01.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜ ଉପରେ ପୂରା ପୂରା ସଂପୂର୍ଣ୍ଣ ନଜର ରଖ, କୌଣସି ପ୍ରକାରର ଅମର୍ଯ୍ୟାଦା କର୍ମ କର ନାହିଁ, ଯଦି ଶ୍ରୀମତର ଉଲଘଂନ କରିବ ତେବେ ତଳକୁ ଖସିଯିବ ।
 

ପ୍ରଶ୍ନ:-
ପଦ୍ମାପଦ୍ମପତି ହେବା ପାଇଁ କେଉଁ ସାବଧାନୀ ରଖିବା ଦରକାର ?

ଉତ୍ତର:-
ସର୍ବଦା ଧ୍ୟାନ ରହୁ ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବାକୁ ଲାଗିବେ । ତୁମ ଭିତରେ କୌଣସି କଥାର ମିଥ୍ୟା ଅହଂକାର ନ ଆସୁ । ମୁରଲୀ କେବେ ବି ମିସ୍ ନ ହେଉ । ମନ-ବଚନ-କର୍ମରେ ନିଜକୁ ସଂଯତରେ ରଖ । ଆଖି ତୁମକୁ ଧୋକା ନ ଦେଉ, ତେବେ ଯାଇ ପଦ୍ମର ରୋଜଗାର ଜମା କରିପାରିବ । ସେଥିପାଇଁ ଅନ୍ତର୍ମୁଖୀ ହୋଇ ବାବାଙ୍କୁ ମନେ ପକାଅ ଏବଂ ବିକର୍ମରୁ ଦୂରେଇ ରୁହ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି, ଏଠାରେ ତୁମକୁ ଏହି ସଂକଳ୍ପରେ ନିଶ୍ଚୟ ବସିବାକୁ ହୋଇଥାଏ, ଇଏ ବାବା ମଧ୍ୟ ଅଟନ୍ତି, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି । ଏକଥା ମଧ୍ୟ ଅନୁଭବ କରୁଛ ଆମେ ବାବାଙ୍କୁ ୟାଦ କରି-କରି ପବିତ୍ର ହୋଇ, ପବିତ୍ର ଧାମରେ ଯାଇ ପହଞ୍ଚି ଯିବୁ । ବାବା ବୁଝାଉଛନ୍ତି ଯେ ପବିତ୍ରଧାମ ପରମଧାମରୁ ହିଁ ତୁମେ ତଳକୁ ଓହ୍ଲାଉଛ । ତାର ନାମ ହିଁ ପବିତ୍ରଧାମ ଅଟେ । ସତ୍ୱପ୍ରଧାନରୁ ପୁଣି ସତ୍ୱ, ରଜୋ, ତମୋ... ଏବେ ତୁମେ ଜାଣୁଛ ଯେ ଆମେ ତଳକୁ ଖସିଯାଇଛୁ ଅର୍ଥାତ୍ ବେଶ୍ୟାଳୟରେ ଅଛୁ । ଯଦିଓ ତୁମେ ସଂଗମ ଯୁଗରେ ଅଛ, କିନ୍ତୁ ଜ୍ଞାନ ଦ୍ୱାରା ତୁମେ ଜାଣୁଛ ଯେ ଆମେ ବେଶ୍ୟାଳୟଠାରୁ ଦୂରେଇ ଆସି ସାରିଛୁ ଯଦି ଆମେ ଶିବବାବାଙ୍କ ୟାଦରେ ରହୁଛୁ ତେବେ ଶିବାଳୟ ବେଶୀ ଦୂର ନୁହେଁ । ଶିବବାବାଙ୍କୁ ୟାଦ ନକଲେ ଶିବାଳୟ ବହୁତ ଦୂର ଅଟେ । ଦଣ୍ଡ ଭୋଗିବାକୁ ପଡିଲେ ଶିବାଳୟ ବେଶି ଦୂର ହୋଇଯାଏ । ତେଣୁ ବାବା ପିଲାମାନଙ୍କୁ କୌଣସି ଅଧିକ କଷ୍ଟ ଦେଉନାହାଁନ୍ତି । କେବଳ ଗୋଟିଏ କଥା ବାରମ୍ବାର କହୁଛନ୍ତି ମନ୍ସା-ବାଚା କର୍ମଣା ପବିତ୍ର ହେବାକୁ ପଡିବ । ଏହି ଆଖି ମଧ୍ୟ ବହୁତ ଧୋକା ଦେଉଛି, ଆଖିର ଧୋକାଠାରୁ ନିଜକୁ ବଞ୍ଚାଇବାକୁ ହେବ । ବାବା ବୁଝାଉଛନ୍ତି ଧ୍ୟାନ ଏବଂ ଯୋଗ ବିଲକୁଲ୍ ଅଲଗା ଅଟେ । ଯୋଗ ଅର୍ଥାତ୍ ୟାଦ । ଆଖି ଖୋଲା ଥାଇ ମଧ୍ୟ ତୁମେ ୟାଦ କରିପାରିବ । ଧ୍ୟାନକୁ କୌଣସି ଯୋଗ କୁହାଯିବ ନାହିଁ । ଭୋଗ ସ୍ୱୀକାର କରାଇବା ବେଳେ ମଧ୍ୟ ନିର୍ଦ୍ଦେଶ ଅନୁସାରେ ହିଁ ଯିବାକୁ ହେବ । ଏଥିରେ ମାୟାର ପ୍ରବେଶତା ହୋଇଥାଏ । ମାୟା ଏପରି ଯେ ଏକଦମ୍ ନାକେଦମ୍ କରିଦେଉଛି । ଯେପରି ବାବା ବଳବାନ୍ ଅଟନ୍ତି, ସେହିପରି ମାୟା ମଧ୍ୟ ବହୁତ ବଡ ବଳବାନ୍ ଅଟେ । ଏତେ ବଳବାନ୍ ଅଟେ ଯେ ସମଗ୍ର ଦୁନିଆକୁ ବେଶ୍ୟାଳୟକୁ ଠେଲି ଦେଇଛି ସେଥିପାଇଁ ଏଥିରେ ବହୁତ ଖବରଦାରୀ ରଖିବାକୁ ହୋଇଥାଏ । ବାବାଙ୍କର ନିର୍ଦ୍ଦେଶ ଅନୁସାରେ ୟାଦ କରିବା ଦରକାର । ବେକାଇଦା କୌଣସି କାମ କଲେ ମାୟା ଏକଦମ୍ ଅଧୋଗତି କରାଇ ଦେଇଥାଏ । ଧ୍ୟାନ ଆଦିର କେବେ କୌଣସି ଇଚ୍ଛା ରଖିବା ଅନୁଚିତ୍ । ଇଚ୍ଛା ମାତ୍ରମ୍ ଅବିଦ୍ୟା... ଯଦି ବାବାଙ୍କ ଆଜ୍ଞାରେ ପରିଚାଳିତ ହେବ ତେବେ ବାବା ତୁମର ସବୁ ମନୋକାମନା ବିନା ମାଗିବାରେ ପୂର୍ଣ୍ଣ କରିଦେଉଛନ୍ତି । ଯଦି ବାବାଙ୍କ ଆଜ୍ଞା ନ ମାନି ଓଲଟା ରାସ୍ତାରେ ଚାଲିଲେ ତେବେ ହୋଇପାରେ ସ୍ୱର୍ଗ ବଦଳରେ ନର୍କରେ ହିଁ ପଡିଯିବ । ଗାୟନ ମଧ୍ୟ ରହିଛି ହାତୀକୁ ଘଡିଆଳ କୁମ୍ଭୀର ଧରିଥିଲା । ବହୁତଙ୍କୁ ଜ୍ଞାନମାର୍ଗରେ ପରିଚାଳିତ କରିଥିବା ଆତ୍ମା ଭୋଗ ସ୍ୱୀକାର କରାଉଥିବା ଆତ୍ମା ଆଜି କେଉଁଠି ଅଛନ୍ତି ? କାହିଁକି ନା ବେକାଇଦା ଚଳଣି ଯୋଗୁଁ ପୂରା ମାୟାବୀ ହୋଇଯାଉଛନ୍ତି । ଦେବତା ହେଉ-ହେଉ ଶଇତାନ୍ ହୋଇଯାଉଛନ୍ତି । ବାବା ଜାଣିଛନ୍ତି ବହୁତ ଭଲ ଭଲ ପୁରୁଷାର୍ଥୀ ଯିଏ ଦେବତା ହେବାର ପ୍ରୟାସ କରୁଥିଲେ ସେ ବର୍ତ୍ତମାନ ଅସୁର ହୋଇ ଅସୁରଙ୍କ ସାଥିରେ ରହୁଛନ୍ତି । ବିଶ୍ୱାସଘାତକ ହୋଇଯାଉଛନ୍ତି । ବାବାଙ୍କର ହୋଇ ପୁଣି ମାୟାର ହୋଇଯାଉଛନ୍ତି, ତାଙ୍କୁ ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ କୁହାଯାଏ । ନିଜ ଉପରେ ନଜର ରଖିବାକୁ ପଡିଥାଏ । ଶ୍ରୀମତର ଉଲଘଂନ କଲେ ତଳକୁ ଖସିଯିବ । ଜଣା ମଧ୍ୟ ପଡିବ ନାହିଁ । ବାବା ତ ପିଲାମାନଙ୍କୁ ସାବଧାନ କରୁଛନ୍ତି ଯେ ଏପରି କୌଣସି ଚଳଣି ନ ଚାଲ ଯାହା ଫଳରେ ରସା ତଳରେ ପହଞ୍ଚି ଯିବ ।

କାଲି ମଧ୍ୟ ବାବା ବୁଝାଇଥିଲେ ବହୁତ ଗୋପ ଅର୍ଥାତ୍ ଭାଇମାନେ ଅଛନ୍ତି, ପରସ୍ପର ମଧ୍ୟରେ କମିଟି ଆଦି କରୁଛନ୍ତି, ଯାହା କିଛି କରୁଛନ୍ତି, ଶ୍ରୀମତ ଆଧାର ବିନା କରୁଛନ୍ତି ତେଣୁ ଡିସ୍ ସର୍ଭିସ୍ କରୁଛନ୍ତି । ବିନା ଶ୍ରୀମତରେ କଲେ ତଳକୁ ଖସିଯିବ । ବାବା ଆରମ୍ଭରୁ ମାତାମାନଙ୍କର କମିଟି କରିଥିଲେ କାହିଁକି ନା କଳସ ମାତାମାନଙ୍କୁ ହିଁ ମିଳିଛି । ବନ୍ଦେ ମାତରମ୍ ଗାୟନ ରହିଛି ନା । ଯଦି ଗୋପମାନେ କମିଟି କରୁଛନ୍ତି ତେବେ ବନ୍ଦେ ଗୋପର ତ ଗାୟନ ନାହିଁ । ଶ୍ରୀମତକୁ ମାନୁ ନଥିବାରୁ ମାୟା ଜାଲରେ ଫସିଯାଉଛନ୍ତି । ବାବା ତ ମାତାମାନଙ୍କର କମିଟି କରି ତାଙ୍କ ଦାୟିତ୍ୱରେ ସବୁ କିଛି ଦେଇଦେଲେ । ପୁରୁଷମାନେ ପ୍ରାୟତଃ ଦେବାଳିଆ ହୋଇଥାନ୍ତି, ସ୍ତ୍ରୀମାନେ ହୁଅନ୍ତି ନାହିଁ । ତେଣୁ ବାବା ମଧ୍ୟ ମାତାମାନଙ୍କ ଉପରେ ଦାୟିତ୍ୱ ରଖୁଛନ୍ତି । ଏହି ଜ୍ଞାନ ମାର୍ଗରେ ମାତାମାନେ ମଧ୍ୟ ଦେବାଳିଆ ହୋଇପାରନ୍ତି । ଯେଉଁମାନେ ପଦମାପଦମ ଭାଗ୍ୟଶାଳୀ ହେଉଛନ୍ତି, ଶ୍ରୀମତର ଅବଜ୍ଞା କଲେ ମାୟାଠାରୁ ହାର ଖାଇ ଦେବାଳିଆ ମଧ୍ୟ ହୋଇପାରିବେ ଅର୍ଥାତ୍ ଧୋକା ଖାଇପାରିବେ । ଏହି ମାର୍ଗରେ ସ୍ତ୍ରୀ-ପୁରୁଷ ଉଭୟ ଧୋକାଖାଇ ପାରିବେ ଏବଂ ଖାଉଛନ୍ତି ମଧ୍ୟ । କେତେକ ମାୟାଠାରୁ ହାରି ଚାଲିଗଲେ ଅର୍ଥାତ୍ ଦେବାଳିଆ ହୋଇଗଲେ ନା । ବାବା ବୁଝାଉଛନ୍ତି ଭାରତବାସୀମାନେ ତ ପୂରା ଦେବାଳିଆ ହୋଇଯାଇଛନ୍ତି । ମାୟା କେତେ ଶକ୍ତିଶାଳୀ ଅଟେ । ଯାହାକି ବୁଝିପାରୁ ନାହାଁନ୍ତି ଆମେ କଣ ଥିଲୁ, ଏବେ କେଉଁଠୁ ଆସି ଏକଦମ୍ ତଳେ ପଡିଛୁ । ଏଠାରେ ମଧ୍ୟ ଉଚ୍ଚକୁ ଚଢୁ-ଚଢୁ ପୁଣି ଶ୍ରୀମତକୁ ଭୁଲି ନିଜ ମତରେ ଚାଲୁଛନ୍ତି ତେଣୁ ଦେବାଳିଆ ହେଉଛନ୍ତି । ଦୁନିଆର ଲୋକେ ତ ଦେବାଳିଆ ହୋଇ ପୁଣି ୫-୭ ବର୍ଷ ପରେ ଉନ୍ନତି କରିଯାଇଥାନ୍ତି । ଏଠାରେ ତ ୮୪ ଜନ୍ମ ପାଇଁ ଦେବାଳିଆ ହେଉଛନ୍ତି । ଉଚ୍ଚ ପଦ ପାଇପାରିବେ ନାହିଁ । ଦେବାଳିଆ ହୋଇ ଚାଲିଛନ୍ତି । ବାବାଙ୍କ ପାଖରେ ଫଟୋ ଥିଲେ ବତାଇଥାନ୍ତେ । ତୁମେ କହିବ ବାବା ତ ବିଲକୁଲ୍ ଠିକ୍ କହୁଛନ୍ତି ଇଏ କେତେ ବଡ ମହାରଥୀ ଥିଲେ, ଅନେକଙ୍କର ଉନ୍ନତି କରୁଥିଲେ । ସେ ଆଜି ନାହାଁନ୍ତି । ଦେବାଳିଆ ହୋଇଯାଇଛନ୍ତି । ବାବା ବାରମ୍ବାର ପିଲାମାନଙ୍କୁ ସାବଧାନ କରାଉଛନ୍ତି । ନିଜ ମତରେ କମିଟି ଆଦି କରିବା ଏଥିରେ ଉନ୍ନତି ହୁଏ ନାହିଁ । ପରସ୍ପର ମଧ୍ୟରେ ମିଶି ପରଦର୍ଶନ ପରଚିନ୍ତନ କରିବା, ଇଏ ଏପରି କରୁଥିଲେ ଅମୁକ ଏପରି କରୁଥିଲା... ସାରାଦିନ ଏହା ହିଁ କରୁଛନ୍ତି । ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଇବା ଦ୍ୱାରା ହିଁ ସତ୍ୱପ୍ରଧାନ ହେବ । ବାବାଙ୍କର ହୋଇ ବାବାଙ୍କ ସହିତ ଯୋଗ ନ ଲାଗିଲେ ପ୍ରତିମୂହୁର୍ତ୍ତରେ ତଳକୁ ଖସି ଚାଲିବ । ବାବାଙ୍କଠାରୁ ସମ୍ପର୍କ ହିଁ ତୁଟିଯିବ । ବାବାଙ୍କ ସହ ସମ୍ପର୍କ ତୁଟି ଗଲେ ବିଚଳିତ ହେବା ଅନୁଚିତ୍ । ନିଜକୁ ନିରୀକ୍ଷଣ କରିବା ଦରକାର ମାୟା ଆମକୁ ଏତେ ହଇରାଣ କାହିଁକି କରୁଛି । ଚେଷ୍ଟା କରି ବାବାଙ୍କ ସହିତ ପୁନଃ ସମ୍ପର୍କ ଯୋଡିବା ଉଚିତ୍ । ନଚେତ୍ ବ୍ୟାଟେରୀ କିପରି ଚାର୍ଜ ହେବ । ବିକର୍ମ ହେଲେ ବ୍ୟାଟେରୀ ଡିସଚାର୍ଜ ହୋଇଯାଏ । ଆରମ୍ଭରୁ କେତେ କେତେ ସଂଖ୍ୟାରେ ଆତ୍ମାମାନେ ଆସିଲେ ବାବାଙ୍କର ସନ୍ତାନ ହେଲେ । ଭଟ୍ଟୀରେ ମଧ୍ୟ ରହିଲେ ପୁଣି ଆଜି କେଉଁଠି ଅଛନ୍ତି । ଚାଲିଗଲେ, କାହିଁକି ନା ପୁରୁଣା ଦୁନିଆ ମନେ ପଡିଲା । ଏବେ ବାବା କହୁଛନ୍ତି ମୁଁ ତୁମକୁ ବେହଦର ବୈରାଗୀ କରାଉଛି, ଏହି ପୁରୁଣା ଦୁନିଆରେ ମନ ଲଗାଅ ନାହିଁ । ମନ ସ୍ୱର୍ଗରେ ଲଗାଇବା ଦରକାର । ଯଦି ଏପରି ଲକ୍ଷ୍ମୀ-ନାରାୟଣ ହେବାର ଅଛି ତେବେ ପରିଶ୍ରମ କରିବାକୁ ପଡିବ । ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଉଚିତ୍ । ପୁରୁଣା ଦୁନିଆରୁ ବୈରାଗ୍ୟ । ସୁଖଧାମ ଓ ଶାନ୍ତିଧାମକୁ ୟାଦ କର । ଯେତେ ଦୂର ସମ୍ଭବ ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ବାବାଙ୍କୁ ୟାଦ କର । ଏହା ତ ବିଲକୁଲ୍ ହିଁ ସହଜ ଅଟେ । ତୁମେ ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସିଛ । ସମସ୍ତଙ୍କୁ କହିବାକୁ ହେବ ଯେ ଏବେ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବାକୁ ପଡିବ କାହିଁକି ନା ଘରକୁ ଫେରିବାର ଅଛି ନା । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ଅର୍ଥ ନର୍କରୁ ସ୍ୱର୍ଗ, ପୁଣି ସ୍ୱର୍ଗରୁ ନର୍କ । ଏହି ଚକ୍ର ଘୂରି ଚାଲିଛି ।

ବାବା କହୁଛନ୍ତି ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସ । ଏହି ୟାଦରେ ରୁହ ଯେ ଆମେ କେତେ ଥର ଏହି ଚକ୍ର ଲଗାଇଛୁ । ଏବେ ପୁଣି ମଧ୍ୟ ଆମେ ଦେବତା ହେଉଛୁ । ଦୁନିଆରେ କେହି ହେଲେ ଏହି ରହସ୍ୟକୁ ଜାଣି ନାହାଁନ୍ତି । ଏହି ଜ୍ଞାନ ଦେବତାମାନଙ୍କୁ ଜଣା ନାହିଁ । ସେମାନେ ତ ପବିତ୍ର ଅଟନ୍ତି । ତାଙ୍କ ପାଖରେ ଜ୍ଞାନ ହିଁ ନାହିଁ ତେଣୁ କିପରି କାହାକୁ ଶୁଣାଇବେ ଅର୍ଥାତ୍ ଶଙ୍ଖ ଧ୍ୱନି କରିବେ । ସେମାନେ ପବିତ୍ର ହୋଇଥିବାରୁ ତାଙ୍କୁ ଏହି ଚିହ୍ନ (ଶଙ୍ଖ) ଆଦି ଦେବାର ଆବଶ୍ୟକତା ନାହିଁ । ଚିହ୍ନ ସେତେବେଳେ ଦର୍ଶାଯାଏ ଯେତେବେଳେ ଉଭୟ ପବିତ୍ର ଓ ଅପବିତ୍ର ଏକତ୍ର ରହିଥାନ୍ତି । ତୁମର ମଧ୍ୟ କୌଣସି ଚିହ୍ନ ନାହିଁ କାହିଁକି ନା ତୁମେ ଆଜି ଦେବତା ହେଉ-ହେଉ କାଲି ଅସୁର ହୋଇଯାଉଛ । ବାବା ଦେବତା କରାଉଛନ୍ତି, ମାୟା ଅସୁର କରି ଦେଉଛି । ବାବା ଯେବେ ବୁଝାଉଛନ୍ତି ତେବେ ଜଣାପଡୁଛି ଯେ ସତରେ ଆମର ଅବସ୍ଥା କେତେ ତଳକୁ ଖସିଯାଇଛି । କେତେକ ବିଚରା ଶିବବାବାଙ୍କର ଭଣ୍ଡାରରେ ଜମା କରାଉଛନ୍ତି ପୁଣି ମାଗିକରି ନେଇଯାଇ ଅସୁର ହୋଇଯାଉଛନ୍ତି । ଏଭଳି ଅବସ୍ଥାରେ ଯୋଗର ହିଁ ଅଭାବ ରହିଛି ବୋଲି କୁହାଯିବ । ଯୋଗ ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । ଡାକୁଛ ମଧ୍ୟ ବାବା ଆସ, ଆମକୁ ପତିତରୁ ପବିତ୍ର କର, ଯାହା ଦ୍ୱାରା ଆମେ ସ୍ୱର୍ଗକୁ ଯାଇପାରିବୁ । ୟାଦର ଯାତ୍ରା ହେଉଛି ପବିତ୍ର ହୋଇ ଉଚ୍ଚ ପଦ ପାଇବା ପାଇଁ । କିନ୍ତୁ କେହି ଚାଲୁ ଚାଲୁ ମରିଯାଉଛନ୍ତି ଅର୍ଥାତ୍ ପୁରୁଣା ଦୁନିଆକୁ ଚାଲିଯାଉଛନ୍ତି ତଥାପି ଯାହା କିଛି ବି ଶୁଣିଛନ୍ତି ତାଦ୍ୱାରା ଶିବାଳୟକୁ ନିଶ୍ଚୟ ଆସିବେ । ପଦ ଯେପରି ପାଆନ୍ତୁ ପଛେ ଥରେ ୟାଦ କଲେ ତ ସ୍ୱର୍ଗକୁ ନିଶ୍ଚୟ ଆସିବେ ବାକି ଉଚ୍ଚ ପଦ ପାଇପାରିବେ ନାହିଁ । ସ୍ୱଗର ନାମ ଶୁଣି ଖୁସି ହେବା ଦରକାର । କିନ୍ତୁ ଫେଲ୍ ହୋଇ ପଇସାଟା କର ପଦ ପାଇବା, ଏଥିରେ ଖୁସି ହେବାର ନାହିଁ । ଫିଲିଙ୍ଗ୍ ତ ହୋଇଥାଏ ନାଁ ମୁଁ ଚାକର ଅଟେ । ଶେଷ ବେଳକୁ ତୁମକୁ ସବୁ ସାକ୍ଷାତ୍କାର ହେବ କି ମୁଁ କଣ ହେବି, ମୋ ଦ୍ୱାରା କେଉଁ ବିକର୍ମ ହୋଇଛି, ଯାହା ଫଳରେ ଏପରି ଅବସ୍ଥା ହେଲା । ମୁଁ କାହିଁକି ମହାରାଣୀ ନ ହେବି । ପ୍ରତ୍ୟେକ ପାଦରେ ସାବଧାନ ହୋଇ ଚାଲିଲେ ତୁମେ ପଦ୍ମାପଦମପତି ହୋଇପାରିବ । ମନ୍ଦିରରେ ଦେବତାମାନଙ୍କୁ ପଦ୍ମ ଚିହ୍ନ ଦେଖାଇଥାନ୍ତି । ପଦରେ ଫରକ ହୋଇଥାଏ ନା । ଆଜିର ରାଜତ୍ୱରେ କେତେ ପ୍ରଭାବ ରହୁଛି । ଏହା ତ ଅଳ୍ପକାଳର ରାଜତ୍ୱ ଅଟେ ନା । ସଦାକାଳର ରାଜା ତ ହୋଇପାରିବେ ନାହିଁ । ତେଣୁ ଏବେ ବାବା କହୁଛନ୍ତି ତୁମକୁ ଲକ୍ଷ୍ମୀ-ନାରାୟଣ ହେବାକୁ ଅଛି ତେବେ ପୁରୁଷାର୍ଥ ମଧ୍ୟ ସେହିପରି କରିବା ଦରକାର । ନିଜକୁ ଦେଖ କେତେ ଆମେ ଅନ୍ୟମାନଙ୍କର କଲ୍ୟାଣ କରୁଛୁ ? ଅନ୍ତର୍ମୂଖୀ ହୋଇ କେତେ ସମୟ ବାବାଙ୍କ ୟାଦରେ ରହୁଛୁ ? ଏବେ ଆମେ ନିଜର ମିଠା ଘର ଶାନ୍ତିଧାମକୁ ଯାଉଛୁ । ପୁଣି ସୁଖଧାମକୁ ଆସିବୁ । ଏହି ସବୁ ଜ୍ଞାନର ମନ୍ଥନ ମନ ଭିତରେ ଚାଲିବା ଉଚିତ୍ । ବାବାଙ୍କ ପାଖରେ ଜ୍ଞାନ ଏବଂ ଯୋଗ ଉଭୟ ରହିଛି । ତୁମ ପାଖରେ ମଧ୍ୟ ଉଭୟ ରହିବା ଉଚିତ୍ । ତୁମେ ଜାଣିଛ ଆମକୁ ଶିବବାବା ପଢାଉଛନ୍ତି ତେଣୁ ଏହା ଜ୍ଞାନ ମଧ୍ୟ ହେଲା ସମ୍ମୁଖରେ ଥିବାରୁ ଯୋଗ ମଧ୍ୟ ହେଲା । ଜ୍ଞାନ ଏବଂ ଯୋଗ ଉଭୟ ଏକତ୍ର ଚାଲୁଛି । ଏପରି ନୁହେଁ ଯେ ଯୋଗରେ ରହି, ବାବାଙ୍କୁ ୟାଦ କରିଚାଲ ଏବଂ ଜ୍ଞାନକୁ ଭୁଲିଯାଅ । ବାବା ଯୋଗ ଶିଖାଉଛନ୍ତି ବୋଲି କଣ ଜ୍ଞାନ ଭୁଲି ଯାଉଛନ୍ତି ? ସାରା ଜ୍ଞାନ ତାଙ୍କ ପାଖରେ ରହୁଛି । ତୁମ ପାଖରେ ମଧ୍ୟ ଜ୍ଞାନ ରହିବା ଉଚିତ୍ । ପାଠ ମଧ୍ୟ ପଢିବା ଦରକାର । ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ । ମୁଁ ମୁରଲୀ ନ ପଢିଲେ ଅନ୍ୟମାନେ ମଧ୍ୟ ପଢିବେ ନାହିଁ । ମିଥ୍ୟା ଅଂହକାର ଆସିଗଲେ ମାୟା ତୁରନ୍ତ ଆକ୍ରମଣ କରି ଦେଇଥାଏ । ପ୍ରତ୍ୟେକ ପାଦରେ ବାବାଙ୍କଠାରୁ ଶ୍ରୀମତ ନେବା ଉଚିତ୍ । ନଚେତ୍ କିଛି ନା କିଛି ବିକର୍ମ ହୋଇଯିବ । ବହୁତ ସନ୍ତାନ ଭୁଲ୍ କରି ବାବାଙ୍କୁ ନ ବତାଇବାରୁ ନିଜର ହିଁ ସତ୍ୟାନାଶ କରିଦେଉଛନ୍ତି । ଭୁଲ୍ ହେଲେ ମାୟା ଚାପୁଡା ଲଗାଇ ଦେଇଥାଏ । ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନ କରିଦେଇଥାଏ । ଅଂହକାରରେ ଆସିଲେ ମାୟା ବହୁତ ବିକର୍ମ କରାଇଥାଏ । ବାବା ଏପରି କହି ନାହାଁନ୍ତି ଯେ, ପୁରୁଷମାନଙ୍କର କୌଣସି କମିଟି ଗଢ । କମିଟିରେ ଜଣେ ଦୁଇଜଣ ଜାଣିବା ଶୁଣିବା ସମର୍ପିତ ଭଉଣୀ ନିଶ୍ଚୟ ରହିବା ଦରକାର । ଯାହାଙ୍କ ରାୟରେ କାମ ହେବ । କଳସ ତ ଲକ୍ଷ୍ମୀଙ୍କ ହାତରେ ରଖାଯାଏ ନା । ଗାୟନ ମଧ୍ୟ ଅଛି, ଅସୁରମାନଙ୍କୁ ଅମୃତ ପିଆଉଥିଲେ, ପୁଣି ମଧ୍ୟ ସେମାନେ ଯଜ୍ଞରେ ବିଘ୍ନ ପକାଉଥିଲେ । ଅନେକ ପ୍ରକାରର ବିଘ୍ନକାରୀ ଅଛନ୍ତି । ସାରା ଦିନ ପରଦର୍ଶନ, ପରଚିନ୍ତନର ଆଲୋଚନା କରିଥାନ୍ତି । ଏହା ବହୁତ ଖରାପ ଅଟେ । କୌଣସି କଥା ହେଲେ ବାବାଙ୍କୁ ରିପୋର୍ଟ କରିବା ଉଚିତ୍ । ସୁଧାରିବାବାଲା ତ କେବଳ ବାବା ହିଁ ଅଟନ୍ତି । ତୁମେ କାହାରିକୁ ଦଣ୍ଡ ଦେଇପାରିବ ନାହିଁ । ତୁମେ ବାବାଙ୍କ ୟାଦରେ ରୁହ । ସମସ୍ତଙ୍କୁ ବାବାଙ୍କ ପରିଚୟ ଦେଇଚାଲ ତେବେ ଏପରି ଦେବତା ହୋଇପାରିବ । ମାୟା ବହୁତ କଡା ଅଟେ । କାହାକୁ ଛାଡେ ନାହିଁ । ସର୍ବଦା ବାବାଙ୍କୁ ସମାଚାର ଲେଖିବା ଦରକାର । ନିର୍ଦ୍ଦେଶ ନେବା ଉଚିତ୍ । ଏମିତି ତ ସର୍ବଦା ନିର୍ଦ୍ଦେଶ ମିଳି ଚାଲିଛି । ପିଲାମାନେ ଏପରି ଭାବୁଛନ୍ତି ଯେ ବାବା ତ ସ୍ୱତଃ ଏହି କଥା ଉପରେ ବୁଝାଇ ଦେଲେ, ବାବା ତ ଅନ୍ତର୍ଯ୍ୟାମୀ ଅଟନ୍ତି । ବାବା କହୁଛନ୍ତି ନା, ମୁଁ ତ ଜ୍ଞାନ ପଢାଉଛି । ଏଥିରେ ଅର୍ନ୍ତଯ୍ୟାମୀର କୌଣସି କଥା ନାହିଁ । ହଁ, ଏକଥା ଜାଣିଛ ଯେ ଏମାନେ ସମସ୍ତେ ମୋର ସନ୍ତାନ । ପ୍ରତ୍ୟେକ ଶରୀର ଭିତରେ ମୋର ଆତ୍ମା ରୂପୀ ସନ୍ତାନ ଅଛନ୍ତି । ବାକି ଏପରି ନୁହେଁ ଯେ ବାବା ସମସ୍ତଙ୍କ ଭିତରେ ବିରାଜମାନ ଅଟନ୍ତି । ଲୋକମାନେ ତ ଓଲଟା ବୁଝିନେଇଛନ୍ତି । ବାବା କହୁଛନ୍ତି ମୁଁ ଜାଣିଛି କି ସବୁ ତଖତ ଅର୍ଥାତ୍ ଭ୍ରୁକୁଟୀ ସିଂହାସନରେ ଆତ୍ମା ବିରାଜମାନ ଅଛି । ଏହା ତ କେତେ ସହଜ କଥା ଅଟେ । ସମସ୍ତ ଚୈତନ୍ୟ ଆତ୍ମାମାନେ ନିଜ-ନିଜର ଭ୍ରୃକୁଟୀ ସିଂହାସନ ଉପରେ ବସିଛନ୍ତି ତଥାପି ମଧ୍ୟ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି, ଏହା ମୂଳ ଭୁଲ୍ ଅଟେ । ଏହି କାରଣରୁ ହିଁ ଭାରତ ଏତେ ତଳକୁ ଖସିଯାଇଛି । ବାବା କହୁଛନ୍ତି ତୁମେ ମୋର ବହୁତ ଗ୍ଲାନି କରିଛ । ବିଶ୍ୱର ଯିଏ ମାଲିକ କରାଉଛନ୍ତି ତୁମେ ତାଙ୍କୁ ଗାଳି ଦେଇଛ ସେଥିପାଇଁ ବାବା କହୁଛନ୍ତି ୟଦା ୟଦା ହି ଧର୍ମସ୍ୟ.... । ବାହାର ଲୋକେ ଏହି ସର୍ବବ୍ୟାପୀର ଜ୍ଞାନ ଭାରତବାସୀଙ୍କଠାରୁ ଶିଖୁଛନ୍ତି । ଯେପରି ଭାରତବାସୀ ତାଙ୍କଠାରୁ ହୁନର ଅର୍ଥାତ୍ କାରୀଗରୀ କୌଶଳ ଶିଖୁଛନ୍ତି ସେମାନେ ପୁଣି ଓଲଟା ଏହି ସର୍ବବ୍ୟାପୀର ଜ୍ଞାନ ଶିଖୁଛନ୍ତି । ତୁମକୁ ତ ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ ଏବଂ ବାବାଙ୍କ ପରିଚୟ ମଧ୍ୟ ସମସ୍ତଙ୍କୁ ଦେବାକୁ ହେବ । ତୁମେ ହେଉଛ ଅନ୍ଧମାନଙ୍କର ବାଡି । ବାଡି ଦ୍ୱାରା ରାସ୍ତା ବତାଇଥାନ୍ତି ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କର ଆଜ୍ଞା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ । ଯଦି ତୁମ ଦ୍ୱାରା କେବେ ବି ଶ୍ରୀମତର ଉଲଘଂନ ନ ହୁଏ ତେବେ ଯାଇ ସର୍ବ ମନୋକାମନା ମାଗିବା ପୂର୍ବରୁ ପୂର୍ଣ୍ଣ ହେବ । କେବେ ବି ଧ୍ୟାନରେ ଯିବା ବା ସାକ୍ଷାତ୍କାର କରିବାର ଇଚ୍ଛା ରଖିବାର ନାହିଁ ଏବଂ ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାର ଅଛି ।

(୨) ପରସ୍ପର ମିଶି କାହାର ପରଚିନ୍ତନ କରିବାର ନାହିଁ । ଅନ୍ତର୍ମୁଖୀ ହୋଇ ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି, ମୋ ଭିତରେ ଜ୍ଞାନର ଚିନ୍ତନ ମନ୍ଥନ ଚାଲୁଛି ?

ବରଦାନ:-
ବିନ୍ଦୁ ସ୍ୱରୂପରେ ସ୍ଥିତ ରହି ଅନ୍ୟମାନଙ୍କୁ ମଧ୍ୟ ଡ୍ରାମାର ବିନ୍ଦୁର ସ୍ମରଣ କରାଉଥିବା ବିଘ୍ନବିନାଶକ ହୁଅ ।

ଯେଉଁ ପିଲାମାନେ କୌଣସି କଥାରେ ପ୍ରଶ୍ନ ଉଠାନ୍ତି ନାହିଁ, ନିଜେ ସର୍ବଦା ବିନ୍ଦୁ ସ୍ୱରୂପରେ ସ୍ଥିତ ରହି ଅନ୍ୟମାନଙ୍କୁ ମଧ୍ୟ ଡ୍ରାମାର ବିନ୍ଦୁ ଅର୍ଥାତ୍ ଡ୍ରାମା କଲ୍ୟାଣକାରୀ ବୋଲି ସ୍ମରଣ କରାଇ ଦେଇଥାଆନ୍ତି ସେହିମାନଙ୍କୁ ହିଁ ବିଘ୍ନ ବିନାଶକ କୁହାଯାଏ । ସେମାନେ ଅନ୍ୟମାନଙ୍କୁ ମଧ୍ୟ ସମର୍ଥ କରାଇ ସଫଳତା ରୂପୀ ଲକ୍ଷ୍ୟସ୍ଥଳର ନିକଟକୁ ନେଇଆସିଥାନ୍ତି । ସେମାନେ ବିନାଶୀ ସଫଳତାର ପ୍ରାପ୍ତିକୁ ଦେଖି ଖୁସି ହୁଅନ୍ତି ନାହିଁ କିନ୍ତୁ ଅବିନାଶୀ ସଫଳତା ମୂରତ ହୋଇଥାନ୍ତି । ସେମାନେ ସଦାସର୍ବଦା ସମାନ ସ୍ଥିତିରେ ରହିଥାନ୍ତି ଅର୍ଥାତ୍ ଗୋଟିଏ ହିଁ ଶ୍ରେଷ୍ଠ ସ୍ଥିତିରେ ରହିଥାନ୍ତି । ସେମାନେ ନିଜର ସଫଳତାର ସ୍ୱସ୍ଥିତି ଆଧାରରେ ଅସଫଳତାକୁ ମଧ୍ୟ ପରିବର୍ତ୍ତନ କରିଦେଇଥାନ୍ତି ।

ସ୍ଲୋଗାନ:-
ଯଦି ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବ ଏବଂ ଆଶୀର୍ବାଦ ନେଉଥିବ ତେବେ ବହୁତ ଶୀଘ୍ର ମାୟାଜୀତ୍ ହୋଇଯିବ ।