03.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କର କର୍ତ୍ତବ୍ୟ ହେଉଛି ଘରେ-ଘରେ ବାବାଙ୍କର ସନ୍ଦେଶ ଦେବା, ଯେକୌଣସି ପରିସ୍ଥିତିରେ ଉପାୟ ବାହାର କରି ବାବାଙ୍କର ପରିଚୟ ପ୍ରତ୍ୟେକଙ୍କୁ ନିଶ୍ଚିତ ଦିଅ ।

ପ୍ରଶ୍ନ:-
ତୁମମାନଙ୍କର କେଉଁ କଥାରେ ସଉକ ରହିବା ଉଚିତ୍ ?

ଉତ୍ତର:-
ମୁରଲୀରେ ଯେଉଁ ସବୁ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି, ସେଗୁଡିକୁ ନୋଟ୍ କରି ନିଜ ପାଖରେ ରଖିବାର ସଉକ ରହିବା ଦରକାର କାହିଁକି ନା ଏତେଗୁଡିଏ ପଏଣ୍ଟସ୍ ମନେ ରହିବା କଷ୍ଟକର ଅଟେ । ପ୍ରଥମେ ଖାତାରେ ଲେଖି ରଖି ତାପରେ ବୁଝାଇବାକୁ ହେବ । ଏପରି ନୁହେଁ ଯେ କେବଳ ଖାତାରେ ଲେଖି ରଖିଦେବ । ଯେଉଁ ସନ୍ତାନମାନେ ଭଲ ଭାବରେ ଜ୍ଞାନକୁ ବୁଝୁଛନ୍ତି ସେମାନଙ୍କୁ ଲେଖିବାର ମଧ୍ୟ ବହୁତ ସଉକ ରହିଥାଏ ।

ଗୀତ:-
ଲାଖ ଜମାନେ ବାଲେ...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲ । ଆତ୍ମିକ ସନ୍ତାନ, ଏହି ଶବ୍ଦ ଏକମାତ୍ର ବାବା ହିଁ କହିପାରିବେ । ଆତ୍ମାର ପିତା ଶିବବାବାଙ୍କ ବ୍ୟତୀତ କେହି କେବେ ବି କାହାକୁ ଆତ୍ମିକ ସନ୍ତାନ ବୋଲି କହିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ, ଆମେ ସମସ୍ତେ ତାଙ୍କର ସନ୍ତାନ ଭାଇ-ଭାଇ । ଗାୟନ ମଧ୍ୟ କରୁଛନ୍ତି ଆମେ ପରସ୍ପର ଭାଇ ଭାଇ, ତଥାପି ମଧ୍ୟ ମାୟାର ପ୍ରବେଶତା ଏପରି ହେଉଛି ଯେ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ତେବେ ଫାଦରହୁଡ୍ ହୋଇଯାଉଛି । ପୁରୁଣା ଦୁନିଆରେ ହିଁ ରାବଣ ରାଜ୍ୟ ହୋଇଥାଏ । ନୂଆ ଦୁନିଆକୁ ରାମ ରାଜ୍ୟ ଅଥବା ଈଶ୍ୱରୀୟ ରାଜ୍ୟ କୁହାଯାଉଛି । ଏସବୁ ହେଲା ବୁଝିବା କଥା । ଦୁଇଟି ରାଜ୍ୟ ରହିଛି ଈଶ୍ୱରୀୟ ଏବଂ ଆସୁରୀ ରାଜ୍ୟ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ । ତେବେ ନୂଆ ଦୁନିଆର ରଚନା ନିଶ୍ଚୟ ବାବା ହିଁ କରିବେ । ଏହି ଦୁନିଆର ମନୁଷ୍ୟମାନେ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କାହାକୁ କୁହାଯାଏ ଏକଥା ମଧ୍ୟ ଜାଣି ନାହାଁନ୍ତି ଅର୍ଥାତ୍ ସେମାନେ ଦୁନିଆ ସମ୍ବନ୍ଧରେ କିଛି ହେଲେ ଜାଣି ନାହାଁନ୍ତି । ତୁମେମାନେ ମଧ୍ୟ କିଛି ଜାଣି ନଥିଲ, ସମ୍ପୂର୍ଣ୍ଣ ଅଜ୍ଞାନୀ ଥିଲ । ନୂଆ ସୁଖର ଦୁନିଆ କିଏ ସ୍ଥାପନ କରୁଛନ୍ତି ପୁଣି ପୁରୁଣା ଦୁନିଆରେ ଦୁଃଖ କାହିଁକି ହେଉଛି, ସ୍ୱର୍ଗରୁ ନର୍କ କିପରି ହେଉଛି, ଏକଥା କାହାକୁ ହେଲେ ଜଣା ନାହିଁ । ଏହି ସବୁ କଥାକୁ ମନୁଷ୍ୟ ହିଁ ଜାଣିବେ ନା । ଦେବୀ- ଦେବତାମାନଙ୍କର ଚିତ୍ର ମଧ୍ୟ ଅଛି ତେଣୁ ନିଶ୍ଚିତ ଭାବରେ ଆଦି ସନାତନ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ବର୍ତ୍ତମାନ ନାହିଁ । ବର୍ତ୍ତମାନ ତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ବାବା ଭାରତରେ ହିଁ ଆସୁଛନ୍ତି । ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ଶିବବାବା ଭାରତକୁ ଆସି କଣ କରୁଛନ୍ତି । ନିଜର ଧର୍ମକୁ ଭୁଲିଯାଇଛନ୍ତି । ତେଣୁ ତୁମକୁ ଏବେ ତ୍ରିମୂର୍ତ୍ତି ଏବଂ ଶିବବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ ବ୍ରହ୍ମା ଦେବତା, ବିଷ୍ଣୁ ଦେବତା, ଶଙ୍କର ଦେବତା କୁହାଯାଏ ପୁଣି କହୁଛନ୍ତି ଶିବ ପରମାତ୍ମାୟେ ନମଃ ତେଣୁ ତୁମକୁ ତ୍ରିମୂର୍ତ୍ତି ଶିବଙ୍କର ହିଁ ପରିଚୟ ଦେବାକୁ ହେବ । ଏହିପରି ସେବା କରିବାକୁ ହେବ । କୌଣସି ବି ପରିସ୍ଥିତିରେ ବାବାଙ୍କର ପରିଚୟ ସମସ୍ତଙ୍କୁ ମିଳିଗଲେ ବାବାଙ୍କଠାରୁ ବର୍ସା ନେଇପାରିବେ । ତୁମେ ଜାଣିଛ ଆମେ ଏବେ ବର୍ସା ନେଉଛୁ । ଆହୁରି ମଧ୍ୟ ବହୁତଙ୍କୁ ବର୍ସା ନେବାକୁ ହେବ । ଘରେ-ଘରେ ବାବାଙ୍କର ସନ୍ଦେଶ ଦେବା ପାଇଁ ଆମ ଉପରେ ଦାୟିତ୍ୱ ଦିଆଯାଇଛି । ବାସ୍ତବରେ ମ୍ୟାସେଞ୍ଜର ହେଉଛନ୍ତି ଏକମାତ୍ର ବାବା ହିଁ ଅଟନ୍ତି । ବାବା ନିଜର ପରିଚୟ ଏବେ ତୁମମାନଙ୍କୁ ଦେଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ବାବାଙ୍କ ପରିଚୟ ଦେବାକୁ ହେବ । ବାବାଙ୍କର ଜ୍ଞାନ ସମସ୍ତଙ୍କୁ ଦେବାକୁ ପଡିବ । ମୁଖ୍ୟ ହେଉଛନ୍ତି ତ୍ରିମୂର୍ତ୍ତି ଶିବ, ଏହାଙ୍କର ମଧ୍ୟ କୋର୍ଟ ଅଫ୍ ଆର୍ମସ୍ କରାଯାଇଛି । କିନ୍ତୁ ଗଭର୍ଣ୍ଣମେଣ୍ଟ ଏହାର ଯଥାର୍ଥ ଅର୍ଥ ବୁଝୁ ନାହିଁ । ସେଥିରେ ଚକ୍ର ମଧ୍ୟ ଦେଖାଇଛନ୍ତି ଚରଖା ସଦୃଶ ଏବଂ ସେଥିରେ ପୁଣି ଲେଖିଛନ୍ତି ସତ୍ୟ ମେବ ଜୟତେ । ଏହାର କୌଣସି ଅର୍ଥ ଜାଣିହେଉ ନାହିଁ । ଏହା ହେଉଛି ସଂସ୍କୃତ ଶବ୍ଦ । ବାବା ହେଉଛନ୍ତି ସତ୍ୟ, ସେ ତୁମମାନଙ୍କୁ ଯାହା ବୁଝାଉଛନ୍ତି ତାଦ୍ୱାରା ତୁମେ ସମଗ୍ର ବିଶ୍ୱ ଉପରେ ବିଜୟୀ ହେଉଛ । ବାବା କହୁଛନ୍ତି ମୁଁ ସତ୍ୟ କହୁଛି ତୁମେ ଏହି ପାଠପଢା ଦ୍ୱାରା ସତ୍ୟ-ସତ୍ୟ ନାରାୟଣ ହୋଇପାରିବ । ସେମାନେ ଏହାର କଣ-କଣ ଅର୍ଥ ସବୁ ବାହାର କରୁଛନ୍ତି । ଏକଥା ମଧ୍ୟ ତାଙ୍କୁ ପଚାରିବା ଉଚିତ୍ । ବାବା ଅନେକ ପ୍ରକାର ଉପାୟରେ ବୁଝାଉଛନ୍ତି । ଯେଉଁଠି-ଯେଉଁଠି ମେଳା ଲାଗୁଛି ସେଠାରେ ନଦୀମାନଙ୍କ ଉପରେ ମଧ୍ୟ ବୁଝାଅ । ପତିତ-ପାବନ ଗଙ୍ଗା ନଦୀ କେବେ ବି ପତିତ-ପାବନ ହୋଇପାରିବ ନାହିଁ । ନଦୀ ସାଗରରୁ ବାହାରିଥାଏ । ତାହା ହେଉଛି ପାଣିର ସାଗର । ସେଥିରୁ ପାଣିର ନଦୀ ବାହାରୁଛି । ଜ୍ଞାନ ସାଗରଙ୍କ ଠାରୁ ଜ୍ଞାନର ନଦୀ ବାହାରିବ । ତୁମ ମାତାମାନଙ୍କ ପାଖରେ ଏବେ ଜ୍ଞାନ ଅଛି, ଗଉମୁଖ ନିକଟକୁ ଯାଇଥାନ୍ତି, ତାଙ୍କ ମୁଖରୁ ପାଣି ବାହାରୁଛି, ତେଣୁ ମନୁଷ୍ୟମାନେ ଭାବୁଛନ୍ତି ଏହା ହେଉଛି ଗଙ୍ଗା ଜଳ । ହୁଏତ ଜ୍ଞାନୀମାନେ ମଧ୍ୟ ବୁଝୁ ନାହାଁନ୍ତି ଯେ ଏହି ଗଙ୍ଗା ଜଳ କେଉଁଠାରୁ ବାହାରିବ । ଶାସ୍ତ୍ରରେ ଅଛି ଯେ ଅର୍ଜ୍ଜୁନ ବାଣ ମାରିଲେ, ଗଙ୍ଗା ବାହାରି ଆସିଲା । ବାସ୍ତବରେ ଏସବୁ ହେଲା ଜ୍ଞାନର କଥା । ଏପରି ନୁହେଁ ଯେ ଅର୍ଜ୍ଜୁନ ବାଣ ମାରିଲେ ଗଙ୍ଗା ବାହାରି ଆସିଲା । କେତେ ଦୂର ଦୂର ସ୍ଥାନମାନଙ୍କୁ ତୀର୍ଥ କରିବା ପାଇଁ ଯାଉଛନ୍ତି । ଏଭଳି ମଧ୍ୟ କହୁଛନ୍ତି ଯେ ଶଙ୍କରଙ୍କ ଜଟାରୁ ଗଙ୍ଗା ବାହାରିଲା, ଯେଉଁଥିରେ ସ୍ନାନ କରିଲେ ମନୁଷ୍ୟରୁ ପରୀ ହୋଇଯିବ । ତେବେ ମନୁଷ୍ୟରୁ ଦେବତା ହେବା, ଏହା ମଧ୍ୟ ପରୀ ହେବା ସଦୃଶ ନା ।

ଏବେ ତୁମକୁ ବାବାଙ୍କର ପରିଚୟ ଦେବାକୁ ହେବ ସେଥିପାଇଁ ବାବା ଏହି ଚିତ୍ର ତିଆରି କରାଇଛନ୍ତି । ତ୍ରିମୂର୍ତ୍ତି ଶିବଙ୍କ ଚିତ୍ରରେ ସବୁ ଜ୍ଞାନ ରହିଛି । ଦୁନିଆରେ ଯେଉଁ ତ୍ରିମୂର୍ତ୍ତି ଚିତ୍ର ତିଆରି କରିଛନ୍ତି ସେଥିରେ ଜ୍ଞାନଦାତା ଶିବଙ୍କର ଚିତ୍ର ନାହିଁ । ଯେଉଁମାନେ ଜ୍ଞାନ ନେଉଛନ୍ତି ସେମାନଙ୍କର ଚିତ୍ର ରହିଛି । ଏବେ ତୁମେ ତ୍ରିମୂର୍ତ୍ତି ଶିବଙ୍କ ଚିତ୍ର ଉପରେ ବୁଝାଉଛ, ଉପରେ ଜ୍ଞାନ ଦାତା ବାବା ଅଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ତାଙ୍କଠାରୁ ହିଁ ଜ୍ଞାନ ମିଳୁଛି ଯାହାଙ୍କ ଦ୍ୱାରା ପୁଣି ଜ୍ଞାନର ବିସ୍ତାର ଖେଳାଉଛନ୍ତି, ଏହାଙ୍କୁ କୁହାଯାଉଛି ଈଶ୍ୱରଙ୍କ ଧର୍ମ ସ୍ଥାପନାର ମେସିନ୍ । ଏହି ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ତୁମକୁ ନିଜ ସତ୍ୟ ଧର୍ମର ପରିଚୟ ମିଳୁଛି । ତୁମେ ଜାଣିଛ ଆମକୁ ଭଗବାନ ପଢାଉଛନ୍ତି । ତେଣୁ ତୁମେ କେତେ ଖୁସି ହେଉଛ । ବାବା କହୁଛନ୍ତି ତୁମର ଖୁସିର ପାରାବାର ନାହିଁ, କାରଣ ତୁମର ଶିକ୍ଷାଦାତା ସ୍ୱୟଂ ଭଗବାନ ଅଟନ୍ତି, ଭଗବାନ ହେଉଛନ୍ତି ନିରାକାର ଶିବ ନୁହେଁ କି ଶ୍ରୀକୃଷ୍ଣ । ବାବା ତୁମମାନଙ୍କୁ ବୁଝାଉଛନ୍ତି କହୁଛନ୍ତି ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି କେବଳ ଜଣେ । ସତ୍ୟଯୁଗକୁ ସଦ୍ଗତି ଏବଂ କଳିଯୁଗକୁ ଦୁର୍ଗତି କୁହାଯାଉଛି । ନୂଆ ଦୁନିଆକୁ ନୂଆ, ପୁରୁଣାକୁ ପୁରୁଣା ହିଁ କୁହାଯିବ । ମନୁଷ୍ୟ ଭାବୁଛନ୍ତି ଏବେ ଦୁନିଆ ପୁରୁଣା ହେବାରେ ୪୦ ହଜାର ବର୍ଷ ଲାଗିବ । ସେମାନେ କେତେ ଦ୍ୱନ୍ଦରେ ରହିଛନ୍ତି । ତେବେ ବାବାଙ୍କ ବିନା ଏହି କଥାକୁ କେହି ବି ବୁଝାଇ ପାରିବେ ନାହିଁ । ବାବା କହୁଛନ୍ତି ମୁଁ ତୁମକୁ ରାଜ୍ୟ-ଭାଗ୍ୟ ଦେଇ ବାକି ସମସ୍ତଙ୍କୁ ଘରକୁ ନେଇଯିବି ଯେଉଁମାନେ ମୋ ମତରେ ଚାଲୁଛନ୍ତି ସେମାନେ ଦେବତା ହେବେ । ଏହି କଥାକୁ କେବଳ ତୁମେ ହିଁ ଜାଣିଛ, ନୂଆମାନେ କଣ ବୁଝିବେ ।

ତୁମ ମାଳିମାନଙ୍କର କର୍ତ୍ତବ୍ୟ ହେଲା ବଗିଚା ପ୍ରସ୍ତୁତ କରିବା । ତୁମମାନଙ୍କୁ ବଗିଚାର ମାଳୀ ନିର୍ଦ୍ଦେଶ ଦେଉଛନ୍ତି ନା । ଏପରି ନୁହେଁ ଯେ ବାବା କୌଣସି ନୂଆମାନଙ୍କ ସହିତ ମିଶି ଜ୍ଞାନ ଦେବେ । ଏହି କାମ ହେଉଛି ମାଳିମାନଙ୍କର । ଧରିନିଅ, ବାବା କଲିକତାକୁ ଯିବେ ତେବେ ପିଲାମାନେ ଭାବୁଛନ୍ତି ଯେ ଆମେ ନିଜର ଅଫିସର୍ଙ୍କୁ, ଅମୁକ ମିତ୍ରଙ୍କୁ ବାବାଙ୍କ ପାଖକୁ ନେଇଯିବୁ । ବାବା କୁହନ୍ତି, ଏମାନେ କିଛି ହେଲେ ବୁଝିବେ ନାହିଁ । ତେବେ ଏହା ଯେପରି ବୋକାମାନଙ୍କୁ ବାବାଙ୍କ ସମ୍ମୁଖରେ ଆଣିବାକୁ ହେବ, ସେଥିପାଇଁ ବାବା କହୁଛନ୍ତି ନୂଆମାନଙ୍କୁ କେବେ ବି ବାବାଙ୍କ ସମ୍ମୁଖକୁ ଆଣ ନାହିଁ । ଏହା ହେଉଛି ତୁମ ମାଳିମାନଙ୍କର କାମ, ଏପରି ନୁହେଁ କି ବାଗବାନଙ୍କର କାମ । ମାଳିର କାମ ହେଉଛି ବଗିଚା ପ୍ରସ୍ତୁତ କରିବା । ବାବା ନିର୍ଦ୍ଦେଶ ଦେଉଛନ୍ତି ଏହିପରି କର, ସେଥିପାଇଁ ବାବା କେବେ ନୂଆମାନଙ୍କ ସହିତ ମିଶନ୍ତି ନାହିଁ କିନ୍ତୁ ଅତିଥି ହୋଇ ଘରକୁ ଆସିଲେ କହନ୍ତି ଦର୍ଶନ କରିବୁ । ଆପଣମାନେ ଆମକୁ କାହିଁକି ମିଶିବାକୁ ଦେଉ ନାହାଁନ୍ତି ? ଶଙ୍କରାଚାର୍ଯ୍ୟ ଆଦିଙ୍କ ପାଖକୁ କେତେ ଯାଉଛନ୍ତି । ଏବେ ତ ଶଙ୍କରାଚାର୍ଯ୍ୟଙ୍କର ବହୁତ ମାନ ରହିଛି । ପାଠ ବହୁତ ପଢିଛନ୍ତି, କିନ୍ତୁ ସେମାନେ ତ ବିକାର ଦ୍ୱାରା ଜନ୍ମ ନେଉଛନ୍ତି ନା । କିନ୍ତୁ ଟ୍ରଷ୍ଟି ଲୋକମାନେ କାହାକୁ ଗଦି ଉପରେ ହେଲେ ବସାଇ ଦେଉଛନ୍ତି । ସମସ୍ତଙ୍କର ମତ ଅଲଗା ଅଲଗା ରହିଛି । ଏବେ ବାବା ନିଜେ ଆସି ପିଲାମାନଙ୍କୁ ପରିଚୟ ଦେଉଛନ୍ତି ଯେ ମୁଁ କଳ୍ପ-କଳ୍ପ ଏହି ପୁରୁଣା ଶରୀରରେ ଆସୁଛି । ଇଏ ମଧ୍ୟ ନିଜର ଜନ୍ମକୁ ଜାଣି ନାହାଁନ୍ତି । ଶାସ୍ତ୍ରରେ କଳ୍ପର ଆୟୁଷ ଲକ୍ଷେ ବର୍ଷ ଲେଖି ଦେଇଛନ୍ତି । ମନୁଷ୍ୟ ଏତେ ଜନ୍ମ ନେଇପାରିବ ନାହିଁ । ତେବେ ସେମାନେ ଜୀବଜନ୍ତୁ ଆଦିଙ୍କର ଯୋନି ମିଶାଇ ୮୪ ଲକ୍ଷ କରି ଦେଇଛନ୍ତି । ମନୁଷ୍ୟ ଯାହା ଶୁଣୁଛନ୍ତି ସବୁ ସତ-ସତ କହୁଛନ୍ତି । ଶାସ୍ତ୍ରରେ ସବୁ ଭକ୍ତିମାର୍ଗର କଥା ରହିଛି । କଲିକତାରେ ଦେବୀମାନଙ୍କର ବହୁତ ଶୋଭାବାନ ସୁନ୍ଦର ମୂର୍ତ୍ତି ତିଆରି କରିଥାନ୍ତି, ସଜାଇଥାନ୍ତି ପୁଣି ତାଙ୍କୁ ପାଣିରେ ବୁଡାଇ ଦେଇଥାନ୍ତି । ତେବେ ଏମାନଙ୍କୁ କଣ୍ଢେଇ ପୂଜା କରୁଥିବା ବେବିଜ୍ ହିଁ କୁହାଯିବ । ଏମାନେ ବିଲ୍କୁଲ୍ ଇନୋସେଣ୍ଟ ଅଟନ୍ତି । ତୁମେ ଜାଣିଛ ଏହା ହେଉଛି ନର୍କ । ସ୍ୱର୍ଗରେ ଅସରନ୍ତି ସୁଖ ଥିଲା । ଏବେ ମଧ୍ୟ କେହି ମରିଗଲେ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା ତେବେ ନିଶ୍ଚୟ କୌଣସି ସମୟରେ ଏଠାରେ ସ୍ୱର୍ଗ ଥିଲା, ଏବେ ନାହିଁ । ନର୍କ ପରେ ପୁଣି ନିଶ୍ଚୟ ସ୍ୱର୍ଗ ଆସିବ । ଏହି କଥାକୁ ମଧ୍ୟ ତୁମେ ଜାଣିଛ । ମନୁଷ୍ୟ କିଛି ମଧ୍ୟ ଜାଣି ନାହିଁ । ତେଣୁ ନୂଆ କେହି ବାବାଙ୍କ ସମ୍ମୁଖରେ ବସି କଣ କରିବେ । ସେଥିପାଇଁ ମାଳୀ ଆବଶ୍ୟକ ଯିଏ ସଂପୂର୍ଣ୍ଣ ପାଳନା କରିବେ । ଏଠାରେ ମଧ୍ୟ ଢେର ମାଳି ଆବଶ୍ୟକ । ଯେପରି ମେଡିକାଲ୍ କଲେଜରେ କେହି ନୂଆ ଯାଇ ବସିଲେ କିଛି ହେଲେ ବୁଝିବେ ନାହିଁ । ଏହା ମଧ୍ୟ ନୂଆ ଜ୍ଞାନ ଅଟେ । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ପବିତ୍ର କରାଇବା ପାଇଁ ଆସିଛି । ତୁମେମାନେ ଯେତେ ମୋତେ ମନେ ପକାଇବ ସେତେ ପବିତ୍ର ହୋଇଯିବ । ବର୍ତ୍ତମାନ ସମସ୍ତେ ହେଉଛନ୍ତି ତମୋପ୍ରଧାନ ଆତ୍ମା, ସେଥିପାଇଁ କହିଦେଉଛନ୍ତି ଆତ୍ମା ସୋ ପରମାତ୍ମା, ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି । ତେବେ ବାବା ଏମାନଙ୍କ ପାଇଁ କାହିଁକି ମୁଣ୍ଡ ପିଟିବେ । କଣ୍ଟାକୁ ଫୁଲ କରିବା ଏହା ହେଉଛି ତୁମ ମାଳିମାନଙ୍କର କାମ ।

ତୁମେ ଜାଣିଛ ଭକ୍ତି ହେଉଛି ରାତି, ଜ୍ଞାନ ହେଲା ଦିନ । ଗାୟନ ମଧ୍ୟ କରାଯାଏ ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି । ତେବେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ମଧ୍ୟ ନିଶ୍ଚୟ ଥିବେ ନା । କାହାର ଏତିକି ମଧ୍ୟ ବୁଦ୍ଧି ନାହିଁ, ସେମାନେ ପଚାରୁନାହାଁନ୍ତି ଯେ, ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏମାନଙ୍କର ବ୍ରହ୍ମା କିଏ ? ଆରେ ପ୍ରଜାପିତା ବ୍ରହ୍ମା ପ୍ରସିଦ୍ଧ ଅଟନ୍ତି, ତାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ଧର୍ମର ସ୍ଥାପନ ହେଉଛି । କୁହା ମଧ୍ୟ ଯାଏ ବ୍ରହ୍ମା ଦେବତାୟ ନମଃ । ବାବା ତୁମକୁ ପ୍ରଥମେ ବ୍ରାହ୍ମଣ କରୁଛନ୍ତି ପୁଣି ଦେବତା କରୁଛନ୍ତି । ଯେଉଁ ସବୁ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି, ପିଲାମାନେ ତାକୁ ନିଜ ପାଖରେ ନୋଟ୍ କରିବାର ସଉକ ରଖିବା ଉଚିତ୍ । ଯେଉଁମାନେ ଭଲ ଭାବରେ ବୁଝୁଥାନ୍ତି ତାଙ୍କର ନୋଟ୍ ନେବାର ବହୁତ ସଉକ ରହିଥାଏ । ନୋଟ୍ କରିବା ବହୁତ ଭଲ, କାରଣ ଏତେ ସବୁ ପଏଣ୍ଟସ୍ ମନେ ରହିବା ମୁସ୍କିଲ୍ ହେବ । ନିଜେ ନୋଟ୍ କରି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଦରକାର । ଏପରି ନୁହେଁ ଯେ ଲେଖି ରଖିବ କିନ୍ତୁ କପି ପଡି ରହିବ । ନୂଆ ନୂଆ ପଏଣ୍ଟସ୍ ମିଳିଲେ ପୁଣି ପୁରୁଣା ପଏଣ୍ଟସ୍ର କପି ସବୁ ପଡି ରହିଥାଏ । ସ୍କୁଲମାନଙ୍କରେ ମଧ୍ୟ ଯେତେଯେତେ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁ ଲାଗିବେ ସେତେ ପ୍ରଥମ ଶ୍ରେଣୀର ବହି ପଡି ରହିଥାଏ । ଯେତେବେଳେ ତୁମେ ଅନ୍ୟମାନଙ୍କୁ ବୁଝାଉଛ ଶେଷରେ ଏହି କଥା ବୁଝାଅ ଯେ ମନମନାଭବ । ବାବାଙ୍କୁ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ । ମୁଖ୍ୟ କଥା ହେଉଛି ମୋତେ ମନେ ପକାଅ, ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି । ଭଗବାନ ହେଉଛନ୍ତି ଜ୍ଞାନର ସାଗର । ମନୁଷ୍ୟମାନେ ହେଲେ ଶାସ୍ତ୍ରର ସାଗର । ବାବା କୌଣସି ଶାସ୍ତ୍ର ଶୁଣାଉ ନାହାଁନ୍ତି, ସେ ଯଦି ଶାସ୍ତ୍ର ଶୁଣାଇବେ ବାକି ଭଗବାନ ଏବଂ ମନୁଷ୍ୟ ଭିତରେ ଫରକ କଣ ରହିବ ? ବାବା କହୁଛନ୍ତି ମୁଁ ଏହି ଭକ୍ତିମାର୍ଗର ଶାସ୍ତ୍ରର ସାରାଂଶକୁ ମୁଁ ତୁମକୁ ବୁଝାଉଛି ।

କେଳାମାନେ ମୁରଲୀ ବଜାଇ ସର୍ପକୁ ଧରି ତାର ବିଷ ଦାନ୍ତ ଉପାଡି ଦେଇଥାନ୍ତି । ବାବା ମଧ୍ୟ ତୁମକୁ ବିଷରୁ (ବିକାର) ମୁକ୍ତ କରୁଛନ୍ତି । ଏହି ବିଷ ଦ୍ୱାରା ହିଁ ମନୁଷ୍ୟ ପତିତ ହୋଇଯାଇଛନ୍ତି । ବାବା କହୁଛନ୍ତି ଏହାକୁ ଛାଡ, କିନ୍ତୁ ଛାଡୁ ନାହାଁନ୍ତି । ବାବା ଗୋରା କରିବା ପାଇଁ ଆସିଛନ୍ତି ତଥାପି ମଧ୍ୟ କଳା ମୁହଁ କରିଦେଉଛନ୍ତି । ବାବା ତୁମକୁ ଜ୍ଞାନ ଚିତା ଉପରେ ବସାଇବା ପାଇଁ ଆସିଛନ୍ତି । ଜ୍ଞାନ ଚିତା ଉପରେ ବସିଲେ ତୁମେ ବିଶ୍ୱର ମାଲିକ, ଜଗତ୍ଜିତ୍ ହୋଇଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସଦାସର୍ବଦା ଖୁସି ରହୁ ଯେ ଆମେମାନେ ସତ୍ୟ ଧର୍ମର ସ୍ଥାପନାର ନିମିତ୍ତ ଅଟୁ । ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ଆମର ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ ।

(୨) ବଗିଚାର ମାଳି ହୋଇ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ । ପ୍ରଥମେ ସଂପୂର୍ଣ୍ଣ ରୂପେ ପାଳନା ଦେବା ପରେ ବାବାଙ୍କ ସମ୍ମୁଖକୁ ଆଣିବାକୁ ହେବ । ମେହନତ କରିବାକୁ ପଡିବ ।
 

ବରଦାନ:-
ନିଜର ପ୍ରତ୍ୟେକ ଶକ୍ତିକୁ କାର୍ଯ୍ୟରେ ଲଗାଇ ବୃଦ୍ଧି କରୁଥିବା ଶ୍ରେଷ୍ଠ ଧନବାନ ବା ବୁଦ୍ଧିମାନ ଆତ୍ମା ହୁଅ ।

ବୁଦ୍ଧିମାନ ପିଲାମାନେ ନିଜର ପ୍ରତ୍ୟେକ ଶକ୍ତିକୁ କାର୍ଯ୍ୟରେ ଲଗାଇବାର ଉପାୟ ଜାଣିଛନ୍ତି । ନିଜର ଶକ୍ତିଗୁଡିକୁ ଯିଏ ଯେତିକି କାର୍ଯ୍ୟରେ ଲଗାଉଛନ୍ତି ସେହି ଅନୁସାରେ ତାଙ୍କ ଭିତରେ ଶକ୍ତିର ବୃଦ୍ଧି ମଧ୍ୟ ହେବାରେ ଲାଗିଛି । ତେଣୁ ଏଭଳି ଈଶ୍ୱରୀୟ ବଜେଟ୍ ତିଆରି କର ଯାହାକି ବିଶ୍ୱର ପ୍ରତ୍ୟେକ ଆତ୍ମା ତୁମମାନଙ୍କ ଦ୍ୱାରା କିଛି ନା କିଛି ପ୍ରାପ୍ତ କରି ତୁମର ଗୁଣଗାନ କରୁ । ସମସ୍ତଙ୍କୁ କିଛି ନା କିଛି ଦେବାକୁ ହିଁ ହେବ । ଚାହେଁ ମୁକ୍ତି ଦିଅ, ଚାହେଁ ଜୀବନମୁକ୍ତି ଦିଅ । ଈଶ୍ୱରୀୟ ବଜେଟ୍ ତିଆରି କର ନିଜର ସର୍ବଶକ୍ତିକୁ ସଞ୍ଚୟ କରି ଜମା କର ଏବଂ ଜମା ହୋଇଥିବା ଶକ୍ତି ଦ୍ୱାରା ସର୍ବ ଆତ୍ମାଙ୍କୁ ଭିକାରୀ ପଣିଆରୁ, ଦୁଃଖ ଅଶାନ୍ତିରୁ ମୁକ୍ତ କର ।

ସ୍ଲୋଗାନ:-
ଶୁଦ୍ଧ ସଂକଳ୍ପକୁ ନିଜ ଜୀବନର ଅମୂଲ୍ୟ ସମ୍ପତ୍ତି କରିଦିଅ ତେବେ ସମ୍ପତ୍ତିରେ ଭରପୁର ହୋଇଯିବ ।