05.07.20    Avyakt Bapdada     Odia Murli     20.02.86     Om Shanti     Madhuban


ଉଡିବାର କଳା ଦ୍ୱାରା ସମସ୍ତଙ୍କର ମଙ୍ଗଳ


ଆଜି ବାପଦାଦା ଡବଲ ବିଦେଶୀ ପିଲାମାନଙ୍କୁ ଡବଲ ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି । ଗୋଟିଏ ହେଲା ଦୂରଦେଶରେ ଏବଂ ଭିନ୍ନ ଭିନ୍ନ ଧର୍ମରେ ରହି ମଧ୍ୟ ଭାରତ ଭିତରେ ନିକଟରେ ଥିବା ଅନେକ ଆତ୍ମାଙ୍କଠାରୁ ଖୁବ୍ ଶୀଘ୍ର ବାବାଙ୍କୁ ଚିହ୍ନି ପାରିଛନ୍ତି, ତେଣୁ ବାବାଙ୍କୁ ଚିହ୍ନିବାର ଅର୍ଥାତ୍ ନିଜର ଭାଗ୍ୟକୁ ପ୍ରାପ୍ତ କରିବାର ଅଭିନନ୍ଦନ ଏବଂ ଦ୍ୱିତୀୟରେ ହେଲା ଯେତିକି ତୀବ୍ର ଗତିରେ ଚିହ୍ନିପାରିଛନ୍ତି ସେତିକି ତୀବ୍ରଗତିରେ ନିଜକୁ ସେବାରେ ମଧ୍ୟ ଲଗାଇ ଦେଇଛନ୍ତି । ତେଣୁ ତୀବ୍ରଗତିରେ ସେବାରେ ଆଗକୁ ବଢିବାର ଦ୍ୱିତୀୟ ଅଭିନନ୍ଦନ । ତେବେ ସେବାରେ ବୃଦ୍ଧି କରିବାର ଗତି ଆଜି ପର୍ଯ୍ୟନ୍ତ ତୀବ୍ର ରହିଆସିଛି ଏବଂ ଆଗକୁ ମଧ୍ୟ ଡବଲ ବିଦେଶୀ ପିଲାମାନଙ୍କୁ ଏକ ବିଶେଷ କାର୍ଯ୍ୟ ପାଇଁ ନିମିତ୍ତ ହେବାର ଅଛି । ଭାରତର ନିମିତ୍ତ ଆଦି ରତ୍ନମାନେ ବା ବିଶେଷ ଆତ୍ମାମାନେ ସ୍ଥାପନା କାର୍ଯ୍ୟରେ ବହୁତ ମଜୁବୁତ ମୂଳଦୁଆ ହୋଇ କାର୍ଯ୍ୟର ସ୍ଥାପନା କରିଛନ୍ତି ଏବଂ ଡବଲ ବିଦେଶୀ ପିଲାମାନେ ଚାରିଆଡେ ସନ୍ଦେଶ ପହଞ୍ଚାଇବାରେ ତୀବ୍ରଗତିରେ ସେବା କରିଛନ୍ତି ଏବଂ ଆଗକୁ ମଧ୍ୟ କରିବେ । ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ ଆସିବା ମାତ୍ରକେ ବା ଜନ୍ମ ହେବା ମାତ୍ରକେ ବହୁତ ଶୀଘ୍ର ସେବାରେ ଆଗକୁ ବଢିବାର ବିଶେଷ ଅଭିନନ୍ଦନ ଦେଉଛନ୍ତି । ଅଳ୍ପ ସମୟ ଭିତରେ ଭିନ୍ନ ଭିନ୍ନ ଦେଶରେ ସେବାର ବିସ୍ତାର କରିଛନ୍ତି ସେଥିପାଇଁ ସନ୍ଦେଶ ପ୍ରଚାର ହେବାର କାର୍ଯ୍ୟ ସହଜରେ ବୃଦ୍ଧି ପ୍ରାପ୍ତ କରିଚାଲିଛି ଏବଂ ସର୍ବଦା ଡବଲ୍ ଲାଇଟ୍ ହୋଇ, ଡବଲ ମୁକୁଟଧାରୀ ହେବାର ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ କରିବା ପାଇଁ ତୀବ୍ର ପୁରୁଷାର୍ଥ ମଧ୍ୟ ନିଶ୍ଚିତ କରିବେ । ଆଜି ବାପଦାଦା ବିଶେଷ କରି ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ଏବଂ ଦେଖୁଛନ୍ତି ସମସ୍ତଙ୍କ ହୃଦୟରେ ଖୁସିର ବ୍ୟାଣ୍ଡ ବାଜା ବାଜୁଛି । ପିଲାମାନଙ୍କର ଖୁସିର ବାଦ୍ୟ, ଖୁସିର ସଂଗୀତ ବାପଦାଦାଙ୍କୁ ଶୁଭୁଛି । ପିଲାମାନେ ଯୋଗରେ ଏବଂ ସେବାରେ ଲଗନର ସହିତ ଆଗକୁ ମଧ୍ୟ ବଢୁଛନ୍ତି । ତେବେ ଯୋଗ ମଧ୍ୟ କରୁଛ, ସେବା ମଧ୍ୟ କରୁଛ କିନ୍ତୁ ଏବେ ସେଥିରେ ଆଉ କଣ ମିଶିବା ଦରକାର ? ଦୁଇଟିଯାକ ତ କରୁଛ କିନ୍ତୁ ସବୁବେଳେ ଦୁଇଟି ଯାକର ସନ୍ତୁଳନ ରହିବା ଦରକାର । ସେବାର ଉମଙ୍ଗ-ଉତ୍ସାହ ତ ରହୁଛି କିନ୍ତୁ ସେବା ସାଥୀରେ ଯଦି ଯୋଗର ସନ୍ତୁଳନ ରହିବ ତେବେ ତୁମର ସନ୍ଦେଶ ଆହୁରି ଅଧିକ ଜୋରଦାର ରୂପରେ ବିଶ୍ୱରେ ଗୁଞ୍ଜରିତ ହେବ । ବିସ୍ତାର ମଧ୍ୟ ବହୁତ ଭଲ କରିଛ । ତେବେ ବିସ୍ତାର ପରେ ପୁଣି କଣ କରିବ ? ବିସ୍ତାର କରିବା ସହିତ ଆହୁରି ମଧ୍ୟ ବର୍ତ୍ତମାନ ସେବାର ସାରାଂଶ ରୂପରେ ଏଭଳି ବିଶେଷ ଆତ୍ମାମାନଙ୍କୁ ନିମିତ୍ତ କରିବାକୁ ହେବ ଯେଉଁମାନେ କି ଭାରତର ବିଶେଷ ଆତ୍ମାମାନଙ୍କୁ ନିଦରୁ ଉଠାଇବେ । ଏବେ ଭାରତରେ ମଧ୍ୟ ସେବାର ରୂପରେଖା ଆଗକୁ ବଢି ଚାଲିଛି । ନେତାମାନେ, ଧର୍ମନେତାମାନେ ଏବଂ ଅଭିନେତାମାନେ ମଧ୍ୟ ସମ୍ପର୍କରେ ଆସୁଛନ୍ତି । ଆଉ କିଏ ବାକି ରହିଲେ ? ଏମିତି ତ ସମ୍ପର୍କରେ ତ ବହୁତ ଆସୁଛନ୍ତି, ନେତାମାନେ ମଧ୍ୟ ଆସୁଛନ୍ତି କିନ୍ତୁ ଯେଉଁମାନେ ବିଶେଷ ରାଜନେତାମାନେ ଅଛନ୍ତି ସେମାନଙ୍କ ସହିତ ମଧ୍ୟ ନିକଟବର୍ତ୍ତୀ ହେବାର ସମ୍ପର୍କ ଯୋଡିବା ପାଇଁ ସଂକଳ୍ପ ନିଶ୍ଚିତ ଉତ୍ପନ୍ନ ହେବ ।

ସମସ୍ତ ଡବଲ ବିଦେଶୀ ପିଲାମାନେ ଉଡିବାର କଳା ବା ସ୍ଥିତି ଆଡକୁ ଗତି କରୁଛ ନା! ଚଢିବାର କଳାରେ ତ ନାହଁ ନା! ତେବେ ଉଡିବାର କଳାରେ ତ ଅଛ ନା ? ତୁମମାନଙ୍କର ଉଡିବାର କଳାକୁ ଯିବା ଅର୍ଥାତ୍ ସମସ୍ତଙ୍କର ମଙ୍ଗଳ ହେବା । ଯେତେବେଳେ ସବୁ ପିଲାଙ୍କର ଏକାଭଳି ଉଡିବାର ସ୍ଥିତି ହୋଇଯିବ ସେତେବେଳେ ସମସ୍ତଙ୍କର ମଙ୍ଗଳ ହେବ ଅର୍ଥାତ୍ ପରିବର୍ତ୍ତନର କାର୍ଯ୍ୟ ସମ୍ପନ୍ନ ହୋଇଯିବ । ଏବେ ବି ତୁମମାନଙ୍କର ଉଡିବାର କଳା ଅଛି କିନ୍ତୁ ସେଥିରେ ଭିନ୍ନ ଭିନ୍ନ ଅବସ୍ଥା ଅଛି । କେତେବେଳେ ବହୁତ ଭଲ ସ୍ଥିତି ରହୁଛି, ପୁଣି କେତେବେଳେ ଭଲ ସ୍ଥିତିରେ ରହିବା ପାଇଁ ପୁରୁଷାର୍ଥ କରିବାର ସ୍ଥିତି ରହୁଛି । ଅଧିକାଂଶ ପିଲାଙ୍କର ସବୁ ସମୟରେ ଉଡିବାର କଳା ରହିବା ଅର୍ଥାତ୍ ନାଟକର ସମାପ୍ତି ହେବା । ତେବେ ସବୁ ପିଲାମାନେ ଜାଣୁଛ ଯେ ଉଡିବାର ସ୍ଥିତି ହିଁ ସର୍ବଶ୍ରେଷ୍ଠ ସ୍ଥିତି । ଉଡିବାର ସ୍ଥିତି ହିଁ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କିରବାର ସ୍ଥିତି । ଉଡିବାର କଳା ହିଁ ଦେହ ଭିତରେ ଥାଇ, ଦେହଠାରୁ ଅଲଗା ଏବଂ ସର୍ବଦା ସେବା ସହିତ ବାବାଙ୍କର ମଧ୍ୟ ପ୍ରିୟ ହେବାର ସ୍ଥିତି । ଉଡିବାର କଳା ହିଁ ବିଧାତା ଏବଂ ବରଦାତା ହେବାର ସ୍ଥିତି । ଉଡିବାର କଳା ହିଁ ଚାଲିବା ବୁଲିବା ସମୟରେ ଫରିସ୍ତା ବା ଦେବତା ଦୁଇଟିଯାକ ରୂପର ସାକ୍ଷାତ୍କାର କରାଇବାର ସ୍ଥିତି ।

ତୁମମାନଙ୍କର ଉଡିବାର କଳା ସର୍ବ ଆତ୍ମାମାନଙ୍କୁ ଭିକାରୀ ପଣିଆରୁ ମୁକ୍ତ କରି ବାବାଙ୍କର ସମ୍ପତ୍ତିର ଅଧିକାରୀ କରିଦେବ । ସବୁ ଆତ୍ମାମାନେ ଅନୁଭବ କରିବେ ଯେ ଆମ ସମସ୍ତଙ୍କର ଇଷ୍ଟଦେବ, ଇଷ୍ଟଦେବୀମାନେ ବା ନିମିତ୍ତ ହୋଇଥିବା ଯେଉଁ ସବୁ ଅନେକ ଦେବତାମାନେ ଅଛନ୍ତି, ସମସ୍ତେ ଏହି ଧରାପୃଷ୍ଠରେ ଅବତରିତ ହୋଇଗଲେଣି । ସତ୍ୟଯୁଗରେ ତ ସମସ୍ତେ ସଦ୍ଗତିରେ ଥିବେ କିନ୍ତୁ ଏହି ସମୟରେ ଯେଉଁମାନେ ବି ଏଠାରେ ଅଛନ୍ତି ତୁମେମାନେ ସେମାନଙ୍କର ସଦ୍ଗତି ଦାତା ଅଟ । ଯେପରି କୌଣସି ବି ଡ୍ରାମା ଯେତେବେଳେ ସମାପ୍ତ ହେବାକୁ ଯାଉଥାଏ ସେତେବେଳେ ସବୁ ଆକ୍ଟର ମାନେ ଷ୍ଟେଜ ଉପରକୁ ଆସିଯାଆନ୍ତି, ତେବେ ବର୍ତ୍ତମାନ ତ ଗୋଟିଏ କଳ୍ପର ଡ୍ରାମା ସମାପ୍ତ ହେବାକୁ ଯାଉଛି । ସାରା ବିଶ୍ୱର ଆତ୍ମାମାନଙ୍କୁ ଚାହେଁ, ସ୍ୱପ୍ନରେ, ଚାହେଁ କ୍ଷଣିକ ଦୃଶ୍ୟ ମାଧ୍ୟମରେ, ଚାହେଁ ଚାରିଆଡେ ପ୍ରତ୍ୟକ୍ଷତାର ସମାଚାର ମାଧ୍ୟମରେ ଏହି କଥା ନିଶ୍ଚିତ ଭାବରେ ସାକ୍ଷାତ୍କାର ହେବ ଯେ ଏହି ଡ୍ରାମାର ହୀରୋ ପାର୍ଟଧାରୀମାନେ ମଞ୍ଚ ଉପରେ ପ୍ରତ୍ୟକ୍ଷ ହୋଇଯାଇଛନ୍ତି । ଧରାପୃଷ୍ଠର ତାରକାମାନେ ଧରାପୃଷ୍ଠରେ ପ୍ରତ୍ୟକ୍ଷ ହୋଇଯାଇଛନ୍ତି । ସମସ୍ତେ ନିଜ ନିଜର ଇଷ୍ଟଦେବ, ଇଷ୍ଟଦେବୀମାନଙ୍କୁ ପ୍ରାପ୍ତ କରି ବହୁତ ଖୁସି ହେବେ । ସେମାନଙ୍କୁ ସାହାରା ମଧ୍ୟ ମିଳିବ । ଡବଲ ବିଦେଶୀମାନେ ମଧ୍ୟ ଇଷ୍ଟଦେବ, ଇଷ୍ଟଦେବୀମାନଙ୍କ ଭିତରେ ଅଛନ୍ତି ନା! ନା କେବଳ ଗୋଲ୍ଡେନ୍ ଜୁବଲୀର ଆତ୍ମାମାନେ ଅଛନ୍ତି ? ତୁମେମାନେ ମଧ୍ୟ ସେମାନଙ୍କ ଭିତରେ ଅଛ, ନା କେବଳ ଦେଖଣାହାରି ଅଟ ? ଯେପରି ବର୍ତ୍ତମାନ ଗୋଲ୍ଡେନ୍ ଜୁବଲୀର ଦୃଶ୍ୟକୁ ଦେଖଣାହାରୀ ହୋଇ ଦେଖିଲ, ସେହିପରି କେବଳ ଦେଖଣାହାରି ଅଟ ? ଏହା ତ ତୁମମାନଙ୍କର ଗୋଟିଏ ମଜାଦାର ପାର୍ଟ ଥିଲା । କିନ୍ତୁ ଯେତେବେଳେ ଅନ୍ତିମ ଦୃଶ୍ୟ ସମ୍ମୁଖକୁ ଆସିବ ସେଥିରେ ତୁମେମାନେ ସାକ୍ଷାତ୍କାର କରାଉଥିବ ନା କେବଳ ଦେଖୁଥିବ ? କଣ ହୋଇଥିବ ? ହୀରୋ ଆକ୍ଟର ଅଟ ନା! ତେବେ ସେତେବେଳର ଦୃଶ୍ୟ କିପରି ହୋଇଥିବ ତାହା ସଂକଳ୍ପରେ ପ୍ରକଟ କରି ଦେଖ । ସେହି ଅନ୍ତିମ ଦୃଶ୍ୟକୁ ଦେଖିବା ପାଇଁ ଏବେଠାରୁ ତ୍ରିକାଳଦର୍ଶୀ ସ୍ଥିତିରେ ରହି ଦେଖ ଯେ ସେହି ଦୃଶ୍ୟ କେତେ ସୁନ୍ଦର ହୋଇଥିବ ଏବଂ ଆମେମାନେ ମଧ୍ୟ କେତେ ସୁନ୍ଦର ହୋଇଥିବୁ । ସୁସଜ୍ଜିତ ହୋଇଥିବା ଦିବ୍ୟଗୁଣର ମୂର୍ତ୍ତି ଅର୍ଥାତ୍ ଫରିସ୍ତା ତଥା ଦେବତା, ସେଥିପାଇଁ ଏବେଠାରୁ ନିଜକୁ ସର୍ବଦା ଫରିସ୍ତା ସ୍ୱରୂପ ସ୍ଥିତିରେ ରହିବାର ଅଭ୍ୟାସ କରିବା ସହିତ ଆଗକୁ ବଢାଇଚାଲ ତେବେ ପାଠପଢାର ଯେଉଁ ଚାରୋଟି ବିଶେଷ ବିଷୟ ରହିଛି ଯଥା - ଜ୍ଞାନର ମୂର୍ତ୍ତି, ନିରନ୍ତର ଯୋଗ ମୂର୍ତ୍ତି, ସର୍ବ ଦିବ୍ୟଗୁଣର ମୂର୍ତ୍ତି ଏବଂ ସେବାର ମୂର୍ତ୍ତି ସେଥିରେ ସମ୍ପନ୍ନ ହୁଅ, ଯଦି ଗୋଟିଏ ବି ଦିବ୍ୟଗୁଣର କମୀ ହେବ ତେବେ ୧୬ କଳା ସମ୍ପନ୍ନ କୁହାଯିବ ନାହିଁ । ୧୬ କଳା, ସର୍ବଗୁଣ ଏବଂ ସମ୍ପୂର୍ଣ୍ଣ ଏହି ତିନିଟିଯାକ ମହିମା ଅଟେ । ସର୍ବଗୁଣ ସମ୍ପନ୍ନ କହୁଛ, ସମ୍ପୂର୍ଣ୍ଣ ନିର୍ବିକାରୀ ମଧ୍ୟ କହୁଛ ଏବଂ ୧୬ କଳା ମଧ୍ୟ କହୁଛ । ତେବେ ତିନିଟିଯାକ ବିଶେଷତା ରହିବା ଆବଶ୍ୟକ । ୧୬ କଳା ଅର୍ଥାତ୍ ସମ୍ପନ୍ନ ମଧ୍ୟ ହେବା ଦରକାର, ସମ୍ପୂର୍ଣ୍ଣ ମଧ୍ୟ ଦରକାର ଏବଂ ସର୍ବ ମଧ୍ୟ ଦରକାର । ତେଣୁ ଏହାକୁ ଚେକ୍ କର । ଶୁଣାଇଥିଲୁ ନା...କେବଳ ଏହି ବର୍ଷ ହିଁ ବହୁତ କାଳର ହିସାବରେ ଜମା ହେବାର ବର୍ଷ, ଏହାପରେ ବହୁତ କାଳର ହିସାବ ସମାପ୍ତ ହୋଇଯିବ, ପୁଣି ଅଳ୍ପ ସମୟର କୁହାଯିବ, ବହୁତ କାଳ ପାଇଁ କୁହାଯିବ ନାହିଁ । ତେଣୁ ଏବେ ବହୁତ କାଳର ପୁରୁଷାର୍ଥର ତାଲିକାକୁ ଆସିଯାଅ, ତେବେ ଯାଇ ବହୁତ କାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବାର ଅଧିକାରୀ ହୋଇପାରିବ । ଯଦି ଦୁଇ-ଚାରି ଜନ୍ମ ବି କମ୍ ହୋଇଗଲା ତେବେ ବହୁତ କାଳରେ ଗଣତୀ ହେବ ନାହିଁ । ତେଣୁ ପ୍ରଥମ ଜନ୍ମରେ ହିଁ ପ୍ରକୃତିର ପ୍ରଥମ ଏବଂ ଶ୍ରେଷ୍ଠ ସୁଖ ପ୍ରାପ୍ତ ଦେବା ଦରକାର । ୧-୧-୧- ଅର୍ଥାତ୍ ଆରମ୍ଭ ହେଉଥିବ ଅର୍ଥାତ୍ ସବୁଥିରେ ୱାନ ଅର୍ଥାତ୍ ପ୍ରଥମ । ସେଥିପାଇଁ କଣ କରିବାକୁ ପଡିବ ? ସେବା ମଧ୍ୟ ନମ୍ବରୱାନ, ସ୍ଥିତି ମଧ୍ୟ ନମ୍ବରୱାନ୍ ତେବେ ଯାଇ ତ ୱାନ-ୱାନ-ୱାନରେ ଆସିବ ନା! ତେବେ ସତ୍ୟଯୁଗର ଆଦି ସମୟରେ ଜନ୍ମ ନେଉଥିବା ନମ୍ବରୱାନ ଆତ୍ମା ସାଥୀରେ ପାର୍ଟ କରୁଥିବା ଏବଂ ପ୍ରଥମ ଜନ୍ମରେ ହିଁ ପାର୍ଟ କରୁଥିବା ଆତ୍ମା ଅଟ । ତେଣୁ ତୁମେମାନେ ହିଁ ସମ୍ବତ୍ ଆରମ୍ଭ କରିବ । ପ୍ରଥମେ ପ୍ରଥମେ ଜନ୍ମ ନେଉଥିବା ଆତ୍ମାମାନେ ହିଁ ପ୍ରଥମ ତାରିଖ, ପ୍ରଥମ ମାସ ଏବଂ ପ୍ରଥମ ସମ୍ବତ୍ ଆରମ୍ଭ କରିବେ । ତେବେ ଡବଲ ବିଦେଶୀ ପିଲାମାନେ ନମ୍ବର ୱାନରେ ଆସିବେ ନା । ଆଚ୍ଛା - ଫରିସ୍ତା ସ୍ୱରୂପର ଡ୍ରେସ୍ ପିନ୍ଧିବା ଜଣା ଅଛି ନା! ଏହା ଏକ ଚମକ୍ଦାର ପୋଷାକ । ଏହି ସ୍ମୃତିକୁ ଧାରଣ କରିବା ଏବଂ ସ୍ୱରୂପ ହେବା ହିଁ ଫରିସ୍ତା ଡ୍ରେସ୍କୁ ଧାରଣ କରିବା । ଚମକଦାର ଜିନିଷ ଦୂରରୁ ହିଁ ଆକର୍ଷିତ କରିଥାଏ । ତେବେ ତୁମର ଏହି ଫରିସ୍ତା ଡ୍ରେସ୍ ଅର୍ଥାତ୍ ଫରିସ୍ତା ସ୍ୱରୂପ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଆତ୍ମାମାନଙ୍କୁ ଆକର୍ଷିତ କରିବ । ଆଚ୍ଛା!

ଆଜି ୟୁ.କେ.ର ପାଳି ଅଛି । ୟୁ.କେ. ନିବାସୀଙ୍କର ବିଶେଷତା କଣ ? ଲଣ୍ଡନକୁ ସତ୍ୟଯୁଗରେ ମଧ୍ୟ ରାଜଧାନୀ କରିବ ନା । କେବଳ ଭ୍ରମଣ ସ୍ଥାନ କରିବ ? ୟୁ.କେ ଅର୍ଥାତ୍ ୟୁନାଇଟେଡ୍ କିଙ୍ଗଡମ୍ । ସେଠାରେ ମଧ୍ୟ କିଙ୍ଗଡମ୍ ଅର୍ଥାତ୍ ରାଜଧାନୀ ନିର୍ମାଣ କରିବ, ନା କେବଳ କିଙ୍ଗ (ରାଜା)ମାନେ ଯାଇ ଭ୍ରମଣ କରିବେ ? ପୁଣି ବି ଯେଉଁଭଳି ନାମ ରଖାଯାଇଛି, ତାକୁ କିଙ୍ଗଡମ୍ କହୁଛନ୍ତି । ତେବେ ବର୍ତ୍ତମାନ ତ ସେବାର କିଙ୍ଗଡମ୍ ହିଁ ଅଟେ । ସାରା ବିଦେଶ ସେବାର ନିମିତ୍ତ ଆଧାର ବା ରାଜଧାନୀ ତ ଅଟେ ନା । ତେଣୁ କିଙ୍ଗଡମ୍ ନାମ ତ ଠିକ୍ ଅଛି ନା! ସମସ୍ତଙ୍କୁ ୟୁନାଇଟ୍ ଅର୍ଥାତ୍ ଏକାଠି କରୁଥିବା କିଙ୍ଗ୍ଡମ୍ । ସବୁ ଆତ୍ମାଙ୍କୁ ବାବାଙ୍କ ସହିତ ମିଶାଇବାର ରାଜଧାନୀ ୟୁ.କେ. ନିବାସୀଙ୍କୁ ବାପଦାଦା ଓ.କେ. ରହୁଥିବା ଆତ୍ମା କହୁଛନ୍ତି । ୟୁ.କେ ଅର୍ଥାତ୍ ସର୍ବଦା ଓ.କେ. (ଠିକ୍ଠାକ୍) ରହୁଥିବା । କେତେବେଳେ ବି କାହାକୁ ବି ପଚରା ଗଲେ କହିବେ ଓ.କେ, ଏହି କଥା ନା । ଏମିତି ତ କହିବ ନାହିଁ ଯେ ଠିକ୍ ତ ଅଛୁ । ଲମ୍ବା ନିଶ୍ୱାସ ନେଇ କହୁଥିବ ହଁ । କିନ୍ତୁ ଯେତେବେଳେ ସବୁ କିଛି ଠିକ୍ ଥିବ ସେତେବେଳେ ତୁରନ୍ତ କହିବେ ହଁ ଓ.କେ. ସେହି ଓ.କେ. କହିବାରେ ହିଁ ଫରକ ଥାଏ । ତେବେ ସଂଗମଯୁଗର ରାଜଧାନୀ ବା ସେବାର ରାଜଧାନୀ ଯେଉଁଠାରୁ ରାଜ୍ୟ ସଭା ଅର୍ଥାତ୍ ରାଜ ପରିବାରର ଆତ୍ମାମାନଙ୍କୁ ପ୍ରସ୍ତୁତ କରିବାର ପ୍ରେରଣା ଚତୁର୍ଦ୍ଦିଗରେ ଖେଳିଯିବ । ତେଣୁ ରାଜଧାନୀରେ ରାଜ୍ୟ ଅଧିକାରୀ ପ୍ରସ୍ତୁତ କରିବାର ରାଜ୍ୟ ସ୍ଥାନ ତ ହେଲା ନା ସେଥିପାଇଁ ବାପଦାଦା ପ୍ରତ୍ୟେକ ଦେଶର ବିଶେଷତାକୁ ବିଶେଷ ଭାବରେ ମନେ ପକାଉଛନ୍ତି ଏବଂ ବିଶେଷତା ଅନୁସାରେ ସର୍ବଦା ଆଗକୁ ବଢାଉଛନ୍ତି । ବାପଦାଦା କାହାରି ଦୁର୍ବଳତା ଗୁଡିକୁ ଦେଖୁ ନାହାଁନ୍ତି କେବଳ ସଙ୍କେତ ଦେଉଛନ୍ତି । ବହୁତ ଭଲ, ବହୁତ ଭଲ କହି କହି ତୁମେମାନେ ବହୁତ ଭଲ ହୋଇଯାଉଛ । ଦୁର୍ବଳ, ଦୁର୍ବଳ କହିବା ଦ୍ୱାରା ଦୁର୍ବଳ ହିଁ ହୋଇଯିବ । ଏମିତି ତ ପ୍ରଥମରୁ ହିଁ ଦୁର୍ବଳ ଥିବା ଆତ୍ମାକୁ ଯଦି କେହି କହିଦେବ ତୁମେ ଦୁର୍ବଳ ଅଟ ତେବେ ସେ ଅଧିକ ଦୁର୍ବଳ ହୋଇଯିବ ବା ମୂର୍ଚ୍ଛିତ ହୋଇଯିବ କିନ୍ତୁ କେମିତି ବି ମୂର୍ଚ୍ଛିତ ଆତ୍ମାକୁ ଶ୍ରେଷ୍ଠ ସ୍ମୃତିର ବା ତାର ବିଶେଷତା ଗୁଡିକର ସ୍ମୃତି ରୂପକ ସଂଜୀବନୀ ବୁଟୀ ଖୁଆଇ ଦେଲେ ସେ ମୂର୍ଚ୍ଛିତରୁ ସଚେତ ହୋଇଯିବ । ସେହି ସଂଜୀବନୀ ବୁଟୀ ସମସ୍ତଙ୍କ ନିକଟରେ ଅଛି ନା । ତେବେ ବିଶେଷତା ଗୁଡିକର ସ୍ୱରୂପର ଦର୍ପଣ ତାଙ୍କ ସମ୍ମୁଖରେ ରଖ କାହିଁକି ନା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ବିଶେଷ ଅଟେ । କୋଟିକ ଭିତରେ ଗୋଟିଏ, ତେଣୁ ବିଶେଷ ହେଲା ନା! କେବଳ ସେହି ସମୟରେ ନିଜର ବିଶେଷତା ଗୁଡିକୁ ଭୁଲି ଯାଉଛନ୍ତି । ଯାହାକୁ ସ୍ମରଣ କରାଇଦେଲେ ପୁନର୍ବାର ବିଶେଷ ଆତ୍ମା ହୋଇଯିବେ ଏବଂ ଯେତେବେଳେ ତୁମେ ତାଙ୍କର ବିଶେଷତାର ବର୍ଣ୍ଣନା କରିବ ସେତେବେଳ ତାଙ୍କୁ ନିଜର ଦୋଷ ଦୁର୍ବଳତା ଗୁଡିକ ମଧ୍ୟ ଅଧିକ ସ୍ପଷ୍ଟ ଭାବରେ ଅନୁଭବ ହେବ । ତୁମକୁ ଅନୁଭବ କରାଇବାର ଆବଶ୍ୟକତା ପଡିବ ନାହିଁ କିନ୍ତୁ ଯଦି ତୁମେ କାହାକୁ ତାର ଦୁର୍ବଳତା ଗୁଡିକୁ ମଧ୍ୟ ଶୁଣାଇବ ତେବେ ସେ ଲୁଚାଇବାକୁ ଚେଷ୍ଟା କରିବ, ଗାଳି ଦେବ, କହିବ ମୁଁ ଏପରି ନୁହେଁ । ତେଣୁ ତୁମେ ତାର ବିଶେଷତାକୁ ଶୁଣାଅ । ଯେତେବେଳ ପର୍ଯ୍ୟନ୍ତ କୌଣସି ଆତ୍ମା ନିଜର ଦୁର୍ବଳତା ଗୁଡିକୁ ଅନୁଭବ ନ କରିପାରିଛି ସେପର୍ଯ୍ୟନ୍ତ ପରିବର୍ତ୍ତନ କରିପାରିବ ନାହିଁ । ଚାହେଁ ୫୦ ବର୍ଷ ପର୍ଯ୍ୟନ୍ତ ତୁମେ ପରିଶ୍ରମ କରିଚାଲ, ସେଥିପାଇଁ ଏହି ସଂଜୀବନୀ ବୁଟୀ ଦ୍ୱାରା ମୂର୍ଚ୍ଛିତ ଆତ୍ମାକୁ ମଧ୍ୟ ସଚେତ୍ କରି ଉଡାଇଚାଲ ଏବଂ ନିଜେ ମଧ୍ୟ ଉଡିଚାଲ । ଏହି କାର୍ଯ୍ୟ ୟୁ.କେ. ନିବାସୀ କରୁଛନ୍ତି ନା । ଆଚ୍ଛା!

ଲଣ୍ଡନରୁ ଅନ୍ୟାନ୍ୟ ସ୍ଥାନମାନଙ୍କୁ କେତେ ସେବାଧାରୀ ଯାଇଛନ୍ତି । ଭାରତରୁ ତ ଯାଇଛନ୍ତି, କିନ୍ତ ଲଣ୍ଡନରୁ କେତେ ଜଣ ଯାଇଛନ୍ତି ? ଅଷ୍ଟ୍ରେଲିୟାରୁ କେତେ ଯାଇଛନ୍ତି ? ଅଷ୍ଟ୍ରେଲିଆ ମଧ୍ୟ ବହୁତ ବୃଦ୍ଧି ପ୍ରାପ୍ତ କରିଛି ତେଣୁ ସେଠାରୁ କେଉଁ ସ୍ଥାନକୁ ଯାଇଛନ୍ତି ? ଜ୍ଞାନ ଗଙ୍ଗାମାନେ ଯେତେ ଦୂର ଦୂରାନ୍ତ ସ୍ଥାନକୁ ବହିଯିବେ ସେତେ ଭଲ । ୟୁ.କେ. ଅଷ୍ଟ୍ରେଲିଆ, ଆମେରିକା, ୟୁରୋପ ଆଦି ଦେଶରେ କେତେ ସେଣ୍ଟର ଅଛି ? (ସମସ୍ତେ ନିଜ ନିଜର ସଂଖ୍ୟା ଶୁଣାଇଲେ)

ତେବେ ଭଲ ରୂପେ ବୃଦ୍ଧିକୁ ପ୍ରାପ୍ତ କରି ଚାଲିଛ । ଏବେ ଆଉ କୌଣସି ବିଶେଷ ସ୍ଥାନ ବାକି ଅଛି କି ? (ବହୁତ ଅଛି) ଆଚ୍ଛା ସେଗୁଡିକର ସେବା କରିବା ପାଇଁ ତ ଯୋଜନା କରୁଛ ନା । ବିଦେଶକୁ ଏହି ଲିଫ୍ଟ ମଧ୍ୟ ମିଳିଛି ସେମାନେ ବହୁତ ସହଜରେ ସେଣ୍ଟର ଖୋଲିପାରିବେ । ଲୌକିକ ସେବା ମଧ୍ୟ କରିପାରିବେ ଏବଂ ଅଲୌକିକ ସେବାର ମଧ୍ୟ ନିମିତ୍ତ ହୋଇପାରିବେ । ଭାରତରେ ପୁଣି ବି ନିମନ୍ତ୍ରଣ ଆଧାରରେ ସେଣ୍ଟର ସ୍ଥାପନ ହେବାର ବିଶେଷତା ରହିଆସିଛି କିନ୍ତୁ ବିଦେଶରେ ନିଜେ ନିଜକୁ ନିମନ୍ତ୍ରଣ ଦେଇଥାନ୍ତି ଅର୍ଥାତ୍ ନିମନ୍ତ୍ରଣ ମଧ୍ୟ ସେହିମାନେ ଦେବେ ଏବଂ ସେବା ମଧ୍ୟ ସେହିମାନେ ହିଁ କରିବେ ତେଣୁ ଏହା ମଧ୍ୟ ସହଜରେ ବୃଦ୍ଧି ହେବାର ଗୋଟିଏ ଲିଫ୍ଟ ମିଳିଛି । ଯେଉଁଠାକୁ ବି ଯାଅ ଦୁଇ ତିନି ଜଣ ମିଶି ସ୍ଥାପନାର ନିମିତ୍ତ ହୋଇପାରିବେ ଏବଂ ହେବେ ମଧ୍ୟ ଏହା ସେମାନଙ୍କୁ ଡ୍ରାମା ଅନୁସାରେ ଗିଫ୍ଟ କୁହ ବା ଲିଫ୍ଟ କୁହ -- ମିଳିଛି କାହିଁକି ନା ଅଳ୍ପ ସମୟ ମଧ୍ୟରେ ସେବାକୁ ସମାପ୍ତ କରିବାର ଅଛି ତେଣୁ ତୀବ୍ରଗତିରେ ହେଲେ ଯାଇ ତ ସମୟ ଅନୁସାରେ ସମାପ୍ତ ହୋଇପାରିବ । ତେବେ ଭାରତର ବିଧି ଏବଂ ବିଦେଶର ବିଧିରେ ଅନ୍ତର ରହିଛି ସେଥିପାଇଁ ବିଦେଶରେ ଶୀଘ୍ର ଶୀଘ୍ର ବୃଦ୍ଧି ହୋଇ ଚାଲିଛି ଏବଂ ହେବ ମଧ୍ୟ । ଗୋଟିଏ ଦିନରେ ଅନେକ ସେଣ୍ଟର ଖୋଲିପାରିବ । ବିଦେଶରେ ଚାରିଆଡେ ନିମିତ୍ତ ରୂପରେ ରହିଥିବା ମାତ୍ର ବିଦେଶୀମାନଙ୍କୁ ସେବା କରିବାର ବହୁତ ଭଲ ସୁଯୋଗ ମିଳିଛି । ଭାରତବାସୀଙ୍କୁ ତ ବଡ କଷ୍ଟରେ ଭିସା ମିଳୁଛି । ତେଣୁ ଏହା ମଧ୍ୟ ଏକ ଭଲ ସୁଯୋଗ ଯାହାକି ସେଠିକାର ରହିବାବାଲା ହିଁ ସେଠାରେ ସେବା କରିବାର ନିମିତ୍ତ ହେଉଛନ୍ତି ସେଥିପାଇଁ ସେବା କରିବାର ସୁଯୋଗ ମିଳୁଛି । ଯେପରି ଶେଷରେ ଆସିଥିଲେ ମଧ୍ୟ ତୀବ୍ରଗତିରେ ପୁରୁଷାର୍ଥ କରିବାର ସୁଯୋଗ ମିଳିଛି ସେହିପରି ତୀବ୍ରଗତିରେ ସେବା କରିବାର ମଧ୍ୟ ସୁଯୋଗ ମିଳିଛି ସେଥିପାଇଁ କାହାର କୌଣସି ଅଭିଯୋଗ ରହିବ ନାହିଁ ଯେ ଆମେ ପଛରେ ଆସିଛୁ । କାରଣ ପଛରେ ଆସିବାବାଲାଙ୍କ ପାଇଁ ତୀବ୍ରଗତିରେ ପୁରୁଷାର୍ଥ କରିବାର ମଧ୍ୟ ବିଶେଷ ସୁଯୋଗ ମିଳିଛି ତେଣୁ ଏଠାରେ ସମସ୍ତେ ସେବାଧାରୀ ଅଟ । ତେବେ ସମସ୍ତେ ସେବାଧାରୀ ନା କେବଳ ସେଣ୍ଟରରେ ରହୁଥିବା ଆତ୍ମାମାନେ ହିଁ ସେବାଧାରୀ ? ଯେଉଁଠି ବି ଥାଆନ୍ତୁ କିନ୍ତୁ ସେବା ବିନା ଶାନ୍ତି ନାହିଁ । ସେବା କରିବା ହିଁ ଶାନ୍ତିରେ ଶୋଇବା । କଥାରେ ଅଛି ନା ଶାନ୍ତିରେ ଟିକିଏ ଶୋଇବା ହିଁ ପ୍ରକୃତ ଜୀବନ । ତେଣୁ ସେବା ହିଁ ଶାନ୍ତିରେ ଶୋଇବାର ଆଧାର । ସେବା ନାହିଁ ତ ଶାନ୍ତିର ନିଦ୍ରା ମଧ୍ୟ ନାହିଁ । ଶୁଣାଇଲୁ ନା, ସେବା କେବଳ ବାଣୀର ନୁହେଁ କିନ୍ତୁ ସବୁ ମୂହୁର୍ତ୍ତରେ ସେବା ଅଛି, ସବୁ ସଂକଳ୍ପରେ ସେବା ରହିଛି । ତେବେ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତି କୌଣସି ବ୍ରାହ୍ମଣ ଏଭଳି କହିପାରିବ ନାହିଁ ଯେ ମୋତେ ସେବା କରିବାର ସୁଯୋଗ ନାହିଁ । ଯଦି ରୋଗୀ ଅଟ ତେବେ ବି ମାନସିକ ସେବା କରିପାରିବ, ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବାର ସେବା, ଶ୍ରେଷ୍ଠ ତରଙ୍ଗ ଖେଳାଇବାର ସେବା ତ ନିଶ୍ଚିତ କରିପାରିବ । ଯେକୌଣସି ସେବା କର କିନ୍ତୁ ସେବାରେ ହିଁ ବ୍ୟସ୍ତ ରହିଥାଅ । ସେବା ହିଁ ଜୀବନ । ବ୍ରାହ୍ମଣର ଅର୍ଥ ହିଁ ହେଉଛି ସେବାଧାରୀ । ଆଚ୍ଛା ।

ସର୍ବଦା ଉଡିବାର କଳାରେ ସ୍ଥିତ ରହି ସମସ୍ତଙ୍କର ମଙ୍ଗଳ କରୁଥିବା, ସର୍ବଦା ନିଜକୁ ଫରିସ୍ତା ଅନୁଭବ କରୁଥିବା, ସର୍ବଦା ବିଶ୍ୱ ସମ୍ମୁଖରେ ଇଷ୍ଟ ଦେବ ରୂପରେ ପ୍ରତ୍ୟକ୍ଷ ହେଉଥିବା, ଦେବାତ୍ମାମାନଙ୍କୁ, ସର୍ବଦା ନିଜକୁ ବିଶେଷ ଆତ୍ମା ମନେ କରି ଅନ୍ୟମାନଙ୍କୁ ମଧ୍ୟ ବିଶେଷତାର ଅନୁଭବ କରାଉଥିବା ବିଶେଷ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ପାର୍ଟିମାନଙ୍କ ସହିତ:- ସର୍ବଦା ନିଜକୁ କର୍ମଯୋଗୀ ଅନୁଭବ କରୁଛ ? କର୍ମଯୋଗୀ ଜୀବନ ଅର୍ଥାତ୍ ପ୍ରତ୍ୟେକ କର୍ମ କରିବା ସମୟରେ ମଧ୍ୟ ଯୋଗର ଯାତ୍ରାରେ ରହୁଥିବା ଆତ୍ମା, ଏହିଭଳି ଶ୍ରେଷ୍ଠ କାର୍ଯ୍ୟ ଶ୍ରେଷ୍ଠ ପିତାଙ୍କର ପିଲାମାନେ ହିଁ କରିଥାନ୍ତି ଏବଂ ସର୍ବଦା ସଫଳ ହୋଇଥାନ୍ତି । ତେବେ ତୁମେମାନେ ସମସ୍ତେ କର୍ମଯୋଗୀ ଆତ୍ମା ଅଟ ନା । କର୍ମରେ ବ୍ୟସ୍ତ ଥିଲେ ମଧ୍ୟ ସମସ୍ତଙ୍କଠାରୁ ନ୍ୟାରା ଅର୍ଥାତ୍ ଅଲଗା ଏବଂ ସମସ୍ତଙ୍କର ପ୍ରିୟ, ସର୍ବଦା ଏହି ଅଭ୍ୟାସ ଦ୍ୱାରା ନିଜକୁ ଆଗକୁ ବଢାଉଥାଅ । ତେବେ ନିଜ ସହିତ ସାରା ବିଶ୍ୱର ଦାୟିତ୍ୱ ମଧ୍ୟ ସମସ୍ତଙ୍କ ଉପରେ ରହିଛି । କିନ୍ତୁ ଏହା ସବୁ ତ ସ୍ଥୂଳ ସାଧନ ଅଟେ ତେଣୁ ନିଜର କର୍ମଯୋଗୀ ଜୀବନ ଦ୍ୱାରା ଆଗକୁ ବଢିଚାଲ ଏବଂ ବଢାଇଚାଲ । ଏହି ଜୀବନ ହିଁ ଅତି ପ୍ରିୟ ଜୀବନ । ସେବା ମଧ୍ୟ କରୁଥିବ ଏବଂ ଖୁସିରେ ମଧ୍ୟ ରହୁଥିବ । ଦୁଇଟି ଯାକ ଏକାଠି ରହିଲେ ସବୁ କିଛି ଠିକ୍ ଚାଲିବ । ତେବେ ଗୋଲ୍ଡେନ୍ ଜୁବଲୀ ତ ସମସ୍ତଙ୍କର ଅଟେ ନା, ଗୋଲ୍ଡେନ୍ ଅର୍ଥାତ୍ ସତ୍ତ୍ୱପ୍ରଧାନ ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମା । ତେଣୁ ନିଜକୁ ଏହିଭଳି ଶ୍ରେଷ୍ଠ ସ୍ଥିତି ଆଧାରରେ ଆଗକୁ ବଢାଇଚାଲ । ସମସ୍ତେ ତ ଭଲ ଭାବରେ ସେବା କରୁଛ ନା! କାରଣ ସେବା କରିବାର ସୁଯୋଗ ମଧ୍ୟ ଏବେ ହିଁ ମିଳିଛି ଏବଂ ଆଗକୁ ସମାପ୍ତ ହୋଇଯିବ, ତେଣୁ ସର୍ବଦା ସେବାରେ ଆଗକୁ ଆଗକୁ ବଢିଚାଲ । ଆଚ୍ଛା!

ରଦାନ:-
ବାବାଙ୍କର ଛତ୍ରଛାୟାର ଅନୁଭବ ଦ୍ୱାରା ବିଘ୍ନ ବିନାଶକର ଯୋଗ୍ୟତା ହାସଲ କରୁଥିବା ଅନୁଭବୀ ମୂରତ ହୁଅ ।

ଯେଉଁଠାରେ ବାବା ସାଥୀରେ ଅଛନ୍ତି ସେଠାରେ କେହି କିଛି ବି କରିପାରିବ ନାହିଁ । ଏହିଭଳି ସାଥୀରେ ରହିବାର ଅନୁଭବ ହିଁ ଛତ୍ରଛାୟାର କାର୍ଯ୍ୟ କରିଥାଏ । ବାପଦାଦା ତ ସର୍ବଦା ପିଲାମାନଙ୍କୁ ରକ୍ଷା କରିଥାନ୍ତି । ତେଣୁ ପରୀକ୍ଷା ଗୁଡିକ ମଧ୍ୟ ତୁମମାନଙ୍କୁ ଅନୁଭବୀ କରିବା ପାଇଁ ହିଁ ଆସୁଛି । ସେଥିପାଇଁ ସର୍ବଦା ଏହି କଥା ଭାବିବା ଦରକାର ଯେ ଏହି ପରୀକ୍ଷା ମୋତେ ଆଗ ଶ୍ରେଣୀକୁ ନେବା ପାଇଁ ଆସିଛି । ଏହା ଆଧାରରେ ହିଁ ସଦାକାଳ ପାଇଁ ବିଘ୍ନ ବିନାଶକ ହେବାର ଡିଗ୍ରୀ ଏବଂ ଅନୁଭବୀ ମୂରତ ହେବାର ବରଦାନ ମିଳିଯିବ । ଯଦି ଏବେ କେହି ଟିକିଏ ପାଟି ତୁଣ୍ଡ ବି କରୁଛି ବା ବିଘ୍ନ ସୃଷ୍ଟି କରୁଛି ତେବେ ସେ ମଧ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ଆବଶ୍ୟକ ସମୟରେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ଗୋଟିଏ ସହଯୋଗର ପଦ୍ମଗୁଣା ଫଳ ମିଳିଯାଏ ।