗର ତୁଳନା ମଧ୍ୟ ସଂଗମଯୁଗରେ ହିଁ କରାଯାଉଛି । ସେଠାରେ କଣ କୌଣସି ତୁଳନା କରାଯିବ କି! ଏହି ସଂଗମଯୁଗରେ ହିଁ ତୁମକୁ ସାରା ଜ୍ଞାନ ମିଳୁଛି । ପବିତ୍ର ହେବାର ଜ୍ଞାନ ରୂପକ ହତିଆର ମିଳୁଛି । କେବଳ ଜଣଙ୍କୁ ହିଁ କୁହାଯାଉଛି ପତିତ-ପାବନ ବାବା, ଆମକୁ ଏହିଭଳି ପବିତ୍ର କର । ଏମାନେ ସ୍ୱର୍ଗର ମାଲିକ ଅଟନ୍ତି ନା । ତୁମେମାନେ ଜାଣିଛ ଯେ ଆମେ ହିଁ ସ୍ୱର୍ଗର ମାଲିକ ଥିଲୁ ପୁଣି ୮୪ ଜନ୍ମ ନେଇ ପତିତ ହୋଇଯାଇଛୁ । ଶ୍ୟାମ ଏବଂ ସୁନ୍ଦର, ଏହାଙ୍କର ନାମ ମଧ୍ୟ ଏହିପରି ରଖିଛନ୍ତି । ଶ୍ରୀକୃଷ୍ଣଙ୍କ ଚିତ୍ରକୁ ଶ୍ୟାମଳ କରି ଦେଇଛନ୍ତି କିନ୍ତୁ ଅର୍ଥକୁ ଜାଣି ନାହାଁନ୍ତି । ତେବେ କୃଷ୍ଣଙ୍କ ବିଷୟରେ ତୁମମାନଙ୍କୁ କେତେ ସ୍ପଷ୍ଟ ଭାବରେ ବୁଝାଯାଉଛି । ଏଥିରେ ସେମାନେ ଦୁଇଟି ଦୁନିଆ କରିଦେଇଛନ୍ତି । ବାସ୍ତବରେ ଦୁନିଆ ଦୁଇଟି ନୁହେଁ । ଦୁନିଆ ତ ଗୋଟିଏ କିନ୍ତୁ ତାହା ନୂଆ ଏବଂ ପୁରୁଣା ହେଉଛି । ଯେମିତି ପ୍ରଥମେ ଛୋଟ ପିଲାଟି ନୂଆ ଥାଏ ପରେ ବଡ ହେଲେ ବୁଢା ହୋଇଯାଏ । ତେବେ ତୁମେମାନେ ଏହି ସବୁ କଥାକୁ ବୁଝାଇବା ପାଇଁ କେତେ ମେହନତ କରୁଛ, ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛ ନା । ଲକ୍ଷ୍ମୀ-ନାରାୟଣ ତ ଏହି ଜ୍ଞାନକୁ ବୁଝିଛନ୍ତି ନା । ବୁଝିବା ଦ୍ୱାରା ହିଁ କେତେ ମିଠା ହୋଇଯାଇଛନ୍ତି । ତେବେ ତାଙ୍କୁ ଏକଥା କିଏ ବୁଝାଇଛନ୍ତି? ସ୍ୱୟଂ ଭଗବାନ । ଏଠାରେ ଯୁଦ୍ଧ ଆଦିର କୌଣସି କଥା ହିଁ ନାହିଁ । ଭଗବାନ କେତେ ବୁଦ୍ଧିମାନ୍‌, କେତେ ଜ୍ଞାନବାନ ଏବଂ କେତେ ପବିତ୍ର ଅଟନ୍ତି । ଶିବଙ୍କ ଚିତ୍ର ବା ମୂର୍ତ୍ତି ଆଗରେ ସବୁ ମନୁଷ୍ୟ ଯାଇ ନତମସ୍ତକ ହେଉଛନ୍ତି କିନ୍ତୁ ସେ କିଏ, କଣ କରୁଛନ୍ତି, ଏକଥା କେହି ବି ଜାଣି ନାହାଁନ୍ତି । ଶିବକାଶୀ ବିଶ୍ୱନାଥ ଗଙ୍ଗା... କେବଳ କହିଚାଲିଛନ୍ତି । ଅର୍ଥ ଟିକିଏ ହେଲେ ବୁଝନ୍ତି ନାହିଁ । ଯଦି ତୁମେ ବୁଝାଇବ ତେବେ କହିବେ, ତୁମେ କଣ ଆମକୁ ବୁଝାଇବ । ଆମେ ତ ବେଦଶାସ୍ତ୍ର ଆଦି ସବୁ ପଢିଛୁ । କିନ୍ତୁ ରାମରାଜ୍ୟ କାହାକୁ କୁହାଯାଏ, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ରାମରାଜ୍ୟ ସତ୍ୟଯୁଗ ନୁଆ ଦୁନିଆକୁ ହିଁ କୁହାଯାଉଛି । ତୁମ ଭିତରେ ବି କ୍ରମାନ୍ୱୟରେ ଅଛନ୍ତି, ଯେଉଁମାନଙ୍କ ବୁଦ୍ଧିରେ ଧାରଣା ହେଉଛି । ଅନେକ ସନ୍ତାନ ତ ଭୁଲି ବି ଯାଉଛନ୍ତି କାହିଁକି ନା ବିଲ୍‌କୁଲ୍ ପଥରବୁଦ୍ଧି ହୋଇଯାଇଛନ୍ତି । ତେଣୁ ବର୍ତ୍ତମାନ ଯେଉଁମାନେ ପାରସବୁଦ୍ଧି ହେଇଛନ୍ତି ସେମାନଙ୍କର କାମ ହେଲା ଅନ୍ୟମାନଙ୍କୁ ପାରସବୁଦ୍ଧି କରିବା । ପଥରବୁଦ୍ଧି ଆତ୍ମାଙ୍କର କାର୍ଯ୍ୟକଳାପ ତ ପୂର୍ବ ଭଳି ହିଁ ରହିବ କାହିଁକି ନା ହଂସ ଏବଂ ବଗ ହୋଇଗଲେ ନା । ହଂସ ଅର୍ଥାତ୍ ପବିତ୍ର ଆତ୍ମା, ଯେଉଁମାନେ କେବେ କାହାକୁ ଦୁଃଖ ଦେଇନଥାନ୍ତି । ବଗ ଅର୍ଥାତ୍ ପତିତ ଆତ୍ମା ହିଁ ଦୁଃଖ ଦେଇଥାନ୍ତି । କେତେକଙ୍କର ଚାଲିଚଳନ ତ ପୂରା ପୁରି ବଗମାନଙ୍କ ଭଳି ହିଁ ହୋଇଥାଏ । ସେମାନଙ୍କ ଭିତରେ ସବୁ ବିକାର ରହିଥାଏ । ଏଠାକୁ ମଧ୍ୟ ଏହିପରି ବହୁତ ବିକାରୀ ମନୁଷ୍ୟ ଆସିଯାଉଛନ୍ତି । ଯାହାଙ୍କୁ ଅସୁର କୁହାଯାଉଛି । କିଛି ବି ଚିହ୍ନି ହେଉ ନାହିଁ । ବହୁତ ସେଣ୍ଟରକୁ ମଧ୍ୟ ବିକାରୀ ଲୋକମାନେ ଆସୁଛନ୍ତି, ବାହାନା କରୁଛନ୍ତି, ମୁଁ ବ୍ରାହ୍ମଣ ଅର୍ଥାତ୍ ବି.କେ. ଅଟେ, କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହାକୁ ମିଛ ଦୁନିଆ କୁହାଯାଉଛି ନା । ନୂଆ ଦୁନିଆ ତ ସତ୍ୟର ଦୁନିଆ । ବର୍ତ୍ତମାନ ହେଉଛି ସଂଗମ । ଉଭୟଙ୍କ ଭିତରେ କେତେ ଫରକ ରହୁଛି । ଯେଉଁମାନେ ମିଛ କଥା କହି, ମିଛ କାମ କରୁଛନ୍ତି - ସେମାନେ ଥାର୍ଡ ଗ୍ରେଡ ହେଉଛନ୍ତି । ଫାଷ୍ଟ ଗ୍ରେଡ୍ ସେକେଣ୍ଡ ଗ୍ରେଡ୍ ତ ରହିଛି ନା ।

ବାବା କହୁଛନ୍ତି ପବିତ୍ରତାର ମଧ୍ୟ ପୂରା ପୂରା ପ୍ରମାଣ ଦେବାକୁ ହେବ । କେହି କେହି କହୁଛନ୍ତି, ଏମାନେ ସ୍ତ୍ରୀ-ପୁରୁଷ ଦୁଇଜଣ ଯାକ ଏକାଠି ରହି ପବିତ୍ର ରହୁଛନ୍ତି, ଏହା ତ ଅସମ୍ଭବ କଥା । ତେଣୁ ପିଲାମାନଙ୍କୁ ବୁଝାଇବା ଦରକାର । ଯୋଗବଳ ନଥିବା କାରଣରୁ ଏତେ ସହଜ କଥା ମଧ୍ୟ ଠିକ୍ ଭାବରେ ବୁଝାଇ ପାରୁ ନାହାଁନ୍ତି । ସେମାନଙ୍କୁ ଏହି କଥା କେହି ବୁଝାଉ ନାହାଁନ୍ତି ଯେ ଏଠାରେ ଆମକୁ ଭଗବାନ ପାଠ ପଢାଉଛନ୍ତି, ସେ କହୁଛନ୍ତି ତୁମେମାନେ ପବିତ୍ର ହେଲେ ୨୧ ଜନ୍ମ ପର୍ଯ୍ୟନ୍ତ ସ୍ୱର୍ଗ ଦୁନିଆର ମାଲିକ ହେବ । କାରଣ ତାହା ହେଉଛି ପବିତ୍ର ଦୁନିଆ । ପବିତ୍ର ଦୁନିଆକୁ କୌଣସି ପତିତ ଆତ୍ମା ଯାଇପାରିବେ ନାହିଁ । ସେଠାରେ ତ ୫ ବିକାର ହିଁ ନାହିଁ । ତାହା ହେଉଛି ନିର୍ବିକାରୀ ଦୁନିଆ । ଏହା ବିକାରୀ ଦୁନିଆ । ଆମକୁ ସତ୍ୟଯୁଗର ରାଜ୍ୟ ଅଧିକାର ମିଳୁଛି ତେଣୁ ଆମେ ଏହି ଗୋଟିଏ ଜନ୍ମ ପାଇଁ କାହିଁକି ପବିତ୍ର ନ ହେବୁ! ଆମକୁ ତ ବହୁତ ବଡ ଲଟେରୀ ମିଳୁଛି । ତେଣୁ ଖୁସି ହେଉଛୁ । ଦେବୀ-ଦେବତାମାନେ ପବିତ୍ର ଅଟନ୍ତି ନା । ଅପବିତ୍ରରୁ ପବିତ୍ର ମଧ୍ୟ ପରମାତ୍ମା ପିତା ହିଁ କରାଇବେ ନା । ତେଣୁ କହିବା ଦରକାର ଯେ ଆମର ଏହିଭଳି ଟେମ୍ପଟେସନ୍ ଅର୍ଥାତ୍ ଲୋଭ ରହିଛି । ବାବା ହିଁ ଆମକୁ ଏପରି କରାଉଛନ୍ତି । ବାବାଙ୍କ ବିନା ତ ନୂଆ ଦୁନିଆ କେହି ବି ସ୍ଥାପନ କରିପାରିବେ ନାହିଁ । ମନୁଷ୍ୟରୁ ଦେବତା କରିବା ପାଇଁ ହିଁ ଭଗବାନ ଆସୁଛନ୍ତି, ଯାହାଙ୍କର ରାତ୍ରିର ଗାୟନ ରହିଛି । ଏକଥା ମଧ୍ୟ ବୁଝା ଯାଇଛି ଯେ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଜ୍ଞାନ ଏବଂ ଭକ୍ତି ଅଧା-ଅଧା ଅଟେ । ଭକ୍ତି ପରେ ପୁଣି ବୈରାଗ୍ୟ । ଏବେ ତ ଘରକୁ ଯିବାକୁ ହେବ, ତେଣୁ ଏହି ଶରୀର ରୂପୀ ବସ୍ତ୍ରକୁ ତ୍ୟାଗ କରିବାକୁ ହେବ । ଏହି ଛି-ଛି ଦୁନିଆରେ ତ ରହିବାର ନାହିଁ । ୮୪ ଜନ୍ମର ଚକ୍ର ମଧ୍ୟ ଏବେ ପୂରା ହେଉଛି । ଏବେ ଆମକୁ ଭାୟା ଶାନ୍ତିଧାମ ସ୍ୱର୍ଗ ଦୁନିଆକୁ ଯିବାକୁ ହେବ । ପ୍ରଥମେ ପ୍ରଥମେ ଅଲଫ ଅର୍ଥାତ୍ ଶିବବାବାଙ୍କ ଉପରେ ନିଶ୍ଚୟ କରାଇବାକୁ ହେବ, ଭୁଲିବାର ନାହିଁ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହି ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ବାବା ଅନେକ ଥର ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସିଛନ୍ତି । ନର୍କର ବିନାଶ ମଧ୍ୟ ହେବ । ନର୍କ ଦୁନିଆ କେତେ ବଡ, ସ୍ୱର୍ଗ ଦୁନିଆ କେତେ ଛୋଟ । ନୂଆ ଦୁନିଆରେ ଗୋଟିଏ ହିଁ ଧର୍ମ ରହିବ । ଏଠାରେ ତ ଅନେକ ଧର୍ମ ରହିଛି । ତେବେ ସେହି ଗୋଟିଏ ଧର୍ମ କିଏ ସ୍ଥାପନ କରିଥିଲେ? ବ୍ରହ୍ମା ତ କରି ନାହାଁନ୍ତି । ବ୍ରହ୍ମା ତ ନିଜେ ମଧ୍ୟ ପତିତ ହେଉଛନ୍ତି ପୁଣି ପାବନ ହେଉଛନ୍ତି । ମୋ ପାଇଁ ତ ପତିତ ଏବଂ ପାବନ ହେବାର କଥା କୁହାଯିବ ନାହିଁ । ଏହାଙ୍କର ପବିତ୍ର ଥିବାବେଳର ନାମ ହିଁ ଲକ୍ଷ୍ମୀ-ନାରାୟଣ । ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତ୍ରିର ଗାୟନ ରହିଛି । ଇଏ ତ ପ୍ରଜାପିତା ଅଟନ୍ତି ନା । ଶିବବାବାଙ୍କୁ ଅନାଦି ରଚୟିତା କୁହାଯାଉଛି । ଅନାଦି ଶବ୍ଦ ମଧ୍ୟ ବାବାଙ୍କ ପାଇଁ ହିଁ ଉଦ୍ଧିଷ୍ଟ । ବାବା ମଧ୍ୟ ଅନାଦି, ଆତ୍ମାମାନେ ମଧ୍ୟ ଅନାଦି ଏବଂ ଖେଳ ମଧ୍ୟ ଅନାଦି । କାରଣ ପୂର୍ବ ପ୍ରସ୍ତୁତ ଖେଳ ଅର୍ଥାତ୍ ଡ୍ରାମା । ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଆଦି-ମଧ୍ୟ-ଅନ୍ତ ଏବଂ ଅବଧିର ଜ୍ଞାନ ମିଳୁଛି । ଏହି ଜ୍ଞାନ କିଏ ଦେଉଛନ୍ତି? ବାବା । ତୁମେମାନେ ୨୧ ଜନ୍ମ ପାଇଁ ସନାଥ ହେଉଛ ପୁଣି ରାବଣ ରାଜ୍ୟରେ ଅନାଥ ହୋଇଯାଉଛ । ଏହିଠାରୁ ହିଁ ଚରିତ୍ର ବିଗିଡୁଛି କାରଣ ବିକାର ପ୍ରବେଶ କରୁଛି ନା । ବାକି ଦୁଇଟି ଦୁନିଆ ନାହିଁ । ମନୁଷ୍ୟମାନେ ଏପରି ମଧ୍ୟ ଭାବୁଛନ୍ତି ଯେ ନର୍କ-ସ୍ୱର୍ଗ ସବୁ ଏକାଠି ଚାଲୁଛି । ଏବେ ତୁମମାନଙ୍କୁ କେତେ ସ୍ପଷ୍ଟ କରି ବୁଝାଯାଉଛି । ଏବେ ତ ତୁମେମାନେ ଗୁପ୍ତରେ ଅଛ । ଶାସ୍ତ୍ରରେ ତ କଣ କଣ ସବୁ ଲେଖିଦେଇଛନ୍ତି । ଜ୍ଞାନ ରୂପକ ସୂତା କେତେ ଅଡୁଆ ହୋଇଯାଇଛି । ଯାହାକୁ ବାବାଙ୍କ ବିନା କେହି ସଜାଡି ପାରିବେ ନାହିଁ । ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି - କହୁଛନ୍ତି ଆମେ ଏବେ ମୂଲ୍ୟହୀନ ହୋଇଯାଇଛୁ ଆପଣ ଆସି ଆମକୁ ପବିତ୍ର କରି ଆମର ଚରିତ୍ରକୁ ସୁଧାର । ଏବେ ତୁମର ଚରିତ୍ର କେତେ ସୁଧୁରି ଯାଉଛି । କାହାର କାହାର ତ ସୁଧୁରିବା ବଦଳରେ ଆହୁରି ଅଧିକ ବିଗିଡି ଯାଉଛି । ଚାଲି-ଚଳଣରୁ ମଧ୍ୟ ଜଣାପଡିଥାଏ । ଆଜି ଯିଏ ମହାରଥୀ ହଂସ ବୋଲାଉଛନ୍ତି, କାଲି ବଗ ହୋଇଯାଉଛନ୍ତି । ଟିକିଏ ବି ଡେରି ଲାଗୁ ନାହିଁ । ମାୟା ମଧ୍ୟ ଗୁପ୍ତ ଅଟେ ନା । କ୍ରୋଧ କଣ ବାହାରକୁ ଦେଖାଯାଏ କି! କ୍ରୋଧରେ ଆସି ଭଁ-ଭଁ କରିଥାନ୍ତି ତେବେ ଯାଇ ବାହାରକୁ ଜଣାପଡେ । ତାପରେ ଆଶ୍ଚର୍ଯ୍ୟ ଭାବରେ ସବୁ କିଛି ଶୁଣି, ବୁଝି, ଅନ୍ୟକୁ ଶୁଣାଇ ପୁଣି ବି ଛାଡି ଚାଲି ଯାଆନ୍ତି । କେତେ ତଳକୁ ଖସିଯାଉଛନ୍ତି । ଏକଦମ ପଥର ପାଲଟି ଯାଉଛନ୍ତି । ଇନ୍ଦ୍ରପ୍ରସ୍ଥର ମଧ୍ୟ କାହାଣୀ ରହିଛି ନା । ଜଣା ତ ପଡିଯିବ ନା । ଏଭଳି ଆତ୍ମା ପୁଣି ସଭାକୁ ଆସିବା ଉଚିତ୍ ନୁହେଁ । ଅଳ୍ପ ବହୁତ ଜ୍ଞାନ ତ ଶୁଣିଛନ୍ତି ତେଣୁ ସ୍ୱର୍ଗକୁ ଆସି ହିଁ ଯିବେ । କାରଣ ଜ୍ଞାନର ବିନାଶ ହୋଇପାରିବ ନାହିଁ ।

ଏବେ ବାବା କହୁଛନ୍ତି ତୁମକୁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ହେବ । ଯଦି ବିକାରରେ ଗଲ ତେବେ ନିଜର ହିଁ ପଦ ଭ୍ରଷ୍ଟ କରିଦେବ । ପ୍ରଥମେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହେବ ପୁଣି ବୈଶ୍ୟ, ଶୂଦ୍ରବଂଶୀ ହେବ । ତୁମେ ଏବେ ଜାଣୁଛ ଯେ ଏହି ଚକ୍ର କିପରି ଘୂରୁଛି । ସେମାନେ ତ କଳିଯୁଗର ଆୟୁଷକୁ ହିଁ ୪୦ ହଜାର ବର୍ଷ କହିଦେଉଛନ୍ତି । ସିଡିରେ ତ ତଳକୁ ଖସିବାକୁ ପଡିବ ନା । ୪୦ ହଜାର ବର୍ଷ ହେଲେ ତ ଢେର ମନୁଷ୍ୟ ହୋଇଯିବେ । ୫ ହଜାର ବର୍ଷରେ ହିଁ ଏତେ ମନୁଷ୍ୟ ହୋଇଯାଇଛନ୍ତି, ଯାହାକି ଖାଇବାକୁ ମିଳୁ ନାହିଁ । ତେବେ ଏତେ ହଜାର ବର୍ଷରେ କେତେ ବୃଦ୍ଧି ହୋଇଯିବ! ତେଣୁ ବାବା ସମସ୍ତଙ୍କୁ ଆସି ଧୈର୍ଯ୍ୟ ଦେଉଛନ୍ତି । ପତିତ ମନୁଷ୍ୟମାନଙ୍କୁ ତ ଲଢିବାର ହିଁ ଅଛି । ସେମାନଙ୍କ ବୁଦ୍ଧି ତ ଏପଟକୁ ଆସିପାରିବ ନାହିଁ । ଏବେ ତୁମର ବୁଦ୍ଧି ଦେଖ କେତେ ବଦଳୁଛି ତଥାପି ବି ମାୟା ନିଶ୍ଚିତ ଧୋକା ଦେବ । ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାକୁ ପଡିବ । ଯଦି କୌଣସି ଇଚ୍ଛା ରଖିଲ ତେବେ ମାୟା ଧୋକା ଦେଇଦେବ । ମାୟାଠାରୁ ଧୋକା ଖାଇ କଉଡି ତୁଲ୍ୟ ହୋଇଯାଉଛନ୍ତି ନା । ଭଲ-ଭଲ ମହାରଥୀମାନଙ୍କୁ ମଧ୍ୟ କୌଣସି ନା କୌଣସି ପ୍ରକାରେ ମାୟା କେବେ କେବେ ଧୋକା ଦେଉଛି । ତେବେ ଯିଏ ଧୋକା ଖାଇ ତଳକୁ ଖସିଗଲା ସିଏ ତ ବାବାଙ୍କ ହୃଦୟରେ ସ୍ଥାନ ପାଇପାରିବ ନାହିଁ । ଯେପରି ଅଯୋଗ୍ୟ ସନ୍ତାନ ଲୌକିକ ମାତା-ପିତାଙ୍କ ହୃଦୟରେ ମଧ୍ୟ ସ୍ଥାନ ପାଇନଥାନ୍ତି । କେହି କେହି ପିଲା ତ ଏଭଳି ଥାନ୍ତି ଯିଏକି ନିଜର ବାପାକୁ ମଧ୍ୟ ହତ୍ୟା କରିଦେଇଥାନ୍ତି । ସାରା ପରିବାରକୁ ମଧ୍ୟ ହତ୍ୟା କରିଦିଅନ୍ତି, ସେମାନେ ହେଲେ ମହାନ୍ ପାପ ଆତ୍ମା । ତେବେ ଦେଖ ରାବଣ କଣ କରିଦେଉଛି । ଦୁନିଆ ତ ବହୁତ ଖରାପ ହୋଇଗଲାଣି ତେଣୁ ଏଥିପ୍ରତି କେବେ ବି ଆକର୍ଷିତ ହେବା ଉଚିତ୍ ନୁହେଁ । ତେବେ ପବିତ୍ର ହେବା ପାଇଁ ମଧ୍ୟ ବହୁତ ସାହସ ଦରକାର । ବିଶ୍ୱ ଉପରେ ରାଜତ୍ୱ କରିବାର ପୁରସ୍କାର ନେବା ପାଇଁ ପବିତ୍ରତାର ହିଁ ମୁଖ୍ୟ ଆଧାର ଅଟେ ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି ଯେ ଏଠାକୁ ଆସି ଆମକୁ ପବିତ୍ର କର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମାୟାର ଧୋକାରୁ ରକ୍ଷା ପାଇବା ପାଇଁ ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାକୁ ପଡିବ । ଏହି ବିକାରୀ ଦୁନିଆ ସହିତ ମନ ଲଗାଇବାର ନାହିଁ ।

(୨) ପବିତ୍ରତାର ମଧ୍ୟ ପୂରା ପୂରା ପ୍ରମାଣ ଦେବାକୁ ପଡିବ କାରଣ ସବୁଠାରୁ ଉଚ୍ଚ ଚରିତ୍ର ହେଉଛି ପବିତ୍ରତା । ତେଣୁ ନିଜେ ନିଜକୁ ସୁଧାରିବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ ।

ବରଦାନ:-
ନିଜର ଏକାଗ୍ରତାର ସ୍ୱରୂପ ଦ୍ୱାରା ସୂକ୍ଷ୍ମ ଶକ୍ତିର ଲୀଳାକୁ ଅର୍ଥାତ୍ କାର୍ଯ୍ୟକଳାପକୁ ଅନୁଭବ କରୁଥିବା ଅନ୍ତର୍ମୁଖୀ ଆତ୍ମା ହୁଅ ।

ଏକାଗ୍ରତାର ଆଧାର ହେଲା ଅନ୍ତର୍ମୁଖତା । ଯେଉଁମାନେ ଅନ୍ତର୍ମୁଖୀ ଆତ୍ମା ସେମାନେ ଭିତରେ ଭିତରେ ସୂକ୍ଷ୍ମଶକ୍ତିର ଅନେକ ପ୍ରକାରର ଲୀଳାକୁ ଅନୁଭବ କରିଥାନ୍ତି । ଆତ୍ମାମାନଙ୍କୁ ଆବାହନ କରିବା ଅର୍ଥାତ୍ ନିମନ୍ତ୍ରଣ କରିବା, ଆତ୍ମାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବା, ଆତ୍ମାମାନଙ୍କର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବା, ବାବାଙ୍କ ସହିତ ସମ୍ବନ୍ଧ ଜୁଟାଇବା - ଏହିଭଳି ଆତ୍ମାମାନଙ୍କର ଦୁନିଆରେ ଆତ୍ମିକ ସେବା କରିବା ପାଇଁ ଏକାଗ୍ରତାର ଶକ୍ତିକୁ ବଢାଅ, ଏହାଦ୍ୱାରା ସବୁ ପ୍ରକାରର ବିଘ୍ନ ସ୍ୱତଃ ଭାବରେ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ସର୍ବଶକ୍ତିକୁ ନିଜ ଭିତରେ ଧାରଣ କରି ବିଶ୍ୱ ମଞ୍ଚ ଉପରେ ପ୍ରତ୍ୟକ୍ଷ ହେବା ହିଁ ପ୍ରତ୍ୟକ୍ଷତାର ଆଧାର ।