02.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଯୋଗ ରୂପକ ଔଷଧ ଦ୍ୱାରା ନିଜକୁ ସଦାକାଳ ପାଇଁ ନିରୋଗୀ କର, ବାବାଙ୍କୁ ମନେ ପକାଇବା ସହିତ ସ୍ୱଦର୍ଶନ ଚକ୍ର ଘୂରାଇବାର ଅଭ୍ୟାସ କର ତେବେ ବିକର୍ମାଜିତ୍ ହୋଇଯିବ ।

ପ୍ରଶ୍ନ:-
ଯେଉଁ ପିଲାମାନେ ସର୍ବଦା ନିଜର ଉନ୍ନତି ପ୍ରତି ଧ୍ୟାନ ରଖିଥାନ୍ତି, ସେମାନଙ୍କର ଲକ୍ଷଣ କଣ?

ଉତ୍ତର:-
ସେମାନଙ୍କର ପ୍ରତ୍ୟେକ କର୍ମ ସର୍ବଦା ଶ୍ରୀମତ ଆଧାରରେ ହେଉଥିବ । ବାବାଙ୍କ ଶ୍ରୀମତ ହେଲା ପିଲାମାନେ, ଦେହ-ଅଭିମାନୀ ହୁଅ ନାହିଁ, କେତେ ସମୟ ବାବାଙ୍କ ସ୍ମୃତିରେ ରହିଲ ତାର ଚାର୍ଟ ରଖ । ନିଜର ହିସାବ-କିତାବର ଚାର୍ଟ ରଖ । ନିରୀକ୍ଷଣ କର - କେତେ ସମୟ ମୁଁ ବାବାଙ୍କ ସ୍ମୃତିରେ ରହିଲି, କେତେ ସମୟ କାହାକୁ ବୁଝାଇଲି?

ଗୀତ:-
ତୁ ପ୍ୟାର କା ସାଗର ହୈ....

ଓମ୍ ଶାନ୍ତି ।
ଏଠାରେ ଯେତେବେଳେ ବସୁଛ ସେତେବେଳେ ବାବାଙ୍କର ସ୍ମୃତିରେ ବସିବାକୁ ହେବ । କିନ୍ତୁ ମାୟା ଅନେକଙ୍କୁ ବିସ୍ମୃତ କରାଇ ଦେଉଛି କାହିଁକି ନା ଦେହ-ଅଭିମାନୀ ହୋଇଥାଆନ୍ତି । କାହାକୁ ମିତ୍ର-ସମ୍ବନ୍ଧୀ, କାହାର ଖାଦ୍ୟ-ପାନୀୟ ଆଦି ମନେ ପଡିଥାଏ । ଏଠାକୁ ଯେବେ ଆସୁଛ ତେବେ ବାବାଙ୍କର ଆହ୍ୱାନ କରିବା ଦରକାର । ଯେପରି ଲକ୍ଷ୍ମୀଙ୍କର ପୂଜା ସମୟରେ ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥାନ୍ତି, କିନ୍ତୁ ଲକ୍ଷ୍ମୀ ତ ଆସୁନାହାଁନ୍ତି । ଏହା କେବଳ କଥାରେ କୁହାଯାଇଥାଏ । ତୁମେମାନେ ମଧ୍ୟ ବାବାଙ୍କୁ ମନେ ପକାଅ ଅଥବା ଆହ୍ୱାନ କର, ଆହ୍ୱାନ କରିବା ବା ମନେ ପକାଇବା ଏକା କଥା । ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଧାରଣା ନ ହେବାର କାରଣ ବହୁତ ବିକର୍ମ କରିଛନ୍ତି, ଯେଉଁ କାରଣରୁ ବାବାଙ୍କୁ ମନେ ପକାଇ ପାରୁନାହାଁନ୍ତି । ତୁମେମାନେ ଯେତେ ଅଧିକ ବାବାଙ୍କୁ ମନେପକାଇବ ସେତେ ବିକର୍ମାଜିତ ହେବ, ସର୍ବଦା ସୁସ୍ଥ ରହିବ । ଏହା ବହୁତ ସହଜ କଥା, କିନ୍ତୁ ମାୟା ଅଥବା ଅତୀତର ବିକର୍ମ ବିଘ୍ନ ପକାଇଥାଏ । ବାବା କହୁଛନ୍ତି ତୁମେ ମୋତେ ଅଧାକଳ୍ପ ଅଯଥାର୍ଥ ରୂପେ ମନେ ପକାଇଛ । ଏବେ ତ ପ୍ରତ୍ୟକ୍ଷରେ ଆହ୍ୱାନ କରୁଛ, କାହିଁକି ନା ତୁମେମାନେ ଜାଣିଛ ଯେ ବାବା ଆସି ମୁରଲୀ ଶୁଣାଇବେ । କିନ୍ତୁ ବାବାଙ୍କ ସ୍ମୃତିରେ ରହିବା ଅଭ୍ୟାସ ହୋଇଯିବା ଦରକାର । ଆତ୍ମାକୁ ସଦା ନିରୋଗୀ ରହିବା ପାଇଁ ଡାକ୍ତର ଔଷଧ ଦେଉଛନ୍ତି - ମୋତେ ମନେ ପକାଅ । ତେବେ ଯାଇ ପରମାତ୍ମାଙ୍କ ସହ ତୁମର ମିଳନ ହେବ । ମୋତେ ମନେ ପକାଇବା ଦ୍ୱାରା ହିଁ ତୁମେ ସମ୍ପତ୍ତି ପାଇବ । ସେଥିପାଇଁ ତୁମକୁ ମୋତେ ଏବଂ ଶାନ୍ତିଧାମକୁ ମନେ ପକାଇବାକୁ ହେବ । ଯେଉଁଆଡେ ଗଲେ ମଧ୍ୟ ଏହି କଥାକୁ ବୁଦ୍ଧିରେ ରଖିବାକୁ ହେବ । ବାବା ହିଁ ଏଠାକୁ ଆସି ପ୍ରକୃତ ସନ୍ଦେଶ ଦେଉଛନ୍ତି । ଆଉ କେହି ମଧ୍ୟ ଈଶ୍ୱରଙ୍କ ସନ୍ଦେଶ ଦେଉନାହାଁନ୍ତି । ସେମାନେ ତ ଏହି ରଙ୍ଗମଞ୍ଚକୁ ଅଭିନୟ କରିବାକୁ ଆସି ଈଶ୍ୱରଙ୍କୁ ହିଁ ଭୁଲିଯାଉଛନ୍ତି । ସେମାନଙ୍କୁ ଈଶ୍ୱରଙ୍କ ବିଷୟରେ କିଛି ବି ଜଣା ନାହିଁ । ବାସ୍ତବରେ ସେମାନଙ୍କୁ ସନ୍ଦେଶବାହକ ବୋଲି କୁହାଯାଇ ପାରିବ ନାହିଁ । ମନୁଷ୍ୟମାନେ ହିଁ ଏହି ନାମ ରଖି ଦେଇଛନ୍ତି । ସେମାନେ ନିଜର ଅଭିନୟ କରିବା ପାଇଁ ଏଠାକୁ ଆସୁଛନ୍ତି । ତେଣୁ ସେମାନେ କିପରି ମନେ ପକାଇପାରିବେ? ସେମାନଙ୍କୁ ତ ଅଭିନୟ କରି ପତିତ ହେବାକୁ ହିଁ ପଡିବ । ପୁଣି ଅନ୍ତିମ ସମୟରେ ପବିତ୍ର ହେବେ । ତେବେ ବାବା ହିଁ ଆସି ପବିତ୍ର କରୁଛନ୍ତି ଏବଂ ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେମାନେ ପବିତ୍ର ହେଉଛ । ବାବା କହୁଛନ୍ତି ପବିତ୍ର ହେବାର ଏକମାତ୍ର ଉପାୟ ହେଲା ଦେହ ସହିତ ଦେହର ସମସ୍ତ ସମ୍ବନ୍ଧ ଭୁଲିଯାଅ ।

ତୁମେମାନେ ଜାଣିଛ ଯେ, ବାବାଙ୍କୁ ମନେ ପକାଇବା ପାଇଁ ଆମ ଆତ୍ମାମାନଙ୍କୁ ନିର୍ଦ୍ଦେଶ ମିଳିଛି । ସେହି ନିର୍ଦ୍ଦେଶକୁ ପାଳନ କଲେ ହିଁ ଆଜ୍ଞାକାରୀ କୁହାଯିବ । ଯିଏ ଯେତେ ପୁରୁଷାର୍ଥ କରିଥାନ୍ତି ସିଏ ସେତେ ଆଜ୍ଞାକାରୀ ହୋଇଥାନ୍ତି । ଯଦି ବାବାଙ୍କୁ କମ୍ ମନେ ପକାଉଛନ୍ତି ତେବେ କମ୍ ଆଜ୍ଞାକାରୀ ଅଟନ୍ତି । ଆଜ୍ଞାକାରୀ ସନ୍ତାନମାନେ ହିଁ ଉଚ୍ଚ ପଦ ମଧ୍ୟ ପାଇଥାନ୍ତି । ବାବାଙ୍କର ନିର୍ଦ୍ଦେଶ ହେଲା - ପ୍ରଥମତଃ ମୋତେ ମନେ ପକାଅ, ଦ୍ୱିତୀୟତଃ ଏହି ଜ୍ଞାନକୁ ଧାରଣ କର । ଯଦି ମନେ ନ ପକାଇବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ଯେତେ ସ୍ୱଦର୍ଶନ ଚକ୍ର ଘୂରାଇବ ସେତେ ଅଧିକ ଧନ ମିଳିବ । ଭଗବାନୁବାଚ - ମୋତେ ମନେପକାଅ ଏବଂ ସ୍ୱଦର୍ଶନ ଚକ୍ର ଘୂରାଅ ଅର୍ଥାତ୍ ଡ୍ରାମାର ଆଦି-ମଧ୍ୟ-ଅନ୍ତିକୁ ଜାଣ । ମୋ ଦ୍ୱାରା ମୋତେ ବି ଜାଣ ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ବି ଜାଣ । ଏହି ଦୁଇଟି କଥା ମୁଖ୍ୟ ଅଟେ । ଏହା ଉପରେ ଧ୍ୟାନ ଦେବାକୁ ହେବ । ଶ୍ରୀମତ ଅନୁସାରେ ପୁରା ଧ୍ୟାନ ଦେଲେ ଉଚ୍ଚପଦ ପାଇବ । ତେବେ ତୁମକୁ ଦୟାଶୀଳ ହୋଇ, ସମସ୍ତଙ୍କୁ ରାସ୍ତା ଦେଖାଇବାକୁ ହେବ, ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ମିତ୍ର-ସମ୍ବନ୍ଧୀମାନଙ୍କୁ ସଚ୍ଚା ଯାତ୍ରା କରାଇବା ନିମନ୍ତେ ଉପାୟ ବାହାର କରିବାକୁ ହେବ । ତାହା ହେଲା ଶାରୀରିକ ଯାତ୍ରା, ଏହା ହେଉଛି ଆତ୍ମିକ ଯାତ୍ରା । ଏହି ଆଧ୍ୟାତ୍ମିକ ଜ୍ଞାନ ଆଉ କାହା ପାଖରେ ନାହିଁ । ତାହା ହେଉଛି ସବୁ ଶାସ୍ତ୍ରମାନଙ୍କୁ ଦର୍ଶନଶାସ୍ତ୍ର । ଏହା ହେଲା ଆଧ୍ୟାତ୍ମିକ ଆତ୍ମିକ ଜ୍ଞାନ । ଏହି ଜ୍ଞାନ ପରମପିତା ପରମାତ୍ମା ହିଁ ଦେଉଛନ୍ତି ଆତ୍ମାମାନଙ୍କୁ ବୁଝାଇ ସୁଖର ଘରକୁ ନେଇଯିବା ପାଇଁ ।

କେତେକ ସନ୍ତାନ ଏଠାକୁ ଖୁସିରେ ଆସୁଛନ୍ତି ଆଉ କିଏ ଅସହାୟ ଅବସ୍ଥାରେ ଆସି ବସୁଛନ୍ତି । ଅସହାୟ ଅବସ୍ଥାରେ ଆସୁଥିବା ଆତ୍ମାମାନଙ୍କର ନିଜର ଉନ୍ନତି ପାଇଁ କିଛି ବି ଚିନ୍ତା ନାହିଁ । କାହିଁକି ନା ସେମାନଙ୍କର ଦେହ-ଅଭିମାନ ବହୁତ ରହିଛି । ଯଦି ଦେହୀ-ଅଭିମାନୀ ହୋଇଥାନ୍ତେ ତେବେ ଦୟାଶୀଳ ହୋଇ, ଶ୍ରୀମତ ଅନୁସାରେ ପରିଚାଳିତ ହୁଅନ୍ତେ । ତେଣୁ ସେମାନେ ଆଜ୍ଞାକାରୀ ନୁହଁନ୍ତି । ବାବା କହୁଛନ୍ତି ତୁମେ ନିଜର ଚାର୍ଟ ଲେଖ - ଆମେ କେତେ ସମୟ ବାବାଙ୍କୁ ମନେପକାଉଛୁ? କେଉଁ-କେଉଁ ସମୟରେ ମନେ ପକାଉଛୁ? ଆଗରୁ ସମସ୍ତେ ଚାର୍ଟ ଲେଖୁଥିଲେ । ଆଚ୍ଛା ଭଲେ ବାବାଙ୍କ ପାଖକୁ ନ ପଠାଅ, କିନ୍ତୁ ନିଜ ପାଖରେ ତ ରଖ । ନିଜର ଚେହେରା ନିଜେ ଦେଖିବା ଉଚିତ୍ - ମୁଁ ଲକ୍ଷ୍ମୀଙ୍କୁ ବରଣ କରିବା ଯୋଗ୍ୟ ହୋଇଛି? ବେପାରୀମାନେ ନିଜ ପାଖରେ ସମସ୍ତ ପ୍ରକାରର ହିସାବ ରଖିଥାନ୍ତି । କେହି-କେହି ମନୁଷ୍ୟ ତ ସାରା ଦିନର ଦିନଚର୍ଯ୍ୟା ମଧ୍ୟ ଲେଖିଥାନ୍ତି । ସେମାନଙ୍କୁ ଯେପରି ଲେଖିବାର ଅଭ୍ୟାସ ହୋଇଯାଇଥାଏ । ଏହିପରି ହିସାବ-କିତାବ ରଖିବା ତ ବହୁତ ଭଲ କଥା, କାହିଁକି ନା ଏଥିରୁ ଜଣାପଡିଯାଏ ଯେ ଆମେ କେତେ ସମୟ ବାବାଙ୍କର ସ୍ମୃତିରେ ରହିଲୁ? କେତେ ସମୟ କାହାକୁ ବୁଝାଇଲୁ? ଏହିଭଳି ଚାର୍ଟ ରଖିଲେ ବହୁତ ଉନ୍ନତି ହେବ । ତେଣୁ ବାବା ରାୟ ଦେଉଛନ୍ତି ଏହିପରି ଚାର୍ଟ ରଖ । ପିଲାମାନେ ନିଜର ଉନ୍ନତି କରିବା ଉଚିତ୍ । ଯେଉଁମାନେ ମାଳାର ଦାନା ହେବେ ସେମାନଙ୍କୁ ବହୁତ ପୁରୁଷାର୍ଥ କରିବାକୁ ପଡିବ । ବାବା କହୁଥିଲେ - ବର୍ତ୍ତମାନ ବ୍ରାହ୍ମଣମାନଙ୍କର ମାଳା ତିଆରି ହୋଇପାରିବ ନାହିଁ, ଅନ୍ତିମ ସମୟରେ ହିଁ ହେବ, ଯେତେବେଳେ କି ରୁଦ୍ରମାଳାର ରଚନା କରାଯିବ । ବ୍ରାହ୍ମଣମାନଙ୍କର ମାଳାର ଦାନାର ନମ୍ବର ବଦଳିବାରେ ଲାଗିଛି । ଆଜି ଯିଏ ୩-୪ ନମ୍ବରରେ ଅଛନ୍ତି, କାଲି ସେମାନେ ଶେଷ ନମ୍ବରକୁ ଚାଲିଯାଉଛନ୍ତି । କେତେ ଫରକ ଆସିଯାଉଛି । କେହି ଯଦି ପତିତ ହେଉଛନ୍ତି ତେବେ ଦୁର୍ଗତିକୁ ପ୍ରାପ୍ତ କରୁଛନ୍ତି । ଏମାନେ ମାଳାରୁ ତ ବାହାରି ଯାଇଥାନ୍ତି ପୁଣି ପ୍ରଜାରେ ମଧ୍ୟ ବିଲ୍‌କୁଲ୍ ଚଣ୍ଡାଳ ପଦ ପାଇବେ । ଯଦି ମାଳାରେ ଗୁନ୍ଥି ହେବାକୁ ଚାହୁଁଛ ତେବେ ବହୁତ ପରିଶ୍ରମ କରିବାକୁ ପଡିବ । ବାବା ବହୁତ ଭଲ ରାୟ ଦେଉଛନ୍ତି - ନିଜର ଉନ୍ନତି କିପରି କରିବ? ବାବା ସମସ୍ତଙ୍କ ପାଇଁ କହୁଛନ୍ତି । ଯଦିଓ କେହି ମୁକ ହୋଇଥିବ ତେବେ ମଧ୍ୟ ବାବାଙ୍କୁ ମନେ ପକାଇବାର ଈଶାରା ଦେଇପାରିବ । ତେବେ ଏଭଳି ଆତ୍ମା କଥା କହିପାରୁଥିବା ଆତ୍ମାଠାରୁ ମଧ୍ୟ ଶ୍ରେଷ୍ଠ ପଦ ପାଇପାରିବେ । ଅନ୍ଧ ଛୋଟା କିମ୍ବା କିପରି ବି ହୋଇଥାନ୍ତୁ ଯଦି ବାବାଙ୍କର ସ୍ମୃତିରେ ରହିବେ ତେବେ ସୁସ୍ଥ ସବଳ ବ୍ୟକ୍ତିଙ୍କଠାରୁ ମଧ୍ୟ ଅଧିକ ଉଚ୍ଚ ପଦ ପାଇପାରିବେ । ତେଣୁ ଗୋଟିଏ ସେକେଣ୍ଡରେ ଈଶାରା ଦିଆଯାଉଛି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ଗାୟନ ମଧ୍ୟ ରହିଛି ନା । ବାବାଙ୍କର ହେବା ମାତ୍ରେ ସମ୍ପତ୍ତି ନିଶ୍ଚିତ ଭାବରେ ମିଳିଯିବ । ପୁଣି ସେଥିରେ କ୍ରମାନୁସାରେ ପଦ ମଧ୍ୟ ରହିଛି । ପିଲା ଜନ୍ମ ହେବା ମାତ୍ରେ ସମ୍ପତ୍ତିର ହକଦାର ହୋଇଯାଇଥାଏ । ଏଠାରେ ତୁମେ ସବୁ ଆତ୍ମା ପୁରୁଷ ଅଟ । ତେଣୁ ତୁମେ ମଧ୍ୟ ପିତାଙ୍କଠାରୁ ନିଜର ହକ ନେବା ଉଚିତ୍ । କିନ୍ତୁ ଏସବୁ କିଛି ପୁରୁଷାର୍ଥ ଉପରେ ଆଧାରିତ । ପୁଣି କୁହାଯିବ ଯେ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ପୁରୁଷାର୍ଥ କରିଥିଲ । ତୁମର ମାୟା ସହିତ ମଲ୍ଲଯୁଦ୍ଧ ଚାଲିଛି । ପାଣ୍ଡବମାନଙ୍କର ମାୟା ରାବଣ ସହିତ ଲଢେଇ ଚାଲିଥିଲା । କେହି-କେହି ତ ପୁରୁଷାର୍ଥ କରି ବିଶ୍ୱର ମାଲିକ ଦ୍ୱିମୁକୁଟଧାରୀ ହେଉଛନ୍ତି, ଆଉ ପୁଣି କେହି ପ୍ରଜାରେ ମଧ୍ୟ ଚାକର ବାକର ହେଉଛନ୍ତି । କିନ୍ତୁ ସମସ୍ତେ ଏଠାରେ ପାଠ ପଢୁଛନ୍ତି । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି, ତେବେ ନିଶ୍ଚିତ ଭାବରେ ପ୍ରଥମ ନମ୍ବର ପ୍ରତି ଧ୍ୟାନଯିବ ନା । ଅଷ୍ଟରତ୍ନ କିପରି ହେଉଛନ୍ତି, ଏହା ପୁରୁଷାର୍ଥରୁ ଜଣାପଡିଥାଏ । ଏହିପରି ନୁହେଁ ଯେ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି, ସମସ୍ତଙ୍କର ମନର କଥାକୁ ପଢିପାରୁଛନ୍ତି । ନା, ଅନ୍ତର୍ଯ୍ୟାମୀ ଅର୍ଥାତ୍ ସର୍ବଜ୍ଞ ଏପରି ନୁହେଁ ଯେ ବାବା ପ୍ରତ୍ୟେକଙ୍କର ହୃଦୟର କଥାକୁ ଜାଣିବେ । ସର୍ବଜ୍ଞ ଅର୍ଥାତ୍ ଜ୍ଞାନର ସାଗର ଅଟନ୍ତି । ଯିଏକି ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ତେବେ କଣ ଜଣ-ଜଣଙ୍କର ମନର କଥାକୁ ପଢିବେ କି? ବାବା କହୁଛନ୍ତି ମୋତେ କଣ ତୁମେମାନେ ମନୋବୈଜ୍ଞାନିକ ଭାବିଛ କି? ସର୍ବଜ୍ଞ ଅର୍ଥାତ୍ ମୁଁ ଜ୍ଞାନର ସାଗର ଅଟେ । ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ହିଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ କୁହାଯାଇଥାଏ । ଏହି ଚକ୍ର କିପରି ଘୂରୁଛି ତାର ପୁନରାବୃତ୍ତିକୁ ମୁଁ ଜାଣିଛି ଏବଂ ତୁମମାନଙ୍କୁ ଏହି ପାଠ ପଢାଇବା ପାଇଁ ଏଠାକୁ ଆସୁଛି । ତେବେ ନିଜେ ନିଜକୁ ଜାଣିପାରିବ ଯେ, କିଏ କେତେ ସେବା କରୁଛ, କିଭଳି ପାଠ ପଢୁଛ? ଏପରି ନୁହେଁ ଯେ, ବାବା ଜଣ-ଜଣଙ୍କୁ ଜାଣିବେ । ବାବା କଣ ଏହି ଧନ୍ଦା କରିବେ କି! ସିଏ ତ ସର୍ବଜ୍ଞ, ମନୁଷ୍ୟ ସୃଷ୍ଟିର ବୀଜରୂପ, ଜ୍ଞାନର ସାଗର ଅଟନ୍ତି । ବାବା କହୁଛନ୍ତି - ମୁଁ ମନୁଷ୍ୟ ସୃଷ୍ଟିର ଆଦି, ମଧ୍ୟ, ଅନ୍ତ ଏବଂ ମୁଖ୍ୟ ଅଭିନେତା ମାନଙ୍କୁ ଜାଣିଛି । ବାକି ତ ଅଗଣିତ ରଚନା ରହିଛି । ଏହି ସର୍ବଜ୍ଞ ଶବ୍ଦ ତ ବହୁତ ପୁରୁଣା । ମୁଁ ଯେଉଁ ଜ୍ଞାନ ଜାଣିଛି ତାହା ତୁମକୁ ପଢାଉଛି । ବାକି ତୁମେ କଣ ସବୁ କରୁଛ ତାକୁ କଣ ମୁଁ ସାରା ଦିନ ବସି ଦେଖୁଥିବି? ମୁଁ ତ ସହଜ ରାଜଯୋଗ ଏବଂ ଜ୍ଞାନ ଶିଖାଇବାକୁ ଆସିଛି । ବାବା କହୁଛନ୍ତି, ମୋର ବହୁତ ସନ୍ତାନ ଅଛନ୍ତି, ମୁଁ ପିଲାମାନଙ୍କ ସମ୍ମୁଖରେ ହିଁ ପ୍ରତ୍ୟକ୍ଷ ହେଉଛି । ପିଲାମାନଙ୍କ ସାଥୀରେ ହିଁ ମୋର ସମସ୍ତ କାରବାର ଚାଲୁଛି । ଯେଉଁମାନେ ମୋର ସନ୍ତାନ ହେଉଛନ୍ତି ମୁଁ ସେହିମାନଙ୍କର ପିତା ଅଟେ । ତେବେ ସିଏ ସୁପୁତ୍ର ବା କୁପୁତ୍ର ତାହା ମୁଁ ହିଁ ଜାଣୁଛି । ପ୍ରତ୍ୟେକଙ୍କର ପାଠପଢା ନିଜସ୍ୱ ଅଟେ । କିନ୍ତୁ ଶ୍ରୀମତ ଆଧାରରେ ହିଁ ଅଭିନୟ କରିବାକୁ ହେବ । ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହେବାକୁ ପଡିବ । ତୁମେମାନେ ଜାଣିଛ ଯେ ବୃହସ୍ପତିକୁ ବୃକ୍ଷପତି ଦିବସ ବୋଲି କୁହାଯାଏ । ତେଣୁ ମୁଁ ବୃକ୍ଷପତି ସହିତ ଶିବ ମଧ୍ୟ ଅଟେ । ଦୁଇଟିଯାକ ଏକା କଥା । ଗୁରୁବାର ଦିନ ସ୍କୁଲକୁ ଯାଇ ବିଦ୍ୟା ଆରମ୍ଭ କରିଥାନ୍ତି । ଯେପରି ସୋମନାଥଙ୍କର ଦିନ ସୋମବାର ଅଟେ, ଶିବବାବା ମଧ୍ୟ ଆମକୁ ସୋମରସ ପାନ କରାଉଛନ୍ତି । ତାଙ୍କର ଯଥାର୍ଥ ନାମ ହେଉଛି ଶିବ କିନ୍ତୁ ସିଏ ଏଠାକୁ ଆସି ପାଠ ପଢାଉଛନ୍ତି ତେଣୁ ତାଙ୍କୁ ସୋମନାଥ ବୋଲି କହିଦେଉଛନ୍ତି । ରୁଦ୍ର ମଧ୍ୟ ସୋମନାଥଙ୍କୁ ହିଁ କୁହାଯାଇଥାଏ । ସିଏ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି ତେଣୁ ଜ୍ଞାନଦାତା ହୋଇଗଲେ । ବାବାଙ୍କର ତ ବହୁତ ନାମ ରଖିଦେଇଛନ୍ତି । ତେଣୁ ଏହାର ଅର୍ଥ ତୁମକୁ ବୁଝାଇ ଦିଆଯାଉଛି । ଆରମ୍ଭରୁ ଏହି ଯଜ୍ଞ ଚାଲୁଛି, କିନ୍ତୁ କେହି ବି ଜାଣିନାହାଁନ୍ତି ଯେ, ସାରା ପୁରୁଣା ଦୁନିଆର ସାମଗ୍ରୀ ଏହି ଯଜ୍ଞରେ ସ୍ୱାହା ହୋଇଯିବ । ଯେତେ ବି ମନୁଷ୍ୟ ଅଛନ୍ତି, ଯାହା କିଛି ବି ଅଛି, ତତ୍ତ୍ୱ ସହିତ ସବୁକିଛି ପରିବର୍ତ୍ତନ ହୋଇଯିବ । ତେବେ ତାହା ମଧ୍ୟ ତୁମେ ପିଲାମାନେ ଏହି ଆଖିରେ ଦେଖିବ । କିନ୍ତୁ ଏସବୁ ଦେଖିବା ପାଇଁ ମହାବୀର ହେବା ଦରକାର । କିଛି ବି ହୋଇଯାଉ, ବାବାଙ୍କୁ ଭୁଲିବା ଉଚିତ୍ ନୁହେଁ । ମନୁଷ୍ୟମାନେ ତ ହାୟ-ହାୟ, ତ୍ରାହି-ତ୍ରାହି କରିବେ । ପ୍ରଥମେ-ପ୍ରଥମେ ତ ବୁଝାଇବାକୁ ହେବ ଯେ, ଟିକିଏ ବିଚାର କର, ସତ୍ୟଯୁଗରେ ଏକମାତ୍ର ଭାରତ ଥିଲା, ବହୁତ କମ୍ ମନୁଷ୍ୟ ଥିଲେ, ଗୋଟିଏ ଧର୍ମ ଥିଲା, ଏବେ କଳିଯୁଗର ଅନ୍ତିମ ସମୟରେ କେତେ ଧର୍ମ ରହିଛି । ଏ ସବୁ କେତେ ଦିନ ପର୍ଯ୍ୟନ୍ତ ଚାଲିବ? କଳିଯୁଗ ପରେ ନିଶ୍ଚିତ ଭାବରେ ସତ୍ୟଯୁଗ ଆସିବ ଏବଂ ଏହି ସତ୍ୟଯୁଗର ସ୍ଥାପନା କିଏ କରିବ? ରଚୟିତା ତ ଏକମାତ୍ର ବାବା ହିଁ ଅଟନ୍ତି ନା । ସତ୍ୟଯୁଗର ସ୍ଥାପନା ଏବଂ କଳିଯୁଗର ବିନାଶ ହେବ । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଏବେ ତୁମମାନଙ୍କୁ ବାବାଙ୍କ ଦ୍ୱାରା ଅତୀତ, ବର୍ତ୍ତମାନ, ଭବିଷ୍ୟତର ଜ୍ଞାନ ମିଳୁଛି । ଏହି ସ୍ୱଦର୍ଶନ ଚକ୍ରକୁ ବୁଦ୍ଧିରେ ଘୂରାଇବାକୁ ହେବ । ତୁମକୁ ବାବା ଏବଂ ବାବାଙ୍କର ରଚନାକୁ ମନେ ପକାଇବାକୁ ହେବ । ଏହା କେତେ ସହଜ କଥା ନା ।

ଗୀତ: ତ୍ୟୁ ପାର କା ସାଗର ହୈ.... । ଚିତ୍ରରେ ଜ୍ଞାନର ସାଗର, ଆନନ୍ଦର ସାଗର ବୋଲି ଲେଖୁଛନ୍ତି, ତେବେ ସେଥିରେ ପ୍ରେମର ସାଗର ଅକ୍ଷର ମଧ୍ୟ ନିଶ୍ଚିତ ଭାବରେ ଲେଖିବା ଦରକାର । ବାବାଙ୍କର ମହିମା ବିଲକୁଲ ଅଲଗା । ସର୍ବବ୍ୟାପୀ କହିବା ଦ୍ୱାରା ଏହି ମହିମା ସମାପ୍ତ ହୋଇଯାଉଛି । ତେବେ ପ୍ରେମର ସାଗର ଅକ୍ଷର ନିଶ୍ଚିତ ଲେଖିବା ଦରକାର । ଏହା ଅବିନାଶୀ ମାତା-ପିତାଙ୍କର ସ୍ନେହ ଅଟେ, ଯାହାଙ୍କ ପାଇଁ ଗାୟନ କରୁଛନ୍ତି ତୁମ କୃପାରୁ ଅସରନ୍ତି ସୁଖ ମିଳୁଛି, କିନ୍ତୁ ତାଙ୍କୁ ଜାଣିନାହାଁନ୍ତି । ବାବା କହୁଛନ୍ତି - ତୁମେ ମୋତେ ଜାଣିଲେ ହିଁ ସବୁକିଛି ଜାଣିଯିବ । ମୁଁ ହିଁ ତୁମକୁ ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନକୁ ବୁଝାଉଛି । ଏହା ଗୋଟିଏ ଜନ୍ମର କଥା ନୁହେଁ, ବାବା ସାରା ସୃଷ୍ଟିର ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ଜାଣିଛନ୍ତି, ତେଣୁ ତୁମ ବୁଦ୍ଧିରେ ଏହି କଥା ରହିବା ଦରକାର । ଯେଉଁମାନେ ଦେହୀ-ଅଭିମାନୀ ହୋଇ ନ ଥାନ୍ତି ସେମାନେ ଜ୍ଞାନକୁ ଧାରଣ କରିପାରି ନ ଥାନ୍ତି । ତୁମେ ସାରା କଳ୍ପ ଦେହ-ଅଭିମାନରେ ରହିଛ । ସତ୍ୟଯୁଗରେ ମଧ୍ୟ ପରାମାତ୍ମାଙ୍କର ଜ୍ଞାନ ରହି ନ ଥାଏ । ଏଠାକୁ ଅଭିନୟ କରିବାକୁ ଆସି ପରମାତ୍ମାଙ୍କର ଜ୍ଞାନକୁ ଭୁଲିଗଲ । ଏକଥା ତ ଜାଣିଛ ଯେ, ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । କିନ୍ତୁ ସେଠାରେ ଦୁଃଖର କୌଣସି କଥା ରହିବ ନାହିଁ । ଏହା ବାବାଙ୍କର ମହିମା ଅଟେ, ଯିଏକି ଜ୍ଞାନର ଏବଂ ପ୍ରେମର ସାଗର ଅଟନ୍ତି । ଜ୍ଞାନର ସାରାଂଶ ବା ଗୋଟିଏ ବୁନ୍ଦା ହେଉଛି ମନମନାଭବ, ମଧ୍ୟାଜୀଭବ... ଯାହା ଦ୍ୱାରା ଆମେ ବିଷୟ ସାଗରରୁ କ୍ଷୀର ସାଗରକୁ ଚାଲିଯିବା । ଏଭଳି ମଧ୍ୟ କହିଥାନ୍ତି ନା - ସ୍ୱର୍ଗରେ ଦୁଧ-ଘିଅର ନଦୀ ବହିଥାଏ । ଏପରି ମହିମା ସବୁ ରହିଛି । ବାକି ଦୁଧ-ଘିଅର କଣ ନଦୀ ଥାଏ କି । ବର୍ଷା ସମୟରେ ତ ପାଣି ବହିଥାଏ । ତେବେ ଘିଅ କେଉଁଠାରୁ ଆସିବ! ଏହା କେବଳ ମହିମା କରି କହିଛନ୍ତି । ଏକଥା ବି ତୁମେମାନେ ଜାଣିଛ ଯେ, ସ୍ୱର୍ଗ କାହାକୁ କୁହାଯାଉଛି । ଯଦିଓ ଆଜମୀରରେ ଏହାର ନମୁନା ଅଛି କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଯଦି ତୁମେ ଏକଥା କାହାକୁ ବି ବୁଝାଇବ ତେବେ ସିଏ ତୁରନ୍ତ ବୁଝିଯିବେ । ଯେପରି ବାବାଙ୍କ ପାଖରେ ଆଦି, ମଧ୍ୟ, ଅନ୍ତର ଜ୍ଞାନ ରହିଛି ସେହିପରି ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଜ୍ଞାନ ରହିବା ଉଚିତ୍ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇ, ସଠିକ୍ ମହିମା ଶୁଣାଇବାକୁ ହେବ, ତାଙ୍କର ମହିମା ଅପରମଅପାର ଅଟେ । ସମସ୍ତେ ତ ସମାନ ହୋଇପାରିବେ ନାହିଁ । ପ୍ରତ୍ୟେକଙ୍କୁ ନିଜ-ନିଜର ଅଭିନୟ ମିଳିଛି । ଆଗକୁ ଦେଖିବ, ଦିବ୍ୟଦୃଷ୍ଟି ଦ୍ୱାରା ବାବା ଯାହାସବୁ ଦେଖାଇଥିଲେ ସେଗୁଡିକ ବାସ୍ତବିକ ହେବ । ସେଥିପାଇଁ ବାବା ସ୍ଥାପନା ଏବଂ ବିନାଶର ସାକ୍ଷାତ୍କାର କରାଉଛନ୍ତି । ଅର୍ଜୁନଙ୍କୁ ମଧ୍ୟ ଦିବ୍ୟଦୃଷ୍ଟିର ସାକ୍ଷାତ୍‌କାର କରାଇଥିଲେ ପୁଣି ସିଏ ପ୍ରତ୍ୟକ୍ଷରେ ସବୁ ଦେଖିଲେ । ତୁମେମାନେ ମଧ୍ୟ ଏହି ଆଖି ଦ୍ୱାରା ବିନାଶ ଦେଖିବ । ତୁମେ ବୈକୁଣ୍ଠର ମଧ୍ୟ ସାକ୍ଷାତ୍‌କାର କରିଛ, ପୁଣି ଯେତେବେଳେ ପ୍ରତ୍ୟକ୍ଷରେ ଯିବ ସେତେବେଳେ ଏହି ସାକ୍ଷାତ୍‌କାର ବନ୍ଦ ହୋଇଯିବ । କେତେ ସୁନ୍ଦର କଥା ବାବା ବୁଝାଉଛନ୍ତି, ଯାହା ପୁଣି ପିଲାମାନେ ଅନ୍ୟମାନଙ୍କୁ ବୁଝାଇବା ଉଚିତ୍ । ଭାଇ-ଭଉଣୀମାନେ ଏଠାକୁ ଆସି ଏହି ଜ୍ଞାନ ଏବଂ ଯୋଗ ଦ୍ୱାରା ବାବାଙ୍କଠାରୁ ସତ୍ୟଯୁଗର ସମ୍ପତ୍ତି ନିଅ ।

ବାବା ଏହି ନିମନ୍ତ୍ରଣ ପତ୍ରକୁ ମଧ୍ୟ ସଂଶୋଧନ କରାଉଛନ୍ତି । ତଳେ ସାକ୍ଷର କରୁଛନ୍ତି ଯେ ଏହି କାର୍ଯ୍ୟ ପାଇଁ ଆମେ ନିଜର ତନ-ମନ-ଧନ ଦ୍ୱାରା ଈଶ୍ୱରୀୟ ସେବାରେ ଉପସ୍ଥିତ ରହିଛୁ । ଆଗକୁ ତ ମହିମା ନିଶ୍ଚିତ ହେବ । କଳ୍ପ ପୂର୍ବରୁ ଯେଉଁମାନେ ସମ୍ପତ୍ତି ନେଇଥିଲେ ସେମାନଙ୍କୁ ଆସିବାକୁ ହିଁ ହେବ । ସେଥିପାଇଁ ପରିଶ୍ରମ କରିବାକୁ ପଡିବ । ପୁଣି ଖୁସିର ନିଶା ସ୍ଥାୟୀ ହୋଇଯିବ । ପୁଣି ବାରମ୍ବାର ଝାଉଁଳି ପଡିବ ନାହିଁ । ତୋଫାନ ତ ବହୁତ ଆସିବ କିନ୍ତୁ ଏହାକୁ ପାରି କରିବାକୁ ହେବ । ତେଣୁ ତୁମେମାନେ ଶ୍ରୀମତରେ ଚାଲୁଥାଅ । ଶ୍ରୀମତକୁ ପାଳନ କରିଚାଲ । ଲୌକିକ କର୍ମଧନ୍ଦା ମଧ୍ୟ କରିବାକୁ ପଡିବ । ଯେ ପର୍ଯ୍ୟନ୍ତ ସେବାର ପ୍ରମାଣ ନ ଦେଇଛ ସେ ପର୍ଯ୍ୟନ୍ତ ବାବା ତୁମକୁ ଏହି ସେବାରେ ଲଗାଇ ପାରିବେ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତ ଉପରେ ପୂରା ଧ୍ୟାନ ଦେଇ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ସମସ୍ତଙ୍କୁ ପ୍ରକୃତ ତୀର୍ଥ ଯାତ୍ରା କରାଇବାକୁ ହେବ । ଦୟାଶୀଳ ହେବାକୁ ପଡିବ ।

(୨) ବାବାଙ୍କର ପ୍ରତ୍ୟେକ ଆଦେଶକୁ ପାଳନ କରିବାକୁ ହେବ । ଯୋଗ ଏବଂ ସେବାର ଚାର୍ଟ ନିଶ୍ଚିତ ରଖିବାକୁ ହେବ । ସ୍ୱଦର୍ଶନ ଚକ୍ର ଘୂରାଇବାକୁ ହେବ ।

ବରଦାନ:-
ସଚ୍ଚା ଦିଲ୍ ଦ୍ୱାରା ସାହେବ ବାବାଙ୍କୁ ରାଜି ଅର୍ଥାତ୍ ସନ୍ତୁଷ୍ଟ କରୁଥିବା ଯୁକ୍ତିଯୁକ୍ତ ଏବଂ ଯୋଗଯୁକ୍ତ ହୁଅ ।

ବାପଦାଦାଙ୍କର ଉପାଧି ହେଲା ଦିଲ୍‌ବାଲା ଏବଂ ଦିଲାରାମ, ତେଣୁ ଯେଉଁମାନେ ସଚ୍ଚା ହୃଦୟବାନ ସନ୍ତାନ ହୋଇଥିବେ ସେମାନଙ୍କ ଉପରେ ସାହେବ ସର୍ବଦା ରାଜି ହୋଇଥାଆନ୍ତି । ତେବେ ହୃଦୟର ସହିତ ଅର୍ଥାତ୍ ଆନ୍ତରିକ ସ୍ନେହ ସହିତ ବାବାଙ୍କୁ ମନେ ପକାଉଥିବା ଆତ୍ମା ସହଜରେ ବିନ୍ଦୁ ସ୍ୱରୂପରେ ସ୍ଥିତ ହୋଇ ପାରିବେ । ସେମାନେ ବାବାଙ୍କଠାରୁ ବିଶେଷ ଆଶୀର୍ବାଦ ପାଇବାର ପାତ୍ର ହୋଇଯାଆନ୍ତି । ସତ୍ୟତାର ଶକ୍ତି ଦ୍ୱାରା ସେମାନଙ୍କର ବୁଦ୍ଧି ଯଥା ସମୟରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ କର୍ମ ସ୍ୱତଃ ହିଁ କରିଥାଏ । ଯେହେତୁ ସେମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିଦେଇଛନ୍ତି ତେଣୁ ସେମାନଙ୍କର ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ କର୍ମ ଯଥାର୍ଥ ହୋଇଥାଏ । ସେମାନେ ରାଜଯୁକ୍ତ ଅର୍ଥାତ୍ ରହସ୍ୟକୁ ଜାଣିବାବାଲା, ଯୁକ୍ତିଯୁକ୍ତ ଅର୍ଥାତ୍ ଯଥାର୍ଥ ଏବଂ ଯୋଗଯୁକ୍ତ ଅର୍ଥାତ୍ ନିରନ୍ତର ଯୋଗୀ ହୋଇଯାଇଥାଆନ୍ତି ।

ସ୍ଲୋଗାନ:-
ଯଦି ସଦାସର୍ବଦା ବାବାଙ୍କର ସ୍ନେହରେ ବୁଡି ରହିବ ତେବେ ଅନେକ ପ୍ରକାରର ଦୁଃଖ ଏବଂ ଧୋକାରୁ ରକ୍ଷା ପାଇଯିବ ।