06.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- କ୍ରୋଧ
ବହୁତ ଦୁଃଖଦାୟୀ ଅଟେ, ଏହା ନିଜକୁ ମଧ୍ୟ ଦୁଃଖୀ କରିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରିଥାଏ,
ସେଥିପାଇଁ ଶ୍ରୀମତ ଆଧାରରେ ଏହିସବୁ ଭୂତମାନଙ୍କ ଉପରେ ବିଜୟ ପ୍ରାପ୍ତ କର । ”
ପ୍ରଶ୍ନ:-
କଳ୍ପ କଳ୍ପର
ଦାଗ କେଉଁ ପିଲାମାନଙ୍କ ଉପରେ ଲାଗିଥାଏ ଏବଂ ସେମାନଙ୍କର ଗତି କ’ଣ ହୋଇଥାଏ?
ଉତ୍ତର:-
ଯେଉଁମାନେ ନିଜକୁ ବହୁତ ଚତୁର ମନେ କରିଥାଆନ୍ତି, ପୂର୍ଣ୍ଣ ରୂପରେ ଶ୍ରୀମତରେ ଚାଲିନଥାନ୍ତି । ଯଦି
ଭିତରେ କୌଣସି ନା କୌଣସି ବିକାର ଗୁପ୍ତ ବା ପ୍ରତ୍ୟକ୍ଷ ରୂପରେ ଥାଏ ଏବଂ ତାକୁ ବାହାର କରି ନ
ଥାନ୍ତି, ତେବେ ସେମାନଙ୍କୁ ମାୟା ବନ୍ଦୀ କରି ରଖିଥାଏ । ଏହିଭଳି ପିଲାମାନଙ୍କ ଉପରେ କଳ୍ପ କଳ୍ପର
ଦାଗ ଲାଗିଯାଇଥାଏ । ସେମାନଙ୍କୁ ଅନ୍ତିମ ସମୟରେ ବହୁତ ପଶ୍ଚାତାପ କରିବାକୁ ପଡିବ । ସେମାନେ ନିଜର
ବହୁତ କ୍ଷତି କରିଥାନ୍ତି ।
ଗୀତ:-
ଆଜ ଅନ୍ଧେରେ
ମେଁ ହୈ ଇନ୍ସାନ୍....
ଓମ୍ ଶାନ୍ତି ।
ପିଲାମାନେ
ଜାଣିଛନ୍ତି ଯେ ବେହଦର ବାବା ଯାହାଙ୍କୁ ସ୍ୱର୍ଗୀୟ ଈଶ୍ୱରୀୟ ପିତା ବୋଲି କୁହାଯାଏ ସିଏ
ସମସ୍ତଙ୍କର ପିତା ଅଟନ୍ତି । ସେ ପିଲାମାନଙ୍କ ସମ୍ମୁଖରେ ବସି ବୁଝାଉଛନ୍ତି । ବାବା ତ ସବୁ
ପିଲାମାନଙ୍କୁ ଏହି (ବ୍ରହ୍ମାଙ୍କ) ନୟନ ଦ୍ୱାରା ଦେଖୁଛନ୍ତି । ପିଲାମାନଙ୍କୁ ଦେଖିବା ପାଇଁ
ତାଙ୍କୁ ଦିବ୍ୟ ଦୃଷ୍ଟିର ଆବଶ୍ୟକତା ପଡେ ନାହିଁ । ବାବା ଜାଣିଛନ୍ତି ଯେ ମୁଁ ପରମଧାମରୁ
ପିଲାମାନଙ୍କ ପାଖକୁ ଆସିଛି । ଏହି ପିଲାମାନେ ମଧ୍ୟ ଏଠାରେ ଦେହଧାରୀ ହୋଇ ଅଭିନୟ କରୁଛନ୍ତି ।
ମୁଁ ଏହି ପିଲାମାନଙ୍କୁ ସମ୍ମୁଖରେ ବସାଇ ପାଠ ପଢାଉଛି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ବେହଦର
ପିତା ଯିଏକି ସ୍ୱର୍ଗର ସ୍ଥାପନକର୍ତ୍ତା ଅଟନ୍ତି, ସିଏ ପୁନର୍ବାର ଆମକୁ ଭକ୍ତିମାର୍ଗର ଧକ୍କାରୁ
ମୁକ୍ତ କରି ଆମର ଜ୍ୟୋତିକୁ ଜାଗ୍ରତ କରୁଛନ୍ତି । ସବୁ ସେଣ୍ଟରର ପିଲାମାନେ ଜାଣୁଛନ୍ତି ଯେ ଏବେ
ଆମେ ଈଶ୍ୱରୀୟ କୁଳର ବା ବ୍ରାହ୍ମଣ କୁଳର ହୋଇଛୁ । ସୃଷ୍ଟିର ରଚୟିତା ପରମପିତା ପରମାତ୍ମାଙ୍କୁ
ହିଁ କୁହାଯାଏ । ତେବେ ସୃଷ୍ଟି କିପରି ରଚନା କରାଯାଏ, ତାହା ବାବା ଆସି ବୁଝାଉଛନ୍ତି । ପିଲାମାନେ
ଜାଣିଛନ୍ତି ଯେ ମାତା ଏବଂ ପିତାଙ୍କ ବିନା କେବେହେଲେ ମନୁଷ୍ୟ ସୃଷ୍ଟିର ରଚନା କରାଯାଇପାରିବ ନାହିଁ
। ଏପରି କୁହାଯିବ ନାହିଁ ଯେ କେବଳ ପିତାଙ୍କ ଦ୍ୱାରା ସୃଷ୍ଟି ରଚାଯାଇପାରିବ, ନା । ଗାୟନ ମଧ୍ୟ
ହେଉଛି, ତୁମେ ମାତା ପିତା... ଏହି ମାତାପିତା ସୃଷ୍ଟିକୁ ରଚନା କରି ପୁଣି ମନୁଷ୍ୟମାନଙ୍କୁ ଯୋଗ୍ୟ
କରୁଛନ୍ତି । ଏହା ବଡ ବିଶେଷତା ଅଟେ । ଏମିତି ବି ନୁହେଁ ଯେ ଉପରୁ ଦେବତାମାନେ ଆସି ଧର୍ମର
ସ୍ଥାପନା କରିବେ । ଯେପରି ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟିୟାନ ଧର୍ମର ସ୍ଥାପନା କରିଥାଆନ୍ତି । ତେଣୁ
ଖ୍ରୀଷ୍ଟଙ୍କୁ ଖ୍ରୀଷ୍ଟିୟାନମାନେ ଫାଦର (ପିତା) ବୋଲି କହିଥାଆନ୍ତି । ଯଦି ସିଏ ପିତା ହେଲେ ତେବେ
ମାତା ମଧ୍ୟ ନିଶ୍ଚିତ ଦରକାର । ସେମାନେ ମେରୀଙ୍କୁ ମା’ କରିଦେଇଛନ୍ତି । ତେବେ ମେରୀ କିଏ ଥିଲେ?
ତାହାହେଲେ କ’ଣ ଖ୍ରୀଷ୍ଟ ତାଙ୍କ ଦ୍ୱାରା ସନ୍ତାନ ଉତ୍ପତ୍ତି କରିଛନ୍ତି, ନା ନିଜେ ହିଁ ପିତା ଏବଂ
ମାତା ଉଭୟ ଅଟନ୍ତି? ତେବେ ଖ୍ରୀଷ୍ଟଙ୍କର ନୂଆ ଆତ୍ମା ଉପରୁ ଆସି ଶରୀରରେ ପ୍ରବେଶ କରିଥିଲେ ଏବଂ
ଯାହାଙ୍କ ଶରୀରରେ ପ୍ରବେଶ କରିଥିଲେ ତାଙ୍କ ମୁଖ ଦ୍ୱାରା ହିଁ ପ୍ରଜା ରଚନା କରିଥିଲେ । ସେହିମାନେ
ହିଁ ହୋଇଗଲେ - ଖ୍ରୀଷ୍ଟିୟାନ । ଏକଥା ମଧ୍ୟ ବୁଝାଇ ଦିଆଯାଇଛି ଯେ - ଯେଉଁ ନୂଆ ଆତ୍ମା ଉପରୁ
ଆସିଥାଏ ତାର ସେଭଳି କୌଣସି କର୍ମ ନଥାଏ ଯାହା ଦ୍ୱାରା ସିଏ ଦୁଃଖ ଭୋଗ କରିବ । ସିଏ ତ ପବିତ୍ର
ଆତ୍ମା ଆସିଥାଏ । ଯେପରି ପରମପିତା ପରମାତ୍ମା କେବେହେଲେ ଦୁଃଖ ଭୋଗ କରିପାରିବେ ନାହିଁ । ଦୁଃଖ
ଅଥବା ଗାଳି ସବୁକିଛି ଏହି ସାକାର ବାବାଙ୍କୁ ହିଁ ଦେଇଥାଆନ୍ତି । ତେଣୁ ଖ୍ରୀଷ୍ଟଙ୍କୁ ମଧ୍ୟ
ଯେତେବେଳେ କ୍ରସ ଉପରେ ଚଢାଯାଇଥିଲା ସେତେବେଳେ ଯେଉଁ ଶରୀରରେ ଖ୍ରୀଷ୍ଟଙ୍କର ଆତ୍ମା ପ୍ରବେଶ
କରିଥିଲା ନିଶ୍ଚିତ ସିଏ ହିଁ ଏହି ଦୁଃଖକୁ ସହନ କରିଲେ । ଖ୍ରୀଷ୍ଟଙ୍କର ପବିତ୍ର ଆତ୍ମା ତ ଦୁଃଖ
ସହନ କରିପାରିବ ନାହିଁ । ତେଣୁ ଖ୍ରୀଷ୍ଟ ହେଲେ ଫାଦର (ପିତା) ପୁଣି ‘ମା’କୁ କେଉଁଠୁ ଆଣିବେ! ତେଣୁ
ମେରୀଙ୍କୁ “ମା” କରିଦେଲେ । ଦେଖାଇଛନ୍ତି ଯେ ମେରୀ କୁମାରୀ ଥିଲେ, ତାଙ୍କଠାରୁ ଯୀଶୁଖ୍ରୀଷ୍ଟ
ଜନ୍ମ ନେଲେ । ତେବେ କୁମାରୀଠାରୁ ସନ୍ତାନ ଜନ୍ମ ହେବ, ଏହା ତ ବିଲକୁଲ୍ ବେନିୟମ ଅଟେ । ଏହିସବୁ
କଥାକୁ ସେମାନେ ଶାସ୍ତ୍ରମାନଙ୍କରୁ ହିଁ ଗ୍ରହଣ କରିଛନ୍ତି । ଯେମିତି ଦେଖାଯାଇଛି ନା - କୁନ୍ତି
କନ୍ୟା ଥିଲେ, ତାଙ୍କଠାରୁ ପୁଣି କର୍ଣ୍ଣ ଜନ୍ମ ହେଲେ । ତେବେ ଏହା ତ ଦିବ୍ୟଦୃଷ୍ଟିର କଥା କିନ୍ତୁ
ସେମାନେ ଏହାକୁ କପି କରି ଦେଇଛନ୍ତି । ତେଣୁ ଯେମିତି ଏହି ବ୍ରହ୍ମା “ମା” ଅଟନ୍ତି । ମୁଖ ଦ୍ୱାରା
ପିଲାମାନଙ୍କୁ ରଚନା କରି ସମ୍ଭାଳିବା ପାଇଁ ମମ୍ମାଙ୍କୁ ଦେଇ ଦେଇଥିଲେ । ତେବେ ଖ୍ରୀଷ୍ଟଙ୍କର
ମଧ୍ୟ ସେହିପରି ଅଟେ । ଖ୍ରୀଷ୍ଟଙ୍କର ଆତ୍ମା ଯୀଶୁଙ୍କ ଶରୀରରେ ପ୍ରବେଶ କରି ଧର୍ମର ସ୍ଥାପନା
କରିଛନ୍ତି । ତେଣୁ ସେମାନଙ୍କୁ କୁହାଯିବ ଖ୍ରୀଷ୍ଟଙ୍କର ମୁଖ ବଂଶାବଳୀ ଭାଇ ଓ ଭଉଣୀ । ତେବେ
ଖ୍ରୀଷ୍ଟିୟାନମାନଙ୍କର ପ୍ରଜାପିତା ଖ୍ରୀଷ୍ଟଙ୍କୁ କୁହାଯିବ । ଯାହାଙ୍କ ଶରୀରରେ ପ୍ରବେଶ କରି
ସନ୍ତାନ ରଚନା କଲେ ସିଏ ହୋଇଗଲେ ମାତା । ପୁଣି ସେମାନଙ୍କୁ ସମ୍ଭାଳିବା ପାଇଁ ମେରୀଙ୍କୁ ଦେଲେ,
ତେଣୁ ସେମାନେ ମେରୀଙ୍କୁ “ମା” ଭାବି ନେଇଛନ୍ତି । ଏଠାରେ ତ ବାବା କହୁଛନ୍ତି ମୁଁ ୟାଙ୍କ ଶରୀରରେ
ପ୍ରବେଶ କରି ମୁଖବଂଶୀ ସନ୍ତାନମାନଙ୍କୁ ରଚନା କରୁଛି । ତେଣୁ ଏଥିରେ ମମ୍ମା ମଧ୍ୟ ମୁଖବଂଶୀ
ସନ୍ତାନ ହୋଇଗଲେ । ଏହା ହେଲା ବିସ୍ତାରରେ ବୁଝିବାର କଥା ।
ଆଉ ଗୋଟିଏ କଥା - ବାବା
ବୁଝାଉଛନ୍ତି ଆଜି ଗୋଟିଏ ପାର୍ଟି ସାକାହାରୀ ଭୋଜନର ପ୍ରଚାର କରିବା ପାଇଁ ଆବୁକୁ ଆସିବାର ଅଛି ।
ସେମାନଙ୍କୁ ବୁଝାଇବାକୁ ହେବ ଯେ ବେହଦର ପିତା ବର୍ତ୍ତମାନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି
ଯେଉଁମାନେ କି ପକ୍କା ସାକାହାରୀ ଥିଲେ । ଆଉ କୌଣସି ବି ଧର୍ମ ଏତେ ସାକାହାରୀ ନୁହଁନ୍ତି । ତେବେ
ସେମାନେ ଏହି କଥା ଶୁଣାଇବେ ଯେ ବୈଷ୍ଣବ ହେବାରେ କେତେ ଲାଭ ଅଛି । କିନ୍ତୁ ସମସ୍ତେ ତ ହୋଇପାରିବେ
ନାହିଁ କାହିଁକି ନା ମାଂସାହାର ତ ବହୁତ ସମୟରୁ ଅଭ୍ୟାସରେ ପଡିଯାଇଛି ଯାହାକୁ ଛାଡିବା ବଡ ମୁଶକିଲ୍
ଅଟେ । କିନ୍ତୁ ଏହା ଉପରେ ବୁଝାଇବାକୁ ହେବ ଯେ ବେହଦର ପିତା ଯେଉଁ ସ୍ୱର୍ଗର ସ୍ଥାପନା କରିଥିଲେ
ସେଥିରେ ସମସ୍ତେ ବୈଷ୍ଣବ ଅର୍ଥାତ୍ ବିଷ୍ଣୁଙ୍କର ବଂଶାବଳୀ ଥିଲେ । ଦେବତାମାନେ ତ ବିଲ୍କୁଲ୍
ନିର୍ବିାକାରୀ ଥିଲେ । ଆଜିକାଲିର ସାକାହାରୀମାନେ ତ ବିକାରୀ ଅଟନ୍ତି । ଖ୍ରୀଷ୍ଟ ଆସିବାର ତିନି
ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ତେବେ ଏହିଭଳି କଥା ସବୁ ବୁଝାଇବାକୁ ହେବ । ତୁମ
ପିଲାମାନଙ୍କ ବ୍ୟତୀତ ଏଭଳି କୌଣସି ମନୁଷ୍ୟ ନାହାଁନ୍ତି ଯାହାଙ୍କୁ ଜଣାଥିବ ଯେ ସ୍ୱର୍ଗ କ’ଣ ବୋଲି
ଏବଂ କେବେ ସ୍ଥାପନ ହୋଇଥିଲା? ସେଠାରେ କେଉଁମାନେ ରାଜ୍ୟ କରୁଥିଲେ । ଲକ୍ଷ୍ମୀ-ନାରାୟଣଙ୍କର
ମନ୍ଦିରକୁ ଯାଉଛନ୍ତି, ବାବା ମଧ୍ୟ ଯାଉଥିଲେ କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ସ୍ୱର୍ଗରେ
ଏହିମାନଙ୍କର ରାଜଧାନୀ ହୋଇଥାଏ । କେବଳ ମହିମା ଗାଉଛନ୍ତି କିନ୍ତୁ ଏମାନଙ୍କୁ କିଏ ରାଜ୍ୟ ଦେଇଥିଲେ,
ସେ ବିଷୟରେ କିଛି ବି ଜଣାନାହିଁ । ଏବେ ତ ବହୁତ ମନ୍ଦିର ତିଆରି କରୁଛନ୍ତି କାରଣ ଭାବୁଛନ୍ତି
ଲକ୍ଷ୍ମୀ ହିଁ ଧନ ଦେଇଛନ୍ତି ସେଥିପାଇଁ ଦୀପାବଳୀ ଅମାବାସ୍ୟାରେ ବ୍ୟବସାୟୀମାନେ ଲକ୍ଷ୍ମୀଙ୍କର
ପୂଜା କରିଥାନ୍ତି । ଏହିସବୁ ମନ୍ଦିର ତିଆରି କରିଲାବାଲାଙ୍କୁ ମଧ୍ୟ ବୁଝାଇବା ଦରକାର । ଯେପରି
ବିଦେଶୀମାନେ ଯେତେବେଳେ ଆସୁଛନ୍ତି ସେମାନଙ୍କୁ ଭାରତର ମହିମା ଶୁଣାଇବା ଦରକାର ଯେ ଖ୍ରୀଷ୍ଟଙ୍କର
୩ ହଜାର ବର୍ଷ ପୂର୍ବରୁ ଭାରତ ଏହିଭଳି ସାକାହାରୀ ଥିଲା ଯାହାକି ସେଭଳି ଆଉ କେହି ହୋଇପାରିବେ ନାହିଁ
। ସେମାନଙ୍କ ଭିତରେ ବହୁତ ଶକ୍ତି ଥିଲା । ତାକୁ ଭଗବାନ ଏବଂ ଭଗବତୀଙ୍କର ରାଜ୍ୟ କୁହାଯାଏ । ଏବେ
ସେହି ରାଜ୍ୟ ପୁନର୍ବାର ସ୍ଥାପନ କରାଯାଉଛି । ଏହା ସେହି ସମୟ ଅଟେ । ଶଙ୍କରଙ୍କ ଦ୍ୱାରା ବିନାଶର
ମଧ୍ୟ ଗାୟନ ରହିଛି, ଏବେ ପୁଣି ବିଷ୍ଣୁଙ୍କର ରାଜ୍ୟ ଆସିବ । ବାବାଙ୍କ ଦ୍ୱାରା ଯଦି ସ୍ୱର୍ଗ
ଦୁନିଆର ସମ୍ପତ୍ତି ନେବାର ଅଛି ତେବେ ଏଠାକୁ ଆସି ନେଇପାରିବ । ରମେଶ-ଉଷା (ବମ୍ବେର ୰ରମେଶ ଭାଇ
ଏବଂ ତାଙ୍କର ଯୁଗଳ ୰ଉଷା ଭଉଣୀ) ଦୁଇଜଣଙ୍କର ସେବା କରିବାର ବହୁତ ସୌକ ଥିଲା । ଏମାନେ ବହୁତ
ପବିତ୍ର ଯୋଡି (ଯୁଗଳ) ଥିଲେ । ବହୁତ ସେବାଧାରୀ ମଧ୍ୟ ଥିଲେ । ଦେଖ ଏପରି କେହି କେହି ନୂଆମାନେ
ଆସି ପୁରୁଣାମାନଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଉଛନ୍ତି । ବାବା ତ ବହୁତ ଉପାୟ ବତାଉଛନ୍ତି, କିନ୍ତୁ
କୌଣସି ନା କୌଣସି ବିକାରର ନିଶା ଥିବା କାରଣରୁ ମାୟା ତୀବ୍ରବେଗରେ ଆଗକୁ ବଢିବାକୁ ଦେଉନାହିଁ ।
କାହା କାହା ଭିତରେ କାମ ବିକାରର ସାମାନ୍ୟ ଅଂଶ ରହିଛି, କ୍ରୋଧ ତ ବହୁତଙ୍କ ଭିତରେ ଅଛି ।
ପରିପୂର୍ଣ୍ଣ ତ କେହି ହୋଇନାହାଁନ୍ତି । ହେବାକୁ ଚେଷ୍ଟା କରୁଛନ୍ତି । ମାୟା ମଧ୍ୟ ଭିତରେ ଭିତରେ
କାମୁଡି ଚାଲିଛି । ଯେବେଠାରୁ ରାବଣର ରାଜ୍ୟ ଆରମ୍ଭ ହେଲାଣି ସେବେଠାରୁ ଏହି ବିକାର ରୂପୀ
ମୂଷାମାନେ କାମୁଡିବା ଆରମ୍ଭ କରି ଦେଇଛନ୍ତି । ଏବେ ଭାରତ ବିଲକୁଲ୍ କାଙ୍ଗାଳ ହୋଇଯାଇଛି । ମାୟା
ହିଁ ସମସ୍ତଙ୍କୁ ପଥର ବୁଦ୍ଧି କରିଦେଇଛି । ଭଲ ଭଲ ପିଲାଙ୍କୁ ମଧ୍ୟ ମାୟା ଏଭଳି ଘେରି ଯାଉଛି
ଯାହାକି ସେମାନଙ୍କୁ ଜଣାପଡୁନାହିଁ ଯେ ଆମର ପାଦ କିପରି ପଛକୁ ପଛକୁ ଯାଉଛି । ତାଙ୍କୁ ପୁଣି
ସଂଜୀବନୀ ବୁଟୀ ଶୁଙ୍ଘାଇ ହୋଶ୍କୁ ଅଣାଯାଉଛି । କ୍ରୋଧ ମଧ୍ୟ ଦୁଃଖଦାୟୀ ଅଟେ । କ୍ରୋଧୀ ନିଜକୁ
ମଧ୍ୟ ଦୁଃଖୀ କରିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରିଥାଏ । କାହା ଭିତରେ ଗୁପ୍ତ ରୂପରେ ଅଛି
ତ ଆଉ କାହା ଭିତରେ ପ୍ରତ୍ୟକ୍ଷ ରୂପରେ ରହିଛି । ଯେତେ ବୁଝାଇଲେ ମଧ୍ୟ ବୁଝୁନାହାଁନ୍ତି । ସେମାନେ
ବର୍ତ୍ତମାନ ନିଜକୁ ବହୁତ ଚାଲାକ୍ ମନେ କରୁଛନ୍ତି । ଯେଉଁଥି ପାଇଁ ପରେ ବହୁତ ପଶ୍ଚାତାପ କରିବାକୁ
ପଡିବ । କଳ୍ପ କଳ୍ପ ପାଇଁ ଦାଗ ଲାଗିଯିବ । ଯଦି ଶ୍ରୀମତରେ ଚାଲିବ ତେବେ ଲାଭ ମଧ୍ୟ ବହୁତ ମିଳିବ
ନଚେତ୍ କ୍ଷତି ବି ବହୁତ ହେବ । ତେବେ ଉଭୟଙ୍କର ମତ ବିଖ୍ୟାତ । ଶ୍ରୀମତ ଏବଂ ବ୍ରହ୍ମାଙ୍କର ମତ ।
କୁହାଯାଏ ଯଦି ବ୍ରହ୍ମା ମଧ୍ୟ ଓହ୍ଲାଇ ଆସିବେ ତେବେ ବି ଇଏ ମାନିବ ନାହିଁ.... । କୃଷ୍ଣଙ୍କର ନାମ
କେହି କହି ନ ଥାନ୍ତି । ଏବେ ତ ପରମପିତା ପରମାତ୍ମା ନିଜେ ଆସି ମତ ଦେଉଛନ୍ତି । ବ୍ରହ୍ମାଙ୍କୁ
ମଧ୍ୟ ତାଙ୍କଠାରୁ ମତ ମିଳୁଛି । ଯେପରି ପିତାଙ୍କର ପିଲାମାନଙ୍କ ଉପରେ ବହୁତ ସ୍ନେହ ଥାଏ ତେଣୁ
ପିଲାମାନଙ୍କୁ ମୁଣ୍ଡ ଉପରେ ବସାଇ ଥାଆନ୍ତି । ପିତାଙ୍କର ଉଦ୍ଦେଶ୍ୟ ରହିଥାଏ ଯେ ମୋର ପୁଅ ଯଦି
ଉନ୍ନତି କରିବ ତେବେ କୁଳର ନାମ ବିଖ୍ୟାତ ହେବ । କିନ୍ତୁ ଯଦି ସନ୍ତାନ ନା ବାବାଙ୍କ କଥା ମାନିଲା,
ନା ଜେଜେବାପାଙ୍କ କଥା ମଧ୍ୟ ମାନିଲା, ତେବେ ଜାଣ ବଡ ମା’ର କଥା ମଧ୍ୟ ମାନିଲା ନାହିଁ । ତେବେ
ତାର ଅବସ୍ଥା କ’ଣ ହେବ! ସେକଥା ନ କହିଲେ ଭଲ । ବାକି ସେବାଧାରୀ ପିଲାମାନେ ତ ବାପଦାଦାଙ୍କର
ହୃଦୟରେ ବସିଥାନ୍ତି । ତେଣୁ ନିଜେ ବାବା ସେମାନଙ୍କର ମହିମା କରିଥାଆନ୍ତି । ସେମାନଙ୍କୁ ବୁଝାଇବା
ଦରକାର ଯେ ଏହି ଭାରତରେ ବିଷ୍ଣୁକୁଳର ରାଜ୍ୟ ଥିଲା ଯାହାକି ପୁଣି ସ୍ଥାପନ ହେଉଛି । ଏବେ ବାବା
ପୁଣି ସେହି ଭାରତକୁ ବିଷ୍ଣୁପୁରୀ କରୁଛନ୍ତି ।
ତୁମମାନଙ୍କର ବହୁତ ନିଶା
ରହିବା ଦରକାର । ସେମାନେ ତ ତୁଚ୍ଛାଟାରେ ନିଜର ନାମକୁ ବିଖ୍ୟାତ କରିବା ପାଇଁ ପରିଶ୍ରମ କରୁଛନ୍ତି
। ଖର୍ଚ୍ଚ ତ ସରକାରଙ୍କଠାରୁ ମିଳିଯାଉଛି । ସନ୍ନ୍ୟାସୀମାନଙ୍କୁ ତ ବହୁତ ପଇସା ମିଳୁଛି । ଏବେ ବି
କହୁଛନ୍ତି ଯେ ଆମେ ଭାରତର ପ୍ରାଚୀନ ଯୋଗ ଶିଖାଇବା ପାଇଁ ଯାଉଛୁ ତେଣୁ ସେମାନଙ୍କୁ ତୁରନ୍ତ ପଇସା
ଦେଇ ଦେଉଛନ୍ତି । ବାବାଙ୍କୁ ତ କାହାରି ପଇସାର ଆବଶ୍ୟକତା ନାହିଁ । ଇଏ ତ ସାରା ଦୁନିଆର
ସାହାଯ୍ୟକାରୀ ଭୋଳାଭଣ୍ଡାରୀ ଅଟନ୍ତି, ଏଠାରେ ପିଲାମାନଙ୍କର ସହଯୋଗ ମିଳିଯାଉଛି । କୁହାଯାଏ
“ହିମ୍ମତେ ବଚ୍ଚେ, ମଦଦେ ବାପ” । ଯେତେବେଳେ କେହି ବାହାରୁ ଆସୁଛନ୍ତି ତେବେ ସେମାନଙ୍କର ଦାନ
କରିବାର ଅଭ୍ୟାସ ଥାଏ ତେଣୁ ଭାବୁଛନ୍ତି ଏଇ ବି ତ ଗୋଟିଏ ଆଶ୍ରମ ତେଣୁ ଏଠାରେ ମଧ୍ୟ କିଛି ଦେବା ।
କିନ୍ତୁ ତୁମକୁ କହିବାକୁ ହେବ କାହିଁକି ଦେଉଛ? ଜ୍ଞାନ ତ କିଛି ଶୁଣିନାହଁ, ଏ ବିଷୟରେ ତ କିଛି ବି
ଜାଣିନାହଁ । ଆମେ ଏଠାରେ ମଞ୍ଜି ପୋତୁଛୁ ଯାହାର ଫଳ ସ୍ୱର୍ଗ ଦୁନିଆରେ ମିଳିବ, କିନ୍ତୁ ଏ ବିଷୟରେ
ସେତେବେଳେ ଜାଣିପାରିବେ ଯେତେବେଳେ ଏହି ଜ୍ଞାନକୁ ଶୁଣିବେ । ଏହିପରି ତ କୋଟି କୋଟି ଆସିବେ । ତେଣୁ
ଏକଥା ମଧ୍ୟ ବହୁତ ଭଲ, ଯାହାକି ବାବା ଗୁପ୍ତ ରୂପରେ ଆସିଛନ୍ତି । କୃଷ୍ଣଙ୍କ ରୂପରେ ଯଦି
ଆସିଥାନ୍ତେ ତେବେ ବାଲି ଭଳି ରୁଣ୍ଡ ହୋଇଯାଇଥାନ୍ତେ, ଏକଦମ ପଛରେ ପଡିଯାଇଥାନ୍ତେ, ସେତେବେଳେ ଆଉ
କେହି ଘରେ ରହି ପାରିନଥାନ୍ତେ । ତୁମେମାନେ ଈଶ୍ୱରୀୟ ସନ୍ତାନ ଅଟ, ଏକଥା ଭୁଲିଯାଅ ନାହିଁ ।
ବାବାଙ୍କର ତ ମନ ଭିତରେ ରହୁଛି ଯେ ପିଲାମାନେ ସମ୍ପୂର୍ଣ୍ଣ ବର୍ସା ନିଅନ୍ତୁ । ସ୍ୱର୍ଗକୁ ତ ଅନେକ
ଆସିବେ କିନ୍ତୁ ସାହାସ କଲେ ଉଚ୍ଚ ପଦ ମଧ୍ୟ ପାଇପାରିବେ, ଏଭଳି କୋଟିକରେ କେହି ଗୋଟିଏ ବାହାରିବେ
। ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରିକ୍ଳାସ୍:
୧୫-୬-୬୮
ଯାହା ସବୁ ବିତି ଯାଇଛି
ସେଗୁଡିକୁ ଆଲୋଚନା କରିବା ଦ୍ୱାରା ଯେଉଁମାନଙ୍କର ଦୁର୍ବଳ ମନ ସେମାନଙ୍କର ମନରେ ଥିବା ଦୁର୍ବଳତାର
ପୁଣି ପୁନରାବୃତ୍ତି ହୋଇଯାଏ, ସେଥିପାଇଁ ପିଲାମାନଙ୍କୁ ଡ୍ରାମାରେ ନିଧାର୍ଯ୍ୟ ହୋଇଥିବା ମାର୍ଗ
ଉପରେ ରହିବା ପାଇଁ କୁହାଯାଇଛି । ତେବେ ମୁଖ୍ୟ ଫାଇଦା ବାବାଙ୍କୁ ମନେ ପକାଇବାରେ ହିଁ ହୋଇଥାଏ ।
ତାଙ୍କ ସ୍ମୃତି ଦ୍ୱାରା ହିଁ ଆୟୁଷର ବୃଦ୍ଧି ହୁଏ । ଯଦି ପିଲାମାନେ ଡ୍ରାମାକୁ ବୁଝିଯିବେ ତେବେ
କେବେ ବି ଏହିପରି ଚିନ୍ତା କରିବେ ନାହିଁ । ଡ୍ରାମାରେ ଏହି ସମୟରେ ଜ୍ଞାନ ଶିଖିବାର ଏବଂ
ଶିଖାଇବାର ପାର୍ଟ ଚାଲିଛି । ପରେ ପୁଣି ଏହି ପାର୍ଟ ବନ୍ଦ ହୋଇଯିବ । ନା ବାବାଙ୍କର ପାର୍ଟ ରହିବ,
ନା ଆମର ପାର୍ଟ ରହିବ । ନା ତାଙ୍କର ଦେବାର ପାର୍ଟ ଥିବ, ନା ଆମର ନେବାର ପାର୍ଟ ଥିବ । ସେତେବେଳେ
ଏକ ସମାନ ହୋଇଯିବା ନା । ଆମର ପାର୍ଟ ନୂଆ ଦୁନିଆରେ ଚାଲିବ ଏବଂ ବାବାଙ୍କର ପାର୍ଟ ଶାନ୍ତିଧାମରେ
ରହିବ । ତେଣୁ ପାର୍ଟ କରିବାର ରିଲ୍ ଭରା ହୋଇ ରହିଛି ନା । ଆମର ପ୍ରାରବ୍ଧ ପାଇବାର ପାର୍ଟ,
ବାବାଙ୍କର ଶାନ୍ତିଧାମର ପାର୍ଟ । ଦେବା ଆଉ ନେବାର ପାର୍ଟ ସମାପ୍ତ ହେଲା, ତେବେ ଡ୍ରାମା ହିଁ
ସମାପ୍ତ ହେଲା । ତାପରେ ଆମେ ରାଜ୍ୟ କରିବା ପାଇଁ ଆସିବା, ଏହି ପାର୍ଟ ବଦଳିଯିବ । ଜ୍ଞାନ ବନ୍ଦ
ହୋଇଯିବ । ଆମେ ମଧ୍ୟ ସେହିପରି ହୋଇଯିବା । ଯଦି ପାର୍ଟ ହିଁ ସମାପ୍ତ ହୋଇଗଲା ତେବେ ଆଉ ଫରକ ରହିବ
ନାହିଁ । ପିଲାମାନଙ୍କ ସହିତ ବାବାଙ୍କର ମଧ୍ୟ ପାର୍ଟ ରହିବ ନାହିଁ । ପିଲାମାନେ ଜ୍ଞାନକୁ
ସମ୍ପୂର୍ଣ୍ଣ ଧାରଣ କରିନେଉଛନ୍ତି ତେଣୁ ବାବାଙ୍କ ପାଖରେ ଆଉ କିଛି ଶୁଣାଇବା ପାଇଁ ରହୁନାହିଁ ।
ନା ଦେଲାବାଲା ପାଖରେ କିଛି ରହିବ, ନା ନେଲାବାଲାଙ୍କର କୌଣସି ଅଭାବ ରହିବ । ଉଭୟେ ପରସ୍ପରର ସମାନ
ହୋଇଗଲେ । ଏଥିରେ ବିଚାର ସାଗର ମନ୍ଥନ କରିବାର ବୁଦ୍ଧି ଦରକାର । ଏଠାରେ ବିଶେଷ ପୁରୁଷାର୍ଥ ହେଉଛି
ଯୋଗର ଯାତ୍ରା କରିବା । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଶୁଣାଇବା ପାଇଁ ତ ଏହା ମୋଟା କଥା
ହୋଇଯାଉଛି, ବୁଦ୍ଧିରେ ତ ସୂକ୍ଷ୍ମ କଥା ଅଛି ନା । ଆମେ ଅନ୍ତରରେ ଜାଣିଛୁ ଯେ ଶିବବାବାଙ୍କର ରୂପ
କ’ଣ? ବୁଝାଇବା ଦ୍ୱାରା ବଡ ଆକାର ହୋଇଯାଉଛି । ଭକ୍ତିମାର୍ଗରେ ବଡଲିଙ୍ଗ ତିଆରି କରିଦେଉଛନ୍ତି ।
ଆତ୍ମା ତ ଛୋଟ ଅଟେ ନା । ଏହା ହେଉଛି ପ୍ରକୃତି । ତେବେ ସେମାନେ କେତେ ଦୂର ଏହାର ଅନ୍ତକୁ
ପ୍ରାପ୍ତ କରିପାରିବେ? ତେଣୁ ଶେଷରେ ବେଅନ୍ତ ବୋଲି କହିଦେଉଛନ୍ତି । ବାବା ବୁଝାଇଛନ୍ତି ସାରା
ପାର୍ଟ ଆତ୍ମାରେ ଭରି ରହିଛି । ଏହା ହିଁ ପ୍ରକୃତି ଅଟେ । ଏହାର ଅନ୍ତ କେହି ପାଇପାରିବେ ନାହିଁ ।
ସୃଷ୍ଟି ଚକ୍ରର ଅନ୍ତ ତ ପାଉଛନ୍ତି । ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ କେବଳ ତୁମେମାନେ
ହିଁ ଜାଣିଛ । ବାବା ତ ଜ୍ଞାନର ଭଣ୍ଡାର ଅଟନ୍ତି । ଆମେମାନେ ମଧ୍ୟ ପରିପୂର୍ଣ୍ଣ ହୋଇଯିବା, ପାଇବା
ପାଇଁ ଆଉ କିଛି ବାକି ରହିବ ନାହିଁ । ବାବା ୟାଙ୍କ ଭିତରେ ପ୍ରବେଶ କରି ପଢାଉଛନ୍ତି । ସିଏ ହେଲେ
ବିନ୍ଦୁ । ଆତ୍ମାର ବା ପରମାତ୍ମାଙ୍କର ସାକ୍ଷାତ୍କାର ହେବା ଦ୍ୱାରା କ’ଣ ଖୁସି ମିଳିବ କି! ମେହନତ୍
କରି ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମର ବିନାଶ ହେବ । ବାବା କହୁଛନ୍ତି ମୋ ଭିତରୁ
ଯେତେବେଳେ ଜ୍ଞାନ ବନ୍ଦ ହୋଇଯିବ ସେତେବେଳେ ତୁମ ଭିତରେ ମଧ୍ୟ ବନ୍ଦ ହୋଇଯିବ । ଜ୍ଞାନକୁ ଧାରଣ କରି
ଶ୍ରେଷ୍ଠ ହୋଇଯିବ । ପିଲାମାନେ ସବୁ କିଛି ବାବାଙ୍କଠାରୁ ନେଇ ଯାଉଛନ୍ତି ପୁଣି ବି ବାବା ତ ପିତା
ଅଟନ୍ତି ନା । ତୁମେ ଆତ୍ମାମାନେ ଆତ୍ମା ହିଁ ହୋଇ ରହିବ, ପିତା ତ ହୋଇ ରହିପାରିବ ନାହିଁ । ଏହା ତ
ଜ୍ଞାନ ଅଟେ । ପିତା, ପିତା ଅଟନ୍ତି ଏବଂ ସନ୍ତାନ, ସନ୍ତାନ ଅଟନ୍ତି । ଏସବୁ କଥା ବିଚାର ସାଗର
ମନ୍ଥନ କରି ଗଭୀରତାକୁ ଯିବାକୁ ହେବ । ଏକଥା ମଧ୍ୟ ଜାଣିଛ ଯେ ଯିବା ପାଇଁ ତ ସମସ୍ତଙ୍କୁ ପଡିବ ।
ସମସ୍ତେ ଯିବେ । ବାକି କେବଳ ଆତ୍ମା ହିଁ ରହିବ । ସାରା ଦୁନିଆ ହିଁ ସମାପ୍ତ ହୋଇଯିବ, ଏଥିରେ
ନିର୍ଭୟ ହୋଇ ରହିବାକୁ ହେବ । ନିର୍ଭୟ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ । ଶରୀର ପ୍ରଭୃତିର
କୌଣସି ଭାନ ନ ଆସୁ ସେହିଭଳି ଅବସ୍ଥାକୁ ଯିବାକୁ ହେବ । ବାବା ଆସି ନିଜ ଭଳି କରୁଛନ୍ତି । ତୁମେ
ପିଲାମାନେ ମଧ୍ୟ ନିଜ ଭଳି କରିଚାଲିଛ । ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ, ଏହିଭଳି
ପୁରୁଷାର୍ଥ କରିବାକୁ ହେବ । ଏବେ ତ ସମୟ ବାକି ଅଛି । ଏହିଭଳି ଅଭ୍ୟାସକୁ ତୀବ୍ର କରିବାକୁ ପଡିବ
। ଯଦି ଅଭ୍ୟାସ ନଥିବ ତେବେ ଅଟକିଯିବ । ଗୋଡ ଥରିବାକୁ ଲାଗିବ ଏବଂ ଅଚାନକ ହାର୍ଟ ଫେଲ୍ ହୋଇଯିବ ।
ତମଃପ୍ରଧାନ ଶରୀରକୁ ହାର୍ଟଫେଲ ହେବା ପାଇଁ କ’ଣ ଡେରି ଲାଗିବ । ଯେତେଯେତେ ଅଶରୀରି ହୋଇ ଚାଲିବ,
ବାବାଙ୍କୁ ମନେ ପକାଇ ଚାଲିବ ତେବେ ସେତେସେତେ ନିକଟକୁ ଯିବାକୁ ଲାଗିବ । ତେଣୁ ଯେଉଁମାନେ ଯୋଗ
କରୁଥିବେ ସେହିମାନେ ହିଁ ନିର୍ଭୟ ରହିପାରିବେ କାରଣ ଯୋଗ କରିବା ଦ୍ୱାରା ଶକ୍ତି ମିଳିଥାଏ ।
ଜ୍ଞାନରୁ ଧନ ମିଳିଥାଏ । ତେବେ ପିଲାମାନଙ୍କୁ ଦରକାର ଶକ୍ତି ଏବଂ ଶକ୍ତି ପାଇଁ ବାବାଙ୍କୁ ମନେ
ପକାଇ ଚାଲ । ବାବା ହେଲେ ଅବିନାଶୀ ସର୍ଜନ (ବୈଦ୍ୟ) । ସିଏ କେବେ ପେସେଣ୍ଟ (ରୋଗୀ) ହୋଇପାରିବେ
ନାହିଁ । ବର୍ତ୍ତମାନ ବାବା କହୁଛନ୍ତି ତୁମେମାନେ ନିଜର ଅବିନାଶୀ ଚିକିତ୍ସା କରୁଥାଅ । ମୁଁ ତୁମକୁ
ଏଭଳି ସଞ୍ଜିବନୀ ବୁଟୀ ଦେଉଛି ଯାହାକି ଆଉ କେବେ କେହି ବେମାର ହେବେ ନାହିଁ । କେବଳ ପତିତପାବନ
ବାବାଙ୍କୁ ମନେ ପକାଉଥାଅ ତା’ହେଲେ ପବିତ୍ର ହୋଇଯିବ । ଦେବତାମାନେ ସଦାସର୍ବଦା ନିରୋଗୀ, ପବିତ୍ର
ଥାନ୍ତି ନା । ପିଲାମାନଙ୍କୁ ଏହି କଥାର ନିଶ୍ଚୟ ତ ହୋଇଯାଇଛି ଯେ କଳ୍ପ କଳ୍ପ ଆମେ ବାବାଙ୍କଠାରୁ
ବର୍ସା ନେଉଛୁ । ଅସଂଖ୍ୟ ଥର ବାବା ଆସି ସାରିଛନ୍ତି, ଯେପରି ଏବେ ଆସିଛନ୍ତି । ବାବା ଯାହା
ଶିଖାଉଛନ୍ତି, ବୁଝାଉଛନ୍ତି ତାହା ହିଁ ରାଜଯୋଗ ଅଟେ । ଏହି ଗୀତା ଶାସ୍ତ୍ରଗୁଡିକ ସବୁ
ଭକ୍ତିମାର୍ଗର ଅଟେ । ଏହି ଜ୍ଞାନର ମାର୍ଗ ବାବା ହିଁ ବତାଉଛନ୍ତି । ବାବା ହିଁ ଆସି ନିମ୍ନରୁ
ଉପରକୁ ଉଠାଉଛନ୍ତି । ଯେଉଁମାନେ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି ସେହିମାନେ ହିଁ ମାଳାର ଦାନା
ହେଉଛନ୍ତି । ପିଲାମାନେ ଜାଣୁଛନ୍ତି ଯେ ଭକ୍ତି କରି କରି ଆମେ ତଳକୁ ଖସି ଆସିଛୁ । ବର୍ତ୍ତମାନ
ବାବା ଆସି ପ୍ରକୃତ ରୋଜଗାର କରାଉଛନ୍ତି । ଲୌକିକ ପିତା ଏତେ ରୋଜଗାର କରାଇପାରିବେ ନାହିଁ ଯେଭଳି
ପାରଲୌକିକ ପିତା କରାଉଛନ୍ତି । ଆଚ୍ଛା - ପିଲାମାନଙ୍କୁ ଗୁଡ୍ ନାଇଟ୍ ଏବଂ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗ୍ୟ
ସେବାଧାରୀ ହେବା ପାଇଁ ବିକାର ଗୁଡିକର ଅଂଶମାତ୍ରକୁ ମଧ୍ୟ ସମାପ୍ତ କରିବାକୁ ହେବ । ସେବା କରିବା
ପାଇଁ ସଦା ସର୍ବଦା ଇଚ୍ଛୁକ ରହିବାକୁ ହେବ ।
(୨) ଆମେ ଈଶ୍ୱରୀୟ
ସନ୍ତାନ ଅଟୁ, ଶ୍ରୀମତ ଆଧାରରେ ଭାରତକୁ ବିଷ୍ଣୁପୁରୀ କରୁଛୁ, ଯେଉଁଠାରେ ସମସ୍ତେ ପକ୍କା ବୈଷ୍ଣବ
ହୋଇଥବେ... ଏହି ନିଶାରେ ରହିବାକୁ ହେବ ।
ବରଦାନ:-
ଦୁଃଖର
ଚ୍ରକାନ୍ତ ଠାରୁ ସର୍ବଦା ମୁକ୍ତ ରହୁଥିବା ଏବଂ ଅନ୍ୟମାନଙ୍କୁ ମୁକ୍ତ ରଖୁଥିବା ସ୍ୱଦର୍ଶନ
ଚକ୍ରଧାରୀ ହୁଅ ।
ଯେଉଁ ପିଲାମାନେ ନିଜର
କର୍ମେନ୍ଦ୍ରିୟ ଗୁଡିକର ଅଧୀନ ହୋଇ କହିଥାଆନ୍ତି ଯେ ଆଜି ମୋତେ ଆଖି ଧୋକା ଦେଇଦେଲା, ଆଜି ମୁଖ
ଧୋକା ଦେଇଦେଲା ବା କୁଦୃଷ୍ଟି ଦ୍ୱାରା ଧୋକା ଖାଇଗଲି, ଏହିଭଳି ଧୋକା ଖାଇବା ଅର୍ଥାତ୍ ଦୁଃଖର
ଅନୁଭୂତି ହେବା । ଦୁନିଆର ଲୋକମାନେ କୁହନ୍ତି - ମୁଁ ତ ଚାହୁଁନଥିଲି କିନ୍ତୁ ଚକ୍ରାନ୍ତରେ ପଡିଗଲି
କିନ୍ତୁ ସ୍ୱଦର୍ଶନ ଚକ୍ରଧାରୀ ପିଲାମାନେ କେବେହେଲେ ଧୋକା ଖାଇବାର ଚକ୍ରାନ୍ତରେ ପଡିପାରିବେ ନାହିଁ
। ସେମାନେ ନିଜେ ଦୁଃଖର ଚକ୍ରାନ୍ତରୁ ମୁକ୍ତ ରହିବା ସହିତ ସମସ୍ତଙ୍କୁ ସେଥିରୁ ମୁକ୍ତ କରୁଥିବା
ମାଲିକ ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇଥାଆନ୍ତି ।
ସ୍ଲୋଗାନ:-
ଅକାଳ ସିଂହାସନର
ଅଧିକାରୀ ହୋଇ ଯଦି ନିଜର ଶ୍ରେଷ୍ଠ ସ୍ୱାଭିମାନରେ ରହିବ ତେବେ କେବେ ହେଲେ ବିଷାଦଗ୍ରସ୍ତ ହେବ ନାହିଁ
।