01.12.19    Avyakt Bapdada     Odia Murli     15.03.85     Om Shanti     Madhuban


ପରିଶ୍ରମରୁ ମୁକ୍ତ ହେବାର ସହଜ ଉପାୟ ନିରାକାରୀ ସ୍ୱରୂପର ସ୍ଥିତି

 


ବାପଦାଦା ପିଲାମାନଙ୍କର ସ୍ନେହରେ, ବାଣୀଠାରୁ ଉର୍ଦ୍ଧ୍ଵ ନିର୍ବାଣ ଅବସ୍ଥାରୁ ବାଣୀକୁ ଆସୁଛନ୍ତି । କଣ ପାଇଁ ? ପିଲାମାନଙ୍କୁ ନିଜ ସମାନ ନିର୍ବାଣ ସ୍ଥିତିର ଅନୁଭବ କରାଇବା ପାଇଁ, ନିର୍ବାଣଧାମ ଅର୍ଥାତ୍ ସ୍ୱୀଟ୍ ହୋମକୁ ନେଇଯିବା ପାଇଁ । ନିର୍ବାଣ ସ୍ଥିତି ନିର୍ବିକଳ୍ପ ଏବଂ ନିର୍ବିକାରୀ ସ୍ଥିତି ଅଟେ । ବାପଦାଦା ନିର୍ବାଣ ସ୍ଥିତିରୁ ନିରାକାରୀ ତଥା ସାକାର ସ୍ୱରୂପଧାରୀ ହୋଇ ବାଣୀକୁ ଆସୁଛନ୍ତି । ସାକାରକୁ ଆସୁଥିଲେ ମଧ୍ୟ ନିରାକାରୀ ସ୍ୱରୂପ ସର୍ବଦା ସ୍ମୃତିରେ ରହୁଛି । ମୁଁ ନିରାକାର, ଏହି ସାକାର ଆଧାର ଦ୍ୱାରା କଥା କହୁଛି । ସାକାରରେ ମଧ୍ୟ ନିରାକାର ସ୍ଥିତିର ସ୍ମୃତି ରହିବା ଏହାକୁ ହିଁ କୁହାଯାଏ ନିରାକାର ତଥା ସାକାର ଦ୍ୱାରା ବାଣୀରେ ଏବଂ କର୍ମରେ ଆସିବା । ଅସଲୀ ସ୍ୱରୂପ ନିରାକାର ଅଟେ, ସାକାର ଆଧାର ମାତ୍ର । ନିରାକାର ତଥା ସାକାର ଏହିଭଳି ଡବଲ ସ୍ମୃତି ହିଁ ଶକ୍ତିଶାଳୀ ସ୍ଥିତି ଅଟେ । ତେଣୁ ସାକାର ଆଧାର ନେଇଥିଲେ ମଧ୍ୟ ନିରାକାର ସ୍ୱରୂପକୁ ଭୁଲିଯାଅ ନାହିଁ । ଭୁଲିଯିବା କାରଣରୁ ଯୋଗ କରିବା ପାଇଁ ପରିଶ୍ରମ କରିବାକୁ ପଡୁଛି । ଯେପରି ଲୌକିକ ଜୀବନରେ ନିଜର ଶାରୀରିକ ସ୍ୱରୂପ ସ୍ୱତଃ ହିଁ ମନେ ରହୁଛି ଯେ ମୁଁ ଅମୁକ ଏହି ସମୟରେ ଏହି କାର୍ଯ୍ୟ କରୁଛି । କାର୍ଯ୍ୟ ବଦଳିଯାଉଛି କିନ୍ତୁ ମୁଁ ଅମୁକ ଅଟେ, ଏହା ବଦଳୁନାହିଁ କି ଭୁଲି ହେଉ ନାହିଁ । ସେହିଭଳି ମୁଁ ନିରାକାର ଆତ୍ମା । ଏହି ଅସଲୀ ସ୍ୱରୂପ ଯେ କୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ସ୍ୱତଃ ଏବଂ ସର୍ବଦା ମନେ ରହିବା ଦରକାର । ଯେବେକି ଗୋଟିଏ ଥର ସ୍ମୃତି ଆସିଗଲା, ପରିଚୟ ମଧ୍ୟ ମିଳିଗଲା ଯେ ମୁଁ ନିରାକାର ଆତ୍ମା ଅଟେ । ପରିଚୟ ମିଳିବା ଅର୍ଥାତ୍ ଜ୍ଞାନ ମିଳିବା, ତେବେ ଜ୍ଞାନର ଶକ୍ତି ଦ୍ୱାରା ନିଜର ସ୍ୱରୂପକୁ ଜାଣିପାରିଲ । ଜାଣିବା ପରେ ପୁର୍ନବାର ଭୁଲିପାରୁଛ କିପରି ? ଯେପରି ଜ୍ଞାନର ଶକ୍ତି ଦ୍ୱାରା ଶରୀରର ସ୍ମୃତିକୁ ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲିପାରୁନାହଁ, ତେବେ ଏହି ଆତ୍ମିକ ସ୍ୱରୂପକୁ କିପରି ଭୁଲିପାରିବ! ତେଣୁ ଏହି କଥା ନିଜେ ନିଜକୁ ପଚାର ଏବଂ ଅଭ୍ୟାସ କର । ଚାଲିବା-ବୁଲିବା ବା କାର୍ଯ୍ୟ କରିବା ସମୟରେ ଚେକ୍ କର ମୁଁ ନିରାକାର ଆତ୍ମା ସାକାର ଆଧାର ଦ୍ୱାରା ଏହି କାର୍ଯ୍ୟ କରୁଛି! ତେବେ ଆପେ ଆପେ ନିର୍ବିକଳ୍ପ ସ୍ଥିତି, ନିରାକାରୀ ସ୍ଥିତି, ନିର୍ବିଘ୍ନ ସ୍ଥିତି ସହଜରେ ରହିପାରିବ । ମେହନତ କରିବାରୁ ମୁକ୍ତ ହୋଇଯିବ । ତେଣୁ ମେହନତ ମଧ୍ୟ ସେତେବେଳେ କରିବାକୁ ପଡୁଛି ଯେତେବେଳେ ବାରମ୍ବାର ଭୁଲିଯାଉଛ । ପୁଣି ମନେ ପକାଇବା ପାଇଁ ମେହନତ କରୁଛ । ତେବେ ଭୁଲିବ ବା କାହିଁକି ବା ଭୁଲିବା ଉଚିତ୍ କି ? ବାପଦାଦା ପଚାରୁଛନ୍ତି ତୁମେ ସବୁ କିଏ ? ସାକାର ନା ନିରକାର ? ନିରାକାର ଅଟ ନା! ତେବେ ନିରାକାର ହୋଇଥିଲେ ମଧ୍ୟ ଭୁଲିଯାଉଛ କାହିଁକି ? ନିଜର ଅସଲୀ ସ୍ୱରୂପକୁ ଭୁଲିଯାଉଛ ଏବଂ ଆଧାର ମନେ ରହୁଛି! ନିଜ ଉପରେ ହସ ଲାଗୁନାହିଁ ଯେ ଆମେ କଣ କରୁଛୁ! ଏବେ ହସ ଲାଗୁଛି ନା ? ଅସଲୀକୁ ଭୁଲିଯାଉଛ ଏବଂ ନକଲୀ ଜିନିଷ ମନେ ପଡିଯାଉଛି! ବାପଦାଦାଙ୍କୁ କେବେ କେବେ ପିଲାମାନଙ୍କ ଉପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି । ନିଜେ ନିଜକୁ ଭୁଲିଯାଉଛନ୍ତି ଏବଂ ଭୁଲିଯିବା ପରେ କଣ କରୁଛନ୍ତି ? ନିଜେ ନିଜକୁ ଭୁଲି ଅଡୁଆରେ ପଡିଯାଉଛନ୍ତି । ଯେପରି ବାବାଙ୍କୁ ମଧ୍ୟ ସ୍ନେହ ଆଧାରରେ ନିରାକାରରୁ ସାକାରକୁ ଆବାହନ କରି ଆଣିପାରୁଛ, ସେହିପରି ଯାହା ପ୍ରତି ସ୍ନେହ ଅଛି ତାଙ୍କରି ଭଳି ନିରାକାର ସ୍ଥିତିରେ ସ୍ଥିତ ହୋଇପାରୁ ନାହିଁ! ବାପଦାଦା ପିଲାମାନଙ୍କର ପରିଶ୍ରମକୁ ଦେଖି ପାରୁନାହାଁନ୍ତି । ମାଷ୍ଟର ସର୍ବଶକ୍ତିବାନ ପୁଣି ମେହନତ୍ ? ମାଷ୍ଟର ସର୍ବଶକ୍ତିବାନ ଅର୍ଥାତ୍ ସର୍ବଶକ୍ତିର ମାଲିକ । ଯେଉଁ ଶକ୍ତିକୁ ଯେଉଁ ସମୟରେ ଶୁଭ ସଂକଳ୍ପ କରି ଆବାହନ କରିବ ସେହି ଶକ୍ତି ତୁମେ ମାଲିକମାନଙ୍କ ସମ୍ମୁଖରେ ନିଶ୍ଚିତ ହାଜର ହୋଇଯିବ । ସର୍ବଶକ୍ତି ଯାହାଙ୍କର ସେବାଧାରୀ, ସେଭଳି ମାଲିକ ପୁଣି ମେହନତ କରିବ, ନା ଶୁଭ ସଂକଳ୍ପର ଆଦେଶ କରିବ ? କଣ କରିବ ? ସମସ୍ତେ ରାଜା ଅଟ, ନା ପ୍ରଜା ? ଏମିତି ବି ଯିଏ ଯୋଗ୍ୟ ପୁତ୍ର ହୋଇଥାଏ ତାକୁ ରାଜା ସନ୍ତାନ ବୋଲି କହିଥାନ୍ତି ନା! ତେବେ ତୁମେମାନେ ସବୁ କଣ ? ରାଜା ସନ୍ତାନ ନା ଅଧୀନ ସନ୍ତାନ ? ଅଧିକାରୀ ଆତ୍ମା ଅଟ ନା, ତେଣୁ ଏହି ସବୁ ଶକ୍ତିଗୁଡିକ, ସର୍ବଗୁଣ, ସମସ୍ତେ ତୁମର ସେବାଧାରୀ, ତୁମେ କେବଳ ଆବାହନ କର ସେମାନେ ହାଜର ହୋଇଯିବେ । ଦୁର୍ବଳ ବ୍ୟକ୍ତି ନିକଟରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଥିଲେ ମଧ୍ୟ ନିଜର ଦୁର୍ବଳତା କାରଣରୁ ସେ ହାରିଯାଏ । ତେବେ ତୁମେମାନେ କଣ ଦୁର୍ବଳ ? ବାହାଦୁର ଅଟ ନା! ଯଦି ସର୍ବଶକ୍ତିବାନ ପିତାଙ୍କର ସନ୍ତାନମାନେ ଦୁର୍ବଳ ହେବେ ତେବେ ଲୋକମାନେ କଣ କହିବେ ? ତୁମକୁ ଭଲ ଲାଗିବ ? ତେଣୁ ଆବାହନ କରିବା ଏବଂ ଆଦେଶ କରିବା ଶିଖ । କିନ୍ତୁ ସେବାଧାରୀ ମଧ୍ୟ କାହାର ଆଦେଶ ମାନିବ ? ଯିଏ ମାଲିକ ହୋଇଥିବ । ଏବେ ତ ମାଲିକମାନେ ନିଜେ ସେବାଧାରୀ ହୋଇଯାଇଛନ୍ତି, କାରଣ ଯିଏ ମେହନତ କରୁଛି ତାକୁ ସେବାଧାରୀ ହିଁ କୁହାଯିବ ନା! ମନର ମେହନତରୁ ଏବେ ମୁକ୍ତ ହୋଇଗଲଣି! ଶାରୀରିକ ମେହନତ ଦ୍ୱାରା ଯଜ୍ଞର ସେବା କରିବା ଅଲଗା କଥା । ତାହା ମଧ୍ୟ ଯଜ୍ଞ ସେବାର ମହତ୍ୱକୁ ଜାଣିଯିବା ଦ୍ୱାରା ମେହନତ ଭଳି ଲାଗୁନାହିଁ । ମଧୁବନକୁ ଯେତେବେଳେ ସମ୍ବନ୍ଧ-ସମ୍ପର୍କରେ ଆସୁଥିବା ଆତ୍ମାମାନେ ଆସୁଛନ୍ତି ଏବଂ ଦେଖୁଛନ୍ତି ଏତେ ସଂଖ୍ୟାରେ ଆତ୍ମାମାନଙ୍କ ପାଇଁ ଭୋଜନ ତିଆରି ହେଉଛି । ତା ସହିତ ଅନ୍ୟ ସବୁ କାର୍ଯ୍ୟ ମଧ୍ୟ ସୁଚାରୁ ରୂପରେ ହେଉଛି ସେତେବେଳେ ସେମାନେ ମଧ୍ୟ ଏସବୁ ଦେଖି ଭାବୁଛନ୍ତି ଏମାନେ ଏତେ କଠିନ ପରିଶ୍ରମ କିପରି କରୁଛନ୍ତି! ସେମାନଙ୍କୁ ବଡ ଆଶ୍ଚର୍ଯ୍ୟ ଲାଗୁଛି । ଏତେ ବଡ କାର୍ଯ୍ୟ କିପରି ହେଉଛି! କିନ୍ତୁ ସେବାଧାରୀ ପିଲାମାନେ ଏହିଭଳି ବଡ କାର୍ଯ୍ୟକୁ କଣ ମନେ କରୁଛନ୍ତି ? ସେବାର ମହତ୍ୱକୁ ଜାଣିଥିବା କାରଣରୁ ଏହାକୁ ଖେଳ ମନେ କରୁଛନ୍ତି । ସେଥିପାଇଁ ପରିଶ୍ରମ ଅନୁଭବ ହେଉନାହିଁ । ଏହିଭଳି ମହତ୍ୱ କାରଣରୁ ଏବଂ ବାବାଙ୍କ ପ୍ରତି ସ୍ନେହ ଥିବା କାରଣରୁ ମେହନତର ରୂପ ବଦଳି ଯାଉଛି । ସେହିଭଳି ମନର ମେହନତରୁ ମଧ୍ୟ ମୁକ୍ତ ହେବାର ସମୟ ଏବେ ଆସିଗଲାଣି । ଦ୍ୱାପରଯୁଗଠାରୁ ଖୋଜିବାର, କଷ୍ଟ ଅନୁଭବ କରିବାର, ଡାକିବାର ମାନସିକ ପରିଶ୍ରମ କରି କରି ଆସିଛ । ମନର ମେହନତ କାରଣରୁ ଧନ ରୋଜଗାର କରିବାର ପରିଶ୍ରମ ମଧ୍ୟ ବଢି ବଢି ଚାଲିଛି । ଆଜି ଯଦି କାହାକୁ ପଚାରିବ ସେ କଣ କହିବ ? ଧନ ରୋଜଗାର କରିବା ମାଉସୀ ଘର କଥା ନୁହେଁ ଅର୍ଥାତ୍ ସହଜ ନୁହେଁ । ମନର ମେହନତ କାରଣରୁ ଧନ ରୋଜଗାର କରିବାର ମେହନତକୁ ମଧ୍ୟ ବଢାଇ ଦେଉଛନ୍ତି ଏବଂ ଶରୀର ତ ରୋଗୀ ହୋଇଗଲାଣି, ସେଥିପାଇଁ ଶାରୀରିକ କାର୍ଯ୍ୟରେ ମଧ୍ୟ ମେହନତ, ମନ ଦ୍ୱାରା ମଧ୍ୟ ମେହନତ ଏବଂ ଧନ ରୋଜଗାର କରିବାରେ ମଧ୍ୟ ମେହନତ କରିବାକୁ ପଡୁଛି । କେବଳ ସେତିକି ନୁହେଁ, ଆଜି ପରିବାର ଭିତରେ ସ୍ନେହ-ସହାନୁଭୂତିର ସହିତ ଚଳିବା ପାଇଁ ମଧ୍ୟ ମେହନତ ଲାଗୁଛି । କିଏ କେତେବେଳେ, କିଏ କେତେବେଳେ ରୁଷି ଯାଉଛନ୍ତି, ପୁଣି ତାଙ୍କୁ ବୁଝାଇବାର ମେହନତରେ ଲାଗି ରହିବାକୁ ପଡୁଛି । ଆଜି ଗୋଟିଏ ସମସ୍ୟା ତ କାଲିକୁ ଆଉ ଗୋଟିଏ ସମସ୍ୟା ଆସିଯାଉଛି । ତେଣୁ ସବୁ ପ୍ରକାରର ମେହନତ କରି କରି ଥକି ଯାଇଥିଲ ନା । ଶରୀରରେ, ମନରେ, ଧନରେ, ସମ୍ବନ୍ଧରେ ସବୁଥିରେ ଥକିଯାଇଥିଲ ।

ବାପଦାଦା ଆସି ପ୍ରଥମେ ମନର ମେହନତକୁ ସମାପ୍ତ କରିଦେଇଛନ୍ତି କାରଣ ମନ ହେଉଛି ବୀଜ । ମନର ମେହନତ ହିଁ ଶରୀରର ଏବଂ ଧନର ମେହନତକୁ ଅନୁଭବ କରାଇଥାଏ । ଯଦି ମନ ଠିକ୍ ନଥିବ ତେବେ ଯାହା ବି କାର୍ଯ୍ୟ ଥାଉ କହିବ ଆଜି ଏହା ହୋଇପାରିବ ନାହିଁ । କୌଣସି ରୋଗନଥିବ କିନ୍ତୁ ମନେ ହେବ ଯେପରି ମୋତେ ୧୦୩ ଜ୍ୱର ହୋଇଛି । ତେଣୁ ମନର ମେହନତ ହିଁ ଶାରୀରିକ ମେହନତର ଅନୁଭବ କରାଇଥାଏ । ଧନରେ ମଧ୍ୟ ସେହିଭଳି ହେଉଛି । ଯଦି ମନ ଟିକିଏ ବି ଖରାପ ଥିବ ତେବେ କହିବେ ବହୁତ କାମ କରିବାକୁ ପଡୁଛି, ରୋଜଗାର କରିବା ବହୁତ ମୁଶକିଲ୍ । ବାୟୁମଣ୍ଡଳ ବହୁତ ଖରାପ । ଯଦି ମନ ଖୁସି ଥିବ ତେବେ କହିବେ ଏହା କିଛି ବଡ କଥା ନୁହେଁ । କାର୍ଯ୍ୟ ସେଇଆ ହୋଇଥିବ କିନ୍ତୁ ମନର ମେହନତ ଧନର ମେହନତକୁ ମଧ୍ୟ ଅନୁଭବ କରାଇଥାଏ । ମନର ଦୁର୍ବଳତା ବାତାବରଣକୁ ମଧ୍ୟ ଦୁର୍ବଳ କରିଦିଏ । ତେଣୁ ବାପଦାଦା ପିଲାମାନଙ୍କର ମନର ମେହନତକୁ ଦେଖିପାରୁ ନାହାଁନ୍ତି । ୬୩ ଜନ୍ମ ତ ମେହନତ କରି କରି ଆସିଲ, ଏବେ ଏହି ଗୋଟିଏ ଜନ୍ମ ମଉଜ କରିବାର, ସ୍ନେହର ଅନୁଭବ କରିବାର ଏବଂ ସର୍ବ ପ୍ରାପ୍ତି କରିବା ସହିତ ବରଦାନ ପ୍ରାପ୍ତ କରିବାର ଜନ୍ମ । ସହଯୋଗ ନେବାର ଏବଂ ସହଯୋଗ ମିଳିବାର ଜନ୍ମ । ପୁଣି ବି ଏହି ଜନ୍ମରେ ମେହନତ କାହିଁକି କରୁଛ ? ତେଣୁ ଏବେ ମେହନତକୁ ମୋହବତରେ ଅର୍ଥାତ୍ ସ୍ନେହରେ ପରିବର୍ତ୍ତନ କରିଦିଅ । ମହତ୍ତ୍ୱକୁ ଜାଣି ସମାପ୍ତ କରିଦିଅ ।

ଆଜି ବାପଦାଦାଙ୍କର ପରସ୍ପର ଭିତରେ ପିଲାମାନଙ୍କର ମେହନତ ଉପରେ ବହୁତ କଥୋପକଥନ ଚାଲିଥିଲା । ଦେଖୁଥିଲେ ପିଲାମାନେ କଣ କରୁଛନ୍ତି! ତେଣୁ ପିଲାମାନଙ୍କର ମେହନତର କାରଣକୁ ଜାଣି ବାପଦାଦା ମୁରୁକୀ ହସୁଥିଲେ । ପିଲାମାନେ ବଙ୍କା ତେଢା ସନ୍ତାମାନଙ୍କୁ ଜନ୍ମ କରୁଛନ୍ତି କାହାର ମୁହଁ ନାହିଁ, କାହାର ଗୋଡ ନାହିଁ ତ କାହାର ହାତ ନାହିଁ । ଏହିଭଳି ବ୍ୟର୍ଥ ସଂକଳ୍ପର ବଂଶାବଳୀ ବହୁତ ସୃଷ୍ଟି କରୁଛନ୍ତି, ଯେହେତୁ ରଚନା କରୁଛନ୍ତି ତେଣୁ କଣ କରିବେ ? ସେମାନଙ୍କୁ ପାଳନା କରିବା ପାଇଁ ମେହନତ କରିବାକୁ ପଡୁଛି । ଏହିଭଳି ରଚନା ଅର୍ଥାତ୍ ସନ୍ତାନମାନଙ୍କୁ ଜନ୍ମ କରିଥିବା କାରଣରୁ ସେମାନଙ୍କ ପାଇଁ ଅଧିକ ମେହନତ କରି କରି ଥକିଯାଉଛନ୍ତି ଏବଂ ହତାଶ ମଧ୍ୟ ହୋଇଯାଉଛନ୍ତି । ସବୁ କିଛି କଷ୍ଟକର ଅନୁଭବ ହେଉଛି । ଭଲ ହୋଇଥିଲେ ମଧ୍ୟ କଷ୍ଟକର ଅନୁଭବ ହେଉଛି । ଛାଡିବାକୁ ବି ଚାହୁଁନାହାଁନ୍ତି ଏବଂ ଉଡିବାକୁ ବି ଚାହୁଁ ନାହାଁନ୍ତି । ତେଣୁ କଣ କରିବେ ? ଚାଲିବାକୁ ପଡୁଛି । ଚାଲିବାରେ ତ ନିଶ୍ଚିତ ମେହନତ ଲାଗିବ ନା, ସେଥିପାଇଁ ଏବେ ଏହିଭଳି ଦୁର୍ବଳ ସନ୍ତାନମାନଙ୍କୁ ଜନ୍ମ କରିବା ବନ୍ଦ କର ତେବେ ମନର ମେହନତରୁ ମୁକ୍ତ ହୋଇଯିବ । ପୁଣି ହସ ଲାଗିବା ଭଳି କଥା କଣ କହୁଛନ୍ତି ? ବାବା କହୁଛନ୍ତି ଏହିଭଳି ରଚନା କାହିଁକି କରୁଛ, ତେବେ ଯେମିତି ଆଜିକାଲିର ଲୋକମାନେ କହୁଛନ୍ତି ନା କଣ କରିବୁ ଈଶ୍ୱର ଦେଇ ଦେଉଛନ୍ତି । ସାରା ଦୋଷ ଈଶ୍ୱରଙ୍କ ଉପରେ ଲଗାଇ ଦେଉଛନ୍ତି, ସେହିଭଳି ପିଲାମାନେ ମଧ୍ୟ ନିଜର ବ୍ୟର୍ଥ ରଚନା ପାଇଁ କଣ କହୁଛନ୍ତି ? ଆମେ ତ ଚାହୁଁନାହୁଁ କିନ୍ତୁ ମାୟା ଆସିଯାଉଛି । ଆମର ଇଚ୍ଛା ନାହିଁ କିନ୍ତୁ ହୋଇଯାଉଛି ସେଥିପାଇଁ ସର୍ବଶକ୍ତିମାନ ପିତାଙ୍କର ସନ୍ତାନମାନେ ଏବେ ମାଲିକ ହୁଅ, ରାଜା ହୁଅ । ଦୁର୍ବଳ ହେବା ଅର୍ଥାତ୍ ଅଧୀନ ହେବା ବା ପ୍ରଜା ହେବା । ମାଲିକ ଅର୍ଥାତ୍ ଶକ୍ତିଶାଳୀ, ରାଜା । ତେଣୁ ମାଲିକ ହୋଇ ଶକ୍ତିଗୁଡିକୁ ଆବାହନ କର । ସ୍ୱସ୍ଥିତିର ଶ୍ରେଷ୍ଠ ସିଂହାସନ ଉପରେ ବସ । ସିଂହାସନ ଉପରେ ବସି ଶକ୍ତିରୂପୀ ସେବାଧାରୀମାନଙ୍କୁ ଆବାହନ କର । ସେମାନଙ୍କୁ ଆଦେଶ ଦିଅ । ତୁମର ସେବାଧାରୀମାନେ ତୁମ ଆଦେଶ ଅନୁସାରେ ଚାଲିବେ ନାହିଁ ଏପରି ହୋଇପାରିବ ନାହିଁ । ଆଉ କେବେ ଏପରି କହିବ ନାହିଁ ଯେ କଣ କରିବି ସହନଶକ୍ତି ନଥିବା କାରଣରୁ ମେହନତ କରିବାକୁ ପଡୁଛି । ସମାହିତ କରିବାର ଶକ୍ତି କମ୍ ଥିଲା ସେଥିପାଇଁ ଏଭଳି ହେଲା । ଯଦି ତୁମର ସେବାଧାରୀମାନେ ସମୟ ଅନୁସାରେ କାମରେ ନ ଲାଗିଲେ ତେବେ ସେମାନେ କି ସେବାଧାରୀ ? କାର୍ଯ୍ୟ ଶେଷ ହେବା ପରେ ଯଦି ସେବାଧାରୀ ଆସିଲେ ତେବେ କଣ ହେବ! ଯିଏ ନିଜେ ସମୟକୁ ମହତ୍ୱ ଦେଉଥିବ ତାର ସେବାଧାରୀମାନେ ମଧ୍ୟ ସମୟ ଅନୁସାରେ ମହତ୍ତ୍ୱକୁ ଜାଣି ହାଜର ହୋଇଯିବେ । ଯଦି କୌଣସି ବି ଶକ୍ତି ବା ଗୁଣ ଯଥା ସମୟରେ ହାଜର ହେଉନାହିଁ ତେବେ ଏଥିରୁ ପ୍ରମାଣିତ ହେଉଛି ଯେ ତାର ମାଲିକକୁ ସମୟର ମହତ୍ୱ ଜଣା ନାହିଁ । ତେଣୁ ଏବେ କଣ କରିବା ଦରକାର ? ସିଂହାସନ ଉପରେ ବସିବା ଭଲ ନା ମେହନତ କରିବା ଭଲ ? ଏବେ ଆଉ ଏଥିରେ ସମୟ ଦେବାର ଆବଶ୍ୟକତା ନାହିଁ । ମେହନତ କରିବା ଠିକ୍ ଲାଗୁଛି, ନା ମାଲିକ ହେବା ଠିକ୍ ଲାଗୁଛି ? କଣ ଭଲ ଲାଗୁଛି ? ଶୁଣାଇଲୁ ନା ଏଥିପାଇଁ ସର୍ବଦା ଏହି ଗୋଟିଏ ଅଭ୍ୟାସ କରୁଥାଅ ମୁଁ ନିରାକାର ଆତ୍ମା ସାକାର ଶରୀର ଆଧାରରେ ଏହି କାର୍ଯ୍ୟ କରୁଛି । ନିଜେ କରାଇବାବାଲା ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କାର୍ଯ୍ୟ କରାଅ । ନିଜର ନିରାକାରୀ ବାସ୍ତବିକ ସ୍ୱରୂପକୁ ଯଦି ସ୍ମୃତିରେ ରଖିବ ତେବେ ବାସ୍ତବିକ ସ୍ୱରୂପର ଗୁଣ ଏବଂ ଶକ୍ତିଗୁଡିକ ସ୍ୱତଃ ହିଁ ପ୍ରକଟ ହୋଇଯିବେ । ଯେଉଁଭଳି ନିଜର ସ୍ୱରୂପ ହେବ ସେହିଭଳି ଗୁଣ ଏବଂ ଶକ୍ତିଗୁଡିକ ସ୍ୱତଃ ହିଁ କାର୍ଯ୍ୟ କରିବାକୁ ଲାଗିବେ । ଯେପରି କନ୍ୟାଟିଏ ଯେତେବେଳେ ମା ହୋଇଯାଏ ସେତେବେଳେ ମା ସ୍ୱରୂପରେ ସେବାଭାବ, ତ୍ୟାଗ, ସ୍ନେହ, ଅକ୍ଲାନ୍ତ ସେବା କରିବାର ଗୁଣ ଏବଂ ଶକ୍ତି ସ୍ୱତଃ ହିଁ ପ୍ରକଟ ହୋଇଯାଏ । ତେଣୁ ତୁମର ଅନାଦି ଏବଂ ଅବିନାଶୀ ସ୍ୱରୂପ ସ୍ମୃତିରେ ରହିବା ଦ୍ୱାରା ସ୍ୱତଃ ହିଁ ସେହିଭଳି ଗୁଣ ଏବଂ ଶକ୍ତିଗୁଡିକ ପ୍ରକଟ ହୋଇଯିବେ । ସ୍ୱରୂପର ସ୍ମୃତି ସ୍ୱତଃ ପ୍ରବୃତ୍ତ ଭାବରେ ସ୍ଥିତିକୁ ନିର୍ମାଣ କରିଥାଏ । ଏବେ ବୁଝିପାରିଲ କଣ କରିବାକୁ ହେବ ? ମେହନତ ଶବ୍ଦକୁ ଜୀବନରୁ ସମାପ୍ତ କରିଦିଅ । ମେହନତ କରିବା କାରଣରୁ ହିଁ ମୁସ୍କିଲ୍ ଅନୁଭବ ହେଉଛି । ଯଦି ମେହନତ କରିବା ସମାପ୍ତ ହୋଇଯିବ ତେବେ ମୁସ୍କିଲ୍ ଶବ୍ଦ ମଧ୍ୟ ସ୍ୱତଃ ହିଁ ସମାପ୍ତ ହୋଇଯିବ । ଆଚ୍ଛା!

ସର୍ବଦା ମୁସ୍କିଲକୁ ସହଜ କରୁଥିବା, ମେହନତକୁ ମୋହବତ୍ ଅର୍ଥାତ୍ ସ୍ନେହରେ ପରିବର୍ତ୍ତନ କରୁଥିବା, ସର୍ବଦା ସ୍ୱ ସ୍ୱରୂପର ସ୍ମୃତି ଦ୍ୱାରା ଶ୍ରେଷ୍ଠ ଶକ୍ତି ଏବଂ ଗୁଣଗୁଡିକୁ ଅନୁଭବ କରୁଥିବା, ସର୍ବଦା ବାବାଙ୍କୁ ସ୍ନେହର ପ୍ରତିଦାନ ଦେଉଥିବା, ବାବାଙ୍କ ସମାନ ହୋଇ ସର୍ବଦା ଶ୍ରେଷ୍ଠ ସ୍ମୃତିର ଶ୍ରେଷ୍ଠ ଆସନ ଉପରେ ସ୍ଥିତ ହୋଇ ମାଲିକ ହୋଇ ସେବାଧାରୀମାନଙ୍କ ଦ୍ୱାରା କାର୍ଯ୍ୟ କରାଉଥିବା, ରାଜା ସନ୍ତାନମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ବିଦେଶୀ ଭାଇ ଭଉଣୀମାନଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ୍:-
(୧) ସେବା ହିଁ ବାବାଙ୍କର ସଂଗର ଅନୁଭବ କରାଇଥାଏ । ସେବାରେ ଯିବା ଅର୍ଥ ସର୍ବଦା ବାବାଙ୍କ ସାଥୀରେ ରହିବା । ଚାହେଁ ସାକାର ରୂପରେ ରୁହ, ଚାହେଁ ଆକାର ରୂପରେ ରୁହ କିନ୍ତୁ ସେବାଧାରୀ ପିଲାମାନଙ୍କ ସାଥୀରେ ବାବା ସଦାସର୍ବଦା ନିଶ୍ଚିତ ରହିଥାନ୍ତି । କରାଇବାବାଲା ବାବା କରାଉଛନ୍ତି, ଚଲାଇବାବାଲା ହୋଇ ଚଲାଉଛନ୍ତି ଏବଂ ନିଜେ କଣ କରୁଛ ? କେବଳ ନିମିତ୍ତ ହୋଇ ଖେଳ ଖେଳୁଛ । ଏହିଭଳି ଅନୁଭବ ହେଉଛି ନା ? ଏହିଭଳି ସେବାଧାରୀମାନେ ସଫଳତାର ଅଧିକାରୀ ହୋଇଯାଆନ୍ତି କାରଣ ସଫଳତା ତୁମର ଜନ୍ମସିଦ୍ଧ ଅଧିକାର, ସଫଳତା ସଦାସର୍ବଦା ମହାନ ପୁଣ୍ୟାତ୍ମା ହେବାର ଅନୁଭବ କରାଇଥାଏ । ମହାନ ପୁଣ୍ୟାତ୍ମା ହେଉଥିବା ସନ୍ତାନମାନଙ୍କୁ ଅନେକ ଆତ୍ମାଙ୍କର ଆଶୀର୍ବାଦର ଲିଫ୍ଟ ମିଳିଥାଏ । ଆଚ୍ଛା!

ଏବେ ତ ସେହିଦିନ ଆସିବା ପାଇଁ ଯାଉଛି ଯେବେକି ସମସ୍ତଙ୍କ ମୁଖରୁ ଏହି ଗୀତ ବାହାରିବ ଆମେ ସମସ୍ତେ ଏକ ଅଟୁ ଏବଂ ଆମ ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି । ବାସ୍ ଡ୍ରାମାରେ ଆଉ ମାତ୍ର ଏତିକି ପାର୍ଟ ବାକି ରହିଛି । ଏତିକି ହୋଇଗଲେ ସମାପ୍ତି ହୋଇଯିବ । ଏବେ ଏହି ପାର୍ଟକୁ ନିକଟକୁ ଆଣିବାକୁ ହେବ । ସେଥିପାଇଁ ଅନୁଭବ କରାଇବା ହିଁ ବିଶେଷ ଆକର୍ଷଣର ମାଧ୍ୟମ । ଜ୍ଞାନ ଶୁଣାଇଚାଲ ଏବଂ ଅନୁଭବ କରାଇଚାଲ । କେବଳ ଜ୍ଞାନ ଶୁଣିବା ଦ୍ୱାରା କେହି ସନ୍ତୁଷ୍ଟ ହୋଇନଥାନ୍ତି ତେଣୁ ଜ୍ଞାନ ଶୁଣାଇବା ସହିତ ଅନୁଭବ ମଧ୍ୟ କରାଇଚାଲ ତେବେ ଜ୍ଞାନର ମହତ୍ତ୍ୱକୁ ମଧ୍ୟ ବୁଝିପାରିବେ ଏବଂ ପ୍ରାପ୍ତି ହେବା କାରଣରୁ ଆଗକୁ ବଢିବା ପାଇଁ ଉତ୍ସାହିତ ମଧ୍ୟ ହେବେ । ସେମାନେ ତ ଭାଷଣରେ କେବଳ ଜ୍ଞାନ ଶୁଣାଇଥାନ୍ତି କିନ୍ତୁ ତୁମମାନଙ୍କର ଭାଷଣ କେବଳ ଜ୍ଞାନଯୁକ୍ତ ନହେଉ, ଅନୁଭବର ଅଧିକାରୀ ମଧ୍ୟ କରାଉ ଏବଂ ତୁମେମାନେ ନିଜେ ଅନୁଭବର ଅଧିକାରୀ ହୋଇ ଶୁଣାଇବା ସହିତ ସେମାନଙ୍କୁ ମଧ୍ୟ ଅନୁଭବ କରାଇଚାଲ । ଯେପରି କେହି କେହି ଭଲ ବକ୍ତା ଥାଆନ୍ତି ଯେଉଁମାନେ କି ଭାଷଣ କରିବା ସମୟରେ କେତେବେଳେ କନ୍ଦେଇ ଦିଅନ୍ତି ତ କେତେବେଳେ ହସେଇ ଦିଅନ୍ତି । ନିରବତା ଦ୍ୱାରା ଶାନ୍ତିର ଅନୁଭବ ମଧ୍ୟ କରାଇ ଦିଅନ୍ତି । ଯେଉଁଭଳି କଥା ଶୁଣାଉଥିବେ ହଲର ବାତାବରଣକୁ ମଧ୍ୟ ସେହିଭଳି କରିଦିଅନ୍ତି । ତାହା ତ ସବୁ ଅଳ୍ପ ସମୟ ପାଇଁ ହୋଇଥାଏ । ଯେବେକି ସେମାନେ ମଧ୍ୟ ଏହିଭଳି କରିପାରୁଛନ୍ତି ତେବେ ତୁମେ ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନେ କଣ ନ କରିପାରିବ! ଯଦି ଶାନ୍ତି ଶବ୍ଦ ଉଚ୍ଚାରଣ କରୁଛ ତେବେ ଶାନ୍ତିର ବାତାବରଣ ହୋଇଯାଉ, ଆନନ୍ଦ ଶବ୍ଦ କହୁଛ ତ ଆନନ୍ଦର ବାତାବରଣ ହୋଇଯାଉ । ଏହିଭଳି ଅନୁଭୂତି କରାଉଥିବା ଭାଷଣ ଦ୍ୱାରା ପ୍ରତ୍ୟକ୍ଷତାର ପତାକା ଉଡାଇପାରିବ । ତେବେ ତୁମମାନଙ୍କ ଭିତରେ କୌଣସି ନା କୌଣସି ବିଶେଷତାକୁ ତ ନିଶ୍ଚିତ ଦେଖିବେ ନା । ଆଚ୍ଛା ସମୟ ମଧ୍ୟ ଆପେ ଆପେ ତୁମ ଭିତରେ ଶକ୍ତି ଭରି ଦେଉଛି । ସବୁ କିଛି ତ ହୋଇସାରିଛି, କେବଳ ପୁନରାବୃତ୍ତି କରିବାକୁ ହେବ । ଆଚ୍ଛା!

ବିଦାୟ ସମୟରେ ଦାଦୀ ଜାନକୀଙ୍କ ସହିତ ବାପଦାଦାଙ୍କର ସାକ୍ଷାତ:-
ସବୁ କିଛି ଦେଖି ଦେଖି ହର୍ଷିତ ହେବାରେ ଲାଗିଛ । ସବୁଠାରୁ ଅଧିକ ଖୁସି ଅନନ୍ୟ ପିଲାମାନଙ୍କୁ ମିଳିଥାଏ ନା! ଯେଉଁମାନେ କି ସବୁବେଳେ ଖୁସିର ସାଗରର ଲହଡିରେ ଖେଳୁଥାନ୍ତି । ସୁଖର ସାଗରରେ, ସର୍ବପ୍ରାପ୍ତିର ସାଗରର ଲହଡିରେ ଖେଳୁଥାନ୍ତି । ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ସାଗରର ଲହଡିରେ ଖେଳାଇ ଥାଆନ୍ତି । ତୁମେ ଦିନସାରା କେଉଁ କାର୍ଯ୍ୟ କରୁଛ ? ଯେମିତି କାହାକୁ ଯଦି ସାଗରରେ ସ୍ନାନ କରିବା ଜଣାନଥାଏ ତେବେ ସେ କଣ କରନ୍ତି ? କେହି ତାଙ୍କ ହାତ ଧରି ସ୍ନାନ କରାଇ ଦିଅନ୍ତି ନା । ତୁମେ ମଧ୍ୟ ସେହି କାମ କରୁଛ । ସମସ୍ତଙ୍କୁ କହୁଛ - ସୁଖର ଲହଡିରେ ଖେଳୁଥାଅ, ଖୁସିର ଲହଡିରେ ଖେଳୁଥାଅ.... ଏହି କାମ କରୁଛ ନା! ନିଜକୁ ବ୍ୟସ୍ତ ରଖିବା ପାଇଁ ତୁମକୁ ଭଲ କାମ ମିଳିଯାଇଛି । କେତେ ବ୍ୟସ୍ତ ରହୁଛ ? ଫୁରସତ୍ ମିଳୁଛି ? ଏହିଥିରେ ସବୁବେଳେ ବ୍ୟସ୍ତ ରହୁଛ, ତେଣୁ ଅନ୍ୟମାନେ ମଧ୍ୟ ତୁମକୁ ଦେଖି ଅନୁକରଣ କରୁଛନ୍ତି । ବାସ୍ ଯୋଗ ଏବଂ ସେବା ବ୍ୟତୀତ ଅନ୍ୟ କିଛି ଦେଖାଯାଉ ନାହିଁ । ସ୍ୱାଭାବିକ ଭାବରେ ମନ ବୁଦ୍ଧି, ଯୋଗ ଏବଂ ସେବା ଆଡକୁ ହିଁ ଚାଲିଯାଉଛି, ଅନ୍ୟ କେଉଁ ଆଡେ ବି ଯାଇ ପାରିବ ନାହିଁ । ମନ ବୁଦ୍ଧିକୁ ଚଲାଇବାକୁ ପଡୁନାହିଁ, ଆପେ ଆପେ ଠିକ୍ ରାସ୍ତାରେ ଚାଲିବାରେ ଲାଗିଛନ୍ତି । ଏହାକୁ ହିଁ କୁହାଯାଏ ଶିଖିଥିବା ବିଦ୍ୟାକୁ ଶିଖାଇବା । ବୁଦ୍ଧିକୁ ଭଲ କାମ ଦେଇ ଦେଇଛ ନା । ତୁମର ପିତା (ବ୍ରହ୍ମାବାବା) ତୁମକୁ ସବୁଥିରେ ପାରଙ୍ଗମ କରିଦେଇ ଯାଇଛନ୍ତି ନା । ଢିଲାଢାଲା ଅବସ୍ଥାରେ ଛାଡି ଦେଇ ଯାଇନାହାଁନ୍ତି । ସବୁଥିରେ ପାରଙ୍ଗମ କରି, ଉଚିତ୍ ସ୍ଥାନରେ ବସାଇ ଦେଇଯାଇଛନ୍ତି । ସାଥୀରେ ତ ଅଛନ୍ତି ପୁଣି ବି ନିମିତ୍ତ ତ ତୁମକୁ କରିଛନ୍ତି ନା । ଯୋଗ୍ୟ କରି ଆସନ ଦେଇଛନ୍ତି । ଏହିଠାରୁ ହିଁ ଆସନ ଅର୍ଥାତ୍ ଦାୟିତ୍ୱର ଭାର ଦେବାର ପରମ୍ପରା ଆରମ୍ଭ ହେଉଛି । ତୁମର ପିତା ତୁମମାନଙ୍କୁ ସେବାର ସିଂହାସନ ଅର୍ଥାତ୍ ସେବାର ଦାୟିତ୍ୱ ଦେଇ ଆଗକୁ ଯାଇଛନ୍ତି, ଏବେ କେବଳ ସାକ୍ଷୀ ହୋଇ ଦେଖୁଛନ୍ତି, ପିଲାମାନେ କିପରି ଆଗକୁ ଆଗକୁ ବଢୁଛନ୍ତି । ସାଥୀ ମଧ୍ୟ ଅଟନ୍ତି ଏବଂ ସାକ୍ଷୀ ମଧ୍ୟ ଅଟନ୍ତି । ଦୁଇଟିଯାକ ପାର୍ଟ କରୁଛନ୍ତି । ସାକାର ରୂପରେ ସାକ୍ଷୀ କହିବା, ଅବ୍ୟକ୍ତ ରୂପରେ ସାଥୀ କହିବା, ଦୁଇଟିଯାକ ପାର୍ଟ କରୁଛନ୍ତି । ଆଚ୍ଛା

ରଦାନ:-
ପ୍ରତି ନିଶ୍ୱାସରେ ଯୋଗ ଏବଂ ସେବାର ସନ୍ତୁଳନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ କରୁଥିବା ସଦା ପ୍ରସନ୍ନଚିତ୍ତ ଆତ୍ମା ହୁଅ ।

ଯେପରି ଯୋଗର ସୂତ୍ରକୁ ସଦାସର୍ବଦା ଯୋଡି ରଖିବା ପାଇଁ ବିଶେଷ ଧ୍ୟାନ ଦେଉଛ ସେହିପରି ସେବା ସହିତ ମଧ୍ୟ ସର୍ବଦା ବୁଦ୍ଧିର ଯୋଗାଯୋଗ ରହିଥାଉ । ପ୍ରତି ନିଶ୍ୱାସରେ ଯୋଗ ଏବଂ ପ୍ରତି ନିଶ୍ୱାସରେ ସେବା ହେଉଥାଉ ଏହାକୁ ହିଁ କୁହାଯାଏ ବାଲାନସ୍ ଅର୍ଥାତ୍ ସନ୍ତୁଳନ ରଖିବା ଏବଂ ଏହିଭଳି ବାଲାନସ୍ ରଖିବା ଦ୍ୱାରା ବ୍ଲେସିଂ ଅର୍ଥାତ୍ ଆଶୀର୍ବାଦର ଅନୁଭବ ମଧ୍ୟ କରିଚାଲିବ ଏବଂ ଏହି ଶବ୍ଦ ଅନ୍ତର ଭିତରୁ ବାହାରିବ ମୁଁ ଆଶୀର୍ବାଦରେ ହିଁ ପାଳିତ ହେଉଛି । ଏହା ଦ୍ୱାରା ମେହନତ କରିବାରୁ ଏବଂ ଯୁଦ୍ଧ କରିବାରୁ ମଧ୍ୟ ମୁକ୍ତ ହୋଇଯିବ । କାହିଁକି, କଣ, କିପରି ଏହି ସବୁ ପ୍ରଶ୍ନ ଗୁଡିକରୁ ମଧ୍ୟ ମୁକ୍ତ ହୋଇ ସର୍ବଦା ପ୍ରସନ୍ନଚିତ୍ତ ରହିପାରିବ । ଏହା ପରେ ସଫଳତା ଜନ୍ମସିଦ୍ଧ ଅଧିକାର ରୂପରେ ଅନୁଭବ ହେବ ।

ସ୍ଲୋଗାନ:-
ଯଦି ବାବାଙ୍କଠାରୁ ପୁରସ୍କାର ନେବାର ଅଛି ତେବେ ନିଜଠାରୁ ଏବଂ ସାଥୀମାନଙ୍କ ଠାରୁ ନିର୍ବିଘ୍ନ ରହିବାର ପ୍ରମାଣ ପତ୍ର ସାଥୀରେ ଥିବା ଦରକାର ।