06.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜକୁ ଯାଞ୍ଚ କର ଯେ କେତେ ସମୟ ବାବାଙ୍କର ସ୍ମୃତି ରହୁଛି, କାହିଁକି ନା ସ୍ମୃତି ଦ୍ୱାରା ହିଁ ଲାଭ ହୁଏ, ବିସ୍ମୃତିରେ କ୍ଷତି ହୁଏ ।
 

ପ୍ରଶ୍ନ:-
ଏହି ପାପ ଆତ୍ମାମାନଙ୍କର ଦୁନିଆରେ କେଉଁ କଥାଟି ସମ୍ପୂର୍ଣ୍ଣ ଅସମ୍ଭବ ଏବଂ କାହିଁକି ?

ଉତ୍ତର:-
ଏଠାରେ ଯଦି କେହି କହନ୍ତି ଯେ ମୁଁ ଜଣେ ପୁଣ୍ୟ ଆତ୍ମା ତେବେ ଏହା ସମ୍ପୂର୍ଣ୍ଣ ଅସମ୍ଭବ କଥା କାହିଁକି ନା ଏହି ଦୁନିଆ ହିଁ ହେଉଛି କଳିଯୁଗୀ ତମୋପ୍ରଧାନ ଦୁନିଆ । ମନୁଷ୍ୟ ଯାହାକୁ ପୁଣ୍ୟ କର୍ମ ବୋଲି ଭାବୁଛନ୍ତି, ତାହା ମଧ୍ୟ ପାପ ହୋଇଯାଉଛି କାହିଁକି ନା ଏଠାରେ ପ୍ରତ୍ୟେକ କର୍ମ ବିକାରର ବଶବର୍ତ୍ତୀ ହୋଇ କରୁଛନ୍ତି ।

ଓମ୍ ଶାନ୍ତି ।
ଏହା ତ ପିଲାମାନେ ବୁଝୁଛନ୍ତି, ଏବେ ଆମେ ବ୍ରହ୍ମାଙ୍କ ସନ୍ତାନ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀ ଅଟୁ । ପୁଣି ସତ୍ୟଯୁଗରେ ଦେବୀ-ଦେବତା ହେବା । ଏହା ତ ତୁମେ ହିଁ ବୁଝୁଛ, ଅନ୍ୟ କେହି ବି ବୁଝି ନାହାଁନ୍ତି । ତୁମେ ଜାଣୁଛ, ଆମେ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀମାନେ ଅବିନାଶୀ ପାଠ ପଢୁଛୁ । ୮୪ ଜନ୍ମର ପାଠ ମଧ୍ୟ ପଢୁଛୁ, ସୃଷ୍ଟିଚକ୍ରର ପାଠ ମଧ୍ୟ ପଢୁଛୁ । ତତସହିତ ତୁମକୁ ଏହି ଶିକ୍ଷା ମଧ୍ୟ ମିଳୁଛି ଯେ ପବିତ୍ର ହେବାର ଅଛି । ଏଇଠି ବସି ତୁମେ ସନ୍ତାନମାନେ ପବିତ୍ର ହେବା ପାଇଁ ବାବାଙ୍କୁ ନିଶ୍ଚିତ ରୂପେ ମନେ ପକାଉଛ । ନିଜ ହୃଦୟକୁ ପଚାର ସତରେ ମୁଁ ବାବାଙ୍କ ସ୍ମୃତିରେ ବସିଥିଲି ନା ମାୟା ରାବଣ ବୁଦ୍ଧିକୁ ଅନ୍ୟ ଆଡେ ନେଇଗଲା । ବାବା କହିଛନ୍ତି, ମୋତେ ସର୍ବଦା ମନେ ପକାଅ, ତେବେ ତୁମର ପାପ କଟିବ । ଏବେ ନିଜକୁ ପଚାରିବାର ଅଛି, ମୁଁ ବାବାଙ୍କ ସ୍ମୃତିରେ ରହିଲି ନା ବୁଦ୍ଧି ମଧ୍ୟ କେଉଁଆଡେ ଚାଲିଗଲା ? ସ୍ମୃତି ରହିବା ଦରକାର କେତେ ସମୟ ଆମେ ବାବାଙ୍କ ସ୍ମୃତିରେ ରହିଲୁ ? କେତେ ସମୟ ଆମର ବୁଦ୍ଧି କେଉଁ-କେଉଁ ଆଡେ ଗଲା ? ନିଜର ଅବସ୍ଥାକୁ ଦେଖ । ଯେତେ ସମୟ ବାବାଙ୍କୁ ସ୍ମୃତିରେ ରଖିବା, ତାହା ଦ୍ୱାରା ହିଁ ପବିତ୍ର ହେବା । ଯୋଗବଳ ଜମା ହୋଇଛି ନା ନାହିଁ ତାର ମଧ୍ୟ ହିସାବ ରଖିବାର ଅଛି । ଅଭ୍ୟାସ ଥିଲେ, ମନେ ପଡିଯିବ । ତେବେ ସ୍ମୃତିର ଚାର୍ଟ ନିଶ୍ଚୟ ରଖିବେ । ଡାଏରୀ ତ ସମସ୍ତଙ୍କର ପକେଟରେ ରହିଛି । ଯିଏବି ବ୍ୟାପାରୀ ଥାଆନ୍ତି, ତାଙ୍କ ପାଖରେ ଡାଏରୀ ଥାଏ କିନ୍ତୁ ତାହା ହେଉଛି ବିନାଶୀ ବ୍ୟବସାୟର ଡାଇରୀ । ତୁମର ହେଉଛି ଅବିନାଶୀ ବ୍ୟବସାୟର ଡାଇରୀ । ତେବେ ତୁମକୁ ନିଜର ଚାର୍ଟ ନୋଟ୍ କରିବାର ଅଛି । ବାବାଙ୍କ ନିର୍ଦ୍ଦେଶ ହେଉଛି ଧନ୍ଦା ଆଦି ସବୁ କିଛି କର, କିନ୍ତୁ କିଛି ସମୟ ବାହାର କରି ମୋତେ ମନେ ପକାଅ । ନିଜର ପୋତାମେଲ ଅର୍ଥାତ୍ ହିସାବ ପତ୍ରକୁ ଦେଖି ଯୋଗବଳ ଜମା କରିଚାଲ । ନିଜର କ୍ଷତି କର ନାହିଁ । ତୁମର ମାୟା ସହ ଯୁଦ୍ଧ ତ ଚାଲିଛି ନା । ଏକ ସେକେଣ୍ଡରେ ଲାଭ ଏବଂ ଏକ ସେକେଣ୍ଡରେ କ୍ଷତି ହେଉଛି । ତୁରନ୍ତ ଜଣାପଡିଯାଏ ମୁଁ ଲାଭ କରିଛି ନା କ୍ଷତି କରିଛି ? ତୁମେ ବ୍ୟାପାରୀ ଅଟ ନା । କିନ୍ତୁ କେହି ବିରଳ ବ୍ୟକ୍ତି ଏହି ବ୍ୟାପାର କରନ୍ତି । ବାବାଙ୍କ ସ୍ମୃତିରେ ରହିଲେ ଲାଭ, ବିସ୍ମୃତିରେ କ୍ଷତି । ଏହିପରି ସୂକ୍ଷ୍ମ ଭାବେ ନିଜର ଯାଞ୍ଚ କରିବାର ଅଛି, ଯାହାଙ୍କର ଉଚ୍ଚ ପଦ ପାଇବାର ଅଛି, ତାଙ୍କର ତ ଚିନ୍ତା ଥାଏ ଦେଖିବା ମୁଁ କେତେ ସମୟ ବିସ୍ମୃତିରେ ରହିଲି ? ଏହା ତ ତୁମେ ପିଲାମାନେ ଜାଣୁଛ ଯେ ଆମ ସମସ୍ତ ଆତ୍ମାମାନଙ୍କର ପିତା ପତିତ ପାବନ ଅଟନ୍ତି । ଆମ୍ଭେମାନେ ପ୍ରକୃତରେ ଆତ୍ମା ଅଟୁ । ନିଜ ଘର ପରମଧାମରୁ ଏଠାକୁ ଆସିଛୁ, ଏହି ଶରୀର ଧାରଣ କରି ଅଭିନୟ କରୁଛୁ । ଶରୀର ହେଉଛି ବିନାଶୀ, ଆତ୍ମା ଅବିନାଶୀ ଅଟେ । ସଂସ୍କାର ମଧ୍ୟ ଆତ୍ମାରେ ହିଁ ରହେ । ବାବା ପଚାରୁଛନ୍ତି ହେ ଆତ୍ମା ମନେପକାଅ, ଏହି ଜନ୍ମର ବାଲ୍ୟ ଅବସ୍ଥାରେ କୌଣସି ଓଲଟା କାମ ତ କରି ନାହଁ ? ମନେ ପକାଅ । ୩-୪ ବର୍ଷଠାରୁ ସବୁକଥା ମନେ ରହେ, ମୁଁ ପୂର୍ବ ଅବସ୍ଥା କିପରି ବିତାଇଛି, କଣ-କଣ କରିଛି ? କୌଣସି କଥା ମନକୁ ଆନ୍ଦୋଳିତ କରୁନାହିଁ ତ ? ମନେ ପକାଅ । ସତ୍ୟଯୁଗରେ ପାପ କର୍ମ ହୁଏ ହିଁ ନାହିଁ, ତେଣୁ ସେଠାରେ ମନକୁ ପଚାରିବାର ଆବଶ୍ୟକତା ନଥାଏ । ଏଇଠି ତ ପାପ ହିଁ ହେଉଛି । ମନୁଷ୍ୟ ଯାହାକୁ ପୁଣ୍ୟ କର୍ମ ବୋଲି ଭାବୁଛନ୍ତି, ତାହା ମଧ୍ୟ ପାପ ହିଁ ଅଟେ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ତୁମର ଦେବା-ନେବା ମଧ୍ୟ ପାପ ଆତ୍ମାମାନଙ୍କ ସହିତ ହିଁ ହେଉଛି । ଏଇଠି କେହି ପୁଣ୍ୟ ଆତ୍ମା ହିଁ ନାହାଁନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆରେ ପୁଣି ଜଣେ ମଧ୍ୟ ପାପ ଆତ୍ମା ନଥାନ୍ତି । ପାପ ଆତ୍ମାମାନଙ୍କର ଦୁନିଆରେ ଜଣେ ମଧ୍ୟ ପୁଣ୍ୟ ଆତ୍ମା ନଥାନ୍ତି । ଯେଉଁ ସବୁ ଗୁରୁମାନଙ୍କ ଚରଣରେ ପଡୁଛନ୍ତି, ସେମାନେ ମଧ୍ୟ କେହି ପୁଣ୍ୟ ଆତ୍ମା ନୁହଁନ୍ତି । ଏହା ତ ହେଉଛି କଳିଯୁଗ, ଏହା ତମୋପ୍ରଧାନ ଅଟେ । ତେବେ ଏଠାରେ କେହି ପୁଣ୍ୟ ଆତ୍ମା ରହିବା ହିଁ ଅସମ୍ଭବ । ପୁଣ୍ୟ ଆତ୍ମା ହେବା ପାଇଁ ହିଁ ବାବାଙ୍କୁ ଡାକୁଛନ୍ତି କି ଆସି ଆମକୁ ପବିତ୍ର ଆତ୍ମା କର । ଏପରି ନୁହେଁ ଯେ, କେହି ବହୁତ ଦାନ ପୁଣ୍ୟ ଆଦି କଲେ କିମ୍ବା ଧର୍ମଶାଳା ଆଦି ତିଆରି କରିଲେ, ତେବେ ସେମାନେ କେହି ପୁଣ୍ୟ ଆତ୍ମା ହୋଇଯାଆନ୍ତି । ନା, ବିବାହ ଇତ୍ୟାଦି ପାଇଁ ହଲ୍ ଆଦି ମଧ୍ୟ ତିଆରି କରୁଛନ୍ତି, ଏହା କଣ ପୁଣ୍ୟ ? ଏସବୁ ବୁଝିବାର କଥା । ଏହା ହେଉଛି ରାବଣ ରାଜ୍ୟ, ପାପ ଆତ୍ମାମାନଙ୍କର ଆସୁରୀ ଦୁନିଆ । ଏହି କଥାକୁ ତୁମ ବ୍ୟତୀତ ଆଉ କେହି ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି ରାବଣ ଅଛି କିନ୍ତୁ ତାକୁ କେହି ଜାଣନ୍ତି ନାହିଁ । ଶିବଙ୍କର ମଧ୍ୟ ଚିତ୍ର ଅଛି କିନ୍ତୁ କାହା ପାଖରେ ପ୍ରକୃତ ପରିଚୟ ନାହିଁ । ବଡ-ବଡ ଶିବଲିଙ୍ଗ ଆଦି ତିଆରି କରୁଛନ୍ତି, ତଥାପି କହି ଦିଅନ୍ତି ନାମ-ରୂପରୁ ଅଲଗା ଓ ସର୍ବବ୍ୟାପୀ ଅଟନ୍ତି । ସେଥିପାଇଁ ବାବା କହିଛନ୍ତି ୟଦା-ୟଦା ହି ଧର୍ମସ୍ୟ... ଭାରତରେ ହିଁ ଶିବବାବାଙ୍କର ଗ୍ଲାନି (ନିନ୍ଦା) ହୁଏ । ଯେଉଁ ବାବା ତୁମକୁ ବିଶ୍ୱର ମାଲିକ କରୁଛନ୍ତି, କିନ୍ତୁ ତୁମେ ମନୁଷ୍ୟ ମତରେ ପରିଚାଳିତ ହୋଇ ତାଙ୍କର କେତେ ଗ୍ଲାନି କରୁଛ । ତୁମ ପାଖରେ ମନୁଷ୍ୟ ମତ ଓ ଈଶ୍ୱରୀୟ ମତର ବହି ମଧ୍ୟ ଅଛି ନା । ଏହା ତ ତୁମେ ହିଁ ଜାଣୁଛ ଆଉ ବୁଝାଉଛ ଯେ ଆମେ ଶ୍ରୀମତରେ ରହି ଦେବତା ହେଉଛୁ । ରାବଣ ମତ ଦ୍ୱାରା ପୁଣି ଆସୁରୀ ମନୁଷ୍ୟ ହୋଇଯାଆନ୍ତି । ବର୍ତ୍ତମାନର ମନୁଷ୍ୟ ମତକୁ ଆସୁରୀମତ କୁହାଯିବ । ସମସ୍ତେ ଆସୁରୀ କର୍ତ୍ତବ୍ୟ ହିଁ କରୁଛନ୍ତି । ମୂଳ କଥା ହେଉଛି, ଈଶ୍ୱରଙ୍କୁ ସର୍ବବ୍ୟାପୀ କହି ଦେଇଛନ୍ତି । ଭଗବାନ କଇଁଛ ଅବତାର, ମାଛ ଅବତାର ନେଉଛନ୍ତି ବୋଲି କହୁଛନ୍ତି ତେଣୁ କେତେ ଆସୁରୀ ଛି-ଛି ଅର୍ଥାତ୍ ହୀନ ହୋଇଯାଇଛନ୍ତି । ତୁମର ଆତ୍ମା ତ କଇଁଛ-ମାଛ ଅବତାର ନିଏ ନାହିଁ, ମନୁଷ୍ୟ ଶରୀରରେ ହିଁ ଆସେ । ଏବେ ତୁମେ ଜାଣୁଛ, ଆମେ କଣ କେବେ କଇଁଛ-ମାଛ ହେଉଛୁ, ୮୪ ଲକ୍ଷ ଯୋନିରେ କଣ କେବେ ଆସୁଛୁ ? ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି ସନ୍ତାନମାନେ ତୁମେ ୮୪ ଜନ୍ମ ନେଉଛ । ୮୪ ଜନ୍ମକୁ ୮୪ ଲକ୍ଷ କହିବା କେତେ ଶତକଡା ମିଛ! ମିଛ ତ ପୁରା ମିଛ, ସତ୍ୟ ତିଳେମାତ୍ର ନାହିଁ । ଏହାର ମଧ୍ୟ ଅର୍ଥ ବୁଝାଇବା ଦରକାର । ଭାରତର ଅବସ୍ଥା ଦେଖ କଣ ହୋଇଛି । ଭାରତ ସତ୍ୟଖଣ୍ଡ ଥିଲା, ଯାହାକୁ ସ୍ୱର୍ଗ ହିଁ କୁହାଯାଉଥିଲା । ଅଧାକଳ୍ପ ହେଉଛି ରାମରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ । ରାବଣ ରାଜ୍ୟକୁ ଆସୁରୀ ସମ୍ପ୍ରଦାୟ କୁହାଯିବ । କେତେ କଡା ଶବ୍ଦ ଅଟେ । ଅଧା କଳ୍ପ ଦେବତାମାନଙ୍କର ରାଜ୍ୟ ଥାଏ । ବାବା ବୁଝାଇଛନ୍ତି ଲକ୍ଷ୍ମୀ-ନାରାୟଣ ପ୍ରଥମ, ଦ୍ୱିତୀୟ, ତୃତୀୟ କୁହଯାଏ । ଯେପରି ଏଡ୍ୱାର୍ଡ ଫାଷ୍ଟ, ଏଡ୍ୱାର୍ଡ ସେକେଣ୍ଡ ହୋଇଥାନ୍ତି ନା । ପ୍ରଥମ ପିଢି, ପୁଣି ଦ୍ୱିତୀୟ ପିଢି ଏହିପରି ଚାଲେ । ତୁମର ମଧ୍ୟ ପ୍ରଥମ ହୁଏ ସୂର୍ଯ୍ୟବଂଶୀ ରାଜ୍ୟ ପୁଣି ଚନ୍ଦ୍ରବଂଶୀ ରାଜ୍ୟ । ବାବା ଆସି ଡ୍ରାମାର ରହସ୍ୟ ମଧ୍ୟ ଭଲ ଭାବରେ ବୁଝାଇଛନ୍ତି । ତୁମେ ପଢୁଥିବା ଶାସ୍ତ୍ରରେ ଏହିସବୁ କଥା ନଥିଲା । କୌଣସି କୌଣସି ଶାସ୍ତ୍ରରେ ବହୁତ କମ ଜ୍ଞାନ ଅଛି କିନ୍ତୁ ସେହି ସମୟରେ ଯେଉଁମାନେ ପୁସ୍ତକ ତିଆରି କରିଛନ୍ତି, ସେମାନେ କିଛି ବୁଝି ନାହାଁନ୍ତି ।

ବାବା ମଧ୍ୟ ଯେତେବେଳେ ବନାରସ ଯାଇଥିଲେ, ସେତେବେଳେ ତାଙ୍କୁ ଏହି ଦୁନିଆ ଭଲ ଲାଗୁ ନଥିଲା, ସେଠାରେ ବସି କାନ୍ଥରେ ଗାର ଟାଣୁଥିଲେ । ଶିବବାବା ଏସବୁ କରାଉଥିଲେ କିନ୍ତୁ ସେସମୟରେ ବୁଦ୍ଧି ପରିପକ୍ୱ ନଥିଲା । ପୁରା ବୁଝିପାରୁନଥିଲି । ବାସ୍ କେହି ଅଛନ୍ତି, ଯିଏ ମୋ ଦ୍ୱାରା ଏହା କରାଉଛନ୍ତି । ବିନାଶର ଦୃଶ୍ୟ ଦେଖିଲ ତେଣୁ ନିଜ ଭିତରେ ଖୁସି ମଧ୍ୟ ଥିଲା । ରାତିରେ ଶୋଉଥିଲି ତେବେ ମଧ୍ୟ ଯେପରି ଉଡୁଥିଲି କିନ୍ତୁ କିଛି ବୁଝି ହେଉନଥିଲା । କେବଳ ଏହିପରି ଗାର ସବୁ ଟାଣୁଥିଲି । କୌଣସି ଶକ୍ତି ଅଛି, ଯିଏକି ମୋ ଭିତରେ ପ୍ରବେଶ କରିଛି । ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ପ୍ରଥମେ ତ ବ୍ୟବସାୟ ଆଦି କରୁଥିଲି ପୁଣି କଣ ହେଲା, ଯଦି କାହାକୁ ଚାହିଁ ଦେଉଥିଲି ତେବେ ସେ ହଠାତ୍ ଧ୍ୟାନରେ ଚାଲି ଯାଉଥିଲେ । ଭାବୁଥିଲି, ଏହା କଣ ହେଉଛି ମୁଁ ଯାହାକୁ ଚାହିଁ ଦେଉଛି, ତାର ଆଖି ବନ୍ଦ ହୋଇଯାଉଛି ଅର୍ଥାତ୍ ଧ୍ୟାନରେ ଚାଲିଯାଉଛି ପଚାରୁଥିଲି କଣ ଦେଖିଲ, ତେବେ କହୁଥିଲେ ବୈକୁଣ୍ଠ ଦେଖିଲି, କୃଷ୍ଣଙ୍କୁ ଦେଖିଲି । ଏହା ମଧ୍ୟ ସବୁ ବୁଝିବାର କଥା ଅଟେ ନା, ତେଣୁ ଏହାର ଅର୍ଥ ବୁଝିବା ପାଇଁ ସବୁ କିଛି ଛାଡି ବନାରସ ଚାଲିଗଲି । ସାରା ଦିନ ବସି ରହୁଥିଲି । ପେନସିଲ୍ ଏବଂ କାନ୍ଥ ଏହା ବ୍ୟତୀତ ଆଉ କିଛି ଧନ୍ଦା ହିଁ ନାହିଁ । ଛୋଟ ପିଲାଭଳି ଥିଲି ନା (ଯେତବେଳେ ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରଥମେ ପ୍ରଥମେ ପ୍ରବେଶ କଲେ ସେହି ସମୟର କଥା) । ତେଣୁ ଏହିପରି ଯେବେ ଦେଖିଲି, ତେବେ ବୁଝିଲି ଯେ ଏବେ ଆଉ କିଛି କରିବାର ନାହିଁ । ବ୍ୟବସାୟ ଆଦି ଛାଡିବାକୁ ପଡିବ । ମନରେ ଖୁସି ଥିଲା, ଭାବିଲି ଏହି ମୂଲ୍ୟହୀନ ବ୍ୟବସାୟ ଛାଡିବାର ଅଛି । ରାବଣ ରାଜ୍ୟ ଅଟେ ନା । ରାବଣର ମୁକୁଟ ଉପରେ ଗଧର ମୁଣ୍ଡ ଦେଖାନ୍ତି ନା, ତେଣୁ ଚେତନା ଆସିଲା ଏହି ଧନ-ସମ୍ପତ୍ତି ଆଦି ରାଜତ୍ୱ ନୁହେଁ, ଏହା ଗଦାଇ ଅର୍ଥାତ୍ ମୂଲ୍ୟହୀନ ଅଟେ । ଗଧ ବାରମ୍ବାର ମାଟିରେ ଗଡିଯାଇ ଧୋବାର କପଡା ସବୁ ଖରାପ କରିଦିଏ । ବାବା ମଧ୍ୟ କହୁଛନ୍ତି, ତୁମେ କଣ ଥିଲ, ଏବେ ତୁମର କଣ ଅବସ୍ଥା ହୋଇଯାଇଛି । ଏହା ବାବା ହିଁ ବସି ବୁଝାଉଛନ୍ତି ଏବଂ ଏହି ଦାଦା ମଧ୍ୟ ବୁଝାଉଛନ୍ତି । ଉଭୟଙ୍କର ବୁଝାଇବା ଚାଲିଛି । ଯିଏ ଜ୍ଞାନ ଭଲ ଭାବେ ବୁଝାନ୍ତି, ତାଙ୍କୁ ତୀକ୍ଷ୍ମ ବୁଦ୍ଧି କୁହାଯିବ । କ୍ରମାନୁସାରେ ତ ଅଛନ୍ତି ନା । ତୁମ୍ଭେମାନେ ମଧ୍ୟ ବୁଝାଉଛ, ଏବେ ରାଜଧାନୀ ସ୍ଥାପନ ହେଉଛି । ତେଣୁ ନିଶ୍ଚୟ କ୍ରମାନୁସାରେ ପଦ ପାଇବେ । ଆତ୍ମା ହିଁ ନିଜର ଅଭିନୟକୁ କଳ୍ପ-କଳ୍ପ କରେ । ସମସ୍ତେ ଏକ ସମାନ ଜ୍ଞାନ ଧାରଣ କରିବେ ନାହିଁ । ଏହି ସ୍ଥାପନାର କାର୍ଯ୍ୟ ହିଁ ହେଉଛି ଆଶ୍ଚର୍ଯ୍ୟଜନକ । ଅନ୍ୟ କେହି ସ୍ଥାପନାର ଜ୍ଞାନ ଦେଇପାରିବେ ନାହିଁ । ମନେକର ଶିଖ୍ ଧର୍ମର ସ୍ଥାପନା ହେଲା । ଶୁଦ୍ଧ ଆତ୍ମା ଆସି ଶରୀରରେ ପ୍ରବେଶ କଲା, କିଛି ସମୟ ପରେ ଶିଖ୍ ଧର୍ମର ସ୍ଥାପନା ହେଲା । ତାଙ୍କର ମୁଖ୍ୟ କିଏ ? ଗୁରୁନାନକ । ସେ ଆସି ଜପ ସାହେବ ଗ୍ରନ୍ଥ ଲେଖିଲେ । ପ୍ରଥମେ ତ ନୂଆ ଆତ୍ମାମାନେ ହିଁ ଥିବେ କାହିଁକି ନା ପବିତ୍ର ଆତ୍ମା ଆସିଥାନ୍ତି । ପବିତ୍ର ଆତ୍ମାକୁ ହିଁ ମହାନ ଆତ୍ମା କୁହାଯାଏ । ସର୍ବୋଚ୍ଚ ତ ଏକମାତ୍ର ବାବାଙ୍କୁ ହିଁ କୁହାଯାଏ । ପବିତ୍ର ଆତ୍ମାମାନେ ମଧ୍ୟ ଧର୍ମ ସ୍ଥାପନା କରୁଛନ୍ତି ତେଣୁ ମହାନ କୁହାଯିବ । କିନ୍ତୁ କ୍ରମାନୁସାରେ ପଛରେ ଆସନ୍ତି । ୫୦୦ ବର୍ଷ ପୂର୍ବେ ଜଣେ ଆତ୍ମା ଆସିଲେ ଏବଂ ଶିଖ୍ ଧର୍ମ ସ୍ଥାପନା କଲେ, ସେହି ସମୟରେ ତାଙ୍କର ଧର୍ମଶାସ୍ତ୍ର କେଉଁଠୁ ଆସିବ । ନିଶ୍ଚୟ ସୁଖମଣୀ, ଜପ ସାହେବ ଶାସ୍ତ୍ର ଆଦି ପରେ ରଚନା ହୋଇଥିବ ନା । ସେମାନେ କଣ ଶିକ୍ଷା ଦେଇଥାନ୍ତି କି । ତାଙ୍କ ମନରେ ପ୍ରେରଣା ଆସେ ତେଣୁ ଈଶ୍ୱରଙ୍କର ମହିମା କରନ୍ତି । ବାକି ଏହି ପୁସ୍ତକ ଆଦି ତ ପରେ ତିଆରି ହୁଏ । ଯେତେବେଳେ ବହୁତ ଅନୁସରଣକାରୀ ହୋଇଯାଆନ୍ତି । ପଢିବା ପାଇଁ ଆତ୍ମା ଦରକାର ନା । ସମସ୍ତଙ୍କର ଶାସ୍ତ୍ର ପରେ ତିଆରି ହୋଇଥିବ । ଯେବେ ଭକ୍ତିମାର୍ଗ ଆରମ୍ଭ ହୁଏ, ତେବେ ଶାସ୍ତ୍ର ପଢନ୍ତି । ଜ୍ଞାନ ଦରକାର ନା । ପ୍ରଥମେ ସତ୍ୱପ୍ରଧାନ ଥାନ୍ତି ପୁଣି ସତ୍ୱ, ରଜୋ, ତମୋରେ ଆସନ୍ତି । ଯେବେ ବହୁତ ବୃଦ୍ଧି ହୋଇଯାଏ, ତେବେ ବହୁତ ମହିମା ହୁଏ ଏବଂ ଶାସ୍ତ୍ର ଆଦି ତିଆରି ହୁଏ । ନଚେତ୍ କିଭଳି ବୃଦ୍ଧି ହେବ । ଅନୁଗାମୀ ହେଲେ ସିନା କରିବେ । ଶିଖ୍ ଧର୍ମର ଆତ୍ମାମାନେ ଉପରୁ ଆସିବେ, ଯିଏକି ଆସି ଏହି ଧର୍ମକୁ ଅନୁସରଣ କରିବେ । ସେଥିପାଇଁ ବହୁତ ସମୟ ଦରକାର ।

ଯେଉଁ ନୂଆ ଆତ୍ମା ପରମଧାମରୁ ଆସନ୍ତି ତାଙ୍କୁ ଦୁଃଖ ମିଳିପାରିବ ନାହିଁ । ଏହା ଆଇନ୍ ସମ୍ମତ ନୁହେଁ । ଆତ୍ମା ସତ୍ୱପ୍ରଧାନରୁ ସତ୍ୱ, ରଜୋ, ତମୋପ୍ରଧାନ ହେଲେ, ତେବେ ଯାଇ ଦୁଃଖ ଭୋଗେ । ନିୟମ ମଧ୍ୟ ଅଛି ନା! ଏଠାରେ ସବୁ ପ୍ରକାରର ଆତ୍ମା ଅଛନ୍ତି, ରାବଣ ସମ୍ପ୍ରଦାୟ ମଧ୍ୟ ଅଛନ୍ତି ତ ରାମ ସମ୍ପ୍ରଦାୟ ମଧ୍ୟ ଅଛନ୍ତି । ଏବେ ତ ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି । ସମ୍ପୂର୍ଣ୍ଣ ହୋଇଗଲେ ପୁଣି ଶରୀର ଛାଡି ଦେବେ । କର୍ମାତୀତ ଅବସ୍ଥାରେ କିଛି ଦୁଃଖର ଅନୁଭବ ହୋଇପାରିବ ନାହିଁ । ପୁଣି ସେମାନେ ଏହି ଛି-ଛି ନର୍କ ଦୁନିଆରେ ରହି ପାରିବେ ନାହିଁ । ଯେଉଁମାନେ କର୍ମାତୀତ ହୋଇଥିବେ ସେମାନେ ଚାଲିଯିବେ ବାକି ଯେଉଁମାନେ ରହିବେ, ସେମାନେ କର୍ମାତୀତ ହୋଇନଥିବେ । ସମସ୍ତେ ତ ଏକା ସାଥିରେ କର୍ମାତୀତ ହୋଇପାରିବେ ନାହିଁ । ଯଦିଓ ବିନାଶ ହୁଏ ତେବେ ମଧ୍ୟ କିଛି ଆତ୍ମା ବଞ୍ଚିବେ । ପ୍ରଳୟ ତ ହୁଏ ନାହିଁ । ଗାୟନ ମଧ୍ୟ ଅଛି ରାମ ଗଲେ ରାବଣ ଗଲେ... ରାବଣର ବହୁତ ପରିବାର ଥିଲା । ଆମର ପରିବାର ତ ଛୋଟ ଅଟେ । ସେମାନେ ବହୁତ ଧର୍ମର ଅଛନ୍ତି । ବାସ୍ତବରେ ଆମର ସବୁଠାରୁ ବଡ ପରିବାର ହେବା କଥା କାହିଁକି ନା ଦେବୀ-ଦେବତା ଧର୍ମ ହେଉଛି ସବୁଠାରୁ ପ୍ରଥମ ଧର୍ମ । ଏବେ ତ ସବୁ ଧର୍ମରେ ଅନେକ ମିଶିଯାଇଛନ୍ତି, ତେଣୁ ଖ୍ରୀଷ୍ଟିୟାନ୍ ବହୁତ ହୋଇଯାଇଛନ୍ତି । ଯେଉଁଠି ମନୁଷ୍ୟ ସୁଖ ଦେଖନ୍ତି, ଉଚ୍ଚ ଆସନ ପାଆନ୍ତି, ତେବେ ସେହି ଧର୍ମର ହୋଇଯାଆନ୍ତି । ଯେବେ-ଯେବେ ପୋପ୍ ଆସନ୍ତି, ତେବେ ବହୁତ ଆତ୍ମା ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ କରିନିଅନ୍ତି । ପୁଣି ବୃଦ୍ଧି ମଧ୍ୟ ବହୁତ ହୁଏ । ସତ୍ୟଯୁଗରେ ତ ଗୋଟିଏ ପୁଅ ଓ ଗୋଟିଏ ଝିଅ ହୁଅନ୍ତି । ଆଉ କୌଣସି ଧର୍ମରେ ଏପରି ବୃଦ୍ଧି ହୁଏ ନାହିଁ । ଏବେ ଦେଖ ସବୁଠାରୁ ଖ୍ରୀଷ୍ଟିୟାନମାନେ ଆଗୁଆ ଅଛନ୍ତି । ଯିଏ ବହୁତ ସନ୍ତାନ ଜନ୍ମ କରନ୍ତି, ତାଙ୍କୁ ପୁରସ୍କାର ମିଳୁଛି କାହିଁକି ନା ତାଙ୍କୁ ତ ବହୁତ ମନୁଷ୍ୟ ଦରକାର । ଯିଏକି ସୈନ୍ୟ ବାହିନୀରେ ମିଶିପାରିବେ । ଏବେ ପ୍ରାୟ ସମସ୍ତେ ତ ଖ୍ରୀଷ୍ଟିୟାନ । ଋଷିଆ, ଆମେରିକା, ସବୁ ଖ୍ରୀଷ୍ଟିୟାନ ହିଁ ଅଟନ୍ତି । ଗୋଟିଏ କାହାଣୀ ଅଛି, ଦୁଇଟି ବିଲେଇ ଲଢେଇ କଲେ, ଲହୁଣୀ ମାଙ୍କଡ ଖାଇଗଲା । ଡ୍ରାମା ମଧ୍ୟ ଏହିପରି ତିଆରି ହୋଇଛି । ପୂର୍ବରୁ ତ ହିନ୍ଦୁ, ମୁସଲମାନ ଏକାଠି ରହୁଥିଲେ । ଯେବେ ଅଲଗା ହେଲେ ତେବେ ପାକିସ୍ଥାନର ନୂଆ ଦେଶ ସ୍ଥାପନ ହୋଇଗଲା । ଏହା ମଧ୍ୟ ଡ୍ରାମା ଏହିଭଳି ତିଆରି ହୋଇଛି । ଦୁଇଜଣଙ୍କ ଲଢେଇ ଲାଗିଲେ ବାରୁଦ କିଣିବେ, ବିଦେଶୀଙ୍କର ବ୍ୟବସାୟ ବଢିଯିବ । ତାଙ୍କର ଅର୍ଥାତ୍ ଋଷିଆ, ଆମେରିକାର । ଏହା ହେଉଛି ଲାଭଜନକ ବ୍ୟବସାୟ । କିନ୍ତୁ ଡ୍ରାମାରେ ତୁମର ବିଜୟ ହେବାର ଅଛି । ଏହା ଶତ ପ୍ରତିଶତ ନିଶ୍ଚିତ ଅଛି, ତୁମ୍ଭମାନଙ୍କୁ କେହି ବି ଜିତି ପାରିବେ ନାହିଁ । ବାକି ସମସ୍ତେ ସମାପ୍ତ ହୋଇଯିବେ । ତୁମେ ଜାଣୁଛ ନୂଆ ଦୁନିଆରେ ଆମର ହିଁ ରାଜ୍ୟ ହେବ, ଯାହା ପାଇଁ ହିଁ ତୁମେ ପାଠ ପଢୁଛ । ଯୋଗ୍ୟ ହେଉଛ । ତୁମେ ଯୋଗ୍ୟ ଥିଲ, ଏବେ ଅଯୋଗ୍ୟ ହୋଇଯାଇଛ, ପୁଣି ଯୋଗ୍ୟ ହେବାର ଅଛି । ଡାକୁଛନ୍ତି ମଧ୍ୟ ପତିତ ପାବନ ଆସ । କିନ୍ତୁ ଅର୍ଥ କିଛି ବୁଝି ନାହାଁନ୍ତି । ଏହି ଦୁନିଆଟା ସାରା ଜଙ୍ଗଲ ଅଟେ । ଏବେ ବାବା ଆସିଛନ୍ତି, କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା ତିଆରି କରୁଛନ୍ତି । ତାହା ହେଉଛି ଦୈବୀ ଦୁନିଆ । ଏହା ହେଉଛି ଆସୁରୀ ଦୁନିଆ । ବାବା ସାରା ମନୁଷ୍ୟ ସୃଷ୍ଟିର ରହସ୍ୟ ବୁଝାଇଛନ୍ତି । ତୁମେ ଏବେ ବୁଝୁଛ, ଆମେ ନିଜ ଧର୍ମକୁ ଭୁଲି ଧର୍ମ ଭ୍ରଷ୍ଟ ହୋଇଯାଇଛୁ । ତେଣୁ ସବୁ କର୍ମ ବିକର୍ମ ହିଁ ହେଉଛି । ବାବା ତୁମକୁ କର୍ମ, ବିକର୍ମ, ଅକର୍ମର ଗତି ବୁଝାଇ କରିଯାଇଥିଲେ । ତୁମେ ବୁଝୁଛ, ବାସ୍ତବରେ କାଲି ଆମେ ଏପରି ଶ୍ରେଷ୍ଠ ଥିଲୁ ପୁଣି ଆଜି ଆମେ ଏପରି ଭ୍ରଷ୍ଟ ହେଉଛୁ । ସତ୍ୟଯୁଗ ନିକଟରେ ଅଛି ନା । ବାବା କହୁଛନ୍ତି କାଲି ତୁମକୁ ଦେବତା କରିଥିଲି । ରାଜ୍ୟ ଭାଗ୍ୟ ଦେଇଥିଲି ପୁଣି ସବୁ କଣ କଲ ? ତୁମକୁ ସ୍ମୃତି ଆସୁଛି ଭକ୍ତିମାର୍ଗରେ ଆମେ କେତେ ଧନ ହରାଇଛୁ । ଏହା କାଲିର କଥା ଅଟେ ନା । ବାବା ତ ଆସି ତୁମର ହାତରେ ସ୍ୱର୍ଗ ଦେଉଛନ୍ତି । ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର । ବାବା ଏକଥା ମଧ୍ୟ ବୁଝାଇଛନ୍ତି ଯେ ଏହି ଆଖି କେତେ ଧୋକା ଦେଉଛି, ବିକାରୀ ଦୃଷ୍ଟିକୁ ଜ୍ଞାନ ଦ୍ୱାରା ନିର୍ବିକାରୀ କରିବାକୁ ପଡିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ବେହଦର ଡାଏରୀରେ ଏହି ଚାର୍ଟ ନୋଟ୍ କରିବାର ଅଛି ଯେ ମୁଁ ଯୋଗରେ ରହି ଲାଭ ଖାତାକୁ କେତେ ଆଗକୁ ବଢାଇଲି ? କୌଣସି କ୍ଷତି ହୋଇନାହିଁ ତ ? ୟାଦ ସମୟରେ ବୁଦ୍ଧି କେଉଁ କେଉଁଆଡେ ଗଲା ?

(୨) ଏହି ଜନ୍ମର ଛୋଟ ଅବସ୍ଥାରୁ ନେଇ ଆଜି ପର୍ଯ୍ୟନ୍ତ ମୁଁ କଣ-କଣ ଓଲଟା କର୍ମ ଅଥବା ପାପ କର୍ମ କରିଛି, ତାହା ନୋଟ୍ କରିବାକୁ ହେବ । ଯେଉଁ କଥା ଭିତରେ-ଭିତରେ ମନକୁ ଆନ୍ଦୋଳିତ କରୁଛି ତାହା ବାବାଙ୍କୁ ଶୁଣାଇ ହାଲୁକା ହୋଇଯିବାର ଅଛି । ଏବେ କୌଣସି ପାପ କର୍ମ କରିବାର ନାହିଁ ।

ବରଦାନ:-
କାହାର ବିଶେଷତା ଉପରେ ପ୍ରଭାବିତ ହେବା ପରିବର୍ତ୍ତେ ତାହାକୁ ନିଜ ଭିତରେ ଧାରଣ କରି ପରମାତ୍ମ ସ୍ନେହୀ ହୁଅ ।

ଯଦି ପରମାତ୍ମ ସ୍ନେହୀ ହେବାକୁ ଚାହୁଁଛ ତେବେ ଦେହ-ଅଭିମାନ ରୂପକ ବିଘ୍ନକୁ ଚେକ୍ କର । କେହି କେହି ପିଲା କହିଥାଆନ୍ତି, ଇଏ ବହୁତ ଭଲ ସେଥିପାଇଁ ତା ପ୍ରତି ଟିକିଏ ଦୟା ଆସୁଛି... କାହାକୁ କାହା ଶରୀର ପ୍ରତି ଆକର୍ଷଣ ରହିଛି ତ ଆଉ କାହାକୁ କାହାର ଗୁଣ ବା ବିଶେଷତା ପ୍ରତି ଆକର୍ଷଣ ରହିଛି । କିନ୍ତୁ ସେହି ବିଶେଷତା ବା ଗୁଣର ଦାତା କିଏ ? ଯଦି କେହି ବହୁତ ଭଲ ଅଟେ ତେବେ ତାର ଭଲ ଗୁଣକୁ ନିଶ୍ଚିତ ଧାରଣ କର କିନ୍ତୁ ତାର ଭଲ ଗୁଣ ଉପରେ ପ୍ରଭାବିତ ହୋଇଯାଅ ନାହିଁ । ସମସ୍ତଙ୍କଠାରୁ ଅଲଗା ଏବଂ ବାବାଙ୍କର ପ୍ରିୟ ହୁଅ । ଏହିଭଳି ପରମାତ୍ମ ପ୍ରିୟ ଅର୍ଥାତ୍ ସ୍ନେହୀ ପିଲାମାନେ ହିଁ ସର୍ବଦା ସୁରକ୍ଷିତ ରହିଥାଆନ୍ତି ।

ସ୍ଲୋଗାନ:-
ଶାନ୍ତିର ଶକ୍ତିକୁ ଜାଗ୍ରତ କର ତେବେ ସେବାର ଗତି ତୀବ୍ର ହୋଇଯିବ ।