01.08.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ପାଠପଢା ଦ୍ୱାରା ନିଜର କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ, ତତ୍ସହିତ ଅନ୍ୟମାନଙ୍କୁ ପତିତରୁ ପାବନ ହେବାର ରାସ୍ତା ମଧ୍ୟ ବତେଇବାକୁ ହେବ, ଆତ୍ମିକ ସେବା କରିବାକୁ ହେବ ।

ପ୍ରଶ୍ନ:-
କେଉଁ ମନ୍ତ୍ରକୁ ମନେ ରଖିଲେ ପାପ କର୍ମରୁ ରକ୍ଷା ପାଇଯିବ ?

ଉତ୍ତର:-
ବାବା ମନ୍ତ୍ର ଦେଇଛନ୍ତି ଯେ ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ...ଏହି ମନ୍ତ୍ରକୁ ସର୍ବଦା ମନେ ରଖ । ତୁମକୁ ନିଜର କର୍ମେନ୍ଦ୍ରିୟ ଦ୍ୱାରା କୌଣସି ପାପ କର୍ମ କରିବାର ନାହିଁ । କଳିଯୁଗରେ ସମସ୍ତଙ୍କ ଦ୍ୱାରା ପାପ କର୍ମ ହିଁ ହୋଇଥାଏ ସେଥିପାଇଁ ବାବା ଏହି ଯୁକ୍ତି ଉପାୟ ଶିଖାଉଛନ୍ତି ଯେ, ପବିତ୍ରତାର ଗୁଣକୁ ଧାରଣ କର ଏହା ହିଁ ହେଉଛି ନମ୍ବରୱାନ ଗୁଣ ।

ଓମ୍ ଶାନ୍ତି ।
ପିଲାମାନେ କାହା ସମ୍ମୁଖରେ ବସିଛ । ବୁଦ୍ଧିରେ ନିଶ୍ଚିତ ଆସୁଥିବ ଯେ ଆମେ ପତିତ-ପାବନ ସମସ୍ତଙ୍କର ସଦ୍ଗତିଦାତା, ନିଜର ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛୁ । ଯଦିଓ ବ୍ରହ୍ମାଙ୍କ ଶରୀରରେ ଅଛନ୍ତି ତଥାପି ଶିବବାବାଙ୍କୁ ମନେପକାଇବାକୁ ହେବ । କୌଣସି ମନୁଷ୍ୟ ସମସ୍ତଙ୍କର ସଦ୍ଗତି କରିପାରିବ ନାହିଁ । ମନୁଷ୍ୟକୁ ପତିତ ପାବନ କୁହାଯାଏ ନାହିଁ । ପିଲାମାନଙ୍କୁ ନିଜକୁ ଆତ୍ମା ଭାବିବାକୁ ପଡିବ । ସେ ଆମ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ସେହି ପିତା ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ଏହା ପିଲାମାନେ ଜାଣିବା ଦରକାର ଏବଂ ପୁଣି ଖୁସୀ ବି ହେବା ଦରକାର । ଏହା ବି ପିଲାମାନେ ଜାଣୁଛନ୍ତି ଯେ ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ଆମକୁ ବହୁତ ସହଜ ରାସ୍ତା ମିଳୁଛି । କେବଳ ବାବାଙ୍କୁ ମନେ ପକାଇ ନିଜ ମଧ୍ୟରେ ଦୈବୀଗୁଣ ଧାରଣ କରିବାକୁ ହେବ । ନିଜକୁ ଯାଞ୍ଚ କରିବାକୁ ହେବ । ନାରଦଙ୍କ ଉଦାହରଣ ମଧ୍ୟ ରହିଛି । ଏହି ସବୁ ଦୃଷ୍ଟାନ୍ତ ଜ୍ଞାନର ସାଗର ବାବା ହିଁ ଦେଇଛନ୍ତି । ଯାହା ବି ସନ୍ନ୍ୟାସୀ ଆଦି ଉଦାହରଣ ଦେଇଥାନ୍ତି, ତାହା ସବୁ ବାବାଙ୍କର ପ୍ରଦତ୍ତ ଉଦାହରଣ । ଭକ୍ତିମାର୍ଗରେ କେବଳ ଗାୟନ କରିଥାନ୍ତି । କଇଁଛର, ସର୍ପର, ଭ୍ରମରୀର ଉଦାହରଣ ଦେଉଛନ୍ତି । ପରନ୍ତୁ ନିଜେ ସେଭଳି କିଛି ବି କରିପାରିବେ ନାହିଁ । ବାବା ଦେଇଥିବା ଉଦାହରଣକୁ ପରେ ଭକ୍ତିମାର୍ଗରେ ପୁନରାବୃତ୍ତି କରିଥାନ୍ତି । ଭକ୍ତିମାର୍ଗ ହେଉଛି ହିଁ ଅତୀତର କଥା । ଏହି ସମୟରେ ଯାହା ବାସ୍ତବରେ ଘଟୁଛି ତାହାର ପୁଣି ଗାୟନ ହେଉଛି । ଯଦିଓ ଦେବତାମାନଙ୍କର ଜନ୍ମ ଦିନ ଅଥବା ଭଗବାନଙ୍କର ଜନ୍ମ ଦିନ ପାଳନ କରନ୍ତି ପରନ୍ତୁ କିଛି ବି ଜାଣନ୍ତି ନାହିଁ । ଏବେ ତୁମେ ବୁଝୁଛ । ବାବାଙ୍କଠାରୁ ଶିକ୍ଷା ନେଇ ପତିତରୁ ପବିତ୍ର ବି ହେଉଛ ଏବଂ ପତିତଙ୍କୁ ପବିତ୍ର ହେବାର ରାସ୍ତା ମଧ୍ୟ ବତାଉଛ । ଏହା ହେଲା ତୁମର ମୁଖ୍ୟ ଆତ୍ମିକ ସେବା । ପ୍ରଥମେ-ପ୍ରଥମେ କାହାକୁ ବି ଆତ୍ମାର ଜ୍ଞାନ ଦିଅ । କୁହ ତୁମେ ଆତ୍ମା ଅଟ । ଆତ୍ମାକୁ ଯଥାର୍ଥ ଭାବେ କେହି ଜାଣିନାହାନ୍ତି । ଆତ୍ମା ତ ଅବିନାଶୀ ଅଟେ । ଯେବେ ସମୟ ହୋଇଥାଏ ଆତ୍ମା ଶରୀରରେ ଆସି ପ୍ରବେଶ କରିଥାଏ । ତେଣୁ ନିଜକୁ ବାରମ୍ବାର ଆତ୍ମା ଭାବିବା ଦରକାର । ଆମ ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ପରମ ଶିକ୍ଷକ ମଧ୍ୟ ଅଟନ୍ତି । ଏହା ବି ସବୁବେଳେ ପିଲାମାନଙ୍କର ମନେ ରହିବା ଦରକାର । ଏହା ଭୁଲିବା ଉଚିତ୍ ନୁହେଁ । ତୁମେ ଜାଣୁଛ ଯେ ଏବେ ଘରକୁ ଫେରିବାକୁ ହେବ । ବିନାଶ ସମ୍ମୁଖରେ ଛିଡା ହୋଇଛି । ସତ୍ୟଯୁଗରେ ଦୈବୀ ପରିବାର ବହୁତ ଛୋଟ ହୋଇଥାଏ । କଳିଯୁଗରେ ତ ଅନେକ ମନୁଷ୍ୟ ଅଛନ୍ତି । ଅନେକ ଧର୍ମ, ଅନେକ ମତ ଅଛି । ସତ୍ୟଯୁଗରେ ଏସବୁ କିଛି ବି ରହିବ ନାହିଁ । ପିଲାମାନଙ୍କୁ ସାରା ଦିନ ବୁଦ୍ଧିରେ ଏହି କଥା ଚିନ୍ତନରେ ଆଣିବା ଦରକାର । ଏହା ପାଠପଢା ଅଟେ ନା । ଲୌକିକ ପାଠପଢାରେ ତ କେତେ ପୁସ୍ତକ ଆଦି ରହିଥାଏ । ପ୍ରତି କ୍ଲାସ୍ରେ ନୂଆ-ନୂଆ ବହି କିଣିବାକୁ ପଡିଥାଏ । ଏଠାରେ ତ କୌଣସି ବି ବହି କିମ୍ବା ଶାସ୍ତ୍ର ଆଦିର କଥା ନାହିଁ । ଏଥିରେ ତ ଗୋଟିଏ କଥା, ଗୋଟିଏ ପାଠପଢା ହେଉଛି । ଏଠାରେ ଯେତେବେଳେ ବ୍ରିଟିଶ ସରକାର ଥିଲା, ରାଜାମାନଙ୍କର ରାଜ୍ୟ ଥିଲା ତେଣୁ ଷ୍ଟାମ୍ପ୍ରେ ମଧ୍ୟ ରାଜାରାଣୀଙ୍କ ବ୍ୟତୀତ ଆଉ କାହାର ଫଟୋ ରଖୁନଥିଲେ । ଆଜିକାଲି ତ ଦେଖ ଭକ୍ତ ଆଦି ଯିଏ ମଧ୍ୟ ଆସୁଛନ୍ତି ସେମାନଙ୍କର ବି ଷ୍ଟାମ୍ପ ତିଆରି କରିଥାନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେଲେ ଚିତ୍ର ବି କେବଳ ଏକ ହିଁ ମହାରାଜା-ମହାରାଣୀଙ୍କର ରହିବ । ଏପରି ନୁହଁ ଯେ ଅତୀତରେ ଯେଉଁ ଦେବତାମାନେ ଥିଲେ ସେମାନଙ୍କର ଚିତ୍ର ଲୋପ ପାଇଯାଇଛି । ତା ନୁହଁ, ପୁରୁଣାରୁ ପୁରୁଣା ଦେବତାମାନଙ୍କର ଚିତ୍ର ବହୁତ ଆନ୍ତରୀକତାର ସହିତ ନେଇଥାନ୍ତି କାହିଁକି ନା ଶିବବାବାଙ୍କ ପରେ ଦେବତାମାନେ ରହିଛନ୍ତି । ଏହି ସବୁ କଥା ତୁମେ ପିଲାମାନେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବା ପାଇଁ ଧାରଣ କରୁଛ । ଏହା ହେଲା ବିଲ୍କୁଲ୍ ନୂଆ ପାଠ । ତୁମେମାନେ ହିଁ ଏକଥା ଶୁଣିଥିଲ ଏବଂ ପଦ ପାଇଥିଲ, ଏକଥା ଆଉ କେହି ଜାଣି ନାହାଁନ୍ତି । ତୁମକୁ ରାଜଯୋଗ ପରମପିତା ପରମାତ୍ମା ଶିଖାଉଛନ୍ତି । ମହାଭାରତ ଲଢେଇ ମଧ୍ୟ ପ୍ରସିଦ୍ଧ ରହିଛି । କଣ ହେବ ତାହା ତ ଆଗକୁ ଗଲେ ଦେଖିବ । କିଏ କଣ କହୁଛନ୍ତି, କିଏ କଣ କହୁଛନ୍ତି ଦିନ-ପ୍ରତିଦିନ ମନୁଷ୍ୟଙ୍କୁ ଅନୁଭବ ହେବାକୁ ଲାଗିବ । କହୁଛନ୍ତି ମଧ୍ୟ ବିଶ୍ୱଯୁଦ୍ଧ ଲାଗିଯିବ ତାହା ପୂର୍ବରୁ ତୁମମାନଙ୍କୁ ନିଜ ପାଠପଢା ଆଧାରରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହିଁ ହେବ । ବାକୀ ଅସୁର ଏବଂ ଦେବତାମାନଙ୍କ ମଧ୍ୟରେ କୌଣସି ଲଢେଇ ଆଦି ହୋଇ ନଥାଏ । ଏହି ସମୟରେ ତୁମେ ବ୍ରାହ୍ମଣ ସମ୍ପ୍ରଦାୟ ହୋଇଛ ଯେଉଁମାନେ ପୁଣି ଯାଇ ଦୈବୀ ସମ୍ପ୍ରଦାୟର ହେବେ ଏଣୁ ଏହି ଜନ୍ମରେ ଦିବ୍ୟଗୁଣ ଧାରଣ କରୁଛ । ନମ୍ବରୱାନ୍ ଦିବ୍ୟଗୁଣ ହେଲା ପବିତ୍ରତା । ତୁମେ ଏହି ଶରୀର ଦ୍ୱାରା କେତେ ପାପ କରି ଆସିଛ । ଆତ୍ମାକୁ ହିଁ କୁହାଯାଇଛି ହେ ପାପ ଆତ୍ମା, ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା କେତେ ପାପ କରିଚାଲିଛି । ଏବେ ଖରାପ କଥା ଶୁଣ ନାହିଁ... କାହାକୁ କୁହାଯାଉଛି ? ଆତ୍ମାକୁ । ଆତ୍ମା ହିଁ କାନ ଦ୍ୱାରା ଶୁଣୁଛି । ବାବା ହିଁ ତୁମ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ, ପୁରା ଚକ୍ର ଲଗାଇ ଆସିଛ ଏବେ ପୁଣି ତୁମକୁ ସେହିପରି ହେବାକୁ ପଡିବ । ଏହି ମଧୂର ସ୍ମୃତି ଆସିବା ଦ୍ୱାରା ପବିତ୍ର ହେବା ପାଇଁ ସାହାସ ଆସିଥାଏ । ତୁମର ବୁଦ୍ଧିରେ ଅଛି ଯେ ଆମେ କିପରି ୮୪ ଜନ୍ମର ଅଭିନୟ କଲୁ । ପ୍ରଥମେ-ପ୍ରଥମେ ଆମେ ଏହିଭଳି ଥିଲୁ । ଏହା କାହାଣୀ ଅଟେ ନା । ବୁଦ୍ଧିରେ ଆସିବା ଦରକାର ୫ ହଜାର ବର୍ଷ ପୂର୍ବେ ଆମେ ସେହି ଦେବତା ଥିଲୁ । ମୁଁ ଆତ୍ମା ହେଉଛି ମୂଳବତନବାସୀ । ପୂର୍ବେ ଟିକିଏ ହେଲେ ମଧ୍ୟ ଏହି ଖିଆଲ ନଥିଲା ଯେ ପରମଧାମ ଆମ ଆତ୍ମାମାନଙ୍କର ଘର ଅଟେ । ସେଠାରୁ ଆମେ ଆସୁଛୁ ଅଭିନୟ କରିବା ପାଇଁ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ... ହେଉଛୁ । ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣବଂଶୀ ହୋଇଛ । ତୁମେ ଈଶ୍ୱରୀୟ ସନ୍ତାନ ହୋଇଛ । ଈଶ୍ୱର ବସି ତୁମକୁ ଶିକ୍ଷା ଦେଉଛନ୍ତି । ସେ ପରମ ପିତା, ପରମ ଶିକ୍ଷକ, ପରମ ସତଗୁରୁ ମଧ୍ୟ ଅଟନ୍ତି । ଆମେ ତାଙ୍କ ମତରେ ସମସ୍ତ ମନୁଷ୍ୟଙ୍କୁ ଶ୍ରେଷ୍ଠ କରାଉଛୁ । ମୁକ୍ତି-ଜୀବନମୁକ୍ତି ଉଭୟ ଶ୍ରେଷ୍ଠ ଅଟେ । ଆମେ ନିଜ ଘରକୁ ଯିବୁ ପରେ ପବିତ୍ର ଆତ୍ମାମାନେ ଆସି ସତ୍ୟଯୁଗରେ ରାଜ୍ୟ କରିବେ । ଏହା ଚକ୍ର ଅଟେ ନା । ଏହାକୁ ସ୍ୱଦର୍ଶନ ଚକ୍ର କୁହାଯାଇଛି । ଏହା ଜ୍ଞାନର କଥା ଅଟେ । ବାବା କହୁଛନ୍ତି ଯେ ତୁମର ଏହି ସ୍ୱଦର୍ଶନ ଚକ୍ର ଅଟକିବା ଉଚିତ୍ ନୁହେଁ । ଏହିପରି ସ୍ୱଦର୍ଶନ ଚକ୍ର ଘୂରିଲେ ବିକର୍ମ ବିନାଶ ହୋଇଯିବ । ତୁମେ ଏହି ରାବଣ ଉପରେ ବିଜୟ ପ୍ରାପ୍ତ କରିବ । ପାପ କଟିଯିବ । ଏବେ ସ୍ମୃତି ଆସିଛି, ବାବାଙ୍କୁ ସ୍ମରଣ କରିବା ପାଇଁ । ଏଭଳି ନୁହଁ ଯେ, ମାଳା ବସି ସ୍ମରଣ କରିବା । ଆତ୍ମା ଭିତରେ ଜ୍ଞାନ ଅଛି ଯେଉଁ ଜ୍ଞାନ ପିଲାମାନଙ୍କୁ ଏବଂ ଭାଈ ଭଉଣୀମାନଙ୍କୁ ବୁଝାଇବାକୁ ହେବ । ପିଲାମାନେ ବି ସହଯୋଗୀ ତ ହେବେ ନା । ତୁମମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛି । ଏହି ଜ୍ଞାନ ମୋ ଭିତରେ ଅଛି ଏଣୁ ମୋତେ ଜ୍ଞାନର ସାଗର ମନୁଷ୍ୟ ସୃଷ୍ଟିର ବୀଜରୂପ କହୁଛନ୍ତି । ତାଙ୍କୁ ବଗିଚାର ମାଳି କୁହାଯାଉଛି । ଦେବୀ-ଦେବତା ଧର୍ମର ବୀଜ ଶିବବାବା ହିଁ ଲଗାଇଛନ୍ତି । ଏବେ ତୁମେ ଦେବୀ-ଦେବତା ହେଉଛ । ଏହା ସାରା ଦିନ ସ୍ମରଣ କଲେ ତୁମର ବହୁତ କଲ୍ୟାଣ ହେବ । ଦୈବୀଗୁଣ ବି ଧାରଣ କରିବାକୁ ହେବ । ପବିତ୍ର ମଧ୍ୟ ହେବାକୁ ପଡିବ । ସ୍ତ୍ରୀ-ପୁରୁଷ ଉଭୟ ଏକାଠି ରହି ପବିତ୍ର ହେଉଛ । ଏଭଳି ଅନ୍ୟ କୌଣସି ଧର୍ମ ତ ନାହିଁ । କେବଳ ପୁରୁଷମାନେ ନିବୃତ୍ତିମାର୍ଗୀ ହୋଇଥାନ୍ତି । କହିଥାନ୍ତି ନା ସ୍ତ୍ରୀ-ପୁରୁଷ ଉଭୟ ଏକାଠି ରହି ପବିତ୍ର ରହିପାରିବେ ନାହିଁ, ଏହା ମୁସ୍କିଲ୍ ଅଟେ । ସତ୍ୟଯୁଗରେ ପବିତ୍ର ଥିଲେ ନା । ଲକ୍ଷ୍ମୀ-ନାରାୟଣଙ୍କର ମହିମା ମଧ୍ୟ ଗାୟନ କରିଥାନ୍ତି ।

ଏବେ ତୁମେ ଜାଣୁଛ ବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ କରି ପୁଣି ଦେବତା କରୁଛନ୍ତି । ଆମେ ହିଁ ପୂଜ୍ୟରୁ ପୂଜାରୀ ହେବୁ ପୁଣି ଯେତେବେଳେ ବାମମାର୍ଗରେ ଯିବୁ ସେତେବେଳେ ଶିବଙ୍କର ମନ୍ଦିର ତିଆରି କରି ପୂଜା କରିବୁ । ତୁମ ପିଲାମାନଙ୍କର ୮୪ ଜନ୍ମର ଜ୍ଞାନ ରହିଛି । ବାବା ହିଁ କହୁଛନ୍ତି ଯେ ତୁମେ ନିଜ ଜନ୍ମ ବିଷୟରେ ଜାଣିନାହଁ, ମୁଁ ଶୁଣାଉଛି । ଏଭଳି ଆଉ କୌଣସି ମନୁଷ୍ୟ କହିପାରିବେ ନାହିଁ । ତୁମକୁ ଏବେ ବାବା ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି । ତୁମେ ଆତ୍ମା ପବିତ୍ର ହେଉଛ । ଶରୀର ତ ଏଠାରେ ପବିତ୍ର ହୋଇପାରିବ ନାହିଁ । ଆତ୍ମା ପବିତ୍ର ହୋଇଗଲା ପରେ ପୁଣି ଅପବିତ୍ର ଶରୀରକୁ ଛାଡିବାକୁ ପଡିଥାଏ । ସବୁ ଆତ୍ମାମାନଙ୍କୁ ପବିତ୍ର ହୋଇ ଘରକୁ ଯିବାକୁ ହେବ । ପବିତ୍ର ଦୁନିଆ ଏବେ ସ୍ଥାପନ ହେଉଛି । ବାକି ସବୁ ସ୍ୱୀଟ ହୋମ୍ (ଶାନ୍ତିଧାମ)କୁ ଚାଲିଯିବେ । ଏକଥା ମନେ ରଖିବା ଦରକାର ।

ବାବାଙ୍କୁ ମନେ ପକାଇବା ସହିତ ଘରକୁ ବି ମନେ ପକେଇବା ଉଚିତ୍ କାହିଁକିନା ଏବେ ଘରକୁ ଫେରି ଯିବାକୁ ହେବ । ଘରେ ହିଁ ବାବାଙ୍କୁ ମନେ ପକାଇବାକୁ ହେବ । ଯଦିଓ ତୁମେ ଜାଣୁଛ ଯେ ବାବା ଏହି ଶରୀରରେ ଆସି ଆମକୁ ଶୁଣାଉଛନ୍ତି ପରନ୍ତୁ ବୁଦ୍ଧି ପରମଧାମ ଶାନ୍ତିଧାମରୁ ବିଚ୍ଛିନ୍ନ ହେବା ଉଚିତ୍ ନୁହେଁ । ଟିଚର ଘର ଛାଡି ଆସିଥାନ୍ତି, ତୁମକୁ ପଢାଇବା ପାଇଁ । ପାଠପଢାଇ ପୁଣି ବହୁତ ଦୂରକୁ ଚାଲିଯାଇଥାନ୍ତି । ଗୋଟିଏ ସେକେଣ୍ଡରେ କେଉଁଠାକୁ ମଧ୍ୟ ଯାଇପାରିବେ । ଆତ୍ମା କେତେ ଛୋଟ ବିନ୍ଦୁ ଅଟେ । ଆଶ୍ଚର୍ଯ୍ୟ ହେବା ଦରକାର । ବାବା ଆତ୍ମାର ଜ୍ଞାନ ଦେଇଛନ୍ତି । ଏହା ବି ତୁମେ ଜାଣୁଛ ସ୍ୱର୍ଗରେ କୌଣସି ଖରାପ ବସ୍ତୁ ନଥାଏ, ଯାହା ଦ୍ୱାରା ହାତ, ପାଦ ଅଥବା କପଡା ଆଦି ମଇଳା ହେବ । ଦେବତାମାନଙ୍କର ବେଶଭୂଷା କେତେ ସୁନ୍ଦର ହୋଇଥାଏ । କେତେ ସୁନ୍ଦର ବସ୍ତ୍ର ହେବ । ଧୋଇବାକୁ ବି ପଡିବ ନାହିଁ । ଏମାନଙ୍କୁ ଦେଖି କରି କେତେ ଖୁସୀ ହେବା ଦରକାର । ଆତ୍ମା ଜାଣିଛି ଯେ ଭବିଷ୍ୟତ ୨୧ ଜନ୍ମ ମୁଁ ଏହିଭଳି ହେବି । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ବାରମ୍ବାର ଦେଖିବା ଦରକାର । ଏହି ଚିତ୍ର ସମସ୍ତଙ୍କ ପାଖରେ ରହିବା ଉଚିତ୍ । ଏଥିରେ ବହୁତ ଖୁସୀ ହେବା ଦରକାର । ଆମକୁ ବାବା ଏହିଭଳି ତିଆରି କରୁଛନ୍ତି । ଏଭଳି ବାବାଙ୍କର ଆମେ ସନ୍ତାନ ହୋଇ ପୁଣି କାନ୍ଦୁଛୁ କାହିଁକି! ଆମର କୌଣସି ଚିନ୍ତା ରହିବା ଉଚିତ୍ କି । ଦେବତାଙ୍କ ମନ୍ଦିରକୁ ଯାଇ ମହିମା ଗାୟନ କରିଥାନ୍ତି ସର୍ବଗୁଣ ସମ୍ପନ୍ନ... ଅଚୁତମ୍ କେଶବମ୍... କେତେ ନାମ ବୋଲିଥାନ୍ତି । ଏସବୁ ଶାସ୍ତ୍ରରେ ଲେଖା ହୋଇଛି ଯାହା ଫଳରେ ମନେ ପକାଇଥାନ୍ତି । ଶାସ୍ତ୍ରରେ କିଏ ଲେଖିଛନ୍ତି ? ବ୍ୟାସ ଲେଖିଛନ୍ତି ନଚେତ୍ କେହି ନୂଆ-ନୂଆ ଆତ୍ମାମାନେ ବି ତିଆରି କରୁଛନ୍ତି । ଆଗରୁ ହସ୍ତ ଲିଖିତ ଗ୍ରନ୍ଥ ବହୁତ ଛୋଟ ଥିଲା । ଏବେ ତ କେତେ ବଡ କରିଦେଇଛନ୍ତି । ନିଶ୍ଚିତ ରୂପେ ନୂଆ କିଛି ଲେଖା ଯାଇଥିବ । ବାସ୍ତବରେ ଗୁରୁ ନାନକ ତ ଆସୁଛନ୍ତି ଧର୍ମସ୍ଥାପନ କରିବା ପାଇଁ । ଜ୍ଞାନଦାତା ତ ଜଣେ ହିଁ ଅଟନ୍ତି । କ୍ରାଇଷ୍ଟ ବି ଆସିଥାନ୍ତି କେବଳ ଧର୍ମ ସ୍ଥାପନ କରିବା ପାଇଁ । ଯେବେ ଉପରୁ ସବୁ ଆସି ଯାଉଛନ୍ତି ପୁଣି ତ ଫେରିବେ । ଘରକୁ କିଏ ପଠେଇବେ ? କଣ କ୍ରାଇଷ୍ଟ ପଠାଇବେ ? ନୁହେଁ । ସେ ତ ଭିନ୍ନ ଭିନ୍ନ ନାମ ରୂପରେ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି । ସତ୍ତ୍ୱ, ରଜୋ, ତମୋରେ ଆସୁଛନ୍ତି ନା । ଏହି ସମୟରେ ସବୁ ତମୋପ୍ରଧାନ ହୋଇଯାଇଛନ୍ତି । ସଭିଙ୍କର ଜରାଜୀର୍ଣ୍ଣ ଅବସ୍ଥା ଆସିଯାଇଛି ନା । ପୁର୍ନଜନ୍ମ ନେଇ ନେଇ ଏହି ସମୟରେ ସବୁ ଧର୍ମବାଲମ୍ବୀ ଆସି ତମୋପ୍ରଧାନ ହୋଇଛନ୍ତି । ଏବେ ସମସ୍ତଙ୍କୁ ପୁଣି ଘରକୁ ଯିବାର ଅଛି । ପୁଣି ଚକ୍ର ଘୂରାଇବା ଦରକାର । ପ୍ରଥମେ ନୂଆ ଧର୍ମ ହେବା ଦରକାର ଯାହା ସତ୍ୟଯୁଗରେ ଥିଲା । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ପୁଣି ବିନାଶ ମଧ୍ୟ ହେବ । ସ୍ଥାପନା, ବିନାଶ, ପୁଣି ପାଳନା । ସତ୍ୟଯୁଗରେ ଏକ ହିଁ ଧର୍ମ ହେବ । ଏହା ମନେପଡୁଛି ନା । ସାରା ଚକ୍ର ସ୍ମୃତିରେ ଆଣିବାକୁ ହେବ । ଏବେ ଆମେ ୮୪ ଜନ୍ମର ଚକ୍ରକୁ ପୂର୍ଣ୍ଣ କରି ପୁନର୍ବାର ଘରକୁ ଯିବୁ । ତୁମେ ଚଳନ୍ତି ସ୍ୱଦର୍ଶନ ଚକ୍ରଧାରୀ ଅଟ । ସେମାନେ ପୁଣି କହୁଛନ୍ତି କୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଥିଲା, ତାଦ୍ୱାରା ସମସ୍ତଙ୍କୁ ମାରିଲେ । ଅକାସୁର ବକାସୁର ଆଦିଙ୍କର ଚିତ୍ର ଦେଖାଇଛନ୍ତି । ପରନ୍ତୁ ଏପରି କୌଣସି କଥା ହିଁ ନାହିଁ ।

ତୁମ ପିଲାମାନଙ୍କୁ ଏବେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ, କାହିଁକି ନା ସ୍ୱଦର୍ଶନ ଚକ୍ର ଦ୍ୱାରା ତୁମର ପାପ କଟୁଛି । ଆସୁରୀ ପଣିଆର ବିନାଶ ହେଉଛି । ଦେବତା ଏବଂ ଅସୁରମାନଙ୍କର ଲଢେଇ ତ ହୋଇପାରିବ ନାହିଁ । ଅସୁର କଳିଯୁଗରେ, ଦେବତାମାନେ ସତ୍ୟଯୁଗରେ, ମଝିରେ ହେଉଛି ସଂଗମଯୁଗ । ଶାସ୍ତ୍ରରେ ଜ୍ଞାନମାର୍ଗର ବର୍ଣ୍ଣନା ଅଛି । ଜ୍ଞାନର ଚିହ୍ନବର୍ଣ୍ଣ ହିଁ ନାହିଁ । ସମସ୍ତଙ୍କ ପାଇଁ ଜ୍ଞାନର ସାଗର ଏକ ବାବା ହିଁ ଅଛନ୍ତି । ବାବାଙ୍କ ସ୍ମୃତି ବ୍ୟତୀତ କୌଣସି ଆତ୍ମା ପବିତ୍ର ହୋଇ ପୁନର୍ବାର ଘରକୁ ଫେରି ଯାଇପାରିବେ ନାହିଁ । ଅଭିନୟ ନିଶ୍ଚିତ କରିବାକୁ ପଡିବ, ତେଣୁ ଏବେ ନିଜର ୮୪ ଜନ୍ମର ଚକ୍ରକୁ ବି ମନେ ପକାଇବାକୁ ହେବ । ଆମେ ଏବେ ସତ୍ୟଯୁଗୀ ନୂଆ ଜନ୍ମ ନେଉଛୁ । ଏପରି ଜନ୍ମ ପୁଣି କେବେ ମିଳିବ ନାହିଁ । ଶିବବାବା ପୁଣି ବ୍ରହ୍ମାବାବା । ଲୌକିକ, ପାରଲୌକିକ ଏବଂ ଇଏ ହେଲେ ଅଲୌକିକ ବାବା । ଏହି ସମୟର ହିଁ କଥା ଅଟେ, ଏହାଙ୍କୁ ଅଲୌକିକ କୁହାଯାଉଛି । ତୁମେମାନେ ଶିବବାବାଙ୍କୁ ସ୍ମରଣ କରୁଛ । ବ୍ରହ୍ମାଙ୍କୁ ନୁହେଁ । ଯଦିଓ ବ୍ରହ୍ମାଙ୍କର ମନ୍ଦିରକୁ ଯାଇ ପୂଜା କରୁଛନ୍ତି, ତାହା ମଧ୍ୟ ସେତେବେଳେ ପୂଜା କରିଥାନ୍ତି ଯେତେବେଳେ ସୁକ୍ଷ୍ମ ବତନରେ ସମ୍ପୂର୍ଣ୍ଣ ଅବ୍ୟକ୍ତ ମୁରତରେ ଥାନ୍ତି । ବ୍ରହ୍ମା ତ ଶରୀରଧାରୀ ତେଣୁ ପୂଜା ଯୋଗ୍ୟ ନୁହଁନ୍ତି । ଇଏ ତ ମନୁଷ୍ୟ ଅଟନ୍ତି ନା । ମନୁଷ୍ୟଙ୍କର ପୂଜା ହୋଇନଥାଏ । ବ୍ରହ୍ମାଙ୍କର ଦାଢି ଦେଖାଯାଇଛି ସେଥିରୁ ଜଣା ପଡେ ଯେ ସେ ଏଠାକାର ଅଟନ୍ତି । ଦେବତାମାନଙ୍କର ଦାଢୀ ହୋଇନଥାଏ । ଏହି ସବୁ କଥା ପିଲାମାନଙ୍କୁ ବୁଝାଇ ଦେଇଛି । ତୁମର ନାମ ବିଖ୍ୟାତ ହେଉଛି । ଏଣୁ ତୁମର ମନ୍ଦିର ମଧ୍ୟ ତିଆରି ହୋଇଛି । ସୋମନାଥ ମନ୍ଦିର କେତେ ଶ୍ରେଷ୍ଠ ଅଟେ । ସୋମରସ ପିଆଇଲେ ପୁଣି କଣ ହେଲା ? ପୁଣି ଏଠାରେ ବି ଦିଲୱାଡା ମନ୍ଦିର ଦେଖ, ମନ୍ଦିର ଅବିକଳ ଭାବେ ସ୍ମୃତି ଚିହ୍ନ ରୂପେ ତିଆରି ହୋଇଛି । ତଳେ ତୁମେ ତପସ୍ୟା କରୁଛ, ଉପରେ ସ୍ୱର୍ଗ ଅଛି । ମନୁଷ୍ୟ ଭାବିଥାନ୍ତି ଯେ ସ୍ୱର୍ଗ ତ କେଉଁଠି ଉପରେ ରହିଛି । ମନ୍ଦିରର ତଳେ କିପରି ସ୍ୱର୍ଗ ତିଆରି କରିବେ । ତେଣୁ ଉପର ଛାତରେ ତିଆରି କରିଦେଇଛନ୍ତି । ଏକଥା ତ ତିଆରି କରିଥିବା କାରିଗର ମଧ୍ୟ ବୁଝିପାରୁ ନାହାଁନ୍ତି । ବଡ ବଡ କୋଟିପତି ଅଛନ୍ତି । ତାଙ୍କୁ ଏହି ସବୁ କଥା ବୁଝାଇବାକୁ ପଡିବ । ତୁମକୁ ଏବେ ଜ୍ଞାନ ମିଳୁଛି ତେଣୁ ତୁମେ ଅନେକଙ୍କୁ ଦେଇପାରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆତ୍ମାରୁ ଆସୁରୀ ପଣିଆକୁ ସମାପ୍ତ କରିବା ପାଇଁ ଚାଲିଲା-ବୁଲିଲା ବେଳେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ । ସଂମ୍ପୂର୍ଣ୍ଣ ସୃଷ୍ଟିଚକ୍ରକୁ ସ୍ମୃତିରେ ଆଣିବାକୁ ହେବ ।

(୨) ବାବାଙ୍କ ସ୍ମୃତି ରହିବା ସହିତ ବୁଦ୍ଧି ପରମଧାମ ଘର ସହିତ ମଧ୍ୟ ଲାଗି ରହୁ । ବାବା ଯାହା ସବୁ ସ୍ମୃତି ଦେଇଛନ୍ତି ସେଗୁଡିକୁ ସ୍ମରଣ କରି ନିଜର କଲ୍ୟାଣ କରିବାକୁ ହେବ ।

ବରଦାନ:-
ସମ୍ପୂର୍ଣ୍ଣ ଆହୁତି ଦ୍ୱାରା ପରିବର୍ତ୍ତନ ସମାରୋହ ପାଳନ କରି ଦୃଢ ସଂକଳ୍ପଧାରୀ ହୁଅ ।

ଯେପରି ଗାୟନ ରହିଛି ପ୍ରାଣ ଯାଉ ପଛେ ବଚନ ନ ଯାଉ, ତେଣୁ କିଭଳି ବି ପରିସ୍ଥିତି ଆସିଯାଉ, ମାୟାର ମହାବୀର ରୂପ ମଧ୍ୟ ସମ୍ମୁଖକୁ ଆସିଯାଉ କିନ୍ତୁ ତୁମର ଧାରଣାରେ କୌଣସି ତ୍ରୁଟୀ ନହେଉ । ସଂକଳ୍ପ ଦ୍ୱାରା ତ୍ୟାଗ କରିଥିବା ଖରାପ ଜିନିଷ ଗୁଡିକୁ ସଂକଳ୍ପରେ ମଧ୍ୟ ସ୍ୱୀକାର ନ ହେଉ । ସର୍ବଦା ନିଜର ଶ୍ରେଷ୍ଠ ସ୍ୱମାନ, ଶ୍ରେଷ୍ଠ ସ୍ଥିତି ଏବଂ ଶ୍ରେଷ୍ଠ ଜୀବନର ସମର୍ଥୀ ସ୍ୱରୂପ ଦ୍ୱାରା ଶ୍ରେଷ୍ଠ ପାର୍ଟଧାରୀ ହୋଇ ଶ୍ରେଷ୍ଠତାର ଖେଳ କରୁଥାଅ । ଦୋଷ-ଦୁର୍ବଳତା ଯୁକ୍ତ ସମସ୍ତ ଖେଳ ସମାପ୍ତ ହୋଇଯାଉ । ଯେତେବେଳେ ଏହିଭଳି ସମ୍ପୂର୍ଣ୍ଣ ଆହୁତିର ସଂକଳ୍ପ ଦୃଢ ହେବ ସେତେବେଳେ ଯାଇ ପରିବର୍ତ୍ତନ ସମାରୋହ ହେବେ । ତେଣୁ ବର୍ତ୍ତମାନ ଏହି ସମାରୋହର ତାରିଖକୁ ସଂଗଠିତ ରୂପରେ ନିର୍ଦ୍ଧାରିତ କର ।

ସ୍ଲୋଗାନ:-
ସଚ୍ଚା ହୀରା ହୋଇ ନିଜର ବିଚାର ତରଙ୍ଗର ଚମକ ସାରା ବିଶ୍ୱରେ ବିଚ୍ଛୁରିତ କର ।