05.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବାଙ୍କର ସ୍ନେହ ତ ସବୁ ପିଲାମାନଙ୍କ ପ୍ରତି ରହିଛି କିନ୍ତୁ ଯେଉଁମାନେ ବାବାଙ୍କର ନିର୍ଦ୍ଦେଶକୁ ତୁରନ୍ତ ପାଳନ କରନ୍ତି ସେହି ପିଲାମାନେ ବାବାଙ୍କୁ ଆକର୍ଷିତ କରିଥାନ୍ତି । ଗୁଣବାନ୍ ପିଲାମାନେ ହିଁ ବାବାଙ୍କର ସ୍ନେହକୁ ଆକର୍ଷିତ କରିଥାନ୍ତି ।

ପ୍ରଶ୍ନ:-
ବାବା କେଉଁ ଠିକା ନେଇଛନ୍ତି ?

ଉତ୍ତର:-
ସମସ୍ତଙ୍କୁ ଫୁଲ ଭଳି କରି ଘରକୁ ନେଇଯିବାର ଠିକା ଏକମାତ୍ର ବାବା ହିଁ ନେଇଛନ୍ତି । ବାବାଙ୍କ ଭଳି ଠିକାଦର ଦୁନିଆରେ ଆଉ କେହି ନାହାଁନ୍ତି । ସିଏ ହିଁ ସମସ୍ତଙ୍କର ସଦଗତି କରିବା ପାଇଁ ଆସୁଛନ୍ତି । ବାବା ମଧ୍ୟ ସେବା ବିନା ରହିପାରିବେ ନାହିଁ । ତେଣୁ ପିଲାମାନଙ୍କୁ ମଧ୍ୟ ସେବା କରି ପ୍ରମାଣ ଦେବାକୁ ହେବ । ଶୁଣି ନ ଶୁଣିଲା ପରି ରହିବା ଉଚିତ୍ ନୁହେଁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି ପିଲାମାନେ, ନିଜକୁ ଆତ୍ମା ନିଶ୍ଚୟ କରି ବସ । ଏହିକଥା ଏକମାତ୍ର ବାବା ହିଁ ବୁଝାଉଛନ୍ତି ଅନ୍ୟ କେହି ମନୁଷ୍ୟ କାହାକୁ ବୁଝାଇପାରିବେ ନାହିଁ । ନିଜକୁ ଆତ୍ମା ନିଶ୍ଚୟ କର ଏହି ଶିକ୍ଷା ବାବା ୫ ହଜାର ବର୍ଷ ପରେ ହିଁ ଆସି ଶିଖାଉଛନ୍ତି । ତେବେ ଏକଥା ତୁମେ କେବଳ ପିଲାମାନେ ହିଁ ଜାଣିଛ । କାହାକୁ ହେଲେ ମଧ୍ୟ ଜଣାନାହିଁ ଯେ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ତୁମମାନଙ୍କର ଏହିକଥା ସ୍ମୃତିରେ ରହିବା ଉଚିତ୍ ଯେ ଆମେ ସମସ୍ତେ ଏବେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛୁ, ଏହା ହିଁ ହେଉଛି ମନ୍ମନାଭବ । ବାବା କହୁଛନ୍ତି ମୋତେ ମନେପକାଅ କାହିଁକିନା ଏବେ ଘରକୁ ଫେରିଯିବାକୁ ହେବ । ୮୪ ଜନ୍ମ ଏବେ ପୁରା ହେବାକୁ ହେଉଛି, ଏବେ ସତ୍ତୋପ୍ରଧାନ ଅର୍ଥାତ୍ ପବିତ୍ର ହୋଇ ଘରକୁ ଫେରିଯିବାକୁ ହେବ । କେହି କେହି ତ ବାବାଙ୍କୁ ବିଲକୁଲ୍ ମନେପକାଉନାହାନ୍ତି । ବାବା ତ ପ୍ରତ୍ୟେକଙ୍କ ପୁରୁଷାର୍ଥକୁ ଭଲ ଭାବରେ ଜାଣିଛନ୍ତି । ମୁଖ୍ୟତଃ ଯେଉଁମାନେ ଏଠାରେ ରହୁଛନ୍ତି ଏବଂ ସାଧାରଣ ଭାବେ ଯେଉଁମାନେ ବାହାରେ ରହୁଛନ୍ତି । ବାବା କହୁଛନ୍ତି- ଯଦିଓ ମୁଁ ଏଠାରେ ବସି ଦେଖୁଛି କିନ୍ତୁ ଯିଏ ସେବାଧାରୀ ସନ୍ତାନ ଅଟନ୍ତି ସେମାନଙ୍କୁ ମୁଁ ମନେପକାଉଛି । ଏମାନେ କେଉଁ ପ୍ରକାରର ଫୁଲ, ୟାଙ୍କ ଭିତରେ କଣ କଣ ଗୁଣ ରହିଛି ? ଏକଥା ମଧ୍ୟ ଦେଖୁଛ । କେହି କେହି ତ ଏମିତି ଅଛନ୍ତି ଯାହାଙ୍କ ଭିତରେ କିଛି ଗୁଣ ନାହିଁ । ତେବେ ଏଭଳି ପିଲାଙ୍କୁ ବାବା ଦେଖି କଣ କରିବେ । ବାବା ତ ଚୁମ୍ବକ ଅର୍ଥାତ୍ ପରମ ପବିତ୍ର ଆତ୍ମା ଅଟନ୍ତି, ତେବେ ନିଶ୍ଚିତ ସିଏ ସମସ୍ତଙ୍କୁ ଆକର୍ଷିତ କରିବେ । ବାବା ସବୁ କିଛି ଜାଣିପାରନ୍ତି । କିନ୍ତୁ ବାବା ଯେପରି ତୁମକୁ ନିଜର ଦିନଚର୍ଯ୍ୟା ବତାଉଛନ୍ତି ସେହିପରି ତୁମେମାନେ ମଧ୍ୟ ତାଙ୍କୁ ନିଜର ଦିନଚର୍ଯ୍ୟା ବତାଇବା ଦରକାର । ବାବା କହୁଛନ୍ତି ମୁଁ ତୁମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି । ତେବେ ଯିଏ ଯେମିତି ପୁରୁଷାର୍ଥ କରିବ । ପୁରୁଷାର୍ଥ ଯାହା ବି କରୁଛ, ତାହା ବାବାଙ୍କୁ ଜଣାଇବା ଦରକାର । ବାବା ଲେଖୁଛନ୍ତି ସମସ୍ତଙ୍କର ବୃତ୍ତି କଣ ତାହା ଲେଖି ପଠାଅ ଅଥବା ତାଙ୍କ ଦ୍ୱାରା ଲେଖି ପଠାଅ । ଯିଏ ଚତୁର ବୁଦ୍ଧିମାନ ବ୍ରାହ୍ମଣୀ ଅଟନ୍ତି ସିଏ ସବୁ ଲେଖି ପଠାନ୍ତି- କଣ ଧନ୍ଦା କରୁଛନ୍ତି, କେତେ ଆମଦାନୀ କରୁଛନ୍ତି ? ବାବାଙ୍କ ଭିତରେ ଯାହା ଜ୍ଞାନ ରହିଛି ତାହା ତୁମକୁ ଶୁଣାଉଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ସମସ୍ତଙ୍କ ଅବସ୍ଥାକୁ ଜାଣିଛନ୍ତି । ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ଫୁଲ ଅଛନ୍ତି ନା । (ବାବା ଗୋଟିଏ ଫୁଲ ଦେଖାଇ) ଦେଖ, କେତେ ସୁନ୍ଦର ଫୁଲ । ଏବେ ଦେଖ ଏଥିରେ କେତେ ସୁଗନ୍ଧ ହେଉଛି, ପୁଣି ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ଫୁଟିତ ହୋଇଯିବ ସେତେବେଳେ ତାର ଶୋଭା ବହୁତ ଆକର୍ଷଣୀୟ ଲାଗିବ । ତୁମେମାନେ ମଧ୍ୟ ଏହି ଲକ୍ଷ୍ମୀ ନାରାୟଣଙ୍କ ଭଳି ଯୋଗ୍ୟ ହୋଇଯିବ । ତେଣୁ ବାବା ସମସ୍ତଙ୍କୁ ଦେଖୁଛନ୍ତି, ଏମିତି ନୁହେଁ ଯେ ସମସ୍ତଙ୍କୁ ଶକ୍ତିର କିରଣ ଦେଉଛନ୍ତି । ଯିଏ ଯେମିତି ହୋଇଥାନ୍ତି ସେମିତି ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି, ଆଉ ଯେଉଁମାନଙ୍କର କୌଣସି ଗୁଣ ନାହିଁ ସିଏ କଣ ବା ଆକର୍ଷିତ କରିବ । ସିଏ ସେଠାରେ (ସତ୍ୟଯୁଗରେ) ଛୋଟ ପଦ ପ୍ରାପ୍ତ କରିବେ । ବାବା ପ୍ରତ୍ୟେକ ଆତ୍ମାଙ୍କର ଗୁଣକୁ ଦେଖୁଛନ୍ତି ଏବଂ ସ୍ନେହ ମଧ୍ୟ କରୁଛନ୍ତି । ସ୍ନେହରେ, ଆଖିରୁ ଲୁହ ବାହାରି ଯାଇଥାଏ ନା । ଏହି ସେବାଧାରୀ ସନ୍ତାନ (ବ୍ରହ୍ମାବାବା)କେତେ ସେବା କରୁଛନ୍ତି । ୟାଙ୍କୁ ସେବା ବିନା ଆରାମ କରିବା ଭଲ ଲାଗେ ନାହିଁ । କେହି କେହି ତ ସେବା କରିବା ମଧ୍ୟ ଶିଖି ନାହାଁନ୍ତି, ଯୋଗରେ ବସୁ ନାହାଁନ୍ତି ଜ୍ଞାନର ଧାରଣା ମଧ୍ୟ କରୁ ନାହାଁନ୍ତି । ବାବା ଜାଣିଛନ୍ତି- ଇଏ କଣ ପଦ ପାଇବେ । କେହି ବି ଲୁଚି ରହିପାରିବେ ନାହିଁ । ଯେଉଁ ପିଲାମାନେ ବହୁତ ଭଲ, ବୁଦ୍ଧିବାନ୍ ଅଟନ୍ତି, ସେବାକେନ୍ଦ୍ରର ଦାୟିତ୍ୱ ନେଇଛନ୍ତି, ସେମାନେ ପ୍ରତ୍ୟେକଙ୍କର ଦିନଚର୍ଯ୍ୟା ଲେଖି ପଠାଇବା ଦରକାର । ତେବେ ବାବା ଜାଣିବେ ଯେ ଇଏ କେତେ ପୁରୁଷାର୍ଥୀ ଅଟନ୍ତି । ବାବା ତ ହେଉଛନ୍ତି ଜ୍ଞାନର ସାଗର, ସିଏ ପିଲାମାନଙ୍କୁ ହିଁ ଜ୍ଞାନ ଦେଉଛନ୍ତି । କିଏ କେତେ ଜ୍ଞାନ ଧାରଣ କରୁଛନ୍ତି, କେତେ ଗୁଣବାନ୍ ତାହା ତୁରନ୍ତ ଜଣା ପଡିଯାଉଛି । ବାବାଙ୍କର ସ୍ନେହ ତ ସମସ୍ତଙ୍କ ପ୍ରତି ରହିଛି । ଏହା ଉପରେ ଗୋଟିଏ ଗୀତ ମଧ୍ୟ ଅଛି ତେରେ କାଣ୍ଟୋ ସେ ଭି ପ୍ୟାର । ସମସ୍ତେ ତ କ୍ରମାନୁସାରେ ଅଛନ୍ତି । ତେବେ ତୁମର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର । ବାବା ଯାହା କହୁଛନ୍ତି ତାକୁ ଯଦି ତୁରନ୍ତ ପ୍ରତ୍ୟକ୍ଷରେ କରି ଦେଖାଇବ ତେବେ ବାବା ଜାଣିଯିବେ ଯେ ବାବାଙ୍କ ପ୍ରତି କେତେ ସ୍ନେହ ଅଛି । ତାଙ୍କୁ ଆକର୍ଷିତ ହେବ । ବାବାଙ୍କର ଆକର୍ଷଣ ଏମିତି ଯାହାକି ଏକଦମ୍ ଚୁମ୍ବକ ଭଳି ଲାଖିଯିବ । କିନ୍ତୁ ଯଦି କଳଙ୍କ ଛାଡି ନଥିବ ତେବେ ଆକର୍ଷିତ ମଧ୍ୟ ହୋଇପାରିବ ନାହିଁ । ମୁଁ ଜଣ ଜଣ କରି ସମସ୍ତଙ୍କୁ ଦେଖୁଛି ।

ବାବାଙ୍କୁ ସେବାଯୋଗ୍ୟ ସନ୍ତାନ ଆବଶ୍ୟକ । ବାବା ତ ସେବା ପାଇଁ ଆସୁଛନ୍ତି । ପତିତକୁ ପାବନ କରୁଛନ୍ତି । ଏକଥା ତୁମେ ଜାଣିଛ, ଦୁନିଆର ମନୁଷ୍ୟ ଜାଣିନାହାନ୍ତି କାରଣ ଏବେ ତୁମେ ବହୁତ କମ୍ ସଂଖ୍ୟାରେ ଅଛ । ତେବେ ଯେ ପର୍ଯ୍ୟନ୍ତ ମୋ ସହିତ ଯୋଗ ନ ଲଗାଇଛ ସେପର୍ଯ୍ୟନ୍ତ ମୋର ଆକର୍ଷଣ ହୋଇପାରିବ ନାହିଁ । ଏହିଭଳି ମେହେନତ ବହୁତ କମ୍ ପିଲା କରୁଛନ୍ତି । କେତେକ ପିଲା ତ କିଛି ନା କିଛି କାର୍ଯ୍ୟରେ ଏକଦମ୍ ଲାଗି ରହୁଛନ୍ତି । ଏହା ସେହିଭଳି ସତ୍ସଙ୍ଗ ନୁହେଁ, ଯାହା ଶୁଣିବେ କେବଳ ସତ୍ୟ ସତ୍ୟ କହିବେ । ସର୍ବ ଶାସ୍ତ୍ରମୟୀ ଶିରୋମଣୀ ଏକମାତ୍ର ଗୀତା ଅଟେ । ଗୀତାରେ ହିଁ ରାଜଯୋଗ ବିଷୟରେ ଉଲ୍ଲେଖ କରାଯାଇଛି । ବିଶ୍ୱର ମାଲିକ ତ ବାବା ହିଁ ଅଟନ୍ତି । ମୁଁ ପିଲାମାନଙ୍କୁ କହିଚାଲିଛି ଯେ ଗୀତାରୁ ହିଁ ପ୍ରଭାବ ବିସ୍ତାର ହେବ । କିନ୍ତୁ ସେତିକି ଶକ୍ତି ମଧ୍ୟ ଥିବା ଦରକାର ନା । ଯୋଗବଳର ଧାର ବହୁତ ଭଲ ଥିବା ଦରକାର, ଯେଉଁଥିରେ ବହୁତ ପିଲା ଦୁର୍ବଳ ଅଛନ୍ତି । ଏବେ ଆଉ ଅଳ୍ପ ସମୟ ବାକି ଅଛି । କହୁଛନ୍ତି ମିଠ୍ରା ଘୁର୍ ତୋ ଘୁରାଏ (ମୋତେ ସ୍ନେହ କର ତେବେ ମୁଁ ମଧ୍ୟ ସ୍ନେହ କରିବି) । ଏହା ହେଉଛି ଆତ୍ମାର ସ୍ନେହ । କେବଳ ଏକମାତ୍ର ବାବାଙ୍କ ସ୍ମୃତିରେ ରୁହ କାରଣ ଏହି ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । କେହି କେହି ତ ବାବାଙ୍କୁ ବିଲକୁଲ୍ ମନେପକାଉନାହାନ୍ତି । ବାବା ବୁଝାଉଛନ୍ତି- ଏଠାରେ ଭକ୍ତିର କଥା ନାହିଁ । ଏହି ବ୍ରହ୍ମାବାବା ହେଉଛନ୍ତି ଶିବବାବାଙ୍କର ରଥ, ୟାଙ୍କ ଦ୍ୱାରା ହିଁ ବାବା ପାଠପଢ଼ାଉଛନ୍ତି । ଶିବବାବା ଏପରି କହୁନାହାନ୍ତି ଯେ ମୋ ପାଦ ଧୋଇ ପିଅ । ବାବା ତ ହାତ ମଧ୍ୟ ଲଗାଇଦିଅନ୍ତି ନାହିଁ । ଏହା ତ ପାଠପଢ଼ା, ତେବେ ପଦା ଛୁଇଁବା ଦ୍ୱାରା କଣ ମିଳିବ । ବାବା ତ ସମସ୍ତଙ୍କର ସଦଗତି କରୁଛନ୍ତି । ଏକଥା କୋଟିକରେ କେହି ଜଣେ ଜଣେ ହିଁ ବୁଝୁଛନ୍ତି । ଯିଏ କଳ୍ପ ପୂର୍ବରୁ ବୁଝିଥିବେ, ସିଏ ହିଁ ବୁଝିବେ । ଭୋଳାନାଥ ବାବା ଆସି ଭୋଲି-ଭୋଲି ମାତାମାନଙ୍କୁ ଜ୍ଞାନ ଦେଇ ଉପରକୁ ଉଠାଉଛନ୍ତି । ବାବା ଏକଦମ୍ ମୁକ୍ତି ଜୀବନମୁକ୍ତିକୁ ନେଇଯାଉଛନ୍ତି । ବାବା କହୁଛନ୍ତି କେବଳ ବିକାରକୁ ତ୍ୟାଗ କର । ଏହା ଉପରେ ହିଁ ସବୁ ଗଣ୍ଡଗୋଳ ହେଉଛି । ତେଣୁ ବାବା କହୁଛନ୍ତି ନିଜକୁ ଦେଖ ଯେ ମୋ ଭିତରେ କେଉଁ ଅବଗୁଣ ଅଛି ? ବ୍ୟବସାୟୀମାନେ ପ୍ରତ୍ୟେକ ଦିନ ନିଜର ଲାଭ କ୍ଷତିର ହିସାବ ଦେଖିଥାନ୍ତି । ତୁମେମାନେ ସେହିଭଳି ନିଜର ହିସାବ ରଖ ମୁଁ କେତେ ସମୟ ଅତି ସ୍ନେହୀ ବାବା, ଯିଏ ଆମକୁ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ମନେପକାଉଛି ? ଯଦି କମ୍ ସମୟ ମନେପକାଉଥିବ ତେବେ ନିଜକୁ ଲଜ୍ଜ୍ୟା ଆସିବ ଯେ ମୁଁ ଏଭଳି ବାବାଙ୍କୁ ମନେପକାଉନାହିଁ । ମୋର ବାବା ସବୁଠାରୁ ଭିନ୍ନ ଏବଂ ଆଶ୍ଚର୍ଯ୍ୟଜନକ ଅଟନ୍ତି । ସାରା ସୃଷ୍ଟିରେ ସ୍ୱର୍ଗ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟ । ଦୁନିଆର ମନୁଷ୍ୟ ତ ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି କିନ୍ତୁ ତୁମେମାନେ ୫ ହଜାର ବର୍ଷ କହୁଛ । ତେବେ ଏଥିରେ କେତେ ରାତି ଦିନର ପାର୍ଥକ୍ୟ ରହିଛି । ତେବେ ଯିଏ ବହୁତ ପୁରୁଣା ଭକ୍ତ ତାଙ୍କ ପ୍ରତି ବାବା ମଧ୍ୟ ଆକର୍ଷିତ ହେଉଛନ୍ତି । କାରଣ ସିଏ ବହୁତ ଭକ୍ତି କରିଛନ୍ତି ନା । ବ୍ରହ୍ମାବାବା ଏହି ଜନ୍ମରେ ମଧ୍ୟ ଗୀତା ପଢ଼ୁଥିଲେ ଏବଂ ନାରାୟଣଙ୍କ ଚିତ୍ରକୁ ମଧ୍ୟ ରଖୁଥିଲେ । ଲକ୍ଷ୍ମୀଙ୍କୁ ଦାସୀ ପଣିଆରୁ ମୁକ୍ତ କରିଦେଇ କେତେ ଖୁସି ହୋଇଯାଉଥିଲେ । ଯେମିତି ଆମେ ଏହି ଶରୀର ଛାଡି ଯାଇ ସତ୍ୟଯୁଗରେ ଅନ୍ୟ ଏକ ଶରୀର ନେବା ସେମିତି ବାବାଙ୍କୁ ମଧ୍ୟ ଖୁସି ରହୁଛି ଯେ ମୁଁ ସେଠାରେ ଯାଇ ରାଜକୁମାର ହେବି । ସିଏ ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି । ତେବେ ବିନା ପୁରୁଷାର୍ଥରେ କିପରି ରାଜକୁମାର ହେବେ । ତୁମେ ମଧ୍ୟ ଯଦି ବାବାଙ୍କୁ ଭଲ ଭାବରେ ମନେପକାଇବ ତେବେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ କରିବ । କେହି କେହି ନା ପଢୁଛନ୍ତି ନା ଦୈବୀଗୁଣ ଧାରଣ କରୁଛନ୍ତି । ନିଜର ଦିନଚର୍ଯ୍ୟା ହିଁ ରଖୁନାହାନ୍ତି । ତେବେ ଦିନଚର୍ଯ୍ୟା ସର୍ବଦା ସେହିମାନେ ରଖିବେ ଯେଉଁମାନଙ୍କୁ ଉଚ୍ଚ ପଦ ଅର୍ଥାତ୍ ଶ୍ରେଷ୍ଠ ପଦ ନେବାର ଥିବ । କେତେକ କେବଳ ଦେଖାଣିଆ କରୁଛନ୍ତି । ୧୫-୨୦ ଦିନ ପରେ ଲେଖିବା ହିଁ ଛାଡି ଦେଉଛନ୍ତି । ଏଠାରେ ତ ପରୀକ୍ଷା ଆଦି ମଧ୍ୟ ଗୁପ୍ତ । ପ୍ରତ୍ୟେକଙ୍କର ଯୋଗ୍ୟତାକୁ ବାବା ଜାଣିଛନ୍ତି । ଯଦି ବାବାଙ୍କର କଥାକୁ ତୁରନ୍ତ ମାନିନେବ ତେବେ ତାଙ୍କୁ ଆଜ୍ଞାକାରୀ, ବିଶ୍ୱସ୍ତ ବୋଲି କୁହାଯିବ । ବାବା କହୁଛନ୍ତି ଏବେ ପିଲାମାନଙ୍କୁ ବହୁତ କାର୍ଯ୍ୟ କରିବାର ଅଛି । କେତେ କେତେ ଭଲ ପିଲା ମଧ୍ୟ ବାବାଙ୍କୁ ଛାଡପତ୍ର ଦେଇ ଚାଲିଗଲେ । କିନ୍ତୁ ଶିବବାବା କାହାକୁ ଛାଡପତ୍ର ଦେବେ ନାହିଁ । ଇଏ ତ ସବୁଠାରୁ ବଡ ଠିକା ଉଠାଇବା ପାଇଁ ଡ୍ରାମାନୁସାରେ ଆସିଛନ୍ତି । ମୁଁ ହେଉଛି ସବୁଠାରୁ ବଡ ଠିକାଦାର । ସମସ୍ତଙ୍କୁ ଫୁଲ ଭଳି ଗୁଲଗୁଲ୍ (ସୁନ୍ଦର) କରି ଘରକୁ ନେଇଯିବି । ତୁମେମାନେ ଜାଣିଛ ଯେ ପତିତରୁ ପାବନ କରୁଥିବା ଠିକାଦାର ଏକମାତ୍ର ବାବା ହିଁ ଅଟନ୍ତି । ସିଏ ଏବେ ତୁମ ସମ୍ମୁଖରେ ବସିଛନ୍ତି । କେତେକଙ୍କର ବହୁତ ନିଶ୍ଚୟ ରହିଛି, ଆଉ ଅନ୍ୟ କେତେକଙ୍କୁ ବିଲକୁଲ୍ ନିଶ୍ଚୟ ନାହିଁ । ଆଜି ଏଠାରେ ଅଛନ୍ତି, କାଲି ଚାଲିଯିବେ । କାରଣ ତାଙ୍କର ସ୍ୱଭାବ ହିଁ ସେହିପରି । ତେବେ ମନ ଭିତରେ ନିଶ୍ଚିତ ଆସିବ- ଆମେ ବାବାଙ୍କ ପାଖରେ ରହି, ବାବାଙ୍କର ହୋଇ କଣ କରୁଛୁ । ଯଦି କିଛି ବି ସେବା କରିବ ନାହିଁ ତେବେ କଣ ମିଳିବ । ରୋଟି ସେକିବା, ତରକାରୀ ପ୍ରସ୍ତୁତ କରିବା ଏହା ତ ପୂର୍ବରୁ ମଧ୍ୟ କରୁଥିଲୁ । ନୂଆ ସେବା କଣ କରିଛୁ ? ଅନେକଙ୍କୁ ବାବାଙ୍କ ପରିଚୟ ଦେବାର, ସେବାର ପ୍ରମାଣ ଦେବାର ଅଛି ନା ।

ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବେ ତିଆରି ହୋଇଛି । ଯାହାକିଛି ହେଉଛି ତାକୁ ତୁମେ ବାସ୍ତବରେ ଦେଖୁଛ । ଶାସ୍ତ୍ରଗୁଡିକରେ ତ ଶ୍ରୀକୃଷ୍ଣଙ୍କର ଚରିତ୍ର ଲେଖିଦେଇଛନ୍ତି କିନ୍ତୁ ସେହି ଚରିତ୍ର ସବୁ ଏକମାତ୍ର ବାବାଙ୍କର । ସିଏ ହିଁ ସମସ୍ତଙ୍କର ସଦଗତି କରୁଛନ୍ତି । ୟାଙ୍କ ପରି ଚରିତ୍ର ଆଉ କାହାର ହୋଇପାରିବ ନାହିଁ । ଚରିତ୍ର ତ କିଛି ଢ଼ଙ୍ଗର ହୋଇଥିବା ଦରକାର । ବାକି ହରଣ କରିନେଇଯିବା, ଚୋରି କରିବା ଏହା କୌଣସି ଚରିତ୍ର ନୁହେଁ । ସମସ୍ତଙ୍କର ସଦଗତିଦାତା ଏକମାତ୍ର ହେଉଛନ୍ତି ବାବା । ସିଏ କଳ୍ପ କଳ୍ପ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । ଏଥିରେ ଲକ୍ଷ ଲକ୍ଷ ବର୍ଷର କୌଣସି କଥା ନାହିଁ ।

ବର୍ତ୍ତମାନ ପିଲାମାନଙ୍କୁ ଛି ଛି ଖରାପ ଅଭ୍ୟାସ ଛାଡିବାକୁ ପଡିବ । ନଚେତ୍ କେଉଁ ପଦ ପାଇବ ? ପ୍ରିୟତମ ବାବା ତୁମ ଭିତରେ ଗୁଣ ଦେଖିଲେ ତ ଖୁସି ହେବେ ନା । ତେବେ ଖୁସି ସେମାନଙ୍କ ଉପରେ ହେବେ ଯେଉଁମାନେ ତାଙ୍କର ସେବା କରୁଥିବେ ଏବଂ ଯିଏ କିଛି ସେବା କରୁନାହାନ୍ତି ତେବେ ସେମାନେ କେଉଁ କାମର । ଏହି କଥାଗୁଡିକୁ ବହୁତ ଭଲ ଭାବରେ ବୁଝିବାକୁ ହେବ । ବାବା ବୁଝାଉଛନ୍ତି ତୁମେ ହେଉଛ ମହାନ୍ ଭାଗ୍ୟଶାଳୀ, ତୁମ ସଦୃଶ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି । ଯଦିଓ ତୁମେ ସ୍ୱର୍ଗକୁ ଯିବ, ସେଥିପାଇଁ ଉଚ୍ଚ ପ୍ରାରବ୍ଧ ଜମା କରିବା ଉଚିତ୍ । ଏହା ହେଉଛି କଳ୍ପ କଳ୍ପାନ୍ତରର କଥା । ଧିରେ ଧିରେ ପଦ ମଧ୍ୟ କମି କମି ଯାଏ । ତେବେ ଏମିତି ଖୁସି ହେବା ଉଚିତ୍ ନୁହେଁ ଯେ ଯାହା ମିଳିଲା ତାହା ଭଲ । ତୁମକୁ ପୁରୁଷାର୍ଥ ବହୁତ ଭଲ ଭାବରେ କରିବାକୁ ହେବ । କେତେଜଣଙ୍କୁ ନିଜ ସମାନ କରିଛ ? ତୁମର ପ୍ରଜା କେତେ ସଂଖ୍ୟାରେ ହୋଇଛନ୍ତି ? ଏହିସବୁ ସେବାର ପ୍ରମାଣ ଦେବା ଦରକାର । ବାବା, ଶିକ୍ଷକ ହୋଇ ସମସ୍ତଙ୍କୁ ପୁରୁଷାର୍ଥ କରାଉଛନ୍ତି । କିନ୍ତୁ କେତେକଙ୍କର ଭାଗ୍ୟରେ ହିଁ ନାହିଁ । ସବୁଠାରୁ ବଡ ଆଶୀର୍ବାଦ ହେଲା ବାବା ନିଜର ଶାନ୍ତିଧାମ ଦେଶକୁ ଛାଡି ଏହି ପତିତ ଦୁନିଆ ଏବଂ ପତିତ ଶରୀରରେ ଆସୁଛନ୍ତି । ନଚେତ୍ ତୁମକୁ ରଚୟିତା ଏବଂ ରଚନାର ଜ୍ଞାନ କିଏ ଶୁଣାଇବେ ? ଏକଥା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ଯେ ସତ୍ୟଯୁଗରେ ରାମରାଜ୍ୟ ଏବଂ କଳିଯୁଗରେ ରାବଣରାଜ୍ୟ ହେଉଛି । ରାମରାଜ୍ୟରେ ଗୋଟିଏ ରାଜ୍ୟ ଥିଲା କିନ୍ତୁ ରାବଣ ରାଜ୍ୟରେ ଅନେକ ରାଜ୍ୟ ରହିଛି ସେଥିପାଇଁ ତୁମେ ଲୋକମାନଙ୍କୁ ପଚାରୁଛ ଯେ ତୁମେ ନର୍କବାସୀ ନା ସ୍ୱର୍ଗବାସୀ ? କିନ୍ତୁ ସେମାନେ ଏହା ବୁଝିପାରୁନାହାନ୍ତି ଯେ ସେମାନେ ବର୍ତ୍ତମାନ କେଉଁଠି ଅଛନ୍ତି ? ଏହା ହେଉଛି କଣ୍ଟାର ଜଙ୍ଗଲ, ତାହା ହେଉଛି ଫୁଲର ବଗିଚା । ତେବେ ଏବେ ତୁମକୁ ମାତା ପିତା ଏବଂ ଅନନ୍ୟ ସନ୍ତାନମାନଙ୍କୁ ଅନୁସରଣ କରିବାକୁ ହେବ, ତେବେ ଯାଇ ଉଚ୍ଚ ହୋଇ ପାରିବ । ବାବା ତ ବହୁତ ବୁଝାଉଛନ୍ତି । କିନ୍ତୁ କେହି ବୁଝିଲାବାଲା ହିଁ ବୁଝିବେ । କେହି କେହି ସନ୍ତାନ ଶୁଣିବା ପରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିଥାନ୍ତି । କିନ୍ତୁ ଆଉ କେହି କେହି ତ ଶୁଣି ନଶୁଣିଲା ଭଳି ରହିଯାଉଛନ୍ତି । ସବୁଆଡେ ଲେଖାହୋଇଛି ଶିବବାବା ୟାଦ ହେ (ଶିବବାବାଙ୍କର ସ୍ମୃତିରେ ଅଛନ୍ତି) ? ତେବେ ସମ୍ପତ୍ତି ମଧ୍ୟ ନିଶ୍ଚିତ ସ୍ମୃତିରେ ଆସିବ । ଦୈବୀଗୁଣ ଥିଲେ ହିଁ ଦେବତା ହୋଇପାରିବ । ଯଦି କ୍ରୋଧ ଥିବ, ଆସୁରୀ ଅବଗୁଣ ଥିବ ତେବେ ଉଚ୍ଚପଦ ପ୍ରାପ୍ତ କରିପାରିବ ନାହିଁ । ସତ୍ୟଯୁଗରେ ୫ ବିକାର ରୂପୀ ଭୂତ ନଥାଏ । ସେଠାରେ ରାବଣ ହିଁ ନାହିଁ । ତେବେ ରାବଣର ଭୂତ କେଉଁଠାରୁ ଆସିବ । ଦେହ-ଅଭିମାନ, କାମ କ୍ରୋଧ... ଏସବୁ ହେଉଛି ବଡ ବଡ ଭୂତ । ଏଗୁଡିକୁ ବାହାର କରିବାର ଗୋଟିଏ ହିଁ ଉପାୟ ଏବଂ ତାହା ହେଉଛି- ବାବାଙ୍କର ସ୍ମୃତି । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ସବୁ ଭୂତ ଛାଡି ପଳାଇଯିବେ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ୍

ଅନେକ ପିଲାଙ୍କର ଇଚ୍ଛା ହେଉଛି ମୁଁ ମଧ୍ୟ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବି, ନିଜର ପ୍ରଜା ପ୍ରସ୍ତୁତ କରିବି । ଯେମିତି ଆମର ଅନ୍ୟ ଭାଇମାନେ ସେବା କରୁଛନ୍ତି ସେମିତି ମୁଁ ମଧ୍ୟ କରିବି । ଏଥିରେ ମାତାମାନେ ତ ଅଧିକ ସଂଖ୍ୟାରେ ଅଛନ୍ତି । ଜ୍ଞାନର କଳଷ ମଧ୍ୟ ତାଙ୍କମାନଙ୍କ ଉପରେ ରଖାଯାଇଛି । ବାକି ଏହା ତ ହେଉଛି ପ୍ରବୃତ୍ତିମାର୍ଗ । ତେବେ ଏଥିରେ ସ୍ତ୍ରୀ-ପୁରୁଷ ଉଭୟ ଦରକାର ନା । ବାବା ପଚାରୁଛନ୍ତି ତୁମର କେତୋଟି ସନ୍ତାନ ଅଛନ୍ତି ? ବାବା ଦେଖୁଛନ୍ତି ସେମାନେ ଠିକ୍ ଉତ୍ତର ଦେଉଛନ୍ତି । କହୁଛନ୍ତି ୫ ଲୌକିକ ସନ୍ତାନ, ଆଉ ଜଣେ ଶିବବାବା । କେହି କେହି ତ କେବଳ କଥାରେ କହିଦେଉଛନ୍ତି । କେହି କେହି ପୁଣି ବାବାଙ୍କୁ ବାସ୍ତବରେ ନିଜର ସନ୍ତାନ କରୁଛନ୍ତି । ତେବେ ଯେଉଁମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରୁଛନ୍ତି ସେହିମାନେ ବିଜୟ ମାଳାରେ ଗୁନ୍ଥା ହେବେ । ଯିଏ ପ୍ରକୃତ ଉତ୍ତରାଧିକାରୀ କରୁଛନ୍ତି ସିଏ ନିଜେ ମଧ୍ୟ ଉତ୍ତରାଧିକାରୀ ହେଉଛନ୍ତି । ସଚ୍ଚା ହୃଦୟ ଉପରେ ବାବା ଖୁସି ହୁଅନ୍ତି... ବାକି ଅନ୍ୟ ସମସ୍ତେ ତ କେବଳ କଥାରେ କହିଦେଉଛନ୍ତି । ବର୍ତ୍ତମାନ ପାରଲୌକିକ ପିତା ହିଁ ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି ସେଥିପାଇଁ ତାଙ୍କର ସ୍ମୃତିରେ ରହିବାକୁ ହେବ । ତାଙ୍କଠାରୁ ହିଁ ୨୧ ଜନ୍ମର ସମ୍ପତ୍ତି ମିଳୁଛି । ବୁଦ୍ଧିରେ ଏହି ଜ୍ଞାନ ଅଛି ଯେ ଏସବୁ କିଛି ରହିବ ନାହିଁ । ବାବା ପ୍ରତ୍ୟେକଙ୍କର ଅବସ୍ଥାକୁ ଦେଖୁଛନ୍ତି, କହୁଛନ୍ତି- ଇଏ ପ୍ରକୃତ ଉତ୍ତରାଧିକାରୀ କରିଛନ୍ତି ନା ଉତ୍ତରାଧିକାରୀ କରିବାର ବିଚାର କରୁଛନ୍ତି । କେତେକ ଉତ୍ତରାଧିକାରୀ କରିବାର ଅର୍ଥକୁ ଭଲ ଭାବରେ ବୁଝୁଛନ୍ତି, ଆଉ ଅନେକ ଅଛନ୍ତି ଯିଏକି ବୁଝୁଥିଲେ ମଧ୍ୟ ନିଜର ଉତ୍ତରାଧିକାରୀ କରିପାରୁନାହାନ୍ତି କାହିଁକିନା ମାୟାର କବଳରେ ଅଛନ୍ତି । ବର୍ତ୍ତମାନ ସମୟରେ ଈଶ୍ୱରଙ୍କ ଛତ୍ରଛାଇ ତଳେ ରହିବେ ନଚେତ୍ ମାୟାର ଛତ୍ରଛାଇରେ ରହିବେ । ଯେଉଁମାନେ ଈଶ୍ୱରଙ୍କ କବଳରେ ଥିବେ ସେମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରିନେବେ । ମାଳା ତ ୮ର ମଧ୍ୟ ହେଉଛି ଏବଂ ୧୦୮ର ମଧ୍ୟ ହେଉଛି । ତେବେ ୮ର ମାଳାରେ ଯେଉଁମାନେ ଆସୁଥିବେ ସେମାନେ ତ ବହୁତ ଚମତ୍କାର କରୁଥିବେ । ବାବାଙ୍କୁ ପ୍ରକୃତରେ ନିଜର ଉତ୍ତରାଧିକାରୀ କରୁଥିବେ । ଯଦିଓ ଉତ୍ତରାଧିକାରୀ କରୁଛନ୍ତି କିନ୍ତୁ ନିଜେ ହିଁ ତାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ତେଣୁ ବାବାଙ୍କୁ ଉତ୍ତରାଧିକାରୀ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କର କର୍ମ ମଧ୍ୟ ସେହିଭଳି ଶ୍ରେଷ୍ଠ ହୋଇଥିବ । କୌଣସି ବିକର୍ମ କରୁନଥିବେ । ଯେତେସବୁ ବିକାର ଅଛି ସେସବୁ ବିକର୍ମ ଅଟେ ନା । ବାବାଙ୍କୁ ଛାଡି ଯଦି ଅନ୍ୟ କାହାକୁ ମନେପକାଇବ ତେବେ ଏହା ମଧ୍ୟ ବିକର୍ମ ହେଲା । ବାବା ଅର୍ଥାତ୍ ବାବା । ବାବା ବ୍ରହ୍ମାଙ୍କ ମୁଖ ଦ୍ୱାରା କହୁଛନ୍ତି କେବଳ ମୋତେ ମନେପକାଅ । ତେବେ ଏହା ତାଙ୍କର ନିର୍ଦ୍ଦେଶ ହେଲା ନା । ତେଣୁ ତାଙ୍କୁ ମନେପକାଇବାକୁ ହେବ ଏଥିରେ ହିଁ ବହୁତ ମେହେନତ ଲାଗୁଛି । ଯଦି ଏକମାତ୍ର ପିତାଙ୍କୁ ମନେପକାଇବ ତେବେ ମାୟା ଏତେ ହଇରାଣ କରିବ ନାହିଁ । କିନ୍ତୁ ମାୟା ମଧ୍ୟ ବହୁତ ଶକ୍ତିଶାଳୀ । ତୁମେ ବୁଝିପାରୁଛ ଯେ ମାୟା କେତେ ବିକର୍ମ କରାଉଛି । ବଡ ବଡ ମହାରଥିମାନଙ୍କୁ ମଧ୍ୟ ତଳକୁ ଖସାଇ ଏକଦମ୍ ଧୂଳିସାତ୍ କରିଦେଉଛି । ଦିନକୁ ଦିନ ସେବାକେନ୍ଦ୍ର ବୃଦ୍ଧି ହୋଇଚାଲିବ । ଗୀତା ପାଠଶାଳା ଅଥବା ମ୍ୟୁଜିୟମ୍ ଖୋଲି ଚାଲିବ । ସେତେବେଳେ ସାରା ଦୁନିଆ ବାବାଙ୍କ କଥାକୁ ମଧ୍ୟ ମାନିବ ଏବଂ ବ୍ରହ୍ମାଙ୍କର କଥାକୁ ମଧ୍ୟ ମାନିବ । ବ୍ରହ୍ମାଙ୍କୁ ହିଁ ପ୍ରଜାପିତା କୁହାଯାଏ । ଆତ୍ମାମାନଙ୍କୁ ତ ପ୍ରଜା କୁହାଯାଏ ନାହିଁ । ତେବେ ମନୁଷ୍ୟ ସୃଷ୍ଟି କିଏ ରଚନା କରୁଛନ୍ତି? ତେବେ ପ୍ରଜାପିତା ବ୍ରହ୍ମାଙ୍କର ନାମ ହିଁ ଆସୁଛି ତେବେ ଇଏ ସାକାର ହେଲେ ଏବଂ ଶିବବାବା ହେଲେ ନିରାକାର । କିନ୍ତୁ ସିଏ ତ ଅନାଦି । ଏହି ବ୍ରହ୍ମା ମଧ୍ୟ ଅନାଦି ଅଟନ୍ତି । ତେବେ ଉଭୟଙ୍କର ନାମ ସବୁଠାରୁ ଶ୍ରେଷ୍ଠ ହେଲା ନା । ଇଏ ହେଲେ ଆତ୍ମିକ ପିତା, ସିଏ ହେଲେ ପ୍ରଜାପିତା । ଉଭୟ ବସି ତୁମକୁ ପାଠ ପଢ଼ାଉଛନ୍ତି । ତେବେ ଏହା କେତେ ଉଚ୍ଚ ପାଠପଢ଼ା ହେଲା! ତେବେ ପିଲାମାନଙ୍କର କେତେ ନିଶା ଚଢ଼ିରହିବା ଦରକାର । ଖୁସି କେତେ ରହିବା ଦରକାର । କିନ୍ତୁ ମାୟା ସେହି ନିଶା ବା ଖୁସିରେ ରହିବାକୁ ଦେଉନାହିଁ । ଯଦି ବିଦ୍ୟାର୍ଥୀମାନେ ଏଭଳି ବିଚାର ସାଗର ମନ୍ଥନ କରିଚାଲିବେ ତେବେ ବହୁତ ସେବା ମଧ୍ୟ କରିପାରିବେ । ଖୁସି ମଧ୍ୟ ରହିପାରିବ, କିନ୍ତୁ ସେଥିପାଇଁ ଏବେ ଆହୁରି ସମୟ ଅଛି । ଯେତେବେଳେ କର୍ମାତୀତ ଅବସ୍ଥା ହୋଇଯିବ ସେତେବେଳେ ଖୁସି ମଧ୍ୟ ରହିବ । ଆଚ୍ଛା- ଆତ୍ମିକ ପିଲାମାନଙ୍କ ପ୍ରତି ଆତ୍ମିକ ବାପଦାଦାଙ୍କର ସ୍ନେହଭରା ସ୍ମୃତି ଏବଂ ଶୁଭରାତ୍ରୀ । ଆଚ୍ଛା

ଧାରଣା ପାଇଁ ମୁଖ୍ୟ ସାର :
(୧) ପ୍ରତିଦିନ ରାତିରେ ନିଜର ଚାର୍ଟ ଦେଖ ଯେ ଅତି ମିଠା ବାବାଙ୍କୁ ସାରା ଦିନ ଭିତରେ ମୁଁ କେତେ ସମୟ ମନେପକାଇଛି ? ନିଜର ପ୍ରଚାର କରିବା ପାଇଁ ଚାର୍ଟ ରଖିବାର ନାହିଁ, ଗୁପ୍ତ ପୁରୁଷାର୍ଥ କରିବାର ଅଛି ।

(୨) ବାବା ଯାହାସବୁ ଶୁଣାଉଛନ୍ତି, ତାହା ଉପରେ ବିଚାର ସାଗର ମନ୍ଥନ କରିବାକୁ ହେବ । ସେବା କରି ପ୍ରମାଣ ଦେବାକୁ ହେବ । ଶୁଣି ନଶୁଣିବା ପରି ରହିବାର ନାହିଁ । ନିଜ ଭିତରେ ଯଦି କିଛି ଆସୁରୀ ଅବଗୁଣ ଅଛି ତେବେ ତାଙ୍କୁ ଯାଞ୍ଚ କରି ବାହାର କରିଦେବାର ଅଛି ।


ବରଦାନ:-
ସ୍ୱାର୍ଥ, ଈର୍ଷା ଏବଂ ଚିଡଚିଡାପଣିଆଠାରୁ ମୁକ୍ତ ରହୁଥିବା କ୍ରୋଧମୁକ୍ତ ହୁଅ ।

କୌଣସି କଥାରେ ନିଜର ବିଚାର ପଛକେ ଦିଅ, ସେବା ପାଇଁ ନିଜକୁ ସମର୍ପଣ କରିଦିଅ କିନ୍ତୁ ସେହି ବିଚାର ନିଜର ଇଚ୍ଛା ରୂପରେ ପରିବର୍ତ୍ତନ କରନାହିଁ । ସଂକଳ୍ପ ଯେତେବେଳେ ଇଚ୍ଛାର ରୂପ ନେଇଯାଏ ସେତେବେଳେ ଚିଡଚିଡାପଣିଆ ଆସିଥାଏ । ତେଣୁ ନିଃସ୍ୱାର୍ଥ ହୋଇ ବିଚାର ଦିଅ, ସ୍ୱାର୍ଥ ରଖି ନୁହେଁ । ଯେହେତୁ ମୁଁ କହିଛି ତେଣୁ ନିହାତି ହେବା ଦରକାର- ଏଭଳି ଭାବନାହିଁ, ନିଜକୁ ସେବାପାଇଁ ସମର୍ପଣ କର । କାହିଁକି, କଣ ଭିତରକୁ ଆସନାହିଁ, ନଚେତ୍ ଈର୍ଷା-ଘୃଣା ପ୍ରଭୃତି ଗୋଟିଏ ଗୋଟିଏ ସାଥୀ ଆସିବାକୁ ଲାଗିବ । ସ୍ୱାର୍ଥ ବା ଈର୍ଷା କାରଣରୁ ମଧ୍ୟ କ୍ରୋଧ ଜନ୍ମ ନେଇଥାଏ, ତେଣୁ ଏଥିରୁ ମଧ୍ୟ ମୁକ୍ତ ହୁଅ ।

ସ୍ଲୋଗାନ:-
ଶାନ୍ତିଦୂତ ହୋଇ ସମସ୍ତଙ୍କୁ ଶାନ୍ତି ଦେବା-ଏହା ହିଁ ତୁମର କର୍ତ୍ତବ୍ୟ ।