05.12.18          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହା ହେଉଛି ପୂର୍ବ ପ୍ରସ୍ତୁତ ଅନାଦି ନାଟକ, ଏହି ନାଟକରେ ପ୍ରତ୍ୟେକ ଅଭିନେତାଙ୍କର ଅଭିନୟ ପୂର୍ବ ନିର୍ଦ୍ଧାରିତ, ତେଣୁ ଏଥିରୁ କାହାକୁ ବି ମୋକ୍ଷ ମିଳିପାରିବ ନାହିଁ ।

ପ୍ରଶ୍ନ:-
ଶିବବାବା ତ ଅଶରୀରୀ ଅଟନ୍ତି, କନ୍ତିୁ ସେ ଶରୀରଧାରୀ କାହିଁକି ହେଉଛନ୍ତି ? ସେ କେଉଁ କର୍ତ୍ତବ୍ୟ କରୁଛନ୍ତି ଏବଂ କେଉଁ କର୍ତ୍ତବ୍ୟ କରୁ ନାହାଁନ୍ତି ?

ଉତ୍ତର:-
ବାବା କହୁଛନ୍ତି ପିଲାମାନେ, ମୁଁ ତୁମମାନଙ୍କୁ କେବଳ ମୁରଲୀ ଶୁଣାଇବା ପାଇଁ ହିଁ ଏହି ଶରୀରକୁ ଆସୁଛି । ମୁଁ ମୁରଲୀ ଶୁଣାଇବାର ହିଁ କର୍ତ୍ତବ୍ୟ କରୁଛି । ତୁମକୁ ନୂଆ ଦୁନିଆର ରାଜଧାନୀ ଦେବା ପାଇଁ ଆସିଛି । ମୁଁ ଖାଇବା ପିଇବା ପାଇଁ ଆସୁନାହିଁ, ଭୋଜନର ସ୍ୱାଦ ତ ବ୍ରହ୍ମାଙ୍କର ଆତ୍ମା ହିଁ ଅନୁଭବ କରୁଛି ।

ଗୀତ:-
ଛୋଡ ଭି ଦେ ଆକାଶ ସିଂହାସନ

ଓମ୍ ଶାନ୍ତି ।
ଏଠାରେ କେବଳ ସେହି ଗୀତ ବଜାଯାଇଥାଏ ଯାହାର ଅର୍ଥ ସହିତ ଆମର ସମ୍ବନ୍ଧ ଅଛି । ତେବେ ଆକାଶରେ କୌଣସି ସିଂହାସନ ତ ନାହିଁ । ଆକାଶ ତ ମହାଶୂନ୍ୟକୁ କୁହାଯାଉଛି । ବାକି ଅକାଶ ତତ୍ୱରେ ତ କୌଣସି ସିଂହାସନ ନାହିଁ କି ପରମପିତା ପରମାତ୍ମା ଏହି ଆକାଶରେ କୌଣସି ଆସନ ଉପରେ ବସିଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି ମୁଁ ହେଉଛି ପରମପିତା ପରମାତ୍ମା ଏବଂ ତୁମେ ଆତ୍ମାରୂପୀ ସନ୍ତାନମାନେ ଉଭୟ ଏହି ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାଗଣଙ୍କର ଆର ପାରିରେ ନିବାସ କରୁଛ ଯାହାକୁ ମୂଳଲୋକ ବା ବ୍ରହ୍ମଲୋକ କୁହାଯାଉଛି । ଯେପରି ଏଠାରେ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରକାମାନେ ଅଛନ୍ତି ଅବିକଳ ସେହିଭଳି ଏକ ବୃକ୍ଷ ଆକୃତିରେ ବ୍ରହ୍ମମହତତ୍ୱରେ ଆତ୍ମାମାନେ ରହୁଛନ୍ତି । ଯେପରି ତାରାମାନେ ଆକାଶରେ ଶୂନ୍ୟରେ ରହିଛନ୍ତି, କାହାରି ଆଧାରରେ ନାହାଁନ୍ତି, ସେହିପରି ଆମେ ଆତ୍ମାମାନେ ଏବଂ ପରମାତ୍ମା ପିତା ମଧ୍ୟ ତାରାମାନଙ୍କ ଭଳି ବିନା କୌଣସି ଆଧାରରେ ବ୍ରହ୍ମମହତତ୍ୱରେ ରହୁଛେ । ଜ୍ଞାନ ସୂର୍ଯ୍ୟ ଶିବବାବା, ଜ୍ଞାନ ଚନ୍ଦ୍ରମା ବ୍ରହ୍ମାବାବା ଏବଂ ଜ୍ଞାନର ତାରକା ଆମେ ଆତ୍ମାମାନେ ଏକାଠି ରହୁଛେ । ତେବେ ଏହା ତ ତୁମମାନଙ୍କୁ ବୁଝାଯାଇଛି ଯେତେବେଳେ ଦୁନିଆରେ ଦୁଃଖର ମାତ୍ରା ବଢିଯାଏ ସେତେବେଳେ ମୁଁ ଆସେ । ମୋତେ ନିଶ୍ଚିତ ଭାବରେ ପୁରୁଣା ଦୁନିଆକୁ ନୂଆ କରିବାକୁ ହେବ । ତେବେ ପୁରୁଣା ଦୁନିଆରେ ହିଁ ଦୁଃଖ ମିଳିଥାଏ । ଯାହାକି ଏହି କଳିଯୁଗ ଦୁନିଆରେ ଅତିଶୟ ହୋଇଯାଇଛି । ସ୍ୱର୍ଗ ଦୁନିଆରେ ତ ସୁଖ ହିଁ ସୁଖ ଥାଏ । ତେଣୁ ମୋତେ ପୁନର୍ବାର ଏଠାକୁ ଆସି ସହଜ ଜ୍ଞାନ ଏବଂ ସହଜ ରାଜଯୋଗ ଶିଖାଇବାକୁ ପଡେ କାରଣ ଏଠାରେ ସମସ୍ତେ ଆସ-ଆସ ବୋଲି ଡାକି ଚାଲିଛନ୍ତି । ଶ୍ରୀକୃଷ୍ଣଙ୍କ ପାଇଁ ଏହି କଥା କହୁ ନାହାଁନ୍ତି ଯେ ସିଂହାସନକୁ ଛାଡି ଆସିଯାଅ କାରଣ କୃଷ୍ଣଙ୍କ ପାଇଁ ସିଂହାସନ ଶବ୍ଦ ଶୋଭାପାଉନାହିଁ । ସିଏ ତ ରାଜକୁମାର ଥିଲେ ନା । ସିଂହାସନ ସେତେବେଳେ କୁହାଯିବ ଯେତେବେଳେ ତାଙ୍କୁ ରାଜଗଦ୍ଦୀ ମିଳିବ ଅର୍ଥାତ୍ ସିଏ ରାଜା ହେବେ । ହଁ, ଛୋଟ ପିଲାଙ୍କୁ ତାଙ୍କର ପିତା ନିଜ କୋଳରେ ବା ପାଖରେ ବସାଇପାରନ୍ତି । ତେବେ ବାବା ବୁଝାଉଛନ୍ତି ଆତ୍ମାମାନେ ମୂଳଲୋକରେ ତାରକା ସଦୃଶ ବିରାଜମାନ କରୁଛନ୍ତି । ପୁଣି ସେଠାରୁ କ୍ରମାନ୍ୱୟରେ ଆସିବାରେ ଲାଗିଛନ୍ତି । ଏଠାରେ ଦେଖାଉଛନ୍ତି ନା ତାରାମାନେ କିପରି ଖସି ପଡୁଛନ୍ତି । ସେଠାରୁ ଆତ୍ମାମାନେ ସିଧାସଳଖ ଗର୍ଭକୁ ଯାଇଥାନ୍ତି । ଏକଥା ମଧ୍ୟ ଭଲ ଭାବରେ ଲେଖିରଖ ଯେ ପ୍ରତ୍ୟେକ ଆତ୍ମାକୁ ସତ୍ୱୋ, ରଜୋ,ତମୋ ଅବସ୍ଥାକୁ ଆସିବାକୁ ପଡିଥାଏ । ଯେପରି ପ୍ରଥମେ ଲକ୍ଷ୍ମୀ-ନାରାୟଣ ଆସିବେ ତେବେ ସେମାନଙ୍କୁ ମଧ୍ୟ ପ୍ରଥମେ ସତ୍ୱୋ, ରଜୋ, ତମୋ ଅବସ୍ଥାକୁ ଅତିକ୍ରମ କରି, ପୁନର୍ଜନ୍ମ ନେଇ ନେଇ ତମୋପ୍ରଧାନ ଅବସ୍ଥାକୁ ଆସିବାକୁ ହିଁ ହେବ । ତେବେ ପ୍ରତ୍ୟେକଙ୍କର ଅବସ୍ଥା ଏହିଭଳି ହୋଇଥାଏ । କେହି ବି ପୁନର୍ଜନ୍ମ ନ ନେଇ ଫେରିଯାଇ ପାରିବେ ନାହିଁ । ଯେପରି ଇବ୍ରାହିମ୍, ବୁଦ୍ଧଦେବ ପ୍ରଭୃତି ଧର୍ମ ସ୍ଥାପକମାନେ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ସତ୍ୱୋ, ରଜୋ,ତମୋ ଅବସ୍ଥାକୁ ଅତିକ୍ରମ କରିବାକୁ ହେବ, ପୁନର୍ଜନ୍ମ ନେବାକୁ ହିଁ ହେବ । ତେବେ ଦ୍ୱାପରଯୁଗରେ ଧର୍ମସ୍ଥାପକମାନେ ଜନ୍ମ ନେଉଛନ୍ତି । ସେବେଠାରୁ ହିଁ ସେମାନଙ୍କର ପୁନର୍ଜନ୍ମ ଆରମ୍ଭ ହୋଇଯାଉଛି, ଶେଷରେ ସେମାନଙ୍କୁ ମଧ୍ୟ ତମୋପ୍ରଧାନ ହେବାକୁ ପଡୁଛି । ତେବେ ସେମାନଙ୍କର ସଦଗତି ପୁଣି କିଏ କରିବ ? ସଦଗତି ଦାତା ତ ଏକମାତ୍ର ଶିବବାବା ଅଟନ୍ତି । ସିଏ ନିଜେ କହୁଛନ୍ତି ସମସ୍ତଙ୍କର ସଦଗତି କରିବା ପାଇଁ ମୋତେ ଆସିବାକୁ ପଡୁଛି । ମୋଭଳି କର୍ତ୍ତବ୍ୟ ଅନ୍ୟ କେହି କରିପାରିବେ ନାହିଁ । ମୁଁ ଦେବୀ-ଦେବତା ଧର୍ମର ସ୍ଥାପନା ମଧ୍ୟ କରୁଛି । ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛି । ଗତି-ସଦଗତିଦାତା ତ ମୁଁ ହିଁ ଅଟେ । ଯେତେବେଳେ ତୁମେମାନେ ପବିତ୍ର ହୋଇଯାଉଛ ସେତେବେଳେ ମୁଁ ତୁମମାନଙ୍କୁ ସାଥୀରେ ଘରକୁ ନେଇଯାଉଛି । ତୁମମାନଙ୍କର ମଧ୍ୟ ସଦଗତି କରୁଛି । ତୁମମାନଙ୍କ ସହିତ ଯିଏବି ଅନେକ ଧର୍ମାବଲମ୍ବୀମାନେ ଏହି ଦୁନିଆରେ ଅଛନ୍ତି ସେମାନଙ୍କର ଧର୍ମସ୍ଥାପକମାନଙ୍କ ସହିତ ସମସ୍ତଙ୍କୁ ଉଦ୍ଧାର କରୁଛି ଅର୍ଥାତ୍ ସଦଗତି କରୁଛି । ତୁମମାନଙ୍କୁ ଜ୍ଞାନ ଦ୍ୱାରା ଶୃଙ୍ଗାର କରି ସ୍ୱର୍ଗର ମାଲିକ ଲକ୍ଷ୍ମୀ ବା ନାରାୟଣଙ୍କୁ ବରଣ କରିବାର ଯୋଗ୍ୟ କରୁଛି । ପୁଣି ତୁମମାନଙ୍କୁ ଘରକୁ ନେଇଯାଉଛି, ସମସ୍ତଙ୍କୁ ପ୍ରଥମେ ମୁକ୍ତିଧାମକୁ ପଠାଇ ଦେଉଛି ତେଣୁ ମୁଁ ସମସ୍ତଙ୍କର ସଦଗତି ଦାତା ମଧ୍ୟ ଅଟେ । ଅନ୍ୟ ଯେଉଁ ସବୁ ଧର୍ମସ୍ଥାପକମାନେ ଏଠାକୁ ଆସୁଛନ୍ତି ସେମାନେ କାହାର ସଦଗତି କରୁନାହାଁନ୍ତି । ସେମାନେ କେବଳ ନିଜର ଧର୍ମ ସ୍ଥାପନ କରି ତାହାର ବୃଦ୍ଧି କରିବାରେ ଲାଗିପଡନ୍ତି । ନିଜ ଧର୍ମରେ ପୁନର୍ଜନ୍ମ ନେଇ ନେଇ ସତ୍ୱୋ, ରଜୋ,ତମୋ ଅବସ୍ଥାକୁ ଆସିଥାନ୍ତି । ଏବେ ତ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ତେବେ ସେମାନଙ୍କୁ ସତ୍ୱପ୍ରଧାନ ପବିତ୍ର କିଏ କରିବ ? ଏହି ସବୁ କଥା ବାବା ନିଜେ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଭଗବାନ ନିଜେ ଆସି ସମସ୍ତଙ୍କର ସଦଗତି ମଧ୍ୟ କରୁଛନ୍ତି, ଭାରତକୁ ସ୍ୱର୍ଗରେ ପରିଣତ କରୁଛନ୍ତି ଜୀବନମୁକ୍ତି ପ୍ରାପ୍ତ କରାଇବା ପାଇଁ ରାଜଯୋଗ ଶିଖାଉଛନ୍ତି, ସେଥିପାଇଁ ବାବାଙ୍କର ଏତିକି ମହିମା ହେଉଛି । ତେବେ ଗୀତା ହେଉଛି ସର୍ବଶାସ୍ତ୍ର ଶିରୋମଣୀ କିନ୍ତୁ ସେଥିରେ କୃଷ୍ଣଙ୍କର ନାମ ଲେଖିଦେବା କାରଣରୁ ସମସ୍ତେ ଭଗବାନଙ୍କୁ ଭୁଲି ଯାଇଛନ୍ତି । ଯେହେତୁ ଭଗବାନ ସମସ୍ତଙ୍କର ସଦ୍ଗତିଦାତା ସେଥିପାଇଁ ଗୀତା ହେଉଛି ସର୍ବଧର୍ମାବଲମ୍ବୀମାନଙ୍କର ଧର୍ମ ଶାସ୍ତ୍ର ଏବଂ ସମସ୍ତଙ୍କୁ ଏହାକୁ ମାନିବାକୁ ପଡିବ । କାରଣ ଏହା ବ୍ୟତୀତ ଅନ୍ୟ କୌଣସି ସଦଗତିର ଶାସ୍ତ୍ର ହିଁ ନାହିଁ । ତେବେ ସଦଗତିଦାତା ତ ଜଣେ ହିଁ ଅଟନ୍ତି । ତାଙ୍କର ମୁଖ ନିସୃତବାଣୀ ହିଁ ଗୀତା । ଏବେ ସିଏ ତୁମକୁ ସଦଗତିର ଜ୍ଞାନ ଦେଉଛନ୍ତି । ଯଦି ଗୀତାରେ ଶିବଙ୍କର ନାମ ଥାନ୍ତା ତେବେ ଏହା ସର୍ବ ଧର୍ମାବଲମ୍ବୀଙ୍କର ଧର୍ମଶାସ୍ତ୍ର ହୋଇଥାନ୍ତା । ବାବା ତ ସମସ୍ତଙ୍କୁ କହୁଛନ୍ତି ନିଜକୁ ଆତ୍ମା ମନେ କରି ମୋ ସହିତ ଯୋଗ ଲଗାଅ ତେବେ ବିକର୍ମ ବିନାଶ ହେବ ଏବଂ ତୁମେମାନେ ମୋ ଧାମକୁ ଆସିଯିବ । ତେଣୁ ସବୁ ଧର୍ମାବଲମ୍ବୀମାନଙ୍କର ସଦଗତିକର୍ତ୍ତା ମଧ୍ୟ ମୁଁ ହିଁ ଅଟେ, ବାକି ଅନ୍ୟମାନେ ନିଜ ନିଜର ଧର୍ମ ସ୍ଥାପନ କରିବା ପାଇଁ ହିଁ ଆସିଥାନ୍ତି । ତେବେ ମନୁଷ୍ୟ ପଚାରୁଛନ୍ତି ଆମକୁ କଣ ମୋକ୍ଷ ମିଳିପାରିବ ନାହିଁ ? ବାବା କହୁଛନ୍ତି ନା । ଏଠାରେ ଯେତେ ବି ଆତ୍ମା ଅଛନ୍ତି ସମସ୍ତଙ୍କର ଅଭିନୟ ଡ୍ରାମାରେ ଫିକ୍ସ ଅର୍ଥାତ୍ ପୂର୍ବ ନିଶ୍ଚିତ ଅଟେ । କାହାର ବି ଅଭିନୟ ପରିବର୍ତ୍ତନ ହୋଇପାରିବ ନାହିଁ । ସମସ୍ତଙ୍କର ଏହି ଅନାଦି ଡ୍ରାମାରେ ସଂପୂର୍ଣ୍ଣ ଅଭିନୟ ନିଧାର୍ଯ୍ୟ ଅଛି । ଏହି ଡ୍ରାମା ଅନାଦି ଏବଂ ଅବିନାଶୀ ଅଟେ ଯାହାର ଆଦି-ମଧ୍ୟ-ଅନ୍ତ ନାହିଁ । କିନ୍ତୁ ସତ୍ୟଯୁଗକୁ ସୃଷ୍ଟିର ଆଦି ଏବଂ କଳିଯୁଗକୁ ସୃଷ୍ଟିର ଅନ୍ତ କୁହାଯାଏ, ବାକି ଡ୍ରାମାର କୌଣସି ଆଦି ବା ଅନ୍ତ ନାହିଁ । ଡ୍ରାମା କେବେ ତିଆରି ହୋଇଛି ଏକଥା କେହି କହିପାରିବେ ନାହିଁ ତେଣୁ ଏଭଳି ପ୍ରଶ୍ନ ମଧ୍ୟ ଉଠିପାରିବ ନାହିଁ ।

ବାବା ବୁଝାଇଛନ୍ତି ଅନ୍ୟ ଯେଉଁ ସବୁ ଶାସ୍ତ୍ରଗୁଡିକ ଅଛି ତାହାଦ୍ୱାରା ପ୍ରତ୍ୟେକ ଧର୍ମସ୍ଥାପକମାନେ ଆସି ନିଜ ନିଜର ଧର୍ମ ସ୍ଥାପନା କରିଛନ୍ତି କିନ୍ତୁ କାହାରି ସଦଗତି କରି ନାହାଁନ୍ତି । ସେମାନେ ତ ଅନେକ ଧର୍ମସ୍ଥାପନ କରିଛନ୍ତି, ତାଙ୍କ ପଛେ-ପଛେ ସେହି ଧର୍ମର ବୃଦ୍ଧି ହୋଇ ଚାଲିଛି । ଏସବୁ କେତେ ଗହନ ଏବଂ ରହସ୍ୟଯୁକ୍ତ କଥା । ଏହା ଉପରେ ପ୍ରବନ୍ଧ ମଧ୍ୟ ଲେଖାଯାଇପାରିବ । ଏଠାରେ କୌଣସି ମନଗଢା କଥା ନାହିଁ । ଏହି ଡ୍ରାମା ହେଉଛି ହାରିବା ଏବଂ ଜିତିବାର ଖେଳ । ସତ୍ୟଯୁଗରେ ପରମାତ୍ମାଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । ଯଦି ପରମାତ୍ମାଙ୍କୁ ମନେ ପକାଇବା ତେବେ ଏକଥା ମଧ୍ୟ ଜାଣିପାରିବା ଯେ ଆମ ବ୍ରାହ୍ଣଣମାନଙ୍କୁ ସିଏ ହିଁ ରଚନା କରିଛନ୍ତି । ତୁମମାନଙ୍କୁ ବାବା ସମ୍ମୁଖକୁ ଆସି ଶୁଣାଉଛନ୍ତି ଯେ ମୁଁ ହିଁ ସୃଷ୍ଟିର ରଚୟିତା ଅଟେ । ଏହି ସଂଗମଯୁଗ ହେଉଛି ବ୍ରାହ୍ଣଣମାନଙ୍କର ନୂଆ ଦୁନିଆ । ବ୍ରାହ୍ମଣ ଚୋଟୀ (ଚୁଟୀ)କୁ ତ କେହି ଜାଣି ନାହାଁନ୍ତି । ବିରାଟ ରୂପ ମଧ୍ୟ ତିଆରି କରୁଛନ୍ତି । ସେଥିରେ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଦେଖାଉଛନ୍ତି । ବ୍ରାହ୍ମଣମାନଙ୍କୁ ଭୁଲିଯାଇଛନ୍ତି । ସତ୍ୟଯୁଗରେ ଦେବତାମାନେ ଥାନ୍ତି । କଳିଯୁଗରେ ଶୂଦ୍ରମାନେ ଥାନ୍ତି । ସଂଗମଯୁଗୀ ବ୍ରାହ୍ମଣମାନଙ୍କୁ ତ କେହି ଜାଣି ନାହାଁନ୍ତି । ଏହି ସବୁ ରହସ୍ୟକୁ ବାବା ଆସି ବୁଝାଉଛନ୍ତି । ବାବା କହୁଛନ୍ତି ଦୁନିଆରେ କେତେ ସବୁ ବେଦ-ଶାସ୍ତ ରହିଛି, ଯାହାକୁ ପରିକ୍ରମା ମଧ୍ୟ କରାଉଛନ୍ତି । ମନ୍ଦିରମାନଙ୍କରୁ ଚିତ୍ର (ମୂର୍ତ୍ତି) ଗୁଡିକୁ ବାହାର କରି ଚାରିଆଡେ ପରିକ୍ରମା କରାଇ ପୁନର୍ବାର ମନ୍ଦିରରେ ରଖିଦେଉଛନ୍ତି । ବାବା (ବ୍ରହ୍ମା) ତ ଏସବୁର ଅନୁଭବୀ ଅଟନ୍ତି । ଶାସ୍ତ୍ର ପୁରାଣରେ ଗାଡି ଭର୍ତ୍ତି କରି ପରିକ୍ରମା କରାଉଛନ୍ତି, ସେହିଭଳି ଦେବତାମାନଙ୍କର ଚିତ୍ରକୁ ମଧ୍ୟ ଗାଡିରେ ରଖି ପରିକ୍ରମା କରାଇଥାନ୍ତି । ଏସବୁ ହେଲା ଭକ୍ତିମାର୍ଗର ପ୍ରଥା ।

ତେବେ ତୁମେମାନେ ହେଉଛ ଶିବଶକ୍ତି । ତୁମେ ସାରା ବିଶ୍ୱର ସଦଗତି କରୁଛ । କିନ୍ତୁ ଏକଥା କେହି ବି ଜାଣିନାହାଁନ୍ତି ଯେ ଦିଲବାଡା ମନ୍ଦିର ଏହିମାନଙ୍କର ଅବିକଳ ସ୍କାରକୀ ଅଟେ । ଏହିଭଳି ମନ୍ଦିର ମଧ୍ୟ ଅନ୍ୟ କେଉଁଠି ନାହିଁ । ଜଗଦମ୍ବା ମଧ୍ୟ ଅଛନ୍ତି, ଶିବବାବା ମଧ୍ୟ ଅଛନ୍ତି, ଶକ୍ତିମାନଙ୍କର ଚଉତରା ମଧ୍ୟ ତିଆରି ହୋଇଛି । ତେବେ ଆର କଳ୍ପରେ ମଧ୍ୟ ପୁନର୍ବାର ଏହିଭଳି ମନ୍ଦିର ଭକ୍ତିମାର୍ଗରେ ତିଆରି ହେବ । ପୁଣି ବିନାଶ ମଧ୍ୟ ହେବ, ଏସବୁ ନଷ୍ଟ ହୋଇଯିବ । ସତ୍ୟଯୁଗରେ କୌଣସି ମନ୍ଦିର ନଥାଏ । ଏସବୁ ହେଲା ଭକ୍ତିମାର୍ଗର ବିସ୍ତାର । ଜ୍ଞାନମାର୍ଗରେ ତ ନିରବରେ ରହି ଏକମାତ୍ର ଶିବବାବାଙ୍କୁ ମନେ ପକାଇବାକୁ ପଡିବ । ଯଦି ଶିବବାବାଙ୍କୁ ଭୁଲି ଅନ୍ୟମାନଙ୍କୁ ମନେ ପକାଇଲ ତେବେ ଶେଷ ସମୟରେ ଫେଲ୍ ହୋଇଯିବ । କିନ୍ତୁ ତୁମକୁ ତ ଫେଲ୍ ହେବାର ନାହିଁ । ଯେତେବେଳେ ମନୁଷ୍ୟର ମରିବା ସମୟ ଆସିଯାଏ ସେତେବେଳେ ତାଙ୍କୁ ରାମ-ରାମ ଜପ କରିବା ପାଇଁ କୁହନ୍ତି, କିନ୍ତୁ ସେହି ସମୟରେ କାହାର ମନେପଡିନଥାଏ । ତଥାପି ମଧ୍ୟ ଗାୟନ ଅଛି ଅନ୍ତିମ ସମୟରେ ଯିଏ ନାରାୟଣକୁ ସ୍ମରଣ କରେ....., ତେବେ ଏହି ଗାୟନ ତ ବର୍ତ୍ତମାନ ସମୟର ହିଁ ଅଟେ । ଏହି ପାଳଗଦା ରୂପକ ଦୁନିଆକୁ ତ ନିଶ୍ଚିତ ନିଆଁ ଲାଗିବ । ଅନ୍ତିମ ସମୟରେ ଯିଏ ନାରାୟରକୁ ସ୍ମରଣ କରେ, ବାସ୍ତବରେ ଏବେ ହିଁ ତୁମେମାନେ ବୁଝିପାରୁଛ ଯେ ଆମେ ନାରାୟଣଙ୍କୁ ବା ଲକ୍ଷ୍ମୀଙ୍କୁ ବରଣ କରିବୁ । ତୁମେମାନେ ହିଁ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛ । ବାବାଙ୍କ ବ୍ୟତୀତ ଏହି ଜ୍ଞାନ କେହି ବି ଦେଇପାରିବେ ନାହିଁ । ଏହି ବାବା ମଧ୍ୟ କହୁଛନ୍ତି ଏବେ ଆମକୁ ଶିବବାବା ହିଁ ଶୁଣାଉଛନ୍ତି । ଏମାନଙ୍କୁ ଶାନ୍ତିସେନା ବା ପାଣ୍ଡବ ସେନା ମଧ୍ୟ କୁହାଯାଉଛି । ତେବେ ମହାରଥୀମାନଙ୍କୁ ହିଁ ପାଣ୍ଡବ ନାମ ଦିଆଯାଇଛି । ଶକ୍ତିମାନଙ୍କୁ ସିଂହ ଉପରେ ବିରାଜମାନ ଥିବାର ଦେଖାଇଛନ୍ତି । ତେଣୁ ବାବା କହୁଛନ୍ତି କଳ୍ପ ପୂର୍ବରୁ ମୁଁ ଯେପରି ସହଜ ରାଜଯୋଗ ଶିଖାଇଥିଲି ଅବିକଳ ସେହିଭଳି ବର୍ତ୍ତମାନ ମଧ୍ୟ ଶିଖାଉଛି । ଏବେ ଯାହା ସବୁ ଅଭିନୟ ଚାଲିଛି ତାହା ପ୍ରତି କଳ୍ପରେ ଚାଲିବ । ଏଥିରେ କୌଣସି ପାର୍ଥକ୍ୟ ହୋଇପାରିବ ନାହିଁ, କଳ୍ପ କଳ୍ପ ଏହି ପାର୍ଟ ହିଁ ଚାଲିବ । ବାବା କହୁଛନ୍ତି ମୁଁ ତୁମକୁ ଗହନରୁ ଗହନ କଥା ସବୁ ଶୁଣାଉଛି । ଆଗକୁ କଣ ସବୁ ହେବ ତାହା ତ ପରେ ଶୁଣାଇବି ନା । ଏବେ ଯଦି ସବୁ କଥା ଶୁଣାଇ ଦେବି ତାହେଲେ କଣ ଏବେ ହିଁ ପରମଧାମକୁ ଫେରିଯିବି ? ତେଣୁ ଅନ୍ତ ସମୟ ପର୍ଯ୍ୟନ୍ତ ନୂଆ ନୂଆ ପଏଣ୍ଟସ୍ ଶୁଣାଇ ଚାଲିଥିବି । ଆମେ ତ ଗୀତାର ବହୁତ ମହିମା କରୁଛୁ । କିନ୍ତୁ ସେହି ଗୀତା ବା ମହାଭାରତରେ ତ ହିଂସାର ଯୁଦ୍ଧ ଇତ୍ୟାଦି ଦେଖାଇ ଦେଇଛନ୍ତି । ତେବେ ଏଠାରେ କୌଣସି ଯୁଦ୍ଧର କଥା ତ ନାହିଁ । ତୁମର ତ ହେଉଛି ଯୋଗବଳର କଥା । ଦୁନିଆରେ ଅହିଂସାର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି । କେବଳ ସ୍ତ୍ରୀକୁ ନର୍କର ଦ୍ୱାର କହିଦେଇଛନ୍ତି । ବାସ୍ତବରେ ନର୍କର ଦ୍ୱାର ତ ଉଭୟ ଅଟନ୍ତି । ଏବେ ପୁଣି ସେମାନଙ୍କୁ ସ୍ୱର୍ଗର ଦ୍ୱାର କିଏ କରିବ ? ସେହି ଶକ୍ତି ତ କେବଳ ଭଗବାନଙ୍କ ନିକଟରେ ଅଛି । ଏହି ଗୀତଗୁଡିକୁ ମଧ୍ୟ ବାବା ହିଁ ରଚନା କରାଇଛନ୍ତି, ତେବେ ଗୀତାକାରମାନେ କେହି ଠିକ୍ ଅର୍ଥରେ ରଚନା କରିଛନ୍ତି ତ କେହି ଭୁଲ୍ ମଧ୍ୟ କରିଦେଇଛନ୍ତି । କିଛି ଠିକ୍ କିଛି ଭୁଲକୁ ମିଶାଇ ଦେଇଛନ୍ତି । ଯେପରି ରାତ କେ ରାହୀ ଥକ୍ ମତ୍ ଜାନା.... (ହେ ରାତ୍ରିର ପଥିକ ଥକିଯାଅ ନାହିଁ) ଏହିଭଳି ଗୀତ ସବୁ ମୁଁ ହିଁ ପ୍ରେରଣା ଆଧାରରେ ଗୀତିକାରମାନଙ୍କ ଦ୍ୱାରା ରଚନା କରାଇଛି । ତେବେ ଏଠିକାର କଥା ସ୍ୱତନ୍ତ୍ର ଅଟେ । ଏହାକୁ ଗୋଶାଳା ମଧ୍ୟ କୁହାଯିବ, ବନବାସ ମଧ୍ୟ କୁହାଯିବ କିନ୍ତୁ ଏହାର ଅର୍ଥକୁ କେହି ବୁଝିପାରୁ ନାହାଁନ୍ତି । ତେବେ ମୁଁ କଣ କାହାକୁ ଅପହରଣ କରି ନେଇ ଆସିଛି କି ? କାହାକୁ କେବେ କହିଥିଲି କି କରାଚ୍ଚୀ (ଓମ୍ ମଣ୍ଡଳୀ)କୁ ଆସିବା ପାଇଁ ? ଏହି ଶକ୍ତିମାନଙ୍କୁ ପଚାରି ବୁଝିନିଅ । ଏହି ପାର୍ଟ ତ ସେମାନଙ୍କର ଡ୍ରାମାରେ ନିଧାର୍ଯ୍ୟ ଥିଲା । ଯେଉଁମାନଙ୍କ ଉପରେ ଅତ୍ୟାଚାର ହେଲା ସେମାନେ ଚାଲି ଆସିଲେ । ତେବେ ଠିକ କଥା କଣ ତାହା ବାବା ପିଲାମାନଙ୍କୁ ଶୁଣାଉଛନ୍ତି । ଶାସ୍ତ୍ରରେ ତ ଯାହା କିଛି ଲେଖି ଦେଇଛନ୍ତି ତାହାକୁ ଭକ୍ତିମାର୍ଗ କୁହାଯାଉଛି । ତାହାଦ୍ୱାରା ତ ମୋ ସହିତ କେହି ମିଶିପାରିବେ ନାହିଁ, ମୋ ନିକଟକୁ ଆସିପାରିବେ ନାହିଁ । ମୋତେ ତ ଗାଇଡ୍ (ପଣ୍ଡା) ହୋଇ ଏଠାକୁ ଆସିବାକୁ ପଡୁଛି । କେହି-କେହି କହୁଛନ୍ତି ଏଭଳି ଶରୀର କାହିଁକି ଧାରଣ କରିଲ ନାହିଁ ଯିଏକି ଗୃହସ୍ଥି ନୁହଁନ୍ତି । ଆରେ ମୋତେ ତ ଗୃହସ୍ଥିର ଶରୀରକୁ ଆସି ସେହିମାନଙ୍କୁ ହିଁ ଜ୍ଞାନ ଦେବାର ଅଛି । ସେହିମାନଙ୍କର ହିଁ ୮୪ ଜନ୍ମର କାହାଣୀ ଶୁଣାଉଛି । ତେଣୁ ଏହା କେତେ ଗହନ କଥା । ଏହା ତ ନୂଆ ଧର୍ମ ପାଇଁ ନୂଆ କଥା ବା ନୂଆ ଜ୍ଞାନ । ବାବା କହୁଛନ୍ତି କଳ୍ପ କଳ୍ପ ମୁଁ ଏହି ଜ୍ଞାନ ହିଁ ଶୁଣାଉଛି । ଅନ୍ୟ କେହି ଏଭଳି କହିପାରିବେ ନାହିଁ ଯେ ମୁଁ ପ୍ରତି କଳ୍ପରେ ଧର୍ମ ସ୍ଥାପନ କରିବା ପାଇଁ ଆସୁଛି । ଲକ୍ଷ୍ମୀ-ନାରାୟଣ ଦୁହେଁ ମଧ୍ୟ କହିପାରିବେ ନାହିଁ ଯେ ଆମେ ପୁନର୍ବାର ରାଜତ୍ୱ କରିବା ପାଇଁ ଆସିଛୁ । ସେଠାରେ ଏହି ଜ୍ଞାନ ହିଁ ପ୍ରାୟ ଲୋପ ହୋଇଯାଉଛି । ଏହିସବୁ ଅନେକ ଗୁଡିଏ ଶାସ୍ତ୍ର ତ ପରେ ତିଆରି କରିଛନ୍ତି । ତେବେ ଆମେ ବ୍ରାହ୍ମଣମାନଙ୍କ ପାଇଁ ଏକମାତ୍ର ଶାସ୍ତ୍ର ହେଉଛି ଗୀତା । ମୁଁ ଆସି ଧର୍ମ ମଧ୍ୟ ସ୍ଥାପନ କରୁଛି ଏବଂ ସମସ୍ତଙ୍କର ସଦଗତି ମଧ୍ୟ କରୁଛି । ଡବଲ କାମ ହେଲା ନା । ଏବେ ବିଚାର କର ମୁଁ ଯାହା ଶୁଣାଉଛି ତାହା ଠିକ୍ ନା ସେମାନଙ୍କର ଜ୍ଞାନ ଠିକ୍ । ତାହା ତ କେବଳ ତୁମେମାନେ ହିଁ ଜାଣିଛ । ମୁଁ କିଏ ? ମୁଁ ହେଉଛି ଟ୍ରୁଥ୍ ଅର୍ଥାତ୍ ସତ୍ୟ । ମୁଁ ତୁମକୁ କୌଣସି ବେଦ-ଶାସ୍ତ୍ରର ଜ୍ଞାନ ଶୁଣାଉ ନାହିଁ । ଯଦିଓ ଇଏ (ବ୍ରହ୍ମାବାବା) ବହୁତ ବେଦଶାସ୍ତ୍ର ପଢିଛନ୍ତି କିନ୍ତୁ ସେହି ଜ୍ଞାନ ତ ଏଠାରେ ଶୁଣାଉ ନାହାଁନ୍ତି । ଏଠାରେ ତ ଶିବବାବା ନୂଆ ନୂଆ କଥା ଶୁଣାଉଛନ୍ତି, ସିଏ ତ ଅଶରୀରୀ ଅଟନ୍ତି । ସେ କେବଳ ଏହି ମୁରଲୀ ଶୁଣାଇବାର କାର୍ଯ୍ୟ କରିବା ପାଇଁ ଆସୁଛନ୍ତି । ମୁଁ ତ ତୁମମାନଙ୍କୁ ପୁନର୍ବାର ରାଜଧାନୀ ପ୍ରାପ୍ତ କରିବା ପାଇଁ ଆସିଛି । ଖାଇବା-ପିଇବାର ସ୍ୱାଦ ତ ବ୍ରହ୍ମାଙ୍କର ଆତ୍ମା ହିଁ ଗ୍ରହଣ କରୁଛି ।

ତେବେ ପ୍ରତ୍ୟେକ ଧର୍ମ ଅଲଗା, ତେଣୁ ସେମାନଙ୍କୁ ନିଜର ଧର୍ମଶାସ୍ତ୍ରକୁ ପଢିବା ଦରକାର । ଏଠାରେ ତ ଅନେକ ଶାସ୍ତ୍ର-ପୁରାଣ ପଢି ଚାଲିଛନ୍ତି, କିନ୍ତୁ ଲାଭ କିଛି ବି ନାହିଁ । ଯେତେ ଯେତେ ପଢି ଚାଲିଛନ୍ତି, ସଂସାର ସେତେ ସେତେ ଅସାର ଅର୍ଥାତ୍ ମୂଲ୍ୟହୀନ ହୋଇଚାଲିଛି । ଏହାକୁ ତ ତମୋପ୍ରଧାନ ହେବାକୁ ହିଁ ପଡିବ । ପ୍ରଥମେ ପ୍ରଥମେ ଏହି ସୃଷ୍ଟି ଉପରକୁ ତ ତୁମେମାନେ ହିଁ ଆସିଛ । ତୁମେ ବ୍ରାହ୍ମଣମାନେ ହିଁ ମାତା-ପିତାଙ୍କଠାରୁ ଜନ୍ମ ନେଇଛ । ସେପଟେ ହେଲା ଆସୁରୀ କୁଟୁମ୍ବ, ଏଠାରେ ହେଉଛି ଈଶ୍ୱରୀୟ କୁଟୁମ୍ବ । ତୁମେମାନେ ପୁଣି ଦୈବୀ କୋଳରେ ଜନ୍ମ ନେଇ ସ୍ୱର୍ଗର ମାଲିକ ହେବ । ଯଦି ମାତା-ପିତାଙ୍କର ମତରେ ଚାଲିବ ତେବେ ସ୍ୱର୍ଗ ଦୁନିଆର ଅସରନ୍ତି ସୁଖ ପ୍ରାପ୍ତ କରିବ । ବାକି ଏହି ରୁଦ୍ର ଜ୍ଞାନ ଯଜ୍ଞରେ ତ ନିଶ୍ଚିତ ବିଘ୍ନ ପଡିବ । ବାବା କହୁଛନ୍ତି ପିଲାମାନେ, ବିକାର ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ତୁମେ ଜଗତଜିତ୍ ହୋଇପାରିବ । ଏମିତି ନୁହେଁ ଯେ ବିବାହ ନ କରିଲେ ଦୁର୍ବଳ ହୋଇଯିବ । ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି ପୁଣି ସେମାନେ କେତେ ବଳିଷ୍ଠ ଏବଂ ସ୍ୱାସ୍ଥ୍ୟବାନ ହେଉଛନ୍ତି । ଏଠାରେ ତ ମସ୍ତିଷ୍କର କାମ, ବୁଦ୍ଧିରେ ମେହନତ କରିବାକୁ ହେବ, ଦଧୀଚି ଋଷିଙ୍କର ଦୃଷ୍ଟାନ୍ତ ରହିଛି ନା । ସନ୍ନ୍ୟାସୀମାନଙ୍କୁ ତ ବହୁତ ଭଲ ଭଲ ବ୍ୟଞ୍ଜନ ଖାଇବା ପାଇଁ ମିଳୁଛି । ଏହି ବାବା ମଧ୍ୟ ବହୁତ ଭଲ ଭଲ ଭୋଜନ ଖୁଆଉଥିଲେ । ଏଠାରେ ତ ବହୁତ କିଛି ବାରଣ କରିବାକୁ ପଡୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ଜ୍ଞାନକୁ ଭଲ ଭାବରେ ଧାରଣା କରିବା ପାଇଁ ପବିତ୍ରତାର ବ୍ରତକୁ ଆପଣାଇବାକୁ ପଡିବ । ଏହା ଅନ୍ତିମ ସମୟ ଅଟେ ସେଥିପାଇଁ ଏଭଳି ଅଭ୍ୟାସ କରିବାକୁ ହେବ ଯାହାକି ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ପଡିବେ ନାହିଁ ।

(୨) ଦଧୀଚି ଋଷିଙ୍କ ଭଳି ସେବା କରିବା ସହିତ ବିକାର ଉପରେ ବିଜୟ ପ୍ରାପ୍ତ କରି ଜଗତଜିତ୍ ହେବାକୁ ପଡିବ ।

ବରଦାନ:-
ବୁଦ୍ଧିକୁ ନିର୍ଦ୍ଦେଶ ଅନୁସାରେ ଶ୍ରେଷ୍ଠ ସ୍ଥିତିରେ ସ୍ଥିତ କରି ପାରୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ ।

କେତେକ ପିଲା ଯେତେବେଳେ ଯୋଗ କରିବାକୁ ବସୁଛନ୍ତି, ସେତେବେଳେ ଆତ୍ମ-ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି, କିନ୍ତୁ ଏଭଳି ହେବା ଉଚିତ୍ ନୁହେଁ କାରଣ ଶେଷ ସମୟରେ ଯଦି ଅଶରୀରୀ ହେବା ପରିବର୍ତ୍ତେ ସେବାର ମଧ୍ୟ ସଂକଳ୍ପ ଚାଲିଲା ତେବେ ଗୋଟିଏ ସେକେଣ୍ଡର ପରୀକ୍ଷାରେ ଫେଲ ହୋଇଯିବ । ସେହି ସମୟରେ କେବଳ ବାବା ଏବଂ ନିରାକାରୀ, ନିର୍ବିକାରୀ, ନିରହଂକାରୀ ସ୍ଥିତି ରହୁ ଅନ୍ୟ କିଛି ବି ମନେ ନ ପଡୁ । ସେବାର ସ୍ମୃତି ମଧ୍ୟ ସାକାରୀ କରିଦେବେ ସେଥିପାଇଁ ଏଭଳି ଅଭ୍ୟାସ କର ଯେ ଯେଉଁ ସମୟରେ, ଯେଉଁ ସ୍ଥିତିରେ ସ୍ଥିତ ହେବାକୁ ଚାହିଁବ, ହୋଇ ପାରୁଥିବ ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିମାନ, ନିୟନ୍ତ୍ରଣ ଏବଂ ଶାସନ କରିବାର ଶକ୍ତିର ଅଧିକାରୀ ।

ସ୍ଲୋଗାନ:-
କୌଣସି ବି ପରିସ୍ଥିତିକୁ ସହଜରେ ଅତିକ୍ରମ କରିବାର ଉପାୟ ହେଲା ଏକ ବଳ, ଏକ ଭରସା ।