04.04.21    Avyakt Bapdada     Odia Murli     06.12.87     Om Shanti     Madhuban


ସିଦ୍ଧିର ଆଧାର - ଶ୍ରେଷ୍ଠ ବୃତ୍ତି


ଆଜି ବାପଦାଦା ନିଜର ଚାରିଆଡର ହୋଲୀହଂସ ମାନଙ୍କର ସଭାକୁ ଦେଖୁଛନ୍ତି । ପ୍ରତ୍ୟେକ ହୋଲୀହଂସ ସନ୍ତାନ ନିଜର ଶ୍ରେଷ୍ଠ ସ୍ଥିତି ରୂପକ ଆସନ ଉପରେ ବିରାଜମାନ ଅଛନ୍ତି । ତେବେ ଏହି ସମସ୍ତ ଆସନଧାରୀ ହୋଲୀହଂସ ମାନଙ୍କର ସଭା ସାରା କଳ୍ପ ଭିତରେ ଅଲୌକିକ ଏବଂ ସ୍ୱତନ୍ତ୍ର ଅଟେ । ପ୍ରତ୍ୟେକ ହୋଲୀହଂସ ନିଜ ନିଜର ବିଶେଷତା ଅନୁସାରେ ଅତି ସୁନ୍ଦର ଭାବରେ ସୁସଜ୍ଜିତ ମଧ୍ୟ ଅଟନ୍ତି । ସେମାନଙ୍କର ବିଶେଷତା ଗୁଡିକ ହିଁ ସେମାନଙ୍କର ଶ୍ରେଷ୍ଠ ଶୃଙ୍ଗାର ଅଟେ । ତେବେ ଏହି ସଜବାଜ ହୋଇଥିବା ହୋଲୀହଂସମାନେ କେତେ ସୁନ୍ଦର ଦେଖାଯାଉଛନ୍ତି? ବାପଦାଦା ସମସ୍ତଙ୍କର ବିଶେଷତା ରୂପୀ ଶୃଙ୍ଗାରକୁ ଦେଖି ହର୍ଷିତ ହେଉଛନ୍ତି । ଏମିତି ତ ସମସ୍ତେ ହିଁ ଶୃଙ୍ଗାରଯୁକ୍ତ ଅଟନ୍ତି କାହିଁକି ନା ବାପଦାଦା ପିଲାମାନଙ୍କୁ ବ୍ରାହ୍ମଣ ଜନ୍ମ ଦେବା ସମୟରେ ବାଲ୍ୟାବସ୍ଥାରୁ ହିଁ ବିଶେଷ ଆତ୍ମା ଭବର ବରଦାନ ଦେଇ ଦେଇଛନ୍ତି । ସ୍ଥିତିରେ କମ-ବେଶୀ ଥିଲେ ମଧ୍ୟ ଶେଷ ନମ୍ବରର ଆତ୍ମା ମଧ୍ୟ ବିଶେଷ ଆତ୍ମା ଅଟେ । ବ୍ରାହ୍ମଣ ଜୀବନ ପାଇବା ଅର୍ଥାତ୍ ବିଶେଷ ଆତ୍ମାମାନଙ୍କ ଶ୍ରେଣୀରେ ଆସିବା । ବ୍ରାହ୍ମଣ ପରିବାରରେ ଶେଷ ନମ୍ବରରେ ଥିଲେ ମଧ୍ୟ ବିଶ୍ୱର ଅନେକ ଆତ୍ମାମାନଙ୍କ ଅନ୍ତରରେ ତାର ମଧ୍ୟ ବିଶେଷ ଆତ୍ମା ରୂପରେ ଗାୟନ କରାଯାଉଛି, ସେଥିପାଇଁ ତ କୋଟିକ ଭିତରେ କେହି ଏବଂ କେହି କେହିଙ୍କ ଭିତରେ ମଧ୍ୟ କେହି ବୋଲି ଗାୟନ ରହିଛି । ତେଣୁ ବ୍ରାହ୍ମଣମାନଙ୍କର ସଭା ଅର୍ଥାତ୍ ବିଶେଷ ଆତ୍ମାମାନଙ୍କର ସଭା ।

ଆଜି ବାପଦାଦା ଦେଖୁଥିଲେ ଯେ ବିଶେଷତା ଗୁଡିକ ଦ୍ୱାରା ଶୃଙ୍ଗାର ତ ବାବା ସମସ୍ତଙ୍କୁ ଏକାଭଳି ହିଁ କରାଇଛନ୍ତି । କିନ୍ତୁ କେହି କେହି ସେହି ଶୃଙ୍ଗାରକୁ ଧାରଣ କରି ସମୟ ଅନୁସାରେ କାର୍ଯ୍ୟରେ ଲଗାଉଛନ୍ତି କିନ୍ତୁ ଆଉ କେହି ହୁଏତ ଧାରଣ କରିପାରୁ ନାହାଁନ୍ତି ବା ସମୟ ଅନୁସାରେ କାର୍ଯ୍ୟରେ ଲଗାଇପାରୁ ନାହାଁନ୍ତି । ଯେପରି ଆଜିକାଲିର ରାଜକୀୟ ପରିବାରର ସଦସ୍ୟମାନେ ସମୟ ସମୟରେ ଯେତେବେଳେ ନିଜର ଶୃଙ୍ଗାର କରୁଛନ୍ତି ସେତେବେଳେ କେତେ ସୁନ୍ଦର ଦେଖାଯାଉଛନ୍ତି! ତେବେ ଯେପରି ସମୟ ସେହିପରି ନିଜର ଶୃଙ୍ଗାର କରିବା ହିଁ ଜ୍ଞାନବାନ ଆତ୍ମାର ଲକ୍ଷଣ । ଆଜିକାଲି ଶୃଙ୍ଗାର କରିବା ପାଇଁ ମଧ୍ୟ ଅଲଗା ଅଲଗା ଶୃଙ୍ଗାର ସେଟ୍ ରଖୁଛନ୍ତି ତେବେ ବାପଦାଦା ମଧ୍ୟ ଅନେକ ପ୍ରକାରର ବିଶେଷତାର, ଅନେକ ଶ୍ରେଷ୍ଠ ଗୁଣ ଗୁଡିକର କେତେ ସବୁ ଭିନ୍ନ ଭିନ୍ନ ଶୃଙ୍ଗାର ସେଟ୍ ପିଲାମାନଙ୍କୁ ଦେଇଛନ୍ତି! ଚାହେଁ ଯେତେ ବି ମୂଲ୍ୟବାନ ଶୃଙ୍ଗାର ହୋଇଥାଉ ଯଦି ତାହା ଆବଶ୍ୟକ ସମୟରେ କାର୍ଯ୍ୟରେ ଲାଗିନଥିବ ତେବେ କିପରି ଲାଗିବ? ସେହିପରି ଅନେକ ପ୍ରକାରର ବିଶେଷତା, ଗୁଣ, ଶକ୍ତି ଏବଂ ଜ୍ଞାନ ରତ୍ନର ଶୃଙ୍ଗାର ସେଟ୍ ଗୁଡିକ ବାବା ତ ସମସ୍ତଙ୍କୁ ଦେଇଛନ୍ତି କିନ୍ତୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଇବାରେ ପିଲାମାନେ କ୍ରମାନ୍ୱୟରେ ଆସିଯାଉଛନ୍ତି । ଯଦିଓ ଏହି ସମସ୍ତ ଶୃଙ୍ଗାର ବା ଅଳଙ୍କାର ଗୁଡିକ ପିଲାମାନଙ୍କ ପାଖରେ ଅଛି, କିନ୍ତୁ ପ୍ରତ୍ୟେକ ଗୁଣର ବା ବିଶେଷତାର ମହତ୍ୱ ଆବଶ୍ୟକ ସମୟରେ ହିଁ ଜଣାପଡିଥାଏ । ଯଦି ପାଖରେ ଥିଲେ ମଧ୍ୟ ସମୟ ଅନୁସାରେ କାର୍ଯ୍ୟରେ ଲଗାଇ ପାରୁନାହଁ ତେବେ ଅମୂଲ୍ୟ ସମ୍ପଦ ହୋଇଥିଲେ ମଧ୍ୟ ତାର କୌଣସି ମୂଲ୍ୟ ନାହିଁ । ଯେଉଁ ସମୟରେ ଯେଉଁ ବିଶେଷତାକୁ ଧାରଣ କରିବା ଆବଶ୍ୟକ ସେହି ସମୟରେ ହିଁ ତାହା ମୂଲ୍ୟବାନ ଅଟେ । ଯେପରି ହଂସ ପଥର ଏବଂ ରତ୍ନକୁ ପରଖି ଅଲଗା ଅଲଗା କରିଦିଏ ଏବଂ କେବଳ ରତ୍ନ ବା ମୋତିକୁ ହିଁ ଧାରଣ କରେ ସେହିପରି ହୋଲୀହଂସ ଅର୍ଥାତ୍ ସମୟ ଅନୁସାରେ ବିଶେଷତା ବା ଗୁଣକୁ ପରଖି ତାକୁ ଯଥା ସମୟରେ ବ୍ୟବହାର କରୁଥିବା ଆତ୍ମା । ତେବେ କୁହାଯିବ ପରଖିବାର ଶକ୍ତି ବା ନିର୍ଣ୍ଣୟ କରିବାର ଶକ୍ତିକୁ ଧାରଣ କରିଥିବା ହୋଲୀହଂସ । ତେଣୁ ପରଖିବା ଏବଂ ନିର୍ଣ୍ଣୟ କରିବା - ଏହି ଦୁଇଟି ଶକ୍ତି ନମ୍ବର ଆଗକୁ ନେଇ ଯାଇଥାଏ । ଯେତେବେଳେ ଏହି ଦୁଇଟି ଯାକ ଶକ୍ତି ଧାରଣ ହୋଇଯିବ ସେତେବେଳେ ଯଥା ସମୟରେ ବିଶେଷତା ଗୁଡିକ ଆଧାରରେ କାର୍ଯ୍ୟ ସଫଳ କରିପାରିବ । ତେଣୁ ପ୍ରତ୍ୟେକ ହୋଲୀହଂସ ସନ୍ତାନ ନିଜର ଏହି ଦୁଇଟିଯାକ ଶକ୍ତିକୁ ଚେକ୍ କର । ଏହି ଦୁଇଟିଯାକ ଶକ୍ତି ସମୟ ଅନୁସାରେ ଧୋକା ଦେଉ ନାହାଁନ୍ତି ତ? ସମୟ ବିତିଯିବା ପରେ ଯଦି ବି ପରଖିନେଲ ବା ନିର୍ଣ୍ଣୟ କରିନେଲ ତେବେ ସମୟ ତ ବିତିଯାଇଥିବ ନା! ଯେଉଁମାନେ ନମ୍ବରୱାନ ହୋଲୀହଂସ ସେମାନଙ୍କର ଏହି ଦୁଇଟିଯାକ ଶକ୍ତି ସର୍ବଦା ଯଥା ସମୟରେ ହିଁ କାର୍ଯ୍ୟ କରିଥାନ୍ତି । ଯଦି ସମୟ ବିତିଯିବା ପରେ ଏହି ଶକ୍ତିଗୁଡିକ କାର୍ଯ୍ୟ କରନ୍ତି ତେବେ ଦ୍ୱିତୀୟ ନମ୍ବରରେ ଆସିଯିବ ଏବଂ ତୃତୀୟ ନମ୍ବର ବିଷୟରେ ନ କହିବା ଭଲ ତେବେ ଯଥା ସମୟରେ ସେହି ହଂସମାନେ ହିଁ କାର୍ଯ୍ୟ କରିପାରିବେ ଯେଉଁମାନଙ୍କର ବୁଦ୍ଧି ସର୍ବଦା ହୋଲୀ ଅର୍ଥାତ୍ ପବିତ୍ର ଅଟେ ।

ତେବେ ହୋଲୀର ଅର୍ଥ ତ ଶୁଣାଇଥିଲି ନା । ହୋଲୀ ଶବ୍ଦର ଗୋଟିଏ ଅର୍ଥ ହେଲା ପବିତ୍ର ଏବଂ ହିନ୍ଦୀରେ ହୋଲୀ ଅର୍ଥାତ୍ ହୋ ଲୀ ଅର୍ଥାତ୍ ଯାହା ବିତିଗଲା ତାକୁ ଭୁଲିଯାଅ । ତେଣୁ ଯେଉଁମାନଙ୍କର ବୁଦ୍ଧି ହୋଲୀ ଅର୍ଥାତ୍ ସ୍ୱଚ୍ଛ ଅଟେ ଏବଂ ସର୍ବଦା ବିତିଯାଇଥିବା ପରିସ୍ଥିତିକୁ ଭୁଲିଯିବାର ଅଭ୍ୟାସ ମଧ୍ୟ ରହିଛି ଏହିଭଳି ବୁଦ୍ଧିକୁ ଧାରଣ କରିଥିବା ଆତ୍ମାମାନେ ସର୍ବଦା ହୋଲୀ ଅର୍ଥାତ୍ ଆତ୍ମିକ ରଙ୍ଗରେ ରଞ୍ଜିତ ହୋଇ ରହିଥାନ୍ତି ତଥା ବାବାଙ୍କର ସଂଗର ରଂଗରେ ମଧ୍ୟ ରଞ୍ଜିତ ହୋଇ ରହିଥାନ୍ତି । ତେଣୁ ଗୋଟିଏ ହୋଲୀ ଶବ୍ଦ ତିନି ରୂପରେ ବ୍ୟବହାର ହେଉଛି । ଯେଉଁମାନଙ୍କ ଭିତରେ ଏହି ତିନୋଟି ଯାକ ଅର୍ଥର ବିଶେଷତା ରହିଛି ଅର୍ଥାତ୍ ଯେଉଁ ହଂସମାନଙ୍କୁ ଏହି ବିଧି ଜଣାଅଛି ସେମାନେ ସବୁ ସମୟରେ ସିଦ୍ଧିକୁ ପ୍ରାପ୍ତ କରିଚାଲିଛନ୍ତି । ଆଜି ବାପଦାଦା ହୋଲୀହଂସ ମାନଙ୍କ ସଭାରେ ସମସ୍ତ ହୋଲୀହଂସ ମାନଙ୍କର ଏହି ବିଶେଷତାଗୁଡିକୁ ଦେଖୁଛନ୍ତି ଚାହେଁ ସ୍ଥୂଳକାର୍ଯ୍ୟ ହୋଇଥାଉ ବା ଆଧ୍ୟାତ୍ମିକ କାର୍ଯ୍ୟ ହୋଇଥାଉ କିନ୍ତୁ ଦୁଇଟିଯାକ କାର୍ଯ୍ୟରେ ସଫଳତାର ଆଧାର ହେଲା ପରଖିବାର ଶକ୍ତି ଏବଂ ନିର୍ଣ୍ଣୟ କରିବାର ଶକ୍ତି, ଏଥିରେ ଯଦି କାହାର ସମ୍ବନ୍ଧ ସମ୍ପର୍କରେ ମଧ୍ୟ ଆସୁଛ, ଯେପର୍ଯ୍ୟନ୍ତ ତାର ଭାବନା ଏବଂ ଉଦ୍ଦେଶ୍ୟକୁ ପରଖି ପାରି ନାହିଁ ବା ପରଖିବାରେ ଯଥାର୍ଥ ନିର୍ଣ୍ଣୟ କରିପାରିନାହଁ ସେପର୍ଯ୍ୟନ୍ତ ଦୁଇଟିଯାକ କାର୍ଯ୍ୟରେ ସଫଳତା ମିଳୁନାହିଁ, ଚାହେଁ ବ୍ୟକ୍ତି ହୋଇଥାଉ ବା ପରିସ୍ଥିତି ହୋଇଥାଉ କାହିଁକି ନା ବ୍ୟକ୍ତିମାନଙ୍କ ସମ୍ପର୍କରେ ମଧ୍ୟ ଆସିବାକୁ ପଡୁଛି ଏବଂ ପରିସ୍ଥିତି ଗୁଡିକୁ ମଧ୍ୟ ଅତିକ୍ରମ କରିବାକୁ ପଡୁଛି, କାରଣ ଜୀବନରେ ଏହି ଦୁଇଟିଯାକ କଥା ନିଶ୍ଚିତ ଆସୁଛି । ତେଣୁ ନମ୍ବର ୱାନ ହୋଲୀହଂସ ଅର୍ଥାତ୍ ଦୁଇଟିଯାକ ବିଶେଷତାରେ ସମ୍ପନ୍ନ । ଏହା ହେଉଛି ଆଜିର ଏହି ସଭାର ସମାଚାର । ଏହି ସଭା କହିଲେ କେବଳ ସମ୍ମୁଖରେ ବସିଥିବା ଆତ୍ମାମାନେ ନୁହଁନ୍ତି, ବାପଦାଦାଙ୍କ ସମ୍ମୁଖରେ ତ ତୁମମାନଙ୍କ ସହିତ ଚାରିଆଡର ପିଲାମାନେ ମଧ୍ୟ ପ୍ରକଟ ହୋଇଯାଇଛନ୍ତି ତେଣୁ ବାପଦାଦା ଏହି ବେହଦର ବିଶାଳ ବ୍ରାହ୍ମଣ ପରିବାର ସହିତ ମିଳନ କରୁଛନ୍ତି ବା ବାର୍ତ୍ତାଳାପ କରୁଛନ୍ତି । ସବୁ ବ୍ରାହ୍ମଣ ଆତ୍ମାମାନେ ନିଜର ଯୋଗବଳ ଆଧାରରେ ନିଜେ ମଧ୍ୟ ମଧୁବନରେ ହାଜର ହୋଇଯାଇଛନ୍ତି ଏବଂ ବାପଦାଦା ଏକଥା ମଧ୍ୟ ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ପୁରୁଷାର୍ଥର ବିଧିର ରେଖା ଏବଂ ସିଦ୍ଧି ପ୍ରାପ୍ତ କରିବାର ରେଖା କେତେ ସ୍ପଷ୍ଟ ଦେଖାଯାଉଛି, କାରଣ ଆରମ୍ଭ ସମୟରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ପୁରୁଷାର୍ଥର ବିଧି କିପରି ଅଛି ଏବଂ ବିଧିର ଫଳ ସ୍ୱରୂପ କେତେ ପରିମାଣରେ ସିଦ୍ଧି ପ୍ରାପ୍ତ କରିଛନ୍ତି - ଏହା ଦେଖୁଛନ୍ତି, ତାସହିତ ଏହି ଦୁଇଟିଯାକ ରେଖା କେତେ ସ୍ପଷ୍ଟ ଏବଂ କେତେ ଲମ୍ବା ଅର୍ଥାତ୍ ବିଧି ଏବଂ ସିଦ୍ଧିର ଖାତା ଯଥାର୍ଥ ରୂପରେ କେତେ ଜମା ହୋଇଛି - ତାହା ମଧ୍ୟ ଦେଖୁଛନ୍ତି? ତେବେ ଯଥାର୍ଥ ବିଧିର ଆଧାର ହେଲା ଶ୍ରେଷ୍ଠ ବୃତ୍ତି । ଯଦି ମନର ବୃତ୍ତି ଶ୍ରେଷ୍ଠ ଥିବ ତେବେ ପୁରୁଷାର୍ଥର ବିଧି ମଧ୍ୟ ନିଶ୍ଚିତ ଯଥାର୍ଥ ହୋଇଥିବ ଏବଂ ବିଧି ଯଥାର୍ଥ ଥିଲେ ସିଦ୍ଧି ମଧ୍ୟ ନିଶ୍ଚିତ ଶ୍ରେଷ୍ଠ ହେବ । ତେଣୁ ବିଧି ଏବଂ ସିଦ୍ଧିର ବୀଜ ହେଲା ମନର ବୃତ୍ତି । ଶ୍ରେଷ୍ଠ ବୃତ୍ତି ଅର୍ଥାତ୍ ସର୍ବଦା ଭାଇ ଭାଇର ଆତ୍ମିକ ଭାବନାର ବୃତ୍ତି । ଏହା ତ ହେଲା ମୁଖ୍ୟ କଥା କିନ୍ତୁ ତା ସହିତ ପ୍ରତ୍ୟେକ ଆତ୍ମାଙ୍କ ସହିତ ସମ୍ପର୍କରେ ଆସିବା ସମୟରେ ପ୍ରତ୍ୟେକଙ୍କ ପ୍ରତି କଲ୍ୟାଣର, ସ୍ନେହର, ସହଯୋଗର, ନିଃସ୍ୱାର୍ଥପଣିଆର ନିର୍ବିକଳ୍ପ ମନୋବୃତ୍ତି ରହୁ । କେବେକେବେ ଯଦି କୌଣସି ଆତ୍ମା ପ୍ରତି ବ୍ୟର୍ଥ ସଂକଳ୍ପ ବା ବିକଳ୍ପର ବୃତ୍ତି ରହିଥାଏ ତେବେ ତୁମର ଦୃଷ୍ଟି-ବୃତ୍ତି ଅନୁସାରେ ସେହି ଆତ୍ମାର କର୍ମ ବା କର୍ତ୍ତବ୍ୟ ରୂପୀ ସୃଷ୍ଟି ମଧ୍ୟ ସେହିପରି ଦେଖାଯାଇଥାଏ । ତେଣୁ ବାବା ମଧ୍ୟ କେବେ କେବେ ପିଲାମାନଙ୍କର ଏହିଭଳି କଥା ଶୁଣୁଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ । ଶୁଭ ବା ଶ୍ରେଷ୍ଠ ବୃତ୍ତି ନଥିବା କାରଣରୁ ବର୍ଣ୍ଣନା ମଧ୍ୟ ସେହିପରି କରିଥାନ୍ତି, ଚାହେଁ, ସେ କେତେ ବି ଭଲ କାମ କରିଥାଉ କିନ୍ତୁ ନିଜର ବୃତ୍ତି ବ୍ୟର୍ଥ ହୋଇଥିବା କାରଣରୁ ସର୍ବଦା ସେହି ଆତ୍ମା ପ୍ରତି ବାଣୀ ମଧ୍ୟ ସେହିଭଳି ବାହାରିଥାଏ ଯେ ଇଏ ତ ଏହିଭଳି ହିଁ ଅଟେ, ଏହିଭଳି ହିଁ କର୍ମ କରେ । ତେଣୁ ଆତ୍ମାର ବ୍ୟର୍ଥ ବୃତ୍ତି ସେହି ଆତ୍ମାର କର୍ମରୂପୀ ସୃଷ୍ଟିକୁ ସେହିଭଳି ହିଁ ଅନୁଭବ କରାଇଥାଏ । ତୁମେମାନେ ମଧ୍ୟ ଯେପରି ଚଷମାର ଦୃଷ୍ଟାନ୍ତ ଦେଇଥାଅ, ଯେଉଁ ରଙ୍ଗର ଚଷମା ପିନ୍ଧିବ ସବୁ କିଛି ସେହିଭଳି ହିଁ ଦେଖାଯିବ । ସେହିପରି ନିଜର ବୃତ୍ତି ଯେପରି ହୋଇଥିବ, ବୃତ୍ତି ଦୃଷ୍ଟିକୁ ପରିବର୍ତ୍ତନ କରିଦେବ ଏବଂ ଦୃଷ୍ଟି ସୃଷ୍ଟିକୁ ପରିବର୍ତ୍ତନ କରିଦେବ । ଯଦି ବୃତ୍ତି ରୂପକ ବୀଜ ସଦା ସର୍ବଦା ଶ୍ରେଷ୍ଠ ରହିବ ତେବେ ବିଧି ଏବଂ ସିଦ୍ଧି ନିଶ୍ଚିତ ଭାବରେ ସଫଳତା ପୂର୍ବକ ମିଳିବ । ତେଣୁ ପ୍ରଥମେ ବୃତ୍ତି ରୂପକ ମୂଳଦୁଆକୁ ଚେକ୍ କର । ଏହାକୁ ହିଁ ଶ୍ରେଷ୍ଠ ବୃତ୍ତି କୁହାଯାଏ । ଯଦି କୌଣସି ସମ୍ବନ୍ଧ-ସମ୍ପର୍କରେ ଶ୍ରେଷ୍ଠ ମନୋବୃତ୍ତି ରହିବା ବଦଳରେ ମିଶ୍ରିତ ମନୋବୃତ୍ତି ରହେ ତେବେ କେତେ ବି ଭଲ ଭଲ ବିଧିକୁ ଆପଣାଅ କିନ୍ତୁ ସିଦ୍ଧି ମିଳିବ ନାହିଁ କାହିଁକି ନା ବୀଜ ହେଲା ବୃତ୍ତି ଏବଂ ବୃକ୍ଷ ହେଲା ବିଧି ଯାହାର ଫଳ ହେଲା ସିଦ୍ଧି । ଯଦି ବୀଜ ଦୁର୍ବଳ ଥିବ ତେବେ ବୃକ୍ଷ ଯେତେ ବି ବିସ୍ତାର ଲାଭ କରିଥାଉ କିନ୍ତୁ ସେଥିରେ ସିଦ୍ଧି ରୂପକ ଫଳ ଫଳିବ ନାହିଁ । ତେଣୁ ଏହି ବୃତ୍ତି ଏବଂ ବିଧି ଉପରେ ହିଁ ବାପଦାଦା ପିଲାମାନଙ୍କ ବିଷୟରେ ବିଶେଷ ବାର୍ତ୍ତାଳାପ କରୁଥିଲେ ।

ତେବେ ସ୍ୱଉନ୍ନତି ପ୍ରତି ବା ସେବାର ସଫଳତା ପ୍ରତି ଗୋଟିଏ ଅତି ମନୋରଞ୍ଜନକାରୀ ସ୍ଳୋଗାନ ବାର୍ତ୍ତାଳାପ ଭିତରେ ଆସିଲା । ତୁମେ ସମସ୍ତେ ମଧ୍ୟ ଏହି ସ୍ଳୋଗାନକୁ ସବୁ କାର୍ଯ୍ୟରେ ପରସ୍ପରକୁ କହୁଛ - ତାହା ହେଲା ପ୍ରଥମେ ଆପଣ - ଏହି ସ୍ଳୋଗାନ ମନେ ଅଛି ନା? ଗୋଟିଏ ହେଲା ପ୍ରଥମେ ଆପଣ ଆଉ ଗୋଟିଏ ହେଲା ପ୍ରଥମେ ମୁଁ । ଏମିତି ତ ପ୍ରଥମେ ଆପଣ ଏବଂ ପ୍ରଥମେ ମୁଁ - ଦୁଇଟିଯାକ ଆବଶ୍ୟକ କିନ୍ତୁ ବାପଦାଦା ଏହି ବିଷୟରେ କଥାବାର୍ତ୍ତା ହେବା ସମୟରେ ମୁରୁକି ମୁରୁକି ହସୁଥିଲେ କାହିଁକି ନା ଯେଉଁଠି ପ୍ରଥମେ ମୁଁ ହେବା ଆବଶ୍ୟକ ସେଠାରେ ପ୍ରଥମେ ଆପଣ କରିଦେଉଛନ୍ତି ଏବଂ ଯେଉଁଠି ପ୍ରଥମେ ଆପଣ ହେବା ଆବଶ୍ୟକ ସେଠାରେ ପ୍ରଥମେ ମୁଁ କରିଦେଉଛନ୍ତି । ଏହିଭଳି ପରିବର୍ତ୍ତନ କରିଦେଉଛନ୍ତି । ଯେତେବେଳେ କୌଣସି ପରିବର୍ତ୍ତନର କଥା ଆସୁଛି ସେତେବେଳେ କହୁଛ ପ୍ରଥମେ ଆପଣ ଯଦି ଇଏ ପରିବର୍ତ୍ତନ ହେବ ତେବେ ମୁଁ ମଧ୍ୟ ପରିବର୍ତ୍ତନ ହୋଇଯିବି, ତେଣୁ ପ୍ରଥମେ ଆପଣ ହେଲା ନା! ଆଉ ଯେତେବେଳେ କୌଣସି ସେବା କରିବାର ସୁଯୋଗ ଆସୁଛି ବା କୌଣସି ଏଭଳି ପରିସ୍ଥିତିକୁ ସମ୍ମୁଖୀନ କରିବାର ସୁଯୋଗ ଆସୁଛି ସେତେବେଳେ ଚେଷ୍ଟା କରୁଛନ୍ତି ପ୍ରଥମେ ମୁଁ, ଭାବୁଛନ୍ତି ମୁଁ ମଧ୍ୟ କିଛି କରିପାରିବି, ବା ମୋତେ ବି କିଛି ସୁଯୋଗ ମିଳିବା ଉଚିତ୍ । ତେବେ ଯେଉଁଠି ପ୍ରଥମେ ଆପଣ କହିବା ଦରକାର ସେଠାରେ ମୁଁ କହିଦେଉଛନ୍ତି । ତେଣୁ ସର୍ବଦା ନିଜର ସ୍ୱମାନରେ ସ୍ଥିତ ରହି ଅନ୍ୟମାନଙ୍କୁ ସମ୍ମାନ ଦେବା ଅର୍ଥାତ୍ ପ୍ରଥମେ ଆପଣ କରିବା । କହୁଥିବ ପ୍ରଥମେ ଆପଣ କିନ୍ତୁ କର୍ମରେ ଅନ୍ତର ରହିଥିବ - ଏଭଳି ହେବା ଉଚିତ୍ ନୁହେଁ । ତେଣୁ ନିଜେ ସ୍ୱମାନରେ ସ୍ଥିତ ରହି ଅନ୍ୟମାନଙ୍କୁ ସ୍ୱମାନ ଦେବାକୁ ହେବ । ତେବେ କାହାକୁ ସ୍ୱମାନ ଦେବା ବା ସ୍ୱମାନରେ ସ୍ଥିତ ହେବା, ଏହାର ଚିହ୍ନ କଣ? ଏଥିରେ ସର୍ବଦା ଦୁଇଟି କଥାକୁ ଚେକ୍ କର ।

ଗୋଟିଏ ହେଲା ଅଭିମାନର ବୃତ୍ତି, ଅନ୍ୟଟି ହେଲା ଅପମାନର ବୃତ୍ତି । ଯିଏ ସର୍ବଦା ସ୍ୱମାନରେ ସ୍ଥିତ ରହିଥାଏ ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେଉଥିବା ଦାତା ହୋଇଥାଏ ତାଙ୍କ ଭିତରେ ଏହି ଦୁଇଟିଯାକ ବୃତ୍ତି ଆଦୌ ନଥିବ - ନା ସେମାନେ ଅଭିମାନରେ ଆସିବେ, ନା ଅପମାନ ଅନୁଭବ କରିବେ । ଇଏ ତ ସବୁବେଳେ ଏହିଭଳି ହିଁ କରୁଛି, ଇଏ ତ ଏହିଭଳି ହିଁ ଅଟେ, ତେବେ ଏହା ମଧ୍ୟ ରାଜକୀୟ ରୂପରେ ସେହି ଆତ୍ମାକୁ ଅପମାନ ଦେବା ହୋଇଗଲା, କିନ୍ତୁ ନିଜେ ସ୍ୱମାନରେ ସ୍ଥିତ ରହି ଅନ୍ୟକୁ ସ୍ୱମାନ ଦେବା - ଏହାକୁ କୁହାଯାଏ ପ୍ରଥମେ ଆପଣ କରିବା । ବୁଝିପାରିଲ? ଆଉ ଯାହା ବି ସ୍ୱଉନ୍ନତିର କଥା ଆସିବ ସେଥିରେ ସବୁବେଳେ ପ୍ରଥମେ ମୁଁର ସ୍ଳୋଗାନ ମନେ ରହିବା ଦରକାର । ତାହା ହେଲେ ପରିଣାମ କଣ ମିଳିବ? ପ୍ରଥମେ ମୁଁ ଅର୍ଥାତ୍ ଯିଏ କରିବ ସିଏ ପାଇବ ଅର୍ଥାତ୍ ଅର୍ଜୁନ ହେବ । ତେବେ ଅର୍ଜୁନ ଅର୍ଥାତ୍ ବିଶେଷ ଆତ୍ମା, ସ୍ୱତନ୍ତ୍ର ଆତ୍ମା, ଅଲୌକିକ ଆତ୍ମା ବା ବିଶେଷ ଅଲୌକିକ ଆତ୍ମା । ଯେପରି ବ୍ରହ୍ମାବାବା ସର୍ବଦା ପ୍ରଥମେ ମୁଁର ସ୍ଳୋଗାନକୁ କାର୍ଯ୍ୟରେ ଲଗାଇ ଅର୍ଜୁନ ହୋଇଗଲେ ଅର୍ଥାତ୍ ନମ୍ବରୱାନ ଆତ୍ମା ହୋଇଗଲେ । ତେବେ ନମ୍ବରୱାନର ଅର୍ଥ ହେଲା ନମ୍ବରୱାନ ଡିଭିଜନ ବା ଫାଷ୍ଟ ଡିଭିଜନ୍ । ଏମିତି ବି ନମ୍ବରୱାନ ତ ଜଣେ ହିଁ ହେବ ନା । ତେଣୁ ଦୁଇଟି ଯାକ ସ୍ଳୋଗାନକୁ କାର୍ଯ୍ୟରେ ଲଗାଇବା ଜରୁରୀ ଅଟେ କିନ୍ତୁ ଶୁଣାଇଲି ନା - କେଉଁ ଆଧାରରେ କ୍ରମାନ୍ୱୟ ହୋଇଯାଉଛି । ଯଦି କେହି ସମୟ ଅନୁସାରେ କୌଣସି ବିଶେଷତାକୁ କାର୍ଯ୍ୟରେ ଲଗାଇ ପାରୁ ନାହିଁ ସେଥିପାଇଁ ନମ୍ବରରେ ଆଗ ପଛ ହୋଇଯାଉଛି । ତେବେ ସମୟ ଅନୁସାରେ ଯିଏ କାର୍ଯ୍ୟରେ ଲଗାଉଛି ସେ ବିଜୟୀ ହୋଇଯାଉଛି ଅର୍ଥାତ୍ ନମ୍ବରୱାନ ହୋଇଯାଉଛି । ତେଣୁ ଏହି କଥାକୁ ଚେକ୍ କର, କାହିଁକି ନା ଏହି ବର୍ଷ ସ୍ୱ ଅର୍ଥାତ୍ ନିଜର ଚେକିଙ୍ଗ୍ କରିବାର କଥା ହିଁ ଶୁଣାଉଛୁ । ଏମିତି ତ ତୁମେମାନେ ଅନେକ କଥା ଶୁଣି ସାରିଛ, ତେଣୁ ଆଜି ଏହିକଥା ସବୁ ଚେକ୍ କର - ଆପଣ ବଦଳରେ ମୁଁ, ମୁଁ ବଦଳରେ ଆପଣ କରିଦେଉ ନାହିଁ ତ? ଏହାକୁ ହିଁ କୁହାଯାଏ ଯଥାର୍ଥ ବିଧି । ଯେଉଁଠାରେ ଯଥାର୍ଥ ବିଧି ରହିଛି ସେଠାରେ ସିଦ୍ଧି ମଧ୍ୟ ନିଶ୍ଚିତ ମିଳିବ । ତେଣୁ ଆଜି ଏହିଭଳି ବୃତ୍ତିକୁ ଧାରଣ କରିବାର ବିଧିଗୁଡିକ ଶୁଣିଲ ଯାହାକି ଦୁଇଟି କଥାକୁ ଚେକିଂଗ କରିବାକୁ ହେବ - ନା ଅଭିମାନର ବୃତ୍ତି, ନା ଅପମାନର ବୃତ୍ତି । ଯେଉଁଠାରେ ଏହି ଦୁଇଟି ଯାକର ଅପ୍ରାପ୍ତି ରହିଛି ସେହିଠାରେ ହିଁ ସ୍ୱମାନର ପ୍ରାପ୍ତି ଅଛି । ତୁମେ କୁହ ବା ନ କୁହ, ଭାବିଥାଅ କି ନ ଭାବିଥାଅ କିନ୍ତୁ ବ୍ୟକ୍ତି, ପ୍ରକୃତି - ଉଭୟ ସର୍ବଦା ଏବଂ ସ୍ୱତଃ ଭାବରେ ତୁମକୁ ସ୍ୱମାନ ଦେଇ ଚାଲିବେ । ଯଦି ସଂକଳ୍ପରେ ମଧ୍ୟ ସ୍ୱମାନର ପ୍ରାପ୍ତର ଇଚ୍ଛା ରହିଲା ତେବେ ସ୍ୱମାନ ମିଳିବ ନାହିଁ । ତେଣୁ ନିର୍ମାନ ହେବା ଅର୍ଥାତ୍ ପ୍ରଥମେ ଆପଣ କରିବା । ଏହାଦ୍ୱାରା ନିଜର ନିର୍ମାନ ସ୍ଥିତି ସ୍ୱତଃ ହିଁ ସ୍ୱମାନ ପ୍ରାପ୍ତ କରାଇଦେବ । ସ୍ୱମାନର ପରିସ୍ଥିତି ଗୁଡିକରେ ଅର୍ଥାତ୍ ସମ୍ମାନ ମିଳୁଥିବା ସ୍ଥାନରେ ପ୍ରଥମେ ଆପଣ କହିବା ଅର୍ଥାତ୍ ବାପ୍ ସମାନ ହେବା । ଯେପରି ବ୍ରହ୍ମାବାବା ସର୍ବଦା ସ୍ୱମାନ ଦେବାରେ ପ୍ରଥମେ ଜଗଦମ୍ବା, ପ୍ରଥମେ ସରସ୍ୱତୀ ମା ପଛରେ ବ୍ରହ୍ମା ଏଭଳି କହୁଥିଲେ । ନିଜେ ବ୍ରହ୍ମା ମା ହୋଇଥିଲେ ମଧ୍ୟ ସ୍ୱମାନ ଦେବା ଉଦ୍ଦେଶ୍ୟରେ ଜଗଦମ୍ବା ମାକୁ ଆଗରେ ରଖୁଥିଲେ । ପ୍ରତ୍ୟେକ କାର୍ଯ୍ୟରେ ପିଲାମାନଙ୍କୁ ଆଗରେ ରଖୁଥିଲେ ଏବଂ ପୁରୁଷାର୍ଥ କରିବାର ସ୍ଥିତିରେ ସର୍ବଦା ନିଜକୁ ପ୍ରଥମେ ମୁଁ ଅର୍ଥାତ୍ ନିଜକୁ ଇଞ୍ଜିନ୍ ରୂପରେ ଦେଖୁଥିଲେ । ଇଞ୍ଜିନ୍ ସର୍ବଦା ଆଗରେ ରହିଥାଏ ନା । ସର୍ବଦା ସାକାର ଜୀବନରେ ଏହି କଥା ଦେଖୁଥିଲେ ଯେ ଯେଉଁ କର୍ମ ମୁଁ କରିବି, ମୋତେ ଦେଖି ସମସ୍ତେ କରିବେ । ତେଣୁ ପୁରୁଷାର୍ଥର ବିଧିରେ, ସ୍ୱଉନ୍ନତିରେ ବା ତୀବ୍ର ପୁରୁଷାର୍ଥର ଧାଡିରେ ପ୍ରଥମେ ମୁଁକୁ ରଖୁଥିଲେ । ତେଣୁ ଆଜି ବାପଦାଦା ବିଧି ଏବଂ ସିଦ୍ଧିର ରେଖାକୁ ଚେକ୍ କରୁଥିଲେ । ବୁଝିଲ? ତେଣୁ ଏହାକୁ କେବେ ବି ପରିବର୍ତ୍ତନ କରିବ ନାହିଁ । କାରଣ ବିଧିକୁ ବଦଳାଇବା ଅର୍ଥାତ୍ ନିଜର ଭାଗ୍ୟକୁ ବଦଳାଇ ଦେବା । ସର୍ବଦା ହୋଲୀହଂସ ହୋଇ ନିର୍ଣ୍ଣୟ ଶକ୍ତି ଏବଂ ପରଖିବାର ଶକ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉଥିବା ବିଶାଳ ବୁଦ୍ଧି ହୁଅ ଏବଂ ସର୍ବଦା ବୃତ୍ତି ରୂପୀ ବୀଜକୁ ଶ୍ରେଷ୍ଠ କରି ବିଧି ଏବଂ ସିଦ୍ଧିକୁ ସର୍ବଦା ଶ୍ରେଷ୍ଠ ଅନୁଭବ କରିଚାଲ ।

ପୂର୍ବରୁ ମଧ୍ୟ ଶୁଣାଇଥିଲୁ ଯେ ବାପଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଛି । ତେବେ ସ୍ନେହର ଚିହ୍ନ କଣ ହୋଇଥାଏ? ସ୍ନେହ କରୁଥିବା ଆତ୍ମା ସ୍ନେହୀ ଆତ୍ମାର କମୀକୁ ଦେଖିପାରେ ନାହିଁ, ସର୍ବଦା ନିଜକୁ ଏବଂ ସ୍ନେହୀ ଆତ୍ମାକୁ ସମ୍ପନ୍ନ ଏବଂ ସମାନ ଦେଖିବାକୁ ଚାହେଁ । ବୁଝିଲ? ସେଥିପାଇଁ ବାପଦାଦା ବାରମ୍ବାର ସାବଧାନ କରାଉଛନ୍ତି, ଏବଂ ଚେକିଙ୍ଗ କରାଉଛନ୍ତି - ଏହା ହିଁ ହେଉଛି ସମ୍ପନ୍ନ କରାଇବାର ସଚ୍ଚା ସ୍ନେହ । ଆଚ୍ଛା!

ଆଜି ସବୁ ଆଡୁ ପୁରୁଣା ପିଲାମାନେ ଅଧିକ ଆସିଛନ୍ତି । ତେବେ ପୁରୁଣା କାହାକୁ କୁହାଯାଏ, ତାର ଅର୍ଥକୁ ଜାଣିଛ ନା? ବାପଦାଦା ପୁରୁଣା ସେହିମାନଙ୍କୁ କହୁଛନ୍ତି ଯେଉଁମାନେ ସବୁ କଥାରେ ପକ୍କା ଅର୍ଥାତ୍ ମଜବୁତ ଅଟନ୍ତି । ତେବେ ଅନୁଭବ ମଧ୍ୟ ଆତ୍ମାକୁ ପକ୍କା କରିଦିଏ । କାହିଁକି ନା ଏଭଳି କଞ୍ଚା ଅର୍ଥାତ୍ ଦୁର୍ବଳ ହେବା ଉଚିତ୍ ନୁହେଁ ଯାହାକି ଟିକିଏ ମାୟା ବିଲେଇ ଆସିଗଲେ ବିଚଳିତ ହୋଇଯାଉଥିବ । ତେଣୁ ଆଜି ସମସ୍ତେ ପୁରୁଣା ଅର୍ଥାତ୍ ପକ୍କା ପିଲାମାନେ ଆସିଛ ନା? ମିଶିବାର ସୁଯୋଗ ନେବା ପାଇଁ ଯଦି ସମସ୍ତେ ପ୍ରଥମେ ମୁଁ କରିଛ ତେବେ କୌଣସି ଆପତ୍ତି ନାହିଁ । କିନ୍ତୁ ସବୁ କାର୍ଯ୍ୟରେ କାଇଦା ଏବଂ ଫାଇଦା ତ ନିଶ୍ଚିତ ରହିଛି । ଏମିତି ବି ନୁହେଁ ଯେ ପ୍ରଥମେ ମୁଁର ସୁଯୋଗ ଅଛି ତେଣୁ ହଜାରେ ଜଣ ଆସିଯିବା । ସାକାର ସୃଷ୍ଟିରେ କାଇଦା ଅର୍ଥାତ୍ ନିୟମ ମଧ୍ୟ ଅଛି ଏବଂ ଫାଇଦା ଅର୍ଥାତ୍ ନିୟମ ଅନୁସାରେ ଚାଲିବା ଦ୍ୱାରା ଲାଭ ମଧ୍ୟ ମିଳିଥାଏ । କିନ୍ତୁ ଅବ୍ୟକ୍ତ ବତନରେ ନିୟମ କାନୁନ୍‌ର କୌଣସି କଥା ନାହିଁ, ସେଠାରେ ନିୟମ ପ୍ରଣୟନ କରିବାର ଆବଶ୍ୟକତା ହିଁ ନାହିଁ । ଯେହେତୁ ଅବ୍ୟକ୍ତରେ ମିଳନ କରିବା ପାଇଁ ମେହନତ ଲାଗୁଛି ଏବଂ ସାକାର ମିଳନ ସହଜ ଲାଗୁଛି ତେଣୁ ସମସ୍ତେ ଧାଇଁ ଆସୁଛ । କିନ୍ତୁ ସମୟ ଅନୁସାରେ ଯେଉଁ ସବୁ ନିୟମ-ମର୍ଯ୍ୟାଦା ଧାର୍ଯ୍ୟ କରାଯାଉଛି ସେଗୁଡିକୁ ମାନିବାରେ ଫାଇଦା ରହିଛି । ବାପଦାଦା ଯଦି ଟିକିଏ ବି କୌଣସି କଥାର ସଂକେତ ଦେଉଛନ୍ତି ତେବେ ପିଲାମାନେ ଭାବୁଛନ୍ତି କିଏ ଜାଣେ ଏବେ କଣ ହେବାକୁ ଯାଉଛି? କିନ୍ତୁ ଯଦି କିଛି ବି ହେବାର ଥିବ ତେବେ ଜଣାଇ କରି ତ ହେବ ନାହିଁ ନା । ସାକାର ବାବା ଯେତେବେଳେ ଅବ୍ୟକ୍ତ ହେଲେ ସେତେବେଳେ ପୂର୍ବରୁ ଜଣାଇଥିଲେ କି? ତେଣୁ ଯାହା ଅଚାନକ ହୋଇଥାଏ ତାହା ଅଲୌକିକ ଏବଂ ପ୍ରିୟ ହୋଇଥାଏ, ସେଥିପାଇଁ ବାପଦାଦା କହୁଛନ୍ତି ସଦା-ସର୍ବଦା ପ୍ରସ୍ତୁତ ହୋଇ ରୁହ କାରଣ ଯାହା ବି ହେବ ତାହା ଭଲରୁ ଭଲ ହିଁ ହେବ । ବୁଝିପାରିଲ? ଆଚ୍ଛା!

ସର୍ବ ହୋଲୀହଂସ ପିଲାମାନଙ୍କୁ, ସର୍ବ ବିଶାଳ ବୁଦ୍ଧି, ଶ୍ରେଷ୍ଠ ଏବଂ ସ୍ୱଚ୍ଛ ବୁଦ୍ଧି ଧାରଣ କରୁଥିବା ବୁଦ୍ଧିମାନ ପିଲାମାନଙ୍କୁ, ସର୍ବଶକ୍ତିଗୁଡିକୁ ତଥା ସର୍ବ ବିଶେଷତା ଗୁଡିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉଥିବା ଜ୍ଞାନୀ ଏବଂ ଯୋଗୀ ପିଲାମାନଙ୍କୁ, ସର୍ବଦା ବାପ ସମାନ ସମ୍ପନ୍ନ ହେବାର ଉମଙ୍ଗ ଉତ୍ସାହରେ ରହୁଥିବା ସମ୍ପନ୍ନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ସ୍ମୃତି ଏବଂ ନମସ୍ତେ ।

ରଦାନ:-
ମାଲିକ ପଣିଆର ସ୍ମୃତି ଦ୍ୱାରା ସର୍ବୋଚ୍ଚ ଅଧିକାରୀ ହେବାର ଅନୁଭବ କରୁଥିବା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ସ୍ୱରୂପଧାରୀ ହୁଅ ।

ପ୍ରଥମେ ନିଜର ଶରୀର ଏବଂ ଆତ୍ମାର କମ୍ବାଇଣ୍ଡ ରୂପକୁ ସ୍ମୃତିରେ ରଖ । ଶରୀର ତୁମର ଚରନା, ତୁମେ ଆତ୍ମା ତାର ରଚୟିତା । ଏହି ସ୍ମୃତି ରହିଲେ ମାଲିକପଣିଆ ସ୍ୱତଃ ଭାବରେ ସ୍ମୃତିରେ ରହିବ ଏବଂ ମାଲିକପଣିଆର ସ୍ମୃତି ଦ୍ୱାରା ନିଜକୁ ସର୍ବଦା ସର୍ବୋଚ୍ଚ ଅଧିକାରୀ ଅନୁଭବ କରିବ ଏବଂ ଶରୀରକୁ ଚଳାଉଥିବା ଚାଳକ ହୋଇଯିବ । ଦ୍ୱିତୀୟରେ ପିତା ଏବଂ ସନ୍ତାନ ଅର୍ଥାତ୍ ଶିବଶକ୍ତି କମ୍ବାଇଣ୍ଡ ସ୍ୱରୁପର ସ୍ମୃତି ଦ୍ୱାରା ମାୟାର ବିଘ୍ନକୁ ଅଧିକାରୀ ପଣିଆର ସହିତ ଅତିକ୍ରମ କରିପାରିବ ।

ସ୍ଲୋଗାନ:-
ବିସ୍ତାରକୁ ଗୋଟିଏ ସେକେଣ୍ଡରେ ସମାହିତ କରି ଜ୍ଞାନର ସାରାଂଶକୁ ଅନୁଭବ କର ଏବଂ ଅନ୍ୟମାନଙ୍କୁ କରାଅ ।