03.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ତୁମମାନଙ୍କୁ ବାବାଙ୍କ ସଦୃଶ ମିଠା ହେବାକୁ ପଡିବ, ତେଣୁ କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ, କେବେ ବି କ୍ରୋଧ କରିବା ଉଚିତ୍ ନୁହେଁ ।

ପ୍ରଶ୍ନ:-
ତୁମେମାନେ କର୍ମର ଗୁହ୍ୟ ଗତିକୁ ଜାଣିଛ ତେଣୁ କେଉଁ ପାପ କର୍ମ କରିପାରିବ ନାହିଁ?

ଉତ୍ତର:-
ଆଜି ପର୍ଯ୍ୟନ୍ତ ତୁମେମାନେ ଦାନକୁ ପୁଣ୍ୟ କର୍ମ ବୋଲି ଭାବୁଥିଲ, କିନ୍ତୁ ଏବେ ଜାଣୁଛ ଯେ, ଦାନ କରିବା ଦ୍ୱାରା ମଧ୍ୟ କେବେକେବେ ପାପ ହୋଇଯାଇଥାଏ, ଯଦି ଏଭଳି କାହାକୁ ପଇସା ଦେଲ ଏବଂ ସେହି ପଇସାରେ ସିଏ ପାପ କର୍ମ କରିଲେ, ତେବେ ତାର ପ୍ରଭାବ ମଧ୍ୟ ତୁମର ଅବସ୍ଥା ଉପରେ ନିଶ୍ଚିତ ପଡିବ, ସେଥିପାଇଁ ଦାନ ମଧ୍ୟ ବୁଝି ବିଚାରି କରିବାକୁ ହେବ ।

ଗୀତ:-
ଇସ୍ ପାପ କୀ ଦୁନିଆ ସେ...

ଓମ୍ ଶାନ୍ତି ।
ଏବେ ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ । ବାବା କହୁଛନ୍ତି - ହେ ଜୀବ ଆତ୍ମାମାନେ ଶୁଣୁଛ । ବାବା ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଆତ୍ମାମାନେ ଜାଣିଛନ୍ତି ଯେ - ଆମର ବେହଦର ବାବା ଆମକୁ ଏଠାରୁ ନେଇଯାଉଛନ୍ତି, ଯେଉଁଠାରେ ଦୁଃଖର ନାମ ହିଁ ନାହିଁ । ଗୀତରେ ମଧ୍ୟ ଗାଉଛନ୍ତି ଯେ, ଏହି ପାପର ଦୁନିଆରୁ ଆମକୁ ପବିତ୍ର ଦୁନିଆକୁ ନେଇଚାଲ । କିନ୍ତୁ ପାପର ଦୁନିଆ କାହାକୁ କୁହାଯାଏ, ଏକଥା ଦୁନିଆ ଜାଣିନାହିଁ । ଦେଖ, ଆଜିକାଲି ମନୁଷ୍ୟମାନଙ୍କ ଭିତରେ କାମ, କ୍ରୋଧ କେତେ ରହିଛି । କ୍ରୋଧର ବଶବର୍ତ୍ତୀ ହୋଇ କହୁଛନ୍ତି - ଆମେ ଏହି ଦେଶକୁ ନାଶ କରିଦେବୁ । ପୁଣି ଏକଥା ମଧ୍ୟ କହୁଛନ୍ତି - ହେ ଭଗବାନ ଆମକୁ ଘୋର ଅନ୍ଧକାରରୁ ଘୋର ଆଲୋକକୁ ନେଇଚାଲ କାହିଁକି ନା ଏହା ପୁରୁଣା ଦୁନିଆ । କଳିଯୁଗକୁ ପୁରୁଣା ଯୁଗ, ସତ୍ୟଯୁଗକୁ ନୂଆଯୁଗ ବୋଲି କୁହାଯାଏ । ବାବାଙ୍କ ବିନା ନୂଆଯୁଗ କେହି ଗଢିପାରିବେ ନାହିଁ । ଆମର ମିଠା ବାବା ଆମକୁ ଏବେ ଦୁଃଖଧାମରୁ ସୁଖଧାମକୁ ନେଇଯାଉଛନ୍ତି । ବାବା ଆପଣଙ୍କ ବିନା ଆଉ କେହି ଆମକୁ ସ୍ୱର୍ଗକୁ ନେଇପାରିବେ ନାହିଁ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ତଥାପି କାହାରି ବୁଦ୍ଧିରେ ରହୁନାହିଁ । ବର୍ତ୍ତମାନ ସମୟରେ ଆମକୁ ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି । ଶ୍ରେଷ୍ଠ ମତ ଦ୍ୱାରା ଆମେ ଶ୍ରେଷ୍ଠ ହେଉଛୁ । ଏଠାରେ ଶ୍ରେଷ୍ଠ ହେଲେ ଶ୍ରେଷ୍ଠ ଦୁନିଆରେ ଉଚ୍ଚ ପଦ ମିଳିବ । ଏହା ତ ଭ୍ରଷ୍ଟାଚାରୀ ରାବଣର ଦୁନିଆ । ନିଜ ମତରେ ଚାଲିବାକୁ ମନମତ କୁହାଯାଏ । ବାବା କହୁଛନ୍ତି, ଶ୍ରୀମତରେ ଚାଲ । କିନ୍ତୁ ତୁମକୁ ଆସୁରୀ ମତ ଘଡି ଘଡି ନର୍କକୁ ଠେଲି ଦେଉଛି । କ୍ରୋଧ କରିବା ଆସୁରୀ ମତ । ବାବା କହୁଛନ୍ତି, ପରସ୍ପର ଭିତରେ କ୍ରୋଧ କର ନାହିଁ । ସ୍ନେହର ସହିତ ଚାଲ । ପ୍ରତ୍ୟେକଙ୍କୁ ନିଜ ପାଇଁ ରାୟ ନେବାକୁ ହେବ । ବାବା କହୁଛନ୍ତି - ପିଲାମାନେ, ପାପ କାହିଁକି କରୁଛ, ପୁଣ୍ୟ କାମ କର । ନିଜର ଖର୍ଚ୍ଚ କମ୍ କରିଦିଅ । ତୀର୍ଥ ସମୟରେ ଧକ୍କା ଖାଇବା, ସନ୍ନ୍ୟାସୀମାନଙ୍କ ପାଖରେ ଧକ୍କା ଖାଇବା, ଏହି ସବୁ କର୍ମକାଣ୍ଡରେ କେତେ ଖର୍ଚ୍ଚ କରୁଛ । ବାବା ସେସବୁ ଛଡାଇ ଦେଉଛନ୍ତି । ବିବାହ ସମୟରେ ଲୋକମାନେ କେତେ ଆଡମ୍ବର କରୁଛନ୍ତି, କରଜ ନେଇ ମଧ୍ୟ ବିବାହ କରାଉଛନ୍ତି । ପ୍ରଥମତଃ କରଜ ଉଠାଉଛନ୍ତି, ଦ୍ୱିତୀୟରେ ପତିତ ହେଉଛନ୍ତି । ଯେଉଁମାନେ ପତିତ ହେବାକୁ ଚାହୁଁଛନ୍ତି ସେମାନେ ହୁଅନ୍ତୁ । କିନ୍ତୁ ଯେଉଁମାନେ ଶ୍ରୀମତରେ ଚାଲି ପବିତ୍ର ହେଉଛନ୍ତି ସେମାନଙ୍କୁ ଅଟକାଇବା ଉଚିତ୍ ନୁହେଁ । ଯଦି ମିତ୍ର ସମ୍ବନ୍ଧୀ ଆଦି ଝଗଡା କରିବେ ତେବେ ସହନ କରିବାକୁ ହିଁ ପଡିବ । ମୀରା ମଧ୍ୟ ସବୁ କିଛି ସହନ କରିଥିଲେ ନା । ବର୍ତ୍ତମାନ ତ ବେହଦର ରାଜଯୋଗ ଶିଖାଇ ଭଗବାନ ଭଗବତୀ ପଦ ପ୍ରାପ୍ତ କରାଇବା ପାଇଁ ବାବା ଆସିଛନ୍ତି । ଲକ୍ଷ୍ମୀଙ୍କୁ ଭଗବତୀ ନାରାୟଣଙ୍କୁ ଭଗବାନ ବୋଲି କୁହାଯାଏ । କଳିଯୁଗର ଅନ୍ତିମ ସମୟରେ ତ ସମସ୍ତେ ପତିତ । ତେବେ ସେମାନଙ୍କୁ ଏଭଳି କିଏ କରିଲା । ଏବେ ତୁମେମାନେ ଜାଣିଛ - ବାବା କିପରି ଏଠାକୁ ଆସି ସ୍ୱର୍ଗ ଅଥବା ରାମରାଜ୍ୟର ସ୍ଥାପନା କରାଉଛନ୍ତି । ଆମେ ସୂର୍ଯ୍ୟବଂଶୀ ଅଥବା ଚନ୍ଦ୍ରବଂଶୀ ପଦ ପାଇବା ପାଇଁ ଏଠାକୁ ଆସିଛୁ । ଯେଉଁମାନେ ସୂର୍ଯ୍ୟବଂଶୀ ସୁପୁତ୍ର ସନ୍ତାନ ହୋଇଥିବେ ସିଏ ତ ଭଲ ଭାବରେ ପାଠ ପଢିବେ ।

ବାବା ସମସ୍ତଙ୍କୁ ବୁଝାଉଛନ୍ତି - ପୁରୁଷାର୍ଥ କରି ତୁମେମାନେ ମାତା ପିତାଙ୍କୁ ଅନୁକରଣ କର । ଏପରି ପୁରୁଷାର୍ଥ କର ଯେପରି ତାଙ୍କର ଉତ୍ତରାଧିକାରୀ ହୋଇ ଦେଖାଅ । ଯଦି ମମ୍ମା ବାବା ବୋଲି କହୁଛ ତେବେ ଭବିଷ୍ୟତରେ ସିଂହାସନର ଅଧିକାରୀ ହୋଇ ଦେଖାଅ । ବାବା ତ କହୁଛନ୍ତି - ଏତେ ପାଠପଢ ଯେ ମୋଠାରୁ ମଧ୍ୟ ଉଚ୍ଚକୁ ଚାଲିଯାଅ । ଏପରି ବହୁତ ସନ୍ତାନ ଅଛନ୍ତି, ଯେଉଁମାନେ ବାପାଠାରୁ ମଧ୍ୟ ଉଚ୍ଚକୁ ଚାଲିଯାଆନ୍ତି । ସେହିଭଳି ବେହଦର ବାବା ମଧ୍ୟ କହୁଛନ୍ତି, ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି । ମୁଁ ବିଶ୍ୱର ମାଲିକ ହେଉନାହିଁ । ବାବା କେତେ ମିଠା । ତାଙ୍କର ଶ୍ରୀମତ ମଧ୍ୟ କେତେ ପ୍ରସିଦ୍ଧ । ତୁମେ ଶ୍ରେଷ୍ଠ ଦେବୀ-ଦେବତା ଥିଲ ପୁଣି ୮୪ ଜନ୍ମ ନେଇ ଏବେ ପତିତ ହୋଇଯାଇଛ । ଏହା ହାରିବା ଏବଂ ଜିତିବାର ଖେଳ ଅଟେ । ମାୟାଠାରୁ ହାରିଲେ ହାରିବ, ମାୟାଠାରୁ ଜିତିଲେ ଜିତିବ । ମନ ଅକ୍ଷର କହିବା ଭୁଲ୍ । ମନ କଣ କେବେ ଅମନ ହୋଇ ପାରିବ, ମନ ତ ସଂକଳ୍ପ କରିବ । ଯଦି ଆମେ ଚାହିଁବା ଯେ, ନିଃସଂକଳ୍ପ ହୋଇ ବସିଯିବା ତେବେ ତାହା ମଧ୍ୟ କେଉଁ ପର୍ଯ୍ୟନ୍ତ? କର୍ମ ତ କରିବାକୁ ହିଁ ହେବ ନା । ସେମାନେ ଭାବୁଛନ୍ତି ଯେ ଗୃହସ୍ଥ ଧର୍ମରେ ରହି, ଏହି କର୍ମ କରିବା ଉଚିତ୍ ନୁହେଁ । ଏହି ହଠଯୋଗୀ ସନ୍ନ୍ୟାସୀମାନଙ୍କର ମଧ୍ୟ ପାର୍ଟ ରହିଛି । ତାଙ୍କର ମଧ୍ୟ ନିବୃତ୍ତି ମାର୍ଗର ଧର୍ମ ରହିଛି ଅନ୍ୟ କୌଣସି ଧର୍ମରେ ଘରଦ୍ୱାର ଛାଡି ଜଙ୍ଗଲକୁ ଯାଇନଥାନ୍ତି । ଯଦି ବି କେହି ଛାଡିଛନ୍ତି ତେବେ ସନ୍ନ୍ୟାସୀମାନଙ୍କୁ ଦେଖି । ବାବା ଘର ପ୍ରତି ବୈରାଗ୍ୟ ଆଣିବାକୁ କହୁନାହାଁନ୍ତି । ବାବା କହୁଛନ୍ତି - ଯଦିଓ ଘରେ ରହୁଛ କିନ୍ତୁ ପବିତ୍ର ରୁହ । ଏହି ପୁରୁଣା ଦୁନିଆକୁ ଭୁଲିଯାଅ । ମୁଁ ତୁମ ପାଇଁ ନୂଆ ଦୁନିଆ ରଚନା କରୁଛି । ଶଙ୍କରାଚାର୍ଯ୍ୟ ସନ୍ନ୍ୟାସୀମାନଙ୍କୁ ଏପରି କହୁନାହାଁନ୍ତି ଯେ, ମୁଁ ତୁମ ପାଇଁ ନୂଆ ଦୁନିଆ ରଚନା କରୁଛି ସେମାନଙ୍କର ହେଲା ହଦର ସନ୍ନ୍ୟାସ, ଯାହାଦ୍ୱାରା ଅଳ୍ପକାଳର ସୁଖ ମିଳିଥାଏ । ଅପବିତ୍ର ଲୋକମାନେ ଆସି ତାଙ୍କ ପାଖରେ ମୁଣ୍ଡ ନୁଆଁଇଥାନ୍ତି । ପବିତ୍ରତାର ଦେଖ କେତେ ସମ୍ମାନ ରହିଛି । ଏବେ ତ ସେମାନେ ମଧ୍ୟ କେତେ ବଡ-ବଡ ମହଲ ଆଦି ତିଆରି କରୁଛନ୍ତି । ମନୁଷ୍ୟ ଦାନ କରୁଛନ୍ତି କିନ୍ତୁ ଏଥିରେ ପୁଣ୍ୟ ତ କିଛି ହେଲା ନାହିଁ । ଲୋକମାନେ ଭାବୁଛନ୍ତି ଆମେ ଯାହା କିଛି ଈଶ୍ୱରଙ୍କ ପାଇଁ କରୁଛୁ ତାହା ପୁଣ୍ୟ ଅଟେ । ବାବା କହୁଛନ୍ତି ମୋ ପାଇଁ ତୁମେ କେଉଁ-କେଉଁ କାର୍ଯ୍ୟରେ ଲଗାଉଛ! ଦାନ ସେମାନଙ୍କୁ ଦେବା ଦରକାର - ଯେଉଁମାନେ ସେଥିରେ କୌଣସି ପାପ କର୍ମ ନ କରିବେ । ଯଦି ପାପ କରିଲେ ତେବେ ତୁମ ଉପରେ ତାର ପ୍ରଭାବ ପଡିଯିବ କାହିଁକି ନା ତୁମେ ପଇସା ଦେଇଛ । ପତିତମାନଙ୍କୁ ଦେଇ-ଦେଇ ତୁମେମାନେ କାଙ୍ଗାଳ ହୋଇଯାଇଛ । ସବୁ ପଇସା ବରବାଦ ହୋଇଗଲା । ଯଦିଓ ଏହାଦ୍ୱାରା ଅଳ୍ପକାଳର ସୁଖ ମିଳିଥାଏ, ଏହା ମଧ୍ୟ ଡ୍ରାମା ଅଟେ । ଏବେ ତୁମେ ବାବାଙ୍କର ଶ୍ରୀମତ ଆଧାରରେ ପବିତ୍ର ହେଉଛ - ସେଠାରେ ପଇସା ମଧ୍ୟ ତୁମ ପାଖରେ ଢେର ରହିବ । କାରଣ କେହି ପତିତ ନଥାନ୍ତି । ଏହା ବହୁତ ବୁଝିବାର କଥା । ତୁମେ ହେଉଛ ଈଶ୍ୱରୀୟ ସନ୍ତାନ । ତୁମ ପାଖରେ ବହୁତ ରାଜକୀୟତା ରହିବା ଦରକାର । କହନ୍ତି ଯେ, ଗୁରୁଙ୍କର ନିନ୍ଦକକୁ ଠାବ ମିଳିବ ନାହିଁ । ସେମାନଙ୍କର ପିତା-ଶିକ୍ଷକ-ଗୁରୁ ଅଲଗା ହୋଇଥାନ୍ତି । ଏଠାରେ ତ ପିତା-ଶିକ୍ଷକ-ସତଗୁରୁ ଜଣେ ହିଁ ଅଟନ୍ତି । ଯଦି ତୁମର ଚଳଣି ଖରାପ ହେଲା ତେବେ ତିନିଜଣଙ୍କର ନିନ୍ଦୁକ ହୋଇଯିବ । ସତ ପିତା, ସତ୍ ଶିକ୍ଷକ, ସତ୍ଗୁରୁଙ୍କର ମତରେ ଚାଲିବା ଦ୍ୱାରା ତୁମେମାନେ ଶ୍ରେଷ୍ଠ ହୋଇଯାଉଛ । ଶରୀର ତ ଛାଡିବାକୁ ହେବ ତେବେ କାହିଁକି ଏହାକୁ ଈଶ୍ୱରୀୟ, ଅଲୌକିକ ସେବାରେ ନିଜର ଜୀବନକୁ ଲଗାଇ ବାବାଙ୍କଠାରୁ ବର୍ସା ନ ନେବୁ । ବାବା କହୁଛନ୍ତି, ମୁଁ ଏହାକୁ ନେଇ କଣ କରିବି । ମୁଁ ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି । ସେଠାରେ ମଧ୍ୟ ମୁଁ ମହଲରେ ରହିବି ନାହିଁ, ଏଠାରେ ମଧ୍ୟ ମୁଁ ମହଲରେ ରହୁନାହିଁ । ଗାୟନ ମଧ୍ୟ କରନ୍ତି, ବମ୍ ବମ୍ ମହାଦେବ.... ଭରିଦିଅ, ମୋର ଝୁଲା କିନ୍ତୁ ସିଏ କେବେ ଏବଂ କିପରି ଝୁଲା ଭରୁଛନ୍ତି, ଏକଥା କେହି ବି ଜାଣିନାହାଁନ୍ତି । ଯଦି ଝୁଲା ଭରିଥିଲେ ତେବେ ନିଶ୍ଚିତ ଚୈତନ୍ୟରେ ଥିଲେ । ତେଣୁ ୨୧ ଜନ୍ମ ପାଇଁ ତୁମେ ବହୁତ ସୁଖୀ, ସାହୁକାର ହୋଇଯାଉଛ । ତେଣୁ ପ୍ରତି ପଦକ୍ଷେପ ଏପରି ବାବାଙ୍କର ମତ ଅନୁସାରେ ଉଠାଇବା ଦରକାର । ଏହା ବହୁତ ବଡ ଲକ୍ଷ୍ୟ ଅଟେ । ଯଦି କେହି କହିବେ ଯେ, ମୁଁ ଚାଲିପାରିବି ନାହିଁ, ତେବେ ବାବା କହିବେ -- ତୁମେ ପୁଣି ବାବା ବୋଲି କାହିଁକି କହୁଛ! ଯଦି ଶ୍ରୀମତରେ ନଚାଲିବ ତେବେ ବହୁତ ବେତ ପାହାର ଖାଇବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଗୀତରେ ମଧ୍ୟ ଶୁଣିଲ - ସେଥିରେ କହୁଛ ଯେ, ମୋତେ ଏହି ଦୁନିଆରୁ ନେଇଚାଲ ଯେଉଁଠାରେ ସୁଖ ଏବଂ ଶାନ୍ତି ରହିଛି । ତେବେ ତାହା ତ ବାବା କରିପାରିବେ । ଯଦି ବାବାଙ୍କର ମତରେ ନ ଚାଲିବ ତେବେ ନିଜର ହିଁ କ୍ଷତି କରିବ । ଏଠାରେ ଖର୍ଚ୍ଚ ଆଦିର କୌଣସି କଥା ନାହିଁ । ଏପରି ତ କୁହାଯାଉ ନାହିଁ ଯେ, ଗୁରୁଙ୍କ ପାଇଁ ନଡିଆ ବତାଶୀ (ଏକ ପ୍ରକାର ଫଳ) ଆଦି ଆଣ ଅଥବା ସ୍କୁଲରେ ଫିସ ଦାଖଲ କର । ଏପରି କିଛି ବି ନାହିଁ ବରଂ ପଇସା ନିଜ ପାଖରେ ରଖ, ତୁମେ କେବଳ ଏହି ଜ୍ଞାନକୁ ଧାରଣ କର । ଭବିଷ୍ୟତ ସୁଧାରିବାରେ ତ କୌଣସି କ୍ଷତି ନାହିଁ । ଏଠାରେ ମୁଣ୍ଡିଆ ମାରିବା ମଧ୍ୟ ଶିଖାଯାଉ ନାହିଁ । ଅଧାକଳ୍ପ ତ ତୁମେମାନେ ପଇସା ରଖି, ମୁଣ୍ଡ ନୁଆଁଇ ନୁଆଇଁ କାଙ୍ଗାଳ ହୋଇଯାଇଛ । ଏବେ ବାବା ପୁଣି ତୁମକୁ ଶାନ୍ତିଧାମକୁ ନେଇଯାଉଛନ୍ତି । ସେଠାରୁ ପୁଣି ସୁଖଧାମକୁ ପଠାଇଦେବେ । ଏବେ ନବଯୁଗ, ନୂଆ ଦୁନିଆ ଆସିବାକୁ ଯାଉଛି । ନବଯୁଗ ସତ୍ୟଯୁଗକୁ କୁହାଯିବ । ପୁଣି କଳା କମ୍ ହୋଇଯାଏ, ଏବେ ବାବା ତୁମକୁ ଯୋଗ୍ୟ କରୁଛନ୍ତି । ନାରଦର ଉଦାହରଣ... । ଯଦି କୌଣସି ବି ଭୂତ ଥିବ ତେବେ ତୁମେ ଲକ୍ଷ୍ମୀଙ୍କୁ ବରଣ କରିପାରିବ ନାହିଁ । ତେଣୁ ପିଲାମାନେ ତୁମକୁ ନିଜ ଘରର ଦାୟିତ୍ୱ ନେଇ ମଧ୍ୟ ଏହି ସେବା କରିବାକୁ ହେବ । ପ୍ରଥମେ ଏମାନେ ପଳାଇ ଆସିଲେ କାହିଁକି ନା ବହୁତ ମାଡ ଦିଆଯାଉଥିଲା । ବହୁତ ଅତ୍ୟାଚାର ହେଉଥିଲା । ମାଡ ପ୍ରତି ମଧ୍ୟ ଏମାନଙ୍କର ଖାତିରି ନଥିଲା । ଭଟ୍ଟୀରୁ କେହି ପକ୍କା, କେହି ପୁଣି କଞ୍ଚା ବାହାରିଗଲେ । ଡ୍ରାମାର ଭାବି ହିଁ ଏହିପରି ଥିଲା । ଯାହା ହେଲା ଭଲ ହେଲା ପୁଣି ମଧ୍ୟ ହେବ । ପୁଣି ମଧ୍ୟ ଗାଳି ଦେବେ । ସବୁଠାରୁ ଅଧିକ ଗାଳି ଖାଉଛନ୍ତି ପରମପିତା ପରମାତ୍ମା ଶିବ । କହିଦେଉଛନ୍ତି ଯେ, ପରମାତ୍ମା ସର୍ବବ୍ୟାପୀ କୁକୁର, ବିଲେଇ, କଚ୍ଛ-ମଚ୍ଛ ସବୁଥିରେ ଅଛନ୍ତି । ବାବା କହୁଛନ୍ତି ମୁଁ ତ ପରୋପକାରୀ ଅଟେ । ମୁଁ ତୁମକୁ ବିଶ୍ୱର ମାଲିକ କରୁଛି । ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଅଟନ୍ତି ନା । ତାଙ୍କ ପାଇଁ ପୁଣି କହୁଛନ୍ତି - ସର୍ପ ଦଂଶନ କଲା, ସେଥିପାଇଁ କଳା ହୋଇଗଲେ । ତେବେ ସେଠାରେ ସର୍ପ କିପରି ଦଂଶନ କରିବ । କୃଷ୍ଣପୁରୀରେ କଂସ କେଉଁଠାରୁ ଆସିଲା? ଏସବୁ କାହାଣୀ । ଏସବୁ ଭକ୍ତିର ସାମଗ୍ରୀ, ଯାହା ଦ୍ୱାରା ତୁମେ ତଳକୁ ଖସି ଆସିଛ । ବାବା ତ ତୁମକୁ ଫୁଲ ସଦୃଶ କରୁଛନ୍ତି । କେହି-କେହି ତ ବହୁତ ବଡ କଣ୍ଟା ଅଟନ୍ତି, ହେ ଈଶ୍ୱର ପିତା ବୋଲି କହୁଛନ୍ତି, କିନ୍ତୁ କିଛି ହେଲେ ଜାଣିନାହାଁନ୍ତି । ସିଏ ପିତା ତ ଅଟନ୍ତି କିନ୍ତୁ ପିତାଙ୍କଠାରୁ କଣ ବର୍ସା ମିଳିବ, କିଛି ବି ଜଣାନାହିଁ । ବେହଦର ବାବା କହୁଛନ୍ତି - ମୁଁ ତୁମକୁ ବେହଦର ବର୍ସା ଦେବାକୁ ଆସିଛି । ତୁମର ଜଣେ ହେଲେ ଲୌକିକ ପିତା, ଦ୍ୱିତୀୟରେ ଅଲୌକିକ ପ୍ରଜାପିତା ବ୍ରହ୍ମା, ତୃତୀୟରେ ପାରଲୌକିକ ଶିବ । ତେଣୁ ତୁମର ୩ ଜଣ ପିତା ହେଲେ । ତୁମେ ଜାଣିଛ - ଆମେ ଦାଦାଙ୍କଠାରୁ ବ୍ରହ୍ମା ଦ୍ୱାରା ବର୍ସା ନେଉଛୁ, ତେଣୁ ଶ୍ରୀମତରେ ଚାଲିବାକୁ ପଡିବ । ତେବେ ଯାଇ ହିଁ ଶ୍ରେଷ୍ଠ ହେବ । ସତ୍ୟଯୁଗରେ ତୁମେ ପ୍ରାଲବ୍ଧ ଭୋଗ କରୁଛ । ସେଠାରେ ନା ପ୍ରଜାପିତା ବ୍ରହ୍ମାଙ୍କୁ, ନା ଶିବଙ୍କୁ ଜାଣିବେ । ସେଠାରେ କେବଳ ଲୌକିକ ପିତାଙ୍କୁ ହିଁ ଜାଣିବେ । ସତ୍ୟଯୁଗରେ ଜଣେ ପିତା ରହିବେ । ଭକ୍ତିରେ ଦୁଇ ଜଣ ପିତା ହେଉଛନ୍ତି । ଲୌକିକ ଏବଂ ପାରଲୌକିକ ପିତା । ଏହି ସଂଗମରେ ୩ ଜଣ ପିତା ଅଛନ୍ତି । ଏହି କଥା ଆଉ କେହି ବୁଝାଇ ପାରିବେ ନାହିଁ । ତେଣୁ ନିଶ୍ଚୟ ରହିବା ଦରକାର । ଏପରି ନୁହେଁ ଯେ, ଏବେ-ଏବେ ନିଶ୍ଚୟ ପୁଣି ଏବେ-ଏବେ ସଂଶୟ । ଏବେ-ଏବେ ଜନ୍ମ ନେଲେ ପୁଣି ସାଙ୍ଗେ-ସାଙ୍ଗେ ମରିଗଲେ । ଯଦି ମରିଗଲ ତେବେ ବର୍ସା ଶେଷ । ଏପରି ବାବାଙ୍କୁ ଛାଡପତ୍ର ଦେବା ଉଚିତ୍ ନୁହେଁ । ଯେତେ ନିରନ୍ତର ସ୍ମରଣ କରିବ, ସେବା କରିବ ସେତେ ଉଚ୍ଚ ପଦ ପାଇବ । ବାବା ଏକଥା ମଧ୍ୟ କହୁଛନ୍ତି ଯେ ମୋ ମତରେ ଚାଲ ତେବେ ବଞ୍ଚିଯିବ । ନଚେତ୍ ଖୁବ୍ ଦଣ୍ଡ ଭୋଗ କରିବାକୁ ପଡିବ । ସବୁର ସାକ୍ଷାତ୍କାର କରାଇବେ ଯେ, ତୁମେମାନେ ଏହି ସବୁ ପାପ କରିଛ । ତୁମେ ଶ୍ରୀମତରେ ଚାଲିନାହଁ । ତେଣୁ ସୂକ୍ଷ୍ମ ଶରୀର ଧାରଣ କରାଇ ଦଣ୍ଡ ଦିଆଯାଇଥାଏ । ଗର୍ଭ ଜେଲ୍ର ମଧ୍ୟ ସାକ୍ଷାତ୍କାର କରାଇଥାନ୍ତି । ତୁମେ ଏହି ସବୁ ପାପ କରିଛ ଏବେ ଦଣ୍ଡ ଭୋଗ କର । ଏହି ବୃକ୍ଷ ବୃଦ୍ଧି ହୋଇ ଚାଲିବ । ଯେଉଁମାନେ ଏହି ଧର୍ମର ଥିଲେ ଏବଂ ଅନ୍ୟ ସବୁ ଧର୍ମକୁ ଚାଲିଯାଇଛନ୍ତି, ସେମାନେ ସମସ୍ତେ ବାହାରି ଆସିବେ । ବାକି ସମସ୍ତେ ନିଜ-ନିଜର ବିଭାଗକୁ ଚାଲିଯିବେ । ଅଲଗା ଅଲଗା ବିଭାଗ ରହିଛି ନା । ଏହି ସୃଷ୍ଟିରୂପି ବୃକ୍ଷ ଦେଖ କିପରି ବଢିଚାଲିଛି । ଛୋଟ-ଛୋଟ ଶାଖା ପ୍ରଶାଖା ବାହାରି ଚାଲିଛି । ତୁମେମାନେ ଜାଣିଛ ଯେ, ମିଠା ବାବା ଆମକୁ ଘରକୁ ନେଇଯିବା ପାଇଁ ଆସିଛନ୍ତି । ସେଥିପାଇଁ ତାଙ୍କୁ ମୁକ୍ତିଦାତା ବୋଲି କୁହାଯାଇଥାଏ । ବାବା ଦୁଃଖହର୍ତ୍ତା, ସୁଖଦାତା ଅଟନ୍ତି ନା । ତୁମେ ଗାଇଡ୍ ହୋଇ ପୁଣି ସୁଖଧାମକୁ ଚାଲିଯିବ । କହୁଛନ୍ତି ମଧ୍ୟ ୫ ହଜାର ବର୍ଷ ପୂର୍ବରୁ ତୁମକୁ ସୁଖର ସମ୍ବନ୍ଧରେ ପଠାଇଥିଲି । ତୁମେ ୮୪ ଜନ୍ମ ନେଇଛ । ଏବେ ପୁଣି ବାବାଙ୍କଠାରୁ ବର୍ସା ନିଅ । ଶ୍ରୀକୃଷ୍ଣଙ୍କ ସାଥିରେ ସମସ୍ତଙ୍କର ପ୍ରୀତି ରହିଛି । ଲକ୍ଷ୍ମୀ-ନାରାୟଣଙ୍କ ସହିତ ଏତେ ପ୍ରୀତି ନାହିଁ, ଯେତେ କୃଷ୍ଣଙ୍କ ସାଥିରେ ଅଛି । ଲୋକମାନଙ୍କୁ ଏହା ଜଣାନାହିଁ । ବାସ୍ତବରେ ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହୋଇଥାନ୍ତି । କିନ୍ତୁ କେହି ବି ଏହି କଥାକୁ ଜାଣିନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଯେ, ରାଧା-କୃଷ୍ଣ ଅଲଗା-ଅଲଗା ରାଜଧାନୀର ଥିଲେ ପୁଣି ସ୍ୱୟମ୍ବର ପରେ ଲକ୍ଷ୍ମୀ-ନାରାୟଣ ହେଲେ । ସେମାନେ ତ ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । କୃଷ୍ଣଙ୍କୁ କେହି ପତିତ-ପାବନ ମଧ୍ୟ କହିପାରିବେ ନାହିଁ । ପ୍ରତିଦିନ ପଢିବା ବିନା ଉଚ୍ଚ ପଦ କେହି ପାଇପାରିବେ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଚଳଣିକୁ ବହୁତ ରାଜକୀୟ ଅର୍ଥାତ୍ ଶ୍ରେଷ୍ଠ ରଖିବାକୁ ହେବ । ବହୁତ କମ ଏବଂ ମିଠା କଥା କହିବାକୁ ହେବ । ଦଣ୍ଡରୁ ମୁକ୍ତି ପାଇବା ପାଇଁ ପାଦେ-ପାଦେ ବାବାଙ୍କ ଶ୍ରୀମତରେ ଚାଲିବାକୁ ହେବ ।

(୨) ପାଠପଢାକୁ ବହୁତ ଧ୍ୟାନର ସହିତ ଭଲ ଭାବରେ ପଢିବାକୁ ହେବ । ମାତାପିତାଙ୍କୁ ଅନୁକରଣ କରି ସିଂହାସନର ଅଧିକାରୀ ଏବଂ ଉତ୍ତରାଧିକାରୀ ହେବାକୁ ପଡିବ । କ୍ରୋଧର ବଶବର୍ତ୍ତୀ ହୋଇ କାହାକୁ ଦୁଃଖ ଦେବାର ନାହିଁ ।

ବରଦାନ:-
ସାଧାରଣ କର୍ମ କରୁଥିଲେ ମଧ୍ୟ ଶ୍ରେଷ୍ଠ ସ୍ମୃତି ବା ଶ୍ରେଷ୍ଠ ସ୍ଥିତିର ଝଲକ ଦେଖାଉଥିବା ପୁରୁଷୋତ୍ତମ ସେବାଧାରୀ ହୁଅ ।

ଯେପରି ଅସଲୀ ହୀରା ଯେତେ ବି ଧୂଳି-ମାଟିରେ ଲୁଚି ରହିଥାଉ କିନ୍ତୁ ନିଜର ଚମକ ନିଶ୍ଚିତ ଭାବରେ ଦେଖାଇଥାଏ, ସେହିପରି ତୁମମାନଙ୍କର ଜୀବନ ମଧ୍ୟ ହୀରାତୁଲ୍ୟ ଅଟେ, ତେଣୁ କିପରି ବି ବାତାବରଣ ଭିତରେ ବା ସଂଗଠନ ଭିତରେ ରହିଥିଲେ ମଧ୍ୟ ତୁମମାନଙ୍କର ଚମକ ଅର୍ଥାତ୍ ଝଲକ ଏବଂ ଫଲକ ଅର୍ଥାତ୍ କାର୍ଯ୍ୟକଳାପ ଏବଂ ଆତ୍ମିକ ନିଶା ସମସ୍ତଙ୍କୁ ଦେଖାଯାଉ । ଯଦିଓ କାର୍ଯ୍ୟ ଅତି ସାଧାରଣ କରୁଛ କିନ୍ତୁ ତୁମର ସ୍ମୃତି ଏବଂ ସ୍ଥିତି ଏଭଳି ଶ୍ରେଷ୍ଠ ହୋଇଥାଉ ଯାହାକି ଦେଖିବା ମାତ୍ରକେ କେହି ବି ଅନୁଭବ କରିବ ଯେ ଇଏ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି, ଇଏ ସେବାଧାରୀ ହୋଇଥିଲେ ମଧ୍ୟ ପୁରୁଷୋତ୍ତମ ଅଟନ୍ତି ।

ସ୍ଲୋଗାନ:-
ସଚ୍ଚା ରାଜଋଷି ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ମାତ୍ରରେ ମଧ୍ୟ କେଉଁଠି ବି ମୋହ ନଥିବ ।