06.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଯେପରି ଭବିଷ୍ୟତ ୨୧ ଜନ୍ମ ପାଇଁ ସୁଖ ଦେଉଛନ୍ତି ସେହିପରି ତୁମେମାନେ ମଧ୍ୟ ବାବାଙ୍କର ସହଯୋଗୀ ହୁଅ, ପ୍ରୀତ-ବୁଦ୍ଧି ହୁଅ, କାହାକୁ ଦୁଃଖ ଦେବାର ବିଚାର କେବେ ବି ନ ଆସୁ ।

ପ୍ରଶ୍ନ:-
ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ସନ୍ତାନମାନଙ୍କର କର୍ତ୍ତବ୍ୟ କଣ ? ତୁମକୁ ବାବାଙ୍କର କେଉଁ ଶିକ୍ଷା ମିଳିଛି ?

ଉତ୍ତର:-
ତୁମେ ରୂପ-ବସନ୍ତ ସନ୍ତାନମାନଙ୍କର କର୍ତ୍ତବ୍ୟ ହେଲା ମୁଖରୁ ସର୍ବଦା ରତ୍ନ ବାହାର କରିବା, ତୁମ ମୁଖରୁ କେବେହେଲେ ପଥର ବାହାରିବା ଉଚିତ୍ ନୁହେଁ । ସମସ୍ତ ସନ୍ତାନମାନଙ୍କ ପ୍ରତି ବାବାଙ୍କର ଶିକ୍ଷା ହେଉଛି ସନ୍ତାନମାନେ (୧) ପରସ୍ପର ମଧ୍ୟରେ କେବେ ହେଲେ କେହି କାହାକୁ ବିରକ୍ତି ହେବ ନାହିଁ, କ୍ରୋଧ କରିବ ନାହିଁ, ଏସବୁ ଆସୁରୀ ମନୁଷ୍ୟମାନଙ୍କର କାମ । (୨) ମନରେ ମଧ୍ୟ କାହାକୁ ଦୁଃଖ ଦେବାର ବିଚାର ନ ଆସୁ । (୩) ନିନ୍ଦା-ସ୍ତୁତି, ମାନ-ଅପମାନ ସବୁ କିଛି ସହନ କରିବାକୁ ହେବ । ଯଦି କେହି କିଛି କହିଦେଉଛି ତେବେ ଶାନ୍ତ ରହିବାକୁ ହେବ । ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ଅର୍ଥାତ୍ କାହାରିକୁ ଦଣ୍ଡ ଦେବାର ନାହିଁ ।

ଗୀତ:-
ତୁ ପ୍ୟାର କା ସାଗର ହୈ...

ଓମ୍ ଶାନ୍ତି ।
ଜ୍ଞାନ ଏବଂ ଅଜ୍ଞାନ । ଭକ୍ତମାନେ କାହାର ମହିମା କରୁଛନ୍ତି ଏବଂ ତୁମେ ଏଠାରେ ବସି କାହାର ମହିମା ଶୁଣୁଛ -- ଏହି ଜ୍ଞାନ ତୁମ ପାଖରେ ଅଛି । ରାତି-ଦିନର ଫରକ ରହିଛି । ସେମାନେ ତ ଏମିତି ହିଁ କେବଳ ମହିମା ଗାନ କରୁଛନ୍ତି । ଏତେ ସ୍ନେହ ନାହିଁ କାହିଁକି ନା ପରିଚୟ ଜଣା ନାହିଁ । ତୁମକୁ ବାବା ପରିଚୟ ଦେଉଛନ୍ତି ମୁଁ ସ୍ନେହର ସାଗର ଏବଂ ତୁମକୁ ସ୍ନେହର ସାଗର କରାଉଛି । ସ୍ନେହର ସାଗର ବାବା ସମସ୍ତଙ୍କୁ କେତେ ସ୍ନେହୀ ଲାଗୁଛନ୍ତି । ସେଠାରେ ମଧ୍ୟ ସମସ୍ତେ ପରସ୍ପରକୁ ସ୍ନେହ କରିଥାନ୍ତି । ଏସବୁ ତୁମେ ଏହିଠାରୁ ଶିଖୁଛ । କାହା ସହିତ ମଧ୍ୟ ବିରୋଧି ହେବା ଅନୁଚିତ୍, ଯାହାକୁ ବାବା ଲୁଣ-ପାଣି ବୋଲି କହୁଛନ୍ତି । ମନ ଭିତରେ କାହା ପ୍ରତି ଘୃଣା ରହିବା ଅନୁଚିତ୍ । ଯିଏ ଘୃଣା କରନ୍ତି ସେ କଳିଯୁଗୀ ନର୍କବାସୀ ଅଟନ୍ତି । ଜାଣିଛ ଯେ ଆମେ ସମସ୍ତେ ଭାଇ-ଭଉଣୀ ଅଟୁ । ଶାନ୍ତିଧାମରେ ଥିବାବେଳେ ଭାଇ-ଭାଇ ଅଟୁ । ଏଠାରେ କର୍ମକ୍ଷେତ୍ରରେ ଅଭିନୟ କରିବା ବେଳେ ଭାଇ-ଭଉଣୀ ହେଉଛୁ । ଆମେ ଈଶ୍ୱରୀୟ ସନ୍ତାନ ଅଟୁ । ଈଶ୍ୱରଙ୍କର ମହିମା ହେଉଛି ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି, ଅର୍ଥାତ୍ ସମସ୍ତଙ୍କୁ ସୁଖ ଦେଉଛନ୍ତି । ତୁମେ ନିଜ ଅନ୍ତରକୁ ପଚାର ଯେପରି ବାବା ଭବିଷ୍ୟତ ୨୧ ଜନ୍ମ ପାଇଁ ସୁଖ ଦେଉଛନ୍ତି ସେହିଭଳି ଆମେ ମଧ୍ୟ ସେହି କାର୍ଯ୍ୟ କରୁଛୁ ? ଯଦି ବାବାଙ୍କର ସହଯୋଗୀ ହେଉ ନାହାଁନ୍ତି, ପରସ୍ପର ସହିତ ପ୍ରୀତି ନାହିଁ, ବିପରୀତ ବୁଦ୍ଧି ହୋଇ ରହୁଛନ୍ତି ତେବେ ବିନଶ୍ୟନ୍ତୀ ହୋଇଯାଆନ୍ତି । ବିପରୀତ ବୁଦ୍ଧି ହେବା ଅସୁରମାନଙ୍କର କାମ । ନିଜକୁ ଈଶ୍ୱରୀୟ ସମ୍ପ୍ରଦାୟର ବୋଲି କହି ଯଦି ପରସ୍ପରକୁ ଦୁଃଖ ଦେଉଛନ୍ତି ତେବେ ତାଙ୍କୁ ଅସୁର କୁହାଯିବ । ତୁମେ କାହାକୁ ମଧ୍ୟ ଦୁଃଖ ଦେବା ଅନୁଚିତ୍ । ତୁମେ ହେଉଛ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ । ତେଣୁ ଦୁଃଖ ଦେବାର ଖିଆଲ ମଧ୍ୟ ତୁମର ଆସିବା ଅନୁଚିତ୍ । ସେମାନେ ତ ହେଉଛନ୍ତି ଆସୁରୀ ସମ୍ପ୍ରଦାୟର, ଈଶ୍ୱରୀୟ ସମ୍ପ୍ରଦାୟର ନୁହଁନ୍ତି କାହିଁକି ନା ଦେହ-ଅଭିମାନୀ ଅଟନ୍ତି । ସେମାନେ କେବେ ଯୋଗର ଯାତ୍ରାରେ ରହିପାରିବେ ନାହିଁ । ଯୋଗର ଯାତ୍ରା ବିନା କଲ୍ୟାଣ ହୋଇପାରିବ ନାହିଁ । ସମ୍ପତ୍ତି ଦେଉଥିବା ବାବାଙ୍କୁ ତ ନିଶ୍ଚୟ ମନେ ପକାଇବାକୁ ହେବ ତେବେ ଯାଇ ବିକର୍ମ ବିନାଶ ହେବ । ଅଧାକଳ୍ପ ଧରି ପରସ୍ପରକୁ ଦୁଃଖ ଦେଇ ଆସିଛ । ଯିଏ ପରସ୍ପର ମଧ୍ୟରେ ଲଢେଇ କରି ହଇରାଣ କରୁଛନ୍ତି, ତାଙ୍କୁ ଆସୁରୀ ସଂମ୍ପ୍ରଦାୟରେ ଗଣନା କରାଯାଏ । ପୁରୁଷାର୍ଥୀ ହେଲେ ମଧ୍ୟ କେତେ ଦିନ ପର୍ଯ୍ୟନ୍ତ ଦୁଃଖ ଦେଉଥିବେ, ସେଥିପାଇଁ ବାବା କହୁଛନ୍ତି ନିଜର ଚାର୍ଟ ରଖ । ଚାର୍ଟ ରଖିବା ଦ୍ୱାରା ଜଣା ପଡିବ - ମୋର ରେଜିଷ୍ଟର ସୁଧୁରୁଛି ନା ସେହି ଆସୁରୀ ଚଳଣି ରହିଛି ? ବାବା ସର୍ବଦା କହୁଛନ୍ତି କେବେ କାହାକୁ ହେଲେ ଦୁଃଖ ଦିଅ ନାହିଁ । ନିନ୍ଦା-ସ୍ତୁତି, ମାନ-ଅପମାନ, ଥଣ୍ଡା-ଗରମ ସବୁ ସହନ କରିବାକୁ ହେବ । କେହି କିଛି କହିଲେ ଶାନ୍ତ ରହିବା ଉଚିତ୍ । ଏହିପରି ନୁହେଁ ଯେ ତାଙ୍କ ପାଇଁ ଆଉ ଦୁଇ ବଚନ କହିଦେବ । କେହି କାହାକୁ ଦୁଃଖ ଦେଲେ ବାବା ବୁଝାଇବେ ନା । ପିଲାମାନେ, ପିଲାମାନଙ୍କୁ କହିପାରିବେ ନାହିଁ । ନିୟମକୁ ନିଜ ହାତକୁ ନେବା ଅନୁଚିତ୍ । କୌଣସି କଥା ହେଲେ ବାବାଙ୍କ ପାଖକୁ ଆସିବା ଉଚିତ୍ । ସରକାରଙ୍କର ମଧ୍ୟ କାଇଦା ରହିଛି କେହି କାହାକୁ ମାରିପାରିବେ ନାହିଁ । ଅଭିଯୋଗ କରିପାରିବେ । ନିୟମ ଅନୁଯାୟୀ ଦଣ୍ଡଦେବା ହେଉଛି ସରକାରଙ୍କର କାମ । ତୁମେମାନେ ମଧ୍ୟ ଈଶ୍ୱରୀୟ ସରକାରଙ୍କ ପାଖକୁ ଆସ । ଆଇନ୍କୁ ହାତକୁ ନିଅନାହିଁ । ଏହା ହେଉଛି ତୁମର ନିଜର ଘର ସେଥିପାଇଁ ବାବା କହୁଛନ୍ତି ପ୍ରତ୍ୟହ କଚେରୀ ବସାଇ ନିଜକୁ ତର୍ଜମା କର । ଏକଥା ମଧ୍ୟ ବୁଝୁନାହାଁନ୍ତି ଯେ - ଶିବବାବା ଆଦେଶ ଦେଉଛନ୍ତି । ବାବା କହୁଛନ୍ତି ସର୍ବଦା ଭାବ ଯେ ଶିବବାବା ଶୁଣାଉଛନ୍ତି । ଏପରି ଭାବ ନାହିଁ ଯେ ବ୍ରହ୍ମା ଶୁଣାଉଛନ୍ତି । ସର୍ବଦା ଶିବବାବା କହୁଛନ୍ତି ବୋଲି ଭାବିଲେ ତାଙ୍କର ସ୍ମୃତି ରହିବ । ଶିବବାବା ତୁମକୁ ଜ୍ଞାନ ଶୁଣାଇବା ପାଇଁ ରଥ ନେଇଛନ୍ତି । ବାବା ସତ୍ତ୍ୱପ୍ରଧାନ ହେବାର ରାସ୍ତା ବୁଝାଉଛନ୍ତି । ସେ ଗୁପ୍ତ ଅଟନ୍ତି । ତୁମେ ପ୍ରତ୍ୟକ୍ଷ ଅଟ । ଯେଉଁ ନିର୍ଦ୍ଦେଶ ମିଳୁଛି, ଭାବ ଶିବବାବାଙ୍କର ନିର୍ଦ୍ଦେଶ ଅଟେ ତେବେ ତୁମେ ନିରାପଦରେ ରହିବ । ତୁମେ ଶିବଙ୍କୁ ହିଁ ବାବା-ବାବା ବୋଲି କହୁଛ । ସମ୍ପତ୍ତି ମଧ୍ୟ ତାଙ୍କଠାରୁ ମିଳୁଛି । ବାବାଙ୍କ ସହ କେତେ ସମ୍ମାନର ସହିତ, ରାଜକୀୟତାର ସହିତ ଚାଲିବା ଦରକାର । ତୁମେ କହୁଛ ନା ବାବା ଆମେ ତ ଲକ୍ଷ୍ମୀ-ନାରାୟଣ ହେବୁ । ନଚେତ୍ ଦ୍ୱିତୀୟ ଶ୍ରେଣୀ ଅଥବା ତୃତୀୟ ଶ୍ରେଣୀ ହୁଅ, ସୂର୍ଯ୍ୟବଂଶୀ ନହେଲ ତ ଚନ୍ଦ୍ରବଂଶୀ ହୁଅ । ଏପରି ନୁହେଁ ଯେ ଆମେ ଦାସ-ଦାସୀ ହେବୁ । ପ୍ରଜା ହେବା ତ ଭଲ ନୁହେଁ । ତୁମକୁ ତ ଏଠାରେ ଦୈବୀଗୁଣ ହିଁ ଧାରଣ କରିବାକୁ ହେବ । ଆସୁରୀ ଚଳଣି ରହିବା ଅନୁଚିତ୍ । ନିଶ୍ଚୟ ନଥିବା କାରଣରୁ ଚାଲୁ-ଚାଲୁ କହି ଦେଉଛନ୍ତି ବ୍ରହ୍ମାଙ୍କ ଶରୀରରେ ଶିବବାବା ଆସୁଛନ୍ତି ମୋତେ ବିଶ୍ୱାସ ହେଉ ନାହିଁ । ମାୟାର ଭୂତ ଆସିବା ଦ୍ୱାରା ପରସ୍ପର ମଧ୍ୟରେ ଏପରି କହିଥାନ୍ତି । ଆସୁରୀ ସ୍ୱଭାବଧାରୀ ପରସ୍ପର ସହିତ ମିଶିଲେ ଏପରି କଥା କହିବାରେ ଲାଗିପଡନ୍ତି । ତାଙ୍କରି ମୁଖରୁ ଆସୁରୀ କଥା ହିଁ ବାହାରିଥାଏ । ବାବା କହୁଛନ୍ତି ତୁମେ ଆତ୍ମା ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହେଉଛ । ତୁମ ମୁଖରୁ ରତ୍ନ ହିଁ ବାହାରିବା ଉଚିତ୍ । ଯଦି ମୁଖରୁ ପଥର ବାହାରୁଛି ତେବେ ଆସୁରୀ ବୁଦ୍ଧି କୁହାଯିବ ।

ଗୀତ ମଧ୍ୟ ପିଲାମାନେ ଶୁଣିଲେ । ପିଲାମାନେ କହୁଛନ୍ତି-ବାବା ସ୍ନେହର ସାଗର ଏବଂ ସୁଖର ସାଗର ଅଟନ୍ତି । ଏହା ଶିବବାବାଙ୍କର ହିଁ ମହିମା ଅଟେ । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏଥିରେ ବହୁତ ଭଲ ସନ୍ତାନମାନେ ଫେଲ୍ ହୋଇ ଯାଉଛନ୍ତି । ଦେହୀ ଅଭିମାନୀ ସ୍ଥିତିରେ ରହିପାରୁ ନାହାଁନ୍ତି । ଦେହୀ-ଅଭିମାନୀ ହେଲେ ଯାଇ ଉଚ୍ଚ ପଦ ପାଇ ପାରିବେ । କେତେକ ସନ୍ତାନ ଫାଲତୁ କଥାରେ ବହୁତ ସମୟ ନଷ୍ଟ କରୁଛନ୍ତି । ଜ୍ଞାନର କଥା ହିଁ ଧ୍ୟାନକୁ ଆସୁ ନାହିଁ । ଏହାର ମଧ୍ୟ ଗାୟନ ରହିଛି ଯେ ନିଜ ଘରେ ଗଙ୍ଗାର ମାନ ରଖନ୍ତି ନାହିଁ । ଘର ଜିନିଷର ଏତେ ମାନ ରଖି ନଥାନ୍ତି । ଯଦିଓ କୃଷ୍ଣ ଆଦିଙ୍କ ଚିତ୍ର ଘରେ ଅଛି ପୁଣି ଶ୍ରୀନାଥ ଦ୍ୱାରେ ଆଦି ଏତେ ଦୂର ଦୂରକୁ କାହିଁକି ଯାଉଛନ୍ତି । ଶିବଙ୍କ ମନ୍ଦିରରେ ମଧ୍ୟ ପଥରର ଲିଙ୍ଗ ରହିଛି । ପାହାଡରୁ ପଥର ବାହାରି, ଘଷି ହୋଇ-ହୋଇ ଲିଙ୍ଗ ହୋଇଯାଏ । ତା ଭିତରୁ କେତେକ ପଥରରେ ସୁନା ମଧ୍ୟ ଲାଗିଥାଏ । କୁହାଯାଏ ସୁନାର କୈଳାସ ପର୍ବତ । ପାହାଡରୁ ସୁନା ବାହାରିଥାଏ ନା । ଅଳ୍ପ-ଅଳ୍ପ ସୁନା ଲାଗିଥିବା ପଥର ମଧ୍ୟ ରହିଛି ଯାହା ବହୁତ ସୁନ୍ଦର ସୁନ୍ଦର ଗୋଲ ହୋଇଥାଏ, ତାକୁ ବିକ୍ରି କରିଥାନ୍ତି । ସ୍ୱତନ୍ତ୍ର ଭାବେ ମାର୍ବଲର ମଧ୍ୟ ତିଆରି କରିଥାନ୍ତି । ବର୍ତ୍ତମାନ ଭକ୍ତଙ୍କୁ ଯଦି କହିବ ଯେ ତୁମେ ବାହାରେ ଏତେ ଭ୍ରମିତ ହେଉଛ କାହିଁକି, ତେବେ ସେମାନେ ବିଗିଡିଯିବେ । ବାବା ନିଜେ କହୁଛନ୍ତି ତୁମେ ବହୁତ ପଇସା ବରବାଦ କରିଛ । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି ଯାହାକି ତୁମକୁ ଧକ୍କା ଖାଇବାକୁ ପଡୁଛି । ଏହା ଜ୍ଞାନ ଏବଂ ଭକ୍ତିର ଖେଳ ଅଟେ । ଏବେ ତୁମକୁ ସମସ୍ତ ଜ୍ଞାନ ମିଳୁଛି । ଜ୍ଞାନ ହେଉଛି ସୁଖର ରାସ୍ତା, ଜ୍ଞାନ ଦ୍ୱାରା ସତ୍ୟଯୁଗର ରାଜତ୍ୱ ମିଳୁଛି । ବର୍ତ୍ତମାନ ରାଜା ରାଣୀ ତଥା ପ୍ରଜା ସମସ୍ତେ ନର୍କର ମାଲିକ ଅଟନ୍ତି । କେହି ମଲେ କୁହନ୍ତି ସ୍ୱର୍ଗବାସୀ ହେଲା । ଏହି କଥାକୁ ବର୍ତ୍ତମାନ ତୁମେ ବୁଝୁଛ । ବର୍ତ୍ତମାନ ତୁମେ କହୁଛ ଆମେ ସ୍ୱର୍ଗବାସୀ ହେବା ପାଇଁ ସ୍ୱର୍ଗର ସ୍ଥାପନାକର୍ତ୍ତା ବାବାଙ୍କ ନିକଟରେ ବସିଛୁ । ତାଙ୍କଠାରୁ ଆମକୁ ଜ୍ଞାନର ବିନ୍ଦୁ ମିଳୁଛି । ଅଳ୍ପ କିଛି ଜ୍ଞାନ ଶୁଣିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଆସିବେ, ବାକି ସବୁ ପୁରୁଷାର୍ଥ ଉପରେ ରହିଛି । ଭାବନ୍ତି ଯଦି ଗୋଟିଏ ଢାଳ ଗଙ୍ଗାଜଳ ମୁଖରେ ଢାଳିଦେବ ତେବେ ପତିତରୁ ପବିତ୍ର ହୋଇଯିବ । ତେଣୁ ଢ଼ାଳ ଭର୍ତ୍ତିକରି ନେଇ ପ୍ରତ୍ୟହ ସେଥିରୁ ଏକ-ଏକ ବୁନ୍ଦା ପାଣିରେ ମିଶାଇ ସ୍ନାନ କରିଥାନ୍ତି । ତାହା ଯେପରି ଗଙ୍ଗା ସ୍ନାନ ହୋଇଗଲା । ବିଦେଶକୁ ମଧ୍ୟ ଗଙ୍ଗା ଜଳ ଭରିକରି ନେଇଯାଆନ୍ତି । ଏସବୁ ହେଲା ଭକ୍ତି ।

ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମାୟା ବହୁତ ଜୋରରେ ଚାପୁଡା ଲଗାଇ, ବିକର୍ମ କରେଇଦିଏ ସେଥିପାଇଁ କଚେରୀ କର, ନିଜେ ନିଜର କଚେରୀ କରିବା ଭଲ । ତୁମେ ନିଜେ ନିଜକୁ ରାଜତିଳକ ଦେଉଛ ତେଣୁ ନିଜକୁ ଯାଞ୍ଚ କରିବାକୁ ହେବ, ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ଶ୍ରୀମତ ଦେଉଛନ୍ତି ଏଭଳି ଏଭଳି କର, ଦୈବୀଗୁଣ ଧାରଣ କର । ଯିଏ କରିବ ସିଏ ପାଇବ । ତୁମକୁ ତ ଖୁସିରେ ରୋମାଞ୍ଚିତ ହୋଇଯିବା ଉଚିତ୍ । ବେହଦର ବାବା ମିଳିଛନ୍ତି, ତାଙ୍କ ସେବାରେ ସହଯୋଗୀ ହେବାକୁ ପଡିବ । ଅନ୍ଧମାନଙ୍କର ଲାଠି ହେବାକୁ ପଡିବ । ଯେତେ ସହଯୋଗୀ ହେବ, ସେତେ ନିଜର ହିଁ କଲ୍ୟାଣ ହେବ । ବାବାଙ୍କୁ ତ ଘଡିକୁ-ଘଡି ମନେ ପକାଇବାକୁ ହେବ । ନିଷ୍ଠାରେ ଗୋଟିଏ ଜାଗାରେ ବସିବାର କୌଣସି କଥା ନାହିଁ । ଚାଲି-ବୁଲି ମନେ ପକାଇବାକୁ ହେବ । ଟ୍ରେନ୍ରେ ମଧ୍ୟ ତୁମେ ସେବା କରିପାରିବ । ତୁମେ କାହାକୁ ବି ବୁଝାଇପାରିବ ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ କିଏ ଅଟନ୍ତି ? ତାଙ୍କୁ ମନେ ପକାଅ । ତାଙ୍କଠାରୁ ହିଁ ସମ୍ପତ୍ତି ମିଳିବ । ଆତ୍ମାକୁ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । କେହି କେହି ଦାନ-ପୁଣ୍ୟ କରି ରାଜାଙ୍କ ପାଖରେ ଜନ୍ମ ନେଇଥାନ୍ତି ତାହା ମଧ୍ୟ ଅଳ୍ପକାଳ ପାଇଁ । ସର୍ବଦା ରାଜା ତ ହୋଇପାରିବେ ନାହିଁ । ତେବେ ବାବା କହୁଛନ୍ତି ଏଠାରେ ତ ୨୧ ଜନ୍ମର ଗ୍ୟାରେଣ୍ଟି ରହିଛି । ସ୍ୱର୍ଗରେ ଏହା ଜଣା ପଡିବ ନାହିଁ ଯେ ଆମେ ବେହଦ ବାବାଙ୍କଠାରୁ ଏହି ସମ୍ପତ୍ତି ନେଇ କରି ଆସିଛୁ । ଏହି ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି ତେଣୁ କେତେ ଭଲ ଭାବରେ ପୁରୁଷାର୍ଥ କରିବା ଉଚିତ୍ । ପୁରୁଷାର୍ଥ ନ କରିବାର ଅର୍ଥ ହେଉଛି ନିଜର ପାଦରେ କୁରାଢୀ ମାରିବା । ଚାର୍ଟ ଲେଖିଲେ ଡର ରହିବ । କେହି-କେହି ଲେଖୁଛନ୍ତି ମଧ୍ୟ, ବାବା ଦେଖିଲେ କଣ କହିବେ । ଚାଲି-ଚଳଣିରେ ବହୁତ ଫରକ ରହିଥାଏ । ତେଣୁ ବାବା କହୁଛନ୍ତି ଭୁଲ୍ କରିବା ଛାଡ ନଚେତ୍ ବହୁତ ପଶ୍ଚାତାପ କରିବାକୁ ହେବ । ପଛରେ ନିଜ ପୁରୁଷାର୍ଥର ସାକ୍ଷାତ୍କାର ହେବ ପୁଣି ବହୁତ କାନ୍ଦିବାକୁ ପଡିବ । କଣ କଳ୍ପ-କଳ୍ପ ଏହି ସମ୍ପତ୍ତି ମିଳିବ । ଯାଇ ଦାସ-ଦାସୀ ହେବ । ଆଗରୁ ତ ଧ୍ୟାନରେ ଯାଇ ଶୁଣାଉଥିଲେ ଅମୁକ ଦାସୀ ହେବେ, ଏଇଆ ହେବେ । ପୁଣି ବାବା ବନ୍ଦ କରିଦେଲେ । ପଛକୁ ପୁଣି ତୁମମାନଙ୍କୁ ସାକ୍ଷାତ୍କାର ହେବ । ସାକ୍ଷାତ୍କାର ବିନା ଦଣ୍ଡ କିପରି ମିଳିବ । କାଇଦା ହିଁ ନାହିଁ ।

ପିଲାମାନଙ୍କୁ ବହୁତ ଯୁକ୍ତି ମଧ୍ୟ ବୁଝାଯାଉଛି ତୁମେ ନିଜ ସ୍ୱାମୀକୁ କୁହ, ବାବା କହୁଛନ୍ତି ପିଲାମାନେ କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ମାୟାକୁ ଜିତି ଜଗତ୍ଜିତ୍ ହୁଅ । ମୁଁ ସ୍ୱର୍ଗର ମାଲିକ ହେବି ନା ତୁମ କାରଣରୁ ଅପବିତ୍ର ହୋଇ ନର୍କକୁ ଯିବି । ବହୁତ ସ୍ନେହର ସହିତ, ନମ୍ରତାର ସହିତ ବୁଝାଅ । କୁହ, ମୋତେ ନର୍କକୁ କାହିଁକି ଠେଲି ଦେଉଛ । ଏପରି ବହୁତ କନ୍ୟା ଅଛନ୍ତି ବୁଝାଇ-ବୁଝାଇ ଶେଷରେ ସ୍ୱାମୀକୁ ନେଇ ଆସନ୍ତି । ପୁଣି ସ୍ୱାମୀ କହିଥାଏ ଯେ ଇଏ ମୋର ଗୁରୁ ଅଟନ୍ତି, ଇଏ ମୋତେ ବହୁତ ଭଲ ରାସ୍ତା ବତାଇଛନ୍ତି । ବାବାଙ୍କ ଚରଣରେ ଆସି ପଡିଥାନ୍ତି । କେବେ ହାର କେବେ ଜିତ୍ ହେଉଛି, ତେଣୁ ପିଲାମାନଙ୍କୁ ବହୁତ-ବହୁତ ମଧୁର ହେବାକୁ ପଡିବ । ଯିଏ ସେବା କରିବେ ସେ ହିଁ ସ୍ନେହୀ ହେବେ ଭଗବାନ ବାବା ସନ୍ତାନମାନଙ୍କ ନିକଟକୁ ଆସିଛନ୍ତି, ତେଣୁ ତାଙ୍କ ଶ୍ରୀମତରେ ଚାଲିବାକୁ ପଡିବ । ଶ୍ରୀମତରେ ନ ଚାଲିବା ଦ୍ୱାରା ମାୟାର ତୁଫାନ ଆସିଥାଏ ଏବଂ ଅଧୋଗତି ହୁଏ । ଏପରି ମଧ୍ୟ ଅଛନ୍ତି ସେମାନେ ବା କେଉଁ କାମର ହେବେ । ଏହା କୌଣସି ସାଧାରଣ ପାଠପଢା ନୁହେଁ, ଅନ୍ୟ ସବୁ ସତସଙ୍ଗ ଆଦିରେ କେବଳ କର୍ଣ୍ଣରସ ରହିଛି, ଯାହା ଦ୍ୱାରା ଅଳ୍ପକାଳର ସୁଖ ମିଳିଥାଏ । ଏହି ବାବାଙ୍କ ଦ୍ୱାରା ତ ୨୧ ଜନ୍ମର ସୁଖ ମିଳୁଛି । ବାବା ସୁଖ-ଶାନ୍ତିର ସାଗର ଅଟନ୍ତି, ଆମକୁ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ସେବା କରିଲେ ହିଁ ସମ୍ପତ୍ତି ମିଳିବ, ସେଥିପାଇଁ ବ୍ୟାଜ୍ ସଦା ଲାଗି ରହିବା ଉଚିତ୍ । ଆମକୁ ଏହିପରି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ଯାଞ୍ଚ କରିବାକୁ ହେବ ଯେ ମୁଁ କାହାକୁ ଦୁଃଖ ଦେଉନାହିଁ ତ ? ଆସୁରୀ ଚାଲି-ଚଳଣି ନାହିଁ ତ ? ମାୟା ଏପରି କାମ କରାଉଛି, ସେ କଥା ନ କହିଲେ ଭଲ । ଭଲ ଲୋକେ ମଧ୍ୟ କହୁଛନ୍ତି, ମାୟା ଏପରି ବିକର୍ମ କରାଇଦେଲା । କେହି ସତ୍ୟ ବତାଉଛନ୍ତି, କେହି ସତ୍ୟ ନକହିଲେ ଶହେଗୁଣା ଦଣ୍ଡ ପାଉଛ । ପୁଣି ସେହି ଅଭ୍ୟାସ ବଢି ଚାଲିବ । ଯଦି ବାବାଙ୍କୁ ଶୁଣାଇବ ତେବେ ବାବା ସାବଧାନ କରାଇବେ । ବାବା କହୁଛନ୍ତି ଯଦି ପାପ କରିଛ ତେବେ ରେଜିଷ୍ଟରରେ ଲେଖ ଏବଂ କହିଦିଅ ତେବେ ତୁମର ଅଧା ପାପ ସମାପ୍ତ ହୋଇଯିବ । ଯଦି ନ ଶୁଣାଇବ, ଲୁଚାଇବ ତେବେ ଆହୁରି ଅଧିକ ପାପ କରିଚାଲିବ । ତା ଫଳରେ ଅଭିଶାପ ମିଳିବ । ନ କହିବା ଦ୍ୱାରା ଥରକ ବଦଳରେ ୧୦୦ ଥର ଭୁଲ୍ କରିଚାଲିବ । ବାବା କେତେ ଭଲ ରାୟ ଦେଉଛନ୍ତି କିନ୍ତୁ କେତେ ଜଣଙ୍କ ଉପରେ ସାମାନ୍ୟ ହେଲେ ପ୍ରଭାବ ପଡୁନାହିଁ । ନିଜ ଭାଗ୍ୟକୁ ଯେପରି ଗୋଇଠା ମାରୁଛନ୍ତି । ବହୁତ-ବହୁତ କ୍ଷତି କରୁଛନ୍ତି । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ । ମୁଁ ଏହି ପଦ ପାଇବି, ଶ୍ରେଣୀ ପରିବର୍ତ୍ତନ ହେଲେ ନମ୍ବର ଜଣାପଡିଥାଏ ନା । ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଫଳାଫଳ ବାହାରିଥାଏ । ତୁମେ ମଧ୍ୟ ନିଜର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଛ, ତେଣୁ ନମ୍ବର ବିଷୟରେ ଜଣା ପଡିବ ପୁଣି ବହୁତ ଜୋରରେ କାନ୍ଦିବ । ସେତେବେଳେ କଣ କରିପାରିବ ? ଫଳାଫଳ ତ ବାହାରିଗଲା ନା । ଯାହା ଭାଗ୍ୟରେ ଥିଲା ତାକୁ ନେଇଗଲ । ବାବା ସମସ୍ତ ସନ୍ତାନମାନଙ୍କୁ ସାବଧାନ କରୁଛନ୍ତି । କର୍ମାତୀତ ଅବସ୍ଥା ଏବେ ହୋଇପାରିବ ନାହିଁ । କର୍ମାତୀତ ଅବସ୍ଥା ହେଲେ ପୁଣି ଶରୀର ଛାଡିବାକୁ ପଡିବ, ବର୍ତ୍ତମାନ କିଛି ନା କିଛି ବିକର୍ମ ରହିଛି, ହିସାବ କିତାବ ରହିଛି ସେଥିପାଇଁ ପୂରା ଯୋଗ ଲାଗୁ ନାହିଁ । ଏବେ କେହି କହିପାରିବେ ନାହିଁ ଯେ ଆମେ କର୍ମାତୀତ ଅବସ୍ଥାରେ ଅଛୁ । କର୍ମାତୀତ ଅବସ୍ଥାର ନିକଟତର ହେଲେ ବହୁତ ଲକ୍ଷଣ ଦେଖାଯିବ । ସମସ୍ତ ଆଧାର ତୁମର ଅବସ୍ଥା ଏବଂ ବିନାଶ ଉପରେ ନିର୍ଭର କରେ । ତୁମର ପାଠପଢା ଶେଷ ହେଲେ ଯାଇ ବିନାଶ ହେବ କାରଣ ଲଢେଇ ଖୁବ୍ ନିକଟରେ ଅଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମାୟାର ବଶବର୍ତ୍ତୀ ହୋଇ କୌଣସି ଆସୁରୀ କର୍ମ କରିବାର ନାହିଁ । ନିଜର ଚାଲି-ଚଳଣିର ରେଜିଷ୍ଟର ରଖିବା ଆବଶ୍ୟକ । ଏଭଳି କୌଣସି କର୍ମ କରିବାର ନାହିଁ ଯାହାକି ପଶ୍ଚାତାପ କରିବାକୁ ପଡିବ ।

(୨) ବହୁତ-ବହୁତ ସ୍ନେହ ଏବଂ ନମ୍ରତାର ସହିତ ସେବା କରିବାକୁ ହେବ । ମିଠା ହେବାକୁ ପଡିବ । ମୁଖ ଦ୍ୱାରା ଆସୁରୀ ଶବ୍ଦ ଉଚ୍ଚାରଣ କରିବାର ନାହିଁ । କୁସଙ୍ଗଠାରୁ ବହୁତ ବହୁତ ଦୂରେଇ ରହିବାକୁ ପଡିବ । ସର୍ବଦା ଶ୍ରୀମତରେ ଚାଲିବାକୁ ହେବ ।

ବରଦାନ:-
ମାନସିକ ସଂକଳ୍ପ ବା ମନୋବୃତ୍ତି ଦ୍ୱାରା ଶ୍ରେଷ୍ଠ ସୁଗନ୍ଧଯୁକ୍ତ ତରଙ୍ଗ ବିଚ୍ଛୁରୀତ କରୁଥିବା ଶିବ ଏବଂ ଶକ୍ତି ଯୁଗଳ ସ୍ୱରୂପ ହୁଅ ।

ଯେପରି ଆଜିକାଲି ସ୍ଥୂଳ ସୁଗନ୍ଧଯୁକ୍ତ ବସ୍ତୁଗୁଡିକରୁ ଗୋଲାପ, ଚନ୍ଦନ ତଥା ଭିନ୍ନ ଭିନ୍ନ ପ୍ରକାରର ସୁଗନ୍ଧ ଚାରିଆଡେ ବିଚ୍ଛୁରିତ କରୁଛନ୍ତି, ସେହିପରି ତୁମେମାନେ ଶିବ ଏବଂ ଶକ୍ତିମାନେ ଯୁଗଳ ସ୍ୱରୂପ ହୋଇ ମନର ସଂକଳ୍ପ ବା ମନର ବୃତ୍ତି ଦ୍ୱାରା ସୁଖ-ଶାନ୍ତି, ପ୍ରେମ, ଆନନ୍ଦର ସୁଗନ୍ଧ ବିଚ୍ଛୁରିତ କର । ପ୍ରତିଦିନ ଅମୃତବେଳାରେ ଭିନ୍ନ ଭିନ୍ନ ଶ୍ରେଷ୍ଠ ତରଙ୍ଗକୁ ଝରଣା ସଦୃଶ ଆତ୍ମାମାନଙ୍କ ଉପରେ ଗୋଲାପ ଜଳ ଛିଞ୍ଚୁଥାଅ । ସେଥିପାଇଁ କେବଳ ସଂକଳ୍ପର ଅଟୋମେଟିକ୍ ସ୍ୱିଚ୍ ଅନ୍ କର ତେବେ ସାରା ବିଶ୍ୱରେ ଯେଉଁ ସବୁ ଅଶୁଦ୍ଧ ଭାବନାର ଦୁର୍ଗନ୍ଧ ରହିଛି ସେଗୁଡିକ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ସୁଖଦାତାଙ୍କ ଦ୍ୱାରା ସୁଖର ଭଣ୍ଡାର ପ୍ରାପ୍ତ ହେବା ହିଁ ତାଙ୍କର ସ୍ନେହର ପ୍ରତୀକ ।