04.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଶ୍ରୀମତ ଅନୁସାରେ ପବିତ୍ର ହୁଅ ତେବେ ଧର୍ମରାଜଙ୍କ ଦଣ୍ଡରୁ ମୁକ୍ତ ହୋଇଯିବ, ଯଦି ହୀରା ସଦୃଶ ହେବାର ଅଛି ତେବେ ଜ୍ଞାନ ଅମୃତ ପାନ କର, ବିଷକୁ ଛାଡ ।

ପ୍ରଶ୍ନ:-
ସତ୍ୟଯୁଗୀ ପଦର ସମସ୍ତ ଆଧାର କେଉଁ କଥା ଉପରେ ରହିଛି?

ଉତ୍ତର:-
ପବିତ୍ରତା ଉପରେ । ତୁମକୁ ୟାଦରେ ରହି ପବିତ୍ର ନିଶ୍ଚିତ ହେବାକୁ ପଡିବ । ପବିତ୍ର ହେବା ଦ୍ୱାରା ହିଁ ସଦ୍ଗତି ହେବ । ଯେଉଁମାନେ ପବିତ୍ର ହୁଅନ୍ତି ନାହିଁ ସେମାନେ ଦଣ୍ଡ ଭୋଗ କରି ନିଜର ଧର୍ମକୁ ଚାଲିଯାଇଥାନ୍ତି । ତୁମେ ପଛେ ଘରେ ରୁହ କିନ୍ତୁ କୌଣସି ଦେହଧାରୀଙ୍କୁ ୟାଦ କର ନାହିଁ, ପବିତ୍ର ରୁହ ତେବେ ଉଚ୍ଚ ପଦ ମିଳିଯିବ ।

ଗୀତ:-
ତୁହ୍ମେ ପାକେ ହମନେ ଯହାନ ପା ଲିୟା ହୈ...

ଓମ୍ ଶାନ୍ତି ।
ଶିବଭଗବାନୁବାଚ ଆଉ କାହାକୁ ବି ଭଗବାନ କୁହାଯାଉନାହିଁ, ଏକମାତ୍ର ନିରାକାର ପରମପିତା ପରମାତ୍ମାଙ୍କୁ ହିଁ ଶିବବାବା ବୋଲି କୁହାଯାଉଛି । ସିଏ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା । ପ୍ରଥମେ-ପ୍ରଥମେ ଏହି ନିଶ୍ଚୟ ହେବା ଦରକାର - ଆମେ ନିଶ୍ଚିତ ଶିବବାବାଙ୍କର ସନ୍ତାନ ଅଟୁ । ଦୁଃଖ ସମୟରେ କହିଥାନ୍ତି ପରମାତ୍ମା ସହାୟତା କର, ଦୟା କର । ଏକଥା ବି ଜାଣିନାହାଁନ୍ତି ଯେ ଆମର ଆତ୍ମା ପରମାତ୍ମାଙ୍କୁ ୟାଦ କରିଥାଏ । ମୋ ଆତ୍ମାର ସିଏ ପିତା ଅଟନ୍ତି । ବର୍ତ୍ତମାନ ସାରା ଦୁନିଆ ହେଉଛି ପତିତ ଆତ୍ମାମାନଙ୍କର । ଗାୟନ କରୁଛନ୍ତି ଯେ ଆମେ ପାପୀ ନୀଚ ଅଟୁ, ଆପଣ ସଂପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ତଥାପି ବୁଝିପାରୁ ନାହାଁନ୍ତି । ବାବା ବୁଝାଉଛନ୍ତି ଯେବେ ତୁମେ କହୁଛ ଭଗବାନ ବାବା ଜଣେ ଅଟନ୍ତି ତେବେ ତୁମେ ସବୁ ପରସ୍ପର ଭାଇ-ଭାଇ ହୋଇଗଲ । ପୁଣି ଶରୀର ହିସାବରେ ସମସ୍ତେ ଭାଇ ଭଉଣୀ ହୋଇଗଲେ । ଶିବବାବାଙ୍କର ସନ୍ତାନ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ । ଇଏ ତୁମର ବେହଦର ବାବା, ଶିକ୍ଷକ, ଗୁରୁ ଅଟନ୍ତି । ଇଏ ଶିବବାବା କହୁଛନ୍ତି ଯେ ମୁଁ ତୁମକୁ ପତିତ କରୁନାହିଁ । ମୁଁ ଆସିଛି ପବିତ୍ର କରିବା ପାଇଁ । ଯଦି ତୁମେମାନେ ମୋ ମତରେ ଚାଲିବ ତେବେ ଯାଇ ପବିତ୍ର ହେବ । ଏଠାରେ ତ ସବୁ ମନୁଷ୍ୟ ରାବଣ ମତରେ ଚାଲୁଛନ୍ତି । ସମସ୍ତଙ୍କ ଭିତରେ ୫ ବିକାର ରହିଛି । ବାବା କହୁଛନ୍ତି ପିଲାମାନେ ଏବେ ନିର୍ବିକାରୀ ହୁଅ, ଶ୍ରୀମତ ଆଧାରରେ ଚାଲ । କିନ୍ତୁ ବିକାରକୁ ଛାଡୁ ନାହାଁନ୍ତି । ତେଣୁ ସ୍ୱର୍ଗର ମାଲିକ ହେଉନାହାଁନ୍ତି । ସମସ୍ତେ ଅଜାମିଳ ପରି ପାପୀ ହୋଇଯାଇଛନ୍ତି । ଏହା ରାବଣ ସମ୍ପ୍ରଦାୟ, ଶୋକବାଟିକା ଅଟେ, ଏଠାରେ କେତେ ଦୁଃଖୀ ହୋଇ ପଡୁଛନ୍ତି । ବାବା ଆସି ପୁଣି ରାମରାଜ୍ୟ କରାଉଛନ୍ତି । ତୁମେମାନେ ଜାଣିଛ ଯେ ଏହା ସଚ୍ଚା-ସଚ୍ଚା ଯୁଦ୍ଧର ଭୂମି ଅଟେ । ଗୀତାରେ ଭଗବାନ କହୁଛନ୍ତି ଯେ କାମ ମହାଶତ୍ରୁ, ତା ଉପରେ ବିଜୟ ପ୍ରାପ୍ତ କର । ତାହା ତ କରୁନାହାଁନ୍ତି । ଏବେ ବାବା ବସି ବୁଝାଉଛନ୍ତି । ତୁମର ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି ପୁଣି ଶୁଣାଉଛି, ଏହି ଅଭିନୟ ଆତ୍ମା ହିଁ କରିଥାଏ । ଆମେ ଆତ୍ମା ଅଟୁ, ଶରୀର ଧାରଣ କରି ଅଭିନୟ କରୁଛୁ । କିନ୍ତୁ ମନୁଷ୍ୟମାନେ ଆତ୍ମ-ଅଭିମାନୀ ବଦଳରେ ଦେହ-ଅଭିମାନୀ ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ସତ୍ୟଯୁଗରେ ଆତ୍ମ-ଅଭିମାନୀ ହୋଇଥାନ୍ତି । ପରମାତ୍ମାଙ୍କୁ ଜାଣିନଥାନ୍ତି । ଏଠାରେ ତୁମେ ଦେହ ଅଭିମାନୀ ଅଟ ଏବଂ ପରମାତ୍ମାଙ୍କୁ ମଧ୍ୟ ଜାଣି ନାହଁ, ସେଥିପାଇଁ ତୁମର ଏପରି ଦୁର୍ଗତି ହୋଇଗଲାଣି । ଦୁର୍ଗତିକୁ ମଧ୍ୟ ବୁଝୁନାହାଁନ୍ତି । ଯାହାଙ୍କ ପାଖରେ ବହୁତ ଧନ ଅଛି ସେମାନେ ତ ଭାବୁଛନ୍ତି ଯେ ଆମେ ସ୍ୱର୍ଗରେ ବସିଛୁ । ବାବା କହୁଛନ୍ତି ଏମାନେ ସବୁ ଗରିବ ହୋଇଯାଉଛନ୍ତି କାହିଁକି ନା ବିନାଶ ହେବାର ଅଛି, ବିନାଶ ହେବା ତ ଭଲ କଥା ଅଟେ ନା । ଆମେ ପୁଣି ମୁକ୍ତିଧାମକୁ ଚାଲିଯିବୁ, ଏଥିରେ ତ ଖୁସି ହେବା ଉଚିତ୍ । ତୁମେ ମରିବା ପାଇଁ ପ୍ରସ୍ତୁତି କରୁଛ । ଲୋକମାନେ ତ ମରିବା ପାଇଁ ଡରୁଛନ୍ତି । ବାବା ତୁମକୁ ବୈକୁଣ୍ଠ ନେଇଯିବା ପାଇଁ ଯୋଗ୍ୟ କରୁଛନ୍ତି । ପତିତ ତ ପତିତ ଦୁନିଆରେ ହିଁ ଜନ୍ମ ନେଇଥାନ୍ତି । ସ୍ୱର୍ଗବାସୀ କେହି ବି ହୋଇନଥାନ୍ତି । ମୂଳକଥା ବାବା କହୁଛନ୍ତି ପବିତ୍ର ହୁଅ । ତୁମେ ପବିତ୍ର ହେବା ବିନା ପବିତ୍ର ଦୁନିଆକୁ ଯାଇପାରିବ ନାହିଁ । ପବିତ୍ରତା ପାଇଁ ହିଁ ଅବଳାମାନଙ୍କୁ ମାଡ ଖାଇବାକୁ ପଡିଥାଏ । ସେମାନେ ବିଷକୁ ଅମୃତ ବୋଲି ଭାବିଥାନ୍ତି । ବାବା କହୁଛନ୍ତି ମୁଁ ଜ୍ଞାନ ଅମୃତ ଦ୍ୱାରା ତୁମକୁ ହୀରାତୁଲ୍ୟ କରୁଛି, ପୁଣି ତୁମେ ବିଷ ପିଇ କଉଡି ତୁଲ୍ୟ କାହିଁକି ହେଉଛ । ଅଧାକଳ୍ପ ତୁମେ ବିଷ ଖାଉଛ ଏବେ ମୋର ଆଜ୍ଞା ମାନ । ନଚେତ୍ ଧର୍ମରାଜଙ୍କଠାରୁ ଦଣ୍ଡ ଖାଇବାକୁ ପଡିବ । ଲୌକିକ ପିତା ମଧ୍ୟ କହିଥାନ୍ତି ଯେ ପିଲେ ଏପରି କାମ କର ନାହିଁ ଯାହା ଫଳରେ କୁଳର ନାମ ବଦନାମ ହେବ । ବେହଦର ବାବା କହୁଛନ୍ତି ଶ୍ରୀମତରେ ଚାଲ । ପବିତ୍ର ହୁଅ । ଯଦି କାମ ବିକାରରେ ଗଲ ତେବେ ତୁମର ମୁହଁ କଳା ତ ଅଛି ପୁଣି ଆହୁରି କଳା ହୋଇଯିବ । ଏବେ ତୁମକୁ ଜ୍ଞାନଚିତା ଉପରେ ବସାଇ ଗୋରା କରୁଛି । ତୁମେ କାମ ଚିତା ଉପରେ ବସିବା ଦ୍ୱାରା ସ୍ୱର୍ଗର ମୁହଁ ମଧ୍ୟ ଦେଖିପାରିବ ନାହିଁ । ସେଥିପାଇଁ ବାବା କହୁଛନ୍ତି ଏବେ ଶ୍ରୀମତରେ ଚାଲ । ବାବା ତ ପିଲାମାନଙ୍କ ସହିତ ହିଁ କଥା ହେବେ ନା । ପିଲାମାନେ ହିଁ ଜାଣିଛନ୍ତି ବାବା ଆମକୁ ସ୍ୱର୍ଗର ବର୍ସା ଦେବାକୁ ଆସିଛନ୍ତି । କଳିଯୁଗ ଏବେ ପୂରା ହେବାକୁ ଯାଉଛି । ଯେଉଁମାନେ ବାବାଙ୍କର ଶ୍ରୀମତରେ ଚାଲିବେ ସେମାନଙ୍କର ହିଁ ସଦ୍ଗତି ହେବ । ଯଦି ପବିତ୍ର ନ ହେବ ତେବେ ଦଣ୍ଡ ଭୋଗ କରି ନିଜ ଧର୍ମକୁ ଚାଲିଯିବ । ଏହି ଭାରତବାସୀ ହିଁ ସ୍ୱର୍ଗବାସୀ ଥିଲେ । ଏବେ ପତିତ ହୋଇଯାଇଛନ୍ତି । ସ୍ୱର୍ଗ ବିଷୟରେ ଜାଣି ନାହାଁନ୍ତି । ତେଣୁ ବାବା କହୁଛନ୍ତି ତୁମେ ଯଦି ମୋର ଶ୍ରୀମତରେ ନ ଚାଲି ଅନ୍ୟମାନଙ୍କ ମତରେ ଚାଲି ବିକାରରେ ଗଲ ତେବେ ମଲ, ପୁଣି ଯଦିଓ ସ୍ୱର୍ଗକୁ ପଛରେ ଆସିବ କିନ୍ତୁ ପଦ ବହୁତ କମ୍ ମିଳିବ । ଏବେ ଯେଉଁମାନେ ସାହୁକାର ଅଛନ୍ତି ସେମାନେ ଗରିବ ହୋଇଯିବେ । ଯେଉଁମାନେ ଏଠାରେ ଗରିବ ଅଛନ୍ତି ସେମାନେ ସେଠାରେ ସାହୁକାର ହୋଇଯିବେ । ବାବା ଦୀନ-ବନ୍ଧୁ ଅଟନ୍ତି । ସମସ୍ତ ଆଧାର ପବିତ୍ରତା ଉପରେ ରହିଛି । ବାବାଙ୍କ ସାଥିରେ ଯୋଗ ଲଗାଇବା ଦ୍ୱାରା ତୁମେ ପବିତ୍ର ହେବ । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ମୁଁ ତୁମକୁ ରାଜଯୋଗ ଶିଖାଉଛି । ମୁଁ ତୁମଠାରୁ ଘରଦ୍ୱାର ଛଡାଉ ନାହିଁ । ଯଦିଓ ଘରେ ରହୁଛ କିନ୍ତୁ ବିକାରରେ ଯାଅ ନାହିଁ ଏବଂ କୌଣସି ଦେହଧାରୀକୁ ୟାଦ କର ନାହିଁ । ବର୍ତ୍ତମାନ ସମୟରେ ସମସ୍ତେ ପତିତ ଅଟନ୍ତି । ସତ୍ୟଯୁଗରେ ପବିତ୍ର ଦେବତାମାନେ ଥିଲେ । ବର୍ତ୍ତମାନ ସମୟରେ ସେମାନେ ମଧ୍ୟ ପତିତ ହୋଇପଡିଛନ୍ତି । ପୁନର୍ଜନ୍ମ ନେଇ ନେଇ ଅନ୍ତିମ ଜନ୍ମ ହୋଇ ଯାଇଛି ।

ତୁମେ ସମସ୍ତେ ପାର୍ବତୀ ଅଟ, ତୁମକୁ ଏବେ ଅମରନାଥ ବାବା ଅମର କଥା ଶୁଣାଉଛନ୍ତି, ଅମରପୁରୀର ମାଲିକ ହେବା ପାଇଁ । ତେଣୁ ଏବେ ଅମରନାଥ ବାବାଙ୍କୁ ୟାଦ କର । ୟାଦ କରିବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ । ବାକି ଶିବ, ଶଙ୍କର ବା ପାର୍ବତୀ କୌଣସି ପାହାଡ ଉପରେ ବସିନଥିଲେ । ଏସବୁ ଭକ୍ତିମାର୍ଗର ଧକ୍କା ଅଟେ । ତୁମେ ଅଧାକଳ୍ପ ବହୁତ ଧକ୍କା ଖାଇଛ, ଏବେ ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ନେଇଯିବି । ସତ୍ୟଯୁଗରେ ସୁଖ ହିଁ ସୁଖ ରହିଛି । ସେଠାରେ ନା ଧକ୍କା ଖାଉଛ, ନା ପତିତ ହେଉଛ । ମୁଖ୍ୟ କଥା ହେଉଛି ପବିତ୍ର ରହିବା । ଏଠାରେ ଯେବେ ବହୁତ ଅତ୍ୟାଚାର କରିଥାନ୍ତି ତେବେ ପାପର ଘଡା ଭରି ଯାଇଥାଏ ଏବଂ ବିନାଶ ହୋଇଥାଏ । ଏବେ ଗୋଟିଏ ଜନ୍ମ ପବିତ୍ର ହୁଅ ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏବେ ଯେଉଁମାନେ ଶ୍ରୀମତରେ ଚାଲିବେ ସେହିମାନେ ହିଁ ମାଲିକ ହେବେ । ଯଦି କଳ୍ପ ପୂର୍ବରୁ ଶ୍ରୀମତରେ ଚାଲିନଥିବେ ତେବେ ଏବେ ବି ଚାଲିବେ ନାହିଁ, ନା କୌଣସି ପଦ ପାଇବେ । ତୁମେ ଏକମାତ୍ର ବାବାଙ୍କର ସନ୍ତାନ ଅଟ । ତୁମେ ମଧ୍ୟ ପରସ୍ପର ମଧ୍ୟରେ ଭାଇ ଭଉଣୀ ହୋଇଗଲ । କିନ୍ତୁ ବାବାଙ୍କର ହୋଇ ଯଦି ପତିତ ହେଲ ତେବେ ଆହୁରି ରସାତଳକୁ ଚାଲିଯିବ, ପାପ ଆତ୍ମା ହୋଇଯିବ । ଏହା ହେଉଛି ଈଶ୍ୱରୀୟ ସରକାର । ଯଦି ମୋ ମତରେ ପବିତ୍ର ନ ହେଲ ତେବେ ଧର୍ମରାଜଙ୍କ ଦ୍ୱାରା ବହୁତ କଠୋର ଦଣ୍ଡ ଭୋଗ କରିବାକୁ ପଡିବ । ଜନ୍ମ-ଜନ୍ମାନ୍ତରରୁ ଯେଉଁ ପାପ କରିଛ ସେ ସବୁର ଦଣ୍ଡ ଭୋଗ କରି ହିସାବ-କିତାବ ଚୁକ୍ତ କରିବାକୁ ହେବ । ଯୋଗବଳ ଦ୍ୱାରା ବିକର୍ମ ଭସ୍ମ କରିବାକୁ ହେବ ନହେଲେ ବହୁତ କଠୋର ଦଣ୍ଡ ଭୋଗ କରିବାକୁ ପଡିବ । କେତେ ଢେର ବ୍ରହ୍ମାକୁମାର ଏବଂ କୁମାରୀମାନେ ଅଛନ୍ତି, ସମସ୍ତେ ପବିତ୍ର ରହି ଭାରତକୁ ସ୍ୱର୍ଗ କରୁଛନ୍ତି । ତୁମେ ହେଉଛ ଶିବଶକ୍ତି ପାଣ୍ଡବ ସେନା, ଗୋପ-ଗୋପୀ, ଏଥିରେ ଉଭୟ ଆସିଯାଉଛନ୍ତି । ଭଗବାନ ତୁମକୁ ପାଠ ପଢାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ଭଗବତୀ ଭଗବାନ କହିଥାନ୍ତି । ତାଙ୍କୁ ନିଶ୍ଚିତ ଭଗବାନ ହିଁ ବର୍ସା ଦେଇଥିବେ । ଭଗବାନ ହିଁ ଆସି ଦେବତା କରୁଛନ୍ତି । ସତ୍ୟଯୁଗରେ ଯେପରି ରାଜାରାଣୀ ସେହିପରି ପ୍ରଜା ରହିଥାନ୍ତି । ସେଠାରେ ସମସ୍ତେ ଶ୍ରେଷ୍ଠାଚାରୀ ଥିଲେ, ଏବେ ରାବଣ ରାଜ୍ୟ ଚାଲିଛି । ଯଦି ରାମରାଜ୍ୟକୁ ଯିବାର ଅଛି ତେବେ ପବିତ୍ର ହୁଅ ଏବଂ ରାମଙ୍କର ମତରେ ଚାଲ । ରାବଣର ମତ ଦ୍ୱାରା ତୁମର ଦୁର୍ଗତି ହୋଇଥାଏ । ଗାୟନ ମଧ୍ୟ ରହିଛି କାହାର ଦବି ରହିବ ମାଟି ତଳେ... ସୁନା ଆଦି ମାଟିରେ, କାନ୍ଥରେ ଲୁଚାଇଥାନ୍ତି । ଯଦି ଅଚାନକ ମରିଯିବେ ତେବେ ସବୁ କିଛି ସେହିଠାରେ ହିଁ ରହିଯିବ । ବିନାଶ ତ ନିଶ୍ଚିତ ହିଁ ହେବ । ଭୂମିକମ୍ପ ଆଦି ଯେବେ ହୋଇଥାଏ ତେବେ ଚୋର ମାନେ ବହୁତ ବାହାରିଥାନ୍ତି । ଏବେ ଧନୀ ବାବା ଆସିଛନ୍ତି, ତୁମକୁ ନିଜର କରି ବିଶ୍ୱର ମାଲିକ କରିବା ପାଇଁ । ଆଜିକାଲି ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ବିକାର ବିନା ରହିପାରୁ ନାହାଁନ୍ତି, ବିଲକୁଲ ହିଁ ତମୋପ୍ରଧାନ ହୋଇଯାଇଛନ୍ତି । ବାବାଙ୍କୁ ଜାଣି ହିଁ ନାହାଁନ୍ତି । ବାବା କହୁଛନ୍ତି ମୁଁ ପବିତ୍ର କରିବାକୁ ଆସିଛି । ଯଦି ବିକାରରେ ଯିବ ତେବେ ବହୁତ କଠୋର ଦଣ୍ଡ ଭୋଗ କରିବାକୁ ପଡିବ । ମୁଁ ତୁମକୁ ପବିତ୍ର କରି ପବିତ୍ର ଦୁନିଆ ସ୍ଥାପନ କରିବାକୁ ଆସିଛି । ତୁମେ ପୁଣି ପତିତ ହୋଇ ବିଘ୍ନ ପକାଉଛ! ସ୍ୱର୍ଗର ରଚନା କରିବାରେ ବାଧା ପକାଉଛ, ତେଣୁ ବହୁତ କଠୋର ଦଣ୍ଡ ଭୋଗିବାକୁ ପଡିବ, ମୁଁ ଆସିଛି ତୁମକୁ ସ୍ୱର୍ଗବାସୀ କରିବା ପାଇଁ । ଯଦି ବିକାର ଛାଡିବ ନାହିଁ ତେବେ ଧର୍ମରାଜଙ୍କ ଦ୍ୱାରା ବହୁତ ମାଡ ଖାଇବାକୁ ପଡିବ । ବହୁତ ତ୍ରାହି-ତ୍ରାହି କରିବାକୁ ହେବ । ଏହା ଇନ୍ଦ୍ରସଭା ଅଟେ । କାହାଣୀ ଅଛି ନା - ସେଠାରେ ଜ୍ଞାନ ପରୀମାନେ ଥିଲେ, କୌଣସି ପତିତଙ୍କୁ ନେଇ ଆସିବାରୁ ତାର ଭାଇବ୍ରେସନ (ପ୍ରଭାବ) ଆସୁଥିଲା । ଏହି ସଭାରେ କୌଣସି ପତିତକୁ ବସା ଯାଇନଥାଏ । ପବିତ୍ରତାର ପ୍ରତିଜ୍ଞା କରିବା ବିନା ବସା ଯାଇନଥାଏ, ନଚେତ୍ ନେଲାବାଲା ଉପରେ ଦୋଷ ଲାଗିଥାଏ । ବାବା ତ ଜାଣିଛନ୍ତି ତଥାପି ନେଇ ଆସୁଛନ୍ତି ତେଣୁ ଶିକ୍ଷା ଦିଆଯାଇଥାଏ । ଶିବବାବାଙ୍କୁ ୟାଦ କରିବା ଦ୍ୱାରା ଆତ୍ମା ଶୁଦ୍ଧ ହୋଇଯାଇଥାଏ । ବାୟୁମଣ୍ଡଳରେ ନିରବତା ଖେଳି ଯାଇଥାଏ । ବାବା ହିଁ ବସି ପରିଚୟ ଦେଉଛନ୍ତି ଯେ ମୁଁ ତୁମର ବାପ ଅଟେ । ୫ ହଜାର ବର୍ଷ ପୂର୍ବ ଭଳି ମୁଁ ତୁମକୁ ମନୁଷ୍ୟରୁ ଦେବତା କରିବାକୁ ଆସିଛି । ତେଣୁ ବେହଦର ବାବାଙ୍କଠାରୁ ବେହଦ ସୁଖର ବର୍ସା ନେବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯୋଗବଳ ଦ୍ୱାରା ବିକର୍ମର ସବୁ ହିସାବ-କିତାବ ଚୁକ୍ତ କରି ଆତ୍ମାକୁ ଶୁଦ୍ଧ ଏବଂ ବାୟୁମଣ୍ଡଳକୁ ଶାନ୍ତ କରିବାକୁ ହେବ ।

(୨) ବାବାଙ୍କର ଶ୍ରୀମତ ଅନୁସାରେ ସଂପୂର୍ଣ୍ଣ ପାବନ ହେବାର ପ୍ରତିଜ୍ଞା କରିବାକୁ ହେବ । ବିକାରର ବଶବର୍ତ୍ତୀ ହୋଇ ସ୍ୱର୍ଗ ରଚନା କାର୍ଯ୍ୟରେ ବିଘ୍ନରୂପ ହେବା ନାହିଁ ।

ବରଦାନ:-
ମନ-ବୁଦ୍ଧିର ସ୍ୱଚ୍ଛତା ଦ୍ୱାରା ଯଥାର୍ଥ ନିର୍ଣ୍ଣୟ କରୁଥିବା ସଫଳତା ସମ୍ପନ୍ନ ଆତ୍ମା ହୁଅ ।

ଯେକୌଣସି କାର୍ଯ୍ୟରେ ସଫଳତା ସେତେବେଳେ ପ୍ରାପ୍ତ ହୋଇଥାଏ ଯେତେବେଳେ ବୁଦ୍ଧି ଯଥା ସମୟରେ ଯଥାର୍ଥ ନିର୍ଣ୍ଣୟ ଦେଇଥାଏ, କିନ୍ତୁ ନିର୍ଣ୍ଣୟ ଶକ୍ତି ମଧ୍ୟ ସେତେବେଳେ କାର୍ଯ୍ୟ କରିଥାଏ । ଯେତେବେଳେ ମନ-ବୁଦ୍ଧି ସ୍ୱଚ୍ଛ ରହିଥାଏ ଅର୍ଥାତ୍ ମନ ବୁଦ୍ଧିରେ କୌଣସି ମଇଳା ନଥାଏ । ସେଥିପାଇଁ ଯୋଗ ଅଗ୍ନି ଦ୍ୱାରା ମନର ମଇଳାକୁ ଭସ୍ମ କରି ବୁଦ୍ଧିକୁ ସ୍ୱଚ୍ଛ କରିଦିଅ । ଯେକୌଣସି ପ୍ରକାରର ଦୋଷ ବା ଦୁର୍ବଳତା ହିଁ ମନ-ବୁଦ୍ଧିର ମଇଳା ଅଟେ । ଟିକିଏ ବି ବ୍ୟର୍ଥ ସଂକଳ୍ପ ମଧ୍ୟ ମଇଳା ଅଟେ, ଯେତେବେଳେ ଏହି ସବୁ ମଇଳା ସମାପ୍ତ ହୋଇଯିବ ସେତେବେଳେ ହିଁ ଚିନ୍ତାମୁକ୍ତ ସ୍ଥିତିରେ ରହିପାରିବ ଏବଂ ବୁଦ୍ଧି ସ୍ୱଚ୍ଛ ହୋଇଯିବା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତ ହେବ ।

ସ୍ଲୋଗାନ:-
ଯଦି ସର୍ବଦା ଶ୍ରେଷ୍ଠ ଏବଂ ଶୁଦ୍ଧ ସଂକଳ୍ପ ଜାଗ୍ରତ ରହିବ ତେବେ ବ୍ୟର୍ଥ ସ୍ୱତଃ ହିଁ ସୁପ୍ତ ହୋଇଯିବ ।

ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ

ଏହି କଳିଯୁଗୀ ସଂସାରକୁ ଅସାର ସଂସାର କାହିଁକି କହୁଛନ୍ତି? କାରଣ ଏହି ଦୁନିଆରେ କିଛି ସାର ନାହିଁ ଅର୍ଥାତ୍ କୌଣସି ବସ୍ତୁରେ ଶକ୍ତି (ସୁଖ, ଶାନ୍ତି, ପବିତ୍ରତା) ନାହିଁ । ଏହି ସୃଷ୍ଟିରେ କୌଣସି ସମୟରେ ସୁଖ, ଶାନ୍ତି, ପବିତ୍ରତା ଥିଲା, ଏବେ ତାହା ନାହିଁ କାରଣ ଏବେ ସବୁଥିରେ ପାଞ୍ଚ ଭୂତର ପ୍ରବେଶତା ଘଟିଛି । ଏଥିପାଇଁ ଏ ସୃଷ୍ଟିକୁ ଭୟର ସାଗର ବା କର୍ମବନ୍ଧନର ସାଗର କୁହାଯାଏ । ଏଠାରେ ପ୍ରତ୍ୟେକ ଆତ୍ମା ଦୁଃଖୀ ହୋଇ ପରମାତ୍ମାଙ୍କୁ ଡାକିଥାଆନ୍ତି, ପରମାତ୍ମା ଆମକୁ ଭବ ସାଗରରୁ ପାରି କରିଦିଅ । ଏଥିରୁ ସିଦ୍ଧ ହେଉଛି ନିଶ୍ଚୟ କୌଣସି ଅଭୟ ଅର୍ଥାତ୍ ନିର୍ଭୟତାର ସଂସାର ରହିଛି ଯେଉଁଠିକୁ ସମସ୍ତେ ଯିବାକୁ ଚାହୁଁଛନ୍ତି । ଏହି ସଂସାରକୁ ପାପର ସାଗର କହିଥାଆନ୍ତି ଯାହାକୁ ପାର କରି ପୁଣ୍ୟ ଆତ୍ମାର ଦୁନିଆକୁ ଯିବାକୁ ଚାହୁଁଛନ୍ତି । ତେଣୁ ଦୁନିଆ ଦୁଇଟି । ଗୋଟିଏ ସତ୍ୟଯୁଗୀ ସାର ଥିବା ଦୁନିଆ, ଅନ୍ୟଟି କଳିଯୁଗୀ ଅସାର ଦୁନିଆ । ଦୁଇଟିଯାକ ଦୁନିଆ ଏହି ସୃଷ୍ଟିରେ ଆସିଥାଏ ।

ମନୁଷ୍ୟ କହିଥାଆନ୍ତି, ହେ ପ୍ରଭୁ! ଆମକୁ ଏ ଭବ ସାଗରରୁ ସେ ପାରିକୁ ନେଇଯାଅ । ସେପାରିର ଅର୍ଥ କଣ? ଲୋକ ବୁଝିଥାଆନ୍ତି ସେ ପାରିର ଅର୍ଥ ଜନ୍ମ-ମରଣ ଚକ୍ରରେ ନ ଆସିବା ଅର୍ଥାତ୍ ମୁକ୍ତ ହୋଇଯିବା । ଏହା ତ ମନୁଷ୍ୟ କହିଥାଆନ୍ତି ପରନ୍ତୁ ପରମାତ୍ମା କହୁଛନ୍ତି, ସନ୍ତାନମାନେ ପ୍ରକୃତରେ ଯେଉଁଠି ସୁଖ-ଶାନ୍ତି ରହିଛି, ଦୁଃଖ-ଅଶାନ୍ତି ନାହିଁ ସେହି ଦୁନିଆକୁ ମୁଁ ତୁମକୁ ନେଇଯାଉଛି । ଯେବେ ତୁମେ ସୁଖ ଚାହୁଁଛ ତେବେ ତାହା ନିଶ୍ଚିତ ଏହି ଜୀବନରେ ମିଳିବା ଉଚିତ୍ । ତାହା ତ ସତ୍ୟଯୁଗୀ ବୈକୁଣ୍ଠ ଦେବତାମାନଙ୍କର ଦୁନିଆ ଥିଲା । ଯେଉଁଠି ଜୀବନ ସର୍ବଦା ସୁଖୀ ଥିଲା, ସେହି ଦେବତାମାନଙ୍କୁ ଅମର କୁହାଯାଉଥିଲା । ଅମରର ବି କୌଣସି ଅର୍ଥ ନାହିଁ । ଏମିତି ତ ନୁହେଁ, ଦେବତାଙ୍କ ଆୟୁ ଏତେ ଅଧିକ ଥିଲା ଯେ ସେମାନେ ମରୁ ନଥିଲେ । ଏପରି କହିବା ଭୁଲ୍ କାରଣ ଏମିତି ହୋଇନଥାଏ । ତାଙ୍କର ଆୟୁଷ ସତ୍ୟ, ତ୍ରେତୟା ପର୍ଯ୍ୟନ୍ତ ହୋଇନଥାଏ । ପରନ୍ତୁ ସତ୍ୟ-ତ୍ରେତୟାରେ ଦେବୀ-ଦେବତାଙ୍କର ବହୁବାର ଜନ୍ମ ହୋଇଥାଏ । ୨୧ ଜନ୍ମ ତ ସେମାନେ ଭଲ ଭାବେ ରାଜୁତି କଲେ । ପୁଣି ଦ୍ୱାପରରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ୬୩ ଜନ୍ମ ନେଲେ । ସେମାନଙ୍କର ୨୧ ଜନ୍ମ ଉତ୍ଥାନ କଳା ଓ ୬୩ ଜନ୍ମ ପତନ କଳା ମିଶି ମୋଟ ୮୪ ଜନ୍ମ ନେଲେ । ମାତ୍ର ମନୁଷ୍ୟ ଯେଉଁ ଭାବୁଛନ୍ତି ସେମାନେ ୮୪ ଲକ୍ଷ ଯୋନି ଜନ୍ମ ନେଇଥାଆନ୍ତି । ଏହା ଭୁଲ୍ କଥା । ଯଦି ମନୁଷ୍ୟ ନିଜ ଯୋନିରେ ସୁଖ ଦୁଃଖ ଉଭୟ ଭୋଗ କରୁଛି ତେବେ ପଶୁ ଯୋନିରେ ଭୋଗିବାର କଣ ଆବଶ୍ୟକତା ଅଛି । ଅବଶ୍ୟ ପୁରା ସୃଷ୍ଟିରେ ପଶୁ, ପକ୍ଷୀ, କୀଟପତଙ୍ଗ ଆଦି ମିଶି ୮୪ ଲକ୍ଷ ଯୋନି ଥାଇପାରେ କାରଣ ଅନେକ ପ୍ରକାର ଜୀବଜନ୍ତୁ ଅଛନ୍ତି । ମାତ୍ର ମନୁଷ୍ୟ, ମନୁଷ୍ୟ ଯୋନିରେ ହିଁ ପାପ ପୁଣ୍ୟ ଭୋଗ କରେ, ଆଉ ପଶୁ, ପଶୁ ଯୋନିରେ ଭୋଗ କରିଥାଏ । ନା ମନୁଷ୍ୟ ପଶୁ ଯୋନି ନା ପଶୁ ମନୁଷ୍ୟ ଯୋନି ନେଇଥାଏ । ମନୁଷ୍ୟକୁ ନିଜ ଯୋନିରେ ଭୋଗାଭୋଗ କରିବାକୁ ପଡିଥାଏ । ସେଥିପାଇଁ ତାକୁ ମଣିଷ ଜୀବନରେ ହିଁ ସୁଖ ଦୁଃଖର ଅନୁଭବ ହୋଇଥାଏ । ସେହିପରି ପଶୁକୁ ତା ଯୋନିରେ ସୁଖ ଦୁଃଖ ଭୋଗିବାକୁ ପଡିଥାଏ । ମାତ୍ର ତାଙ୍କର ବୁଦ୍ଧି ନଥାଏ ଯେ କେଉଁ କର୍ମ ପାଇଁ ଭୋଗିଲେ ଜାଣିବେ । ତାଙ୍କର (ପଶୁ) ଭୋଗିବାକୁ ମଧ୍ୟ ମଣିଷ ଅନୁଭବ କରିପାରେ କାରଣ ମନୁଷ୍ୟ ବୁଦ୍ଧିବାନ । ମାତ୍ର ତା ମାନେ ନୁହେଁ ଯେ ମଣିଷ ୮୪ ଲକ୍ଷ ଯୋନି ଭୋଗିବ । ଏକଥା ତ ମଣିଷମାନଙ୍କୁ ଡରେଇବା ପାଇଁ କହିଦିଅନ୍ତି ଯେ ଯଦି ଖରାପ କର୍ମ କରିବ ତେବେ ପଶୁ ଯୋନିରେ ଜନ୍ମ ମିଳିବ । ଆମେ ଏବେ ସଂଗମ ସମୟରେ ନିଜ ଜୀବନକୁ ବଦଳାଇ ପାପାତ୍ମାରୁ ପୁଣ୍ୟାତ୍ମାରେ ପରିଣତ ହେଉଛୁ । ଆଚ୍ଛା!
।। ଓମ୍ ଶାନ୍ତି ।