02.02.20    Avyakt Bapdada     Odia Murli     18.11.85     Om Shanti     Madhuban


ଭଗବାନ ପିତାଙ୍କର ଭାଗ୍ୟବାନ ସନ୍ତାନମାନଙ୍କର ଲକ୍ଷଣ

 


ଆଜି ବାପଦାଦା ସବୁ ପିଲାଙ୍କର ମସ୍ତକରେ ଭାଗ୍ୟର ରେଖାକୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନର ମସ୍ତକରେ ଭାଗ୍ୟର ରେଖା ତ ରହିଛି କିନ୍ତୁ କାହାର-କାହାର ରେଖାଗୁଡିକ ସ୍ପଷ୍ଟ ଭାବରେ ଦେଖାଯାଉଥିବା ବେଳେ ଆଉ କାହାର-କାହାର ସ୍ପଷ୍ଟ ଦେଖାଯାଉ ନାହିଁ । ଯେବେଠାରୁ ଭଗବାନ ପିତାଙ୍କର ସନ୍ତାନ ହୋଇଯାଇଛନ୍ତି, ଭଗବାନ ଅର୍ଥାତ୍ ଭାଗ୍ୟ ବିଧାତା, ଅର୍ଥାତ୍ ଦାତା ଓ ବିଧାତା ହୋଇଥିବା କାରଣରୁ ତାଙ୍କର ସନ୍ତାନ ହେବା ପରେ ଭାଗ୍ୟର ଅଧିକାର ଅର୍ଥାତ୍ ସମ୍ପତ୍ତି ସବୁ ପିଲାଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ କିନ୍ତୁ ସେହି ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ଜୀବନରେ ଧାରଣ କରିବା, ସେବାରେ ଲଗାଇ ତାକୁ ଆହୁରି ଅଧିକ ଶ୍ରେଷ୍ଠ କରିବା ବା ସ୍ପଷ୍ଟ କରିବାରେ ପିଲାମାନେ କମ୍ ବେଶୀ ହୋଇଯାଉଛନ୍ତି, କାହିଁକି ନା ଏହି ଭାଗ୍ୟକୁ ଯେତେ ଯେତେ ନିଜ ପ୍ରତି ବା ସେବା ପ୍ରତି କାର୍ଯ୍ୟରେ ଲଗାଇଥାଅ ସେହି ଅନୁସାରେ ତାହା ବୃଦ୍ଧି ହୋଇଥାଏ ଅର୍ଥାତ୍ ଭାଗ୍ୟର ରେଖା ଅଧିକ ଅଧିକ ସ୍ପଷ୍ଟ ହୋଇଥାଏ । ତୁମମାନଙ୍କର ପିତା ମଧ୍ୟ ଜଣେ ଏବଂ ସମ୍ପତ୍ତି ମଧ୍ୟ ସମସ୍ତଙ୍କୁ ଏକାଭଳି ଦେଉଛନ୍ତି ଅର୍ଥାତ୍ ବାବା କେବେ କମ୍ ବେଶୀ କରି ଭାଗ୍ୟ ବାଣ୍ଟୁ ନାହାଁନ୍ତି କିନ୍ତୁ ଭାଗ୍ୟକୁ ନିର୍ମାଣ କରୁଥିବା ଅର୍ଥାତ୍ ଭାଗ୍ୟବାନ ହେଉଥିବା ପିଲାମାନେ ଏତେ ବଡ ଭାଗ୍ୟକୁ ପ୍ରାପ୍ତ କରିବାରେ ଯଥାଶକ୍ତି ହୋଇଥିବା କାରଣରୁ କ୍ରମାନ୍ୱୟରେ ଆସି ଯାଉଛନ୍ତି ସେଥିପାଇଁ କାହାର କାହାର ଭାଗ୍ୟର ରେଖା ସ୍ପଷ୍ଟ ଦେଖାଯାଉଛି ଆଉ କାହାର ସ୍ପଷ୍ଟ ନୁହେଁ । ତେବେ ସ୍ପଷ୍ଟ ରେଖା ଥିବା ପିଲାମାନେ ନିଜେ ମଧ୍ୟ ପ୍ରତ୍ୟେକ କର୍ମରେ ନିଜକୁ ଭାଗ୍ୟବାନ ଅନୁଭବ କରିଥାନ୍ତି ତା ସହିତ ସେମାନଙ୍କର ଚେହେରା ଏବଂ ଚାଲିଚଳଣ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଅନୁଭବ ହୋଇଥାଏ । ଅନ୍ୟମାନେ ମଧ୍ୟ ଏହିଭଳି ଭାଗ୍ୟବାନ ପିଲାମାନଙ୍କୁ ଦେଖି ଭାବିଥାନ୍ତି ଏବଂ କହିଥାନ୍ତି ଯେ ଏହି ଆତ୍ମାମାନେ ବହୁତ ଭାଗ୍ୟବାନ । ଏମାନଙ୍କର ଭାଗ୍ୟ ସଦାସର୍ବଦା ଶ୍ରେଷ୍ଠ । ତେଣୁ ନିଜେ ନିଜକୁ ପଚାର ପ୍ରତ୍ୟେକ କର୍ମରେ ନିଜକୁ ଭଗବାନ ପିତାଙ୍କର ଭାଗ୍ୟବାନ ସନ୍ତାନ ବୋଲି ଅନୁଭବ କରୁଛ ? କାରଣ ଭାଗ୍ୟ ତୁମମାନଙ୍କର ପୈତୃତ ସମ୍ପତ୍ତି । ପୈତୃକ ସମ୍ପତ୍ତି ପ୍ରାପ୍ତ ନ ହେବା ଅସମ୍ଭବ ଅଟେ । ତେଣୁ ଭାଗ୍ୟକୁ ନିଜର ପୈତୃକ ସମ୍ପତ୍ତି ରୂପରେ ଅନୁଭବ କରୁଛ ? ନା ମେହନତ କରିବାକୁ ପଡୁଛି ? କାରଣ ପୈତୃକ ସମ୍ପତ୍ତି ତ ସହଜରେ ପ୍ରାପ୍ତ ହୋଇଥାଏ, ପରିଶ୍ରମ କରିବାକୁ ପଡେ ନାହିଁ । ଲୌକିକରେ ମଧ୍ୟ ପିତାଙ୍କର ଅର୍ଜିତ ସମ୍ପତ୍ତି ଉପରେ ବା ପୈତୃକ ସମ୍ପତ୍ତି ଉପରେ ଆପେ ଆପେ ପୁତ୍ରକୁ ଅଧିକାର ପ୍ରାପ୍ତ ହୋଇଥାଏ ଏବଂ ତା ଭିତରେ ଖୁସି ମଧ୍ୟ ରହିଥାଏ ଯେ ମୋତେ ମୋର ପିତାଙ୍କଠାରୁ ସମ୍ପତ୍ତି ମିଳିଛି । ତେବେ ତୁମମାନଙ୍କୁ ମଧ୍ୟ ଏହିଭଳି ନିଶା ରହିଛି ନା ନିଶାରେ କମ ବେଶୀ ହେଉଛି ? ଯେହେତୁ ତୁମକୁ ଅବିନାଶୀ ସମ୍ପତ୍ତି ମିଳୁଛି ତେଣୁ ତୁମର କେତେ ନିଶା ରହିବା ଦରକାର! କେବଳ ଏହି ଗୋଟିଏ ଜନ୍ମ ନୁହେଁ ଅନେକ ଜନ୍ମର ଭାଗ୍ୟ ତୁମକୁ ଜନ୍ମ ସିଦ୍ଧ ଅଧିକାର ରୂପରେ ପ୍ରାପ୍ତ ହେଉଛି । ଏହିଭଳି ଗର୍ବର ସହିତ ବର୍ଣ୍ଣନା ମଧ୍ୟ କରୁଛ । ତେଣୁ ସଦାସର୍ବଦା ଭାଗ୍ୟର ଚମକ ପ୍ରତ୍ୟକ୍ଷ ରୂପରେ ଅନ୍ୟମାନଙ୍କୁ ଦେଖାଯାଉ । ତେବେ ଏହିଭଳି ନିଶା ଏବଂ ଚମକ ଉଭୟ ରହୁଛି ? ଗୁପ୍ତ ରୂପରେ ଅଛି ନା ପ୍ରତ୍ୟକ୍ଷ ରୂପରେ ଅଛି ? ତେବେ ଭାଗ୍ୟବାନ ଆତ୍ମାମାନଙ୍କର ଚିହ୍ନ କଣ ? ଭାଗ୍ୟବାନ ଆତ୍ମାମାନେ ସଦାସର୍ବଦା ଚାହେଁ କୋଳରେ ବସିଥିବେ ନଚେତ୍ ଗାଲିଚା ଉପରେ ବସିଥିବେ, ବା ଝୁଲଣାରେ ଝୁଲୁଥିବେ କିନ୍ତୁ ମାଟି ଉପରେ ପାଦ ରଖିବେ ନାହିଁ ବା ସେମାନଙ୍କର ପାଦ କେବେ ମଇଳା ହେବ ନାହିଁ । ଦୁନିଆର ଲୋକମାନେ ତ ଗାଲିଚା ଉପରେ ଚାଲିଥାନ୍ତି କିନ୍ତୁ ତୁମେମାନେ ନିଜର ବୁଦ୍ଧିରୂପୀ ପାଦ ଦ୍ୱାରା ସଦାସର୍ବଦା ମାଟି ଉପରେ ଚାଲିବା ପରିବର୍ତ୍ତେ ଫରିସ୍ତାମାନଙ୍କର ଦୁନିଆରେ ରହୁଛ ଅର୍ଥାତ୍ ଏହି ପୁରୁଣା ମାଟିର ଦୁନିଆରେ ନିଜର ବୁଦ୍ଧିରୂପୀ ପାଦ ରଖୁନାହଁ ଅର୍ଥାତ୍ ନିଜର ବୁଦ୍ଧିକୁ ମଇଳା କରୁନାହଁ କାରଣ ଭାଗ୍ୟବାନ ପିଲାମାନେ କେବେହେଲେ ମାଟିର ଖେଳଣାରେ ଖେଳନ୍ତି ନାହିଁ, ସବୁବେଳେ ରତ୍ନରେ ଖେଳୁଥାନ୍ତି । ଭାଗ୍ୟବାନ ପିଲାମାନେ ସଦାସର୍ବଦା ସମ୍ପନ୍ନ ଥିବା କାରଣରୁ ଇଚ୍ଛା ମାତ୍ରକେ ଅବିଦ୍ୟା ସ୍ଥିତିରେ ରହିଥାନ୍ତି । ଭାଗ୍ୟବାନ ଆତ୍ମାମାନେ ସଦାସର୍ବଦା ମହାଦାନୀ ପୂଣ୍ୟଆତ୍ମା ହୋଇ ଅନ୍ୟମାନଙ୍କର ମଧ୍ୟ ଭାଗ୍ୟ ଗଢି ଚାଲିଥାନ୍ତି । ଭାଗ୍ୟବାନ ଆତ୍ମାମାନେ ସର୍ବଦା ମୁକୁଟ, ତିଳକ ଏବଂ ସିଂହାସନର ଅଧିକାରୀ ହୋଇ ରହିଥାନ୍ତି । ଭାଗ୍ୟବାନ ଆତ୍ମା ଯେତିକି ଭାଗ୍ୟର ଅଧିକାରୀ ହୋଇଥାନ୍ତି ସେତିକି ତ୍ୟାଗଧାରୀ ମଧ୍ୟ ହୋଇଥାନ୍ତି । କାରଣ ତ୍ୟାଗ ହିଁ ଭାଗ୍ୟର ପ୍ରତୀକ ବା ତ୍ୟାଗ ହିଁ ଭାଗ୍ୟକୁ ସ୍ପଷ୍ଟ କରିଥାଏ । ଭାଗ୍ୟବାନ ଆତ୍ମା ସଦା ସର୍ବଦା ଭଗବାନଙ୍କ ଭଳି ନିରାକାରୀ, ନିରହଂକାରୀ ଏବଂ ନିର୍ବିକାରୀ ଅବସ୍ଥାରେ ରହିଥାଏ ଅର୍ଥାତ୍ ଏହି ତିନିଟିଯାକ ବିଶେଷତାରେ ଭରପୁର ରହିଥାଏ । ତେବେ ଏହି ସବୁ ବିଶେଷତା ଗୁଡିକୁ ନିଜ ଭିତରେ ଅନୁଭବ କରୁଛ ? କାରଣ ଭାଗ୍ୟବାନ ଆତ୍ମାମାନଙ୍କ ତାଲିକାରେ ତ ଅଛ ନା, କିନ୍ତୁ ଯଥାଶକ୍ତିବାନ ଅଟ ନା ସର୍ବଶକ୍ତିବାନ ଅଟ ? ମାଷ୍ଟର ଅର୍ଥାତ୍ ମାଲିକ ତ ଅଟ ନା ? ବାବାଙ୍କର ମହିମାରେ କେବେହେଲେ ଯଥାଶକ୍ତିବାନ ବା କମୀବେଶୀ ଥିବାର କୁହାଯାଏ ନାହିଁ, ସର୍ବଶକ୍ତିବାନ କୁହାଯାଏ । ତେଣୁ ତୁମେ ମାଷ୍ଟର ପିଲାମାନେ ଯଥାଶକ୍ତିବାନ କାହିଁକି ହେଉଛ ? ସର୍ବଶକ୍ତିବାନ ହୁଅ । ଯଥା ଶବ୍ଦକୁ ପରିବର୍ତ୍ତନ କରି ସଦା ଶକ୍ତିବାନ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କର । ବୁଝିଲ!

କେଉଁ ଜୋନ୍ର ପିଲାମାନେ ବାପଦାଦଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ? ସମସ୍ତେ ଏହି ବରଦାନ ଭୂମିରେ ପହଞ୍ଚି ଅନେକ ଅନେକ ବରଦାନରେ ନିଜର ବୁଦ୍ଧିରୂପୀ ଝୁଲାମୁଣୀକୁ ଭରପୁର କରୁଛ ନା! ବରଦାନ ଭୂମିରେ ଗୋଟିଏ ଗୋଟିଏ ଚରିତ୍ରରେ, ଗୋଟିଏ ଗୋଟିଏ କର୍ମରେ ବିଶେଷ ବରଦାନ ଭରି ରହିଛି । ଯଜ୍ଞ ଭୂମିକୁ ଆସି ଚାହେଁ ପରିବା କାଟ ବା ଚାଉଳରୁ ଗୋଡି ବାହାର କର, ସେଥିରେ ମଧ୍ୟ ଯଜ୍ଞ ସେବାର ବରଦାନ ଭରି ରହିଛି । ଯେପରି ତୀର୍ଥସ୍ଥାନ ମାନଙ୍କରେ ମନ୍ଦିରର ସଫେଇ କରିବାରେ ମଧ୍ୟ ବହୁତ ବଡ ପୁଣ୍ୟ ଅନୁଭବ କରନ୍ତି । ତେଣୁ ଏହି ମହାତୀର୍ଥ ବା ବରଦାନ ଭୂମିରେ ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ପାଦରେ ବରଦାନ ହିଁ ବରଦାନ ଭରି ରହିଛି । ତେବେ ତୁମେମାନେ ନିଜର ଝୁଲାମୁଣୀକୁ କେତେ ଭରପୂର କରିଛ ? ସମ୍ପୂର୍ଣ୍ଣ ଭରପୁର କରି ଏଠାରୁ ଯିବ ବା ଯଥାଶକ୍ତି ଭରିବ ? ଯିଏ ଯେଉଁଠୁ ବି ଆସିଛ ମିଳନ ମେଳା କରିବା ପାଇଁ ହିଁ ଆସିଛ । ମଧୁବନକୁ ଆସି ଗୋଟିଏ ବି ସଂକଳ୍ପ ବା ଗୋଟିଏ ବି ମୂହୁର୍ତ୍ତ ବ୍ୟର୍ଥରେ ନଯାଉ । ଏଠାରେ ସମର୍ଥ ହେବାର ଏହିଭଳି ଅଭ୍ୟାସ ନିଜ ନିଜ ସ୍ଥାନରେ ମଧ୍ୟ ସହଯୋଗ ଦେବ । ଏଠିକାର ପାଠପଢାର ମଧ୍ୟ ଲାଭ ନେବାକୁ ହେବ ଏବଂ ପରିବାରର ଅନୁଭବ ମଧ୍ୟ ବିଶେଷ ଭାବରେ କରିବାକୁ ହେବ । ବୁଝିଲ!

ବାପଦାଦା ସମସ୍ତ ଜୋନ୍ର ପିଲାମାନଙ୍କୁ ସର୍ବଦା ବରଦାନୀ, ମହାଦାନୀ ହେବାର ଅଭିନନ୍ଦନ ଦେଉଛନ୍ତି । ଲୋକମାନଙ୍କର ଉତ୍ସବ ତ ସମାପ୍ତ ହୋଇଗଲା କିନ୍ତୁ ତୁମମାନଙ୍କର ଉତ୍ସାହ ଭରା ଉତ୍ସବ ସଦାସର୍ବଦା ହେଉଥିବ । ତେଣୁ ତୁମପାଇଁ ତ ସଦାସର୍ବଦା ବଡ ଦିନ ସେଥିପାଇଁ ସବୁ ଦିନ ପାଇଁ ଅଭିନନ୍ଦନ । ମହାରାଷ୍ଟ୍ର ଜୋନ୍ର ପିଲାମାନେ ସର୍ବଦା ନିଜେ ମହାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ମହାନ କରିବାରେ ବା ବରଦାନରେ ନିଜର ଅଣ୍ଟି ଭରି ଦେଉଛନ୍ତି । କର୍ଣ୍ଣାଟକର ପିଲାମାନେ ସର୍ବଦା ନିଜର ହର୍ଷିତମୁଖ ଚେହେରା ଦ୍ୱାରା ନିଜେ ମଧ୍ୟ ହର୍ଷିତ ରହୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସର୍ବଦା ହର୍ଷିତ କରୁଛନ୍ତି, ତେଣୁ ଏହିଭଳି ସଦାସର୍ବଦା ନିଜର ଅଣ୍ଟି ଭରୁଥାଅ । ତେବେ ୟୁ.ପିର ପିଲାମାନେ କଣ କରିବେ ? ସର୍ବଦା ଶୀତଳ ଜଳପୂର୍ଣ୍ଣ ନଦୀ ଭଳି ଶୀତଳତାର ବରଦାନ ଦେଇ ଶୀତଳା ଦେବୀ ସାଜି ଅନ୍ୟମାନଙ୍କୁ ମଧ୍ୟ ଶୀତଳ ଦେବୀ ରୂପରେ ତିଆରି କର ଏବଂ ନିଜର ଶୀତଳତାର ବିଶେଷତା ଦ୍ୱାରା ସମସ୍ତଙ୍କର ସବୁ ପ୍ରକାରର ଦୁଃଖ ଦୂର କର । ଏହିଭଳି ବରଦାନ ଦ୍ୱାରା ନିଜର ଅଣ୍ଟି ଭରପୁର କର । ଆଚ୍ଛା!

ସର୍ବଦା ଶ୍ରେଷ୍ଠ ଭାଗ୍ୟର ସ୍ପଷ୍ଟ ରେଖାଧାରୀ, ସର୍ବଦା ବାବାଙ୍କ ସମାନ ସର୍ବଶକ୍ତିରେ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ରହୁଥିବା, ସଦାସର୍ବଦା ଈଶ୍ୱରୀୟ ଚମକ ଏବଂ ଶ୍ରେଷ୍ଠ ଭାଗ୍ୟର ନିଶାରେ ରହୁଥିବା, ନିଜର ସମସ୍ତ କର୍ମ ଦ୍ୱାରା ନିଜେ ଭାଗ୍ୟବାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଭାଗ୍ୟରୂପୀ ସମ୍ପତ୍ତି ପାଇବାର ଯୋଗ୍ୟ ପାତ୍ର କରୁଥିବା ମାଷ୍ଟର ଭାଗ୍ୟବାନ, ଶ୍ରେଷ୍ଠ ଭାଗ୍ୟବାନ ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ବରିଷ୍ଠ ଦାଦୀମାନଙ୍କ ସହିତ ବାପଦାଦାଙ୍କର ସାକ୍ଷାତ:- ଆରମ୍ଭ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ରହିଆସିଛନ୍ତି ସେମାନଙ୍କର ବିଶେଷତା ହେଲା - ଯେପରି ବ୍ରହ୍ମାବାବା ପ୍ରତି ପାଦରେ ନିଜେ ଅନୁଭବୀ ହୋଇ ଅନୁଭବର ଅଥୋରିଟୀ ଅର୍ଥାତ୍ କ୍ଷମତା ଦ୍ୱାରା ବିଶ୍ୱ ଉପରେ ରାଜ୍ୟ କରିବାର କ୍ଷମତା ପ୍ରାପ୍ତ କରୁଛନ୍ତି ସେହିପରି ତୁମେ ସମସ୍ତେ ବହୁତ ସମୟ ଧରି ସବୁ ପ୍ରକାରର ଅନୁଭବର କ୍ଷମତା ପ୍ରାପ୍ତ କରିଥିବା କାରଣରୁ ବା ଅଧିକାରୀପଣିଆ କାରଣରୁ ବହୁତ କାଳ ଧରି ରାଜ୍ୟ କରିବାର ଅଧିକାରୀ ହେବାରେ ମଧ୍ୟ ସାଥୀ ହେବାକୁ ଯାଉଛ, ଯେଉଁମାନେକି ଆରମ୍ଭରୁ ହିଁ ସଂକଳ୍ପ କରିନେଇଛନ୍ତି - ଯେଉଁଠି ବସାଇବ, ଯେପରି ଚଲାଇବ ସେହିପରି ଚାଲିବା ସହିତ ସାଥିରେ ଚାଲିବୁ । ତେଣୁ ସାଥୀରେ ନେଇ ଯିବାର ପ୍ରଥମ ପ୍ରତିଜ୍ଞାକୁ ବାପଦାଦାଙ୍କୁ ମଧ୍ୟ ପାଳନ କରିବାକୁ ହିଁ ପଡିବ । ତେଣୁ ତୁମେମାନେ ରାଜ୍ୟ କରିବା ସମୟରେ ଏବଂ ଭକ୍ତି ସମୟରେ ମଧ୍ୟ ବ୍ରହ୍ମାବାବାଙ୍କର ସାଥୀରେ ରହିବ । ବର୍ତ୍ତମାନ ଯେତିକି ଯେତିକି ବୁଦ୍ଧି ଦ୍ୱାରା ସାଥୀରେ ରହୁଛ ସେହି ହିସାବରେ ରାଜ୍ୟ କରିବାରେ ମଧ୍ୟ ସର୍ବଦା ସାଥୀରେ ରହିବ । ଯଦି ବର୍ତ୍ତମାନ ଟିକିଏ ବି ଦୂରେଇଯିବ ତେବେ କେଉଁ ଜନ୍ମରେ ଦୂର ସମ୍ବନ୍ଧରେ ରହିବ ଏବଂ କେଉଁ ଜନ୍ମରେ ନିକଟ ସମ୍ବନ୍ଧରେ ରହିବ କିନ୍ତୁ ଯେଉଁମାନେ ବର୍ତ୍ତମାନ ବୁଦ୍ଧି ଦ୍ୱାରା ସଦାସର୍ବଦା ସାଥୀରେ ରହୁଛନ୍ତି ସେମାନେ ସେଠାରେ ମଧ୍ୟ ସବୁ ଜନ୍ମରେ ସାଥୀରେ ରହିବେ । ସାକାରରେ ତ ତୁମେମାନେ ୧୪ ବର୍ଷ ସାଥୀରେ ରହିଛ, ତେଣୁ ସଂଗମଯୁଗରେ ଏହି ୧୪ ବର୍ଷ କେତେ ବର୍ଷ ସହିତ ସମାନ ହୋଇଗଲା! ସଂଗମଯୁଗରେ ଏତିକି ସମୟ ସାକାର ରୂପରେ ସାଥୀରେ ରହିଛ, ଏହା ମଧ୍ୟ ବହୁତ ବଡ ଭାଗ୍ୟ । ପୁଣି ଏବେ ବୁଦ୍ଧି ଦ୍ୱାରା ମଧ୍ୟ ସାଥୀରେ ଅଛ, ଘରେ ମଧ୍ୟ ସାଥୀରେ ରହିବ ଏବଂ ରାଜ୍ୟ କରିବାରେ ମଧ୍ୟ ସାଥୀରେ ରହିବ । ଯଦିଓ ସିଂହାସନ ଉପରେ ଅଳ୍ପ କେତେ ଜଣ ବସିବେ କିନ୍ତୁ ରାଜପରିବାରରେ ନିକଟ ସମ୍ବନ୍ଧରେ ରହିବାର ପାର୍ଟ ଏବଂ ସାରା ଦିନର ଦିନଚର୍ଯ୍ୟାରେ ସାଥୀରେ ରହିବାର ପାର୍ଟ ନିଶ୍ଚିତ କରିବ । ତେଣୁ ଏହିଭଳି ଆରମ୍ଭ ସମୟରୁ ସାଥୀରେ ରହିବାର ପ୍ରତିଜ୍ଞା ସାରା କଳ୍ପ ସାଥୀରେ ଚାଲିବ କାରଣ ଭକ୍ତି ସମୟରେ ମଧ୍ୟ ବହୁତ ସମୟ ସାଥୀରେ ରହିବ । ଯଦିଓ ଶେଷ ଆଡକୁ ଅଳ୍ପ କିଛି ସମୟ ପାଇଁ କେହି ନିକଟ କେହି ଦୂର ହୋଇଯାଉଛନ୍ତି କିନ୍ତୁ ପୁଣି ବି ସାରା କଳ୍ପ କୌଣସି ନା କୌଣସି ରୂପରେ ସାଥୀରେ ରହୁଛ । ଏହିଭଳି ପ୍ରତିଜ୍ଞା କରିଛ ନା! ସେଥିପାଇଁ ତୁମମାନଙ୍କୁ ସମସ୍ତେ କେଉଁ ଦୃଷ୍ଟିରେ ଦେଖୁଛନ୍ତି ? ବ୍ରହ୍ମାବାବାଙ୍କର ସ୍ୱରୂପ ଭଳି ଦେଖୁଛନ୍ତି । ଏହାକୁ ହିଁ ଭକ୍ତିମାର୍ଗରେ ସେମାନେ କହିଦେଇଛନ୍ତି ଏମାନେ ସମସ୍ତେ ଭଗବାନଙ୍କର ରୂପ, କାହିଁକି ନା ବାବାଙ୍କର ସମାନ ହୋଇଯାଉଛ ନା । ତୁମମାନଙ୍କ ରୂପରେ ବାବାଙ୍କର ରୂପ ଦେଖୁଛନ୍ତି ସେଥିପାଇଁ ବାବାଙ୍କ ସ୍ୱରୂପ ବୋଲି କହିଦେଉଛନ୍ତି । ତେଣୁ ଯେଉଁମାନେ ବାବାଙ୍କ ସାଥୀରେ ରହୁଛନ୍ତି ସେମାନଙ୍କର ବିଶେଷତା ହେଲା - ସେମାନଙ୍କୁ ଦେଖି ବାବା ମନେ ପଡିବେ, ସେମାନଙ୍କୁ ମନେ ପକାଇବେ ନାହିଁ କିନ୍ତୁ ବାବାଙ୍କୁ ମନେ ପକାଇବେ । ସେମାନଙ୍କ ଦ୍ୱାରା ବାବାଙ୍କର ଚରିତ୍ର, ବାବାଙ୍କର କର୍ମ, ବାବାଙ୍କର ଦୃଷ୍ଟି, ସବୁ କିଛି ଅନୁଭବ ହେବ । ସେମାନେ ନିଜେ ଦେଖାଯିବେ ନାହିଁ କିନ୍ତୁ ସେମାନଙ୍କ ଦ୍ୱାରା ବାବାଙ୍କର ଦୃଷ୍ଟି ବା ବାବାଙ୍କର କର୍ମ ଅନୁଭବ ହେବ । ଏହା ହିଁ ହେଉଛି ଅନନ୍ୟ ଅର୍ଥାତ୍ ବାବାଙ୍କ ସମାନ ହେଉଥିବା ପିଲାମାନଙ୍କର ବିଶେଷତା । ତୁମେ ସମସ୍ତେ ଏହିଭଳି ଅଟ ନା! ତୁମ ସହିତ ତ କେହି ଯୋଡି ହେଉ ନାହାଁନ୍ତି ନା! ଏଭଳି କେବେ ବି କହିବେ ନାହିଁ ଯେ ଅମୁକ ଦାଦୀ ବା ଦୀଦୀ ବହୁତ ଭଲ, କହୁଛନ୍ତି ବାବା ଏମାନଙ୍କୁ କେତେ ଭଲ କରିଛନ୍ତି, ଯାହାକି ଏମାନଙ୍କ ଦ୍ୱାରା ବାବାଙ୍କର ଦୃଷ୍ଟି, ବାବାଙ୍କର ପାଳନା ମିଳୁଛି । ଏମାନଙ୍କ ଠାରୁ ବାବାଙ୍କର ମହାବାକ୍ୟ ଶୁଣୁଛୁ । ଏହା ହିଁ ହେଉଛି ବିଶେଷତା । ଏହାକୁ ହିଁ କୁହାଯାଉଛି ସମସ୍ତଙ୍କଠାରୁ ଅଲଗା ଏବଂ ସମସ୍ତଙ୍କର ପ୍ରିୟ । ଯଦିଓ ସମସ୍ତଙ୍କର ପ୍ରିୟ ଅଟ କିନ୍ତୁ କାହାକୁ ବି ନିଜ ସହିତ ଯୋଡୁ ନାହଁ ବା ନିଜ ଆଡକୁ ଆକର୍ଷିତ କରୁନାହଁ । ତେଣୁ ବାବାଙ୍କ ପରିବର୍ତ୍ତେ ତୁମକୁ କେହି ମନେ ନ ପକାନ୍ତୁ କିନ୍ତୁ ବାବାଙ୍କର ଶକ୍ତି ନେବା ପାଇଁ, ବାବାଙ୍କର ମହାବାକ୍ୟ ଶୁଣିବା ପାଇଁ ତୁମକୁ ମନେ ପକାନ୍ତୁ । ଏହାକୁ ହିଁ କୁହାଯାଏ ନ୍ୟାରା ଏବଂ ପ୍ୟାରା ଅର୍ଥାତ୍ ସମସ୍ତଙ୍କଠାରୁ ଅଲଗା କିନ୍ତୁ ସମସ୍ତଙ୍କର ପ୍ରିୟ । ତୁମମାନଙ୍କର ଏହି ସଂଗଠନ ଏହିଭଳି ଅଟେ ନା । କିଛି ନା କିଛି ବିଶେଷତା ତ ଥିବ ନା । ଯାହାକି ସାକାରରେ ପାଳନା ପାଇବାର ଅଧିକାରୀ ହୋଇପାରିଛ । କେହି ଯଦି ତୁମ ନିକଟକୁ ଆସୁଛନ୍ତି ତେବେ କଣ ପଚାରୁଛନ୍ତି ? ବ୍ରହ୍ମାବାବା କିପରି ପୁରୁଷାର୍ଥ କରୁଥିଲେ, କଣ କରୁଥିଲେ....ଏହି କଥା ମନକୁ ଆସୁଛି ନା! ତେଣୁ ସମସ୍ତେ ଏହିଭଳି ବିଶେଷ ଆତ୍ମା ଅଟ । ଏହାକୁ ହିଁ କୁହାଯାଏ - ଡିଭାଇନ୍ ୟୁନଟୀ ଅର୍ଥାତ୍ ଦିବ୍ୟତା ସମ୍ପନ୍ନ ଏକତା । ଦିବ୍ୟପିତାଙ୍କର ସ୍ମରଣ କରାଇ ଦିବ୍ୟ କରିଦେଉଛ ସେଥିପାଇଁ କୁହାଯାଉଛି ଡିଭାଇନ ୟୁନିଟୀ । ୫୦ ବର୍ଷ ପର୍ଯ୍ୟନ୍ତ ଅବିନାଶୀ ରହି ଆସିଲ ସେଥିପାଇଁ ଅବିନାଶୀ ଭବର ଅଭିନନ୍ଦନ ସ୍ୱୀକାର କର । ଏଠାକୁ ତ କେତେଜଣ ହିଁ ଆସିଛନ୍ତି ଆଉ କେତେ ଜଣ ସେବାରେ ଚକ୍ର ଲଗାଉଛନ୍ତି । ତୁମେମାନେ ତ ଅନାଦି ଅବିନାଶୀ ହୋଇଗଲ କାରଣ ଅନାଦି କାଳରୁ ଅର୍ଥାତ୍ ପରମଧାମରେ ମଧ୍ୟ ଏକାଠି ରହୁଛ ଏବଂ ଆଦି ସମୟରେ ଅର୍ଥାତ୍ ସତ୍ୟଯୁଗରେ ମଧ୍ୟ ସାଥୀରେ ରହୁଛ । କିନ୍ତୁ ବର୍ତ୍ତମାନ ଯଦି ବାବାଙ୍କ ସହିତ ସୂକ୍ଷ୍ମବତନରେ ଏକାଠି ରହିବ ତେବେ ସେବା କିପରି ହେବ ? ତୁମେମାନେ ତ ଟିକିଏ ଆରାମ ମଧ୍ୟ କରୁଛ କିନ୍ତୁ ବାବାଙ୍କୁ ତ ଆରାମ କରିବାର ମଧ୍ୟ ଆବଶ୍ୟକତା ନାହିଁ । ବାପଦାଦା ଏଥିରୁ ମଧ୍ୟ ମୁକ୍ତ ଅଟନ୍ତି କାରଣ ଅବ୍ୟକ୍ତକୁ ଆରାମ କରିବାର ଆବଶ୍ୟକତା ନାହିଁ । ବ୍ୟକ୍ତକୁ ଅର୍ଥାତ୍ ସାକାର ଦେହଧାରୀଙ୍କୁ ଆବଶ୍ୟକତା ଅଛି । ତେଣୁ ଏଥିରେ ଯଦି ବାପଦାଦା ନିଜ ସମାନ କରିଦେବେ ତେବେ ସବୁ ବିଗିଡିଯିବ । ପୁଣି ବି ଦେଖ ଯେତେବେଳେ କୌଣସି ସେବାର ସୁଯୋଗ ଆସୁଛି ସେତେବେଳେ ଅଥକ ହୋଇଯାଉଛ ଅର୍ଥାତ୍ ଆରାମ କରିବାକୁ ପଡୁନାହିଁ ବା ଥକିଯାଉନାହିଁ । ଆଚ୍ଛା!

ଦାଦୀଜୀଙ୍କ ସହିତ ସାକ୍ଷାତ:- ପିଲାଦିନଠାରୁ ବାବା ତୁମକୁ ମୁକୁଟଧାରୀ କରିଦେଉଛନ୍ତି । ଯଜ୍ଞକୁ ଆସିବା ମାତ୍ରକେ ଦାୟିତ୍ୱର ମୁକୁଟ ପିନ୍ଧାଇ ଦେଲେ ଏବଂ ସମୟ ଅନୁସାରେ ଯାହା ବି ସବୁ ପାର୍ଟ ଚାଲିଲା - ଚାହେଁ ବେଗରୀ ପାର୍ଟ ଅର୍ଥାତ୍ ଦାରିଦ୍ର୍ୟର ଅନୁଭବୀ ହେବାର ପାର୍ଟ ହେଉ ବା ଖୁସି ମଉଜର ପାର୍ଟ ହେଉ, ଡ୍ରାମା ଅନୁସାରେ ସବୁଥିରେ ଦାୟିତ୍ୱର ମୁକୁଟ ଧାରଣ କରିଆସିଛ ସେଥିପାଇଁ ବ୍ରହ୍ମାବାବାଙ୍କର ଅବ୍ୟକ୍ତ ହେବା ପରେ ବା ଅବ୍ୟକ୍ତ ପାର୍ଟରେ ମଧ୍ୟ ଦାୟିତ୍ୱର ମୁକୁଟଧାରୀ ହେବାରେ ନିମିତ୍ତ ହୋଇଗଲ । ତେଣୁ ଏହିଭଳି ଭାବରେ ଆରମ୍ଭରୁ ହିଁ ବିଶେଷ ପାର୍ଟ କରିଆସୁଛ । ସବୁବେଳେ ଦାୟିତ୍ୱ ନେଇ ଆସିଛ । ଯେହେତୁ ବାବା ସବୁଥିରେ ଆଗରେ ଅଛନ୍ତି ତେଣୁ ଦାୟିତ୍ୱର ମୁକୁଟଧାରୀ ହେବାର ବିଶେଷ ପାର୍ଟ ତୁମକୁ ମିଳିଛି ସେଥିପାଇଁ ଅନ୍ତିମ ସମୟରେ ମଧ୍ୟ ଦୃଷ୍ଟିଦ୍ୱାରା ମୁକୁଟ, ତିଳକ ଇତ୍ୟାଦି ସବୁ କିଛି ସମର୍ପିତ କରିଦେଇଗଲେ, ତେଣୁ ତୁମର ଯେଉଁଠାରେ ବି ସ୍କାରକୀ ମୂର୍ତ୍ତି ଥିବ ସେଠାରେ ମୁକୁଟ ନିଶ୍ଚିତ ଥିବ । ଯେପରି କୃଷ୍ଣଙ୍କୁ ବାଲ୍ୟାବସ୍ଥାରୁ ହିଁ ମୁକୁଟଧାରୀ ରୂପରେ ଦେଖାଇଛନ୍ତି ଅର୍ଥାତ୍ ଭକ୍ତିମାର୍ଗର ସ୍ମାରକୀରେ ମଧ୍ୟ ପିଲାଦିନରୁ ମୁକୁଟଧାରୀ ରୂପରେ ପୂଜା କରୁଛନ୍ତି । ଅନ୍ୟ ସମସ୍ତେ ତ ସାଥୀ ଅଟନ୍ତି କିନ୍ତୁ ତୁମେ ମୁକୁଟଧାରୀ ଅଟ ଅର୍ଥାତ୍ ଦାୟିତ୍ୱର ମୁକୁଟ ପିନ୍ଧିଛ । ସାଥୀରେ ରହିବାର ପାର୍ଟ ତ ସମସ୍ତେ କରୁଛନ୍ତି କିନ୍ତୁ ସମାନ ରୂପରେ ସାଥୀରେ ରହିବାରେ ଅନ୍ତର ରହିଛି ।

ପାର୍ଟିମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ୍:
କୁମାରମାନଙ୍କ ସହିତ:- କୁମାର ଅର୍ଥାତ୍ ନିର୍ବନ୍ଧନ । ମନର ବ୍ୟର୍ଥ ସଂକଳ୍ପର ବନ୍ଧନ ହିଁ ସବୁଠାରୁ ବଡ ବନ୍ଧନ ଅଟେ । ଏଥିରୁ ମଧ୍ୟ ତୁମେମାନେ ନିର୍ବିନ୍ଧନ କେବେ କେବେ ଏହି ବ୍ୟର୍ଥ ସଂକଳ୍ପର ବନ୍ଧନ ତୁମମାନଙ୍କୁ ବାନ୍ଧି ଦେଉନାହି ତ ? କାରଣ ପ୍ରତିମୁହୂର୍ତ୍ତରେ ରୋଜଗାର ଜମା କରିବାର ଆଧାର ହେଲା ସଂକଳ୍ପ ଶକ୍ତି । ଯୋଗର ଯାତ୍ରା ମଧ୍ୟ କେଉଁ ଶକ୍ତି ଆଧାରରେ କରୁଛ ? ସଂକଳ୍ପ ଶକ୍ତି ଆଧାରରେ ବାବାଙ୍କ ନିକଟରେ ପହଞ୍ଚି ଯାଉଛ ନା! ଅଶରୀରୀ ହୋଇଯାଉଛ ନା । ତେଣୁ ମନର ଶକ୍ତି ବିଶେଷ ଶକ୍ତି ଅଟେ । ବ୍ୟର୍ଥ ସଂକଳ୍ପ ମନର ଶକ୍ତିକୁ ଦୁର୍ବଳ କରିଦିଏ ସେଥିପାଇଁ ଏହି ବନ୍ଧନରୁ ମୁକ୍ତ ରୁହ । କୁମାର ଅର୍ଥାତ୍ ସର୍ବଦା ତୀବ୍ର ପୁରୁଷାର୍ଥୀ କାହିଁକି ନା ଯିଏ ନିର୍ବନ୍ଧନ ତାର ଗତି ଆପେ ଆପେ ତୀବ୍ର ହୋଇଯିବ । ବୋଝବାଲା ଧୀରେ ଧୀରେ ଚାଲିବ । ହାଲୁକା ରହୁଥିବା ଆତ୍ମା ସର୍ବଦା ତୀବ୍ର ଗତିରେ ଚାଲିବ । ବର୍ତ୍ତମାନର ସମୟ ଅନୁସାରେ ସାଧାରଣ ପୁରୁଷାର୍ଥ କରିବାର ସମୟ ଚାଲିଗଲାଣି, ଏବେ ତୀବ୍ର ପୁରୁଷାର୍ଥୀ ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ ।

(୨) କୁମାରମାନେ ପୁରୁଣା ବ୍ୟର୍ଥର ଖାତାକୁ ସମାପ୍ତ କରିଦେଲେଣି ? ନୂଆ ଖାତାକୁ ସମର୍ଥ ଖାତା କୁହାଯିବ, ପୁରୁଣାକୁ ବ୍ୟର୍ଥ ତେଣୁ ପୁରୁଣା ଖାତା ସମାପ୍ତ ହେଲା । ଏମତି ବି ଲୌକିକ ଘରେ ମଧ୍ୟ ପୁରୁଣା ଖାତା ରଖନ୍ତି ନାହିଁ । ପୁରୁଣାକୁ ସମାପ୍ତ କରି ନୂଆ ଖାତାକୁ ଆଗକୁ ବଢାଇ ଚାଲନ୍ତି । ତେଣୁ ଏଠାରେ ମଧ୍ୟ ସମସ୍ତ ପୁରୁଣା ଖାତାକୁ ସମାପ୍ତ କରି ପ୍ରତି ପାଦରେ ନୂଆରୁ ନୂଆ ସମର୍ଥ ଖାତା ଜମା କର । ପ୍ରତ୍ୟେକ ସଂକଳ୍ପକୁ ସମର୍ଥ କର । ଯେପରି ପିତା ସେହିପରି ପୁତ୍ରମାନେ । ପିତା ଯଦି ସମର୍ଥ ହୋଇଥାନ୍ତି ତେବେ ପୁତ୍ରମାନେ ମଧ୍ୟ ଫଲୋ ଫାଦର କରି ସମର୍ଥ ହୋଇଯାଆନ୍ତି ।

ମାତାମାନଙ୍କ ସହିତ:- ମାତାମାନେ କେଉଁ ଗୁଣ ଗୁଡିକରେ ଅନୁଭବୀ ଅଟ ? ସେହି ବିଶେଷ ଗୁଣ ଗୁଡିକ କଣ ? ତ୍ୟାଗ ଏବଂ ସହନଶୀଳତା) ସହିତ ଆହୁରି ଅନେକ ଗୁଣ ଅଛି । ମାତାମାନଙ୍କର ସ୍ୱରୂପ ବିଶେଷ କରି ଦୟାଶୀଳ ହୋଇଥାଏ । ମାତାମାନେ ଦୟାଶୀଳ ଅଟନ୍ତି । ତୁମମାନଙ୍କ ଭଳି ବେହଦର ମାତାମାନଙ୍କ ଭିତରେ ବେହଦ ବିଶ୍ୱର ଆତ୍ମାମାନଙ୍କ ପ୍ରତି ଦୟାଭାବ ଆସୁଛି ? ଯେତେବେଳେ ଦୟାଭାବ ଆସେ ସେତେବେଳେ କଣ କରନ୍ତି ? ଯେଉଁମାନେ ଦୟାଶୀଳ ସେମାନେ ସେବା ନକରି ରହିପାରନ୍ତି ନାହିଁ । ଯେତେବେଳେ ତୁମେମାନେ ଦୟାଶୀଳ ହୋଇଯାଉଛ ସେତେବେଳେ ଅନେକ ଆତ୍ମାଙ୍କର କଲ୍ୟାଣ ଆପେ ଆପେ ହୋଇଯାଉଛି ସେଥିପାଇଁ ମାତାମାନଙ୍କୁ କଲ୍ୟାଣୀ କୁହାଯାଏ । କଲ୍ୟାଣୀ ଅର୍ଥାତ୍ ସମସ୍ତଙ୍କର କଲ୍ୟାଣ କରୁଥିବା ଆତ୍ମା । ଯେପରି ବାବାଙ୍କୁ ବିଶ୍ୱ କଲ୍ୟାଣକାରୀ ବୋଲି କହୁଛନ୍ତି ସେହିପରି ମାତାମାନଙ୍କୁ ମଧ୍ୟ ବିଶେଷ ଭାବରେ ବାବାଙ୍କ ସମାନ କଲ୍ୟାଣୀ ହେବାର ଉପାଧି ମିଳିଛି । ମନ ଭିତରେ ଏହିଭଳି ଉତ୍ସାହ-ଉଦ୍ଦୀପନା ଆସୁଛି ? କଣ ଥିଲି, କଣ ହୋଇଗଲି । ସ୍ୱ ଅର୍ଥାତ୍ ନିଜର ପରିବର୍ତ୍ତନ ଦ୍ୱାରା ଅନ୍ୟମାନଙ୍କୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଉମଙ୍ଗ-ଉତ୍ସାହ ଆସିଥାଏ । ହଦ୍ ଏବଂ ବେହଦ ଅର୍ଥାତ୍ ଲୌକିକ ଏବଂ ଅଲୌକିକ ସେବାରେ ସନ୍ତୁଳନ ରଖୁଛ ? ତାହା ହେଲା ଲୌକିକ ସେବା ଯେଉଁଥିରେ ହିସାବ-କିତାବ ଚୁକ୍ତ ହୋଇଥାଏ କିନ୍ତୁ ତୁମେମାନେ ତ ବେହଦର ସେବାଧାରୀ ଅଟ । ନିଜ ଭିତରେ ଯେତିକି ସେବା କରିବାର ଉମଙ୍ଗ-ଉତ୍ସାହ ରହିବ ସେହି ଅନୁସାରେ ସଫଳତା ମଧ୍ୟ ମିଳିବ ।

(୨) ମାତାମାନେ ନିଜର ତ୍ୟାଗ ଏବଂ ତପସ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ କରିବାର ନିମିତ୍ତ ହୋଇଛନ୍ତି । ମାତାମାନଙ୍କ ଭିତରେ ତ୍ୟାଗ ଏବଂ ତପସ୍ୟା କରିବାର ବିଶେଷତା ରହିଛି । ଏହି ଦୁଇଟି ବିଶେଷତା ଆଧାରରେ ସେବାର ନିମିତ୍ତ ହୋଇ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର କରିବାରେ ସର୍ବଦା ବ୍ୟସ୍ତ ରହୁଛ ? କାରଣ ସଂଗମଯୁଗୀ ବ୍ରାହ୍ମଣମାନଙ୍କର କର୍ମ ହେଉଛି ସେବା କରିବା । ବ୍ରାହ୍ମଣ ଆତ୍ମା ସେବା ନ କରି ରହିପାରିବ ନାହିଁ । ଯେପରି ନାମଧାରୀ ବ୍ରାହ୍ମଣମାନେ ନିଶ୍ଚିତ ଭାବରେ ଶାସ୍ତ୍ର ପୁରାଣର କଥା ଶୁଣାଇଥାନ୍ତି । ସେହିପରି ଏଠାରେ ମଧ୍ୟ କଥା ଶୁଣାଇବା ଅର୍ଥ ସେବା କରିବା । ତେଣୁ ଜଗତର ମାତା ହୋଇ ଜଗତ ପାଇଁ ଚିନ୍ତା କର, ବେହଦର ସନ୍ତାନମାନଙ୍କ ପାଇଁ ଚିନ୍ତା କର । କେବଳ ଘରେ ବସି ରୁହ ନାହିଁ । ବେହଦର ସେବାଧାରୀ ହୋଇ ସଦାସର୍ବଦା ଆଗକୁ ବଢିଚାଲ । ଲୌକିକ ସେବା କରି କରି ୬୩ ଜନ୍ମ ବିତିଗଲା ଏବେ ବେହଦ ସେବାରେ ଆଗକୁ ବଢ ।

ବିଦାୟ ନେବା ସମୟରେ ସମସ୍ତଙ୍କୁ ୟାଦପ୍ୟାର ଦେଲେ:- ସବୁ ଆଡର ସ୍ନେହୀ ସହଯୋଗୀ ପିଲାମାନଙ୍କୁ ବାପଦାଦାଙ୍କର ବିଶେଷ ସ୍ନେହ ସମ୍ପନ୍ନ ଅଭିନନ୍ଦନ । ଆଜି ବାପଦାଦା ସବୁ ପିଲାଙ୍କୁ ସର୍ବଦା ନିଜେ ନିର୍ବିଘ୍ନ ରହି, ଅନ୍ୟମାନଙ୍କ ପାଇଁ ବିଘ୍ନବିନାଶକ ହୋଇ ସାରା ବିଶ୍ୱକୁ ନିର୍ବିଘ୍ନ କରିବାର କାର୍ଯ୍ୟ କରୁଥିବା କାରଣରୁ ଅଭିନନ୍ଦନ ଦେଉଛନ୍ତି । ପ୍ରତ୍ୟେକ ସନ୍ତାନ ମନ ଭିତରେ ଏହି ବିଶେଷ ସଂକଳ୍ପ କରିଥାଏ ଯେ ମୁଁ କିପରି ସେବାରେ ଆଗକୁ ବଢିବି ଏବଂ ସେହି ଶ୍ରେଷ୍ଠ ସଂକଳ୍ପ ମଧ୍ୟ ସର୍ବଦା ସେବାରେ ଆଗକୁ ଆଗକୁ ବଢାଇ ଚାଲିଛି ଏବଂ ବଢାଇ ଚାଲିବ । ସେବା କରିବା ସହିତ ସ୍ୱଉନ୍ନତି ଏବଂ ସେବାର ଉନ୍ନତିର ଯଦି ସନ୍ତୁଳନ ରଖି ଆଗକୁ ବଢି ଚାଲିବ ତେବେ ବାପଦାଦାଙ୍କ ଠାରୁ ଏବଂ ଯେଉଁମାନଙ୍କର ସେବା କରିବାର ନିମିତ୍ତ ହେଉଛ ସେମାନଙ୍କଠାରୁ ହୃଦୟର ଆଶୀର୍ବାଦ ମିଳିବାକୁ ଲାଗିବ । ତେଣୁ ସଦାସର୍ବଦା ବାଲାନ୍ସ ଅର୍ଥାତ୍ ସନ୍ତୁଳନ ରଖିବା ଦ୍ୱାରା ବ୍ଲେସିଙ୍ଗ୍ ଅର୍ଥାତ୍ ଆଶୀର୍ବାଦ ପ୍ରାପ୍ତ କରି ଆଗକୁ ଆଗକୁ ବଢିଚାଲ । ସ୍ୱଉନ୍ନତି ଏବଂ ସେବାର ଉନ୍ନତି - ଦୁଇଟିଯାକ ଏକା ସାଥୀରେ କରିବା ଦ୍ୱାରା ସହଜରେ ସଫଳତା ସ୍ୱରୂପ ହୋଇଯିବ । ସମସ୍ତେ ନିଜ ନିଜ ନାମ ସହିତ ବିଶେଷ ୟାଦପ୍ୟାର ସ୍ୱୀକାର କର ।
ଆଚ୍ଛା! ଓମ୍ ଶାନ୍ତି

ରଦାନ:-
ସମସ୍ତଙ୍କୁ ସର୍ବଦା ଖୁସିର ଖବର ଶୁଣାଉଥିବା ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର ହୁଅ ।

ସର୍ବଦା ନିଜର ଏହି ସ୍ୱରୂପକୁ ସମ୍ମୁଖରେ ରଖ ଅର୍ଥାତ୍ ମନେ ପକାଅ ଯେ ମୁଁ ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର । ଯେତେ ସବୁ ଅଗଣିତ ଏବଂ ଅବିନାଶୀ ସମ୍ପତ୍ତି ତୁମମାନଙ୍କୁ ପ୍ରାପ୍ତ ହୋଇଛି ସେଗୁଡିକୁ ସ୍ମୃତିକୁ ଆଣ କାରଣ ସମ୍ପତ୍ତିକୁ ମନେ ପକାଇବା ଦ୍ୱାରା ଖୁସି ଲାଗିବ ଏବଂ ଯେଉଁଠାରେ ଖୁସି ରହିବ ସେଠାରେ ସଦାକାଳ ପାଇଁ ଦୁଃଖ ଦୂର ହୋଇଯିବ । ସମ୍ପତ୍ତିକୁ ମନେ ପକାଇବା ଦ୍ୱାରା ଆତ୍ମା ସମର୍ଥ ହୋଇଯାଏ ବ୍ୟର୍ଥ ସମାପ୍ତ ହୋଇଯାଏ । ଭରପୁର ଆତ୍ମା କେବେହେଲେ ହଲଚଲ ହୁଏ ନାହିଁ, ସେ ନିଜେ ମଧ୍ୟ ଖୁସିରେ ରହେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ଖବର ଶୁଣାଉଥାଏ ।

ସ୍ଲୋଗାନ:-
ଯଦି ଯୋଗ୍ୟ ହେବାର ଅଛି ତେବେ କର୍ମ ଏବଂ ଯୋଗର ସନ୍ତୁଳନ ରଖ ।