03.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଶିକ୍ଷା ହିଁ ଆୟ ବା ଆୟର ପନ୍ଥା, ତେଣୁ ଏହି ଶିକ୍ଷା ଆଧାରରେ ହିଁ ତୁମକୁ ୨୧ ଜନ୍ମ ପାଇଁ ସମ୍ପତ୍ତି ଜମା କରିବାକୁ ହେବ ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କ ଉପରେ ବୃହସ୍ପତିର ଦଶା ଥିବ ସେମାନଙ୍କର ଲକ୍ଷଣ କଣ ଦେଖାଯିବ ?

ଉତ୍ତର:-
ସେମାନଙ୍କର ପୁରା ପୁରା ଧ୍ୟାନ ଶ୍ରୀମତ ଉପରେ ଥିବ । ସେମାନେ ପାଠପଢାକୁ ଭଲ ଭାବରେ ପଢ଼ୁଥିବେ । କେବେ ବି ଫେଲ୍ ହେବେ ନାହିଁ । ଯେଉଁମାନେ ଶ୍ରୀମତର ଉଲଙ୍ଘନ କରନ୍ତି ସେହିମାନେ ହିଁ ପାଠପଢ଼ାରେ ଫେଲ୍ ହୁଅନ୍ତି, ସେମାନଙ୍କ ଉପରେ ରାହୁଦଶା ପଡିଯାଏ । ଏବେ ତୁମମାନଙ୍କ ଉପରେ ବୃକ୍ଷପତି ବାବାଙ୍କ ଦ୍ୱାରା ବୃହସ୍ପତିର ଦଶା ପଡିଛି ।

ଗୀତ:-
ଇସ୍ ପାପ କି ଦୁନିଆ ସେ...

ଓମ୍ ଶାନ୍ତି ।
ଏହା ହିଁ ପାପାତ୍ମାମାନଙ୍କ ଆର୍ତ୍ତନାଦ । ତୁମେ ଏବେ ବାବାଙ୍କୁ ଡାକୁନାହଁ କାରଣ ତୁମେ ପବିତ୍ର ହେଉଛ । ଏହା ଧାରଣ କରିବା ଯୋଗ୍ୟ କଥା ଅଟେ । ଏହି ଜ୍ଞାନ ବହୁତ ଶ୍ରେଷ୍ଠ ସମ୍ପତ୍ତି ଅଟେ । ଯେପରି ସ୍କୁଲ୍ର ପାଠପଢା ମଧ୍ୟ ସମ୍ପତ୍ତି ଅଟେ ନା । ପାଠପଢ଼ା ଦ୍ୱାରା ଶରୀର ନିର୍ବାହ ହୋଇଥାଏ । ପିଲାମାନେ ଜାଣିଛନ୍ତି ଆମକୁ ଭଗବାନ ପଢ଼ାଉଛନ୍ତି । ଏହା ବହୁତ ଶ୍ରେଷ୍ଠ ରୋଜଗାର ଅଟେ କାରଣ ପାଠପଢାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ଅଛି । ଏହା ଏକମାତ୍ର ହିଁ ସଚ୍ଚା ସତ୍ସଙ୍ଗ ଅଟେ । ବାକି ସବୁ ମିଥ୍ୟାସଙ୍ଗ । ତୁମେ ଜାଣିଛ ସାରା କଳ୍ପରେ ଏଭଳି ସତ୍ସଙ୍ଗ ଥରେ ମାତ୍ର ହୁଏ । ଯେତେବେଳେ ସମସ୍ତେ ଡାକିଥାନ୍ତି ହେ ପତିତ ପାବନ ଆସ । ଏବେ ସେମାନେ ଡାକି ଚାଲିଛନ୍ତି, କିନ୍ତୁ ପତିତ-ପାବନ ଏଠାରେ ତୁମ ସମ୍ମୁଖରେ ବସିଛନ୍ତି । ତୁମେମାନେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛୁ, ଯେଉଁଠି ଦୁଃଖର ଚିହ୍ନ ବର୍ଣ୍ଣ ନଥିବ । ତୁମକୁ ସ୍ୱର୍ଗରେ ହିଁ ଶାନ୍ତି ମିଳିଥାଏ । ନର୍କରେ କଣ ଶାନ୍ତି ଅଛି ? ଏହା ତ ବିଷର ସାଗର, କଳିଯୁଗ ଅଟେ ନା । ସମସ୍ତେ ଦୁଃଖୀ ହିଁ ଦୁଃଖୀ ଅଟନ୍ତି । ଭ୍ରଷ୍ଟାଚାରରୁ ଜନ୍ମ ନେଇଛନ୍ତି ସେଥିପାଇଁ ଆତ୍ମା ଡାକୁଛି ବାବା ଆମେ ପତିତ ହୋଇଯାଇଛୁ । ପବିତ୍ର ହେବା ପାଇଁ ଗଙ୍ଗାସ୍ନାନ କରିବାକୁ ଯାଆନ୍ତି । ଆଚ୍ଛା, ସ୍ନାନ କରିବା ପରେ ତ ପବିତ୍ର ହୋଇଯିବା ଉଚିତ୍ । ତଥାପି ବାରମ୍ବାର ଧକ୍କା କାହିଁକି ଖାଉଛନ୍ତି ? ଅର୍ଥାତ୍ ଅନେକ ତୀର୍ଥ କାହିଁକି ଯାଉଛନ୍ତି । ଧକ୍କା ଖାଇ ସିଢ଼ି ତଳକୁ ଖସି ଖସି ପାପ ଆତ୍ମା ହୋଇଯାଇଛ । ୮୪ ଜନ୍ମର ରହସ୍ୟ ତୁମମାନଙ୍କୁ ବାବା ହିଁ ବସି ବୁଝାଉଛନ୍ତି । ଅନ୍ୟ ଧର୍ମାବଲମ୍ବୀ ତ ୮୪ ଜନ୍ମ ନିଅନ୍ତି ନାହିଁ । ତୁମ ପାଖରେ ଏହି ୮୪ ଜନ୍ମର ଚିତ୍ର ବହୁତ ଭଲ ତିଆରି ହୋଇ ରହିଛି । ଗୀତାରେ ମଧ୍ୟ କଳ୍ପ ବୃକ୍ଷର ଚିତ୍ର ଅଛି । ପରନ୍ତୁ ଭଗବାନ ଗୀତା କେବେ ଶୁଣାଇଲେ, ଭଗବାନ ଆସି କଣ କଲେ, ଏହା କିଛି ଜାଣନ୍ତି ନାହିଁ । ଅନ୍ୟ ଧର୍ମାବଲମ୍ବୀ ନିଜ ନିଜର ଶାସ୍ତ୍ରକୁ ଜାଣନ୍ତି, ଭାରତବାସୀ ବିଲ୍କୁଲ୍ ଜାଣିନାହାନ୍ତି । ବାବା କହୁଛନ୍ତି ମୁଁ ସଙ୍ଗମଯୁଗରେ ହିଁ ସ୍ୱର୍ଗର ସ୍ଥାପନା କରିବାକୁ ଆସିଥାଏ । ଡ୍ରାମାରେ କିଛି ପରିବର୍ତ୍ତନ ହୋଇପାରିବ ନାହିଁ । ଯାହାକିଛି ଡ୍ରାମାରେ ନିର୍ଦ୍ଧାରିତ ହୋଇଛି, ତାହା ଠିକ୍ ସେହିପରି ହେବ । ଏପରି ନୁହେଁ, ହୋଇସାରି ପୁଣି ବଦଳିଯିବ । ତୁମମାନଙ୍କ ବୁଦ୍ଧିରେ ଡ୍ରାମାର ଜ୍ଞାନ ପୂର୍ଣ୍ଣ ରୂପେ ରହିଛି । ୮୪ର ଚକ୍ରରୁ ତୁମେ କେବେ ମୁକ୍ତ ହୋଇପାରିବ ନାହିଁ ଅର୍ଥାତ୍ ଏହି ଦୁନିଆ କେବେ ସମାପ୍ତ ହୋଇପାରିବ ନାହିଁ । ବିଶ୍ୱର ଇତିହାସ ଭୂଗୋଳ ପୁନରାବୃତ୍ତି ହୋଇ ଚାଲିଛି । ଏହି ୮୪ର ଚକ୍ର ସିଢ଼ି ଚିତ୍ର ବହୁତ ଜରୁରୀ । ତ୍ରିମୂର୍ତ୍ତି ଓ ଗୋଲା (ସୃଷ୍ଟିଚକ୍ର) ତ ମୁଖ୍ୟ ଚିତ୍ର ଅଟେ । ସୃଷ୍ଟିଚକ୍ରରେ ସ୍ପଷ୍ଟ ଭାବରେ ଦେଖାଯାଇଛି ପ୍ରତ୍ୟେକ ଯୁଗ ୧୨୫୦ ବର୍ଷର ଅଟେ । ଏହା ଯେପରି ଅନ୍ଧମାନଙ୍କ ଆଗରେ ଆଇନା ସଦୃଶ । ୮୪ ଜନ୍ମପତ୍ରୀର ଆଇନା । ବାବା ତୁମମାନଙ୍କର ଦଶା ବର୍ଣ୍ଣନା କରୁଛନ୍ତି । ବାବା ତୁମକୁ ବେହଦର ଅର୍ଥାତ୍ ପୁରାକଳ୍ପର ଦଶା ବତାଉଛନ୍ତି । ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡିଛି । ତାପରେ ପାଠପଢ଼ା ଉପରେ ସବୁ ନିର୍ଭର କରେ । କାହା ଉପରେ ବୃହସ୍ପତିର, କାହା ଉପରେ ଶୁକ୍ରର, କାହା ଉପରେ ରାହୁର ଦଶା ପଡିଛି । ଯିଏ ଫେଲ୍ ହୁଅନ୍ତି ତାଙ୍କ ପାଇଁ ରାହୁ ଦଶା କୁହାଯାଏ । ଏଠାରେ ମଧ୍ୟ ସେହିପରି । ଯେଉଁମାନେ ଶ୍ରୀମତରେ ଚାଲନ୍ତି ନାହିଁ ତାଙ୍କ ଉପରେ ରାହୁର ଅବିନାଶୀ ଦଶା ପଡିଯାଏ । କାହା ଉପରେ ବୃହସ୍ପତିର ଅବିନାଶୀ ଦଶା, ଏହା ପୁଣି ରାହୁର ଦଶା ହୋଇଯାଉଛି । ପିଲାମାନଙ୍କୁ ପାଠପଢ଼ା ପ୍ରତି ପୁରା ଧ୍ୟାନ ଦେବା ଦରକାର, ଏଥିରେ କିଛି ବାହାନା କରିବାର ନାହିଁ । କହିଥାନ୍ତି ସେଣ୍ଟର ଦୂରରେ, ଏପରି ଅସୁବିଧା ଅଛି..... ଚାଲି ଚାଲି ଗଲେ ଯଦି ୬ ଘଣ୍ଟା ବି ଲାଗିବ ତେବେ ବି ସେବାକେନ୍ଦ୍ରରେ ପହଞ୍ଚିବା ଦରକାର । ଲୋକମାନେ ତୀର୍ଥଯାତ୍ରାରେ ଯାଆନ୍ତି, କେତେ ହଇରାଣ ହୋଇଥାନ୍ତି । ଆଗରୁ ବହୁତ ଚାଲି ଚାଲି ଯାଉଥିଲେ, ବଦଳଗାଡିରେ ବି ଯାଉଥିଲେ । ଏହା ତ ଗୋଟିଏ ସହରର କଥା । ଏହା ବାବାଙ୍କର କେତେ ବଡ ବିଶ୍ୱ ବିଦ୍ୟାଳୟ ଅଟେ, ଯେଉଁଠି ତୁମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେଉଛ । ଏପରି ଉଚ୍ଚ ପାଠପଢା ପାଇଁ କେହି ଯଦି କହିବେ ଦୂର ହୋଇଯାଉଛି ବା ସମୟ ହେଉନାହିଁ! ବାବା କଣ କହିବେ ? କହିବେ ଏହି ପିଲା ତ ଯୋଗ୍ୟ ନୁହେଁ । ବାବା ଉଚ୍ଚକୁ ଚଢ଼ାଇବାକୁ ଆସିଛନ୍ତି, ଇଏ ତ ନିଜର ସତ୍ୟାନାଶ କରି ଦେଉଛି ।

ଶ୍ରୀମତ କହୁଛି ପବିତ୍ର ହୁଅ, ଦୈବୀଗୁଣ ଧାରଣ କର । ପତିପତ୍ନୀ ଏକାଠି ରହି ମଧ୍ୟ ବିକାରୀ ହୁଅ ନାହିଁ । ମଝିରେ ଜ୍ଞାନ-ଯୋଗର ଖଣ୍ଡା ଅର୍ଥାତ୍ ବଳ ରହିଛି । ଆମକୁ ତ ପବିତ୍ର ଦୁନିଆର ମାଲିକ ହେବାର ଅଛି । ଏବେ ତ ପତିତ ଦୁନିଆର ମାଲିକ ଅଟ । ସେହି ଦେବତାମାନେ ଦ୍ୱି-ମୁକୁଟଧାରୀ ଥିଲେ ପୁଣି ଅଧାକଳ୍ପ ପରେ ବିକାରି ହେଲେ ମୁକୁଟ ହଟିଯାଏ । ବର୍ତ୍ତମାନ କାହା ମସ୍ତକରେ ଲାଇଟ୍ର ମୁକୁଟ ନାହିଁ । କେବଳ ଯିଏ ଧର୍ମସ୍ଥାପକ ଅଟନ୍ତି, ତାଙ୍କ ମସ୍ତକରେ ଥାଇପାରେ କାରଣ ସେମାନେ ପବିତ୍ର ଆତ୍ମା, ଶରୀରରେ ଆସି ପ୍ରବେଶ କରନ୍ତି । ଏହି ଭାରତ, ଯେଉଁଠି ଦ୍ୱି-ମୁକୁଟଧାରୀ ମଧ୍ୟ ଥିଲେ, ଗୋଟିଏ ମୁକୁଟଧାରୀ ମଧ୍ୟ ଥିଲେ । ଏପର୍ଯ୍ୟନ୍ତ ମଧ୍ୟ ଦ୍ୱି-ମୁକୁଟଧାରୀଙ୍କ ଆଗରେ ଗୋଟିଏ ମୁକୁଟଧାରୀ ମୁଣ୍ଡ ନୁଆଁଉଛନ୍ତି କାରଣ ସେମାନେ ହେଉଛନ୍ତି ପବିତ୍ର ମହାରାଜା-ମହାରାଣୀ । ମହାରାଜାମାନେ ରାଜାମାନଙ୍କଠାରୁ ବଡ, ତାଙ୍କ ପାଖରେ ବଡ ବଡ ଜାଗୀର ଅର୍ଥାତ୍ ଭୂସମ୍ପତ୍ତିର ମାଲିକାନା ଥାଏ । ସଭାରେ ମଧ୍ୟ ମହାରାଜାମାନେ ଆଗରେ ଓ ରାଜାମାନେ କ୍ରମାନୁସାରେ ପଛରେ ବସନ୍ତି । ନିୟମାନୁସାରେ ସେମାନଙ୍କର ଦରବାର ଲାଗେ । ଏହା ମଧ୍ୟ ଈଶ୍ୱରୀୟ ଦରବାର ଅଟେ, ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ । ତୁମେ ଜ୍ଞାନ ଦ୍ୱାରା ପରୀ ହେଉଛ । ସୁନ୍ଦରକୁ ପରୀ କୁହାଯାଏ ନା! ରାଧା-କୃଷ୍ଣଙ୍କର ବାସ୍ତବିକ ସୁନ୍ଦରତା ଅଛି ନା, ସେଥିପାଇଁ ତାଙ୍କୁ ସୁନ୍ଦର କୁହାଯାଏ । ତାପରେ ଯେତେବେଳେ କାମଚିତା ଉପରେ ବସନ୍ତି ବା ବିକାରୀ ହୁଅନ୍ତି । ସେମାନେ ମଧ୍ୟ ଭିନ୍ନ ନାମ-ରୂପରେ ଶ୍ୟାମ ହୁଅନ୍ତି । ଶାସ୍ତ୍ରରେ ଏସବୁ କିଛି କଥା ନାହିଁ । ଜ୍ଞାନ, ଭକ୍ତି ଓ ବୈରାଗ୍ୟ, ତିନୋଟି ଜିନିଷ ଅଛି । ଜ୍ଞାନ ସର୍ବୋଚ୍ଚ ଅଟେ । ତୁମେ ଏବେ ଜ୍ଞାନ ପ୍ରାପ୍ତ କରୁଛ । ତୁମକୁ ଭକ୍ତିରୁ ବୈରାଗ୍ୟ ଆସିଛି । ଏହି ସାରା ତମୋପ୍ରଧାନ ଦୁନିଆ ଏବେ ବିନାଶ ହେବାକୁ ଯାଉଛି ତେଣୁ ତାପ୍ରତି ବୈରାଗ୍ୟ ଆସୁଛି । ଯେତେବେଳେ ନୂଆ ଘର ତିଆରି କରନ୍ତି ତ ପୁରୁଣାରୁ ବୈରାଗ୍ୟ ଆସିଯାଏ ନା । ତାହା ହେଲା ଲୌକିକ ଘରର କଥା, ଏହା ପୁରା ଦୁନିଆର କଥା । ଏବେ ବୁଦ୍ଧି ନୂଆ ଦୁନିଆ ଆଡେ ରହିଛି । ଏହା ହେଲା ପୁରୁଣା ଦୁନିଆ ନର୍କ, ସତ୍ୟଯୁଗ-ତ୍ରେତାକୁ କୁହାଯାଏ ଶିବାଳୟ । ଶିବବାବା ସ୍ଥାପନା କରିଛନ୍ତି ନା । ଏହି ବୈଶ୍ୟାଳୟରୁ ଏବେ ତୁମକୁ ଘୃଣା ଆସୁଛି । କାହା କାହାକୁ ଘୃଣା ଲାଗୁ ନାହିଁ । ବିବାହ କରି ନିଜକୁ ବରବାଦୀ କରି ନର୍ଦ୍ଦମାରେ ପଡିବାକୁ ଚାହାନ୍ତି । ମନୁଷ୍ୟମାନେ ତ ସମସ୍ତେ ବିଷୟ ବୈତରଣୀ ନଦୀରେ ଅଛନ୍ତି, ଆବର୍ଜନାରେ ପଡିଛନ୍ତି । ପରସ୍ପରକୁ ଦୁଃଖ ଦେଉଛନ୍ତି । ଗାୟନ ରହିଛି ଅମୃତ ଛାଡି ବିଷ କାହିଁକି ଖାଇଲ । ଯାହା କିଛି କହୁଛନ୍ତି ତାର ଅର୍ଥ ବୁଝି ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଅଛନ୍ତି । ବୁଦ୍ଧିବାନ୍ ଶିକ୍ଷକ ଦେଖିବା ମାତ୍ରେ ବୁଝିଯିବେ ଯେ ଏହି ଛାତ୍ରଙ୍କ ବୁଦ୍ଧି କେଉଁଆଡେ ଘୂରୁଛି, କ୍ଲାସ୍ ମଝିରେ କେହି ହାଇ ମାରୁଛନ୍ତି ବା ଢୁଳାଉଛନ୍ତି ତ ବୁଝାଯାଏ ଏହାଙ୍କ ବୁଦ୍ଧି କେଉଁଠି ଘର ଦ୍ୱାର ବା ବ୍ୟବସାୟ ଆଡେ ଘୂରୁଛି । ହାଇ ମାରିବା କ୍ଳାନ୍ତିର ମଧ୍ୟ ଲକ୍ଷଣ ଅଟେ । ବ୍ୟବସାୟରେ ମନୁଷ୍ୟଙ୍କର ରୋଜଗାର ହେଉଥିଲେ ରାତି ୧-୨ ପର୍ଯ୍ୟନ୍ତ ବି ବସି ରହନ୍ତି, କେବେ ହାଇ ଆସେ ନାହିଁ । ବାବା ତ କେତେ ସମ୍ପତ୍ତି ଦେଉଛନ୍ତି । ହାଇ ମାରିବା କ୍ଷତି ହେବାର ଲକ୍ଷଣ । ଦେବାଳିଆ ଲୋକ ଅଣନିଶ୍ୱାସୀ ହୋଇ ବହୁତ ହାଇ ମାରନ୍ତି । ତୁମକୁ ତ ସମ୍ପତ୍ତି ପରେ ସମ୍ପତ୍ତି ମିଳିଚାଲୁଛି ତେବେ କେତେ ଧ୍ୟାନ ଦେବା ଦରକାର । ପାଠପଢ଼ା ସମୟରେ କେହି ହାଇ ମାରିଲେ ବୁଦ୍ଧିବାନ ଶିକ୍ଷକ ବୁଝିଯିବେ ଯେ ୟାଙ୍କ ବୁଦ୍ଧିଯୋଗ ଅନ୍ୟ କୁଆଡେ ଘୂରୁଛି । ଏଠାରେ ବସି ମଧ୍ୟ ଘରଦ୍ୱାର ମନେପଡିବ, ପିଲାମାନଙ୍କୁ ମନେପକାଇବେ । ଏଠାରେ ତୁମକୁ ଭଟ୍ଟୀରେ ଅର୍ଥାତ୍ ଜ୍ଞାନ ଯୋଗର ଭାଟୀରେ ରହିବାକୁ ପଡେ, ଯେପରି ଅନ୍ୟ କେହି ମନେ ନ ପଡନ୍ତୁ । ଧରିନିଅ କେହି ୬ ଦିନ ଭଟ୍ଟୀ ରହିଲେ, ଶେଷ ଦିନ କେହି ମନେ ପଡିଲେ, ତାଙ୍କ ପାଖକୁ ଚିଠି ଲେଖିଲେ ତେବେ ଫେଲ୍ ହୋଇଗଲେ ନା । ବାବା କହିବେ ପୁଣି ଥରେ ୭ ଦିନ ପାଇଁ ଆରମ୍ଭ କର । ୭ ଦିନ ଭଟ୍ଟୀରେ ରଖାଯାଏ ଯାହା ଦ୍ୱାରା ସବୁ ରୋଗ ବାହାରିଯିବ । ତୁମେ ଅଧାକଳ୍ପର ମହାନ୍ ରୋଗୀ ଅଟ । ବସି ବସି ଅକାଳ ମୃତ୍ୟୁ ହୋଇଯାଉଛି । ସତ୍ୟଯୁଗରେ ଏପରି କେବେ ହୁଏ ନାହିଁ । ଏଠାରେ ତ କିଛି ନା କିଛି ରୋଗ ନିଶ୍ଚିତ ଅଛି । ମରିବାବେଳେ ରୋଗରେ ଚିତ୍କାର କରନ୍ତି । ସ୍ୱର୍ଗରେ ଟିକେ ବି ଦୁଃଖ ହୁଏ ନାହିଁ । ସେଠାରେ ତ ଠିକ୍ ସମୟରେ ଜାଣିପାରନ୍ତି ଏବେ ସମୟ ପୁରା ହେଲା, ମୁଁ ଏହି ଶରୀର ତ୍ୟାଗ କରି ଛୋଟ ପିଲା ହେବି । ଏଠାରେ ବି ତୁମକୁ ସାକ୍ଷାତ୍କାର ହେବ କି ଏହା ହେବାକୁ ଯାଉଛି । ବହୁ ଜଣଙ୍କୁ ଏପରି ମଧ୍ୟ ସାକ୍ଷାତ୍କାର ହୋଇଥାଏ । ଜ୍ଞାନ ଆଧାରରେ ମଧ୍ୟ ଜାଣନ୍ତି ଯେ ମୁଁ ଭିକାରୀରୁ ରାଜକୁମାର ହେବାକୁ ଯାଉଛି । ରାଧା କୃଷ୍ଣ ହେବା ହିଁ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ, ଲକ୍ଷ୍ମୀ-ନାରାୟଣ ନୁହେଁ, ରାଧା-କୃଷ୍ଣ ହିଁ ଆମର ଲକ୍ଷ୍ୟ କାରଣ ପୁରା ୫ ହଜାର ବର୍ଷ ତ ଏମାନଙ୍କୁ କୁହାଯିବ । ଲକ୍ଷ୍ମୀ ନାରାୟଣଙ୍କର ତ ତଥାପି ୨୦-୨୫ ବର୍ଷ କମ୍ ହୋଇଯାଉଛି ସେଥିପାଇଁ କୃଷ୍ଣଙ୍କ ମହିମା ଅଧିକ ରହିଛି । ଏହା ମଧ୍ୟ କେହି ଜାଣିନାହାନ୍ତି ଯେ ରାଧା କୃଷ୍ଣ ହିଁ ପୁଣି ସେହି ଲକ୍ଷ୍ମୀ-ନାରାୟଣ ହୁଅନ୍ତି । ଏବେ ତୁମେମାନେ ବୁଝିଯାଇଛ କି ଏହା ପାଠପଢ଼ା ଅଟେ । ପ୍ରତି ଗାଁ ଗାଁରେ ସେଣ୍ଟର ଖୋଲିଚାଲ । ଏହା ତୁମର ବିଶ୍ୱ ବିଦ୍ୟାଳୟ ସହ ହସ୍ପିଟାଲ୍ ଅଟେ । ଏଥିପାଇଁ କେବଳ ୩ ପାଦ ପୃଥିବୀ (ଛୋଟିଆ ସ୍ଥାନଟିଏ) ଦରକାର । ଆଶ୍ଚର୍ଯ୍ୟ ଅଟେ ନା । ଯାହାଙ୍କ ଭାଗ୍ୟରେ ଅଛି ସେମାନେ ନିଜର କୋଠରୀରେ ମଧ୍ୟ ଗୀତା ପାଠଶାଳା ଖୋଲିଦିଅନ୍ତି । ଏଠାରେ ଯେଉଁମାନେ ବହୁତ ପଇସାବାଲା ଅଛନ୍ତି ସେମାନଙ୍କର ପଇସା ତ ସବୁ ମାଟିରେ ମିଶିଯିବ । ତୁମେ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ବାବା ନିଜେ କହୁଛନ୍ତି ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ସେଠାରେ ଲଗାଅ, କର୍ମ କରି ମଧ୍ୟ ଏହି ଅଭ୍ୟାସ କର । ସବୁ କଥା ଦେଖିବାକୁ ପଡେ ନା । ତୁମକୁ ଏବେ ଅଭ୍ୟାସ କରାଯାଉଛି । ବାବା ବୁଝାଉଛନ୍ତି ସର୍ବଦା ଶୁଦ୍ଧ ଓ ଶ୍ରେଷ୍ଠ କର୍ମ କର, କିଛି ଅଶୁଦ୍ଧ କାମ କରନାହିଁ । କିଛି ବି ରୋଗ ହେଲେ ସର୍ଜନ ବସିଛନ୍ତି ତାଙ୍କଠାରୁ ପରାମର୍ଶ ନିଅ । ପ୍ରତ୍ୟେକଙ୍କର ରୋଗ ଅଲଗା, ସର୍ଜନ ଠାରୁ ତ ଭଲ ପରାମର୍ଶ ମିଳିବ । ତୁମେ ପଚାରିପାରିବ ଏହି ଅବସ୍ଥାରେ କଣ କରିବୁ ? ଧ୍ୟାନ ରଖିବାର ଅଛି ଯେପରି କିଛି ବିକର୍ମ ନହେଉ ।

ଏହା ମଧ୍ୟ ଗାୟନ କରାଯାଏ ଯେପରି ଅନ୍ନ ସେପରି ମନ । ମାଂସ କିଣୁଥିବା, ବିକୁଥିବା, ରୋଷେଇ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ପାପ ଲାଗିଯାଏ । ପତିତ ପାବନ ବାବାଙ୍କୁ କୌଣସି କଥା ଲୁଚାଅ ନାହିଁ । ସର୍ଜନଙ୍କୁ ଲୁଚାଇଲେ ରୋଗରୁ ମୁକ୍ତ ହୋଇ ପାରିବ ନାହିଁ । ଇଏ ହେଲେ ବେହଦର ଅବିନାଶୀ ସର୍ଜନ । ଏସବୁ କଥାକୁ ଦୁନିଆ ତ ଜାଣିନାହିଁ । ତୁମକୁ ମଧ୍ୟ ଏବେ ଜ୍ଞାନ ମିଳିଛି ତଥାପି ମଧ୍ୟ ଯୋଗଯୁକ୍ତ ସ୍ଥିତି କମ ରହୁଛି । ବିଲ୍କୁଲ୍ ୟାଦ କରୁନାହାନ୍ତି । ଏହା ତ ବାବା ଜାଣନ୍ତି ଯେ କ୍ଷଣିକ ମଧ୍ୟରେ ଯୋଗ ଲାଗିଯିବ ନାହିଁ । କ୍ରମାନୁସାରେ ତ ଅଛନ୍ତି ନା । ଯେତେବେଳେ ୟାଦର ଯାତ୍ରା ସମ୍ପୂର୍ଣ୍ଣ ହେବ ତେବେ କହିବା କର୍ମାତୀତ ଅବସ୍ଥା ପୁରା ହେଲା, ତାପରେ ଲଢ଼େଇ ବି ପୁରା ଲାଗିବ, ସେପର୍ଯ୍ୟନ୍ତ କିଛି ନା କିଛି ଯୁଦ୍ଧ ହେଉଥିବ ପୁଣି ବନ୍ଦ ହୋଇଯାଉଥିବ । ଲଢ଼େଇ ତ କେତେବେଳେ ବି ଲାଗିପାରେ । ପରନ୍ତୁ ବିବେକ କହୁଛି ଯେପର୍ଯ୍ୟନ୍ତ ରାଜ୍ୟ ସ୍ଥାପନ ହୋଇନାହିଁ ସେପର୍ଯ୍ୟନ୍ତ ବଡ ଲଢ଼େଇ ଅର୍ଥାତ୍ ବିଶ୍ୱଯୁଦ୍ଧ ହେବ ନାହିଁ । କିଛି କିଛି ହୋଇ ବନ୍ଦ ହୋଇଯିବ । ଏହା ତ କେହି ଜାଣିନାହାନ୍ତି କି ରାଜତ୍ୱ ସ୍ଥାପନ ହେଉଛି । ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋ ବୁଦ୍ଧି ତ ଅଛନ୍ତି ନା । ତୁମମାନଙ୍କ ମଧ୍ୟରେ ବି ସତ୍ତ୍ୱପ୍ରଧାନ ବୁଦ୍ଧିବାଲା ଭଲ ଭାବରେ ୟାଦ କରିବେ । ବ୍ରାହ୍ମଣ ତ ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ହେବେ ପରନ୍ତୁ ତାଙ୍କ ମଧ୍ୟରେ ବି ନିଜର ପିଲା ଓ ସଉତୁଣିର ପିଲା ଥିବେ ନା । ନିଜର ପିଲାମାନେ ଭଲ ସେବା କରିବେ, ମାଁ-ବାବାଙ୍କ ମତରେ ଚାଲିବେ । ସଉତୁଣୀର ପିଲାମାନେ ରାବଣ ମତରେ ଚାଲିବେ । କିଛି ରାବଣ ମତ, କିଛି ରାମଙ୍କ ମତ ଉଭୟ ମତରେ ଛୋଟେଇ-ଛୋଟେଇ ଚାଲିବେ । ପିଲାମାନେ ତ ଗୀତ ଶୁଣିଲେ । କହୁଛନ୍ତି -- ବାବା, ଏପରି ସ୍ଥାନକୁ ନେଇଚାଲ ଯେଉଁଠି ଶାନ୍ତି ଅଛି । ସ୍ୱର୍ଗରେ ଶାନ୍ତି ହିଁ ଶାନ୍ତି, ଦୁଃଖର ଚିହ୍ନ ବର୍ଣ୍ଣ ନଥିବ । ସ୍ୱର୍ଗ ସତ୍ୟଯୁଗକୁ ହିଁ କୁହାଯାଏ । ଏବେ ତ ହେଉଛି କଳିଯୁଗ । ଏଠାରେ ପୁଣି ସ୍ୱର୍ଗ କୁଆଡୁ ଆସିଲା । ତୁମର ବୁଦ୍ଧି ଏବେ ସ୍ୱଚ୍ଛ ହୋଇଯାଉଛି । ସ୍ୱଚ୍ଛ ବୁଦ୍ଧିମାନମାନଙ୍କୁ ମ୍ଳେଚ୍ଛ ବୁଦ୍ଧିମାନ୍ ନମସ୍କାର କରୁଛନ୍ତି । ପବିତ୍ର ଆତ୍ମାଙ୍କର ମାନ ରହିଛି । ସନ୍ନ୍ୟାସୀମାନେ ପବିତ୍ର ରହୁଥିବାରୁ ଗୃହସ୍ଥୀମାନେ ତାଙ୍କ ପାଖରେ ନତମସ୍ତକ ହୁଅନ୍ତି । ସନ୍ନ୍ୟାସୀମାନେ ତ ବିକାରରୁ ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହେଉଛନ୍ତି । ଦେବତାମାନଙ୍କୁ ତ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଏ । ସନ୍ନ୍ୟାସୀମାନଙ୍କୁ କେବେ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯିବ ନାହିଁ । ତେଣୁ ତୁମମାନଙ୍କ ଭିତରେ ବହୁତ ଖୁସିର ପାରଦ ଚଢ଼ି ରହିବା ଦରକାର । ସେଥିପାଇଁ କୁହାଯାଏ ଅତିନ୍ଦ୍ରିୟ ସୁଖ ପଚାରିବାର ଅଛି ତେବେ ଗୋପ-ଗୋପୀମାନଙ୍କୁ ପଚାର, ଯିଏକି ବାବାଙ୍କଠାରୁ ବର୍ସା ନେଉଛନ୍ତି, ପଢ଼ୁଛନ୍ତି । ଏଠାରେ ସମ୍ମୁଖରେ ଶୁଣିଲେ ନିଶା ଚଢିଥାଏ ତାପରେ କାହାର ସ୍ଥାୟୀ ନିଶା ରହେ, କାହାର ତୁରନ୍ତ ନିଶା ଉତୁରିଯାଏ । ସଙ୍ଗଦୋଷ କାରଣରୁ ନିଶା ସ୍ଥାୟୀ ରହେନାହିଁ । ତୁମ ସେଣ୍ଟରମାନଙ୍କୁ ଏପରି ବହୁତ ଆସନ୍ତି । ଟିକେ ନିଶା ଚଢ଼ିଲା ତାପରେ ବିବାହ ଆଦିରେ ଯୋଗ ଦେବା ପାଇଁ ଗଲେ, ମଦ, ବିଡି, ସିଗାରେଟ୍ ଆଦି ପିଇଲେ, ଜ୍ଞାନର ନିଶା ଶେଷ ହୋଇଗଲା । ସଙ୍ଗଦୋଷ ବହୁତ ଖରାପ ଅଟେ । ହଂସ ଓ ବଗ ଏକାଠି ରହିପାରିବେ ନାହିଁ । ପତି ହଂସ ହେଉଛି ତ ପତ୍ନୀ ବଗ ହୋଇଯାଉଛି । କେଉଁଠି ପୁଣି ସ୍ତ୍ରୀ ହଂସୀ ହେଉଛି ତ, ପତି ବଗ ହୋଇଯାଉଛି । ପବିତ୍ର ରହିବାକୁ କହିଲେ ମାଡ ଖାଇବାକୁ ପଡିବ । କାହା କାହା ଘରେ ସମସ୍ତେ ହଂସ ଥାନ୍ତି ପୁଣି ଚାଲୁ ଚାଲୁ ବଦଳିଯାଇ ବଗ ହୋଇଯାଆନ୍ତି । ବାବା ତ କହୁଛନ୍ତି ସମସ୍ତେ ନିଜକୁ ସୁଖଦାୟୀ କର । ପିଲାମାନଙ୍କୁ ମଧ୍ୟ ସୁଖଦାୟୀ କରାଅ । ଏହା ତ ଦୁଃଖଧାମ ଅଟେ ନା । ଏବେ ତ ବହୁତ ବିପଦ ଆସିବାର ଅଛି ତାପରେ ଦେଖିବ କିପରି ତ୍ରାହି ତ୍ରାହି କରିବେ । ଆରେ, ବାବା ଆସିଲେ, ମୁଁ ବାବାଙ୍କଠାରୁ ବର୍ସା ପାଇଲି ନାହିଁ ପୁଣି ତ ବହୁତ ଡେରୀ ହୋଇଯିବ । ବାବା ସ୍ୱର୍ଗର ରାଜ୍ୟ ଦେବାକୁ ଆସିଛନ୍ତି, ସେମାନେ ହରାଇ ଦିଅନ୍ତି ସେଥିପାଇଁ ବାବା ବୁଝାଉଛନ୍ତି ଯେ ବାବାଙ୍କ ପାଖକୁ ସର୍ବଦା ମଜବୁତ ଆତ୍ମାମାନଙ୍କୁ ନେଇଆସ । ଯିଏ ନିଜେ ବୁଝି ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ବାକି ଶିବବାବା ଦେଖିବାର ଜିନିଷ ତ ନୁହଁନ୍ତି । ଶିବବାବା କଣ ଦେଖାଯାଆନ୍ତି । ନିଜର ଆତ୍ମାକୁ ଦେଖୁଛ କି ? କେବଳ ଜାଣିଛ । ସେହିପରି ପରମାତ୍ମାଙ୍କୁ ବି ଜାଣିବାର ଅଛି । ଦିବ୍ୟ ଦୃଷ୍ଟି ବିନା ତାଙ୍କୁ ଦେଖିହୁଏ ନାହିଁ । ଦିବ୍ୟ ଦୃଷ୍ଟିରେ ଏବେ ତୁମେ ସତ୍ୟଯୁଗ ଦେଖୁଛ ତାପରେ ସେଠାକୁ ପୁଣି ସାକାରରେ ଯିବାକୁ ହେବ । କଳିଯୁଗ ସେତେବେଳେ ବିନାଶ ହେବ ଯେତେବେଳେ ତୁମେମାନେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ବାବା ବା ନୂଆ ଦୁନିଆ ସହିତ ଲାଗି ରହୁ । ସର୍ବଦା ଧ୍ୟାନ ରହୁ ଯେ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବିକର୍ମ ନହେଉ । ସେଥିପାଇଁ ସଦାସର୍ବଦା ଶୁଦ୍ଧ କର୍ମ କରିବାକୁ ହେବ, ଭିତରେ ଯଦି କୌଣସି ବିକାର ରୂପୀ ବେମାରୀ ଅଛି ତେବେ ଆତ୍ମିକ ସର୍ଜନ ବାବାଙ୍କର ମତ ନେବାକୁ ହେବ ।

(୨) ସଙ୍ଗଦୋଷ ବହୁତ ଖରାପ ତେଣୁ ସେଥିରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ । ନିଜକୁ ଏବଂ ଈଶ୍ୱରୀୟ ପରିବାରକୁ ସୁଖଦାୟୀ କରିବାକୁ ହେବ । ପାଠପଢ଼ା ପାଇଁ କେବେ ବାହାନା କରିବାର ନାହିଁ ।

ବରଦାନ:-
ନିଜର ସବୁ କିଛି ସେବାରେ ଅର୍ପଣ କରୁଥିବା ଗୁପ୍ତ ଦାନୀ, ପୂଣ୍ୟଆତ୍ମା ହୁଅ ।

ଯାହା ବି ସେବା କରୁଛ ସେଗୁଡିକୁ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଅର୍ପଣ କରିଚାଲ । ଯେପରି ଭକ୍ତିମାର୍ଗରେ ଯେଉଁମାନେ ଗୁପ୍ତଦାନୀ ବା ପୁଣ୍ୟ ଆତ୍ମାମାନେ ଅଛନ୍ତି ସେମାନେ ଏହି ସଂକଳ୍ପ କରିଥାନ୍ତି ଯେ ସମସ୍ତଙ୍କର ମଙ୍ଗଳ ପାଇଁ ହେଉ । ସେହିଭଳି ତୁମମାନଙ୍କର ପ୍ରତ୍ୟେକ ସଂକଳ୍ପ ବିଶ୍ୱ ସେବା ପ୍ରତି ଅର୍ପିତ ହେଉ । କେବେ ବି ନିଜର ସ୍ୱାର୍ଥର କାମନା ରଖ ନାହିଁ । ସମସ୍ତଙ୍କ ପାଇଁ ସେବା କର । ଯେଉଁ ସେବା ବିଘ୍ନ ରୂପ ଧାରଣ କରୁଛି ତାହାକୁ ପ୍ରକୃତ ସେବା କୁହାଯିବ ନାହିଁ ସେଥିପାଇଁ ସେଥିରୁ ମମତ୍ୱ ତୁଟାଇ ଗୁପ୍ତ ଏବଂ ସଚ୍ଚା ସେବାଧାରୀ ହୋଇ ସେବା ଦ୍ୱାରା ବିଶ୍ୱ କଲ୍ୟାଣ କରିଚାଲ ।

ସ୍ଲୋଗାନ:-
ପ୍ରତ୍ୟେକ କଥାକୁ ପ୍ରଭୁଙ୍କୁ ଅର୍ପଣ କରିଦିଅ ତେବେ ଆସିବାକୁ ଥିବା ସବୁ ଅସୁବିଧା ସହଜ ଅନୁଭବ ହେବ ।