04.12.18          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଆତ୍ମିକ ଯୋଗ ଦ୍ୱାରା ତୁମେ ସଦାକାଳ ପାଇଁ ପବିତ୍ର ହୋଇଯାଇଛ କାରଣ ତୁମେମାନେ ପବିତ୍ରତାର ସାଗରଙ୍କ ସହିତ ଯୋଗ ଲଗାଉଛ ଏବଂ ପବିତ୍ର ଦୁନିଆର ସ୍ଥାପନା କରୁଛ ।

ପ୍ରଶ୍ନ:-
ନିଶ୍ଚୟ ବୁଦ୍ଧି ପିଲାମାନଙ୍କର ପ୍ରଥମେ ପ୍ରଥମେ କେଉଁ ନିଶ୍ଚୟ ପକ୍କା ହେବା ଦରକାର ?

ଉତ୍ତର:-
ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ, ବାବାଙ୍କଠାରୁ ଆମକୁ ଦୈବୀ ସ୍ୱରାଜ୍ୟ ମିଳୁଛି, ଏହି ନିଶ୍ଚୟ ପ୍ରଥମେ ପ୍ରଥମେ ପକ୍କା ଅର୍ଥାତ୍ ଦୃଢ ହେବା ଦରକାର । ଯଦି ନିଶ୍ଚୟ ହୋଇଗଲା ତେବେ ତୁରନ୍ତ ବୁଦ୍ଧିକୁ ଆସିଯିବ ଯେ ମୁଁ ଯେଉଁ ଭକ୍ତି କରିଆସିଛି ତାହା ଏବେ ସମାପ୍ତ ହେଲା, ଏବେ ସ୍ୱୟଂ ଭଗବାନ ମୋତେ ମିଳିଯାଇଛନ୍ତି । ଏହିଭଳି ନିଶ୍ଚୟ ବୁଦ୍ଧି ପିଲାମାନେ ହିଁ ବାବାଙ୍କର ସମ୍ପତ୍ତିର ଉତ୍ତରାଧୀକାରୀ ହୋଇଥାଆନ୍ତି ।

ଗୀତ:-
ଓ ଦୁର କେ ମୁସାଫିର...

ଓମ୍ ଶାନ୍ତି ।
ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ଦୂର ଦେଶର ଯାତ୍ରୀ ତ ସମସ୍ତେ ଅଟନ୍ତି, ଅର୍ଥାତ୍ ସବୁ ଆତ୍ମା ସବୁଠାରୁ ଦୂର ପରମଧାମରେ ନିବାସ କରନ୍ତି । ଏକଥା ମଧ୍ୟ ଶାସ୍ତ୍ରରେ ଅଛି । ଆତ୍ମା ଦୂରଦେଶରେ ନିବାସ କରେ ଯେଉଁଠି ସୂର୍ଯ୍ୟ ବା ଚନ୍ଦ୍ରର କିରଣ ପହଞ୍ଚି ପାରିବ ନାହିଁ । ତେଣୁ ମୂଳଲୋକ ଏବଂ ସୂକ୍ଷ୍ମଲୋକରେ କୌଣସି ଡ୍ରାମା ନାହିଁ । ଡ୍ରାମା ତ ଏହି ସ୍ଥୂଳଲୋକରେ ହେଉଛି ଯାହାକୁ ମନୁଷ୍ୟ ସୃଷ୍ଟି କୁହାଯାଉଛି । ମୂଳଲୋକ ଏବଂ ସୂକ୍ଷ୍ମଲୋକରେ ୮୪ ଜନ୍ମର କୌଣସି ଚକ୍ର ନାହିଁ । ଚକ୍ର ଏହି ମନୁଷ୍ୟ ସୃଷ୍ଟିରେ ଦେଖାଯାଇଛି । ତେବେ ମନୁଷ୍ୟ ସୃଷ୍ଟି କଣ ଏବଂ ମନୁଷ୍ୟ କେଉଁଥିରେ ତିଆରି ହୋଇଛି ? ମନୁଷ୍ୟ ଅର୍ଥାତ୍ ଗୋଟିଏ ହେଲା ଆତ୍ମା ଆଉ ଗୋଟିଏ ହେଲା ଶରୀର । ପ୍ରଥମେ ୫ ତତ୍ୱର ପିଣ୍ଡ ତିଆରି ହେଉଛି ସେଥିରେ ଆତ୍ମା ପ୍ରବେଶ କରି ଅଭିନୟ କରୁଛି । ତେବେ ଦୂରଦେଶର ନିବାସୀ ତ ସମସ୍ତେ କିନ୍ତୁ ତୁମମାନଙ୍କୁ ହିଁ ଏହି କଥାରେ ନିଶ୍ଚୟ ଅଛି । ମନୁଷ୍ୟମାନଙ୍କର ଏଥିରେ ନିଶ୍ଚୟ ନାହିଁ । ବାବା ଆସି ବୁଝାଉଛନ୍ତି ତୁମେମାନେ ମୋତେ ଦୂରଦେଶର ନିବାସୀ ବୋଲି କହୁଛ କିନ୍ତୁ ତୁମର ନିବାସ ସ୍ଥାନ ମଧ୍ୟ ସେହି ଗୋଟିଏ । ଦୁନିଆର ନାଟକରେ ଯେଉଁମାନେ ଅଭିନୟ କରନ୍ତି ସେମାନଙ୍କର ଘର ଅଲଗା ଅଲଗା ଥାଏ ନା । ସେଠାରୁ ଆସି ସେମାନେ ଅଭିନୟ କରନ୍ତି । ଏଠାରେ ତୁମେ ପିଲାମାନେ ଜାଣୁଛ ଯେ ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ ଏବଂ ଏକମାତ୍ର ଘର ପରମଧାମର ନିବାସୀ । ତାହା ହେଉଛି ବ୍ରହ୍ମ ମହତତ୍ୱ, ଏହା ହେଉଛି ଆକାଶ ତତ୍ୱ । ଏଠାରେ ସମସ୍ତେ ଅଭିନୟ କରୁଛନ୍ତି, ରାତି ଦିନ ମଧ୍ୟ ଏହିଠାରେ ହେଉଛି ସେଥିପାଇଁ ସୂର୍ଯ୍ୟ-ଚନ୍ଦ୍ର ମଧ୍ୟ ଅଛନ୍ତି । ମୂଳଲୋକରେ ତ ରାତି-ଦିନ ହୁଏ ନାହିଁ । ତେବେ ଏହି ସୂର୍ଯ୍ୟ-ଚନ୍ଦ୍ର କୌଣସି ଦେବତା ନୁହଁନ୍ତି । ଏମାନେ ତ ନାଟକ ମଞ୍ଚକୁ ଆଲୋକ ପ୍ରଦାନ କରୁଥିବା ବତୀ ଅର୍ଥାତ୍ ଆଲୋକର ସ୍ରୋତ ଅଟନ୍ତି । ଦିନ ସମୟରେ ସୂର୍ଯ୍ୟ ଆଲୋକ ପ୍ରଦାନ କରିଥାଏ ଏବଂ ରାତିରେ ଚନ୍ଦ୍ରଠାରୁ ଆଲୋକ ପ୍ରାପ୍ତ ହୁଏ । ଏବେ ତ ସମସ୍ତେ ଚାହୁଁଛନ୍ତି ଆମେ ମୁକ୍ତିଧାମ ଘରକୁ ଯିବୁ । ଜାଣିଛନ୍ତି ଭଗବାନ ଉପରେ ରହନ୍ତି । ଭଗବାନଙ୍କୁ ମଧ୍ୟ ହେ ପରମପିତା ପରମାତ୍ମା କହି ମନେ ପକାଇ ଥାଆନ୍ତି । ତେଣୁ ବୁଦ୍ଧି ଉପରକୁ ଚାଲିଯାଏ । ଆତ୍ମାକୁ ସବୁ କିଛି ଜଣାଅଛି କିନ୍ତୁ ଅଜ୍ଞାନତା ମଧ୍ୟ ଭରି ରହିଛି । ଏକଥା ମଧ୍ୟ ଜାଣିଛନ୍ତି ଯେ ଆମେ ସବୁ ଏଠିକାର ନିବାସୀ ନୁହଁନ୍ତି । ଆମର ପିତା ମଧ୍ୟ ସେହି ପରମାତ୍ମା ଅଟନ୍ତି । ମୁଖରେ ହେ ଈଶ୍ୱର ପିତା ମଧ୍ୟ କହୁଛନ୍ତି । ପୁଣି କହିଦେଉଛନ୍ତି ସମସ୍ତେ ପରମପିତା ଅଟନ୍ତି, ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ତେବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ସମସ୍ତେ ତ ପିତା ନୁହଁନ୍ତି । ସବୁ ଆତ୍ମା ତ ପରସ୍ପର ଭାଇ ଭାଇ ଅଟନ୍ତି । ଏହି କଥା ନ ଜାଣିବା କାରଣରୁ ଲଢେଇ-ଝଗଡା କରିଚାଲିଛନ୍ତି । ତୁମେ ଆତ୍ମାମାନେ ଭାଇ ଭାଇ ଅଟ, ଜଣେ ପିତାଙ୍କର ସନ୍ତାନ । ଏଠାରେ ନିଶ୍ଚୟ ବୁଦ୍ଧି ମଧ୍ୟ କ୍ରମାନ୍ୱୟରେ ଅଛନ୍ତି । ଲୌକିକ ସମ୍ବନ୍ଧରେ ମଧ୍ୟ ନିଶ୍ଚୟ ଥାଏ ଯେ ପିତାଙ୍କଠାରୁ ସମ୍ପତ୍ତି ନିଶ୍ଚିତ ମିଳିବ । ଏଠାରେ ତ ବାରମ୍ବାର ମାୟା ବାବାଙ୍କ ଆଡୁ ମୁହଁ ବୁଲାଇ ଦେଉଛି । ଯେହେତୁ ତୁମେମାନେ ସର୍ବଶକ୍ତିମାନ ବାବାଙ୍କର ସନ୍ତାନ ହୋଇଛ ତେଣୁ ମାୟା ମଧ୍ୟ ସର୍ବଶକ୍ତିମାନ ହୋଇ ତୁମ ସହିତ ଲଢୁଛି । ୫ ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯୁଦ୍ଧ ଚାଲିଛି । ଭକ୍ତିମାର୍ଗରେ ଯୁଦ୍ଧ କଥା ତ ସମସ୍ତେ ଜାଣନ୍ତି, ବାକି ଶାସ୍ତ୍ରରେ ଯେଉଁ କୌରବ-ପାଣ୍ଡବଙ୍କର ଯୁଦ୍ଧ ଦର୍ଶାଯାଇଛି ସେଭଳି କିଛି କଥା ନାହିଁ । ଏହା ହେଉଛି ରାବଣ ସହିତ ତୁମମାନଙ୍କର ମହାସଂଗ୍ରାମ । ଆମେ ଚାହୁଁଛୁ ଯେ ବାବାଙ୍କ ସ୍ମୃତିରେ ରହି ଆମେ ମଧ୍ୟ ସମ୍ପୂର୍ଣ୍ଣ ହେବୁ, ଆତ୍ମା ପବିତ୍ର ହେବ । ତେବେ ଏଥିପାଇଁ ଯୋଗ ବ୍ୟତୀତ ଅନ୍ୟ କୌଣସି ରାସ୍ତା ତ ନାହିଁ । ଅନ୍ୟ ଯେଉଁମାନେ ବି ଯୋଗ ଶିଖାଉଛନ୍ତି ତାହା କୌଣସି ପବିତ୍ରତା ପାଇଁ ତ ନୁହେଁ । ସେଗୁଡିକ ତ ସବୁ ସ୍ଥୂଳଯୋଗ ଅର୍ଥାତ୍ ଅଳ୍ପକାଳ ପାଇଁ ଶାରୀରିକ ଯୋଗ ଏବଂ ଏହା ହେଉଛି ସଦାକାଳର ପବିତ୍ରତା ପାଇଁ ଆତ୍ମିକ ଯୋଗ । ପବିତ୍ରତାର ସାଗରଙ୍କ ସହିତ ଆମେ ଯୋଗ ଲଗାଇବା ଦ୍ୱାରା ପବିତ୍ର ହୋଇଯାଉଛୁ । ବାବା କହୁଛନ୍ତି ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହୋଇଯାଉଛି । ବୁଦ୍ଧି ମଧ୍ୟ ସ୍ୱୀକାର କରୁଛି ଏହା ପତିତ ଦୁନିଆ ଅଟେ । କାହାକୁ ବି ପଚାର ଏହା ସତ୍ୟଯୁଗ ନା କଳିଯୁଗ ? ତେବେ ଏହାକୁ ସତ୍ୟଯୁଗ ବୋଲି କେହି ବି କହିବେ ନାହିଁ । ସତ୍ୟଯୁଗ ତ ନୂଆ ଦୁନିଆ ଥିଲା । ତାହାକୁ ସୁବର୍ଣ୍ଣ ଯୁଗ, ଏହାକୁ ଲୌହଯୁଗ କୁହାଯାଉଛି । ପୁରୁଣା ଦୁନିଆକୁ କଳିଯୁଗ ଏବଂ ନୂଆ ଦୁନିଆକୁ ସତ୍ୟଯୁଗ କୁହାଯାଏ । ଏମିତି ବି କୁହାଯିବ ନାହିଁ ଯେ ଏବେ ସତ୍ୟଯୁଗ ଏବଂ କଳିଯୁଗ ଉଭୟ ଚାଲିଛି । ନା, ନର୍କବାସୀ ଅର୍ଥାତ୍ ନର୍କବାସୀ । ପୁରୁଣା ଦୁନିଆକୁ ପତିତ ଦୁନିଆ, ନୂଆ ଦୁନିଆକୁ ପବିତ୍ର ଦୁନିଆ କୁହାଯିବ । ଏସବୁ କଥା ମନୁଷ୍ୟମାନଙ୍କ ପାଇଁ ହିଁ କୁହାଯାଉଛି, ଜୀବଜନ୍ତୁମାନେ କଣ ଡାକୁଛନ୍ତି ହେ ପତିତ-ପାବନ ଆସ । ତେବେ କାହାକୁ ବି ପଚାର ସିଏ କହିବ ଏହା ନର୍କ ଦୁନିଆ । ଭାରତ ହିଁ ନୂଆ ଦୁନିଆ ସ୍ୱର୍ଗ ଥିଲା, ଭାରତ ହିଁ ପୁରୁଣା ଦୁନିଆ ନର୍କ ହୋଇଯାଇଛି । ତୁମେ ଭାରତ ଉପରେ ହିଁ ଅଧିକ ବୁଝାଅ । ଅନ୍ୟ ଧର୍ମମାନେ ତ ନାଟକ ମଝିରେ ଆସୁଛନ୍ତି । ସେମାନଙ୍କ ସହିତ ଆମର କୌଣସି ସମ୍ବନ୍ଧ ନାହିଁ । ଆମର ଧର୍ମ ହିଁ ଅଲଗା, ଯାହାକି ପ୍ରାୟ ଲୋପ ହୋଇଯାଇଛି ।

ଏବେ ତୁମେମାନେ ନିଶ୍ଚୟବୁଦ୍ଧି ହୋଇଯାଇଛ । ଏକଥା ଜାଣିଛ ଯେ ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ । ବାବାଙ୍କଠାରୁ ଆମକୁ ସ୍ୱରାଜ୍ୟ ମିଳୁଛି । ପ୍ରଥମେ ତ ଏହି କଥା ଉପରେ ଦୃଢ ନିଶ୍ଚୟ ହେବା ଦରକାର । ଜ୍ଞାନ ଶୁଣୁଛନ୍ତି, ତାହା ତ ଠିକ୍ ଅଛି, ପ୍ରଜା ହୋଇ ଯାଉଛନ୍ତି । ବାକି ଆମେ ସବୁ ବେହଦର ପିତାଙ୍କର ସନ୍ତାନ ଏହି କଥାର ନିଶ୍ଚୟ ହୋଇଯିବା ଦରକାର । ଭାବିବେ ମୁଁ ଭକ୍ତି କରି କରି ଆସିଛି ଭଗବାନଙ୍କ ସହିତ ମିଶିବା ପାଇଁ, ତାହା ଏବେ ପୂରଣ ହେଲା । ଏବେ ସ୍ୱୟଂ ଭଗବାନ ମୋତେ ମିଳିଯାଇଛନ୍ତି । ତାଙ୍କଠାରୁ ସୂର୍ଯ୍ୟବଂଶୀ ସ୍ୱରାଜ୍ୟର ପଦ ମିଳୁଛି । ଆମେ କେତେ ଉଚ୍ଚ ପଦ ପାଉଛୁ । ଯେପରି ଧନୀଲୋକମାନେ ପୋଷ୍ୟ ପୁତ୍ର କରିଥାନ୍ତି ନା । ତେବେ ସେମାନେ ତ ଗୋଟିଏ ପୋଷ୍ୟପୁତ୍ର କରିଥାଆନ୍ତି । ଏଠାରେ ତ ବେହଦର ପିତାଙ୍କୁ ଅନେକ ସନ୍ତାନ ଆବଶ୍ୟକ । ସେ କହୁଛନ୍ତି ଯିଏ ମୋର ସନ୍ତାନ ହେବ ତାକୁ ସ୍ୱର୍ଗର ସମ୍ପତ୍ତି ମିଳିବ । ଯେଉଁମାନେ ମୋର ସନ୍ତାନ ହେବେ ନାହିଁ ସେମାନେ ତ ସମ୍ପତ୍ତି ନେଇ ପାରିବେ ନାହିଁ । କାରଣ ସେମାନେ ଶ୍ରୀମତରେ ଚାଲିବେ ନାହିଁ । ଯେଉଁମାନଙ୍କୁ ନିଶ୍ଚୟ ହୋଇଯାଉଛି ସେମାନେ କହୁଛନ୍ତି ବାବା ଆପଣ ପୁନର୍ବାର ଆସିଛନ୍ତି ତେଣୁ ଆମେ ଆପଣଙ୍କର ହାତ ଛାଡିବୁ ନାହିଁ । ବାବା ଏହି କଥା ପିଲାମାନଙ୍କୁ ବୁଝାଉଛନ୍ତି ଏବଂ ପିଲାମାନେ ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି ଯେ ଆମେ ପାରଲୌକିକ ପିତାଙ୍କର ସନ୍ତାନ ହୋଇଛୁ, ଆମେ ତାଙ୍କର ଶ୍ରୀମତ ଅନୁସାରେ ଚାଲୁଛୁ, ଆମକୁ ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ଯେବେକି ଏତେ ଗୁଡିଏ ଆତ୍ମା ବ୍ରହ୍ମାକୁମାର-କୁମାରୀ ହୋଇଛନ୍ତି ତେବେ ନିଶ୍ଚିତ ଭାବରେ ସେମାନଙ୍କର ନିଶ୍ଚୟ ଅଛି, ତେଣୁ ଆମର ମଧ୍ୟ କାହିଁକି ନ ହେବ । ତେବେ ପତ୍ର ଲେଖି ପଠାଇବା ଦରକାର ଯେ ମୁଁ ଆପଣଙ୍କର ହୋଇଗଲି । ବାବା କହୁଛନ୍ତି ମୁଁ ତ କୌଣସି ଦୂର ସ୍ଥାନରେ ନାହିଁ, ମୁଁ ତ ଏହିଠାରେ ହିଁ ଉପସ୍ଥିତ ଅଛି । ଏଠାରେ ସାକାର ରୂପରେ ଅଛି । ଯେପରି ରାଷ୍ଟ୍ରପତିଙ୍କ ପାଇଁ କହିପାରିବା ଯେ ସିଏ ଏହି ସୃଷ୍ଟି ଉପରେ ଉପସ୍ଥିତ ଅଛନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସିଏ ସର୍ବବ୍ୟାପୀ ଅଟନ୍ତି । ଏଭଳି ପରମପିତା ପରମାତ୍ମା ଯାହାଙ୍କୁ ସୁଖକର୍ତ୍ତା, ଦୁଃଖହର୍ତ୍ତା କୁହାଯାଉଛି ସିଏ କେବେ ସର୍ବବ୍ୟାପୀ ହୋଇପାରିବେ ନାହିଁ । ତାଙ୍କ ଉପସ୍ଥିତିରେ ମନୁଷ୍ୟ ଏତେ ଦୁଃଖୀ କିପରି ହୋଇପାରିବେ ? ଯେବେକି ବାବାଙ୍କର ଅନୁପସ୍ଥିତିରେ ଅର୍ଥାତ୍ ସ୍ୱର୍ଗରେ ମଧ୍ୟ କେହି ଦୁଃଖୀ ନଥିଲେ ।

ବାବା ତ ପିଲାମାନଙ୍କ ପାଇଁ ବର୍ସା ଅର୍ଥାତ୍ ଘର ତିଆରି କରିଛନ୍ତି । ଯେପରି ଚଢେଇ ତାର ପିଲାମାନଙ୍କ ପାଇଁ ବସା ତିଆରି କରିଥାଏ, ସେହିପରି ବାବା ମଧ୍ୟ ତୁମମାନଙ୍କ ପାଇଁ ବସା ଘର ତିଆରି କରୁଛନ୍ତି । ତୁମମାନଙ୍କର ରହିବା ପାଇଁ ହିଁ ସ୍ୱର୍ଗ ରୂପକ ବସା ତିଆରି ହେଉଛି । ବାବା କହୁଛନ୍ତି ଯଦି ତୁମେ ମୋ ମତରେ ଚାଲିବ ତେବେ ସ୍ୱର୍ଗ ଦୁନିଆରେ ରାଜ୍ୟ କରିବ । ଯଦି ସମ୍ପୂର୍ଣ୍ଣ ନିଶ୍ଚୟ ଅଛି ତେବେ ଭଲ ଭାବରେ ବାବାଙ୍କର ହାତ ଧରିନିଅ । ଏମିତି ବି ନୁହେଁ ଯେ ଏହିଠାରେ (ମଧୁବନରେ) ହିଁ ଆସି ବସିଯିବ । ତୁମକୁ ତ ଘର ଗୃହସ୍ଥକୁ ଛାଡିବାର ନାହିଁ । ସେମାନେ ତ ଘରଦ୍ୱାର ଛାଡି ଚାଲିଯାଉଛନ୍ତି । ଗୁରୁଙ୍କୁ ଭଗବାନ ବୋଲି କହୁଛନ୍ତି । ସେମାନେ କୌଣସି ବଞ୍ଚି ଥାଉ ଥାଉ ମରୁନାହାଁନ୍ତି । ତୁମକୁ ତ ଏଠାରେ ବଞ୍ଚି ଥାଉ ଥାଉ ମରିବାକୁ ହେବ ପୁଣି ସତ୍ୟଯୁଗରେ ଜନ୍ମ ନେବାକୁ ହେବ । ତୁମେମାନେ ବାବାଙ୍କଠାରୁ ବେହଦର ସମ୍ପତ୍ତି ନେଉଛ । ଯେବେକି ନିଶ୍ଚୟ ହୋଇଗଲା ଯେ ବେହଦର ପିତା ପାଠ ପଢାଉଛନ୍ତି ଏବଂ ୨୧ ଜନ୍ମର ସମ୍ପତ୍ତି ଦେଉଛନ୍ତି ତେବେ ତାଙ୍କର ଶ୍ରୀମତ ଅନୁସାରେ ଚାଲିବାକୁ ହେବ । ଯେହେତୁ ସନ୍ତାନ ହୋଇଗଲ ତେଣୁ ବାବା ତୁମକୁ ଶ୍ରୀମତ ମଧ୍ୟ ଦେବେ । ପ୍ରଥମେ ତ ଗୋଟିଏ ସପ୍ତାହ ଭଟ୍ଟୀରେ ରୁହ ଅର୍ଥାତ୍ ଯୋଗରେ ରୁହ । ତୁମକୁ ପ୍ରତିଦିନ ଜ୍ଞାନ ମିଳିଯିବ । ସମସ୍ତେ ତ ଏକାଭଳି ବୁଝୁନାହାଁନ୍ତି । ପ୍ରତ୍ୟେକ ସନ୍ତାନ ନିଜର ପୁରୁଷାର୍ଥ ଏବଂ ଭାଗ୍ୟ ଅନୁସାରେ ହିଁ ସବୁ କିଛି ପ୍ରାପ୍ତ କରୁଛନ୍ତି । ତେବେ ସବୁ କିଛି ପୁରୁଷାର୍ଥ ଏବଂ ଭାଗ୍ୟ ଉପରେ ହିଁ ନିର୍ଭର କରୁଛି । ଜଣାପଡିଥାଏ ଯେ ଏହାଙ୍କ ଭାଗ୍ୟରେ କଣ ଅଛି ? ଇଏ କଣ ପଦ ପାଇବେ ? ବାବାଙ୍କର ସନ୍ତାନ ହେବା ପରେ ମଧ୍ୟ ଗୃହସ୍ଥ ବ୍ୟବହାର ଭିତରେ ରହିବାକୁ ହେବ । ଆଚ୍ଛା, ଯଦି କୌଣସି ଘର ଗୃହସ୍ଥର ଦାୟିତ୍ୱ ନାହିଁ ତେବେ ଅନ୍ଧମାନଙ୍କର ସାହାରା ହୁଅ ଅର୍ଥାତ୍ ଆତ୍ମିକ ସେବା କର । ସତ୍ୟ ନାରାୟଣ କଥା ଶୁଣାଇବା ପାଇଁ ତ ନିଶ୍ଚିତ ଯିବା ଉଚିତ୍ ।

ଏବେ ଦେଖ ପ୍ରେମ୍ ବଚ୍ଚୀ (ବ୍ରହ୍ମାକୁମାରୀ ପ୍ରେମ୍) ସେବା କରିବା ପାଇଁ ଯାଇଥିଲେ । ଯେଉଁମାନେ ନିମନ୍ତ୍ରଣ ଦେଇଥିଲେ ସେମାନେ ସ୍ୱାଗତ-ସମ୍ବର୍ନ୍ଧନା ମଧ୍ୟ କରିଲେ, ଅନେକଙ୍କ ସହିତ ସାକ୍ଷାତ ମଧ୍ୟ କରାଇଲେ, ସମସ୍ତେ ବହୁତ ପ୍ରଭାବିତ ମଧ୍ୟ ହେଲେ । କିନ୍ତୁ ବାବା କହୁଛନ୍ତି ସେମାନଙ୍କ ଭିତରେ କେହି ଜଣେ ହେଲେ ନିଶ୍ଚୟ ବୁଦ୍ଧି ନୁହଁନ୍ତି ଯେ ଏମାନଙ୍କୁ ବେହଦର ବାବା ହିଁ ପାଠ ପଢାଉଛନ୍ତି, ଯାହାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ମିଳୁଛି । ପ୍ରଭାବିତ ତ ହେଉଛନ୍ତି କିନ୍ତୁ ଏମିତି ନିଶ୍ଚୟ ହେଉନାହିଁ ଯେ ନିଶ୍ଚିତ ଭାବରେ ଜ୍ଞାନର ସାଗର ବାବା ହିଁ ଆସି ପାଠ ପଢାଉଛନ୍ତି । ହଁ, କେବଳ କହିବେ ବହୁତ ଭଲ ଜ୍ଞାନ । କିନ୍ତୁ ବାହାରକୁ ଯିବା ମାତ୍ରକେ ସବୁ ଭୁଲିଯିବେ । କ୍ୱଚିତ୍ କେହି ପୁରୁଷାର୍ଥ କରିବେ । ଯଦିଓ ପରସ୍ପର ମିଶି ସତସଂଗ (କ୍ଳାସ୍) ଆଦି କରିବେ କିନ୍ତୁ ଯେଉଁମାନେ ବି ସତସଙ୍ଗ କରିବେ ସେମାନେ ମଧ୍ୟ ନିଶ୍ଚୟ ବୁଦ୍ଧି ନୁହଁନ୍ତି ତେଣୁ ସେମାନଙ୍କୁ ହାଫକାଷ୍ଟ ଅର୍ଥାତ୍ ଅଧା ବି.କେ. କୁହାଯିବ । ନିଶ୍ଚୟ ଏବଂ ସଂଶୟ । ଏବେ କହିବେ ବାବା ପାଠ ପଢାଉଛନ୍ତି, ପୁଣି ଏବେ କହିବେ ଏହା କିପରି ସମ୍ଭବ ? କହିବେ ପବିତ୍ର ହେବା ତ ଭଲ କଥା କିନ୍ତୁ ପବିତ୍ର ରହିବା ବହୁତ କଷ୍ଟକର । ତେଣୁ ପ୍ରଥମେ ତ ନିଶ୍ଚୟ ହେବା ଦରକାର । ଖୁସିରେ ଗଦଗଦ୍ ହୋଇ ପତ୍ର ଲେଖିବା ଦରକାର । ଯେପରି ବନ୍ଧନରେ ଥିବା ଗୋପିମାନେ ପତ୍ର ଲେଖୁଛନ୍ତି ସେହିଭଳି ପତ୍ର ନିର୍ବନ୍ଧନ ଥିବା ଗୋପିକା ଅର୍ଥାତ୍ ମାତାମାନେ ଲେଖନ୍ତି ନାହିଁ । ତେଣୁ ବାବା ପତ୍ର ଲେଖି ପଠାଇ ଦେଇଛନ୍ତି ଯେ ଜଣଙ୍କୁ ମଧ୍ୟ ନିଶ୍ଚୟ ବୁଦ୍ଧି କରିନାହଁ । ହଁ, ସାଧାରଣ ପ୍ରଜା ତିଆରି କରିଛ, ଉତ୍ତରାଧିକାରୀ କରିନାହଁ । କେହି ଜଣେ ବି ନିଶ୍ଚୟବୁଦ୍ଧି ହୋଇନାହିଁ । ନିଶ୍ଚୟବୁଦ୍ଧି ପିଲାମାନେ ହିଁ ଉତ୍ତରାଧିକାରୀ ହୋଇଥାନ୍ତି । ଯଦିଓ କେହି ନିଶ୍ଚୟ ବୁଦ୍ଧି ହୋଇଥାନ୍ତି କିନ୍ତୁ ଜ୍ଞାନକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ ତେବେ ସେମାନେ ରାଜପରିବାର ଭିତରେ ଦାସ-ଦାସୀ ହୋଇ ରହିବେ । ଆଉ କିଛି ଦିନ ପରେ ତୁମକୁ ଏହାର ସ୍ପଷ୍ଟ ଭାବରେ ସାକ୍ଷାତ୍କାର ମଧ୍ୟ ହେବ । ଜଣା ମଧ୍ୟ ପଡିଯିବ ଯେ ମୁଁ କେତେ ନମ୍ବର ଦାସ-ଦାସୀ ହେବି । ସେତେବେଳେ ବହୁତ ପଶ୍ଚାତାପ ମଧ୍ୟ କରିବ । ମୁଁ ଶ୍ରୀମତ ଅନୁସାରେ ଚାଲିପାରିଲି ନାହିଁ ତେଣୁ ଏଭଳି ଅବସ୍ଥା ହେଲା । ପୁଣି ବି ସବୁ ପ୍ରକାରର ପରିସ୍ଥିତିରେ କୁହାଯିବ ଡ୍ରାମା । ଏହାଙ୍କର ଡ୍ରାମାରେ କଳ୍ପ କଳ୍ପାନ୍ତର ପାଇଁ ଏହିଭଳି ପାର୍ଟ ନିଧାର୍ଯ୍ୟ ଅଛି । ତେବେ ସାକ୍ଷାତ୍କାର ତ ନିଶ୍ଚିତ ହେବ । ଶେଷ ସମୟରେ ପାଠପଢାର ଫଳାଫଳ ନିଶ୍ଚିତ ଜଣାପଡିବ । ସେତେବେଳେ କୁହାଯିବ ତୁମର ଭାଗ୍ୟ । ଯେତେବେଳେ ପାଠପଢାର ଫଳ ବାହାରିବ ସେତେବେଳେ କହିବ ମୋ ଭାଗ୍ୟରେ ଏଇଆ ଥିଲା! ଏହା ତ ବହୁତ ବଡ ବିଦ୍ୟାଳୟ । ଏଠାରେ ଶିକ୍ଷକ ମଧ୍ୟ ଜଣେ, ଶିକ୍ଷା ମଧ୍ୟ ଗୋଟିଏ ଏବଂ ପରୀକ୍ଷା ମଧ୍ୟ ଗୋଟିଏ । ଶିକ୍ଷକଙ୍କୁ ଜଣା ଅଛି ଯେ କେଉଁ ବିଦ୍ୟାର୍ଥୀ କିପରି ପାଠ ପଢୁଛି, ସମସ୍ତେ ଆଗକୁ ଆଗକୁ ବଢି ଚାଲିଛନ୍ତି । ଆଉ କିଛି ଦିନ ପରେ ସବୁ କିଛି ଜଣାପଡିଯିବ । ବାରମ୍ବାର ତୁମେମାନେ ଧ୍ୟାନରେ ଚାଲିଯିବ, ଯେପରି ଆରମ୍ଭ ସମୟରେ ଯାଉଥିଲେ । ଏବେ ତ ତୁମେ ବୁଝି ଚାଲିଛ ଏବଂ ବାବା ମଧ୍ୟ ବୁଝାଇ ଚାଲିଛନ୍ତି । ତୁମେମାନେ କିନ୍ତୁ ଅବହେଳା କରୁଛ, ଶ୍ରୀମତରେ ଚାଲୁନାହଁ । ଏହିଭଳି ଚାଲିବା ଦ୍ୱାରା ଅଭ୍ୟାସରେ ପଡିଯାଉଛ । ଯଦିଓ ତୁମେ ପଚାରିପାରିବ-- ଶିବବାବା, ମୁଁ ଆପଣଙ୍କର ଶ୍ରୀମତରେ ଚାଲୁଛି ? ବାବା କହିଦେବେ, ତୁମେ ତ ଚାଲୁନାହଁ ତେଣୁ ତୁମର ଭାଗ୍ୟ ଏହିଭଳି ଦେଖାଯାଉଛି । ଯାହା ଜଣାପଡୁଛି ଏବେ ତୁମର ଦଶା ଖରାପ ଅଛି, ଆଗକୁ ଗଲେ ବଦଳି ଯାଇପାରେ । କେହି କେହି ପୁଣି କାମ ବିକାରର ସୂକ୍ଷ୍ମ ଆକର୍ଷଣରେ ଆସିଯାଉଛନ୍ତି । ଭାରତ ପବିତ୍ର ଥିଲା, ଶ୍ରେଷ୍ଠାଚାରୀ ଥିଲା ଯିଏକି ବତ୍ତର୍ମାନ ଭ୍ରଷ୍ଟାଚାରୀ ହୋଇଯାଇଛି । ତେବେ ସେହି ସମୟର ଶ୍ରେଷ୍ଠ ଦେବତାମାନଙ୍କର ମହିମା ତ ହେଉଛି ନା । ବାବା କହୁଛନ୍ତି ଏହା ହେଉଛି ଆସୁରୀ ସମ୍ପ୍ରଦାୟ, ମୁଁ ଦୈବୀ ସମ୍ପ୍ରଦାୟ ସ୍ଥାପନ କରିବା ପାଇଁ ଆସିଛି । ତୁମର ଏହି ଦେବୀ-ଦେବତା ଧର୍ମ ସବୁଠାରୁ ଶ୍ରେଷ୍ଠ । ବାବା ହିଁ ପତିତ-ପାବନ ଅଟନ୍ତି କିନ୍ତୁ ମନୁଷ୍ୟମାନେ ତ କିଛି ବି ବୁଝିପାରୁ ନାହାଁନ୍ତି । ଯେଉଁମାନେ ବି ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି ସେମାନେ ତ ନିଶ୍ଚିତ ପବିତ୍ର ହେଉଛନ୍ତି ତେବେ ପ୍ରତ୍ୟେକ କଥାରେ ଭଲ ଏବଂ ମନ୍ଦ ଥାଏ । କମ୍ ଭାଗ୍ୟଶାଳୀ ଏବଂ ଶ୍ରେଷ୍ଠ ଭାଗ୍ୟଶାଳୀ ମଧ୍ୟ ଅଛନ୍ତି । ଏବେ ତ ଏହି ରାବଣ ରାଜ୍ୟ ସମାପ୍ତ ହେବାକୁ ଯାଉଛି । ଏହି ରାବଣ ନଗରୀରେ ନିଆ ଲାଗିବ । ତୁମେମାନେ ହେଉଛ ରାମଙ୍କର ସେନା । ଯେଉଁମାନେ ଏହି ଧର୍ମର ହୋଇଥିବେ ସେମାନେ ଆସି ବୁଝିବାକୁ ଲାଗିବେ । ସମସ୍ତେ କ୍ରମ ଅନୁସାରେ ଜ୍ଞାନକୁ ବୁଝୁଛନ୍ତି । କାହାକୁ ତ ଜନକ ରାଜାଙ୍କ ଭଳି ଗୋଟିଏ ତୀର ଲାଗିଯାଉଛି ଯାହା ଦ୍ୱାରା ସମ୍ପୂର୍ଣ୍ଣ ସମର୍ପଣ ମଧ୍ୟ ହୋଇଯାଉଛନ୍ତି । ସେମାନେ କୌଣସି ବି ବାହାନା କରିବେ ନାହିଁ । ଏଥିରେ ତ କିଛି ବି ବାହାନା ଚାଲିବ ନାହିଁ କିନ୍ତୁ ମାୟାର ତୋଫାନ ମଧ୍ୟ ବହୁତ ଆସିବ । ନିଜର ଦୈବୀ ପରିବାରକୁ ମଧ୍ୟ ଭୁଲାଇଦେବ, ଭୁଲିଯିବ ଯେ ମୁଁ ଈଶ୍ୱରୀୟ ସନ୍ତାନ । ତେଣୁ ପିଲାମାନଙ୍କୁ ବହୁତ ବହୁତ ମିଠା ହେବାକୁ ପଡିବ । କାମ ବିକାରର ସୂକ୍ଷ୍ମ ଆକର୍ଷଣ ମଧ୍ୟ ରହିବା ଉଚିତ୍ ନୁହେଁ । କାମ ବିକାର ତ ତୁମର ବହୁତ ବଡ ଶତ୍ରୁ । ଏହା ହିଁ ସବୁଠାରୁ ବଡ ପରୀକ୍ଷା ରୂପରେ ଆସିବ । ବାବା କହୁଛନ୍ତି ପିଲାମାନେ, ଏକାଠି ରହି ପବିତ୍ର ହୋଇ ଦେଖାଅ । ବାବା ପିଲାମାନଙ୍କର ଅବସ୍ଥାକୁ ମଧ୍ୟ ଜାଣିଛନ୍ତି । ତେବେ ନିଶ୍ଚୟ ବୁଦ୍ଧି ପିଲାମାନେ ବାବାଙ୍କୁ ନିଜର ସମାଚାର ଜଣାଇବେ ଯେ ବାବା ମୁଁ ଆପଣଙ୍କୁ ମନେ ପକାଉଛି, ଏହିଭଳି ଆପଣଙ୍କର ସେବା କରୁଛି । ଯଦି ସେବାର ସମାଚାର ଲେଖି ଜଣାଇବ ତେବେ ଯାଇ ବାବା ବିଶ୍ୱାସ କରିବେ । ଯେତେବେଳେ ସେବା କରି ପ୍ରମାଣ ଦେଖାଇ ପାରିବ ସେତେବେଳେ ବାବା ଜାଣିବେ ଯେ ଏହାଙ୍କ ଭିତରେ କିଛି କରିବାର ଆଶା ଦେଖାଯାଉଛି ତା ସହିତ ଏକଥା ମଧ୍ୟ ବୁଝିବା ଦରକାର ଯେ ବାବା ଏକୁଟିଆ କିନ୍ତୁ ଆମେ ପିଲାମାନେ ଅନେକ । ଏମିତି ନୁହେଁ ଯେ ବାବାଙ୍କୁ ପ୍ରତିଦିନ ତୁମମାନଙ୍କର ପତ୍ରର ଉତ୍ତର ଦେବାକୁ ପଡିବ । ନା, ବାବା ତ ହେଉଛନ୍ତି ଗରିବର ବନ୍ଧୁ । ଦାନ ମଧ୍ୟ ଗରିବକୁ ହିଁ ଦିଆଯାଏ । ତେବେ ଏହି ଭାରତ ଭୂଖଣ୍ଡ ମଧ୍ୟ ଗରିବ ଅଟେ । ଭାରତ ହିଁ ଧନୀରୁ ଗରିବ ହୋଇଛି । ଏକଥା କାହାକୁ ବି ଜଣାପଡୁନାହିଁ । ଏହି ଭାରତ ହିଁ ଅବିନାଶୀ ଭୂଖଣ୍ଡ ଯେଉଁଠାରେ ସ୍ୱୟଂ ଭଗବାନ ଅବତାର ନେଉଛନ୍ତି । ଏହି ଭାରତ ହିଁ ସୁନାର ଚଢେଇ ଥିଲା ଅର୍ଥାତ୍ ସବୁ ପ୍ରକାରର ସୁଖର ଭଣ୍ଡାର ଥିଲା, ଯେଉଁ ସୁଖଧାମକୁ ଯିବା ପାଇଁ ଆମେ ସମସ୍ତେ ପୁରୁଷାର୍ଥ କରୁଛେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) କୌଣସି ପ୍ରକାରର ବାହାନା ନକରି ବାବାଙ୍କର ଶ୍ରୀମତରେ ସଦାସର୍ବଦା ଚାଲିବାକୁ ହେବ । ସେବାର ପ୍ରମାଣ ଦେବାକୁ ହେବ ।

(୨) ଆମେ ସବୁ ଈଶ୍ୱରୀୟ ସନ୍ତାନ, ଆମର ବ୍ରାହ୍ମଣ କୁଳ ମଧ୍ୟ ସବୁଠାରୁ ଶ୍ରେଷ୍ଠ, ଏହି କଥା ଭୁଲିବାର ନାହିଁ । ନିଜେ ନିଶ୍ଚୟ ବୁଦ୍ଧି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଶ୍ଚୟ ବୁଦ୍ଧି କରିବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜନ୍ମର ବିଶେଷତା ଏବଂ ବିଚିତ୍ରତାକୁ ସ୍ମୃତିରେ ରଖି ସେବା କରୁଥିବା ସାକ୍ଷୀ ହୁଅ ।

ତୁମର ଏହି ବ୍ରାହ୍ମଣ ଜନ୍ମ ଦିବ୍ୟ ଜନ୍ମ ଅଟେ । ସାଧାରଣ ଆତ୍ମାମାନେ ସେମାନଙ୍କର ଜନ୍ମ ଦିବସ ଅଲଗା ପାଳନ କରନ୍ତି, ବିବାହ ଦିବସ, ସାଥୀ ଦିବସ ଅଲଗା ପାଳନ କରନ୍ତି, କିନ୍ତୁ ତୁମମାନଙ୍କର ଜନ୍ମ ଦିବସ ମଧ୍ୟ ସେହି ଏବଂ ବିବାହ ଦିବସ, ମାତୃ ଦିବସ, ପିତୃ ଦିବସ, ନିର୍ବନ୍ଧ ଦିବସ ସବୁ କିଛି ସେହି ଗୋଟିଏ ହିଁ ଅଟେ କାହିଁକି ନା ସମସ୍ତଙ୍କର ପ୍ରତିଜ୍ଞା ହେଲା ଏକମାତ୍ର ବାବା ଅନ୍ୟ କେହି ନୁହେଁ । ତେଣୁ ଏହି ଜନ୍ମର ବିଶେଷତା ଏବଂ ବିଚିତ୍ରତାକୁ ସ୍ମୃତିରେ ରଖି ସେବାର ପାର୍ଟ କର । ସେବାରେ ପରସ୍ପରର ସାଥୀ ହୁଅ, କିନ୍ତୁ ସାକ୍ଷୀ ହୋଇ ସାଥୀ ହୁଅ । ଟିକିଏ ହେଲେ କାହା ପ୍ରତି ବିଶେଷ ଆକର୍ଷଣ ନ ରହୁ ।

ସ୍ଲୋଗାନ:-
ଚିନ୍ତାମୁକ୍ତ ରାଜା ତାଙ୍କୁ କୁହାଯିବ ଯାହାଙ୍କ ଜୀବନରେ ନିରହଂକାରୀତା ସହିତ ଅଧିକାରୀ ପଣିଆର ସନ୍ତୁଳନ ଥିବ ।