03.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଜ୍ଞାନ
ଯୋଗର ଶକ୍ତି ଆଧାରରେ ବାୟୁମଣ୍ଡଳକୁ ପବିତ୍ର କରିବାକୁ ହେବ, ସ୍ୱଦର୍ଶନ ଚକ୍ର ଦ୍ୱାରା ମାୟା ଉପରେ
ବିଜୟ ପ୍ରାପ୍ତ କରିବାକୁ ହେବ ।
ପ୍ରଶ୍ନ:-
କେଉଁ ଗୋଟିଏ
କଥାରୁ ପ୍ରମାଣିତ ହୋଇଯାଉଛି ଯେ, ଆତ୍ମା କେବେ ବି ଜ୍ୟୋତିରେ ଲୀନ ହୋଇ ନ ଥାଏ?
ଉତ୍ତର:-
କଥାରେ କହିଥା’ନ୍ତି ଯାହା ପୂର୍ବରୁ ହୋଇଥିଲା ତାହା ହିଁ ହେଉଛି... ତେବେ ନିଶ୍ଚିତ ଭାବରେ ଆତ୍ମା
ନିଜର ଅଭିନୟର ପୁନରାବୃତ୍ତି କରୁଛି । ଯଦି ଜ୍ୟୋତି ଜ୍ୟୋତିରେ ଲୀନ ହୋଇଯିବ ତେବେ ଅଭିନୟ ମଧ୍ୟ
ସମାପ୍ତ ହୋଇଯିବ । ତେବେ ଅନାଦି ଡ୍ରାମା ବୋଲି କହିବା ମଧ୍ୟ ଭୁଲ୍ ହୋଇଯିବ । ଆତ୍ମା ଗୋଟିଏ
ପୁରୁଣା ଶରୀର ଛାଡି ଅନ୍ୟ ଏକ ନୂଆ ଶରୀର ନେଇଥାଏ, ଲୀନ ହୋଇ ନ ଥାଏ ।
ଗୀତ:-
ଓ ଦୂର କେ
ମୁସାଫିର...
ଓମ୍ ଶାନ୍ତି ।
ଯେଉଁମାନେ ଯୋଗୀ
ଏବଂ ଜ୍ଞାନୀ ସନ୍ତାନ ଅଟନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ବୁଝାଇପାରିବେ, ସେହିମାନେ ହିଁ ଏହି
ଗୀତର ଯଥାର୍ଥ ଅର୍ଥକୁ ବୁଝିପାରିବେ । ବର୍ତ୍ତମାନର ମନୁଷ୍ୟମାନେ ସମସ୍ତେ ଶ୍ମଶାନବାସୀ
ହୋଇଯାଇଛନ୍ତି । ଯେଉଁମାନଙ୍କର ଜ୍ୟୋତି ଲିଭିଯାଇଛି ଅଥବା ଯେଉଁମାନେ ତମଃପ୍ରଧାନ ସେହିମାନଙ୍କୁ
ହିଁ ଶ୍ମଶାନବାସୀ କୁହାଯାଉଛି । ଯେଉଁମାନେ ସ୍ଥାପନା କରିଛନ୍ତି ଏବଂ ଜନ୍ମ ପରେ ଜନ୍ମ ପାଳନା
କରିବା ପାଇଁ ନିମିତ୍ତ ହୋଇଛନ୍ତି, ସେମାନେ ସମସ୍ତେ ନିଜ ନିଜର ଜନ୍ମ ପୂରା କରିସାରିଛନ୍ତି ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେଉଁ-କେଉଁ ଧର୍ମର ସ୍ଥାପନା ହୋଇଛି - ତା’ର ହିସାବ ମଧ୍ୟ ତୁମେମାନେ
ବାହାର କରିପାରିବ । ବିନାଶୀ ନାଟକରେ ମଧ୍ୟ ଯେଉଁମାନେ ମୁଖ୍ୟ ରୂପେ ଡ୍ରାମାର ରଚୟିତା,
ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା ହୋଇଥାନ୍ତି, ସେମାନଙ୍କର ମଧ୍ୟ ସମ୍ମାନ କରାଯାଇ ପୁରସ୍କାର
ଦିଆଯାଇଥାଏ । ସେମାନେ ନିଜର କରାମତି ଦେଖାଉଛନ୍ତି ନା । ତୁମର ହେଉଛି ଜ୍ଞାନ-ଯୋଗର କରାମତି ।
ତେବେ ମନୁଷ୍ୟମାନେ ଏକଥା ତ’ ଜାଣି ନାହାଁନ୍ତି ଯେ, ବର୍ତ୍ତମାନ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ଆମେ
ଏହି ଡ୍ରାମାରେ କେତେ ଜନ୍ମ ନେଉଛୁ, କେଉଁଠାରୁ ଆସୁଛୁ? ବିସ୍ତାର ଭାବେ ସବୁ ଜନ୍ମକୁ ତ ଆମ୍ଭେମାନେ
ଜାଣିପାରିବା ନାହିଁ । ଏହି ଅବିନାଶୀ ବିଶ୍ୱ ନାଟକର ପୁନରାବୃତ୍ତି ହେଉଛି । ତୁମେମାନେ ଜାଣିଛ
ଯେ, ଏହି ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ ନେଇଛନ୍ତି । ତେବେ ନିଶ୍ଚିତ ଭାବରେ ଏମାନେ ପୁନଃ ରାଜା-ରାଣୀ
ହେବେ । ଲକ୍ଷ୍ମୀ ନାରାୟଣଙ୍କ ଚରିତ୍ରକୁ ମଧ୍ୟ ତୁମେମାନେ ଜାଣିଛ । ପ୍ରତ୍ୟକ୍ଷ ରୂପରେ ବାବା
ଏହାର ସାକ୍ଷାତ୍କାର ମଧ୍ୟ କରାଉଛନ୍ତି । ଭକ୍ତିମାର୍ଗରେ ମଧ୍ୟ ସାକ୍ଷାତ୍କାର ହୋଇଥାଏ ।
ଭକ୍ତମାନେ ଯେଉଁ ଦେବୀ ଦେବତାମାନଙ୍କର ଧ୍ୟାନ କରିଥା’ନ୍ତି ସେହିମାନଙ୍କର ହିଁ ସାକ୍ଷାତ୍କାର
ହୋଇଥାଏ । ଯଦି ଶ୍ୟାମଳ ବର୍ଣ୍ଣ କୃଷ୍ଣଙ୍କର ଚିତ୍ର ଦେଖି ତାଙ୍କୁ ଧ୍ୟାନ କରିବେ ତେବେ ସେହିଭଳି
ସାକ୍ଷାତ୍କାର ହେବ । କିନ୍ତୁ କୃଷ୍ଣ ତ ସେପରି ଶ୍ୟାମଳ ନୁହଁନ୍ତି । ମନୁଷ୍ୟମାନଙ୍କ ପାଖରେ ଏହି
କଥାର କୌଣସି ଜ୍ଞାନ ନାହିଁ । ବର୍ତ୍ତମାନ ତୁମେମାନେ ବାସ୍ତବରେ ସବୁ କଥାକୁ ଜାଣୁଛ ।
ସୂକ୍ଷ୍ମଲୋକର ଏବଂ ବୈକୁଣ୍ଠର ମଧ୍ୟ ତୁମେ ସାକ୍ଷାତ୍କାର କରୁଛ । ତୁମେ ଆତ୍ମା ଏବଂ
ପରମାତ୍ମାଙ୍କର ଜ୍ଞାନକୁ ଜାଣିଛ, ତୁମକୁ ଆତ୍ମାର ସାକ୍ଷାତ୍କାର ମଧ୍ୟ ହୋଇଛି । ଏଠାରେ ତୁମେମାନେ
ଯେଉଁ ସବୁ ସାକ୍ଷାତ୍କାର କରୁଛ ତାର ଜ୍ଞାନ ମଧ୍ୟ ତୁମ ପାଖରେ ଅଛି । ଭକ୍ତମାନଙ୍କୁ ଯଦିଓ
ଆତ୍ମାର ସାକ୍ଷାତ୍କାର ହେଉଛି କିନ୍ତୁ ସେମାନଙ୍କ ପାଖରେ ଏହାର ଜ୍ଞାନ ନାହିଁ । ସେମାନେ ତ ଆତ୍ମା
ହିଁ ପରମାତ୍ମା ବୋଲି କହିଦେଉଛନ୍ତି । ବାସ୍ତବରେ ଆତ୍ମା ତାରକା ଅଟେ, ପ୍ରାୟତଃ ଏହିଭଳି
ଦର୍ଶାଇଥା’ନ୍ତି, ଯେତେ ମନୁଷ୍ୟ ସେତେ ଆତ୍ମା ଅଛନ୍ତି । ମନୁଷ୍ୟ ଶରୀର ତ’ ସ୍ଥୂଳନେତ୍ର ଦ୍ୱାରା
ଦେଖି ହୋଇଥାଏ କିନ୍ତୁ ଆତ୍ମାକୁ କେବଳ ଦିବ୍ୟଦୃଷ୍ଟି ଦ୍ୱାରା ଦେଖିବା ସମ୍ଭବ ହୋଇଥାଏ ।
ମନୁଷ୍ୟମାନଙ୍କର ରଙ୍ଗ-ରୂପ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ କିନ୍ତୁ ଆତ୍ମାମାନେ ଭିନ୍ନ ଭିନ୍ନ
ରଙ୍ଗ ରୂପର ହୋଇନଥା’ନ୍ତି, ସମସ୍ତେ ଦେଖିବାକୁ ଏକାଭଳି ହୋଇଥା’ନ୍ତି । କେବଳ ପ୍ରତ୍ୟେକ ଆତ୍ମାର
ଅଭିନୟ ଭିନ୍ନ ଭିନ୍ନ ହୋଇଥାଏ । ମନୁଷ୍ୟ ଶରୀର ଯେପରି ଛୋଟ ବଡ ହୋଇଥାଏ ଆତ୍ମା ସେଭଳି ଛୋଟ ବଡ
ହୋଇ ନ ଥାଏ । ଆତ୍ମାର ଆକାର ଗୋଟିଏ ପ୍ରକାରର ହୋଇଥାଏ । ଯଦି ଆତ୍ମା ଜ୍ୟୋତିରେ ଲୀନ ହୋଇଯିବ ତେବେ
ଅଭିନୟ ପୁନରାବୃତ୍ତି କିପରି କରିବ? ଗାୟନ ମଧ୍ୟ ରହିଛି ନା - ଯାହା ପୂର୍ବରୁ ପ୍ରସ୍ତୁତ ହୋଇଛି
ତାହା ହିଁ ହେଉଛି..... ବର୍ତ୍ତମାନ ଆମେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରୁଛୁ । ଦେବତା ତ’
ନିଶ୍ଚିତ ହେବା କିନ୍ତୁ କେଉଁ ପଦର ଅଧିକାରୀ ହେବା, ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ଏକଥା
ତୁମେମାନେ ଜାଣିଛ । ମଶା ସଦୃଶ ଆତ୍ମାମାନେ ଘରକୁ ଫେରିଯିବେ । ମଶାମାନଙ୍କୁ ତ ଏହି ଆଖି ଦ୍ୱାରା
ଦେଖି ହୋଇଥାଏ । କିନ୍ତୁ ଆତ୍ମାକୁ ଦିବ୍ୟ ଦୃଷ୍ଟି ବିନା ଦେଖାଯାଇପାରିବ ନାହିଁ । ସତ୍ୟଯୁଗରେ ତ
ଆତ୍ମାର ସାକ୍ଷାତ୍କାରର କୌଣସି ଆବଶ୍ୟକତା ହିଁ ନାହିଁ । ସେଠାରେ ସମସ୍ତଙ୍କୁ ଜ୍ଞାତ ଥାଏ କି ଆମ
ଆତ୍ମାମାନଙ୍କୁ ଏହି ପୁରୁଣା ଶରୀର ଛାଡି ଆଉ ଗୋଟିଏ ନୂଆ ଶରୀର ନେବାକୁ ହେବ । ସେଠାରେ କେହି
ପରମାତ୍ମାଙ୍କୁ ଜାଣି ନ ଥା’ନ୍ତି । ଯଦି ପରମାତ୍ମାଙ୍କୁ ଜାଣିଯିବେ ତେବେ ସୃଷ୍ଟିଚକ୍ରକୁ ମଧ୍ୟ
ଜାଣିବା ଦରକାର ।
ତେଣୁ ଗୀତରେ କହୁଛନ୍ତି
- ଆମକୁ ମଧ୍ୟ ସାଥୀରେ ନେଇଚାଲ । ଅନ୍ତିମ ସମୟରେ ବହୁତ ପଶ୍ଚାତାପ କରିବେ । ବର୍ତ୍ତମାନ
ସମସ୍ତଙ୍କୁ ନିମନ୍ତ୍ରଣ ମିଳୁଛି, ନିମନ୍ତ୍ରଣ ଦେବା ପାଇଁ କେତେ ଯୋଜନା ପ୍ରସ୍ତୁତ ହେଉଛି ।
ସମସ୍ତେ ତ ଶାନ୍ତି-ଶାନ୍ତି ବୋଲି କହୁଛନ୍ତି କିନ୍ତୁ ଶାନ୍ତିର ଅର୍ଥକୁ କେହି ବି ଜାଣିନାହାଁନ୍ତି
। ଶାନ୍ତି କିପରି ସ୍ଥାପନା ହେଉଛି, ସେକଥା ତୁମେମାନେ ହିଁ ଜାଣିଛ । ଯେପରି ଘଣାରେ ଶୋରିଷ
ପେଶାଯାଇଥାଏ, ସେହିପରି ସମସ୍ତଙ୍କର ଶରୀର ବିନାଶ ସମୟରେ ସମାପ୍ତ ହୋଇଯିବ । ଆତ୍ମାର ବିନାଶ ହେବ
ନାହିଁ, ଆତ୍ମା ଘରକୁ ପ୍ରତ୍ୟାବର୍ତ୍ତନ କରିବ । ଏହିପରି ଲେଖାଯାଇଛି ଯେ, ଆତ୍ମାମାନେ ମଶା ସଦୃଶ
ଫେରିଯିବେ । ଏପରି ତ’ କୁହାଯିବ ନାହିଁ ଯେ ସବୁ ପରମାତ୍ମାମାନେ ଫେରିଯିବେ । ମନୁଷ୍ୟମାନେ କିଛି
ହେଲେ ବି ବୁଝୁନାହାଁନ୍ତି । ଆତ୍ମା ଏବଂ ପରମାତ୍ମା ଭିତରେ କ’ଣ ପ୍ରଭେଦ ରହିଛି ଏକଥା ମଧ୍ୟ
ଜାଣିନାହାଁନ୍ତି । କହୁଛନ୍ତି ଆମେ ସମସ୍ତେ ଭାଇ-ଭାଇ ଅଟୁ । ତେବେ ଭାଇ-ଭାଇ ହୋଇ ସ୍ନେହରେ ରହିବା
ଦରକାର ନା । ସେମାନେ ଏକଥା ଜାଣିନାହାଁନ୍ତି ଯେ ସତ୍ୟଯୁଗରେ ଭାଇ-ଭାଇ ଅଥବା ଭାଇ-ଭଉଣୀ ସମସ୍ତେ
ପରସ୍ପର ସ୍ନେହ ଆଦରରେ ରହିବେ । ସେଠାରେ ମତଭେଦର କୌଣସି କଥା ରହିବ ନାହିଁ । ଏଠାରେ ଦେଖ ସଙ୍ଗେ
ସଙ୍ଗେ ମିଳିମିଶି ଚଳୁଛନ୍ତି । ପୁଣି ସଙ୍ଗେ ସଙ୍ଗେ ମତ ଭେଦରେ ଆସିଯାଉଛନ୍ତି । ଗୋଟିଏ ପଟେ
କହୁଛନ୍ତି ଚିନି-ହିନ୍ଦୁ ଭାଇ ଭାଇ ପୁଣି ତାଙ୍କର କୁଶ ପୁତଳିକା ତିଆରି କରି ନିଆଁ ଲଗାଉଛନ୍ତି ।
ତେବେ ଶାରୀରିକ ରୂପେ ଭାଇ-ଭାଇ ଭାବୁଥିବା ଆତ୍ମାଙ୍କ ଅବସ୍ଥାକୁ ଦେଖ କିନ୍ତୁ ଏମାନେ ଆତ୍ମିକ
ସମ୍ବନ୍ଧକୁ ତ ଜାଣିନାହାଁନ୍ତି । ତୁମକୁ ତ ବାବା ବୁଝାଉଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର ।
ଦେହ-ଅଭିମାନରେ ବାନ୍ଧି ହୁଅନାହିଁ । କେହି-କେହି ପୁଣି ଦେହ-ଅଭିମାନରେ ବାନ୍ଧି ହୋଇଯାଉଛନ୍ତି ।
ବାବା କହୁଛନ୍ତି - ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲ । ଏହି ଘର ଆଦି ସବୁ ଭୁଲିଯାଅ ।
ବାସ୍ତବରେ ତୁମେ ପରମଧାମ ନିବାସୀ ଅଟ । ଏବେ ପୁଣି ତୁମମାନଙ୍କୁ ସେଠାକୁ ଫେରିଯିବାକୁ ହେବ,
ଯେଉଁଠାରୁ ତୁମେ ଅଭିନୟ କରିବାକୁ ଆସିଥିଲ । ପୁଣି ମୁଁ ତୁମକୁ ସୁଖଧାମକୁ ପଠାଇଦେବି । ବାବା
କହୁଛନ୍ତି ଏଥିପାଇଁ ତୁମକୁ ଯୋଗ୍ୟ ହେବାକୁ ପଡିବ । ବର୍ତ୍ତମାନ ପରମାତ୍ମା ଆସି ଦୈବୀ ସାମ୍ରାଜ୍ୟ
ସ୍ଥାପନ କରୁଛନ୍ତି । ଖ୍ରୀଷ୍ଟଙ୍କର କୌଣସି ସାମ୍ରାଜ୍ୟ ନ ଥିଲା । ପରେ ଯେବେ ଲକ୍ଷ-ଲକ୍ଷ
ଖ୍ରୀଷ୍ଟିୟାନ ହୋଇଥିବେ ସେତେବେଳେ ନିଜର ସାମ୍ରାଜ୍ୟ ସ୍ଥାପନ କରିଥିବେ । ଏଠାରେ ତ ତୁରନ୍ତ
ସତ୍ୟଯୁଗୀ ରାଜଧାନୀ ସ୍ଥାପିତ ହୋଇଯାଉଛି । ଏହା କେତେ ସହଜ କଥା । ବାସ୍ତବରେ ଭଗବାନ ଆସି ସ୍ଥାପନା
କରୁଛନ୍ତି । କିନ୍ତୁ ଏଠାରେ କୃଷ୍ଣଙ୍କର ନାମ ଲେଖି ସବୁ କିଛି ଅଡୁଆ କରିଦେଇଛନ୍ତି । ଗୀତାରେ
ହିଁ ପ୍ରାଚୀନ ରାଜଯୋଗ ଏବଂ ଜ୍ଞାନ ରହିଛି । ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଉଛି । ଇଂରାଜୀ
ଅକ୍ଷର ବହୁତ ଭଲ । ତୁମେମାନେ କହିବ - ବାବା ଇଂରାଜୀ ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ
କ’ଣ ସବୁ ଭାଷାରେ ବସି କଥା ହେବି । ମୁଖ୍ୟ ଭାଷା ହେଲା ହିନ୍ଦୀ ତେଣୁ ମୁଁ ହିନ୍ଦୀରେ ହିଁ ମୁରଲୀ
ଶୁଣାଉଛି । ମୁଁ ଯାହାଙ୍କର ଶରୀର ଧାରଣ କରିଛି ସିଏ ମଧ୍ୟ ହିନ୍ଦୀ ହିଁ ଜାଣିଛନ୍ତି । ତେଣୁ ଯାହା
ଏହାଙ୍କର (ବ୍ରହ୍ମାଙ୍କର) ଭାଷା ମୁଁ ସେହି ଭାଷାରେ କହୁଛି । ତେଣୁ ମୁଁ ଅନ୍ୟ କୌଣସି ଭାଷାରେ
ପଢାଇବି ନାହିଁ । ଯଦି ମୁଁ ଫ୍ରାନ୍ସ ଭାଷା କହିବି ତେବେ ଇଏ କିପରି ବୁଝିବେ? ବ୍ରହ୍ମାଙ୍କ କଥା
ହିଁ ମୁଖ୍ୟ । ଇଏ ତ ପ୍ରଥମେ ବୁଝିବା ଦରକାର ନା । ମୁଁ ତ ଆଉ କାହାର ଶରୀର ଧାରଣ କରିପାରିବି ନାହିଁ
।
ଗୀତରେ ମଧ୍ୟ କହୁଛନ୍ତି
ଯେ ମତେ ଏଠାରୁ ନେଇଚାଲ କାହିଁକି ନା ବାବା ଏବଂ ବାବାଙ୍କର ଘର ବିଷୟରେ ତ କେହି ବି
ଜାଣିନାହାଁନ୍ତି । କେବଳ କାହାଣୀ କହୁଛନ୍ତି । ଅନେକ ମନୁଷ୍ୟଙ୍କର ଅନେକ ମତ ରହିଛି । ସେଥିପାଇଁ
ସବୁ ଅଡୁଆ ହୋଇଯାଇଛି । ଦେଖ ବାବା କିପରି ବସିଛନ୍ତି । ଏହି ଚରଣ କାହାର? (ଶିବବାବାଙ୍କର) ଏହି
ଚରଣ ତ ମୋର ଅଟେ କିନ୍ତୁ ମୁଁ ଏହାଙ୍କୁ ଧାରସୂତ୍ରରେ ଦେଇଛି । ଶିବବାବା ତ ଏହି ଶରୀରକୁ ଅସ୍ଥାୟୀ
ଭାବେ ବ୍ୟବହାର କରୁଛନ୍ତି । ବାସ୍ତବରେ ଏହି ଚରଣ ତ ମୋର ଅଟେ ନା । ଶିବଙ୍କର ମନ୍ଦିରରେ ଚରଣ ରଖି
ନଥାଆନ୍ତି । ଚରଣ କୃଷ୍ଣଙ୍କର ରଖିଥା’ନ୍ତି । ଶିବ ତ ସର୍ବୋଚ୍ଚ ଅଟନ୍ତି, ତାଙ୍କର ଚରଣ କେଉଁଠାରୁ
ଆସିଲା । ହଁ, ଶିବବାବା ଧାର ସୂତ୍ରରେ ନେଇଛନ୍ତି । କିନ୍ତୁ ଏହି ଚରଣ ତ ବ୍ରହ୍ମାଙ୍କର ଅଟେ ।
ମନ୍ଦିରରେ ବଳଦ ଥିବାର ଦର୍ଶାଇଛନ୍ତି, କିନ୍ତୁ ଏହି ବଳଦ ଉପରେ ସବାରୀ କିପରି କରିବେ? ବଳଦ ଉପରେ
ଶିବବାବା କିପରି ଚଢିବେ । ଶାଳଗ୍ରାମ (ଆତ୍ମା) ମନୁଷ୍ୟ ଶରୀର ଉପରେ ସବାରୀ କରିଥାଏ । ବାବା
କହୁଛନ୍ତି - ମୁଁ ତୁମମାନଙ୍କୁ ଯେଉଁ ଜ୍ଞାନ ଶୁଣାଇଥିଲି ତାହା ପ୍ରାୟଃ ଲୋପ ହୋଇଯାଇଛି । କେବଳ
ଅଟାରେ ଲୁଣ ପରିମାଣର ଜ୍ଞାନ ରହିଛି । ଏକଥା କେହି ବି ବୁଝିପାରିବେ ନାହିଁ । ମୁଁ ହିଁ ଆସି ଏହାର
ସମସ୍ତ ସାରାଂଶ ବୁଝାଉଛି । ମୁଁ ହିଁ ତୁମମାନଙ୍କୁ ଶ୍ରୀମତ ଦେଇ ସୃଷ୍ଟିଚକ୍ରର ରହସ୍ୟ ବୁଝାଇଥିଲି,
ଦୁନିଆରେ ପୁଣି ଦେବତାମାନଙ୍କୁ ସ୍ୱଦର୍ଶନ ଚକ୍ରଧାରୀ ବୋଲି କହୁଛନ୍ତି । କିନ୍ତୁ ଦେବତାମାନଙ୍କ
ପାଖରେ ତ ଜ୍ଞାନ ନାହିଁ । ଏ ସବୁ ହେଲା ଜ୍ଞାନର କଥା । ଆତ୍ମାକୁ ସୃଷ୍ଟିଚକ୍ରର ଜ୍ଞାନ ମିଳୁଛି
ଯାହା ଦ୍ୱାରା ଆତ୍ମା ମାୟା ଉପରେ ବିଜୟ ପ୍ରାପ୍ତ କରୁଛି । ସେମାନେ ପୁଣି ସ୍ୱଦର୍ଶନ ଚକ୍ରକୁ
ଅସୁରମାନଙ୍କ ପ୍ରତି ପ୍ରୟୋଗ ହୋଇଥିବାର ଦେଖାଉଛନ୍ତି । ଏହି ସ୍ୱଦର୍ଶନ ଚକ୍ର ଦ୍ୱାରା ତୁମେ ମାୟା
ଉପରେ ବିଜୟ ପ୍ରାପ୍ତ କରୁଛ । କେଉଁ କଥାକୁ କେଉଁଆଡେ ନେଇଯାଇଛନ୍ତି । ତୁମମାନଙ୍କ ଭିତରୁ କେହି
ଅନନ୍ୟ ସନ୍ତାନ ଏହି କଥାକୁ ଧାରଣ କରି ବୁଝାଇପାରିବେ । ଏହି ଜ୍ଞାନ ବହୁତ ଉଚ୍ଚ । କିନ୍ତୁ ଧାରଣା
କରିବା ପାଇଁ ସମୟ ଲାଗିଥାଏ । ଅନ୍ତିମ ସମୟରେ ତୁମମାନଙ୍କ ପାଖରେ ଜ୍ଞାନ ଏବଂ ଯୋଗର ଶକ୍ତି ଭରପୁର
ହୋଇ ରହିବ । ଏହା ଡ୍ରାମାରେ ନିର୍ଦ୍ଧାରିତ ଅଛି । ଦୁନିଆର ଆତ୍ମାମାନଙ୍କର ବୁଦ୍ଧି ମଧ୍ୟ ଦିନକୁ
ଦିନ ଶିଥିଳ ହୋଇଯିବ । ତୁମେମାନେ ବାୟୁମଣ୍ଡଳକୁ ଶୁଦ୍ଧ କରୁଛ । ଏହା କେତେ ଗୁପ୍ତ ଜ୍ଞାନ ଅଟେ ।
ଲେଖାଯାଇଛି ଅଜାମ୍ବିଳ ପରି ପାପୀକୁ ଉଦ୍ଧାର କଲେ କିନ୍ତୁ ଏହାର ଅର୍ଥକୁ ବୁଝୁନାହାଁନ୍ତି ।
ସେମାନେ ଭାବୁଛନ୍ତି ଯେ, ଜ୍ୟୋତି ଜ୍ୟୋତିରେ ମିଶିଗଲେ । ସାଗରରେ ଲୀନ ହୋଇଗଲେ । ପଞ୍ଚୁ ପାଣ୍ଡବ
ହିମାଳୟରେ ତଳକୁ ଖସି ପଡିଲେ, ପ୍ରଳୟ ହୋଇଗଲା । ଗୋଟିଏ ପଟେ ଦେଖାଉଛନ୍ତି ସେମାନେ ରାଜଯୋଗ ଶିଖିଲେ
ଅନ୍ୟ ପଟେ ପ୍ରଳୟ ଦର୍ଶାଇଛନ୍ତି ପୁଣି ଦେଖାଇଛନ୍ତି କୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଅଶ୍ୱତଥ୍
ପତ୍ରରେ ଭାସି ଭାସି ଆସିଲେ । ଏହାର ମଧ୍ୟ ଅର୍ଥକୁ ବୁଝୁନାହାଁନ୍ତି । ସିଏ ତ ଗର୍ଭ ମହଲରେ ଥିଲେ
। ପିଲାମାନେ ଆଙ୍ଗୁଳିକୁ ଚୁଚୁମି ଥା’ନ୍ତି । କେଉଁ କଥାକୁ କେଉଁଠି ଲେଖି ଦେଇଛନ୍ତି ।
ମନୁଷ୍ୟମାନେ ତ ଯାହା କିଛି ଶୁଣୁଛନ୍ତି ସବୁ ସତ୍ୟ-ସତ୍ୟ ବୋଲି କହୁଛନ୍ତି ।
ସତ୍ୟଯୁଗକୁ କେହି
ଜାଣିନାହାଁନ୍ତି । ଯେଉଁ ଜିନିଷ ନ ଥାଏ ତାକୁ ମିଛ ବୋଲି କୁହାଯାଇଥାଏ । ଯେପରି କହୁଛନ୍ତି ଯେ -
ପରମାତ୍ମାଙ୍କର ନାମ-ରୂପ ନାହିଁ । କିନ୍ତୁ ତାଙ୍କର ପୂଜା ତ’ କରୁଛନ୍ତି । ପରମାତ୍ମା ଅତି
ସୂକ୍ଷ୍ମ ଅଟନ୍ତି । ତାଙ୍କ ଭଳି ସୂକ୍ଷ୍ମ ଆଉ କିଛି ନାହିଁ । ଏକଦମ୍ ବିନ୍ଦୁ ଅଟନ୍ତି । ସିଏ
ସୂକ୍ଷ୍ମ ହୋଇଥିବା କାରଣରୁ କେହି ତାଙ୍କୁ ଜାଣିନାହାଁନ୍ତି । ଯଦିଓ ଆକାଶକୁ ମଧ୍ୟ ସୂକ୍ଷ୍ମ
କୁହାଯାଉଛି କିନ୍ତୁ ଆକାଶ ତ ଶୁନ୍ୟ ଅଟେ । ଏଠାରେ ୫ ତତ୍ତ୍ୱ ରହିଛି । ୫ ତତ୍ତ୍ୱର ଶରୀରରେ ଆସି
ବାବା ପ୍ରବେଶ କରୁଛନ୍ତି । ତେଣୁ ବାବା କେତେ ସୂକ୍ଷ୍ମ ଅଟନ୍ତି, ଏକଦମ୍ ବିନ୍ଦୁ । ତାରା କେତେ
ଛୋଟ ଦେଖାଯାଇଥାଏ । ତାରକା ପରମାତ୍ମା ବ୍ରହ୍ମାଙ୍କ ଭ୍ରୁକୁଟୀରେ ଆସୀନ ହେଲେ ତ’ କଥା କହିବେ ।
ଏହା କେତେ ସୂକ୍ଷ୍ମ କଥା । ଏହି କଥାକୁ ମୋଟାବୁଦ୍ଧିଆ ଆତ୍ମାମାନେ ଟିକିଏ ବି ବୁଝିପାରିବେ ନାହିଁ
। ବାବା କେତେ ଭଲ-ଭଲ କଥା ବୁଝାଉଛନ୍ତି । ଡ୍ରାମା ଅନୁସାରେ କଳ୍ପ ପୂର୍ବରୁ ଯେଉଁ ଅଭିନୟ କରିଥିଲେ,
ତାହା ହିଁ କରୁଛନ୍ତି । ପିଲାମାନେ ଜାଣିଛନ୍ତି, ବାବା ପ୍ରତ୍ୟେକ ଦିନ ନୂଆ-ନୂଆ କଥା ଶୁଣାଉଛନ୍ତି,
ତେଣୁ ଏହା ନୂଆ ଜ୍ଞାନ ହେଲା ନା । ତେଣୁ ପ୍ରତ୍ୟେକ ଦିନ ପାଠପଢିବାକୁ ପଡିବ । ଯଦି ସବୁଦିନ କେହି
ସ୍କୁଲ୍ ଯାଇ ନ ଥା’ନ୍ତି ତେବେ ବନ୍ଧୁଙ୍କ ପାଖକୁ ଯାଇ ପଚାରନ୍ତି ଯେ ଆଜି କ୍ଲାସରେ କ’ଣ ପାଠପଢ଼ା
ହେଲା? ଏଠାରେ ତ କେହି-କେହି ପାଠ ପଢିବା ଛାଡି ଦେଉଛନ୍ତି । ବାସ୍, କହିଥାଆନ୍ତି ଆମର ଅବିନାଶୀ
ଜ୍ଞାନ ରତ୍ନର ସମ୍ପତ୍ତି ଦରକାର ନାହିଁ । ଆରେ, ପାଠପଢା ଛାଡି ଦେଲେ ତୁମର ଅବସ୍ଥା କ’ଣ ହେବ?
ପୁଣି ବାବାଙ୍କଠାରୁ କିପରି ସମ୍ପତ୍ତି ନେବ? କୁହାଯିବ ବାସ୍, ତାଙ୍କର ଭାଗ୍ୟରେ ହିଁ ନାହିଁ ।
ଏଠାରେ ସ୍ଥୂଳ ସମ୍ପତ୍ତିର ତ କୌଣସି କଥା ହିଁ ନାହିଁ । ଜ୍ଞାନର ସମ୍ପତ୍ତି ବାବାଙ୍କଠାରୁ ମିଳୁଛି
। ଏହି ସମ୍ପତ୍ତି ଆଦି ସବୁ ବିନାଶ ହୋଇଯିବ, ବିନାଶୀ ସମ୍ପତ୍ତିର ନିଶା ରଖିବା ଉଚିତ୍ ନୁହେଁ ।
ଏକମାତ୍ର ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳିବ । ତୁମ ପାଖରେ ଯଦିଓ କୋଟି-କୋଟି ଟଙ୍କାର ସମ୍ପତ୍ତି
ରହିଛି, କିନ୍ତୁ ଏସବୁ ମାଟିରେ ମିଶିଯିବ । ଏସବୁ ବର୍ତ୍ତମାନ ସମୟର କଥା । ଏକଥା ମଧ୍ୟ ଲିଖିତ ଅଛି
ଯେ କାହାର ମାଟି ତଳେ ଦବି ରହିବ, କାହାର ନିଆଁରେ ଜଳିଯିବ... ଏହା ବର୍ତ୍ତମାନ ସମୟର କଥା,
ଅନ୍ତିମ ସମୟରେ ଏହିଭଳି ହେବ । ବିନାଶ ତ ନିଶ୍ଚିତ ହେବ । ବିନାଶ ପରେ ପୁଣି ସ୍ଥାପନା ହେବ ।
ବର୍ତ୍ତମାନ ବାବା ସ୍ଥାପନା କରୁଛନ୍ତି । ସ୍ୱର୍ଗ ଆମର ରାଜଧାନୀ ଅଟେ । ତୁମେ ଅନ୍ୟମାନଙ୍କ ପାଇଁ
କିଛି କରୁନାହଁ । ଯାହା କିଛି କରୁଛ ନିଜ ପାଇଁ କରୁଛ । ଯିଏ ଶ୍ରୀମତକୁ ପାଳନ କରିବ ସିଏ ମାଲିକ
ହେବ । ତୁମେମାନେ ତ ନୂଆ ବିଶ୍ୱରେ ନୂଆ ଭାରତର ମାଲିକ ହେଉଛ । ନୂଆ ବିଶ୍ୱ ଅର୍ଥାତ୍ ସତ୍ୟଯୁଗର
ତୁମେ ମାଲିକ ଥିଲ । ବର୍ତ୍ତମାନ ତ ପୁରୁଣା ଯୁଗ ପୁଣି ତୁମେ ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛ
। ବୁଝିବା ନିମନ୍ତେ ଏହା କେତେ ସୁନ୍ଦର କଥା । ଏଠାରେ ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ଦିଆଯିବା
ସହିତ ଆତ୍ମାନୁଭୂତି କରାଯାଉଛି । ଆତ୍ମାର ପିତା କିଏ? ବାବା କହୁଛନ୍ତି - ମୁଁ ଆତ୍ମାମାନଙ୍କୁ
ଶିଖାଇବା ପାଇଁ ଆସୁଛି । ଏବେ ତୁମେମାନେ ପିତାଙ୍କ ଦ୍ୱାରା ହିଁ ପିତାଙ୍କୁ ଅନୁଭବ କରୁଛ । ବାବା
ବୁଝାଉଛନ୍ତି - ତୁମେମାନେ ମୋର ବହୁତ ଦିନରୁ ଅଲଗା ହୋଇ ପୁଣି ମିଳିଥିବା ସନ୍ତାନ ଅଟ । ତୁମେ
ଗୋଟିଏ କଳ୍ପ ପରେ ପୁନର୍ବାର ଆସି ମିଶୁଛ ସମ୍ପତ୍ତି ନେବା ପାଇଁ । ତେଣୁ ତୁମେମାନେ ପୁରୁଷାର୍ଥ
କରିବା ଦରକାର ନା । ନଚେତ୍ ବହୁତ ପଶ୍ଚାତାପ କରିବ, ଦଣ୍ଡ ଭୋଗ କରିବାକୁ ପଡିବ । ଯେଉଁମାନେ
ବାବାଙ୍କର ସନ୍ତାନ ହୋଇ ପୁଣି କୁକର୍ମ କରିଥା’ନ୍ତି, ସେମାନଙ୍କ କଥା ନ କହିଲେ ଭଲ । ଡ୍ରାମାରେ
ଦେଖ ବାବାଙ୍କର କେତେ ଶ୍ରେଷ୍ଠ ଅଭିନୟ ରହିଛି । ସବୁକିଛି ଯଜ୍ଞରେ ଅର୍ପଣ କରିଦେଲେ । ପୁଣି ବାବା
କହୁଛନ୍ତି - ମୁଁ ଭବିଷ୍ୟତ ୨୧ ଜନ୍ମ ପାଇଁ ପ୍ରତିଦାନ ଦେବି । ପୂର୍ବରୁ ତୁମେମାନେ ପରୋକ୍ଷରେ
ଦେଉଥିଲ ତେଣୁ ମୁଁ ଭବିଷ୍ୟତ ଗୋଟିଏ ଜନ୍ମ ପାଇଁ ଦେଉଥିଲି । ଏବେ ତୁମେ ପ୍ରତ୍ୟକ୍ଷରେ ଦେଉଛ,
ଭବିଷ୍ୟତ ୨୧ ଜନ୍ମ ପାଇଁ ସୁନିଶ୍ଚିତ କରିଦେଉଛି । ତେବେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭିତରେ କେତେ
ଫରକ ରହିଛି । ସେମାନେ ଦ୍ୱାପରଯୁଗ-କଳିଯୁଗ ପାଇଁ ଭଗବାନଙ୍କ ପାଖରେ ସୁନିଶ୍ଚିତ କରୁଛନ୍ତି ।
ତୁମେମାନେ ସତ୍ୟଯୁଗ-ତ୍ରେତା ଯୁଗ ପାଇଁ ସୁନିଶ୍ଚିତ କରୁଛ । ଏବେ ସବୁ କିଛି ପ୍ରତ୍ୟକ୍ଷରେ
ହେଉଥିବା କାରଣରୁ ୨୧ ଜନ୍ମ ପାଇଁ ମିଳୁଅଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ବାବାଙ୍କଠାରୁ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ନେଇ ଭାଗ୍ୟବାନ ହେବାକୁ ପଡିବ । ଏହି ନୂଆ
ଜ୍ଞାନ, ନୂଆ ପାଠପଢାକୁ ନିୟମିତ ଭାବରେ ପଢିବାକୁ ହେବ । ବାୟୁମଣ୍ଡଳକୁ ଶୁଦ୍ଧ କରିବାର ସେବା
କରିବାକୁ ହେବ ।
(୨) ଭବିଷ୍ୟତ ୨୧ ଜନ୍ମ
ପାଇଁ ନିଜର ସବୁକିଛି ଅର୍ପଣ କରି ଦେବାକୁ ହେବ । ବାବାଙ୍କର ହେବା ପରେ କୌଣସି ବି କୁକର୍ମ କରିବା
ଉଚିତ୍ ନୁହେଁ ।
ବରଦାନ:-
ସ୍ୱଉନ୍ନତିର
ଯଥାର୍ଥ ଚଷମା ପିନ୍ଧି ଅନ୍ୟମାନଙ୍କ ପାଇଁ ଉଦାହରଣ ସ୍ୱରୂପ ହେଉଥିବା ଅବହେଳା ପଣିଆରୁ ମୁକ୍ତ ହୁଅ
।
ଯେଉଁ ପିଲାମାନେ ନିଜକୁ
କେବଳ ବିଶାଳ ବୁଦ୍ଧି ରୂପୀ ନଜରରେ ଚେକ୍ କରନ୍ତି ସେମାନଙ୍କର ଚଷମା ଅବହେଳା ପଣିଆ ଯୁକ୍ତ ହୋଇଥାଏ,
ସେମାନଙ୍କୁ ଏହିଭଳି ଦେଖାଯାଏ ଯେ ମୁଁ ଯେତିକି ବି କରିଛି, ବହୁତ କରିଛି । ମୁଁ ଅମୁକ-ଅମୁକ
ଆତ୍ମାଙ୍କଠାରୁ ବହୁତ ଭଲ ଅଟେ, ଅଳ୍ପ-ବହୁତ ଦୁର୍ବଳତା ତ ନାମୀଗ୍ରାମୀ ଆତ୍ମାଙ୍କ ଭିତରେ ମଧ୍ୟ
ରହିଛି । କିନ୍ତୁ ଯେଉଁମାନେ ସଚ୍ଚା ଦିଲ୍ର ସହିତ ନିଜକୁ ଚେକ୍ କରନ୍ତି ସେମାନଙ୍କର ଚଷମା
ଯଥାର୍ଥ ସ୍ୱଉନ୍ନତିର ହୋଇଥିବା କାରଣରୁ ସେମାନେ କେବଳ ବାବାଙ୍କୁ ଏବଂ ନିଜକୁ ହିଁ ଦେଖିଥାଆନ୍ତି
। ଅନ୍ୟ କିଏ କ’ଣ କରୁଛି - ତାହା ଦେଖି ନ ଥାଆନ୍ତି । ମୋତେ ପରିବର୍ତ୍ତନ ହେବାର ଅଛି - ବାସ୍,
ଏହି ଗୋଟିଏ ଲକ୍ଷ୍ୟରେ ହିଁ ରହିଥାଆନ୍ତି । ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସ୍ୱରୂପ
ହୋଇଯାଆନ୍ତି ।
ସ୍ଲୋଗାନ:-
ଯଦି ହଦ୍
ଅର୍ଥାତ୍ ସୀମାଗୁଡିକୁ ବଂଶ ସହିତ ସମାପ୍ତ କରିଦେବ ତେବେ ବେହଦର ରାଜତ୍ୱର ନିଶା ଲାଗିଯିବ ।