02.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଏବେ ଭବିଷ୍ୟତ ୨୧ ଜନ୍ମ ପାଇଁ ଏହିଠାରେ ହିଁ ପାଠ ପଢିବାକୁ ହେବ, ଦୁଃଖଦାୟୀ କଣ୍ଟାରୁ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ, ଦୈବୀଗୁଣ ଧାରଣ କରିବାକୁ ହେବ ଏବଂ କରାଇବାକୁ ହେବ ।

ପ୍ରଶ୍ନ:-
କେଉଁ ସନ୍ତାନମାନଙ୍କ ବୁଦ୍ଧିର ତାଲା କ୍ରମାନ୍ୱୟରେ ଖୋଲିବାରେ ଲାଗିଛି ?

ଉତ୍ତର:-
ଯେଉଁମାନେ ଶ୍ରୀମତରେ ଚାଲୁଛନ୍ତି । ପତିତ-ପାବନ ବାବାଙ୍କର ସ୍ମୃତିରେ ରହୁଛନ୍ତି । ଶିକ୍ଷାଦାତାଙ୍କ ସହିତ ଯେଉଁମାନଙ୍କର ଯୋଗ ରହିଛି ସେମାନଙ୍କ ବୁଦ୍ଧିର ତାଲା ଖୋଲି-ଖୋଲି ଯାଉଛି । ବାବା କହୁଛନ୍ତି ପିଲାମାନେ, ଅଭ୍ୟାସ କର ଆମେ ଆତ୍ମା-ଆତ୍ମା ଭାଇ-ଭାଇ ଅଟୁ, ଆମେ ବାବାଙ୍କଠାରୁ ଜ୍ଞାନ ଶୁଣୁଛୁ । ଦେହୀ-ଅଭିମାନୀ ହୋଇ ଶୁଣ ଏବଂ ଶୁଣାଅ ତେବେ ଧୀରେ-ଧୀରେ ବୁଦ୍ଧିର ତାଲା ଖୋଲିଯିବ ।

ଓମ୍ ଶାନ୍ତି ।
ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ତୁମେମାନେ ଯେତେବେଳେ ଏଠାରେ ବସୁଛ ତେବେ ଏପରି ମଧ୍ୟ ନୁହେଁ ଯେ କେବଳ ଶିବବାବାଙ୍କ ସ୍ମୃତିରେ ରହିବ । ତାହା ତ କେବଳ ଶାନ୍ତି ହୋଇଗଲା ପୁଣି ସୁଖ ମଧ୍ୟ ଦରକାର । ତୁମକୁ ଶାନ୍ତିରେ ମଧ୍ୟ ରହିବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରାଜତ୍ୱକୁ ମଧ୍ୟ ମନେ ପକାଇବାକୁ ହେବ । ତୁମେମାନେ ଏବେ ନରରୁ ନାରାୟଣ ଅଥବା ମନୁଷ୍ୟରୁ ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ । ଏଠାରେ କାହା ପାଖରେ କେତେ ବି ଦୈବୀଗୁଣ ଥାଉ କିନ୍ତୁ ତାଙ୍କୁ ଦେବତା କୁହାଯିବ ନାହିଁ । କାରଣ ଦେବତାମାନେ ସ୍ୱର୍ଗରେ ହିଁ ରହିଥାନ୍ତି । ଏଠାରେ ରହିଥିବା ମନୁଷ୍ୟମାନଙ୍କୁ ସ୍ୱର୍ଗ ବିଷୟରେ କିଛି ବି ଜଣା ନାହିଁ । ତୁମେ ଜାଣିଛ ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଉଛି । ଏକଥା ମଧ୍ୟ କେବଳ ଭାରତବାସୀ ହିଁ ଜାଣିଛନ୍ତି । ଯେଉଁ ଦେବତାମାନେ ସତ୍ୟଯୁଗରେ ରାଜ୍ୟ କରୁଥିଲେ ସେମାନଙ୍କର ଚିତ୍ର ମଧ୍ୟ ଭାରତରେ ହିଁ ଅଛି । ଏମାନେ ହେଉଛନ୍ତି ଆଦି ସନାତନ ଦେବୀ-ଦେବତା ଧର୍ମର । ହୁଏତ ତାଙ୍କର ଚିତ୍ର ପୂଜା ନିମନ୍ତେ ବାହାରକୁ ନେଇଯାଉଛନ୍ତି । ବିଦେଶକୁ ଯେଉଁଠି ଯାଉଛନ୍ତି ସେଠାରେ, ଯାଇ ମନ୍ଦିର ତିଆରି କରୁଛନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀ ଯେଉଁଠି ଯାଇଥାନ୍ତି ସେଠାରେ ନିଜ ଧର୍ମର ଚିତ୍ରକୁ ଅର୍ଥାତ୍ ପ୍ରତିମାକୁ ହିଁ ପୂଜା କରିଥାନ୍ତି । ଯେଉଁ ଗାଁ ଉପରେ ବିଜୟ ପ୍ରାପ୍ତ କରନ୍ତି ସେଠାରେ ଯାଇ ଚର୍ଚ୍ଚ ଆଦି ତିଆରି କରିଥାନ୍ତି । ପୂଜା ପାଇଁ ପ୍ରତ୍ୟେକ ଧର୍ମର ନିଜସ୍ୱ ଚିତ୍ର ରହିଛି । ଆଗରୁ ତୁମେମାନେ ମଧ୍ୟ ଜାଣିନଥିଲ ଯେ ଆମେ ହିଁ ଦେବୀ-ଦେବତା ଥିଲୁ । ନିଜକୁ ଅଲଗା ଭାବି ସେମାନଙ୍କର ପୂଜା କରୁଥିଲ । ଅନ୍ୟ ଧର୍ମାବଲମ୍ବୀମାନେ ପୂଜା କଲେ ଜାଣିଥାନ୍ତି ଯେ ଆମର ଧର୍ମ ସ୍ଥାପକ ହେଉଛନ୍ତି ଖ୍ରୀଷ୍ଟ, ଆମେ ଖ୍ରୀଷ୍ଟିୟାନ ଅଥବା ବୌଦ୍ଧି ଅଟୁ । ହିନ୍ଦୁମାନେ ନିଜର ଧର୍ମକୁ ନ ଜାଣିବା କାରଣରୁ ନିଜକୁ ହିନ୍ଦୁ କହିଦେଉଛନ୍ତି ଏବଂ ଦେବତାମାନଙ୍କୁ ପୂଜା କରୁଛନ୍ତି । ଏକଥା ମଧ୍ୟ ବୁଝୁ ନାହାଁନ୍ତି ଯେ ଆମେ ହେଉଛୁ ଆଦି ସନାତନ ଦେବୀ-ଦେବତା ଧର୍ମର । ଆମେ ନିଜର ପୂର୍ବଜଙ୍କୁ ପୂଜା କରୁଛୁ । କିନ୍ତୁ ଖ୍ରୀଷ୍ଟିୟାନ୍ମାନେ ଏକମାତ୍ର ଖ୍ରୀଷ୍ଟଙ୍କୁ ହିଁ ପୂଜା କରୁଛନ୍ତି । ଭାରତବାସୀମାନଙ୍କୁ ଏକଥା ଜଣା ନାହିଁ ଯେ ଆମର ଧର୍ମ କଣ ? ତାହା କିଏ ସ୍ଥାପନ କରିଥିଲେ ଏବଂ କେବେ କରିଥିଲେ ? ବାବା କହୁଛନ୍ତି ଏହି ଭାରତର ଆଦି ସନାତନ ଦେବୀ-ଦେବତା ଧର୍ମ ଯେତେବେଳେ ପ୍ରାୟଃ ଲୋପ ହୋଇଯାଏ ସେତେବେଳେ ପୁନଃ ସ୍ଥାପନା କରିବା ପାଇଁ ମୁଁ ଆସେ । ଏହି ଜ୍ଞାନ ଏବେ ତୁମମାନଙ୍କ ବୁଦ୍ଧିରେ ଅଛି । ପୂର୍ବରୁ ଏକଥା କିଛି ହେଲେ ଜାଣି ନଥିଲ । କିଛି ନ ବୁଝି ଭକ୍ତିମାର୍ଗରେ ଚିତ୍ର ଅଥବା ମୂର୍ତ୍ତି ତିଆରି କରି ପୂଜା କରୁଥିଲ । ଏବେ ତୁମେ ଜାଣିଛ ଆମେ ଭକ୍ତି ମାର୍ଗରେ ନାହୁଁ ? ତୁମେମାନେ ବୁଝିପାରୁଛ ଯେ ବ୍ରାହ୍ମଣ କୁଳ ଭୂଷଣ ଏବଂ ଶୂଦ୍ର କୂଳ ମଧ୍ୟରେ ରାତି-ଦିନର ଫରକ ରହିଛି । ସତ୍ୟଯୁଗରେ ଏକଥା ବୁଝିପାରିବ ନାହିଁ । କାରଣ ବର୍ତ୍ତମାନ ହିଁ ତୁମମାନଙ୍କୁ ଜ୍ଞାନ ମିଳୁଛି । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ପୁରୁଣା ଏବଂ ନୂଆ ଦୁନିଆ ବିଷୟରେ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ପୁରୁଣା ଦୁନିଆରେ ଢେର ମନୁଷ୍ୟ ରହିଛନ୍ତି । ଏଠାରେ ମନୁଷ୍ୟମାନେ ପରସ୍ପର ଭିତରେ କେତେ ଲଢେଇ ଝଗଡା କରୁଛନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ । ତୁମେ ଜାଣିଛ ଆମେ ମଧ୍ୟ କଣ୍ଟା ଥିଲୁ । ଏବେ ବାବା ଆମକୁ ଫୁଲ କରୁଛନ୍ତି । କଣ୍ଟାମାନେ ଏହି ସୁଗନ୍ଧଯୁକ୍ତ ଫୁଲକୁ ଅର୍ଥାତ୍ ଦେବତାମାନଙ୍କୁ ନମସ୍କାର କରୁଛନ୍ତି । ଏହି ରହସ୍ୟକୁ ତୁମେ ଏବେ ଜାଣୁଛ । ଆମେ ଦେବତା ଥିଲୁ ପୁଣି ଆସି ଏବେ ବ୍ରାହ୍ମଣ ହୋଇଛୁ । ବାବା ବୁଝାଉଛନ୍ତି ଏହା ଡ୍ରାମା ଅଟେ । ପୂର୍ବରୁ ଏହି ଡ୍ରାମା, ସିନେମା ଆଦି ନଥିଲା । ଏହା ମଧ୍ୟ ଏବେ ତିଆରି ହୋଇଛି । କାହିଁକି ହୋଇଛି ? କାହିଁକି ନା ବାବାଙ୍କୁ ଦୃଷ୍ଟାନ୍ତ ଦେବାକୁ ସହଜ ହେବ । ପିଲାମାନେ ମଧ୍ୟ ବୁଝିପାରିବେ । ଏହି ବିଜ୍ଞାନ ମଧ୍ୟ ତୁମକୁ ଶିଖିବାକୁ ହେବ । ବୁଦ୍ଧିରେ ଏହି ସବୁ ବିଜ୍ଞାନର ସଂସ୍କାରକୁ ସାଥିରେ ନେଇ ଯିବେ ଯାହା ପୁଣି ସେଠାରେ କାମରେ ଆସିବ । ଦୁନିଆ ସମ୍ପୂର୍ଣ୍ଣ ସମାପ୍ତ ହେବ ନାହିଁ । ସଂସ୍କାର ସାଥିରେ ଯିବ ପୁଣି ଜନ୍ମ ନେବେ ଏବଂ ବିମାନ ଆଦି ତିଆରି କରିବେ, ଯେଉଁ-ଯେଉଁ ଜିନିଷ ସେଠାରେ ଆବଶ୍ୟକ ତାହା ତିଆରି ହେବ । ଷ୍ଟିମର ନିର୍ମାତା ମଧ୍ୟ ରହିବେ କିନ୍ତୁ ଷ୍ଟିମର ସେଠାରେ କୌଣସି କାମରେ ଆସିବ ନାହିଁ । ସେମାନେ ଜ୍ଞାନ ନିଅନ୍ତୁ ଅଥବା ନ ନିଅନ୍ତୁ କିନ୍ତୁ ତାଙ୍କର ସଂସ୍କାର ସେଠାରେ କାମରେ ଆସିବ ନାହିଁ । ସେଠାରେ ଷ୍ଟିମର ଆଦି ଦରକାର ନାହିଁ । ଡ୍ରାମାରେ ନାହିଁ । ହଁ ବିମାନ, ବିଜୁଳି ଆଦିର ଦରକାର ପଡିବ । ଯାହାର ଉଦ୍ଭାବନ ହୋଇଚାଲିଛି । ସେଠାରୁ ପିଲାମାନେ ଶିଖି ଆସୁଛନ୍ତି । ଏସବୁ କଥା ତୁମ ବୁଦ୍ଧିରେ ଅଛି ।

ତୁମେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ପାଠ ପଢୁଛୁ । ବାବା ଆମକୁ ଭବିଷ୍ୟତ ୨୧ ଜନ୍ମ ପାଇଁ ପାଠ ପଢାଉଛନ୍ତି । ଆମେ ସ୍ୱର୍ଗବାସୀ ହେବା ପାଇଁ ପବିତ୍ର ହେଉଛୁ । ପୂର୍ବରୁ ନର୍କବାସୀ ଥିଲୁ । ମନୁଷ୍ୟ ମଧ୍ୟ ଏକଥା କହୁଛନ୍ତି ଯେ ଅମୁକ ସ୍ୱର୍ଗବାସୀ ହୋଇଗଲା । କିନ୍ତୁ ଆମେ ନର୍କରେ ଅଛୁ, ଏକଥା ବୁଝୁ ନାହାଁନ୍ତି । କାରଣ ବୁଦ୍ଧିର ତାଲା ଖୋଲୁ ନାହିଁ । ତୁମର ଏବେ କ୍ରମାନ୍ୱୟରେ ଧୀରେ ଧୀରେ ତାଲା ଖୋଲୁଛି । ତାଲା ସେହିମାନଙ୍କର ଖୋଲିବ ଯେଉଁମାନେ ଶ୍ରୀମତରେ ଚାଲିବେ ଏବଂ ପତିତ-ପାବନ ବାବାଙ୍କୁ ସ୍ମରଣ କରିବେ । ବାବା ଜ୍ଞାନ ଦେଉଛନ୍ତି ଏବଂ ଯୋଗ ମଧ୍ୟ ଶିଖାଉଛନ୍ତି । ସେ ଟିଚର ଅଟନ୍ତି ନା । ତେବେ ଟିଚର ନିଶ୍ଚୟ ପାଠ ପଢାଇବେ । ଶିକ୍ଷକ ଏବଂ ପାଠପଢା ସହିତ ଯେତେ ଯୋଗ ରହିଥିବ, ସେତେ ଉଚ୍ଚପଦ ପାଇବ । ହଦର ପାଠ ପଢାରେ ତ ଯୋଗ ରହିଥାଏ ନା । ଜାଣିଥାନ୍ତି ଯେ ବାରିଷ୍ଟର ପାଠ ପଢାଉଛନ୍ତି । ତେବେ ଏଠାରେ ବାବା ପାଠ ପଢାଉଛନ୍ତି । ଏକଥା ମଧ୍ୟ ଭୁଲିଯାଉଛନ୍ତି କାହିଁକି ନା ଏହା ନୂଆ କଥା ନା । ଦେହକୁ ମନେ ପକାଇବା ତ ବହୁତ ସହଜ । ଘଡି ଘଡି ଦେହ ମନେ ପଡିଯାଏ । ମୁଁ ଆତ୍ମା ଏକଥା ଭୁଲିଯାନ୍ତି ଆମ ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି । ଆମେ ଆତ୍ମା ଭାଇ-ଭାଇ । ବାବା ଜାଣିଛନ୍ତି ମୁଁ ପରମାତ୍ମା, ଆତ୍ମାମାନଙ୍କୁ ଶିକ୍ଷା ଦେଉଛି ଯେ, ନିଜକୁ ଆତ୍ମା ନିଶ୍ଚୟ କର ଏବଂ ଆତ୍ମାମାନଙ୍କୁ ବସି ଶିଖାଅ । ଏହିକଥା ଆତ୍ମା କାନ ଦ୍ୱାରା ଶୁଣୁଛି, ପରମପିତା ପରମାତ୍ମା ଶୁଣାଉଛନ୍ତି । ତାଙ୍କୁ ସୁପ୍ରିମ ଆତ୍ମା କୁହାଯାଉଛି । ତୁମେମାନେ ଯେତେବେଳେ କାହାକୁ ବୁଝାଉଛ ସେତେବେଳେ ଏକଥା ବୁଦ୍ଧିରେ ଆସିବା ଦରକାର ଯେ ଆତ୍ମାରେ ଜ୍ଞାନ ଅଛି, ମୁଁ ଆତ୍ମାକୁ ଶୁଣାଉଛି, ବାବାଙ୍କଠାରୁ ଯାହା ଶୁଣିଛି ତାହା ଆତ୍ମାମାନଙ୍କୁ ଶୁଣାଉଛି । ଏହା ବିଲ୍କୁଲ୍ ନୂଆ କଥା । ତୁମେମାନେ ଅନ୍ୟମାନଙ୍କୁ ପଢାଇବା ସମୟରେ ଦେହୀ-ଅଭିମାନୀ ହୋଇ ପଢାଉ ନାହଁ ତେଣୁ ଭୁଲିଯାଉଛ । ତୁମମାନଙ୍କ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି ନା । ତେଣୁ ଏକଥା ବୁଦ୍ଧିରେ ରହିବା ଉଚିତ୍ ମୁଁ ଆତ୍ମା ଅବିନାଶୀ ଅଟେ । ମୁଁ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ପାର୍ଟ କରୁଛି । ତୁମେ ଆତ୍ମା ଶୂଦ୍ର କୁଳରେ ଥିଲ, ଏବେ ବ୍ରାହ୍ମଣ କୁଳରେ ଅଛ । ପରେ ପୁଣି ଦେବତା କୁଳକୁ ଯିବ । ସେଠାରେ ଶରୀର ମଧ୍ୟ ପବିତ୍ର ମିଳିବ । ଆମେ ଆତ୍ମା ଭାଇ-ଭାଇ । ବାବା ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି । ତେବେ ପିଲାମାନେ ମଧ୍ୟ କହିବେ ଯେ ଆମେ ଆତ୍ମା ଭାଇ, ଭାଇକୁ ପାଠ ପଢାଉଛୁ । ଆତ୍ମାକୁ ହିଁ ବୁଝାଉଛୁ । ଆତ୍ମା ଶରୀର ଦ୍ୱାରା ଶୁଣୁଛି । ଏହା ବହୁତ ସୂକ୍ଷ୍ମ କଥା । ତେଣୁ ସ୍ମୃତିରେ ରହୁ ନାହିଁ । ଅଧାକଳ୍ପ ହେବ ତୁମେମାନେ ଦେହ-ଅଭିମାନରେ ରହି ଆସିଛ । ବର୍ତ୍ତମାନ ତୁମକୁ ଦେହୀ-ଅଭିମାନୀ ହୋଇ ରହିବାକୁ ହେବ । ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ, ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବସ । ଆତ୍ମା ନିଶ୍ଚୟ କରି ଶୁଣ । ପରମପିତା ପରମାତ୍ମା ହିଁ ଶୁଣାଉଛନ୍ତି ସେଥିପାଇଁ ତ କହୁଛନ୍ତି ନା ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ... ସେଠାରେ ମୁଁ ପାଠ ପଢାଇବି ନାହିଁ । ଏହିଠାରେ ହିଁ ଆସି ପଢାଉଛି । ଆଉ ସମସ୍ତ ଆତ୍ମାମାନଙ୍କର ନିଜ-ନିଜର ଶରୀର ରହିଛି । ଏହି ବାବା ତ ସୁପ୍ରିମ ଆତ୍ମା । ଯାହାଙ୍କର ନିଜର ଶରୀର ନାହିଁ । ତାଙ୍କ ଆତ୍ମାର ନାମ ହିଁ ହେଉଛି ଶିବ । ଜାଣିଛି ଏହି ଶରୀର ମୋର ନୁହେଁ । ମୁଁ ସୁପ୍ରିମ ଆତ୍ମା ଅଟେ । ମୋର ମହିମା ଅଲଗା । ପ୍ରତ୍ୟେକଙ୍କର ନିଜସ୍ୱ ମହିମା ରହିଛି ନା । ଗାୟନ ମଧ୍ୟ ରହିଛି ନା ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । ସେ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ । ସେ ସତ୍ୟ, ଚୈତନ୍ୟ, ଆନନ୍ଦ, ସୁଖ-ଶାନ୍ତିର ସାଗର ଅଟନ୍ତି । ଏହା ହେଉଛି ବାବାଙ୍କର ମହିମା । ପିଲାମାନେ ପିତାଙ୍କ ସମ୍ପତ୍ତି ବିଷୟରେ ଜାଣିଥାନ୍ତି ଆମ ବାପାଙ୍କ ପାଖରେ ଏହି କାରଖାନା ଅଛି, ମିଲ୍ ଅଛି, ତାଙ୍କ ଭିତର ଏହି ନିଶା ବା ଅଭିମାନ ରହିଥାଏ ନା । ପିଲାମାନେ ହିଁ ତାଙ୍କ ସମ୍ପତ୍ତିର ମାଲିକ ହୋଇଥାନ୍ତି । ତେବେ ଏହି ସମ୍ପତ୍ତି ମଧ୍ୟ ଥରେ ମାତ୍ର ମିଳୁଛି । ବାବାଙ୍କ ପାଖରେ କଣ ସମ୍ପତ୍ତି ଅଛି, ତାହା ତୁମେମାନେ ଶୁଣିଲ ।

ତୁମେ ଆତ୍ମା ଅମର ଅଟ । ଯାହାର କେବେ ମୃତ୍ୟୁ ହୋଇନଥାଏ । ତୁମେମାନେ ପ୍ରେମର ସାଗର ମଧ୍ୟ ହେଉଛ । ଏହି ଲକ୍ଷ୍ମୀ-ନାରାୟଣ ହେଲେ ପ୍ରେମର ସାଗର । କେବେ ଲଢେଇ-ଝଗଡା କରନ୍ତି ନାହିଁ । ଏଠାରେ ତ କେତେ ଲଢେଇ-ଝଗଡା କରୁଛନ୍ତି । ପ୍ରେମରେ ତ ଆହୁରି ପ୍ରତାରଣା ହେଉଛି । ବାବା ଆସି ବିକାରକୁ ବନ୍ଦ କରାଉଛନ୍ତି, ତେଣୁ କେତେ ମାଡ ଖାଇବାକୁ ପଡୁଛି । ବାବା କହୁଛନ୍ତି ପିଲାମାନେ ପବିତ୍ର ହୁଅ ତେବେ ପବିତ୍ର ଦୁନିଆର ମାଲିକ ହେବ । କାମ ମହାଶତ୍ରୁ ଅଟେ । ସେଥିପାଇଁ ବାବାଙ୍କ ପାଖକୁ ଆସିଲେ କହନ୍ତି ଯାହା ବିକର୍ମ କରିଛ, ତାହା କହିଦେଲେ ହାଲୁକା ହୋଇିଯବ, ଏଥିରେ ମଧ୍ୟ ମୁଖ୍ୟ କାମ ବିକାରର କଥା ରହିଛି । ବାବା ପିଲାମାନଙ୍କର କଲ୍ୟାଣ ପାଇଁ ପଚାରୁଛନ୍ତି । ବାବାଙ୍କୁ ହିଁ କହୁଛନ୍ତି ହେ ପତିତ-ପାବନ ଆସ, କାହିଁକି ନା ଯିଏ ବିକାରଗ୍ରସ୍ତ ହୁଏ ତାକୁ ହିଁ ପତିତ କୁହାଯାଏ । ଏବେ ଏହି ଦୁନିଆ ପତିତ ଅଟେ, ମନୁଷ୍ୟ ଏବଂ ୫ ତତ୍ତ୍ୱ ମଧ୍ୟ ପତିତ ଅଟେ । ସେଠାରେ ତୁମମାନଙ୍କ ପାଇଁ ୫ ତତ୍ତ୍ୱ ମଧ୍ୟ ପବିତ୍ର ରହିବା ଆବଶ୍ୟକ । ଏହି ଆସୁରୀ ପୃଥିବୀ ଉପରେ ଦେବତାମାନଙ୍କର ଛାଇ ମଧ୍ୟ ପଡିପାରିବ ନାହିଁ । ଲକ୍ଷ୍ମୀଙ୍କୁ ଆହ୍ୱାନ କରୁଛନ୍ତି କିନ୍ତୁ ଲକ୍ଷ୍ମୀ କଣ ଏଠାକୁ ଆସି ପାରିବେ କି । ତେଣୁ ଏହି ୫ ତତ୍ତ୍ୱ ମଧ୍ୟ ବଦଳିବା ଉଚିତ୍ । ସତ୍ୟଯୁଗ ନୂଆ ଦୁନିଆ, ଏହା ହେଉଛି ପୁରୁଣା ଦୁନିଆ । ବର୍ତ୍ତମାନ ସମୟ ଏହି ଦୁନିଆର ବିନାଶର ସମୟ । ମନୁଷ୍ୟମାନେ ଭାବୁଛନ୍ତି ଯେ, ଏବେ ଏହି ଦୁନିଆ ଆହୁରି ୪୦ ହଜାର ବର୍ଷ ଚାଲିବ । ଯେହେତୁ କଳ୍ପର ଆୟୁଷ ହିଁ ୫ ହଜାର ବର୍ଷ ତେବେ କେବଳ ଗୋଟିଏ କଳିଯୁଗ ୪୦ ହଜାର ବର୍ଷ କିପରି ହୋଇପାରିବ । ମନୁଷ୍ୟମାନେ କେତେ ଅଜ୍ଞାନ ଅନ୍ଧକାରରେ ରହିଛନ୍ତି । ଜ୍ଞାନ କିଛି ବି ନାହିଁ । ଭକ୍ତି ହେଉଛି ବ୍ରାହ୍ମଣମାନଙ୍କର ରାତ୍ରି, ଜ୍ଞାନ ବ୍ରହ୍ମା ଏବଂ ବ୍ରାହ୍ମଣଙ୍କର ଦିନ । ଯାହା ଏବେ ପ୍ରାକ୍ଟିକାଲ୍ ହେଉଛି । ଏକଥା ସିଡି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ଦେଖାଯାଇଛି । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆକୁ ଅଧା ଅଧା କୁହାଯିବ । ଏପରି ନୁହେଁ ଯେ ନୂଆ ଦୁନିଆକୁ ଅଧିକ ଏବଂ ପୁରୁଣା ଦୁନିଆକୁ କମ୍ ସମୟ ଦିଆଯିବ । ନାଁ, ଏହାର ଅବଧି ପୂରା ଅଧା-ଅଧା ହେବ । ତେବେ କ୍ୱାଟର ଅର୍ଥାତ୍ ଚଉଠେ ମଧ୍ୟ କରିପାରିବ । ଅଧା ନହେଲେ ପୂରା କ୍ୱାଟର ମଧ୍ୟ ହୋଇପାରିବ ନାହିଁ । ସ୍ୱସ୍ଥିକାରେ ମଧ୍ୟ ୪ ଭାଗ ଦେଖାଇଥାନ୍ତି । ଭାବନ୍ତି ଆମେ ଗଣେଶ ଅଙ୍କନ କରୁଛୁ । ଏବେ ପିଲାମାନେ ଜାଣିଛନ୍ତି ଏହି ପୁରୁଣା ଦୁନିଆର ବିନାଶ ହେବ । ଆମେ ନୂଆ ଦୁନିଆ ପାଇଁ ପଢୁଛୁ । ଆମେ ନୂଆ ଦୁନିଆ ପାଇଁ ନରରୁ ନାରାୟଣ ହେଉଛୁ । କୃଷ୍ଣ ମଧ୍ୟ ନୂଆ ଦୁନିଆର ଅଟନ୍ତି । କୃଷ୍ଣଙ୍କର ଗାୟନ ହେଉଛି, ଯେହେତୁ ଛୋଟ ପିଲା ତେଣୁ ତାଙ୍କୁ ମହାତ୍ମା ମଧ୍ୟ କୁହାଯାଏ । ଛୋଟ ପିଲାମାନେ ବହୁତ ସ୍ନେହୀ ହୋଇଥାନ୍ତି । ବଡମାନଙ୍କୁ ଏତେ ସ୍ନେହ କରି ନଥାନ୍ତି ଯେତେ ଛୋଟମାନଙ୍କୁ କରିଥାନ୍ତି । କାହିଁକି ନା ତାହା ତାଙ୍କର ସତ୍ତ୍ୱପ୍ରଧାନ ଅବସ୍ଥା, ତେଣୁ ବିକାରର ଦୁର୍ଗନ୍ଧ ନଥାଏ । ବଡ ହେବା ପରେ ବିକାରର ଦୁର୍ଗନ୍ଧ ଆସିଥାଏ । ଛୋଟ ପିଲାମାନଙ୍କର କେବେ ବିକାରୀ ଦୃଷ୍ଟି ହୋଇପାରିବ ନାହିଁ । ତେବେ ଏହି ଆଖି ହିଁ ଧୋକା ଦେଇଥାଏ । ସେଥିପାଇଁ ଦୃଷ୍ଟାନ୍ତ ଦେଇଥାନ୍ତି ଯେ ସେ ନିଜ ଆଖିକୁ ବାହାର କରିଦେଲେ । ବାସ୍ତବରେ ଏପରି କୌଣସି କଥା ହିଁ ନାହିଁ । ଏପରି କେହି ଆଖି ବାହାର କରନ୍ତି ନାହିଁ । ବର୍ତ୍ତମାନ ବାବା ଜ୍ଞାନର କଥା ବୁଝାଉଛନ୍ତି, ତୁମକୁ ଏବେ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି, ଆତ୍ମାକୁ ଆଧ୍ୟାତ୍ମିକ ଜ୍ଞାନ ମିଳିଛି । ଆତ୍ମାରେ ହିଁ ଜ୍ଞାନ ରହିଛି । ବାବା କହୁଛନ୍ତି ମୋ ପାଖରେ ଜ୍ଞାନ ଅଛି । ଆତ୍ମାକୁ ନିର୍ଲେପ କୁହାଯିବ ନାହିଁ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିଥାଏ । ଆତ୍ମା ଅବିନାଶୀ ଅଟେ । ଏହା କେତେ ସୂକ୍ଷ୍ମ କିନ୍ତୁ ତା ଭିତରେ ୮୪ ଜନ୍ମର ପାର୍ଟ ରହିଛି । ଏହିଭଳି କଥା କେହି କହିପାରିବେ ନାହିଁ । ସେମାନେ ତ ଆତ୍ମା ନିର୍ଲେପ କହିଦେଉଛନ୍ତି ସେଥିପାଇଁ ବାବା କହୁଛନ୍ତି ପ୍ରଥମେ ଆତ୍ମ-ଅନୁଭୂତି କର । କେହି କେହି ପଚାରୁଛନ୍ତି, ଜୀବଜନ୍ତୁ ଆଦି କୁଆଡେ ଯିବେ ? ଆରେ, ଜୀବଜନ୍ତୁଙ୍କ କଥା ଛାଡ । ପ୍ରଥମେ ନିଜ ଆତ୍ମାକୁ ତ ରିୟଲାଇଜ୍ କର । ମୁଁ ଆତ୍ମା କିପରି, କଣ...? ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଜାଣୁ ନାହିଁ, ତେବେ ମୋତେ ପୁଣି କଣ ଜାଣିବ । ଏହିସବୁ ସୂକ୍ଷ୍ମ କଥା ଏବେ ତୁମମାନଙ୍କ ବୁଦ୍ଧିରେ ଅଛି । ଆତ୍ମାରେ ୮୪ ଜନ୍ମର ପାର୍ଟ ରହିଛି ଯାହାର ସେ ଅଭିନୟ କରି ଚାଲିଛି । କେହି କେହି କହୁଛନ୍ତି ଡ୍ରାମାରେ ତ ନିଧାର୍ଯ୍ୟ ରହିଛି । ପୁଣି ଆମେ ପୁରୁଷାର୍ଥ କାହିଁକି କରିବୁ! ଆରେ, ପୁରୁଷାର୍ଥ ବିନା ପାଣି ମଧ୍ୟ ମିଳିପାରିବ ନାହିଁ, ଏପରି ନୁହେଁ ଡ୍ରାମା ଅନୁସାରେ ସ୍ୱତଃ ହିଁ ସବୁ କିଛି ମିଳିବ । କର୍ମ ତ ନିଶ୍ଚୟ କରିବାକୁ ହେବ । ଭଲ ଅଥବା ମନ୍ଦ କର୍ମ ହୋଇଥାଏ ଯାହାକୁ ବୁଦ୍ଧି ଦ୍ୱାରା ବୁଝିପାରିବ । ବାବା କହୁଛନ୍ତି ଏହା ରାବଣ ରାଜ୍ୟ ତେଣୁ ଏଥିରେ ତୁମର କର୍ମ ବିକର୍ମ ହୋଇଯାଉଛି । ସେଠାରେ ରାବଣ ରାଜ୍ୟ ନାହିଁ ଯାହା ଦ୍ୱାରା ବିକର୍ମ ହେବ । ମୁଁ ହିଁ ତୁମକୁ କର୍ମ, ଅକର୍ମ, ବିର୍କମର ଗତିକୁ ବୁଝାଉଛି । ସେଠାରେ ଅର୍ଥାତ୍ ସତ୍ୟଯୁଗରେ ତୁମର କର୍ମ ଅକର୍ମ ହେବ, ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଉଛି । ଗୀତା-ପାଠୀ ମଧ୍ୟ ଏହି ଅର୍ଥକୁ ବୁଝୁ ନାହାଁନ୍ତି । ସେମାନେ ତ କେବଳ ଗୀତା ପଢି ଶୁଣାଉଛନ୍ତି । ସଂସ୍କୃତରେ ଶ୍ଳୋକ ଶୁଣାଇ ପରେ ହିନ୍ଦୀରେ ଅର୍ଥ କରୁଛନ୍ତି । ବାବା କହୁଛନ୍ତି ସେହି ଗୀତାରେ ଥିବା କିଛି-କିଛି ଶବ୍ଦ ଠିକ୍ ଅଛି । ଭଗବାନୁବାଚ କହୁଛନ୍ତି କିନ୍ତୁ ଭଗବାନ କାହାକୁ କୁହାଯାଉଛି, ଏକଥା କାହାକୁ ଜଣାନାହିଁ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବେହଦ ବାବାଙ୍କର ସମ୍ପତ୍ତିର ମୁଁ ଆତ୍ମା ମାଲିକ ଅଟେ, ଯେପରି ବାବା, ଶାନ୍ତି, ପବିତ୍ରତା ଏବଂ ଆନନ୍ଦର ସାଗର, ସେହିପରି ମୁଁ ଆତ୍ମା ମଧ୍ୟ ମାଷ୍ଟର ସାଗର ଅଟେ, ଏହି ନିଶାରେ ରହିବାକୁ ହେବ ।

(୨) ଡ୍ରାମା ବୋଲି କହି ପୁରୁଷାର୍ଥକୁ ଛାଡିବାର ନାହିଁ । କର୍ମ ନିଶ୍ଚିତ କରିବାକୁ ହେବ । କର୍ମ-ଅକର୍ମ-ବିକର୍ମର ଗତିକୁ ବୁଝି ସର୍ବଦା ଶ୍ରେଷ୍ଠ କର୍ମ ହିଁ କରିବାକୁ ହେବ ।

ବରଦାନ:-
ସଦା ସର୍ବଦା ବାବାଙ୍କର ଅବିନାଶୀ ଏବଂ ନିଃସ୍ୱାର୍ଥ ପ୍ରେମରେ ଲବଲୀନ ଅର୍ଥାତ୍ ମଗ୍ନ ରହୁଥିବା ମାୟାଠାରୁ ମୁକ୍ତ ଆତ୍ମା ହୁଅ ।

ଯେଉଁ ପିଲାମାନେ ସର୍ବଦା ବାବାଙ୍କର ସ୍ନେହରେ ମଗ୍ନ ରହିଥାନ୍ତି ସେମାନଙ୍କୁ ମାୟା ଆକର୍ଷିତ କରିପାରେ ନାହିଁ । ଯେପରି ୱାଟରପ୍ରୁଫ୍ କପଡାରେ ଜଳର ଗୋଟିଏ ବୁନ୍ଦା ମଧ୍ୟ ତିଷ୍ଠି ପାରେ ନାହିଁ ସେହିପରି ଯେଉଁମାନେ ବାବାଙ୍କର ଲଗନରେ ଲବଲୀନ ରହିଥାନ୍ତି ସେମାନେ ମାୟାପ୍ରୁଫ୍ ହୋଇଯାନ୍ତି । ମାୟାର କୌଣସି ପ୍ରକାରର ଆକ୍ରମଣ ସେମାନଙ୍କୁ ପ୍ରଭାବିତ କରେ ନାହିଁ କାରଣ ବାବାଙ୍କର ସ୍ନେହ ଅବିନାଶୀ ଏବଂ ନିଃସ୍ୱାର୍ଥ ଅଟେ, ଯେଉଁମାନେ ଏହାର ଅନୁଭବୀ ହୋଇଯାଆନ୍ତି ସେମାନେ ଅଳ୍ପକାଳର ସ୍ନେହ-ମମତାରେ ବାନ୍ଧି ହୋଇପାରନ୍ତି ନାହିଁ । ସେମାନଙ୍କ ବୁଦ୍ଧିରେ ଥାଏ ମୋର ଏକମାତ୍ର ବାବା ଏବଂ ଦ୍ୱିତୀୟରେ ମୁଁ, ଏହା ବ୍ୟତୀତ କୌଣସି ତୃତୀୟ ପକ୍ଷ ମଝିରେ ଆସିପାରିବ ନାହିଁ ।

ସ୍ଲୋଗାନ:-
ନ୍ୟାରା-ପ୍ୟାରା ଅର୍ଥାତ୍ ବୁଦ୍ଧି ଦ୍ୱାରା ସମସ୍ତଙ୍କଠାରୁ ଅଲଗା ହୋଇ କର୍ମ କରୁଥିବା ଆତ୍ମା ହିଁ ଗୋଟିଏ ସେକେଣ୍ଡରେ ଫୁଲଷ୍ଟପ୍ ଲଗାଇ ପାରିବ ।