01.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ବହୁତ ଉଚ୍ଚ ଜାତିର ଅଟ, ତୁମକୁ ବ୍ରାହ୍ମଣରୁ ଦେବତା ହେବାକୁ ପଡିବ ସେଥିପାଇଁ ତୁମକୁ ବିକାରୀ ମନ୍ଦ ଅଭ୍ୟାସ ଗୁଡିକୁ ସମାପ୍ତ କରି ଦେବାକୁ ହେବ ।

ପ୍ରଶ୍ନ:-
କେଉଁ କଥାର ସମ୍ବନ୍ଧ ଏହି ପାଠପଢା ସହିତ ନାହିଁ?

ଉତ୍ତର:-
ପୋଷାକ ଆଦିର ସମ୍ବନ୍ଧ ଏହି ପାଠପଢା ସହିତ ନାହିଁ, ଏଥିରେ ପୋଷାକ ଆଦି ପରିବର୍ତ୍ତନ କରିବାର କୌଣସି କଥା ନାହିଁ । ବାବା ତ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଆତ୍ମା ଜାଣିଛି ଯେ ଏହା ପୁରୁଣା ପତିତ ଶରୀର ଅଟେ, ଏହାକୁ କିଭଳି ବି ସାଧାରଣ ପୋଷାକ ପିନ୍ଧାଇ ଦିଅ, ସେଥିରେ କୌଣସି ଆପତ୍ତି ନାହିଁ । ଏଠାରେ ଶରୀର ଏବଂ ଆତ୍ମା ଉଭୟ କଳା ହୋଇଯାଇଛନ୍ତି । ବାବା କଳା (ଶ୍ୟାମଳ)କୁ ହିଁ ଗୋରା କରୁଛନ୍ତି ।

ଓମ୍ ଶାନ୍ତି ।
ରୁହାନୀ ବାବାଙ୍କର ସମ୍ମୁଖରେ ରୁହାନୀ ପାଠଶାଳାରେ, ରୁହାନୀ ପିଲାମାନେ ବସିଛନ୍ତି । ଏହା ଭୌତିକ ପାଠଶାଳା ନୁହେଁ । ରୁହାନୀ ପାଠଶାଳାରେ ରୁହାନୀ ବାବା ବସି ରୁହାନୀ (ଆତ୍ମିକ) ପିଲାମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ତୁମେମାନେ ଜାଣିଛ ଯେ ଆମେ ପୁଣି ଥରେ ନରରୁ ନାରାୟଣ ଅଥବା ଦେବୀ-ଦେବତା ପଦ ପ୍ରାପ୍ତ କରିବା ପାଇଁ ରୁହାନୀ ବାବାଙ୍କ ପାଖରେ ବସିଛୁ । ଏହା ହେଉଛି ନୂଆ କଥା । ଏକଥା ବି ତୁମେମାନେ ଜାଣିଛ ଯେ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେମାନେ ଦ୍ୱିମୁକୁଟଧାରୀ ଥିଲେ । ଲାଇଟ୍‌ର ମୁକୁଟ ଏବଂ ରତ୍ନଜଡିତ ମୁକୁଟ ଉଭୟ ଥିଲା । ପ୍ରଥମେ ହୋଇଥାଏ ଲାଇଟ୍‌ର ମୁକୁଟ, ଯେଉଁମାନେ ଆସିକରି ଯାଇଛନ୍ତି ତାଙ୍କ ପାଇଁ ଧଳାରଙ୍ଗର ଲାଇଟ୍‌ର ଆଭାମଣ୍ଡଳ ଦର୍ଶାଯାଇଥାଏ । ଏହା ହେଉଛି ପବିତ୍ରତାର ଚିହ୍ନ । ଅପବିତ୍ର ଆତ୍ମା ପାଇଁ କେବେ ଆଭାମଣ୍ଡଳ ଦର୍ଶାଇବେ ନାହିଁ । ଯଦି ତୁମର ଫଟଚିତ୍ର ବାହାର କରିବ ତେବେ ସେଥିରେ ଆଭାମଣ୍ଡଳ ଦିଆଯାଇ ପାରିବ ନାହିଁ । ଏହି ଆଭାମଣ୍ଡଳ ପବିତ୍ରତାର ଚିହ୍ନ ପାଇଁ ଦେଇଥାନ୍ତି । ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ଡାର୍କ ଅର୍ଥାତ୍ ଅନ୍ଧାର । ବ୍ରହ୍ମାଙ୍କର ଦିନ ହେଉଛି ଆଲୋକ, ବ୍ରହ୍ମାଙ୍କର ରାତି ହେଲା ଅନ୍ଧାର । ଅନ୍ଧାର ଅର୍ଥାତ୍ ତାଙ୍କ ମସ୍ତକରେ ଆଭାମଣ୍ଡଳ ନଥାଏ । ତୁମେମାନେ ଜାଣିଛ - ବାବା ହିଁ ଆସି, ଏତେ ସବୁ ଆତ୍ମାମାନେ ଯିଏକି ପତିତ ଅର୍ଥାତ୍ କଳା ହିଁ କଳା ହୋଇଯାଇଛନ୍ତି, ସେମାନଙ୍କୁ ପବିତ୍ର କରୁଛନ୍ତି । ଏବେ ତ ପବିତ୍ର ରାଜଧାନୀ ହିଁ ନାହିଁ । ସତ୍ୟଯୁଗରେ ଯେପରି ରାଜରାଣୀ ସେହିପରି ପ୍ରଜା, ସମସ୍ତେ ପବିତ୍ର ଥିଲେ । ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏହି ଚିତ୍ର ଉପରେ ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝାଇବାକୁ ହେବ । ଏହା ହେଉଛି ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ବୁଝାଇବା ପାଇଁ ଆହୁରି ବି ଭଲ ଚିତ୍ର ସବୁ ରହିଛି ସେଥିପାଇଁ ଏତେ ଚିତ୍ର ସବୁ ରଖାଯାଇଥାଏ । ମନୁଷ୍ୟମାନେ ତୁରନ୍ତ ବୁଝିଯାଉ ନାହାଁନ୍ତି ଯେ ଆମେମାନେ ଏହି ୟାଦର ଯାତ୍ରା ଦ୍ୱାରା ତମୋପ୍ରଧାନରୁ ସତ୍ୱପ୍ରଧାନ ହେବୁ, ପୁଣି ମୁକ୍ତି ଅଥବା ଜୀବନମୁକ୍ତିକୁ ଚାଲିଯିବୁ । ଦୁନିଆରେ କେହି ଜାଣିନାହାଁନ୍ତି ଯେ ଜୀବନମୁକ୍ତି କାହାକୁ କୁହାଯାଉଛି । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ଥିଲା - ଏକଥା ବି କେହି ଜାଣିନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଯେ ଆମେ ବାବାଙ୍କଠାରୁ ପବିତ୍ରତାର ଦୈବୀ ସ୍ୱରାଜ୍ୟ ନେଉଛୁ । ଚିତ୍ର ଗୁଡିକ ଉପରେ ତୁମେ ଭଲ ଭାବରେ ବୁଝାଇପାରିବ । ଭାରତରେ ହିଁ ଦ୍ୱିମୁକୁଟଧାରୀ ଦେବତାମାନଙ୍କର ପୂଜା କରିଥାନ୍ତି । ଏପରି ଚିତ୍ର ବି ସିଢିରେ ରହିଛି । ରତ୍ନଜଡିତ ମୁକୁଟ ଅଛି କିନ୍ତୁ ଲାଇଟ୍‌ର ମୁକୁଟ ନାହିଁ । ପବିତ୍ର ଆତ୍ମାମାନଙ୍କର ହିଁ ପୂଜା ହୋଇଥାଏ । ଲାଇଟ୍ ହେଉଛି ପବିତ୍ରତାର ଚିହ୍ନ । ବାକି ଏପରି ନୁହେଁ ଯେ କୌଣସି ସିଂହାସନ ଉପରେ ବସିବା ଦ୍ୱାରା ହିଁ ପବିତ୍ରତାର ଲାଇଟ୍ ବାହାରିଥାଏ । ନା, ଏହା ପବିତ୍ରତାର ଚିହ୍ନ ଅଟେ । ତୁମେ ବର୍ତ୍ତମାନ ପୁରୁଷାର୍ଥୀ ଅଟ ସେଥିପାଇଁ ତୁମ ମସ୍ତକରେ ପବିତ୍ରତାର ଆଭାମଣ୍ଡଳ ଦିଆଯାଇପାରିବ ନାହିଁ । ଦେବୀ-ଦେବତାମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ । ଏଠାରେ ତ କାହାର ପବିତ୍ର ଶରୀର ନାହିଁ ସେଥିପାଇଁ ତାଙ୍କୁ ପବିତ୍ରତାର ଆଭାମଣ୍ଡଳ ଦିଆଯାଇପାରିବ ନାହିଁ । ତୁମମାନଙ୍କ ମଧ୍ୟରେ କେହି ପୂରା ପବିତ୍ର ରହିଥାନ୍ତି । କେହି ପୁଣି ଅଧା ପବିତ୍ର ରହିଥାନ୍ତି । ଯଦି ମାୟାର ତୋଫାନ ବହୁତ ଆସୁଛି ତେବେ ତାକୁ ଅଧା ପବିତ୍ର ବୋଲି କହିବା । କେହି ତ ଏକଦମ୍ ପତିତ ହୋଇଯାଉଛନ୍ତି । ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମେ ପତିତ ହୋଇ ଯାଇଛୁ । ଆତ୍ମା ହିଁ ପତିତ ହୋଇଥାଏ, ସେଥିପାଇଁ ତାକୁ ପବିତ୍ରତାର ଲାଇଟ୍ ଦିଆଯାଇପାରିବ ନାହିଁ ।

ପିଲାମାନେ ଏକଥା ଭୁଲିବା ଅନୁଚିତ୍ ଯେ ଆମେ ଉଚ୍ଚରୁ ଉଚ୍ଚ ବାବାଙ୍କର ସନ୍ତାନ ଅଟୁ, ତେବେ କେତେ ରାଜକୀୟତା ରହିବା ଦରକାର । ଧରିନିଅ କେହି ମେହନ୍ତର ଅଟନ୍ତି, ଯଦି ସିଏ ଏମ୍‌.ଏଲ୍‌.ଏ ବା ଏମ୍‌.ପି. ହୋଇଯାଆନ୍ତି ଅଥବା ପାଠପଢି କୌଣସି ଉଚ୍ଚ ପଦ ପାଇଯାଇଥାନ୍ତି ତେବେ ସିଏ ଟିପ୍‌ଟପ୍ ହୋଇଯାଇଥାନ୍ତି । ଏହିପରି ବହୁତ ହୋଇଛନ୍ତି । ଯଦିଓ ସେହି ଜାତିର ଅଟନ୍ତି - କିନ୍ତୁ ପଦବୀ ମିଳିବା ଦ୍ୱାରା ନିଶା ଚଢି ଯାଇଥାଏ । ପୁଣି ପୋଷାକ ଆଦି ମଧ୍ୟ ସେହିଭଳି ହିଁ ପିନ୍ଧିଥାନ୍ତି । ସେହିପରି ଏବେ ତୁମେମାନେ ମଧ୍ୟ ପାଠ ପଢୁଛ, ପତିତରୁ ପବିତ୍ର ହେବା ପାଇଁ । ସେମାନେ ମଧ୍ୟ ପାଠପଢି ଡାକ୍ତର, ବାରିଷ୍ଟର ଆଦି ହୋଇଥାନ୍ତି । କିନ୍ତୁ ସେମାନେ ପତିତ ତ ଅଟନ୍ତି ନା କାହିଁକି ନା ସେମାନଙ୍କର ପାଠପଢା କୌଣସି ପବିତ୍ର ହେବା ପାଇଁ ନୁହେଁ । ତୁମେମାନେ ତ ଜାଣିଛ ଯେ ଆମେ ଭବିଷ୍ୟତରେ ପବିତ୍ର ଦେବୀ-ଦେବତା ହେବୁ, ତେବେ ଆମର ଏହି ଶୁଦ୍ରପଣର ଅଭ୍ୟାସ ପରିବର୍ତ୍ତିତ ହୋଇଯିବ । ତୁମ ଭିତରେ ଏହି ନିଶା ରହିବା ଦରକାର ଯେ ଆମକୁ ପରମପିତା ପରମାତ୍ମା ଦ୍ୱି-ମୁକୁଟଧାରୀ କରୁଛନ୍ତି । ଆମେ ଶୂଦ୍ରରୁ ବ୍ରାହ୍ମଣ ହେଉଛୁ ପୁଣି ଦେବତା ହେବୁ ତେବେ ପୁଣି ସେହି ଖରାପ ବିକାରୀ ଅଭ୍ୟାସଗୁଡିକ ବଦଳି ଯାଇଥାଏ । ଆସୁରୀ ଜିନିଷ ସବୁ ଛାଡିବାକୁ ପଡିବ । ଯଦି ମେହନ୍ତରରୁ ଏମ୍‌.ପି. ହୋଇଯାଆନ୍ତି ତେବେ ତାଙ୍କର ଚାଲି-ଚଳନ ଘର ଆଦି ସବୁ ଫାଷ୍ଟକ୍ଲାସ ହୋଇଯାଇଥାଏ । ସେମାନେ ତ ବର୍ତ୍ତମାନ ସମୟ ପାଇଁ ହୋଇଥାନ୍ତି । ତୁମେମାନେ ତ ଜାଣିଛ ଯେ ଆମେ ଭବିଷ୍ୟତରେ କଣ ହେବୁ । ନିଜ ସହିତ ଏପରି କଥା ହେବା ଉଚିତ୍ । ଆମେମାନେ କଣ ଥିଲୁ, ଏବେ କଣ ହୋଇଯାଇଛୁ । ତୁମେ ମଧ୍ୟ ଶୁଦ୍ର ଜାତିର ଥିଲ, ଏବେ ବିଶ୍ୱର ମାଲିକ ହେଉଛ । ଯେତେବେଳେ କେହି ଉଚ୍ଚପଦ ପାଇଥାନ୍ତି ତେବେ ପୁଣି ତାଙ୍କର ସେହି ନିଶା ରହିଥାଏ । ତେବେ ତୁମେମାନେ ମଧ୍ୟ କଣ ଥିଲ? ବିକାରୀ ବା ପତିତ ଥିଲ । ଏବେ ତୁମକୁ ଭଗବାନ ପାଠପଢାଇ ବେହଦର ମାଲିକ କରୁଛନ୍ତି । ଏକଥା ବି ତୁମେମାନେ ବୁଝୁଛ ଯେ ପରମପିତା ପରମାତ୍ମା ନିଶ୍ଚିତ ଏହିଠାକୁ ହିଁ ଆସି ରାଜଯୋଗ ଶିଖାଇବେ । ମୂଳବତନ ଅଥବା ସୂକ୍ଷ୍ମବତନରେ ତ ଶିଖାଇବେ ନାହିଁ । ତୁମେ ସମସ୍ତେ ଦୂରଦେଶରେ ରହିଲାବାଲା ଆତ୍ମା ଅଟ, ଏଠାକୁ ଆସି ଅଭିନୟ କରୁଛ । ତୁମକୁ ୮୪ ଜନ୍ମର ଅଭିନୟ କରିବାକୁ ହିଁ ହେବ । ଦୁନିଆରେ ତ ୮୪ ଲକ୍ଷ ଯୋନି ବୋଲି କହିଦେଉଛନ୍ତି । ସେମାନେ କେତେ ଘୋର ଅନ୍ଧକାରରେ ଅଛନ୍ତି । ପୂର୍ବରୁ ଆମେମାନେ ଦେବୀ-ଦେବତା ଥିଲୁ । ବର୍ତ୍ତମାନ ତ ପତିତ ହୋଇଯାଇଛୁ । ଗାନ ମଧ୍ୟ କରୁଛନ୍ତି ପତିତ-ପାବନ ଆସ, ଆମକୁ ପାବନ କର । କିନ୍ତୁ କିଛି ବୁଝୁନାହାଁନ୍ତି । ଏବେ ବାବା ସ୍ୱୟଂ ପବିତ୍ର କରିବାକୁ ଆସିଛନ୍ତି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ପାଠପଢା ବିନା କେହି ଉଚ୍ଚପଦ ପାଇପାରିବେ ନାହିଁ । ତୁମେମାନେ ଜାଣିଛ ଯେ ବାବା ଆମକୁ ପାଠ ପଢାଇ ନରରୁ ନାରାୟଣ କରୁଛନ୍ତି । ତୁମମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ପ୍ରଜା ପଦ ପାଇବା କୌଣସି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନୁହେଁ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ରହିଛି । ଏହିପରି ଚିତ୍ର କେଉଁଠାରେ ରଖି କଣ ପାଠ ପଢାଉଥିବେ? ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଆମେମାନେ ୮୪ ଜନ୍ମ ନେଇ ପତିତ ହୋଇଛୁ । ସିଢିର ଚିତ୍ର ବହୁତ ଭଲ । ଏହା ପତିତ ଦୁନିଆ ଅଟେ ନା, ଏଥିରେ ସାଧୁ-ସନ୍ଥ ସମସ୍ତେ ଆସିଯାଉଛନ୍ତି । ସେମାନେ ନିଜେ ବି ଗାନ କରୁଛନ୍ତି ଯେ ପତିତ-ପାବନ ଆସ । ପତିତ ଦୁନିଆକୁ ପବିତ୍ର ଦୁନିଆ କୁହାଯିବ ନାହିଁ । ନୂଆ ଦୁନିଆ ହେଉଛି ପବିତ୍ର ଦୁନିଆ । ପୁରୁଣା ପତିତ ଦୁନିଆରେ କେହି ପବିତ୍ର ରହିପାରିବେ ନାହିଁ । ତେଣୁ ତୁମମାନଙ୍କର କେତେ ନିଶା ରହିବା ଦରକାର । ଆମେ ଈଶ୍ୱର ପିତାଙ୍କର ଛାତ୍ର ଅଟୁ, ଈଶ୍ୱର ଆମକୁ ପାଠ ପଢାଉଛନ୍ତି । ଗରୀବମାନଙ୍କୁ ହିଁ ବାବା ଆସି ପାଠ ପଢାଉଛନ୍ତି । ଗରୀବମାନଙ୍କର ପୋଷାକ ଆଦି ମଇଳା ହୋଇଥାଏ ନା । ତୁମର ଆତ୍ମା ତ ପାଠ ପଢୁଛି ନା । ଆତ୍ମା ଜାଣିଛି ଯେ ଏହା ପୁରୁଣା ଶରୀର ଅଟେ । ଏହାକୁ ତ ଯେପରି ବି ହାଲୁକା ପୋଷାକ ପିନ୍ଧାଇ ଦିଅ ତେବେ କୌଣସି ଆପତ୍ତି ନାହିଁ । ଏଥିରେ କୌଣସି ପୋଷାକ ଆଦି ବଦଳାଇବା ଅଥବା ଆକର୍ଷିତ କରିବାର କଥା ନାହିଁ । ପୋଷାକ ସହିତ କୌଣସି ସମ୍ପର୍କ ବି ନାହିଁ । ବାବା ତ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଏହି ଶରୀର ତ ପତିତ ଅଟେ, ଏହା ଉପରେ ଯେତେ ବି ଭଲ ପୋଷାକ ପିନ୍ଧ କିନ୍ତୁ ଆତ୍ମା ଏବଂ ଶରୀର ତ ପତିତ ଅଟେ ନା । କୃଷ୍ଣଙ୍କୁ ଶ୍ୟାମଳ ବର୍ଣ୍ଣ ଦେଖାନ୍ତି ନା । ତାଙ୍କର ଆତ୍ମା ଏବଂ ଶରୀର ଉଭୟ କଳା ଥିଲା । କୃଷ୍ଣ ଗାଁର ପିଲା ଥିଲେ, ତୁମେ ସବୁ ବି ଗାଁର ପିଲା ଥିଲ । ଦୁନିଆରେ ସବୁ ମନୁଷ୍ୟ ନିର୍ଦ୍ଧନ ହୋଇଯାଇଛନ୍ତି । ସେମାନେ ବାବାଙ୍କୁ ଜାଣିନାହାଁନ୍ତି । ହଦର ପିତା ତ ସମସ୍ତଙ୍କର ଅଛି । ବେହଦର ପିତା ତୁମ ବ୍ରାହ୍ମଣମାନଙ୍କୁ ହିଁ ମିଳିଛନ୍ତି । ଏବେ ବେହଦର ବାବା ତୁମକୁ ରାଜଯୋଗ ଶିଖାଉଛନ୍ତି । ଭକ୍ତି ଏବଂ ଜ୍ଞାନ । ଭକ୍ତିର ଅନ୍ତ ହେଲେ ବାବା ଆସି ଜ୍ଞାନ ଦେବେ । ବର୍ତ୍ତମାନ ହେଉଛି ଅନ୍ତ ସମୟ । ସତ୍ୟଯୁଗରେ ଭକ୍ତି ଆଦି ହୁଏ ନାହିଁ । ବର୍ତ୍ତମାନ ପୁରୁଣା ଦୁନିଆର ବିନାଶ ସମୟ ଆସି ପହଞ୍ଚିଛି । ପବିତ୍ର ଦୁନିଆକୁ ସ୍ୱର୍ଗ କୁହାଯାଏ । ଚିତ୍ରରେ କେତେ ସ୍ପଷ୍ଟ ଭାବରେ ବୁଝାଇ ଦିଆଯାଇଛି । ରାଧାକୃଷ୍ଣ ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଏକଥା ମଧ୍ୟ କାହାକୁ ଜଣା ନାହିଁ । ତୁମେ ଜାଣିଛ ଦୁହେଁ ଅଲଗା ଅଲଗା ରାଜଧାନୀର ଥିଲେ । ତୁମେ ସ୍ୱର୍ଗର ସ୍ୱୟମ୍ବର ମଧ୍ୟ ଦେଖିଛ । ପାକିସ୍ତାନରେ ତୁମ ପିଲାମାନଙ୍କୁ ଖୁସିରେ ରଖିବା ପାଇଁ ସବୁ ପ୍ରକାରର ସାଜସଜ୍ଜା ସଙ୍ଗୀତର ବ୍ୟବସ୍ଥା କରାଯାଇଥିଲା । ତୁମକୁ ସବୁ ପ୍ରକାରର ସାକ୍ଷାତ୍‌କାର ହେଉଥିଲା ।

ଏବେ ତୁମେ ଜାଣୁଛ - ଆମେ ରାଜଯୋଗ ଶିଖୁଛୁ, ଏହା ଭୁଲିବା ଉଚିତ୍ ନୁହେଁ । ଭଲେ ରୋଷେଇ କାମ କରୁଛ, ଅଥବା ବାସନ ମାଜୁଛ, କିନ୍ତୁ ସମସ୍ତଙ୍କ ଆତ୍ମା ତ ପଢୁଛି ନା । ଏଠାରେ ସମସ୍ତେ ଆସି ବସୁଛନ୍ତି, ସେଥିପାଇଁ ବଡ ବଡ ଲୋକମାନେ ଆସୁ ନାହାଁନ୍ତି - ଭାବୁଛନ୍ତି ଏଠାରେ ତ ସମସ୍ତେ ଗରୀବ ଅଟନ୍ତି, ତେଣୁ ଲଜ୍ଜା ଆସୁଛି । ବାବା ତ ହେଉଛନ୍ତି ଦରିଦ୍ର ନାରାୟଣ । କେଉଁଠି କେଉଁଠି ସେଣ୍ଟରମାନଙ୍କୁ ମେହେନ୍ତର ମଧ୍ୟ ଆସୁଛନ୍ତି । କେଉଁଠାରେ ମୁସଲମାନ ମଧ୍ୟ ଆସୁଛନ୍ତି । ବାବା କହୁଛନ୍ତି - ଦେହର ସବୁ ଧର୍ମକୁ ଛାଡ । ମୁଁ ଗୁଜୁରାଟି, ମୁଁ ଅମୁକ - ଏହା ସବୁ ଦେହ-ଅଭିମାନ । ଏଠାରେ ଆତ୍ମାମାନଙ୍କୁ ପରମାତ୍ମା ପଢାଉଛନ୍ତି । ବାବା କହୁଛନ୍ତି - ମୁଁ ସାଧାରଣ ଶରୀରରେ ଆସୁଛି । ତେଣୁ ସାଧାରଣ ପାଖକୁ ସାଧାରଣ ବ୍ୟକ୍ତି ହିଁ ଆସିବେ । ଲୋକମାନେ ଭାବୁଛନ୍ତି ଇଏ ବ୍ରହ୍ମା ତ ହୀରା ବ୍ୟବସାୟୀ ଥିଲେ । ବାବା ନିଜେ ମନେ ପକାଇ ଦେଉଛନ୍ତି ଯେ କଳ୍ପ ପୂର୍ବରୁ ମଧ୍ୟ ମୁଁ କହିଥିଲି କି ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସେ । ବହୁତ ଜନ୍ମର ଶେଷ ଜନ୍ମରେ ମୁଁ ଆସି ପ୍ରବେଶ କରେ । ଏମାନଙ୍କୁ କହୁଛନ୍ତି ଯେ ତୁମେ ନିଜର ଜନ୍ମକୁ ଜାଣି ନାହିଁ । କେବଳ ଜଣେ ଅର୍ଜୁନକୁ ତ ଘୋଡାଗାଡିର ରଥ ଉପରେ ବସି ଜ୍ଞାନ ଦେଇ ନାହାଁନ୍ତି ନା, ତାକୁ ପାଠଶାଳା କୁହାଯିବ ନାହିଁ । ଯୁଦ୍ଧକ୍ଷେତ୍ରର କଥା ମଧ୍ୟ ନୁହେଁ, ଏହା ପାଠପଢା ଅଟେ । ପିଲାମାନଙ୍କୁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ଆମକୁ ସମ୍ପୂର୍ଣ୍ଣ ପାଠପଢି ଦ୍ୱିମୁକୁଟଧାରୀ ହେବାକୁ ହେବ । ଏବେ ତ କୌଣସି ମୁକୁଟ ନାହିଁ । ଭବିଷ୍ୟତରେ ଦ୍ୱିମୁକୁଧାରୀ ହେବାକୁ ହେବ । ଦ୍ୱାପରରୁ ଲାଇଟ୍ ଅର୍ଥାତ୍ ପବିତ୍ରତା ହ୍ରାସ ହୋଇ ଯାଉଥିବାରୁ କେବଳ ଗୋଟିଏ ମୁକୁଟ ରହିଯାଏ । ଏକ ମୁକୁଟଧାରୀ ଦ୍ୱିମୁକୁଟଧାରୀ ମାନଙ୍କୁ ପୂଜା କରିଥାନ୍ତି । ଏହି ଚିହ୍ନ ମଧ୍ୟ ନିଶ୍ଚିତ ରହିବା ଦରକାର । ବାବା ଚିତ୍ର ପାଇଁ ନିର୍ଦ୍ଦେଶ ଦେଉଛନ୍ତି ତ ଚିତ୍ର ତିଆରରେ ଲାଗିଥିବା ଚିତ୍ରକାର ମାନଙ୍କୁ ତ ମୁରଲୀ ଉପରେ ବହୁତ ଧ୍ୟାନ ଦେବାକୁ ପଡିବ । ଚିତ୍ର ଦେଖାଇ କାହାକୁ ବୁଝାଇବା ବହୁତ ସହଜ ହୋଇଥାଏ । ଯେପରି କଲେଜରେ ନକ୍ସା ବା ମାନଚିତ୍ର ଦେଖାଇ ଦେଲେ ବୁଦ୍ଧିରେ ଆସିଯାଏ । ୟୁରୋପ୍ ସେପଟରେ ରହିଛି, ଆୟଲାଣ୍ଡ ରହିଛି, ଲଣ୍ଡନ ଏପଟରେ ରହିଛି । ନକ୍ସା ଦେଖିନଥିଲେ ତାଙ୍କୁ କଣ ଜଣାପଡିବ ୟୁରୋପ କେଉଁଠାରେ ଅଛି । ନକ୍ସା ଦେଖିଲେ ଶୀଘ୍ର ବୁଦ୍ଧିରେ ଆସିଯିବ । ଏବେ ତୁମେ ଜାଣୁଛ ଉପରେ ପୂଜ୍ୟ ଦ୍ୱିମୁକୁଟଧାରୀ ଦେବୀ-ଦେବତାମାନେ ରହିଛନ୍ତି । ପୁଣି ତଳକୁ ଆସିଲେ ପୂଜାରୀ ହୋଇଯାଉଛନ୍ତି । ସିଢି ତଳକୁ ଓହ୍ଲାଉଛନ୍ତି ନା । ଏହି ସିଢି ତ ବହୁତ ସହଜ । ଯାହାକୁ କେହି ବି ବୁଝିପାରିବେ । କିନ୍ତୁ କାହା କାହାର ବୁଦ୍ଧିରେ ପଶୁ ହିଁ ନାହିଁ । ତାଙ୍କର ଭାଗ୍ୟ ହିଁ ଏପରି । ସ୍କୁଲରେ ପାସ୍ ଫେଲ୍ ତ ହୋଇ ଥାଆନ୍ତି । ଭାଗ୍ୟରେ ନଥିଲେ ପୁରୁଷାର୍ଥ ମଧ୍ୟ ହୁଏ ନାହିଁ, ବେମାର ହୋଇଯାଆନ୍ତି, ପାଠ ପଢିପାରି ନାହାଁନ୍ତି । କେହି କେହି ତ ଭଲ ଭାବେ ପଢୁଛନ୍ତି । କିନ୍ତୁ ତାହା ହେଉଛି ଜିସ୍ମାନୀ ଅର୍ଥାତ୍ ଲୌକିକ ପାଠପଢା, ଏହା ହେଉଛି ରୁହାନୀ ପାଠପଢା । ଏଥିପାଇଁ ସ୍ୱଚ୍ଛ ବୁଦ୍ଧି ଆବଶ୍ୟକ । ବାବା ସୁନା ଭଳି ସର୍ବଦା ପବିତ୍ର, ତାଙ୍କୁ ମନେ ପକାଇଲେ ତୁମର ଆତ୍ମା ସୁନା ବା ସ୍ୱଚ୍ଛ ହୋଇଯିବ । କୁହାଯାଏ ଇଏ ତ ଯେପରି ପଥରବୁଦ୍ଧି ଅଟନ୍ତି । ସ୍ୱର୍ଗରେ ଏପରି ଶବ୍ଦ କହିବେ ନାହିଁ । ତାହା ତ ସ୍ୱର୍ଗ ଥିଲା । ଏକଥା ଭୁଲି ଯାଇଛନ୍ତି ଯେ ଭାରତ ସ୍ୱର୍ଗ ଥିଲା । ଏକଥା ପ୍ରଦର୍ଶନୀରେ ବୁଝାଇପାରିବ, ପୁଣି କେଉଁଠାରେ ପୁନରାବୃତ୍ତି ମଧ୍ୟ କରାଇପାରିବ । ପ୍ରୋଜେକ୍ଟଟରରେ ଏପରି ହୋଇପାରିବ ନାହିଁ । ପ୍ରଥମେ ତ ଏହି ତ୍ରିମୂର୍ତ୍ତୀ, ଲକ୍ଷ୍ମୀ-ନାରାୟଣ ଏବଂ ସିଢିର ଚିତ୍ର ବହୁତ ଜରୁରୀ । ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରରେ ସମସ୍ତ ୮୪ ଜନ୍ମର ଜ୍ଞାନ ଆସିଯାଉଛି । ପିଲାମାନଙ୍କର ସାରା ଦିନ ଏହି ଚିନ୍ତନ ଚାଲିବା ଦରକାର । ପ୍ରତ୍ୟେକ ସେଣ୍ଟରରେ ମୁଖ୍ୟ ଚିତ୍ର ତ ନିଶ୍ଚିତ ରଖିବାକୁ ପଡିବ । ଚିତ୍ର ଗୁଡିକରୁ ବହୁତ ଭଲ ଭାବରେ ବୁଝିପାରିବ । ବ୍ରହ୍ମାଙ୍କ ଦ୍ୱାରା ଏହି ରାଜଧାନୀ ସ୍ଥାପନ ହେଉଛି । ଆମେ ହେଉଛୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀମାନେ । ଆଗରୁ ଆମେ ଶୁଦ୍ର ବର୍ଣ୍ଣର ଥିଲୁ ଏବେ ଆମେ ବ୍ରାହ୍ମଣ ବର୍ଣ୍ଣର ହୋଇଛୁ ପୁଣି ଦେବତା ବର୍ଣ୍ଣର ହେବୁ । ଶିବବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ଅଛି । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ ପୁଣି ଏହି ସିଢି କିପରି ଓହ୍ଲାଇଲେ । କଣ ଥିଲୁ ପୁଣି କଣ ହୋଇଯାଉଛୁ । ଏକଦମ୍ ଯେପରି ବୁଦ୍ଧୁ ହୋଇ ଯାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ଭାରତରେ ରାଜ୍ୟ କରୁଥିଲେ । ଭାରତବାସୀମାନେ ଏକଥା ଜାଣିବା ଦରକାର ନା । ପୁଣି କଣ ହେଲା, କୁଆଡେ ଚାଲିଗଲେ । କଣ ଏମାନଙ୍କ ଉପରେ କେହି ବିଜୟ ପ୍ରାପ୍ତ କଲା? ନା ସେମାନେ ଲଢେଇରେ କାହାକୁ ହରାଇଲେ? ନା କେହି ଜିତିଲେ, ନା ହାରିଲେ, ଏହା ତ ସବୁ ମାୟାର କଥା ଅଟେ । ରାବଣ ରାଜ୍ୟ ଆରମ୍ଭ ହେଲା ଏବଂ ୫ ବିକାରର ଅଧିନ ହୋଇ ରାଜତ୍ୱ ହରାଇଲେ । ପୁଣି ୫ ବିକାର ଉପରେ ବିଜୟୀ ହେବା ଦ୍ୱାରା ସେହିପରି ହେଉଛନ୍ତି । ବର୍ତ୍ତମାନ ରାବଣ ରାଜ୍ୟର ଆକର୍ଷଣ ରହିଛି । ଆମେ ଗୁପ୍ତ ରୀତିରେ ନିଜର ରାଜଧାନୀ ସ୍ଥାପନ କରୁଛୁ । ତୁମେ କେତେ ସାଧାରଣ ଅଟ । ପାଠ ପଢାଇଲାବାଲା ସର୍ବୋଚ୍ଚ ଅଟନ୍ତି । ନିରାକାର ବାବା ପତିତ ଶରୀରରେ ଆସି ପିଲାମାନଙ୍କୁ ଏହିପରି ଲକ୍ଷ୍ମୀ-ନାରାୟଣ କରୁଛନ୍ତି । ବାବା ଦୂରଦେଶରୁ ପତିତ ଦୁନିଆ ପତିତ ଶରୀରକୁ ଆସୁଛନ୍ତି । ନିଜକୁ ଲକ୍ଷ୍ମୀ-ନାରାୟଣ କରୁନାହାଁନ୍ତି । ପିଲାମାନଙ୍କୁ କରୁଛନ୍ତି । କିନ୍ତୁ ତୁମେ ଲକ୍ଷ୍ମୀ-ନାରାୟଣ ହେବା ପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରୁନାହଁ । ଦିନ-ରାତି ପଢିବା ଏବଂ ପଢାଇବାକୁ ହେବ । ବାବା ଦିନକୁ ଦିନ ବହୁତ ସହଜ ଯୁକ୍ତି ବୁଝାଉଛନ୍ତି । ବୁଝାଇବା ବେଳେ ଲକ୍ଷ୍ମୀ- ନାରାୟଣଙ୍କଠାରୁ ହିଁ ଆରମ୍ଭ କରିବା ଦରକାର । ସେମାନେ ୮୪ ଜନ୍ମ କିପରି ନେଲେ । ପୁଣି ଏହି ଅନ୍ତିମ ଜନ୍ମରେ ପାଠ ପଢୁଛନ୍ତି ପୁଣି ସେମାନଙ୍କର ବଂଶାବଳୀ ହେବ । କେତେ ବୁଝାଇବାର କଥା ଅଟେ । ଚିତ୍ରଗୁଡିକ ପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି । ଯଦି କୌଣସି ଚିତ୍ର ପ୍ରସ୍ତୁତ କଲ, ତେବେ ତୁରନ୍ତ ବାବାଙ୍କ ପାଖକୁ ଆସିବା ଦରକାର । ବାବା ସଠିକ୍ କରି ସବୁ ନିର୍ଦ୍ଦେଶ ଦେଇ ଦେବେ ।

ବାବା କହୁଛନ୍ତି ମୁଁ ରାଜାମାନଙ୍କର ରାଜା ଅଟେ, ଭଣ୍ଡାର ସ୍ୱତଃ ଭରପୁର ହୋଇଯିବ । କୌଣସି କଥାର ଚିନ୍ତା ନାହିଁ । ଏତେ ଢେର ପିଲାମାନେ ବସିଛନ୍ତି । ବାବା ଜାଣିଛନ୍ତି କାହା ଦ୍ୱାରା ହୁଣ୍ଡି ଭରାଯାଇ ପାରିବ । ବାବାଙ୍କର ବୁଦ୍ଧିରେ ଅଛି ଯେ ଜୟପୁରରେ କିଭଳି ସେବା ହେବ । ସେଠାରେ ହିଁ ହଠଯୋଗୀ ମାନଙ୍କର ମିୟ୍ୟୁଜିୟମ ଅଛି । ତୁମର ପୁଣି ରାଜଯୋଗର ମିୟ୍ୟୁଜିୟମ୍ ଏହିପରି ଭଲ ଭାବେ ତିଆରି ହେବା ଦରକାର ଯାହା ଦ୍ୱାରା କେହି ବି ଆସି ଦେଖିପାରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପବିତ୍ର ଜ୍ଞାନକୁ ବୁଦ୍ଧିରେ ଧାରଣ କରିବା ପାଇଁ ନିଜର ବୁଦ୍ଧି ରୂପକ ପାତ୍ରକୁ ସୁବର୍ଣ୍ଣପାତ୍ର କରିବାକୁ ହେବ । ଯୋଗ ଦ୍ୱାରା ହିଁ ବୁଦ୍ଧି ରୂପକ ପାତ୍ର ସୁନା ହୋଇପାରିବ ।

(୨) ବର୍ତ୍ତମାନ ଆମେ ବ୍ରାହ୍ମଣ ଅଟୁ ସେଥିପାଇଁ ଶୂଦ୍ର ପଣିଆର ସବୁ ପ୍ରକାର ଅଭ୍ୟାସକୁ ସମାପ୍ତ କରିଦେବାକୁ ହେବ । ବହୁତ ମାର୍ଜିତ ଭାବରେ ରହିବାକୁ ହେବ । ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ - ଏହି ନିଶାରେ ରହିବାକୁ ହେବ ।

ବରଦାନ:-
ନିଜର ଦୃଷ୍ଟି ଏବଂ ବୃତ୍ତିର ପରିବର୍ତ୍ତନ ଦ୍ୱାରା ସୃଷ୍ଟିକୁ ପରିବର୍ତ୍ତନ କରୁଥିବା ସାକ୍ଷାତ୍‌କାର ମୂରତ ହୁଅ ।

ନିଜର ବୃତ୍ତି ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ ଯାହାଦ୍ୱାରା ଅନେକ ଆତ୍ମା ନିଜର ଯଥାର୍ଥ ରୂପ, ଯଥାର୍ଥ ଘର ତଥା ଯଥାର୍ଥ ରାଜଧାନୀକୁ ଦେଖିପାରିବେ । ଏହିଭଳି ଯଥାର୍ଥ ସାକ୍ଷାତ୍‌କାର କରାଇବା ପାଇଁ ତୁମମାନଙ୍କର ବୃତ୍ତିରେ ଅର୍ଥାତ୍ ସଂକଳ୍ପରେ ଟିକିଏ ବି ଦେହ-ଅଭିମାନର ଚଞ୍ଚଳତା ନ ରହୁ । ଏହିଭଳି ନିଜର ବୃତ୍ତିକୁ ସୁଧାରି ଦୃଷ୍ଟିକୁ ଦିବ୍ୟ କର, ତେବେ ଯାଇ ସୃଷ୍ଟିର ପରିବର୍ତ୍ତନ ହେବ । ଦେଖିବାବାଲା ଅନୁଭବ କରିବେ ଯେ ଏହା ଚକ୍ଷୁ ନୁହେଁ, ଯାଦୁର ଫରୁଆ । ତୁମର ଏହି ଦୁଇଟି ନୟନ ସାକ୍ଷାତ୍‌କାର କରାଇବାର ସାଧନ ପାଲଟିଯିବ ।

ସ୍ଲୋଗାନ:-
ସେବାର ଉମଙ୍ଗ-ଉତ୍ସାହ ସହ ବେହଦର ବୈରାଗ୍ୟ ବୃତ୍ତି ହିଁ ସଫଳତାର ଆଧାର ।