03.10.21    Avyakt Bapdada     Odia Murli     31.03.88     Om Shanti     Madhuban


ବାଣୀ ଏବଂ କର୍ମ - ଦୁଇଟିଯାକ ଶକ୍ତିକୁ ଜମା କରିବାର ଈଶ୍ୱରୀୟ ଯୋଜନା


ଆଜି ଆତ୍ମିକ ଜ୍ୟୋତି ନିଜର ଆତ୍ମିକ ପତଙ୍ଗମାନଙ୍କୁ ଦେଖୁଛନ୍ତି । ଚାରିଆଡ଼ର ପତଙ୍ଗମାନେ ଜ୍ୟୋତି ଉପରେ ସ୍ୱାହା ହୋଇଯାଇଛନ୍ତି ଅର୍ଥାତ୍ ଝାସ ଦେଇଛନ୍ତି । ଏମିତି ତ ସ୍ୱାହା ହେଉଥିବା ପତଙ୍ଗ ଅନେକ ଅଛନ୍ତି କିନ୍ତୁ ସ୍ୱାହା ହୋଇଯିବା ପରେ ଜ୍ୟୋତି ସ୍ୱରୂପ ପିତାଙ୍କର ସ୍ନେହରେ ତାଙ୍କ ସହିତ ସମାନ ହେବାରେ ବା ଝାସ ଦେବାରେ କ୍ରମାନ୍ୱୟରେ ଅଛନ୍ତି । ବାସ୍ତବରେ ଆନ୍ତରିକ ସ୍ନେହଥିବା କାରଣରୁ ହିଁ ପତଙ୍ଗମାନେ ଜ୍ୟୋତି ଉପରେ ଝାସ ଦେଇଥାନ୍ତି । ତେବେ ଆନ୍ତରିକ ସ୍ନେହ ଏବଂ ସାଧାରଣ ସ୍ନେହ ଭିତରେ ମଧ୍ୟ ଅନ୍ତର ରହିଛି । ସ୍ନେହ ତ ସମସ୍ତଙ୍କ ଭିତରେ ଅଛି ଏବଂ ସ୍ନେହଥିବା କାରଣରୁ ହିଁ ସ୍ୱାହା ହୋଇଯାଇଛନ୍ତି, କିନ୍ତୁ ଆନ୍ତରିକ ସ୍ନେହୀ ପିଲାମାନେ ବାବାଙ୍କର ଅନ୍ତରର କଥାକୁ ବା ଆନ୍ତରିକ ଆଶାକୁ ଜାଣିବା ସହିତ ପୂର୍ଣ୍ଣ ମଧ୍ୟ କରୁଛନ୍ତି । ତେଣୁ ଆନ୍ତରିକ ସ୍ନେହୀ ପିଲାମାନେ ଅନ୍ତରର ଆଶା ପୂର୍ଣ୍ଣ କରିବା ବାଲା ଅଟନ୍ତି । ତେବେ ଆନ୍ତରିକ ସ୍ନେହୀ ଅର୍ଥାତ୍ ବାବାଙ୍କର ଦିଲ୍ ଯାହା କହିବ ତାହା ହିଁ ପିଲାମାନଙ୍କ ଦିଲ୍‌ରେ ସମାହିତ ହେଉଥିବ ଏବଂ ଯେଉଁ କଥା ଦିଲ୍‌ରେ ସମାହିତ ହୋଇଥିବ ତାହା କର୍ମରେ ନିଶ୍ଚିତ ଭାବରେ ଆପେ ଆପେ ହୋଇଯିବ । କିନ୍ତୁ ସାଧାରଣ ସ୍ନେହୀ ଆତ୍ମାମାନଙ୍କର କିଛି କଥା ଦିଲ୍‌ରେ ସମାହିତ ହେବ ଏବଂ ଆଉ କିଛି କଥା ଦିମାଗ ଅର୍ଥାତ୍ ବୁଦ୍ଧିରେ ସମାହିତ ହେବ । ଯାହା ଦିଲ୍‌ରେ ସମାହିତ ହୋଇଥିବ ସେଗୁଡ଼ିକୁ କର୍ମରେ ନିଶ୍ଚିତ କରିବେ କିନ୍ତୁ ଯେଉଁ କଥାଗୁଡ଼ିକ କେବଳ ବୁଦ୍ଧିରେ ସମାହିତ ହୋଇଥିବ ତାହା ଉପରେ କେବଳ ଚିନ୍ତନ ଚାଲିବ - କରିପାରିବି କି ନାହିଁ, କରିବାକୁ ତ ପଡ଼ିବ, ସମୟ ଅନୁସାରେ ତ ନିଶ୍ଚିତ ହେବ । ଏହିଭଳି ବିଚାର ଚାଲିବା କାରଣରୁ ତାହା କେବଳ ଚିନ୍ତନ ଭିତରେ ହିଁ ରହିଯିବ, କର୍ମରେ ଆସିପାରିବ ନାହିଁ ।

ଆଜି ବାପଦାଦା ଦେଖୁଥିଲେ ଯେ ସ୍ୱାହା ତ ସମସ୍ତେ ହୋଇଛନ୍ତି, କାରଣ ସ୍ୱାହା ନ ହୋଇଥିଲେ ବ୍ରାହ୍ମଣ ମଧ୍ୟ ବୋଲାଇ ପାରିନଥାନ୍ତେ । କିନ୍ତୁ ବାବାଙ୍କର ସ୍ନେହର ପ୍ରତିଦାନରେ ଅର୍ଥାତ୍ ଯାହା ବାବା କହୁଛନ୍ତି ସେହି ଅନୁସାରେ ଚାଲିବା ପାଇଁ ମୋର ପଣିଆକୁ ତ ସ୍ୱାହା କରିବାକୁ ହିଁ ପଡ଼ିବ । ତେବେ ମୋର ପଣିଆରେ ଚାହେଁ କୌଣସି ଅଭିମାନ ହେଉ ବା କୌଣସି ଦୁର୍ବଳତା ହେଉ - ଉଭୟକୁ ତ୍ୟାଗ କରିବାକୁ ହିଁ ପଡ଼ିବ । ତେବେ କୁହାଯିବ ସ୍ୱାହା ହେବା ବା ବଳିଦାନ ଦେବା । ଏମିତି ତ ସ୍ୱାହା ହେଲାବାଲା ବହୁତ ଅଛନ୍ତି କିନ୍ତୁ ନିଜର ବଳିଦାନ ଦେଇପାରିବା ଭଳି ସାହସୀ ଆତ୍ମା କ୍ରମ ଅନୁସାରେ ଅଛନ୍ତି ।

ବାପଦାଦା ଆଜି କେବଳ ଗୋଟିଏ ମାସର ଫଳାଫଳ ଦେଖୁଥିଲେ । କେବଳ ଏହି ବର୍ଷର ମିଳନ ଋତୁରେ ବାପଦାଦା ବିଶେଷ ଭାବରେ ବାବାଙ୍କ ସମାନ ହେବା ପାଇଁ ଭିନ୍ନ ଭିନ୍ନ ରୂପରେ କେତେ ଥର ଧ୍ୟାନ ଆକର୍ଷିତ କରାଇଛନ୍ତି ଏବଂ ଏହା ହିଁ ହେଉଛି ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଅନ୍ତରର ଶ୍ରେଷ୍ଠ ଆଶା । ତେବେ ତୁମମାନଙ୍କୁ ଏତେ ସବୁ ଜ୍ଞାନ ଧନ ମିଳିଲା, ବରଦାନ ମଧ୍ୟ ମିଳିଲା । ବରଦାନ ପାଇବା ପାଇଁ ହିଁ ତ ଦୌଡ଼ି ଦୌଡ଼ି ଆସିଛ । ବାବାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ସ୍ନେହର ସହିତ ମିଶିବା ପାଇଁ ଆସୁଛନ୍ତି ଏବଂ ବରଦାନ ପାଇ ଖୁସି ହେଉଛନ୍ତି । କିନ୍ତୁ ବାବାଙ୍କର ଅନ୍ତରର ଆଶାକୁ ପୂରଣ କରିଲା ବାଲା କିଏ? ବାବା ଯାହା ସବୁ ଶୁଣାଇ ସାରିଛନ୍ତି ସେଗୁଡ଼ିକୁ କେତେ ପରିମାଣରେ କର୍ମରେ ଆଣିଛ? ମନ-ବଚନ-କର୍ମରେ କେତେ ନମ୍ବର ଥିବ ବୋଲି ଭାବୁଛ? ସମ୍ବନ୍ଧ-ସମ୍ପର୍କରେ ଆସିବା ସମୟରେ ମାନସିକ ସ୍ଥିତି କେତେ ଶକ୍ତିଶାଳୀ ରହୁଛି? କେବଳ ନିଜେ ନିଜେ ବସି ମନନ କରୁଛ - ସ୍ୱଉନ୍ନତି ପାଇଁ ଏହିଭଳି କରିବା ମଧ୍ୟ ବହୁତ ଭଲ ଏବଂ କରିବାକୁ ହିଁ ପଡ଼ିବ, କିନ୍ତୁ ଯେଉଁ ସବୁ ଶ୍ରେଷ୍ଠ ଆତ୍ମାମାନଙ୍କର ମାନସିକ ସ୍ଥିତି ଶ୍ରେଷ୍ଠ ଅଟେ ଅର୍ଥାତ୍ ସଂକଳ୍ପ ଶକ୍ତିଶାଳୀ ଅଟେ ବା ଶୁଭଭାବନା, ଶୁଭକାମନା ଯୁକ୍ତ ଅଟେ ସେମାନଙ୍କର ମାନସିକ ଶକ୍ତିର ଦର୍ପଣ କଣ? ଦର୍ପଣ ହେଲା ବାଣୀ ଏବଂ କର୍ମ । ଚାହେଁ ଅଜ୍ଞାନୀ ହୋଇଥାଉ ବା ଜ୍ଞାନୀ ହୋଇଥାଉ ଉଭୟଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବାରେ ବାଣୀ ଏବଂ କର୍ମ ହିଁ ଦର୍ପଣ ଅଟେ । ଯଦି ବାଣୀ ଏବଂ କର୍ମ ଶୁଭଭାବନା ଶୁଭକାମନା ଯୁକ୍ତ ନୁହେଁ ତେବେ ମାନସିକ ଶକ୍ତିର ପ୍ରତ୍ୟକ୍ଷ ସ୍ୱରୂପ କିପରି ଜଣା ପଡ଼ିବ? ଯେଉଁମାନଙ୍କର ମାନସିକ ସ୍ଥିତି ଶକ୍ତିଶାଳୀ ଅଟେ ବା ଶୁଭ ଅଟେ, ସେମାନଙ୍କର ବାଣୀ ଏବଂ କର୍ମ ସ୍ୱତଃ ହିଁ ଶୁଦ୍ଧ ଏବଂ ଶକ୍ତିଶାଳୀ ହୋଇଥିବ ତଥା ଶୁଭଭାବନା ଯୁକ୍ତ ହୋଇଥିବ । ଯଦି ମାନସିକ ସ୍ଥିତି ଶକ୍ତିଶାଳୀ ହୋଇଥିବ ତେବେ ଯୋଗର ଶକ୍ତି ମଧ୍ୟ ଶ୍ରେଷ୍ଠ ହୋଇଥିବ ଏବଂ ଶକ୍ତିଶାଳୀ ହୋଇଥିବ ଅର୍ଥାତ୍ ସେମାନେ ସହଜଯୋଗୀ ମଧ୍ୟ ହୋଇଥିବେ । କେବଳ ସହଜଯୋଗୀ ନୁହେଁ କିନ୍ତୁ ସହଜ କର୍ମଯୋଗୀ ମଧ୍ୟ ହୋଇଥିବେ ।

ବାପଦାଦା ଦେଖିଲେ ଯୋଗକୁ ଶକ୍ତିଶାଳୀ କରିବା ଉପରେ ଅଧିକାଂଶ ପିଲାଙ୍କର ଧ୍ୟାନ ରହିଛି । ଯୋଗକୁ ସହଜ ଏବଂ ନିରନ୍ତର କରିବା ପାଇଁ ଉମଙ୍ଗ-ଉତ୍ସାହ ମଧ୍ୟ ରହିଛି । ଏଥିରେ ଆଗକୁ ମଧ୍ୟ ବଢ଼ି ଚାଲିଛନ୍ତି ଏବଂ ବଢ଼ି ଚାଲିବେ ମଧ୍ୟ, କାହିଁକିନା ବାବାଙ୍କ ସହିତ ବହୁତ ଭଲ ସ୍ନେହ ରହିଛି, ସେଥିପାଇଁ ହିଁ ଯୋଗ ଉପରେ ଅଧିକ ଧ୍ୟାନ ରହିଛି ଏବଂ ଯୋଗର ଆଧାର ମଧ୍ୟ ସ୍ନେହ ହିଁ ଅଟେ । ବାବାଙ୍କ ସହିତ ସମସ୍ତେ ବହୁତ ଭଲ ବାର୍ତ୍ତାଳାପ ମଧ୍ୟ କରୁଛନ୍ତି । କେବେ କେବେ ଟିକିଏ ରାଗି ବି ଯାଉଛନ୍ତି, ତାହା ମଧ୍ୟ ଯେତେବେଳେ ପରସ୍ପର ଉପରେ ଟିକିଏ ବିଗିଡ଼ି ଯାଉଛନ୍ତି । ସେତେବେଳେ ବାବାଙ୍କୁ ମଧ୍ୟ ଦୋଷାରୋପ କରୁଛନ୍ତି ଯେ ଆପଣ କାହିଁକି ଏହାକୁ ଠିକ୍ କରୁ ନାହାନ୍ତି? ପୁଣି ବି ତାକୁ ସ୍ନେହ ଯୁକ୍ତ, ଅଧିକାର ଯୁକ୍ତ ରାଗିବା କୁହାଯିବ । କିନ୍ତୁ ଯେତେବେଳେ ସଂଗଠନରେ ଆସିଯାଉଛନ୍ତି, କର୍ମରେ ଆସିଯାଉଛନ୍ତି, କାର୍ଯ୍ୟ ବ୍ୟବହାରରେ ଆସିଯାଉଛନ୍ତି, ପରିବାର ସହିତ ସମ୍ବନ୍ଧ-ସମ୍ପର୍କରେ ଆସିଯାଉଛନ୍ତି ସେତେବେଳେ ସଂଗଠନ ଭିତରେ ବାଣୀର ଶକ୍ତି ଅଧିକ ବ୍ୟର୍ଥରେ ଖର୍ଚ୍ଚ ହେବାର ଦେଖାଯାଉଛି ।

ତେବେ ବାଣୀର ଶକ୍ତି ବ୍ୟର୍ଥରେ ଖର୍ଚ୍ଚ ହେବା କାରଣରୁ ବାଣୀ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ବାଣୀରେ ଯେଉଁ ଭଳି ଶକ୍ତି ରହିବା ଦରକାର ତାହା କମ୍ ହୋଇଯାଉଛି । ତୁମର ଜ୍ଞାନର କଥାଗୁଡ଼ିକ ସମସ୍ତଙ୍କୁ ଭଲ ଲାଗୁଛି, ତାହା ଅଲଗା କଥା । ଯେହେତୁ ବାବାଙ୍କ ଦ୍ୱାରା ଉଚ୍ଚାରିତ ହୋଇଥିବା କଥାକୁ ପୁନରାବୃତ୍ତି କରୁଛ ତେଣୁ ତାହା ନିଶ୍ଚିତ ଭଲ ଲାଗିବ, କିନ୍ତୁ ବାଣୀର ଶକ୍ତି ବ୍ୟର୍ଥରେ ଖର୍ଚ୍ଚ ହେଉଥିବା କାରଣରୁ ଶକ୍ତି ଜମା ହେଉନାହିଁ, ସେଥିପାଇଁ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ପ୍ରଚାର-ପ୍ରସାର କାର୍ଯ୍ୟ ତୀବ୍ରଗତିରେ ହେବାରେ ବିଳମ୍ବ ହେଉଛି କାରଣ ସାଧାରଣ ବାଣୀ ଅଧିକ ଦେଖାଯାଉଛି । କିନ୍ତୁ ତୁମମାନଙ୍କର ବାଣୀ ଅଲୌକିକ ହେବା ଦରକାର ଏବଂ ଫରିସ୍ତାମାନଙ୍କ ଭଳି ହେବା ଦରକାର । ତେଣୁ ଏବର୍ଷ ଏହି କଥା ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ - ତାଙ୍କର ବାଣୀ ଫରିସ୍ତାମାନଙ୍କ ଭଳି ବହୁତ କମ୍ ଏବଂ ମଧୁର ଥିଲା । ତେବେ ଯେଉଁ ବାଣୀ ଫଳିଭୂତ ହେଲା ତାକୁ ଯଥାର୍ଥ ବାଣୀ କୁହାଯିବ ଏବଂ ଯେଉଁ ବାଣୀର କୌଣସି ଫଳ ନାହିଁ ତାକୁ ବ୍ୟର୍ଥ କୁହାଯିବ । ଚାହେଁ କାର୍ଯ୍ୟ ବ୍ୟବହାରରେ ସଫଳତା ହେଉ ବା ଆଉ କିଛି ହେଉ କାରଣ ସେଥିରେ ମଧ୍ୟ କଥା କହିବାକୁ ତ ପଡ଼ୁଛି ନା, ତାକୁ ମଧ୍ୟ ଲମ୍ବା କର ନାହିଁ । ଏବେ ନିଜର ଶକ୍ତିକୁ ଜମାକର । ଯେପରି ଯୋଗ ଦ୍ୱାରା ମାନସିକ ଶକ୍ତି ଜମା କରୁଛ ସେହିପରି ଯେତେବେଳେ ଶାନ୍ତ ସ୍ଥିତିରେ ବସି ଯାଉଛ ସେତେବେଳେ ସଂକଳ୍ପ ଶକ୍ତିକୁ ଜମା କରୁଛ । ସେହିଭଳି ବାଣୀର ଶକ୍ତିକୁ ମଧ୍ୟ ଜମା କର । ବାପଦାଦା ଗୋଟିଏ ହସ କଥା ଶୁଣାଉଛନ୍ତି - ବାପଦାଦାଙ୍କ ବତନରେ ସମସ୍ତଙ୍କର ଜମାର ଭଣ୍ଡାରୀ ଅର୍ଥାତ୍ ଜମା କରିବାର ବାକ୍ସ ସବୁ ରହିଛି । ତୁମମାନଙ୍କର ସେବା କେନ୍ଦ୍ରରେ ଯେପରି ଭଣ୍ଡାରୀ ରହିଛି ନା, ସେହିପରି ବାପଦାଦାଙ୍କ ବତନରେ ମଧ୍ୟ ପିଲାମାନଙ୍କର ଅଲଗା ଅଲଗା ଭଣ୍ଡାରୀ ସବୁ ଅଛି । ପ୍ରତ୍ୟେକ ସନ୍ତାନ ସାରା ଦିନ ଭିତରେ ମନ-ବାଣୀ ଏବଂ କର୍ମ ଦ୍ୱାରା ଯାହା ସବୁ ସଞ୍ଚୟ କରି ଜମା କରୁଛନ୍ତି, ତାକୁ ଭଣ୍ଡାରୀ କୁହାଯାଉଛି । ସେଥିରେ ମାନସିକ ଶକ୍ତି କେତେ ଜମା କରିଛ, ବାଣୀର ଶକ୍ତି ଏବଂ କର୍ମର ଶକ୍ତି କେତେ ଜମା କରିଛ-ତାହାର ସମ୍ପୂର୍ଣ୍ଣ ହିସାବ ରହୁଛି । ତୁମେମାନେ ମଧ୍ୟ ଖର୍ଚ୍ଚ ଏବଂ ଜମାର ହିସାବ ମଧୁବନକୁ ପଠାଉଛ ନା । ତେଣୁ ବାପଦାଦା ଏହିସବୁ ଭଣ୍ଡାରୀ ଗୁଡ଼ିକୁ ଦେଖୁଥିଲେ । ତେବେ ସେଥିରୁ କଣ ବାହାରିଥିବ? ଜମାର ଖାତା କଣ ହୋଇଥିବ? ଏମିତି ତ ସମସ୍ତଙ୍କର ଜମାର ଖାତା ଅଲଗା ଅଲଗା ଅଟେ, ପୁଣି ବି ସମସ୍ତଙ୍କର ଭଣ୍ଡାରୀ ତ ବହୁତ ପରିମାଣରେ ଭରପୁର ଥିଲା କିନ୍ତୁ ସେଥିରେ ରେଜା ପଇସା ଅଧିକ ଥିଲା । ଯେପରି ଛୋଟ ପିଲାମାନେ ନିଜର ଭଣ୍ଡାରୀରେ ବା କୁମ୍ପିରେ ବହୁତ ରେଜା ପଇସା ଜମା କରିଥାନ୍ତି ତେଣୁ ତାହା କେତେ ଭାରୀ ହୋଇଥାଏ । ସେହିପରି ବାଣୀକୁ ଜମା କରିବାରେ ମଧ୍ୟ ବିଶେଷ ଭାବରେ ଏହିଭଳି ଫଳାଫଳ ଦେଖିବାକୁ ମିଳିଥିଲା କାରଣ ତୁମମାନଙ୍କର ଯୋଗ ଉପରେ ଯେତିକି ଧ୍ୟାନ ରହିଛି ବାଣୀ ଉପରେ ସେଭଳି ନାହିଁ । ତେଣୁ ଏହି ବର୍ଷ ବାଣୀ ଏବଂ କର୍ମ - ଏହି ଦୁଇଟି ଶକ୍ତିକୁ ଜମା କରିବାର ଯୋଜନା କର । ଯେପରି ସରକାର ମଧ୍ୟ ଭିନ୍ନ ଭିନ୍ନ ବିଧିରେ ସଞ୍ଚୟ କରିବାର ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି ନା, ସେହିପରି ଏଥିରେ ମଧ୍ୟ ମୂଳ ହେଲା ମାନସିକ ଶକ୍ତି - ଏକଥା ତ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ମାନସିକ ସ୍ଥିତି ସାଥୀରେ ବିଶେଷ ଭାବରେ ବାଣୀ ଏବଂ କର୍ମର ସ୍ଥିତି ସମ୍ବନ୍ଧ-ସମ୍ପର୍କରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ମାନସିକ ସ୍ଥିତି ପୁଣି ବି ଗୁପ୍ତ ଅଟେ କିନ୍ତୁ ଏହି ଦୁଇଟି ଯାକ ତ ପ୍ରତ୍ୟକ୍ଷରେ ଦେଖାଯାଉଛି ନା । ତେବେ ବାଣୀ ଦ୍ୱାରା ଜମା କରିବାର ଆଧାର ହେଲା - କମ୍ କଥା କୁହ, ମିଠା କଥା କୁହ ଏବଂ ସ୍ୱମାନରେ ରହି କଥା କୁହ । ଯେପରି ବ୍ରହ୍ମାବାବା ଛୋଟ ହୁଅନ୍ତୁ ବା ବଡ଼ ହୁଅନ୍ତୁ ସମସ୍ତଙ୍କୁ ନିଜର ସ୍ୱମାନ ଯୁକ୍ତ ବାଣୀ ଦ୍ୱାରା ଆପଣାର କରିଥିଲେ, ତୁମେମାନେ ମଧ୍ୟ ସେହି ବିଧି ଦ୍ୱାରା ଯେତେ ଯେତେ ଆଗକୁ ବଢ଼ିବ ସେତେ ଶୀଘ୍ର ବିଜୟ ମାଳା ପ୍ରସ୍ତୁତ ହୋଇଯିବ । ତେଣୁ ଏହି ବର୍ଷ କଣ କରିବ? ସେବା କରିବା ସହିତ ବିଶେଷ ଭାବରେ ଏହି ଶକ୍ତିଗୁଡ଼ିକୁ ମଧ୍ୟ ଜମା କରିବାକୁ ହେବ ।

ସେବାର ଯୋଜନା ତ ସମସ୍ତେ ବହୁତ ଭଲ ଭଲ କରିଛନ୍ତି ଏବଂ ନିଜ ନିଜର ଯୋଜନା ଅନୁସାରେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ସେବା କରିଛନ୍ତି, ଚାହେଁ ଭାରତରେ ହେଉ ବା ବିଦେଶରେ ହେଉ ଭଲ ସେବା ହେଉଛି ଏବଂ ଆଗକୁ ମଧ୍ୟ ବହୁତ ଭଲ ସେବା ହେବ । ଯେପରି ସେବା କ୍ଷେତ୍ରରେ ପରସ୍ପରଠାରୁ ଭଲ ସେବା କରିବାର ବା ସଫଳତା ପ୍ରାପ୍ତ କରିବାର ଶୁଭଭାବନା ରଖି ଆଗକୁ ବଢ଼ୁଛ ସେହିପରି ସେବାକ୍ଷେତ୍ରରେ ସଙ୍ଗଠିତ ରୂପରେ ସର୍ବଦା ସନ୍ତୁଷ୍ଟ ରହିବା ଏବଂ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାର ବିଶେଷ ସଂକଳ୍ପ ସର୍ବଦା ସାଥୀରେ ରହିଥାଉ, କାହିଁକିନା ଗୋଟିଏ ସମୟରେ ତିନି ପ୍ରକାରର ସେବା ଏକା ସାଥୀରେ ହେଉଛି । ଗୋଟିଏ ହେଲା - ନିଜର ସନ୍ତୁଷ୍ଟତା, ଯାହାକି ସ୍ୱ ସେବା । ଦ୍ୱିତୀୟରେ - ସଙ୍ଗଠନରେ ସନ୍ତୁଷ୍ଟତା, ଯାହାକି ପରିବାରର ସେବା । ତୃତୀୟରେ ହେଲା - ଭାଷା ଦ୍ୱାରା ବା କୌଣସି ନା କୌଣସି ବିଧି ଦ୍ୱାରା ବିଶ୍ୱର ଆତ୍ମାମାନଙ୍କର ସେବା । ଏହିଭଳି ଭାବରେ ଏକା ସମୟରେ ତିନି ପ୍ରକାରର ସେବା ହେଉଛି । ତେଣୁ ଯେକୌଣସି ସେବାର କାର୍ଯ୍ୟକ୍ରମ ଭିତରେ ତିନି ପ୍ରକାରର ସେବା ଅନ୍ତର୍ନିହିତ ଅଟେ । ଯେପରି ବିଶ୍ୱ ସେବାର ଫଳାଫଳ ଉପରେ ବା ବିଧି ଉପରେ ବିଶେଷ ଧ୍ୟାନ ଦେଉଛ, ସେହିପରି ଅନ୍ୟ ଦୁଇଟି ସେବା - ସ୍ୱ ଏବଂ ସଙ୍ଗଠନ ଉପରେ ମଧ୍ୟ ଧ୍ୟାନ ଦିଅ ଅର୍ଥାତ୍ ତିନୋଟି ଯାକ ସେବା ନିର୍ବିଘ୍ନ ହେବା ଆବଶ୍ୟକ, ତେବେ କୁହାଯିବ ସେବାରେ ନମ୍ବରୱାନ ସଫଳତା ମିଳିଲା । ତିନୋଟି ଯାକ ସଫଳତା ଏକା ସାଥୀରେ ପ୍ରାପ୍ତ ହେବା ଅର୍ଥାତ୍ ସେବାରେ ନମ୍ବର ପ୍ରାପ୍ତ କରିବା । ତେଣୁ ଏହି ବର୍ଷରେ ତିନୋଟି ଯାକ ସେବାରେ ଏକାଠି ସଫଳତା ପ୍ରାପ୍ତ ହେଉ - ଏହି ନାଗରା ଚାରିଆଡୁ ବାଜୁ । ଯଦି ଗୋଟିଏ କୋଣରେ ନାଗରା ବାଜୁଛି ତେବେ କୁମ୍ଭକର୍ଣ୍ଣମାନଙ୍କ କାନ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ । ଯେତେବେଳେ ଚାରିଆଡ଼େ ଏହି ନାଗରା ବାଜିବ ସେତେବେଳେ ହିଁ ସବୁ କୁମ୍ଭକର୍ଣ୍ଣମାନେ ଜାଗି ଉଠିବେ । ଏବେ ଯଦି ଜଣେ ଉଠି ପଡ଼ୁଛି ତେବେ ଆଉ ଜଣେ ଶୋଇ ରହୁଛି, ଆଉ ଜଣେ ଉଠି ପଡ଼ିଲେ ପୁଣି ଆଉ ଜଣେ ଶୋଇ ପଡ଼ୁଛି । ଯଦି ବା କିଛି କିଛି ଜାଗ୍ରତ ହୋଇ ଯାଉଛନ୍ତି ତେବେ ବହୁତ ଭଲ, ବହୁତ ଭଲ କହି ପୁଣି ଶୋଇ ପଡ଼ୁଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଜାଗ୍ରତ ହୋଇ ଯେତେବେଳେ ନିଜ ମୁଖରେ ବା ମନରେ ଅହୋ ପ୍ରଭୁ କହି ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରିବେ ତେବେ ଯାଇ ସମାପ୍ତିର କାର୍ଯ୍ୟ ସମ୍ପନ୍ନ ହେବ । ତେବେ ସେମାନେ ଜାଗ୍ରତ ହେଲେ ସିନା ମୁକ୍ତିର ସମ୍ପତ୍ତି ନେବେ! ଏବେ ବୁଝିପାରିଲ, କଣ କରିବ? ତେଣୁ ପରସ୍ପରର ସହଯୋଗୀ ହୁଅ ତାହା ହେଲେ ଅନ୍ୟମାନଙ୍କ ସୁରକ୍ଷା ଭିତରେ ନିଜର ମଧ୍ୟ ସୁରକ୍ଷା ହୋଇଯିବ ଅର୍ଥାତ୍ ସଞ୍ଚୟ ହୋଇଯିବ । ତେଣୁ ସେବାର ଯୋଜନା ଦ୍ୱାରା ଯେତେ ଯେତେ ସେମାନଙ୍କୁ ନିକଟକୁ ଆଣିବ, ସେତେ ସେତେ ସେବାର ପ୍ରତ୍ୟକ୍ଷ ଫଳ ଦେଖିବାକୁ ମିଳିବ । ସନ୍ଦେଶ ଦେବାର ସେବା ତ ପୂର୍ବରୁ ମଧ୍ୟ କରି ଆସିଛ ଏବଂ ସେହିଭଳି କରି ଚାଲିଥାଅ କିନ୍ତୁ ବିଶେଷ କରି ଏହି ବର୍ଷ କେବଳ ସନ୍ଦେଶ ଦେବାର ନାହିଁ, ସେମାନଙ୍କୁ ସହଯୋଗୀ ମଧ୍ୟ କରିବାକୁ ହେବ ଅର୍ଥାତ୍ ସମ୍ପର୍କ ମାଧ୍ୟମରେ ନିକଟକୁ ଆଣିବାକୁ ହେବ । କେବଳ ଫର୍ମ ପୂରଣ କରାଇ ଦେଲ ବା ନିମନ୍ତ୍ରଣ ଦେଇ ଦେଲ - ଏସବୁ ତ ପୂର୍ବରୁ ମଧ୍ୟ କରି ଆସିଛ କିନ୍ତୁ ଏବର୍ଷ ଆଉ ଟିକିଏ ଆଗକୁ ବଢ଼ । ଫର୍ମ ମଧ୍ୟ ପୂରଣ କର କିନ୍ତୁ ସେତିକିରେ ଛାଡ଼ି ଦିଅ ନାହିଁ, ସେମାନଙ୍କୁ ସମ୍ବନ୍ଧରେ ଆଣିବାକୁ ହେବ । ଯେଉଁଭଳି ବ୍ୟକ୍ତି ସେହି ଅନୁସାରେ ସମ୍ପର୍କରେ ଆଣିବା ପାଇଁ ଯୋଜନା କର । ଚାହେଁ ଛୋଟ ଛୋଟ କାର୍ଯ୍ୟକ୍ରମ କର କିନ୍ତୁ ଲକ୍ଷ୍ୟ ଏହା ହିଁ ରଖ । କେବଳ ଗୋଟିଏ ଘଣ୍ଟା ପାଇଁ ବା ଫର୍ମ ପୂରଣ କରିବା ପର୍ଯ୍ୟନ୍ତ ସହଯୋଗୀ କର ନାହିଁ କିନ୍ତୁ ସହଯୋଗ ଆଧାରରେ ସେମାନଙ୍କୁ ପାଖକୁ ଆଣିବାକୁ ହେବ । ସମ୍ବନ୍ଧ-ସମ୍ପର୍କରେ ଆଣିବାକୁ ହେବ । ତେବେ ଯାଇ ଆଗକୁ ସେବାର ରୂପରେଖା ପରିବର୍ତ୍ତନ ହେବ । ତୁମମାନଙ୍କୁ ନିଜ ପାଇଁ କିଛି କରିବାକୁ ପଡ଼ିବ ନାହିଁ । ତୁମ ତରଫରୁ ସମ୍ବନ୍ଧରେ ଆସୁଥିବା ଆତ୍ମାମାନେ କହିବେ । ତୁମମାନଙ୍କୁ କେବଳ ଆଶୀର୍ବାଦ ଏବଂ ଦୃଷ୍ଟି ଦେବାକୁ ପଡ଼ିବ । ଆଜିକାଲି ଯେପରି ଶଙ୍କରାଚାର୍ଯ୍ୟଙ୍କୁ ଆସନ ଉପରେ ବସାଉଛନ୍ତି, ସେହିପରି ତୁମମାନଙ୍କୁ ମଧ୍ୟ ପୂଜ୍ୟ ଆସନରେ ବସାଇବେ, ଚାନ୍ଦୀ ଆସନରେ ନୁହେଁ । ଧରଣୀ ପ୍ରସ୍ତୁତ କରିବାବାଲା ନିମିତ୍ତ ହେବେ ଏବଂ ତୁମମାନଙ୍କୁ କେବଳ ଦୃଷ୍ଟି ଦ୍ୱାରା ବୀଜ ପକାଇବାକୁ ହେବ, ଦୁଇ ଧାଡ଼ି ଆଶୀର୍ବଚନ ଶୁଣାଇବାକୁ ହେବ, ତେବେ ତ ପ୍ରତ୍ୟକ୍ଷତା ହେବ ନା । ତୁମମାନଙ୍କ ଭିତରେ ସେମାନେ ବାବାଙ୍କୁ ଦେଖିବେ ଏବଂ ବାବାଙ୍କର ଦୃଷ୍ଟି, ବାବାଙ୍କର ସ୍ନେହର ଅନୁଭୂତି ପାଇବା ମାତ୍ରକେ ପ୍ରତ୍ୟକ୍ଷତାର ଶବ୍ଦ ଶୁଣିବାକୁ ମିଳିବ ଅର୍ଥାତ୍ ପ୍ରତ୍ୟକ୍ଷତାର ସ୍ଲୋଗାନ ଶୁଭିବା ଆରମ୍ଭ ହୋଇଯିବ ।

ଏବେ ତ ସେବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସମାପ୍ତ କରି ଦେଇଛ । ଏବେ ଅନ୍ୟମାନେ ସେବା କରିବେ ଏବଂ ତୁମେମାନେ ତାକୁ ଦେଖି ଖୁସି ହେଉଥିବ । ଯେମିତି ପୋପ୍ କଣ କରନ୍ତି? ଏତେ ବଡ଼ ସଭା ଭିତରେ କେବଳ ଦୃଷ୍ଟି ଦେଇ ଆଶୀର୍ବାଦର ବାଣୀ ଶୁଣାନ୍ତି । ଲମ୍ବା-ଚଉଡ଼ା ଭାଷଣ କରିବାବାଲା ଅନ୍ୟମାନେ ହୋଇଯାଆନ୍ତି । ତୁମେ କହିଥାନ୍ତ ଯେ ଆମକୁ ଏହି କଥା ବାବା ହିଁ ଶୁଣାଇଛନ୍ତି, ତା ପରିବର୍ତ୍ତେ ଅନ୍ୟମାନେ କହିବେ - ଏମାନେ ଯାହା ଶୁଣାଉଛନ୍ତି ସେସବୁ ପରମାତ୍ମାଙ୍କର ବାଣୀ, ଅନ୍ୟ କାହାରି ନୁହେଁ । ତେବେ ଧୀରେ ଧୀରେ ଏହିଭଳି ସହଯୋଗୀ ଭୁଜା ସବୁ ପ୍ରସ୍ତୁତ ହୋଇଯିବେ । ଯେପରି ସେବାକେନ୍ଦ୍ରକୁ ସମ୍ଭାଳିବା ପାଇଁ ସହଯୋଗୀ ସେବାଧାରୀମାନେ ପ୍ରସ୍ତୁତ ହୋଇଯାଇଛନ୍ତି ନା, ସେହିପରି ତୁମ ତରଫରୁ ମଞ୍ଚ ଉପରେ ଶୁଣାଇବାବାଲା ବା ଅନୁଭବ କରି ଶୁଣାଇବାବାଲା ଅନ୍ୟମାନେ ବାହାରି ପଡ଼ିବେ । କେବଳ ତୁମର ମହିମା କରିବାବାଲା ନୁହେଁ ବରଂ ଜ୍ଞାନର ଗହନ ତଥ୍ୟ ଗୁଡ଼ିକୁ ସ୍ପଷ୍ଟ କରିବା ଏବଂ ପରମାତ୍ମ ଜ୍ଞାନକୁ ସିଦ୍ଧ କରିବା ପାଇଁ ମଧ୍ୟ ନିମିତ୍ତ ହେବେ । କିନ୍ତୁ ସେଥିପାଇଁ ସେହିଭଳି ଲୋକମାନଙ୍କୁ ସ୍ନେହୀ, ସହଯୋଗୀ କରି ସମ୍ପର୍କରେ ଆଣିବା ସହିତ ସମ୍ବନ୍ଧକୁ ଆଣ । ତେବେ ଏହି ସାରା କାର୍ଯ୍ୟକ୍ରମର ଲକ୍ଷ୍ୟ ହିଁ ଏହା ଅଟେ ଯେ ଏଭଳି ଆତ୍ମାମାନଙ୍କୁ ସହଯୋଗୀ କର ଯାହାକି ତୁମେ ମାଇଟ୍‌ ଅର୍ଥାତ୍ ଶକ୍ତି ସ୍ୱରୂପ ହୋଇଯାଅ ଏବଂ ସେମାନେ ମାଇକ୍‌ ହୋଇଯାଆନ୍ତୁ । ତେଣୁ ଏବର୍ଷର ସହଯୋଗ ଦ୍ୱାରା ସେବାର ଲକ୍ଷ୍ୟ ହେଲା ମାଇକ୍‌ ପ୍ରସ୍ତୁତ କରିବା, ଯେଉଁମାନେ କି ନିଜର ଅନୁଭବ ଆଧାରରେ ତୁମମାନଙ୍କର ଜ୍ଞାନକୁ ବା ବାବାଙ୍କର ଜ୍ଞାନକୁ ପ୍ରତ୍ୟକ୍ଷ କରିବେ । ଯେଉଁମାନଙ୍କର ପ୍ରଭାବ ସ୍ୱତଃ ଭାବରେ ଏବଂ ସହଜରେ ଅନ୍ୟମାନଙ୍କ ଉପରେ ପଡ଼ୁଥିବ, ଏହିଭଳି ମାଇକ୍ ପ୍ରସ୍ତୁତ କର । ବୁଝିପାରିଲ, ସେବାର ଉଦ୍ଦେଶ୍ୟ କଣ? ଏବଂ ଯେଉଁ କାର୍ଯ୍ୟକ୍ରମ ସବୁ କରିଛ ସେଥିରୁ କଣ ଲହୁଣୀ ବାହାରିବ ଅର୍ଥାତ୍ କଣ ଫଳ ମିଳିବ? ତେଣୁ ଖୁବ୍ ସେବା କର କିନ୍ତୁ ଏବର୍ଷ ସନ୍ଦେଶ ଦେବାରେ ସେବା ସହିତ ଏହି ସେବାକୁ ଯୋଡ଼ । ଯେଉଁମାନେ ସେହିଭଳି ପାତ୍ର ଅଛନ୍ତି ସେମାନଙ୍କୁ ଦୃଷ୍ଟିରେ ରଖ ଏବଂ ସମୟ ସମୟରେ ଭିନ୍ନ ଭିନ୍ନ ବିଧିରେ ସେମାନଙ୍କୁ ସମ୍ପର୍କରେ ଆଣ । ଏମିତି ନୁହେଁ ଯେ ଗୋଟିଏ କାର୍ଯ୍ୟକ୍ରମ କରିଲ, ପୁଣି ତା ଉପରେ ଆଉ ଗୋଟିଏ କରିଲ, ପୁଣି ତା ଉପରେ ଆଉ ଗୋଟିଏ କରିଲ କିନ୍ତୁ ପ୍ରଥମରୁ ଯେଉଁମାନେ ସମ୍ପର୍କରେ ଆସିଥିଲେ ସେମାନେ ସେଇଠି ହିଁ ରହିଗଲେ ଏବଂ ତୃତୀୟ କାର୍ଯ୍ୟକ୍ରମ ବାଲା ସମ୍ପର୍କରେ ଆସିଗଲେ । ଏହିଭଳି ଭାବରେ ଜମା କରିଥିବା ଶକ୍ତିକୁ ପ୍ରୟୋଗରେ ଆଣିବାକୁ ହେବ । ପ୍ରତ୍ୟେକ ପ୍ରୋଗ୍ରାମରେ କିଛି କିଛି ଆତ୍ମାମାନଙ୍କୁ ଜମା କରିଚାଲ ଅର୍ଥାତ୍ ସହଯୋଗୀ ତାଲିକାରେ ଯୋଡି ଚାଲ, ଶେଷରେ ଏହିଭଳି ସମ୍ବନ୍ଧ-ସମ୍ପର୍କ ବାଲାଙ୍କର ମାଳା ପ୍ରସ୍ତୁତ ହୋଇଯିବ । ବୁଝିଲ? ଆଉ କଣ ବାକି ରହିଲା? ମିଳନ କରିବାର କାର୍ଯ୍ୟକ୍ରମ ରହିଲା ।

ଏବର୍ଷ ବାପଦାଦା ୬ ମାସର ସେବାର ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ସେବା କରିବାର ଯେଉଁ ସବୁ ଯୋଜନା ଗୁଡ଼ିକ ପ୍ରସ୍ତୁତ କରିଛ, ସେଥିରେ ପରସ୍ପରର ସହଯୋଗୀ ହୋଇ ଚାରିଆଡ଼େ ଖୁବ୍ ଚକ୍ର ଲଗାଅ । ସବୁ ଛୋଟ-ବଡ଼ ଭାଇ-ଭଉଣୀମାନଙ୍କୁ ଉମଙ୍ଗ-ଉତ୍ସାହ ଦେଇ ତିନି ପ୍ରକାରର ସେବାରେ ଆଗକୁ ବଢ଼ାଅ ସେଥିପାଇଁ ବାପଦାଦା ଏହି ବର୍ଷ ପୁରା ରାତିକୁ ଦିନ କରି ସେବା ଦେଇ ଦେଇଛନ୍ତି । ତେବେ ଏହି ବର୍ଷଟି ତିନି ପ୍ରକାରର ସେବାର ଫଳ ଖାଇବାର ବର୍ଷ । ଏଠାକୁ ଆସିବାର ନାହିଁ କିନ୍ତୁ ଫଳ ଖାଇବାର ଅଛି । ଏବର୍ଷ ଆସିବାର ଡ୍ରାମାରେ ନିଧାର୍ଯ୍ୟ ନାହିଁ । ବାବାଙ୍କର ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣର ସହଯୋଗ ତ ସଦା ସର୍ବଦା ପିଲାମାନଙ୍କ ସାଥୀରେ ଅଛି । ଯାହା ଡ୍ରାମାରେ ନିଧାର୍ଯ୍ୟ ଥିଲା ତାହା ଶୁଣାଇ ଦେଲି । ଡ୍ରାମାର ନିଧାର୍ଯ୍ୟକୁ ତ ମାନିବାକୁ ହିଁ ପଡ଼ିବ । ତେଣୁ ଖୁବ୍ ସେବା କର । ୬ ମାସ ଭିତରେ ହିଁ ଫଳାଫଳ ଜଣାପଡ଼ିଯିବ । ବାବାଙ୍କର ଆଶାକୁ ପୂର୍ଣ୍ଣ କରିବାର ଯୋଜନା ପ୍ରସ୍ତୁତ କର । ଯେଉଁଠି ବି ଦେଖ, ଯାହାକୁ ବି ଦେଖ - ପ୍ରତ୍ୟେକ ସନ୍ତାନର ସଂକଳ୍ପ, ବାଣୀ ଏବଂ କର୍ମ ବାବାଙ୍କର ଆଶାର ଦୀପକୁ ଜାଗ୍ରତ କରୁଥିବାର ଦେଖାଯାଉ । ପ୍ରଥମେ ମଧୁବନରେ ହିଁ ଏହାର ନମୁନା ଦେଖାଅ । ସଞ୍ଚୟ କରିବାର ଯୋଜନାର ନମୁନା ପ୍ରଥମେ ମଧୁବନରେ ପ୍ରସ୍ତୁତ କର । ପ୍ରଥମେ ଏହାକୁ ହିଁ ବ୍ୟାଙ୍କରେ ଜମା କର । ତେବେ ମଧୁବନ ବାଲାଙ୍କୁ ବରଦାନ ମଧ୍ୟ ମିଳିଗଲା । ବାକି ଯେଉଁମାନେ ରହିଗଲେ ସେମାନଙ୍କର କୋଟା ମଧ୍ୟ ଶୀଘ୍ର ଶୀଘ୍ର ପୂରଣ କରାଯିବ କାହିଁକି ନା ବାବାଙ୍କର ସ୍ନେହ ତ ସବୁ ପିଲାଙ୍କ ସହିତ ରହିଛି । ଏମିତି ତ ପ୍ରତ୍ୟେକ ସନ୍ତାନ ପାଇଁ ପ୍ରତି ପାଦରେ ହିଁ ବରଦାନ ରହିଛି । ଯେଉଁମାନେ ଆନ୍ତରିକ ସ୍ନେହୀ ପିଲାମାନେ ଅଛନ୍ତି ସେମାନେ ତ ବରଦାନ ଆଧାରରେ ହିଁ ପ୍ରତ୍ୟେକ ପାଦ ପକାଉଛନ୍ତି । ବାବାଙ୍କର ବରଦାନ କେବଳ ମୁଖ ଦ୍ୱାରା ନୁହେଁ କିନ୍ତୁ ହୃଦୟରୁ ମଧ୍ୟ ବରଦାନ ଦେଇଥାନ୍ତି ଏବଂ ହୃଦୟର ବରଦାନ ସର୍ବଦା ସ୍ନେହୀ ପିଲାମାନଙ୍କର ହୃଦୟରେ ଖୁସି ଏବଂ ଉମଙ୍ଗ-ଉତ୍ସାହର ଅନୁଭବ କରାଇଥାଏ । ଏହା ହିଁ ହେଉଛି ଦିଲ୍‌ର ବରଦାନର ପ୍ରତୀକ । ତେବେ ଦିଲ୍‌ର ବରଦାନକୁ ଯେଉଁମାନେ ବି ନିଜର ଦିଲ୍‌ରେ ଧାରଣ କରିଥାନ୍ତି ସେମାନଙ୍କର ଲକ୍ଷଣ ହେଲା ସେମାନେ ସର୍ବଦା ଖୁସି ଏବଂ ଉମଙ୍ଗ-ଉତ୍ସାହରେ ଆଗକୁ ବଢ଼ି ଚାଲିଥାନ୍ତି । କେବେ ବି କୌଣସି କଥାରେ ଅଟକି ଯାଆନ୍ତି ନାହିଁ କି ଲଟକି ଯାଆନ୍ତି ନାହିଁ, ବରଦାନ ଆଧାରରେ ଉଡ଼ୁଥାନ୍ତି ଏବଂ ଆଉ ସବୁ କଥା ତଳେ ରହିଯାଏ କାରଣ ରାସ୍ତାକଡ଼ର ଦୃଶ୍ୟ କେବେ ବି ଉଡ଼ିବା ବାଲାଙ୍କୁ ରୋକି ପାରିବ ନାହିଁ ।

ଆଜି ବାପଦାଦା ସମସ୍ତଙ୍କୁ ଅର୍ଥାତ୍ ଯେଉଁମାନେ ବି ଅନ୍ତରର ସହିତ, ଅକ୍ଲାନ୍ତ ଭାବରେ ସେବା କରିଛନ୍ତି, ସେହି ସମସ୍ତ ସେବାଧାରୀମାନଙ୍କୁ ଏହି ସିଜନର ସେବା ପାଇଁ ଅଭିନନ୍ଦନ ଦେଉଛନ୍ତି । ମଧୁବନକୁ ଆସି ମଧୁବନର ଶୋଭାବର୍ଦ୍ଧନ କରିଛ ତେଣୁ ଏହିଭଳି ଶୋଭାବର୍ଦ୍ଧନ କରିଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ଅଭିନନ୍ଦନ ଦେଉଛନ୍ତି ଏବଂ ନିମିତ୍ତ ହୋଇଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ମଧ୍ୟ ସର୍ବଦା ବାବାଙ୍କ ସମାନ ଅକ୍ଲାନ୍ତ ଭାବରେ ନିଜର ସେବା ଦ୍ୱାରା ସମସ୍ତଙ୍କୁ ସତେଜ କରିଥିବାରୁ ଅଭିନନ୍ଦନ ଦେଉଛନ୍ତି ଏବଂ ରଥକୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି । ଚାରିଆଡ଼ର ସେବାଧାରୀ ପିଲାମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି । ସମସ୍ତେ ନିର୍ବିଘ୍ନ ହୋଇ ଆଗକୁ ଆଗକୁ ବଢ଼ିଚାଲିଛ ଏବଂ ଏହିଭଳି ବଢ଼ି ଚାଲିବାକୁ ହେବ । ତେବେ ଦେଶ ଏବଂ ବିଦେଶର ସବୁ ପିଲାମାନଙ୍କୁ ଏଠାକୁ ଆସିବାର ମଧ୍ୟ ଅଭିନନ୍ଦନ ଏବଂ ଏଠାକୁ ଆସି ସତେଜ ହେବାର ମଧ୍ୟ ଅଭିନନ୍ଦନ । କିନ୍ତୁ ସଦା ସର୍ବଦା ସତେଜ ହୋଇ ରହିଥାଅ, ୬ ମାସ ପାଇଁ ନୁହେଁ । ଯଦିଓ ସତେଜ ରହିଥିଲେ ମଧ୍ୟ ଅଧିକ ସତେଜ ହେବା ପାଇଁ ଆସିପାର କାହିଁକିନା ବାବାଙ୍କର ସର୍ବ ସମ୍ପତ୍ତି ଉପରେ ତ ସଦା ସର୍ବଦା ପିଲାମାନଙ୍କର ହିଁ ଅଧିକାର ରହିଛି, ତେଣୁ ବାବା ଏବଂ ତାଙ୍କର ସମ୍ପତ୍ତି ସର୍ବଦା ସାଥୀରେ ଅଛି ଏବଂ ଆଗକୁ ମଧ୍ୟ ସାଥୀରେ ରହିବ । କେବଳ ଯେଉଁ କଥା ଉପରେ ଧ୍ୟାନ ଆକର୍ଷଣ କରାଇଲି ସେଥିରେ ବିଶେଷ ଭାବରେ ନିଜକୁ ଦୃଷ୍ଟାନ୍ତ ସ୍ୱରୂପ କରି ପରୀକ୍ଷାରେ ଅଧିକ ନମ୍ବର ନିଅ । ଅନ୍ୟମାନଙ୍କୁ ଦେଖ ନାହିଁ, ନିଜକୁ ଦୃଷ୍ଟାନ୍ତ ସ୍ୱରୂପ କର । ଏଥିରେ ଯିଏ କରିବ ସିଏ ପାଇବ ଅର୍ଥାତ୍ ନମ୍ବରୱାନ୍ ହେବ । ଦ୍ୱିତୀୟଥର ଯେତେବେଳେ ବାପଦାଦା ଆସିବେ ସେତେବେଳେ ସମସ୍ତେ ଫରିସ୍ତାମାନଙ୍କ ଭଳି କର୍ମ, ଫରିସ୍ତାଙ୍କ ଭଳି ବାଣୀ, ଫରିସ୍ତାଙ୍କ ଭଳି ସଂକଳ୍ପକୁ ଧାରଣ କରିଥିବାର ଦେଖାଯାଉଥିବେ । ଏହିଭଳି ପରିବର୍ତ୍ତନ ସଙ୍ଗଠନ ଭିତରେ ଦେଖାଯାଉ । ପ୍ରତ୍ୟେକ ଆତ୍ମା ଅନୁଭବ କରନ୍ତୁ ଯେ ଏହି ସବୁ ଫରିସ୍ତାମାନଙ୍କର ବାଣୀ, ଫରିସ୍ତାମାନଙ୍କର କର୍ମ କେତେ ଅଲୌକିକ ଅଟେ! ଏହିଭଳି ପରିବର୍ତ୍ତନ ସମାରୋହ ବାପଦାଦା ଦେଖିବାକୁ ଚାହୁଁଛନ୍ତି । ଯଦି ପ୍ରତ୍ୟେକ ନିଜ ନିଜର ସାରା ଦିନର ବାଣୀକୁ ରେକଡ଼ିଙ୍ଗ୍ କରିବ ତେବେ ବହୁତ ଭଲ ଭାବରେ ଜଣା ପଡ଼ିଯିବ ଯେ କେତେ ବ୍ୟର୍ଥରେ ଯାଉଛି! କେବଳ ମନର ଟେପ୍ ରେକର୍ଡ଼ରରେ ଚେକ୍ କର, ସ୍ଥୂଳ ଟେପ୍ ରେକର୍ଡ଼ରରେ ନୁହେଁ । ତୁମର ସାଧାରଣ ବାଣୀ ମଧ୍ୟ ବ୍ୟର୍ଥର ଖାତାରେ ଜମା ହେଉଛି । ଯଦି ୪ ପଦ କହିବା ପରିବର୍ତ୍ତେ ୨୪ ପଦ କହିଲ ତେବେ ବାକି ୨୦ ପଦ କେଉଁ ଖାତାକୁ ଗଲା? ତେଣୁ ନିଜର ଶକ୍ତିକୁ ଜମା କର, ତେବେ ଯାଇ ତୁମର ଆଶୀର୍ବାଦର ଦୁଇପଦ କଥା ଗୋଟିଏ ଘଣ୍ଟା ଭାଷଣର କାର୍ଯ୍ୟ କରିବ । ଆଚ୍ଛା!

ଚାରିଆଡ଼ର ସମସ୍ତ ସ୍ୱାହା ହେଉଥିବା ଆତ୍ମିକ ପତଙ୍ଗମାନଙ୍କୁ, ନିଜର ଦୃଢ଼-ସଂକଳ୍ପ ଦ୍ୱାରା ବାବାଙ୍କ ସମାନ ସର୍ବଦା ଆଗକୁ ବଢ଼ୁଥିବା ସମସ୍ତ ବିଶେଷ ଆତ୍ମାମାନଙ୍କୁ, ସର୍ବଦା ନିଜର ଉଡ଼ିବାର କଳା ଦ୍ୱାରା ଯେକୌଣସି ପ୍ରକାରର ରାସ୍ତାକଡ଼ର ଦୃଶ୍ୟକୁ ଅତିକ୍ରମ କରୁଥିବା ଡବଲ ଲାଇଟ୍ ପିଲାମାନଙ୍କୁ ଆତ୍ମିକ ଜ୍ୟୋତି ବାପଦାଦାଙ୍କର ୟାଦ୍ ପ୍ୟାର ଏବଂ ନମସ୍ତେ ।

ବରଦାନ:-
କଲ୍ୟାଣର ଭାବନା ଦ୍ୱାରା ପ୍ରତ୍ୟେକ ଆତ୍ମାର ସଂକଳ୍ପକୁ ପରିବର୍ତ୍ତନ କରୁଥିବା ନିଶ୍ଚୟବୁଦ୍ଧି ଆତ୍ମା ହୁଅ ।

ଯେପରି ବାବାଙ୍କ ଉପରେ ଶତକଡ଼ା ଶହେ ଭାଗ ନିଶ୍ଚୟବୁଦ୍ଧି ଅଟ, ଯିଏ ଯେତେ ବି ହଲ୍‌ଚଲ୍ କରିବାକୁ ଚେଷ୍ଟା କରୁ କିନ୍ତୁ କେବେ ବି ହଲ୍‌ଚଲ୍ ହୋଇପାରିବ ନାହିଁ, ସେହିଭଳି ଦୈବୀ ପରିବାର ଦ୍ୱାରା ବା ସଂସାରୀ ଆତ୍ମାମାନଙ୍କ ଦ୍ୱାରା ଯେପରି ବି ପରୀକ୍ଷା ଆସୁ, କେହି କ୍ରୋଧୀ ରୂପରେ ସମ୍ମୁଖକୁ ଆସୁ ବା କେହି ଗାଳି ଦେଇ ଅପମାନିତ କରୁ - ସେଥିରେ ମଧ୍ୟ ହଲ୍‌ଚଲ୍ ହୋଇପାରିବ ନାହିଁ, ଏଥିରେ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି କେବଳ କଲ୍ୟାଣର ଭାବନା ରହୁ କାରଣ ତୁମମାନଙ୍କର କଲ୍ୟାଣର ଭାବନା ସେମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରିଦେବ, କିନ୍ତୁ ଏଥିରେ କେବେ ବି ଅଧୈର୍ଯ୍ୟ ହେବାର ନାହିଁ, କାରଣ ସମୟ ଅନୁସାରେ ଫଳ ନିଶ୍ଚିତ ମିଳିବ - ଏହା ଡ୍ରାମାର ନିଧାର୍ଯ୍ୟ ଅଟେ ।

ସ୍ଲୋଗାନ:-
ପବିତ୍ରତାର ଶକ୍ତି ଦ୍ୱାରା ନିଜର ସଂକଳ୍ପକୁ ଶୁଦ୍ଧ ଏବଂ ଜ୍ଞାନ ସ୍ୱରୂପ କରି ଦୁର୍ବଳତାଗୁଡ଼ିକୁ ସମାପ୍ତ କର ।