05.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ଏଠାରେ ତୁମର ସବୁକିଛି
ଗୁପ୍ତ, ସେଥିପାଇଁ ତୁମକୁ କୌଣସି ବି ଆଡମ୍ବର କରିବାର ନାହିଁ, ନିଜ ନୂଆ ରାଜଧାନୀର ନିଶାରେ
ରହିବାର ଅଛି” ।
ପ୍ରଶ୍ନ:-
ଶ୍ରେଷ୍ଠ ଧର୍ମ
ଓ ଦୈବୀ କର୍ମର ସ୍ଥାପନା ପାଇଁ ତୁମେ ପିଲାମାନେ କେଉଁ ପରିଶ୍ରମ କରୁଛ?
ଉତ୍ତର:-
ତୁମେମାନେ ଏବେ ୫ ବିକାରକୁ ଛାଡିବାର ପରିଶ୍ରମ କରୁଛ, କାରଣ ଏହି ବିକାର ଗୁଡିକ ହିଁ ସମସ୍ତଙ୍କୁ
ଭ୍ରଷ୍ଟ କରିଦେଇଛି । ତୁମେ ଜାଣିଛ ବର୍ତ୍ତମାନ ସମସ୍ତେ ଦୈବୀ ଧର୍ମ ଏବଂ ଶ୍ରେଷ୍ଠ କର୍ମରୁ
ଭ୍ରଷ୍ଟ ଅଟନ୍ତି । ବାବା ହିଁ ଶ୍ରୀମତ ଦେଇ ଶ୍ରେଷ୍ଠ ଧର୍ମ ଏବଂ ଶ୍ରେଷ୍ଠ ଦୈବୀ କର୍ମର ସ୍ଥାପନା
କରୁଛନ୍ତି । ତୁମେମାନେ ଶ୍ରୀମତରେ ଚାଲି ବାବାଙ୍କୁ ମନେ ପକାଇ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ
। ପାଠପଢ଼ା ଦ୍ୱାରା ନିଜେ ନିଜକୁ ରାଜତିଳକ ଦେଉଛ ।
ଗୀତ:-
ତୁହ୍ମେ ପାକେ
ହମ୍ନେ...
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଆତ୍ମିକ ପିଲାମାନେ ହିଁ କହୁଛନ୍ତି ବାବା । ପିଲାମାନେ
ଜାଣିଛନ୍ତି ବେହଦର ବାବା ହିଁ ବେହଦ ସୁଖଦାତା ଅଟନ୍ତି । ସିଏ ସମସ୍ତଙ୍କର ପିତା ଅଟନ୍ତି । ତାଙ୍କୁ
ସବୁ ବେହଦର ସନ୍ତାନମାନେ ଅର୍ଥାତ୍ ଆତ୍ମାମାନେ କୌଣସି ନା କୌଣସି ରୂପରେ ମନେ ପକାଉଛନ୍ତି ପରନ୍ତୁ
ତାଙ୍କୁ ଏକଥା ଜଣାନାହିଁ ଯେ, ଆମକୁ ସେହି ପରମପିତା ପରମାତ୍ମାଙ୍କଠାରୁ ବିଶ୍ୱର ବାଦଶାହୀ ମିଳୁଛି
। ତୁମେ ଜାଣିଛ ବାବା ଆମକୁ ଯେଉଁ ସତ୍ୟଯୁଗୀ ବିଶ୍ୱର ବାଦଶାହୀ ଦେଉଛନ୍ତି, ତାହା ଅଟଳ ଅଖଣ୍ଡ,
ଅଡୋଳ ଅଟେ, ଯାହାକି ୨୧ ଜନ୍ମ କାୟମ ରହୁଛି । ସାରା ବିଶ୍ୱରେ ଆମର ରାଜତ୍ୱ ରହୁଛି ଯାହାକୁ କେହି
ଛଡାଇ ନେଇ ପାରିବେ ନାହିଁ, ଆମଠାରୁ କେହି ଲୁଟି ନେଇପାରିବେ ନାହିଁ । ଆମର ରାଜତ୍ୱ ଅଡୋଳ ଅଟେ
କାରଣ ସେଠାରେ କେବଳ ଗୋଟିଏ ଧର୍ମ ରହିବ, ଦ୍ୱିତୀୟ କିଛି ବି ରହିବ ନାହିଁ । ତାହା ହେଉଛି ଅଦୈ୍ୱତ
ରାଜ୍ୟ । ପିଲାମାନେ ଯେତେବେଳେ ଏହି ଗୀତ ଶୁଣୁଛନ୍ତି ସେତେବେଳେ ନିଜର ରାଜଧାନୀର ନିଶା ଆସିବା
ଦରକାର ଏବଂ ଏହିପରି ଗୀତ ସବୁ ଘରେ ମଧ୍ୟ ରଖିବା ଦରକାର । ତୁମର ସବୁକିଛି ଗୁପ୍ତ କିନ୍ତୁ ବଡ ବଡ
ଲୋକମାନଙ୍କର ବହୁତ ଆଡମ୍ବର ଥାଏ । ତୁମର କିଛି ଆଡମ୍ବର ନାହିଁ । ତୁମେମାନେ ଦେଖୁଛ ବାବା
ଯାହାଙ୍କଠାରେ ପ୍ରବେଶ କରିଛନ୍ତି ସିଏ ମଧ୍ୟ କେତେ ସାଧାରଣ ରହୁଛନ୍ତି । ପିଲାମାନେ ଜାଣିଛନ୍ତି
ଏଠାରେ ପ୍ରତ୍ୟେକ ମନୁଷ୍ୟ କେତେ ଅନ୍ରାଇଟିୟସ୍ ଅର୍ଥାତ୍ ଛି ଛି କାମ କରୁଛନ୍ତି, ସେଥିପାଇଁ
ତାଙ୍କୁ ଅଜ୍ଞାନୀ କୁହାଯାଉଛି । ବୁଦ୍ଧିରେ ବିଲ୍କୁଲ୍ ତାଲା ପଡିଯାଇଛି । ତୁମେମାନେ କେତେ
ବୁଦ୍ଧିମାନ୍ ଥିଲ, ବିଶ୍ୱର ମାଲିକ ଥିଲ । ଏବେ ମାୟା ଏତେ ଅଜ୍ଞାନୀ କରିଦେଇଛି ଯେପରି ତୁମେମାନେ
କିଛି କାମର ନୁହେଁ । ବାବାଙ୍କ ପାଖକୁ ଯିବା ପାଇଁ ଯଜ୍ଞ ତପ ଆଦି ବହୁତ କରୁଛନ୍ତି ପରନ୍ତୁ ତା’
ଦ୍ୱାରା କିଛି ମିଳୁନାହିଁ । ଭକ୍ତିମାର୍ଗରେ ଏହିପରି ଧକ୍କା ଖାଇଚାଲିଛନ୍ତି । ଦିନକୁ ଦିନ
ସମସ୍ତଙ୍କର ଅକଲ୍ୟାଣ ହୋଇ ଚାଲିଛି । ଯେତେ ଯେତେ ମନୁଷ୍ୟମାନେ ତମୋପ୍ରଧାନ ହୋଇ ଚାଲିଛନ୍ତି, ସେତେ
ସେତେ ଅକଲ୍ୟାଣ ହୋଇ ଚାଲିଛି । ଋଷି ମୁନି ଯାହାଙ୍କର ଗାୟନ ରହିଛି ଯେ, ସେମାନେ ପବିତ୍ର ରହୁଥିଲେ
। ସେମାନେ ମଧ୍ୟ ଭଗବାନଙ୍କ ସମ୍ବନ୍ଧରେ ନେତି ନେତି ଅର୍ଥାତ୍ ମୁଁ କିଛି ଜାଣିନାହିଁ ବୋଲି
କହୁଥିଲେ । ଏବେ ତମୋପ୍ରଧାନ ହୋଇଯାଇଛନ୍ତି ତେଣୁ କହୁଛନ୍ତି ଶିବୋହମ୍ ତତ୍ତ୍ତ୍ୱମ୍,
ସର୍ବବ୍ୟାପୀ, ତୁମଠାରେ ମୋ’ଠାରେ ସମସ୍ତଙ୍କଠାରେ ଭଗବାନ ଅଛନ୍ତି । ସେମାନେ କେବଳ ପରମାତ୍ମା
ଶବ୍ଦ କହିଦେଉଛନ୍ତି । ପିତା ଶବ୍ଦ ତାଙ୍କ ବୁଦ୍ଧିକୁ ଆସୁନାହିଁ । ଯଦିଓ କେହି କହୁଛନ୍ତି କିନ୍ତୁ
ତାହା କଥାକୁ ମାତ୍ର । ଯଦି ପରମପିତା ବୋଲି ଜାଣିଯିବେ ତେବେ ତ ବୁଦ୍ଧି ଏକଦମ୍ ଚମକି ଉଠିବ । ବାବା
ସ୍ୱର୍ଗର ବର୍ସା ଦେଉଛନ୍ତି, ସେ ହେଉଛନ୍ତି ସ୍ୱର୍ଗର ରଚୟିତା । ତେବେ ଆମେ ନର୍କରେ କାହିଁକି
ପଡିଛୁ । ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଏବଂ ବୁଦ୍ଧିମାନ ଥାଏ ତା’ପରେ ସତ୍ତ୍ୱ ରଜୋ ତମୋରେ ଆସି
ଅଜ୍ଞାନୀ ହୋଇଯାଏ । ଯାହାର ଜ୍ଞାନ ଏବେ ତୁମମାନଙ୍କୁ ମିଳୁଛି । ବାବା ଆମକୁ ଏସବୁର ସ୍ମୃତି
ଦେଇଛନ୍ତି । ଯେତେବେଳେ ଭାରତରେ ନୂଆ ଦୁନିଆ ଥିଲା ସେତେବେଳେ କେବଳ ଆମର ରାଜ୍ୟ ଥିଲା । ଏକମତ,
ଏକ ଭାଷା, ଏକ ଧର୍ମ, ଏକ ମହାରାଜା ମହାରାଣୀଙ୍କର ରାଜ୍ୟ ଥିଲା, ପୁଣି ଦ୍ୱାପର ଯୁଗରୁ ବାମମାର୍ଗ
ଆରମ୍ଭ ହେଲା । ଯେବେଠାରୁ ନିଜର କର୍ମ ଉପରେ ସବୁ କିଛି ନିର୍ଭର କରିବା ଆରମ୍ଭ ହେଲା ଅର୍ଥାତ୍
କର୍ମାନୁସାରେ ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ନିଅନ୍ତି । ଏବେ ବାବା କହୁଛନ୍ତି ମୁଁ ତୁମକୁ
ଏପରି କର୍ମ ଶିଖାଉଛି ଯାହା ଦ୍ୱାରା ତୁମେମାନେ୨୧ ଜନ୍ମର ରାଜତ୍ୱ ପ୍ରାପ୍ତ କରୁଛ । ଯଦିଓ ସେଠାରେ
ଲୌକିକ ପିତା ମିଳୁଛନ୍ତି ପରନ୍ତୁ ସେଠାରେ ଜ୍ଞାନ ରହିବ ନାହିଁ ଯେ, ଏହି ରାଜତ୍ୱର ବର୍ସା ବେହଦର
ବାବା ଦେଇଛନ୍ତି । ପୁଣି ଦ୍ୱାପର ଯୁଗରୁ ରାବଣ ରାଜ୍ୟ ଆରମ୍ଭ ହେଉଛି । ଯେବେଠାରୁ ବିକାରୀ ସମ୍ବତ
ଆରମ୍ଭ ହେଉଛି, ସେବେଠାରୁ କର୍ମ ଅନୁସାରେ ଜନ୍ମ ମିଳିଥାଏ । ଭାରତରେ ପୂଜ୍ୟ ରାଜା ମଧ୍ୟ ଥିଲେ ତ’
ପୂଜାରୀ ରାଜା ମଧ୍ୟ ଥିଲେ । ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ ସମସ୍ତେ ପୂଜ୍ୟ ଥାଆନ୍ତି । ସେଠାରେ
ପୂଜା ବା ଭକ୍ତି କିଛି ହୁଏ ନାହିଁ । ପରେ ପୁଣି ଦ୍ୱାପର ଯୁଗଠାରୁ ଯେତେବେଳେ ଭକ୍ତିମାର୍ଗ ଆରମ୍ଭ
ହେଉଛି ଯଥା ରାଜା ରାଣୀ ତଥା ପ୍ରଜା, ପୂଜାରୀ ଏବଂ ଭକ୍ତ ହୋଇଯାଉଛନ୍ତି । ସବୁଠାରୁ ବଡ ରାଜା ଯିଏ
ସୂର୍ଯ୍ୟବଂଶୀ ପୂଜ୍ୟ ଥିଲେ, ସେ ହିଁ ପୂଜାରୀ ହୋଇଯାଉଛନ୍ତି ।
ଏବେ ତୁମେମାନେ ନିର୍ବିକାରୀ ହେଉଛ, ଯାହାର ପ୍ରାରବ୍ଧ ମଧ୍ୟ ୨୧ ଜନ୍ମ ପାଇଁ ରହୁଛି । ତା’ପରେ
ପୁଣି ଭକ୍ତିମାର୍ଗ ଆରମ୍ଭ ହେଉଛି । ଦେବୀ-ଦେବତାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି ।
ଏହା କେବଳ ଭାରତରେ ହିଁ ହେଉଛି । ୮୪ ଜନ୍ମର କାହାଣୀ ଯାହା ବାବା ଶୁଣାଉଛନ୍ତି, ତାହା ମଧ୍ୟ
ଭାରତବାସୀମାନଙ୍କ ପାଇଁ । ଅନ୍ୟ ଧର୍ମାବଲମ୍ବୀ ତ’ ପରେ ଆସୁଛନ୍ତି । ଧୀରେ ଧୀରେ ବୃଦ୍ଧି ହୋଇ
ଢ଼େର ହୋଇଯାଉଛନ୍ତି । ଭିନ୍ନ ଭିନ୍ନ ଧର୍ମାବଲମ୍ବୀଙ୍କର ଚେହେରା ଅଲଗା ଅଲଗା, ପ୍ରତ୍ୟେକ କଥା ଅଲଗା
ଅଲଗା ହୋଇଯାଉଛି । ରୀତି ନୀତି ମଧ୍ୟ ଭିନ୍ନ ଭିନ୍ନ ହୋଇଯାଉଛି । ଭକ୍ତିମାର୍ଗ ପାଇଁ ଭକ୍ତିର
ସାମଗ୍ରୀ ମଧ୍ୟ ଦରକାର । ଯେପରି ବୀଜ ବହୁତ ଛୋଟ କିନ୍ତୁ ବୃକ୍ଷ କେତେ ବଡ ହୋଇଥାଏ । ବୃକ୍ଷର
ପତ୍ରକୁ ଗଣନା କରିହୁଏ ନାହିଁ । ସେହିପରି ଭକ୍ତିର ମଧ୍ୟ ବହୁତ ବିସ୍ତାର ହୋଇଥାଏ । ସେଥିପାଇଁ
ଢ଼େର ଶାସ୍ତ୍ର ଆଦି ତିଆରି କରନ୍ତି । ବାବା ପିଲାମାନଙ୍କୁ କହୁଛନ୍ତି - ଏହି ଭକ୍ତିମାର୍ଗର
ସାମଗ୍ରୀ ସବୁ ସମାପ୍ତ ହୋଇଯିବ । ଏବେ ମୋତେ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ବର୍ତ୍ତମାନ
ଭକ୍ତିର ପ୍ରଭାବ ମଧ୍ୟ ବହୁତ ରହିଛି ନା । ଭକ୍ତିକୁ ନାଚ, ତମାଶା, ଗାୟନ, କୀର୍ତ୍ତନ କରି
ମନୋରଞ୍ଜନ ରୀତିରେ ପାଳନ କରୁଛନ୍ତି ଏବଂ ସେଥିପାଇଁ କେତେ ଖର୍ଚ୍ଚ କରଛନ୍ତି । ବାବା କହୁଛନ୍ତି,
ମୋତେ ଏବଂ ବର୍ସାକୁ ସ୍ମରଣ କର । ନିଜର ଆଦି ସନାତନ ଧର୍ମକୁ ମନେ ପକାଅ । ତୁମେମାନେ ଜନ୍ମ
ଜନ୍ମାନ୍ତର ଅନେକ ପ୍ରକାରର ଭକ୍ତି କରିଆସିଛ । ସନ୍ନ୍ୟାସୀମାନେ ମଧ୍ୟ ଆତ୍ମାର ରହିବାର ସ୍ଥାନକୁ,
ଅର୍ଥାତ୍ ଷଷ୍ଠ ତତ୍ତ୍ୱକୁ ମଧ୍ୟ ପରମାତ୍ମା ବୋଲି କହୁଛନ୍ତି । ସେଥିପାଇଁ ସେମାନେ ବ୍ରହ୍ମ ବା
ତତ୍ତ୍ୱକୁ ହିଁ ସ୍ମରଣ କରନ୍ତି । ବାସ୍ତବରେ ସନ୍ନ୍ୟାସୀମାନେ ଯେହେତୁ ସତ୍ତ୍ୱପ୍ରଧାନ ହେଉଛନ୍ତି
ତେଣୁ ତାଙ୍କୁ ଜଙ୍ଗଲରେ ଯାଇ ଶାନ୍ତିରେ ରହିବା ଉଚିତ୍ । ଏପରି ନୁହେଁ ଯେ, ସେମାନେ ବ୍ରହ୍ମରେ
ଯାଇ ଲୀନ ହୋଇଯିବେ । ସେମାନେ ଭାବନ୍ତି ବ୍ରହ୍ମର ସ୍ମୃତିରେ ରହିଲେ, ଶରୀର ଛାଡିବା ପରେ ବ୍ରହ୍ମରେ
ଲୀନ ହୋଇଯିବେ । ବାବା କହୁଛନ୍ତି - ବାସ୍ତବରେ ବ୍ରହ୍ମରେ ଲୀନ କେହି ହୋଇପାରିବେ ନାହିଁ । ଆତ୍ମା
ତ’ ଅବିନାଶୀ ନା, ତେଣୁ ଲୀନ କିପରି ହୋଇପାରିବ । ଭକ୍ତିମାର୍ଗରେ କେତେ ମୁଣ୍ଡ ପିଟୁଛନ୍ତି,
କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ନିଶ୍ଚିତ ଆସିବେ । ତେବେ କିଏ ଠିକ୍? ସେମାନେ କହନ୍ତି
ଆମେ ବ୍ରହ୍ମ ସହିତ ଯୋଗ ଲଗାଇ ବ୍ରହ୍ମରେ ଯାଇ ଲୀନ ହୋଇଯିବୁ । ଯେଉଁମାନେ ଗୃହସ୍ଥରେ ରହୁଛନ୍ତି
ସେମାନେ ମଧ୍ୟ କହନ୍ତି ଭଗବାନ କୌଣସି ନା କୌଣସି ରୂପରେ ପତିତମାନଙ୍କୁ ପାବନ କରିବାକୁ ଆସିବେ ।
ଏପରି ନୁହେଁ ଯେ ଉପରୁ ପ୍ରେରଣା ଦ୍ୱାରା ଶିଖାଇବେ । ଶିକ୍ଷକମାନେ କ’ଣ ଘରେ ବସି ପ୍ରେରଣା କରିବେ
କି! ବାସ୍ତବରେ ପ୍ରେରଣା ଶବ୍ଦ କିଛି ନାହିଁ । ପ୍ରେରଣା ଦ୍ୱାରା କିଛି କାମ ହୁଏ ନାହିଁ । କହନ୍ତି
ଶଙ୍କରଙ୍କ ପ୍ରେରଣା ଦ୍ୱାରା ବିନାଶ ହୁଏ କିନ୍ତୁ ବାସ୍ତବରେ ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି
। ସେମାନେ ତ ବିନାଶ ପାଇଁ ନିଶ୍ଚିତ ମୂଶଳ ଆଦି ତ’ ତିଆରି କରିବେ । ଏହା କେବଳ ମାତ୍ର ମହିମା
ରୂପରେ ଗାୟନ କରାଯାଉଛି । ଦୁନିଆରେ କେହି ବି ନିଜର ବଡମାନଙ୍କର ମହିମାକୁ ଜାଣି ନାହାଁନ୍ତି ।
ଧର୍ମସ୍ଥାପକମାନଙ୍କୁ ମଧ୍ୟ ଗୁରୁ ବୋଲି କହିଦେଉଛନ୍ତି କିନ୍ତୁ ସେମାନେ ତ’ କେବଳ ଧର୍ମ ସ୍ଥାପନ
କରନ୍ତି । ଗୁରୁ ତାଙ୍କୁ କୁହାଯାଏ ଯିଏକି ସମସ୍ତଙ୍କର ସଦ୍ଗତି କରିଥା’ନ୍ତି । ସେମାନେ ତ’ ଧର୍ମ
ସ୍ଥାପନ କରିବାକୁ ଆସୁଛନ୍ତି, ତାଙ୍କ ପରେ ପୁଣି ତାଙ୍କର ବଂଶାବଳୀ ଆସୁଛନ୍ତି । ସେମାନେ କାହାର
ସଦ୍ଗତି କରନ୍ତି ନାହିଁ । ତେଣୁ ତାଙ୍କୁ ଗୁରୁ କିପରି କୁହାଯିବ । ଗୁରୁ ତ’ କେବଳ ଜଣେ ଯାହାଙ୍କୁ
ସମସ୍ତଙ୍କର ସଦ୍ଗତିଦାତା ବୋଲି କୁହାଯାଏ । ସେ ହେଲେ ଭଗବାନ ଶିବବାବା ଯିଏକି ଏଠାକୁ ଆସି
ସମସ୍ତଙ୍କର ସଦ୍ଗତି କରିଥା’ନ୍ତି । ମୁକ୍ତି ଜୀବନମୁକ୍ତି ଦିଅନ୍ତି । ସେଥିପାଇଁ ତାଙ୍କୁ କେବେ
କେହି ଭୁଲିପାରନ୍ତି ନାହିଁ । ଯଦିଓ ନିଜର ସ୍ୱାମୀଙ୍କ ସହିତ କେତେ ବି ସ୍ନେହ ଥାଉ ତଥାପି ହେ
ଭଗବାନ, ହେ ଈଶ୍ୱର ନିଶ୍ଚିତ କହିବେ କାରଣ ସେ ହିଁ ସମସ୍ତଙ୍କର ସଦ୍ଗତିଦାତା । ବାବା ଏବେ
ବୁଝାଉଛନ୍ତି, ଏମାନେ ସମସ୍ତେ ହେଲେ ରଚନା ଏବଂ ମୁଁ ସମସ୍ତଙ୍କର ରଚୟିତା । ସମସ୍ତଙ୍କର ସୁଖଦାତା
ଏକମାତ୍ର ବାବା ହିଁ ଅଟନ୍ତି । ଭାଇ, ଭାଇଙ୍କୁ ବର୍ସା କେବେ ବି ଦେଇପାରିବେ ନାହିଁ । ବର୍ସା ତ
ସର୍ବଦା ବାବାଙ୍କଠାରୁ ହିଁ ମିଳିଥାଏ । ମୁଁ ତୁମ ବେହଦର ସନ୍ତାନମାନଙ୍କୁ ବେହଦର ବର୍ସା ଦେଉଛି
ସେଥିପାଇଁ ମୋତେ ମନେ ପକାଅ - ହେ ପରମପିତା, ମୋତେ କ୍ଷମା କର, ଦୟା କର । କିନ୍ତୁ କିଛି ବି
ବୁଝୁନାହାନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ମହିମା କରିଥା’ନ୍ତି, ତେବେ ସେମାନେ ମଧ୍ୟ
ଡ୍ରାମା ଅନୁସାରେ ନିଜର ପାର୍ଟ କରୁଛନ୍ତି । ବାବା କହୁଛନ୍ତି ମୁଁ ଏମାନଙ୍କ ଡାକରାରେ ଆସୁନାହିଁ
। କିନ୍ତୁ ଡ୍ରାମା ଏହିଭଳି ତିଆରି ହୋଇଛି । ଡ୍ରାମାରେ ମୋର ଆସିବାର ପାର୍ଟ ନିଧାର୍ଯ୍ୟ ହୋଇ
ରହିଛି । ମୋତେ ଅନେକ ଧର୍ମର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା ବା କଳିଯୁଗର ବିନାଶ, ସତ୍ୟଯୁଗର
ସ୍ଥାପନା କରିବାକୁ ପଡେ । ମୁଁ ଠିକ୍ ସମୟରେ ସ୍ୱତଃ ଆସେ । ଏହି ଭକ୍ତିମାର୍ଗର ମଧ୍ୟ ଡ୍ରାମାରେ
ପାର୍ଟ ରହିଛି । ଯେତେବେଳେ ଭକ୍ତିମାର୍ଗର ପାର୍ଟ ପୁରା ହୋଇଯାଏ ସେତେବେଳେ ମୁଁ ଆସେ । ତୁମେମାନେ
ମଧ୍ୟ କହୁଛ, ଏବେ ଆମେ ଜାଣିଗଲୁଣି, ୫ ହଜାର ବର୍ଷ ପରେ ପୁଣି ଥରେ ଆପଣଙ୍କ ସହିତ ମିଶୁଛୁ । କଳ୍ପ
ପୂର୍ବରୁ ମଧ୍ୟ ବାବା ଆପଣ ବ୍ରହ୍ମାଙ୍କ ଶରୀରରେ ଆସିଥିଲେ । ଏହି ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି
ଆଉ କେବେ ବି ଏହି ଜ୍ଞାନ ମିଳି ପାରିବ ନାହିଁ । ଏହାକୁ ଜ୍ଞାନ କୁହାଯାଉଛି, ତାହା ହେଲା ଭକ୍ତି ।
ଜ୍ଞାନର ପ୍ରାରବ୍ଧ, ଚଢ଼ତି କଳା । କୁହାଯାଏ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ରାଜା ଜନକଙ୍କୁ
ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥିଲା ନା । ଏଭଳି ମଧ୍ୟ କୁହାଯାଉଛି - ରାଧା ଯାଇ ଅନୁରାଧା
ହେଉଛନ୍ତି । ସୀତାଙ୍କର ପିତା ଜନକ ମଧ୍ୟ ଏହି ଜ୍ଞାନ ଆଧାରରେ ଅନୁଜନକ ହେଲେ । ଏହିଭଳି ଉଦାହରଣ
ମଧ୍ୟ ରହିଛି । କିଛି ବି ବୁଝୁନାହାନ୍ତି । କହନ୍ତି ରାଜା ଜନକ ସେକେଣ୍ଡରେ ଜୀବନମୁକ୍ତିକୁ
ପ୍ରାପ୍ତ କଲେ । ତେବେ କେବଳ ଜଣେ ଜନକ କ’ଣ ଜୀବନମୁକ୍ତିକୁ ପ୍ରାପ୍ତ କରିଲେ? ଜୀବନମୁକ୍ତି
ଅର୍ଥାତ୍ ଏହି ରାବଣର ରାଜ୍ୟରୁ ଜୀବନକୁ ମୁକ୍ତ କରିବା ।
ବାବା ଜାଣିଛନ୍ତି, ଏବେ ସମସ୍ତଙ୍କର କେତେ ଦୁର୍ଗତି ହୋଇଯାଇଛି । ଏବେ ପୁଣି ସମସ୍ତଙ୍କର ସଦ୍ଗତି
ହେବ । ସମସ୍ତେ ଦୁର୍ଗତିରୁ ଉଚ୍ଚଗତି ଅର୍ଥାତ୍ ମୁକ୍ତି-ଜୀବନମୁକ୍ତିକୁ ପ୍ରାପ୍ତ କରନ୍ତି । ତେବେ
ପ୍ରଥମେ ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ ଆସିବେ । ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବେ ।
ଏହି ଚକ୍ରର ସବୁ ରହସ୍ୟକୁ ବାବା ଏବେ ବୁଝାଉଛନ୍ତି । ତୁମମାନଙ୍କର ଧର୍ମ ସହିତ ଅନ୍ୟ ଧର୍ମ ସବୁ
ଆସିଯାଉଛନ୍ତି ତେଣୁ ମନୁଷ୍ୟ ସୃଷ୍ଟି ବୃଦ୍ଧିକୁ ପ୍ରାପ୍ତ କରୁଛି । ବାବା କହୁଛନ୍ତି ବର୍ତ୍ତମାନ
ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ତମୋପ୍ରଧାନ ଜଡ ଜଡିଭୂତ ହୋଇଯାଇଛି । ଆଦି ସନାତନ ଦେବୀ ଦେବତା
ଧର୍ମର ମୂଳଦୁଆ ହିଁ ସଢ଼ିଯାଇଛି । ବାକି ସବୁ ଧର୍ମ ରହିଛି । ଭାରତରେ ଏମିତି କେହି ଜଣେ ବି
ନାହାଁନ୍ତି ଯିଏକି ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ବୋଲି ମାନୁଛନ୍ତି । ବାସ୍ତବରେ ସେମାନେ
ଦେବତା ଧର୍ମର ଥିଲେ ପରନ୍ତୁ ବର୍ତ୍ତମାନ ଏକଥା ଜାଣି ନାହାଁନ୍ତି ଯେ - ଆମେ ଆଦି ସନାତନ ଦେବୀ
ଦେବତା ଧର୍ମର ଥିଲୁ କାରଣ ଦେବତାମାନେ ତ’ ପବିତ୍ର ଥିଲେ । ନିଜକୁ ଜାଣିଛନ୍ତି ଯେ, ମୁଁ ତ’
ପବିତ୍ର ନୁହେଁ । ଆମେ ତ ପତିତ, ତେଣୁ ନିଜକୁ ଦେବତା କିପରି କହିବୁ? ତେଣୁ ଏହା ମଧ୍ୟ ଡ୍ରାମାର
ଯୋଜନା ଅନୁସାରେ ନିଜକୁ ହିନ୍ଦୁ କହିବାର ରୀତି ପଡିଯାଉଛି । ଜନଗଣନାରେ ମଧ୍ୟ ହିନ୍ଦୁ ଧର୍ମ ବୋଲି
ଲେଖିଦେଇଛନ୍ତି । ଯଦି ଗୁଜୁରାତି ହୋଇଥିବେ ତେବେ ମଧ୍ୟ ନିଜକୁ ହିନ୍ଦୁ ଗୁଜୁରାତି କହିଦେବେ ।
ତେବେ ସେମାନଙ୍କୁ ପଚାରିବା ଉଚିତ୍ ଯେ, ହିନ୍ଦୁ ଧର୍ମ କେଉଁଠୁ ଆସିଲା? ଏକଥା କାହାକୁ ଜଣାନାହିଁ,
କେବଳ କହିଦେଉଛନ୍ତି - ଆମର ଧର୍ମ ଶ୍ରୀକୃଷ୍ଣ ସ୍ଥାପନ କରିଥିଲେ । କେବେ? ଦ୍ୱାପର ଯୁଗରେ ।
ବାସ୍ତବରେ ମନୁଷ୍ୟମାନେ ଦ୍ୱାପର ଯୁଗରୁ ନିଜର ଧର୍ମକୁ ଭୁଲି ହିନ୍ଦୁ କହିବାକୁ ଲାଗିଲେ ସେଥିପାଇଁ
ତାଙ୍କୁ ଦୈବୀ ଧର୍ମଭ୍ରଷ୍ଟ କୁହାଯାଏ । ସେଠାରେ ସମସ୍ତେ ଭଲ କର୍ମ କରନ୍ତି । କିନ୍ତୁ ଏଠାରେ
ସମସ୍ତେ ଛି ଛି କର୍ମ କରନ୍ତି ସେଥିପାଇଁ ଦେବୀ ଦେବତା ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ କୁହାଯାଏ । ଏବେ
ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ଦୈବୀ କର୍ମର ସ୍ଥାପନା ହେଉଛି ସେଥିପାଇଁ କୁହାଯାଉଛି, ଏହି ୫ ବିକାର
ଗୁଡିକୁ ଛାଡ । ଅଧାକଳ୍ପ ହେବ ତୁମ ଭିତରେ ଏହି ବିକାର ରହି ଆସିଛି । ଏବେ ଏହି ଗୋଟିଏ ଜନ୍ମରେ
ଏହାକୁ ଛାଡିବାକୁ ହେବ, କିନ୍ତୁ ଏଥିରେ ମେହେନତ ଲାଗୁଛି । ତେବେ ବିନା ମେହେନତରେ କ’ଣ ବିଶ୍ୱର
ବାଦଶାହୀ ମିଳିବ କି? ବାବାଙ୍କୁ ସ୍ମରଣ କରି କରି ନିଜକୁ ରାଜତିଳକ ଦେଉଛ ଅର୍ଥାତ୍ ରାଜତ୍ୱର
ଅଧିକାରୀ ହେଉଛ । ଯେତେ ଭଲ ଭାବରେ ଯୋଗର ଯାତ୍ରାରେ ରହିବ, ଶ୍ରୀମତରେ ଚାଲିବ ତୁମେ ରାଜାମାନଙ୍କର
ରାଜା ହୋଇପାରିବ । ବାବା ଏବେ ଶିକ୍ଷକ ରୂପରେ ପାଠ ପଢ଼ାଇବା ପାଇଁ ଆସିଛନ୍ତି । ଏହା ହେଉଛି
ମନୁଷ୍ୟରୁ ଦେବତା ହେବାର ପାଠଶାଳା । ବାବା ନରରୁ ନାରାୟଣ ହେବାର କଥା ଶୁଣାଉଛନ୍ତି । ଏହି କଥା
କେତେ ପ୍ରସିଦ୍ଧ । ଏହାକୁ ଅମରକଥା, ସତ୍ୟନାରାୟଣଙ୍କ କଥା, ତିଜରି କଥା ମଧ୍ୟ କୁହାଯାଏ ।
ତିନିଟିର ଅର୍ଥ ମଧ୍ୟ ବାବା ବସି ବୁଝାଉଛନ୍ତି । ଭକ୍ତିମାର୍ଗର କାହାଣୀ ତ ବହୁତ ରହିଛି । ଦେଖ
ଆଜିର ଏହି ଗୀତ କେତେ ଭଲ । ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି, ଯେଉଁ ମାଲିକପଣକୁ କେହି
ବି ଲୁଟି ନେଇପାରିବେ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ଏହି
ସ୍ମୃତି ରଖ ଯେ ଆମେ ଏକମତ, ଏକ ରାଜ୍ୟ ଏବଂ ଏକ ଧର୍ମର ସ୍ଥାପନାର ନିମିତ୍ତ ଅଟୁ ସେଥିପାଇଁ ଏକମତ
ହୋଇ ରହିବାକୁ ହେବ ।
(୨) ନିଜକୁ ରାଜତ୍ୱର ତିଳକ ଦେବା ପାଇଁ ବିକାର ଗୁଡିକୁ ଛାଡିବାର ମେହେନତ କରିବାକୁ ହେବ । ପାଠପଢ଼ା
ଉପରେ ପୂରା ପୂରା ଧ୍ୟାନ ଦେବା ଉଚିତ୍ ।
ବରଦାନ:-
ତ୍ରିକାଳଦର୍ଶୀ
ସ୍ଥିତି ଦ୍ୱାରା ମାୟାର ଆକ୍ରମଣଠାରୁ ସୁରକ୍ଷିତ ରହୁଥିବା ଅତିନ୍ଦ୍ରିୟ ସୁଖର ଅଧିକାରୀ ହୁଅ ।
ସଂଗମଯୁଗର ବିଶେଷ ବରଦାନ
ବା ବ୍ରାହ୍ମଣ ଜୀବନର ବିଶେଷତା ହେଲା - ଅତିନ୍ଦ୍ରିୟ ସୁଖ । ଏହାର ଅନୁଭବ ଅନ୍ୟ କୌଣସି ଯୁଗରେ
ହୋଇନଥାଏ । କିନ୍ତୁ ସୁଖର ଅନୁଭୂତି କରିବା ପାଇଁ ନିଜର ତ୍ରିକାଳଦର୍ଶୀ ସ୍ଥିତି ଦ୍ୱାରା ମାୟାର
ଆକ୍ରମଣଠାରୁ ସୁରକ୍ଷିତ ରୁହ । ଯଦି ବାରମ୍ବାର ମାୟାର ଆକ୍ରମଣ ହୋଇ ଚାଲିଥିବ ତେବେ ଯେତେ ଇଚ୍ଛା
କରିଲେ ମଧ୍ୟ ଅତିନ୍ଦ୍ରୀୟ ସୁଖର ଅନୁଭୂତି କରିପାରିବ ନାହିଁ ଏବଂ ଯେଉଁମାନେ ଅତିନ୍ଦ୍ରୀୟ ସୁଖର
ଅନୁଭୂତି କରିନିଅନ୍ତି ସେମାନଙ୍କୁ ଇନ୍ଦ୍ରିୟ ସୁଖ ଆକର୍ଷିତ କରିପାରେ ନାହିଁ, ଜ୍ଞାନବାନ ଆତ୍ମା
ହେବା କାରଣରୁ ଇନ୍ଦ୍ରିୟ ସୁଖ ସେମାନଙ୍କୁ ତୁଚ୍ଛ ଅନୁଭବ ହୁଏ ।
ସ୍ଲୋଗାନ:-
ଯଦି ସଂକଳ୍ପ
ଦ୍ୱାରା ଏବଂ କର୍ମ ଦ୍ୱାରା ସେବା କରିବାର ସନ୍ତୁଳନ ରହିବ ତେବେ ଶକ୍ତିଶାଳୀ ବାତାବରଣ ସୃଷ୍ଟି
କରିପାରିବ ।