01.03.20    Avyakt Bapdada     Odia Murli     02.12.85     Om Shanti     Madhuban


ବନ୍ଧନରୁ ମୁକ୍ତ ହେବାର ଉପାୟ ଆତ୍ମିକ ଶକ୍ତି

 


ଆଜି ବାପଦାଦା ନିଜର ଆତ୍ମିକ ସନ୍ତାମାନଙ୍କର ଆତ୍ମିକ ସ୍ମୃତି ସ୍ୱରୂପର ଶକ୍ତିକୁ ଦେଖୁଥିଲେ । ପ୍ରତ୍ୟେକ ଆତ୍ମିକ ସନ୍ତାନ ନିଜର ଆତ୍ମିକ ପିତାଙ୍କଠାରୁ ସନ୍ତାନ ହିସାବରେ ଆତ୍ମିକ ଶକ୍ତିର ସମ୍ପୂର୍ଣ୍ଣ ଅଧିକାର ତ ପ୍ରାପ୍ତ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ତାହାର ପ୍ରାପ୍ତି ସ୍ୱରୂପ କେତେ ପରିମାଣରେ ହୋଇପାରିଛନ୍ତି, ତାହା ହିଁ ଦେଖୁଥିଲେ । ପ୍ରତ୍ୟେକ ସନ୍ତାନ ପ୍ରତ୍ୟେକ ଦିନ ନିଜକୁ ଆତ୍ମିକ ସନ୍ତାନ କହି, ଆତ୍ମିକ ପିତାଙ୍କୁ ମୁଖରେ ବା ମନରେ ନମସ୍ତେ କହି ୟାଦପ୍ୟାରର ପ୍ରତ୍ୟୁତ୍ତର ଦେଉଛନ୍ତି । ଏହିଭିଳ ପ୍ରତ୍ୟୁତ୍ତର ସମସ୍ତେ ଦେଉଛ ନା! ତେବେ ଏହାର ରହସ୍ୟ ମଧ୍ୟ ଏହା ଯେ ପ୍ରତିଦିନ ଆତ୍ମିକ ପିତା ତୁମମାନଙ୍କୁ ଆତ୍ମିକ ସନ୍ତାନ କହି ଆତ୍ମିକ ଶକ୍ତିର ବାସ୍ତବିକ ସ୍ୱରୂପକୁ ସ୍ମରଣ କରାଇ ଦେଉଛନ୍ତି କାହିଁକି ନା ସଦାସର୍ବଦା ଆତ୍ମିକ ସ୍ୱରୂପରେ ରହିବା ହିଁ ଏହି ବ୍ରାହ୍ମଣ ଜୀବନର ବିଶେଷତା ଏବଂ ଆତ୍ମିକ ସ୍ୱରୂପର ଶକ୍ତି ଦ୍ୱାରା ହିଁ ନିଜକୁ ବା ସମସ୍ତଙ୍କୁ ପରିବର୍ତ୍ତନ କରୁଛ । ତେଣୁ ଏହାର ମୁଖ୍ୟ ଆଧାର ବା ମୂଳଦୂଆ ହେଲା ଆତ୍ମିକ ସ୍ୱରୂପରେ ସ୍ଥିତ ହେବାର ଶକ୍ତି । ଏହି ଶକ୍ତି ଆଧାରରେ ହିଁ ଅନେକ ପ୍ରକାରର ଶାରୀରିକ ବନ୍ଧନରୁ ମୁକ୍ତି ମିଳିଥାଏ । ବାପଦାଦା ଦେଖୁଥିଲେ ଯେ ଏବେ ପର୍ଯ୍ୟନ୍ତ ମଧ୍ୟ ପିଲାମାନଙ୍କ ଭିତରେ ଅନେକ ପ୍ରକାରର ସୂକ୍ଷ୍ମବନ୍ଧନ ରହିଛି ଯାହାକୁ ତୁମେମାନେ ନିଜେ ମଧ୍ୟ ଅନୁଭବ କରୁଛ ଯେ ଏହି ବନ୍ଧନରୁ ମୁକ୍ତ ହୋଇଯିବା ଦରକାର । କିନ୍ତୁ ଏଥିରୁ ମୁକ୍ତ ହେବାର ଉପାୟକୁ ବାସ୍ତବିକ ଭାବରେ କାର୍ଯ୍ୟକାରୀ କରିପାରୁ ନାହଁ । କାରଣ ? ଆତ୍ମିକ ଶକ୍ତିକୁ ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରିବା ଜଣା ନାହିଁ । ସେଥିପାଇଁ ଏକା ସମୟରେ ସଂକଳ୍ପ, ବାଣୀ ଏବଂ କର୍ମକୁ ଶକ୍ତିଶାଳୀ କରିବାକୁ ହେବ । କିନ୍ତୁ ତୁମେମାନେ କେଉଁଥିରେ ଢିଲା ହୋଇଯାଉଛ ? ଗୋଟିଏ ପଟେ ସଂକଳ୍ପକୁ ଯଦି ଶକ୍ତିଶାଳୀ କରୁଛ ତେବେ ବାଣୀରେ କିଛିଟା ଢିଲା ହୋଇଯାଉଛ । କେତେବେଳେ ବାଣୀକୁ ଯଦି ଶକ୍ତିଶାଳୀ କରୁଛ ତେବେ କର୍ମରେ ଢିଲା ହୋଇଯାଉଛ । ତେଣୁ ଏକା ସମୟରେ ତିନୋଟିକୁ ଆତ୍ମିକ ଶକ୍ତି ଆଧାରରେ ଶକ୍ତିଶାଳୀ କରିବା ହିଁ ସମସ୍ତ ସୂକ୍ଷ୍ମବନ୍ଧନଠାରୁ ମୁକ୍ତି ପାଇବାର ଯୁକ୍ତି ବା ଉପାୟ । ଯେପରି ସୃଷ୍ଟିକୁ ରଚନା କରିବା ପାଇଁ ସ୍ଥାପନା, ପାଳନା ଏବଂ ବିନାଶ ଏହି ତିନୋଟି ଯାକ କାର୍ଯ୍ୟ ଆବଶ୍ୟକ ସେହିଭଳି ସର୍ବ ବନ୍ଧନରୁ ମୁକ୍ତ ହେବା ପାଇଁ ମନ, ବଚନ, କର୍ମରେ ଆତ୍ମିକ ସ୍ୱରୂପରେ ସ୍ଥିତ ହେବାର ଶକ୍ତି ମଧ୍ୟ ଆବଶ୍ୟକ । କେତେବେଳେ ଯଦି ମାନସିକ ଶକ୍ତି ଅର୍ଥାତ୍ ସଂକଳ୍ପକୁ ଠିକ୍ ରଖୁଛ ତେବେ ବାଣୀରେ ଆତ୍ମିକ ଶକ୍ତିର ଅଭାବ ହୋଇଯାଉଛି, ପୁଣି ସେତେବେଳେ କହୁଛ ମୁଁ ତ ଏଭଳି ଭାବିନଥିଲି, ଜାଣିପାରୁନି ଏଭଳି କାହିଁକି ହୋଇଗଲା । ସେଥିପାଇଁ ମନ, ବଚନ, କର୍ମ ତିନୋଟି ଯାକ ଶକ୍ତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିବା ଦରକାର । କାରଣ ? ଏହି ତିନିଟିଯାକ ଶକ୍ତି ଆଧାରରେ ହିଁ ନିଜର ସମ୍ପନ୍ନ ସ୍ଥିତିକୁ ଏବଂ ବାବାଙ୍କୁ ପ୍ରତ୍ୟକ୍ଷ କରିପାରିବ । ତେଣୁ ସର୍ବ ବନ୍ଧନରୁ ମୁକ୍ତ ହେବା ପାଇଁ ଏହି ତିନୋଟିରେ ଆତ୍ମିକ ଶକ୍ତିର ଅନୁଭବ ହେବା ଦରକାର । ଯେଉଁମାନେ ଏହି ତିନୋଟି ଯାକରେ ଯୁକ୍ତିଯୁକ୍ତ ଅର୍ଥାତ୍ ଠିକ୍ ଅଛନ୍ତି ସେହିମାନେ ହିଁ ଜୀବନମୁକ୍ତ ଅଟନ୍ତି । ତେଣୁ ଏହିଭଳି ଭାବରେ ବାପଦାଦା ପିଲାମାନଙ୍କର ସୂକ୍ଷ୍ମବନ୍ଧନ ଗୁଡିକୁ ଦେଖୁଥିଲେ କାରଣ ସୂକ୍ଷ୍ମବନ୍ଧନ ଗୁଡିକ ସହିତ ଏହି ତିନୋଟିର ସମ୍ବନ୍ଧ ମଧ୍ୟ ରହିଛି । ତେବେ ବନ୍ଧନ ଗୁଡିକର ଲକ୍ଷଣ ହେଲା ବନ୍ଧନଯୁକ୍ତ ଆତ୍ମା ସଦାସର୍ବଦା ପରବଶ ଅର୍ଥାତ୍ ପରାଧୀନ ଅବସ୍ଥାରେ ରହିଥାଏ ଏବଂ ସବୁ ସମୟରେ ଆନ୍ତରିକ ଖୁସି ବା ସୁଖର ଅନୁଭବ କରିପାରିନଥାଏ । ଯେପରି ଲୌକିକ ଦୁନିଆରେ ଅଳ୍ପକାଳର ସୁଖର ସାଧନ ଗୁଡିକ ଅଳ୍ପକାଳର ଖୁସି ବା ସୁଖର ଅନୁଭୂତି କରାଇଥାଆନ୍ତି କିନ୍ତୁ ଆନ୍ତରିକ ବା ଅବିନାଶୀ ଖୁସିର ଅନୁଭୂତି ହୋଇନଥାଏ । ସେହିପରି ସୂକ୍ଷ୍ମବନ୍ଧନରେ ବାନ୍ଧି ହୋଇଥିବା ଆତ୍ମା ଏହି ବ୍ରାହ୍ମଣ ଜୀବନରେ ମଧ୍ୟ ଅଳ୍ପ ସମୟ ପାଇଁ ସେବା ରୂପକ ସାଧନ, ସଂଗଠନର ଶକ୍ତି ରୂପୀ ସାଧନ, କୌଣସି ନା କୌଣସି ପ୍ରାପ୍ତି ରୂପୀ ସାଧନ, ଶ୍ରେଷ୍ଠ ସଂଗରୂପୀ ସାଧନ, ଏହି ସବୁ ସାଧନ ଗୁଡିକ ଆଧାରରେ ଚାଲିଥାଏ, ଯେଉଁ ପର୍ଯ୍ୟନ୍ତ ସାଧନ ଅଛି ସେପର୍ଯ୍ୟନ୍ତ ଖୁସି ବା ସୁଖର ଅନୁଭୂତି କରିଥାଏ କିନ୍ତୁ ସାଧନ ଗୁଡିକ ସମାପ୍ତ ହେବା ମାତ୍ରକେ ସେମାନଙ୍କର ଖୁସି ମଧ୍ୟ ସମାପ୍ତ ହୋଇଯାଏ । ସବୁବେଳ ପାଇଁ ଏକରସ ଅର୍ଥାତ୍ ସ୍ଥିର ଅବସ୍ଥାରେ ରହିନଥାଏ । କେବେ କେବେ ଖୁସିରେ ଏଭଳି ନାଚୁଥିବେ ସେହି ସମୟରେ ଲାଗିବ ଯେପରି ଏହାଙ୍କ ଭଳି ଆଉ କେହି ବି ଏତେ ଖୁସିରେ ନଥିବେ ହେଲେ କିନ୍ତୁ ଛୋଟିଆ ପଥରଟି ଭଳି ବିଘ୍ନକୁ ମଧ୍ୟ ପାହାଡ ଅନୁଭବ କରି ଅଟକି ଯିବେ କାହିଁକି ନା ବାସ୍ତବିକ ଶକ୍ତି ନଥିବା କାରଣରୁ ସାଧନ ଗୁଡିକରୁ ପ୍ରାପ୍ତ ଖୁସି ଆଧାରରେ ନାଚୁଥିଲେ । ତେଣୁ ସାଧନଠାରୁ ଦୂରେଇଗଲେ ନାଚିବେ କିପରି ? ସେଥିପାଇଁ ତିନୋଟିଯାକ ରୂପରେ ଆନ୍ତରୀକ ଆତ୍ମିକ ଶକ୍ତି ଏକା ସାଥୀରେ ରହିବା ଆବଶ୍ୟକ । ତେବେ ପ୍ରଥମ ଏବଂ ମୁଖ୍ୟ ବନ୍ଧନ ହେଲା ମନର ସଂକଳ୍ପ ଉପରେ ନିୟନ୍ତ୍ରଣ ରଖିବାର ଶକ୍ତି ନାହିଁ । ନିଜର ସଂକଳ୍ପ ଗୁଡିକର ହିଁ ଅଧୀନ ହେବା କାରଣରୁ ପରାଧୀନତାର ଅନୁଭବ କରୁଛ । ଯେଉଁମାନେ ନିଜର ସଂକଳ୍ପର ବନ୍ଧନ ଭିତରେ ରହିଥାନ୍ତି ସେମାନେ ବହୁତ ସମୟ ସେହିଥିରେ ହିଁ ବ୍ୟସ୍ତ ରହିଥାନ୍ତି । ଯେପରି ତୁମେମାନେ କହୁଛ ନା କେହି କେହି ପବନରେ ଦୁର୍ଗ ନିର୍ମାଣ କରିଥାନ୍ତି ଅର୍ଥାତ୍ ସଂକଳ୍ପରେ ଦୁର୍ଗ ନିର୍ମାଣ କରନ୍ତି ପୁଣି ତାକୁ ଭାଂଗି ଦିଅନ୍ତି । ବହୁତ ଲମ୍ବା ଲମ୍ବା ପାଚେରୀ ତିଆରି କରିଦିଅନ୍ତି, ସେଥିପାଇଁ ପବନର ଦୁର୍ଗ କୁହାଯାଉଛି । ଯେମିତି ଭକ୍ତିମାର୍ଗରେ ମୂର୍ତ୍ତିକୁ ପୂଜା କରି ସଜବାଜ କରି ପୁଣି ବୁଡେଇ ଦିଅନ୍ତି, ସେହିଭଳି ସଂକଳ୍ପର ବନ୍ଧନରେ ବାନ୍ଧି ହୋଇଥିବା ଆତ୍ମା ବହୁତ କିଛି ନିର୍ମାଣ କରନ୍ତି ଏବଂ ସେଗୁଡିକୁ ପୁଣି ଭାଂଗି ଦିଅନ୍ତି । ଶେଷରେ ଏହିଭଳି ବ୍ୟର୍ଥ କାର୍ଯ୍ୟ କରି କରି ନିଜେ ହିଁ ଥକିଯାଆନ୍ତି ଏବଂ ନିରୁତ୍ସାହିତ ମଧ୍ୟ ହୋଇଯାଆନ୍ତି ଏବଂ କେବେ କେବେ ଅଭିମାନର ବଶୀଭୂତ ହୋଇ ନିଜର ଭୂଲ୍କୁ ଅନ୍ୟ ଉପରେ ମଧ୍ୟ ଲଦି ଦିଅନ୍ତି । ପୁଣି ବି ସମୟ ଗଡିଯିବା ପରେ ଭିତରେ ଭିତରେ ବୁଝିଯାଆନ୍ତି ଏବଂ ଭାବନ୍ତି ମୁଁ ଠିକ୍ କରିନାହିଁ । କିନ୍ତୁ ଅଭିମାନର ଅଧୀନ ହୋଇଥିବା କାରଣରୁ, ନିଜକୁ ବଞ୍ଚାଇବା ପାଇଁ ଅନ୍ୟର ଦୋଷକୁ ଚିନ୍ତା କରିଚାଲିଥାଆନ୍ତି । ତେଣୁ ସବୁଠାରୁ ବଡ ବନ୍ଧନ ହେଲା ଏହିଭଳି ମାନସିକ ବନ୍ଧନ ବା ସଂକଳ୍ପର ବନ୍ଧନ ଯାହା ଦ୍ୱାରା ବୁଦ୍ଧିରେ ତାଲା ପଡିଯାଏ ଏବଂ ଯେତେ ବି ବୁଝାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ । ତେବେ ମାନସିକ ବନ୍ଧନର ବିଶେଷ ଲକ୍ଷଣ ହେଲା ନିଜର ଭୁଲ୍କୁ ହୃଦ୍ବୋଧ କରିବାର ଶକ୍ତି ସମାପ୍ତ ହୋଇଯାଏ ସେଥିପାଇଁ ଏହି ସୂକ୍ଷ୍ମବନ୍ଧନକୁ ସମାପ୍ତ ନ କରିବା ପର୍ଯ୍ୟନ୍ତ କେବେହେଲେ ଆନ୍ତରିକ ଖୁସି ବା ସଦାକାଳର ଅତୀନ୍ଦ୍ରିୟ ସୁଖର ଅନୁଭବ କରିପାରିବ ନାହିଁ ।

ତେବେ ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିବା ଏବଂ ସର୍ବଦା ଖୁସିରେ ନାଚିବା ହିଁ ସଂଗମଯୁଗର ବିଶେଷତା ତେଣୁ ସଂଗମଯୁଗୀ ବ୍ରାହ୍ମଣ ହେବା ସତ୍ତ୍ୱେ ଯଦି ଏହି ବିଶେଷତାର ଅନୁଭବ କରିପାରୁ ନାହଁ ତେବେ କଣ କୁହାଯିବ ? ତେଣୁ ନିଜକୁ ଚେକ୍ କର ମୁଁ କୌଣସି ପ୍ରକାରର ସଂକଳ୍ପର ବନ୍ଧନ ଭିତରେ ନାହିଁ ତ ? ଚାହେଁ ବ୍ୟର୍ଥ ସଂକଳ୍ପର ବନ୍ଧନ ହେଉ ବା ଈର୍ଷା-ଦ୍ୱେଷର ସଂକଳ୍ପ ହେଉ ବା ଅବହେଳା ପଣିଆର ସଂକଳ୍ପ ହେଉ ବା ଆଳସ୍ୟର ସଂକଳ୍ପ ହେଉ, ଏହିଭଳି କୌଣସି ପ୍ରକାରର ସଂକଳ୍ପ ହିଁ ବନ୍ଧନର ଲକ୍ଷଣ ଅଟେ । ତେବେ ବାପଦାଦା ଆଜି ବନ୍ଧନଗୁଡିକୁ ଦେଖୁଥିଲେ ଏବଂ ଏଥିରୁ ମୁକ୍ତ ଆତ୍ମା କେତେ ଜଣ ଅଛନ୍ତି ତାହା ମଧ୍ୟ ଦେଖୁଥିଲେ ।

ମୋଟାମୋଟା ରସୀ ଗୁଡିକ ତ ସମାପ୍ତ ହୋଇଯାଇଛି, ଏବେ କେବଳ ସୂକ୍ଷ୍ମ ସୂତାର ବନ୍ଧନ ଗୁଡିକ ଅଛି ଯଦିଓ ଏହି ସୂତା ଗୁଡିକ ବହୁତ ପତଳା କିନ୍ତୁ ବନ୍ଧନରେ ବାନ୍ଧିବାରେ ବହୁତ ଧୁରନ୍ଧର । ଟିକିଏ ବି ଜଣାପଡିନଥାଏ ଯେ ମୁଁ ବନ୍ଧନରେ ବାନ୍ଧି ହୋଇଯାଉଛି କାରଣ ଏହି ବନ୍ଧନ ଅଳ୍ପକାଳ ପାଇଁ ମଧ୍ୟ ନିଶା ଚଢାଇ ଦେଇଥାଏ । ଯେପରି ବିନାଶୀ ନିଶାଗ୍ରସ୍ତ ବ୍ୟକ୍ତି କେବେହେଲେ ନିଜକୁ ନୀଚା ଅନୁଭବ କରେ ନାହିଁ ଅର୍ଥାତ୍ ନାଳ ଭିତରେ ପଡିଥିଲେ ମଧ୍ୟ ନିଜକୁ ମହଲ ଭିତରେ ଅନୁଭବ କରୁଥାଏ ଅଥବା ଶୁନ୍ୟହସ୍ତ ହୋଇଥିଲେ ମଧ୍ୟ ନିଜକୁ ରାଜା ବୋଲି ଭାବୁଥାଏ ସେହିଭଳି ଏହି ନିଶାରେ ରହୁଥିବା ଆତ୍ମା କେବେହେଲେ ନିଜର ଭୁଲ୍କୁ ହୃଦ୍ବୋଧ କରିନଥାଏ । ସବୁବେଳେ ନିଜକୁ ହୁଏତ ଠିକ୍ ବୋଲି ପ୍ରମାଣିତ କରିବ ନଚେତ୍ ଅବହେଳା ପଣିଆର ଆଶ୍ରୟ ନେବ ଏମିତି ତ ହୋଇ ଆସୁଛି, ଏମିତି ତ ଚାଲି ଆସୁଛି... ସେଥିପାଇଁ ଆଜି କେବଳ ମାନସିକ ବନ୍ଧନ ବିଷୟରେ ଶୁଣାଇଲୁ, ପୁଣି କେବେ ବାଣୀ ଏବଂ କର୍ମର ବନ୍ଧନ ବିଷୟରେ ଶୁଣାଇବୁ । ବୁଝିଲ!

ଏବେ ଆତ୍ମିକ ଶକ୍ତି ଆଧାରରେ ସବୁଥିରେ ମୁକ୍ତି ପ୍ରାପ୍ତ କରିଚାଲ କାରଣ ସଂଗମଯୁଗରେ ଜୀବନମୁକ୍ତିର ଅନୁଭବ କରିବା ହିଁ ଭବିଷ୍ୟତରେ ଜୀବନ ମୁକ୍ତିର ପ୍ରାରବ୍ଧ ପ୍ରାପ୍ତ କରିବା । ଆଗାମୀ ଗୋଲ୍ଡେନ୍ ଜୁବଲୀ ଅର୍ଥାତ୍ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ପୂର୍ବରୁ ଜୀବନମୁକ୍ତ ହେବାର ଅଛି ନା ବା କେବଳ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାର ଅଛି । ତେବେ ଜୀବନମୁକ୍ତ ହେବା ହିଁ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା । ଦୁନିଆର ଲୋକମାନେ ତ କେବଳ ପାଳନ କରୁଛନ୍ତି କିନ୍ତୁ ଏଠାରେ ତୁମେମାନେ ନିଜକୁ ତିଆରି କରୁଛ । ତେଣୁ ଏବେ ଶୀଘ୍ର ଶୀଘ୍ର ନିଜକୁ ପ୍ରସ୍ତୁତ କରି ଦିଅ ଯାହା ଦ୍ୱାରା ତୁମମାନଙ୍କର ମୁକ୍ତି ଆଧାରରେ ସମସ୍ତେ ବନ୍ଧନମୁକ୍ତ ହୋଇଯିବେ । ବୈଜ୍ଞାନିକମାନେ ମଧ୍ୟ ନିଜ ଦ୍ୱାରା ନିର୍ମିତ ସାଧନଗୁଡିକର ବନ୍ଧନରେ ବାନ୍ଧି ହୋଇଗଲେଣି । ନେତାମାନଙ୍କୁ ମଧ୍ୟ ଦେଖିଲେ ଜାଣିପାରିବ ସେମାନେ ମୁକ୍ତ ହେବା ପାଇଁ ଚାହୁଁଥିଲେ ମଧ୍ୟ କେତେ ପ୍ରକାରର ବନ୍ଧନ ଭିତରେ ବାନ୍ଧି ହୋଇଯାଇଛନ୍ତି । କିଛି କରିବା ପାଇଁ ଭାବୁଥିଲେ ମଧ୍ୟ କରିପାରୁ ନାହାଁନ୍ତି ତେଣୁ ଏହା ବନ୍ଧନ ହେଲା ନା । ତେବେ ସର୍ବ ଆତ୍ମାଙ୍କୁ ଭିନ୍ନ ଭିନ୍ନ ବନ୍ଧନରୁ ମୁକ୍ତ କରୁଥିବା ଆତ୍ମାମାନେ ଏବେ ନିଜେ ବନ୍ଧନମୁକ୍ତ ହୋଇ ସମସ୍ତଙ୍କୁ ବନ୍ଧନମୁକ୍ତ କର, କାରଣ ସମସ୍ତେ ମୁକ୍ତି ମୁକ୍ତି କହି ଚିତ୍କାର କରୁଛନ୍ତି । କେହି ଦାରିଦ୍ର୍ୟରୁ ମୁକ୍ତି ଚାହୁଁଛନ୍ତି, କେହି ଘର ଗୃହସ୍ଥରୁ ମୁକ୍ତି ଚାହୁଁଛନ୍ତି, କିନ୍ତୁ ସମସ୍ତଙ୍କର ଚିତ୍କାର କେବଳ ମୁକ୍ତି ପାଇଁ ହିଁ ଶୁଭୁଛି । ତେଣୁ ତୁମେମାନେ ଏବେ ମୁକ୍ତିଦାତା ହୋଇ ସମସ୍ତଙ୍କୁ ମୁକ୍ତିର ରାସ୍ତା ଦେଖାଅ ବା ମୁକ୍ତିରୂପୀ ସମ୍ପତ୍ତି ଦିଅ । ତେବେ ତୁମମାନଙ୍କ ନିକଟରେ ଚିତ୍କାର ପହଞ୍ଚୁଛି ତ! ନା, ଭାବୁଛ ଏହା ତ ବାବାଙ୍କର କାମ । ଆମର କଣ ଅଛି । କିନ୍ତୁ ପ୍ରାରବ୍ଧ ତ ତୁମକୁ ମିଳିବ ନା, ବାବାଙ୍କୁ ତ ମିଳିବ ନାହିଁ ନା । ପ୍ରଜା ବା ଭକ୍ତ ତ ତୁମକୁ ହିଁ ଦରକାର । ବାବାଙ୍କୁ ତ ଦରକାର ନାହିଁ । ଯେଉଁମାନେ ତୁମର ଭକ୍ତ ହେବେ ସେମାନେ ଆପେ ଆପେ ବାବାଙ୍କର ଭକ୍ତ ହୋଇଯିବେ କାହିଁକି ନା ଦ୍ୱାପର ଯୁଗରେ ତୁମେମାନେ ହିଁ ପ୍ରଥମେ ଭକ୍ତ ହେବ ଏବଂ ସର୍ବପ୍ରଥମେ ବାବାଙ୍କର ହିଁ ପୂଜା କରିବା ଆରମ୍ଭ କରିବ । ତେଣୁ ତୁମମାନଙ୍କୁ ଏବେ ହିଁ ସମସ୍ତେ ଅନୁକରଣ କରିବେ ସେଥିପାଇଁ ଏବେ କଣ କରିବ ? ସମସ୍ତଙ୍କର ଡାକରା ଶୁଣ, ମୁକ୍ତିଦାତା ହୁଅ । ଆଚ୍ଛା!

ସର୍ବଦା ଆତ୍ମିକ ଶକ୍ତି ଆଧାରରେ ମୁକ୍ତି ପ୍ରାପ୍ତ କରୁଥିବା, ସର୍ବଦା ନିଜକୁ ସୂକ୍ଷ୍ମବନ୍ଧନ ଗୁଡିକରୁ ମୁକ୍ତ କରି ମୁକ୍ତିଦାତା ହେଉଥିବା, ସର୍ବଦା ନିଜକୁ ଆନ୍ତରିକ ଖୁସି, ଅତୀନ୍ଦ୍ରିୟ ସୁଖର ଅନୁଭୂତିରେ ଆଗକୁ ଆଗକୁ ବଢାଇ ଚାଲିଥିବା, ସର୍ବଦା ସର୍ବଆତ୍ମାଙ୍କୁ ମୁକ୍ତ ଆତ୍ମା କରିବାର ଶୁଭଭାବନା ରଖୁଥିବା ଆତ୍ମିକ ଶକ୍ତିଶାଳୀ ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ପାର୍ଟିମାନଙ୍କ ସହିତ:- ଶୁଣିବା ସହିତ ସ୍ୱରୂପ ହେବାରେ ଶକ୍ତିଶାଳୀ ଆତ୍ମା ଅଟ ନା । ସର୍ବଦା ନିଜର ସଂକଳ୍ପରେ ପ୍ରତିଦିନ କିଛି ନା କିଛି ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ଉମଙ୍ଗ-ଉତ୍ସାହର ସଂକଳ୍ପ ରଖ । ଯେପରି ଆଜିକାଲି ଖବର କାଗଜରେ ବା କୌଣସି କୌଣସି ସ୍ଥାନରେ ବିଶେଷ ଭାବରେ ଆଜିର ବିଚାର ଲେଖୁଛନ୍ତି ନା, ସେହିଭଳି ପ୍ରତିଦିନ ମନ ଭିତରେ କୌଣସି ନା କୌଣସି ଉମଙ୍ଗ-ଉତ୍ସାହ ପୂର୍ଣ୍ଣ ସଂକଳ୍ପକୁ ଜାଗ୍ରତ କର ଏବଂ ସେହି ସଂକଳ୍ପ ଅନୁସାରେ ନିଜ ଭିତରେ ମଧ୍ୟ ସ୍ୱରୂପ ନିର୍ମାଣ କର ଏବଂ ଅନ୍ୟମାନଙ୍କ ସେବାରେ ମଧ୍ୟ ଲଗାଅ, ତେବେ କଣ ହେବ ? ସର୍ବଦା ନୂଆ ନୂଆ ଉମଙ୍ଗ-ଉତ୍ସାହ ସୃଷ୍ଟି ହେବ ଆଜି ଏହିଭଳି କରିବି, ଆଜି ଏହିଭଳି କରିବି । ଯେପରି କୌଣସି ବିଶେଷ କାର୍ଯ୍ୟକ୍ରମ କରିବା ସମୟରେ ମନ ଭିତରେ ଉମଙ୍ଗ-ଉତ୍ସାହ କାହିଁକି ଆସିଥାଏ ? କାରଣ ମନ ଭିତରେ ଭିନ୍ନ ଭିନ୍ନ ଯୋଜନା କରିଥାଅ ନା ଏଭଳି କରିବା, ସେଭଳି କରିବା ଏହା ଦ୍ୱାରା ବିଶେଷ ଉମଙ୍ଗ-ଉତ୍ସାହ ମଧ୍ୟ ସୃଷ୍ଟି ହୋଇଥାଏ ଏହିଭଳି ପ୍ରତିଦିନ ଅମୃତବେଳାରେ ଉମଙ୍ଗ-ଉତ୍ସାହ ଭରା ସଂକଳ୍ପ କର ଏବଂ ତାହାକୁ ମଝିରେ ମଝିରେ ଚେକ୍ କର ତେବେ ନିଜର ମଧ୍ୟ ସଦାକାଳ ପାଇଁ ଉତ୍ସାହ ଭରା ଜୀବନ ହୋଇଯିବ ଏବଂ ଅନ୍ୟମାନଂକୁ ଉତ୍ସାହିତ କରିବାବାଲା ମଧ୍ୟ ହୋଇଯିବ । ବୁଝିଲ ଦୁନିଆରେ ଯେପରି ଅନେକ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ କରିଥାନ୍ତି ସେହିପରି ଏହା ମଧ୍ୟ ତୁମକୁ ପ୍ରତିଦିନ ମନ ପାଇଁ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଭବ ହେଉ । ଆଚ୍ଛା!

(୨) ସର୍ବଦା ଶକ୍ତିଶାଳୀ ଯୋଗ ଦ୍ୱାରା ଆଗକୁ ବଢୁଥିବା ଆତ୍ମା ଅଟ ନା! କାରଣ ଶକ୍ତିଶାଳୀ ଯୋଗ ବିନା କୌଣସି ବି ଅନୁଭବ ହୋଇପାରିବ ନାହିଁ । ତେଣୁ ସର୍ବଦା ଶକ୍ତିଶାଳୀ ହୋଇ ଆଗକୁ ବଢିଚାଲ । ସର୍ବଦା ନିଜର ଶକ୍ତି ଅନୁସାରେ ଈଶ୍ୱରୀୟ ସେବାରେ ଲାଗିଯାଅ ଏବଂ ସେବାର ଫଳ ପ୍ରାପ୍ତ କର । ଯେତିକି ବି ଶକ୍ତି ଅଛି ତାକୁ ସେବାରେ ଲଗାଇଚାଲ । ଚାହେଁ ମନ ଦ୍ୱାରା, ଚାହେଁ ଧନ ଦ୍ୱାରା, ଚାହେଁ ଶରୀର ଦ୍ୱାରା । କାରଣ ଗୋଟିଏ ଜମାର ପଦ୍ମଗୁଣା ପ୍ରାପ୍ତି ତ ନିଶ୍ଚିତ ମିଳିବ । ତେବେ ତୁମେମାନେ ତ ନିଜ ପାଇଁ ହିଁ ଜମା କରୁଛ ଏବଂ ଅନେକ ଜନ୍ମ ପାଇଁ ମଧ୍ୟ ଜମା କରିବାକୁ ପଡିବ । ଏହି ଗୋଟିଏ ଜନ୍ମ ଜମା କରିବା ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ପରିଶ୍ରମ କରିବାରୁ ମଧ୍ୟ ମୁକ୍ତ ହୋଇଯାଉଛ । ଏହାର ରହସ୍ୟକୁ ତ ଜାଣିଛ ନା ? ତେଣୁ ସର୍ବଦା ନିଜର ଭବିଷ୍ୟତକୁ ଶ୍ରେଷ୍ଠ କରିଚାଲ । ଖୁସି ଖୁସିରେ ନିଜକୁ ସେବାରେ ଆଗକୁ ବଢାଇଚାଲ । ସର୍ବଦା ଯୋଗ ବଳ ଦ୍ୱାରା ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖି ଆଗକୁ ବଢିଚାଲ ।

(୩) ତୁମେମାନେ ନିଜର ଯୋଗର ଖୁସି ଆଧାରରେ ଅନେକ ଆତ୍ମାଙ୍କୁ ଖୁସି ପ୍ରଦାନ କରୁଥିବା ସେବାଧାରୀ ଅଟ ନା । ସଚ୍ଚା ସେବାଧାରୀ ଅର୍ଥାତ୍ ସର୍ବଦା ନିଜେ ମଧ୍ୟ ଲଗନରେ ମଗନ ରହୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଲଗନରେ ମଗନ କରୁଥିବେ । କାରଣ ପ୍ରତ୍ୟେକ ସ୍ଥାନର ସେବା ଭିନ୍ନ ଭିନ୍ନ ଅଟେ । ପୁଣି ବି ଯଦି ନିଜେ ନିଜେ ଆଗକୁ ବଢିବାର ଲକ୍ଷ୍ୟ ରଖି ଆଗକୁ ବଢୁଛ ତେବେ ଏହିଭଳି ଆଗକୁ ବଢିବା ମଧ୍ୟ ସବୁଠାରୁ ଖୁସିର କଥା । ବାସ୍ତବରେ ଏହି ଲୌକିକ ପାଠପଢା ଇତ୍ୟାଦି ସବୁ ବିନାଶୀ ଅଟେ । ଅବିନାଶୀ ପ୍ରାପ୍ତିର ଆଧାର କେବଳ ଏହି ଜ୍ଞାନ ଅଟେ । ଏହିଭଳି ଅନୁଭବ କରୁଛ ନା । ଦେଖ ତୁମ ଭଳି ସେବାଧାରୀମାନଙ୍କୁ ଡ୍ରାମାନୁସାରେ କେତେ ସୁବର୍ଣ୍ଣ ସୁଯୋଗ ମିଳିଛି । ଏହି ସୁବର୍ଣ୍ଣ ସୁଯୋଗ ସମସ୍ତଙ୍କୁ ମିଳିନଥାଏ । କୋଟିକ ଭିତରେ କାହାକୁ ହିଁ ମିଳିଥାଏ । ତେବେ ତୁମମାନଙ୍କୁ ତ ମିଳିଗଲା ନା । ସେହି ଅନୁସାରେ ଖୁସିର ଅନୁଭବ ହେଉଛି ? ଦୁନିଆରେ ଯାହା କାହାରି ପାଖରେ ନାହିଁ ତାହା ଆମ ପାଖରେ ଅଛି । ନିଜେ ସର୍ବଦା ଏହିଭଳି ଖୁସିରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି କର । ଯେତେ ଯେତେ ନିଜେ ଆଗକୁ ବଢିବ ସେତିକି ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢାଇ ପାରିବ । ତେଣୁ ସର୍ବଦା ଆଗକୁ ବଢୁଥିବା ଆତ୍ମା, ଇଆଡେ ସିଆଡେ ଚାହିଁ ଅଟକି ଯିବାବାଲା ନୁହେଁ । ସର୍ବଦା ବାବା ଏବଂ ସେବା ସମ୍ମୁଖରେ ରହିଥାଉ, ବାସ୍ । ଏହା ଦ୍ୱାରା ସର୍ବଦା ଉନ୍ନତି କରିଚାଲିବ । ସେଥିପାଇଁ ସର୍ବଦା ନିଜକୁ ବାବାଙ୍କର ଅନେକ ଦିନ ପରେ ମିଳିଥିବା ଗେହ୍ଲା ସନ୍ତାନ ଅନୁଭବ କରିଚାଲ ।

ଚାକିରୀ କରୁଥିବା କୁମାରୀମାନଙ୍କ ପାଇଁ :
(୧) ସମସ୍ତଙ୍କର ଲକ୍ଷ୍ୟ ତ ଶ୍ରେଷ୍ଠ ଅଟେ ନା । ଏମିତି ତ ଭାବୁ ନାହଁ ଯେ ଦୁଇଆଡେ କାମ ଚାଲିବ ଅର୍ଥାତ୍ ଚାକିରୀ ବି କରୁଥିବି ଏବଂ ଈଶ୍ୱରୀୟ ସେବା ମଧ୍ୟ କରୁଥିବି । ଯଦି କୌଣସି ସେହିଭଳି ବନ୍ଧନ ଅଛି ତେବେ ଦୁଇପଟେ ସମ୍ବନ୍ଧ ରଖିବା ଅଲଗା କଥା କିନ୍ତୁ ନିର୍ବନ୍ଧନ ଆତ୍ମାମାନଙ୍କ ପାଇଁ ଦୁଇପଟେ ପାଦ ରଖିବା ଅର୍ଥାତ୍ ଲଟିକିବା । କାହାର କାହାର ସେହିଭଳି ପରିସ୍ଥିତି ମଧ୍ୟ ରହିଛି ଯାହାଙ୍କୁ ବାପଦାଦା ମଧ୍ୟ ଅନୁମତି ଦେଉଛନ୍ତି କିନ୍ତୁ ଯଦି ମନର ବନ୍ଧନ ରହିଛି ତେବେ ତାକୁ ଲଟକିବା କୁହାଯିବ । ଯଦି ଗୋଟିଏ ପାଦ ଏପଟେ, ଗୋଟିଏ ପାଦ ସେପଟେ ରହିବ ତେବେ କଣ ହେବ ? ଯଦି ଗୋଟିଏ ନୌକାରେ ଗୋଟିଏ ପାଦ ଆଉ ଗୋଟିଏ ନୌକାରେ ଆଉ ଗୋଟିଏ ପାଦ ରଖିବ ତେବେ କଣ ହେବ ? ଦୁଃଖୀ ହେବ ନା, ତେଣୁ ଦୁଇଟିଯାକ ପାଦ ଗୋଟିଏ ନୌକାରେ ରଖ । ସବୁବେଳେ ନିଜେ ନିଜେ ସାହସ କର, କାରଣ ସାହସ କରିବା ଦ୍ୱାରା ସହଜରେ ପାରି ହୋଇଯିବ, ସବୁବେଳେ ଏହି କଥା ମନେ ରଖ ଯେ ମୋ ସାଥୀରେ ବାବା ଅଛନ୍ତି । ମୁଁ ଏକୁଟିଆ ନୁହେଁ, ତେବେ ଯେଉଁ କାର୍ଯ୍ୟ କରିବାକୁ ଚାହିଁବ କରିପାରିବ ।

(୨) ସଂଗମଯୁଗରେ କୁମାରୀମାନଙ୍କର ବିଶେଷ ପାର୍ଟ ରହିଛି, ତେଣୁ ନିଜକୁ ସେହିଭଳି ବିଶେଷ ପାର୍ଟଧାରୀ ତିଆରି କରିଲଣି ? ନା ଏବେ ପର୍ଯ୍ୟନ୍ତ ମଧ୍ୟ ସାଧାରଣ ଅଛ ? ତୁମମାନଙ୍କର ବିଶେଷତା କଣ ? ବିଶେଷତା ହେଲା ସେବାଧାରୀ ହେବା । ଯେଉଁମାନେ ସେବାଧାରୀ ସେମାନେ ବିଶେଷ ଅଟନ୍ତି । ଯଦି ସେବାଧାରୀ ନୁହେଁ ତେବେ ସାଧାରଣ ଅଟ । ତେବେ ତୁମେମାନେ ନିଜ ପାଇଁ ଲକ୍ଷ୍ୟ କଣ ରଖିଛ ? କେବଳ ସଂଗମଯୁଗରେ ହିଁ ଏହି ସୁଯୋଗ ମିଳୁଛି । ଯଦି ଏହି ସୁଯୋଗ ଏବେ ନେଇ ପାରିବ ନାହିଁ ତେବେ ସାରା କଳ୍ପରେ ମିଳିବ ନାହିଁ । କେବଳ ସଂଗମଯୁଗକୁ ହିଁ ବିଶେଷ ବରଦାନ ମିଳିଛି । ତେଣୁ ଲୌକିକ ପାଠପଢା ପଢୁଥିଲେ ମଧ୍ୟ ମନର ଲଗନ ଏହି ଈଶ୍ୱରୀୟ ପାଠପଢା ପ୍ରତି ରହିଥାଉ ତାହାହେଲେ ସେହି ପାଠପଢା ମଧ୍ୟ ବିଘ୍ନ ରୂପ ହେବ ନାହିଁ । ତେଣୁ ସମସ୍ତେ ନିଜର ଭାଗ୍ୟ ଜମା କରିବା ସହିତ ଆଗକୁ ବଢିଚାଲ । ଯେତେ ଯେତେ ନିଜର ଭାଗ୍ୟ ଗଢିବାର ନିଶା ରହିଥିବ ସେତିକି ସହଜରେ ମାୟାଜିତ୍ ହୋଇଯିବ । କାରଣ ଏହା ହେଲା ଆତ୍ମିକ ନିଶା, ତେଣୁ ସର୍ବଦା ନିଜର ଭାଗ୍ୟର ଗୀତ ଗାଉଥାଅ, ତେବେ ଗୀତ ଗାଇ-ଗାଇ ନିଜର ରାଜ୍ୟ ସତ୍ୟଯୁଗରେ ପହଞ୍ଚିଯିବ ।

ରଦାନ:-
ନିଜର ସମସ୍ତ ଦୁର୍ବଳତାକୁ ଦାନ କରିବାର ବିଧି ଦ୍ୱାରା ସମାପ୍ତ କରି ଦାତା ବିଧାତା ହୁଅ ।

ଭକ୍ତିମାର୍ଗରେ ଏହି ନିୟମ ମଧ୍ୟ ଅଛି ଯେ ଯଦି କୌଣସି ଜିନିଷର ଅଭାବ ଦେଖାଦିଏ ତେବେ କହିଥାନ୍ତି ସେହି ଜିନିଷକୁ ଦାନ କର । ଦାନ କରିବା ଦ୍ୱାରା ଦେବା ନେବାରେ ପରିଣତ ହୋଇଯାଏ । ତେଣୁ ଯେକୌଣସି ଦୋଷ-ଦୁର୍ବଳତାକୁ ସମାପ୍ତ କରିବା ପାଇଁ ହେଲେ ଦାତା ଏବଂ ବିଧାତା ହୁଅ । ଯଦି ତୁମେ ଅନ୍ୟମାନଙ୍କୁ ବାବାଙ୍କର ସମ୍ପତ୍ତିକୁ ବାଣ୍ଟିବାରେ ନିମିତ୍ତ ରୂପରେ ସାହାରା ହେବ ତେବେ ତୁମର ଦୁର୍ବଳତା ଗୁଡିକ ମଧ୍ୟ ଆପେ-ଆପେ କିନାରା ହୋଇଯିବ ଅର୍ଥାତ୍ ଦୂରେଇଯିବ । ଯଦି ନିଜର ଦାତା-ବିଧାତା ପଣିଆର ଶକ୍ତିଶାଳୀ ସଂସ୍କାରକୁ ଇମର୍ଜ କରିବ ତେବେ ଦୁର୍ବଳ ସଂସ୍କାର ଗୁଡିକ ଆପେ ଆପେ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ନିଜର ଶ୍ରେଷ୍ଠ ଭାଗ୍ୟର ଗୁଣଗାନ କରୁଥାଅ ଦୁର୍ବଳତାର ନୁହେଁ ।