02.12.18       Avyakt Bapdada        Odia Murli        05.03.84    Om Shanti     Madhuban


ଶାନ୍ତିର ଶକ୍ତିର ମହତ୍ୱ


ଶାନ୍ତିର ସାଗର ପିତା ନିଜର ଶାନ୍ତିର ଅବତାର ପିଲାମାନଙ୍କ ସହିତ ମିଳନ କରିବା ପାଇଁ ଆସିଛନ୍ତି । ଆଜିର ସଂସାରରେ ସବୁଠାରୁ ଆବଶ୍ୟକ ଜିନିଷ ହେଉଛି ଶାନ୍ତି ଏବଂ ତୁମେ ପିଲାମାନେ ହେଉଛ ସେହି ଶାନ୍ତିର ଦାତା । ତେବେ କେତେ ବି କେହି ବିନାଶୀ ଧନ, ବିନାଶୀ ସାଧନ ଦ୍ୱାରା ଶାନ୍ତି ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତୁ କିନ୍ତୁ ପ୍ରକୃତ ଅବିନାଶୀ ଶାନ୍ତି ମିଳିପାରିବ ନାହିଁ । ଆଜିର ସଂସାର ଧନବାନ ହୋଇଥିଲେ ମଧ୍ୟ, ସବୁ ପ୍ରକାରର ସୁଖର ସାଧନ ଉପଲବ୍ଧ ଥିଲେ ମଧ୍ୟ ଅବିନାଶୀ ସଦାକାଳର ଶାନ୍ତିର ଭିକାରୀ ଅଟେ । ଏହିଭଳି ଶାନ୍ତିର ଭିକାରୀ ଆତ୍ମାମାନଙ୍କୁ ତୁମେ ମାଷ୍ଟର ଶାନ୍ତିଦାତା, ଶାନ୍ତିର ଭଣ୍ଡାର, ଶାନ୍ତି ସ୍ୱରୂପ ଆତ୍ମାମାନେ ଶାନ୍ତିର ଆଞ୍ଜୁଳୀ ଦେଇ ସମସ୍ତଙ୍କର ଶାନ୍ତିର ତୃଷ୍ଣା, ଶାନ୍ତିର ଇଚ୍ଛାକୁ ପୂର୍ଣ୍ଣ କର । କାରଣ ବାପଦାଦାଙ୍କୁ ଅଶାନ୍ତ ପିଲାମାନଙ୍କୁ ଦେଖି ଦୟା ଲାଗୁଛି । ଏତେ ପରିଶ୍ରମ କରି ବିଜ୍ଞାନର ଶକ୍ତି ଦ୍ୱାରା କେଉଁଠାରୁ ଯାଇ କେଉଁଠି ପହଞ୍ଚିଯାଉଛନ୍ତି, କଣ କଣ ସବୁ ତିଆରି କରୁଛନ୍ତି, ଦିନକୁ ରାତି, ରାତିକୁ ଦିନ କରିପାରୁଛନ୍ତି କିନ୍ତୁ ନିଜର ଆତ୍ମାର ସ୍ୱଧର୍ମ ଶାନ୍ତିକୁ ପ୍ରାପ୍ତ କରିପାରୁ ନାହାଁନ୍ତି । ଯେତେ ଯେତେ ଶାନ୍ତି ପାଇବା ପାଇଁ ଅଧିକ ଚେଷ୍ଟା କରୁଛନ୍ତି ସେତେ ସେତେ ଅଳ୍ପକାଳର ଶାନ୍ତି ପ୍ରାପ୍ତ କରି ସାରିବା ପରେ ପୁଣି ଅଶାନ୍ତିକୁ ହିଁ ପ୍ରାପ୍ତ କରୁଛନ୍ତି । ତେବେ ଅବିନାଶୀ ଶାନ୍ତି ହେଉଛି ସର୍ବ ଆତ୍ମାଙ୍କର ଈଶ୍ୱରୀୟ ଜନ୍ମ ସିଦ୍ଧ ଅଧିକାର । କିନ୍ତୁ ଜନ୍ମ ସିଦ୍ଧ ଅଧିକାରକୁ ପାଇବା ପାଇଁ କେତେ ପରିଶ୍ରମ କରୁଛନ୍ତି । ଯଦିଓ ଏହା ମାତ୍ର ଗୋଟିଏ ସେକେଣ୍ଡରେ ହିଁ ପ୍ରାପ୍ତ ହେଉଛି କିନ୍ତୁ ସେହି ଗୋଟିଏ ସେକେଣ୍ଡରେ ପ୍ରାପ୍ତି କରିବା ପାଇଁ ପୁରା ପରିଚୟ ନଥିବା କାରଣରୁ କେତେ ଏଣେ-ତେଣେ ଧକ୍କା ଖାଉଛନ୍ତି, ଡାକ ଛାଡୁଛନ୍ତି, ଚିତ୍କାର କରୁଛନ୍ତି ଏବଂ ଦୁଃଖୀ ହେଉଛନ୍ତି । ଏହିଭଳି ଶାନ୍ତି ପାଇଁ ଏଣେ ତେଣେ ବୁଲୁଥିବା ନିଜର ଆତ୍ମିକ ରୂପରେ ଭାଇମାନଙ୍କୁ ଭାଇ ଭାଇର ଦୃଷ୍ଟି ଦିଅ । କାରଣ ତୁମର ଏହି ଦୃଷ୍ଟି ଦ୍ୱାରା ହିଁ ସେମାନଙ୍କର ଜୀବନରୂପୀ ସୃଷ୍ଟି ପରିବର୍ତ୍ତନ ହୋଇଯିବ ।

ତେବେ ତୁମେ ସବୁ ଶାନ୍ତିର ଅବତାର ଆତ୍ମାମାନେ ସଦା ସର୍ବଦା ଶାନ୍ତ ସ୍ୱରୂପ ସ୍ଥିତିରେ ରହୁଛ ନା ? ଅଶାନ୍ତିକୁ ସବୁ ଦିନ ପାଇଁ ବିଦାୟ ଦେଇ ଦେଇଛ ନା! ଅଶାନ୍ତିର ବିଦାୟ ସମାରୋହ ପାଳନ କରି ସାରିଛ ନା ଏବେ କରିବ ? ଯେଉଁମାନେ ଏବେ ପର୍ଯ୍ୟନ୍ତ ଅଶାନ୍ତିର ବିଦାୟ ସମାରୋହ ପାଳନ କରିନାହାଁନ୍ତି ଏବେ କରିବାକୁ ଚାହୁଁଛନ୍ତି, ସେମାନେ ଏଠାରେ ଅଛନ୍ତି ? ତେବେ ସେମାନଙ୍କ ପାଇଁ ତାରିଖ ଧାର୍ଯ୍ୟ କରିଦେବା ? ତେବେ ଯେଉଁମାନଙ୍କୁ ଏବେ ବିଦାୟ ସମାରୋହ ପାଳନ କରିବାର ଅଛି, ସେମାନେ ହାତ ଉଠାଅ । କେବେ ସ୍ୱପ୍ନରେ ମଧ୍ୟ ଅଶାନ୍ତି ଆସିପାରିବ ନାହିଁ । ତୁମର ସ୍ୱପ୍ନ ମଧ୍ୟ ଶାନ୍ତିମୟ ହୋଇଯାଇଛି ନା । ଶାନ୍ତିଦାତା ବାବା ଏବଂ ଶାନ୍ତି ସ୍ୱରୂପ ତୁମେ ନିଜେ । ଧର୍ମ ବି ଶାନ୍ତି, କର୍ମ ବି ଶାନ୍ତି ତେବେ ଅଶାନ୍ତି କେଉଁଠୁ ଆସିବ । ତୁମମାନଙ୍କର କର୍ମ କଣ ? ଶାନ୍ତିଦେବା । ଏବେ ବି ତୁମମାନଙ୍କର ଭକ୍ତମାନେ ଯେତେବେଳେ ଆରତୀ କରୁଛନ୍ତି ସେତେବେଳେ କଣ କହୁଛନ୍ତି ? ହେ ଶାନ୍ତିଦେବ ବା ଦେବୀ । ତେବେ ସେମାନେ କାହାର ଆରତୀ କରୁଛନ୍ତି ? ତୁମମାନଙ୍କର ନା କେବଳ ବାବାଙ୍କର ? ତେଣୁ ଶାନ୍ତିର ଦେବୀ ବା ଦେବତା ପିଲାମାନେ ସର୍ବଦା ଶାନ୍ତିର ମହାଦାନୀ, ବରଦାନୀ ଆତ୍ମା ଅଟ । ଶାନ୍ତିର କିରଣକୁ ସାରା ବିଶ୍ୱରେ ମାଷ୍ଟର ଜ୍ଞାନସୂର୍ଯ୍ୟ ହୋଇ ବିଚ୍ଛୁରିତ କରୁଛ । ତେବେ ତୁମ ଭିତରେ ଏହି ନିଶା ମଧ୍ୟ ଅଛି ଯେ ବାବାଙ୍କ ସହିତ ଆମେମାନେ ମଧ୍ୟ ମାଷ୍ଟର ଜ୍ଞାନସୂର୍ଯ୍ୟ ବା ଶାନ୍ତିର କିରଣକୁ ବିଚ୍ଛୁରିତ କରୁଥିବା ମାଷ୍ଟର ସୂର୍ଯ୍ୟ ଅଟୁ ।

ଗୋଟିଏ ସେକେଣ୍ଡରେ କାହାକୁ ବି ପରିଚୟ ଦେଇ ସ୍ୱ ସ୍ୱରୂପରେ ସ୍ଥିତ କରାଇ ପାରିବ ନା ? ତେବେ ନିଜର ବୃତ୍ତି ଦ୍ୱାରା, କେଉଁ ବୃତ୍ତି ? ଏହି ଆତ୍ମାକୁ ମଧ୍ୟ ଅର୍ଥାତ୍ ମୋର ଏହି ଭାଇକୁ ମଧ୍ୟ ବାବାଙ୍କର ସମ୍ପତ୍ତି ମିଳିଯାଉ । ଏହି ଶୁଭ ବୃତ୍ତି ବା ଶୁଭଭାବନା ଦ୍ୱାରା ଅନେକ ଆତ୍ମାଙ୍କୁ ସ୍ୱସ୍ୱରୂପର ଅନୁଭବ କରାଇପାରିବ । କାହିଁକି ନା ଭାବନାର ଫଳ ନିଶ୍ଚିତ ପ୍ରାପ୍ତ ହୋଇଥାଏ । ଯେହେତୁ ତୁମମାନଙ୍କର ଶ୍ରେଷ୍ଠ ଭାବନା ରହିଛି, ନିସ୍ୱାର୍ଥ ଭାବନା, ଦୟାର ଭାବନା ଏବଂ କଲ୍ୟାଣର ଭାବନା ରହିଛି ତେଣୁ ଏହିଭଳି ଭାବନାର ଫଳ ନ ମିଳିବ, ଏକଥା ହୋଇପାରିବ ନାହିଁ । ଯେହେତୁ ସଂକଳ୍ପରୂପୀ ବୀଜ ଶକ୍ତିଶାଳୀ ଅଟେ ତେଣୁ ଫଳ ନିଶ୍ଚିତ ମିଳିବ । କେବଳ ଏହି ଶ୍ରେଷ୍ଠ ବୀଜକୁ ସଦାସର୍ବଦା ସ୍ମୃତିର ପାଣି ଦେଇଚାଲ ତେବେ ସମର୍ଥ ଫଳ, ପ୍ରତ୍ୟକ୍ଷ ଫଳ ରୂପରେ ନିଶ୍ଚିତ ପ୍ରାପ୍ତ ହେବ । ହେବ କି ନ ହେବ, ଏହାର ପ୍ରଶ୍ନ ଉଠୁନାହିଁ । ଯଦି ସର୍ବଦା ସମର୍ଥ ସ୍ଥିତିର ପାଣି ଦେଉଥିବ ଅର୍ଥାତ୍ ସର୍ବ ଆତ୍ମାଙ୍କ ପ୍ରତି ଶୁଭଭାବନା ରଖିଥିବ ତେବେ ବିଶ୍ୱ ଶାନ୍ତି ରୂପୀ ପ୍ରତ୍ୟକ୍ଷ ଫଳ ନିଶ୍ଚିତ ମିଳିବ । ସର୍ବ ଆତ୍ମାଙ୍କର ଜନ୍ମ ଜନ୍ମାନ୍ତରର ଆଶାକୁ ବାବାଙ୍କ ସହିତ ତୁମେ ସମସ୍ତ ସନ୍ତାନମାନେ ମଧ୍ୟ ପୂର୍ଣ୍ଣ କରୁଛ ଏବଂ ସମସ୍ତଙ୍କର ଆଶା ମଧ୍ୟ ପୂର୍ଣ୍ଣ ନିଶ୍ଚିତ ହେବ । ଯେପରି ବର୍ତ୍ତମାନ ଅଶାନ୍ତିର ଶବ୍ଦ ଚାରିଆଡେ ଶୁଣାଯାଉଛି, ଶରୀର-ମନ-ଧନ-ଜନ ସବୁ ଦୃଷ୍ଟିରୁ ଅଶାନ୍ତିର ଅନୁଭବ କରୁଛନ୍ତି, ସମସ୍ତ ପ୍ରାପ୍ତିର ସାଧନଗୁଡିକ ମଧ୍ୟ ଭୟ କାରଣରୁ ଶାନ୍ତି ପରିବର୍ତ୍ତେ ଅଶାନ୍ତିର ଅନୁଭବ କରାଉଛନ୍ତି କାରଣ ଆଜିର ଆତ୍ମା କୌଣସି ନା କୌଣସି ପ୍ରକାରର ଭୟର ବଶୀଭୂତ ଅଟେ । ଖାଉଛନ୍ତି, ଚାଲୁଛନ୍ତି, ରୋଜଗାର କରୁଛନ୍ତି, ଅଳ୍ପକାଳର ଖୁସି ମଉଜ ମଧ୍ୟ କରୁଛନ୍ତି କିନ୍ତୁ ସବୁ କିଛି ଭୟର ସହିତ କରୁଛନ୍ତି । ଜଣାନାହିଁ କାଲି କଣ ହେବ । ତେବେ ଯେଉଁଠି ଭୟର ସିଂହାସନ ରହିଛି, ଯେବେକି ନେତାମାନେ ମଧ୍ୟ ଭୟର ଆସନ ଉପରେ ବସିଛନ୍ତି ତେବେ ପ୍ରଜାର ଅବସ୍ଥା କଣ ହେବ ? ଶାନ୍ତିମୟ ନା ଅଶାନ୍ତିମୟ ? ବାପଦାଦା ଏହିଭଳି ଭୟଭୀତ ଆତ୍ମାମାନଙ୍କୁ ସଦାକାଳର ସୁଖମୟ, ଶାନ୍ତିମୟ ଜୀବନ ପ୍ରଦାନ କରିବା ପାଇଁ ତୁମ ସମସ୍ତ ସନ୍ତାନମାନଙ୍କୁ ଶାନ୍ତିର ଅବତାର ରୂପରେ ନିମିତ୍ତ କରିଛନ୍ତି । ଶାନ୍ତିର ଶକ୍ତି ଦ୍ୱାରା ବିନା ଖର୍ଚ୍ଚରେ କେଉଁଠାରୁ ଯାଇ କେଉଁଠି ପହଞ୍ଚିପାରିବ । ଏହି ଦୁନିଆଠାରୁ ଉର୍ଦ୍ଧ୍ଵରେ, ନିଜର ମିଠା ଘରେ, କେତେ ସହଜରେ ପହଞ୍ଚିପାରିବ! ଏଥିପାଇଁ କୌଣସି ପରିଶ୍ରମ ଲାଗୁଛି ? ଶାନ୍ତିର ଶକ୍ତି ଦ୍ୱାରା ପ୍ରକୃତଜିତ୍, ମାୟାଜୀତ୍ କେତେ ସହଜରେ ହୋଇଯାଉଛ ? କାହାଦ୍ୱାରା ? ଆତ୍ମିକ ଶକ୍ତିଦ୍ୱାରା । ଯେତେବେଳେ ଆଟମିକ୍ ଏବଂ ଆତ୍ମିକ ଉଭୟ ଶକ୍ତିର ମିଳନ ହୋଇଯିବ, ଆତ୍ମିକ ଶକ୍ତି ଆଧାରରେ ଆଟମିକ୍ ଶକ୍ତି ମଧ୍ୟ ସତ୍ୱୋପ୍ରଧାନ ବୁଦ୍ଧି ଦ୍ୱାରା ସୁଖ ଦେବାର କାର୍ଯ୍ୟରେ ଲାଗିବ ସେତେବେଳେ ଉଭୟ ଶକ୍ତିର ମିଳନ ଦ୍ୱାରା ଶାନ୍ତିମୟ ଦୁନିଆ ଏହି ଭୂମି ଉପରେ ପ୍ରତ୍ୟକ୍ଷ ହେବ କାହିଁକି ନା ସୁଖ-ଶାନ୍ତିମୟ ସ୍ୱର୍ଗ ରାଜ୍ୟରେ ଦୁଇଟିଯାକ ଶକ୍ତି କାର୍ଯ୍ୟ କରିଥାଏ । ତେବେ ସତ୍ୱୋପ୍ରଧାନ ବୁଦ୍ଧି ଅର୍ଥାତ୍ ସର୍ବଦା ଶ୍ରେଷ୍ଠ ଏବଂ ସତ୍ୟ କର୍ମ କରୁଥିବା ବୁଦ୍ଧି । ସତ୍ୟ ଅର୍ଥାତ୍ ଅବିନାଶୀ ମଧ୍ୟ ଅଟେ । ପ୍ରତ୍ୟେକ କର୍ମ ଅବିନାଶୀ ପିତା, ଅବିନାଶୀ ଆତ୍ମା, ଏହି ସ୍ମୃତି ଦ୍ୱାରା ଅବିନାଶୀ ପ୍ରାପ୍ତି ସମ୍ପନ୍ନ ହେବ ସେଥିପାଇଁ କୁହାଯାଉଛି ସତ୍କର୍ମ । ତେବେ ଏହିଭଳି ସଦାକାଳ ପାଇଁ ଶାନ୍ତିପ୍ରଦାନକାରୀ, ଶାନ୍ତିର ଅବତାର ଅଟ । ବୁଝିଲ । ଆଚ୍ଛା ।

ଏହିଭଳି ସଦାସର୍ବଦା ସତ୍ତୋପ୍ରଧାନ ସ୍ଥିତି ଦ୍ୱାରା, ସତ୍ କର୍ମ କରୁଥିବା ଆତ୍ମାମାନେ, ସର୍ବଦା ନିଜର ଶକ୍ତିଶାଳୀ ଭାବନା ଦ୍ୱାରା ଅନେକ ଆତ୍ମାଙ୍କୁ ଶାନ୍ତିର ଫଳ ପ୍ରଦାନ କରୁଥିବା, ସର୍ବଦା ମାଷ୍ଟର ଦାତା ହୋଇ, ଶାନ୍ତିର ଦେବୀ ବା ଦେବତା ହୋଇ ସାରା ବିଶ୍ୱରେ ଶାନ୍ତିର କିରଣ ବିଚ୍ଛୁରିତ କରୁଥିବା ଆତ୍ମାମାନେ, ଏହିଭଳି ବାବାଙ୍କର କାର୍ଯ୍ୟରେ ସହଯୋଗୀ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ଲଣ୍ଡନର ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଜୋସିଫସନ୍ ବାପଦାଦାଙ୍କ ସହିତ ମିଶୁଛନ୍ତି:-

ଶାନ୍ତିର ଶକ୍ତିର ଅନୁଭବକୁ ମଧ୍ୟ ଅନୁଭବ କରିପାରୁଛ ? କାହିଁକି ନା ଶାନ୍ତିର ଶକ୍ତି ସାରା ବିଶ୍ୱକୁ ଶାନ୍ତିମୟ କରିପାରିବ । ତୁମେ ମଧ୍ୟ ଜଣେ ଶାନ୍ତିପ୍ରିୟ ଆତ୍ମା ଅଟ ନା! ଶାନ୍ତିର ଶକ୍ତି ଦ୍ୱାରା ବିଜ୍ଞାନର ଶକ୍ତିକୁ ଯଥାର୍ଥ ରୂପରେ କାର୍ଯ୍ୟରେ ଲଗାଇବା ଦ୍ୱାରା ବିଶ୍ୱର କଲ୍ୟାଣ କରିବାର ନିମିତ୍ତ ହୋଇପାରିବ । ତେବେ ବିଜ୍ଞାନର ଶକ୍ତି ମଧ୍ୟ ଆବଶ୍ୟକ କିନ୍ତୁ କେବଳ ବୁଦ୍ଧିକୁ ସତ୍ତୋପ୍ରଧାନ କରିବା ଦ୍ୱାରା ହିଁ ଏହାର ଯଥାର୍ଥ ପ୍ରୟୋଗ କରିପାରିବ । ବର୍ତ୍ତମାନ ସମୟରେ କେବଳ ଏହି ଜ୍ଞାନର ଅଭାବ ରହିଛି ଯେ ଯଥାର୍ଥ ରୂପରେ ବିଜ୍ଞାନର ଶକ୍ତିକୁ କିପରି କାର୍ଯ୍ୟରେ ଲଗାଯାଇପାରିବ । ଏହି ବିଜ୍ଞାନ ଏହି ଈଶ୍ୱରୀୟ ଜ୍ଞାନ ଆଧାରରେ ନୂଆ ସୃଷ୍ଟିର ସ୍ଥାପନାର ନିମିତ୍ତ ହେବ । କିନ୍ତୁ ଆଜି ସେହି ଜ୍ଞାନ ନଥିବା କାରଣରୁ ବିଜ୍ଞାନ ବିନାଶ ଆଡକୁ ବଢିଚାଳିଛି । ତେଣୁ ଏବେ ଏହି ବିଜ୍ଞାନର ଶକ୍ତିକୁ ଶାନ୍ତିର ଶକ୍ତି ଆଧାରରେ ବହୁତ ଭଲ କାର୍ଯ୍ୟରେ ଲଗାଇବାରେ ନିମିତ୍ତ ହୁଅ । ଏଥିରେ ମଧ୍ୟ ନୋବେଲ ପୁରସ୍କାର ନେବ ନା! କାହିଁକି ନା ବର୍ତ୍ତମାନ ଏହି କାର୍ଯ୍ୟର ହିଁ ଆବଶ୍ୟକତା ରହିଛି । ତେଣୁ ଯେତେବେଳେ ଯେଉଁ କାର୍ଯ୍ୟର ଆବଶ୍ୟକତା ଥାଏ ସେହି କାର୍ଯ୍ୟରେ ନିମିତ୍ତ ହେଉଥିବା ଆତ୍ମାକୁ ସମସ୍ତେ ଶ୍ରେଷ୍ଠ ଆତ୍ମା ଦୃଷ୍ଟିରେ ଦେଖିଥାଆନ୍ତି । ତେବେ ବୁଝିପାରିଲ କଣ କରିବାକୁ ହେବ । ଏବେ ବିଜ୍ଞାନ ଏବଂ ଶାନ୍ତିର ସମ୍ପର୍କ କଣ ଏବଂ ଉଭୟଙ୍କର ସମ୍ପର୍କ ଦ୍ୱାରା କେତେ ସଫଳତା ମିଳିପାରିବ, ଏହାର ଅନୁସନ୍ଧାନ କର । ତୁମର ଅନୁସନ୍ଧାନ କରିବାର ଆଗ୍ରହ ଅଛି ନା! ଏବେ ଏହି କାର୍ଯ୍ୟ କର । ତେବେ ଏତେ ବଡ କାର୍ଯ୍ୟ କରିବାର ଅଛି, ଏହିଭଳି ଦୁନିଆ ତିଆରି କରିବ ନା । ଆଚ୍ଛା!

ୟୁ.କେ. ଗ୍ରୃପ:- ସିକିଲଧେ ସ୍ନେହୀ ପିଲାମାନେ ସଦାସର୍ବଦା ବାବାଙ୍କ ସହିତ ସାଥୀରେ ରହିଛନ୍ତି । ତେବେ ବାବା ସର୍ବଦା ସାଥୀରେ ଅଛନ୍ତି, ତେଣୁ ମାୟାର ଦୃଷ୍ଟି ମଧ୍ୟ ବହୁତ ତୀକ୍ଷ୍ଣ, ସେ ଦେଖିନେବ ଯେ ଇଏ ଟିକିଏ ଦୂରେଇ ଯାଇଛି ତେଣୁ ତୁରନ୍ତ ନିଜର କରିନେବ, ସେଥିପାଇଁ କେବେହେଲେ ଦୂରେଇ ରୁହ ନାହିଁ । ସର୍ବଦା ସାଥୀରେ ରୁହ । ଯେବେକି ବାପଦାଦା ନିଜେ ସର୍ବଦା ସାଥୀରେ ରହିବାର ପ୍ରସ୍ତାବ ଦେଉଛନ୍ତି ତେବେ ତାଙ୍କ ସଂଗରେ ରହିବା ଦରକାର ନା । ଏଭଳି ସଂଗ ସାରା କଳ୍ପରେ କେବେ ବି ମିଳିବ ନାହିଁ, ଯାହାକି ସ୍ୱୟଂ ଭଗବାନ ଆସି କହିବେ ମୋ ସାଥୀରେ ରୁହ । ଏଭଳି ଭାଗ୍ୟ ସତ୍ୟଯୁଗରେ ମଧ୍ୟ ମିଳିବ ନାହିଁ । କାରଣ ସତ୍ୟଯୁଗରେ ମଧ୍ୟ କେବଳ ଆତ୍ମାମାନଙ୍କ ସଂଗରେ ହିଁ ରହିବ । ତେବେ ସାରା କଳ୍ପରେ ବାବାଙ୍କର ସଂଗ କେତେ ସମୟ ମିଳୁଛି ? ବହୁତ କମ ସମୟ ନା । ଅଳ୍ପ ସମୟ ଭିତରେ ଏତେ ବଡ ଭାଗ୍ୟ ମିଳୁଛି ତେଣୁ ନିଶ୍ଚିତ ସାଥୀରେ ରହିବା ଦରକାର ନା । ବାପଦାଦା ସଦା ସର୍ବଦା ପରିପକ୍ୱ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନଙ୍କୁ ଦେଖୁଛନ୍ତି । କେତେ ପ୍ରିୟ ସନ୍ତାନମାନେ ବାପଦାଦାଙ୍କ ସମ୍ମୁଖରେ ବସିଛନ୍ତି । ଗୋଟିଏ ଗୋଟିଏ ସନ୍ତାନ ବହୁତ ସ୍ନେହୀ ଅଟନ୍ତି । ବାପଦାଦା କେତେ ସ୍ନେହରେ ସମସ୍ତଙ୍କୁ କେଉଁଠୁ କେଉଁଠୁ ବାଛି ବାଛି ଏକାଠି କରିଛନ୍ତି । ଏହିଭଳି ବଛାଯାଇଥିବା ପିଲାମାନେ ନିଶ୍ଚିତ ଭାବରେ ଶକ୍ତିଶାଳୀ ହୋଇଥିବେ ଦୁର୍ବଳ ହୋଇପାରିବେ ନାହିଁ । ଆଚ୍ଛା

ବ୍ୟକ୍ତିଗତ ମହାବାକ୍ୟ:-
ବିଶେଷ ପାର୍ଟଧାରୀ ଅର୍ଥାତ୍ ପ୍ରତିପାଦ, ପ୍ରତି ମୁହୂର୍ତ୍ତରେ ସତର୍କ, ଅସାବଧାନ ନୁହେଁ:-

ସଦାସର୍ବଦା ନିଜକୁ ଚାଲିବା-ବୁଲିବା ସମୟରେ ଖାଇବା ପିଇବା ସମୟରେ ବେହଦ ବିଶ୍ୱ ନାଟକର ମଞ୍ଚ ଉପରେ ଉପସ୍ଥିତ ବିଶେଷ ପାର୍ଟଧାରୀ ଆତ୍ମା ଅନୁଭବ କରୁଛ ? ଯିଏ ବିଶେଷ ପାର୍ଟଧାରୀ ଆତ୍ମା ତାଙ୍କୁ ସବୁ ସମୟରେ ନିଜର କର୍ମ ଅର୍ଥାତ୍ ପାର୍ଟ ଉପରେ ଧ୍ୟାନ ରହିଥାଏ କାରଣ ସାରା ଡ୍ରାମାର ଆଧାର ହୀରୋପାର୍ଟଧାରୀ ଆତ୍ମା ହିଁ ହୋଇଥାଏ । ତେବେ ଏହି ସାରା ଡ୍ରାମାର ଆଧାର ତୁମେମାନେ ଅଟ ନା । ସେଥିପାଇଁ ତୁମେ ବିଶେଷ ପାର୍ଟଧାରୀ ଆତ୍ମାମାନଙ୍କୁ ସଦାସର୍ବଦା ସେହିଭଳି ଧ୍ୟାନ ରହୁଛି ? ବିଶେଷ ପାର୍ଟଧାରୀ କେବେହେଲେ ଅସାବଧାନ ହୁଅନ୍ତି ନାହିଁ । ସର୍ବଦା ସତର୍କ ରହିଥାନ୍ତି । ତେବେ କେତେବେଳେ ଅବହେଳା ପଣିଆ ଆସିଯାଉ ନାହିଁ ତ ? କରୁଛି ତ, ପହଞ୍ଚି ବି ତ.... ଏହିଭଳି ଭାବୁନାହଁ ତ ? କରୁଛ ତ ନିଶ୍ଚିତ କିନ୍ତୁ କେଉଁ ଗତିରେ କରୁଛ ? ଚାଲୁଛ ତ ନିଶ୍ଚିତ କିନ୍ତୁ କେଉଁ ଗତିରେ ଚାଳୁଛ ? ଗତିରେ ତ ଅନ୍ତର ଥାଏ ନା । କାହିଁ ପାଦରେ ଚାଲିବା ଆଉ କାହିଁ ଉଡାଜାହାଜରେ ଯିବା! କହିବାକୁ ଗଲେ ପାଦରେ ଚାଲିଲାବାଲା ମଧ୍ୟ ଚାଲୁଛି ଏବଂ ଉଡାଜାହାଜବାଲା ମଧ୍ୟ ଚାଲୁଛି କିନ୍ତୁ ପାର୍ଥକ୍ୟ କେତେ ? ତେଣୁ କେବଳ ଚାଲିବା, ବ୍ରହ୍ମାକୁମାର ହୋଇଗଲୁ ଅର୍ଥାତ୍ ଚାଲୁଛୁ କିନ୍ତୁ କେଉଁ ଗତିରେ ? ତେବେ ତୀବ୍ର ଗତିବାଲା ହିଁ ଯଥା ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ନଚେତ୍ ପଛରେ ରହିଯିବ । ଏଠାରେ ମଧ୍ୟ ପ୍ରାପ୍ତି ତ ହେଉଛି କିନ୍ତୁ ସୂର୍ଯ୍ୟବଂଶୀ କୁଳର ପ୍ରାପ୍ତି ହେଉଛି ନା ଚନ୍ଦ୍ରବଂଶୀ କୁଳର ହେଉଛି ସେଥିରେ ଅନ୍ତର ତ ରହିଛି ନା । ତେଣୁ ସୂର୍ଯ୍ୟବଂଶୀ କୁଳରେ ଆସିବା ପାଇଁ ପ୍ରତ୍ୟେକ ସଂକଳ୍ପ ବାଣୀରେ ସାଧାରଣତା ସମାପ୍ତ ହୋଇଯାଉ । ଯଦି କୌଣସି ହୀରୋ ପାର୍ଟଧାରୀ ସାଧାରଣ ଅଭିନୟ କରିବ ତେବେ ସମସ୍ତେ ହସିବେ ନା । ତେଣୁ ଏହି ସ୍ମୃତି ସଦାସର୍ବଦା ରହିଥାଉ ଯେ ମୁଁ ବିଶେଷ ପାର୍ଟଧାରୀ ଅଟେ ସେଥିପାଇଁ ତୁମର ପ୍ରତ୍ୟେକ କର୍ମ ମଧ୍ୟ ବିଶେଷ ହେବା ଦରକାର, ପ୍ରତ୍ୟେକ ପଦକ୍ଷେପ ବିଶେଷ ହେବା ଦରକାର, ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ସଂକଳ୍ପ ଶ୍ରେଷ୍ଠ ହେବା ଦରକାର । ଏମିତି ନୁହେଁ ଯେ ମାତ୍ର ୫ ମିନିଟ୍ ତ ସାଧାରଣ ଭାବରେ କଟିଗଲା । ତେବେ ପାଞ୍ଚ ମିନିଟ୍ କେବଳ ପାଞ୍ଚ ମିନିଟ୍ ନୁହେଁ, ସଂଗମଯୁଗର ୫ ମିନିଟ୍ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପାଞ୍ଚ ମିନିଟ୍ ପାଞ୍ଚ ବର୍ଷଠାରୁ ମଧ୍ୟ ଅଧିକ ମୂଲ୍ୟବାନ ସେଥିପାଇଁ ସେତିକି ଧ୍ୟାନ ରହିବା ଦରକାର । ଏହାକୁ ହିଁ କୁହାଯିବ ତୀବ୍ର ପୁରୁଷାର୍ଥୀ । ତେବେ ତୀବ୍ର ପୁରୁଷାର୍ଥୀଙ୍କର ସ୍ଲୋଗାନ କଣ ? ଏବେ ନୁହେଁ ତ କେବେ ନୁହେଁ ଏହି କଥା ସର୍ବଦା ସ୍ମୃତିରେ ରହୁଛି ? କାହିଁକି ନା ଯଦି ସଦାକାଳର ରାଜ୍ୟଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛ ତେବେ ଏଥିପ୍ରତି ସଦାସର୍ବଦା ଧ୍ୟାନ ରହିବା ଦରକାର । ବର୍ତ୍ତମାନ ସମୟରେ ଅଳ୍ପ ସମୟ ପାଇଁ ନିରନ୍ତର ଧ୍ୟାନ ରଖିବା ଦ୍ୱାରା ବହୁତ କାଳ ପର୍ଯ୍ୟନ୍ତ ନିରନ୍ତର ପ୍ରାପ୍ତି କରିପାରିବ । ତେଣୁ ସବୁ ସମୟରେ ଏହି ସ୍ଥିତି ରହିଥାଉ ଏବଂ ଯାଞ୍ଚ କରୁଥାଅ ଯେ ଚାଲୁ ଚାଲୁ କେତେବେଳେ ସାଧାରଣତା ଆସିଯାଉ ନାହିଁ ତ ? ଯେପରି ବାବାଙ୍କୁ ପରମଆତ୍ମା କୁହାଯାଉଛି, ତେଣୁ ସେ ପରମ ଅଟନ୍ତି ନା । ତେବେ ଯେପରି ପିତା ସେହିପରି ପିଲାମାନେ ମଧ୍ୟ ପ୍ରତ୍ୟେକ କଥାରେ ପରମ ଅର୍ଥାତ୍ ଶ୍ରେଷ୍ଠ ହୁଅନ୍ତୁ ।

ତେଣୁ ଏବେ ନିଜର ପୁରୁଷାର୍ଥ ମଧ୍ୟ ତୀବ୍ର ହେବା ଦରକାର ଏବଂ ସେବାରେ ମଧ୍ୟ କମ ସମୟ, କମ ପରିଶ୍ରମରେ ଅଧିକ ସଫଳତା ମିଳିବା ଦରକାର । ଜଣେ ଅନେକ ଜଣଙ୍କର କାର୍ଯ୍ୟ କରନ୍ତୁ ଏହିଭଳି ଯୋଜନା କର । ପଞ୍ଜାବ ତ ବହୁତ ପୁରୁଣା, ସେବାର ଆରମ୍ଭରୁ ଅଛନ୍ତି ତେଣୁ ଆଦି ସ୍ଥାନର ଆତ୍ମାମାନେ କୌଣସି ଆଦିରତ୍ନଙ୍କୁ ବାହାର କର । ଏମିତି ବି ପଞ୍ଜାବକୁ ବାଘ କୁହନ୍ତି ନା! ତେବେ ବାଘ ତ ଗର୍ଜନ କରିଥାଏ । ର୍ଗଜନ କରୁଥିବା ଅର୍ଥ ଶକ୍ତିଶାଳୀ ଶବ୍ଦ ସୃଷ୍ଟି କରିବା । ଏବେ ଦେଖିବା-କଣ କରୁଛନ୍ତି ଏବଂ କିଏ କରୁଛନ୍ତି ?

ବରଦାନ:-
ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଯୋଗର ବିଧିପୂର୍ବକ ପ୍ରତ୍ୟେକ କର୍ମ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।

ଅମୃତବେଳାଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଯାହା ବି କର୍ମ କର, ଯୋଗର ବିଧି ଅନୁସାରେ କର ତେବେ ପ୍ରତ୍ୟେକ କର୍ମରେ ସିଦ୍ଧି ମିଳିବ । ସବୁଠାରୁ ବଡରୁ ବଡ ସିଦ୍ଧି ହେଲା ପ୍ରତ୍ୟକ୍ଷ ଫଳ ରୂପରେ ଅତିନ୍ଦ୍ରିୟ ସୁଖର ଅନୁଭବ ହେବ ଏବଂ ସର୍ବଦା ସୁଖର ଲହରୀରେ, ଖୁସିର ଲହରୀରେ ଲହରାଇବା ଅର୍ଥାତ୍ ଖେଳିବା । ତେଣୁ ଏହିଭଳି ପ୍ରତ୍ୟକ୍ଷ ଫଳ ମଧ୍ୟ ମିଳୁଛି ଏବଂ ଭବିଷ୍ୟତ ଫଳ ମଧ୍ୟ ମିଳୁଛି! ଏହି ସମୟରେ ପ୍ରତ୍ୟକ୍ଷ ଫଳ ଭବିଷ୍ୟତର ଅନେକ ଜନ୍ମର ଫଳଠାରୁ ଶ୍ରେଷ୍ଠ କାରଣ ଏବେ ଏବେ କରିଲ ଏବଂ ଏବେ ଏବେ ମିଳିଲା ଏହାକୁ ହିଁ କୁହାଯାଏ ପ୍ରତ୍ୟକ୍ଷ ଫଳ ।


ସ୍ଲୋଗାନ:-
ନିଜକୁ ନିମିତ୍ତ ମନେ କରି ପ୍ରତ୍ୟେକ କର୍ମ କର ତେବେ ନିଆରା ଏବଂ ସ୍ନେହୀ ଅର୍ଥାତ୍ ନିର୍ଲିପ୍ତ ରହିବ, ମୁଁ ପଣିଆ ଆସିପାରିବ ନାହିଁ ।