01.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଶରୀର ରୂପକ ବସ୍ତ୍ରକୁ ଏହିଠାରେ ହିଁ ଛାଡ଼ିବାକୁ ହେବ, ସେଥିପାଇଁ ଏଥିରୁ ମମତ୍ତ୍ୱ ତୁଟାଇ ଦିଅ, କେହି ବି ମିତ୍ର-ସମ୍ବନ୍ଧୀ ଯେପରି ମନେ ନ ପଡ଼ନ୍ତୁ ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କ ଭିତରେ ଯୋଗବଳ ଅଛି, ସେମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-
ସେମାନଙ୍କୁ କୌଣସି କଥାରେ ସାମାନ୍ୟତମ ଆଘାତ ମଧ୍ୟ ଲାଗିବ ନାହିଁ, କାରଣ କାହାରି ପ୍ରତି ମୋହ ନଥିବ । ଧରିନିଅ ଆଜି କିଏ ଶରୀର ଛାଡ଼ିଲେ ତେବେ ତାଙ୍କୁ ଦୁଃଖ ଲାଗିବ ହେବ ନାହିଁ, କାହିଁକିନା ଜାଣିଛନ୍ତି ଡ୍ରାମାରେ ଏହାଙ୍କର ଏତିକି ହିଁ ପାର୍ଟ ଥିଲା । ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଧାରଣ କରିବ ।

ଓମ୍ ଶାନ୍ତି ।
ଏହି ଜ୍ଞାନ ବହୁତ ଗୁପ୍ତ, ଏଥିରେ ନମସ୍କାର ମଧ୍ୟ କରିବାକୁ ପଡ଼ୁନାହିଁ । ଦୁନିଆରେ ନମସ୍କାର ଅଥବା ରାମ-ରାମ ଆଦି କହିଥାନ୍ତି । ଏଠାରେ ସେ ସବୁ କଥା ଚାଲିପାରିବ ନାହିଁ କାହିଁକିନା ଏହା ଏକ ପରିବାର ଅଟେ । ପରିବାର ମଧ୍ୟରେ ଜଣେ-ଅନ୍ୟଜଣଙ୍କୁ ନମସ୍କାର ଅଥବା ଶୁଭ ସକାଳ କହିବେ ଏକଥା ଶୋଭା ପାଉନାହିଁ । ଘରେ ଖାଇ-ପିଇ ଅଫିସ୍ ଗଲ, ପୁଣି ଆସିଲ, ଏଭଳି ଚାଲି ଆସୁଛି । ନମସ୍କାର କରିବାର ଆବଶ୍ୟକତା ପଡେ ନାହିଁ । ଗୁଡ଼ମର୍ଣ୍ଣିଙ୍ଗ୍ କହିବାର ଫେସନ ମଧ୍ୟ ୟୁରୋପବାସୀଙ୍କଠାରୁ ବାହାରିଛି । ନଚେତ୍ ଆଗରୁ ଏସବୁ କିଛି ଚାଲୁ ନ ଥିଲା । କୌଣସି ସତ୍ସଙ୍ଗରେ ପରସ୍ପର ସହିତ ମିଶିଲେ ନମସ୍କାର କରି, ପାଦ ତଳେ ପଡ଼ିଥାନ୍ତି । ତେବେ ପାଦ ତଳେ ପଡ଼ିବା ନମ୍ରତା ନିମନ୍ତେ ଶିଖାଇଥାନ୍ତି । ଏଠାରେ ତ ତୁମ ପିଲାମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ଆତ୍ମା, ଆତ୍ମାକୁ କଣ କରିବ ? ତଥାପି ମଧ୍ୟ କହିବାକୁ ତ ପଡ଼ିଥାଏ । ଯେପରି ବାବାଙ୍କୁ କହୁଛନ୍ତି - ବାବା ନମସ୍କାର । ଏବେ ବାବା ମଧ୍ୟ କହୁଛନ୍ତି ମୁଁ ସାଧାରଣ ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମମାନଙ୍କୁ ପାଠ ପଢ଼ାଉଛି, ୟାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛି । କିପରି ? ଯେତେବେଳେ ବାବା ସମ୍ମୁଖକୁ ଆସିବେ ସେତେବେଳେ ବୁଝାଇବେ, ନଚେତ୍ କେହି କିପରି ବୁଝିପାରିବେ । ବାବା ସମ୍ମୁଖରେ ବସି ବୁଝାଉଛନ୍ତି ତେଣୁ ପିଲାମାନେ ବୁଝି ପାରୁଛନ୍ତି । ତୁମମାନଙ୍କୁ ଉଭୟଙ୍କୁ ନମସ୍କାର କରିବାକୁ ପଡ଼ିବ ବାପଦାଦା ନମସ୍କାର । ବାହାର ଲୋକମାନେ ଏହି କଥା ଶୁଣିଲେ ଦ୍ୱନ୍ଦରେ ପଡ଼ିବେ ଯେ ଏମାନେ ବାପଦାଦା ବୋଲି କଣ କହୁଛନ୍ତି । ବହୁତ ଲୋକଙ୍କର ଦୁଇଟି ନାମ ମଧ୍ୟ ରହିଥାଏ ନା । ଯେପରି ଲକ୍ଷ୍ମୀ-ନାରାୟଣ ଅଥବା ରାଧେକୃଷ୍ଣ ...ଏହିଭଳି ନାମ ମଧ୍ୟ ଅଛି । ଏହା ତ ଯେପରି ସ୍ତ୍ରୀ-ପୁରୁଷ ଏକତ୍ର ହୋଇଗଲେ । ଇଏ ତ ହେଉଛନ୍ତି ବାପଦାଦା । ଏହି କଥାକୁ ତୁମେ ପିଲାମାନେ ହିଁ ବୁଝିପାରିବ । ବାବା ନିଶ୍ଚିତ ବଡ଼ ଅଟନ୍ତି । ଯଦିଓ ଦୁଇଟି ନାମ ରହିଛି କିନ୍ତୁ ଜଣେ ଅଟନ୍ତି ନା । ପୁଣି ଦୁଇଜଣଙ୍କର ନାମ କାହିଁକି ରଖିଦେଇଛନ୍ତି ? ଏବେ ତୁମେ ପିଲାମାନେ ଜାଣୁଛ ଏହା ଭୁଲ୍ ନାମ ଅଟେ । ବାବାଙ୍କୁ ଆଉ ତ କେହି ଚିହ୍ନିପାରିବେ ନାହିଁ । ତୁମେ ବାପଦାଦା ନମସ୍କାର ବୋଲି କହୁଛ । ବାବା ପୁଣି କହୁଛନ୍ତି ଶାରୀରିକ ଏବଂ ଆତ୍ମିକ ପିଲାମାନେ ନମସ୍କାର କିନ୍ତୁ ଏତେ ଲମ୍ବା ହୋଇଥିବାରୁ ଶୋଭା ପାଉ ନାହିଁ । ଅକ୍ଷର ତ ଠିକ୍ ଅଛି । ତୁମେ ଏବେ ଶାରୀରିକ ପିଲା ସହିତ ଆତ୍ମିକ ସନ୍ତାନ ମଧ୍ୟ ଅଟ । ଶିବବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି ଏବଂ ପ୍ରଜାପିତା ବ୍ରହ୍ମା ମଧ୍ୟ ପିତା ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ-ଭଉଣୀ ଅଟନ୍ତି । ତେବେ ଏହା ପ୍ରବୃତ୍ତି ମାର୍ଗ ହୋଇଯାଉଛି । ତୁମେ ସମସ୍ତେ ହେଉଛ ବ୍ରହ୍ମାକୁମାର-କୁମାରୀ । ବ୍ରହ୍ମାକୁମାର-କୁମାରୀ ହେବା ଦ୍ୱାରା ପ୍ରଜାପିତା ମଧ୍ୟ ସିଦ୍ଧ ହୋଇଯାଉଛି । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । କୁହ ବ୍ରହ୍ମାକୁମାର-କୁମାରୀମାନଙ୍କୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ବ୍ରହ୍ମାଙ୍କଠାରୁ ମିଳୁନାହିଁ, ବ୍ରହ୍ମା ମଧ୍ୟ ଶିବବାବାଙ୍କର ସନ୍ତାନ ଅଟନ୍ତି । ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା, ବିଷ୍ଣୁ, ଶଙ୍କର ଏମାନେ ହେଲେ ରଚନା । ଏମାନଙ୍କର ରଚୟିତା ହେଉଛନ୍ତି ଶିବ । ଶିବଙ୍କ ନିମନ୍ତେ କେହି କହିପାରିବେ ନାହିଁ ଯେ ୟାଙ୍କର ସୃଷ୍ଟିକର୍ତ୍ତା କିଏ ? ଶିବଙ୍କର ସୃଷ୍ଟି କର୍ତ୍ତା କେହି ନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ଏମାନେ ହେଲେ ରଚନା । ଏମାନଙ୍କ ଉପରେ ରହିଛନ୍ତି ଶିବ, ଯିଏକି ସବୁ ଆତ୍ମାମାନଙ୍କର ପିତା । ଯଦି ସିଏ ସୃଷ୍ଟିକର୍ତ୍ତା ତେବେ ପୁଣି ପ୍ରଶ୍ନ ଉଠୁଛି ଯେ କେବେ ସୃଷ୍ଟି କରିଥିଲେ ? ଇଏ ତ ଅନାଦି । ଏତେ ଆତ୍ମାମାନଙ୍କୁ କେବେ ସୃଷ୍ଟି କଲେ ? ଏହି ପ୍ରଶ୍ନ ଉଠିପାରିବ ନାହିଁ । ଏହି ଅନାଦି ଡ୍ରାମା ଚାଲିଆସୁଛି, ଏହା ଅନ୍ତହୀନ ଅଟେ । ଏହାର କେବେ ଅନ୍ତ ହେଉନାହିଁ । ଏହି କଥା ତୁମ ପିଲାମାନଙ୍କ ମଧ୍ୟରେ କ୍ରମାନୁସାରେ ବୁଝୁଛନ୍ତି । ଏହା ବହୁତ ସହଜ ଅଟେ । ଏକମାତ୍ର ବାବାଙ୍କ ବିନା ଆଉ କାହା ପ୍ରତି ଆକର୍ଷଣ ନ ରହୁ, କେହି ମଧ୍ୟ ମରନ୍ତୁ ଅଥବା ବଞ୍ଚନ୍ତୁ । ଗାୟନ ମଧ୍ୟ ରହିଛି ଆମ୍ମା ମରିଗଲେ ମଧ୍ୟ ହାଲୁଆ ଖାଅ .... ଧରିନିଅ କେହି ମୃତ୍ୟୁବରଣ କରୁଛନ୍ତି, ଏଥିରେ ଚିନ୍ତା କରିବାର କୌଣସି କଥା ନାହିଁ କାହିଁକିନା ଏହି ଡ୍ରାମା ଅନାଦି ତିଆରି ହୋଇଛି । ଡ୍ରାମାନୁସାରେ ତାଙ୍କୁ ଏହି ସମୟରେ ଯିବାକୁ ହିଁ ଥିଲା, ଏଥିରେ କଣ କରାଯାଇପାରିବ । ଟିକିଏ ହେଲେ ଦୁଃଖୀ ହେବାର କଥା ନାହିଁ । ଏହା ହେଉଛି ଯୋଗବଳର ଅବସ୍ଥା । ନିୟମ କହୁଛି ଟିକିଏ ହେଲେ ମଧ୍ୟ ଧକ୍କା ଆସିବା ଉଚିତ୍ ନୁହେଁ । ସମସ୍ତେ ଅଭିନେତା ଅଟନ୍ତି ନା । ନିଜ-ନିଜର ପାର୍ଟ କରି ଚାଲିଛନ୍ତି । ପିଲାମାନଙ୍କୁ ଜ୍ଞାନ ମିଳିଯାଇଛି ।

ବାବାଙ୍କୁ କହୁଛନ୍ତି ହେ ପରମପିତା ପରମାତ୍ମା ଆସି ଆମକୁ ନେଇଯାଅ । ଏତେ ସବୁ ଶରୀରର ବିନାଶ କରାଇ ସବୁ ଆତ୍ମାମାନଙ୍କୁ ସାଥିରେ ନେଇଯିବା, ଏହା ତ ବହୁତ ବଡ଼ କାମ ହେଲା ନା । ଏଠାରେ କେହି ଜଣେ ମୃତ୍ୟୁବରଣ କରିଲେ ୧୨ ମାସ ପର୍ଯ୍ୟନ୍ତ କାନ୍ଦିଥାନ୍ତି । ବାବା ତ ଏତେ ଢ଼େର ଆତ୍ମାମାନଙ୍କୁ ନେଇଯିବେ । ସମସ୍ତେ ଏଠାରେ ଶରୀର ତ୍ୟାଗ କରିଦେବେ । ପିଲାମାନେ ଜାଣିଛନ୍ତି ମହାଭାରତ ଲଢ଼େଇ ଲାଗିଲେ ମଶାମାଛି ସଦୃଶ୍ୟ ସମସ୍ତେ ଯିବେ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ଏବେ ସାରା ଦୁନିଆ ପରିବର୍ତ୍ତନ ହେବାକୁ ଯାଉଛି । ଏବେ ଦେଖ ଇଂଲଣ୍ଡ, ରଷିଆ ଆଦି କେତେ ବଡ଼-ବଡ଼ ଦେଶ ରହିଛି । ସତ୍ୟଯୁଗରେ କଣ ଏସବୁ ଥିଲା ? ଦୁନିଆରେ ଏହା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ଯେ ଆମ ରାଜ୍ୟରେ ଏମାନେ କେହି ମଧ୍ୟ ନ ଥିଲେ । ଗୋଟିଏ ହିଁ ଧର୍ମ, ଗୋଟିଏ ହିଁ ରାଜ୍ୟ ଥିଲା, ତୁମମାନଙ୍କ ମଧ୍ୟରେ ମଧ୍ୟ କ୍ରମାନୁସାରେ ଅଛନ୍ତି ଯାହାଙ୍କ ବୁଦ୍ଧିରେ ଏହି କଥା ଭଲ ଭାବରେ ରହୁଛି । ଯଦି ଧାରଣା ହେବ ତେବେ ସେହି ନିଶା ସର୍ବଦା ଚଢ଼ି ରହିବ । କିନ୍ତୁ କେତେ ଜଣଙ୍କର ନିଶା ବହୁତ ମୁସ୍କିଲ୍ରେ ଚଢିଥାଏ । ମିତ୍ର-ସମ୍ବନ୍ଧୀ ଆଦି ସବୁ ଆଡ଼ୁ ସ୍ମୃତି ହଟାଇ ଏକମାତ୍ର ବେହଦର ଖୁସୀରେ ସ୍ଥାୟୀ ହୋଇଯାଉ, ଏହା ବହୁତ ଚମତ୍କାରୀ କଥା ଅଟେ । ହଁ, ଏହା ମଧ୍ୟ ଅନ୍ତିମ ସମୟରେ ହେବ । ଶେଷ ସମୟରେ ସମସ୍ତେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ । ଶରୀରରୁ ମଧ୍ୟ ଅଭିମାନ ତୁଟିଯିବ । ବାସ୍ ଏବେ ଆମେ ଯାଉଛୁ, ଏକଥା ଯେପରି ସାଧାରଣ ହୋଇଯିବ । ଯେପରି ନାଟକରେ ଅଭିନେତାମାନେ ଅଭିନୟ କରି ପୁଣି ଘରକୁ ଯାଇଥାନ୍ତି । ଏହି ଦେହ ରୂପକ ବସ୍ତ୍ର ତ ତୁମକୁ ଏହିଠାରେ ହିଁ ଛାଡ଼ିବାକୁ ହେବ । ଏହି ବସ୍ତ୍ର ଏହିଠାରୁ ନେଇ, ଏହିଠାରେ ହିଁ ପୁଣି ଛାଡ଼ୁଛନ୍ତି । ଏହି ସବୁ ନୂଆ କଥା ତୁମର ବୁଦ୍ଧିରେ ଅଛି, ଆଉ କାହାରି ବୁଦ୍ଧିରେ ନାହିଁ । ଅଲଫ ଏବଂ ବେ । ଅଲଫ (ବାବା) ସବୁଠାରୁ ଉପରେ ଅଛନ୍ତି । କହୁଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ, ବିଷ୍ଣୁଙ୍କ ଦ୍ୱାରା ପାଳନା । ଆଚ୍ଛା, ବାକି ଶିବଙ୍କର କାମ କଣ ? ସର୍ବୋଚ୍ଚ ଶିବବାବାଙ୍କୁ କେହି ବି ଜାଣିନାହାଁନ୍ତି । କହିଦେଉଛନ୍ତି ସିଏ ତ ସର୍ବବ୍ୟାପୀ ଅଟନ୍ତି । ଇଏ ସବୁ ତାଙ୍କର ହିଁ ରୂପ ଅଟେ । ସାରା ଦୁନିଆର ବୁଦ୍ଧିରେ ଏହା ପକ୍କା ହୋଇଗଲାଣି, ସେଥିପାଇଁ ସମସ୍ତେ ତମୋପ୍ରଧାନ ହୋଇ ଯାଇଛନ୍ତି । ବାବା କହୁଛନ୍ତି ସାରା ଦୁନିଆ ଦୁର୍ଗତିକୁ ପ୍ରାପ୍ତ କଲାଣି । ପୁଣି ମୁଁ ହିଁ ଆସି ସମସ୍ତଙ୍କୁ ସଦ୍ଗତି ଦେଉଛି । ଯଦି ସିଏ ସର୍ବବ୍ୟାପୀ ଅଟନ୍ତି ତେବେ କଣ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି ? ଗୋଟିଏ ପଟେ କହୁଛନ୍ତି ସମସ୍ତେ ଭାଇ-ଭାଇ, ପୁଣି କହି ଦେଉଛନ୍ତି ସମସ୍ତେ ପିତା ଅଟନ୍ତି । କିଛି ହେଲେ ବୁଝିପାରୁନାହାଁନ୍ତି । ଏବେ ତୁମମାନଙ୍କୁ ବେହଦର ବାବା କହୁଛନ୍ତି, ପିଲାମାନେ, ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତୁମେ ଏହି ଦାଦା ଅଥବା ମମ୍ମାଙ୍କୁ ମଧ୍ୟ ମନେପକାଇବା ଅନୁଚିତ୍ । କହୁଛନ୍ତି ନା ମମ୍ମା, ନା ବାବା, କାହାର ହେଲେ କିଛି ମହିମା ନାହିଁ । ଶିବବାବା ନଥିଲେ ଏହି ବ୍ରହ୍ମା ମଧ୍ୟ କଣ କରିଥାନ୍ତେ ? ୟାଙ୍କୁ ମନେ ପକାଇଲେ କଣ ହେବ! ହଁ, ତୁମେ ଜାଣିଛ ୟାଙ୍କ ଦ୍ୱାରା ଆମେ ବାବାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ, ୟାଙ୍କଠାରୁ ନୁହେଁ । ଇଏ ମଧ୍ୟ ତାଙ୍କଠାରୁ ବର୍ସା ନେଉଛନ୍ତି, ତେଣୁ ତାଙ୍କୁ (ଶିବବାବାଙ୍କୁ) ମନେ ପକାଇବାକୁ ହେବ । ଇଏ ତ ମଝିରେ ଦଲାଲ ଅଟନ୍ତି । ପୁଅ ଏବଂ ଝିଅର ନିର୍ବନ୍ଧ ହେଲାପରେ ଉଭୟ ଉଭୟଙ୍କୁ ମନେ ପକାଇଥାନ୍ତି ନା । ଯିଏ ବିବାହ କରାଇଥାନ୍ତି ସେ ତ ମଝିରେ ଦଲାଲ ଅଟନ୍ତି । ୟାଙ୍କ ଦ୍ୱାରା ବାବା ତୁମ ଆତ୍ମାମାନଙ୍କର ନିର୍ବନ୍ଧ ନିଜ ସହିତ କରାଉଛନ୍ତି ସେଥିପାଇଁ ଗାୟନ ମଧ୍ୟ ରହିଛି ଦଲାଲ ରୂପରେ ସତ୍ଗୁରୁ ମିଳିଛନ୍ତି । ସତ୍ଗୁରୁ କୌଣସି ଦଲାଲ ନୁହଁନ୍ତି । ସତ୍ଗୁରୁ ତ ନିରାକାର ଅଟନ୍ତି । ଯଦିଓ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ କହୁଛନ୍ତି କିନ୍ତୁ ସେ କୌଣସି ଗୁରୁ ନୁହଁନ୍ତି । ସତ୍ଗୁରୁ ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା ତୁମକୁ ଶିଖାଉଛନ୍ତି ସେଥିପାଇଁ ତୁମେ ଅନ୍ୟମାନଙ୍କୁ ରାସ୍ତା ବତାଉଛ ଏବଂ ସମସ୍ତଙ୍କୁ କହୁଛ ଯେ ସବୁ ଦେଖି ମଧ୍ୟ ଦେଖ ନାହିଁ । ବୁଦ୍ଧି ଶିବବାବାଙ୍କଠାରେ ଲାଗିରହୁ । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ ଶ୍ମଶାନ ପାଲଟିଯିବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ନା କି ବ୍ରହ୍ମାଙ୍କୁ । ବୁଦ୍ଧି କହୁଛି ଏହାଙ୍କଠାରୁ ବର୍ସା ମିଳିବ ନାହିଁ । ବର୍ସା ତ ବାବାଙ୍କଠାରୁ ମିଳିବ । ତେଣୁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଛାତ୍ର, କଣ ଛାତ୍ରକୁ ମନେ ପକାଇବ । ଛାତ୍ର ତ ଶିକ୍ଷକଙ୍କୁ ମନେ ପକାଇବ ନା । ସ୍କୁଲରେ ଯେଉଁମାନେ ତୀକ୍ଷ୍ଣ ବୁଦ୍ଧି ହୋଇଥାନ୍ତି ସେ ପୁଣି ଅନ୍ୟମାନଙ୍କୁ ଉଠାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି । ବାବା ମଧ୍ୟ କହୁଛନ୍ତି ପରସ୍ପରକୁ ଉପରକୁ ଉଠାଇବାକୁ ଚେଷ୍ଟା କର କିନ୍ତୁ ଭାଗ୍ୟରେ ନାହିଁ ତେଣୁ ପୁରୁଷାର୍ଥ ମଧ୍ୟ କରୁନାହାଁନ୍ତି । ଅଳ୍ପରେ ହିଁ ସନ୍ତୁଷ୍ଟ ହୋଇଯାଉଛନ୍ତି । ବୁଝାଇବା ଦରକାର ପ୍ରଦର୍ଶନୀକୁ ବହୁତ ଆସୁଛନ୍ତି, ବହୁତଙ୍କୁ ବୁଝାଇବା ଦ୍ୱାରା ଉନ୍ନତି ମଧ୍ୟ ଅଧିକ ହେବ । ନିମନ୍ତ୍ରଣ ଦେଇ ମଗାଉଛନ୍ତି । ତେଣୁ ବଡ଼-ବଡ଼ ବୁଦ୍ଧିମାନ ଲୋକେ ଆସୁଛନ୍ତି । ବିନା ନିମନ୍ତ୍ରଣରେ ତ ଅନେକ ପ୍ରକାର ଲୋକ ଆସିଯାଉଛନ୍ତି । କଣ-କଣ ସବୁ ଓଲଟା ସିଧା ଗପୁଛନ୍ତି । ରାଜକୀୟ ମନୁଷ୍ୟମାନଙ୍କର ଚାଲି-ଚଳଣି ମଧ୍ୟ ରାଜକୀୟ ହୋଇଥାଏ । ରାଜକୀୟ ସ୍ୱଭାବର ଲୋକମାନେ ରାଜକୀୟତାର ସହିତ ଭିତରକୁ ଆସିଥାନ୍ତି । ଚଳଣିରେ ମଧ୍ୟ ବହୁତ ଫରକ ରହିଥାଏ । ତାଙ୍କର ଚାଲିବା, କଥା କହିବାରେ କୌଣସି ଶିଷ୍ଟାଚାର ନଥାଏ । ମେଳାରେ ତ ସବୁ ପ୍ରକାରର ମନୁଷ୍ୟ ଆସିଥାନ୍ତି । କାହାକୁ ମନା କରାଯାଉ ନାହିଁ ସେଥିପାଇଁ କେଉଁଠି ମଧ୍ୟ ପ୍ରଦର୍ଶନୀ ହେଲେ ନିମନ୍ତ୍ରଣ କାର୍ଡ ଦେଇ ଡାକିଲେ ବହୁତ ରୟାଲ ଭଲ-ଭଲ ଲୋକମାନେ ଆସିବେ । ପୁଣି ସେମାନେ ଅନ୍ୟମାନଙ୍କୁ ମଧ୍ୟ ଯାଇ ଶୁଣାଇବେ । କେବେ ମହିଳାମାନଙ୍କର ପ୍ରୋଗ୍ରାମ ରଖ ତେବେ କେବଳ ମହିଳାମାନେ ହିଁ ଆସି ଦେଖିବେ କାହିଁକି ନା କେଉଁଠି-କେଉଁଠି ମହିଳାମାନେ ମଧ୍ୟ ବହୁତ ପର୍ଦା ଭିତରେ ଲୁଚି ରହିଥାନ୍ତି । ତେଣୁ କେବଳ ମହିଳାମାନଙ୍କର ହିଁ ପ୍ରୋଗ୍ରାମ ହେବା ଉଚିତ୍ । ପୁରୁଷ କେହି ହେଲେ ମଧ୍ୟ ନ ଆସନ୍ତୁ । ବାବା ବୁଝାଉଛନ୍ତି ପ୍ରଥମେ-ପ୍ରଥମେ ତୁମକୁ ବୁଝାଇବାକୁ ହେବ ଯେ ଶିବବାବା ନିରାକାର ଅଟନ୍ତି । ଶିବବାବା ଏବଂ ପ୍ରଜାପିତା ବ୍ରହ୍ମା ଉଭୟ ବାବା ହେଲେ ନା । ଉଭୟ ତ ସମାନ ହୋଇପାରିବେ ନାହିଁ, ଯାହାଫଳରେ ଦୁଇଜଣ ବାବାଙ୍କଠାରୁ ବର୍ସା ମିଳିବ । ବର୍ସା ଜେଜେଙ୍କଠାରୁ ଅଥବା ବାବାଙ୍କ ଠାରୁ ମିଳିବ । ଜେଜେଙ୍କ ସମ୍ପତ୍ତିରେ ହକ ଥାଏ । ଯେମତି ବି କୁପୁତ୍ର ହୁଅନ୍ତୁ ନା କାହିଁକି ତେବେ ମଧ୍ୟ ଜେଜେଙ୍କଠାରୁ ବର୍ସା ମିଳିଯିବ । ଏହି କାଇଦା ଏବେଠାରୁ ହିଁ ଆରମ୍ଭ ହୋଇଥିଲା । ଜାଣିଥାନ୍ତି ଯେ ଏହାଙ୍କୁ ପଇସା ମିଳିବା ଦ୍ୱାରା ଗୋଟିଏ ବର୍ଷ ଭିତରେ ଉଡ଼ାଇ ଦେବେ । କିନ୍ତୁ ଗଭର୍ଣ୍ଣମେଣ୍ଟର (ସରକାରଙ୍କର) ନିୟମ ଏପରି ରହିଛି ତେଣୁ ଦେବାକୁ ପଡ଼ୁଛି । ଗଭର୍ଣ୍ଣମେଣ୍ଟ କିଛି କରିପାରିବ ନାହିଁ । ବାବା ତ ଅନୁଭବୀ ଅଟନ୍ତି । ଜଣେ ରାଜାଙ୍କର ପୁତ୍ର ଥିଲେ, ଯିଏକି ୧ କୋଟି ଟଙ୍କା ୧୨ ମାସରେ ଶେଷ କରିଦେଲେ । ଏପରି ମଧ୍ୟ ଅଛନ୍ତି । ଶିବବାବା ତ ଦେଖିଛନ୍ତି ବୋଲି କେବେ ହେଲେ କହିବେ ନାହିଁ । ଏହି (ଦାଦା) କହୁଛନ୍ତି ମୁଁ ଏହିପରି ଉଦାହରଣ ବହୁତ ଦେଖିଛି । ଏହି ଦୁନିଆ ବହୁତ ଖରାପ । ଏହା ହେଉଛି ପୁରୁଣା ଦୁନିଆ, ପୁରୁଣା ଘର । ପୁରୁଣା ଘରକୁ ସର୍ବଦା ଭାଙ୍ଗିବାକୁ ପଡ଼ିଥାଏ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ ମହଲ ଦେଖ କିପରି ଫାଷ୍ଟକ୍ଲାସ ଅଟେ ।

ଏବେ ତୁମେ ବାବାଙ୍କ ଦ୍ୱାରା ବୁଝୁଛ ଏବଂ ତୁମେ ମଧ୍ୟ ନରରୁ ନାରାୟଣ ହେବ । ଏହା ହେଉଛି ସତ୍ୟ ନାରାୟଣଙ୍କ କଥା । ଏହି କଥା ତୁମେ ପିଲାମାନେ ହିଁ ବୁଝୁଛ । ତୁମମାନଙ୍କ ମଧ୍ୟରେ ଏବେ ସଂପୂର୍ଣ୍ଣ ଫୁଲ କେହି ହୋଇନାହାଁନ୍ତି, ଏଥିରେ ଚଳଣି ବହୁତ ରାଜକୀୟ ହେବା ଉଚିତ୍ । ତୁମେ ଦିନକୁ ଦିନ ଉନ୍ନତି ପ୍ରାପ୍ତ କରୁଛ । ଫୁଲ ହୋଇ ଚାଲିଛ ।

ତୁମେ ବହୁତ ସ୍ନେହର ସହିତ ବାପଦାଦା ବୋଲି କହୁଛ । ଏହା ମଧ୍ୟ ତୁମର ନୂଆ ଭାଷା ଅଟେ, ଯାହା ମନୁଷ୍ୟମାନଙ୍କ ବୁଦ୍ଧିରେ ଆସିପାରିବ ନାହିଁ । ଧରିନିଅ ବାବା କୁଆଡ଼େ ମଧ୍ୟ ଗଲେ ପିଲାମାନେ କହିବେ ବାପଦାଦା ନମସ୍କାର, ବାବା ପ୍ରତ୍ୟୁତ୍ତର ଦେବେ ଶାରୀରିକ ଏବଂ ଆତ୍ମିକ ପିଲାମାନଙ୍କୁ ନମସ୍କାର । ଏପରି କହିବାକୁ ପଡ଼ିବ ନା । କେହି ଶୁଣିଲେ କହିବେ ଏହା ତ ନୂଆ କଥା, ବାପଦାଦା ଏକତ୍ର କିପରି କହୁଛନ୍ତି । ବାପ ଏବଂ ଦାଦା ଉଭୟ କଣ କେବେ ଏକ ହୋଇପାରିବେ ? ନାମ ମଧ୍ୟ ଦୁଇଜଣଙ୍କର ଅଲଗା ରହିଛି । ଶିବବାବା, ବ୍ରହ୍ମା ଦାଦା, ତୁମେ ଏହି ଦୁଇଜଣଙ୍କର ସନ୍ତାନ ଅଟ । ତୁମେ ଜାଣିଛ ଏହାଙ୍କ ଭିତରେ ଶିବବାବା ବସିଛନ୍ତି । ଆମେ ବାପଦାଦାଙ୍କର ସନ୍ତାନ ଅଟୁ । ଏହି କଥା ମଧ୍ୟ ବୁଦ୍ଧିରେ ମନେ ରହିଲେ ଖୁସିର ନିଶା ଚଢ଼ିବ ଏବଂ ଡ୍ରାମା ଉପରେ ମଧ୍ୟ ପକ୍କା ରହିବାକୁ ହେବ । ଧରିନିଅ କେହି ଶରୀର ଛାଡ଼ିଲେ, ପୁଣି ସିଏ ଅନ୍ୟ ଏକ ଅଭିନୟ କରିବେ । ପ୍ରତ୍ୟେକ ଆତ୍ମାକୁ ଅବିନାଶୀ ପାର୍ଟ ମିଳିଛି, ଏଥିରେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ତାଙ୍କୁ ଯାଇ ଅନ୍ୟ ପାର୍ଟ କରିବାକୁ ହେବ । ପୁନର୍ବାର ତ ଡକାଯାଇ ପାରିବ ନାହିଁ । ଡ୍ରାମା ଅଟେ ନା । ଏଥିରେ କାନ୍ଦିବାର କୌଣସି କଥା ନାହିଁ । ଏହିପରି ଅବସ୍ଥା ହେଲେ ଯାଇ ନିର୍ମୋହୀ ରାଜା ହେବେ । ସତ୍ୟଯୁଗରେ ସମସ୍ତେ ନିର୍ମୋହୀ ହେବେ । ଏଠାରେ କେହି ମରିଗଲେ କେତେ କାନ୍ଦୁଛନ୍ତି । ବାବାଙ୍କୁ ପାଇଗଲ ତେଣୁ କାନ୍ଦିବା ଦରକାର ନାହିଁ । ବାବା କେତେ ଭଲ ରାସ୍ତା ବତାଉଛନ୍ତି । କନ୍ୟାମାନଙ୍କ ନିମନ୍ତେ ଏହା ବହୁତ ଭଲ ଅଟେ । ବାପା ଫାଲ୍ତୁରେ ପଇସା ଖର୍ଚ୍ଚ କରିବେ ଏବଂ ତୁମେ ଯାଇ ନର୍କରେ ପଡ଼ିବ । ଏହା ଅପେକ୍ଷା କୁହ ଆମେ ଏହି ପଇସାରେ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ସହିତ ଡାକ୍ତରଖାନା ମଧ୍ୟ ଖୋଲିବୁ । ବହୁତଙ୍କର କଲ୍ୟାଣ କରିଲେ ତୁମର ଏବଂ ଆମର ମଧ୍ୟ ପୁଣ୍ୟ ହୋଇଯିବ । ପିଲାମାନେ ନିଜେ ମଧ୍ୟ ଉତ୍ସାହରେ ରହୁଛନ୍ତି ଯେ ଆମେ ଭାରତକୁ ସ୍ୱର୍ଗ କରିବା ପାଇଁ ଶରୀର-ମନ-ଧନ ସବୁ ଖର୍ଚ୍ଚ କରିବୁ । ଏତିକି ନିଶା ରହିବା ଦରକାର । ଦେବାର ଥିଲେ ଦିଅ, ନ ଦେବାକୁ ଇଚ୍ଛା ଅଛି ତ ନ ଦିଅ । ତୁମେ ନିଜର ଏବଂ ଅନେକଙ୍କର କଲ୍ୟାଣ କରିବାକୁ ଚାହୁଁ ନାହଁ ? ଏତିକି ମସ୍ତି ରହିବା ଦରକାର । ଖାସ୍ ଭାବରେ କୁମାରୀମାନେ ଛିଡ଼ା ହେବା ଉଚିତ୍ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଚାଲି ଚଳନକୁ ବହୁତ ରାଜକୀୟ କରିବାକୁ ହେବ । ବହୁତ ଶାଳୀନତାର ସହିତ କଥାବାର୍ତ୍ତା କରିବାକୁ ହେବ । ନମ୍ରତାର ଗୁଣ ଧାରଣ କରିବାକୁ ହେବ ।

(୨) ଏହି ଆଖିରେ ଯାହା କିଛି ଦେଖାଯାଉଛି ଏସବୁ ମାଟିରେ ମିଶିଯିବ ସେଥିପାଇଁ ଏହାକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । ଏକମାତ୍ର ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀକୁ ନୁହେଁ ।
 

ବରଦାନ:-
ବିଶେଷତା ରୂପୀ ସଂଜୀବନୀ ବୁଟୀ ଦ୍ୱାରା ମୁର୍ଚ୍ଛିତକୁ ସଚେତ କରୁଥିବା ବିଶେଷ ଆତ୍ମା ହୁଅ ।

ପ୍ରତ୍ୟେକ ଆତ୍ମାକୁ ଶ୍ରେଷ୍ଠ ସ୍ମୃତିର, ବିଷେଶତା ଗୁଡିକର ସ୍ମୃତି ରୂପକ ସଂଜୀବନୀ ବୁଟୀ ଖୁଆଅ ତେବେ ସେ ମୁର୍ଚ୍ଛିତରୁ ସଚେତ ହୋଇଯିବ । ବିଶେଷତା ଗୁଡିକର ସ୍ୱରୂପର ଦର୍ପଣ ତାଙ୍କ ସମ୍ମୁଖରେ ରଖ । ଅନ୍ୟମାନଙ୍କୁ ଏହିଭଳି ସ୍ମରଣ କରାଇବା ଦ୍ୱାରା ତୁମେ ନିଜେ ମଧ୍ୟ ବିଶେଷ ଆତ୍ମା ହୋଇଯିବ । ଯଦି ତୁମେ କାହାକୁ ତାଙ୍କର ଦୁର୍ବଳତା ଶୁଣାଇବ ତେବେ ସେ ଲୁଚାଇବାକୁ ଚେଷ୍ଟା କରିବ ଏବଂ ଅସ୍ୱୀକାର କରିବ କିନ୍ତୁ ତୁମେ ଯଦି ତାଙ୍କୁ ତାଙ୍କର ବିଶେଷତାକୁ ଶୁଣାଇବ ତେବେ ସେ ନିଜେ ନିଜର ଦୁର୍ବଳତାକୁ ସ୍ପଷ୍ଟ ଅନୁଭବ କରିବ । ଏହି ସଂଜୀବନୀ ବୁଟୀ ଦ୍ୱାରା ମୁର୍ଚ୍ଛିତ ଆତ୍ମାକୁ ସଚେତ କରି ନିଜେ ଉଡିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଉଡାଇଚାଲ ।

ସ୍ଲୋଗାନ:-
ନାମ୍-ମାନ୍-ଶାନ୍ ଅର୍ଥାତ୍ ପ୍ରତିଷ୍ଠା ଏବଂ ବସ୍ତୁ-ବୈଭବକୁ ସଂକଳ୍ପରେ ମଧ୍ୟ ତ୍ୟାଗ କରିଦେବା ହିଁ ମହାନ ତ୍ୟାଗ ।