02.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ଏବେ ନୂଆ ହେବାକୁ ହେଉଛି, ତୁମମାନଙ୍କୁ ଏବେ ପୁରୁଷାର୍ଥ କରି ଉତ୍ତମ ଦେବ ପଦ ପାଇବାକୁ ହେବ ।

ପ୍ରଶ୍ନ:-
ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କ ବୁଦ୍ଧିରେ କେଉଁ କଥା ସର୍ବଦା ମନେ ରହିଥାଏ ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ଥାଏ ଯେ ଧନ ଦେଲେ ଧନ ସରିବ ନାହିଁ... ସେଥିପାଇଁ ସେମାନେ ରାତି-ଦିନ ନିଦ୍ରା ତ୍ୟାଗ କରି ମଧ୍ୟ ଜ୍ଞାନ ଧନକୁ ଦାନ କରିଥାନ୍ତି, ଥକି ନଥାନ୍ତି । କିନ୍ତୁ ନିଜ ଭିତରେ ଯଦି କୌଣସି ଅବଗୁଣ ଥିବ ତେବେ ସେବା କରିବାର ଉତ୍ସାହ ମଧ୍ୟ ଆସିବ ନାହିଁ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ପରମପିତା ପରମାତ୍ମା ପ୍ରତିଦିନ ବୁଝାଉଛନ୍ତି । ଯେପରି ବିଦ୍ୟାଳୟମାନଙ୍କରେ ଶିକ୍ଷକମାନେ ପ୍ରତିଦିନ ପାଠ ପଢାଇଥାନ୍ତି । ପିତା ତ କେବଳ ଶିକ୍ଷା ଦେବେ, ପିଲାମାନଙ୍କର ଦାୟିତ୍ୱ ନେବେ କାରଣ ସେମାନେ ମାତା-ପିତାଙ୍କ ସାଥିରେ ଘରେ ରହିଥାନ୍ତି । କିନ୍ତୁ ଏଠାରେ ବହୁତ ବିଚିତ୍ର କଥା । ଆତ୍ମାର ପିତା ପରମାତ୍ମାଙ୍କ ସାଥିରେ ତୁମେମାନେ ରହୁଛ । ପ୍ରଥମ କଥା ହେଲା ତୁମେମାନେ ଆତ୍ମିକ ପିତାଙ୍କ ସହିତ ବ୍ରହ୍ମଲୋକରେ ରହୁଛ । ବାବା ପିଲାମାନଙ୍କୁ ବର୍ସା ଦେବା ପାଇଁ ଅଥବା ପବିତ୍ର କରିବା ପାଇଁ, ସୁଖ ଅଥବା ଶାନ୍ତି ଦେବା ପାଇଁ କଳ୍ପରେ ଥରେ ମାତ୍ର ଆସୁଛନ୍ତି । ତେବେ ନିଶ୍ଚୟ ଏଠାରେ ଆସି ରହୁଥିବେ । ଏହି କଥାରେ ହିଁ ମନୁଷ୍ୟମାନେ ଦ୍ୱନ୍ଦରେ ପଡୁଛନ୍ତି । ଗାୟନ ମଧ୍ୟ ରହିଛି ସିଏ ସାଧାରଣ ଶରୀରରେ ପ୍ରବେଶ କରିଥାନ୍ତି । ତେବେ ସାଧାରଣ ଶରୀର କେଉଁଠାରୁ ଉଡିକରି ତ ଆସୁ ନାହିଁ । ତେଣୁ ନିଶ୍ଚିତ ମନୁଷ୍ୟ ଶରୀରରେ ହିଁ ଆସୁଛନ୍ତି ଏବଂ ସିଏ ଏକଥା ମଧ୍ୟ କହୁଛନ୍ତି ଯେ, ମୁଁ ଏହି ଶରୀରରେ ପ୍ରବେଶ କରୁଛି । ତୁମେମାନେ ମଧ୍ୟ ଏବେ ବୁଝିପାରୁଛ ବାବା ଆମକୁ ସ୍ୱର୍ଗର ବର୍ସା ଦେବାକୁ ଆସିଛନ୍ତି । କିନ୍ତୁ ଏବେ ଆମେ ଯୋଗ୍ୟ ନାହୁଁ, ପତିତ ହୋଇଯାଇଛୁ । ସେଥିପାଇଁ ସମସ୍ତେ କହୁଛନ୍ତି, ହେ ପତିତ-ପାବନ ଆସ, ଏଠାକୁ ଆସି ଆମ ପତିତମାନଙ୍କୁ ପବିତ୍ର କର । ବାବା କହୁଛନ୍ତି ମୋତେ କଳ୍ପ-କଳ୍ପ ପତିତମାନଙ୍କୁ ପବିତ୍ର କରିବାର କାର୍ଯ୍ୟ ମିଳିଛି । କହୁଛନ୍ତି ହେ ପିଲାମାନେ, ବର୍ତ୍ତମାନ ଏହି ପତିତ ଦୁନିଆକୁ ପବିତ୍ର କରିବାକୁ ହେବ । ପୁରୁଣା ଦୁନିଆକୁ ପତିତ, ନୂଆ ଦୁନିଆକୁ ପବିତ୍ର ବୋଲି କୁହାଯିବ ଅର୍ଥାତ୍ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି । କଳିଯୁଗକୁ ତ କେହି ବି ନୂଆ ଦୁନିଆ କହିବେ ନାହିଁ । ଏହା ତ ବୁଝିବାର କଥା ନା । କଳିଯୁଗ ହେଲା ପୁରୁଣା ଦୁନିଆ । ବାବା ମଧ୍ୟ ନିଶ୍ଚିତ ପୁରୁଣା ଏବଂ ନୂଆ ଦୁନିଆର ସଂଗମରେ ହିଁ ଆସିବେ । ଯେତେବେଳେ କେଉଁଠି ବି ତୁମେମାନେ ବୁଝାଉଛ ତେବେ କୁହ ଯେ, ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ, ଏହି ସମୟରେ ବାବା ଆସିଛନ୍ତି । ସାରା ଦୁନିଆରେ ଏପରି କେହି ମନୁଷ୍ୟ ନଥିବେ ଯାହାଙ୍କୁ ଜଣାଥିବ ଯେ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ତୁମେମାନେ ସଂଗମଯୁଗରେ ଅଛ ସେଥିପାଇଁ ତ ଅନ୍ୟମାନଙ୍କୁ ବୁଝାଉଛ । ମୁଖ୍ୟ କଥା ହେଉଛି ସଂଗମଯୁଗର । ତେଣୁ ପଏଣ୍ଟସ୍ ମଧ୍ୟ ବହୁତ ଜରୁରୀ ଅଟେ । ଯେଉଁ କଥା କେହି ଜାଣି ନାହାଁନ୍ତି ସେ ସମ୍ବନ୍ଧରେ ବୁଝାଇବାକୁ ହେବ ସେଥିପାଇଁ ବାବା କହୁଛନ୍ତି ଏକଥା ନିଶ୍ଚିତ ଲେଖିବାକୁ ହେବ ଯେ ବର୍ତ୍ତମାନ ପୁରୁଷୋତ୍ତମ ସଂଗମଯୁଗ ଅଟେ । ନୂଆଯୁଗ ଅର୍ଥାତ୍ ସତ୍ୟଯୁଗର ଚିତ୍ର ମଧ୍ୟ ରହିଛି । ମନୁଷ୍ୟମାନେ କିପରି ଜାଣିବେ ଯେ, ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗ ନୂଆ ଦୁନିଆର ମାଲିକ ଅଟନ୍ତି । ତେଣୁ ତାଙ୍କ ଚିତ୍ର ଉପରେ ପୁରୁଷୋତ୍ତମ ସଂଗମଯୁଗ ଶବ୍ଦ ନିଶ୍ଚିତ ଲେଖା ହେବା ଦରକାର । ଏହି ଶବ୍ଦ ନିଶ୍ଚିତ ଲେଖିବାକୁ ହେବ କାହିଁକି ନା ଏହା ହିଁ ମୁଖ୍ୟ କଥା । ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଆହୁରି ବହୁତ ବର୍ଷ ଚାଲିବ । କାରଣ ସେମାନେ ବିଲ୍‌କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତେଣୁ ସେମାନଙ୍କୁ ବୁଝାଇବାକୁ ହେବ ଯେ, ନୂଆ ଦୁନିଆର ମାଲିକ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି । ଏହା ହିଁ ତୁମମାନଙ୍କର ଲକ୍ଷ୍ୟ । ତୁମେମାନେ କହୁଛ ଏବେ ସେହି ରାଜ୍ୟର ସ୍ଥାପନା ହେଉଛି । ଗୀତ ମଧ୍ୟ ଅଛି ନବଯୁଗ ଆସିଲା, ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୁଅ । ଏକଥା ତୁମେ ଜାଣିଛ ବର୍ତ୍ତମାନ ହେଉଛି ସଂଗମଯୁଗ, ଏହାକୁ ନବଯୁଗ କୁହାଯିବ ନାହିଁ । ସଂଗମକୁ ସଂଗମଯୁଗ ହିଁ କୁହାଯାଉଛି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ପୁରୁଣା ଦୁନିଆ ସମାପ୍ତ ହୋଇ ନୂଆ ଦୁନିଆର ସ୍ଥାପନା ହେଉଛି । ମନୁଷ୍ୟରୁ ଦେବତା ହେବା ପାଇଁ, ରାଜଯୋଗ ଶିଖୁଛନ୍ତି । ଦେବତାମାନଙ୍କ ମଧ୍ୟରେ ଉତ୍ତମ ପଦ ହେଉଛି ଏହି ଲକ୍ଷ୍ମୀ-ନାରାୟଣଙ୍କର । ଏମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ ଏମାନଙ୍କ ଭିତରେ ଦୈବୀଗୁଣ ରହିଛି ତେଣୁ ସେମାନଙ୍କୁ ଦେବୀ-ଦେବତା କୁହାଯାଉଛି । ପବିତ୍ରତା ହେଉଛି ସବୁଠାରୁ ଉତ୍ତମ ଗୁଣ ସେଥିପାଇଁ ତ ମନୁଷ୍ୟମାନେ ଦେବତାମାନଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି । ଏହି ସବୁ ପଏଣ୍ଟସ୍ ସେହିମାନଙ୍କ ବୁଦ୍ଧିରେ ଧାରଣ ହେବ ଯେଉଁମାନେ ସେବା କରୁଛନ୍ତି । କୁହାଯାଏ ଧନ ଦେଲେ ଧନ ସରିବ ନାହିଁ । ବାବା ତୁମମାନଙ୍କୁ ବହୁତ କଥା ବୁଝାଯାଉଛି । ଜ୍ଞାନ ତ ବହୁତ ସହଜ । କିନ୍ତୁ କିଏ ଭଲ ଭାବରେ ଧାରଣା କରୁଛନ୍ତି, କିଏ କରୁ ନାହାଁନ୍ତି । ଯେଉଁମାନଙ୍କ ପାଖରେ ଅବଗୁଣ ଅଛି ସେମାନେ ସେଣ୍ଟରର ଦାୟିତ୍ୱ ମଧ୍ୟ ନେଇପାରିବେ ନାହିଁ । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ ସିଧା-ସିଧା ଶବ୍ଦ ଲେଖିଦେବା ଦରକାର । ମୁଖ୍ୟତଃ ପୁରୁଷୋତ୍ତମ ସଂଗମଯୁଗ ସମ୍ବନ୍ଧରେ ବୁଝାଇବାକୁ ହେବ । ଏହି ସଂଗମଯୁଗରେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଯେତେବେଳେ ଏହି ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା । ମହାଭାରତ ଲଢେଇ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଏସବୁ ବିଜ୍ଞାନର ସାଧନ ମଧ୍ୟ ଏବେ ବାହାରିଛି, ଆଗରୁ ଏସବୁ ନଥିଲା । ପୁଣି ୧୦୦ ବର୍ଷ ଭିତରେ ସବୁ ଖଲାସ ହୋଇଯିବ । ସଂଗମଯୁଗକୁ ଅତି କମ୍‌ରେ ୧୦୦ ବର୍ଷ ତ ହେବା ଦରକାର ନା । ସମଗ୍ର ଦୁନିଆକୁ ନୂଆ କରିବାକୁ ହେବ । ନୂଆ ଦିଲ୍ଲୀ ତିଆରି କରିବାରେ କେତେ ବର୍ଷ ଲାଗିଲା ।

ତୁମେ ଜାଣିଛ ଭାରତରେ ହିଁ ନୂଆ ଦୁନିଆ ହେବ, ତେଣୁ ଏହି ପୁଣି ପୁରୁଣା ଖଲାସ ହୋଇଯିବ । କିନ୍ତୁ କିଛି ତ ରହିବ ନା । ସଂପୂର୍ଣ୍ଣ ପ୍ରଳୟ ତ ହେବ ନାହିଁ । ଏହି ସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି । ବର୍ତ୍ତମାନ ହେଉଛି ସଂଗମଯୁଗ । ନୂଆ ଦୁନିଆରେ ନିଶ୍ଚୟ ଏହି ଦେବୀ ଦେବତାମାନେ ଥିଲେ, ପୁଣି ଏହିମାନେ ହିଁ ରହିବେ । ଏହା ହେଉଛି ରାଜଯୋଗର ପାଠପଢା । ଯଦି କେହି ବିସ୍ତାର ଭାବରେ ବୁଝାଇପାରୁ ନାହାଁନ୍ତି ତେବେ କେବଳ ଗୋଟିଏ କଥା କୁହ ପରମପିତା ପରମାତ୍ମା ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କୁ ତ ସମସ୍ତେ ସ୍ମରଣ କରୁଛନ୍ତି । ସିଏ ଆମ ସମସ୍ତଙ୍କୁ କହୁଛନ୍ତି ତୁମେମାନେ ଏବେ ପତିତ ହୋଇଯାଇଛ । ସେଥିପାଇଁ ଡାକୁଛ, ହେ ପତିତ-ପାବନ ଆସ, ବାସ୍ତବରେ ଏହି କଳିଯୁଗରେ ସମସ୍ତେ ପତିତ ଏବଂ ସତ୍ୟଯୁଗରେ ସମସ୍ତେ ପବିତ୍ର ଆତ୍ମାମାନେ ରହିଥାନ୍ତି । ବର୍ତ୍ତମାନ ପରମପିତା ପରମାତ୍ମା କହୁଛନ୍ତି ନିଜର ଦେହ ସହିତ ଏହି ସବୁ ପତିତ ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ । ଏହା ଗୀତାର ହିଁ ଶବ୍ଦ ଅଟେ । ଏବେ ସେହି ଗୀତାର ଯୁଗ ଚାଲିଛି । ଗୀତା ଏହି ସଂଗମଯୁଗରେ ହିଁ ଗାୟନ କରାଯାଇଥିଲା ଯେତେବେଳେ କି ବିନାଶ ହୋଇଥିଲା ଏବଂ ବାବା ଆସି ରାଜଯୋଗ ଶିଖାଇଥିଲେ । ରାଜତ୍ୱ ସ୍ଥାପନ ହୋଇଥିଲା ପୁଣି ନିଶ୍ଚିତ ସ୍ଥାପନ ହେବ । ଏସବୁ କଥା ଆତ୍ମାର ପିତା ପରମାତ୍ମା ଆସି ବୁଝାଉଛନ୍ତି ନା । ଧରିନିଅ ଏହି ଶରୀରରେ ନ ଆସି ଅନ୍ୟ କାହା ଶରୀରରେ ତ ଆସିଲେ । କିନ୍ତୁ ଜ୍ଞାନ ତ ବାବାଙ୍କର ନା । ମୁଁ ଏହାଙ୍କର (ବ୍ରହ୍ମାଙ୍କର) ନାମ ନେଉନାହୁଁ । ମୁଁ ତ କେବଳ କହୁଛି ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେମାନେ ପବିତ୍ର ହୋଇଯିବ ଏବଂ ମୋ ପାଖକୁ ଆସିଯିବ । ଏହା କେତେ ସହଜ । କେବଳ ମୋତେ ମନେ ପକାଅ ଏବଂ ୮୪ ଜନ୍ମର ଚକ୍ର ଜ୍ଞାନ ବୁଦ୍ଧିରେ ରହୁ । ଯିଏ ଧାରଣା କରିବ ସିଏ ଚକ୍ରବର୍ତ୍ତୀ ରାଜା ହେବ । ଏହି ସନ୍ଦେଶ ତ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଧିଷ୍ଟ । ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ । ମୁଁ ମଧ୍ୟ ଘରର ହିଁ ରାସ୍ତା ବତାଉଛି । ପାଦ୍ରୀମାନଙ୍କୁ ଅଥବା କେହି ବି ହୁଅନ୍ତୁ ତୁମେ ସେମାନଙ୍କୁ ବାବାଙ୍କର ସନ୍ଦେଶ ଦେଇପାରିବ । ତୁମମାନଙ୍କୁ ବହୁତ ଖୁସିର ନିଶା ଚଢିବା ଉଚିତ୍ । ପରମପିତା ପରମାତ୍ମା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ସମସ୍ତଙ୍କୁ ଏହି କଥା ମନେ ପକାଇଦିଅ । ବାବାଙ୍କର ସନ୍ଦେଶ ଶୁଣାଇବା ହିଁ ପ୍ରଥମ ନମ୍ବର ସେବା ଅଟେ । ବର୍ତ୍ତମାନ ହେଉଛି ଗୀତାର ଯୁଗ । ବାବା ଆସିଛନ୍ତି ସେଥିପାଇଁ ଏହି ଚିତ୍ର ଆରମ୍ଭରୁ ରଖିବା ଉଚିତ୍ । ଯିଏ ଭାବୁଛନ୍ତି ଆମେ ବାବାଙ୍କ ସନ୍ଦେଶ ଦେଇପାରିବୁ ସେମାନେ ପ୍ରସ୍ତୁତ ରହିବା ଉଚିତ୍ । ମନରେ ଆସିବା ଉଚିତ୍ ଯେ, ମୁଁ ମଧ୍ୟ ଅନ୍ଧମାନଙ୍କର ବାଡି ହେବି । ଏହି ସନ୍ଦେଶ ତ କାହାକୁ ବି ଦେଇପାରିବ । ବି.କେ.ଙ୍କ ନାମ ଶୁଣି ଡରୁଛନ୍ତି । କୁହ ଆମେ କେବଳ ବାବାଙ୍କର ସନ୍ଦେଶ ଦେଉଛୁ । ପରମପିତା ପରମାତ୍ମା କହୁଛନ୍ତି ମୋତେ ମନେ ପକାଅ ବାସ୍ । ଆମେ କାହାର ଗ୍ଲାନି କରୁ ନାହୁଁ । ବାବା କହୁଛନ୍ତି ମୋତେ ମନେ ପକାଅ, ମୁଁ ହେଉଛି ଉଚ୍ଚରୁ ଉଚ୍ଚ ପତିତ-ପାବନ । ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଏହି କଥାକୁ ନୋଟ୍ କର । ଏହା ବହୁତ କାମର ଜିନଷ ଅଟେ । କେହି କେହି ନିଜ ହାତରେ ଅଥବା ବାହୁରେ ନିଜର ନାମ ଲେଖାଇଥାନ୍ତି ନା, ତୁମେ ମଧ୍ୟ ଏହାକୁ ଲେଖିଦିଅ । ଯଦି କେବଳ ଏତିକି ବି କଥା କହିଲ ତେବେ ମଧ୍ୟ ଦୟାଶୀଳ, କଲ୍ୟାଣକାରୀ ହୋଇଯିବ । ନିଜ ସହିତ ପ୍ରତିଜ୍ଞା କରିବା ଉଚିତ୍ । ସେବା ନିଶ୍ଚିତ କରିବାକୁ ହେବ ତେବେ ଅଭ୍ୟାସ ହୋଇଯିବ । ଏକଥା ମଧ୍ୟ ତୁମେମାନେ ବୁଝାଇପାରିବ, ଚିତ୍ର ମଧ୍ୟ ଦେଇପାରିବ । ସବୁହେଲା ସନ୍ଦେଶ ଦେବାର ଜିନିଷ । ଲକ୍ଷ ଲକ୍ଷ ବ୍ରାହ୍ମଣ ହୋଇଯିବେ । ତୁମମାନଙ୍କୁ ଘରେ-ଘରେ ଯାଇ ସନ୍ଦେଶ ଦେବାକୁ ହେବ । ପଇସା କେହି ଦିଅନ୍ତୁ ନ ଦିଅନ୍ତୁ, କୁହ ବାବା ତ ହେଉଛନ୍ତି ଦୀନବନ୍ଧୁ । ଆମର କର୍ତ୍ତବ୍ୟ ହେଉଛି ଘରେ ଘରେ ସନ୍ଦେଶ ଦେବା । ଇଏ ହେଉଛନ୍ତି ବାପଦାଦା ଯାହାଙ୍କ ଠାରୁ ଏହି ବର୍ସା ମିଳୁଛି । ଯିଏକି ୮୪ ଜନ୍ମ ନେଉଛନ୍ତି । ଏହାଙ୍କର ବର୍ତ୍ତମାନ ଅନ୍ତିମ ଜନ୍ମ । ଏବେ ଆମେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବୁ । ବ୍ରହ୍ମା ମଧ୍ୟ ବ୍ରାହ୍ମଣ ଅଟନ୍ତି । କେବଳ ପ୍ରଜାପିତା ବ୍ରହ୍ମା ଜଣେ ତ ନ ଥିବେ ନା । ନିଶ୍ଚୟ ବ୍ରାହ୍ମଣ ବଂଶାବଳୀ ମଧ୍ୟ ଥିବେ ନା । ବ୍ରହ୍ମାରୁ ବିଷ୍ଣୁ ଦେବତା, ବ୍ରାହ୍ମଣମାନେ ହେଉଛନ୍ତି ଚୂଟୀ । ସେହିମାନେ ହିଁ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛନ୍ତି । କେହି ତ ନିଶ୍ଚିତ ବାହାରିବେ ଯିଏକି ତୁମମାନଙ୍କ କଥାକୁ ବୁଝିବେ । ପୁରୁଷମାନେ ମଧ୍ୟ ସେବା କରିପାରିବେ । ସକାଳୁ ଉଠି ମନୁଷ୍ୟ ଦୋକାନ ଖୋଲିବା ସମୟରେ କହନ୍ତି ସୁବହକା ସାଇଁ... ତୁମେମାନେ ମଧ୍ୟ ସକାଳୁ-ସକାଳୁ ଯାଇ ବାବାଙ୍କର ସନ୍ଦେଶ ଶୁଣାଅ । ସେମାନଙ୍କୁ କୁହ ତୁମର ଧନ୍ଦା ବା ବ୍ୟବସାୟ ବହୁତ ଭଲ ହେବ । ତୁମେ ସାଇଁଙ୍କୁ ମନେ ପକାଅ ତେବେ ୨୧ ଜନ୍ମର ବର୍ସା ମିଳିବ । ଅମୃତବେଳାର ସମୟ ବହୁତ ଭଲ ଥାଏ । ଆଜିକାଲି କାରଖାନାରେ ମାତାମାନେ ମଧ୍ୟ କାମ କରୁଛନ୍ତି। ଏହି ବ୍ୟାଜ ତିଆରି କରିବା ମଧ୍ୟ ବହୁତ ସହଜ ।

ତୁମମାନେ ତ ରାତି-ଦିନ ସେବାରେ ଲାଗିଯିବା ଉଚିତ୍ । ନିଦକୁ ମଧ୍ୟ ତ୍ୟାଗ କରିବା ଉଚିତ୍ । ବାବାଙ୍କର ପରିଚୟ ମିଳିବା ଦ୍ୱାରା ମନୁଷ୍ୟ ସନାଥ ହୋଇ ଯାଇଥାଆନ୍ତି । ତୁମେମାନେ କାହାକୁ ହେଲେ ଏହି ସନ୍ଦେଶ ଦେଇପାରିବ ।ତୁମର ଜ୍ଞାନ ବହୁତ ଉଚ୍ଚ । କୁହ, ଆମେ ଜଣଙ୍କୁ ମନେ ପକାଉଛୁ । ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ତାଙ୍କର ସନ୍ତାନ ଥିଲେ । ସବୁ ଆତ୍ମାମାନେ ତ ତାଙ୍କର ସନ୍ତାନ ଅଟନ୍ତି । ସେହି ଈଶ୍ୱର ପିତା କହୁଛନ୍ତି ଯେ, ଆଉ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ତୁମେ ନିଜକୁ ଆତ୍ମା ନିଶ୍ଚୟ କରି କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ତୁମେମାନେ ମୋ ପାଖକୁ ଆସିଯିବ । ମନୁଷ୍ୟ ଘରକୁ ଯିବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । କିନ୍ତୁ କେହିହେଲେ ଯାଇ ନଥାନ୍ତି । କିନ୍ତୁ ଦେଖାଯାଉଛି ପିଲାମାନେ ଏବେ ବହୁତ ଥଣ୍ଡା ଅର୍ଥାତ୍ ମାନ୍ଦା ହୋଇଯାଇଛନ୍ତି, ଏତେ ପରିଶ୍ରମ କରୁ ନାହାଁନ୍ତି । ବାହାନା କରି ଚାଲିଛନ୍ତି,ଏଥିରେ ବହୁତ ସହନ ମଧ୍ୟ କରିବାକୁ ପଡୁଛି । ଧର୍ମସ୍ଥାପକମାନଙ୍କୁ କେତେ ସହନ କରିବାକୁ ପଡୁଛି । ଖ୍ରୀଷ୍ଟଙ୍କ ନିମନ୍ତେ ମଧ୍ୟ କହନ୍ତି ତାଙ୍କୁ କ୍ରସ୍ ଉପରେ ଚଢାଇଥିଲେ । ତୁମର କାମ ହେଉଛି ସମସ୍ତଙ୍କୁ ସନ୍ଦେଶ ଦେବା । ସେଥିପାଇଁ ବାବା ଉପାୟ ବତାଉଛନ୍ତି । ଯଦି କେହି ସେବା ନ କରିଲେ ତେବେ ବାବା ବୁଝିଯାଆନ୍ତି ଯେ, ତାଙ୍କର କିଛି ଧାରଣା ହୋଇ ନାହିଁ । ବାବା ରାୟ ଦେଉଛନ୍ତି କିପରି ସନ୍ଦେଶ ଦେବ, ଟ୍ରେନ୍‌ରେ ମଧ୍ୟ ତୁମେମାନେ ଏହି ସନ୍ଦେଶ ଦେଇଚାଲ । ତୁମେ ଜାଣିଛ ଆମେ ସ୍ୱର୍ଗକୁ ଯାଉଛୁ । କେହି କେହି ଶାନ୍ତିଧାମକୁ ମଧ୍ୟ ଯିବେ ନା । ଯାହାର ରାସ୍ତା ତ ତୁମେମାନେ ହିଁ ବତାଇପାରିବ । ତୁମେ ବ୍ରାହ୍ମଣମାନେ ହିଁ ଯିବା ଉଚିତ୍ । ବ୍ରାହ୍ମଣ ତ ବହୁତ ଅଛନ୍ତି । ବ୍ରାହ୍ମଣମାନଙ୍କୁ କେଉଁଠି ତ ରଖିବେ ନା । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ । ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତ ହୋଇଥିବେ ନା । ଆଦି ସମୟରେ ବ୍ରାହ୍ମଣମାନେ ହିଁ ଥାନ୍ତି । ତୁମେ ବ୍ରାହ୍ମଣମାନେ ହେଲ ସବୁଠାରୁ ଉଚ୍ଚ । ସେହି ବ୍ରାହ୍ମଣମାନେ ହେଲେ କୁଖ ବଂଶାବଳୀ ଅର୍ଥାତ୍ କୋଳ ଜାତ । ତେବେ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ ନା । ନଚେତ୍ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ କୁଆଡେ ଗଲେ । ବ୍ରାହ୍ମଣମାନଙ୍କୁ ତୁମେ ବସି ବୁଝାଅ । ତେବେ ସେମାନେ ତୁରନ୍ତ ବୁଝିଯିବେ । କୁହ ତୁମେ ମଧ୍ୟ ବ୍ରାହ୍ମଣ ଅଟ, ଆମେ ମଧ୍ୟ ନିଜକୁ ବ୍ରାହ୍ମଣ କହୁଛୁ । ଏବେ କୁହ, ତୁମର ଧର୍ମସ୍ଥାପକ କିଏ ? ତେବେ ସେମାନେ ବ୍ରହ୍ମାଙ୍କ ନାମ ବ୍ୟତୀତ ଅନ୍ୟ କାହାର ନାମ ମଧ୍ୟ ଧରିବେ ନାହିଁ । ତୁମେ ଚେଷ୍ଟା କରି ଦେଖ । ବ୍ରାହ୍ମଣମାନଙ୍କର ମଧ୍ୟ ବହୁତ ବଡ ବଡ କୁଳ ରହିଛି । ପୂଜାରୀ ବ୍ରାହ୍ମଣ ତ ଢେର ଅଛନ୍ତି । ଅଜମେରକୁ ଢେର ସନ୍ତାନ ଯାଉଛନ୍ତି, କିନ୍ତୁ କେବେ କେହି ବି ସମାଚାର ଦେଇ ନାହାଁନ୍ତି ଯେ, ମୁଁ ବ୍ରାହ୍ମଣଙ୍କ ସହିତ ମିଶିଲି, ତାଙ୍କୁ ପଚାରିଲି ତୁମର ଧର୍ମ ସ୍ଥାପକ କିଏ ? ବ୍ରାହ୍ମଣ ଧର୍ମ କିଏ ସ୍ଥାପନ କରିଛନ୍ତି ? ତୁମେ ତ ଜାଣିଛ ଯେ, ପ୍ରକୃତ ବ୍ରାହ୍ମଣ କିଏ ? ତୁମେମାନେ ଅନେକଙ୍କର କଲ୍ୟାଣ କରିପାରିବ । ଭକ୍ତମାନେ ହିଁ ତ ତୀର୍ଥଯାତ୍ରା କରିଥାନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ତ ବହୁତ ଭଲ । ତୁମେମାନେ ଜାଣିଛ ଜଗତଅମ୍ବା କିଏ ? ଲକ୍ଷ୍ମୀ କିଏ ? ଏହିପରି ତୁମେ ଚାକର ବାକରଙ୍କୁ ଏବଂ ଶବରୀମାନଙ୍କୁ ମଧ୍ୟ ବୁଝାଇପାରିବ । ତୁମ ବ୍ୟତୀତ ତ ସେମାନଙ୍କୁ ଶୁଣାଇବା ପାଇଁ କେହି ନାହାଁନ୍ତି । ତୁମମାନଙ୍କୁ ବହୁତ ଦୟାଶୀଳ ମଧ୍ୟ ହେବାକୁ ପଡିବ । କୁହ, ତୁମେ ମଧ୍ୟ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯାଇପାରିବ । ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରି ଶିବବାବାଙ୍କୁ ମନେ ପକାଅ । ଯାହାକୁ ବି ହେଉ ରାସ୍ତା ବତାଇବାର ବହୁତ ସଉକ ରହିବା ଉଚିତ୍ । ଯିଏ ନିଜେ ବାବାଙ୍କୁ ସ୍ମରଣ କରୁଥିବେ ସିଏ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଇବାର ପୁରୁଷାର୍ଥ କରିବେ । ବାବା ତ ନିଜେ ଯାଇ କଥା ହେବେ ନାହିଁ । ଏହା ତୁମମାନଙ୍କର କାମ । ଗରୀବମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ତେବେ ସେମାନେ ମଧ୍ୟ ବହୁତ ସୁଖୀ ହୋଇଯିବେ । ବାବାଙ୍କୁ ଅଳ୍ପ ମନେ ପକାଇଲେ ମଧ୍ୟ ପ୍ରଜାରେ ମଧ୍ୟ ଆସିଯିବେ, ତେବେ ତାହା ମଧ୍ୟ ଭଲ ନା । ଏହି ଧର୍ମ ବହୁତ ସୁଖଦାୟୀ ଅଟେ । ଦିନକୁ ଦିନ ତୁମର ପ୍ରଭାବ ବିସ୍ତାର ହେବ । ସମସ୍ତଙ୍କୁ ଏହି ସନ୍ଦେଶ ଦିଅ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ମଧୁର ସନ୍ତାନମାନେ ତୁମେମାନେ ପଦ୍‌ମାପଦମ ଭାଗ୍ୟଶାଳୀ ଅଟ, ଯେବେକି ମହିମା ଶୁଣୁଛ ଏବଂ ବୁଝୁଛ, ତେବେ କୌଣସି କଥାର ଚିନ୍ତା ରଖିବା ଅନୁଚିତ୍ । ଏହା ଗୁପ୍ତ ଜ୍ଞାନ ଏବଂ ଗୁପ୍ତ ଖୁସି ଅଟେ । ତୁମେ ହେଉଛ ଗୁପ୍ତ ଯୋଦ୍ଧା । ତୁମକୁ ଅଜଣା ସୈନିକ କୁହାଯିବ ଆଉ କେହି ଅଜଣା ସୈନିକ ହୋଇପାରିବେ ନାହିଁ । ଦିଲୱାଡା ମନ୍ଦିର ତୁମର ସଂପୂର୍ଣ୍ଣ ସ୍ମୃତି ଚିହ୍ନ ଅଟେ । ଏହା ଦିଲବାଲା ବାବାଙ୍କର ପରିବାର ଅଟେ । ମହାବୀର-ମହାବୀରନୀ ଏବଂ ତାଙ୍କର ସନ୍ତାନମାନଙ୍କର ଏହା ପୂରା-ପୂରା ତୀର୍ଥ ଅଟେ । ତେଣୁ ଏହା କାଶୀଠାରୁ ମଧ୍ୟ ଶ୍ରେଷ୍ଠସ୍ଥାନ ହୋଇଗଲା । ଆଚ୍ଛା

ଧାରଣା ପାଇଁ ମୁଖ୍ୟ ସାର :
(୧) ଘରେ ଘରେ ଯାଇ ବାବାଙ୍କର ସନ୍ଦେଶ ଦେବାକୁ ହେବ । ସେବା କରିବାର ପ୍ରତିଜ୍ଞା କର, ସେବା କରିବାରେ କୌଣସି ବାହାନା କର ନାହିଁ ।

(୨) କୌଣସି କଥାର ଚିନ୍ତନ ନ କରି ଗୁପ୍ତ ଖୁସିରେ ରହିବାର ଅଛି । କୌଣସି ଦେହଧାରୀକୁ ମନେ ପକାଇବା ପରିବର୍ତ୍ତେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଛି ।

ବରଦାନ:-
ପରିସ୍ଥିତି ଗୁଡିକୁ ସୌଭାଗ୍ୟ ମନେ କରି ନିଜର ନିଶ୍ଚୟର ମୂଳଦୁଆକୁ ମଜବୁତ କରୁଥିବା ଅଚଳ-ଅଟଳ ହୁଅ ।

ଯଦି କୌଣସି ପ୍ରକାରର ପରିସ୍ଥିତି ଆସିଯାଉଛି ତେବେ ତୁମେ ହାଇଜମ୍ପ୍ ଦେଇ ତାକୁ ଅତିକ୍ରମ କରିଯାଅ କାରଣ ପରିସ୍ଥିତି ଆସିବା ମଧ୍ୟ ସୌଭାଗ୍ୟ ଅଟେ । ଏହା ତୁମର ନିଶ୍ଚୟର ମୂଳଦୁଆକୁ ମଜବୁତ କରିବାର ଆଧାର । ଯଦି ତୁମେ ଗୋଟିଏ ଥର ପାଇଁ ଅଂଗଦ ସମାନ ଶକ୍ତିଶାଳୀ ହୋଇଯିବ ତେବେ ପରୀକ୍ଷାଗୁଡିକ ମଧ୍ୟ ତୁମକୁ ନମସ୍କାର କରିବ । ପ୍ରଥମେ ଏହା ବିକରାଳ ରୂପରେ ଆସିବ, ତାପରେ ଦାସୀ ହୋଇଯିବ, ତେଣୁ ତୁମେ ଚାଲେଞ୍ଜ ଦିଅ ଯେ ଆମେମାନେ ମହାବୀର ଅଟୁ । ଯେପରି ପାଣି ଉପରେ ଗାର ଟାଣିଲେ ତାହା ତିଷ୍ଠିପାରିବ ନାହିଁ ସେହିପରି ମୋ ଭଳି ମାଷ୍ଟର ସାଗର ଉପରେ ମଧ୍ୟ କୌଣସି ପ୍ରକାରର ପରିସ୍ଥିତି ଆକ୍ରମଣ କରିପାରିବ ନାହିଁ । ସ୍ୱସ୍ଥିତିରେ ରହିବା ଦ୍ୱାରା ତୁମେମାନେ ଅଚଳ-ଅଟଳ ମଧ୍ୟ ହୋଇଯିବ ।

ସ୍ଲୋଗାନ:-
ଜ୍ଞାନବାନ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ପ୍ରତ୍ୟେକ କର୍ମ ଶ୍ରେଷ୍ଠ ଏବଂ ସଫଳ ହେଉଥିବ ।