03.01.21    Avyakt Bapdada     Odia Murli     05.10.87     Om Shanti     Madhuban


ବ୍ରାହ୍ମଣ ଜୀବନର ସୁଖ - ସନ୍ତୁଷ୍ଟତା ଏବଂ ପ୍ରସନ୍ନତା


ଆଜି ବାପଦାଦା ଚାରିଆଡୁ ଆସିଥିବା ନିଜର ଅତି ଗେହ୍ଳା ଏବଂ ବହୁତ ଦିନ ପରେ ମିଳିଥିବା ବ୍ରାହ୍ମଣ ସନ୍ତାନମାନଙ୍କ ମଧ୍ୟରୁ ବିଶେଷ ଭାବରେ ବ୍ରାହ୍ମଣ ଜୀବନର ବିଶେଷତା ସମ୍ପନ୍ନ ସନ୍ତାନମାନଙ୍କୁ ଦେଖୁଛନ୍ତି । ଆଜି ଅମୃତବେଳାରେ ବାପଦାଦା ସମସ୍ତ ବ୍ରାହ୍ମଣ କୁଳର ସନ୍ତାନମାନଙ୍କ ମଧ୍ୟରୁ ସେହି ବିଶେଷ ଆତ୍ମାମାନଙ୍କୁ ବାଛୁଥିଲେ ଯେଉଁମାନେ ନିଜର ସନ୍ତୁଷ୍ଟ ରହିବାର ବିଶେଷତା ଦ୍ୱାରା ନିଜେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରହି ଆସିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜର ଦୃଷ୍ଟି-ବୃତ୍ତି ଏବଂ କୃତ୍ତି ଦ୍ୱାରା ସନ୍ତୁଷ୍ଟତାର ଅନୁଭବ କରାଇ ଆସିଛନ୍ତି । ତେବେ ଆଜି ବାପଦାଦା ଏହିଭଳି ସନ୍ତୁଷ୍ଟମଣୀ ଆତ୍ମାମାନଙ୍କର ମାଳା ଗୁନ୍ଥୁ ଥିଲେ ଯେଉଁମାନେ କି ସର୍ବଦା ନିଜର ସଂକଳ୍ପରେ, ବାଣୀରେ, ସଂଗଠନରେ, ସମ୍ବନ୍ଧ-ସମ୍ପର୍କରେ, କର୍ମରେ ସନ୍ତୁଷ୍ଟତା ରୂପକ ସୁବର୍ଣ୍ଣ ପୁଷ୍ପ ବାପଦାଦାଙ୍କ ଦ୍ୱାରା ନିଜ ଉପରେ ବର୍ଷା ହେଉଥିବାର ଅନୁଭବ କରୁଛନ୍ତି ଏବଂ ନିଜେ ମଧ୍ୟ ଅନ୍ୟମାନଙ୍କ ଉପରେ ସର୍ବଦା ସନ୍ତୁଷ୍ଟତାର ସୁବର୍ଣ୍ଣ ପୁଷ୍ପ ବର୍ଷା କରିଚାଲିଛନ୍ତି । ତେବେ ଚାରିଆଡୁ ଆସିଥିବା ପିଲାମାନଙ୍କ ଭିତରେ ଏହିଭଳି ସନ୍ତୁଷ୍ଟ ଆତ୍ମାମାନେ ଖୁବ୍ କମ ସଂଖ୍ୟାରେ ଥିବାର ଦେଖାଯାଉଥିଲେ । ସେଥିପାଇଁ ମାଳାଟି ବଡ ହୋଇପାରିଲା ନାହିଁ, ଛୋଟିଆ ହିଁ ହେଲା । ବାପଦାଦା ବାରମ୍ବାର ଏହି ସନ୍ତୁଷ୍ଟମଣୀ ଆତ୍ମାମାନଙ୍କର ମାଳାକୁ ଦେଖି ହର୍ଷିତ ହେଉଥିଲେ କାହିଁକି ନା ଏହିଭଳି ସନ୍ତୁଷ୍ଟମଣୀ ଆତ୍ମାମାନେ ହିଁ ବାପଦାଦାଙ୍କର ଗଳାର ମାଳା ହୋଇଥାନ୍ତି ଅର୍ଥାତ୍ ରାଜ୍ୟ ଅଧିକାରୀ ହୋଇଥାନ୍ତି ଏବଂ ଭକ୍ତମାନଙ୍କ ଦ୍ୱାରା ସ୍ମରଣୀୟ ହେବାର ମାଳା ମଧ୍ୟ ହୋଇଥାନ୍ତି ।

ଏଥିସହିତ ବାପଦାଦା ଅନ୍ୟ ପିଲାମାନଙ୍କୁ ମଧ୍ୟ ଦେଖୁଥିଲେ ଯେଉଁମାନେ କି କେବେ ସନ୍ତୁଷ୍ଟ, କେବେ ଅସନ୍ତୁଷ୍ଟ ରହିବାର ଛାୟା ମଧ୍ୟକୁ ସଂକଳ୍ପ ମାତ୍ରାରେ ପ୍ରବେଶ କରି ଯାଆନ୍ତି ଏବଂ ପୁଣି ବାହାରି ଆସନ୍ତି କିନ୍ତୁ ସେଥିରେ ବାନ୍ଧି ହୁଅନ୍ତି ନାହିଁ । ତୃତୀୟ ନମ୍ବରର ପିଲାମାନେ କେତେବେଳେ ସଂକଳ୍ପର ଅସନ୍ତୁଷ୍ଟତା, କେତେବେଳେ ନିଜର ନିଜ ଉପରେ ଅସନ୍ତୁଷ୍ଟତା, କେତେବେଳେ ପରିସ୍ଥିତି ଗୁଡିକ ଦ୍ୱାରା ଅସନ୍ତୁଷ୍ଟତା, କେତେ ବେଳେ ନିଜର ଅବସ୍ଥାର ହଲଚଲ୍ ଦ୍ୱାରା ଅସନ୍ତୁଷ୍ଟତା ଏବଂ ଆଉ କେତେବେଳେ ଛୋଟ ବା ବଡ ଘଟଣାକୁ ନେଇ ଅସନ୍ତୁଷ୍ଟତା ରୂପକ ଚକ୍ରରେ ଘୂରି ଚାଲିଛନ୍ତି ଏବଂ ବାହାରିଯାଉଛନ୍ତି ଏବଂ ପୁନର୍ବାର ବାନ୍ଧି ହୋଇ ଯାଉଛନ୍ତି । ଏହିଭଳି ମାଳା ମଧ୍ୟ ଦେଖିଲେ । ତେବେ ଏହିଭଳି ତିନୋଟି ମାଳା ପ୍ରସ୍ତୁତ ହେଲା । ଏମିତି ତ ସମସ୍ତେ ମଣୀ ହିଁ ଅଟନ୍ତି କିନ୍ତୁ ସନ୍ତୁଷ୍ଟମଣୀ ଆତ୍ମାମାନଙ୍କର ଚମକକୁ ଏବଂ ଅନ୍ୟ ଦୁଇ ପ୍ରକାରର ମଣୀମାନଙ୍କର ଚମକ କିପରି ହୋଇଥିବ, ଏକଥା ତୁମେମାନେ ମଧ୍ୟ ଜାଣିପାରୁଥିବ । ତେଣୁ ବ୍ରହ୍ମାବାବା ବାରମ୍ବାର ତିନୋଟିଯାକ ମାଳାକୁ ଦେଖି ହର୍ଷିତ ହେଉଥିଲେ । ତା ସହିତ ଦ୍ୱିତୀୟ ନମ୍ବର ମାଳାର ମଣୀଗୁଡିକୁ ପ୍ରଥମ ନମ୍ବର ମାଳାକୁ ଆଣିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ । ଏହିଭଳି କଥାବାର୍ତ୍ତା ଚାଲିଥିଲା । କାହିଁକି ନା ଦ୍ୱିତୀୟ ମାଳାର କେହି କେହି ମଣୀ ବହୁତ କମ୍ ପରିମାଣରେ ଅସନ୍ତୁଷ୍ଟତାର ଛାୟାର ପ୍ରଭାବରେ ଆସିଯିବା କାରଣରୁ ପ୍ରଥମ ମାଳାରୁ ବଞ୍ଚିତ ହୋଇଯାଇଛନ୍ତି, ତେଣୁ ଏମାନଙ୍କୁ ପରିବର୍ତ୍ତନ କରି କିପରି ବି ହେଉ, ପ୍ରଥମ ମାଳାକୁ ଅଣାଯିବ, ସେଥିପାଇଁ ପ୍ରତ୍ୟେକଙ୍କର ଗୁଣକୁ, ବିଶେଷତା ଗୁଡିକୁ ଏବଂ ସେବାକୁ ମନେ ପକାଇ ବାରମ୍ବାର ଏହି କଥା କହୁଥିଲେ ଯେ ଏମାନଙ୍କୁ କିପରି ବି ହେଉ ପ୍ରଥମ ମାଳାକୁ ଆଣିବା । ଏହିଭଳି ମଣୀମାନଙ୍କର ସଂଖ୍ୟା ୨୫-୩୦ ଜଣ ପର୍ଯ୍ୟନ୍ତ ଥିଲା, ଯେଉଁମାନଙ୍କ ବିଷୟରେ ବ୍ରହ୍ମାବାବାଙ୍କର ବିଶେଷ ଭାବରେ ବାର୍ତ୍ତାଳାପ ଚାଲିଥିଲା । ବ୍ରହ୍ମାବାବା କହିଲେ ପ୍ରଥମ ନମ୍ବର ମାଳାରେ ଏହି ମଣୀମାନଙ୍କୁ ମଧ୍ୟ ରଖାଯିବା ଉଚିତ୍ କିନ୍ତୁ ପୁଣି ନିଜେ ହିଁ ସ୍ମିତହାସ୍ୟ ହୋଇ କହିଲେ ଯେ ବାବା ନିଶ୍ଚିତ ଭାବରେ ଏମାନଙ୍କୁ ପ୍ରଥମ ନମ୍ବର ମାଳାକୁ ଆଣି ଦେଖାଇବେ । ତେବେ ଏହିଭଳି ବିଶେଷ ମଣୀମାନେ ମଧ୍ୟ ଥିଲେ । ତେଣୁ ଏହିଭଳି ବାର୍ତ୍ତଳାପ ଚାଲୁଥିବା କାରଣରୁ ଆଉ ଗୋଟିଏ କଥା ମଧ୍ୟ ସମ୍ମୁଖକୁ ଆସିଲା, ତାହା ହେଲା ଅସନ୍ତୁଷ୍ଟତାର ବିଶେଷ କାରଣ କଣ? ଯେବେକି ସଂଗମଯୁଗର ବିଶେଷ ବରଦାନ ହେଲା ସନ୍ତୁଷ୍ଟତା, ପୁଣି ବି ବରଦାତାଙ୍କ ଠାରୁ ବରଦାନ ପ୍ରାପ୍ତ କରିଥିବା ବରଦାନୀ ଆତ୍ମାମାନେ ଦ୍ୱିତୀୟ ନମ୍ବରର ମାଳାରେ କାହିଁକି ଆସିଲେ? କାରଣ ସନ୍ତୁଷ୍ଟତାର ବୀଜ ହେଲା ସର୍ବପ୍ରାପ୍ତି ଏବଂ ଅସନ୍ତୁଷ୍ଟତାର ବୀଜ ହେଲା ସ୍ଥୂଳ ବା ସୂକ୍ଷ୍ମ ଅପ୍ରାପ୍ତି । ଯେବେକି ବ୍ରାହ୍ମଣମାନଙ୍କ ପାଇଁ ଗାୟନ ହେଉଛି ଯେ - ବ୍ରାହ୍ମଣମାନଙ୍କ ଭଣ୍ଡାରରେ କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ । ତେବେ ବ୍ରାହ୍ମଣମାନଙ୍କର ଭଣ୍ଡାରରେ ଅର୍ଥାତ୍ ଜୀବନରେ ପୁଣି ବି ଅସନ୍ତୁଷ୍ଟତା କାହିଁକି? କଣ ବରଦାତା ପିତା ବରଦାନ ଦେବାରେ ଅନ୍ତର ରଖିଛନ୍ତି? ନା ନେବାବାଲା ଅନ୍ତର କରିଦେଇଛନ୍ତି, କଣ ହୋଇଛି? ଯେବେକି ବରଦାତା ବା ଦାତାଙ୍କର ଭଣ୍ଡାର ଭରପୁର ଅଛି, ଏଭଳି ଭରପୁର ଅଛି ଯାହାକି ତୁମମାନଙ୍କର ଅର୍ଥାତ୍ ଶ୍ରେଷ୍ଠ ନିମିତ୍ତ ଆତ୍ମାମାନଙ୍କର ଯେଉଁମାନେ କି ବହୁତ ସମୟରୁ ବ୍ରହ୍ମାକୁମାର କୁମାରୀ ହୋଇଯାଇଛନ୍ତି, ସେମାନଙ୍କର ୨୧ ଜନ୍ମର ବଂଶାବଳୀ ଏବଂ ସେମାନଙ୍କର ଭକ୍ତ ଆତ୍ମାମାନେ ତଥା ସେମାନଙ୍କର ମଧ୍ୟ ବଂଶାବଳୀମାନେ ମଧ୍ୟ ସେହି ପ୍ରାପ୍ତି ଆଧାରରେ ପାଳିତ ହେବେ । ତେବେ ଏତେ ବଡ ପ୍ରାପ୍ତିର ଅଧିକାରୀ ହୋଇ ମଧ୍ୟ ଅସନ୍ତୁଷ୍ଟତା କାହିଁକି ରହୁଛି? ଅସରନ୍ତି ଭଣ୍ଡାର ତ ସମସ୍ତଙ୍କୁ ମିଳିଛି - ଜଣଙ୍କ ଦ୍ୱାରା, ଏକା ସମୟରେ, ଏକା ଭଳି ଏବଂ ଗୋଟିଏ ହିଁ ବିଧି ଦ୍ୱାରା ପ୍ରାପ୍ତ ହେଉଛି, କିନ୍ତୁ ପ୍ରାପ୍ତ ହେଉଥିବା ସମ୍ପତ୍ତିକୁ ସବୁ ସମୟରେ କାର୍ଯ୍ୟରେ ଲଗାଉ ନାହାଁନ୍ତି ଅର୍ଥାତ୍ ସ୍ମୃତିରେ ରଖୁ ନାହାଁନ୍ତି । ମୁଖରେ କହି ଖୁସି ହୋଇଯାଉଛନ୍ତି କିନ୍ତୁ ଆନ୍ତରିକ ଭାବରେ ଖୁସି ହେଉନାହାଁନ୍ତି । ଜ୍ଞାନ ହିସାବରେ ଖୁସି ହେଉଛନ୍ତି କିନ୍ତୁ ଆନ୍ତରିକ ଖୁସି ନାହିଁ ଏହାର କାରଣ କଣ? କାରଣ ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ସ୍ମୃତି ସ୍ୱରୂପ ହୋଇ କାର୍ଯ୍ୟରେ ଲଗାଉ ନାହାଁନ୍ତି । ସ୍ମୃତିରେ ମଧ୍ୟ ରହୁଛି କିନ୍ତୁ ସ୍ମୃତି ସ୍ୱରୂପ ହୋଇପାରୁ ନାହାଁନ୍ତି । ଏମିତି ତ ପ୍ରାପ୍ତି ମଧ୍ୟ ଅବିନାଶୀ ଅଟେ କିନ୍ତୁ ସେହି ଅବିନାଶୀ ପ୍ରାପ୍ତିକୁ କେଉଁଠି କେଉଁଠି ବିନାଶୀ ପ୍ରାପ୍ତିରେ ପରିବର୍ତ୍ତନ କରିଦେଉଛ । ଏହି କାରଣରୁ ବିନାଶୀ ଅର୍ଥାତ୍ ଅଳ୍ପକାଳର ପ୍ରାପ୍ତିର ଇଚ୍ଛା, ଅବିନାଶୀ ପ୍ରାପ୍ତିର ଫଳସ୍ୱରୂପ ଯେଉଁ ଭଳି ସନ୍ତୁଷ୍ଟତାର ପ୍ରାପ୍ତି ହେବା କଥା ସେଥିରୁ ବଞ୍ଚିତ କରିଦେଉଛି । ସେହି ବିନାଶୀ ପ୍ରାପ୍ତି ତୁମମାନଙ୍କ ହୃଦୟକୁ ସୀମିତ କରିଦେଉଛି, ସେଥିପାଇଁ ଅସନ୍ତୁଷ୍ଟତାର ଅନୁଭୂତି ହେଉଛି ଏବଂ ସେବାକୁ ମଧ୍ୟ ସୀମିତ କରିଦେଉଛି, କାହିଁକି ନା ବିନାଶୀ ଇଚ୍ଛାର ଫଳ ସ୍ୱରୂପ ମନ ଇଚ୍ଛିତ ଫଳ ପ୍ରାପ୍ତ ହେଉନାହିଁ । ତେବେ ବିନାଶୀ ଇଚ୍ଛା ଗୁଡିକର ଫଳ ମଧ୍ୟ ଅଳ୍ପକାଳର ଇଚ୍ଛାକୁ ପୂରଣ କରିଥାଏ । ସେଥିପାଇଁ ଏବେ ଏବେ ସନ୍ତୁଷ୍ଟତା, ପୁଣି ଏବେ ଏବେ ଅସନ୍ତୁଷ୍ଟତାର ପ୍ରଭାବରେ ଆସିଯାଉଛ । ହଦ୍ ଅର୍ଥାତ୍ ସୀମିତ ମନୋଭାବ ବେହଦର ନିଶାକୁ ଅନୁଭବ କରିବାକୁ ଦେଉ ନାହିଁ, ସେଥିପାଇଁ ବିଶେଷ ଭାବରେ ଚେକ୍ କର ଯେ ମନର ସନ୍ତୁଷ୍ଟତା ଅର୍ଥାତ୍ ନିଜର ସନ୍ତୁଷ୍ଟତା ସହିତ ସମସ୍ତଙ୍କର ସନ୍ତୁଷ୍ଟତାର ଅନୁଭୂତି ହେଉଛି ତ?

ତେବେ ସନ୍ତୁଷ୍ଟତାର ଚିହ୍ନ ହେଲା ସେମାନେ ମନ ଭିତରେ ଅର୍ଥାତ୍ ହୃଦୟରେ, ସମସ୍ତଙ୍କ ପ୍ରତି, ବାବାଙ୍କ ପ୍ରତି ଏବଂ ଡ୍ରାମା ପ୍ରତି ମଧ୍ୟ ସନ୍ତୁଷ୍ଟ ରହୁଥିବେ । ସେମାନଙ୍କ ମନ ଭିତରେ ଏବଂ ଶରୀରରେ ଅର୍ଥାତ୍ ମୁଖ ମଣ୍ଡଳରେ ସର୍ବଦା ପ୍ରସନ୍ନତାର ରେଖା ଦେଖାଯାଉଥିବା । ଚାହେଁ କିପରି ବି ପରିସ୍ଥିତି ଆସିଯାଉ, ଚାହେଁ କୌଣସି ବି ହିସାବ-କିତାବ ଚୁକ୍ତ କରୁଥିବା ଆତ୍ମା ମଧ୍ୟ ସମ୍ମୁଖୀନ କରିବା ପାଇଁ ଆସିଯାଉ, ଚାହେଁ ଶରୀରର କର୍ମଭୋଗ ମଧ୍ୟ ଆସୁ କିନ୍ତୁ ବିନାଶୀ ବା ସୀମିତ କାମନାଠାରୁ ମୁକ୍ତ ଆତ୍ମା ସନ୍ତୁଷ୍ଟତା କାରଣରୁ ସର୍ବଦା ପ୍ରସନ୍ନତାର ଚମକରେ ଚମକୁଥିବା ତାରା ଭଳି ଦେଖାଯାଉଥିବେ । ପ୍ରସନ୍ନଚିତ୍ତ ଆତ୍ମା କେବେ ବି କୌଣସି କଥାରେ ପ୍ରଶ୍ନଚିତ୍ତ ହେବେ ନାହିଁ । ଯଦି ପ୍ରଶ୍ନ ରହିବ ତେବେ ପ୍ରସନ୍ନ ରହିପାରିବେ ନାହିଁ । ତେଣୁ ପ୍ରସନ୍ନଚିତ୍ତ ଆତ୍ମାର ଚିହ୍ନ ହେଲା - ସେ ସର୍ବଦା ନିଃସ୍ୱାର୍ଥ ହେବା ସହିତ ସମସ୍ତଙ୍କୁ ନିର୍ଦ୍ଦୋଷ ଅନୁଭବ କରିବ, କାହା ଉପରେ ଦୋଷାରୋପ କରିବ ନାହିଁ । ନା, ଭାଗ୍ୟବିଧାତାଙ୍କ ଉପରେ ଦୋଷାରୋପ କରିବ ଯେ - ମୋର ଭାଗ୍ୟକୁ ଏହିଭଳି କରିଛନ୍ତି, ନା, ଡ୍ରାମା ଉପରେ ଦୋଷାରୋପ କରିବ ଯେ ମୋର ତ ଡ୍ରାମାରେ ପାର୍ଟ ହିଁ ଏହିଭଳି ଅଛି । ନା, କୌଣସି ବ୍ୟକ୍ତି ଉପରେ ଦୋଷାରୋପ କରିବ ଯେ - ଏହି ଆତ୍ମାର ତ ସ୍ୱଭାବ ସଂସ୍କାର ହିଁ ଏହିଭଳି । ନା, ପ୍ରକୃତି ଉପରେ ମଧ୍ୟ ଦୋଷାରୋପ କରିବ ଯେ - ପ୍ରକୃତିର ବାତାବରଣ ତ ଏହିଭଳି ଅଛି । ନା ଶାରୀରିକ ହିସାବ କିତାବ ଉପରେ ମଧ୍ୟ ଦୋଷାରୋପ କରିବ ଯେ ମୋର ଶରୀର ହିଁ ଏହିଭଳି । ତେବେ ପ୍ରସନ୍ନଚିତ୍ତ ଅର୍ଥାତ୍ ସର୍ବଦା ନିଃସ୍ୱାର୍ଥ ଏବଂ ନିର୍ଦ୍ଦୋଷ ଦୃଷ୍ଟି ବୃତ୍ତି ରଖୁଥିବା ଆତ୍ମା । ତେଣୁ ସଂଗମ ଯୁଗର ବିଶେଷତା ହେଲା ସନ୍ତୁଷ୍ଟତା ଏବଂ ସନ୍ତୁଷ୍ଟତାର ଚିହ୍ନ ହେଲା ପ୍ରସନ୍ନତା । ଏହା ହେଉଛି ବ୍ରାହ୍ମଣ ଜୀବନର ବିଶେଷ ପ୍ରାପ୍ତି । ଯଦି ଜୀବନରେ ସନ୍ତୁଷ୍ଟତା ଏବଂ ପ୍ରସନ୍ନତା ନାହିଁ ତେବେ ବ୍ରାହ୍ମଣ ହେବାର ଲାଭ ନେଇପାରିବ ନାହିଁ । ବ୍ରାହ୍ମଣ ଜୀବନର ସୁଖ ହିଁ ସନ୍ତୁଷ୍ଟତା ଏବଂ ପ୍ରସନ୍ନତା । ଯଦି ବ୍ରାହ୍ମଣ ଜୀବନ ପ୍ରାପ୍ତ କରି ମଧ୍ୟ ତାର ସୁଖ ଭୋଗ କରିପାରିଲ ନାହିଁ ତେବେ ତୁମକୁ ନାମଧାରୀ ବ୍ରାହ୍ମଣ କୁହାଯିବ, ନା - ପ୍ରାପ୍ତି ସ୍ୱରୂପ ବ୍ରାହ୍ମଣ କୁହାଯିବ? ତେଣୁ ବାପଦାଦା ସମସ୍ତ ବ୍ରାହ୍ମଣ ପିଲାମାନଙ୍କୁ ଏହି କଥା ସ୍ମରଣ କରାଇ ଦେଉଛନ୍ତି ଯେ ତୁମେମାନେ ବ୍ରାହ୍ମଣ ହୋଇଯାଇଛ - ଏହା ହିଁ ତୁମର ଅହୋ ସୌଭାଗ୍ୟ! କାରଣ ବ୍ରାହ୍ମଣ ଜୀବନର ସମ୍ପତ୍ତି ହେଲା ସନ୍ତୁଷ୍ଟତା ଏବଂ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ହେଲା ପ୍ରସନ୍ନତା । ତେଣୁ ଏହି ଅନୁଭବରୁ କେବେ ବି ବଞ୍ଚିତ ରହିବ ନାହିଁ । ଯେବେକି ଦାତା, ବରଦାତା ଖୋଲା ହୃଦୟରେ ସର୍ବ ପ୍ରାପ୍ତି ରୂପୀ ସମ୍ପତ୍ତି ଦେଉଛନ୍ତି ଏବଂ ଦେଇ ସାରିଛନ୍ତି ତେଣୁ ନିଜର ଏହି ପ୍ରପଟୀ ଅର୍ଥାତ୍ ସମ୍ପତ୍ତି ଏବଂ ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱକୁ ନିଜେ ମଧ୍ୟ ଅନୁଭବ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ଅନୁଭବୀ କରାଅ । ବୁଝିପାରିଲ । ଏବେ ପ୍ରତ୍ୟେକ ସନ୍ତାନ ନିଜକୁ ପଚାର ଯେ - ମୁଁ କେତେ ନମ୍ବର ମାଳରେ ଅଛି? କୌଣସି ଗୋଟିଏ ମାଳାରେ ତ ନିଶ୍ଚିତ ରହିଛି କିନ୍ତୁ କେଉଁ ମାଳାରେ ଅଛି - ବିଚାର କର? ଆଚ୍ଛା!

ଆଜି ରାଜସ୍ଥାନ ଏବଂ ୟୁ.ପି. ଗ୍ରୃପ ସମ୍ମୁଖରେ ଅଛନ୍ତି । ରାଜସ୍ଥାନ ଅର୍ଥାତ୍ ରାଜାଭଳି ସଂସ୍କାର ଥିବା ଆତ୍ମାମାନେ । ପ୍ରତ୍ୟେକ ସଂକଳ୍ପରେ, ସ୍ୱରୂପରେ ରାଜା ଭଳି ସଂସ୍କାରକୁ ବାସ୍ତବିକ ରୂପରେ ଅର୍ଥାତ୍ ପ୍ରତ୍ୟକ୍ଷ ଭାବରେ ଦେଖାଉଥିବା ଆତ୍ମାମାନେ । ଏହାକୁ ହିଁ କୁହାଯାଏ ରାଜସ୍ଥାନ ନିବାସୀ । ତେବେ ଏହିଭଳି ଅଟ ନା? କେବେ କେବେ ପ୍ରଜାମାନଙ୍କ ଭଳି ତ ହୋଇଯାଉ ନାହଁ ନା? ଯଦି ବଶୀଭୂତ ହୋଇଗଲ ତେବେ ପ୍ରଜା କୁହାଯିବ । ଯଦି ମାଲିକ ଅଟ ତେବେ ରାଜା କୁହାଯିବ । ଏମିତି ନୁହେଁ ଯେ କେବେ ରାଜା ଭଳି, କେବେ ପ୍ରଜା ଭଳି ହେଉଥିବ । ତେବେ ସର୍ବଦା ରାଜା ଭଳି ସଂସ୍କାର ସ୍ୱତଃ ଭାବରେ ସ୍ମୃ‌ତିରେ ରହିବା ଉଚିତ୍ । ଏମିତି ତ ରାଜସ୍ଥାନ ନିବାସୀ ପିଲାମାନଙ୍କର ମହତ୍ୱ ମଧ୍ୟ ରହିଛି । ରାଜାଙ୍କୁ ସବୁ ସମୟରେ ସମସ୍ତେ ଉଚ୍ଚ ନଜରରେ ଦେଖିଥାନ୍ତି ଏବଂ ଉଚ୍ଚ ଆସନ ମଧ୍ୟ ଦେଇଥାନ୍ତି । ରାଜା ସର୍ବଦା ନିଜର ସିଂହାସନ ଉପରେ ବିରାଜମାନ ରହିଥାଏ କିନ୍ତୁ ପ୍ରଜାମାନେ ସର୍ବଦା ତଳେ ଥାନ୍ତି । ତେଣୁ ତୁମେମାନେ ରାଜସ୍ଥାନର ରାଜତ୍ୱ ସଂସ୍କାର ଥିବା ଆତ୍ମାମାନେ ଅର୍ଥାତ୍ ଉଚ୍ଚ ସ୍ଥିତି ରୂପକ ସିଂହାସନ ଉପରେ ବସୁଥିବା ଆତ୍ମା ଅଟ । ତେବେ ଏହିଭଳି ହୋଇସାରିଛ, ନା ବର୍ତ୍ତମାନ ହେବାକୁ ଯାଉଛ? ତେଣୁ ଏହିଭଳି ମଧ୍ୟ ହୋଇସାରିଛ ଏବଂ ନିଶ୍ଚିତ ଭାବରେ ସମ୍ପନ୍ନ ମଧ୍ୟ ହେବ । ରାଜସ୍ଥାନର ମହିମା ମଧ୍ୟ କମ ନୁହେଁ । ସ୍ଥାପନାର ହେଡ୍ କ୍ୱାଟର ଅର୍ଥାତ୍ ମୁଖ୍ୟାଳୟ ହିଁ ରାଜସ୍ଥାନରେ ରହିଛି, ତେଣୁ ସବୁଠାରୁ ଉଚ୍ଚ ହୋଇଗଲ ନା! ନାମରେ ମଧ୍ୟ ଉଚ୍ଚ ଏବଂ କାମରେ ମଧ୍ୟ ଉଚ୍ଚ । ଏହିଭଳି ରାଜସ୍ଥାନର ପିଲାମାନେ ଏଠାରେ ନିଜ ଘରେ ପହଞ୍ଚିଯାଇଛ । ବୁଝିପାରିଲ?

ୟୁ.ପି.ର ଭୂମିକୁ ବିଶେଷ ଭାବରେ ପବିତ୍ର ଭୂମି ରୂପରେ ଗାୟନ କରାଯାଉଛି । ସମସ୍ତଙ୍କୁ ପବିତ୍ର କରୁଥିବା ଭକ୍ତିମାର୍ଗର ଗଙ୍ଗାନଦୀ ମଧ୍ୟ ସେହିଠାରେ ଅଛି । ଭକ୍ତି ହିସାବରେ କୃଷ୍ଣଙ୍କର ଜନ୍ମ ଭୂମି ମଧ୍ୟ ୟୁ.ପି.ରେ ହିଁ ରହିଛି । ତେଣୁ ସେହି ଭୂମିର ବହୁତ ମହିମା ରହିଛି । କୃଷ୍ଣ ଲୀଳା ବା କୃଷ୍ଣଜନ୍ମ ଭୂମି ଦେଖିବାକୁ ଚାହିଁଲେ ୟୁ.ପି.କୁ ହିଁ ଯିବାକୁ ପଡିବ । ତେଣୁ ୟୁ.ପି. ନିବାସୀଙ୍କର ବିଶେଷତା ହେଲା ସର୍ବଦା ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାର ବିଶେଷତାରେ ସମ୍ପନ୍ନ ଆତ୍ମା । ଯେପରି ବାବାଙ୍କର ପତିତ-ପାବନ ରୂପରେ ମହିମା ରହିଛି ସେହିପରି ୟୁ.ପି. ନିବାସୀଙ୍କର ମଧ୍ୟ ମହିମା ବାବାଙ୍କ ସହିତ ସମାନ । ତେଣୁ ପତିତ ପାବନୀ ଅଟ । ତୁମମାନଙ୍କର ଭାଗ୍ୟର ତାରକା ଖୁବ୍ ଚମକୁଛି । ଏହିଭଳି ଭାଗ୍ୟବାନ ସ୍ଥାନ ଏବଂ ଭାଗ୍ୟବାନ ସ୍ଥିତି - ଉଭୟର ମହିମା ରହିଛି । ତେଣୁ ସଦା ପାବନ ଶବ୍ଦ ତୁମମାନଙ୍କର ସ୍ଥିତିର ଗାୟନ ଅଟେ, ତେବେ ନିଜକୁ ଏହି ଭଳି ଭାଗ୍ୟବାନ ଆତ୍ମା ଅନୁଭବ କରୁଛ? ସର୍ବଦା ନିଜର ଭାଗ୍ୟକୁ ଦେଖି ନିଜେ ହର୍ଷିତ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ହର୍ଷିତ କରିଚାଲ, କାହିଁକି ନା ହର୍ଷିତ ମୁଖ ଆତ୍ମାମାନେ ସ୍ୱତଃ ଭାବରେ ଆକର୍ଷିତ କରୁଥିବା ମୂର୍ତ୍ତି ଅଟନ୍ତି । ଯେପରି ସ୍ଥୂଳ ନଦୀ ଗୁଡିକ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି, ଯେଉଁଥିପାଇଁ ଯାତ୍ରୀମାନେ ଆକର୍ଷିତ ହୋଇ ସେଠାକୁ ଯାଇଥାନ୍ତି । ଚାହେଁ କେତେ ବି କଷ୍ଟ କରିବାକୁ ପଡୁ କିନ୍ତୁ ପବିତ୍ର ହେବାର ଆକର୍ଷଣ ଯାତ୍ରୀମାନଙ୍କୁ ଟାଣି ଆଣିଥାଏ । ତେବେ ଏହିଭଳି ତୁମମାନଙ୍କର ପବିତ୍ର କରିବାର କାର୍ଯ୍ୟର ସ୍ମାରକୀ ୟୁ.ପି.ରେ ରହିଛି । ତେଣୁ ତୁମମାନଙ୍କୁ ଏହିଭଳି ହର୍ଷିତ ମୂରତ ଏବଂ ଆକର୍ଷିତ ମୂରତ ହେବାକୁ ପଡିବ । ବୁଝିଲ?

ତୃତୀୟ ଗ୍ରୃପ ଡବଲ ବିଦେଶୀମାନଙ୍କର ଅଟେ । ଡବଲ ବିଦେଶୀ ଅର୍ଥାତ୍ ସର୍ବଦା ବିଦେଶୀ ବାବାଙ୍କୁ ଆକର୍ଷିତ କରୁଥିବା ଆତ୍ମାମାନେ, କାହିଁକି ନା ସମାନ ଅଟ ନା! କାରଣ ବାବା ମଧ୍ୟ ବିଦେଶୀ ଏବଂ ତୁମେମାନେ ମଧ୍ୟ ବିଦେଶୀ । ସମାସ୍କନ୍ଦ ଆତ୍ମାମାନେ ସମସ୍ତଙ୍କୁ ପ୍ରିୟ ଲାଗିଥାନ୍ତି । ମା-ବାପାଙ୍କଠାରୁ ମଧ୍ୟ ସମାସ୍କନ୍ଦ ସାଥୀମାନେ ପ୍ରିୟ ଲାଗିଥାନ୍ତି ନା । ତେଣୁ ଡବଲ ବିଦେଶୀ ପିଲାମାନେ ବାବାଙ୍କ ସମାନ ସର୍ବଦା ଏହି ଦେହ ଏବଂ ଦେହର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ବିଦେହୀ, ଅଶରୀରୀ ଏବଂ ଅବ୍ୟକ୍ତ ସ୍ଥିତିରେ ରହୁଥିବା ଆତ୍ମା । ସେଥିପାଇଁ ବାବା ନିଜ ସମାନ ଅଶରୀରୀ, ଅବ୍ୟକ୍ତ ସ୍ଥିତିରେ ରହୁଥିବା ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଏମାନେ ବହୁତ ଭଲ ପୁରୁଷାର୍ଥରେ ପ୍ରତିଯୋଗିତା ମଧ୍ୟ କରୁଛନ୍ତି । ସେବାରେ ମଧ୍ୟ ଭିନ୍ନ ଭିନ୍ନ ସାଧନ ଏବଂ ଭିନ୍ନ ଭିନ୍ନ ବିଧି ଦ୍ୱାରା ଆଗକୁ ବଢିବାର ବହୁତ ଭଲ ପ୍ରତିଯୋଗିତା କରୁଛନ୍ତି । ଭିନ୍ନ ଭିନ୍ନ ବିଧିକୁ ମଧ୍ୟ ଆପଣାଉଛନ୍ତି ଏବଂ ବୃଦ୍ଧି ମଧ୍ୟ କରିଚାଲିଛନ୍ତି, ସେଥିପାଇଁ ବାପଦାଦା ଚାରିଆଡର ବିଦେଶୀ ପିଲାମାନଙ୍କୁ ସେବାର ଅଭିନନ୍ଦନ ମଧ୍ୟ ଦେଉଛନ୍ତି ଏବଂ ସ୍ୱ ଅର୍ଥାତ୍ ନିଜର ପୁରୁଷାର୍ଥରେ ଆଗକୁ ବଢିବାର ସ୍ମୃତି ମଧ୍ୟ ଦେଉଛନ୍ତି । ତେଣୁ ନିଜର ଉନ୍ନତି କରିବା ପାଇଁ ସର୍ବଦା ଉଡିବାର କଳା ଆଧାରରେ ଉଡିଚାଲ । ସ୍ୱଉନ୍ନତି ଏବଂ ସେବାର ସନ୍ତୁଳନ ଦ୍ୱାରା ସର୍ବଦା ବାବାଙ୍କର ଆଶୀର୍ବାଦର ଅଧିକାରୀ ଅଟ ଏବଂ ଆଗକୁ ମଧ୍ୟ ରହିବ ।

ଚତୁର୍ଥ ଗ୍ରୃଫ ହେଲେ ମଧୁବନ ନିବାସୀ । ଏମାନେ ତ ସଦା-ସର୍ବଦା ହିଁ ଉପସ୍ଥିତ ଅଛନ୍ତି । କଥାରେ ଅଛି ଯିଏ ଅନ୍ତରରେ ରହିଛି ସେ ମୁଣ୍ଡ ଉପରେ ବସିଛି ଏବଂ ଯିଏ ମୁଣ୍ଡ ଉପରେ ବସିଛି ସେ ହୃଦୟରେ ମଧ୍ୟ ବସିଛି । ସବୁଠାରୁ ଅଧିକ ବିଧିପୂର୍ବକ ବ୍ରହ୍ମା ଭୋଜନ ମଧ୍ୟ ମଧୁବନରେ ହିଁ ପ୍ରସ୍ତୁତ ହେଉଛି । ସବୁଠାରୁ ଗେହ୍ଲା ସନ୍ତାନ ମଧ୍ୟ ମଧୁବନ ନିବାସୀ ହିଁ ଅଟନ୍ତି । ସବୁ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ମଧୁବନରେ ହିଁ ଅନୁଷ୍ଠିତ ହେଉଛି । ସବୁଠାରୁ ଡାଇରେକ୍ଟ ମୁରଲୀ ମଧ୍ୟ ମଧୁବନ ନିବାସୀ ହିଁ ଅଧିକ ଶୁଣୁଛନ୍ତି । ତେଣୁ ମଧୁବନ ନିବାସୀ ମଧ୍ୟ ସବୁଠାରୁ ଶ୍ରେଷ୍ଠ ଭାଗ୍ୟର ଅଧିକାରୀ ଅଟନ୍ତି । ସେବା ମଧ୍ୟ ଏମାନେ ଅନ୍ତରର ସହିତ କରିଥାନ୍ତି । ସେଥିପାଇଁ ମଧୁବନ ନିବାସୀଙ୍କୁ ବାପଦାଦା ଏବଂ ସମସ୍ତ ବ୍ରାହ୍ମଣ ମାନଙ୍କଠାରୁ ହୃଦୟର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଚାରିଆଡୁ ଆସିଥିବା ବାପଦାଦାଙ୍କର ସମସ୍ତ ସନ୍ତୁଷ୍ଟମଣୀ ଆତ୍ମାମାନଙ୍କୁ, ବାପଦାଦାଙ୍କ ତରଫରୁ ବିଶେଷ ସ୍ନେହପୂର୍ଣ୍ଣ ସ୍ମୃତି, ତା ସହିତ ସମସ୍ତ ଭାଗ୍ୟଶାଳୀ ବ୍ରାହ୍ମଣ ଜୀବନ ପ୍ରାପ୍ତ କରିଥିବା କୋଟିକ ଭିତରେ କେହି, କେହି-କେହିଙ୍କ ଭିତରେ ମଧ୍ୟ ବିଶେଷ ଗେହ୍ଲା ପିଲାମାନଙ୍କୁ, ବାପଦାଦାଙ୍କର ଶୁଭ ସଂକଳ୍ପକୁ ସମ୍ପନ୍ନ କରୁଥିବା ଆତ୍ମାମାନଙ୍କୁ, ସଂଗମଯୁଗୀ ବ୍ରାହ୍ମଣ ଜୀବନର ପ୍ରପର୍ଟିର ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ କରୁଥିବା ଆତ୍ମାମାନଙ୍କୁ ବିଧାତା ଏବଂ ବରଦାତା ବାପଦାଦାଙ୍କ ତରଫରୁ ବହୁତ ବହୁତ ୟାଦପ୍ୟାର ସ୍ୱୀକାର ହେଉ ।

ଦାଦୀ ଜାନକୀ ଏବଂ ଦାଦୀ ଚନ୍ଦ୍ରମଣୀ ସେବାରେ ଯିବା ପାଇଁ ବାପଦାଦାଙ୍କ ନିକଟରୁ ଅନୁମତି ନେଉଛନ୍ତି :-
ତୁମେମାନେ ସେବା କରିବା ପାଇଁ ଯାଉଛ, ନା ବାବାଙ୍କ ହୃଦୟରେ ସମାହିତ ହେଉଛ? ତେବେ ଯାଉଥାଅ ବା ଆସୁଥାଅ କିନ୍ତୁ ବାପଦାଦାଙ୍କ ହୃଦୟରେ ସର୍ବଦା ସମାହିତ ଅଟ । ବାପଦାଦା ମଧ୍ୟ ଅନନ୍ୟ ପିଲାମାନଙ୍କୁ କେବେହେଲେ ନିଜଠାରୁ ଅଲଗା ଅନୁଭବ କରିନଥାନ୍ତି । ଚାହେଁ ଆକାରୀ ଶରୀର ଦ୍ୱାରା, ଚାହେଁ ସାକାର ଶରୀର ଦ୍ୱାରା ସର୍ବଦା ସାଥୀରେ ହିଁ ଅଛ । କାହିଁକି ନା କେବଳ ମହାବୀର ପିଲାମାନେ ହିଁ ସବୁ ମୂହୁର୍ତ୍ତରେ ସାଥୀରେ ରହିବାର ଏବଂ ସାଥୀ ହୋଇ ଚାଲିବାର ପ୍ରତିଜ୍ଞାକୁ ପାଳନ କରିଥାନ୍ତି । ତେଣୁ ବହୁତ କମ୍ ପିଲାମାନେ ହିଁ ଏହି ପ୍ରତିଜ୍ଞାକୁ ପାଳନ କରୁଛ, ସେଥିପାଇଁ ଏହିଭଳି ମହାବୀର ବା ଅନନ୍ୟ ପିଲାମାନେ ଯେଉଁଠାକୁ ବି ଯାଆନ୍ତି - ବାବାଙ୍କୁ ସାଥୀରେ ନେଇ ଯାଇଥାନ୍ତି ଏବଂ ବାବା ମଧ୍ୟ ସେମାନଙ୍କୁ ସୂକ୍ଷ୍ମବତନରେ ସର୍ବଦା ସାଥୀରେ ରଖିଥାନ୍ତି । ଯେହେତୁ ପ୍ରତି ପାଦରେ ସାଥୀରେ ଅଛ ତେଣୁ ଯାଉଛ ବୋଲି କହିବା ନା ଆସୁଛ ବୋଲି କହିବା, କଣ କହିବା? ସେଥିପାଇଁ କୁହାଗଲା - ଯାଉଛ, ନା ହୃଦୟରେ ସମାହିତ ହେଉଛ? ଏହିଭଳି ସର୍ବଦା ସାଥୀରେ ରହି ରହି ବାବାଙ୍କ ସମାନ ହୋଇ ଶେଷରେ ସମାହିତ ହୋଇଯିବ । ଶାନ୍ତିଧାମ ଘରେ ଖୁବ୍ କମ ସମୟ ପାଇଁ ବିଶ୍ରାମୀ ହେବ ବା ସାଥୀରେ ରହିବ । ତାପରେ ତୁମେମାନେ ରାଜ୍ୟ କରିବ ଏବଂ ବାବା ଉପରେ ରହି ଦେଖିବେ କିନ୍ତୁ ସାଥୀରେ ରହିବାର ଅନୁଭବ ଅଳ୍ପ ସମୟ ପାଇଁ କରିବ । ଆଚ୍ଛା!

(ଆଜି ବାବା ନିଜର ପିଲାମାନଙ୍କର ଚମତ୍କାରୀ ମାଳା ତିଆରି କରିଛନ୍ତି) ତୁମେମାନେ ମଧ୍ୟ ମାଳା ତିଆରି କରୁଛ ନା । ଏବେ ତ ମାଳା ବହୁତ ଛୋଟ ଅଛି, ଆଗକୁ ଆହୁରି ବଡ ହେବ । ଏବେ ଯେଉଁମାନେ କେବେ-କେବେ ଟିକିଏ ବେହୋଶ୍ ହୋଇଯାଉଛନ୍ତି ସେମାନଙ୍କୁ ଅଳ୍ପ ସମୟ ଭିତରେ ପ୍ରକୃତିର ବା ସମୟର ଚେତାବନୀ ହୋଶ୍‌କୁ ନେଇ ଆସିବ, ତା ପରେ ମାଳା ବଡ ହୋଇଯିବ । ଆଚ୍ଛା । ଯେଉଁଠାକୁ ବି ଯାଅ କିନ୍ତୁ ବାବାଙ୍କର ବରଦାନୀ ଆତ୍ମା ତ ଅଟ ନା, ତେଣୁ ତୁମର ପ୍ରତିପାଦରେ ବାବାଙ୍କର ବରଦାନ ସମସ୍ତଙ୍କୁ ମିଳୁଥିବ । ଯଦି ତୁମେ କାହାକୁ ଦେଖିବ ତେବେ ମଧ୍ୟ ବାବାଙ୍କର ବରଦାନ ଦୃଷ୍ଟି ଦ୍ୱାରା ପ୍ରାପ୍ତ କରିବେ, ଯଦି କଥା କହିବ ତେବେ ମଧ୍ୟ ବାଣୀ ଦ୍ୱାରା ବରଦାନ ପ୍ରାପ୍ତ କରିବେ, କର୍ମ ଦ୍ୱାରା ମଧ୍ୟ ବରଦାନ ପ୍ରାପ୍ତ କରିବେ । ତେଣୁ ଚାଲିବା ବୁଲିବା ସହିତ ବରଦାନର ବର୍ଷା କରିବା ପାଇଁ ହିଁ ଯାଉଛ । ଏବେ ଯେଉଁ ଆତ୍ମାମାନେ ଏଠାକୁ ଆସୁଛନ୍ତି ସେମାନଙ୍କୁ ବରଦାନର ବା ମହାଦାନର ଆବଶ୍ୟକତା ରହିଛି । ତୁମମାନଙ୍କର ଯିବା ଅର୍ଥାତ୍ ଖୋଲା ହୃଦୟରେ ସେମାନଙ୍କୁ ବାବାଙ୍କର ବରଦାନ ପ୍ରାପ୍ତ ହେବା । ଆଚ୍ଛା!

ରଦାନ:-
ନିଜର ବୁଦ୍ଧିରୂପକ ପାଦ ଦ୍ୱାରା ପାଞ୍ଚ ତତ୍ୱର ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହୁଥିବା ଫରିସ୍ତା ସ୍ୱରୂପ ହୁଅ ।

ଫରିସ୍ତାମାନଙ୍କୁ ସର୍ବଦା ପ୍ରକାଶମୟ ଶରୀରଧାରୀ ରୂପରେ ଦେଖାଇଥାନ୍ତି । ପ୍ରକାଶମୟ ଶରୀରଧାରୀ ଆତ୍ମାମାନେ ନିଜର ଦେହର ସ୍ମୃତିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିଥାନ୍ତି । ସେମାନଙ୍କର ବୁଦ୍ଧି ରୂପକ ପାଦ ଏହି ୫ ତତ୍ୱର ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ଅର୍ଥାତ୍ ବହୁ ଦୂରରେ ଥାଏ । ଏହିଭଳି ଫରିସ୍ତାମାନଙ୍କୁ ମାୟା ବା କୌଣସି ବି ମାୟାବୀ ପୁରୁଷ ସ୍ପର୍ଶ କରିପାରିବେ ନାହିଁ । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ତୁମେ କାହାର ଅଧୀନରେ ନଥିବ, ଶରୀରର ମଧ୍ୟ ଅଧିକାରୀ ହୋଇ ଚାଲୁଥିବ, ମାୟାର ମଧ୍ୟ ଅଧିକାରୀ ହୋଇଥିବ, ଲୌକିକ ବା ଅଲୌକିକ ସମ୍ବନ୍ଧର ମଧ୍ୟ ଅଧୀନତାରେ ଆସୁନଥିବ ।

ସ୍ଲୋଗାନ:-
ଯଦି ଶରୀରକୁ ଦେଖିବାର ଅଭ୍ୟାସ ଅଛି ତେବେ ପ୍ରକାଶମୟ ଶରୀରକୁ ହିଁ ଦେଖ ଏବଂ ନିଜେ ମଧ୍ୟ ପ୍ରକାଶ ସ୍ୱରୂପରେ ସ୍ଥିତ ରୁହ ।