03.03.19    Avyakt Bapdada     Odia Murli     28.02.84     Om Shanti     Madhuban


ବିନ୍ଦୁ ଏବଂ ବୁନ୍ଦାର ରହସ୍ୟ

 


ଆଜି ଭୋଳାନାଥ ବାବା ନିଜର ଭୋଳା ପିଲାମାନଙ୍କ ସହିତ, ପିଲାମାନଙ୍କର ତଥା ପିତାଙ୍କର ଅବତରଣ ଦିବସ ଅର୍ଥାତ୍ ଅଲୌକିକ ଆତ୍ମିକ ଜୟନ୍ତୀ ପାଳନ କରିବା ପାଇଁ ଆସିଛନ୍ତି । ଭୋଳାନାଥ ବାବାଙ୍କୁ ଭୋଳା ଅର୍ଥାତ୍ ସରଳ ପିଲାମାନେ ହିଁ ସବୁଠାରୁ ପ୍ରିୟ ଅଟନ୍ତି । ଭୋଳା ଅର୍ଥାତ୍ ଯିଏ ସଦାସର୍ବଦା ସରଳ ସ୍ୱଭାବଯୁକ୍ତ, ଶୁଭଭାବନା ଏବଂ ସ୍ୱଚ୍ଛତା ସମ୍ପନ୍ନ ଅର୍ଥାତ୍ ମନ ଏବଂ କର୍ମ ଉଭୟରେ ସତ୍ୟତା ଏବଂ ସ୍ୱଚ୍ଛତାକୁ ଧାରଣ କରିଥାନ୍ତି । ଏହିଭଳି ଭୋଳା ପିଲାମାନେ ଭୋଳାନାଥ ବାବାଙ୍କୁ ମଧ୍ୟ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଭୋଳାନାଥ ବାବା ଏହିଭଳି ସରଳ ସ୍ୱଭାବଯୁକ୍ତ ପିଲାମାନଙ୍କର ଗୁଣର ମାଳାକୁ ସଦାସର୍ବଦା ସ୍ମରଣ କରୁଛନ୍ତି । ତୁମେମାନେ ଅନେକ ଜନ୍ମ ବାବାଙ୍କର ନାମର ମାଳାକୁ ସ୍ମରଣ କରି ଆସିଛ ଏବଂ ବାବା ବର୍ତ୍ତମାନ ସଂଗମଯୁଗରେ ପିଲାମାନଙ୍କୁ ତାର ପ୍ରତିଦାନ ଦେଉଛନ୍ତି । ପିଲାମାନଙ୍କର ଗୁଣର ମାଳାକୁ ସ୍ମରଣ କରୁଛନ୍ତି । ତେବେ କେତେ ସବୁ ଭୋଳା ପିଲାମାନେ ବାବାଙ୍କୁ ପ୍ରିୟ ଅଟନ୍ତି । ଯେତେ ଯେତେ ଜ୍ଞାନ ସ୍ୱରୂପ, ପ୍ରଜ୍ଞାବାନ, ଶକ୍ତିଶାଳୀ ହେଉଛ ସେତେ ଅଧିକ ଭୋଳାପଣିଆ ମଧ୍ୟ ରହୁ କାରଣ ଭଗବାନଙ୍କୁ ଭୋଳାପଣିଆର ସ୍ୱଭାବ ହିଁ ପ୍ରିୟ ଅଟେ । ଏହିଭଳି ତୁମେମାନେ ନିଜର ଶ୍ରେଷ୍ଠ ଭାଗ୍ୟକୁ ଜାଣିଛ ନା, ଯାହାକି ଭଗବାନଙ୍କୁ ମଧ୍ୟ ମୋହିତ କରିଦେଲା, ନିଜର କରିଦେଲା ।

ଆଜି ପିଲାମାନଙ୍କ ସହିତ ଭକ୍ତମାନଙ୍କର ମଧ୍ୟ ବିଶେଷ ଭାବରେ ପାଳନ କରିବାର ଦିନ । ଭକ୍ତମାନେ ଅନେକ ପ୍ରକାରର ଉପାୟ କରୁଛନ୍ତି, ଆବାହନ କରୁଛନ୍ତି କିନ୍ତୁ ତୁମେମାନେ ଏଠାରେ ବାବାଙ୍କ ସମ୍ମୁଖରେ ବସିଛ । ଭକ୍ତମାନଙ୍କର ଲୀଳାକୁ ମଧ୍ୟ ଦେଖି ଦେଖି ବାବା ମୁରୁକି ହସୁଛନ୍ତି ଏବଂ ପିଲାମାନଙ୍କର ମିଳନ ଲୀଳାକୁ ମଧ୍ୟ ଦେଖି ହର୍ଷିତ ହେଉଛନ୍ତି । ଗୋଟିଏ ପଟେ ବିୟୋଗୀ ଭକ୍ତ ଆତ୍ମାମାନେ, ଅନ୍ୟ ପଟେ ସହଜଯୋଗୀ ପିଲାମାନେ । ଉଭୟେ ନିଜର ଲଗନ ଆଧାରରେ ବାବାଙ୍କୁ ପ୍ରିୟ ଅଟନ୍ତି । ଭକ୍ତମାନେ ମଧ୍ୟ କୌଣସିଥିରେ କମ୍ ନୁହଁନ୍ତି । କାଲି (ଜାଗର ଦିନ) ତୁମେମାନେ ନିଜର ଆକାରୀ ଇଷ୍ଟ ଦେବ ରୂପରେ ଚକ୍ର ଲଗାଇ ଦେଖିବ । ବାବାଙ୍କ ସହିତ ଶାଳଗ୍ରାମ ରୂପରେ ପିଲାମାନଙ୍କର ମଧ୍ୟ ବିଶେଷ ରୂପରେ ପୂଜା ହେବ । ବାବାଙ୍କ ସହିତ ନିଜର ପୂଜନକୁ ମଧ୍ୟ ଦେଖିବ । ଏବେ ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ କେହି କେହି ନବଧା ଭକ୍ତ ଅଛନ୍ତି ଯେଉଁମାନେ କି ସଚ୍ଚା ସଚ୍ଚା ସ୍ନେହର ସହିତ ଭକ୍ତି କରି ଭକ୍ତି ଭାବନାର ଅଳ୍ପ ସମୟର ଫଳର ଅନୁଭବ ମଧ୍ୟ କରୁଛନ୍ତି । କାଲିର ଦିନ ଭକ୍ତମାନଙ୍କର ଭକ୍ତିର ବିଶେଷ ଲଗନର ଦିନ । ବୁଝିଲ ।

ତେବେ ତୁମେମାନେ ବାବାଙ୍କର ଜନ୍ମ ଦିବସ ପାଳନ କରିବ ନା ନିଜର ଜନ୍ମ ଦିବସ ପାଳନ କରିବ ? ସାରା କଳ୍ପ ଭିତରେ ପିତା ସହିତ ପିଲାମାନଙ୍କର ମଧ୍ୟ ଗୋଟିଏ ଦିନରେ ଜନ୍ମ ଦିନ ପାଳନ ହେଉଥିବ ଏହା କେବେ ସମ୍ଭବ! ଯଦିଓ ଦିନ ଏକା ହୋଇପାରେ କିନ୍ତୁ ବର୍ଷ ଏକା ହୋଇପାରିବ ନାହିଁ । ପିତା ଏବଂ ସନ୍ତାନର ବୟସରେ ଅନ୍ତର ତ ରହିବ ନା । କିନ୍ତୁ ଏହି ଅଲୌକିକ ଜୟନ୍ତୀ ଅର୍ଥାତ୍ ଜନ୍ମ ଦିବସ ପିତାଙ୍କ ସହିତ ସନ୍ତାନମାନଙ୍କର ଗୋଟିଏ ଦିନ ହିଁ ପାଳନ ହେଉଛି । ତୁମେମାନେ କହିବ ଆମେ ବାବାଙ୍କର ଜନ୍ମଦିନ ପାଳନ କରୁଛୁ ଏବଂ ବାବା କହିବେ ମୁଁ ପିଲାମାନଙ୍କର ଜନ୍ମଦିନ ପାଳନ କରୁଛି । ତେଣୁ ବିଚିତ୍ର ଜନ୍ମ ଦିନ ହୋଇଗଲା ନା । ନିଜର ମଧ୍ୟ ପାଳନ କରୁଛ, ବାବାଙ୍କର ମଧ୍ୟ ପାଳନ କରୁଛ । ଏହିଥିରୁ ବିଚାର କର ଯେ ଭୋଳାନାଥ ବାବାଙ୍କର ପିଲାମାନଙ୍କ ସହିତ କେତେ ସ୍ନେହ ରହିଛି, ଯାହାକି ଜନ୍ମଦିନ ମଧ୍ୟ ଗୋଟିଏ ଦିନରେ ପାଳନ ହେଉଛି । ତେବେ ଭୋଳାନାଥଙ୍କୁ ସେତିକି ଏତେ ମୋହିତ କରିଦେଇଛ ନା । ଭକ୍ତମାନେ ତ ନିଜର ଭକ୍ତିର ମସ୍ତିରେ (ନିଶାରେ) ମସ୍ତ ହୋଇଯାଉଛନ୍ତି କିନ୍ତୁ ତୁମେମାନେ ପାଇଗଲୁ ଏହି ଖୁସିରେ ନାଚୁଛ, ଗାଉଛ ଏବଂ ପାଳନ କରୁଛ । ତେଣୁ ଏହି ସ୍ମୃତି ଦିବସରେ ମଧ୍ୟ ବହୁତ ରହସ୍ୟ ଲୁଚି ରହିଛି ।

ପୂଜା ହେଉଥିବା ଚିତ୍ରରେ ବା ମୂର୍ତ୍ତିରେ ବିଶେଷ ଭାବରେ ଦୁଇଟି ବିଶେଷତା ଅନ୍ତର୍ନିହିତ ଅଟେ । ଗୋଟିଏ ହେଲା ବିନ୍ଦୁର ବିଶେଷତା ଏବଂ ଅନ୍ୟଟି ହେଲା ବୁନ୍ଦା-ବୁନ୍ଦା ଜଳ ଅର୍ପଣର ବିଶେଷତା । ପୂଜାର ବିଧିରେ ବୁନ୍ଦା-ବୁନ୍ଦା ଜଳ ଅର୍ପଣ କରିବାର ମଧ୍ୟ ମହତ୍ତ୍ୱ ରହିଛି । ଏହି ସମୟରେ ତୁମେ ପିଲାମାନେ ବିନ୍ଦୁର ରହସ୍ୟକୁ ଜାଣି ବିନ୍ଦୁ ସ୍ୱରୂପରେ ସ୍ଥିତ ହେଉଛ । ବିଶେଷ କରି ସାରା ଜ୍ଞାନର ସାର ଗୋଟିଏ ବିନ୍ଦୁ ଶବ୍ଦରେ ହିଁ ସମାହିତ ଅଟେ । ବାବା ମଧ୍ୟ ବିନ୍ଦୁ, ତୁମେ ଆତ୍ମାମାନେ ମଧ୍ୟ ବିନ୍ଦୁ ଏବଂ ଡ୍ରାମାର ଜ୍ଞାନକୁ ଧାରଣ କରିବା ପାଇଁ ଯାହା ଘଟିଗଲା ସମାପ୍ତି, ଅର୍ଥାତ୍ ଫୁଲଷ୍ଟପର ବିନ୍ଦୁ ଲଗାଇ ଦେଉଛ । ପରମ ଆତ୍ମା, ଆତ୍ମା ଏବଂ ଏହି ପ୍ରକୃତିର ଖେଳ ଅର୍ଥାତ୍ ଡ୍ରାମା ତିନିଟିର ଜ୍ଞାନକୁ ବାସ୍ତବ ଜୀବନରେ ବିନ୍ଦୁ ହିଁ ଅନୁଭବ କରୁଛ ନା । ସେଥିପାଇଁ ଭକ୍ତିରେ ମଧ୍ୟ ଶିବଲିଙ୍ଗର ପ୍ରତିମାରେ ବିନ୍ଦୁର ମହତ୍ତ୍ୱ ରହିଛି । ଅନ୍ୟଟି ହେଲା ବୁନ୍ଦାର ମହତ୍ୱ । ତୁମେମାନେ ଯେତେବେଳେ ଯୋଗରେ ବସୁଛ ବା କାହାକୁ ବି ଯୋଗରେ ବସାଉଛ ତେବେ କେଉଁ ବିଧିରେ ଯୋଗ କରାଉଛ ? ସଂକଳ୍ପର ବୁନ୍ଦା ଦ୍ୱାରା ମୁଁ ଆତ୍ମା ଅଟେ, ଏହା ପ୍ରଥମ ବୁନ୍ଦା, ଶିବବାବାଙ୍କର ସନ୍ତାନ.... ଏହା ଦ୍ୱିତୀୟ ବୁନ୍ଦା । ଏହିଭଳି ଶୁଭ ସଂକଳ୍ପର ବୁନ୍ଦା ଦ୍ୱାରା ମିଳନର ସିଦ୍ଧି ଅର୍ଥାତ୍ ସଫଳତାକୁ ଅନୁଭବ କରୁଛ ନା । ତେବେ ଗୋଟିଏ ହେଲା ଶୁଦ୍ଧ ସଂକଳ୍ପର ସ୍ଥିତିର ବୁନ୍ଦା, ଦ୍ୱିତୀୟରେ ଯେତେବେଳେ ଆତ୍ମିକ ବାର୍ତ୍ତାଳାପ କରୁଛ ସେତେବେଳେ ବାବାଙ୍କର ଗୋଟିଏ ଗୋଟିଏ ମହିମା ଏବଂ ପ୍ରାପ୍ତିର ଶୁଦ୍ଧ ସଂକଳ୍ପର ବୁନ୍ଦା ଅର୍ପଣ କରୁଛ ନା । ଆପଣ ଏପରି ଅଟନ୍ତି, ଆପଣ ଆମକୁ ଏହିପରି କରିଦେଇଛନ୍ତି.... । ଏହିଭଳି ମିଠା ମିଠା ଶୀତଳ ବୁନ୍ଦା ବାବାଙ୍କ ଉପରେ ଅର୍ପଣ କରୁଛ ଅର୍ଥାତ୍ ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରୁଛ । ଗୋଟିଏ ଗୋଟିଏ କଥା ଶୁଣାଇ ଚାଲିଛ ଏବଂ ବିଚାର କରୁଛ, ଏକାବେଳେ ସବୁ କଥା ଶୁଣାଇ ଦେଉନାହଁ । ତୃତୀୟରେ ସବୁ ପିଲାମାନେ ନିଜର ଶରୀର-ମନ-ଧନ ଆଧାରରେ ମଧ୍ୟ ସହଯୋଗର ବୁନ୍ଦା ଅର୍ପଣ କରୁଛନ୍ତି । ସେଥିପାଇଁ ତୁମେମାନେ ବିଶେଷ ଭାବରେ କହୁଛ ବୁନ୍ଦା ବୁନ୍ଦା ଜଳରେ ପୁଷ୍କରିଣୀ ସୃଷ୍ଟି ହେଉଛି । ଏତେ ବଡ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ, ସର୍ବଶକ୍ତିମାନ ବାବାଙ୍କର ବେହଦର ଅର୍ଥାତ୍ ବିଶାଳ କାର୍ଯ୍ୟରେ ତୁମେ ପ୍ରତ୍ୟେକ ଯେଉଁ ସବୁ ସହଯୋଗ ଦେଉଛ ତାହା ବିନ୍ଦୁ ସଦୃଶ ହିଁ ତ ଅଟେ ନା । କିନ୍ତୁ ସମସ୍ତଙ୍କର ବୁନ୍ଦା ବୁନ୍ଦା ସହଯୋଗରେ ବିଶାଳ ସାଗର ସୃଷ୍ଟି ହୋଇଯାଉଛି । ସେଥିପାଇଁ ପୂଜାର ବିଧିରେ ମଧ୍ୟ ବୁନ୍ଦାର ମହତ୍ତ୍ୱ ଦର୍ଶାଯାଇଛି ।

ତାସହିତ ବିଶେଷ ଭାବରେ ବ୍ରତ ରଖିବାର ବିଧି ମଧ୍ୟ ଦେଖାଇଛନ୍ତି କାରଣ ତୁମେମାନେ ବ୍ରତ ଅର୍ଥାତ୍ ପ୍ରତିଜ୍ଞା କରୁଛ ନା । ତୁମେମାନେ ବାବାଙ୍କର ସହଯୋଗୀ ହେବାରେ ବ୍ୟର୍ଥ ସଂକଳ୍ପର ଭୋଜନ ନ କରିବାର ବ୍ରତ ରଖୁଛ ଯେ କେବେହେଲେ ବୁଦ୍ଧି ଦ୍ୱାରା କୌଣସି ଅଶୁଦ୍ଧ ବା ବ୍ୟର୍ଥ ସଂକଳ୍ପର ଭୋଜନ ସ୍ୱୀକାର କରିବୁ ନାହିଁ । ଏହିଭଳି ବ୍ରତ ବା ଦୃଢ ସଂକଳ୍ପ କରୁଛ ଏବଂ ଭକ୍ତମାନେ ଅଶୁଦ୍ଧ ଭୋଜନ ସ୍ୱୀକାର ନ କରିବାର ବ୍ରତ ରଖୁଛନ୍ତି । ଏହା ସହିତ ତୁମେମାନେ ସଦାକାଳ ପାଇଁ ଜାଗ୍ରତ ଜ୍ୟୋତି ହୋଇଯାଉଛ ଏବଂ ସେମାନେ ଏହାର ସ୍ମାରକୀ ରୂପରେ ରାତ୍ରି ଉଜାଗର ରହୁଛନ୍ତି । ତୁମମାନଙ୍କର ଅବିନାଶୀ ଆତ୍ମିକ ଅନ୍ତର୍ମୁଖୀ ବିଧିଗୁଡିକୁ ଭକ୍ତମାନେ ସ୍ଥୂଳ ରୂପରେ ବାହ୍ୟାମୁଖୀ ବିଧି-ବିଧାନ କରିଦେଇଛନ୍ତି । କିନ୍ତୁ ତୁମମାନଙ୍କୁ ହିଁ କପି କରିଛନ୍ତି । ରଜୋପ୍ରଧାନ ବୁଦ୍ଧି ଥିବା କାରଣରୁ ଯାହା କିଛି ପ୍ରେରଣା ଆସିଲା ସେହିଭଳି ବିଧି ନିର୍ଦ୍ଧାରଣ କରି ଦେଇଛନ୍ତି । ସେହିଭଳି ରଜୋଗୁଣୀ ନମ୍ବରୱାନ ଭକ୍ତ ଏବଂ ଭକ୍ତି ହିସାବରେ ସତ୍ତୋଗୁଣୀ ଭକ୍ତ ତ ବ୍ରହ୍ମାବାବା ଏବଂ ତାଙ୍କ ସହିତ ତୁମେ ବିଶେଷ ଆତ୍ମାମାନେ ମଧ୍ୟ ନିମିତ୍ତ ହେଉଛ । କିନ୍ତୁ ପ୍ରଥମେ ଆନ୍ତରିକ ସ୍ନେହ ଏବଂ ଆନ୍ତରିକ ଶକ୍ତି ଥିବା କାରଣରୁ ମାନସିକ ବା ଆନ୍ତରୀକ ଭାବନା ସମ୍ପନ୍ନ ଭକ୍ତି ଆରମ୍ଭ ହୋଇଥାଏ । କିନ୍ତୁ ଏହିସବୁ ସ୍ଥୂଳ ବିଧିବିଧାନ ଗୁଡିକ ପରେ ପୁଣି ଧୀରେ ଧୀରେ ଅଧିକ ଅଧିକ ହୋଇଥାଏ । ପୁଣି ବି ରଚୟିତା ପିତା ତାଙ୍କର ଭକ୍ତ ଆତ୍ମାରୂପୀ ରଚନାମାନଙ୍କୁ ଏବଂ ସେମାନଙ୍କର ଭକ୍ତି କରିବାର ବିଧି ବିଧାନକୁ ଦେଖି ଏହି କଥା କହୁଛନ୍ତି ଯେ ଏମାନଙ୍କର ପ୍ରେରଣା ରୂପରେ ଅନୁଭବ କରୁଥିବା ବୁଦ୍ଧି ମଧ୍ୟ ଚମତ୍କାର ଅଟେ । ପୁଣି ବି ଏହି ସବୁ ବିଧିଗୁଡିକ ଆଧାରରେ ବୁଦ୍ଧିକୁ ବ୍ୟସ୍ତ ରଖିବା ଦ୍ୱାରା, ବିକାରର ବଶୀଭୂତ ହେବାରୁ କିଛି ନା କିଛି ତ ଦୂରେଇ ରହୁଛନ୍ତି ନା । ବୁଝିଲ ତୁମମାନଙ୍କର ଯଥାର୍ଥ ସିଦ୍ଧି ପ୍ରାପ୍ତ କରିବାର ବିଧି ଭକ୍ତିମାର୍ଗରେ କିଭଳି ପ୍ରକାରରେ ପ୍ରଚଳିତ ହୋଇ ଆସୁଛି । ଏହା ହେଉଛି ତୁମମାନଙ୍କର ସ୍ମାରକୀର ମହତ୍ତ୍ୱ ।

ଡବଲ ବିଦେଶୀ ପିଲାମାନେ ତ ଭକ୍ତିଠାରୁ ଦୂରେଇ ରହୁଛନ୍ତି କିନ୍ତୁ ସେମାନେ ତୁମମାନଙ୍କର ଭକ୍ତ ଅଟନ୍ତି । ତେବେ ଭକ୍ତମାନଙ୍କର ଭକ୍ତି କରିବାର ଲୀଳା ତୁମେ ପିଲାମାନେ ଅନୁଭବ କରୁଛ ଯେ ଆମେ ପୂଜ୍ୟ ଆତ୍ମାମାନଙ୍କର ଏବେ ମଧ୍ୟ ଭକ୍ତଆତ୍ମାମାନେ କିପରି ପୂଜନ କରୁଛନ୍ତି ଏହିଭଳି ଅନୁଭବ କରୁଛ ? କେବେ ଭକ୍ତମାନଙ୍କର ଡାକରାର ଅନୁଭବ ହେଉଛି ? ଭକ୍ତମାନଙ୍କ ଉପରେ ଦୟା ଆସୁଛି ? ଭକ୍ତମାନଙ୍କ ବିଷୟରେ ଭଲ ଭାବରେ ଜାଣିଛ ନା! ସେପଟେ ଭକ୍ତମାନେ ଡାକୁଥିବେ ଏବଂ ତୁମେ ବୁଝିପାରୁନଥିବ ତେବେ ଭକ୍ତମାନଙ୍କର ଅବସ୍ଥା କଣ ହେବ ? ସେଥିପାଇଁ ଭକ୍ତ ପଦ କଣ, ପୂଜାରୀ ପଦ କଣ, ପୂଜ୍ୟ ପଦ କଣ ଏହିସବୁ ରହସ୍ୟକୁ ମଧ୍ୟ ଭଲ ଭାବରେ ଜାଣିଛ । ପୂଜ୍ୟ ଏବଂ ପୂଜାରୀର ରହସ୍ୟକୁ ତ ଜାଣିଛ ନା! ଆଚ୍ଛା! କେବେ ତେବେ ଭକ୍ତମାନଙ୍କର ଡାକରାର ଅନୁଭବ ହେଉଛି ? ପାଣ୍ଡବମାନଙ୍କୁ ଅନୁଭବ ହେଉଛି ନା କେବଳ ଶକ୍ତିମାନଙ୍କୁ ହେଉଛି ? ଶାଳଗ୍ରାମ ତ ବହୁତ ଅଛନ୍ତି । ଲକ୍ଷ-ଲକ୍ଷ ସଂଖ୍ୟାରେ ଅଛନ୍ତି । କିନ୍ତୁ ଦେବତାମାନେ ଲକ୍ଷ-ଲକ୍ଷ ସଂଖ୍ୟାରେ ନାହାଁନ୍ତି । ଦେବୀ ବା ଦେବତାମାନେ ହଜାର ହଜାର ସଂଖ୍ୟାରେ ଥିବେ, ଲକ୍ଷ-ଲକ୍ଷ ସଂଖ୍ୟାରେ ନୁହେଁ । ଆଚ୍ଛା! ଏହାର ରହସ୍ୟ ମଧ୍ୟ ପୁଣି କେବେ ଶୁଣାଇବା । ଡବଲ ବିଦେଶୀମାନଙ୍କ ଭିତରେ ମଧ୍ୟ ଯେଉଁମାନେ ଆଦି ସମୟରେ ଆସିଛନ୍ତି, ଯେଉଁମାନେ ଆରମ୍ଭ ସମୟରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଛନ୍ତି, ଚାହେଁ ଶକ୍ତି ହୁଅନ୍ତୁ ବା ପାଣ୍ଡବ, ସେମାନଙ୍କର ମଧ୍ୟ ବିଶେଷତା ଅଛି ନା । ବାବା ତ ସମସ୍ତଙ୍କଠାରୁ ବଡ ବିଦେଶୀ ଅଟନ୍ତି । ସବୁଠାରୁ ଅଧିକ ସମୟ ବିଦେଶରେ କିଏ ରହୁଛି ? ବାବା ରହୁଛନ୍ତି ନା ।

ଏବେ ଦିନକୁ ଦିନ ସମୟ ଯେତେ ପାଖେଇ ଆସିବ ସେହି ଅନୁସାରେ ଭକ୍ତମାନଙ୍କର ଆବାହନ କରିବାର ଶବ୍ଦ, ସେମାନଙ୍କର ଭାବନା, ସବୁକିଛି ତୁମକୁ ସ୍ପଷ୍ଟ ରୂପରେ ଅନୁଭବ ହେବ । କିଏ କେଉଁ ଇଷ୍ଟଦେବୀ ବା ଦେବତା ତାହା ମଧ୍ୟ ଜଣାପଡିବ । ତେଣୁ ତୁମେମାନେ ଆଉ ଟିକିଏ ପରିପକ୍ୱ ହୋଇଯାଅ ତାପରେ ଏହି ସବୁ କଥା ଦିବ୍ୟବୁଦ୍ଧିର ପ୍ରେରଣା ଦ୍ୱାରା ଏଭଳି ଅନୁଭବ ହେବ ଯେପରି ଦିବ୍ୟଦୃଷ୍ଟି ଦ୍ୱାରା ସ୍ପଷ୍ଟ ରୂପରେ ଦେଖାଯାଇଥାଏ । ଏବେ ତ ସଜବାଜ ହେଉଛ ତେଣୁ ପ୍ରତ୍ୟକ୍ଷତାର ପରଦା ଖୋଲୁନାହିଁ । ଯେତେବେଳେ ପୂର୍ଣ୍ଣ ରୂପରେ ସଜ ହୋଇଯିବ ସେତେବେଳେ ପରଦା ଖୋଲିଯିବ ଏବଂ ତୁମେ ନିଜକୁ ମଧ୍ୟ ଦେଖିପାରିବ । ତାପରେ ସମସ୍ତଙ୍କ ମୁଖରୁ ବାହାରିବ ଇଏ ଅମୁକ ଦେବୀ ଆସିଲେ, ଅମୁକ ଦେବତା ଆସିଲେ । ଆଚ୍ଛା!

ଭୋଳାନାଥ ବାବାଙ୍କର ସରଳ ହୃଦୟବାନ, ସହଜ ସ୍ୱଭାବଯୁକ୍ତ ସହଜଯୋଗୀ ଭୋଳା ପିଲାମାନେ, ସଦାସର୍ବଦା ବିନ୍ଦୁ ଏବଂ ବୁନ୍ଦାର ରହସ୍ୟକୁ ଜୀବନରେ ଧାରଣ କରୁଥିବା ଧାରଣା ସ୍ୱରୂପ ଆତ୍ମାମାନେ, ସଦାସର୍ବଦା ମନ-ବାଣୀ-କର୍ମରେ ଦୃଢ ସଂକଳ୍ପର ବ୍ରତକୁ ଧାରଣ କରୁଥିବା ଜ୍ଞାନୀ ତୁ ଆତ୍ମାମାନେ, ସଦାସର୍ବଦା ନିଜର ପୂଜ୍ୟ ସ୍ୱରୂପରେ ସ୍ଥିତ ରହୁଥିବା ପୂଜ୍ୟ ପିଲାମାନଙ୍କୁ ଭୋଳାନାଥ, ବରଦାତା, ବିଧାତା ପିତାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ଶିବଧ୍ୱଜା ଉତ୍ତୋଳନ କରିବା ପରେ ବାପଦାଦାଙ୍କର ମଧୁର ମହାବାକ୍ୟ:
ବାବା କହୁଛନ୍ତି ପିଲାମାନଙ୍କର ଝଣ୍ଡା ଅର୍ଥାତ୍ ପତାକା ସର୍ବଦା ମହାନ । ଯଦି ପିଲାମାନେ ନଥାନ୍ତେ ତେବେ ବାବା ମଧ୍ୟ କଣ କରିଥାଆନ୍ତେ । ତୁମେମାନେ ମଧ୍ୟ କହୁଛ ବାବାଙ୍କର ପତାକା ସର୍ବଦା ମହାନ (ଝଣ୍ଡା ଗୀତ ବାଜୁଥିଲା) ଏବଂ ବାବା କହୁଛନ୍ତି ପିଲାମାନଙ୍କର ଝଣ୍ଡା ମହାନ । ସଦାସର୍ବଦା ସବୁ ପିଲାଙ୍କର ମସ୍ତକରେ ବିଜୟ ପତାକା ଉଡୁଛି । ସମସ୍ତଙ୍କର ନୟନରେ, ସମସ୍ତଙ୍କର ମସ୍ତକରେ ବିଜୟ ପତାକା ଉଡୁଛି । ବାପଦାଦା ଦେଖୁଛନ୍ତି ଏଠାରେ ଗୋଟିଏ ପତାକା ଉଡାଯାଇନାହିଁ କିନ୍ତୁ ସମସ୍ତଙ୍କ ମସ୍ତକରେ ବିଜୟର ପତାକା ଅବିନାଶୀ ଭାବରେ ଉଡୁଛି ।

ପିତାଙ୍କ ସହିତ ସନ୍ତାନମାନଙ୍କର ବିଚିତ୍ର ଜନ୍ମ ଦିବସର ଅଭିନନ୍ଦନ:-
ଚାରିଆଡର ଅତିସ୍ନେହୀ, ସେବାର ସାଥୀ, ସର୍ବଦା ପାଦ ଉପରେ ପାଦ ରଖି ଚାଲୁଥିବା ପିଲାମାନଙ୍କୁ ଏହି ଅଲୌକିକ ବ୍ରାହ୍ମଣ ଜୀବନର ଜନ୍ମ ଦିନର ଅଭିନନ୍ଦନ । ସବୁ ପିଲାମାନଙ୍କୁ ବାପଦାଦା ୟାଦପ୍ୟାର ଏବଂ ଅଭିନନ୍ଦନ ଦେବାର ପ୍ରତିଦାନ ସ୍ୱରୂପ ସ୍ନେହଭରା ବାହୁର ମାଳା ପିନ୍ଧାଇବା ସହିତ ଅଭିନନ୍ଦନ ଦେଉଛନ୍ତି । ସବୁ ପିଲାମାନଙ୍କର ଏହି ଅଲୌକିକ ଜନ୍ମ ଦିବସକୁ ବିଶ୍ୱର ପ୍ରତ୍ୟେକ ଆତ୍ମା ସ୍ମାରକୀ ରୂପରେ ପାଳନ କରି ଆସୁଛନ୍ତି କାରଣ ବାବାଙ୍କ ସହିତ ପିଲାମାନେ ମଧ୍ୟ ବ୍ରାହ୍ଣଣ ଜୀବନରେ ସର୍ବଆତ୍ମାଙ୍କୁ ବହୁତ ବହୁତ ବହୁତ ସୁଖ-ଶାନ୍ତି, ଖୁସି ଏବଂ ଶକ୍ତିର ସହଯୋଗ ଦେଇଛନ୍ତି । ଏହି ସହଯୋଗ କାରଣରୁ ସମସ୍ତେ ହୃଦୟର ସହିତ ଶିବ ଏବଂ ଶାଳଗ୍ରାମମାନଙ୍କର ଜନ୍ମଦିନକୁ ଶିବଜୟନ୍ତୀ ରୂପରେ ପାଳନ କରୁଛନ୍ତି । ତେଣୁ ଏହିଭଳି ଶାଳଗ୍ରାମ ପିଲାମାନଙ୍କୁ ଶିବବାବା ଏବଂ ବ୍ରହ୍ମାବାବା ଉଭୟଙ୍କ ତରଫରୁ ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ । ସଦାସର୍ବଦା ଅଭିନନ୍ଦନ ପ୍ରାପ୍ତ କରୁଥାଅ, ସଦାସର୍ବଦା ବୃଦ୍ଧିକୁ ପ୍ରାପ୍ତ କରୁଥାଅ ଏବଂ ସଦାସର୍ବଦା ବିଧିପୂର୍ବକ ସିଦ୍ଧି ମଧ୍ୟ ପ୍ରାପ୍ତ ହେଉଥାଉ । ଆଚ୍ଛା!

ବିଦାୟ ସମୟରେ:- ଗୁଡମର୍ଣ୍ଣିଙ୍ଗ୍ (ସୁପ୍ରଭାତ) ତ ସମସ୍ତେ କରୁଛନ୍ତି କିନ୍ତୁ ତୁମମାନଙ୍କର ଗଡ ଅର୍ଥାତ୍ ପରମାତ୍ମାଙ୍କ ସହିତ ମିଳନ କରୁ କରୁ ମର୍ଣ୍ଣିଙ୍ଗ୍ (ସକାଳ) ହୋଇଗଲା ତେଣୁ ଏହାକୁ ଗଡଲୀ ମର୍ଣ୍ଣିଙ୍ଗ୍ ଅର୍ଥାତ୍ ଈଶ୍ୱରୀୟ ପ୍ରଭାତ କୁହାଯିବ ନା । ଗଡଙ୍କ ସହିତ ରାତି ବିତାଇଲ ଏବଂ ଗଡଙ୍କ ସହିତ ସକାଳ ମଧ୍ୟ ବିତାଉଛ । ତେଣୁ ସର୍ବଦା ଗଡ (ବାବା) ଏବଂ ଗୁଡ୍ (ଉତ୍ତମ) ଉଭୟ ମନେ ରହୁ । ଗଡଙ୍କର ସ୍ମୃତି ହିଁ ଗୁଡ୍ କରିଦେଇଥାଏ । ଯଦି ଗଡଙ୍କର ସ୍ମୃତି ନାହିଁ ତେବେ ଗୁଡ୍ ହୋଇପାରିବ ନାହିଁ । ତୁମେମାନେ ସଦା ସର୍ବଦା ଈଶ୍ୱରୀୟ ଜୀବନର ଅନୁଭବ କରୁଛ, ସେଥିପାଇଁ ତୁମର ପ୍ରତ୍ୟେକ ମୂହୁର୍ତ୍ତ, ପ୍ରତ୍ୟେକ ସଂକଳ୍ପ ଭଲ ହିଁ ଭଲ । ତେଣୁ କେବଳ ଗୁଡ୍ ମର୍ଣ୍ଣିଙ୍ଗ୍ (ଶୁଭସକାଳ) ଗୁଡ୍ ଇଭିନିଙ୍ଗ୍ (ଶୁଭସଂଧ୍ୟା) ବା ଗୁଡ୍ ନାଇଟ୍ (ଶୁଭରାତ୍ରି) ନୁହେଁ କିନ୍ତୁ ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ ସଂକଳ୍ପ ଗଡଙ୍କର ସ୍ମୃତି ରହୁଥିବା କାରଣରୁ ଗୁଡ୍ ଅର୍ଥାତ୍ ଭଲରେ କଟୁଛି । ଏହିଭଳି ଅନୁଭବ କରୁଛ! ଏବେ ତ ତୁମର ଜୀବନ ହିଁ ଶ୍ରେଷ୍ଠ ହୋଇଯାଇଛି କାରଣ ଈଶ୍ୱରଙ୍କ ସହିତ ଜୀବନ ବିତାଉଛ । ପ୍ରତ୍ୟେକ କର୍ମ ବାବାଙ୍କ ସହିତ ମିଶି କରୁଛ । ଏକୁଟିଆ କରୁନାହଁ ତ ? ଖାଇବା ବେଳେ ମଧ୍ୟ ବାବାଙ୍କର ସାଥୀରେ ଖାଉଛ ନା ଏକୁଟିଆ ଏକୁଟିଆ ଖାଉଛ ? ତେଣୁ ସର୍ବଦା ଗଡ୍ ଏବଂ ଗୁଡ୍ ଉଭୟଙ୍କର ସମ୍ବନ୍ଧକୁ ମନେରଖ ଏବଂ ଜୀବନରେ କାର୍ଯ୍ୟକାରୀ କର । ବୁଝିଲ-- ଆଚ୍ଛା, ସମସ୍ତଙ୍କୁ ବାପଦାଦାଙ୍କ ତରଫରୁ ଅମୃତବେଳାର ଅମର ୟାଦପ୍ୟାର ଏବଂ ନମସ୍ତେ ।

ବରଦାନ:-
ମହାଦାନୀ ହୋଇ ଉଦାର ହୃଦୟରେ ଖୁସିର ସମ୍ପତ୍ତି ବାଣ୍ଟୁଥିବା ମାଷ୍ଟର ଦୟାର ସାଗର ହୁଅ ।

ଲୋକମାନେ ଅଳ୍ପକାଳର ଖୁସି ପ୍ରାପ୍ତ କରିବା ପାଇଁ କେତେ ସମୟ ବା ଧନ ଖର୍ଚ୍ଚ କରୁଛନ୍ତି ପୁଣି ବି ପ୍ରକୃତ ଖୁସି ମିଳୁନାହିଁ, ଏହିଭଳି ଆବଶ୍ୟକତା ସମୟରେ ତୁମମାନଙ୍କୁ ମହାଦାନୀ ହୋଇ ଉଦାର ହୃଦୟରେ ଖୁସିର ଦାନ ଦେବାକୁ ହେବ । ସେଥିପାଇଁ ଦୟାଶୀଳ ହେବାର ଗୁଣକୁ ଜାଗ୍ରତ କର । ଯେହେତୁ ତୁମର ଜଡ ଚିତ୍ର ବରଦାନ ଦେଉଛି ତେଣୁ ତୁମେମାନେ ମଧ୍ୟ ଚୈତନ୍ୟ ରୂପରେ ଦୟାଶୀଳ ହୋଇ ବାଣ୍ଟିଚାଲ, କାହିଁକି ନା ସେମାନେ ପରବଶ ଆତ୍ମା ଅଟନ୍ତି । କେବେହେଲେ ଏକଥା ଭାବନାହିଁ ଯେ ଏମାନେ ତ ଶୁଣିବେ ହିଁ ନାହିଁ । ତୁମେମାନେ ଦୟାଶୀଳ ହୋଇ ଦେଇଚାଲ । ତୁମମାନଙ୍କର ଶୁଭଭାବନା ସେମାନଙ୍କୁ ଫଳ ନିଶ୍ଚିତ ପ୍ରାପ୍ତ କରାଇବ ।

ସ୍ଲୋଗାନ:-
ଯୋଗର ଶକ୍ତି ଦ୍ୱାରା ପ୍ରତ୍ୟେକ କର୍ମେନ୍ଦ୍ରିୟକୁ ଶୃଙ୍ଖଳିତ ଭାବରେ ଚଳାଉଥିବା ଆତ୍ମା ହିଁ ସ୍ୱରାଜ୍ୟ ଅଧିକାରୀ ଅଟନ୍ତି ।