07.02.21 Avyakt Bapdada Odia Murli
29.10.87 Om Shanti Madhuban
“ଶରୀର, ମନ, ଧନ ଏବଂ
ସମ୍ବନ୍ଧର ଶକ୍ତି”
ଆଜି ସର୍ବଶକ୍ତିମାନ ପିତା
ନିଜର ଶକ୍ତିଶାଳୀ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଶକ୍ତିଶାଳୀ ତ ଅଟନ୍ତି
କିନ୍ତୁ ପ୍ରତ୍ୟେକଙ୍କ ଭିତରେ ଅନ୍ତର ରହିଛି । ତେବେ ସର୍ବଶକ୍ତିଗୁଡିକ ବାବାଙ୍କର ସମ୍ପତ୍ତି ଏବଂ
ବରଦାନ ମଧ୍ୟ ଅଟେ । ତେଣୁ ପିତା ଏବଂ ବରଦାତା - ଏହି ଦୁଇଟି ଯାକ ସମ୍ବନ୍ଧର ଶ୍ରେଷ୍ଠ ପ୍ରାପ୍ତି
ପ୍ରତ୍ୟେକ ସନ୍ତାନଙ୍କୁ ଜନ୍ମରୁ ହିଁ ମିଳିଥାଏ । ଜନ୍ମ ହେବା ଠାରୁ ହିଁ ପିତା ନିଜର
ସର୍ବଶକ୍ତିଗୁଡିକର ଅର୍ଥାତ୍ ଜନ୍ମ ସିଦ୍ଧ ଅଧିକାରର ଅଧିକାରୀ କରିଦିଅନ୍ତି, ତା’ ସହିତ ବରଦାତା
ହିସାବରେ ଜନ୍ମ ହେବା ମାତ୍ରକେ ପିଲାମାନଙ୍କୁ ମାଷ୍ଟର ସର୍ବଶକ୍ତିବାନ କରି “ସର୍ବଶକ୍ତି ଭବ”ର
ବରଦାନ ଦେଇ ଦିଅନ୍ତି । ତେଣୁ ସବୁ ପିଲାଙ୍କୁ ସେହି ଜଣଙ୍କ ଦ୍ୱାରା, ଏକାଭଳି ଡବଲ ଅଧିକାର ହିଁ
ମିଳିଥାଏ କିନ୍ତୁ ଧାରଣା କରିବାର ଶକ୍ତି ପିଲାମାନଙ୍କୁ କ୍ରମାନ୍ୱୟକୁ ନେଇ ଆସିଥାଏ । ତେବେ ବାବା
ସମସ୍ତଙ୍କୁ ସଦାକାଳ ପାଇଁ ସର୍ବ ଶକ୍ତିରେ ସମ୍ପନ୍ନ କରିଦେଉଛନ୍ତି କିନ୍ତୁ ପିଲାମାନେ ଯଥା ଶକ୍ତି
ହୋଇଯାଉଛନ୍ତି । ଏମିତି ବି ଲୌକିକ ଜୀବନରେ ହେଉ ବା ଅଲୌକିକ ଜୀବନରେ ହେଉ, ଆତ୍ମା ଭିତରେ ଥିବା
ଶକ୍ତି ଗୁଡିକ ହିଁ ତା’ର ସଫଳତାର ଆଧାର ହୋଇଥା’ନ୍ତି ଅର୍ଥାତ୍ ଯେତିକି ଶକ୍ତି, ସେତିକି ସଫଳତା ।
ତେବେ ଏଥିରେ ମୁଖ୍ୟ ଶକ୍ତିଗୁଡିକ ହେଲା ଶାରୀରିକ ଶକ୍ତି, ମାନସିକ ଶକ୍ତି, ଧନର ଶକ୍ତି ଏବଂ
ସମ୍ବନ୍ଧର ଶକ୍ତି ଏହି ଚାରୋଟିଯାକ ଶକ୍ତି ହିଁ ସର୍ବଦା ଆବଶ୍ୟକ । ଯଦି ଚାରୋଟି ଯାକରୁ କୌଣସି
ଗୋଟିଏ ଶକ୍ତି ମଧ୍ୟ କମ୍ ରହିଛି ତେବେ ଜୀବନରେ ସଦାକାଳ ପାଇଁ ଏବଂ ସବୁ ପ୍ରକାରର ସଫଳତା ମିଳି
ନଥାଏ । ସେହିପରି ଅଲୌକିକ ଜୀବନରେ ମଧ୍ୟ ଚାରୋଟିଯାକ ଶକ୍ତି ଆବଶ୍ୟକ କାରଣ ଅଲୌକିକ ଜୀବନରେ ମଧ୍ୟ
ଆତ୍ମା ଏବଂ ପ୍ରକୃତି ଅର୍ଥାତ୍ ଶରୀର, ଉଭୟ ସୁସ୍ଥ ରହିବା ଆବଶ୍ୟକ । ଯେତେବେଳେ ଆତ୍ମା ସୁସ୍ଥ
ରହିଥାଏ ସେତେବେଳେ ଶରୀରର ହିସାବ-କିତାବ ବା ଶାରୀରିକ ରୋଗ-ବ୍ୟାଧି ଶୂଳୀରୁ କଣ୍ଟା ହୋଇଯିବା
କାରଣରୁ ଏବଂ ସ୍ୱସ୍ଥିତିରେ ରହୁଥିବା କାରଣରୁ ସୁସ୍ଥ ଅନୁଭବ କରିଥାଏ । ସେମାନଙ୍କ ମୁଖ ମଣ୍ଡଳରେ
ବା ଚେହେରାରେ ରୋଗ-ବ୍ୟାଧି ଜନିତ କଷ୍ଟର ଚିହ୍ନ-ବର୍ଣ୍ଣ ଦେଖାଯାଏ ନାହିଁ । ସେମାନଙ୍କ ମୁଖରୁ
କେବେ ହେଲେ ରୋଗ ବେମାରୀର ବର୍ଣ୍ଣନା ମଧ୍ୟ ଶୁଣିବାକୁ ମିଳେ ନାହିଁ । କର୍ମଭୋଗର ବର୍ଣ୍ଣନା କରିବା
ପରିବର୍ତ୍ତେ ସେମାନେ କର୍ମଯୋଗୀ ସ୍ଥିତିର ବର୍ଣ୍ଣନା କରିଥା’ନ୍ତି, କାହିଁକି ନା ରୋଗ-ବେମାରୀର
ବର୍ଣ୍ଣନା କରିବା ମଧ୍ୟ ରୋଗକୁ ବୃଦ୍ଧି କରିବାର କାରଣ ହୋଇଯାଏ । ସେଥିପାଇଁ ସେମାନେ କେବେ ହେଲେ
ରୋଗ-ଯନ୍ତ୍ରଣାର କଷ୍ଟର ଅନୁଭବ କରନ୍ତି ନାହିଁ କିମ୍ବା ଅନ୍ୟମାନଙ୍କୁ ନିଜର କଷ୍ଟ ଶୁଣାଇ
କଷ୍ଟ-ଯନ୍ତ୍ରଣାର ବାତାବରଣ ସୃଷ୍ଟି କରନ୍ତି ନାହିଁ ବରଂ ନିଜର ପରିବର୍ତ୍ତନ ଶକ୍ତି ଆଧାରରେ
କଷ୍ଟକୁ ସନ୍ତୁଷ୍ଟତାରେ ପରିବର୍ତ୍ତନ କରି ନିଜେ ସନ୍ତୁଷ୍ଟ ରହିବା ସହିତ ବାୟୁମଣ୍ଡଳରେ ମଧ୍ୟ
ସନ୍ତୁଷ୍ଟତାର ତରଙ୍ଗ ବ୍ୟାପ୍ତ କରିଥା’ନ୍ତି ଅର୍ଥାତ୍ ମାଷ୍ଟର ସର୍ବଶକ୍ତିମାନ ହୋଇ ବରଦାନ ରୂପରେ
ପ୍ରାପ୍ତ ହୋଇଥିବା ଶକ୍ତିଗୁଡିକ ମଧ୍ୟରୁ ସମୟ ଅନୁସାରେ ସହନ ଶକ୍ତିକୁ ଏବଂ ସମାହିତ କରିବାର
ଶକ୍ତିକୁ ପ୍ରୟୋଗ କରିଥା’ନ୍ତି ଏବଂ ଯଥା ସମୟରେ ଶକ୍ତିର ବରଦାନକୁ ବା ସମ୍ପତ୍ତିକୁ କାର୍ଯ୍ୟକାରୀ
କରିବା ହିଁ ସେମାନଙ୍କ ପାଇଁ ଆଶୀର୍ବାଦର ଏବଂ ଔଷଧର କାର୍ଯ୍ୟ କରିଥାଏ କାହିଁକି ନା
ସର୍ବଶକ୍ତିମାନ ବାବାଙ୍କ ଦ୍ୱାରା ଯେଉଁ ସର୍ବଶକ୍ତିଗୁଡିକ ପ୍ରାପ୍ତ ହୋଇଛି, ସେଗୁଡିକୁ ଯେପରି
ପରିସ୍ଥିତି, ଯେପରି ସମୟ ଏବଂ ଯେଉଁ ବିଧି ଦ୍ୱାରା କାର୍ଯ୍ୟରେ ଲଗାଇବା ପାଇଁ ଚାହିଁବ ସେହି ରୂପରେ
ସେଗୁଡିକ ତୁମର ସହଯୋଗୀ ହୋଇପାରିବେ । ତେବେ ଏହି ଶକ୍ତିଗୁଡିକୁ ବା ପ୍ରଭୁଙ୍କର ବରଦାନକୁ ଯେଉଁ
ରୂପରେ ଚାହିଁବ ସେହି ରୂପ ଧାରଣ କରାଇପାରିବ । ଏବେ ଏବେ ଶୀତଳତା ରୂପରେ, ଏବେ ଏବେ ଜଳାଇବା ରୂପରେ
। ପାଣି ଭଳି ଶୀତଳାର ମଧ୍ୟ ଅନୁଭବ କରାଇପାରିବ ଏବଂ ନିଆଁ ଭଳି ଜଳାଇବାର ମଧ୍ୟ ଅନୁଭବ କରାଇପାରିବ,
ଔଷଧିର ମଧ୍ୟ କାର୍ଯ୍ୟ କରିପାରିବ ଏବଂ ଶକ୍ତିଶାଳୀ କରିବାର ଶକ୍ତିବର୍ଦ୍ଧକ ଟନିକ୍ର ମଧ୍ୟ
କାର୍ଯ୍ୟ କରିପାରିବ, ସେଥିପାଇଁ କେବଳ ସମୟ ଅନୁସାରେ କାର୍ଯ୍ୟରେ ଲଗାଇବାର ଅଧିକାରୀ ହୁଅ । ଏହି
ସର୍ବଶକ୍ତିଗୁଡିକ ତୁମେ ମାଷ୍ଟର ସର୍ବଶକ୍ତିମାନ ପିଲାମାନଙ୍କର ସେବାଧାରୀ ଅଟନ୍ତି । ଯେତେବେଳେ
ଯାହାକୁ ଆଦେଶ ଦେବ ତାହା “ହାଜିର ହଜୁର” କହି ସହଯୋଗୀ ହେବ କିନ୍ତୁ ସେବା ନେଲାବାଲା ମଧ୍ୟ ସେତିକି
ବୁଦ୍ଧିମାନ ହେବା ଦରକାର । ତେବେ ଆତ୍ମିକ ଶକ୍ତି ଅଧାରର ଶାରୀରିକ ଶକ୍ତି ମଧ୍ୟ ସର୍ବଦା ଅନୁଭବ
କରିପାରିବ ଅର୍ଥାତ୍ ସର୍ବଦା ସୁସ୍ଥ ରହିବାର ଅନୁଭବ କରିପାରିବ । ତେଣୁ ଏହି ଅଲୌକିକ ବ୍ରାହ୍ମଣ
ଜୀବନ ସର୍ବଦା ସୁସ୍ଥ ରହିବାର ଜୀବନ କାରଣ ବରଦାତାଙ୍କ ଠାରୁ “ସଦା ସୁସ୍ଥ ଭବ”ର ବରଦାନ ମିଳିଯାଇଛି
। ବାପଦାଦା ଦେଖୁଛନ୍ତି ପ୍ରାପ୍ତ ହୋଇଥିବା ବରଦାନକୁ କେତେକ ସନ୍ତାନ ସମୟ ଅନୁସାରେ କାର୍ଯ୍ୟରେ
ଲଗାଇ ଲାଭ ନେଇପାରୁ ନାହାଁନ୍ତି ବା ଏମିତି କହିବା ଯେ ଶକ୍ତି ରୂପୀ ସେବାଧାରୀ ମାନଙ୍କ ଦ୍ୱାରା
ନିଜର ବିଶାଳତା ବା ବିଶାଳ ବୁଦ୍ଧି ଦ୍ୱାରା ସେବା ନେଇ ପାରୁ ନାହାଁନ୍ତି, କାରଣ “ମାଷ୍ଟର
ସର୍ବଶକ୍ତିବାନ” ସ୍ଥିତି କୌଣସି ସାଧାରଣ ସ୍ଥିତି ନୁହେଁ । ଏହା ଶ୍ରେଷ୍ଠ ସ୍ଥିତି ମଧ୍ୟ ଅଟେ,
ତା’ ସହିତ ସିଧାସଳଖ ପରମାତ୍ମାଙ୍କ ଦ୍ୱାରା “ପରମ ଉପାଧି” ମଧ୍ୟ ଅଟେ । ଦୁନିଆର ଲୋକମାନଙ୍କ ଭିତରେ
ନିଜର ଉପାଧିର ନିଶା କେଉଁଭଳି ଥାଏ! ଉପାଧିର ଶକ୍ତି କେତେ କାର୍ଯ୍ୟ ସଫଳ କରିଦିଏ! ତେବେ ଏହା ତ
ପରମାତ୍ମ ଉପାଧି ଅଟେ, ଏଥିରେ କେତେ ଖୁସି ଏବଂ କେତେ ଶକ୍ତି ଭରି ରହିଛି! ଯଦି ଏହି ଗୋଟିଏ ଉପାଧି
ବା ସ୍ୱମାନର ସ୍ଥିତି ରୂପୀ ଆସନ ଉପରେ ସର୍ବଦା ସ୍ଥିତ ରହିବ ତେବେ ଏହି ସର୍ବ ଶକ୍ତିଗୁଡିକ ସେବା
କରିବା ପାଇଁ ସର୍ବଦା ଉପସ୍ଥିତ ରହିବାର ଏବଂ ତୁମର ଆଦେଶର ଅପେକ୍ଷାରେ ରହିବାର ଅନୁଭବ କରିବ ।
ତେଣୁ ବରଦାନକୁ ବା ସମ୍ପତ୍ତିକୁ କାର୍ଯ୍ୟରେ ଲଗାଅ । ଯଦି ମାଷ୍ଟର ସର୍ବଶକ୍ତିବାନର ସ୍ୱମାନରେ
ସ୍ଥିତ ରହୁନାହଁ ତେବେ ଶକ୍ତିଗୁଡିକୁ ଆଦେଶ ମୁତାବକ ଚଲାଇବା ପରିବର୍ତ୍ତେ ବାରମ୍ବାର ବାବାଙ୍କ
ନିକଟରେ ଦରଖାସ୍ତ ପକାଇ ଚାଲିଛ ଯେ ଏହି ଶକ୍ତି ଦେଇଦିଅ, ମୋର ଏହି କାର୍ଯ୍ୟଟିକୁ କରିଦିଅ, ମୋର
ଏହିଭଳି ହୋଇଯାଉ ବା ଏହା ହୋଇଯାଉ । ତେଣୁ ଅର୍ଜି ପକାଉଥିବା ଆତ୍ମା ଅର୍ଥାତ୍ ଦରଖାସ୍ତକାରୀ କେବେ
ବି ସଦା ରାଜି ଅର୍ଥାତ୍ ସଦା ସନ୍ତୁଷ୍ଟ ରହିପାରିବ ନାହିଁ । ଯଦି ଗୋଟିଏ କଥା ସମାପ୍ତ ହେବ ତେବେ
ଆଉ ଗୋଟିଏ ଆରମ୍ଭ ହୋଇଯିବ । ସେଥିପାଇଁ ନିଜେ ମାଲିକ ହୋଇ, ଯୋଗଯୁକ୍ତ ସ୍ଥିତିରେ ରହି
ସେବାଧାରୀମାନଙ୍କଠାରୁ ଯୁକ୍ତିଯୁକ୍ତ ବା ଯଥାର୍ଥ ସେବା ନିଅ ତେବେ ସର୍ବଦା ସୁସ୍ଥ ଅନୁଭବ କରିବ ।
ଏହାକୁ ହିଁ କୁହାଯାଏ ଶାରୀରିକ ଶକ୍ତିର ପ୍ରାପ୍ତି ।
ସେହିଭଳି ମନର ଶକ୍ତି ଅର୍ଥାତ୍ ଶ୍ରେଷ୍ଠ ସଂକଳ୍ପର ଶକ୍ତି । ମାଷ୍ଟର ସର୍ବଶକ୍ତିବାନ ଆତ୍ମାଙ୍କର
ପ୍ରତ୍ୟେକ ସଂକଳ୍ପ ଭିତରେ ଏତେ ଶକ୍ତି ରହିଛି ଯାହାକି ସେମାନେ ଯେତେବେଳେ ଯାହା ଚାହିଁବେ ତାହା
କରିପାରିବେ ଏବଂ କରାଇ ପାରିବେ, କାହିଁକି ନା ସେମାନଙ୍କର ସଂକଳ୍ପ ସର୍ବଦା ଶୁଭ, ଶ୍ରେଷ୍ଠ ଏବଂ
କଲ୍ୟାଣକାରୀ ହୋଇଥିବ । ତେଣୁ ଯେଉଁଠି ଶ୍ରେଷ୍ଠ ଏବଂ ଅକଲ୍ୟାଣର ସଂକଳ୍ପ ରହିବ ତାହା ନିଶ୍ଚିତ
ଭାବରେ ସିଦ୍ଧି ଲାଭ କରିବ ଅର୍ଥାତ୍ ସଫଳ ହେବ ଏବଂ ମାଷ୍ଟର ସର୍ବଶକ୍ତିବାନ ହେବା କାରଣରୁ ମନ କେବେ
ବି ମାଲିକକୁ ଧୋକା ଦେଇପାରିବ ନାହିଁ କିମ୍ବା ଦୁଃଖର ଅନୁଭୂତି କରାଇପାରିବ ନାହିଁ । ସେମାନଙ୍କର
ମନ ସର୍ବଦା ଏକାଗ୍ର ରହିଥାଏ ଅର୍ଥାତ୍ ଗୋଟିଏ ଲକ୍ଷ୍ୟରେ ସ୍ଥିର ରହିଥାଏ, ଏଣେ ତେଣେ ଭଟକି ନଥାଏ
। ତେଣୁ ଯେତେବେଳେ ଇଚ୍ଛା, ଯେଉଁଠାରେ ଇଚ୍ଛା ମନକୁ ସ୍ଥିତ କରିପାରିବେ । ମନ କେବେ ବି ଉଦାସ ହୋଇ
ପାରିବ ନାହିଁ କାରଣ ସିଏ ସେବାଧାରୀ ହୋଇଯାଏ ଅର୍ଥାତ୍ ଦାସ ହୋଇଯାଏ । ଏହା ହିଁ ହେଉଛି ମନର ଶକ୍ତି
ଯାହାକି ଅଲୌକିକ ଜୀବନରେ ବର୍ସା ବା ବରଦାନ ରୂପରେ ତୁମମାନଙ୍କୁ ପ୍ରାପ୍ତ ହୋଇଛି । ସେହିଭଳି
ତୃତୀୟରେ ହେଲା ଧନର ଶକ୍ତି ଅର୍ଥାତ୍ ଜ୍ଞାନ ଧନର ଶକ୍ତି । ଜ୍ଞାନ ଧନ ସ୍ଥୂଳ ଧନର ପ୍ରାପ୍ତି
ସ୍ୱତଃ କରାଇଥାଏ । ଯେଉଁଠାରେ ଜ୍ଞାନରୂପକ ଧନ ରହିଛି ସେଠାରେ ପ୍ରକୃତି ସ୍ୱତଃ ହିଁ ଦାସୀ
ପାଲଟିଯାଏ । ଏହି ସ୍ଥୂଳ ଧନ କେବଳ ପ୍ରକୃତିର ସାଧନଗୁଡିକୁ ପ୍ରାପ୍ତ କରାଇଥାଏ କିନ୍ତୁ ଜ୍ଞାନ ଧନ
ଦ୍ୱାରା ପ୍ରକୃତିର ସର୍ବ ସାଧନଗୁଡିକ ସ୍ୱତଃ ପ୍ରାପ୍ତ ହୋଇଥାଏ ସେଥିପାଇଁ ଜ୍ଞାନ ଧନ ସବୁ ଧନ ଉପରେ
ରାଜା ଅଟେ । ଯେଉଁଠି ରାଜା ରହିଥିବ ସେଠାରେ ସବୁ ପ୍ରକାରର ପଦାର୍ଥ ଗୁଡିକ ସ୍ୱତଃ ପ୍ରାପ୍ତ ହେବ,
ପରିଶ୍ରମ କରିବାକୁ ପଡିବ ନାହିଁ । ଯଦି କୌଣସି ବି ଲୌକିକ ପଦାର୍ଥ ଗୁଡିକୁ ପ୍ରାପ୍ତ କରିବା ପାଇଁ
ମେହନତ କରିବାକୁ ପଡୁଛି ତେବେ ଏହାର କାରଣ ହେଲା ଜ୍ଞାନ ଧନରେ କମୀ ରହିଛି । ବାସ୍ତବରେ ଜ୍ଞାନଧନ
ପଦ୍ମାପଦ୍ମପତି କରିଦେଇଥାଏ । ପରମାର୍ଥ ଆଧାରରେ ବ୍ୟବହାର ସ୍ୱତଃ ସିଦ୍ଧ ହୋଇଯାଏ ଅର୍ଥାତ୍
ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରିବାର ପୁରୁଷାର୍ଥ ଆଧାରରେ ନିଜର ଗୃହସ୍ଥ ବ୍ୟବହାରରେ ସମସ୍ତ
ଆବଶ୍ୟକତା ସ୍ୱତଃ ଭାବରେ ପୂରଣ ହୋଇଯାଏ । ତେଣୁ ପରମାତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ-ଧନର ଅଧିକାରୀ
ଆତ୍ମାମାନେ ପରମାର୍ଥୀ ହୋଇଯାଆନ୍ତି ଅର୍ଥାତ୍ ସର୍ବଶ୍ରେଷ୍ଠ ସମ୍ପତ୍ତିବାନ ହୋଇଯାଆନ୍ତି ।
ସେମାନଙ୍କୁ ସଂକଳ୍ପ କରିବାର ମଧ୍ୟ ଆବଶ୍ୟକତା ପଡିନଥାଏ । ସେମାନଙ୍କର ସମସ୍ତ ଆବଶ୍ୟକତା ସ୍ୱତଃ
ହିଁ ପୂରଣ ହୋଇଯାଏ । ଜ୍ଞାନ ଧନରେ ଏତେ ଶକ୍ତି ରହିଛି ଯାହାକି ଅନେକ ଜନ୍ମ ପର୍ଯ୍ୟନ୍ତ
ରାଜାମାନଙ୍କର ରାଜା କରିଦିଏ । ତେବେ ଧନର ଶକ୍ତି ମଧ୍ୟ ସହଜରେ ପ୍ରାପ୍ତ ହୋଇଯାଏ ।
ସେହିଭଳି ସମ୍ବନ୍ଧର ଶକ୍ତି । ତେବେ ସମ୍ବନ୍ଧ ରୂପୀ ଶକ୍ତିକୁ ପ୍ରାପ୍ତ କରିବାର ଶୁଭ ଇଚ୍ଛା
ଉତ୍ପନ୍ନ ହେବାର କାରଣ ହେଲା, ସମ୍ବନ୍ଧ ଦ୍ୱାରା ସ୍ନେହ ଏବଂ ସହଯୋଗର ପ୍ରାପ୍ତି ହୋଇଥାଏ । ଏହି
ଅଲୌକିକ ଜୀବନରେ ସମ୍ବନ୍ଧର ଶକ୍ତି ଦୁଇଟି ରୂପରେ ପ୍ରାପ୍ତ ହୋଇଥାଏ । ତେବେ ଏହି ଡବଲ ସମ୍ବନ୍ଧର
ଶକ୍ତି କିପରି ପ୍ରାପ୍ତ ହୁଏ ତାହା ଜାଣିଛ? ଗୋଟିଏ ହେଲା - ବାବାଙ୍କ ଦ୍ୱାରା ସର୍ବ ସମ୍ବନ୍ଧ ଏବଂ
ଦ୍ୱିତୀୟରେ - ଦୈବୀ ପରିବାର ଦ୍ୱାରା ସମ୍ବନ୍ଧ । ତେଣୁ ଡବଲ ସମ୍ବନ୍ଧ ହୋଇଗଲା ନା - ବାବାଙ୍କ
ସହିତ ମଧ୍ୟ ସମ୍ବନ୍ଧ ଏବଂ ପରସ୍ପର ଭିତରେ ମଧ୍ୟ ସମ୍ବନ୍ଧ । ତେଣୁ ସମ୍ବନ୍ଧ ଦ୍ୱାରା ସର୍ବଦା
ନିଃସ୍ୱାର୍ଥ ସ୍ନେହ, ଅବିନାଶୀ ସ୍ନେହ ଏବଂ ଅବିନାଶୀ ସହଯୋଗ ସଦାସର୍ବଦା ପ୍ରାପ୍ତ ହୋଇ ଚାଲିଥାଏ
। ତେଣୁ ସମ୍ବନ୍ଧର ମଧ୍ୟ ଶକ୍ତି ରହିଛି ନା । ଏମିତି ବି ପିତା ପୁତ୍ରକୁ ଏବଂ ପୁତ୍ର ପିତାକୁ
କାହିଁକି ସ୍ନେହ କରିଥାଏ? ସହଯୋଗ ପାଇବା ପାଇଁ ଅର୍ଥାତ୍ ସମୟ ଅନୁସାରେ ସହଯୋଗ ପାଇବା ପାଇଁ ।
ତେଣୁ ଏହି ଅଲୌକିକ ଜୀବନରେ ଚାରୋଟିଯାକ ଶକ୍ତିର ପ୍ରାପ୍ତି ବରଦାନ ରୂପରେ ହେଉ ବା ପୈତୃକ
ସମ୍ପତ୍ତି ରୂପରେ ହେଉ, ମିଳିଯାଇଥାଏ । ତେବେ ଯାହାକୁ ଚାରୋଟି ଯାକ ଶକ୍ତି ପ୍ରାପ୍ତ ହୋଇଥିବ ସେହି
ଆତ୍ମାର ସବୁ ସମୟର ସ୍ଥିତି କିପରି ହୋଇଥିବ? ସର୍ବଦା ମାଷ୍ଟର ସର୍ବଶକ୍ତିବାନ । ଏହି ସ୍ୱମାନର
ଆସନ ଉପରେ ସର୍ବଦା ସ୍ଥିତ ରହୁଛ? ଏହାକୁ ହିଁ ଅନ୍ୟ ଶବ୍ଦରେ ସ୍ୱ-ଉପରେ ରାଜା ବା ରାଜଯୋଗୀ
କୁହାଯାଏ ଏବଂ ତେବେ ରାଜାମାନଙ୍କର ଭଣ୍ଡାର ମଧ୍ୟ ସର୍ବଦା ଭରପୁର ରହିଥାଏ । ତେଣୁ ରାଜଯୋଗୀ
ଅର୍ଥାତ୍ ସର୍ବଶକ୍ତିର ଭଣ୍ଡାର ସର୍ବଦା ଭରପୁର, ବୁଝିପାରିଲ? ଏହାକୁ ହିଁ କୁହାଯାଏ ଶ୍ରେଷ୍ଠ
ଅଲୌକିକ ବ୍ରାହ୍ମଣ ଜୀବନ । ତେଣୁ ସର୍ବଦା ମାଲିକ ହୋଇ ସର୍ବଶକ୍ତିକୁ କାର୍ଯ୍ୟରେ ଲଗାଅ । ଯଥା
ଶକ୍ତି ପରିବର୍ତ୍ତେ ସଦା ଶକ୍ତିଶାଳୀ ହୁଅ । ଅର୍ଜି କରୁଥିବା ଆତ୍ମା ନୁହେଁ ସର୍ବଦା ରାଜୀ
ରହୁଥିବା ଆତ୍ମା ହୁଅ । ଆଚ୍ଛା!
ମଧୁବନକୁ ଆସିବାର ସୁଯୋଗ ତ ସମସ୍ତଙ୍କୁ ମିଳୁଛି ନା । ପ୍ରାପ୍ତ ହେଉଥିବା ଏହି ଭାଗ୍ୟକୁ ସର୍ବଦା
ସାଥୀରେ ରଖିଥାଅ । ଭାଗ୍ୟ ବିଧାତାଙ୍କୁ ସାଥୀରେ ରଖିବା ଅର୍ଥ ଭାଗ୍ୟକୁ ସାଥୀରେ ରଖିବା । ଆଜି
ତିନୋଟି ଜୋନ୍ରୁ ପିଲାମାନେ ଆସିଛନ୍ତି । ଅଲଗା ଅଲଗା ସ୍ଥାନର ତିନୋଟି ନଦୀ ଏକାଠି ମିଶିଛନ୍ତି -
ଏହାକୁ ହିଁ ତ୍ରିବେଣୀ ସଂଗମକୁ କୁହାଯାଏ । ବାପଦାଦା ତ ବରଦାତା ହୋଇ ସମସ୍ତଙ୍କୁ ବରଦାନ ଦେଉଛନ୍ତି,
କିନ୍ତୁ ବରଦାନ ଗୁଡିକୁ କାର୍ଯ୍ୟରେ ଲଗାଇବା ନିଜ ଉପରେ ନିର୍ଭର କରୁଛି । ଆଚ୍ଛା!
ଚାରିଆଡର ସମସ୍ତ ବର୍ସା ଏବଂ ବରଦାନର ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସମସ୍ତ ମାଷ୍ଟର
ସର୍ବଶକ୍ତିବାନ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ସନ୍ତୁଷ୍ଟତାର ତରଙ୍ଗ ବ୍ୟାପ୍ତ କରୁଥିବା
ସନ୍ତୁଷ୍ଟ ଆତ୍ମାମାନଙ୍କୁ, ସର୍ବଦା ପରମାର୍ଥ ଦ୍ୱାରା ବ୍ୟବହାରରେ ସିଦ୍ଧି ପ୍ରାପ୍ତ କରୁଥିବା
ମହାନ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ଏବଂ ଶକ୍ତି ସମ୍ପନ୍ନ ୟାଦପ୍ୟାର ଏବଂ ନମସ୍ତେ ।
“ସମସ୍ତଙ୍କ ସହଯୋଗରେ
ସୁଖମୟ ସଂସାର” କାର୍ଯ୍ୟକ୍ରମ ବିଷୟରେ ଅବ୍ୟକ୍ତ ବାପଦାଦାଙ୍କର ଶୁଭ ପ୍ରେରଣା :-
ଏହି ବିଷୟ ବସ୍ତୁଟି ଏଭଳି ଅଟେ ଯାହାକି ଆପେ ଆପେ ସମସ୍ତେ ସହଯୋଗ ଦେବା ପାଇଁ ଅଫର କରିବେ ଅର୍ଥାତ୍
ଆଗେଇ ଆସିବେ । ସହଯୋଗ ଦ୍ୱାରା ସମ୍ବନ୍ଧରେ ମଧ୍ୟ ଆସିବେ ସେଥିପାଇଁ ଆପେ ଆପେ ଅଫର ମିଳିବ କେବଳ
ଶୁଭଭାବନା ଏବଂ ଶୁଭକାମନାରେ ସମ୍ପନ୍ନ ହୋଇ ସେବାଧାରୀମାନେ ଆଗକୁ ବଢି ଚାଲନ୍ତୁ । କାରଣ
ଶୁଭଭାବନାର ଫଳ ପ୍ରାପ୍ତ ନ ହେବା ଅସମ୍ଭବ ଅଟେ । ତେଣୁ ସେବାଧାରୀମାନଙ୍କର ଶୁଭଭାବନା ଏବଂ
ଶୁଭକାମନାଯୁକ୍ତ ଧରଣୀ ସହଜରେ ଫଳ ପ୍ରାପ୍ତି କରାଇବାର ନିମିତ୍ତ ହେବ । ତେବେ ଫଳ ତ ପ୍ରସ୍ତୁତ
ହୋଇ ରହିଛି କେବଳ ଧରଣୀ ପ୍ରସ୍ତୁତ ହେବାରେ ଟିକିଏ ବିଳମ୍ବ ହେଉଛି । ଫଳ ତ ତୁରନ୍ତ ହିଁ
ମିଳିଚାଲିବ କିନ୍ତୁ ସେଥିପାଇଁ ଯୋଗ୍ୟ ଧରଣୀ ଆବଶ୍ୟକ । ବର୍ତ୍ତମାନ ସେହି ଧରଣୀ ପ୍ରସ୍ତୁତ ହେଉଛି
।
ଏମିତି ତ ସମସ୍ତଙ୍କର ସେବା କରିବା ଆବଶ୍ୟକ କିନ୍ତୁ ତୁମେମାନେ ଯେଉଁ ସବୁ ବିଶେଷ ସତ୍ତା ଗୁଡିକର
ସେବା କରିଛ ସେମାନଙ୍କ ଭିତରୁ କେହି ବି ନିକଟ ସମ୍ବନ୍ଧରେ ଆସି ନାହାଁନ୍ତି । ଚାହେଁ ରାଜ୍ୟସତ୍ତା
ବାଲାଙ୍କର ସେବା କରିଛ ବା ଧର୍ମସତ୍ତା ବାଲାଙ୍କର ମଧ୍ୟ ସେବା କରିଛ, କିନ୍ତୁ ସହଯୋଗୀ ହୋଇ ନିକଟକୁ
ଆସିବା ବା ସମୟ ଅନୁସାରେ ସହଯୋଗୀ ହେବାର ଆବଶ୍ୟକତା ରହିଛି । ସେଥିପାଇଁ ଶକ୍ତିଶାଳୀ ବାଣ
ମାରିବାକୁ ପଡିବ । ତେବେ ସବୁଠାରୁ ଶକ୍ତିଶାଳୀ ବାଣ ତାକୁ କୁହାଯିବ ଯେଉଁଥିରେ ସର୍ବ ଆତ୍ମାଙ୍କର
ସହଯୋଗର ଭାବନା, ଖୁସିର ଭାବନା ଏବଂ ସଦ୍ଭାବନା ରହିଛି । ତାହା ଦ୍ୱାରା ସମସ୍ତ କାର୍ଯ୍ୟ ଅତି
ସହଜରେ ସଫଳ ହୋଇଥାଏ । ଏବେ ତୁମେମାନେ ଯେଉଁ ସବୁ ସେବା କରୁଛ ତାହା ଅଲଗା-ଅଲଗା ଭାବରେ କରୁଛ,
କିନ୍ତୁ ପୂର୍ବ ସମୟରେ ଯେପରି କୌଣସି କାର୍ଯ୍ୟ କରିବାକୁ ଗଲେ ସାରା ପରିବାରର ଆଶୀର୍ବାଦ ନେଇ
ଯାଉଥିଲେ ଏବଂ ସେହି ଆଶୀର୍ବାଦ ହିଁ ସବୁ କିଛି ସହଜ କରିଦେଉଥିଲା । ତେଣୁ ବର୍ତ୍ତମାନ ମଧ୍ୟ
ସେବାର ବିଧିରେ ଏହିଭଳି ଅଭିବୃଦ୍ଧି ହେବା ଦରକାର । ତେଣୁ ଯେକୌଣସି କାର୍ଯ୍ୟ ଆରମ୍ଭ କରିବା
ପୂର୍ବରୁ ସମସ୍ତଙ୍କଠାରୁ ଶୁଭକାମନା, ଶୁଭ ଭାବନା ନିଅ, ସମସ୍ତଙ୍କର ସନ୍ତୁଷ୍ଟତାର ଶକ୍ତି ଭର,
ତେବେ ଯାଇ ଶକ୍ତିଶାଳୀ ଫଳ ମିଳିବ । ଏବେ ଆଉ ଅଧିକ ମେହନତ କରିବାର ଆବଶ୍ୟକତା ନାହିଁ । ଏବେ ତ
ସମସ୍ତେ ଶକ୍ତିହୀନ ହୋଇପଡିଛନ୍ତି ତେଣୁ ମେହନତ କରିବାର ଆବଶ୍ୟକତା ନାହିଁ । କେବଳ ଟିକିଏ ଫୁଙ୍କି
ଦେଲେ ଉଡି ଆସି ଏଠାରେ ପହଞ୍ଚି ଯିବେ - ଏଭଳି ଶକ୍ତିହୀନ ହୋଇଯାଇଛନ୍ତି । ତେବେ ଆଜିକାଲି ତ
ସମସ୍ତେ ଭାବୁଛନ୍ତି ଯେ ଅନ୍ୟ କୌଣସି ଏକ ଶକ୍ତି ଦରକାର ଯାହାକି ସବୁ କିଛି ନିୟନ୍ତ୍ରଣ
କରିପାରୁଥିବ - ଚାହେଁ ରାଜ୍ୟକୁ, ଚାହେଁ ଧର୍ମକୁ । ଭିତରେ ଭିତରେ ଖୋଜୁଛନ୍ତି କେବଳ ବ୍ରାହ୍ମଣ
ଆତ୍ମାମାନଙ୍କର ସେବା କରିବାର ବିଧିରେ ଅନ୍ତର ଅର୍ଥାତ୍ ପରିବର୍ତ୍ତନ ହେବା ଦରକାର ଯାହାକି
ସେମାନଙ୍କ ପାଇଁ ମନ୍ତ୍ର ପାଲଟିଯିବ । ତେଣୁ ଏବେ ଏଭଳି ହେଉ ଯାହାକି ମନ୍ତ୍ର କରିବା ଦ୍ୱାରା
ସିଦ୍ଧି ମିଳିଯିବ । ୫୦ ବର୍ଷ (୧୯୩୭ ରୁ ୧୯୮୭) ତ ମେହନତ କରି ଆସିଲ, ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଥିଲା କାରଣ ଅନୁଭବୀ ହୋଇଗଲ । ଏବେ ପ୍ରତ୍ୟେକ କାର୍ଯ୍ୟରେ ଏହି ଲକ୍ଷ୍ୟ ରଖ ଯେ “
ସମସ୍ତଙ୍କ ସହଯୋଗରେ ସଫଳତା” - ଏହା ହେଉଛି ବ୍ରାହ୍ମଣ ମାନଙ୍କ ପାଇଁ ଟପିକ୍ । ବାକି ଦୁନିଆର
ଲୋକମାନଙ୍କ ପାଇଁ ଟପିକ୍ ହେଲା - “ସମସ୍ତଙ୍କର ସହଯୋଗରେ ସୁଖମୟ ସଂସାର” ।
ଆଚ୍ଛା! ଏବେ ତ ତୁମମାନଙ୍କର ସିଦ୍ଧିର ପ୍ରତ୍ୟକ୍ଷ ରୂପ ଦେଖାଯିବ । କୌଣସି ବିଗିଡି ଯାଇଥିବା
କାର୍ଯ୍ୟ ମଧ୍ୟ ତୁମମାନଙ୍କର ଦୃଷ୍ଟି ଦ୍ୱାରା, ତୁମମାନଙ୍କର ସହଯୋଗ ଦ୍ୱାରା ସହଜରେ ସମାଧାନ
ହୋଇଯିବ, ଯେଉଁ କାରଣରୁ ଭକ୍ତିମାର୍ଗରେ ଧନ୍ୟ ଧନ୍ୟ କହି ଡାକିବେ । ଏହି ସବୁ ସିଦ୍ଧି ଗୁଡିକ
ମଧ୍ୟ ତୁମମାନଙ୍କ ସମ୍ମୁଖକୁ ପ୍ରତ୍ୟକ୍ଷ ରୂପରେ ଆସିବ । କୌଣସି କଥାକୁ ସିଦ୍ଧି କରିବା ଅର୍ଥାତ୍
ପ୍ରମାଣିତ କରିବା ହିସାବରେ ତୁମେମାନେ କହିବ ନାହିଁ ଯେ ହଁ ଏହା ନିଶ୍ଚିତ ହେବ କିନ୍ତୁ
ତୁମମାନଙ୍କର ନିର୍ଦ୍ଦେଶ ଆପେ ଆପେ ସିଦ୍ଧି ପ୍ରାପ୍ତ କରାଇ ଚାଲିବ । ତେବେ ଯାଇ ତ ପ୍ରଜାମାନେ
ଶୀଘ୍ର ଶୀଘ୍ର ପ୍ରସ୍ତୁତ ହେବେ, ଅନ୍ୟ ସବୁ ଆଡୁ ବାହାରି ଆସିବେ ଏବଂ ତୁମ ନିକଟକୁ ହିଁ ଆସିବେ ।
ଏହିଭଳି ସିଦ୍ଧିର ପାର୍ଟ ମଧ୍ୟ ବର୍ତ୍ତମାନ ଆରମ୍ଭ ହୋଇଯିବ । କିନ୍ତୁ ପ୍ରଥମେ ତୁମେମାନେ ଏତେ
ଶକ୍ତିଶାଳୀ ହୋଇଯାଅ ଯାହାକି କୌଣସି ପ୍ରକାରର ସିଦ୍ଧିକୁ ସ୍ୱୀକାର କର ନାହିଁ, ତେବେ ଯାଇ ଏହିଭଳି
ପ୍ରତ୍ୟକ୍ଷତା ହେବ, ନଚେତ୍ ଅନ୍ୟକୁ ସିଦ୍ଧି ପ୍ରଦାନ କରୁଥିବା ଆତ୍ମାମାନେ ଯଦି ନିଜେ ସିଦ୍ଧି
ଗୁଡିକୁ ସ୍ୱୀକାର କରିବାରେ ଲାଗି ପଡିବେ ତେବେ କ’ଣ କରାଯିବ? ତେଣୁ ଏହି ସବୁ କଥା ଏହିଠାରୁ ହିଁ
ଆରମ୍ଭ ହେବ । ବାବାଙ୍କ ପାଇଁ ଯେଉଁ ସବୁ ଗାୟନ ରହିଛି ଯେ - ସେ ଡାକ୍ତର ମଧ୍ୟ ଅଟନ୍ତି,
ଇଞ୍ଜିନିୟର ମଧ୍ୟ ଅଟନ୍ତି, ଓକିଲ ତଥା ଜଜ୍ ମଧ୍ୟ ଅଟନ୍ତି । ଏହାକୁ ପ୍ରତ୍ୟକ୍ଷ ରୂପରେ ସମସ୍ତେ
ଅନୁଭବ କରିବେ, ତେବେ ଯାଇ ସବୁଆଡୁ ବୁଦ୍ଧି ହଟିବ ଏବଂ ଜଣଙ୍କ ଆଡକୁ ହିଁ ଯିବ ।
ଏବେ ତ ତୁମମାନଙ୍କ ପଛରେ ଭିଡ ଲାଗିବାକୁ ଯାଉଛି । ବାପଦାଦା ତ ଭିଡ ଲାଗିବାର ଦୃଶ୍ୟକୁ ମଧ୍ୟ
ଦେଖୁଛନ୍ତି ଏବଂ କେବେ କେବେ ବର୍ତ୍ତମାନର ଦୃଶ୍ୟକୁ ମଧ୍ୟ ଦେଖୁଛନ୍ତି, ଯେଉଁଥିରେ ବହୁତ ଫରକ
ଦେଖାଯାଉଛି । ତେବେ ତୁମେମାନେ ବାସ୍ତବରେ କ’ଣ ଅଟ, ତାହା କେବଳ ବାବା ହିଁ ଜାଣିଛନ୍ତି! ଆଗକୁ ତ
ବହୁତ ଆଶ୍ଚର୍ଯ୍ୟଜନକ ପାର୍ଟ ଚାଲିବ ଯାହାକି ତୁମମାନଙ୍କର ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ନଥିବ ।
କେବଳ ଟିକିଏ ଅଟକି ରହିଛି, ବାସ୍ । ଯେପରି ପରଦା ଟାଣିବା ସମୟରେ କେବେ କେବେ ଅଟକିଯାଇଥାଏ ଏବଂ
ପତାକା ଉଡାଇବା ସମୟରେ ମଧ୍ୟ କେବେ କେବେ ଅଟକି ଯାଇଥାଏ, ସେହିଭଳି ବର୍ତ୍ତମାନ ଟିକିଏ ଟିକିଏ ଅଟକି
ଯାଉଛି । ତୁମେମାନେ ଯିଏ ଅଟ, ଯେଉଁଭଳି ଅଟ - ବହୁତ ମହାନ ଆତ୍ମା ଅଟ । ଯେତେବେଳେ ତୁମମାନଙ୍କର
ବିଶେଷତା ଗୁଡିକ ପ୍ରତ୍ୟକ୍ଷ ହେବ ସେତେବେଳେ ଯାଇ ତ ଇଷ୍ଟ ଦେବ ହେବ । ଶେଷରେ ଭକ୍ତମାଳା ମଧ୍ୟ
ପ୍ରତ୍ୟକ୍ଷ ହେବ ନା କିନ୍ତୁ ପ୍ରଥମେ ଠାକୁରମାନେ ସଜ-ବାଜ ହୋଇ ପ୍ରତ୍ୟକ୍ଷ ହୋଇ ଯାଆନ୍ତୁ, ତା’ପରେ
ତ ଭକ୍ତମାନେ ଆସିବେ ନା । ଆଚ୍ଛା!
ରଦାନ:-
ନିଜର ଆରାମକୁ
ମଧ୍ୟ ତ୍ୟାଗ କରି ସେବା କରୁଥିବା ସଦା ସନ୍ତୁଷ୍ଟ, ସଦା ହର୍ଷିତ ଆତ୍ମା ହୁଅ ।
ସେବାଧାରୀମାନେ ନିଜର
ରାତି-ଦିନର ଆରାମକୁ ମଧ୍ୟ ତ୍ୟାଗ କରି ସେବାରେ ହିଁ ଆରାମ ଅନୁଭବ କରିଥା’ନ୍ତି । ସେମାନଙ୍କ
ସମ୍ପର୍କରେ ରହୁଥିବା ଆତ୍ମାମାନେ ବା ସମ୍ବନ୍ଧରେ ଆସୁଥିବା ଆତ୍ମାମାନେ ଏଭଳି ଆପଣା ପଣିଆର ଅନୁଭବ
କରିଥା’ନ୍ତି ଯେପରି ଶୀତଳାର, ଶକ୍ତିର ବା ଶାନ୍ତିର ଝରଣା ତଳେ ବସିଛନ୍ତି । ତେବେ ଶ୍ରେଷ୍ଠ
ଚରିତ୍ରବାନ୍ ସେବାଧାରୀମାନେ କାମଧେନୁ ହୋଇ ସଦାକାଳ ପାଇଁ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ
କରିଦେଇଥା’ନ୍ତି । ଏହିଭଳି ସେବାଧାରୀଙ୍କୁ ସଦା ହର୍ଷିତ ଏବଂ ସଦା ସନ୍ତୁଷ୍ଟ ରହିବାର ବରଦାନ
ସ୍ୱତଃ ପ୍ରାପ୍ତ ହୋଇଯାଏ ।
ସ୍ଲୋଗାନ:-
ଯଦି ଜ୍ଞାନ
ସ୍ୱରୂପ ଆତ୍ମା ହେବାକୁ ଚାହୁଁଛ ତେବେ ସବୁ ସମୟରେ ପାଠପଢା ଉପରେ ଧ୍ୟାନ ରଖିଥାଅ, ବାବାଙ୍କ ପ୍ରତି
ଏବଂ ପାଠପଢା ପ୍ରତି ମଧ୍ୟ ସମାନ ସ୍ନେହ ରଖିଥାଅ ।