03.11.19    Avyakt Bapdada     Odia Murli     02.03.85     Om Shanti     Madhuban


ଆଜି ରତ୍ନାକର ପିତା ନିଜର ଅମୂଲ୍ୟ ରତ୍ନମାନଙ୍କୁ ଦେଖୁଛନ୍ତି । ଏହା ଅଲୌକିକ ଏବଂ ଅମୂଲ୍ୟ ରତ୍ନମାନଙ୍କର ଦରବାର ଅଟେ । ଏହି ଦରବାରର ପ୍ରତ୍ୟେକ ରତ୍ନ ଅମୂଲ୍ୟ ଅଟନ୍ତି । ଯଦି ବର୍ତ୍ତମାନ ସମୟରେ ବିଶ୍ୱର ସାରା ସମ୍ପତ୍ତି ବା ସାରା ଭଣ୍ଡାର ଗୁଡିକୁ ଏକାଠି କରାଯିବ ତେବେ ବି ମଧ୍ୟ ତାହା ତୁଳନାରେ ଏହି ଗୋଟିଏ ଗୋଟିଏ ଈଶ୍ୱରୀୟ ରତ୍ନ ଅନେକ ଗୁଣା ଅମୂଲ୍ୟ ବିବେଚିତ ହେବେ । ତୁମ ଭଳି ଗୋଟିଏ ଗୋଟିଏ ରତ୍ନ ତୁଳନାରେ ସାରା ବିଶ୍ୱର ସମ୍ପତ୍ତି କିଛି ବି ନୁହେଁ । ଏତେ ମୂଲ୍ୟବାନ ରତ୍ନ ଅଟ । ଏହିଭଳି ଅମୂଲ୍ୟ ରତ୍ନ କେବଳ ଏହି ସଂଗମଯୁଗ ବ୍ୟତୀତ ସାରା କଳ୍ପରେ ଆଉ କେବେ ବି ମିଳିବେ ନାହିଁ । ସତ୍ୟଯୁଗୀ ଦେବ ଆତ୍ମା ହେବାର ପାର୍ଟ ଏହି ସଂଗମଯୁଗୀ ଈଶ୍ୱରୀୟ ଅମୂଲ୍ୟ ରତ୍ନ ହେବାର ପାର୍ଟ ତୁଳନାରେ ଦ୍ୱିତୀୟ ନମ୍ବର କୁହାଯିବ । ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ଅଟ, ସତ୍ୟଯୁଗରେ ଦୈବୀ ସନ୍ତାନ ହେବ । ଯେପରି ଈଶ୍ୱରଙ୍କର ନାମ ସବୁଠାରୁ ଶ୍ରେଷ୍ଠ ଅଟେ, ମହିମା, ଜନ୍ମ ଏବଂ କର୍ମ ମଧ୍ୟ ଶ୍ରେଷ୍ଠ ଅଟେ ସେହିପରି ଈଶ୍ୱରୀୟ ରତ୍ନମାନଙ୍କର ବା ଈଶ୍ୱରୀୟ ସନ୍ତାନମାନଙ୍କର ମୂଲ୍ୟ ମଧ୍ୟ ସର୍ବଶ୍ରେଷ୍ଠ ଅଟେ । ଏହି ଶ୍ରେଷ୍ଠ ମହିମାର ବା ଶ୍ରେଷ୍ଠ ମୂଲ୍ୟର ସ୍ମାରକୀ ଭାବରେ ଏବେ ମଧ୍ୟ ୯ ରତ୍ନ ରୂପରେ ଗାୟନ ଏବଂ ପୂଜନ କରାଯାଉଛି । ୯ଟି ଯାକ ରତ୍ନକୁ ଭିନ୍ନ ଭିନ୍ନ ବିଘ୍ନ ପାଇଁ ବିଘ୍ନ-ବିନାଶକ ରତ୍ନ ରୂପରେ ଗାୟନ କରାଯାଉଛି । ଯେଉଁଭଳି ବିଘ୍ନ ସେହିଭଳି ବିଶେଷତା ସମ୍ପନ୍ନ ରତ୍ନର ମୁଦି ତିଆରି କରି ବା ଲକେଟ୍ ତିଆରି କରି ପିନ୍ଧିଥାଆନ୍ତି ବା କୌଣସି ରୂପରେ ଘରେ ରଖିଥାଆନ୍ତି । ତେବେ ବର୍ତ୍ତମାନ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ବିଘ୍ନ-ବିନାଶକ ରୂପରେ ନିଜର ସ୍ମାରକୀ ସବୁ ଦେଖୁଛ । ଯଦିଓ ସମସ୍ତେ କ୍ରମାନ୍ୱୟରେ ରହିଛ କିନ୍ତୁ କ୍ରମାନ୍ୱୟ ଅର୍ଥାତ୍ ଶକ୍ତି ବା ଯୋଗ୍ୟତାରେ କମ୍ ବେଶୀ ଥିଲେ ମଧ୍ୟ ଅମୂଲ୍ୟ ଏବଂ ବିଘ୍ନ ବିନାଶକ ସମସ୍ତେ ଅଟ । ଆଜି ପର୍ଯ୍ୟନ୍ତ ମଧ୍ୟ ଭକ୍ତ ଆତ୍ମାମାନେ ତୁମ ଭଳି ରତ୍ନମାନଙ୍କୁ ଶ୍ରେଷ୍ଠ ସ୍ୱରୂପରେ ସମ୍ମାନ ପ୍ରଦାନ କରୁଛନ୍ତି । ବହୁତ ସ୍ନେହ ପୂର୍ବକ, ସ୍ୱଚ୍ଛତା ପୂର୍ବକ ବଡ ଯତ୍ନରେ ରଖୁଛନ୍ତି, କାରଣ ତୁମେମାନେ ଯାହା ବି ହୋଇଥାଅ, ଯଦିଓ ତୁମେ ନିଜକୁ ଏତେ ଯୋଗ୍ୟ ବୋଲି ଭାବୁନାହଁ କିନ୍ତୁ ବାବା ତୁମମାନଙ୍କୁ ଯୋଗ୍ୟ ମନେ କରି ନିଜର କରି ନେଇଛନ୍ତି ଏବଂ ସ୍ୱୀକାର ମଧ୍ୟ କରିଛନ୍ତି - ତୁମେ ମୋର, ମୁଁ ତୁମର । ତେଣୁ ଯେଉଁ ଆତ୍ମାମାନଙ୍କ ଉପରେ ବାବାଙ୍କର ବା ପ୍ରଭୁଙ୍କର ଦୃଷ୍ଟି ପଡିଛି ସେହି ଆତ୍ମାମାନେ ପ୍ରଭୁ ଦୃଷ୍ଟି କାରଣରୁ ଆପେ ଆପେ ଅମୂଲ୍ୟ ହୋଇଯାଇଛନ୍ତି । ପରମାତ୍ମ ଦୃଷ୍ଟି କାରଣରୁ ଈଶ୍ୱରୀୟ ସୃଷ୍ଟିର ବା ଈଶ୍ୱରୀୟ ସଂସାରର ଶ୍ରେଷ୍ଠ ଆତ୍ମା ହୋଇ ଯାଇଛନ୍ତି । ପାରସନାଥଙ୍କ ସହିତ ସମ୍ବନ୍ଧ ଯୋଡି ହେବା କାରଣରୁ ପାରସର ରଙ୍ଗ ମଧ୍ୟ ଆପେ ଆପେ ଲାଗିଯାଏ । ସେଥିପାଇଁ ପରମାତ୍ମାଙ୍କର ସ୍ନେହ ମିଳିଯିବା କାରଣରୁ ସାରା କଳ୍ପ ଚାହେଁ ଚୈତନ୍ୟ ଦେବତା ବା ଦେବୀ ରୂପରେ ହେଉ, ଚାହେଁ ଅଧାକଳ୍ପ ପର୍ଯ୍ୟନ୍ତ ଜଡ ଚିତ୍ର ରୂପରେ ବା ଭିନ୍ନ ଭିନ୍ନ ସ୍କାରକୀ ରୂପରେ ହେଉ, ଯେମିତି କି ରତ୍ନ ରୂପରେ ମଧ୍ୟ ତୁମର ସ୍ମାରକୀ ରହିଛି, ତାରକା ବା ଗ୍ରହ-ନକ୍ଷତ୍ର ରୂପରେ ମଧ୍ୟ ତୁମର ସ୍ମାରକୀ ନା ରହିଛି ଅର୍ଥାତ୍ ଯେକୌଣସି ରୂପରେ ତୁମର ସ୍ମାରକୀ ରହିଛି ସେହି ସବୁ ସ୍ୱରୂପରେ ସାରା କଳ୍ପ ସମସ୍ତଙ୍କର ପ୍ରିୟ ହୋଇ ରହୁଛ କାହିଁକି ଅବିନାଶୀ ସ୍ନେହର ସାଗର ବାବାଙ୍କର ସ୍ନେହର ଦୃଷ୍ଟି ସାରା କଳ୍ପ ପାଇଁ ତୁମମାନଙ୍କୁ ସ୍ନେହର ଅଧିକାରୀ କରିଦେଉଛି । ସେଥିପାଇଁ ଭକ୍ତ ଆତ୍ମାମାନେ ତୁମଠାରୁ ଗୋଟିଏ ମୁହୂର୍ତ୍ତର ଦୃଷ୍ଟି ପାଇବା ପାଇଁ ଆତୁର ରହିଛନ୍ତି, ଭାବୁଛନ୍ତି ଟିକିଏ ଦୃଷ୍ଟି ମିଳିଗଲେ ମୁଁ ଧନ୍ୟ ହୋଇଯାଆନ୍ତି, ସେଥିପାଇଁ ଏହି ସମୟର ପରମାତ୍ମା ପିତାଙ୍କର ସ୍ନେହଭରା ଦୃଷ୍ଟି ସାରାକଳ୍ପ ପାଇଁ ତୁମକୁ ଅବିନାଶୀ ସ୍ନେହ ପ୍ରାପ୍ତ କରିବାର ଯୋଗ୍ୟ କରିଦେଉଛି । ଅବିନାଶୀ ପ୍ରାପ୍ତି ସ୍ୱତଃ ହିଁ ହୋଇଯାଉଛି ଅର୍ଥାତ୍ ଆତ୍ମାମାନେ ସ୍ନେହର ସହିତ ମନେ ପକାଉଛନ୍ତି, ସ୍ନେହର ସହିତ ରଖୁଛନ୍ତି ଏବଂ ସ୍ନେହର ସହିତ ଦେଖୁଛନ୍ତି ।

ଦ୍ୱିତୀୟ କଥା ହେଲା - ସ୍ୱଚ୍ଛତା ଅର୍ଥାତ୍ ପବିତ୍ରତା । ତୁମେମାନେ ବର୍ତ୍ତମାନ ସମୟରେ ବାବାଙ୍କ ଦ୍ୱାରା ପବିତ୍ରତାକୁ ଜନ୍ମ ସିଦ୍ଧ ଅଧିକାର ରୂପରେ ପ୍ରାପ୍ତ କରୁଛ । ପବିତ୍ରତା ବା ସ୍ୱଚ୍ଛତାକୁ ନିଜର ସ୍ୱଧର୍ମ ବୋଲି ଜାଣୁଛ - ସେଥିପାଇଁ ପବିତ୍ରତାକୁ ଆପଣାଇ ନେବା କାରଣରୁ ଯେଉଁଠାରେ ବି ତୁମର ସ୍ମାରକୀ ମାନ ରହିଛି ସେଠାରେ ପବିତ୍ରତା ବା ସ୍ୱଚ୍ଛତାର ବିଧି ଏବେ ମଧ୍ୟ ସ୍ମାରକୀ ରୂପରେ ପ୍ରଚଳିତ ହେଉଛି ଏବଂ ଅଧାକଳ୍ପ ପବିତ୍ର ପାଳନାରେ ବା ପବିତ୍ର ଦୁନିଆରେ ହିଁ ରହୁଛ । ତେବେ ଅଧାକଳ୍ପ ପବିତ୍ରତା ଦ୍ୱାରା ତୁମମାନଙ୍କର ଜନ୍ମ ହେଉଛି, ପବିତ୍ର ପାଳନାରେ ପାଳିତ ହେଉଛ ଏବଂ ଆଉ ଅଧାକଳ୍ପ ପବିତ୍ରତାର ସହିତ ପୂଜିତ ହେଉଛ ।

ତୃତୀୟ କଥା ହେଲା - ବର୍ତ୍ତମାନ ସମୟରେ ମଧ୍ୟ ତୁମମାନଙ୍କର ଜଡ ଚିତ୍ରକୁ ଭକ୍ତମାନେ ଅନ୍ତରର ସହିତ ଶ୍ରେଷ୍ଠ ଏବଂ ଅମୂଲ୍ୟ ମନେ କରି ସମ୍ଭାଳୁଛନ୍ତି, କାହିଁକି ନା ଏହି ସମୟରେ ସ୍ୱୟଂ ଭଗବାନ ମାତା-ପିତା ରୂପରେ ତୁମମାନଙ୍କୁ ସମ୍ଭାଳୁଛନ୍ତି ଅର୍ଥାତ୍ ପାଳନା କରୁଛନ୍ତି । ତେଣୁ ଅବିନାଶୀ ପାଳନାରେ ପାଳିତ ହେଉଥିବା କାରଣରୁ ଏବଂ ଅବିନାଶୀ ସ୍ନେହର ସହିତ ସମ୍ଭାଳୁଥିବା କାରଣରୁ ସାରା କଳ୍ପ ଭକ୍ତମାନେ ବହୁତ ରାଜକୀୟ ଭାବରେ, ସ୍ନେହ ଏବଂ ସମ୍ମାନର ସହିତ ସମ୍ଭାଳୁଛନ୍ତି । ଏହିଭଳି ସ୍ନେହ, ସ୍ୱଚ୍ଛତା, ପବିତ୍ରତାର ପାଳନା ଅର୍ଥାତ୍ ଯତ୍ନ ପ୍ରାପ୍ତ କରିବାର ଅବିନାଶୀ ପାତ୍ର ହୋଇଯାଉଛ । ତେଣୁ ଏବେ ବୁଝିପାରିଲ - ତୁମେମାନେ କେତେ ମୂଲ୍ୟବାନ ଅଟ! ଗୋଟିଏ ଗୋଟିଏ ରତ୍ନର ମୂଲ୍ୟ କେତେ ? ତେବେ ଆଜି ରତ୍ନାକର ପିତା ନିଜର ଗୋଟିଏ ଗୋଟିଏ ରତ୍ନର ମୂଲ୍ୟକୁ ଦେଖୁଥିଲେ । ସାରା ଦୁନିଆର ଅକ୍ଷୌହିଣୀ ଆତ୍ମାମାନେ ଗୋଟିଏ ପଟେ ଅଛନ୍ତି କିନ୍ତୁ ତୁମେମାନେ ଯିଏକି ପାଞ୍ଚ ପାଣ୍ଡବଙ୍କ ସଦୃଶ ଖୁବ୍ କମ୍ ସଂଖ୍ୟକ ହେଲେ ମଧ୍ୟ ଅକ୍ଷୌହିଣୀ ଆତ୍ମାମାନଙ୍କଠାରୁ ଶକ୍ତିଶାଳୀ ଅଟ । ଦୁନିଆର ଅକ୍ଷୌହିଣୀ ଆତ୍ମା ତୁମମାନଙ୍କ ତୁଳନାରେ ଜଣଙ୍କ ସହିତ ମଧ୍ୟ ସମାନ ନୁହଁନ୍ତି - ଏତେ ଶକ୍ତିଶାଳୀ ଅଟ । ତେବେ କେତେ ମୂଲ୍ୟବାନ ହେଲ! ନିଜର ଏତିକି ମୂଲ୍ୟକୁ ଜାଣିଛ ? ନା କେବେ କେବେ ନିଜକୁ ନିଜେ ଭୁଲିଯାଉଛ ? ଯେତେବେଳେ ନିଜେ ନିଜକୁ ଭୁଲିଯାଉଛ ସେତେବେଳେ ଦୁଃଖୀ ହୋଇଯାଉଛ । ସେଥିପାଇଁ ଏବେ ଆଉ ନିଜକୁ ଭୁଲ ନାହିଁ । ସଦାସର୍ବଦା ନିଜକୁ ଅମୂଲ୍ୟ ମନେ କରି ଚାଲୁଥାଅ । କିନ୍ତୁ ଏହି ଗୋଟିଏ ଛୋଟିଆ ଭୁଲ୍ କେବେହେଲେ କରିବ ନାହିଁ, ତାହା ହେଲା ବାବାଙ୍କୁ ଭୁଲି ନିଜକୁ ଅମୂଲ୍ୟ ମନେ କରିବା, କାରଣ ବାବାଙ୍କର ସଂଗ ମିଳିବା କାରଣରୁ ହିଁ ତୁମେମାନେ ଅମୂଲ୍ୟ ହୋଇଛ । ସେଥିପାଇଁ ବାବାଙ୍କୁ ଭୁଲି କେବଳ ନିଜକୁ ଅମୂଲ୍ୟ ମନେ କରିବା ମଧ୍ୟ ଭୁଲ୍ ହୋଇଯିବ । ତେଣୁ ତୁମକୁ ଅମୂଲ୍ୟ କରୁଥିବା ବାବାଙ୍କୁ ଭୁଲ ନାହିଁ କାରଣ ତୁମର ଜୀବନ ଅମୂଲ୍ୟ ତ ହୋଇ ଯାଇଛି କିନ୍ତୁ ଯିଏ କରିଛନ୍ତି ତାଙ୍କ ସାଥୀରେ ରହି ଅମୂଲ୍ୟ ହୋଇଛି । ଏହା ହିଁ ହେଉଛି ବୁଝିବାର ପ୍ରକୃତ ବିଧି । ଯଦି ବିଧିକୁ ହିଁ ଭୁଲିଯିବ ତେବେ ବୁଝିବା, ନ ବୁଝିବା ସହିତ ସମାନ ହୋଇଯିବ, ତାପରେ ମୁଁ ପଣିଆ ଆସିଯିବ । ତେଣୁ ବିଧିକୁ ଭୁଲିଯିବା ଦ୍ୱାରା ସିଦ୍ଧିର ଅନୁଭବ ହେବ ନାହିଁ, ସେଥିପାଇଁ ବିଧିପୂର୍ବକ ନିଜକୁ ମୂଲ୍ୟବାନ ଆତ୍ମା ମନେ କରି ବିଶ୍ୱର ପୂର୍ବଜ ହୋଇଯାଅ । ଏମିତି ମଧ୍ୟ ଭାବ ନାହିଁ ଯେ ମୁଁ ତ କିଛି ବି ନୁହେଁ ବା ଏମିତି ବି ଭାବ ନାହିଁ ଯେ ମୁଁ ତ ସବୁ କିଛି ଅଟେ - ଏହି ଦୁଇଟି ଯାକ ଭୁଲ୍ । ମୁଁ ମୂଲ୍ୟବାନ ତ ନିଶ୍ଚିତ ଅଟେ କିନ୍ତୁ ମୋତେ ଗଢିବାବାଲା ବାବା ହିଁ ଏହିପରି ଗଢିଛନ୍ତି, ତେଣୁ ବାବାଙ୍କୁ ଯଦି ବୁଦ୍ଧିରୁ ବାହାର କରିଦେବା ତେବେ ପାପ ହୋଇଯିବ । ଯଦି ବାବା ରହିବେ ତେବେ ପାପ ହୋଇପାରିବ ନାହିଁ । ଯେଉଁଠି ବାବାଙ୍କର ନାମ ରହିବ ସେଠାରେ ପାପର ଚିହ୍ନ ବର୍ଣ୍ଣ ରହିବ ନାହିଁ ଏବଂ ଯେଉଁଠି ପାପ ରହିବ ସେଠାରେ ବାବାଙ୍କର ସ୍ମୃତି ରହିପାରିବ ନାହିଁ । ଏବେ ନିଜର ମୂଲ୍ୟକୁ ବୁଝି ପାରିଲ!

ତୁମେମାନେ ଭଗବାନଙ୍କର ଦୃଷ୍ଟି ପ୍ରାପ୍ତ କରିବାର ପାତ୍ର ହୋଇଛ - ଏହା କଣ ସାଧାରଣ କଥା! ପାଳନାର ପାତ୍ର ହୋଇଛ, ଅବିନାଶୀ ପବିତ୍ରତାକୁ ଜନ୍ମସିଦ୍ଧ ଅଧିକାର ରୂପରେ ପ୍ରାପ୍ତ କରିବାର ପାତ୍ର ହୋଇଛ, ସେଥିପାଇଁ ପବିତ୍ରତା ତୁମର ଜନ୍ମସିଦ୍ଧ ଅଧିକାର ହୋଇଥିବା କାରଣରୁ କେବେ ବି ମୁଶକିଲ୍ ଅନୁଭବ ହେଉନାହିଁ । ସହଜ ଅନୁଭବ ହେଉଛି ଏବଂ ଯେଉଁମାନଙ୍କୁ ପବିତ୍ରତା କଷ୍ଟକର ଅନୁଭବ ହୋଇଥାଏ ସେମାନେ ଅଧିକ ହଲଚଲ୍ ହୋଇଥାଆନ୍ତି । ତେଣୁ ଯଦି ଭାବିବ ଯେ ପବିତ୍ରତା ମୋର ଜନ୍ମ ସିଦ୍ଧ ଅଧିକାର ବା ମୋର ସ୍ୱଧର୍ମ ତେବେ ସର୍ବଦା ସହଜ ଅନୁଭବ ହେବ । ସେଥିପାଇଁ ଦୁନିଆର ଲୋକମାନେ ପବିତ୍ରତାଠାରୁ ଦୂରେଇ ଯାଉଛନ୍ତି କାରଣ ପବିତ୍ରତା ସେମାନଙ୍କୁ କଷ୍ଟସାଧ୍ୟ ଅନୁଭବ ହେଉଛି, କାହିଁକି ନା ଯେଉଁମାନେ ଅଧିକାରୀ ଆତ୍ମା ନୁହଁନ୍ତି ସେମାନଙ୍କୁ କଷ୍ଟକର ହିଁ ଅନୁଭବ ହେବ । ଅଧିକାରୀ ଆତ୍ମା ଏଠାକୁ ଆସିବା ମାତ୍ରକେ ଦୃଢ ସଂକଳ୍ପ କରିଥାଏ ଯେ ବାବାଙ୍କ ଦ୍ୱାରା ମିଳୁଥିବା ପବିତ୍ରତା ମୋର ଜନ୍ମସିଦ୍ଧ ଅଧିକାର ତେଣୁ ମୋତେ ପବିତ୍ର ହେବାକୁ ହିଁ ପଡିବ । ସେମାନଙ୍କ ହୃଦୟକୁ ପବ୍ରିତତା ସଦାସର୍ବଦା ଆକର୍ଷିତ କରିବାକୁ ଲାଗିବ । ଯଦି ପୁରୁଷାର୍ଥ ମାର୍ଗରେ ଚାଲୁ-ଚାଲୁ ମାୟା କେତେବେଳେ ପରୀକ୍ଷା ନେବା ପାଇଁ ସଂକଳ୍ପ ରୂପରେ ବା ସ୍ୱପ୍ନ ରୂପରେ ଆସିବିଯାଏ ତେବେ ଅଧିକାରୀ ଆତ୍ମା ଜ୍ଞାନବାନ ହୋଇଥିବା କାରଣରୁ ବିଚଳିତ ହେବ ନାହିଁ । କିନ୍ତୁ ଜ୍ଞାନର ଶକ୍ତି ଆଧାରରେ ସଂକଳ୍ପକୁ ପରିବର୍ତ୍ତନ କରିଦେବ । ଗୋଟିଏ ସଂକଳ୍ପରୁ ଅନେକ ସଂକଳ୍ପ ଉତ୍ପନ୍ନ ହେବା ପାଇଁ ଦେବ ନାହିଁ ବା ଅଂଶକୁ ବଂଶରେ ପରିଣତ ହେବା ପାଇଁ ଦେବ ନାହିଁ । କଣ ହେଲା, କେମିତି ହେଲା... ଏହାକୁ ହିଁ ବଂଶ କୁହାଯାଉଛି । ପୂର୍ବରୁ ଶୁଣାଇଥିଲି ନା - କାହିଁକି କଣ, କିପରିର ଲମ୍ବା ଧାଡି ଲଗାଇ ଦେଉଛନ୍ତି । ଏହିଭଳି ବଂଶ ସୃଷ୍ଟି କରି ଦେଉଛନ୍ତି । ତେଣୁ ମାୟା ପରୀକ୍ଷା ନେବା ପାଇଁ ଆସିଲା, ଆମେ ପରୀକ୍ଷାରେ ପାସ୍ ହୋଇଗଲେ ଏବଂ ମାୟା ସବୁ ଦିନ ପାଇଁ ଚାଲିଗଲା । କିନ୍ତୁ ଯଦି କାହିବା ମାୟା କାହିଁକି ଆସିଲା, କେଉଁଠୁ ଆସିଲା, ଏଠାରୁ ଆସିଲା କି ସେଠାରୁ ଆସିଲା... ତେଣୁ ଆସିବା ଉଚିତ୍ ନଥିଲା, କାହିଁକି ଆସିଗଲା... ତେବେ ଏହିଭଳି ବଂଶ ସୃଷ୍ଟି କରିବା ଉଚିତ୍ ନୁହେଁ । ଆଚ୍ଛା - ଯଦି ଆସିଗଲା ତେବେ ତାକୁ ପାଖରେ ବସାଅ ନାହିଁ, ତୁରନ୍ତ ତଡିଦିଅ । କାହିଁକି ଆସିଲା, କିପରି ଆସିଲା.... ଯଦି ଏହିଭଳି ଭାବିବ ତେବେ ସେ ଅଟକିଯିବ । କିନ୍ତୁ ଏପରି ଭାବ ଯେ ମାୟା ମୋର ପରୀକ୍ଷା ନେବା ପାଇଁ ଆସିଥିଲା ବା ପାଠପଢାରେ ଆଗକୁ ବଢାଇବା ପାଇଁ ଆସିଥିଲା । କାହିଁକି ଆସିଲା, ଏମିତି ଆସିଲା, ସେମିତି ଆସିଲା... ଏଭଳି ଭାବ ନାହିଁ । ପୁଣି ଏକଥା ମଧ୍ୟ ଭାବୁଛ ମାୟାର କଣ ଏଭଳି ରୂପ ଅଛି - ନାଲି, ନା ସବୁଜ, ନା ହଳଦୀ... ଏହିଭଳି ବିସ୍ତାରକୁ ମଧ୍ୟ ଚାଲିଯାଉଛ । ତେଣୁ ଅଧିକ ବିସ୍ତାରକୁ ମଧ୍ୟ ଯାଅ ନାହିଁ । ତେଣୁ ବିଚଳିତ ହୁଅନାହିଁ, ପରୀକ୍ଷାକୁ ଅତିକ୍ରମ କରିଯାଅ ଏବଂ ସମ୍ମାନର ସହିତ ପାସ୍ ହୋଇଯାଅ । ତୁମ ନିକଟରେ ଜ୍ଞାନର ଶକ୍ତି ଅଛି, ଶାସ୍ତ୍ର ମଧ୍ୟ ଅଛି । ତୁମେ ତ ମାଷ୍ଟର ସର୍ବଶକ୍ତିମାନ ଅଟ, ତ୍ରିକାଳଦର୍ଶୀ ଅଟ, ତ୍ରିବେଣୀ ଅଟ... ତୁମର ଅଭାବ କଣ ଅଛି ? ଏତେ ଶୀଘ୍ର ବିଚଳିତ ହୁଅ ନାହିଁ । କିନ୍ତୁ ଯଦି ପିମ୍ପୁଡିଟିଏ ମଧ୍ୟ ଆସିଯାଉଛି ତେବେ ବିଚଳିତ ହୋଇଯାଉଛ, ଅଧିକ ଭାବୁଛ । ଅଧିକ ଭାବିବା ଅର୍ଥ ମାୟାକୁ ସତ୍କାର ଦେବା, ତେଣୁ ସେ ମଧ୍ୟ ଘର ତିଆରି କରିଦେଉଛି । ଯେପରି ରାସ୍ତାରେ ଗଲାବେଳେ ଯଦି କୌଣସି ଖରାପ ଜିନିଷ ଦେଖିବାକୁ ପଡେ ତେବେ କଣ କରୁଛ! କଣ ସେଠାରେ ଛିଡା ହୋଇ ଭାବୁଛ, ଯେ ଏହାକୁ କିଏ ପକାଇଛି, କାହିଁକି ପକାଇଛି, ଏପରି ହେବା ଉଚିତ୍ ନୁହେଁ... । ଏହିଭଳି ଭାବୁଛ ନା ଆଡ ହୋଇ ଚାଲିଯାଉଛ ? ସେଥିପାଇଁ ବ୍ୟର୍ଥ ସଂକଳ୍ପର ବଂଶକୁ ଅଧିକ ଜନ୍ମ ହେବା ପାଇଁ ଦିଅ ନାହିଁ । ଅଂଶ ରୂପରେ ହିଁ ସମାପ୍ତ କରିଦିଅ । ପ୍ରଥମେ କଥାଟି ଗୋଟିଏ ସେକେଣ୍ଡରେ ହିଁ ହୋଇଥାଏ କିନ୍ତୁ ତୁମେମାନେ ତାହାକୁ ଭାବି-ଭାବି ଅନେକ ଘଣ୍ଟା, ଅନେକ ଦିନ ତଥା ଅନେକ ମାସରେ ପରିଣତ କରିଦେଇଥାଅ । ତେଣୁ ଯଦି ଗୋଟିଏ ମାସ ପରେ ପଚରାଯାଏ ଯେ ଘଟଣାଟି କଣ ଥିଲା, ତେବେ ଦେଖିବ ତାହା ଗୋଟିଏ ସେକେଣ୍ଡର ହିଁ କଥା ହୋଇଥିବ, ସେଥିପାଇଁ କେବେ ବି ବିଚଳିତ ହୁଅନାହିଁ । ଜ୍ଞାନର ଗଭୀରତାକୁ ଯାଅ କିନ୍ତୁ କଥାର ଗଭୀରତାକୁ ଅର୍ଥାତ୍ ବିସ୍ତାରକୁ ଯାଅ ନାହିଁ । ବାପଦାଦା ଏତେ ଶ୍ରେଷ୍ଠ ମୂଲ୍ୟବାନ ରତ୍ନମାନଙ୍କୁ ଯେତେବେଳେ ମାଟିର ଛୋଟ-ଛୋଟ କଣିକା ବା ଅଣୁ ସହିତ ଖେଳିବାର ଦେଖୁଛନ୍ତି ସେତେବେଳେ ଭାବୁଛନ୍ତି ଏହି ରତ୍ନମାନେ ସମାନ ପିଲାମାନେ ରତ୍ନ ସହିତ ଖେଳିବା ଉଚିତ୍ କିନ୍ତୁ ମାଟିର ଅଣୁ ସହିତ କାହିଁକି ଖେଳୁଛନ୍ତି! ତେଣୁ ତୁମେମାନେ ରତ୍ନ ଅଟ, ରତ୍ନରେ ଖେଳ । ବାପଦାଦା ତୁମକୁ କେତେ ଗେହ୍ଲାରେ ପାଳି ଆସିଛନ୍ତି ତେଣୁ ମାଟିର କଣିକା ସହିତ ଖେଳିବାର କିପରି ଦେଖିପାରିବେ! ପୁଣି ପିଲାମାନେ ମଇଳା ହୋଇଯାଉଛନ୍ତି ଏବଂ କହୁଛନ୍ତି ଏବେ ଆମକୁ ସଫା କର..., ତା ସହିତ ବିଚଳିତ ମଧ୍ୟ ହୋଇଯାଉଛନ୍ତି, ଏବେ କଣ କରିବି, କିପରି କରିବି । ତେଣୁ ମାଟିରେ ପଡିଥିବା ଅଣୁ ସାଥୀରେ ଖେଳୁଛ ବା କାହିଁକି... ତେଣୁ ସର୍ବଦା ନିଜର ମୂଲ୍ୟକୁ ବୁଝ । ଆଚ୍ଛା! ଏହିଭଳି ସାରା କଳ୍ପର ମୂଲ୍ୟବାନ ଆତ୍ମାମାନଙ୍କୁ, ପ୍ରଭୁ ପ୍ରେମର ପାତ୍ର ଆତ୍ମାମାନଙ୍କୁ, ପ୍ରଭୁ ପାଳନାର ପାତ୍ର ଆତ୍ମାମାନଙ୍କୁ, ପବିତ୍ରତାର ଜନ୍ମସିଦ୍ଧ ଅଧିକାରର ଅଧିକାରୀ ଆତ୍ମାମାନଙ୍କୁ, ସର୍ବଦା ବାବା ଏବଂ ମୁଁ - ଏହି ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ କରୁଥିବା ଆତ୍ମାମାନଙ୍କୁ, ସର୍ବଦା ଅମୂଲ୍ୟ ରତ୍ନ ହୋଇ ରତ୍ନ ସହିତ ଖେଳୁଥିବା ରାଜକୀୟ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ପାର୍ଟିମାନଙ୍କ ସହିତ ସାକ୍ଷାତ:- (୧) ସଦାସର୍ବଦା ବାବାଙ୍କ ନୟନରେ ସମାହିତ ହୋଇ ରହିଥିବା ଆତ୍ମା ବୋଲି ନିଜକୁ ଅନୁଭବ କରୁଛ ? ତେବେ ନୟନରେ କିଏ ସମାହିତ ହୋଇଥାଏ ? ଯିଏ ବହୁତ ହାଲୁକା ବିନ୍ଦୁ ଅଟେ । ତେଣୁ ତୁମେମାନେ ସଦାସର୍ବଦା ବିନ୍ଦୁ ହିଁ ଅଟ ଏବଂ ବିନ୍ଦୁ ହୋଇ ବାବାଙ୍କ ନୟନରେ ସମାହିତ ହେଉଥିବା ଆତ୍ମା ଅଟ । ବାପଦାଦା ମଧ୍ୟ ତୁମମାନଙ୍କ ନୟନରେ ସମାହିତ ଅଛନ୍ତି ଏବଂ ତୁମେମାନେ ମଧ୍ୟ ବାପଦାଦାଙ୍କ ନୟନରେ ସମାହିତ ଅଟ । ଯେବେକି ବାପଦାଦା ହିଁ ନୟନରେ ବିରାଜମାନ ଅଛନ୍ତି ତେବେ ଅନ୍ୟ କିଛି ବି ଦେଖାଯିବ ନାହିଁ । ତେଣୁ ସଦାସର୍ବଦା ଏହି ସ୍ମୃତି ଦ୍ୱାରା ଡବଲ ଲାଇଟ୍ ସ୍ଥିତିରେ ରୁହ ଯେ ମୁଁ ସର୍ବଦା ବିନ୍ଦୁ ସ୍ୱରୂପ ହିଁ ଅଟେ । କାରଣ ବିନ୍ଦୁ ଉପରେ କୌଣସି ବୋଝ ନଥାଏ । ତେଣୁ ଏହିଭଳି ସ୍ମୃତି ସ୍ୱରୂପ ଅବସ୍ଥା ସଦାସର୍ବଦା ତୁମକୁ ଆଗକୁ ବଢାଇ ଚାଲିବ । ତେବେ ଆଖିର ମଧ୍ୟ ଭାଗକୁ ଦେଖିଲେ ବିନ୍ଦୁ ହିଁ ଦେଖାଯିବ । ଯଦି ବିନ୍ଦୁ ନଥିବ ତେବେ ଆଖିଥିଲେ ବି ଦେଖିପାରିବ ନାହିଁ । ତେଣୁ ସର୍ବଦା ଏହି ସ୍ୱରୂପକୁ ସ୍ମିତିରେ ରଖି ଉଡିବାର ସ୍ଥିତିର ଅନୁଭବ କର । ବାପଦାଦା ପିଲାମାନଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତର ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି, କାରଣ ଭବିଷ୍ୟତର ଭାଗ୍ୟର ରେଖା ଟାଣିବା ପାଇଁ ବର୍ତ୍ତମାନ ସମୟ ହିଁ କଲମ ସଦୃଶ ଅଟେ ଏବଂ ବର୍ତ୍ତମାନକୁ ଶ୍ରେଷ୍ଠ କରିବାର ସାଧନ ହେଲା - ବଡମାନଙ୍କର ଆଦେଶକୁ ସର୍ବଦା ସ୍ୱୀକାର କରିବା ସହିତ ନିଜକୁ ପରିବର୍ତ୍ତନ କରିନେବା । ଏହି ବିଶେଷ ଗୁଣ ଆଧାରରେ ବର୍ତ୍ତମାନ ଏବଂ ଭବିଷ୍ୟର ଭାଗ୍ୟ ଶ୍ରେଷ୍ଠ ହୋଇଥାଏ ।

(୨) ଏବେ ସମସ୍ତଙ୍କ ମସ୍ତକରେ ଭାଗ୍ୟର ତାରକା ଚମକୁଛି ନା! ସର୍ବଦା ଚମକୁଛି ତ ? କେତେବେଳେ ମିଞ୍ଜି ମିଞ୍ଜି ହେଉନାହିଁ ତ ? ଅଖଣ୍ଡ ଜ୍ୟୋତି ସ୍ୱରୂପ ପିତାଙ୍କ ସହିତ ତୁମେମାନେ ମଧ୍ୟ ଅଖଣ୍ଡ ଜ୍ୟୋତି ସ୍ୱରୂପ ଆତ୍ମା ସଦାସର୍ବଦା ଜାଗ୍ରତ ରହୁଥିବା ତାରକା ହୋଇଯାଇଛ । ଏହିଭଳି ଅନୁଭବ କରୁଛ ? କେତେବେଳେ ଏହି ଦୀପ ବା ତାରାମାନଙ୍କୁ ବାୟୁର ପ୍ରବାହ ହଲଚଲ୍ କରୁନାହିଁ ତ ? ଯାହା ଭିତରେ ବାବାଙ୍କର ସ୍ମୃତି ରହିଛି ସେ ନିଶ୍ଚିତ ଅବିନାଶୀ ଜାଜ୍ୱଲ୍ୟମାନ ତାରକା ଅଟେ, ମିଞ୍ଜି ମିଞ୍ଜି ହେଉଥିବା ତାରା ନୁହେଁ । ସ୍ଥୁଳ ଲାଇଟ୍ ମଧ୍ୟ ଯେତେବେଳେ ମିଞ୍ଜି ମିଞ୍ଜି ବା ଧପ ଧପ ହୋଇଥାଏ ସେତେବେଳେ ତାକୁ ବନ୍ଦ କରି ଦେଇଥାନ୍ତି କାରଣ କାହାକୁ ବି ଭଲ ଲାଗେ ନାହିଁ । ତେଣୁ ତୁମେମାନେ ମଧ୍ୟ ସଦାସର୍ବଦା ଜାଜ୍ୱଲ୍ୟମାନ ଅବସ୍ଥାରେ ରହୁଥିବା ତାରକା । ସର୍ବଦା ଜ୍ଞାନସୂର୍ଯ୍ୟ ବାବାଙ୍କଠାରୁ ଆଲୋକ ଗ୍ରହଣ କରି ଅନ୍ୟମାନଙ୍କୁ ମଧ୍ୟ ପ୍ରଦାନ କରୁଛ, ତେଣୁ ସେବା କରିବାର ଉମଙ୍ଗ-ଉତ୍ସାହ ସଦାସର୍ବଦା କାୟମ ରହୁଛି କାରଣ ସମସ୍ତେ ଶ୍ରେଷ୍ଠ ପିତାଙ୍କର ଶ୍ରେଷ୍ଠ ସନ୍ତାନ ଅଟ । ଯୋଗବଳ ଦ୍ୱାରା ସଫଳତା ସହଜରେ ପ୍ରାପ୍ତ ହୋଇଥାଏ । ଯେତେ ଯେତେ ଯୋଗ ଏବଂ ସେବା ଏକାସାଥୀରେ ଚାଲିଥିବ ବା ଉଭୟର ସନ୍ତୁଳନ ରହିବା ଦ୍ୱାରା ସଦାକାଳ ପାଇଁ ସଫଳତା ପ୍ରାପ୍ତ କରିବାର ଆଶୀର୍ବାଦ ସ୍ୱତଃ ହିଁ ପ୍ରାପ୍ତ କରାଉଥିବ, ତାହା ଦ୍ୱାରା ସର୍ବଦା ଶକ୍ତିଶାଳୀ ସ୍ମୃତି ସ୍ୱରୂପର ବାତାବରଣ ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ଶକ୍ତିଶାଳୀ ଆତ୍ମାମାନଙ୍କର ଆବାହନ ସ୍ୱତଃ ହୋଇଥାଏ ଏବଂ ସଫଳତା ମଧ୍ୟ ମିଳିଥାଏ । ତୁମେମାନେ ତ ନିମିତ୍ତ ମାତ୍ର ଲୌକିକ କାର୍ଯ୍ୟ କରୁଛ କିନ୍ତୁ ବୁଦ୍ଧିର ଲଗନ ବାବା ଏବଂ ସେବା ସହିତ ରହିଛି । ଯେଉଁମାନେ ଲୌକିକ କାର୍ଯ୍ୟ ମଧ୍ୟ ସେବା ପ୍ରତି ହିଁ କରୁଛନ୍ତି, ନିଜର ଆନ୍ତରିକ ଆଗ୍ରହରେ କରୁ ନାହାଁନ୍ତି, ବାପଦାଦାଙ୍କର ନିର୍ଦ୍ଦେଶ ଅନୁସାରେ ହିଁ କରୁଛନ୍ତି ସେହିମାନଙ୍କ ପାଇଁ ବାବାଙ୍କର ସ୍ନେହର ହାତ ସଦାସର୍ବଦା ସାଥୀରେ ରହିଛି, ତେଣୁ ସର୍ବଦା ଖୁସି ମନରେ ନାଚୁଥାଅ, ଗାଉଥାଅ - ଏହା ହିଁ ଶକ୍ତିଶାଳୀ ସେବାର ଆଧାର । ତୁମମାନଙ୍କର ଖୁସିକୁ ଦେଖି ଅନ୍ୟମାନେ ମଧ୍ୟ ଖୁସି ହୋଇଯିବେ ଏହା ଦ୍ୱାରା ମଧ୍ୟ ସେବା ହୋଇଯିବ । ବାପଦାଦା ତ ପିଲାମାନଙ୍କୁ ସବୁବେଳେ କହିଆସିଛନ୍ତି - ଯେତେଯେତେ ତୁମେମାନେ ମହାଦାନୀ ହୋଇ ଦାନ କରିଚାଲିବ ସେତେସେତେ ତୁମର ଅବିନାଶୀ ସମ୍ପତ୍ତି ବଢି ବଢି ଚାଲିବ ତେଣୁ ମହାଦାନୀ ହୁଅ ଏବଂ ସମ୍ପତ୍ତିକୁ ବଢାଅ । ମହାଦାନୀ ହୋଇ ଖୁବ୍ ଦାନ କର । ଏହିଭଳି ଦେବା ହିଁ ନେବା ଅଟେ । ତେଣୁ ଯାହା ସବୁ ଭଲ ଭଲ ଜିନିଷ ତୁମକୁ ମିଳୁଛି ସେଗୁଡିକୁ ଦାନ ନକରି ରହିପାରିବ ନାହିଁ ।

ସର୍ବଦା ନିଜର ଭାଗ୍ୟକୁ ଦେଖି ହର୍ଷତ ରୁହ । ବିଚାର କର ମୋତେ କେତେ ବଡ ଭାଗ୍ୟ ମିଳିଛି, ଘରେ ବସି ଭଗବାନଙ୍କୁ ପାଇଯିବା - ଏହାଠାରୁ ବଡ ଭାଗ୍ୟ ଆଉ କଣ ହୋଇପାରେ! ଏହି ଭାଗ୍ୟକୁ ସ୍ମୃତିରେ ରଖି ହର୍ଷିତ ରୁହ । ତେବେ ଦୁଃଖ ଏବଂ ଅଶାନ୍ତି ସବୁ ଦିନ ପାଇଁ ସମାପ୍ତ ହୋଇଯିବ, ସୁଖ ସ୍ୱରୂପ, ଶାନ୍ତି ସ୍ୱରୂପ, ହୋଇଯିବ । ଯାହାଙ୍କର ଭାଗ୍ୟକୁ ସ୍ୱୟଂ ଭଗବାନ ତିଆରି କରୁଛନ୍ତି ସେମାନେ କେତେ ଶ୍ରେଷ୍ଠ ଅଟନ୍ତି! ତେଣୁ ନିଜ ଭିତରେ ସର୍ବଦା ନୂଆ ଉମଙ୍ଗ, ନୂଆ ଉତ୍ସାହ ଅନୁଭବ କରି ଆଗକୁ ବଢିଚାଲ କାହିଁକି ନା ସଂଗମଯୁଗରେ ପ୍ରତ୍ୟେକ ଦିନର ନୂଆ ଉତ୍ସାହ ଏବଂ ନୂଆ ଉମଙ୍ଗ ଅର୍ଥାତ୍ ଉଦ୍ଦୀପନା ରହିଛି ।

ଏମିତି ନୁହେଁ ଯେ ଯେମିତି-ସେମିତି ଚାଲିଛ - କିନ୍ତୁ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ସଦା ସର୍ବଦା ତୁମକୁ ଆଗକୁ ବଢାଇ ଚାଲିଛି । ତୁମ ପାଇଁ ପ୍ରତ୍ୟେକ ଦିନ ନୂଆ ତେଣୁ ସର୍ବଦା ନିଜ ଭିତରେ ବା ସେବାରେ କୌଣସି ନା କୌଣସୀ ନବୀନତା ନିଶ୍ଚିତ ହେବା ଦରକାର । ଯେତେଯେତେ ନିଜକୁ ଉମଙ୍ଗ-ଉତ୍ସାହରେ ରଖିବ ସେତେ ନୂଆ ନୂଆ ପ୍ରେରଣା ମିଳିବାକୁ ଲାଗିବ । ଯେବେକି ନିଜେ ଅନ୍ୟ କୌଣସି କଥାରେ ବ୍ୟସ୍ତ ରହିଯାଉଛ ସେଥିପାଇଁ ନୂଆ ନୂଆ ପ୍ରେରଣା ମଧ୍ୟ ମିଳୁନାହିଁ ତେଣୁ ମନନ ଚିନ୍ତନ କରିବା ଦ୍ୱାରା ନିଜ ଭିତରେ ନୂଆ ଉତ୍ସାହ ନୂଆ ଉଦ୍ଦୀପନା କାୟମ ରହିବ ।

ବାନ୍ଧେଲୀ ଅର୍ଥାତ୍ ବନ୍ଧନ ଭିତରେ ଥିବା ମାତା କନ୍ୟାମାନଙ୍କୁ ୟାଦପ୍ୟାର ଦେବା ସମୟରେ:-
ବାନ୍ଧେଲୀମାନଙ୍କର ୟାଦ ତ ସର୍ବଦା ବାବାଙ୍କ ନିକଟରେ ପହଞ୍ଚୁଛି ଏବଂ ବାପଦାଦା ସମସ୍ତ ବାନ୍ଧେଲୀମାନଙ୍କୁ ଏହି କଥା କହୁଛନ୍ତି ଯେ ଯୋଗ ଅର୍ଥାତ୍ ୟାଦର ଲଗନକୁ ଅଗ୍ନିରୂପ କରିଦିଅ । ଯେତେବେଳେ ଲଗନ ଅଗ୍ନିରୂପ ଧାରଣ କରିନିଏ ସେତେବେଳେ ଅଗ୍ନିରେ ସବୁକିଛି ଭସ୍ମ ହୋଇଯାଏ । ତେଣୁ ତୁମର ଏହି ବନ୍ଧନ ମଧ୍ୟ ଲଗନର ଅଗ୍ନିରେ ସମାପ୍ତ ହୋଇଯିବ ଏବଂ ତୁମେମାନେ ସ୍ୱତନ୍ତ୍ର ଆତ୍ମା ହୋଇ ମନ ଇଚ୍ଛିତ ସିଦ୍ଧି ପ୍ରାପ୍ତ କରିବ । ତୁମେମାନେ ସ୍ନେହୀ ଅଟ ସେଥିପାଇଁ ତୁମର ସ୍ନେହର ସ୍ମୃତି ବାବାଙ୍କ ନିକଟରେ ପହଞ୍ଚୁଛି ଏବଂ ସ୍ନେହର ପ୍ରତ୍ୟୁତ୍ତରରେ ମଧ୍ୟ ସ୍ନେହ ମିଳୁଛି । କିନ୍ତୁ ବର୍ତ୍ତମାନ ଯୋଗକୁ ଆହୁରି ଶକ୍ତିଶାଳୀ ଅଗ୍ନିରୂପ କରିଦିଅ ତେବେ ତୁମ ପାଇଁ ସେହି ଦିନ ମଧ୍ୟ ଆସିବ ଯେଉଁଦିନ ତୁମେ ବାପଦାଦାଙ୍କ ସମ୍ମୁଖରେ ଅର୍ଥାତ୍ ମଧୁବନରେ ପହଞ୍ଚି ଯିବ ।

ରଦାନ:-
ସଦାସର୍ବଦା ଆତ୍ମିକ ସ୍ଥିତିରେ ରହି ଅନ୍ୟମାନଙ୍କର ଆତ୍ମାକୁ ଦେଖୁଥିବା ଆତ୍ମିକ ଗୋଲାପ ହୁଅ ।

ଆତ୍ମିକ ଗୋଲାପ ଅର୍ଥାତ୍ ଯାହାଙ୍କ ଭିତରେ ସର୍ବଦା ଆତ୍ମିକ ସ୍ମୃତିର ସୁଗନ୍ଧ ଥିବ । ଆତ୍ମିକ ସୁଗନ୍ଧଯୁକ୍ତ ଆତ୍ମାମାନେ ଯେଉଁ ଆଡକୁ ଚାହିଁବେ, ଯାହାଙ୍କୁ ବି ଦେଖିବେ କେବଳ ଆତ୍ମାକୁ ହିଁ ଦେଖିବେ, ଶରୀରକୁ ନୁହେଁ । ତେଣୁ ନିଜେ ମଧ୍ୟ ସର୍ବଦା ଆତ୍ମିକ ସ୍ଥିତିରେ ରୁହ ଏବଂ ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖ । ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ତାଙ୍କର ବଗିଚା ଅର୍ଥାତ୍ ଈଶ୍ୱରୀୟ ପରିବାର ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ, ଯେଉଁ ବଗୀଚାର ବିଶେଷ ଶୃଙ୍ଗାର ଆତ୍ମିକ ଗୋଲାପ ଫୁଲ ତୁମେ ପିଲାମାନେ ହିଁ ଅଟ । ତେଣୁ ତୁମର ଆତ୍ମିକ ସୁଗନ୍ଧ ଅନେକ ଆତ୍ମାଙ୍କର କଲ୍ୟାଣ କରିପାରିବ ।

ସ୍ଲୋଗାନ:-
ମର୍ଯ୍ୟାଦାକୁ ଉଲଂଘନ କରି ଯଦି କାହାକୁ ସୁଖ ଦେଲ ତେବେ ତାହା ମଧ୍ୟ ଦୁଃଖର ଖାତାରେ ଜମା ହୋଇଯିବ ।