05.06.22 Avyakt Bapdada Odia Murli 17.03.91 Om Shanti Madhuban
“ସନ୍ତୁଷ୍ଟମଣିର
ଶ୍ରେଷ୍ଠ ସ୍ଥିତିରୂପୀ ଆସନ ଉପରେ ସ୍ଥିତ ହେବା ପାଇଁ ପ୍ରସନ୍ନଚିତ୍ତ, ନିଶ୍ଚିନ୍ତ ଆତ୍ମା ହୁଅ ’’
ଆଜି ବାପଦାଦା ନିଜର
ଚାରିଆଡ଼ର ସନ୍ତୁଷ୍ଟମଣି ଆତ୍ମାମାନଙ୍କୁ ଦେଖୁଛନ୍ତି । ସଙ୍ଗମଯୁଗ ହିଁ ହେଉଛି ସନ୍ତୁଷ୍ଟ ରହିବାର
ଏବଂ ସନ୍ତୁଷ୍ଟ କରିବାର ଯୁଗ । ବ୍ରାହ୍ମଣ ଜୀବନର ବିଶେଷତା ହେଲା ସନ୍ତୁଷ୍ଟତା । ସନ୍ତୁଷ୍ଟତା
ହିଁ ସର୍ବଶ୍ରେଷ୍ଠ ସମ୍ପତ୍ତି ଅଟେ । ସନ୍ତୁଷ୍ଟତା ହିଁ ବ୍ରାହ୍ମଣ ଜୀବନର ପବିତ୍ରତା ରୂପୀ
ବ୍ୟକ୍ତିତ୍ୱର ପ୍ରତୀକ । ଏହି ବ୍ୟକ୍ତିତ୍ୱ ଆଧାରରେ ହିଁ ତୁମେମାନେ ସହଜରେ ବିଶେଷ ଆତ୍ମା
ହୋଇଯାଉଛ । ଯଦି ସନ୍ତୁଷ୍ଟତା ନାହିଁ ତେବେ ବିଶେଷ ଆତ୍ମା ବୋଲାଇ ପାରିବ ନାହିଁ । ଆଜିକାଲିର
ଦୁନିଆରେ ଦୁଇ ପ୍ରକାରର ବ୍ୟକ୍ତିତ୍ୱର ଗାୟନ ହେଉଛି - ଗୋଟିଏ ହେଲା ଶାରୀରିକ ବ୍ୟକ୍ତିତ୍ୱ,
ଦ୍ୱିତୀୟଟି ପଦବୀର ବା ପ୍ରତିଷ୍ଠାର ବ୍ୟକ୍ତିତ୍ୱ । ବ୍ରାହ୍ମଣ ଜୀବନରେ ଯେଉଁ ବ୍ରାହ୍ମଣ ଆତ୍ମା
ଭିତରେ ସନ୍ତୁଷ୍ଟତା ରୂପୀ ମହାନତା ରହିଛି ତା’ର ମୁଖମଣ୍ଡଳରେ ଏବଂ ସ୍ୱରୂପରେ ମଧ୍ୟ ସନ୍ତୁଷ୍ଟତାର
ବ୍ୟକ୍ତିତ୍ୱ ଦେଖାଯାଇଥାଏ ଏବଂ ଶ୍ରେଷ୍ଠ ସ୍ଥିତି ରୂପୀ ସ୍ୱମାନର ବ୍ୟକ୍ତିତ୍ୱ ମଧ୍ୟ ଦେଖାଯାଇଥାଏ
। ସନ୍ତୁଷ୍ଟତାର ଆଧାର ହେଲା ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ସମସ୍ତ ପ୍ରାପ୍ତିଗୁଡ଼ିକରେ
ସନ୍ତୁଷ୍ଟତା ଅର୍ଥାତ୍ ଭରପୁର ଆତ୍ମା । ତେବେ ଅସନ୍ତୁଷ୍ଟତାର କାରଣ ହେଲା ଅପ୍ରାପ୍ତି ଏବଂ
ସନ୍ତୁଷ୍ଟତାର କାରଣ ହେଲା ସର୍ବପ୍ରାପ୍ତି, ସେଥିପାଇଁ ବାପଦାଦା ତୁମ ସମସ୍ତ ବ୍ରାହ୍ମଣ
ସନ୍ତାନମାନଙ୍କୁ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାର ଦେଇ ଦେଇଛନ୍ତି,
ନା କାହାକୁ ଅଳ୍ପ ଦେଇଛନ୍ତି, ଆଉ କାହାକୁ ଅଧିକ ଦେଇଛନ୍ତି? ବାପଦାଦା ତ ସର୍ବଦା ସବୁ
ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେପକାଅ ଏବଂ ବାବାଙ୍କର
ସମ୍ପତ୍ତି ହେଲା ସର୍ବପ୍ରାପ୍ତି । ଏଥିରେ ସର୍ବଶକ୍ତି, ସର୍ବଗୁଣ ଏବଂ ସର୍ବଜ୍ଞାନ ମଧ୍ୟ ଆସିଯାଉଛି
। ସର୍ବଶକ୍ତି, ସର୍ବଗୁଣ ଏବଂ ସମ୍ପୂର୍ଣ୍ଣ ଜ୍ଞାନ । କେବଳ ଜ୍ଞାନ ନୁହେଁ କିନ୍ତୁ ସମ୍ପୂର୍ଣ୍ଣ
ଜ୍ଞାନ । କେବଳ ଶକ୍ତି ବା ଗୁଣ ନୁହେଁ କିନ୍ତୁ ସର୍ବଗୁଣ ଏବଂ ସର୍ବଶକ୍ତି ମଧ୍ୟ ମିଳିଛି । ତେବେ
ସମ୍ପତ୍ତି ମଧ୍ୟ ସର୍ବ ଅର୍ଥାତ୍ ସମ୍ପନ୍ନତା ରୂପରେ ମିଳିଛି । କୌଣସି ପ୍ରକାରର ଅଭାବ ନାହିଁ ।
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନକୁ ସମ୍ପତ୍ତି ମଧ୍ୟ ସମ୍ପୂର୍ଣ୍ଣ ରୂପରେ ମିଳୁଛି, ଅଧୁରା ନୁହେଁ ।
ସର୍ବଗୁଣ ମଧ୍ୟରୁ ଦୁଇଟି ଗୁଣ ତୁମକୁ, ଆଉ ଦୁଇଟି ଗୁଣ ଆଉ କାହାକୁ - ଏପରି ବଣ୍ଟା ଯାଇନାହିଁ ।
ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାର ଅର୍ଥାତ୍ ସମ୍ପୂର୍ଣ୍ଣତା ଏବଂ ସମ୍ପନ୍ନତା । ଯେବେକି ପ୍ରତ୍ୟେକ
ସନ୍ତାନକୁ ସମ୍ପୂର୍ଣ୍ଣ ସମ୍ପତ୍ତି ମିଳୁଛି ତେଣୁ ଯେଉଁଠାରେ ସର୍ବପ୍ରାପ୍ତି ରହିଛି ସେଠାରେ
ସନ୍ତୁଷ୍ଟତା ମଧ୍ୟ ନିଶ୍ଚିତ ଥିବ । ବାପଦାଦା ଆଜି ସମସ୍ତ ବ୍ରାହ୍ମଣମାନଙ୍କର ସନ୍ତୁଷ୍ଟତାର
ବ୍ୟକ୍ତିତ୍ୱକୁ ଦେଖୁଥିଲେ ଯେ ପିଲାମାନଙ୍କ ଭିତରେ ଏହି ବ୍ୟକ୍ତିତ୍ୱ କେତେ ମାତ୍ରାରେ ଆସିଲାଣି ।
ବ୍ରାହ୍ମଣ ଜୀବନରେ ଅସନ୍ତୁଷ୍ଟତାର ଚିହ୍ନ-ବର୍ଣ୍ଣ ମଧ୍ୟ ରହିବା ଉଚିତ୍ ନୁହେଁ । ଯଦି ବ୍ରାହ୍ମଣ
ଜୀବନରେ କିଛି ମଜା ଅଛି ତେବେ ଏହିଭଳି ବ୍ୟକ୍ତିତ୍ୱ ଭିତରେ ହିଁ ଅଛି । ଏହା ହିଁ ହେଉଛି
ଖୁସି-ମଉଜର ଜୀବନ ।
ତପସ୍ୟାର ଅର୍ଥ ହେଲା
ସନ୍ତୁଷ୍ଟତାର ବ୍ୟକ୍ତିତ୍ୱ ଦୃଷ୍ଟି-ବୃତ୍ତି ଦ୍ୱାରା, ଚେହେରା ଦ୍ୱାରା, ଚାଲିଚଳନ ଦ୍ୱାରା
ଦେଖାଯାଉଥିବ । ବାପଦାଦା ଆଜି ଏହିଭଳି ସନ୍ତୁଷ୍ଟମଣି ଆତ୍ମାମାନଙ୍କର ମାଳା ତିଆରି କରୁଥିଲେ ।
ତେବେ କେତେ ମାଳା ତିଆରି ହୋଇଥିବ? ସନ୍ତୁଷ୍ଟମଣି ଅର୍ଥାତ୍ ବେଦାଗ ମଣି କାରଣ ସନ୍ତୁଷ୍ଟତାର
ଚିହ୍ନ ହେଲା - ସନ୍ତୁଷ୍ଟ ଆତ୍ମା ସର୍ବଦା ନିଜକୁ ପ୍ରସନ୍ନଚିତ୍ତ ଆତ୍ମା ଅନୁଭବ କରୁଥିବ ଏବଂ
ଅନ୍ୟମାନେ ମଧ୍ୟ ତା’ ଉପରେ ପ୍ରସନ୍ନ ରହୁଥିବେ । କାରଣ ପ୍ରସନ୍ନଚିତ୍ତ ସ୍ଥିତିରେ ପ୍ରଶ୍ନଚିତ୍ତ
ସ୍ଥିତି ନଥାଏ । ଗୋଟିଏ ହେଲା ପ୍ରସନ୍ନଚିତ୍ତ, ଆଉ ଗୋଟିଏ ହେଲା ପ୍ରଶ୍ନଚିତ୍ତ । ପ୍ରସନ୍ନଚିତ୍ତ
ଆତ୍ମା ଡ୍ରାମାର ଜ୍ଞାନକୁ ବୁଝିଥିବା କାରଣରୁ ସର୍ବଦା ପ୍ରସନ୍ନ ରହିଥାଏ, କୌଣସି ପ୍ରଶ୍ନ ପଚାରି
ନଥାଏ । ଯେଉଁ ଆତ୍ମା ନିଜ ପ୍ରତି ହେଉ ବା ଅନ୍ୟ କାହା ପ୍ରତି ହେଉ ପ୍ରଶ୍ନ ଉଠାଇଥାଏ ତା’ର ଉତ୍ତର
ମଧ୍ୟ ପ୍ରଥମେ ତା’ ନିଜଦ୍ୱାରା ହିଁ ନିଜକୁ ମିଳିଯାଏ । ପୂର୍ବରୁ ମଧ୍ୟ ଶୁଣାଇଥିଲୁ ହ୍ୱାଟ୍
ଅର୍ଥାତ୍ କ’ଣ, ହ୍ୱାଇ ଅର୍ଥାତ୍ କାହିଁକି କୁହନାହିଁ କିନ୍ତୁ ଡଟ୍ ଅର୍ଥାତ୍ ବିନ୍ଦୁ ଲଗାଅ ।
କାହିଁକି, କ’ଣ ନୁହେଁ, ଫୁଲ୍ ଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଅ । ଗୋଟିଏ ସେକେଣ୍ଡରେ ବିସ୍ତାର,
ଗୋଟିଏ ସେକେଣ୍ଡରେ ସାର । ଏହିଭଳି ପ୍ରସନ୍ନଚିତ୍ତ ଆତ୍ମା ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିଥାଏ
। ତେବେ ଚେକ୍ କର ଏହିଭଳି ଲକ୍ଷଣଗୁଡ଼ିକ ମୋ ଭଳି ସନ୍ତୁଷ୍ଟମଣି ଆତ୍ମା ଭିତରେ ଅଛି ତ? ବାପଦାଦା ତ
ସମସ୍ତଙ୍କୁ ସନ୍ତୁଷ୍ଟମଣିର ଉପାଧି ଦେଇ ଦେଇଛନ୍ତି । ତେଣୁ ବାପଦାଦା ପଚାରୁଛନ୍ତି ଯେ ହେ
ସନ୍ତୁଷ୍ଟମଣି ଆତ୍ମାମାନେ, ସନ୍ତୁଷ୍ଟ ଅଛ? ପୁଣି ପଚାରୁଛନ୍ତି - ନିଜ ପ୍ରତି ଅର୍ଥାତ୍ ନିଜର
ପୁରୁଷାର୍ଥରେ, ନିଜର ସଂସ୍କାରକୁ ପରିବର୍ତ୍ତନ କରିବାର ପୁରୁଷାର୍ଥରେ, ନିଜର ପୁରୁଷାର୍ଥର
ମାତ୍ରାରେ ଏବଂ ସ୍ଥିତିରେ ସର୍ବଦା ସନ୍ତୁଷ୍ଟ ଅଛ? ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନ - ନିଜର
ମନ-ବାଣୀ-କର୍ମ ଅର୍ଥାତ୍ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ସେବା କରିବାରେ ସର୍ବଦା ସନ୍ତୁଷ୍ଟ ରହୁଛ?
ତିନୋଟିଯାକ ସେବାରେ, କେବଳ ଗୋଟିଏରେ ନୁହେଁ । ତିନୋଟିଯାକ ସେବାରେ ସର୍ବଦା ସନ୍ତୁଷ୍ଟ ଅଛ? ଏବେ
ଭାବୁଛନ୍ତି, ନିଜେ ନିଜକୁ ଦେଖୁଛନ୍ତି ଯେ କେତେ ପରିମାଣରେ ସନ୍ତୁଷ୍ଟ ଅଛୁ? ଆଚ୍ଛା ତୃତୀୟ
ପ୍ରଶ୍ନ - ସର୍ବ ଆତ୍ମାଙ୍କର ସମ୍ବନ୍ଧ-ସମ୍ପର୍କରେ ଆସିବାରେ ନିଜ ଦ୍ୱାରା ବା ସମସ୍ତଙ୍କ ଦ୍ୱାରା
ସର୍ବଦା ସନ୍ତୁଷ୍ଟ ରହୁଛ? କାହିଁକିନା ଏହି ତପସ୍ୟା ବର୍ଷରେ ତପସ୍ୟାର ସଫଳତାର ଫଳ ରୂପରେ ଏହାକୁ
ହିଁ ପ୍ରାପ୍ତି କରିବାକୁ ହେବ । ନିଜ ପ୍ରତି, ସେବା ପ୍ରତି ଏବଂ ସମସ୍ତଙ୍କ ପ୍ରତି ସନ୍ତୁଷ୍ଟତା ।
ଚାରି ଘଣ୍ଟା ତ ଯୋଗ କରିଛ - ଏହା ବହୁତ ଭଲ କଥା ଏବଂ ଚାରି ଘଣ୍ଟାରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ
ପହଞ୍ଚିଯିବ । ତାହା ମଧ୍ୟ ଆହୁରି ଭଲ କଥା । ତେବେ ଯୋଗରେ ସିଦ୍ଧି ସ୍ୱରୂପ ହେବା ଦରକାର । କାରଣ
ଯୋଗ ହେଉଛି ବିଧି, କିନ୍ତୁ ଏହି ବିଧି ଦ୍ୱାରା ସିଦ୍ଧି କ’ଣ ମିଳିଲା? ଯୋଗ ଲଗାଇବା ହେଲା ବିଧି
କିନ୍ତୁ ଯୋଗର ପ୍ରାପ୍ତିକୁ ହିଁ ସିଦ୍ଧି କୁହାଯିବ । ତେବେ ସମସ୍ତେ ଯେପରି ଆଠ ଘଣ୍ଟା ଯୋଗ
କରିବାର ଲକ୍ଷ୍ୟ ରଖିଛ ସେହିପରି ଅତି କମ୍ରେ ଏହି ତିନି ପ୍ରକାରର ସନ୍ତୁଷ୍ଟତା ରୂପକ ସିଦ୍ଧିର
ସ୍ପଷ୍ଟ ଏବଂ ଶ୍ରେଷ୍ଠ ଲକ୍ଷ୍ୟ ରଖ । କେହି କେହି ପିଲା ମିଆଁ ମିଟ୍ଠୁ ଭଳି ନିଜକୁ ସନ୍ତୁଷ୍ଟ
ଆତ୍ମା ବୋଲି ଭାବୁଛନ୍ତି, ତେଣୁ ଏଭଳି ସନ୍ତୁଷ୍ଟ ମଧ୍ୟ ହେବାର ନାହିଁ । ଗୋଟିଏ ହେଲା ଦିଲ୍
ଅର୍ଥାତ୍ ଅନ୍ତରାତ୍ମା ସ୍ୱୀକାର କରୁଥିବ ଆଉ ଗୋଟିଏ ହେଲା ବୁଦ୍ଧିଦ୍ୱାରା ଗ୍ରହଣ କରିନେଇଥିବ ।
ବୁଦ୍ଧିଦ୍ୱାରା ନିଜକୁ ଭାବୁଛନ୍ତି ମୁଁ ତ ସନ୍ତୁଷ୍ଟ ହିଁ ଅଟେ ତେଣୁ ମୋ’ର କ’ଣ ଚିନ୍ତା ଅଛି ।
ମୁଁ ଚିନ୍ତାମୁକ୍ତ ଅଟେ । ତେଣୁ ବୁଦ୍ଧିଦ୍ୱାରା ନିଜକୁ ସନ୍ତୁଷ୍ଟ ଭାବିନେବା - ଏଭଳି ସନ୍ତୁଷ୍ଟତା
ନହେଉ କିନ୍ତୁ ସନ୍ତୁଷ୍ଟତାକୁ ଯଥାର୍ଥ ରୂପରେ ବୁଝିବା ଦରକାର । ସନ୍ତୁଷ୍ଟତାର ଲକ୍ଷଣଗୁଡ଼ିକ ନିଜ
ଭିତରେ ଅନୁଭବ ହେବା ଦରକାର । ସନ୍ତୁଷ୍ଟ ଆତ୍ମାର ମନ ସର୍ବଦା ପ୍ରସନ୍ନ ରହିଥିବ ଏବଂ ପର୍ସନାଲିଟୀ
ଅର୍ଥାତ୍ ବ୍ୟକ୍ତିତ୍ୱରେ ମଧ୍ୟ ପ୍ରତିଫଳିତ ହେଉଥିବ । ଯିଏ ନିଜକୁ ପ୍ରସନ୍ନତାର ବ୍ୟକ୍ତିତ୍ୱ
ସମ୍ପନ୍ନ ଆତ୍ମା ବୋଲି ଭାବୁଥିବ, କିନ୍ତୁ ଅନ୍ୟମାନେ ତା’କୁ ସେହିଭଳି ଭାବୁନଥିବେ, ତେବେ ଏହିଭଳି
ଆତ୍ମାଙ୍କୁ କୁହାଯାଏ ମିଆଁ ମିଟ୍ଠୁ ଅର୍ଥାତ୍ ନିଜକୁ ନିଜେ ସର୍ବଜ୍ଞ, ଏଭଳି ସନ୍ତୁଷ୍ଟତା ନୁହେଁ
କିନ୍ତୁ ଯଥାର୍ଥ ଅନୁଭବ ଦ୍ୱାରା ସନ୍ତୁଷ୍ଟ ଆତ୍ମା ହୁଅ । ସନ୍ତୁଷ୍ଟତା ଅର୍ଥାତ୍ ବୁଦ୍ଧି ସହିତ
ହୃଦୟ ମଧ୍ୟ ସର୍ବଦା ଆରାମ ଅନୁଭବ କରୁଥିବ, ସୁଖ-ଶାନ୍ତିର ସ୍ଥିତିରେ ରହୁଥିବ । ଅଶାନ୍ତ ହେଉନଥିବ
। ଏହିଭଳି ସନ୍ତୁଷ୍ଟମଣି ଆତ୍ମାମାନେ ସର୍ବଦା ବାବାଙ୍କର ମସ୍ତକରେ ମସ୍ତକମଣି ସଦୃଶ ଚମକୁ ଥାଆନ୍ତି
। ତେଣୁ ନିଜକୁ ଚେକ୍ କର । ତେବେ ସନ୍ତୁଷ୍ଟତାର ଗୁଣ ବାବାଙ୍କ ସହିତ ଅନ୍ୟ ସମସ୍ତଙ୍କଠାରୁ ମଧ୍ୟ
ଆଶୀର୍ବାଦ ପ୍ରାପ୍ତ କରାଇଥାଏ । ସନ୍ତୁଷ୍ଟ ଆତ୍ମା ସମୟ ସମୟରେ ନିଜକୁ ବାବାଙ୍କର ତଥା ଅନ୍ୟ
ସମସ୍ତଙ୍କର ଆଶୀର୍ବାଦ ରୂପୀ ବିମାନରେ ଉଡ଼ୁଥିବାର ଅନୁଭବ କରୁଥିବ । ଏହିଭଳି ଆଶୀର୍ବାଦ ହିଁ
ସେମାନଙ୍କ ପାଇଁ ବିମାନର କାର୍ଯ୍ୟ କରିଥାଏ । ସେମାନେ ସର୍ବଦା ନିଜକୁ ବିମାନରେ ଉଡ଼ୁଥିବାର ଅନୁଭବ
କରିବେ । ସେମାନେ କାହାକୁ ବି ଆର୍ଶୀବାଦ ମାଗିବେ ନାହିଁ କିନ୍ତୁ ଆର୍ଶୀବାଦ ସେମାନଙ୍କ ନିକଟକୁ
ଆପେ ଆପେ ଆସିବ । ଏହିଭଳି ସନ୍ତୁଷ୍ଟମଣି ଅର୍ଥାତ୍ ସିଦ୍ଧି ସ୍ୱରୂପ ତପସ୍ୱୀ ଆତ୍ମା । ଏହା
ଅଳ୍ପକାଳର ସିଦ୍ଧି ମଧ୍ୟ ନୁହେଁ, ଅବିନାଶୀ ଏବଂ ଆଧ୍ୟାତ୍ମିକ ସିଦ୍ଧି । ଏହିଭଳି ସନ୍ତୁଷ୍ଟମଣି
ଆତ୍ମାମାନଙ୍କୁ ଆଜି ବାପଦାଦା ଦେଖୁଥିଲେ । ତେଣୁ ପ୍ରତ୍ୟେକ ସନ୍ତାନ ନିଜେ ନିଜକୁ ପଚାର ଯେ ମୁଁ
କେଉଁ ଭଳି ଆତ୍ମା?
ସମସ୍ତଙ୍କ ଭିତରେ ତପସ୍ୟା
ବର୍ଷର ଉମଙ୍ଗ-ଉତ୍ସାହ ତ ବହୁତ ଭଲ ରହିଛି ଏବଂ ସମସ୍ତେ ଯଥାଶକ୍ତି ତପସ୍ୟା ମଧ୍ୟ କରୁଛନ୍ତି ଏବଂ
ଭବିଷ୍ୟତରେ କରିବା ପାଇଁ ମଧ୍ୟ ଉତ୍ସାହ ରଖିଛନ୍ତି । ଏହିଭଳି ଉତ୍ସାହ ରଖିବା ମଧ୍ୟ ବହୁତ ଭଲ କଥା
। ଏବେ ତପସ୍ୟା ଦ୍ୱାରା ନିଜର ପ୍ରାପ୍ତିଗୁଡ଼ିକୁ ନିଜ ଜୀବନରେ ଏବଂ ସମସ୍ତଙ୍କ ସହିତ
ସମ୍ବନ୍ଧ-ସମ୍ପର୍କରେ ଆସିବାରେ ପ୍ରତ୍ୟକ୍ଷ କର । ନିଜେ ନିଜ ଭିତରେ ତ ଅନୁଭବ କରୁଛ କିନ୍ତୁ ସେହି
ଅନୁଭବକୁ କେବଳ ନିଜର ମନ-ବୁଦ୍ଧି ଭିତରେ ହିଁ ସୀମିତ ରଖ ନାହିଁ । ସେଗୁଡ଼ିକୁ ନିଜର ଚେହେରାରେ,
ଚାଲି-ଚଳଣରେ ତଥା ସମ୍ବନ୍ଧ-ସମ୍ପର୍କରେ ଅନୁଭବ କରାଅ । ଯାହାଦ୍ୱାରା ପ୍ରଥମେ ତାହା ନିଜ ଭିତରେ
ପ୍ରତ୍ୟକ୍ଷ ହେବ, ତା’ ପରେ ସମ୍ବନ୍ଧ-ସମ୍ପର୍କରେ ତଥା ସାରା ବିଶ୍ୱର ରଙ୍ଗମଞ୍ଚରେ ପ୍ରତ୍ୟକ୍ଷ
ହେବ । ତେବେ ଯାଇ ପ୍ରତ୍ୟକ୍ଷତାର ନାଗରା ବାଜିବ । ଯେପରି ତୁମମାନଙ୍କର ସ୍ମାରକୀ
ଶାସ୍ତ୍ରମାନଙ୍କରେ କୁହାଯାଇଛି ଯେ ଶଙ୍କର ତୃତୀୟ ନେତ୍ର ଖୋଲିବା ଦ୍ୱାରା ବିନାଶ ହୋଇଗଲା, ତେବେ
ଶଙ୍କର ଅର୍ଥାତ୍ ତୁମମାନଙ୍କର ଅଶରୀରୀ ତପସ୍ୱୀସ୍ୱରୂପ । ବିକାର ରୂପୀ ସାପଗୁଡ଼ିକୁ ଗଳାର ହାର
କରିଦେଇଥିବା ଏବଂ ସର୍ବଦା ଉଚ୍ଚ ସ୍ଥିତି ତଥା ଉଚ୍ଚ ଆସନଧାରୀ ହୋଇ ରହୁଥିବା ଆତ୍ମା । ତେଣୁ
ତୃତୀୟ ନେତ୍ର ଅର୍ଥାତ୍ ସମ୍ପୂର୍ଣ୍ଣତାର ତଥା ସମ୍ପନ୍ନତାର ନେତ୍ର । ଯେତେବେଳେ ତୁମେ ତପସ୍ୱୀ
ଆତ୍ମାମାନେ ନିଜର ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିରେ ରହି ବିଶ୍ୱ ପରିବର୍ତ୍ତନର ସଂକଳ୍ପ କରିବ,
ସେତେବେଳେ ଏହି ପ୍ରକୃତି ମଧ୍ୟ ସମ୍ପୂର୍ଣ୍ଣ ହଲ୍ଚଲ୍ କରିବାର ନୃତ୍ୟ କରିବ । ତୁମେମାନେ ସେତେବେଳେ
ଅଚଳ ସ୍ଥିତିରେ ରହିଥିବ କିନ୍ତୁ ପ୍ରକୃତି ସମ୍ପୂର୍ଣ୍ଣ ହଲ୍ଚଲ୍ ସ୍ଥିତିରେ ଥିବ, କାହିଁକିନା ଏତେ
ବଡ଼ ବିଶ୍ୱକୁ ସଫା କିଏ କରିବ? କ’ଣ ମନୁଷ୍ୟ ଆତ୍ମାମାନେ କରିପାରିବେ? ଏହି ବାୟୁ, ପୃଥିବୀ ଏବଂ
ସମୁଦ୍ର ଜଳର ହଲ୍ଚଲ୍ ହିଁ ବିଶ୍ୱର ସଫେଇ କରିବେ । ତେଣୁ ଏହିଭଳି ସମ୍ପୂର୍ଣ୍ଣତାର ସ୍ଥିତି ଏହି
ତପସ୍ୟା ଆଧାରରେ ହିଁ ନିର୍ମାଣ କରିବାକୁ ହେବ । ପ୍ରକୃତି ମଧ୍ୟ ତୁମମାନଙ୍କର ସଂକଳ୍ପ ଆଧାରରେ
ସେତେବେଳେ ଆଦେଶ ମାନିବ ଯେତେବେଳେ ପ୍ରଥମେ ତୁମ ନିଜର ସଦାକାଳର ସହଯୋଗୀ କର୍ମେନ୍ଦ୍ରିୟଗୁଡ଼ିକ ଯଥା
ମନ-ବୁଦ୍ଧି ଏବଂ ସଂସ୍କାର ତୁମର ଆଦେଶକୁ ମାନୁଥିବେ । ଯଦି ନିଜର ସବୁ ଦୁନିଆ ସହଯୋଗୀ ସାଥୀମାନେ
ମଧ୍ୟ ଆଦେଶ ମାନୁ ନାହାନ୍ତି ତେବେ ପ୍ରକୃତି କ’ଣ ଆଦେଶ ମାନିବ? ତେଣୁ ତୁମମାନଙ୍କୁ ସେତିକି
ଶକ୍ତିଶାଳୀ ତପସ୍ୟାର ଉଚ୍ଚ ସ୍ଥିତିରେ ରହିବା ଦରକାର ଯାହାକି ସମସ୍ତଙ୍କର ଗୋଟିଏ ସଂକଳ୍ପ, ଏକା
ସମୟରେ ହିଁ ଉତ୍ପନ୍ନ ହେଉଥିବ ଏବଂ ତାହା ଗୋଟିଏ ସେକେଣ୍ଡର ହିଁ ସଂକଳ୍ପ ହେବ - “ପରିବର୍ତ୍ତନ”
ଏବଂ ପ୍ରକୃତି ମଧ୍ୟ ଆଦେଶକୁ ମାନିବା ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯିବ । ଯେପରି ସାରା ବିଶ୍ୱର
ବ୍ରାହ୍ମଣ ଆତ୍ମାମାନଙ୍କୁ ନେଇ ଗୋଟିଏ ସମୟରେ ବିଶ୍ୱ ଶାନ୍ତି ପାଇଁ ଯୋଗ କରୁଛନା ତେଣୁ
ସମସ୍ତଙ୍କର ଗୋଟିଏ ସମୟ ଏବଂ ଗୋଟିଏ ସଂକଳ୍ପ ମଧ୍ୟ ସ୍ମାରକୀ ହୋଇଯାଏ ସେହିଭଳି ସମସ୍ତଙ୍କର ଗୋଟିଏ
ସଂକଳ୍ପରେ ହିଁ ପ୍ରକୃତି ହଲ୍ଚଲ୍ ହେବାର ନୃତ୍ୟ ଆରମ୍ଭ କରିଦେବ । ସେଥିପାଇଁ କହୁଛ ସ୍ୱ-ପରିବର୍ତ୍ତନରେ
ବିଶ୍ୱ-ପରିବର୍ତ୍ତନ । ତେବେ ଏହି ପୁରୁଣା ଦୁନିଆ ନୂଆ ଦୁନିଆକୁ ପରିବର୍ତ୍ତନ କିପରି ହେବ?
ତୁମମାନଙ୍କର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସଂଗଠିତ ରୂପରେ ସମସ୍ତଙ୍କର ଗୋଟିଏ ସଂକଳ୍ପ ଉତ୍ପନ୍ନ
ହେବ । ବୁଝିଲ, କ’ଣ କରିବାକୁ ହେବ? ଏହାକୁ କୁହାଯାଏ ତପସ୍ୟା । ଆଚ୍ଛା ।
ବାପଦାଦା ଡବଲ ବିଦେଶୀ
ପିଲାମାନଙ୍କୁ ଦେଖି ସର୍ବଦା ହର୍ଷିତ ହୋଇଥା’ନ୍ତି । ଏମିତି ନୁହେଁ ଯେ ଭାରତବାସୀଙ୍କୁ ଦେଖି
ହର୍ଷିତ ହୁଅନ୍ତି ନାହିଁ, ତାହା ନୁହେଁ । ଏବେ ଯେହେତୁ ଡବଲ ବିଦେଶୀମାନଙ୍କର ପାଳି ଚାଲିଛି
ସେଥିପାଇଁ କହୁଛନ୍ତି । ଭାରତ ଉପରେ ତ ବାବା ସର୍ବଦା ପ୍ରସନ୍ନ ରହିଛନ୍ତି, ସେଥିପାଇଁ ତ ଭାରତକୁ
ଆସିଛନ୍ତି । ତୁମମାନଙ୍କୁ ମଧ୍ୟ ଭାରତବାସୀ କରିଦେଇଛନ୍ତି । ବର୍ତ୍ତମାନ ତୁମେମାନେ ବିଦେଶୀ ଅଟ
ନା ଭାରତବାସୀ ଅଟ? ଭାରତବାସୀଙ୍କ ଭିତରେ ମଧ୍ୟ ମଧୁବନବାସୀ ଅଟ । ତେଣୁ ମଧୁବନବାସୀ ହେବା ତ ଭଲ
ଲାଗୁଛି ନା । ଏବେ ଯଦି ଶୀଘ୍ର ଶୀଘ୍ର ସେବା କାର୍ଯ୍ୟ ଶେଷ କରିଦେବ ତେବେ ଖୁବ୍ ଶୀଘ୍ର ମଧୁବନ
ନିବାସୀ ହୋଇଯିବ । ତେଣୁ ସାରା ବିଦେଶରେ ଶୀଘ୍ର ଶୀଘ୍ର ସନ୍ଦେଶ ଦେଇ ସେବା କାର୍ଯ୍ୟକୁ ସମାପ୍ତ
କର । କାରଣ ଏଠାକୁ ଆସିଗଲା ପରେ ଆଉ ସେଠାକୁ ପଠାଯିବ ନାହିଁ । ସେତିକି ସମୟ ଭିତରେ ତୁମମାନଙ୍କ
ପାଇଁ ରହିବାର ସ୍ଥାନ ମଧ୍ୟ ପ୍ରସ୍ତୁତ ହୋଇଯିବ । ଦେଖ ପିସ୍ ପାର୍କ ଭଳି ଲମ୍ବା ଚଉଡ଼ା ପଡ଼ିଆ ସବୁ
ତ ଖାଲି ରହିଛି । ପୂର୍ବରୁ ହିଁ ସେଠାରେ ସବୁ ବ୍ୟବସ୍ଥା କରି ଦିଆଯିବ ଯାହା ଦ୍ୱାରା କୌଣସି
ଅସୁବିଧା ହେବ ନାହିଁ । କିନ୍ତୁ ଯେତେବେଳେ ସେହିଭଳି କୌଣସି ଅସୁବିଧା ପରିସ୍ଥିତି ଆସିଯିବ
ସେତେବେଳେ ତ ନିଜର ଆଟାଚି ଉପରେ ମଧ୍ୟ ଶୋଇ ପଡ଼ିବ । ଖଟିଆ ମାଗିବ ନାହିଁ । ସେତେବେଳେ ତ
ପରିସ୍ଥିତି ହିଁ ସେହିଭଳି ହୋଇଥିବ । ବର୍ତ୍ତମାନର ସମୟ ତ ବହୁତ ଭଲ ଅଛି । ଏବେ ଯଦି ଗୋଟିଏ ସମୟରେ
ମନ-ବଚନ-କର୍ମ ତିନୋଟିଯାକରେ ଏକତ୍ରିତ ଭାବରେ ଗୋଟିଏ ସଂକଳ୍ପ ରହିବ ତେବେ ଯାଇ ସେବାରେ ତୀବ୍ରଗତି
ଆସିବ । ମନଦ୍ୱାରା ଶକ୍ତିଶାଳୀ ସଂକଳ୍ପ କରିବା, ବାଣୀଦ୍ୱାରା ଜ୍ଞାନଯୁକ୍ତ କଥା କହିବା ଏବଂ
ସମ୍ବନ୍ଧ-ସମ୍ପର୍କ ଅର୍ଥାତ୍ କର୍ମ ଦ୍ୱାରା ସ୍ନେହପୂର୍ଣ୍ଣ ବ୍ୟବହାର କରିବା - ଏହିଭଳି
ତିନୋଟିଯାକ ଅନୁଭୂତି ଗୋଟିଏ ସମୟରେ ଏକାଠି ହେବା ଦରକାର, ତେବେ କୁହାଯିବ ତୀବ୍ର ଗତିର ସେବା ।
ଆଚ୍ଛା ସମସ୍ତଙ୍କର
ଶାରୀରିକ, ମାନସିକ ସ୍ଥିତି ଠିକ୍ ଅଛି? ପୁଣି ବି ଯେହେତୁ ଏତେ ଦୂର ଦୂରାନ୍ତରୁ ଆସିଛ ତେଣୁ
ବାପଦାଦା ମଧ୍ୟ ଦୂରରୁ ଆସିଥିବା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ପୁଣି ବି ଦୂରରୁ ଆସିଥିଲେ
ମଧ୍ୟ ଭଲ ଅଛ କାହିଁକିନା ବିମାନରେ ବସି ଆସୁଛ ନା । ଯେଉଁମାନେ ଏହି କଳ୍ପରେ ପ୍ରଥମ ଥର ପାଇଁ
ଆସିଛନ୍ତି ସେମାନଙ୍କୁ ବାପଦାଦା ବିଶେଷ ବିଶେଷ ଶୁଭେଚ୍ଛା ଦେଉଛନ୍ତି । ପୁଣି ବି ବହୁତ ଭଲ ସାହସ
ରଖିଛନ୍ତି । ପିଲାମାନେ ଏଠାରୁ ଫେରିବା ପରେ ପରେ ହିଁ ଆଗାମୀ ବର୍ଷ ପାଇଁ ଟିକେଟ୍ ପଇସା ଜମା
କରିବାରେ ଲାଗି ପଡନ୍ତି ଏବଂ ପୁଣି ଆସିଯାଆନ୍ତି । ଏହା ମଧ୍ୟ ବାବାଙ୍କୁ ମନେ ପକାଇବାର ଏକ ସହଜ
ବିଧି । ମଧୁବନକୁ ଯିବି, ମଧୁବନକୁ ଯିବି.... ସର୍ବଦା ମନ ଭିତରେ ଏହି ଧୁନ୍ ଲାଗି ରହିଥାଏ ।
ଯେପରି ଏଠାକୁ ଆସିଗଲା ପରେ ଭାବୁଛ ଆମକୁ ବିଦେଶକୁ ଫେରିବାକୁ ହେବ, ସେହିପରି ଏଠାରୁ ଫେରିବା
ମାତ୍ରକେ ପୁନର୍ବାର ଆସିବା ପାଇଁ ଚିନ୍ତା କରୁଛ । ଏଭଳି ମଧ୍ୟ ସମୟ ଆସିବ ଯେତେବେଳେ କି ସରକାର
ମଧ୍ୟ ଜାଣିଯିବ ଯେ ଏହି ବ୍ରାହ୍ମଣ ଆତ୍ମାମାନେ ହିଁ ଆବୁର ଶୋଭା ଅଟନ୍ତି । ଆଚ୍ଛା ।
ଚାରିଆଡ଼ର ସମସ୍ତ ମହାନ
ସନ୍ତୁଷ୍ଟ ଆତ୍ମାମାନଙ୍କୁ, ସଦା ପ୍ରସନ୍ନଚିତ୍ତ ତଥା ନିଶ୍ଚିନ୍ତ ରହୁଥିବା ଶ୍ରେଷ୍ଠ
ଆତ୍ମାମାନଙ୍କୁ ସର୍ବଦା ଗୋଟିଏ ସମୟରେ ତିନି ପ୍ରକାରର ସେବା କରୁଥିବା ତୀବ୍ର ଗତିର ସେବାଧାରୀ
ଆତ୍ମାମାନଙ୍କୁ, ସର୍ବଦା ଶ୍ରେଷ୍ଠ ସ୍ଥିତିର ଆସନଧାରୀ ତପସ୍ୱୀ ଆତ୍ମାମାନଙ୍କୁ ବାପଦାଦାଙ୍କର
ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।
ପାର୍ଟିମାନଙ୍କ ସହିତ
ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ : -
ସମସ୍ତେ ନିଜକୁ ହୋଲୀହଂସ
ମନେ କରୁଛ? ହୋଲୀହଂସ ଅର୍ଥାତ୍ ପବିତ୍ର ହଂସର ବିଶେଷ କର୍ମ କ’ଣ? (ସମସ୍ତେ ନିଜ ନିଜର ଉତ୍ତର
ଶୁଣାଇଲେ) ତୁମେମାନେ ଯେଉଁ ସବୁ ବିଶେଷତାଗୁଡ଼ିକ ଶୁଣାଇଲ ସେଗୁଡ଼ିକ ବାସ୍ତବିକ ଭାବରେ କର୍ମରେ
କରୁଛ? କାହିଁକିନା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ହୋଲୀହଂସ ଆଉ କିଏ ହୋଇପାରିବ? ସେଥିପାଇଁ
ଆତ୍ମିକ ନିଶାରେ ରହି କୁହ । ଯେପରି ବାବା ସର୍ବଦା ପବିତ୍ର ଅଟନ୍ତି ଏବଂ ସର୍ବଶକ୍ତି ଗୁଡ଼ିକୁ ସବୁ
ସମୟରେ କାର୍ଯ୍ୟରେ ଲଗାଉଛନ୍ତି ସେହିପରି ତୁମେ ହୋଲୀହଂସ ସନ୍ତାନମାନେ ମଧ୍ୟ ସର୍ବଶକ୍ତିକୁ
ବାସ୍ତବିକ ରୂପରେ କାର୍ଯ୍ୟକାରୀ କରୁଛ ଏବଂ ସର୍ବଦା ପବିତ୍ର ମଧ୍ୟ ଅଟ । ପୂର୍ବରୁ ମଧ୍ୟ ପବିତ୍ର
ଥିଲୁ ଏବଂ ସଦାକାଳ ପାଇଁ ରହିବୁ । ତିନୋଟିଯାକ କାଳ ମନେ ଅଛି ନା । ବାପଦାଦା ପିଲାମାନଙ୍କର ଅନେକ
ଥର କରିଥିବା ପାର୍ଟକୁ ଦେଖି ହର୍ଷିତ ହେଉଛନ୍ତି, ସେଥିପାଇଁ ତ ମୁଶକିଲ୍ର ଅନୁଭବ ହେଉନାହିଁ ନା ।
କାରଣ ମାଷ୍ଟର ସର୍ବଶକ୍ତିମାନ ଆତ୍ମା ସମ୍ମୁଖକୁ ମୁଶ୍କିଲ୍ ଶବ୍ଦ କେବେ ବି ସ୍ୱପ୍ନରେ ମଧ୍ୟ
ଆସିପାରିବ ନାହିଁ । ବ୍ରାହ୍ମଣମାନଙ୍କ ଶବ୍ଦ କୋଷରେ ମୁଶ୍କିଲ୍ ଶବ୍ଦ ଅଛି କି? କେଉଁଠି ଛୋଟ ଛୋଟ
ଅକ୍ଷରରେ ରହିଯାଇ ନାହିଁ ତ? ମାୟା ବିଷୟରେ ମଧ୍ୟ ଜ୍ଞାନୀ ହୋଇଗଲଣି ନା । ଯେଉଁଠି ଫୁଲ୍ ଅର୍ଥାତ୍
ପୂର୍ଣ୍ଣତା ରହିଛି ସେଠାରେ କେବେ ଫେଲ୍ ହୋଇପାରିବ ନାହିଁ । ତେବେ ଫେଲ୍ ହେବାର କାରଣ କ’ଣ
ହୋଇଥାଏ? ସବୁକିଛି ଜାଣିଥିଲେ ମଧ୍ୟ ଫେଲ୍ କାହିଁକି ହେଉଛ? ଯଦି କେହି ସବୁ କିଛି ଜାଣି ମଧ୍ୟ ଫେଲ୍
ହେଉଥିବ ତେବେ ତାକୁ କ’ଣ କୁହାଯିବ? ତେବେ ଯେକୌଣସି କଥାରେ ଫେଲ୍ ହେବାର କାରଣ ହେଲା - କୌଣସି ନା
କୌଣସି କଥାରେ ଅପମାନର ଅନୁଭବ କରି ଦେଉଛ । ଫିଲିଙ୍ଗ୍ ରୂପକ ଫ୍ଲୁ ଅର୍ଥାତ୍ ଜ୍ୱର ଆସିଯାଉଛି ଏବଂ
ଫ୍ଲୁ କ’ଣ କରେ ଜାଣିଛ? ଦୁର୍ବଳ କରିଦିଏ । ଯାହା ଦ୍ୱାରା ଛୋଟିଆ କଥାଟି ମଧ୍ୟ ବଡ଼ ହୋଇଯାଏ ।
ସେଥିପାଇଁ ଏବେ ଫୁଲ୍ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯାଅ, ଫେଲ୍ ହୁଅ ନାହିଁ, ପାସ୍ ହୁଅ । ଯେପରି ବି
କଥା ଆସୁ ତା’କୁ ପାସ୍ କରିଚାଲ ତେବେ ପାସ୍ ଓି୍ୱଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ପାସ୍ ହୋଇଯିବ
। ତେବେ ପାସ୍ ଅର୍ଥାତ୍ ଅତିକ୍ରମ କରି ଯିବାକୁ ହେବ, ପାସ୍ ଅର୍ଥାତ୍ ଉତ୍ତୀର୍ଣ୍ଣ ମଧ୍ୟ ହେବାକୁ
ପଡ଼ିବ ଏବଂ ପାସ୍ ଅର୍ଥାତ୍ ନିକଟରେ ମଧ୍ୟ ରହିବାକୁ ହେବ । ଯେବେକି ଗର୍ବର ସହିତ କହୁଛ ଯେ
ବାପଦାଦାଙ୍କ ସହିତ ମୋ’ର ଯେତିକି ସ୍ନେହ ରହିଛି ସେତିକି ଆଉ କାହାର ନାହିଁ । ଯଦି ଏତେ ସ୍ନେହ ଅଛି
ତେବେ ପାଖରେ ରହିବା ଦରକାର ନା ଦୂରରେ ରହିବା ଦରକାର । ତେଣୁ ପାଖରେ ମଧ୍ୟ ରହିବା ଦରକାର ଏବଂ
ପରୀକ୍ଷାରେ ପାସ୍ ମଧ୍ୟ ହେବା ଦରକାର । ୟୁ.କେ. ନିବାସୀ ପିଲାମାନେ ତ ବାପଦାଦାଙ୍କର ସବୁ ଆଶାକୁ
ପୂର୍ଣ୍ଣ କରିବା ବାଲା ଅଟନ୍ତି ନା । ତେବେ ବାବାଙ୍କର ସବୁଠାରୁ ନମ୍ବରୱାନ୍ ଶୁଭ ଆଶା କ’ଣ?
ବିଶେଷ କରି ୟୁ.କେ. ନିବାସୀଙ୍କୁ ହିଁ କୁହାଯାଉଛି । ତୁମକୁ ବଡ଼ ବଡ଼ ମାଇକ୍ ଅର୍ଥାତ୍ ବିଶିଷ୍ଟ
ଆତ୍ମାମାନଙ୍କୁ ପ୍ରସ୍ତୁତ କରି ଆଣିବାକୁ ହେବ, ଯେଉଁମାନେ କି ବାବାଙ୍କୁ ପ୍ରତ୍ୟକ୍ଷ କରିବାର
ନିମିତ୍ତ ହେବେ ଏବଂ ବାବାଙ୍କର ପାଖାପାଖି ମଧ୍ୟ ହୋଇଯିବେ । ଏବେ ବି ୟୁ.କେ.ରେ, ଆମେରିକାରେ
ଆହୁରି ମଧ୍ୟ ବିଦେଶର ଅନେକ ଦେଶମାନଙ୍କରେ ମାଇକ୍ ଆତ୍ମାମାନେ ତ ନିଶ୍ଚିତ ବାହାରି ସାରିଛନ୍ତି
କିନ୍ତୁ ସେମାନଙ୍କ ଭିତରେ କିଛି ହେଲେ କେବଳ ସହଯୋଗୀ ଏବଂ ଆଉ କିଛି ସହଯୋଗୀ ହେବା ସହିତ ନିକଟ
ସମ୍ବନ୍ଧରେ ମଧ୍ୟ ରହୁଛନ୍ତି । ତେଣୁ ଏବେ ଏହିଭଳି ମାଇକ୍ ପ୍ରସ୍ତୁତ କର । ଏମିତି ତ ସେବାରେ
ବହୁତ ଭଲ ବୃଦ୍ଧି ହେଉଛି ଏବଂ ଆଗକୁ ମଧ୍ୟ ହେବ । ଆଚ୍ଛା, ରୁଷିୟା ନିବାସୀ ପିଲାମାନେ ଛୋଟ ହେଲେ
ମଧ୍ୟ ବହୁତ ଭାଗ୍ୟବାନ ଅଟନ୍ତି । ସେମାନଙ୍କର ବାବାଙ୍କ ସହିତ କେତେ ସ୍ନେହ ରହିଛି! ବହୁତ ଭଲ କଥା,
ବାପଦାଦା ମଧ୍ୟ ପିଲାମାନଙ୍କର ସାହସକୁ ଦେଖି ଖୁସି ହେଉଛନ୍ତି । ଏବେ ତ ମେହନତ କରିବା ଭୁଲିଗଲଣି
ନା । ଆଚ୍ଛା ।
ବରଦାନ:-
ପ୍ରତ୍ୟେକ
ସଂକଳ୍ପ, ବାଣୀ ଏବଂ କର୍ମ ଦ୍ୱାରା ପୂଣ୍ୟ କର୍ମ କରୁଥିବା ଆଶୀର୍ବାଦର ଅଧିକାରୀ ହୁଅ ।
ନିଜେ ନିଜ ସହିତ ଏହି
ଦୃଢ଼ ସଂକଳ୍ପ କର ଯେ ସାରା ଦିନ ଭିତରେ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା ଏବଂ କର୍ମ ଦ୍ୱାରା ପୂଣ୍ୟ
ଆତ୍ମା ହୋଇ କେବଳ ପୂଣ୍ୟ କର୍ମ ହିଁ କରିବି । ତେବେ ପୂଣ୍ୟ କର୍ମର ପ୍ରତ୍ୟକ୍ଷ ଫଳ ହେଲା
ପ୍ରତ୍ୟେକ ଆତ୍ମାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରିବା । ତେଣୁ ପ୍ରତ୍ୟେକ ସଂକଳ୍ପ ଦ୍ୱାରା ଏବଂ
ବାଣୀ ଦ୍ୱାରା ଆଶୀର୍ବାଦ ଜମା ହେଉ ଏବଂ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ସମସ୍ତଙ୍କଠାରୁ ଆନ୍ତରିକ
ସହଯୋଗ ରୂପକ ଧନ୍ୟବାଦ ବାହାରୁ । ଏହିଭଳି ଆଶୀର୍ବାଦ ପ୍ରାପ୍ତ କରିବାର ଅଧିକାରୀ ଆତ୍ମାର ହିଁ
ବିଶ୍ୱ ପରିବର୍ତ୍ତନର ନିମିତ୍ତ ହୋଇଥା’ନ୍ତି । ସେହିମାନଙ୍କୁ ହିଁ ପୁରସ୍କାର ମିଳିଥାଏ ।
ସ୍ଲୋଗାନ:-
ସର୍ବଦା
ଏକମାତ୍ର ବାବାଙ୍କର ସଙ୍ଗରେ ରୁହ ଏବଂ ବାବାଙ୍କୁ ନିଜର ସାଥୀ କରିଦିଅ - ଏହା ହିଁ ଶ୍ରେଷ୍ଠତା ଅଟେ
।