03.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଏହି ଖେଳ କବରସ୍ତାନ ଅର୍ଥାତ୍ ନର୍କ ଦୁନିଆ ଏବଂ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ଦୁନିଆ ଉପରେ ଆଧାରିତ, ବର୍ତ୍ତମାନ ଏହା କବରସ୍ତାନ ଅଟେ ଭବିଷ୍ୟତରେ ପରିସ୍ତାନ ହେବ - ତେଣୁ ତୁମକୁ ଏହି କବରସ୍ତାନ ସହିତ ମନ ଲଗାଇବାର ନାହିଁ ।

ପ୍ରଶ୍ନ:-
ମନୁଷ୍ୟ କେଉଁ ଗୋଟିଏ କଥାକୁ ଜାଣିଗଲେ ତାର ସବୁ ସନ୍ଦେହ ଦୂର ହୋଇଯିବ?

ଉତ୍ତର:-
ବାବା କିଏ, ସେ କିପରି ଆସୁଛନ୍ତି - ଯଦି ଏହି କଥାକୁ ଜାଣିଯିବେ ତେବେ ସବୁ ସନ୍ଦେହ ଦୂର ହୋଇଯିବ । ଯେପର୍ଯ୍ୟନ୍ତ ବାବାଙ୍କୁ ଜାଣି ନାହାଁନ୍ତି ସେ ପର୍ଯ୍ୟନ୍ତ ସନ୍ଦେହ ଦୂର ହୋଇପାରିବ ନାହିଁ । ନିଶ୍ଚୟ ବୁଦ୍ଧି ହେବା ଦ୍ୱାରା ବିଜୟ ମାଳାରେ ମଧ୍ୟ ଆସିଯିବ କିନ୍ତୁ ପ୍ରତ୍ୟେକ କଥାରେ ଗୋଟିଏ ସେକେଣ୍ଡ ମଧ୍ୟରେ ପୂରା ନିଶ୍ଚୟ ହେବା ଦରକାର ।

ଗୀତ:
ଛୋଡ ଭି ଦେ ଆକାଶ ସିଂହାସନ...

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯିଏକି ସମସ୍ତ ଆତ୍ମାଙ୍କର ଅବିନାଶୀ ପିତା । ଆତ୍ମାମାନେ ରୂପ ତ ନିଶ୍ଚିତ ବଦଳାଇଥାନ୍ତି । ଏହି କର୍ମକ୍ଷେତ୍ରରେ ଅଭିନୟ କରିବା ପାଇଁ ନିରାକାରରୁ ସାକାରକୁ ଆସିଥାନ୍ତି । ପିଲାମାନେ କହୁଛନ୍ତି, ବାବା ଆପଣ ମଧ୍ୟ ଆମ ସଦୃଶ ରୂପ ବଦଳାନ୍ତୁ । ତେବେ ନିଶ୍ଚିତ ସାକାର ରୂପ ଧାରଣ କରି ଜ୍ଞାନ ଦେବେ ନା । ସେଥିପାଇଁ ମନୁଷ୍ୟର ହିଁ ରୂପ ନେବେ । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ, ଆମେ ନିରାକାରରୁ ପୁଣି ସାକାରକୁ ଆସୁଛୁ । ବାସ୍ତବରେ ଏହିପରି ମଧ୍ୟ ହେଉଛି । ତାହା ହେଉଛି ନିରାକାରୀ ଦୁନିଆ । ଏକଥା ବାବା ଆସି ଶୁଣାଉଛନ୍ତି । କହୁଛନ୍ତି - ତୁମେମାନେ ନିଜର ୮୪ ଜନ୍ମର କାହାଣୀକୁ ଜାଣିନାହଁ । ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତାଙ୍କୁ ବୁଝାଉଛି, କାରଣ ସିଏ ମଧ୍ୟ ଜାଣିନଥିଲେ । କୃଷ୍ଣ ତ ସତ୍ୟଯୁଗରେ ରାଜକୁମାର ଥିଲେ, କିନ୍ତୁ ବାବାଙ୍କୁ ପତିତ ଦୁନିଆ ଏବଂ ପତିତ ଶରୀରରେ ଆସିବାକୁ ପଡୁଛି । କୃଷ୍ଣ ଗୋରା ଥିଲେ ପୁଣି କଳା କିପରି ହେଲେ? ଏକଥା କେହି ହେଲେ ଜାଣିନାହାଁନ୍ତି । କହନ୍ତି ଯେ, ତାଙ୍କୁ ସର୍ପଦଂଶନ କରିଥିଲା । ବାସ୍ତବରେ ଏହା ପାଞ୍ଚ ବିକାରର କଥା । କାମ ଚିତା ଉପରେ ବସିବା ଦ୍ୱାରା କଳା ହୋଇଯାଉଛନ୍ତି । ଶ୍ୟାମ-ସୁନ୍ଦର କୃଷ୍ଣଙ୍କୁ ହିଁ କହୁଛନ୍ତି । ମୋର ତ ଶରୀର ହିଁ ନାହିଁ - ଯାହାଦ୍ୱାରା ଗୋରା ଅଥବା ଶ୍ୟାମଳ ହେବି । ମୁଁ ତ ସର୍ବଦା ପବିତ୍ର । ମୁଁ କଳ୍ପ-କଳ୍ପର ସଂଗମଯୁଗରେ ଆସୁଛି, ଯେତେବେଳେ କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗର ଆରମ୍ଭ ହୋଇଥାଏ । ମୋତେ ହିଁ ଆସି ସ୍ୱର୍ଗର ସ୍ଥାପନା କରିବାକୁ ହେବ । ସତ୍ୟଯୁଗ ହେଲା ସୁଖଧାମ ଏବଂ କଳିଯୁଗ ଦୁଃଖଧାମ । ବର୍ତ୍ତମାନ ସମସ୍ତେ ପତିତ । ସତ୍ୟଯୁଗର ଲକ୍ଷ୍ମୀ-ନାରାୟଣ, ମହାରାଜା ମହାରାଣୀଙ୍କର ଗଭର୍ଣ୍ଣମେଣ୍ଟକୁ ଭ୍ରଷ୍ଟାଚାରୀ କୁହାଯିବ ନାହିଁ । ଏଠାରେ ସମସ୍ତେ ପତିତ । ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । କେବଳ ଗୋଟିଏ ଧର୍ମ ଥିଲା । ସମସ୍ତେ ସମ୍ପୂର୍ଣ୍ଣ ପବିତ୍ର, ଶ୍ରେଷ୍ଠାଚାରୀ ଥିଲେ । ଭ୍ରଷ୍ଟାଚାରୀମାନେ ଶ୍ରେଷ୍ଠାଚାରୀମାନଙ୍କର ପୂଜା କରିଥାନ୍ତି । ସନ୍ନ୍ୟାସୀମାନେ ମଧ୍ୟ ପବିତ୍ର ତେଣୁ ଅପବିତ୍ରମାନେ ତାଙ୍କ ଆଗରେ ମୁଣ୍ଡ ନୁଆଇଁଥାନ୍ତି । ବାସ୍ତବରେ ସନ୍ନ୍ୟାସୀମାନଙ୍କୁ ଗୃହସ୍ଥୀମାନେ କିଛି ଅନୁକରଣ କରୁନାହାଁନ୍ତି । କେବଳ କହିଦେଉଛନ୍ତି ଯେ, ମୁଁ ଅମୁକ ସନ୍ନ୍ୟାସୀଙ୍କର ଶିଷ୍ୟ ଅଟେ । ବାସ୍ତବରେ ଶିଷ୍ୟ ସେତେବେଳେ କୁହାଯିବ ଯେତେବେଳେ ତାଙ୍କୁ ପୁରା ପୁରା ଅନୁକରଣ କରିବ । ତୁମେମାନେ ମଧ୍ୟ ସନ୍ନ୍ୟାସୀ ହୋଇଯାଅ ତେବେ କୁହାଯିବ ଅନୁକରଣକାରୀ । ଗୃହସ୍ଥୀମାନେ ତାଙ୍କର ଶିଷ୍ୟ ତ ହେଉଛନ୍ତି କିନ୍ତୁ ସେମାନେ ପବିତ୍ର ତ ହେଉ ନାହାଁନ୍ତି । ନା ସନ୍ନ୍ୟାସୀମାନେ ତାଙ୍କୁ ବୁଝାଉଛନ୍ତି, ନା ସେମାନେ ନିଜେ ବୁଝୁଛନ୍ତି ଯେ ଆମେ ତ ଅନୁକରଣ କରୁନାହୁଁ । ଏଠାରେ ତ ମାତା-ପିତାଙ୍କୁ ପୂରା ପୂରା ଅନୁକରଣ କରିବାକୁ ହେବ । ଗାୟନ ମଧ୍ୟ କରାଯାଏ ଯେ, ମାତା-ପିତାଙ୍କୁ ଅନୁକରଣ କର, ଅନ୍ୟମାନଙ୍କଠାରୁ ବୁଦ୍ଧିଯୋଗ ତୁଟାଇଦିଅ । ସମସ୍ତ ଦେହଧାରୀମାନଙ୍କଠାରୁ ବୁଦ୍ଧିଯୋଗ ତୁଟାଇ ଏକମାତ୍ର ବାବାଙ୍କ ସହିତ ଯୋଡ ତେବେ ତୁମେ ବାବାଙ୍କ ପାଖରେ ପହଞ୍ଚିଯିବ, ପୁଣି ସତ୍ୟଯୁଗରେ ମଧ୍ୟ ଆସିଯିବ । ତୁମେମାନେ ଅଲରାଉଣ୍ଡର ଅଟ, ୮୪ ଜନ୍ମ ନେଉଛ । ତୁମେମାନେ ଜାଣିଛ ଯେ, ଆରମ୍ଭରୁ ଶେଷ ଏବଂ ଶେଷରୁ ପୁଣି ଆରମ୍ଭ ପର୍ଯ୍ୟନ୍ତ ଆମର ଅଲରାଉଣ୍ଡ ପାର୍ଟ ଚାଲୁଅଛି । ଅନ୍ୟ ଧର୍ମର ଆତ୍ମାମାନଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାର୍ଟ ଚାଲୁନାହିଁ । ଆଦି ସନାତନ ହିଁ ଏକମାତ୍ର ଦେବୀ-ଦେବତା ଧର୍ମ ଅଟେ । ପ୍ରଥମେ-ପ୍ରଥମେ ସୂର୍ଯ୍ୟବଂଶୀମାନେ ଥିଲେ ।

ଏବେ ତୁମେମାନେ ଜାଣୁଛ ଯେ, ଆମେ ପୁରା ୮୪ ଜନ୍ମର ଚକ୍ର ଲଗାଉଛୁ । ଯେଉଁମାନେ ପରେ ଆସୁଛନ୍ତି ସେମାନେ ଅଲରାଉଣ୍ଡର ହୋଇପାରିବେ ନାହିଁ । ଏସବୁ ବୁଦ୍ଧିର କଥା ନା । ବାବାଙ୍କ ବିନା ଏକଥା କେହି ବି ବୁଝାଇପାରିବେ ନାହିଁ । ପ୍ରଥମେ-ପ୍ରଥମେ ଦୈବୀ ଧର୍ମ ରହିଛି । ଅଧାକଳ୍ପ ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲେ । ଏହା ତ ବହୁତ ଛୋଟ ଯୁଗ, ଯାହାକୁ ହିଁ ସଂଗମଯୁଗ ଅଥବା, କୁମ୍ଭ ମଧ୍ୟ କହୁଛନ୍ତି । ତାଙ୍କୁ ହିଁ ମନେ ପକାଉଛନ୍ତି - ହେ ପରମପିତା ପରମାତ୍ମା ଆସି ଆମ ପତିତମାନଙ୍କୁ ପବିତ୍ର କର । ବାବାଙ୍କ ସହିତ ମିଶିବା ପାଇଁ କେତେ ଘୂରି ବୁଲୁଛନ୍ତି । ଯଜ୍ଞ-ତପ-ଦାନ-ପୁଣ୍ୟ ଆଦି କରିଚାଲିଛନ୍ତି । କିନ୍ତୁ ଏହା ଦ୍ୱାରା କିଛି ବି ଲାଭ ହୋଇନଥାଏ । ଏବେ ତୁମେମାନେ ଘୂରି ବୁଲିବାରୁ ମୁକ୍ତ ହୋଇଯାଇଛ । ସେସବୁ ହେଲା ଭକ୍ତିର କାଣ୍ଡ । ଏହା ହେଉଛି ଜ୍ଞାନ କାଣ୍ଡ । ଭକ୍ତିମାର୍ଗ ଅଧାକଳ୍ପ ଚାଲେ । ଏହା ଜ୍ଞାନମାର୍ଗ । ବର୍ତ୍ତମାନ ତୁମେମାନେ ସମସ୍ତଙ୍କୁ ପୁରୁଣା ଦୁନିଆରୁ ବୈରାଗ୍ୟ କରାଉଛ ସେଥିପାଇଁ ତୁମର ଏହା ହେଲା ବେହଦର ବୈରାଗ୍ୟ କାହିଁକି ନା ତୁମେ ଜାଣିଛ ଯେ, ଏବେ ସାରା ଦୁନିଆ ଶ୍ମଶାନଘାଟ ହେବାର ଅଛି । ବର୍ତ୍ତମାନ ଶ୍ମଶାନଘାଟ ହେବାକୁ ଯାଉଛି ପୁଣି ପରିସ୍ତାନ ହେବ । ଏହା ନର୍କ ଦୁନିଆ ଏବଂ ସ୍ୱର୍ଗ ଦୁନିଆର ଖେଳ । ବାବା ସ୍ୱର୍ଗ ଦୁନିଆ ସ୍ଥାପନ କରୁଛନ୍ତି, ଯାହାକୁ ସମସ୍ତେ ମନେ ପକାଉଛନ୍ତି । ରାବଣକୁ କେହି ମନେ ପକାଉ ନାହାଁନ୍ତି । ମୁଖ୍ୟ ଗୋଟିଏ କଥା ବୁଝିଗଲେ ସବୁ ସନ୍ଦେହ ତୁଟିଯିବ, ଯେପର୍ଯ୍ୟନ୍ତ ବାବାଙ୍କୁ ଜାଣିନାହଁ ସେପର୍ଯ୍ୟନ୍ତ ସଂଶୟ ବୁଦ୍ଧି ହିଁ ରହିବ । ସଂଶୟବୁଦ୍ଧି ବିନଶ୍ୟନ୍ତୀ.... ବାସ୍ତବରେ ସିଏ ଆମ ସବୁ ଆତ୍ମାମାନଙ୍କର ପିତା, ସିଏ ହିଁ ବେହଦର ବର୍ସା ଦେଉଛନ୍ତି । ନିଶ୍ଚୟ ଆସିଲେ ହିଁ ବିଜୟ ମାଳାରେ ଗୁନ୍ଥା ହୋଇପାରିବ । ଗୋଟିଏ-ଗୋଟିଏ ଅକ୍ଷରରେ ଗୋଟିଏ ଗୋଟିଏ ସେକେଣ୍ଡରେ ନିଶ୍ଚୟ ହେବା ଦରକାର । ଯେହେତୁ ବାବା କହୁଛନ୍ତି ତେଣୁ ପୂରା ନିଶ୍ଚୟ ହେବା ଦରକାର ନା । ନିରାକାରଙ୍କୁ ବାବା ବୋଲି କୁହାଯାଏ । ଏମିତି ତ ଗାନ୍ଧୀଙ୍କୁ ମଧ୍ୟ ବାପୁଜୀ କହିଥାନ୍ତି । କିନ୍ତୁ ଏଠାରେ ତ ସାରା ବିଶ୍ୱର ବାପୁଜୀ ଦରକାର ନା । ସିଏ ତ ବିଶ୍ୱର ଈଶ୍ୱର ପିତା । ଯେହେତୁ ସିଏ ସାରା ବିଶ୍ୱର ଈଶ୍ୱର ପିତା, ତେବେ ଏହା ତ ବହୁତ ବଡ କଥା ହେଲା ନା । ତାଙ୍କଠାରୁ ଆମକୁ ବିଶ୍ୱର ରାଜତ୍ୱ ମିଳୁଛି! ବର୍ତ୍ତମାନ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁଙ୍କ ରାଜ୍ୟର ସ୍ଥାପନା ହେଉଛି ତୁମେମାନେ ଜାଣିଛ ଯେ, ଆମେମାନେ ହିଁ ବିଶ୍ୱର ମାଲିକ ଥିଲୁ । ଆମେମାନେ ହିଁ ଦେବୀ-ଦେବତା ଥିଲୁ ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ଏବଂ ଶୁଦ୍ରବଂଶୀ ହେଲୁ । ଏହିସବୁ କଥାଗୁଡିକୁ ତୁମେ ପିଲାମାନେ ହିଁ ବୁଝୁଛ । ବାବା କହୁଛନ୍ତି - ମୋର ଏହି ଜ୍ଞାନ ଯଜ୍ଞରେ ବିଘ୍ନ ମଧ୍ୟ ବହୁତ ପଡିବ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଏଥିରୁ ବିନାଶ ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ । ଏଥିରେ ସମସ୍ତ ପୁରୁଣା ଦୁନିଆ ସ୍ୱାହା ହୋଇ ଏକମାତ୍ର ଦେବତା ଧର୍ମର ସ୍ଥାପନା ହେବ । ବାବା ହିଁ ତୁମମାନଙ୍କୁ ସବୁ କଥା ବୁଝାଉଛନ୍ତି ସିଏ ଆମକୁ ସତ୍ୟ କଥା କହୁଛନ୍ତି, ନରରୁ ନାରାୟଣ ହେବାର ସତ୍ୟ କାହାଣୀ ବୁଝାଉଛନ୍ତି । ଏହି କାହାଣୀ ତୁମେମାନେ ବର୍ତ୍ତମାନ ହିଁ ଶୁଣୁଛ । ଏହା କୌଣସି ପରମ୍ପରାରୁ ଚାଲିଆସୁନାହିଁ ।

ଏବେ ବାବା କହୁଛନ୍ତି - ତୁମେମାନେ ୮୪ ଜନ୍ମ ପୂରା କରିଛ । ଏବେ ପୁଣି ନୁଆ ଦୁନିଆରେ ତୁମର ରାଜ୍ୟ ହେବ । ଏହା ହେଉଛି ରାଜଯୋଗର ଜ୍ଞାନ । ସହଜ ରାଜଯୋଗର ଜ୍ଞାନ ଏକମାତ୍ର ପରମପିତା ପରମାତ୍ମାଙ୍କ ପାଖରେ ହିଁ ଅଛି, ଯାହାଙ୍କୁ ପ୍ରାଚୀନ ଭାରତର ରାଜଯୋଗ ବୋଲି କହୁଛନ୍ତି । ବାସ୍ତବରେ ବାବା କଳିଯୁଗକୁ ସତ୍ୟଯୁଗ କରିଥିଲେ । ବିନାଶ ମଧ୍ୟ ଆରମ୍ଭ ହୋଇଥିଲା, ଏଠାରେ କ୍ଷେପଣାସ୍ତ୍ରର କଥା ରହିଛି । ସତ୍ୟଯୁଗ ଏବଂ ତ୍ରେତାଯୁଗରେ ତ କୌଣସି ଲଢେଇ ହୋଇନଥାଏ, ଲଢେଇ ପରେ ଆରମ୍ଭ ହୁଏ । ଏହା ଆଣବିକ ଅସ୍ତ୍ରର ଅନ୍ତିମ ଲଢେଇ ଅଟେ । ଆଗରୁ ତରବାରୀରେ ଲଢେଇ କରୁଥିଲେ, ପୁଣି ବନ୍ଧୁକ ଚାଳନା କଲେ । ପୁଣି ତୋପ ବାହାର କଲେ, ଏବେ ପୁଣି ପରମାଣୁ ବୋମା ବାହାର କରିଛନ୍ତି, ନଚେତ୍ ସାରା ଦୁନିଆର ବିନାଶ କିପରି ହେବ । ପୁଣି ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ରହିଛି । ମୁସଳଧାରରେ ବର୍ଷା, ଦୁର୍ଭିକ୍ଷ, ଏସବୁକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଉଛି । ଧରିନିଅ ଭୂମିକମ୍ପ ହେଉଛି, ତେବେ ତାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯିବ । ସେଥିରେ କିଏ କଣ କରିପାରିବ । କେହି ଯଦି ନିଜର ବୀମା ମଧ୍ୟ କରାଇଛନ୍ତି ତେବେ କିଏ ଏବଂ କାହାକୁ ଦେବ । ସମସ୍ତେ ମରିଯିବେ, କାହାକୁ କିଛି ବି ମିଳିବ ନାହିଁ । ଏବେ ପୁଣି ତୁମକୁ ବାବାଙ୍କ ପାଖରେ ସବୁକିଛି ଅର୍ପଣ କରିବାକୁ ହେବ । ଭକ୍ତିରେ ମଧ୍ୟ ଅର୍ପଣ କରିଥାନ୍ତି, କିନ୍ତୁ ସେଠାରେ ଅଧାକଳ୍ପର ପ୍ରତିଦାନ ମିଳିଥାଏ । ଏଠାରେ ତ ତୁମେ ସିଧା ଅର୍ପଣ କରୁଛ । ଯଦି କେହି ସବୁ କିଛି ଅର୍ପଣ କରି ଦେବେ ତେବେ ତାଙ୍କୁ ରାଜତ୍ୱ ମିଳିଯିବ । ଯେପରି ବାବା ନିଜ କଥା କହୁଛନ୍ତି - ସବୁ କିଛି ଦେଇଦେଲେ ନା । ବାବାଙ୍କ ପାଖରେ ସଂପୂର୍ଣ୍ଣ ଅର୍ପଣ କରିଦେଲେ ତେଣୁ ତାଙ୍କୁ ସଂପୂର୍ଣ୍ଣ ରାଜତ୍ତ୍ୱ ମିଳୁଛି । ବାକି ତ ଏହି ଦୁନିଆ ହିଁ ସମାପ୍ତ ହୋଇଯିବ । ଏହା ହେଉଛି ମୃତ୍ୟୁଲୋକ । କାହାର ମାଟି ତଳେ ଦବି ରହିବ, କାହାର ରାଜା ଖାଇବ... ଯଦି କେଉଁଠି ନିଆଁ ଲାଗିଯାଏ ଅଥବା କୌଣସି ବିପଦ ଆସିଥାଏ ତେବେ ଚୋରମାନେ ଲୁଟି ନେଇଥାନ୍ତି । ବାସ୍ତବରେ ଏହା ଅନ୍ତିମ ସମୟ, ସେଥିପାଇଁ ଏବେ ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କୁ ସହଯୋଗ କରିବାକୁ ହେବ ।

ବର୍ତ୍ତମାନ ତ ସମସ୍ତେ ପତିତ, ସେମାନେ ପବିତ୍ର ଦୁନିଆ କରିପାରିବେ ନାହିଁ । ଏହା ତ ବାବାଙ୍କର ହିଁ କାମ ଅଟେ । ବାବାଙ୍କୁ ହିଁ ସମସ୍ତେ ଡାକୁଛନ୍ତି - ନିରାକାରୀ ଦୁନିଆରୁ ଆସ, ଆସି ନିଜର ପ୍ରକୃତ ରୂପ ଧାରଣ କର । ତେଣୁ ବାବା କହୁଛନ୍ତି ମୁଁ ସାକାର ରୂପ ଧାରଣ କରିଛି । କିନ୍ତୁ ସବୁବେଳେ ଏଠାରେ ରହିପାରିବି ନାହିଁ । ସାରା ଦିନ କଣ କେହି କାହା ଉପରେ ସବାରୀ କରନ୍ତି । ଶିବ-ଶଙ୍କରଙ୍କୁ ବଳଦ ଉପରେ ସବାର ହେବାର ଦେଖାଇଥାନ୍ତି । ମନୁଷ୍ୟମାନଙ୍କର ଭାଗ୍ୟଶାଳୀ ରଥ ଦେଖାଉଛନ୍ତି । ବର୍ତ୍ତମାନ ଏହା ଠିକ୍ ନା ତାହା ଠିକ୍? ଗଉଶାଳା ଦେଖାଉଛନ୍ତି ନା । ଗଉମୁଖ ମଧ୍ୟ ଦେଖାଉଛନ୍ତି । ବଳଦ ଉପରେ ସବାରୀ ପୁଣି ଗଉମୁଖ ଦ୍ୱାରା ଜ୍ଞାନ ଦେବାର ଦେଖାଇଥାନ୍ତି । ଏଠାରେ ଜ୍ଞାନ ଅମୃତ ବାହାରିଥାଏ । ଅର୍ଥ ରହିଛି ନା । ଗଉମୁଖର ମନ୍ଦିର ମଧ୍ୟ ଅଛି । ବହୁତ ଲୋକ ଯାଉଛନ୍ତି ଏବଂ ଭାବୁଛନ୍ତି ଯେ, ଗଉମୁଖରୁ ଅମୃତ ଝରୁଛି । ତେଣୁ ସେଠାକୁ ଯାଇ ପାନ କରିବାକୁ ପଡିବ ସେଠାରେ ୭୦୦ ପାହାଚ ରହିଛି । ବାସ୍ତବରେ ସବୁଠାରୁ ବଡ ଗଉମୁଖ ତ ଏହା ହିଁ ଅଟେ । ଅମରନାଥକୁ କେତେ ପରିଶ୍ରମ କରି ଯାଉଛନ୍ତି । କିନ୍ତୁ ସେଠାରେ କିଛି ବି ନାହିଁ । ସବୁ କିଛି ଠକାମୀ ଅଟେ । ଦେଖାନ୍ତି ଯେ, ଶଙ୍କର ପାର୍ବତୀଙ୍କୁ କାହାଣୀ ଶୁଣାଇଥିଲେ । ପାର୍ବତୀଙ୍କର କଣ ଦୁର୍ଗତି ହୋଇଥିଲା ଯେ, ତାଙ୍କୁ ବସି କାହାଣୀ ଶୁଣାଇଲ? ଲୋକମାନେ ମନ୍ଦିର ଆଦି ତିଆରି କରିବାରେ କେତେ ଖର୍ଚ୍ଚ କରୁଛନ୍ତି । ବାବା କହୁଛନ୍ତି ଖର୍ଚ୍ଚ କରି-କରି ତୁମେମାନେ ସବୁ ପଇସା ଶେଷ କରି ଦେଇଛ । ତୁମେମାନେ କେତେ ଧନୀ ଥିଲ, ଏବେ ଗରୀବ ହୋଇଯାଇଛ ପୁଣି ମୁଁ ଆସି ତୁମକୁ ଧନୀ କରୁଛି । ତୁମେମାନେ ଜାଣିଛ ଯେ, ବାବାଙ୍କଠାରୁ ଆମେ ବର୍ସା ନେବାକୁ ଆସିଛୁ । ବାବା ତୁମମାନଙ୍କୁ ହିଁ ଦେଉଛନ୍ତି । ଭାରତ ପରମପିତା ପରମାତ୍ମାଙ୍କର ଜନ୍ମସ୍ଥାନ । ତେଣୁ ଏହା ସବୁଠାରୁ ବଡ ତୀର୍ଥ ହେଲା ନା । ପୁଣି ସବୁ ପତିତମାନଙ୍କୁ ପବିତ୍ର ବାବା ହିଁ କରୁଛନ୍ତି । ଗୀତାରେ ଯଦି ବାବାଙ୍କର ନାମ ଥାଆନ୍ତା ତେବେ ସମସ୍ତେ ଏଠାକୁ ଆସି ଫୁଲ ଚଢାଇଥାଆନ୍ତେ । ବାବାଙ୍କ ବ୍ୟତୀତ ସମସ୍ତଙ୍କୁ ସଦ୍ଗତି କିଏ ଦେଇପାରିବ । ଭାରତ ହିଁ ସବୁଠାରୁ ବଡ ତୀର୍ଥ ଅଟେ, କିନ୍ତୁ ଏକଥା କେହି ଜାଣିନାହାଁନ୍ତି । ନଚେତ୍ ଯେପରି ବାବାଙ୍କର ମହିଁମା ଅପରମଅପାର ଅଟେ ସେହିପରି ଭାରତର ମଧ୍ୟ ମହିଁମା ରହିଛି । ନର୍କ ଏବଂ ସ୍ୱର୍ଗ ଭାରତ ହିଁ ହେଉଛି । ସ୍ୱର୍ଗର ହିଁ ଅପରମଅପାର ମହିଁମା ରହିଛି । କିନ୍ତୁ ନର୍କର ଅସରନ୍ତି ନିନ୍ଦା କରିବେ ।

ତୁମେମାନେ ସତ୍ୟଯୁଗୀ ଦୁନିଆର ମାଲିକ ହେବାକୁ ଯାଉଛ । ବାବାଙ୍କଠାରୁ ଅସରନ୍ତି ବର୍ସା ନେବାପାଇଁ ଆସିଛ । ବାବା କହୁଛନ୍ତି ମନମନାଭବ । ଅନ୍ୟ ସବୁ ଆଡୁ ବୁଦ୍ଧିଯୋଗ ତୁଟାଇ ମୋତେ ମନେ ପକାଅ । କାରଣ ଯୋଗବଳ ଦ୍ୱାରା ହିଁ ତୁମେମାନେ ପବିତ୍ର ହେବ । ଜ୍ଞାନ ଦ୍ୱାରା ବର୍ସା ନେବାକୁ ହେବ, ଜୀବନମୁକ୍ତିର ବର୍ସା ତ ସମସ୍ତଙ୍କୁ ମିଳିଥାଏ କିନ୍ତୁ ସ୍ୱର୍ଗର ବର୍ସା ରାଜଯୋଗୀମାନଙ୍କୁ ହିଁ ମିଳୁଛି । ସଦ୍ଗତି ତ ସମସ୍ତଙ୍କର ହେବାର ଅଛି ନା, ବାବା ସମସ୍ତଙ୍କୁ ଘରକୁ ନେଇଯିବେ । ବାବା କହୁଛନ୍ତି - ମୁଁ କାଳର କାଳ ଅଟେ । ସେଥିପାଇଁ ମହାକାଳ ମନ୍ଦିର ମଧ୍ୟ ଅଛି । ବାବା ବୁଝାଇଛନ୍ତି ଯେ, ଶେଷ ସମୟରେ ପ୍ରତ୍ୟକ୍ଷତା ନିଶ୍ଚିତ ହେବ ସେତେବେଳେ ବୁଝିଯିବେ ଯେ, ବାସ୍ତବରେ ଏମାନଙ୍କୁ ସବୁ କଥା ବେହଦର ବାବା ହିଁ କହିଛନ୍ତି । ଯେଉଁମାନେ କାହାଣୀ ଶୁଣାଉଛନ୍ତି ବର୍ତ୍ତମାନ ଯଦି ସେମାନେ କହିବେ ଯେ, ଗୀତାର ଭଗବାନ କୃଷ୍ଣ ନୁହଁନ୍ତି, ଶିବ ତେବେ ସମସ୍ତେ କହିବେ, ଏମାନଙ୍କୁ ମଧ୍ୟ ବି.କେ.ମାନଙ୍କର ଭୂତ ଲାଗିଯାଇଛି ସେଥିପାଇଁ ସେମାନଙ୍କର ସମୟ ଏବେ ଆସିନାହିଁ । ସେମାନେ ଶେଷ ସମୟରେ ମାନିବେ । ଯଦି ଏବେ ମାନିଯିବେ ତେବେ ସେମାନଙ୍କର ସମସ୍ତ ଗ୍ରାହକ ଚାଲିଯିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅନ୍ୟ ସବୁ ସଙ୍ଗ ଛାଡି ମାତା-ପିତାଙ୍କୁ ପୂରା-ପୂରା ଅନୁକରଣ କରିବାକୁ ହେବ । ଏହି ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ରଖି ଏହାକୁ ଭୁଲିଯିବାକୁ ହେବ ।

(୨) ଏହା ଅନ୍ତିମ ସମୟ, ସବୁ କିଛି ବିନାଶ ହେବା ପୂର୍ବରୁ ନିଜ ପାଖରେ ଯାହା କିଛି ବି ଅଛି, ସେସବୁକୁ ସେବାରେ ଅର୍ପଣ କରି ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ରାଜତ୍ତ୍ୱର ଅଧିକାର ନେବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜୀବନରେ ସର୍ବଦା ଖୁସି ରୂପକ ଖାଦ୍ୟ ଖାଉଥିବା ଏବଂ ଖୁଆଉଥିବା ଶ୍ରେଷ୍ଠ ଭାଗ୍ୟବାନ ହୁଅ ।

ବିଶ୍ୱର ମାଲିକଙ୍କର ଆମେ ବାଳକ ହିସାବରେ ମାଲିକ ଅଟୁ - ଏହିଭଳି ଈଶ୍ୱରୀୟ ନିଶା ଏବଂ ଖୁସିରେ ରୁହ । ବାଃ ମୋର ଶ୍ରେଷ୍ଠ ଭାଗ୍ୟ, ଏହିଭଳି ଖୁସିର ଝୁଲଣାରେ ସର୍ବଦା ଝୁଲୁଥାଅ । ସଦାକାଳର ଭାଗ୍ୟବାନ ମଧ୍ୟ ଅଟ ଏବଂ ସର୍ବଦା ଖୁସିର ଖାଦ୍ୟ ନିଜେ ମଧ୍ୟ ଖାଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁଆଉଛ । ଅନ୍ୟମାନଙ୍କୁ ମଧ୍ୟ ଖୁସିର ମହାଦାନ ଦେଇ ସୌଭାଗ୍ୟଶାଳୀ କରିଦେଉଛ । ତୁମମାନଙ୍କର ଜୀବନ ହିଁ ଖୁସି ଅଟେ ଏବଂ ଖୁସିରେ ରହିବା ହିଁ ପ୍ରକୃତ ବଞ୍ଚିବା ଅଟେ । ଏହା ହିଁ ହେଉଛି ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ବରଦାନ ।

ସ୍ଲୋଗାନ:-
ଯଦି ପ୍ରତ୍ୟେକ ପରସ୍ଥିତିରେ ସହନଶୀଳ ହେବ ତେବେ ଖୁସି-ମଉଜର ଅନୁଭବ କରିଚାଲିବ ।

ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ

ଏହି ଈଶ୍ୱରୀୟ ଜ୍ଞାନ କେହି ନିଜ ବୁଦ୍ଧିରୁ ବାହାର କରି କହୁ ନାହାନ୍ତି, ନା ଏହା କାହାର ନିଜସ୍ୱ ଜ୍ଞାନ, ନା କାହାର କଳ୍ପନା ଅଥବା ସଂକଳ୍ପ ଅଟେ, ପରନ୍ତୁ ଏହି ଜ୍ଞାନ ସାରା ସୃଷ୍ଟିର ରଚୟିତାଙ୍କ ଦ୍ୱାରା ଶୁଣାଯାଇଥିବା ଜ୍ଞାନ ଯାହାକୁ ଶୁଣିବା ସହିତ ବିବେକ ସମ୍ମତ ଭାବରେ ଯାହା ଅନୁଭବ କରାଯାଇଛି ତାକୁ ବାସ୍ତବିକ ରୂପରେ ଆପଣମାନଙ୍କୁ ଶୁଣାଉଛୁ । ଯଦି ଏହା ନିଜର ବୁଦ୍ଧିର କଥା ହୋଇଥାଆନ୍ତା ତେବେ ତାହା ନିଜ ହିସାବରେ ରହିଥାଆନ୍ତା । କିନ୍ତୁ ଏହାକୁ ତ ପରମାତ୍ମାଙ୍କଠାରୁ ଶୁଣି ନିଜର ବିବେକ ହିସାବରେ ଅନୁଭବ କରି ଧାରଣା କରାଯାଉଛି ଏବଂ ଯେଉଁ କଥାକୁ ଧାରଣା କରାଯାଉଛି ତାହା ଯେତେବେଳେ ନିଜର ବିବେକ ହିସାବରେ ଅନୁଭବ ହୋଇଥାଏ ସେତେବେଳେ ହିଁ ତାକୁ ଆପଣାଇ ନେଇଥାନ୍ତି । ଏହିସବୁ କଥାକୁ ମଧ୍ୟ ଆମେମାନେ ପରମାତ୍ମାଙ୍କ ଦ୍ୱାରା ଜାଣି ସାରିଛୁ । ତେଣୁ ବାସ୍ତବରେ ପରମାତ୍ମାଙ୍କର ରଚନା କଣ? ପରମାତ୍ମା କଣ? ବାସ୍ତବରେ ଏହା କୌଣସି ନିଜସ୍ୱ ସଂକଳ୍ପର କଥା ନୁହେଁ । ଯଦି ଏଭଳି ହୋଇଥାଆନ୍ତା ତେବେ ଆମ ମନରେ ଏହି କଥା ଉତ୍ପନ୍ନ ହୋଇଥାଆନ୍ତା ଯେ ଏହା ମୋର ନିଜସ୍ୱ ଜ୍ଞାନ । ସେଥିପାଇଁ ଆମକୁ ପରମାତ୍ମାଙ୍କ ଦ୍ୱାରା ଯେଉଁ ମୁଖ୍ୟ ଧାରଣା ଯୋଗ୍ୟ ପଏଣ୍ଟ ମିଳିଛି ତାହା ହେଲା ପରମାତ୍ମାଙ୍କ ସହିତ ଯୋଗ ଲଗାଇବା, କିନ୍ତୁ ଯୋଗ ଲଗାଇବା ପୂର୍ବରୁ ଜ୍ଞାନ ଜାଣିବା ଆବଶ୍ୟକ । ତେବେ ଯୋଗ କରିବା ପାଇଁ ପ୍ରଥମେ ଜ୍ଞାନ କାହିଁକି ଦରକାର? ପ୍ରଥମେ ଚିନ୍ତା କରିବା, ବୁଝିବା ଏବଂ ତା ପରେ ଯୋଗ କରିବା । ସବୁବେଳେ ଗୋଟିଏ କଥା କୁହାଯାଏ ଯେ, ପ୍ରଥମେ ଜ୍ଞାନ ଦରକାର ନଚେତ୍ କର୍ମ ଓଲଟା ହେବ ସେଥିପାଇଁ ପ୍ରଥମେ ଜ୍ଞାନ ଜାଣିବା ଜରୁରୀ ଅଟେ । ତେବେ ଜ୍ଞାନକୁ ଜାଣିବା ବହୁତ ଉଚ୍ଚ ସୋପାନ ଅଟେ, ଯାହାକୁ ବୁଝିବା ପାଇଁ ବୁଦ୍ଧିର ଆବଶ୍ୟକତା ରହିଛି କାହିଁକି ନା ଉଚ୍ଚରୁ ଉଚ୍ଚ ପରମାତ୍ମା ଆମକୁ ପାଠ ପଢାଉଛନ୍ତି ।

(୨) ତେବେ ଏହି ଈଶ୍ୱରୀୟ ଜ୍ଞାନ ହେଲା ଗୋଟିଏ ପଟରୁ ତୁଟାଇବା ଏବଂ ଆଉ ଗୋଟିଏ ପଟେ ଯୋଡିବା । ତେଣୁ ଏକମାତ୍ର ପରମାତ୍ମାଙ୍କ ସହିତ ବୁଦ୍ଧିକୁ ଯୋଡିବା, ଯେଉଁ ଶୁଦ୍ଧ ସମ୍ଭବ ଆଧାରରେ ଆମର ଜ୍ଞାନ ରୂପକ ସିଢି ଆଗକୁ ବଢିବ କାରଣ ବର୍ତ୍ତମାନ ଆମର ଆତ୍ମା କର୍ମବନ୍ଧନର ବଶବର୍ତ୍ତୀ ହୋଇଯାଇଛି ଯାହାକି ପ୍ରଥମେ କର୍ମବନ୍ଧନ ରହିତ ଥିଲା । ପରେ ଆତ୍ମା କର୍ମବନ୍ଧନରେ ଆସିଗଲା ଏବଂ ଏବେ ପୁଣି ତାକୁ କର୍ମବନ୍ଧନରୁ ମୁକ୍ତ ହେବାକୁ ପଡିବ । ଏବେ କୌଣସି କର୍ମର ବନ୍ଧନ ନ ରହୁ ଏବଂ କର୍ମ କରିବା ମଧ୍ୟ ନିଜ ହାତରେ ରହୁ ଅର୍ଥାତ୍ ନିଜର କର୍ମ ଉପରେ କଣ୍ଟ୍ରୋଲ୍ ରହୁ, ତେବେ ଯାଇ କର୍ମବନ୍ଧନରୁ ମୁକ୍ତ ହୋଇପାରିବ, ଯାହାକୁ ଜୀବନମୁକ୍ତ ଅବସ୍ଥା କୁହାଯାଏ । ନଚେତ୍ କର୍ମବନ୍ଧନର ଚକ୍ରରେ ଆସିଲେ ସଦାକାଳ ପାଇଁ ଜୀବନମୁକ୍ତି ମିଳିପାରିବ ନାହିଁ । ଏବେ ତ ଆତ୍ମାରୁ ସବୁ ଶକ୍ତି ବାହାରିଯାଇଛି ଏବଂ ଆତ୍ମାର ବିନା ନିୟନ୍ତ୍ରଣରେ କର୍ମ ହେଉଛି କିନ୍ତୁ କର୍ମ ଆତ୍ମା ଦ୍ୱାରା ହେବା ଦରକାର ତେଣୁ ଆତ୍ମା ଭିତରେ ସେତିକି ଶକ୍ତି ମଧ୍ୟ ରହିବା ଦରକାର ଏବଂ କର୍ମ ମଧ୍ୟ ଏହିଭଳି ସ୍ଥିତିରେ ଆସି ପହଞ୍ଚିବା ଦରକାର ଯେପରି କର୍ମର କୌଣସି ବନ୍ଧନ ନ ରହୁ । ନଚେତ୍ ମନୁଷ୍ୟମାନେ ଦୁଃଖ-ସୁଖର ପ୍ରଭାବରେ ଆସିଯାଉଛନ୍ତି । କାରଣ କର୍ମ ସେମାନଙ୍କୁ ନିଜ ଆଡକୁ ଟାଣୁଛି । ଆତ୍ମାରେ ଶକ୍ତି ସେତେବେଳେ ଆସିଥାଏ ଯେତେବେଳେ କର୍ମବନ୍ଧନ ନଥାଏ । ଯଦି ଏହି କଥାକୁ ଧାରଣା କରିବ ତେବେ ସବୁକିଛି ସହଜ ହୋଇଯିବ । ଏହା ହିଁ ହେଉଛି ଏହି କ୍ଳାସର ଲକ୍ଷ୍ୟ । ବାକି କୌଣସି ବେଦ, ଶାସ୍ତ୍ର ପଢି ନିଜକୁ ଡିଗ୍ରୀ ହାସିଲ କରିବା ଉଚିତ୍ ନୁହେଁ, ବରଂ ଏହି ଈଶ୍ୱରୀୟ ଜ୍ଞାନ ଆଧାରରେ ନିଜର ଜୀବନକୁ ଗଢିବା ଉଚିତ୍ ସେଥିପାଇଁ ଈଶ୍ୱରଙ୍କଠାରୁ ଶକ୍ତି ନେବାକୁ ହେବ ।