07.04.19    Avyakt Bapdada     Odia Murli     29.04.84     Om Shanti     Madhuban


ଜ୍ଞାନ ସୂର୍ଯ୍ୟଙ୍କର ଆତ୍ମିକ ତାରକାମାନଙ୍କର ଭିନ୍ନ ଭିନ୍ନ ବିଶେଷତା

 


ଆଜି ଜ୍ଞାନ ସୂର୍ଯ୍ୟ ଶିବବାବା, ଜ୍ଞାନ ଚନ୍ଦ୍ରମା ବ୍ରହ୍ମାବାବା ନିଜର ଭିନ୍ନ ଭିନ୍ନ ତାରକାମାନଙ୍କୁ ଦେଖୁଛନ୍ତି । କେହି କେହି ସ୍ନେହୀ ତାରକା ଅଟନ୍ତି, କେହି ସହଜଯୋଗୀ, କେହି ଶ୍ରେଷ୍ଠ ଜ୍ଞାନୀ, ଆଉ କେହି ସେବାରେ ବିଶେଷ ଉମଙ୍ଗ-ଉତ୍ସାହ ରଖୁଥିବା ତାରକା ମଧ୍ୟ ଅଟନ୍ତି । କେହି କେହି ପରିଶ୍ରମର ଫଳ ଭୋଗ କରୁଥିବା ତାରକା ମଧ୍ୟ ଅଛନ୍ତି, ଆଉ କେହି ସହଜରେ ସଫଳତାକୁ ପ୍ରାପ୍ତ କରୁଥିବା ତାରକା ମଧ୍ୟ ଅଛନ୍ତି । ଏହିଭଳି ସମସ୍ତ ତାରକାମାନେ ଭିନ୍ନ ଭିନ୍ନ ବିଶେଷତାରେ ପରିପୂର୍ଣ୍ଣ ଅଟନ୍ତି । ଜ୍ଞାନସୂର୍ଯ୍ୟଙ୍କ ଦ୍ୱାରା ସମସ୍ତ ତାରାମାନଙ୍କୁ ରୁହାନୀ ଆଲୋକ ମିଳୁଥିବା କାରଣରୁ ଚମକୁଥିବା ତାରା ତ ହୋଇଯାଇଛନ୍ତି କିନ୍ତୁ ପ୍ରତ୍ୟେକ ପ୍ରକାରର ତାରାମାନଙ୍କର ବିଶେଷତାର ଚମକ ଭିନ୍ନ ଭିନ୍ନ ଅଟେ । ଯେପରି ସ୍ଥୂଳ ତାରକାଗୁଡିକ ଭିନ୍ନ ଭିନ୍ନ ଗ୍ରହ ରୂପରେ ଭିନ୍ନ ଭିନ୍ନ ଅଳ୍ପକାଳର ଫଳ ପ୍ରାପ୍ତ କରାଉଛନ୍ତି, ସେହିପରି ଜ୍ଞାନ ସୂର୍ଯ୍ୟଙ୍କର ରୁହାନୀ ଅର୍ଥାତ୍ ଆତ୍ମିକ ତାରାମାନଙ୍କର ମଧ୍ୟ ସର୍ବ ଆତ୍ମାଙ୍କ ସହିତ ଅବିନାଶୀ ପ୍ରାପ୍ତି କରାଇବାର ସମ୍ବନ୍ଧ ରହିଛି । ଯିଏ ଯେପରି ଏବଂ ଯେଉଁ ବିଶେଷତାରେ ସମ୍ପନ୍ନ ଅଟନ୍ତି ସେହି ଅନୁସାରେ ଫଳ ପ୍ରାପ୍ତ କରାଇବାରେ ନିମିତ୍ତ ହୋଇଥାନ୍ତି । ଯିଏ ଯେତେ ନିଜେ ଜ୍ଞାନ ସୂର୍ଯ୍ୟ ବା ଜ୍ଞାନ ଚନ୍ଦ୍ରମାଙ୍କର ନିକଟତର ଅଟନ୍ତି ସେହି ଅନୁସାରେ ଅନ୍ୟମାନଙ୍କୁ ମଧ୍ୟ ନିକଟ ସମ୍ବନ୍ଧକୁ ଆଣୁଛନ୍ତି ଅର୍ଥାତ୍ ଜ୍ଞାନସୂର୍ଯ୍ୟଙ୍କ ଦ୍ୱାରା ମିଳିଥିବା ବିଶେଷତା ଏବଂ ଶକ୍ତି ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ଏତେ ନିକଟକୁ ଆଣୁଛନ୍ତି, ଯାହାକି ସେମାନଙ୍କର ମଧ୍ୟ ସିଧାସଳଖ ଜ୍ଞାନସୂର୍ଯ୍ୟ ଏବଂ ଜ୍ଞାନ ଚନ୍ଦ୍ରମାଙ୍କ ସହିତ ସମ୍ବନ୍ଧ ଯୋଡି ହୋଇଯାଉଛି । ତେବେ ତୁମେ ସମସ୍ତେ ଏହିଭଳି ତାରକା ଅଟ ନା! ତେଣୁ ଯେଉଁମାନେ ନିଜେ ଶକ୍ତିଶାଳୀ ନୁହଁନ୍ତି ବା ନିକଟତର ନୁହଁନ୍ତି, ସେମାନେ ଅନ୍ୟମାନଙ୍କର ମଧ୍ୟ ସିଧାସଳଖ ସମ୍ବନ୍ଧ ଯୋଡିପାରିବେ ନାହିଁ । ଦୂରରେ ରହୁଥିବା କାରଣରୁ ସେହି ତାରକାମାନଙ୍କ ବିଶେଷତା ଅନୁସାରେ ସେମାନଙ୍କ ଦ୍ୱାରା ଯେତିକି ଶକ୍ତି ବା ସମ୍ବନ୍ଧ ସମ୍ପର୍କ ପ୍ରାପ୍ତ କରି ହେବ ସେତିକି ହିଁ ପ୍ରାପ୍ତ କରିଥାନ୍ତି କାରଣ ସେମାନଙ୍କର ସିଧାସଳଖ ଶକ୍ତି ନେବାର ସାମର୍ଥ୍ୟ ନଥାଏ, ସେଥିପାଇଁ ଯେପରି ଜ୍ଞାନସୂର୍ଯ୍ୟ ଉଚ୍ଚରୁ ଉଚ୍ଚ ଅଟନ୍ତି, ବିଶେଷ ତାରକାମାନେ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟନ୍ତି ସେହିପରି ଊଚ୍ଚା ସ୍ଥିତିର ଅନୁଭବ କରିପାରନ୍ତି ନାହିଁ । ଯଥା ଶକ୍ତି, ଯଥା ପ୍ରାପ୍ତି କରିଥାଆନ୍ତି । ଯେପରି ଶକ୍ତିଶାଳୀ ସ୍ଥିତି ହେବା ଉଚିତ୍ ସେହିଭଳି ଅନୁଭବ କରିନଥାନ୍ତି ।

ଏହିଭଳି ଆତ୍ମାମାନଙ୍କର ମନ ଭିତରୁ ବା ମୁଖରୁ ସର୍ବଦା ଏହି ବାଣୀ ବାହାରିଥାଏ ଯେ ଏହିଭଳି ହେବା ଉଚିତ୍ କିନ୍ତୁ ହେଉନାହିଁ । ଏହିଭଳି ପରିବର୍ତ୍ତନ ହେବା ଉଚିତ୍, ଏହିଭଳି କରିବା ଉଚିତ୍ କିନ୍ତୁ ହୋଇପାରୁ ନାହିଁ । ଏହିମାନଙ୍କୁ ହିଁ କୁହାଯାଏ ଯଥାଶକ୍ତି ଆତ୍ମା, କାରଣ ଏମାନେ ସର୍ବଶକ୍ତିବାନ ଆତ୍ମା ନୁହଁନ୍ତି । ଏହିଭଳି ଆତ୍ମାମାନେ ନିଜର ବା ଅନ୍ୟମାନଙ୍କର ବିଘ୍ନ ବିନାଶକ ହୋଇ ପାରିବେ ନାହିଁ । ଟିକିଏ ଆଗକୁ ବଢିଥିବେ କି ନାହିଁ ପୁଣି ବିଘ୍ନ ଆସିଯାଏ । ଗୋଟିଏ ବିଘ୍ନକୁ ସମାପ୍ତ କରିଲେ, ସାହସ ଏବଂ ଖୁସିର ଅନୁଭବ କରିଲେ ପୁଣି ଆଉ ଗୋଟିଏ ବିଘ୍ନ ଆସିଯିବ । ସେମାନଙ୍କର ଜୀବନର ଅର୍ଥାତ୍ ପୁରୁଷାର୍ଥର ରେଖା ସଦା ସର୍ବଦା ସ୍ପଷ୍ଟ ନଥିବ । ଅଟକିବା, ଆଗେଇବା ଏହି ବିଧିରେ ଆଗକୁ ବଢିଚାଲିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ବଢାଉଥିବେ ସେଥିପାଇଁ ଅଟକିବା ଏବଂ ଆଗେଇବା କାରଣରୁ ତୀବ୍ରଗତିର ଅନୁଭବ ହୋଇନଥାଏ । କେତେବେଳେ ଚାଲିବାର କଳା (ସ୍ଥିତି), କେତେବେଳେ ଚଢିବାର କଳା, କେତେବେଳେ ଉଡିବାର କଳା । ଏକାଭଳି ଶକ୍ତିଶାଳୀ ସ୍ଥିତିର ଅନୁଭୁତି ହୋଇନଥାଏ । କେତେବେଳେ ସମସ୍ୟା ସ୍ୱରୂପ, କେତେବେଳେ ସମାଧାନ ସ୍ୱରୂପ କାରଣ ଯଥା ଶକ୍ତି ଅଟନ୍ତି । ଜ୍ଞାନ ସୂର୍ଯ୍ୟଙ୍କଠାରୁ ସର୍ବଶକ୍ତିକୁ ଗ୍ରହଣ କରିବାର ଶକ୍ତି ନାହିଁ । ମଝିରେ କୌଣସି ସାହାରା ନିଶ୍ଚିତ ଦରକାର । ଏମାନଙ୍କୁ କୁହାଯାଏ ଯଥାଶକ୍ତି ଆତ୍ମା ।

ଯେପରି ଏଠାରେ ଉଚ୍ଚ-ଉଚ୍ଚ ପାହାଡ ଉପରକୁ ଚଢୁଛ । କୌଣସି ବି ବାହାନରେ ଆସୁଛ, ଚାହେଁ ବସରେ, ଚାହେଁ କାରରେ କିନ୍ତୁ ଇଞ୍ଜିନ ଯଦି ଶକ୍ତିଶାଳୀ ଅଛି ତେବେ ତୀବ୍ର ଗତିରେ ଏବଂ ବିନା କୌଣସି ପାଣି ପବନ ଆଧାରରେ ସିଧାସଳଖ ଆସି ପହଞ୍ଚି ଯାଉଛ । କିନ୍ତୁ ଇଞ୍ଜିନ ଯଦି ଦୁର୍ବଳ ଅଛି ତେବେ ବାଟରେ ଅଟକି ପାଣି ବା ପବନର ସାହାରା ନେବାକୁ ପଡିଥାଏ ଅର୍ଥାତ୍ ଥଣ୍ଡା କରିବାକୁ ପଡିଥାଏ । ନନଷ୍ଟପ୍ ନୁହେଁ, ଷ୍ଟପ୍ କରିବାକୁ ପଡିଥାଏ । ସେହିଭଳି ଯଥାଶକ୍ତି ଆତ୍ମାମାନେ କୌଣସି ନା କୌଣସି ଆତ୍ମାର, ସହଯୋଗର, ସାଧନର ଆଧାର ନେବା ବିନା ତୀବ୍ରଗତିରେ ଉଡିବାର କଳା ଅର୍ଥାତ୍ ଉଚ୍ଚା ସ୍ଥିତି ରୂପୀ ଲକ୍ଷ ସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । କେବେ ପାଣି ଦରକାର, କେବେ ପବନ ଦରକାର, କେବେ ଧକ୍କା ଅର୍ଥାତ୍ ସାହାଯ୍ୟ ଦରକାର । ତେବେ କଣ ଏହାକୁ ଶକ୍ତିଶାଳୀ କୁହାଯିବ ? ମୁଁ ଅଧିକାରୀ ତ ଅଟେ, ନେବାରେ ତ ନମ୍ବରୱାନ ଅଧିକାରୀ, କାହାଠାରୁ କମ୍ ନୁହେଁ । କିନ୍ତୁ କରିବା ବେଳେ କଣ କୁହନ୍ତି ? ମୁଁ ତ ଛୋଟ ପିଲା, ଏବେ ନୂଆ ଅଟେ, ପୁରୁଣା ହୋଇନାହିଁ । ସମ୍ପୂର୍ଣ୍ଣ କଣ ହେଲାଣି! ଏବେ ତ ବହୁତ ସମୟ ଅଛି । ବଡମାନଙ୍କର ସବୁ ଦୋଷ, ଆମର ନୁହେଁ । ଆମେ ତ ଶିଖୁଛୁ, ଧୀରେ ଧୀରେ ଶିଖିଯିବୁ । ବାପଦାଦା ତ ସବୁବେଳେ କହୁଛନ୍ତି ସମସ୍ତଙ୍କୁ ସୁଯୋଗ ଦେବା ଦରକାର । ଆମକୁ ମଧ୍ୟ ଏହି ସୁଯୋଗ ମିଳିବା ଦରକାର । ଆମ କଥା ଶୁଣିବା ଦରକାର । ନେବାରେ ଆମେ କିନ୍ତୁ କରିବାରେ କହିବେ ବଡମାନେ ଯେପରି କରିବେ । ଅଧିକାର ନେବାରେ ଏବେ କିନ୍ତୁ କରିବା କ୍ଷେତ୍ରରେ କେବେ କରିଦେବୁ ବୋଲି କହିବେ । ନେବାବେଳେ ବଡ ହୋଇଯାଆନ୍ତି କିନ୍ତୁ କରିବାବେଳେ ଛୋଟ ହୋଇ ଯାଆନ୍ତି । ଏମାନଙ୍କୁ କୁହାଯାଏ ଯଥାଶକ୍ତି ଆତ୍ମା ।

ତେଣୁ ବାପଦାଦା ଏହିଭଳି କଉତିଆ ଖେଳ ଦେଖି ଦେଖି ହର୍ଷିତ ହେଉଛନ୍ତି । ବାବା ତ ଚତୁର ସୁଜାନ ଅର୍ଥାତ୍ ମହାଚତୁର ଅଟନ୍ତି କିନ୍ତୁ ମାଷ୍ଟର ଚତୁର ସୁଜାନ ପିଲାମାନେ ମଧ୍ୟ କମ୍ ନୁହଁନ୍ତି ସେଥିପାଇଁ ଏବେ ଯଥା ଶକ୍ତି ଆତ୍ମାରୁ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ହୋଇଯାଅ । କରିଲାବାଲା ହୁଅ ତେବେ ଯାଇ ଶକ୍ତିଶାଳୀ କର୍ମର ଫଳ, ଶୁଭଭାବନା, ଶ୍ରେଷ୍ଠ କାମନାର ଫଳ ଆପେ ଆପେ ମିଳିଯିବ । ସର୍ବପ୍ରାପ୍ତି ଆପେ ଆପେ ତୁମ ପଛେ ପଛେ ଛାଇ ରୂପରେ ନିଶ୍ଚିତ ଆସିବ । କେବଳ ଜ୍ଞାନ ସୂର୍ଯ୍ୟଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଶକ୍ତି ରୂପୀ ଆଲୋକରେ ଚାଲୁଥାଅ ତେବେ ସର୍ବ ପ୍ରାପ୍ତି ରୂପକ ଛାଇ ଆପେ ଆପେ ତୁମ ପଛରେ ଆସିବ । ବୁଝିଲ! ତେବେ ବାପଦାଦା ଆଜି ଯଥାଶକ୍ତି ଏବଂ ଶକ୍ତିଶାଳୀ ଆତ୍ମାମାନଙ୍କର ରିମଝିମକୁ ଦେଖୁଥିଲେ । ଆଚ୍ଛା!

ସମସ୍ତେ ତୀବ୍ରଗତିରେ ଦୌଡି ଦୌଡି ଆସି ପହଞ୍ଚିଯାଇଛନ୍ତି । ଯେହେତୁ ପିତାଙ୍କ ଘରେ ପହଞ୍ଚି ଯାଇଛ ତେବେ ପିତା ତ ନିଶ୍ଚିତ କହିବେ ଆସିଲ ଭଲ ହେଲା । ଯେଉଁଭଳି ଏବଂ ଯେତିକି ବି ସ୍ଥାନ ଅଛି ଏହି ଘର ତ ତୁମମାନଙ୍କର ହିଁ ଅଟେ । ଘର ତ ଗୋଟିଏ ଦିନରେ ବଢିଯିବ ନାହିଁ କିନ୍ତୁ ପିଲାମାନଙ୍କର ସଂଖ୍ୟା ତ ବଢିଗଲାଣି ନା, ତେଣୁ ସେତିକି ଜାଗା ଭିତରେ ରହିବାକୁ ପଡିବ । ସ୍ଥାନ ଏବଂ ସମୟକୁ ସଂଖ୍ୟା ଅନୁସାରେ ହିଁ ଚଳାଇବାକୁ ପଡିବ । ତେଣୁ ସମସ୍ତେ ସେତିକି ଜାଗା ଭିତରେ ଆଡଜଷ୍ଟ ହୋଇଯାଇଛ ନା । ଏବେ ତ ସବୁ କଥାରେ ଧାଡି ଲଗାଇବାକୁ ହିଁ ପଡିବ । ପୁଣି ବି ଏବେ ତୁମେମାନେ ବହୁତ ଭାଗ୍ୟବାନ ଅଟ କାହିଁକି ନା ପାଣ୍ଡବ ଭବନ ବା ଅନ୍ୟ ଯେଉଁ ସବୁ ସ୍ଥାନ ରହିଛି ତାହା ଭିତରେ ହିଁ ରହିଯାଇଛ । ବାହାର ପର୍ଯ୍ୟନ୍ତ ତ ଧାଡି ଯାଇନାହିଁ ନା! ଆଗକୁ ତ ବୃଦ୍ଧି ନିଶ୍ଚିତ ହେବ ତେଣୁ ଧାଡି ମଧ୍ୟ ନିଶ୍ଚିତ ଲାଗିବ । ସେଥିପାଇଁ ପ୍ରତ୍ୟେକ କଥାରେ ଖୁସି ମଉଜରେ ରୁହ । ପୁଣି ବି ବାବାଙ୍କ ଘର ଭଳି ଆନ୍ତରିକ ସୁଖ ଆଉ କେଉଁଠି ମିଳିପାରିବ? ସେଥିପାଇଁ ସର୍ବଦା ସବୁ ପରିସ୍ଥିତିରେ ଖୁସିରେ ରହିବାକୁ ହେବ, କାରଣ ସଂଗମଯୁଗରେ, ବରଦାନ ଭୂମିରେ ତିନିପାଦ ପୃଥିବୀ ମଧ୍ୟ ସତ୍ୟଯୁଗର ମହଲଠାରୁ ଶ୍ରେଷ୍ଠ ଅଟେ । ବସିବା ପାଇଁ ଏତିକି ଜାଗା ମିଳିଯାଇଛି, ଏହା ମଧ୍ୟ ବହୁତ ଶ୍ରେଷ୍ଠ ଭାଗ୍ୟ । ଏହିଦିନ ଗୁଡିକ ମଧ୍ୟ ଦିନେ ମନେ ପଡିବ । ଏବେ ତ ପୁଣି ବି ଦୃଷ୍ଟି ଏବଂ ଟୋଲୀ ତ ମିଳୁଛି ନା । ଆଗକୁ ତ ଦୃଷ୍ଟି ଏବଂ ଟୋଲୀ ତୁମକୁ ଅନ୍ୟମାନଙ୍କୁ ଦିଆଇବା ପାଇଁ ପଡିବ । ତେବେ ସଂଖ୍ୟାରେ ବୃଦ୍ଧି ହେଉଛି, ଏହା ମଧ୍ୟ ଖୁସିର କଥା ନା । ଯାହା ମିଳୁଛି, ଯେମିତି ମିଳୁଛି ସବୁଥିରେ ସନ୍ତୁଷ୍ଟ ରୁହ କାରଣ ବୃଦ୍ଧି ଅର୍ଥାତ୍ କଲ୍ୟାଣ । ଆଚ୍ଛା!

କର୍ଣ୍ଣାଟକ ଏବେ ବିଶେଷ ଗେହ୍ଲା ହୋଇଗଲାଣି । ମହାରାଷ୍ଟ୍ର ମଧ୍ୟ ସବୁବେଳେ ସଂଖ୍ୟାରେ ମହାନ ହୋଇଯାଉଛି । ଦିଲ୍ଲୀ ମଧ୍ୟ ପ୍ରତିଯୋଗିତା କରୁଛି । ବାବା କହୁଛନ୍ତି ସମସ୍ତେ ବୃଦ୍ଧିକୁ ପ୍ରାପ୍ତ କରୁଥାଅ । ଯୁ.ପୀ ମଧ୍ୟ କାହାଠାରୁ କମ୍ ନୁହେଁ । ପ୍ରତ୍ୟେକ ସ୍ଥାନର ସ୍ୱତନ୍ତ୍ର ବିଶେଷତା ରହିଛି । ତାହା ଆଉ କେବେ ଶୁଣାଇବୁ ।

ବାପଦାଦାଙ୍କୁ ମଧ୍ୟ ସାକାର ଶରୀରର ଆଧାର ନେଉଥିବା କାରଣରୁ ସମୟର ସୀମା ରଖିବାକୁ ପଡୁଛି । କାରଣ ଲୋନ୍ ନେଇଥିବା ଶରୀର ଅଟେ ନା, ନିଜର ତ ନୁହେଁ । ଶରୀରର ଦାୟିତ୍ୱ ମଧ୍ୟ ବାପଦାଦାଙ୍କୁ ନେବାକୁ ପଡୁଛି ସେଥିପାଇଁ ବେହଦର ମାଲିକ ମଧ୍ୟ ହଦ ଅର୍ଥାତ୍ ସୀମା ଭିତରେ ବାନ୍ଧି ହୋଇଯାଉଛନ୍ତି । ଅବ୍ୟକ୍ତ ବତନରେ ତ ସବୁକିଛି ବେହଦ ଅର୍ଥାତ୍ ସୀମାହୀନ ଅଟେ । ଏଠାରେ ତ ସଂଯମ, ସମୟ ଏବଂ ଶାରୀରିକ ଶକ୍ତିକୁ ମଧ୍ୟ ଦେଖିବାକୁ ପଡୁଛି । ତେଣୁ ତୁମେମାନେ ସୂକ୍ଷ୍ମବତନରେ ସେହି ସୀମାହୀନ ସ୍ଥାନକୁ ଆସିଯାଅ ଏବଂ ମିଳନ କର । ସେଠାରେ କେହି ବି କହିବେ ନାହିଁ ଯେ ଏବେ ଆସ, ଏବେ ଯାଅ ବା କ୍ରମଅନୁସାରେ ଆସ । ଖୋଲା ନିମନ୍ତ୍ରଣ କୁହ ବା ଖୋଲା ଅଧିକାର କୁହ । ଚାହେଁ ଦୁଇଟାବେଳେ ଆସ, ଚାହେଁ ୪ଟାବେଳେ ଆସ । ଆଚ୍ଛା!

ସମସ୍ତ ଶକ୍ତିଶାଳୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ଜ୍ଞାନ ସୂର୍ଯ୍ୟଙ୍କର ନିକଟତମ ଏବଂ ସମାନ ଉଚ୍ଚ ସ୍ଥିତିରେ ସ୍ଥିତ ରହୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ପ୍ରତ୍ୟେକ କର୍ମ କରିବାରେ ପ୍ରଥମେ ମୁଁ କରିବି ଏହିଭଳି ଉମଙ୍ଗ-ଉତ୍ସାହ ରଖିଥିବା ସାହସୀ ଆତ୍ମାମାନଙ୍କୁ, ସର୍ବଦା ସମସ୍ତଙ୍କୁ ଶକ୍ତିଶାଳୀ ଆତ୍ମାରେ ପରିଣତ କରୁଥିବା ସମସ୍ତ ନିକଟତମ ସନ୍ତାନମାନଙ୍କୁ, ଜ୍ଞାନସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମାଙ୍କର ସ୍ନେହସମ୍ପନ୍ନ ସ୍ମୃତି ଏବଂ ନମସ୍ତେ ।

ଦାଦୀମାନଙ୍କ ସହିତ:- ବାପଦାଦା ତୁମମାନଙ୍କ ପାଇଁ ଗର୍ବ କରୁଛନ୍ତି । କେଉଁ କଥାରେ ଗର୍ବ କରୁଛନ୍ତି ? ବାବା ସର୍ବଦା ନିଜର ସମାନ ପିଲାମାନଙ୍କୁ ଦେଖି ଗର୍ବ କରୁଛନ୍ତି । ପିଲାମାନେ ଯେତେବେଳେ ବାପଠାରୁ ମଧ୍ୟ ବିଶେଷ କାର୍ଯ୍ୟ କରି ଦେଖାନ୍ତି ସେତେବେଳେ ବାପକୁ କେତେ ଗର୍ବ ଆସୁଥିବ । ସେହିଭଳି ତୁମମାନଙ୍କର ମଧ୍ୟ ରାତି ଦିନ ବାବାଙ୍କର ସ୍ମୃତି ଏବଂ ସେବା ଏହି ଦୁଇଟି ଲଗନ ଲାଗି ରହିଛି । କିନ୍ତୁ ମହାବୀର ପିଲାମାନଙ୍କର ବିଶେଷତା ହେଲା ସେମାନେ ପ୍ରଥମେ ଯୋଗକୁ ଆଗରେ ରଖିଥାନ୍ତି ତାପରେ ସେବାକୁ ରଖିଥାନ୍ତି । ଅଶ୍ୱାରୋହୀ ଏବଂ ପଦାତିକ ପିଲାମାନେ ପ୍ରଥମେ ସେବାକୁ ରଖନ୍ତି, ପଛରେ ଯୋଗକୁ ରଖିଥାନ୍ତି । ସେଥିପାଇଁ ସେମାନଙ୍କ ଭିତରେ ଅନ୍ତର ଦେଖାଦେଇଥାଏ । ପ୍ରଥମେ ଯୋଗ କରିବା ପରେ ଯଦି ସେବା କରିବେ ତେବେ ସଫଳତା ମିଳିବ । କିନ୍ତୁ ପ୍ରଥମେ ସେବାକୁ ରଖିବା ଦ୍ୱାରା ସେବାରେ ଯାହା ବି ସବୁ ଭଲ-ମନ୍ଦ ଘଟଣା ଘଟିଥାଏ ତାର ପ୍ରଭାବରେ ଆସିଯାଆନ୍ତି ଏବଂ ପ୍ରଥମେ ଯୋଗକୁ ରଖିବା ଦ୍ୱାରା ସହଜରେ ସେଥିରୁ ନିଆରା ହୋଇଯାଆନ୍ତି । ତେଣୁ ବାବାଙ୍କୁ ମଧ୍ୟ ଏହିଭଳି ସମାନ ପିଲାମାନଙ୍କ ଉପରେ ଗର୍ବ ଆସୁଛି । ସାରା ବିଶ୍ୱରେ ଏହିଭଳି ସମାନ ସ୍ଥିତିବାଲା ସନ୍ତାନ ଆଉ କାହାର ଥିବେ ? ଗୋଟିଏ ଗୋଟିଏ ସନ୍ତାନର ବିଶେଷତାକୁ ଯଦି ବର୍ଣ୍ଣନା କରାଯିବ ତେବେ ଭାଗବତ ହୋଇଯିବ । ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଟିଏ ମହାରଥୀ ସନ୍ତାନର ବିଶେଷତାକୁ ବର୍ଣ୍ଣନା କରାଯିବ ତେବେ ଗୋଟିଏ ଭାଗବତ ଲେଖା ହୋଇଯିବ । ତେବେ ମଧୁବନରେ ଯେତେବେଳେ ଜ୍ଞାନସୂର୍ଯ୍ୟ ଏବଂ ତାରକାମାନେ ସଂଗଠିତ ରୂପରେ ଚମକି ଥାଆନ୍ତି ସେତେବେଳେ ମଧୁବନର ଆକାଶର ଶୋଭା କେତେ ଶ୍ରେଷ୍ଠ ହୋଇଯାଏ । ତେଣୁ ଜ୍ଞାନ ସୂର୍ଯ୍ୟଙ୍କ ସହିତ ତାରାମାନେ ମଧ୍ୟ ନିଶ୍ଚିତ ଦରକାର ।

ଯୁଗଳମାନଙ୍କ ଗ୍ରୁପ ସହିତ ବାପଦାଦାଙ୍କର ସାକ୍ଷାତ:-

ଏକମତର ରାସ୍ତାରେ ଚାଲୁଥିବା ଆତ୍ମାମାନେ ତ ତୀବ୍ରଗତିରେ ଚାଲୁଥିବେ ନା! ଉଭୟଙ୍କର ମତ ଗୋଟିଏ, ଏହି ଏକମତ ହିଁ ଚକ ଅଟେ । ଏକମତ ରୂପୀ ଚକ ଆଧାରରେ ଚାଲୁଥିବା ଆତ୍ମାମାନେ ସର୍ବଦା ତୀବ୍ରଗତିରେ ଚାଲିଥାନ୍ତି । ତେଣୁ ଦୁଇଟି ଯାକ ଚକ ଶ୍ରେଷ୍ଠ ହେବା ଆବଶ୍ୟକ । ଗୋଟିଏ ଢିଲା ଆଉ ଗୋଟିଏ ତୀବ୍ର ବେଗୀ ତ ନୁହେଁ ନା ? ଦୁଇଟିଯାକ ଚକ ଏକ ସମାନ । ତୀବ୍ର ପୁରୁଷାର୍ଥରେ ପାଣ୍ଡବ ନମ୍ବରୱାନ ନା ଶକ୍ତିମାନେ ନମ୍ବରୱାନ ? ପରସ୍ପରକୁ ଆଗକୁ ବଢାଇବା ଅର୍ଥାତ୍ ନିଜେ ଆଗକୁ ବଢିବା । ଏମିତି ବି ନୁହେଁ ଯେ ଅନ୍ୟକୁ ଆଗକୁ ବଢାଇ ନିଜେ ପଛକୁ ଚାଲିଯିବା । ଅନ୍ୟକୁ ମଧ୍ୟ ଆଗକୁ ବଢାଇବା ଏବଂ ନିଜେ ମଧ୍ୟ ଆଗକୁ ବଢିବା । ସମସ୍ତେ ଭାଗ୍ୟବାନ ଆତ୍ମା ଅଟ ନା ? ଦିଲ୍ଲୀ ଏବଂ ବମ୍ବେ ନିବାସୀ ତ ବିଶେଷ ଭାବରେ ଭାଗ୍ୟବାନ କାରଣ ରାସ୍ତାରେ ଚାଲୁ ଚାଲୁ ମଧ୍ୟ ବହୁତ ସମ୍ପତ୍ତି ମିଳିଯାଉଛି । ବିଶେଷ ଆତ୍ମାମାନଙ୍କର ସଂଗ, ସହଯୋଗ, ଶିକ୍ଷା ସବୁକିଛି ମିଳିଯାଉଛି । ଏହା ମଧ୍ୟ ଏକ ବରଦାନ ଯାହାକି ବିନା ନିମନ୍ତ୍ରଣରେ ମିଳିବାରେ ଲାଗିଛି । ଅନ୍ୟମାନେ କେତେ ମେହନତ କରୁଛନ୍ତି । ସାରା ବ୍ରାହ୍ମଣ ଜୀବନରେ ବା ସେବାର ଜୀବନରେ ଏହିଭଳି ଶ୍ରେଷ୍ଠ ଆତ୍ମାମାନେ କୌଣସି ସ୍ଥାନକୁ ଦୁଇ ଦିନି ଥର ମଧ୍ୟ ମୁଶକିଲରେ ଯାଇଥାନ୍ତି କିନ୍ତୁ ତୁମେ ନିମନ୍ତ୍ରଣ ଦିଅ କି ନଦିଅ ତୁମ ପାଖରେ ଆସି ପହଞ୍ଚି ଯାଉଛନ୍ତି । ତେଣୁ ଯେଉଁ କଥା ସବୁଆଡେ ପ୍ରସିଦ୍ଧ ଅଛି ଯେ ସଂଗର ରଙ୍ଗ ଲାଗିଥାଏ, ସେହି ହିସାବରେ ବିଶେଷ ଆତ୍ମାମାନଙ୍କର ସଙ୍ଗ ମଧ୍ୟ ଉମଙ୍ଗ-ଉତ୍ସାହ ପ୍ରଦାନ କରିଥାଏ । ତେବେ କେତେ ସହଜରେ ଭାଗ୍ୟ ପ୍ରାପ୍ତ କରୁଥିବା ଭାଗ୍ୟବାନ ଆତ୍ମା ଅଟ । ତେଣୁ ସର୍ବଦା ଏହି ଗୀତ ଗାଉଥାଅ ବାଃ ମୋର ଶ୍ରେଷ୍ଠ ଭାଗ୍ୟ । ତୁମକୁ ଯେଉଁ ସବୁ ପ୍ରାପ୍ତି ହେଉଛି ତାର ପ୍ରତିଦାନ ହେଲା ସଦାସର୍ବଦା ଉଡିବାର ସ୍ଥିତି । ଅଟକିଯିବା ଏବଂ ଚାଲିବା ଏହିଭଳି ସ୍ଥିତି ନୁହେଁ । ସଦାସର୍ବଦା ଉଡୁଥିବା ଆତ୍ମା ହୁଅ ।

(୨) ସଦାସର୍ବଦା ନିଜକୁ ବାବାଙ୍କର ଛତ୍ରଛାୟା ତଳେ ରହିବାର ଅନୁଭବ କରୁଛ ? ବାବାଙ୍କର ସ୍ମୃତି ହିଁ ଛତ୍ରଛାୟା ଅଟେ । ଯେଉଁମାନେ ଛତ୍ରଛାୟା ତଳେ ରହିଥାନ୍ତି ସେମାନେ ସଦାସର୍ବଦା ସୁରକ୍ଷିତ ରୁହନ୍ତି । କେବେ ଯଦି ବର୍ଷା ବା ତୋଫାନ ଆସିଯାଏ ତେବେ ଛତ୍ରଛାୟା ତଳକୁ ଚାଲିଯାଆନ୍ତି । ସେହିଭଳି ବାବାଙ୍କର ସ୍ମୃତି ମଧ୍ୟ ଏକ ଛତ୍ରଛାୟା ସଦୃଶ ଅଟେ । ଏହି ଛତ୍ରଛାୟା ତଳେ ରହୁଥିବା ଆତ୍ମାମାନେ ସହଜରେ ମାୟାଜିତ୍ ହୋଇଯାଆନ୍ତି । ଯଦି ବାବାଙ୍କର ସ୍ମୃତି ଭୁଲିଗଲ ତେବେ ଛତ୍ରଛାୟାର ବାହାରକୁ ଚାଲିଗଲ ସେଥିପାଇଁ ବାବାଙ୍କ ସଂଗରେ ସଦାସର୍ବଦା ରହିଥାଅ । ଯେଉଁମାନେ ଏହିଭଳି ଛତ୍ରଛାୟା ତଳେ ରହୁଛନ୍ତି ବାବାଙ୍କର ସହଯୋଗ ସଦାସର୍ବଦା ସେମାନଙ୍କୁ ମିଳିଚାଲିଛି । ପ୍ରତ୍ୟେକ ଶକ୍ତିର, ପ୍ରାପ୍ତିର ସହଯୋଗ ସଦାସର୍ବଦା ମିଳିଚାଲିଛି । ସେମାନେ କେବେହେଲେ ଦୁର୍ବଳ ହୋଇ ମାୟାଠାରୁ ହାରିଯିବେ ନାହିଁ । ତେଣୁ କେବେ କେବେ ମାୟା ବାବାଙ୍କର ସ୍ମୃତିକୁ ଭୁଲାଇ ଦେଉନାହିଁ ତ ? ୬୩ ଜନ୍ମ ତ ଭୁଲି ଭୁଲି ଆସିଛ ଏବେ ସଂଗମଯୁଗ ହେଉଛି ସ୍ମୃତିରେ ରହିବାର ଯୁଗ । ତେଣୁ ଏହି ସମୟରେ କେବେହେଲେ ଭୁଲିଯାଅ ନାହିଁ । ଭୁଲିଯିବା କାରଣରୁ ତ ଏଣେ ତେଣେ ଧକ୍କା ଖାଇବାକୁ ପଡିଲା, ଦୁଃଖ ମିଳିଲା ତେଣୁ ଏବେ ପୁଣି କିପରି ଭୁଲିବ! ଏବେ ତ ସଦାସର୍ବଦା ସ୍ମୃତିରେ ରହିବାକୁ ହେବ ।

ବିଦାୟ ସମୟରେ:- ସଂଗମଯୁଗ ହିଁ ହେଉଛି ମିଶିବାର ଯୁଗ । ଯେତେ ଯେତେ ମିଶୁଥିବ ସେତେସେତେ ଆହୁରି ଅଧିକ ମିଶିବାର ଆଶା ବଢିଚାଲିବ ଏବଂ ମିଶିବାର ଶୁଭ ଆଶା ଉତ୍ପନ୍ନ ହେବା ମଧ୍ୟ ଜରୁରୀ ଅଟେ କାରଣ ଏହିଭଳି ମିଶିବାର ଶୁଭ ଆଶା ହିଁ ମାୟାଜିତ୍ କରିଦେଇଥାଏ । ମିଶିବାର ଏହି ଶୁଭ ସଂକଳ୍ପ ସଦାସର୍ବଦା ବାବାଙ୍କର ସ୍ମୃତିକୁ ଆପେ ଆପେ ଆଣିଦିଏ । ତେଣୁ ଏହି ଶୁଭ ଆଶା ଉତ୍ପନ୍ନ ହେବା ମଧ୍ୟ ନିହାତି ଜରୁରୀ । ଯେତେବେଳେ ଏହି ଆଶା ପୂରଣ ହୋଇଯିବ ସେତେବେଳେ ସଂଗମଯୁଗ ମଧ୍ୟ ସମାପ୍ତ ହୋଇଯିବ । ଅନ୍ୟସବୁ ଇଚ୍ଛାଗୁଡିକ ତ ପୂରଣ ହେଲା କିନ୍ତୁ ସଦାସର୍ବଦା ବାବାଙ୍କ ସ୍ମୃତିରେ ସମାହିତ ହୋଇ ରହିବି ଏହି ଶୁଭ ଇଚ୍ଛା ତୁମକୁ ଆଗକୁ ବଢାଇବ, ଏହା ଠିକ୍ କଥା ନା! ତେଣୁ ସଦାସର୍ବଦା ମିଳନ ମେଳା ହେଉଥିବ, ଚାହେଁ ବ୍ୟକ୍ତ ଦ୍ୱାରା, ଚାହେଁ ଅବ୍ୟକ୍ତ ଦ୍ୱାରା । ସଦାସର୍ବଦା ତ ସାଥୀରେ ହିଁ ରହୁଛୁ ତେବେ ଆଉ ମିଳନ କରିବାର ଆବଶ୍ୟକତା କଣ ? ଏପରି ଭାବିବ ନାହିଁ କାରଣ ପ୍ରତ୍ୟେକ ମିଳନର ସ୍ୱତନ୍ତ୍ର ସ୍ୱରୂପ ଏବଂ ପ୍ରାପ୍ତି ରହିଛି । ଅବ୍ୟକ୍ତ ମିଳନର ମହତ୍ୱ ଅଲଗା ଏବଂ ସାକାର ମିଳନର ମହତ୍ୱ ଅଲଗା । ତେବେ ମିଶିବା ତ ଖୁବ ଭଲ ନା! ଆଚ୍ଛା! ତୁମପାଇଁ ସଦାସର୍ବଦା ଶୁଭ ଏବଂ ଶ୍ରେଷ୍ଠ ପ୍ରଭାତ । ସେମାନେ ତ କେବଳ ଗୁଡ୍ ମର୍ଣ୍ଣିଂ କରିଥାନ୍ତି କିନ୍ତୁ ଏଠାରେ ଗୁଡ ଅର୍ଥାତ୍ ଶୁଭ ମଧ୍ୟ ଅଟେ ଏବଂ ଶ୍ରେଷ୍ଠ ମଧ୍ୟ ଅଟେ । ତୁମମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଶୁଭ ଏବଂ ଶ୍ରେଷ୍ଠ ସେଥିପାଇଁ ପ୍ରତି ମୁହୂର୍ତ୍ତରେ ଅଭିନନ୍ଦନ ସ୍ୱୀକାର କର । ଆଚ୍ଛା ।। ଓମ୍ ଶାନ୍ତି ।

ବରଦାନ:-
ବାବାଙ୍କର ସଂଗ ଦ୍ୱାରା ପବିତ୍ରତା ରୂପୀ ସ୍ୱଧର୍ମକୁ ସହଜରେ ପାଳନ କରୁଥିବା ମାଷ୍ଟର ସର୍ବଶକ୍ତିବାନ ହୁଅ ।

ଆତ୍ମାର ସ୍ୱଧର୍ମ ହେଲା ପବିତ୍ରତା ଏବଂ ପରଧର୍ମ ଅପବିତ୍ରତା । ଯେବେକି ତୁମକୁ ସ୍ୱଧର୍ମର ନିଶ୍ଚୟ ହୋଇଗଲା ତେଣୁ ପରମଧର୍ମ ଆଉ ହଲଚଲ୍ କରିପାରିବ ନାହିଁ । ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ଯଦି ତାଙ୍କୁ ଯଥାର୍ଥ ଭାବରେ ଜାଣି ସାଥୀରେ ରଖିବ ତେବେ ପବିତ୍ରତା ରୂପୀ ସ୍ୱଧର୍ମକୁ ଧାରଣ କରିବା ବହୁତ ସହଜ ହୋଇଯିବ, କାହିଁକି ନା ତୁମର ସାଥୀ ସର୍ବଶକ୍ତିମାନ ଅଟନ୍ତି । ତେବେ ସର୍ବଶକ୍ତିମାନ ବାବାଙ୍କର ସନ୍ତାନ ମାଷ୍ଟର ସର୍ବଶକ୍ତିମାନମାନଙ୍କ ସମ୍ମୁଖକୁ ଅପବିତ୍ରତା ଆସିପାରିବ ନାହିଁ । ଯଦି ସଂକଳ୍ପରେ ମଧ୍ୟ ମାୟା ଆସୁଛି ତେବେ ନିଶ୍ଚିତ କୌଣସି ଦ୍ୱାର ଖୋଲା ଅଛି ଅଥବା ନିଶ୍ଚୟରେ କମୀ ରହିଛି ।

ସ୍ଲୋଗାନ:-
ତ୍ରିକାଳଦର୍ଶୀ ଆତ୍ମା କୌଣସି କଥାକୁ ଏକକାଳର ଦୃଷ୍ଟିରେ ଦେଖି ନଥାନ୍ତି, ସେମାନେ ପ୍ରତ୍ୟେକ କଥାରେ କଲ୍ୟାଣ ମନେ କରନ୍ତି ।