07.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ, ତୁମକୁ ସଚ୍ଚା-ସଚ୍ଚା ରୂପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ ହୋଇ ନିଜ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାର କରିବାକୁ ହେବ ।

ପ୍ରଶ୍ନ:-
ବାବା ପିଲାମାନଙ୍କୁ ମୁର୍ଚ୍ଛିତ ଅବସ୍ଥାରୁ ସତେଜ କରିବା ପାଇଁ କେଉଁ ସଞ୍ଜିବନୀ ବୁଟୀ ଦେଉଛନ୍ତି?

ଉତ୍ତର:-
ମନମନାଭବ । ନିଶା ରହିବା ଦରକାର ଯେ ପରମାତ୍ମାଙ୍କ ଦ୍ୱାରା ଆମେ ଦେବତା ହେବା ପାଇଁ ଅଥବା ରାଜ୍ୟ ପଦ ପ୍ରାପ୍ତ କରିବା ପାଇଁ ଏହି ଶିକ୍ଷା ଗ୍ରହଣ କରୁଛୁ । ଏହି ସ୍ମୃତି ହିଁ ସଞ୍ଜିବନୀ ବୁଟୀ ଯାହାକି ଆତ୍ମାମାନଙ୍କୁ ସତେଜ କରିଦେଉଛି । ସେମାନେ କେବେ ବି ଝାଉଁଳି ପଡିବେ ନାହିଁ । ସେମାନେ ସର୍ବଦା ନିଜର ଚେକିଙ୍ଗ୍ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିଚାଲିବେ ।

ଓମ୍ ଶାନ୍ତି ।
ଏହା କଲେଜ ଅଟେ ନା । ଯେପରି ସ୍କୁଲରେ ବିଦ୍ୟାର୍ଥୀମାନେ ବସିବା ସମୟରେ ଜାଣିଥାନ୍ତି ଯେ ଆମେ ଶିକ୍ଷକଙ୍କ ଆଗରେ ବସିଛୁ । କେଉଁ ପରୀକ୍ଷାରେ ପାସ୍ କରିବାକୁ ବସିଛୁ, ତାହା ମଧ୍ୟ ବୁଦ୍ଧିରେ ଅଛି । ସତସଙ୍ଗ ଆଦିରେ ଯେଉଁଠାରେ କି ବେଦ, ଶାସ୍ତ୍ର ଆଦି ଶୁଣାଇଥାନ୍ତି, ସେଠାରେ କୌଣସି ଲକ୍ଷ୍ୟ ନଥାଏ । ସେହି ଶାସ୍ତ୍ର ଆଦି ତୁମ ବୁଦ୍ଧିରୁ ବାହାରି ଗଲାଣି । ତୁମେ ଜାଣିଛ ଯେ ଆମେ ଭବିଷ୍ୟତ ୨୧ ଜନ୍ମ ପାଇଁ ମନୁଷ୍ୟରୁ ଦେବତା ହେଉଛୁ । ବିଦ୍ୟାର୍ଥୀ ଘରେ ରହିଲେ ଅଥବା ଯେଉଁଆଡେ ଗଲେ ମଧ୍ୟ, ତା ବୁଦ୍ଧିରେ ରହିଥାଏ ଯେ ମୁଁ ଅମୁକ ପରୀକ୍ଷାରେ ପାସ୍ କରିବି । ତୁମେମାନେ କ୍ଳାସ୍‌ରେ ବସିବା ସହିତ ଏକଥା ମଧ୍ୟ ଜାଣିଛ ଯେ ଆମେ ଦେବତା ହେଉଛୁ । ତୁମେମାନେ ମଧ୍ୟ ନିଜକୁ ବିଦ୍ୟାର୍ଥୀ ବୋଲି ଭାବୁଛ ନା । ଆମେ ଆତ୍ମା, ଏହି ଶରୀର ଦ୍ୱାରା ପାଠ ପଢୁଛୁ । ଆତ୍ମା ଜାଣିଛି ଯେ ଏହି ଶରୀର ଛାଡି ମୁଁ ଭବିଷ୍ୟତରେ ନୂଆ ଶରୀର ନେବି, ତାକୁ ଦେବତା କୁହାଯିବ । ଏହା ବିକାରୀ ପତିତ ଶରୀର ଅଟେ, ମୋତେ ପୁଣି ନୂଆ ଶରୀର ମିଳିବ । ଏହି ଜ୍ଞାନ ଏବେ ମିଳୁଛି । ମୁଁ ଆତ୍ମା ପାଠ ପଢୁଛି, ଜ୍ଞାନର ସାଗର ପାଠ ପଢାଉଛନ୍ତି । ଏଠାରେ ତୁମର ଘର ସଂସାରର ଚିନ୍ତା ନାହିଁ, ବୁଦ୍ଧିରେ ରହୁଛି ଯେ ଆମେ ଭବିଷ୍ୟତ ପାଇଁ ମନୁଷ୍ୟରୁ ଦେବତା ହେଉଛୁ । ଦେବତାମାନେ ସ୍ୱର୍ଗରେ ରହିଥାନ୍ତି । ଏହିକଥା ବାରମ୍ବାର ଚିନ୍ତା କରିବା ଦ୍ୱାରା ପିଲାମାନଙ୍କ ଭିତରେ ଖୁସି ରହିବ ଏବଂ ପୁରୁଷାର୍ଥ ମଧ୍ୟ କରିବେ । ମନ-ବଚନ-କର୍ମରେ ପବିତ୍ର ମଧ୍ୟ ରହିବେ । ସମସ୍ତଙ୍କୁ ଖୁସିର ସନ୍ଦେଶ ଶୁଣାଇ ଚାଲିବେ । ବ୍ରହ୍ମାକୁମାର ତ ବହୁତ ଅଛନ୍ତି ନା । ସମସ୍ତେ ବିଦ୍ୟାର୍ଥୀ ଅବସ୍ଥାରେ ଅଛନ୍ତି । ଏପରି ନୁହେଁ ଯେ ଧନ୍ଦା ଆଦି କଲାବେଳେ ଏହି କଥା ଭୁଲି ହୋଇଯିବ । ଯେପରି ଇଏ ଜଣେ ମିଠେଇ ଦୋକାନୀ ଅଟନ୍ତି, ଭାବୁଛନ୍ତି ନା ମୁଁ ଛାତ୍ର ଅଟେ । ଛାତ୍ରକୁ କଣ କେବେ ମିଠେଇ ତିଆରି କରିବାକୁ ପଡିଥାଏ? ଏଠାରେ ତ ତୁମର କଥା ହିଁ ଅଲଗା । ଶରୀର ନିର୍ବାହ ଅର୍ଥେ ଧନ୍ଦା ମଧ୍ୟ କରିବାକୁ ହେବ । ତା ସହିତ ବୁଦ୍ଧିରେ ଏହି କଥା ମନେ ରହୁ ଯେ ମୁଁ ପରମପିତା ପରମାତ୍ମାଙ୍କ ପାଖରେ ପାଠ ପଢୁଛି । ତୁମ ବୁଦ୍ଧିରେ ରହୁଛି ଯେ ବର୍ତ୍ତମାନ ସାରା ଦୁନିଆ ନର୍କବାସୀ ଅଟେ । କିନ୍ତୁ ଏକଥା କେହି ବୁଝୁନାହାଁନ୍ତି ଯେ ଆମେ ଭାରତବାସୀ ନର୍କବାସୀ ହୋଇଯାଇଛୁ, ଆମେ ସ୍ୱର୍ଗବାସୀ ଥିଲୁ । ତୁମମାନଙ୍କ ଭିତରେ ମଧ୍ୟ ସାରା ଦିନ ଏହି ନିଶା ରହୁ ନାହିଁ । ବାରମ୍ବାର ଭୁଲିଯାଉଛ । ଯଦିଓ ତୁମେ ବି.କେ ଅଟ, ଟିଚର୍ସ ଅଟ, ଶିକ୍ଷା ଦେଉଛ, ମନୁଷ୍ୟରୁ ଦେବତା, ନର୍କବାସୀରୁ ସ୍ୱର୍ଗବାସୀ କରୁଛ, ତଥାପି ବି ଭୁଲିଯାଉଛ । ତୁମେମାନେ ଜାଣିଛ ବତ୍ତର୍ମାନ ସାରା ଦୁନିଆ ଆସୁରୀ ସମ୍ପ୍ରଦାୟ ହୋଇଯାଇଛି । ଆତ୍ମା ସହିତ ଶରୀର ମଧ୍ୟ ପତିତ ହୋଇଯାଇଛି । ଏବେ ତୁମମାନଙ୍କର ଏହି ବିକାର ଗୁଡିକ ପ୍ରତି ଘୃଣା ଆସୁଛି । କାମ, କ୍ରୋଧ ଆଦି ସବୁ ହେଲା ନିନ୍ଦନୀୟ କାମ । ସବୁଠାରୁ ଗ୍ଳାନିର ଜିନିଷ ହେଉଛି କାମ ବିକାର । ସନ୍ନ୍ୟାସୀମାନଙ୍କ ଭିତରେ ମଧ୍ୟ ଟିକେ କ୍ରୋଧ ରହିଥାଏ କାହିଁକି ନା ଯେପରି ଅନ୍ନ ସେପରି ମନ, ସେମାନେ ଗୃହସି୍ଥ ମାନଙ୍କ ହିଁ ଅନ୍ନ ଖାଇଥାନ୍ତି । କେହି-କେହି ଖାଉ ନାହାଁନ୍ତି କିନ୍ତୁ ପଇସା ତ ନେଉଛନ୍ତି ନା । ପତିତମାନଙ୍କର ସେହି ଧନ ଉପରେ ପ୍ରଭାବ ତ ରହିଥାଏ ନା । ପତିତଙ୍କର ଅନ୍ନ ପତିତ ହିଁ କରିବ । ପବିତ୍ରତା ଉପରେ ତୁମେମାନେ ଗୁରୁତ୍ୱ ଦେଉଛ । ଦିନକୁ ଦିନ ଏହା ବଢି ଚାଲିବ । ସମସ୍ତେ ଚାହିଁବେ ଆମେ ପବିତ୍ର ହେବୁ, ଏହି କଥା ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିବ । ପବିତ୍ରତା ବିନା ସ୍ୱର୍ଗର ମାଲିକ ହୋଇପାରିବା ନାହିଁ । ଧିରେ ଧିରେ ସମସ୍ତଙ୍କ ବୁଦ୍ଧିରେ ଆସିଯିବ, ଯେଉଁମାନେ ସ୍ୱର୍ଗବାସୀ ହୋଇଥିବେ ସେହିମାନେ ହିଁ ପୁଣି ହେବେ । କହିବେ ଆମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ନିଶ୍ଚୟ ହେବୁ । ଏହା ହେଉଛି କଲ୍ୟାଣକାରୀ ସଂଗମଯୁଗ ଯେତେବେଳେ କି ପତିତ ଦୁନିଆ ପାବନ ହେଉଛି, ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି । ଏହା କଲ୍ୟାଣକାରୀ ଅଟେ । ଏହାଦ୍ୱାରା ମନୁଷ୍ୟ ସୃଷ୍ଟିର କଲ୍ୟାଣ ହେଉଛି । ବାବା କଲ୍ୟାଣକାରୀ ଅଟନ୍ତି ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି କରିବେ ନା । ବାବା ଆସି ଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛନ୍ତି ।

ତୁମେ ଜାଣିଛ ଯେ ଏହି ମଧୁବନ ହେଉଛି ଆମର ମୁଖ୍ୟ ବିଦ୍ୟାଳୟ । ଏଠାରେ କାହାର କୌଣସି କର୍ମଧନ୍ଦାର ଚିନ୍ତା ନାହିଁ । ବାହାରକୁ ଯାଇ କର୍ମଧନ୍ଦାରେ ଲାଗିଯିବା କାରଣରୁ ଏକଥା ମନେ ରହୁ ନାହିଁ ଯେ ମୁଁ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟେ । ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ଏହି ଚିନ୍ତନ ବୁଦ୍ଧିରେ ସେତେବେଳେ ଚାଲିବ ଯେତେବେଳେ ତୁମକୁ ଫୁରସତ୍ ମିଳିବ, ସେଥିପାଇଁ ଚେଷ୍ଟାକରି ସମୟ ବାହାର କରିବା ଉଚିତ୍ । ବୁଦ୍ଧିରେ ମନେ ରହିବା ଉଚିତ୍ ଯେ ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛୁ । କେବଳ ଏକମାତ୍ର ବାବାଙ୍କୁ ହିଁ ୟାଦ କରିବାକୁ ହେବ । ବ୍ୟବସାୟରେ ମଧ୍ୟ ଫୁରସତ ମିଳିଥାଏ । ଚେଷ୍ଟା କରି ବୁଦ୍ଧିରେ ମନେ ପକାଇବା ଉଚିତ୍ ଯେ ମୁଁ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟେ । ଆଜୀବିକା ଅର୍ଥାତ୍ ପେଟ ପୋଷିବା ପାଇଁ ଏହି ବ୍ୟବସାୟ ଆଦି କରୁଛି । ତାହା ହେଲା ମାୟାବୀ ଧନ୍ଦା, ଏହା ମଧ୍ୟ ତୁମର ଆଜିବୀକା ଅର୍ଥାତ୍ ଧନ୍ଦା ଅଟେ । ଏହା ହେଉଛି ଭବିଷ୍ୟତ ପାଇଁ ସଚ୍ଚା ରୋଜଗାର । ଏହି ରୋଜଗାର ପାଇଁ ବହୁତ ଭଲ ବୁଦ୍ଧି ଆବଶ୍ୟକ । ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ୟାଦ କରିବାକୁ ହେବ । ଅନ୍ୟମାନଙ୍କୁ ବୁଝାଇବାକୁ ହେବ ଯେ, ଏବେ ଆମ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ । ବାବା ଆମକୁ ନେବା ପାଇଁ ଆସିଛନ୍ତି । ସାରା ଦିନ ବୁଦ୍ଧିରେ ବିଚାର ସାଗର ମନ୍ଥନ ଚାଲିବା ଉଚିତ୍ । ଗାଈ ଖାଦ୍ୟକୁ ଯେପରି ପାକୁଳି କରିଥାଏ ସେହିପରି ଜ୍ଞାନକୁ ଚିନ୍ତନ-ମନ୍ଥନ କରିବାକୁ ହେବ । ପିଲାମାନଙ୍କୁ ଅବିନାଶୀ ସମ୍ପତ୍ତି ମିଳୁଛି । ଏହା ହେଉଛି ଆତ୍ମାମାନଙ୍କ ପାଇଁ ଭୋଜନ । ଏକଥା ମନେ ରହିବା ଉଚିତ୍ ଯେ ମୁଁ ପରମପିତା ପରମାତ୍ମାଙ୍କ ଦ୍ୱାରା ପାଠ ପଢୁଛି - ଦେବତା ହେବା ପାଇଁ, ଅଥବା ରାଜ୍ୟପଦ ପାଇବା ପାଇଁ । ଏହାକୁ ମନେ ପକାଇବାକୁ ହେବ । ଏକଥା ବାରମ୍ବାର ଭୁଲି ଯାଉଛନ୍ତି ତେଣୁ ଖୁସି ବଦଳରେ ଅବସ୍ଥା ଆହୁରି ଝାଉଁଳି ପଡୁଛି । ସୁରଜିତ୍ ଅର୍ଥାତ୍ ସତେଜ କରିବା ପାଇଁ ଏହି ସଞ୍ଜିବନୀ ବୁଟୀକୁ ନିଜ ପାଖରେ ରଖ, ସୁରଜିତ (ସଚେତ) କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ହେବ । ଶାସ୍ତ୍ରରେ ଲମ୍ବା ଚଉଡା କାହାଣୀ ଲେଖି ଦେଇଛନ୍ତି । ବାବା ଆସି ଏସବୁର ରହସ୍ୟ ବତାଉଛନ୍ତି । ମନମନାଭବ ଅର୍ଥାତ୍ ବାବାଙ୍କୁ ମନରେ-ମନରେ ଭାବ ତେବେ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ନିଜ ହୃଦୟକୁ ପଚାରି ଚେକ୍ କରୁଥାଅ, ପରସ୍ପରକୁ ସାବଧାନ କର । ଯଦି କୌଣସି ଖିଟ୍‌ପିଟ୍ ବା ଝଗଡା ହୋଇଯାଏ ତେବେ ବୁଦ୍ଧି ସେଥିରେ ଲାଗି ରହିବା କାରଣରୁ କାହାରି କଥା ମିଠା ଲାଗିନଥାଏ । ମାୟା ଆଡକୁ ବୁଦ୍ଧି ଲାଗିବା ଦ୍ୱାରା ପୂର୍ବ ଭଳି ଚିନ୍ତା ଲାଗି ରହିଥାଏ । ତୁମମାନଙ୍କ ଭିତରେ ତ ଖୁସି ରହିବା ଉଚିତ୍ । ତୁମେ ବାବାଙ୍କୁ ୟାଦ କର, ଯଦି ଅଡୁଆ ଭିତରେ ରହିବ ତେବେ ଏହି ଔଷଧ କାମ ଦେବ ନାହିଁ, ଅଣନିଶ୍ୱାସୀ ହୋଇଯିବ । ତେଣୁ ଏପରି କରିବା ଅନୁଚିତ୍ । ଛାତ୍ରମାନେ କଣ ପାଠପଢାକୁ ଛାଡି ଚାଲିଯାଇଥାନ୍ତି କି? ତୁମେମାନେ ଜାଣିଛ ଆମେ ଭବିଷ୍ୟତ ପାଇଁ ପାଠ ପଢୁଛୁ, ଏଥିରେ ହିଁ ଆମର କଲ୍ୟାଣ ରହିଛି । କର୍ମଧନ୍ଦା ଆଦି କରି ମଧ୍ୟ ଏହି ପାଠ ପଢିବାକୁ ହେବ । ଏହି ସୃଷ୍ଟି ଚକ୍ର କିପରି ଘୂରୁଛି, ତାହାର ଜ୍ଞାନ ମଧ୍ୟ ବୁଦ୍ଧିରେ ରଖିବାକୁ ହେବ । ୟାଦ ହିଁ ସଞ୍ଜିବନୀ ବୁଟୀ ଅଟେ । ବାବାଙ୍କୁ ସ୍ମରଣ କରିବା ପାଇଁ ପରସ୍ପରକୁ ମନେ ପକାଇଦେବା ଦରକାର । ସ୍ତ୍ରୀ-ପୁରୁଷ ପରସ୍ପରକୁ ୟାଦ କରାଇଦେବା ଉଚିତ୍ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଏହି ପାଠ ପଢାଉଛନ୍ତି । ଶିବବାବାଙ୍କର ରଥକୁ ସଜାଉଛି ତେଣୁ ତାଙ୍କର ୟାଦ ରହିବା ଉଚିତ୍ । ସାରା ଦିନ ବାବାଙ୍କ ସ୍ମରଣରେ ରହିବା କଷ୍ଟସାଧ୍ୟ । ଏହି ଅବସ୍ଥା ତ ଅନ୍ତ ସମୟରେ ହେବ । କର୍ମାତୀତ ଅବସ୍ଥା ହେବା ପର୍ଯ୍ୟନ୍ତ ଶକ୍ତିଶାଳୀ ଯୋଦ୍ଧାମାନଙ୍କ ସହିତ ମାୟା ଲଢେଇ କରିଚାଲିବ । ଗାୟନ ମଧ୍ୟ ରହିଛି ଜଣେ ଆଉ ଜଣଙ୍କୁ ସାବଧାନ କରି ଉନ୍ନତି କର । ଅଫିସରମାନେ ଚାକରକୁ ମଧ୍ୟ କହିଥାନ୍ତି ଯେ ମୋତେ ଏହି କଥା ମନେ ପକାଇ ଦେବୁ । ତୁମେ ମଧ୍ୟ ପରସ୍ପରକୁ ମନେ ପକାଇଦିଅ, ଏହା ସର୍ବୋଚ୍ଚ ଲକ୍ଷ୍ୟ ଅଟେ । ବାବା କହୁଛନ୍ତି - ମୋତେ ମନେ ପକାଇବା ଦ୍ୱାରା ତୁମେ ପାବନ ହୋଇଯିବ । ଏହି ବାବା କୌଣସି ନୂଆ କଥା ଶୁଣାଉ ନାହାଁନ୍ତି । ତୁମେମାନେ ଲକ୍ଷ-ଲକ୍ଷ, କୋଟି-କୋଟି ଥର ଏହି ଜ୍ଞାନ ଶୁଣିଛ, ପୁଣି ବି ଏହା ଶୁଣିବ । କୌଣସି ସତସଙ୍ଗରେ ଏପରି କେହି କହିବାବାଲା ନଥିବେ ଯେ କଳ୍ପ-କଳ୍ପ ଏହି ଶୁଣୁଥିଲି । ଏବେ ମଧ୍ୟ ଶୁଣୁଛି ପୁଣି ବି ଆଗକୁ ଶୁଣିବି । କଳ୍ପ-କଳ୍ପ ଶୁଣିଆସିଛି, ଏପରି କେହି କହିପାରିବ ନାହିଁ । ବାବା ବୁଝାଉଛନ୍ତି ତୁମେ ଅଧାକଳ୍ପ ଭକ୍ତି କରିଛ । ଏବେ ପୁଣି ତୁମକୁ ଜ୍ଞାନ ମିଳିଛି, ଯାହା ଦ୍ୱାରା ତୁମର ସଦ୍‌ଗତି ହେଉଛି । ବାବାଙ୍କୁ ୟାଦ କରିବା ଦ୍ୱାରା ପାପ କଟିଯିବ । ଏହା ତ ବୁଝିବାର କଥା ନା । ତୁମକୁ ପୁରୁଷାର୍ଥ କରିବାକୁ ହେବ । ଜଜ୍ ଅଥବା କୌଣସି ବଡ ଲୋକର ପିଲା ଯଦି କୌଣସି ଓଲଟା କାମ କରେ ତେବେ ନାମ ବଦନାମ ହୋଇଯାଇଥାଏ । ଏଠାରେ ମଧ୍ୟ ତୁମେ ବାବାଙ୍କର ହୋଇଛ ତେଣୁ ତୁମକୁ ଏପରି କୌଣସି କର୍ମ କରିବା ଅନୁଚିତ୍‌, ନଚେତ୍ ବାବାଙ୍କର ନିନ୍ଦା କରାଇବ । ସତଗୁରୁ କେ ନିନ୍ଦକ ଠୋର ନ ପାୟେ ଅର୍ଥାତ୍ ସତଗୁରୁଙ୍କର ନିନ୍ଦୁକ ଉଚ୍ଚ ପଦ ପାଇପାରିବେ ନାହିଁ । ଈଶ୍ୱରଙ୍କର ସନ୍ତାନ ହୋଇ ଆସୁରୀ କର୍ମ କରିବା ପାଇଁ ଡରିବା ଉଚିତ୍ । ଶ୍ରୀମତରେ ଚାଲିବା ଉଚିତ୍ । ନିଜ ମତରେ ଚାଲିଲେ ଧୋକା ଖାଇବ, ପଦ ଭ୍ରଷ୍ଟ ହୋଇଯିବ । ତୁମେ ବାବାଙ୍କୁ ପଚାରି ମଧ୍ୟ ପାରିବ, ଆପଣଙ୍କ ମତରେ ମୁଁ ଠିକ୍ ଭାବରେ ଚାଲୁଛି । ବାବାଙ୍କର ପ୍ରଥମ-ପ୍ରଥମ ମତ ହେଉଛି ବାବାଙ୍କୁ ୟାଦ କର । କୌଣସି ବି ବିକର୍ମ କର ନାହିଁ । ବାବା ମୁଁ କେଉଁ ବିକର୍ମ କରୁଛି, ଆପଣ କିଛି ଜାଣିଥିଲେ କୁହନ୍ତୁ । ବାବା କହୁଛନ୍ତି ଜାଣିଲେ ତୁମକୁ କହିଦେବି । ତୁମ ଦ୍ୱାରା ଏହି-ଏହି ଭୁଲ ହେଉଛି, ଏହାକୁ ବିକର୍ମ କୁହାଯାଉଛି । ସବୁଠାରୁ ବଡ ବିକର୍ମ ହେଉଛି କାମ ବିକାର, ଅଧିକ ଝଗଡା ଏଥିପାଇଁ ହେଉଛି । ପିଲାମାନଙ୍କର ସାହସ ରହିବା ଦରକାର, ବିଚାର କରିବା ଉଚିତ୍ । କୁମାରୀମାନଙ୍କର ଏକ ସଂଗଠନ ହେବା ଦରକାର । ଯେଉଁମାନେ କହିବେ କି ଆମେ ବିବାହ କରିବୁ ନାହିଁ । ବର୍ତ୍ତମାନ ହେଉଛି କଳ୍ପର ସଂଗମଯୁଗ, ଏହି ସଂଗମଯୁଗରେ ହିଁ ପୁରୁଷୋତ୍ତମ ହେବାକୁ ପଡିବ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ପୁରୁଷୋତ୍ତମ କୁହାଯାଉଛି । ବିକାରୀକୁ କଣ ପୁରୁଷୋତ୍ତମ କୁହାଯିବ? ଏବେ ତୁମେ ପୁରୁଷୋତ୍ତମ ହେଉଛ । ପୁରୁଷୋତ୍ତମ ହେବା ପାଇଁ ସମସ୍ତଙ୍କୁ ଅଧିକାର ଅଛି । ପୁରୁଷୋତ୍ତମ ମାସରେ ତୁମେ ବହୁତ ସେବା କରିପାରିବ । ସେବା ବହୁତ ଧୂମ୍‌ଧାମ୍‌ରେ କରିବା ଉଚିତ୍ । ଏହି ପୁରୁଷୋତ୍ତମ ଯୁଗ ହିଁ ଉତ୍ତମଯୁଗ ଅଟେ, ଯେତେବେଳେ କି ମନୁଷ୍ୟ ନର୍କବାସୀରୁ ସ୍ୱର୍ଗବାସୀ ହେଉଛନ୍ତି । ଏହା ଅତି ସାଧାରଣ କଥା ଅଟେ । ତୁମକୁ ଭଲ ଭାବରେ ବୁଝାଇବାକୁ ହେବ । ସତ୍ୟଯୁଗରେ ତୁମେ ପୁରୁଷୋତ୍ତମ ହେବ । କଳିଯୁଗରେ କେହି ଉତ୍ତମ ପୁରୁଷ ନାହାଁନ୍ତି । ଏହା ହେଉଛି ପତିତ ଦୁନିଆ । ସେଠାରେ ତ ପବିତ୍ର ହିଁ ପବିତ୍ର ଆତ୍ମାମାନେ ଥାନ୍ତି । ଏସବୁ କଥା ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଅନ୍ୟମାନଙ୍କୁ ବୁଝାଇବା ପାଇଁ । ସୁଯୋଗ ଦେଖି ବୁଝାଇବା ଉଚିତ୍ । ତୁମେ ଏଠାରେ ବସିଛ, ଜାଣିଛ ଆମକୁ ନିରାକାର ପରମପିତା ପରମାତ୍ମା ରାଜଯୋଗ ଶିଖାଉଛନ୍ତି, ଆମେମାନେ ବିଦ୍ୟାର୍ଥୀ ଅଟୁ । ଏହି ପାଠପଢା ଦ୍ୱାରା ତୁମେ ସ୍ୱର୍ଗର ଦେବୀ-ଦେବତା ହେଉଛ । ସବୁଠାରୁ ବଡ ପରୀକ୍ଷା ହେଉଛି, ଏହି ରାଜତ୍ୱ ପ୍ରାପ୍ତ କରିବାର ପରୀକ୍ଷା, ଯାହାକୁ ପରମାତ୍ମାଙ୍କ ବ୍ୟତୀତ କେହି ପଢାଇ ପାରିବେ ନାହିଁ । ବାବା ସ୍ୱୟଂ ପରୋପକାରୀ ଅଟନ୍ତି, ନିଜେ ସ୍ୱର୍ଗର ମାଲିକ ହେଉନାହାଁନ୍ତି । ସ୍ୱର୍ଗର ରାଜକୁମାର କୃଷ୍ଣ ହିଁ ହେଉଛନ୍ତି । ନିଷ୍କାମ ସେବା ବାବା ହିଁ କରୁଛନ୍ତି । ବାବା କହୁଛନ୍ତି ମୁଁ ରାଜା ହେଉ ନାହିଁ । ତୁମକୁ ରାଜାମାନଙ୍କର ରାଜା କରାଉଛି । ଏକଥା କାହାରି ବୁଦ୍ଧିରେ ନାହିଁ । ଏହିପରି ବହୁତ ଅଛନ୍ତି, ଯେଉଁମାନେ କି ଏହି ଦୁନିଆରେ ଧନବାନ ଅଛନ୍ତି ସତ୍ୟଯୁଗରେ ସେମାନେ ଗରୀବ ହୋଇଯିବେ ଏବଂ ଯିଏ ଏବେ ଗରୀବ ଅଛନ୍ତି, ସେମାନେ ସେଠାରେ ବହୁତ ସାହୁକାର ହେବେ । ବିଶ୍ୱର ମାଲିକ ହେବେ, ଏହା ଅବିନାଶୀ କଥା ନା । ଗାୟନ ମଧ୍ୟ ରହିଛି - ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ଅର୍ଥାତ୍ ସ୍ୱର୍ଗର ମାଲିକ କରିବି । ତୁମେ ଜାଣିଛ ଆମେ ସ୍ୱର୍ଗର ମାଲିକ ହେଉଛୁ ତେଣୁ ତୁମକୁ କେତେ ନିଶା ରହିବା ଉଚିତ୍ । ଆମକୁ ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ଆମେ ଏବେ ନର୍କବାସୀରୁ ସ୍ୱର୍ଗବାସୀ ଦେବତା ହେବୁ, ଏକଥା ମଧ୍ୟ ମନେ ରହିବା ଦ୍ୱାରା ଖୁସିର ନିଶା ଚଢି ରହିବ । ଛାତ୍ର ଜୀବନ ସବୁଠାରୁ ଉତ୍ତମ ଅଟେ । ପୁରୁଷାର୍ଥ କରି ରାଜା ରାଣୀ ହେବା ଦରକାର ନା । ଏପରି ଶୁଣାଇବା ଉଚିତ୍ ନୁହେଁ ଯେ ଆମେ ରାଜା ହୋଇ ପୁଣି ରଙ୍କ ବା ଗରୀବ ହେବୁ । ଏଭଳି କୁହାଯାଏ ନାହିଁ । ପଚାରିବା ଉଚିତ୍‌, କଣ ହେବାକୁ ଚାହୁଁଛ? ସମସ୍ତେ କହିବେ ଆମେ ବିଶ୍ୱର ମାଲିକ ହେବୁ । ତାହା ତ କେବଳ ଭଗବାନ ହିଁ କରାଇପାରିବେ । ସିଏ କହୁଛନ୍ତି ମୋତେ ୟାଦ କର ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ, କେତେ ସହଜ କଥା । ଯେ କେହି ବି ହୋଇପାରିବେ । ଯେତେ ଗରୀବ ହେଲେ ମଧ୍ୟ ଏଥିରେ ପଇସା ପତ୍ରର କୌଣସି କଥା ନାହିଁ ସେଥିପାଇଁ ବାବାଙ୍କୁ କହୁଛନ୍ତି - ଦୀନବନ୍ଧୁ ।

ବାବାଙ୍କୁ ୟାଦ କରି ପାପର ଘଡି ବା କଳସୀକୁ ଖାଲି କରିବାକୁ ହେବ, ଯିଏ ଯେତେ ପରିଶ୍ରମ କରିବେ ସିଏ ସେହିଭଳି ପାଇବେ । ସିଡି ଚିତ୍ରରେ ଦେଖୁଛ କେତେ ଉଚ୍ଚକୁ ଚଢୁଛନ୍ତି । ଚଢେ ତୋ ଚାଖେ ରାଜାଇ ରସ, ଗୀରେ ତୋ ଚକନା ଚୂର ଅର୍ଥାତ୍ ଚଢିଲେ ରାଜା ହେବାର ରସ ଚାଖିବ, ଖସି ପଡିଲେ ଖଣ୍ଡ ବିଖଣ୍ଡିତ ହୋଇଯିବ । ବିକାରରେ ଯାଇ ବାବାଙ୍କୁ ଛାଡପତ୍ର ଦେଲେ ତେବେ ବାବା କହୁଛନ୍ତି, ସ୍ଥିତି ଏକଦମ୍ ଖରାପ ହୋଇଯିବ । ସୁପୁତ୍ର ସନ୍ତାନମାନେ ପୁରୁଷାର୍ଥ କରି ନିଜର ଜନ୍ମକୁ ହୀରାତୁଲ୍ୟ କରି ଗଢିବେ । ପିଲାମାନଙ୍କୁ ବହୁତ ପୁରୁଷାର୍ଥ କରିବାକୁ ହେବ । ତେବେ ଯିଏ କରିବ... ସିଏ ପାଇବ ସମସ୍ତଙ୍କୁ କହୁଛନ୍ତି ପିତା-ମାତାଙ୍କୁ ଅନୁସରଣ କର । ଅନ୍ୟମାନଙ୍କୁ ନିଜ ସମାନ କର । ଯେତେ-ଯେତେ ତୁମେ ଦୟାଶୀଳ ହେବ ସେତେ ତୁମକୁ ହିଁ ଫାଇଦା ହେବ । କେବେ ବି ସମୟ ନଷ୍ଟ କର ନାହିଁ । ଅନ୍ୟମାନଙ୍କୁ ଉପାୟ ବତାଇଚାଲ । ନଚେତ୍ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଶେଷ ବେଳକୁ ତୁମକୁ ବହୁତ ସାକ୍ଷାତ୍‌କାର ହେବ କିନ୍ତୁ ସେ ସମୟରେ କିଛି କରିପାରିବ ନାହିଁ । ଯଦି ପରୀକ୍ଷାରେ ଫେଲ୍ ହୋଇଗଲ ତେବେ କଳ୍ପ କଳ୍ପ ପାଇଁ ଫେଲ୍ ହୋଇଯିବ । ଏପରି ନହେଉ ଯାହାକି ଅନ୍ତିମ ସମୟରେ ପଶ୍ଚାତାପ କରିବାକୁ ପଡିବ । ଆଉ ତ ପୁରୁଷାର୍ଥ କରି ପାରିବ ନାହିଁ ସେଥିପାଇଁ ଯେତିକି ନିଜର ଓ ଅନ୍ୟର କଲ୍ୟାଣ କରିବାକୁ ଚାହୁଁଛ କରି ନିଅ । ଅନ୍ଧମାନଙ୍କର ଲାଠି ହୁଅ । ତୁମେ କଳ୍ପ-କଳ୍ପାନ୍ତର ସ୍ୱର୍ଗର ସ୍ଥାପନା କରି ଆସିଛ, ଏବେ ପୁଣି ନିଶ୍ଚୟ କରିବ । ଡ୍ରାମାରେ ନିଧାର୍ଯ୍ୟ ରହିଛି, ଯାହା କରିବ ତାହା ପାଇବ । ବାବାଙ୍କର ଗେହ୍ଲା ସନ୍ତାନମାନେ କେବେ ଗୁପ୍ତ ରହିପାରିବେ ନାହିଁ । ରୂପ-ବସନ୍ତ ସଦୃଶ ତାଙ୍କ ମୁଖରୁ ଜ୍ଞାନ ରତ୍ନ ହିଁ ବାହାରିବ, ଚୁଗୁଲିଆ କର୍ମ କରି ଅନ୍ୟର କ୍ଷତି କର ନାହିଁ । ତୁମକୁ କେହି ଓଲଟା-ସିଧା କଥା ଶୁଣାଇଲେ ଭାବ ଇଏ ବହୁତ ଚୁଗୁଲିଆ ବ୍ୟକ୍ତି, ତାଙ୍କଠାରୁ ସତର୍କ ହୋଇ ରୁହ । ବାବାଙ୍କଠାରୁ ନିଜର ଅବିନାଶୀ ସମ୍ପତ୍ତି ନେବାରେ ପୂରା ତତ୍ପର ରୁହ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ଅନ୍ଧମାନଙ୍କର ବାଡି ହେବାକୁ ପଡିବ । ଯଦି କେହି କୌଣସି ଓଲଟା କଥା ଶୁଣାଉଛି ତେବେ ତାହାଠାରୁ ସାବଧାନ ରହିବାକୁ ହେବ ।

(୨) ମନ-ବଚନ-କର୍ମରେ ପବିତ୍ର ରହିବାକୁ ହେବ । ଆମେ ସମସ୍ତେ ବିଦ୍ୟାର୍ଥୀ ଅଟୁ, ଭଗବାନ ଆମକୁ ଦେବତା ହେବାର ପାଠ ପଢାଉଛନ୍ତି, ଏହି ଖୁସିରେ ରହିବାକୁ ହେବ ।

ବରଦାନ:-
ଶକ୍ତିଶାଳୀ ଦର୍ପଣ ଦ୍ୱାରା ସମସ୍ତଙ୍କୁ ନିଜର ସାକ୍ଷାତ୍‌କାର କରାଉଥିବା ସାକ୍ଷାତ୍‌କାର ମୂରତ ହୁଅ ।

ଯେପରି ଦର୍ପଣ ସମ୍ମୁଖକୁ ଯିଏ ବି ଆସିଥାଏ ତାକୁ ସ୍ପଷ୍ଟ ଭାବରେ ନିଜର ସାକ୍ଷାତ୍‌କାର ହୋଇଯାଇଥାଏ । କିନ୍ତୁ ଦର୍ପଣ ଯଦି ଶକ୍ତିଶାଳୀ ନଥିବ ତେବେ ପ୍ରକୃତ ରୂପ ଦେଖାଯିବା ପରିବର୍ତ୍ତେ ଅନ୍ୟ ପ୍ରକାର ରୂପ ଦେଖାଯିବ । ଯଦି ପତଳା ହୋଇଥିବ କିନ୍ତୁ ମୋଟା ଦେଖାଯିବ । ସେଥିପାଇଁ ତୁମେମାନେ ଏହିଭଳି ଶକ୍ତିଶାଳୀ ଦର୍ପଣ ହୋଇଯାଅ ଯାହାକି ସମସ୍ତଙ୍କୁ ନିଜର ସାକ୍ଷାତ୍‌କାର କରାଇପାରିବ ଅର୍ଥାତ୍ ତୁମ ସମ୍ମୁଖକୁ ଆସିବା ମାତ୍ରକେ ଦେହକୁ ଭୁଲି ନିଜର ଦେହୀ ଅର୍ଥାତ୍ ଆତ୍ମା ସ୍ୱରୂପରେ ସ୍ଥିତ ହୋଇଯିବେ । ତେଣୁ ଏହା ହିଁ ହେଉଛି ବାସ୍ତବିକ ସେବା ଯାହା ଦ୍ୱାରା ଜୟଜୟକାର ହେବ ।

ସ୍ଲୋଗାନ:-
ଶିକ୍ଷାକୁ ସ୍ୱରୂପରେ ପରିଣତ କରୁଥିବା ଆତ୍ମା ହିଁ ଜ୍ଞାନ ସ୍ୱରୂପ, ପ୍ରେମ ସ୍ୱରୂପ ଅଟନ୍ତି ।