01.01.23 Avyakt Bapdada Odia Murli 26.03.93 Om Shanti Madhuban
“ଅବ୍ୟକ୍ତ ବର୍ଷରେ
ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କର”
ଆଜି ନିରାକାରୀ ଏବଂ
ଆକାରୀ ବାପଦାଦା ସର୍ବଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କୁ ଆକାରୀ ସ୍ୱରୂପରେ ଏବଂ ସାକାରୀ
ସ୍ୱରୂପରେ ଦେଖୁଛନ୍ତି । ସାକାର ରୂପଧାରୀ ତୁମେ ସବୁ ଆତ୍ମାମାନେ ମଧ୍ୟ ବାବାଙ୍କ ସମ୍ମୁଖରେ ଅଛ
ଏବଂ ଆକାରୀ ରୂପଧାରୀ ପିଲାମାନେ ମଧ୍ୟ ସମ୍ମୁଖରେ ଅଛନ୍ତି । ଉଭୟଙ୍କୁ ଦେଖି ବାପଦାଦା ହର୍ଷିତ
ହେଉଛନ୍ତି । ସମସ୍ତଙ୍କ ହୃଦୟରେ ଗୋଟିଏ ସଂକଳ୍ପ ବା ଉମଙ୍ଗ ରହିଛି ଯେ ଆମେ ସମସ୍ତେ ବାବାଙ୍କ
ସମାନ ସାକାରୀରୁ “ଆକାରୀ” ଏବଂ ଆକାରୀରୁ “ନିରାକାରୀ ବାବାଙ୍କ ସମାନ” ହେବୁ । ବାପଦାଦା
ସମସ୍ତଙ୍କର ଏହି ଲକ୍ଷ୍ୟକୁ ତଥା ଲକ୍ଷଣକୁ ଦେଖୁଛନ୍ତି । ତେବେ କ’ଣ ଦେଖିବାକୁ ମିଳିଲା?
ଅଧିକାଂଶ ପିଲାଙ୍କର
ଲକ୍ଷ ବହୁତ ଭଲ ଏବଂ ଦୃଢ଼ ଅଟେ, କିନ୍ତୁ ଲକ୍ଷଣ କେବେ ଦୃଢ଼, କେବେ ସାଧାରଣ । ତେବେ ଲକ୍ଷ୍ୟ ଏବଂ
ଲକ୍ଷଣରେ ସମାନତା ଆସିବା ହିଁ ବାବାଙ୍କ ସମାନ ହେବାର ଲକ୍ଷଣ । ଲକ୍ଷ୍ୟକୁ ଧାରଣ କରିବାରେ କେହି
କେହି ତ ୯୯% ମଧ୍ୟ ଅଛନ୍ତି ଏବଂ ଅନ୍ୟ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । କିନ୍ତୁ ସର୍ବଦା, ସହଜରେ
ଏବଂ ସ୍ୱାଭାବିକ ଭାବରେ ଲକ୍ଷଣକୁ ଧାରଣ କରିବାରେ କେଉଁ ପର୍ଯ୍ୟନ୍ତ ଅଛନ୍ତି - ଏଥିରେ କମ୍
ସଂଖ୍ୟକ ଆତ୍ମା ୯୦% ପର୍ଯ୍ୟନ୍ତ ଅଛନ୍ତି, ବାକି ଅନ୍ୟମାନେ ତାଙ୍କଠାରୁ କମ୍ରେ ଏବଂ କ୍ରମାନ୍ୱୟରେ
ଅଛନ୍ତି । ତେବେ ଲକ୍ଷ୍ୟ ଏବଂ ଲକ୍ଷଣକୁ ମଧ୍ୟ ସ୍ୱାଭାବିକ ଭାବରେ ଏବଂ ନିଜର ସ୍ୱଭାବରେ ପରିଣତ
କରିବାରେ ଅନ୍ତର ଅର୍ଥାତ୍ ପାର୍ଥକ୍ୟ କାହିଁକି ରହିଛି? ସମୟ ଅନୁସାରେ, ପରିସ୍ଥିତି ଅନୁସାରେ,
ସମସ୍ୟା ଅନୁସାରେ କେତେକ ପିଲା ନିଜର ପୁରୁଷାର୍ଥ ଦ୍ୱାରା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ ମଧ୍ୟ
କରୁଛନ୍ତି, କିନ୍ତୁ ଏହା ସ୍ୱାଭାବିକ ଭାବରେ ଏବଂ ନିଜର ସ୍ୱଭାବରେ ପରିଣତ ହୋଇଯିବ - ଏଥିରେ ଆହୁରି
ଅଧିକ ଧ୍ୟାନ ଦେବାକୁ ହେବ । ଏହି ବର୍ଷକୁ ତ ଅବ୍ୟକ୍ତ ଫରିସ୍ତା ସ୍ଥିତିରେ ସ୍ଥିତ ରହିବାର ବର୍ଷ
ରୂପରେ ପାଳନ କରୁଛ । ଏହାକୁ ଦେଖିବା ସହିତ ବାପଦାଦା ପିଲାମାନଙ୍କର ସ୍ନେହ ଏବଂ ପୁରୁଷାର୍ଥକୁ
ଦେଖି ମଧ୍ୟ ଖୁସି ହେଉଛନ୍ତି ଏବଂ ବାଃ ପିଲାମାନେ ବାଃର ଗୀତ ଗାଉଛନ୍ତି । ଏହା ସହିତ ଏବେ ଆହୁରି
ଅଧିକ ସମସ୍ତଙ୍କ ଭିତରେ ଲକ୍ଷ୍ୟ ଏବଂ ଲକ୍ଷଣରେ ସମାନତା ଦେଖିବାକୁ ଚାହୁଁଛନ୍ତି । ତୁମେମାନେ
ମଧ୍ୟ ଏହି କଥା ଚାହୁଁଛ ନା । ବାବା ମଧ୍ୟ ଚାହୁଁଛନ୍ତି ଏବଂ ତୁମେମାନେ ମଧ୍ୟ ଚାହୁଁଛ ପୁଣି ବି
ମଝିରେ କ’ଣ ବାକି ରହିଯାଉଛି? ତାହା ମଧ୍ୟ ତୁମେମାନେ ଭଲ ଭାବରେ ଜାଣିଛ । ପରସ୍ପର ଭିତରେ ବସି
ଜ୍ଞାନର ପଏଣ୍ଟ ସବୁ ବାହାର କରୁଛ ନା ।
ତେବେ ଲକ୍ଷ୍ୟ ସହିତ
ଲକ୍ଷଣରେ ପାର୍ଥକ୍ୟ ରହିବାର କାରଣ ବିଶେଷ ଭାବରେ ଗୋଟିଏ କଥା ବାପଦାଦା ଦେଖିଲେ । ଚାହେଁ ଆକାରୀ
ଫରିସ୍ତା ସ୍ୱରୂପରେ ସ୍ଥିତି ହେଉ ବା ନିରାକାରୀ ସ୍ୱରୂପରେ ସ୍ଥିତ ହେଉ ତାହା ନିରନ୍ତର ଏବଂ
ନ୍ୟାଚୁରାଲ ଅର୍ଥାତ୍ ସ୍ୱାଭାବିକ ହେଉଥିବ - ଏହାର ମୂଳ ଆଧାର ହେଲା ନିରହଂକାରୀ ହେବା । ଅହଂକାର
ମଧ୍ୟ ଅନେକ ପ୍ରକାରର ଅଛି । ସବୁଠାରୁ ବିଶେଷ କଥା ହେଲା କହିବା ପାଇଁ ଯଦିଓ ଗୋଟିଏ ହିଁ ଶବ୍ଦ
“ଦେହ ଅଭିମାନ” ବୋଲି କୁହାଯାଉଛି କିନ୍ତୁ ଦେହ-ଅଭିମାନର ବିସ୍ତାର ବହୁତ ଅଛି । ଗୋଟିଏ ମୋଟା
ରୂପରେ ଦେହ ଅଭିମାନ ଯାହାକି ଅନେକ ପିଲାଙ୍କ ଭିତରେ ମଧ୍ୟ ନାହିଁ । ଚାହେଁ ନିଜ ଦେହ ପ୍ରତି ହେଉ
ବା ଅନ୍ୟ କାହାର ଦେହ ପ୍ରତି ହେଉ, ଯଦି କାହାର ବି ଦେହ ପ୍ରତି ଆକର୍ଷଣ ଅଛି ତେବେ ତାହା ମଧ୍ୟ
ଦେହ-ଅଭିମାନ । କେତେକ ପିଲା ଏହି ଭଳି ମୋଟା ରୂପର ଦେହ-ଅଭିମାନରେ ପାସ୍ ହୋଇ ଯାଇଛନ୍ତି, ମୋଟା
ମୋଟା ରୂପରେ ଦେହର ଆକାର ସହିତ ମୋହ ବା ଅଭିମାନ ନାହିଁ କିନ୍ତୁ ଏହା ସହିତ ଦେହର ସମ୍ବନ୍ଧ ସହିତ
ଜଡ଼ିତ ନିଜର ବୁଦ୍ଧି ବିଶେଷ ଅଟେ, ସଂସ୍କାର ବିଶେଷ ଅଟେ, କୌଣସି ଗୁଣ, କଳା ବା ଶକ୍ତି ବିଶେଷ ଅଟେ
- ଏହାର ଅଭିମାନ ଅର୍ଥାତ୍ ଅହଙ୍କାର ବା ନିଶା ବା ସୂକ୍ଷ୍ମ ଗର୍ବ ମଧ୍ୟ ଦେହ ଅଭିମାନର ରୂପ । ଯଦି
ଏହିଭଳି ସୂକ୍ଷ୍ମ ଅଭିମାନ ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ଅଭିମାନ ରହିଛି ତେବେ ନା ଆକାରୀ
ଫରିସ୍ତା ସ୍ୱରୂପ ସ୍ଥିତିରେ ସ୍ୱାଭାବିକ ଭାବରେ ଏବଂ ନିରନ୍ତର ସ୍ଥିତ ହୋଇପାରିବ, ନା ନିରାକାରୀ
ସ୍ଥିତିରେ ସ୍ଥିତ ହୋଇପାରିବ । କାହିଁକିନା ଆକାରୀ ଫରିସ୍ତା ଭିତରେ ମଧ୍ୟ ଦେହ ଅଭିମାନ ନଥାଏ, ସେ
ଡବଲ ଲାଇଟ୍ ଅଟେ ଏବଂ ଦେହ ଅହଙ୍କାର କେବେବି ନିରାକାରୀ ହେବା ପାଇଁ ଦେବନାହିଁ । ତେବେ ସମସ୍ତେ
ଏହି ବର୍ଷ ସ୍ୱ-ପୁରୁଷାର୍ଥ ପ୍ରତି ବହୁତ ଭଲ ଧ୍ୟାନ ଦେଇଛନ୍ତି, ଉମଙ୍ଗ-ଉତ୍ସାହ ମଧ୍ୟ ଭଲ ଅଛି,
ଇଚ୍ଛା ମଧ୍ୟ ବହୁତ ଭଲ ରଖିଛନ୍ତି । ଯଦିଓ ଇଚ୍ଛା କରୁଛ ପୁଣି ବି ଭବିଷ୍ୟତ ପାଇଁ ଅଧିକ ଧ୍ୟାନ
ଦିଅ । ଚେକ୍ କର କୌଣସି ପ୍ରକାରର ଅଭିମାନ ବା ଅହଙ୍କାର ସ୍ୱାଭାବିକ ସ୍ୱରୂପରୁ ପୁରୁଷାର୍ଥୀ
ସ୍ୱରୂପ କରିଦେଉ ନାହିଁ ତ? କୌଣସି ପ୍ରକାରର ସୂକ୍ଷ୍ମ ଅଭିମାନ ଅଂଶ ରୂପରେ ମଧ୍ୟ ରହିଯାଇନାହିଁ ତ
ଯାହାକି ସମୟ ଅନୁସାରେ ବା କେବେକେବେ କୌଣସି ସେବା ଅନୁସାରେ ପ୍ରକଟ ହୋଇଯାଉଛି? କାହିଁକିନା ଅଂଶ
ମାତ୍ରରେ ଥିଲେ ମଧ୍ୟ ସମୟ ଅନୁସାରେ ଧୋକା ଦେଇଦେବ । ସେଥିପାଇଁ ଏହି ବର୍ଷ ଯାହାବି ଲକ୍ଷ୍ୟ ରଖିଛ,
ବାପଦାଦା ଚାହୁଁଛନ୍ତି ଯେ ସେହି ଲକ୍ଷ୍ୟ ନିଶ୍ଚିତ ଭାବରେ ସମ୍ପନ୍ନ ହେଉ ।
ଚାଲୁ ଚାଲୁ ବିଶେଷ ଭାବରେ
ସ୍ଥୂଳ ରୂପରେ ସେହି ସମୟରେ ବା ସେହିଦିନ କୌଣସି ଭୁଲ୍ ମଧ୍ୟ କରିନାହଁ କିନ୍ତୁ କେବେ କେବେ ଏହିଭଳି
ଅନୁଭବ କରୁଛନା - ଆଜି ବା ଏବେ ଏବେ ଯେଉଁଭଳି ଖୁସି ରହିବା ଦରକାର ସେଭଳି ନାହିଁ, ମୁଁ
ଜାଣିପାରୁନି ଆଜି ଏକୁଟିଆ-ଏକୁଟିଆ କାହିଁକି ଲାଗୁଛି ବା ନିରାଶା କିମ୍ବା ବ୍ୟର୍ଥ ସଂକଳ୍ପର
ତୋଫାନ କାହିଁକି ଆସୁଛି! ଅମୃତବେଳା ଯୋଗ ମଧ୍ୟ କରିଛି, କ୍ଲାସ ମଧ୍ୟ କରିଛି, ସେବା କାର୍ଯ୍ୟ ବା
ଚାକିରି କାର୍ଯ୍ୟ ମଧ୍ୟ କରିଛି - କିନ୍ତୁ ଏଭଳି କାହିଁକି ଲାଗୁଛି? କାରଣ କ’ଣ? ଏହାର ମୋଟା ରୂପକୁ
ଚେକ୍ କରିଦେଉଛ ଏବଂ ସେଥିରେ ଜାଣୁଛ କୌଣସି ଭୁଲ୍ ମଧ୍ୟ ହୋଇନାହିଁ । କିନ୍ତୁ ସୂକ୍ଷ୍ମ ଅଭିମାନର
ସ୍ୱରୂପର ଅଂଶ ସୂକ୍ଷ୍ମରେ ପ୍ରକଟ ହୋଇଯାଉଛି ସେଥିପାଇଁ କୌଣସି କାମରେ ମନ ଲାଗିବ ନାହିଁ,
ବୈରାଗ୍ୟ ଆସିବ ଉଦାସ-ଉଦାସ ଅନୁଭବ ହେବ । ଇଚ୍ଛା ହେବ କୌଣସି ଏକାନ୍ତ ସ୍ଥାନକୁ ଚାଲିଯିବି ବା
ଶୋଇପଡ଼ିବି ବା ଟିକିଏ ବିଶ୍ରାମ କରିବି ବା କିଛି ସମୟ ପାଇଁ ପରିବାରଠାରୁ ଦୂରେଇ ଯିବି । ଏହି ସବୁ
ସ୍ଥିତିଗୁଡ଼ିକ ଆସିବାର କାରଣ ହେଲା ଅଭିମାନର ଅଂଶର କମାଲ୍ । ଏହାକୁ ତ କମାଲ୍ କୁହାଯିବ ନାହିଁ,
ଧମାଲ୍ କୁହାଯିବ । ତେଣୁ ସମ୍ପୂର୍ଣ୍ଣ ନିରହଙ୍କାରୀ ହେବାର ଅର୍ଥ ହେଲା ଆକାରୀ ଏବଂ ନିରାକାରୀ
ସହଜରେ ହୋଇଯିବା । ଯେପରି କେବେ କେବେ ମନକୁ ଆସିଯାଏ - କ’ଣ ସବୁବେଳେ ଗୋଟିଏ ହିଁ ଦିନଚର୍ଯ୍ୟାରେ
ଚାଲୁଥିବି? କିଛି ପରିବର୍ତ୍ତନ ତ ଦରକାର ନା? ନ ଚାହିଁଲେ ମଧ୍ୟ ଏହିଭଳି ସ୍ଥିତି ଆସିଯାଏ ।
ତେଣୁ ଯେତେବେଳେ
ନିରହଙ୍କାରୀ ହୋଇଯିବ ସେତେବେଳେ ଆକାରୀ ଏବଂ ନିରାକାରୀ ସ୍ଥିତିରୁ ତଳକୁ ଆସିବାକୁ ଇଚ୍ଛା ହେବ
ନାହିଁ । ସେହିଥିରେ ହିଁ ଲବଲୀନ ସ୍ଥିତିର ଅନୁଭବ କରିବ । କାହିଁକିନା ତୁମମାନଙ୍କର ପ୍ରକୃତ ଅନାଦି
ସ୍ୱରୂପ ତ ନିରାକାରୀ ଅଟେ ନା । ନିରାକାର ଆତ୍ମା ଏହି ଶରୀର ଭିତରେ ପ୍ରବେଶ କରିଛି । ଶରୀର ଆତ୍ମା
ଭିତରେ ପ୍ରବେଶ କରିନାହିଁ, ତେଣୁ ଅନାଦି ଏବଂ ବାସ୍ତବିକ ସ୍ୱରୂପ ତ ନିରାକାରୀ ଅଟେ ନା, ନା
ଶରୀରଧାରୀ ଅଟେ? ଶରୀରର ଆଧାର ତ ନେଇଛ, କିନ୍ତୁ କିଏ ନେଇଛି? ତୁମେ ନିରାକାର ଆତ୍ମାମାନେ ସାକାର
ଶରୀରର ଆଧାର ନେଇଛ । ତେଣୁ ପ୍ରକୃତରେ ତୁମେମାନେ କିଏ - ଆତ୍ମା, ନା ଶରୀର? ଆତ୍ମା । ଏହା ତ
ପକ୍କା ଅଟେ ନା? ତେଣୁ ବାସ୍ତବ ସ୍ୱରୂପରେ ସ୍ଥିତ ହେବା ସହଜ, ନା ଆଧାର ନେଇଥିବା ସ୍ଥିତିରେ ରହିବା
ସହଜ?
ତେବେ ଅହଙ୍କାର ଆସିବାର
ଗୋଟିଏ ହିଁ ଦ୍ୱାର, ତାହା କ’ଣ? “ମୁଁ” । ତେଣୁ ଏଭଳି ଅଭ୍ୟାସ କର ଯାହାକି ଯେତେବେଳେ ବି ମୁଁ
ଶବ୍ଦ ଆସୁଛି ସେତେବେଳେ ନିଜର ବାସ୍ତବିକ ସ୍ୱରୂପକୁ ସମ୍ମୁଖକୁ ଆଣ - ମୁଁ କିଏ? ମୁଁ ଆତ୍ମା, ନା
ଅମୁକ ବ୍ୟକ୍ତି - ସମୁକ ବ୍ୟକ୍ତି? ଅନ୍ୟମାନଙ୍କୁ ମଧ୍ୟ ଜ୍ଞାନ ଦେଉଛନା - “ମୁଁ” ଶବ୍ଦ ହିଁ
ଉଡ଼ାଇଥାଏ, “ମୁଁ” ଶବ୍ଦ ହିଁ ତଳକୁ ଖସାଇଥାଏ । ତେଣୁ “ମୁଁ” କହିବା ମାତ୍ରକେ ନିଜର ବାସ୍ତବିକ
ନିରାକାର ସ୍ୱରୂପର ସ୍ମୃତି ଆସିଯାଉ । ଏହି ଅଭ୍ୟାସ ସ୍ୱାଭାବିକ ହୋଇଯାଉ । ତେଣୁ ଏହି ପ୍ରଥମ
ପାଠଟି ସହଜ ଅଟେ ନା । ତେଣୁ ଏହାକୁ ହିଁ ଚେକ୍ କର, ଅଭ୍ୟାସରେ ପକାଅ । ମୁଁ ଶବ୍ଦ ଭାବିବା
ମାତ୍ରକେ ନିରାକାରୀ ସ୍ୱରୂପ ସ୍ମୃତିରେ ଆସିଯାଉ । ଦିନ ଭିତରେ କେତେ ଥର ମୁଁ ଶବ୍ଦ କହୁଛ! ମୁଁ
ଏହା କହୁଛି, ମୁଁ ଏହା କରିବି, ମୁଁ ଏହା ଭାବୁଛି..... । ଅନେକ ଥର ମୁଁ ଶବ୍ଦକୁ ବ୍ୟବହାର କରୁଛ
। ତେଣୁ ନିରାକାରୀ ବା ଆକାରୀ ହେବାର ସହଜ ବିଧି ହେଲା - ଯେତେବେଳେ ବି ମୁଁ ଶବ୍ଦ ବ୍ୟବହାର କରୁଛ,
ତୁରନ୍ତ ନିଜର ବାସ୍ତବିକ ନିରାକାରୀ ସ୍ୱରୂପ ସମ୍ମୁଖକୁ ଆସିଯାଉ । ଏହା ସହଜ, ନା କଷ୍ଟକର? ଏହା
ଦ୍ୱାରା ଲକ୍ଷ୍ୟ ଏବଂ ଲକ୍ଷଣ ନିଶ୍ଚିତ ସମାନ ହୋଇଯିବ । କେବଳ ଏହିଭଳି ନିରାକାରୀ ହେବାର ସହଜ
ଉପାୟକୁ ଆପଣାଇ ଦେଖ । ଏହି ଦେହ-ଅଭିମାନ ଯୁକ୍ତ “ମୁଁ” ସମାପ୍ତ ହୋଇଯିବା ଦରକାର । କାହିଁକିନା
ଏହି ମୁଁ ଶବ୍ଦ ହିଁ ଦେହ ଅହଙ୍କାର ସ୍ଥିତିକୁ ନେଇ ଆସିଥାଏ ଯଦି ଭାବିବ ମୁଁ ନିରାକାରୀ ଆତ୍ମା
ତେବେ ଏହି ସ୍ମୃତି ତୁମକୁ ଦେହ-ଅଭିମାନ ଠାରୁ ଉର୍ଦ୍ଧ୍ୱକୁ ନେଇଯିବ । ଠିକ୍ କଥା ନା । ତେବେ ସାରା
ଦିନ ଭିତରେ ୨୫-୩୦ ଥର ତ ନିଶ୍ଚିତ ମୁଁ ଶବ୍ଦ କହୁଥିବ । କହୁନଥିଲେ ମଧ୍ୟ ଭାବୁଥିବ ତ ନିଶ୍ଚିତ -
ମୁଁ ଏହି କାର୍ଯ୍ୟ କରିବି, ମୋତେ ଏହି ସବୁ କରିବାର ଅଛି ..... । ଯଦି କୌଣସି ଯୋଜନା ମଧ୍ୟ କରୁଛ
ତେବେ ସେଥିରେ ଭାବିବାକୁ ତ ପଡ଼ୁଛି ନା । ତେଣୁ ଏତେଥର ଆତ୍ମା ସ୍ୱରୂପର ସ୍ମୃତିର ଅଭ୍ୟାସ ତୁମକୁ
କ’ଣ କରିଦେବ? ନିରାକାରୀ । ନିରାକାରୀ ସ୍ୱରୂପ ହୋଇ, ଆକାରୀ ଫରିସ୍ତା ସ୍ୱରୂପ ହୋଇ କାର୍ଯ୍ୟ
କରିଲ, ପୁଣି ନିରାକାରୀ ହୋଇଯାଅ । କର୍ମ ସମ୍ବନ୍ଧର ସ୍ୱରୂପରେ ରହି ସମ୍ବନ୍ଧରେ ଆସ, ସମ୍ବନ୍ଧକୁ
ବନ୍ଧନରେ ପରିଣତ କରନାହିଁ । ଦେହ ଅଭିମାନରେ ଆସିବା ଅର୍ଥ କର୍ମ ବନ୍ଧନରେ ଆସିବା । ଦେହର
ସମ୍ବନ୍ଧରେ ଆସିବା ଅର୍ଥାତ୍ କର୍ମ ସମ୍ବନ୍ଧରେ ଆସିବା । ଦୁଇଟି ଯାକ ସ୍ଥିତି ମଧ୍ୟରେ ପାର୍ଥକ୍ୟ
ରହିଛି । ଦେହର ଆଧାର ନେବା ଏବଂ ଦେହର ଅଧୀନ ହେବା - ଏହା ଭିତରେ ପ୍ରଭେଦ ରହିଛି । ଫରିସ୍ତା ବା
ନିରାକାରୀ ଆତ୍ମା ଦେହର ଆଧାର ନେଇ ଦେହର ବନ୍ଧନରେ ଆସିବ ନାହିଁ, ସମ୍ବନ୍ଧ ରଖିବ କିନ୍ତୁ ବନ୍ଧନରେ
ଆସିବ ନାହିଁ । ତେଣୁ ବାପଦାଦା ଏହି ବର୍ଷରେ ହିଁ ପୁଣି ଫଳାଫଳକୁ ଦେଖିବେ ଯେ ନିରହଙ୍କାରୀ, ଆକାରୀ
ଫରିସ୍ତା ଏବଂ ନିରାକାରୀ ସ୍ଥିତିରେ ଲକ୍ଷ୍ୟ ସହିତ ଲକ୍ଷଣ କେତେ ମାତ୍ରାରେ ସମାନ ହେଲାଣି?
ତେବେ ମହାନତାର ଚିହ୍ନ
ହେଲା ନିର୍ମାନତା । ଯିଏ ଯେତିକି ନିର୍ମାନ ହେବ ସେତିକି ସମସ୍ତଙ୍କ ହୃଦୟରେ ସ୍ୱତଃ ଭାବରେ ମହାନ
ହୋଇଯିବ । ନିର୍ମାନତା ଗୁଣ ନଥିଲେ ସମସ୍ତଙ୍କ ପାଇଁ ମାଷ୍ଟର ସୁଖଦାତା ହୋଇପାରିବ ନାହିଁ ।
ନିର୍ମାନତାର ଗୁଣ ସହଜରେ ନିରହଙ୍କାରୀ କରିଦିଏ । ନିର୍ମାନତାର ବୀଜ ମହାନତା ରୂପୀ ଫଳ ସ୍ୱତଃ ହିଁ
ପ୍ରାପ୍ତ କରାଇଦିଏ । ନିର୍ମାନତା ସମସ୍ତଙ୍କ ଠାରୁ ଆନ୍ତରିକ ଆଶୀର୍ବାଦ ପ୍ରାପ୍ତ କରିବାର ସହଜ
ଆଧାର । ନିର୍ମାନତାର ଗୁଣ ସହଜରେ ସମସ୍ତଙ୍କ ହୃଦୟରେ ସ୍ନେହର ସ୍ଥାନ ସୃଷ୍ଟି କରିଦିଏ ।
ନିର୍ମାନତା ସ୍ୱତଃ ହିଁ ମହିମା ଯୋଗ୍ୟ କରିଦିଏ । ତେଣୁ ନିରହଙ୍କାରୀ ହେବାର ବିଶେଷ ଲକ୍ଷଣ ହେଲା
- ନିର୍ମାନତା । ବୃତ୍ତିରେ ମଧ୍ୟ ନିର୍ମାନତା, ଦୃଷ୍ଟିରେ ମଧ୍ୟ ନିର୍ମାନତା, ବାଣୀରେ ମଧ୍ୟ
ନିର୍ମାନତା, ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ନିର୍ମାନତା । ଏମିତି ନୁହେଁ ଯେ ମୋ’ର ବୃତ୍ତିରେ
ଅର୍ଥାତ୍ ମନ ଭିତରେ ନଥିଲା କିନ୍ତୁ ବାଣୀରେ ବାହାରି ପଡ଼ିଲା । ନା । ଯାହା ବୃତ୍ତିରେ ଥିବ ତାହା
ଦୃଷ୍ଟିରେ ମଧ୍ୟ ଥିବ, ଯାହା ଦୃଷ୍ଟିରେ ଥିବ ତାହା ବାଣୀରେ ମଧ୍ୟ ବାହାରିବ ଏବଂ ବାଣୀ ଯେଉଁଭଳି
ହେବ ସମ୍ବନ୍ଧ-ସମ୍ପର୍କ ମଧ୍ୟ ସେହିଭଳି ହେବ । ତେଣୁ ଚାରୋଟି ଯାକରେ ନିର୍ମାନତା ରହିବା ଉଚିତ୍ ।
ଯଦି ତିନୋଟିରେ ଥିବ କିନ୍ତୁ ଗୋଟିଏରେ ନଥିବ ତେବେ ବି ଅହଙ୍କାର ଆସିବା ପାଇଁ ସ୍ଥାନ ଅଛି । ଏହାକୁ
ହିଁ କୁହାଯାଏ ଫରିସ୍ତା ସ୍ଥିତି । ଏବେ ବୁଝିପାରିଲ ବାପଦାଦା କ’ଣ ଚାହୁଁଛନ୍ତି? ଚାହିଁବା ତ
ଉଭୟଙ୍କର ସମାନ କିନ୍ତୁ ଏବେ ଚାହିଁବା ସହିତ କରିବାକୁ ମଧ୍ୟ ସମାନ କର । ଆଚ୍ଛା ।
ଆଗକୁ କ’ଣ ସବୁ ସେବାର
ନୂଆ ନୂଆ ଯୋଜନା କରିବ? କିଛି କରିସାରିଛ, ଆଉ କିଛି କରିବ । ଚାହେଁ ଏହି ବର୍ଷ ପାଇଁ ହେଉ ବା
ଆସନ୍ତା ବର୍ଷ ପାଇଁ ହେଉ, ଯେପରି ଅନ୍ୟ ସବୁ ଯୋଜନା କରୁଛ, ଭାଷଣ କରିବୁ, ସମ୍ବନ୍ଧ-ସମ୍ପର୍କ
ମଧ୍ୟ ବୃଦ୍ଧି କରିବୁ, ବଡ଼ ବଡ଼ କାର୍ଯ୍ୟକ୍ରମ ମଧ୍ୟ କରିବୁ, ଛୋଟ କାର୍ଯ୍ୟକ୍ରମ ମଧ୍ୟ କରିବୁ, ଏସବୁ
ତ ନିଶ୍ଚିତ ଭାବୁଛ କିନ୍ତୁ ବର୍ତ୍ତମାନ ସମୟର ଗତି ଅନୁସାରେ ଏବେ ସେବାରେ ମଧ୍ୟ ତୀବ୍ରଗତି ହେବା
ଆବଶ୍ୟକ । ତାହା କିପରି ହେବ? ବାଣୀ ଦ୍ୱାରା, ସମ୍ବନ୍ଧ-ସମ୍ପର୍କ ଦ୍ୱାରା ତ ସେବା କରୁଛ, ମାନସିକ
ସେବା ମଧ୍ୟ କରୁଛ କିନ୍ତୁ ଏବେ ଅଳ୍ପ ସମୟ ଭିତରେ ସେବାରେ ଅଧିକ ସଫଳତା ମିଳିବା ଦରକାର । ସଫଳତା
ଅର୍ଥାତ୍ ଫଳାଫଳ । ଏହାର ବିଧି ହେଲା ବାଣୀ ଦ୍ୱାରା ସେବା କରିବା ପୂର୍ବରୁ ପ୍ରଥମେ ନିଜର ସ୍ଥିତି
ଏବଂ ସ୍ଥାନର ବାତାବରଣକୁ ଶକ୍ତିଶାଳୀ କର । ଯେପରି ତୁମମାନଙ୍କର ଜଡ଼ ଚିତ୍ର ଗୁଡ଼ିକ କ’ଣ ସେବା
କରୁଛନ୍ତି? ଶୁଦ୍ଧ ବାତାବରଣ ଦ୍ୱାରା କେତେ ଭକ୍ତଙ୍କୁ ପ୍ରସନ୍ନ କରୁଛନ୍ତି! ଡବଲ ବିଦେଶୀମାନେ
ମନ୍ଦିର ଦେଖିଛ ତ? ତୁମମାନଙ୍କର ହିଁ ତ ମନ୍ଦିର ଅଟେ ନା! ନା କେବଳ ଭାରତ ବାଲାଙ୍କର ମନ୍ଦିର?
ତୁମମାନଙ୍କର ଜଡ଼ ଚିତ୍ର ସେବା କରୁଛି ନା! ତେଣୁ ବାଣୀ ଦ୍ୱାରା ପଛେ ସେବା କର କିନ୍ତୁ ଏବେ ଏଭଳି
ଯୋଜନା କର, ବାଣୀ ସହିତ ବାୟୁମଣ୍ଡଳ ସୃଷ୍ଟି କରିବାର ଏଭଳି ଉପାୟ କର ଯାହାକି ବାଣୀ ଏବଂ ସଂକଳ୍ପ
ଦ୍ୱାରା ଡବଲ କାମ ହେଉଥିବ, କାରଣ ଶୁଦ୍ଧ ସଂକଳ୍ପର ତରଙ୍ଗ ଅର୍ଥାତ୍ ଭାଇବ୍ରେସନ୍ ଦ୍ୱାରା ଯେଉଁ
ବାୟୁମଣ୍ଡଳ ସୃଷ୍ଟି ହେବ ତାହା ବହୁତ ସମୟ ପର୍ଯ୍ୟନ୍ତ କାୟମ ରହିବ । ବାଣୀଦ୍ୱାରା ଶୁଣିଥିବା କଥା
କେବେ କେବେ କେହି କେହି ଭୁଲି ମଧ୍ୟ ଯାଆ’ନ୍ତି, କିନ୍ତୁ ବିଚାର, ତରଙ୍ଗର ଛାପ ଅଧିକ ସମୟ
ପର୍ଯ୍ୟନ୍ତ ରହିଥାଏ । ଯେପରି ତୁମେମାନେ ନିଜ ଜୀବନରେ ମଧ୍ୟ ଅନୁଭବୀ ଅଟ ଯାହାକି କାହାର ବିପରୀତ
ଭାବନାର ତରଙ୍ଗ ଯଦି ମନ ଭିତରେ ବା ବୁଦ୍ଧିରେ ବସା ବାନ୍ଧି ଯାଇଛି ତେବେ ତାହା କେତେ ସମୟ ରହୁଛି!
କାରଣ ଭାଇବ୍ରେସନ୍ ମନ ଭିତରେ ବସା ବାନ୍ଧିଯାଏ । ବାଣୀକୁ ତ ସେହି କ୍ଷଣି ହିଁ ଭୁଲିଯିବେ କିନ୍ତୁ
ଭାଇବ୍ରେସନ୍ ରୂପରେ ମନ ଏବଂ ବୁଦ୍ଧିରେ ଛାପ ଲାଗିଯାଏ । ଏବଂ କେତେ ସମୟ ପର୍ଯ୍ୟନ୍ତ ସେହି
ଭାଇବ୍ରେସନ୍ର ବଶୀଭୂତ ହୋଇ ସେହି ବ୍ୟକ୍ତି ସହିତ ବ୍ୟବହାର କରୁଛ? ଚାହେଁ ଓଲଟା ହୋଇଥାଉ ବା ଭଲ
ହୋଇଥାଉ କିନ୍ତୁ ଭାଇବ୍ରେସନ୍ର ଛାପ ବଡ଼ କଷ୍ଟରେ ଲିଭିଥାଏ ।
କିନ୍ତୁ ଏହି ଆତ୍ମିକ
ଭାଇବ୍ରେସନ୍କୁ ଚାରିଆଡ଼େ ଖେଳାଇବା ପାଇଁ ପ୍ରଥମେ ନିଜ ମନ ଭିତରୁ, ବୁଦ୍ଧିରୁ ବ୍ୟର୍ଥ ଭାଇବ୍ରେସନ୍
ଗୁଡ଼ିକୁ ସମାପ୍ତ କରିବାକୁ ପଡ଼ିବ ତେବେ ଯାଇ ଆତ୍ମିକ ଭାଇବ୍ରେସନ୍ ଖେଳାଇ ପାରିବ । ଯଦି କାହା
ପ୍ରତି ବି ବ୍ୟର୍ଥ ଭାଇବ୍ରେସନ୍ ଧାରଣ କରିଦେଇଛ ତେବେ ଆତ୍ମିକ ଭାଇବ୍ରେସନ୍ ଖେଳାଇ ପାରିବ ନାହିଁ
। କାରଣ ବ୍ୟର୍ଥ ଭାଇବ୍ରେସନ୍ ଆତ୍ମିକ ଭାଇବ୍ରେସନ୍ ସମ୍ମୁଖରେ ଏକ ପାଚେରୀ ଭଳି ଛିଡ଼ା ହୋଇଯାଏ ।
ସୂର୍ଯ୍ୟ ଚାହେଁ ଯେତେବି ପ୍ରକାଶମୟ ହୋଇଥାଉ, ଯଦି ସମ୍ମୁଖରେ ପାଚେରୀ ଛିଡ଼ା ହୋଇଯିବ ବା ବାଦଲ
ଆସିଯିବ ତେବେ ସୂର୍ଯ୍ୟର ପ୍ରକାଶକୁ ସେଠାରେ ପ୍ରଜ୍ୱଳିତ ହେବାକୁ ଦେବ ନାହିଁ । ଯେଉଁଗୁଡ଼ିକ ପକ୍କା
ଭାଇବ୍ରେସନ୍ ସେଗୁଡ଼ିକ ହେଲା ପାଚେରୀ ଏବଂ ହାଲୁକା ଭାଇବ୍ରେସନ୍ ଗୁଡ଼ିକ ହେଲା ହାଲୁକା ବାଦଲ ବା
କଳା ବାଦଲ । ସେଗୁଡ଼ିକ ତୁମର ଆତ୍ମିକ ଭାଇବ୍ରେସନ୍କୁ ଆତ୍ମାମାନଙ୍କ ନିକଟରେ ପହଞ୍ଚିବା ପାଇଁ ଦେବ
ନାହିଁ । ଯେପରି ସମୁଦ୍ରରେ ଜାଲ ବିଛେଇ ଏକା ଥରକେ ଅନେକ ଗୁଡ଼ିଏ ଜିନିଷକୁ ଏକାଠି କରିପାରୁଛନ୍ତି
ବା କେଉଁଠି ବି ନିଜର ଜାଲ ବିଛାଇ ଏକାବେଳକେ ଅନେକକୁ ନିଜ ପାଖକୁ ନେଇ ଆସୁଛନ୍ତି, ସେହିଭଳି
ଆତ୍ମିକ ଭାଇବ୍ରେସନ୍ ମଧ୍ୟ ଏକା ସମୟରେ ଅନେକ ଆତ୍ମାଙ୍କୁ ଆକର୍ଷିତ କରିପାରିବ କାହିଁକିନା ଏହିଭଳି
ଭାଇବ୍ରେସନ୍ ବାୟୁମଣ୍ଡଳ ସୃଷ୍ଟି କରିଥାଏ । ତେବେ ଆଗକୁ ସେବା କରିବାରେ ନିଜର ବୃତ୍ତି ଦ୍ୱାରା
ଆତ୍ମିକ ଭାଇବ୍ରେସନ୍ ଖେଳାଇବା ସହିତ ଅନ୍ୟ ସେବା ମଧ୍ୟ କର ତେବେ ଯାଇ ସେବାରେ ତୀବ୍ରଗତି
ଆସିପାରିବ । ଯଦି ଭାଇବ୍ରେସନ୍ ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବା ସହିତ ବାଣୀ ଦ୍ୱାରା ମଧ୍ୟ
ସେବା କରିବ ତେବେ ଏକ ସମୟରେ ଅନେକ ଆତ୍ମାଙ୍କର କଲ୍ୟାଣ କରିପାରିବ ।
ବାକି ଭିନ୍ନ ଭିନ୍ନ
କାର୍ଯ୍ୟକ୍ରମ ସବୁ କରିବା ପାଇଁ ଆଗକୁ ମଧ୍ୟ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମଞ୍ଚର
ବ୍ୟବହାର ଅଧିକ କର, ଏହି ବିଧିକୁ ଆହୁରି ବଢ଼ାଅ । ସମ୍ପର୍କରେ ରହୁଥିବା ଆତ୍ମାମାନଙ୍କ ଦ୍ୱାରା
ସହଯୋଗ ନେଇ ଏହିଭଳି ସେବାର ବୃଦ୍ଧି କରିପାରିବ । ସହଯୋଗୀ ଆତ୍ମାମାନଙ୍କର ସହଯୋଗ ଯେକୌଣସି ଉପାୟରେ
ବଢ଼ାଇ ଚାଲ ତେବେ ସେମାନେ ସେବାରେ ସହଯୋଗୀ ହେବା ଦ୍ୱାରା ସ୍ୱତଃ ହିଁ ସହଜଯୋଗୀ ହୋଇଯିବେ । କେହି
କେହି ଏଭଳି ବି ଆତ୍ମା ଅଛନ୍ତି ଯେଉଁମାନେ ସିଧାସଳଖ ସହଜଯୋଗୀ ହେବେ ନାହିଁ କିନ୍ତୁ ସେମାନଙ୍କ
ଠାରୁ ସେବା କାର୍ଯ୍ୟରେ ସହଯୋଗ ନେଇ ଚାଲିଥାଅ ଏବଂ ସହଯୋଗୀ କରିଚାଲିଥାଅ । ତେବେ ସହଯୋଗ ଦେବାରେ
ଆଗକୁ ବଢ଼ି ବଢ଼ି ଦିନେ ଯୋଗୀ ହୋଇଯିବେ । ତେଣୁ ସହଯୋଗୀ ଆତ୍ମାମାନଙ୍କୁ ଆହୁରି ଅଧିକ ମଞ୍ଚ ଉପରକୁ
ଆଣ, ସେମାନଙ୍କର ସହଯୋଗକୁ ସଫଳ କର । ବୁଝିପାରିଲ, କ’ଣ କରିବ? ଯଦି କେହି ଗୋଟିଏ ଆତ୍ମା ବି
ସହଯୋଗୀ ହେଉଛି ତେବେ ସେହି ଆତ୍ମା ସ୍ଥୂଳ ରୂପରେ ସହଯୋଗ ପ୍ରାପ୍ତ କରିବା ଦ୍ୱାରା ବା ସହଯୋଗ ଦେବା
ଦ୍ୱାରା ପ୍ରତ୍ୟକ୍ଷ ଆଶୀର୍ବାଦ ପ୍ରାପ୍ତ କରି ସହଜରେ ଆଗକୁ ବଢ଼ି ଚାଲିଥାଏ ଏବଂ ଅନେକଙ୍କର ସେବା
କରିବାର ନିମିତ୍ତ ହୋଇ ଯାଇଥାଏ ।
ଏହା ସହିତ ବର୍ଷକ ଭିତରେ
କୌଣସି ନିର୍ଦ୍ଧିଷ୍ଟ ମାସ ନିଧାର୍ଯ୍ୟ କର ଯେଉଁ ମାସରେ ବିଶେଷ କରି ନିଜ ପାଇଁ ପୁରୁଷାର୍ଥ
କରିବାର ବା ଶ୍ରେଷ୍ଠ ଶକ୍ତିଗୁଡ଼ିକୁ ଧାରଣ କରିବାର ଅଭ୍ୟାସ କରିବ, ଯାହାକୁ ତୁମେମାନେ ତପସ୍ୟା ବା
ଭଟ୍ଟୀ ବା ରିଟ୍ରୀଟ ବୋଲି କହୁଛ । ପ୍ରତ୍ୟେକ ଦେଶ ଅନୁସାରେ ଦୁଇ-ଦୁଇ ମାସ ନିଧାର୍ଯ୍ୟ କର,
ସେଠିକାର ସିଜିନ୍ ଅନୁସାରେ । ଦୁଇ ମାସ ତପସ୍ୟା କରିବା ପାଇଁ ରଖ, ଦୁଇ ମାସ ଛୋଟ ଛୋଟ ସେବା କରିବା
ପାଇଁ, ଦୁଇ ମାସ ବଡ଼ ଧରଣର ସେବା କରିବା ପାଇଁ, ଏହିଭଳି ମାସଗୁଡ଼ିକୁ ଫିକ୍ସ କର ଅର୍ଥାତ୍ ପୂର୍ବରୁ
ସ୍ଥିର କର । ଏମିତି ନହେଉ ଯେ ୧୨ ମାସ ଯାକ ସେବାରେ ଏତେ ବ୍ୟସ୍ତ ରହିଯାଅ ଯାହାକି ନିଜର ପ୍ରଗତି
କରିବା ପାଇଁ ସମୟ କମି ଯାଉଥିବ । ଯେଉଁ ଦେଶରେ ଯେଉଁଭଳି ଋତୁ ରହିଛି, କୌଣସି ସମୟ ଏଭଳି ମଧ୍ୟ ଅଛି
ଯେତେବେଳେ ବାହାରର ସେବା କରିପାରିବ ନାହିଁ, ତେଣୁ ସେହି ସମୟକୁ ନିଜର ପ୍ରଗତି ବା ସ୍ୱ-ଉନ୍ନତି
ପାଇଁ ବିଶେଷ ରୂପରେ ନିଧାର୍ଯ୍ୟ କର । ସାରା ବର୍ଷ ସେବା କର ତାହା ମଧ୍ୟ ହୋଇପାରିବ ନାହିଁ, ସାରା
ବର୍ଷ ତପସ୍ୟା କର, ତାହା ମଧ୍ୟ ହୋଇପାରିବ ନାହିଁ । ସେଥିପାଇଁ ଉଭୟକୁ ଦୃଷ୍ଟିରେ ରଖି ନିଜ ନିଜର
ସ୍ଥାନର ଜଳବାୟୁ ଅନୁସାରେ ମାସ ସ୍ଥିର କର ଯେଉଁ ସମୟରେ ସେବା ଏବଂ ସ୍ୱ-ଉନ୍ନତି ଉଭୟ ହୋଇପାରିବ ।
ଆଚ୍ଛା । ଏହି ବର୍ଷର
ମିଳନ ଋତୁର ଏହା ସମାପ୍ତିର ସମୟ । ତେବେ ସମାପ୍ତି ସମୟରେ କ’ଣ କରାଯାଏ? ସମାପ୍ତି ସମୟରେ ଗୋଟିଏ
ହେଲା ସମାରୋହ କରାଯାଏ ଏବଂ ଦ୍ୱିତୀୟରେ କୌଣସି ଆଧ୍ୟାତ୍ମିକ ବିଷୟକୁ ନେଇ ସ୍ୱାହା କରାଯାଏ । ତେଣୁ
ଏବେ କ’ଣ ସ୍ୱାହା କରିବ? ବିଶେଷ କରି ଗୋଟିଏ କଥାକୁ ମନ-ବୁଦ୍ଧି ଦ୍ୱାରା ସ୍ୱାହା କର, ବାଣୀଦ୍ୱାରା
ନୁହେଁ, କେବଳ ପଢ଼ିଦେଲ - ତାହା ନୁହେଁ, ମନ-ବୁଦ୍ଧି ଦ୍ୱାରା ସ୍ୱାହା କର । ତା’ପରେ ଦେଖ ସ୍ୱ-ଉନ୍ନତିରେ
ଏବଂ ସେବାରେ ତୀବ୍ର ଗତି କିପରି ଆସିବ! ତେବେ ଆଜିର ବିଷୟ ବସ୍ତୁ ହେଲା ଯେକୌଣସି ଆତ୍ମା ପ୍ରତି
ଥିବା ବ୍ୟର୍ଥ ଭାଇବ୍ରେସନ୍କୁ ସ୍ୱାହା କର । କରିପାରିବ? ନା କିଛି କିଛି ରହିଯିବ? ଏପରି ଭାବନାହିଁ
ଯେ ଇଏ ତ ଏହିଭଳି ହିଁ ଅଟେ, ତାହା ହେଲେ ଭାଇବ୍ରେସନ୍ ତ ରହିବ ନା! ଯିଏ ଯେମିତି ବି ହୋଇଥାଉ
କିନ୍ତୁ ତୁମେ ନିଜର ନକାରାତ୍ମକ ଭାଇବ୍ରେସନ୍କୁ ପରିବର୍ତ୍ତନ କରି ଯଦି ସକାରାତ୍ମକ ଭାଇବ୍ରେସନ୍
ରଖିବ ତେବେ ସେହି ଆତ୍ମା ମଧ୍ୟ ନକାରାତ୍ମକରୁ ସକାରାତ୍ମକକୁ ନିଶ୍ଚିତ ଆସିବ, ତା’କୁ ଆସିବାକୁ
ହିଁ ପଡ଼ିବ, କାହିଁକିନା ଯେପର୍ଯ୍ୟନ୍ତ ଏହିଭଳି ବ୍ୟର୍ଥ ଭାଇବ୍ରେସନ୍ ମନ-ବୁଦ୍ଧିରେ ରହିଥିବ
ସେପର୍ଯ୍ୟନ୍ତ ତୀବ୍ର ଗତିର ସେବା ହୋଇପାରିବ ନାହିଁ ।
ତେଣୁ ନିଜର ମନର ବୃତ୍ତି
ଦ୍ୱାରା ଆତ୍ମିକ ଭାଇବ୍ରେସନ୍ ଖେଳାଇବାକୁ ହେବ । ତେବେ ମନର ବୃତ୍ତି ମଧ୍ୟ ଏକ ରକେଟ୍ ସହିତ ସମାନ,
ଯାହାକି ଏହିଠାରେ ବସି ମଧ୍ୟ ଯେଉଁଠାରେ ଚାହିଁବ, ଯେତେବି ଶକ୍ତିଶାଳୀ ପରିବର୍ତ୍ତନ କରିବାକୁ
ଚାହିଁବ ତାହା କରିପାରିବ । ଏହା ଏକ ଆତ୍ମିକ ରକେଟ୍ । ଏହାକୁ ଯେତେ ଦୂର ପର୍ଯ୍ୟନ୍ତ ଏବଂ ଯେତେ
ଜଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚାହିଁବ ସେତିକି ଶକ୍ତିଶାଳୀ ବୃତ୍ତି ଦ୍ୱାରା, ଭାଇବ୍ରେସନ୍
ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିପାରିବ । ସେହି ବ୍ୟକ୍ତି ଚାହେଁ ପ୍ରକୃତରେ ଭୁଲ୍ ମଧ୍ୟ ହୋଇଥାଉ
କିନ୍ତୁ ତୁମେ ତା’ର ଭୁଲ୍କୁ ମନ ଭିତରେ ଧାରଣ କରନାହିଁ । ତା’ର ଭୁଲ୍କୁ ତୁମେ କାହିଁକି ଧାରଣ
କରୁଛ? ଏହା କ’ଣ ଶ୍ରୀମତ କି? ଜାଣିବା ଅଲଗା ଜିନିଷ, ଜ୍ଞାନୀ ଆତ୍ମା ହିସାବରେ ଯଦିଓ ଜାଣି ପାରୁଛ
ତେବେ ଜାଣ କିନ୍ତୁ ଜ୍ଞାନୀ ହେବା ସହିତ ଶକ୍ତିଶାଳୀ ହୋଇ ତା’କୁ ସମାପ୍ତ କରି ଦିଅ । ଜାଣିବା ଅଲଗା
ଜିନିଷ କିନ୍ତୁ ତାକୁ ମନ ଭିତରେ ଧାରଣ କରିବା ଅଲଗା ଜିନିଷ ଏବଂ ତା’କୁ ସେହି ସମୟରେ ସମାପ୍ତ
କରିଦେବା ତାହା ଆହୁରି ଅଲଗା ଜିନିଷ । ଯଦିଓ ଜାଣୁଛ ଏହା ଭୁଲ୍ କଥା, ଏହା ଠିକ୍ କଥା, ଇଏ ଏହିଭଳି
...... କିନ୍ତୁ ତା’କୁ ମନ ଭିତରେ ରଖ ନାହିଁ । ଭିତରେ ରଖିବା ଜଣାଅଛି କିନ୍ତୁ ସମାପ୍ତ କରିଦେବା
ଜଣା ନାହିଁ । ତେବେ ଜ୍ଞାନ ଅର୍ଥାତ୍ ବୁଝି ପାରିବାର ଶକ୍ତି । କିନ୍ତୁ ବୁଦ୍ଧିମାନ ବ୍ୟକ୍ତି
ତା’କୁ କୁହାଯିବ ଯାହାକୁ ବୁଝିବା ମଧ୍ୟ ଜଣାଥିବ ଏବଂ ମନ ଭିତରୁ ଲିଭେଇ ଦେବା ମଧ୍ୟ ଜଣାଥିବ,
ପରିବର୍ତ୍ତନ କରିବା ମଧ୍ୟ ଜଣାଥିବ ।
ଏହି ବର୍ଷ ନିଜର
ମନ-ବୁଦ୍ଧିକୁ ବ୍ୟର୍ଥଠାରୁ ସମ୍ପୂର୍ଣ୍ଣ ମୁକ୍ତ କର । ଏହା ହିଁ ତୀବ୍ର ଗତିରୁ ସାଧାରଣ ଗତିକୁ
ନେଇ ଆସୁଛି । ସେଥିପାଇଁ ଏହାର ସମାପ୍ତି ସମାରୋହ କର ଅର୍ଥାତ୍ ସ୍ୱାହା କର । ସମ୍ପୂର୍ଣ୍ଣ
ସ୍ୱଚ୍ଛ ହୋଇଯାଅ । କିଏ କିପରି ବି ହୋଇଥାଉ କିନ୍ତୁ ତା’କୁ କ୍ଷମା କରିଦିଅ । ଶୁଭ ଭାବନା, ଶୁଭ
କାମନାର ବୃତ୍ତି ଦ୍ୱାରା ଶୁଭ ଭାଇବ୍ରେସନ୍କୁ ଧାରଣ କର କାହିଁକିନା ଶେଷ ସମୟରେ, ଆଗକୁ ବଢ଼ିବା
ସମୟରେ ଏହି ବୃତ୍ତି ବା ଭାଇବ୍ରେସନ୍ ତୁମର ସେବାକୁ ଆଗକୁ ବଢ଼ାଇବ, ତେବେ ଯାଇ ଶୀଘ୍ର ଶୀଘ୍ର ଅତି
କମ୍ରେ ୯ ଲକ୍ଷ ପ୍ରଜା ତିଆରି କରିପାରିବ । ଏବେ ବୁଝିପାରିଲ କ’ଣ ସ୍ୱାହା କରିବ? ବ୍ୟର୍ଥ ବୃତ୍ତି,
ବ୍ୟର୍ଥ ଭାଇବ୍ରେସନ୍କୁ ସ୍ୱାହା କର! ତା’ପରେ ଦେଖିବ କିପରି ସ୍ୱାଭାବିକ ଭାବରେ ଯୋଗୀ ହେବା ସହିତ
ଚାଲି ଚଳନରେ ଫରିସ୍ତା ହୋଇଯାଇଛ । ଏହିଭଳି ଅନୁଭବ ଉପରେ ରିଟ୍ରୀଟ୍ କର ଅର୍ଥାତ୍ ଏକାନ୍ତରେ ବସି
ମନନ-ଚିନ୍ତନ କର, କାର୍ଯ୍ୟଶାଳା କର ଅର୍ଥାତ୍ ଭିନ୍ନ ଭିନ୍ନ ପଏଣ୍ଟ ବାହାର କର, “କିପରି ହେବ,
ନୁହେଁ, ଏହିପରି ହେବ” । ଆଚ୍ଛା ।
ସର୍ବଦା ନିଜକୁ
ବାରମ୍ବାର ନିଜର ବାସ୍ତବିକ ସ୍ୱରୂପ - ମୁଁ ନିରାକାରୀ ଅଟେ - ଏହିଭଳି ନିଶ୍ଚୟ ଏବଂ ନିଶାରେ
ଉଡ଼ୁଥିବା, ସଦା ନିର୍ମାନତା ଦ୍ୱାରା ମହାନତାକୁ ପ୍ରାପ୍ତ କରୁଥିବା ଅନୁଭବୀ ଆତ୍ମାମାନଙ୍କୁ,
ଏହିଭଳି ନିର୍ମାନ, ସଦା ମହାନ ଏବଂ ଆକାରୀ ତଥା ନିରାକାରୀ ସ୍ଥିତିକୁ ନିଜର ବାସ୍ତବିକ ସ୍ୱଭାବରେ
ପରିଣତ କରିଥିବା ସର୍ବଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ବହୁତ-ବହୁତ-ବହୁତ ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ଏହି ମରଜୀବା
ଜୀବନରେ ସର୍ବଦା ସନ୍ତୁଷ୍ଟ ରହୁଥିବା ଇଚ୍ଛା ମାତ୍ରର ଅବିଦ୍ୟା ହୁଅ ।
ତୁମେ ପିଲାମାନେ
ସଦା-ସର୍ବଦା ସନ୍ତୁଷ୍ଟ ରହିବା ପାଇଁ ହିଁ ମରଜୀବା ହୋଇଛ । ଯେଉଁଠାରେ ସନ୍ତୁଷ୍ଟତା ଅଛି ସେଠାରେ
ସର୍ବଗୁଣ ଏବଂ ସର୍ବଶକ୍ତି ମଧ୍ୟ ଅଛି କାହିଁକିନା ରଚୟିତାଙ୍କୁ ନିଜର କରିନେଇଛ, ତେଣୁ ବାବା
ମିଳିଗଲେ ଅର୍ଥାତ୍ ସବୁକିଛି ମିଳିଗଲା । ସବୁଯାକ ଇଚ୍ଛାକୁ ଯଦି ଏକାଠି କରିବ ତେବେ ବି ତା’ଠାରୁ
ପଦ୍ମଗୁଣା ଅଧିକ ମିଳିଯାଇଛି । ଏହା ତୁଳନାରେ ଇଚ୍ଛା ଗୁଡ଼ିକ ଏପରି ଅଟେ ଯେପରି ସୂର୍ଯ୍ୟ ନିକଟରେ
ଦୀପ । ଇଚ୍ଛା ଉତ୍ପନ୍ନ ହେବା କଥାକୁ ତ ଭୁଲିଯାଅ କିନ୍ତୁ ଇଚ୍ଛା ରୂପକ ଜିନିଷଟି କ’ଣ - ଏଭଳି
ପ୍ରଶ୍ନ ମଧ୍ୟ ଉଠି ପାରିବ ନାହିଁ । ଯେହେତୁ ସର୍ବପ୍ରାପ୍ତିରେ ସମ୍ପନ୍ନ ଅଟ ତେଣୁ ଇଚ୍ଛା ମାତ୍ରର
ଅବିଦ୍ୟା ଅର୍ଥାତ୍ ଅଗୋଚର, ସଦା ସନ୍ତୁଷ୍ଟମଣୀ ।
ସ୍ଲୋଗାନ:-
ଯେଉଁମାନଙ୍କର
ସଂସ୍କାର ସରଳ ସେମାନେ ଯେକୌଣସି ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିଦେଇ ପାରିବେ ।