06.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ୨୧ ଜନ୍ମ ପର୍ଯ୍ୟନ୍ତ ତୁମର ମନକୁ ଏଭଳି ଖୁସି କରିଦେଉଛନ୍ତି ଯାହାକି ତୁମକୁ ମନ ଖୁସି କରିବା ପାଇଁ କୌଣସି ମେଳା ମହୋତ୍ସବ ଆଦିକୁ ଯିବାର ଦରକାର ପଡିବ ନାହିଁ ।

ପ୍ରଶ୍ନ:-
ଯେଉଁ ପିଲାମାନେ ଏବେ ବାବାଙ୍କର ସହଯୋଗୀ ହେଉଛନ୍ତି ସେମାନଙ୍କୁ ବାବା କେଉଁ ଗ୍ୟାରେଣ୍ଟି (ପ୍ରତିଶ୍ରୁତି) ଦେଉଛନ୍ତି ?

ଉତ୍ତର:-
ଶ୍ରୀମତ ଆଧାରରେ ରାଜଧାନୀ ସ୍ଥାପନ କରିବାରେ ସହଯୋଗୀ ହେଉଥିବା ପିଲାମାନଙ୍କୁ ବାବା ଏହି ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନଙ୍କୁ କେବେ ବି କାଳ ଖାଇ ପାରିବ ନାହିଁ । ସତ୍ୟଯୁଗୀ ରାଜଧାନୀରେ କେବେ ବି ଅକାଳମୃତ୍ୟୁ ହୋଇନଥାଏ । ସହଯୋଗୀ ପିଲାମାନଙ୍କୁ ବାବାଙ୍କ ଦ୍ୱାରା ଏଭଳି ପୁରସ୍କାର ମିଳିଯାଉଛି ଯାହାକି ସେମାନେ ୨୧ ପିଢୀ ପର୍ଯ୍ୟନ୍ତ ଅମର ହୋଇଯାଉଛନ୍ତି ।

ଓମ୍ ଶାନ୍ତି ।
ପୂର୍ବ ପ୍ରସ୍ତୁତ ସୃଷ୍ଟି ଚକ୍ର ଅନୁସାରେ କଳ୍ପ ପୂର୍ବ ଭଳି ଶିବ ଭଗବାନୁବାଚ । ଏବେ ତ ସମସ୍ତଙ୍କୁ ନିଜର ପରିଚୟ ମିଳିଯାଇଛି ଏବଂ ବାବାଙ୍କର ମଧ୍ୟ ପରିଚୟ ମିଳିଯାଇଛି । ତୁମେ ବେହଦର ବାବାଙ୍କୁ ଜାଣିଗଲ ଏବଂ ବେହଦ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଗଲ । ପୁରୁଷାର୍ଥର କ୍ରମଅନୁସାରେ କେହି କେହି ବାବାଙ୍କୁ ଭଲ ଭାବରେ ଜାଣୁଛନ୍ତି ପୁଣି ଅନ୍ୟମାନଙ୍କୁ ବୁଝାଇ ମଧ୍ୟ ପାରୁଛନ୍ତି । କେହି କେହି ଅଧା ଜାଣୁଛନ୍ତି ତ ଆଉ କେହି କେହି କମ୍ ଜାଣୁଛନ୍ତି । ଯେମିତି ଲଢେଇରେ କେହି ମୁଖ୍ୟ କମାଣ୍ଡର, କେହି କ୍ୟାପଟେନ୍ ହୋଇଥାନ୍ତି ତ ଆଉ କେହି ପୁଣି ଆଉ କଣ ହୋଇଥାନ୍ତି । ସେମିତି ସତ୍ୟଯୁଗୀ ରାଜଧାନୀର ମାଳାରେ ମଧ୍ୟ କେହି ସାହୁକାର ପ୍ରଜା, କେହି ଗରୀବ ପ୍ରଜା ଏହିଭଳି କ୍ରମାନୁସାରେ ଥାନ୍ତି । ପିଲାମାନେ ଜାଣିଛନ୍ତି ବାସ୍ତବରେ ଆମେ ନିଜେ ଶ୍ରୀମତ ଅନୁସାରେ ଏହି ସୃଷ୍ଟିରେ ଶ୍ରେଷ୍ଠ ରାଜଧାନୀ ସ୍ଥାପନ କରୁଛୁ । ତେଣୁ ଯିଏ ଯେତେ ମେହନତ କରୁଛନ୍ତି ବାବାଙ୍କଠାରୁ ସେତେ ପୁରସ୍କାର ପାଉଛନ୍ତି । ତୁମମାନଙ୍କୁ ମଧ୍ୟ ପୁରସ୍କାର ମିଳୁଛି । ତେବେ ତୁମକୁ ଯେଉଁ ପୁରସ୍କାର ମିଳୁଛି ତାହା ସେମାନଙ୍କୁ ମିଳିପାରିବ ନାହିଁ । ସେମାନଙ୍କୁ ପ୍ରତ୍ୟେକ ଜିନିଷ ଅଳ୍ପକାଳ ପାଇଁ ମିଳୁଛି । ତୁମେ ବାବାଙ୍କର ଶ୍ରୀମତ ଅନୁସାରେ ନିଜର ରାଜଧାନୀ ସ୍ଥାପନ କରୁଛ । ଯାହାକି ୨୧ ଜନ୍ମ, ୨୧ ପିଢୀ ପର୍ଯ୍ୟନ୍ତ ଗ୍ୟାରେଣ୍ଟି ରହିଛି । ସେଠାରେ ବାଲ୍ୟାବସ୍ଥାରେ କିମ୍ବା ଯୁବାବସ୍ଥାରେ କାଳ ଖାଏ ନାହିଁ । ଏହା ମଧ୍ୟ ଜାଣିଛ ଯେ ନା ମନରେ ନା ଚିତ୍ତରେ ଥିଲା, ତୁମେ ଏଭଳି ସ୍ଥାନରେ ଆସି ବସିଛ, ଯେଉଁଠାରେ ତୁମର ସ୍ମାରକୀ ମଧ୍ୟ ରହିଛି, ଯେଉଁଠାରେ ତୁମେ ୫ ହଜାର ପୂର୍ବରୁ ମଧ୍ୟ ଈଶ୍ୱରୀୟ ସେବା କରିଥିଲ । ଯେଉଁଠାରେ ଦିଲୱାଡା ମନ୍ଦିର, ଅଚଳଘର, ଗୁରୁ ଶିଖର ଏସବୁ ସ୍କାରକୀ ସ୍ଥାନ ରହିଛି । ତୁମକୁ ଉଚ୍ଚରୁ ଉଚ୍ଚ ସତଗୁରୁ ମଧ୍ୟ ମିଳିଛନ୍ତି ଯାହାଙ୍କର ସ୍ମାରକୀ ତିଆରି ହୋଇଛି । ଅଚଲ ଘରର ରହସ୍ୟ ମଧ୍ୟ ତୁମେ ବୁଝିଗଲଣି । ତାହା ହେଲା ଘରର ମହିମା । ତୁମେ ନିଜର ପୁରୁଷାର୍ଥ ଅନୁସାରେ ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରୁଛ । ତୁମର ଏହି ଜଡ ଚିତ୍ର ଯାହାକି ସ୍ମାରକୀ ରୂପରେ ତିଆରି ହୋଇଛି ତାହା ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ । ଏବେ ତୁମେ ସେଠାରେ ଚୈତନ୍ୟରେ ବସିଛ । ଏସବୁ ହେଉଛି ତୁମର ଆତ୍ମିକ ଧନ୍ଦା, ଯାହାକି କଳ୍ପ ପୂର୍ବରୁ ମଧ୍ୟ ଚାଲିଥିଲା । ସେଠାକାର ସମ୍ପୂର୍ଣ୍ଣ ସ୍ମାରକୀ ଏଠାରେ ତିଆରି ହୋଇଛି । ବହୁତ ସୁନ୍ଦର ସୁନ୍ଦର ସ୍ମାରକୀ ତିଆରି ହୋଇଛି । ଯେପରି କେହି ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କ ମନରେ କେତେ ଖୁସି, କେତେ ଚମକ ଆସିଯାଏ । ସେମାନେ ଆସବାବ ପତ୍ର, ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ମଧ୍ୟ କେତେ ଭଲ ଭଲ ରଖିଥାନ୍ତି । ତେବେ ତୁମେମାନେ ତ ବିଶ୍ୱର ମାଲିକ ହେଉଛ । ତୁମ ସହିତ କେହି ତୁଳନା କରିପାରିବେ ନାହିଁ । ଏହା ବିଦ୍ୟାଳୟ ମଧ୍ୟ ଅଟେ । ତୁମେ ତୁମର ଶିକ୍ଷକଙ୍କୁ ମଧ୍ୟ ଜାଣିଗଲଣି । ଭଗବାନୁବାଚ, ଭକ୍ତିମାର୍ଗରେ ଯାହାଙ୍କୁ ମନେ ପକାଉଛ, ପୂଜା କରୁଛ, ତାଙ୍କ ବିଷୟରେ ତୁମକୁ କିଛି ବି ଜଣାନଥିଲା । ବାବା ହିଁ ତୁମ ସମ୍ମୁଖକୁ ଆସି ସବୁ ରହସ୍ୟ ବୁଝାଉଛନ୍ତି କାରଣ ଏହି ସ୍ମାରକୀଗୁଡିକ ସବୁ ତୁମ ପରବର୍ତ୍ତୀ ସମୟର ଅଟେ । ଏବେ ତ ଫଳାଫଳ ବାହାରି ନାହିଁ । ଯେତେବେଳେ ତୁମର ଅବସ୍ଥା ସମ୍ପୂର୍ଣ୍ଣ ହୋଇଯାଉଛି, ତାର ପୁଣି ଭକ୍ତିମାର୍ଗରେ ସ୍ମାରକୀ ତିଆରି ହେଉଛି । ଯେମିତି ରକ୍ଷାବନ୍ଧନର ଉତ୍ସବ ପାଳନ ହେଉଛି । ଯେତେବେଳେ ଆମେ ସମ୍ପୂର୍ଣ୍ଣ ଭାବରେ ପବିତ୍ରତାର ରାକ୍ଷୀ ବାନ୍ଧୁଛୁ ସେତେବେଳେ ନିଜର ରାଜ୍ୟ ଭାଗ୍ୟ ନେଉଛୁ, ତାପରେ ଆଉ କୌଣସି ଉତ୍ସବ ପାଳନ କରୁନାହୁଁ । ବର୍ତ୍ତମାନ ମୁଁ ତୁମକୁ ସବୁ ମନ୍ତ୍ରର ଅର୍ଥ ବୁଝାଇ ଦେଇଛି । ଓମର ଅର୍ଥ ମଧ୍ୟ ବୁଝାଇ ଦେଇଛି । ଓମର କୌଣସି ଲମ୍ବା ଅର୍ଥ ନାହିଁ । ଓମର ଅର୍ଥ ହେଉଛି ମୁଁ ଆତ୍ମା, ଏହା ମୋର ଶରୀର । ଅଜ୍ଞାନ କାଳରେ ତୁମେ ଦେହ-ଅଭିମାନରେ ରହୁଛ ସେଥିପାଇଁ ନିଜକୁ ଶରୀର ମନେ କରୁଛ । ଦିନକୁ ଦିନ ଭକ୍ତିମାର୍ଗ ତଳକୁ ଖସି ଖସି ଯାଉଛି, ତମୋପ୍ରଧାନ ହୋଇ ଚାଲିଛି । ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତୋପ୍ରଧାନ ହୋଇଥାଏ । ଭକ୍ତି ମଧ୍ୟ ପ୍ରଥମେ ସତ୍ତୋପ୍ରଧାନ ଥିଲା, ଏକମାତ୍ର ସତ୍ୟ ଶିବବାବାଙ୍କୁ ମନେ ପକାଉଥିଲେ ଏବଂ ସେତେବେଳେ ଲୋକସଂଖ୍ୟା ମଧ୍ୟ ବହୁତ କମ ଥିଲା । ଦିନକୁ ଦିନ ଲୋକସଂଖ୍ୟା ବଢିବାରେ ଲାଗିଛି । ବିଦେଶରେ ଅଧିକ ଛୁଆ ଜନ୍ମ କରିଲେ ତାଙ୍କୁ ପୁରସ୍କାର ଦିଆଯାଏ । ସେଥିପାଇଁ ବାବା କହୁଛନ୍ତି କାମ ବିକାର ହେଉଛି ମହାଶତ୍ରୁ, ସୃଷ୍ଟିର ବହୁତ ବୃଦ୍ଧି ହୋଇଗଲାଣି, ଏବେ ପବିତ୍ର ହୁଅ ।

ତୁମେ ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ବାବାଙ୍କ ଦ୍ୱାରା ଜାଣିଗଲଣି । ସତ୍ୟଯୁଗରେ ଭକ୍ତିର କୌଣସି ଚିହ୍ନ ବର୍ଣ୍ଣ ନଥାଏ । ଏବେ ଦେଖ କେତେ ଧୁମଧାମରେ ମେଳା-ମହୋତ୍ସବ ଇତ୍ୟାଦି କରୁଛନ୍ତି, ସେଠାକୁ ମନୁଷ୍ୟ ଯାଇ ମନ ଖୁସି କରୁଛି । ତୁମମାନଙ୍କୁ ତ ବାବା ଆସି ୨୧ ଜନ୍ମ ପାଇଁ ଖୁସି କରାଉଛନ୍ତି । ଯାହା ଦ୍ୱାରା ତୁମେ ସଦାକାଳ ପାଇଁ ଖୁସିରେ ରହୁଛ । ସତ୍ୟଯୁଗରେ ତୁମକୁ କେବେ ମେଳା ଆଦିକୁ ଯିବାର ବିଚାର ମଧ୍ୟ ଆସିବ ନାହିଁ । ମନୁଷ୍ୟମାନେ ଯେଉଁ ସ୍ଥାନକୁ ବି ଭ୍ରମଣ କରିବାକୁ ଯାଇଥାନ୍ତି କେବଳ ସୁଖ ପାଇବା ପାଇଁ ଯାଆନ୍ତି । କିନ୍ତୁ ତୁମକୁ କୌଣସି ପାହାଡ ଉପରକୁ ଯିବାର ଆବଶ୍ୟକତା ନାହିଁ । ଏଠାରେ ଦେଖ ମନୁଷ୍ୟ କିପରି ମୃତ୍ୟୁମୁଖରେ ପଡୁଛନ୍ତି ଯାଇଥାନ୍ତି । ମନୁଷ୍ୟ ତ ସତ୍ୟଯୁଗ-କଳିଯୁଗ, ସ୍ୱର୍ଗ ଏବଂ ନର୍କକୁ ମଧ୍ୟ ଜାଣିନାହାଁନ୍ତି । ତୁମମାନଙ୍କୁ ତ ଏସବୁର ସମ୍ପୂର୍ଣ୍ଣ ଜ୍ଞାନ ମିଳିଛି । ବାବା ତୁମକୁ ଏପରି କହୁନାହାଁନ୍ତି ଯେ ତୁମେମାନେ ମୋ ସାଥୀରେ ରହିବ । ତୁମକୁ ନିଜର ଘର ସଂସାରର ଦାୟିତ୍ୱ ମଧ୍ୟ ତୁଲାଇବାକୁ ହେବ । ପିଲାମାନେ ସେତେବେଳେ ଅଲଗା ହେଉଛନ୍ତି ଯେତେବେଳେ କିଛି ନା କିଛି ଗଣ୍ଡଗୋଳ ହେଉଛି । ତଥାପି ମଧ୍ୟ ତୁମେ ବାବାଙ୍କ ସାଥୀରେ ରହିପାରିବ ନାହିଁ । ସମସ୍ତେ ତ ସତ୍ତୋପ୍ରଧାନ ହୋଇପାରିବେ ନାହିଁ । କେହି ସତ୍ତୋ, କେହି ରଜୋ, କେହି ତମୋ ଅବସ୍ଥାରେ ମଧ୍ୟ ଅଛନ୍ତି । ସମସ୍ତେ ଏକାଠି ରହିପାରିବେ ନାହିଁ । ଏବେ ସତ୍ୟଯୁଗୀ ରାଜଧାନୀ ସ୍ଥାପନ ହେଉଛି । ତେଣୁ ଯିଏ ଯେତେ-ଯେତେ ବାବାଙ୍କୁ ମନେ ପକାଇବେ, ସେହି ଅନୁସାରେ ରାଜଧାନୀରେ ପଦ ପ୍ରାପ୍ତ କରିବେ । ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା । ବାବା ଆସି ନିଜେ ଆମମାନଙ୍କୁ ଯୋଗାଭ୍ୟାସ କରାଉଛନ୍ତି । ଏହା ହେଉଛି ସମ୍ପୂର୍ଣ୍ଣ ନିରବତାରେ ରହିବାର ଡ୍ରିଲ୍ । ତୁମେମାନେ ଏଠାରେ ଯାହା କିଛି ଦେଖୁଛ, ସେସବୁକୁ ଦେଖି ମଧ୍ୟ ଦେଖ ନାହିଁ । ତୁମକୁ ଦେହ ସହିତ ସବୁ କିଛି ତ୍ୟାଗ କରିବାକୁ ହେବ । ତୁମେ ଏବେ କଣ ଦେଖୁଛ ? ପ୍ରଥମେ ତ ନିଜ ଘରକୁ ଦେଖୁଛ ଏବଂ ଦ୍ୱିତୀୟରେ ତୁମେ ପାଠପଢା ଅନୁସାରେ ଯେଉଁ ସତ୍ୟଯୁଗୀ ରାଜଭାଗ୍ୟର ପଦ ପ୍ରାପ୍ତ କରୁଛ, ତାକୁ ମଧ୍ୟ ଦେଖୁଛ । ତେବେ ଯେତେବେଳେ ସତ୍ୟଯୁଗ ହେଉଛି ସେତେବେଳେ ତ୍ରେତାଯୁଗ ନଥାଏ, ଯେତେବେଳେ ତ୍ରେତାଯୁଗ ଥାଏ ସେତେବେଳେ ଦ୍ୱାପରଯୁଗ ନଥାଏ ଏବଂ ଯେତେବେଳେ ଦ୍ୱାପରଯୁଗ ଚାଲିଥାଏ ସେତେବେଳେ କଳିଯୁଗ ନଥାଏ । କିନ୍ତୁ ଏବେ କଳିଯୁଗ ସହିତ ସଂଗମଯୁଗ ମଧ୍ୟ ଚାଲିଛି । ଯଦିଓ ତୁମେ ପୁରୁଣା ଦୁନିଆରେ ଅଛ କିନ୍ତୁ ବୁଦ୍ଧିରେ ଜାଣୁଛ ଯେ ଆମେ ସଂଗମଯୁଗୀ ଅଟୁ । ସଂଗମଯୁଗ କାହାକୁ କୁହାଯାଏ ଏହା ମଧ୍ୟ ତୁମେ ଜାଣିଛ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ପୁରୁଷୋତ୍ତମ ବର୍ଷ, ପୁରୁଷୋତ୍ତମ ମାସ ଏବଂ ପୁରୁଷୋତ୍ତମ ଦିନ ହୋଇଥାଏ । ପୁରୁଷୋତ୍ତମ ହେବାର ସମୟ ମଧ୍ୟ ଏହି ପୁରୁଷୋତ୍ତମ ଯୁଗ ହିଁ ଅଟେ । ଏହା ବହୁତ ଛୋଟ ଏବଂ ଗୁପ୍ତଯୁଗ ଅଟେ । ତୁମେମାନେ ବାଜୋଲି ଖେଳୁଛ, ଯାହା ଦ୍ୱାରା ତୁମେ ସ୍ୱର୍ଗକୁ ଯାଉଛ । ବ୍ରହ୍ମାବାବା ଦେଖିଛନ୍ତି କିପରି ସାଧୁମାନେ ଅଥବା କେହି କେହି ବାଜୋଲି ଖେଳି ଖେଳି ତୀର୍ଥ ଯାତ୍ରାକୁ ଯାଇଥାନ୍ତି । ବହୁତ କଷ୍ଟ କରି ଯାଇଛନ୍ତି । କିନ୍ତୁ ଏଥିରେ କୌଣସି କଠିନ ପରିଶ୍ରମ କରିବାର ନାହିଁ । ଏହା ହେଉଛି ଯୋଗବଳର କଥା । କଣ ତୁମମାନଙ୍କୁ ଯୋଗର ଯାତ୍ରା କଠିନ ଲାଗୁଛି କି ? ନାମ ତ ବହୁତ ସହଜ ରଖାଯାଇଛି, ଯେପରି ଏହାର ନାମ ଶୁଣି ଡରି ନ ଯିବ । କେତେକ ପିଲା କହୁଛନ୍ତି ବାବା ମୁଁ ଯୋଗରେ ରହିପାରୁ ନାହିଁ । ତେଣୁ ବାବା ଏହାକୁ ହାଲୁକା କରିଦେଉଛନ୍ତି । କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ମନେ ତ ପକାଯାଇଥାଏ ନା । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ତୁମେମାନେ ସନ୍ତାନ ଅଟ ନା । ବାବା ତୁମର ପିତା ମଧ୍ୟ ଅଟନ୍ତି ତ ପ୍ରେମିକ ମଧ୍ୟ ଅଟନ୍ତି । ସବୁ ପ୍ରେମିକା ତାଙ୍କୁ ମନେ ପକାଉଛନ୍ତି, ତେବେ ମନେ ପକାଇବା ପାଇଁ ବାବା ଶବ୍ଦ ହିଁ ଯଥେଷ୍ଟ । ଭକ୍ତିମାର୍ଗରେ ତୁମେ ମିତ୍ର ସମ୍ବନ୍ଧୀମାନଙ୍କୁ ମନେ ପକାଉଥିଲେ ମଧ୍ୟ ହେ ପ୍ରଭୁ, ହେ ଈଶ୍ୱର ନିଶ୍ଚିତ କହୁଥିଲ କେବଳ ଏତିକି ଜାଣିନଥିଲ ଯେ ତାଙ୍କର ରୂପ କିପରି । ଆତ୍ମାମାନଙ୍କର ପିତା ତ ପରମାତ୍ମା ଅଟନ୍ତି । ଏହି ଶରୀରର ପିତା ଦେହଧାରୀ ଅଟନ୍ତି । କିନ୍ତୁ ଆତ୍ମାମାନଙ୍କର ପିତା ଅଶରୀରୀ ଅଟନ୍ତି । ସିଏ କେବେ ପୁନର୍ଜନ୍ମରେ ଆସନ୍ତି ନାହିଁ । ଅନ୍ୟ ସମସ୍ତେ ପୁନର୍ଜନ୍ମରେ ଆସୁଛନ୍ତି, ସେଥିପାଇଁ ବାବାଙ୍କୁ ମନେ ପକାଉଛନ୍ତି । ତେବେ ନିଶ୍ଚିତ ସିଏ କେବେ ସୁଖ ଦେଇଥିବେ । ତାଙ୍କୁ ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ବୋଲି କୁହାଯାଏ, କିନ୍ତୁ ତାଙ୍କର ନାମ, ରୂପ, ଦେଶ, କାଳକୁ କେହି ବି ଜାଣିନାହାଁନ୍ତି । ତେଣୁ କଥାରେ ଅଛି ଯେତେ ମନୁଷ୍ୟ ସେତେ କଥା । ଏବେ ଅନେକ ମତ ହୋଇଯାଇଛି ।

ବାବା କେତେ ସ୍ନେହର ସହିତ ରାଜଯୋଗର ପାଠ ପଢାଉଛନ୍ତି । ସିଏ ହେଉଛନ୍ତି ଈଶ୍ୱର ଶାନ୍ତିଦାତା । ତାଙ୍କଠାରୁ କେତେ ସୁଖ ମିଳୁଛି । ସିଏ କେବଳ ଗୀତା ଶୁଣାଇ ପତିତମାନଙ୍କୁ ପବିତ୍ର କରିଦେଉଛନ୍ତି । ପ୍ରବୃତ୍ତିମାର୍ଗର ମଧ୍ୟ ଆବଶ୍ୟକତା ରହିଛି ନା । କିନ୍ତୁ ମନୁଷ୍ୟମାନେ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି, ତେବେ ତ ଅସଂଖ୍ୟ ମନୁଷ୍ୟ ହୋଇଯିବେ । ଏହା କେତେ ଭୁଲ୍ କରିଦେଇଛନ୍ତି । ଏହି ଜ୍ଞାନ ତୁମକୁ ଏବେ ମିଳୁଛି ପୁଣି ଏହା ପ୍ରାୟ ଲୋପ ହୋଇଯାଉଛି । ଚିତ୍ର ତ ବହୁତ ଅଛି, ଯାହାଙ୍କର ପୂଜା ହେଉଛି । କିନ୍ତୁ ନିଜକୁ ଦେବତା ଧର୍ମର ବୋଲି ଜାଣିପାରୁ ନାହାଁନ୍ତି । ଯିଏ ଯାହାଙ୍କର ପୂଜା କରୁଛନ୍ତି, ତେବେ ସେମାନେ ସେହି ଧର୍ମର ହେଲେ ନା । ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର, ଏକଥା ସେମାନେ ଜାଣିପାରୁ ନାହାଁନ୍ତି । ସେମାନଙ୍କର ବଂଶାବଳୀ ଚାଲୁଛି ନା । ଏକଥା ବାବା ହିଁ ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ପୂର୍ବରୁ ପବିତ୍ର ଥିଲ, ପୁଣି ତମୋପ୍ରଧାନ ହୋଇଗଲ, ଏବେ ପୁଣି ତୁମକୁ ପବିତ୍ର ସତ୍ତୋପ୍ରଧାନ ହେବାକୁ ପଡିବ । ତେବେ କଣ ଗଙ୍ଗସ୍ନାନ କରିବା ଦ୍ୱାରା ଏଭଳି ହୋଇଯିବ କି ? ପତିତ-ପାବନ ତ ବାବା ହିଁ ଅଟନ୍ତି । ସିଏ ଯେତେବେଳେ ଆସି ରାସ୍ତା ଦେଖାଇବେ ସେତେବେଳେ ଯାଇ ପବିତ୍ର ହୋଇପାରିବ । ସମସ୍ତେ ତାଙ୍କୁ ଚିତ୍କାର କରି ଡାକୁଛନ୍ତି କିନ୍ତୁ କିଛି ବି ଜାଣିନାହାଁନ୍ତି । ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛି ହେ ପତିତ-ପାବନ ବାବା ଆସ ଆମକୁ ପବିତ୍ର କର । ବର୍ତ୍ତମାନ ସମସ୍ତେ ପତିତ, କାମ ବିକାର ରୂପୀ ଅଗ୍ନିରେ ଜଳି ଚାଲିଛନ୍ତି । ତେବେ ଏହି ଖେଳ ହିଁ ଏହିଭଳି ତିଆରି ହୋଇଛି । ପୁଣି ବାବା ଆସି ସମସ୍ତଙ୍କୁ ପବିତ୍ର କରିଦେଉଛନ୍ତି । ବାବା ଏହି ସଂଗମଯୁଗରେ ହିଁ ଆସି ବୁଝାଉଛନ୍ତି । ସତ୍ୟଯୁଗରେ ଗୋଟିଏ ଧର୍ମ ହୁଏ, ବାକି ସମସ୍ତେ ଘରକୁ ଚାଲିଯାଆନ୍ତି । ତୁମେ ଏବେ ଡ୍ରାମାକୁ ଭଲ ଭାବରେ ବୁଝିଗଲଣି, ଯାହାକୁ ଅନ୍ୟ କେହି ବି ଜାଣିନାହାଁନ୍ତି । ଏହି ରଚନାର ଆଦି-ମଧ୍ୟ-ଅନ୍ତ କଣ, ଏହାର ଅବଧି କେତେ, ଏକଥା ତୁମେମାନେ ହିଁ ଜାଣିଛ । ଦୁନିଆରେ ସମସ୍ତେ ଶୁଦ୍ର ଅଟନ୍ତି, ତୁମେମାନେ ବ୍ରାହ୍ମଣ ଅଟ । ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଡ୍ରାମାର ରହସ୍ୟକୁ ଜାଣୁଛ । ଯଦି କେହି ପାଠପଢାରେ ଅବହେଳା କରୁଛନ୍ତି ତେବେ ତାଙ୍କ ଚାଲିଚଳନରୁ ଜଣାପଡିଯାଏ ଯେ ଇଏ ପାଠକୁ କମ ପଢିଛନ୍ତି ଅର୍ଥାତ୍ ଧାରଣା କମ କରିଛନ୍ତି । ଚରିତ୍ରର ରେଜିଷ୍ଟର ରଖାଯାଇଥାଏ ନା । ଏଠାରେ ମଧ୍ୟ ରେଜିଷ୍ଟର ରଖିବା ଦରକାର । ଏହା ହେଉଛି ଯୋଗର ଯାତ୍ରା, ଯାହା ବିଷୟରେ କାହାକୁ ଜଣାନାହିଁ । ସବୁଠାରୁ ମୁଖ୍ୟ ବିଷୟ ବସ୍ତୁ ହେଉଛି ଯୋଗର ଯାତ୍ରା । ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମା ମୁଖ ଦ୍ୱାରା କହୁଛି ମୁଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି । ଏସବୁ କଥା ଏହି ବ୍ରହ୍ମାବାବା ବୁଝାଉ ନାହାଁନ୍ତି । କିନ୍ତୁ ଜ୍ଞାନ ସାଗର ପରମପିତା ପରମାତ୍ମା ଏହି ରଥରେ ବସି ଶୁଣାଉଛନ୍ତି । ୟାଙ୍କୁ ଗଉମୁଖ ମଧ୍ୟ କୁହାଯାଏ । ମନ୍ଦିର ମଧ୍ୟ ଏଠାରୁ ତିଆରି ହୋଇଛି, ଯେଉଁଠାରେ କି ତୁମେମାନେ ବସିଛ । ଯେମିତି ତୁମର ସିଢୀ ରହିଛି, ସେହିଭଳି ସେଠାରେ ମଧ୍ୟ ସିଢି ରହିଛି । ତୁମକୁ ଚଢିବାରେ କୌଣସି କ୍ଲାନ୍ତ ଅନୁଭବ ହୁଏ ନାହିଁ ।

ତୁମେ ଏଠାକୁ ବାବାଙ୍କ ନିକଟରେ ପାଠପଢି ସତେଜ ହେବା ପାଇଁ ଆସିଛ । ଦୁନିଆରେ ବହୁତ ଗୋରଖଧନ୍ଦା ରହୁଛି । ତେଣୁ ଶାନ୍ତିରେ ଶୁଣି ମଧ୍ୟ ପାରିବେ ନାହିଁ । ସଂକଳ୍ପ ମଧ୍ୟ ଚାଲୁଥିବ କେହି ଦେଖି ନ ଦିଅନ୍ତୁ, ଜଲଦି ଘରକୁ ଚାଲିଯାଏ । ସେଠାରେ କେତେ ଚିନ୍ତା ରହିଥାଏ । କିନ୍ତୁ ଏଠାରେ କିଛି ଚିନ୍ତା ନାହିଁ, ଯେମିତି ଛାତ୍ରବାସରେ ରହିଥାନ୍ତି । ଏଠାରେ ଏହା ହେଉଛି ଈଶ୍ୱରୀୟ ପରିବାର । ଶାନ୍ତିଧାମରେ ସମସ୍ତେ ଭାଇ-ଭାଇ ହୋଇ ରହିଥାନ୍ତି । କିନ୍ତୁ ଏଠାରେ ଭାଇ-ଭଉଣୀ କାହିଁକି ନା ଏଠାରେ ଅଭିନୟ କରିବାକୁ ପଡୁଛି । ସତ୍ୟଯୁଗରେ ମଧ୍ୟ ତୁମେମାନେ ପରସ୍ପର ଭାଇ-ଭଉଣୀ ଥିଲ । ତାକୁ ଅଦ୍ୱେତ ରାଜଧାନୀ କୁହାଯାଉଥିଲା । ସେଠାରେ ଲଢେଇ ଝଗଡା ଆଦି କିଛି ବି ହୁଏ ନାହିଁ । ତୁମ ପିଲାମାନଙ୍କୁ ହିଁ ପୂରା ୮୪ ଜନ୍ମର ଜ୍ଞାନ ମିଳୁଛି । ଯେଉଁମାନେ ଅଧିକ ଭକ୍ତି କରିଛନ୍ତି, ତାଙ୍କର ହିସାବ ମଧ୍ୟ ବାବା ବୁଝାଇଛନ୍ତି । ତୁମେମାନେ ହିଁ ପ୍ରଥମେ ଶିବଙ୍କର ଅବ୍ୟାଭିଚାରୀ ଭକ୍ତି କରିବା ଆରମ୍ଭ କରୁଛ । ପୁଣି ଧୀରେ ଧୀରେ ବୃଦ୍ଧି ହୋଇ ଚାଲୁଛି । ସେସବୁ ହେଉଛି ଭକ୍ତି । ଜ୍ଞାନ ତ ଗୋଟିଏ । ତୁମେ ଜାଣିଛ ଆମକୁ ଶିବବାବା ପଢାଉଛନ୍ତି । ଏହି ବ୍ରହ୍ମା ତ କିଛି ଜାଣିନଥିଲେ । ଯିଏ ଆଦିପିତା (ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର) ଥିଲେ ସିଏ ବର୍ତ୍ତମାନ ସମୟରେ ବ୍ରହ୍ମା ହୋଇଛନ୍ତି ପୁଣି ଭବିଷ୍ୟତରେ ମାଲିକ ହେଉଛନ୍ତି, ତତତ୍ତ୍ୱମ୍ । ସେଠାରେ କେବଳ ଜଣେ ହିଁ ତ ମାଲିକ ହେବେ ନାହିଁ ନା । ତୁମେମାନେ ମଧ୍ୟ ପୁରୁଷାର୍ଥ କରୁଛ । ଏହା ହେଉଛି ବେହଦର ସ୍କୁଲ୍ । ଏହାର ଅନେକ ଶାଖା ପ୍ରଶାଖା ସବୁ ରହିଛି । ସମୟ ଆସିବ ସବୁ ଗଳି କନ୍ଦି ଘରେ ଘରେ ସେବାକେନ୍ଦ୍ର ଖୋଲିଯିବ । କେତେକ କହୁଛନ୍ତି ମୁଁ ନିଜ ଘରେ ଚିତ୍ର ରଖିଛି, ମିତ୍ର ସମ୍ବନ୍ଧୀମାନେ ଯେତେବେଳେ ଆସୁଛନ୍ତି ସେମାନଙ୍କୁ ବୁଝାଉଛି । ତେଣୁ ଯିଏ ଏହି ବୃକ୍ଷର ପତ୍ର ହୋଇଥିବେ (ଏହି ଈଶ୍ୱରୀୟ କୁଳର ହୋଇଥିବେ) ସିଏ ଆସିଯିବେ । ତୁମେ ସେମାନଙ୍କ କଲ୍ୟାଣ ନିମନ୍ତେ କରୁଛ । ଚିତ୍ର ଗୁଡିକ ଉପରେ ବୁଝାଇବା ସହଜ ଲାଗିବ । ଶାସ୍ତ୍ର ଆଦି ତ ଅନେକ ପଢିଛ, ଏବେ ସେସବୁକୁ ଭୁଲିବାକୁ ହେବ । ବାବା ଆମକୁ ପଢାଉଛନ୍ତି, ସିଏ ହିଁ ସତ୍ୟ ଜ୍ଞାନ ଶୁଣାଇଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଗହନ ଶାନ୍ତିର ଅନୁଭୂତି କରିବାକୁ ହେଲେ ଏଠାରେ ଯାହା କିଛି ଏହି ଆଖି ଦ୍ୱାରା ଦେଖାଯାଉଛି, ସେସବୁକୁ ଦେଖିବାର ନାହିଁ । ଦେହ ସହିତ ବୁଦ୍ଧି ଦ୍ୱାରା ସବୁ କିଛି ତ୍ୟାଗ କରି ନିଜ ଘର ଏବଂ ରାଜ୍ୟର ସ୍ମୃତିରେ ରହିବାକୁ ହେବ ।

(୨) ନିଜ ଚରିତ୍ରର ରେଜିଷ୍ଟର (ଚାର୍ଟ) ରଖିବାକୁ ହେବ । ପାଠ ପଢାରେ କୌଣସି ଅବହେଳା କରିବାର ନାହିଁ, ଏହି ପୁରୁଷୋତ୍ତମ ସଂଗମଯୁଗରେ ନିଜେ ପୁରୁଷୋତ୍ତମ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।


ବରଦାନ:-
ବାବାଙ୍କର ଆଜ୍ଞା ଅନୁସାରେ ବୁଦ୍ଧିକୁ ଖାଲି ରଖୁଥିବା ବ୍ୟର୍ଥ ବା ବିକାରୀ ସ୍ୱପ୍ନଠାରୁ ମଧ୍ୟ ମୁକ୍ତ ହୁଅ ।

ବାବାଙ୍କର ଆଜ୍ଞା ହେଲା ଶୋଇବା ସମୟରେ ସର୍ବଦା ନିଜର ବୁଦ୍ଧିକୁ ପରିଷ୍କାର କର, ଚାହେଁ ଭଲ ଆଉ ମନ୍ଦ ଥାଉ ସବୁ କିଛି ବାବାଙ୍କୁ ଅର୍ପଣ କରି ନିଜର ବୁଦ୍ଧିକୁ ଖାଲି କର । ବାବାଙ୍କୁ ଜିମା ଦେଇ ବାବାଙ୍କ ସାଥୀରେ ଶୋଇଯାଅ । ଏକୁଟିଆ ଶୁଅ ନାହିଁ । ଏକୁଟିଆ ଶୋଉଛ ବା ବ୍ୟର୍ଥ କଥାର ଚିନ୍ତନ କରି କରି ଶୋଉଛ ତେଣୁ ବିକାରୀ ସ୍ପପ୍ନ ଆସୁଛି । ଏହା ମଧ୍ୟ ଅବହେଳା ପଣିଆ । ତେଣୁ ଏହିଭଳି ଅବହେଳା ପଣିଆକୁ ଛାଡି ଆଜ୍ଞା ଅନୁସାରେ ଚାଲ ତେବେ ବ୍ୟର୍ଥ ବା ବିକାରୀ ସ୍ପପ୍ନଠାରୁ ମୁକ୍ତ ହୋଇଯିବ ।

ସ୍ଲୋଗାନ:-
ଭାଗ୍ୟଶାଳୀ ଆତ୍ମାମାନେ ହିଁ ପ୍ରକୃତ ସେବା ଦ୍ୱାରା ସମସ୍ତଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।