02.08.20    Avyakt Bapdada     Odia Murli     01.03.86     Om Shanti     Madhuban


ହୋଲୀ ହଂସ - ବୁଦ୍ଧି, ବୃତ୍ତି, ଦୃଷ୍ଟି ଏବଂ ମୁଖ


ଆଜି ବାପଦାଦା ସମସ୍ତ ହୋଲୀ ହଂସ ଅର୍ଥାତ୍ ପବିତ୍ର ହଂସମାନଙ୍କର ସଭାକୁ ଦେଖୁଛନ୍ତି । ଏହା କୌଣସି ସାଧାରଣ ସଭା ନୁହେଁ କିନ୍ତୁ ଆତ୍ମିକ ହୋଲୀହଂସ ମାନଙ୍କର ସଭା । ଏଠାରେ ବାପଦାଦା ପ୍ରତ୍ୟେକ ହୋଲୀ ହଂସ ପିଲାମାନଙ୍କୁ ଦେଖୁଛନ୍ତି - ସମସ୍ତେ କେତେ ପରିମାଣରେ ପବିତ୍ର ହୋଇଛନ୍ତି, ତାହା ଦେଖୁଛନ୍ତି । ହଂସର ବିଶେଷତାକୁ ତ ଭଲ ଭାବରେ ଜାଣିଛ ନା! ସର୍ବ ପ୍ରଥମେ ହଂସବୁଦ୍ଧି ଅର୍ଥାତ୍ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଭ ବିଚାର କରୁଥିବା ବୁଦ୍ଧି । ହୋଲୀ ହଂସ ଅର୍ଥାତ୍ ପଥର ଏବଂ ରତ୍ନକୁ ଭଲ ଭାବରେ ପରଖୁଥିବା ଏବଂ ରତ୍ନକୁ ହିଁ ଧାରଣ କରୁଥିବା ବୁଦ୍ଧି । ପ୍ରଥମେ ପ୍ରତ୍ୟେକ ଆତ୍ମାର ମନୋଭାବକୁ ପରଖି ତାପରେ ଗ୍ରହଣ କରୁଥିବା ବୁଦ୍ଧି । ସେମାନେ କେବେ ବି କୌଣସି ଆତ୍ମା ପ୍ରତି ବୁଦ୍ଧି ଦ୍ୱାରା ଅଶୁଭ ବା ସାଧାରଣ ମନୋଭାବ ଧାରଣ କରିବେ ନାହିଁ । ସର୍ବଦା ଶୁଭ ମନୋଭାବ ଏବଂ ଶୁଭଭାବନାକୁ ହିଁ ଧାରଣ କରିବେ । ସମସ୍ତଙ୍କର ମନୋଭାବକୁ ଜାଣିବା ଦ୍ୱାରା କେବେ ବି କାହାର ସାଧାରଣ ସ୍ୱଭାବ ବା ବ୍ୟର୍ଥ ସ୍ୱଭାବର ପ୍ରଭାବ ସେମାନଙ୍କ ଉପରେ ପଡିବ ନାହିଁ । ତେଣୁ ଶୁଭଭାବ ଏବଂ ଶୁଭଭାବନା ଯାହାକୁ ତୁମେମାନେ ଭାବ-ସ୍ୱଭାବ କହୁଛ ସେଥିରେ ଯାହା ସବୁ ବ୍ୟର୍ଥ ରହିଛି ସେଗୁଡିକୁ ପରିବର୍ତ୍ତନ କରିବାକୁ ହେବ । ବାପଦାଦା ଦେଖୁଛନ୍ତି - ପିଲାମାନେ ଏହିଭଳି ହଂସବୁଦ୍ଧି କେତେ ପରିମାଣରେ ହେଲେଣି । ସେହିଭଳି ହଂସ ବୃତ୍ତି ଅର୍ଥାତ୍ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ କଲ୍ୟାଣକାରୀ ମନୋବୃତ୍ତି । ପ୍ରତ୍ୟେକ ଆତ୍ମାଙ୍କର ଅକଲ୍ୟାଣର କଥା ସବୁ ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଅକଲ୍ୟାଣକୁ କଲ୍ୟାଣର ମନୋବୃତ୍ତି ଦ୍ୱାରା ପରିବର୍ତ୍ତନ କରିଦେବା - ଏହାକୁ ହିଁ କୁହାଯାଏ ହୋଲୀ ହଂସ ବୃତ୍ତି । ତେବେ ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ପରିବର୍ତ୍ତନ କରିପାରିବ । ସେମାନଙ୍କର ଅକଲ୍ୟାଣର ମନୋବୃତ୍ତିକୁ ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ପରିବର୍ତ୍ତନ କରିଦେବା ହିଁ ହୋଲୀ ହଂସର କର୍ତ୍ତବ୍ୟ । ସେହିଭଳି ନିଜର ଦୃଷ୍ଟିରେ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଦ୍ଧ ସ୍ନେହପୂର୍ଣ୍ଣ ଦୃଷ୍ଟି ରହୁ । ଯିଏ ଯେପରି ବି ହୋଇଥାଉ କିନ୍ତୁ ନିଜ ତରଫରୁ ସମସ୍ତଙ୍କ ପ୍ରତି ଆତ୍ମିକ ସ୍ନେହପୂର୍ଣ୍ଣ ଦୃଷ୍ଟିକୋଣ ରଖ । ଏହାକୁ ହିଁ କୁହାଯାଏ - ହୋଲୀ ହଂସ ଦୃଷ୍ଟି । ସେହିଭଳି ବାଣୀରେ ମଧ୍ୟ ପ୍ରଥମରୁ ଶୁଣାଇ ସାରିଛୁ, ଖରାପ କଥା କହିବା ଅଲଗା କଥା । ତାହା ତ ବ୍ରାହ୍ମଣମାନଙ୍କର ପରିବର୍ତ୍ତନ ହୋଇସାରିଛି କିନ୍ତୁ ବ୍ୟର୍ଥ ବାଣୀ ଶୁଣାଉଥିବା ମୁଖକୁ ମଧ୍ୟ ହୋଲୀହଂସ ମୁଖ କୁହାଯିବ ନାହିଁ । ତେଣୁ ମୁଖ ମଧ୍ୟ ପବିତ୍ର ହଂସ ଭଳି ହେଉ । ଯାହାଙ୍କ ମୁଖରୁ କେବେ ବି ବ୍ୟର୍ଥ କଥା ବାହାରୁ ନଥିବ ତାଙ୍କୁ କୁହାଯିବ ହର୍ଷିତମୁଖ ସ୍ଥିତି । ତେଣୁ ହୋଲୀହଂସ ବୁଦ୍ଧି, ବୃତ୍ତି, ଦୃଷ୍ଟି ଏବଂ ମୁଖ । ଯେତେବେଳେ ଏହି ସବୁ ପବିତ୍ର ଅର୍ଥାତ୍ ଶ୍ରେଷ୍ଠ ହୋଇଯିବ ସେତେବେଳେ ଆପେ ଆପେ ହୋଲୀ ହଂସ ସ୍ଥିତିର ପ୍ରତ୍ୟକ୍ଷ ପ୍ରଭାବ ଦେଖାଯିବ । ତେଣୁ ସମସ୍ତେ ନିଜେ ନିଜକୁ ଦେଖ ଯେ ମୁଁ କେତେ ପରିମାଣରେ ଚାଲିବା ବୁଲିବା ସମୟରେ ହୋଲୀ ହଂସ ସ୍ଥିତିରେ ରହୁଛି, କାହିଁକି ନା ସ୍ୱଉନ୍ନତି କରିବା ପଇଁ ଆଉ ଅଧିକ ସମୟ ନାହିଁ । ସେଥିପାଇଁ ନିଜେ ନିଜକୁ ଚେକ୍ କର ଏବଂ ଚେଞ୍ଚ କର ଅର୍ଥାତ୍ ପରିବର୍ତ୍ତନ କର । କାରଣ ଏହି ସମୟର ପରିବର୍ତ୍ତନକୁ ବହୁତ ସମୟର ପରିବର୍ତ୍ତନରେ ଗଣନା କରାଯିବ ଏବଂ ଆଗାମୀ ସୁବର୍ଣ୍ଣଯୁଗୀ ଦୁନିଆର ବହୁତ ସମୟ ପାଇଁ ଅଧିକାରୀ ହୋଇଯିବ । ବାପଦାଦା ପୂର୍ବରୁ ମଧ୍ୟ ଏଥି ପ୍ରତି ସଚେତନ କରାଇ ସାରିଛନ୍ତି । ତେବେ ନିଜ ପ୍ରତି ସମସ୍ତଙ୍କର ବିଶେଷ ବିଶେଷ ଧ୍ୟାନ ରହିଛି ତ! ଏମିତି ତ ସାରା କଳ୍ପର ପ୍ରାପ୍ତି ହିସାବରେ ଦେଖିଲେ ବହୁତ କମ୍ ସମୟ ପାଇଁ ଧ୍ୟାନ ଦେବାକୁ ପଡୁଛି କିନ୍ତୁ ସେଥିରେ ମଧ୍ୟ ଯେତେ ଅଧିକ ସମୟ ପୁରୁଷାର୍ଥ ଉପରେ ଧ୍ୟାନ ରହିବ ସେତେ ଶ୍ରେଷ୍ଠ ପ୍ରାପ୍ତି ରୂପୀ ପ୍ରାରବ୍ଧ ଜମା କରିପାରିବ । ସେଥିପାଇଁ ଏହି ଅଳ୍ପ ଟିକିଏ ସମୟ ମଧ୍ୟ ବହୁତ ଶ୍ରେଷ୍ଠ ଏବଂ କଲ୍ୟାଣକାରୀ ଅଟେ । ଏଥିରେ କୌଣସି ପରିଶ୍ରମ ମଧ୍ୟ କରିବାର ନାହିଁ କେବଳ ବାବା ଯାହା ସବୁ କହୁଛନ୍ତି ସେଗୁଡିକୁ ଧାରଣ କରିବାକୁ ହେବ ବୁଦ୍ଧିରେ ଧାରଣ କରିବା ଦ୍ୱାରା ତାହା ଆପେ ଆପେ କାର୍ଯ୍ୟ ବ୍ୟବହାରରେ ଆସିଯିବ । ତେବେ ହୋଲୀ ହଂସର କାମ ହେଲା ଧାରଣ କରିବା । ତେଣୁ ଏହି ସଭା ଏହି ଭଳି ହୋଲୀହଂସ ମାନଙ୍କର ସଭା ଅଟେ ନା । ଜ୍ଞାନୀ ଆତ୍ମା ତ ହୋଇଗଲ, ବ୍ୟର୍ଥ ଏବଂ ସାଧାରଣକୁ ତ ଭଲ ଭାବରେ ବୁଝିଯାଇଛ । ତେଣୁ ବୁଝିଯିବା ପରେ ତାହା ଆପେ ଆପେ କର୍ମରେ ଆସିଯିବ । ଏମିତି ବି ସାଧାରଣ ଭାଷାରେ ଏହିଭଳି କହୁଛ ନା - ଏତେବେଳେ ମୁଁ ବୁଝିପାରିଲି । ତାପରେ ତାକୁ କାର୍ଯ୍ୟରେ ନକରି ରହିପାରିବ ନାହିଁ । ତେବେ ପ୍ରଥମେ ଚେକ୍ କର ଯେ ସାଧାରଣ ଅଥବା ବ୍ୟର୍ଥ କଣ ? କେବେ କେବେ ବ୍ୟର୍ଥ ବା ସାଧାରଣକୁ ଶ୍ରେଷ୍ଠ ବୋଲି ଭାବି ଦେଉନାହଁ ତ! ସେଥିପାଇଁ ପ୍ରଥମେ ପ୍ରଥମେ ମୁଖ୍ୟ କଥା ହେଲା ହୋଲୀ ହଂସ ବୁଦ୍ଧି । ଏଥିରେ ପରଖିବାର ଶକ୍ତି ଆପେ ଆପେ ଆସିଯାଇଥାଏ । କାହିଁକି ନା ସମୟ ଏବଂ ସଂକଳ୍ପ ବ୍ୟର୍ଥରେ ସେତେବେଳେ ନଷ୍ଟ ହୋଇଥାଏ ଯେତେବେଳେ ତାକୁ ପରଖି ପାରିନଥାଅ ଯେ ଏହା ଠିକ୍ କି ଭୁଲ୍ । ନିଜର ବ୍ୟର୍ଥକୁ ବା ଭୁଲ୍କୁ ଠିକ୍ ବୋଲି ଭାବି ଦେବା କାରଣରୁ ଅଧିକ ସମୟ ବ୍ୟର୍ଥରେ ନଷ୍ଟ ହୋଇଥାଏ, ବ୍ୟର୍ଥକୁ ହିଁ ଠିକ୍ ବୋଲି ଭାବିଥାଅ । ମୁଁ ଯାହା କହୁଛି ତାହା ହିଁ ଠିକ୍ । ଏଥିରେ ପରଖିବାର ଶକ୍ତି ନଥିବା କାରଣରୁ ମାନସିକ ଶକ୍ତି, ସମୟ ରୂପୀ ଶକ୍ତି, ବାଣୀର ଶକ୍ତି ସବୁ କିଛି ନଷ୍ଟ ହୋଇଥାଏ ଏବଂ ଅନ୍ୟମାନଙ୍କୁ ପରିଶ୍ରମ କରାଇବାର ବୋଝ ମଧ୍ୟ ନିଜ ଉପରେ ଚଢାଇଥାଅ । ଏହାର କାରଣ ହେଲା - ବୁଦ୍ଧି ହୋଲୀହଂସ ଭଳି ହୋଇନାହିଁ । ତେଣୁ ବାପଦାଦା ସମସ୍ତ ହୋଲୀହଂସ ପିଲାମାନଙ୍କୁ ପୁନର୍ବାର ଏହି ଶିକ୍ଷା ଦେଉଛନ୍ତି ଯେ ଓଲଟାକୁ ଅଧିକ ଓଲଟା କର ନାହିଁ । ଇଏ ତ ଓଲଟା ହିଁ ଅଟେ, ଏପରି ଭାବ ନାହିଁ କିନ୍ତୁ ଓଲଟାକୁ ସିଧା କିପରି କରିବି, ତାହା ଚିନ୍ତା କର । ଏହାକୁ ହିଁ କୁହାଯାଏ କଲ୍ୟାଣର ଭାବନା । ଶ୍ରେଷ୍ଠ ମନୋଭାବ, ଶୁଭ ଭାବନା ଦ୍ୱାରା ନିଜର ସ୍ୱଭାବ-ସଂସ୍କାର ଏବଂ ଅନ୍ୟମାନଙ୍କର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବାରେ ବିଜୟ ପ୍ରାପ୍ତ କରିପାରିବ । ବୁଝିଲ! ପ୍ରଥମେ ନିଜ ଉପରେ ବିଜୟୀ, ତାପରେ ସମସ୍ତଙ୍କ ଉପରେ ବିଜୟୀ, ତାପରେ ପ୍ରକୃତି ଉପରେ ବିଜୟୀ ହୋଇଯିବ । ଏହି ତିନୋଟି ଯାକ ବିଜୟ ତୁମକୁ ବିଜୟୀ ମାଳାର ଦାନ କରିଦେବ । ପ୍ରକୃତି ମଧ୍ୟରେ ବାୟୁମଣ୍ଡଳ, ପରିବେଶ ଏବଂ ପରିସ୍ଥିତି ବା ସ୍ଥୂଳ ପ୍ରକୃତିର ସମସ୍ୟା ଗୁଡିକ ମଧ୍ୟ ଆସିଯାଉଛି । ତେଣୁ ଏହି ତିନୋଟି ଉପରେ ବିଜୟୀ ଅଟ ? ଏହି ଆଧାରରେ ନିଜର ବିଜୟ ମାଳାର କ୍ରମିକ ସଂଖ୍ୟାକୁ ଦେଖିପାରିବ ? ସେଥିପାଇଁ ଏହାର ନାମ ବୈଜୟନ୍ତୀ ମାଳା ରଖାଯାଇଛି । ତେବେ ସମସ୍ତେ ବିଜୟୀ ଅଟ ନା ? ଆଚ୍ଛା!

ଆଜି ଅଷ୍ଟ୍ରେଲିୟା ବାଲାଙ୍କର ପାଳି । ଅଷ୍ଟ୍ରେଲିୟା ନିବାସୀ ପିଲାମାନଙ୍କୁ ମଧୁବନର ମଧ୍ୟ ଗୋଲ୍ଡେନ୍ ଚାନ୍ସେଲର୍ ହେବାର ସୁଯୋଗ ମିଳୁଛି, କାହିଁକି ନା ତୁମେମାନେ ମଧ୍ୟ ସମସ୍ତଙ୍କୁ ଆଗକୁ ଯିବାକୁ ଚାନ୍ସ ଦେଉଛ ଅର୍ଥାତ୍ ସୁଯୋଗ ଦେଉଛ, ଏହା ହିଁ ତୁମମାନଙ୍କର ବିଶେଷତା । ଅନ୍ୟମାନଙ୍କୁ ଆଗରେ ରଖିବା ବା ଏହିଭଳି ସୁଯୋଗ ଦେବା ଅର୍ଥାତ୍ ଚାନ୍ସଲର ଅର୍ଥାତ୍ କୁଳପତି ବା ରାଜା ହେବା । ତେବେ ଚାନ୍ସ ନେଉଥିବା ଏବଂ ଚାନ୍ସ ଦେଉଥିବା ଉଭୟ ପିଲାମାନଙ୍କୁ ଚାନସ୍ଲର କୁହାଯାଉଛି । ବାପଦାଦା ସବୁବେଳେ ସବୁ ପିଲାଙ୍କର ବିଶେଷତାକୁ ଦେଖୁଛନ୍ତି ଏବଂ ବର୍ଣ୍ଣନା କରୁଛନ୍ତି । ଅଷ୍ଟ୍ରେଲିୟାରେ ପାଣ୍ଡବମାନଙ୍କୁ ବିଶେଷ ଭାବରେ ସେବାର ସୁଯୋଗ ମିଳିଛି । ଅଧିକରୁ ଅଧିକ ସେଣ୍ଟର ଗୁଡିକୁ ମଧ୍ୟ ପାଣ୍ଡବମାନେ ହିଁ ସମ୍ଭାଳୁଛନ୍ତି । ଶକ୍ତିମାନେ ପାଣ୍ଡବମାନଙ୍କୁ ସୁଯୋଗ ଦେଇଛନ୍ତି, ତେଣୁ ଅନ୍ୟକୁ ଆଗରେ ରଖୁଥିବା ଆତ୍ମା ସର୍ବଦା ଆଗରେ ହିଁ ରହିଥାଏ । ଏହା ମଧ୍ୟ ଶକ୍ତିମାନଙ୍କର ବିଶେଷତା । କିନ୍ତୁ ପାଣ୍ଡବମାନେ ସର୍ବଦା ନିଜକୁ ନିମିତ୍ତ ମନେ କରି ସେବାରେ ଆଗକୁ ଆଗକୁ ବଢିଚାଲିଛ ନା! ସେବାରେ ନିମିତ୍ତ ଭାବନା ରଖିବା ହିଁ ସେବାର ସଫଳତାର ଆଧାର । ବାପଦାଦା ପିଲାମାନଙ୍କୁ ସର୍ବଦା ତିନୋଟି ଶବ୍ଦ ମନେ ରଖିବା ପାଇଁ କହୁଛନ୍ତି ଯାହାକୁ ସାକାର ବ୍ରହ୍ମାଙ୍କ ଦ୍ୱାରା ମଧ୍ୟ ଶେଷ ସମୟରେ ଉଚ୍ଚାରଣ କରିଛନ୍ତି । ନିରାକାରୀ, ନିର୍ବିକାରୀ ଏବଂ ନିରଂହକାରୀ । ଏହି ତିନୋଟିଯାକ ବିଶେଷତା ନିମିତ୍ତ ଭାବନା ରଖିବା ଦ୍ୱାରା ଆପେ ଆପେ ଆସିଥାଏ । ନିଜର ଭାବନା ନ ରହିଲେ ଏହି ତିନୋଟିଯାକ ବିଶେଷତାର ଅନୁଭବ ହେବ ନାହିଁ । ନିମିତ୍ତ ମନୋଭାବ ଅନେକ ପ୍ରକାରର ମୁଁ ପଣିଆ ଏବଂ ମୋର ପଣିଆକୁ ସହଜରେ ସମାପ୍ତ କରିଦେଇଥାଏ । ତେଣୁ ନା ମୁଁ ପଣିଆ, ନା ମୋର ପଣିଆ ରହୁ ଏହି ଗୋଟିଏ କମୀ କାରଣରୁ ହିଁ ସ୍ଥିତି ହଲଚଲ୍ ହୋଇଥାଏ, ସେବାରେ ମଧ୍ୟ ମେହନତ କରିବାକୁ ପଡିଥାଏ ଏବଂ ନିଜର ଉଡିବାର ସ୍ଥିତିକୁ ଯିବା ପାଇଁ ମଧ୍ୟ ମେହନତ କରିବାକୁ ପଡିଥାଏ । ତେବେ ନିମିତ୍ତ ପଣିଆର ସ୍ମୃତି ରହିବା ଅର୍ଥ ନିମିତ୍ତ କରିଥିବା ବାବାଙ୍କର ସ୍ମୃତି ରହିବା ଦରକାର । ଏହି ବିଶେଷତା ଦ୍ୱାରା ସର୍ବଦା ସେବାରେ ବୃଦ୍ଧି କରିବା ସହିତ ଆଗକୁ ବଢିଚାଲିଛ ନା । ସେବାର ବିସ୍ତାର ହେବା ମଧ୍ୟ ସେବାର ସଫଳତାର ଚିହ୍ନ । ଏବେ ତ ଅଚଳ ଅଟଳ ସ୍ଥିତିର ବହୁତ ଭଲ ଅନୁଭବୀ ହୋଇଗଲଣି । ବୁଝିଲ - ଅଷ୍ଟ୍ରେଲିୟା ଅର୍ଥାତ୍ କିଛି ନା କିଛି ଏକ୍ସଟ୍ରା ବିଶେଷତା ଅଛି ଯାହାକି ଅନ୍ୟମାନଙ୍କ ନିକଟରେ ନାହିଁ । ଅଷ୍ଟ୍ରେଲିୟାରେ ଗୁଜୁରାଟୀ ପ୍ରଭୃତି ଅନ୍ୟାନ୍ୟ ସମ୍ପ୍ରଦାୟ ନାହାଁନ୍ତି । ଚାରିଟୀ ବିଗିନ୍ସ ଆଟ୍ ହୋମ୍ ଅର୍ଥାତ୍ ପୂଣ୍ୟ କର୍ମ ନିଜ ଘରୁ ଆରମ୍ଭ କରାଯାଏ - ଏହି କାର୍ଯ୍ୟ ଏମାନେ ଅଧିକ କରିଛନ୍ତି, କାରଣ ନିଜର ସମସାଥୀମାନଙ୍କୁ ଜାଗ୍ରତ କରିଛନ୍ତି । କୁମାର କୁମାରୀମାନଙ୍କର ବହୁତ ଭଲ କଲ୍ୟାଣ ମଧ୍ୟ ହେଉଛି । କାରଣ ଏହି ଜୀବନରେ ହିଁ ନିଜର ଭବିଷ୍ୟତ ଜୀବନର ଫୈସଲା କରିବାକୁ ପଡିଥାଏ । ଯଦି ବର୍ତ୍ତମାନ ହିଁ ନିଜର ଜୀବନକୁ ଗଢିଦେଲ ତେବେ ସଦାକାଳ ପାଇଁ ଶ୍ରେଷ୍ଠ ହୋଇଗଲ । ଓଲଟା ସିଢି ଚଢିବାରୁ ରକ୍ଷା ପାଇଗଲ । ବାପଦାଦା ମଧ୍ୟ ଖୁସି ଅଛନ୍ତି କାରଣ ପିଲାମାନେ ଜଣେ ଅନ୍ୟ ଜଣଙ୍କର ଆତ୍ମାରୂପୀ ଦୀପକୁ ଜାଗ୍ରତ କରି ଦୀପାବଳୀ ପାଳନ କରୁଛନ୍ତି । ବହୁତ ଭଲ ଉମଙ୍ଗ-ଉତ୍ସାହ ମଧ୍ୟ ରଖିଛନ୍ତି । ସେବାରେ ବ୍ୟସ୍ତ ରହିବା ଦ୍ୱାରା ଭଲ ଉନ୍ନତି ମଧ୍ୟ କରୁଛନ୍ତି ।

ଗୋଟିଏ ହେଲା ନିମିତ୍ତ ମନୋଭବ ରଖି ସେବା କରିବାର କଥା ତ ଶୁଣାଇଲୁ, ଆଉ ଗୋଟିଏ କଥା ହେଲା ଯେଉଁମାନେ ସେବାର ନିମିତ୍ତ ହେଉଛନ୍ତି ସେମାନଙ୍କ ପାଇଁ ସ୍ୱଉନ୍ନତି ବା ସେବାର ଉନ୍ନତି ପ୍ରତି ଗୋଟିଏ ସ୍ଳୋଗାନ ରହିଛି ଯାହାକି ସେମାନଙ୍କ ପାଇଁ ବିଶେଷ ଭାବରେ ସୁରକ୍ଷାର ଆଧାର ଅଟେ । ତାହା ହେଲା ମୁଁ ନିମିତ୍ତ ହୋଇଥିବା ଆତ୍ମା ଯାହା କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ, କାହିଁକି ନା ସେବାର ନିମିତ୍ତ ହେବା ଅର୍ଥାତ୍ ମଞ୍ଚ ଉପରକୁ ଆସିବା । ଯେପରି କୌଣସି ବି ପାର୍ଟଧାରୀ ଯେତେବେଳେ ମଞ୍ଚ ଉପରକୁ ଆସିଥାଏ ସେତେବେଳେ ସାବଧାନ ରହିଥାଏ । ସେହିପରି ସେବାର ନିମିତ୍ତ ହେବା ଅର୍ଥାତ୍ ଷ୍ଟେଜ୍ ଉପରେ ପାର୍ଟ କରିବା ଏବଂ ଷ୍ଟେଜ ଉପରେ ସମସ୍ତଙ୍କର ଦୃଷ୍ଟି ରହିଥାଏ ତେବେ ଯିଏ ଯେତେ ଭଲ ହୀରୋ ଆକ୍ଟର ହୋଇଥିବ ତା ଆଡକୁ ସେତେ ଅଧିକ ଦୃଷ୍ଟି ଯିବ, ସେଥିପାଇଁ ଏହି ସ୍ଳୋଗାନ ଅଥବା ମନ୍ତ୍ରକୁ ମନେ ରଖିବା ହିଁ ସୁରକ୍ଷିତ ରହିବା । ଏହା ଦ୍ୱାରା ଆପେ ଆପେ ଉଡିବାର କଳାର ଅନୁଭବ କରିପାରିବ । ଏମିତି କେହି ସେଣ୍ଟରରେ ମଧ୍ୟ ରହୁଛନ୍ତି ବା କେହି କେଉଁଠି ବି ରହି ସେବା କରୁଛନ୍ତି କିନ୍ତୁ ସେବାଧାରୀ ତ ସମସ୍ତେ ଅଟ ନା । କେହି ନିଜର ନିମିତ୍ତ ସ୍ଥାନମାନଙ୍କରେ ରହି ସେବା କରିବାର ସୁଯୋଗ ନେଉଛନ୍ତି, ତେବେ ସେମାନେ ମଧ୍ୟ ସେବାର ମଞ୍ଚ ଉପରେ ଅଛନ୍ତି । ତେଣୁ ସେବା ବ୍ୟତୀତ ନିଜର ସମୟକୁ ବ୍ୟର୍ଥରେ ନଷ୍ଟ କରିବା ଉଚିତ୍ ନୁହେଁ । ସେବାର ଖାତା ମଧ୍ୟ ବହୁତ ଜମା ହୋଇଥାଏ । ସଚ୍ଚା ହୃଦୟରେ ସେବା କରୁଥିବା ଆତ୍ମାମାନେ ନିଜର ଖାତାକୁ ବହୁତ ଭଲ ଜମା କରିଚାଲିଛନ୍ତି । ବାପଦାଦାଙ୍କ ନିକଟରେ ପ୍ରତ୍ୟେକ ସନ୍ତାନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେବାର ଖାତା ରହିଛି ଏବଂ ସ୍ୱତଃ ପ୍ରବୃତ୍ତ ଭାବରେ ସେଥିରେ ଜମା ହୋଇ ଚାଲିଛି । ଜଣ ଜଣଙ୍କର ହିସାବ ରଖିବାକୁ ପଡୁନାହିଁ, କାରଣ ହିସାବ ରଖିବାବାଲାଙ୍କ ପାଖରେ ମଧ୍ୟ ବହୁତ ଫାଇଲ୍ ପଡି ରହିଥାଏ । ବାବାଙ୍କ ପାଖରେ ତ ସ୍ଥୁଳ ଫାଇଲ୍ କିଛି ବି ନାହିଁ । ଗୋଟିଏ ସେକେଣ୍ଡରେ ପ୍ରତ୍ୟେକ ସନ୍ତାନର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେବାର ହିସାବ ସମ୍ମୁଖକୁ ଆସିଯାଏ ଅର୍ଥାତ୍ ଜଣାପଡିଯାଏ । ତେଣୁ ଆପେ ଆପେ ହିଁ ଜମା ହୋଇଥାଏ । ଏମିତି କେବେ ବି ଭାବିବ ନାହିଁ ଯେ ମୋତେ ତ କେହି ଦେଖୁନାହାଁନ୍ତି ବା ବୁଝୁନାହାଁନ୍ତି । ବାପଦାଦାଙ୍କ ନିକଟରେ ତ ଯିଏ ଯେପରି ଅଟେ, ଯେତିକି ସେବା କରୁଛି, ଯେଉଁ ସ୍ଥିତିରେ କରୁଛି - ସବୁ କିଛି ଜମା ହୋଇଯାଉଛି । ଫାଇଲ୍ ତ ନାହିଁ କିନ୍ତୁ ଫାଇନାଲ୍ ରୂପରେ ଜମା ହେଉଛି । ଅଷ୍ଟ୍ରେଲିୟାରେ ଶକ୍ତିମାନେ ବାବାଙ୍କର ହେବାରେ, ବାବାଙ୍କୁ ଜାଣି ତାଙ୍କ ସହିତ ସ୍ନେହ ପୂର୍ଣ୍ଣ ସମ୍ବନ୍ଧ ରକ୍ଷା କରିବାରେ ବହୁତ ଭଲ ସାହସ ଦେଖାଇଛନ୍ତି । ଯଦି ବି କୌଣସି ହଲଚଲ୍ ଦ୍ୱାରା ଭୁଲ ଭଟକା ହୋଇଯାଉଛି ତାହା ମଧ୍ୟ କେତେକ ସ୍ଥାନ ହିସାବରେ ବା ପରିବେଶ ପରିସ୍ଥିତି ହିସାବରେ ବା ମୋଟାମୋଟି ଉପରେ ପୂର୍ବ ଜୀବନର ସଂସ୍କାର କାରଣରୁ ହଲଚଲ୍ ଆସୁଛି । ସେଗୁଡିକୁ ମଧ୍ୟ ଅତିକ୍ରମ କରି ସ୍ନେହର ବନ୍ଧନରେ ଆଗକୁ ଆଗକୁ ବଢି ଚାଲିଛନ୍ତି । ସେଥିପାଇଁ ବାପଦାଦା ଶକ୍ତିମାନଙ୍କ ସାହସକୁ ଦେଖି ଅଭିନନ୍ଦନ ଦେଉଛନ୍ତି । ଏକ ବଳ, ଏକ ଭରସା ହିଁ ଆଗକୁ ବଢାଇ ଚାଲିଛି । ତେବେ ଶକ୍ତିମାନଙ୍କର ସାହସ ଏବଂ ପାଣ୍ଡବମାନଙ୍କର ସେବାର ଉମଙ୍ଗ-ଉତ୍ସାହର ଡେଣା ମଜବୁତ୍ ହୋଇଗଲାଣି । ସେବାକ୍ଷେତ୍ରରେ ପାଣ୍ଡବମାନେ ମଧ୍ୟ ମହାବୀର ହୋଇ ଆଗକୁ ବଢୁଛନ୍ତି । ହଲଚ୍ଲ୍କୁ ଅତିକ୍ରମ କରିବାରେ ମଧ୍ୟ ପ୍ରବୀଣ ହୋଇ ଗଲେଣି । ସମସ୍ତଙ୍କର ଚିତ୍ର ମଧ୍ୟ ସମାନ । ପାଣ୍ଡବମାନଙ୍କୁ ମୋଟା-ସୋଟା, ସତେଜ ଏବଂ ଲମ୍ବା-ଚଉଡା ଦେଖାଉଛନ୍ତି । କାହିଁକି ନା ତୁମର ସ୍ଥିତି ସେହିଭଳି ଉଚ୍ଚ ଏବଂ ମଜବୁତ ଅଛି । ତେଣୁ ପାଣ୍ଡବମାନଙ୍କୁ ଅଧିକ ଉଚ୍ଚ ଏବଂ ବାହାଦୂର ରୂପରେ ଦେଖାଇଛନ୍ତି । ଅଷ୍ଟ୍ରେଲିଆ ନିବାସୀ ଅଧିକ ଦୟାଳୁ ମଧ୍ୟ ଅଟନ୍ତି । ଭଟକୁଥିବା ଆତ୍ମାମାନଙ୍କ ପ୍ରତି ଦୟାଶୀଳ ହୋଇ ସେବାରେ ଆଗକୁ ବଢୁଛନ୍ତି । ସେମାନେ କେବେହେଲେ ସେବା ନକରି ରହିପାରିବେ ନାହିଁ । ପିଲାମାନଙ୍କର ଆଗକୁ ବଢିବାର ବିଶେଷତାକୁ ଦେଖି ବାପଦାଦା ବହୁତ ଖୁସି ହେଉଛନ୍ତି ଏବଂ କହୁଛନ୍ତି ତୁମେମାନେ ବିଶେଷ ଭାଗ୍ୟବାନ ଅଟ । ପ୍ରତ୍ୟେକ ସନ୍ତାନର ଉମଙ୍ଗ-ଉତ୍ସାହକୁ ଦେଖି ବାପଦାଦାଙ୍କୁ ଖୁସି ଲାଗୁଛି । ପିଲାମାନେ କିପରି ନିଜର ଶ୍ରେଷ୍ଠ ଲକ୍ଷ ପଥରେ ଆଗକୁ ବଢି ଚାଲିଛନ୍ତି ଏବଂ ବଢି ଚାଲିବେ ମଧ୍ୟ । ବାପଦାଦା ସର୍ବଦା ପିଲାମାନଙ୍କର ବିଶେଷତାକୁ ହିଁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ପରସ୍ପରଠାରୁ ଅଧିକ ପ୍ରିୟ ଅଟନ୍ତି । ତୁମେମାନେ ମଧ୍ୟ ପରସ୍ପରକୁ ଏହି ବିଧିରେ ଦେଖୁଛ ନା! ଯାହାକୁ ବି ଦେଖ ସମସ୍ତେ ଅଧିକରୁ ଅଧିକ ପ୍ରିୟ ଅନୁଭବ ହୁଅନ୍ତୁ, କାହିଁକି ନା ୫ ହଜାର ବର୍ଷ ପରେ ମିଳିଥିବା ସାଥୀ କେତେ ପ୍ରିୟ ଲାଗିବା ଦରକାର । ବାବାଙ୍କ ସହିତ ସ୍ନେହ ଥିବାର ଚିହ୍ନ ହେଲା ସବୁ ବ୍ରାହ୍ମଣ ଆତ୍ମା ପ୍ରିୟ ଲାଗୁଥିବେ । ଯଦି ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ତୁମକୁ ପ୍ରିୟ ଲାଗୁଛନ୍ତି ତେବେ ବାବାଙ୍କ ସହିତ ସ୍ନେହ ଅଛି । କାରଣ ବିଜୟ ମାଳାରେ ବ୍ରାହ୍ମଣମାନେ ହିଁ ପରସ୍ପରର ସମ୍ବନ୍ଧରେ ଆସିବେ ନା । ବାବା ତ ଅବସର ନେଇ ଯିବେ ଏବଂ କେବଳ ଉପରେ ରହି ଦେଖିବେ । ସେଥିପାଇଁ ବାବାଙ୍କ ସହିତ ସ୍ନେହର ଲକ୍ଷଣ ଗୁଡିକୁ ସର୍ବଦା ଅନୁଭବ କର । ଯେହେତୁ ସମସ୍ତେ ବାବାଙ୍କୁ ପ୍ରିୟ ତେଣୁ ମୋର ମଧ୍ୟ ସମସ୍ତେ ପ୍ରିୟ ଅଟନ୍ତି । ଆଚ୍ଛା!

ପାର୍ଟିମାନଙ୍କ ସହିତ:- ସମସ୍ତେ ନିଜକୁ ବିଶେଷ ଆତ୍ମା ଅନୁଭବ କରୁଛ ? ଆମେ ବିଶେଷ ଆତ୍ମାମାନେ ବିଶେଷ କାର୍ଯ୍ୟ ପାଇଁ ନିମିତ୍ତ ଅଟୁ ଏବଂ ଆମକୁ ନିଜର ବିଶେଷତା ଗୁଡିକୁ ହିଁ ଦେଖାଇବାକୁ ହେବ - ଏହି ସ୍ମୃତି ସର୍ବଦା ମନ ଭିତରେ ରହିଥାଉ । ଏହିଭଳି ସ୍ମୃତି ସାଧାରଣ ସ୍ମୃତିକୁ ମଧ୍ୟ ଶକ୍ତିଶାଳୀ କରିଦେବ ଏବଂ ବ୍ୟର୍ଥକୁ ସମାପ୍ତ କରିଦେବ । ତେଣୁ ସର୍ବଦା ଏହି ବିଶେଷ ଶବ୍ଦକୁ ମନେ ରଖ । କଥା କହିବା ମଧ୍ୟ ବିଶେଷ, କାର୍ଯ୍ୟ କରିବା ମଧ୍ୟ ବିଶେଷ, ଭାବିବା ମଧ୍ୟ ବିଶେଷ । ପ୍ରତ୍ୟେକ କଥାରେ ଏହି ବିଶେଷ ଶବ୍ଦକୁ ସ୍ମୃତିରେ ଆଣିବା ଦ୍ୱାରା ସ୍ୱତଃ ପରିବର୍ତ୍ତନ ହୋଇଯିବ ଏବଂ ଏହି ସ୍ମୃତି ଦ୍ୱାରା ସ୍ୱ-ପରିବର୍ତ୍ତନ ତଥା ବିଶ୍ୱ ପରିବର୍ତ୍ତନ ସହଜରେ ହୋଇଯିବ । ତେଣୁ ପ୍ରତ୍ୟେକ କଥାରେ ବିଶେଷ ଶବ୍ଦକୁ ଯୋଡିଚାଲ । ଏହା ଦ୍ୱାରା ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବାର ଲକ୍ଷ୍ୟରେ ସହଜରେ ପହଞ୍ଚିପାରିବ ।

(୨) ସର୍ବଦା ବାବା ଏବଂ ତାଙ୍କର ସମ୍ପତ୍ତିର ସ୍ମୃତିରେ ରହୁଛ! କାରଣ ଶ୍ରେଷ୍ଠ ସ୍ମୃତି ଦ୍ୱାରା ଶ୍ରେଷ୍ଠ ସ୍ଥିତିର ଅନୁଭବ ହୋଇଥାଏ ତେଣୁ ସ୍ଥିତିର ଆଧାର ହେଲା ସ୍ମୃତି । ଯଦି ସ୍ମୃତି ଦୁର୍ବଳ ରହିବ ତେବେ ସ୍ଥିତି ମଧ୍ୟ ଦୁର୍ବଳ ହୋଇଯିବ । ସେଥିପାଇଁ ସ୍ମୃତି ସର୍ବଦା ଶକ୍ତିଶାଳୀ ରହୁ ଏବଂ ସେହି ଶକ୍ତିଶାଳୀ ସ୍ମୃତି ହେଲା - ମୁଁ ବାବାଙ୍କର, ବାବା ମୋର । ଏହି ସ୍ମୃତି ଦ୍ୱାରା ନିଜର ସ୍ଥିତି ମଧ୍ୟ ଶକ୍ତିଶାଳୀ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିଦେବ । ତେଣୁ ସର୍ବଦା ନିଜର ସ୍ମୃତି ଉପରେ ବିଶେଷ ଧ୍ୟାନ ଦିଅ । ସମର୍ଥ ସ୍ମୃତି, ସମର୍ଥ ସ୍ଥିତି ଏବଂ ସମର୍ଥ ସେବା ଆପେ ଆପେ ହେଉଥାଉ । ସ୍ମୃତି, ସ୍ଥିତି ଏବଂ ସେବା ତିନୋଟି ଯାକ ସମର୍ଥ ହେଉ । ଯେପରି ଲାଇଟ୍ର ସ୍ୱୀଚ୍ ଅନ୍ କରିବା ମାତ୍ରକେ ଚାରିଆଡେ ଆଲୋକିତ ହୋଇଯାଉଛି ଏବଂ ଅଫ୍ କରିବା ମାତ୍ରକେ ଅନ୍ଧକାର ହୋଇଯାଉଛି, ସେହିପରି ଏହି ସ୍ମୃତି ମଧ୍ୟ ଏକ ସ୍ୱୀଚ୍ । ଯଦି ସ୍ମୃତି ରୂପକ ସ୍ୱୀଚ୍ ଦୁର୍ବଳ ରହିବ ତେବେ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ସେଥିପାଇଁ ସର୍ବଦା ସ୍ମୃତି ରୂପୀ ସ୍ୱୀଚ୍ ଉପରେ ଧ୍ୟାନ ଦିଅ । ଏହିଥିରେ ହିଁ ନିଜର ଏବଂ ସମସ୍ତଙ୍କର କଲ୍ୟାଣ ଅନ୍ତର୍ନିହିତ । ଯେବେକି ନୂଆ ଜନ୍ମ ନେଇଛ ତେଣୁ ସ୍ମୃତି ମଧ୍ୟ ନୂଆ ହେବା ଉଚିତ୍ । ସବୁ ପୁରୁଣା ସ୍ମୃତି ସମାପ୍ତ ହୋଇଯିବା ଉଚିତ୍ । ତେଣୁ ଏହି ବିଧି ଦ୍ୱାରା ସର୍ବଦା ସିଦ୍ଧିକୁ ପ୍ରାପ୍ତ କରିଚାଲ ।

(୩) ସମସ୍ତେ ନିଜକୁ ଭାଗ୍ୟବାନ ଆତ୍ମା ମନେ କରୁଛ ? ବରଦାନ ଭୂମିକୁ ଆସିବା ମଧ୍ୟ ମହାନ ଭାଗ୍ୟ ଅଟେ । ଗୋଟିଏ ଭାଗ୍ୟ ତ ବରଦାନ ଭୂମିରେ ପହଞ୍ଚିବାର ମିଳିଗଲା, ଏବେ ଏହି ଭାଗ୍ୟକୁ ଯେତେ ଇଚ୍ଛା ସେତେ ଶ୍ରେଷ୍ଠ କରିପାରିବ । ଶ୍ରେଷ୍ଠ ମତ ଅର୍ଥାତ୍ ବାବାଙ୍କର ଶ୍ରୀମତ ହିଁ ଭାଗ୍ୟର ରେଖା ଟାଣିବାର କଲମ । ଏହା ଦ୍ୱାରା ନିଜର ଭାଗ୍ୟ ରେଖାକୁ ଯେତେ ଶ୍ରେଷ୍ଠ କରିପାରିବ ସେତେ ଶ୍ରେଷ୍ଠ ହୋଇପାରିବ । ସାରା କଳ୍ପ ଭିତରେ ଏହି ଶ୍ରେଷ୍ଠ ସମୟ ହିଁ ଭାଗ୍ୟର ରେଖା ଟାଣିବାର ସମୟ । ଏହିଭଳି ସମୟରେ, ଏହିଭଳି ସ୍ଥାନରେ ପହଞ୍ଚିଯାଇଛ । ତେଣୁ ଅଳ୍ପରେ ଖୁସି ହୋଇଯାଅ ନାହିଁ । ଯେବେକି ଦେଲାବାଲା ଦାତା ଦେଇ ଚାଲିଛନ୍ତି ତେବେ ନେଲାବାଲା କାହିଁକି ଥକିଯିବ! ବାବାଙ୍କର ସ୍ମୃତି ହିଁ ତୁମକୁ ଶ୍ରେଷ୍ଠ କରିଦେବ । ବାବାଙ୍କୁ ମନେ ପକାଇବା ଅର୍ଥ ପବିତ୍ର ହେବା । ଯେହେତୁ ତୁମର ସମ୍ବନ୍ଧ ଜନ୍ମ ଜନ୍ମର ଅଟେ ତେଣୁ ମନେ ପକାଇବାକୁ କାହିଁକି କଷ୍ଟ ଲାଗିବ! କେବଳ ସ୍ନେହର ସହିତ ଏବଂ ସମ୍ବନ୍ଧର ସ୍ମୃତି ଦ୍ୱାରା ମନେ ପକାଅ । ଯେଉଁଠାରେ ସ୍ନେହ ଅଛି ସେଠାରେ ସ୍ମୃତି ନ ଆସିବା ସମ୍ଭବ ନୁହେଁ । ଭୁଲିବାକୁ ଚେଷ୍ଟା କରିଲେ ମଧ୍ୟ ମନେ ପଡିବ । ଆଚ୍ଛା!

ରଦାନ:-
ମସ୍ତକ ଦ୍ୱାରା ସନ୍ତୁଷ୍ଟତାର ଚମକର ଝଲକ ଦେଖାଉଥିବା ସାକ୍ଷାତ୍କାର ମୂର୍ତ୍ତି ହୁଅ ।

ଯେଉଁମାନେ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି ସେମାନଙ୍କ ମସ୍ତକରେ ସନ୍ତୁଷ୍ଟତାର ଝଲକ ଅର୍ଥାତ୍ ଆଭା ସଦାସର୍ବଦା ଚମକୁଥାଏ । ଯଦି କୌଣସି ଦୁଃଖୀ ଆତ୍ମା ସେମାନଙ୍କୁ ଦେଖିନିଏ ତେବେ ସିଏ ମଧ୍ୟ ଖୁସି ହୋଇଯାଏ, ତାର ଉଦାସୀ ଦୁର ହୋଇଯାଏ । ଯେଉଁମାନଙ୍କ ନିକଟରେ ସନ୍ତୁଷ୍ଟତା ରୂପୀ ଖୁସିର ସମ୍ପତ୍ତି ରହିଛି ସେମାନଙ୍କ ପ୍ରତି ଆପେ ଆପେ ସମସ୍ତେ ଆକର୍ଷିତ ହୋଇଥାନ୍ତି । ସେମାନଙ୍କର ଖୁସିର ଚେହେରା ଚୈତନ୍ୟ ବୋର୍ଡର କାର୍ଯ୍ୟ କରିଥାଏ ଯାହାକି ଅନେକ ଆତ୍ମାଙ୍କୁ ସୃଜନକର୍ତ୍ତା ଅର୍ଥାତ୍ ଗଢିବାବାଲା ବାବାଙ୍କର ପରିଚୟ ଦେଇଥାଏ । ତେଣୁ ଏହିଭଳି ନିଜେ ସନ୍ତୁଷ୍ଟ ରହୁଥିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରୁଥିବା ସନ୍ତୁଷ୍ଟମଣୀ ହୁଅ ଯାହା ଦ୍ୱାରା ଅନେକଙ୍କୁ ସାକ୍ଷାତ୍କାର ହୋଇଯିବ ।

ସ୍ଲୋଗାନ:-
ଆଘାତକାରୀର କାର୍ଯ୍ୟ ହେଲା ଆଘାତ ଦେବା ଏବଂ ତୁମର କାର୍ଯ୍ୟ ହେଲା ନିଜକୁ ସୁରକ୍ଷିତ ରଖିବା ।