08.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଆତ୍ମିକ ଡାକ୍ତରଖାନା ତୁମକୁ ଅଧାକଳ୍ପ ପାଇଁ ନିରୋଗ କରିଦେବ ତେଣୁ ଏଠାରେ ତୁମେମାନେ ଆତ୍ମ-ଅଭିମାନୀ ହୋଇ ବସ ।

ପ୍ରଶ୍ନ:-
ବ୍ୟବସାୟ ଇତ୍ୟାଦି କରୁଥିଲେ ମଧ୍ୟ ବାବାଙ୍କର କେଉଁ ନିର୍ଦ୍ଦେଶ ବୁଦ୍ଧିରେ ସର୍ବଦା ମନେ ରଖିବା ଦରକାର ?

ଉତ୍ତର:-
ବାବାଙ୍କର ନିର୍ଦ୍ଦେଶ ହେଲା ତୁମେମାନେ କୌଣସି ବି ସାକାରୀ ବା ଆକାରୀ ଶରୀରଧାରୀକୁ ମନେ ପକାଅ ନାହିଁ । ଯଦି ସଦାସର୍ବଦା ଏକମାତ୍ର ନିରାକାର ବାବାଙ୍କର ସ୍ମୃତି ରହିବ ତେବେ ଯାଇ ବିକର୍ମ ବିନାଶ ହେବ । ଏଥିରେ କେହି ଏଭଳି କହିପାରିବେ ନାହିଁ ଯେ ମୋତେ ସମୟ ନାହିଁ କାରଣ ସବୁ କିଛି କର୍ମଧନ୍ଦା କରି ମଧ୍ୟ ତୁମେମାନେ ବାବାଙ୍କ ସ୍ମୃତିରେ ରହିପାରିବ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କୁ ବାବାଙ୍କର ସୁପ୍ରଭାତ । ସୁପ୍ରଭାତ ପରେ ବାବାଙ୍କୁ ମନେ ପକାଇବା ପାଇଁ କୁହାଯାଇଥାଏ । ଡାକିଥାନ୍ତି ମଧ୍ୟ ହେ ପତିତ-ପାବନ ଆସି ଆମକୁ ପବିତ୍ର କର ତେଣୁ ବାବା ପ୍ରଥମ କଥା କହୁଛନ୍ତି ଆତ୍ମିକ ପିତାଙ୍କୁ ମନେ ପକାଅ । ସମସ୍ତଙ୍କର ଆତ୍ମିକ ପିତା ତ ଜଣେ ହିଁ ଅଟନ୍ତି । ପିତାଙ୍କୁ କଣ ସର୍ବବ୍ୟାପୀ କୁହାଯାଏ କି । ଯେତେ ଦୂର ସମ୍ଭବ ଏକ ପିତାଙ୍କୁ ମନେ ପକାଅ । ଲୌକିକ ସାକାର ବା ଆକାର ସ୍ୱରୂପକୁ ମନେ ପକାଅ ନାହିଁ । ଏହା ତ ବହୁତ ସହଜ କଥା । ମନୁଷ୍ୟମାନେ କହୁଛନ୍ତି ଆମେ ବହୁତ ବ୍ୟସ୍ତ । ଆମ ପାଖରେ ସମୟ ନାହିଁ । କିନ୍ତୁ ଏହି ଯୋଗ ନିମନ୍ତେ ସବୁବେଳେ ସମୟ ଅଛି । ବାବା ଏଥିପାଇଁ ଯୁକ୍ତି ବତାଉଛନ୍ତି । ଏହା ମଧ୍ୟ ତୁମେ ଜାଣିଛ ଯେ ବାବାଙ୍କୁ ମନେ ପକାଇଲେ ଆମର ପାପ ଭସ୍ମ ହେବ । ଏହା ହିଁ ମୁଖ୍ୟ କଥା । ତୁମକୁ କର୍ମଧନ୍ଦା କରିବା ପାଇଁ ମନା କରାଯାଇନାହିଁ । କର୍ମଧନ୍ଦା କରି ମଧ୍ୟ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଏକଥା ତ ବୁଝୁଛନ୍ତି ଯେ ଆମେ ପତିତ ଅଟୁ । ତେଣୁ ତ ସାଧୁ, ସନ୍ଥ, ମୁନି, ଋଷିମାନେ ସାଧନା କରୁଛନ୍ତି । ଭଗବାନଙ୍କ ସହ ମିଶିବା ପାଇଁ ହିଁ ସାଧନା କରାଯାଇଥାଏ । କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କର ପରିଚୟ ନାହିଁ ସେପର୍ଯ୍ୟନ୍ତ ମିଶିପାରିବେ ନାହିଁ । ତୁମେ ଜାଣିଛ ଦୁନିଆରେ କାହା ପାଖରେ ମଧ୍ୟ ଭଗବାନଙ୍କ ପରିଚୟ ନାହିଁ । ଦେହର ପରିଚୟ ସମସ୍ତଙ୍କ ପାଖରେ ଅଛି । ବଡ ଜିନିଷ ସହଜରେ ଚିହ୍ନି ହୋଇଥାଏ । ବାବା ଆସିଲେ ହିଁ ଆତ୍ମାର ପରିଚୟ ଦେଇଥାଆନ୍ତି । ଆତ୍ମା ଓ ଶରୀର ଦୁଇଟି ଜିନିଷ । ଆତ୍ମା ତାରକା ସଦୃଶ ବହୁତ ସୂକ୍ଷ୍ମ ଅଟେ । ଆତ୍ମାକୁ କେହି ଦେଖିପାରିବେ ନାହିଁ । ଏଠାରେ ବସିବା ସମୟରେ ଦେହୀ-ଅଭିମାନୀ ହୋଇ ବସ । ଅଧାକଳ୍ପ ପାଇଁ ନିରୋଗୀ ହେବାର ଏହା ମଧ୍ୟ ଚିକିତ୍ସାଳୟ ଅଟେ । ଆତ୍ମା ଅବିନାଶୀ, ଆତ୍ମାର କେବେ ବିନାଶ ହୋଇନଥାଏ । ସବୁ ଅଭିନୟ ଆତ୍ମା ହିଁ କରୁଛି । ଆତ୍ମା କହୁଛି ମୁଁ କେବେ ବିନାଶ ହୋଇନଥାଏ । ଶରୀର ବିନାଶୀ ଓ ସମସ୍ତ ଆତ୍ମା ଅବିନାଶୀ । ଏବେ ତୁମ ବୁଦ୍ଧିରେ ରହିଛି ଯେ ଆତ୍ମା ଅବିନାଶୀ ଅଟେ । ଆମେ ୮୪ ଜନ୍ମ ନେଉଛେ । ଏହା ମଧ୍ୟ ଡ୍ରାମା । ଏହି ଡ୍ରାମାରେ କିଏ କିଏ ଧର୍ମ ସ୍ଥାପକ କେବେ ଆସୁଛନ୍ତି କେତେ ଜନ୍ମ ନେଉଛନ୍ତି ଏସବୁ ତୁମେ ଜାଣିଛ । ୮୪ ଜନ୍ମର ଗାୟନ ନିଶ୍ଚିତ ଗୋଟିଏ ଧର୍ମର ହିଁ ହୋଇଥିବ । ସବୁ ଧର୍ମ ପାଇଁ ତ ୮୪ ଜନ୍ମ ହୋଇନଥିବ । ସବୁ ଧର୍ମ ଏକ ସଂଗରେ ସ୍ଥାପନ ହୋଇନଥାଏ । ଆମେ ବସି ଅନ୍ୟ ଧର୍ମର ହିସାବ କାହିଁକି ବାହାର କରିବା । ଜାଣିଛନ୍ତି ଅମୁକ ଅମୁକ ସମୟରେ ଧର୍ମସ୍ଥାପକ ଧର୍ମ ସ୍ଥାପନ ପାଇଁ ଆସୁଛନ୍ତି । ସେ ଧର୍ମର ପୁଣି ବୃଦ୍ଧି ହୋଇଥାଏ । ସମସ୍ତଙ୍କୁ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେବାକୁ ପଡିବ । ଦୁନିଆ ଯେବେ ତମୋପ୍ରଧାନ ହୋଇଯାଉଛି ବାବା ଆସି ସତ୍ତ୍ୱପ୍ରଧାନ ସତ୍ୟଯୁଗ ସ୍ଥାପନ କରୁଛନ୍ତି ଏବେ ତୁମେ ପିଲାମାନେ ଜାଣୁଛ ଆମେ ଭାରତବାସୀ ପୁନଃ ନୂଆ ଦୁନିଆରେ ରାଜ୍ୟ କରିବୁ ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ତୁମମାନଙ୍କ ମଧ୍ୟରେ ଉଚ୍ଚ ପଦ ନେବା ପାଇଁ ପୁରୁଷାର୍ଥ କରୁଥିବା ଆତ୍ମା ଅଧିକରୁ ଅଧିକ ଯୋଗଯୁକ୍ତ ହେବା ପାଇଁ ପୁରୁଷାର୍ଥ କରୁଛନ୍ତି ଓ ସମାଚାର ମଧ୍ୟ ଲେଖୁଛନ୍ତି ଯେ ବାବା ଆମେ ଏତେ ସମୟ ଯୋଗଯୁକ୍ତ ରହୁଛୁ । କେହି କେହି ଲଜ୍ଜ୍ୟା ବସତଃ ସମାଚାର ଦେଇନଥାନ୍ତି । ଭାବିଥାନ୍ତି ବାବା କଣ କହିବେ । କିନ୍ତୁ ସମାଚାର ନଦେଲେ ମଧ୍ୟ ଜଣାପଡିଯାଇଥାଏ ନା । ସ୍କୁଲରେ ଶିକ୍ଷକ ତ ଛାତ୍ରକୁ କହିବେ ଯେ ତୁମେ ପାଠ ନ ପଢିଲେ ଫେଲ୍ ହୋଇଯିବ । ଲୌକିକ ମାତାପିତା ମଧ୍ୟ ପିଲାର ପାଠପଢା ଦେଖି ବୁଝି ଯାଇଥାଆନ୍ତି । ଏହା ତ ବହୁତ ବଡ ସ୍କୁଲ ଅଟେ । ଏଠାରେ କାହାକୁ କ୍ରମାନୁଯାୟୀ ବସାଇ ପାରିବ ନାହିଁ । ବୁଦ୍ଧି ଦ୍ୱାରା ବୁଝି ହୋଇଯାଇଥାଏ । ସ୍କୁଲରେ ପିଲାମାନେ ତ କ୍ରମାନୁଯାୟୀ ରହିବେ ନା । ବାବା ଭଲ ଭଲ ଜ୍ଞାନୀ ଯୋଗୀ ପିଲାମାନଙ୍କୁ କେଉଁ ସ୍ଥାନକୁ ସେବାର୍ଥେ ପଠାଇଥାନ୍ତି । ଏହା ଦେଖି ଅନ୍ୟମାନେ ମଧ୍ୟ ଚିଠି ଲେଖିଥାନ୍ତି ବାବା ଆମକୁ ମଧ୍ୟ ମହାରଥି ସେବାଧାରୀ ଦରକାର । ତେବେ ନିଶ୍ଚିତ ରୂପେ ମହାରଥିଙ୍କୁ ନିଜଠାରୁ ହୋସିଆର ଭାବୁଛନ୍ତି ନା । କ୍ରମାନୁଯାୟୀ ତ ରହିଥାଆନ୍ତି । ପ୍ରଦର୍ଶନୀରେ ମଧ୍ୟ ଅନେକ ପ୍ରକାରର ଆତ୍ମା ଆସିଥାଆନ୍ତି ତେଣୁ ଗାଇଡ୍ମାନଙ୍କୁ ଠିଆ ହୋଇ ତଦାରଖ କରିବା ଦରକାର । ପ୍ରଦର୍ଶନୀକୁ ନିମନ୍ତ୍ରଣ ଦେଇଥିବା ଆତ୍ମା ଜାଣିଥାଆନ୍ତି ଯେ ଇଏ କେଉଁ ପ୍ରକାରର ଆତ୍ମା । ସେହି ହିସାବରେ ବୁଝାଉଥିବା ଆତ୍ମାକୁ ଇଙ୍ଗିତ କରିବା ଦରକାର ଯେ ଏହାଙ୍କୁ ତୁମେ ବୁଝାଅ । ତୁମେ ମଧ୍ୟ ଜାଣିପାରୁଛ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର ଆତ୍ମା ସମସ୍ତେ ଆସିବେ । ସେଠାରେ ସମସ୍ତଙ୍କର ସେବା କରିବାକୁ ହେବ । କେହି ବଡ ଲୋକ ଆସିଲେ ତାଙ୍କର ତ ସମସ୍ତେ ଖାତିରି କରିଥାନ୍ତି । ଏହା ମଧ୍ୟ ଏକ ନିୟମ । ବାବା ଅଥବା ଶିକ୍ଷକ କ୍ଳାସରେ ପିଲାମାନଙ୍କର ମହିମା କରୁଛନ୍ତି । ଏହା ମଧ୍ୟ ସବୁଠାରୁ ବଡ ଖାତିରି । ବାବାଙ୍କର ନାମ ପ୍ରସିଦ୍ଧି କରୁଥିବା ପିଲାମାନଙ୍କର ମହିମା ଅଥବା ଖାତିରି କରାଯାଇଥାଏ । ଅମୁକ ବ୍ୟକ୍ତି ଧନବାନ, ଆଧ୍ୟାତ୍ମିକ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି, ଏହା କହିବା ମଧ୍ୟ ଖାତିରି ହେଲା ନା । ଏହା ତୁମେ ଜାଣିଛ ଯେ ସର୍ବୋଚ୍ଚ ଭଗବାନ ହିଁ ଅଟନ୍ତି । କହିଥାନ୍ତି ଭଗବାନ ସର୍ବୋଚ୍ଚ କିନ୍ତୁ ଭଗବାନଙ୍କ ଜୀବନ କାହାଣୀ ପଚାରିଲେ କହିବେ ସେ ସର୍ବବ୍ୟାପୀ ଅଟନ୍ତି । ଏକଦମ୍ ସର୍ବନିମ୍ନ କରିଦିଅନ୍ତି । ଏବେ ତୁମେ ବୁଝାଇପାରିବ । ସର୍ବୋଚ୍ଚ ଭଗବାନ ହେଉଛନ୍ତି ମୂଳବତନବାସୀ । ସୂକ୍ଷ୍ମବତନରେ ଦେବତାମାନେ ଓ ଏଠାରେ ମନୁଷ୍ୟ ରହିଥାଆନ୍ତି । ତେଣୁ ସର୍ବୋଚ୍ଚ ଭଗବାନ ନିରାକାର ହିଁ ହେଲେ ନା ।

ଏବେ ତୁମେ ଜାଣୁଛ ଆମେ ଯେଉଁ ଦେବତାମାନେ ହୀରା ସଦୃଶ ଥିଲେ ସେହିମାନେ ହିଁ କଉଡି ତୁଲ୍ୟ ହୋଇଯାଇଛନ୍ତି । ନିଜଠାରୁ ଭଗବାନଙ୍କୁ ମଧ୍ୟ ଆହୁରି ନିମ୍ନସ୍ତରକୁ ନେଇଯାଇଛନ୍ତି । କାରଣ ଭଗବାନଙ୍କ ପରିଚୟ ହିଁ ନାହିଁ । ତୁମେ ଭାରତବାସୀ ମାନଙ୍କୁ ବାବାଙ୍କ ପରିଚୟ ମିଳୁଛି ପୁଣି ତୁମେ ଭୁଲିଯାଉଛ । ଏବେ ତୁମେ ସମସ୍ତଙ୍କୁ ବାବାଙ୍କ ପରିଚୟ ଦେଉଛ । ଅଗଣିତ ଆତ୍ମାଙ୍କୁ ବାବାଙ୍କ ପରିଚୟ ମିଳିବ । ତୁମର ମୁଖ୍ୟ ଚିତ୍ର ହେଉଛି ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର ଓ କଳ୍ପବୃକ୍ଷ । ଏହି ଚିତ୍ରରେ କେତେ ଜ୍ଞାନ ଭରି ରହିଛି । ଏହା ତ ଯେ କେହି ମଧ୍ୟ କହିବେ ଯେ ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗର ମାଲିକ ଥିଲେ । ଆଚ୍ଛା ସତ୍ୟଯୁଗ ପୂର୍ବରୁ କଣ ଥିଲା ? ଏକଥା ମଧ୍ୟ ଏବେ ତୁମେ ଜାଣୁଛ । ଏବେ ହେଉଛି କଳିଯୁଗର ଅନ୍ତ ଓ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ । ଏବେ ତ ରାଜତ୍ୱ ନାହିଁ । କେତେ ଅନ୍ତର ହୋଇଗଲାଣି । ସତ୍ୟଯୁଗ ଆଦିରେ ମଧ୍ୟ ରାଜା ଥିଲେ ଏବେ କଳିଯୁଗ ଅନ୍ତରେ ମଧ୍ୟ ରାଜାମାନେ ଅଛନ୍ତି । ଭଲେ ରାଜାମାନେ ପବିତ୍ର ନୁହଁନ୍ତି । ପୁଣି କେହି କେହି ପଇସା ଦେଇ ଉପାଧି ନେଇଯାଇଥାନ୍ତି । ବାସ୍ତବରେ ମହରାଜା ତ କେହି ମଧ୍ୟ ନାହାଁନ୍ତି । କେବଳ ଉପାଧି କିଣି ନେଇଥାନ୍ତି । ଯେପରି ପଟିଆଲାର ମହାରାଜା, ଜୋଧପୁର ମହାରାଜା, ବେକାନୀର ମହାରାଜା ନାମ ତ ନିଆଯାଇଥାଏ ନା । ମହାରାଜା ନାମ ଅବିନାଶୀ ପ୍ରଚଳିତ ଅଛି । ପ୍ରଥମେ ପବିତ୍ର ମହରାଜାମାନେ ଥିଲେ ଏବେ ଅପବିତ୍ର ମହାରାଜା ଅଛନ୍ତି । ମହାରାଜା ଅକ୍ଷର ପ୍ରଚଳିତ ରହିଛି । ଏହି ଲକ୍ଷ୍ମୀ-ନାରାୟଣଙ୍କ ପାଇଁ କୁହାଯିବ ଇଏ ସତ୍ୟଯୁଗର ମାଲିକ ଥିଲେ । ପୁଣି ସେହି ରାଜ୍ୟ କିଏ ନେଇଗଲେ ? ଏବେ ତୁମେ ଜାଣୁଛ କିପରି ରାଜତ୍ୱ ସ୍ଥାପନା ହେଉଛି । ବାବା କହୁଛନ୍ତି ତୁମକୁ ୨୧ ଜନ୍ମ ପାଇଁ ପାଠ ପଢାଉଛି । ଦୁନିଆର ଛାତ୍ରମାନେ ତ ପାଠପଢି ଏହି ଜନ୍ମରେ ବାରିଷ୍ଟର ଆଦି ହୋଇଥାନ୍ତି । ଏବେ ତୁମେ ପାଠପଢି ଭବିଷ୍ୟର ମହାରାଜା ମହାରାଣୀ ହେଉଛ । ଡ୍ରାମାର ଯୋଜନା ଅନୁଯାୟୀ ନୂଆ ଦୁନିଆର ସ୍ଥାପନା ହେଉଛି । ଏବେ ହେଉଛି ପୁରୁଣା ଦୁନିଆ । ଭଲେ କେତେ ବି ସୁନ୍ଦର ବିଶାଳ ମହଲ ତିଆରି କରୁଛନ୍ତି କିନ୍ତୁ ଏବେ ହୀରାନୀଳାର ମହଲ ତିଆରି କରିବାର ସାମର୍ଥ୍ୟ କାହାର ନାହିଁ । ସତ୍ୟଯୁଗରେ ହୀରା ନୀଳାର ମହଲ ତିଆରି କରିଥାନ୍ତି ନା । ମହଲ ତିଆରି କରିବାରେ କଣ ସମୟ ଲାଗିଥାଏ କି । ଏଠାରେ ମଧ୍ୟ ଭୂମିକମ୍ପ ହେଲେ କେତେ କାରିଗର ଲଗାଇ ବର୍ଷେ ଦୁଇବର୍ଷ ମଧ୍ୟରେ ପୁଣି ସହର ତିଆରି କରିଦେଉଛନ୍ତି । ନୂଆ ଦିଲ୍ଲୀ ତିଆରି କରିବା ପାଇଁ ଆଠ ଦଶ ବର୍ଷ ଲାଗିଥିବ କିନ୍ତୁ ଏଠିକାର ଶ୍ରମିକ ଓ ସେଠାକାର ଶ୍ରମିକ ଭିତରେ ପ୍ରଭେଦ ତ ରହିବ ନା । ବର୍ତ୍ତମାନ ନୂଆ ନୂଆ ଯନ୍ତ୍ରପାତି ଉଦ୍ଭାବନ ହେଉଛି । ଗୃହ ନିର୍ମାଣ ବିଜ୍ଞାନ କୌଶଳ ଓ ଉପକରଣ ଦ୍ୱାରା ବହୁତ ଶୀଘ୍ର ଶୀଘ୍ର ମହଲ ତିଆରି ହୋଇଯାଉଛି । ଏସବୁ କଳା କୌଶଳ ସେଠାରେ ଉପଯୋଗ ହେବ । ଏସବୁ ସଂସ୍କାର ସାଥିରେ ଯିବ । ଆତ୍ମାରେ ସଂସ୍କାର ରହିଥାଏ ନା । ତେଣୁ ଏହି ବିଜ୍ଞାନର ସଂସ୍କାର ମଧ୍ୟ ସାଥିରେ ଯିବ । ବାବା ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ପବିତ୍ର ହେବାର ଅଛି ତ ବାବାଙ୍କୁ ମନେ ପକାଅ । ବାବା ପ୍ରଥମେ ସୁପ୍ରଭାତ ଜଣାଇ ପୁଣି ଶିକ୍ଷା ଦେଉଛନ୍ତି । ପିଲାମାନେ ବାବାଙ୍କ ସ୍ମୃତିରେ ବସିଛ ? ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ କାହିଁକି ନା ଜନ୍ମ ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ଅଛି । ସିଢି ଓହ୍ଲାଇବା ପାଇଁ ୮୪ ଜନ୍ମ ନେବାକୁ ପଡୁଛି । ଏବେ ପୁଣି ଗୋଟିଏ ଜନ୍ମରେ ଆରୋହଣ କଳା ହେଉଛି । ବାବାଙ୍କୁ ଯେତେ ଅଧିକ ମନେ ପକାଇବ ସେହି ଅନୁପାତରେ ଖୁସି ରହିବ ଓ ଶକ୍ତି ମଧ୍ୟ ମିଳିବ । ବହୁତ ପିଲାମାନଙ୍କୁ ଆଗ ଧାଡିରେ ରଖାଯାଉଛି କିନ୍ତୁ ସେମାନେ ବିଲକୁଲ୍ ବାବାଙ୍କୁ ମନେପକାଉ ନାହାଁନ୍ତି । ଭଲେ ଜ୍ଞାନରେ ଆଗୁଆ ଅଛନ୍ତି କିନ୍ତୁ ଯୋଗର ଯାତ୍ରା ନାହିଁ । ବାବା ତ ପିଲାମାନଙ୍କର ମହିମା କରିଥାଆନ୍ତି । ବ୍ରହ୍ମାବାବା ପ୍ରଥମ ନମ୍ବରରେ ଅଛନ୍ତି ତେଣୁ ନିଶ୍ଚିତ ରୂପେ ମେହନତ କରୁଥିବେ ନା । ତୁମେ ସର୍ବଦା ଭାବ ଯେ ଶିବବାବା ବୁଝାଉଛନ୍ତି ତେବେ ବୁଦ୍ଧିଯୋଗ ତାଙ୍କ ସହ ଲାଗି ରହିବ ବ୍ରହ୍ମାବାବା ମଧ୍ୟ ଶିଖୁଛନ୍ତି ନା । ତଥାପି ମଧ୍ୟ କହୁଛନ୍ତି ଶିବବାବାଙ୍କୁ ମନେ ପକାଅ । କାହାକୁ ମଧ୍ୟ ବୁଝାଇବା ପାଇଁ ଚିତ୍ର ରହିଛି । ଭଗବାନ କୁହାଯାଉଛି ନିରାକାରଙ୍କୁ । ସେ ଆସି ଶରୀରର ଆଧାର ନେଉଛନ୍ତି । ଏକ ଭଗବାନଙ୍କର ସମସ୍ତେ ଆତ୍ମା ରୂପି ସନ୍ତାନ ଭାଇ ଭାଇ । ଆତ୍ମାମାନେ ଏବେ ଶରୀରରେ ବିରାଜମାନ ଅଛନ୍ତି । ସବୁ ଆତ୍ମା ଅକାଳମୂରତ ଅଟନ୍ତି । ଏହି ଭ୍ରୁକୁଟୀ ଅକାରମୂରତ ଆତ୍ମାର ସିଂହାସନ ଅଟେ । ଅକାଳସିଂହାସନ ଅନ୍ୟ କୌଣସି ବିଶେଷ ଜିନିଷ ନୁହେଁ । ଭ୍ରୁକୁଟୀ ମଧ୍ୟରେ ଆତ୍ମା ବିରାଜମାନ ହୋଇଥାଏ ଏହାକୁ ଅକାଳତଖତ କୁହାଯାଏ । ଅକାଳମୂରତ ଆତ୍ମାର ଏହା ଅକାଳ ସିଂହାସନ । ଆତ୍ମାମାନେ ସମସ୍ତେ ଅକାଳ, ଆତ୍ମା କେତେ ସୂକ୍ଷ୍ମ ଅଟେ । ବାବା ତ ନିରାକାର । ସେ ନିଜର ସିଂହାସନ କେଉଁଠାରୁ ଆଣିବେ । ବାବା କହୁଛନ୍ତି ବ୍ରହ୍ମାଙ୍କ ଭ୍ରୁକୁଟୀ ମୋର ମଧ୍ୟ ସିଂହାସନ ଅଟେ । ମୁଁ ଏହି ସିଂହାସନର ଲୋନ ନେଉଛି । ବ୍ରହ୍ମାଙ୍କ ସାଧାରଣ ବୁଢା ଶରୀରରେ ଅକାଳ ସିଂହାସନରେ ଆସି ବିରାଜମାନ ହେଉଛି । ଏବେ ତୁମେ ଜାଣିଗଲଣି ସମସ୍ତ ଆତ୍ମାମାନଙ୍କର ଏହା ସିଂହାସନ ଅଟେ । ମନୁଷ୍ୟମାନଙ୍କ କଥା କୁହାଯାଉଛି । ପଶୁମାନଙ୍କ କଥା କୁହାଯାଉନାହିଁ । ପଶୁଠାରୁ ମଧ୍ୟ ହୀନ ହୋଇଯାଇଥିବା । ମନୁଷ୍ୟମାନେ ତ ପ୍ରଥମେ ସୁଧରନ୍ତୁ । କେହି ଯଦି ପଶୁପକ୍ଷୀଙ୍କ କଥା ପଚାରନ୍ତି ତେବେ କୁହ ପ୍ରଥମେ ତ ନିଜକୁ ସୁଧାରିନିଅ । ସତ୍ୟଯୁଗର ପଶୁ ପକ୍ଷୀ ମଧ୍ୟ ବହୁତ ସୁନ୍ଦର ଓ ଭଲ ହେବେ । ଆବର୍ଜନା ମଧ୍ୟ କରିବେ ନାହିଁ । କଳିଯୁଗରେ ତ ରାଜମହଲରେ ପାରା କିମ୍ବା ଅନ୍ୟ ପକ୍ଷୀମାନଙ୍କ ମଳ ପଡିଥିଲେ ସ୍ୱଚ୍ଛାତା କର୍ମଚାରୀଙ୍କୁ ଦଣ୍ଡ ମିଳିଥାଏ ନା । ସତ୍ୟଯୁଗରେ ବହୁତ ଖବରଦାର ଥାଆନ୍ତି । କୌଣସି ପଶୁ ରାଜମହଲରେ ପ୍ରବେଶ ନ କରିବା ପାଇଁ ପ୍ରହରୀ ରହିଥାନ୍ତି । ବହୁତ ସ୍ୱଚ୍ଛତା ରହିଥାଏ । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ କେବେ ସ୍ୱଚ୍ଛତା ରହୁଛି । ଶଙ୍କର ପାର୍ବତୀଙ୍କ ମନ୍ଦିରରେ ପାରା ରହୁଥିବାର ବର୍ଣ୍ଣନା କରିଛନ୍ତି ତେବେ ନିଶ୍ଚିତ ଅପରିଷ୍କାର କରୁଥିବେ ନା । ଶାସ୍ତ୍ରରେ ତ ଅନେକ ମନଗଢା କଥା ଲେଖିଦେଇଛନ୍ତି ।

ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ସେମାନଙ୍କ ମଧ୍ୟରୁ ବହୁତ କମ ସଂଖ୍ୟକ ଆତ୍ମା ଧାରଣା କରିପାରି ଥାଆନ୍ତି । ବାକି ଅନ୍ୟମାନେ କିଛି ମଧ୍ୟ ବୁଝନ୍ତି ନାହିଁ । ବାବା ପିଲାମାନଙ୍କୁ କେତେ ସ୍ନେହରେ ବୁଝାଉଛନ୍ତି ପିଲାମାନେ ବହୁତ ମିଷ୍ଟଭାଷୀ ହୁଅ । ମୁଖରେ ସର୍ବଦା ଜ୍ଞାନରତ୍ନ ଉଚ୍ଚାରଣ କର । ତୁମେମାନେ ରୂପ ବସନ୍ତ ଅର୍ଥାତ୍ ଜ୍ଞାନୀଯୋଗୀ ଅଟ । ତୁମର ମୁଖରୁ ପଥର ଅର୍ଥାତ୍ କଟୁବଚନ ବାହାରିବା ଉଚିତ୍ ନୁହେଁ । ଆତ୍ମାର ହିଁ ମହିମା ହୋଇଥାଏ । ଆତ୍ମା କହିଥାଏ ଯେ ମୁଁ ରାଷ୍ଟ୍ରପତି ଅଟେ, ଅମୁକ ଅଟେ । ମୋ ଶରୀରରେ ନାମ ଅମୁକ । ଆଚ୍ଛା, ଆତ୍ମାମାନେ କାହାର ସନ୍ତାନ ? ଏକ ପରମାତ୍ମାଙ୍କର । ତେବେ ନିଶ୍ଚିତ ତାଙ୍କଠାରୁ ସମ୍ପତ୍ତି ମିଳୁଥିବ । ତେବେ ପରମାତ୍ମା କିପରି ସର୍ବବ୍ୟାପୀ ହୋଇପାରିବେ । ତୁମେ ଏବେ ବୁଝୁଛ ଯେ ଆମେମାନେ ମଧ୍ୟ ପ୍ରଥମେ କିଛି ଜାଣିନଥିଲୁ । ଏବେ ବୁଦ୍ଧି ଖୋଲିଲା । ତୁମେ କୌଣସି ବି ମିନ୍ଦିରକୁ ଗଲେ ମନେ ମନେ ଭାବିବ ଯେ ଏସବୁ ତ ମିଥ୍ୟା ଚିତ୍ର । ଦଶ ଭୂଜାଧାରୀ, ହାଥି ଶୁଣ୍ଢ ଥିବା କୌଣସି ଦେବୀ-ଦେବତା ଥାଆନ୍ତି କି! ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ । ବାସ୍ତବରେ ସମସ୍ତଙ୍କର ସଦ୍ଗତିଦାତା ଏକ ଶିବବାବାଙ୍କର ଭକ୍ତି ହେବା ଆବଶ୍ୟକ । ତୁମ ବୁଦ୍ଧିରେ ଅଛି ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ପୁଣି ସର୍ବୋଚ୍ଚ ପିତା ଆସି ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ତାଙ୍କଠାରୁ ଶ୍ରେଷ୍ଠ କେହି ନାହାଁନ୍ତି । ଏହି ଜ୍ଞାନକୁ ତୁମମାନଙ୍କ ମଧ୍ୟରେ ବି କ୍ରମାନୁଯାୟୀ ଧାରଣ କରିଥାଆନ୍ତି । ଧାରଣା ନ କରିପାରିଲେ ସେ ଆତ୍ମା କେଉଁ କାମର । କେହି କେହି ତ ଅନ୍ଧଙ୍କ ଲାଠି ହେବା ପରିବର୍ତ୍ତେ ନିଜେ ଅନ୍ଧ ହୋଇଯାଆନ୍ତି ଅର୍ଥାତ୍ ଜ୍ଞାନମାର୍ଗରୁ ଓହରିଯାଆନ୍ତି । ଯେଉଁ ଗାଈମାନେ ଦୁଗ୍ଧ ଦିଅନ୍ତି ନାହିଁ ସେମାନଙ୍କୁ କାଞ୍ଜିଆହତାରେ (ଅକର୍ମଣ୍ୟ ଗାଈମାନଙ୍କ ରକ୍ଷଣାବେକ୍ଷଣ ସ୍ଥାନ) ରଖାଯାଇଥାଏ । ଜ୍ଞାନମାର୍ଗରୁ ଓହରିଯାଉଥିବା ଆତ୍ମାମାନେ ଜ୍ଞାନ ଦୁଗ୍ଧ ଦେଇପାରିବେ ନାହିଁ । ଅନେକ ଅଛନ୍ତି, ଯେଉଁମାନେ କିଛି ମଧ୍ୟ ପୁରୁଷାର୍ଥ କରିନଥାନ୍ତି । ବୁଝିନଥାନ୍ତି ଯେ ଆମେ ଯାଇ କାହାର କିଛି ତ କଲ୍ୟାଣ କରିବା ଦରକାର । ନିଜ ଭାଗ୍ୟ ଗଢିବାରେ ଚିନ୍ତା ହିଁ ନାହିଁ । ଯାହା ମିଳିଲା ଖୁସି ହୋଇଯାଉଛନ୍ତି । ତେଣୁ ବାବା ମଧ୍ୟ କହିବେ ଏହାଙ୍କ ଭାଗ୍ୟରେ ନାହିଁ । ନିଜର ସଦ୍ଗତି ପାଇଁ ପୁରୁଷାର୍ଥ ତ କରିବା ଆବଶ୍ୟକ । ଦେହୀ-ଅଭିମାନୀ ହେବାକୁ ପଡିବ । ବାବା ସର୍ବୋଚ୍ଚ ଅଟନ୍ତି ଏବଂ କିଭଳି ପତିତ ଦୁନିଆ ପତିତ ଶରୀରରେ ଆସି ସେବା କରୁଛନ୍ତି । ତାଙ୍କୁ ପତିତ ଦୁନିଆକୁ ହିଁ ଡାକୁଛ । ଯେବେ ରାବଣ ଦୁଃଖ ଦେଇ ପୂର୍ଣ୍ଣ ରୂପେ ଭ୍ରଷ୍ଟ କରିଦେଉଛି ସେହି ସମୟରେ ବାବା ଆସି ଶ୍ରେଷ୍ଠ କରୁଛନ୍ତି । ଯିଏ ଭଲ ପୁରୁଷାର୍ଥ କରିଥାଆନ୍ତି ସେ ରାଜାରାଣୀ ହୋଇଥାଆନ୍ତି । ଯିଏ ଆଦୌ ପୁରୁଷାର୍ଥ କରୁନାହାଁନ୍ତି ସେମାନେ ଗରୀବ ହୋଇଯାଆନ୍ତି । ଭାଗ୍ୟରେ ନଥିଲେ ପୁରୁଷାର୍ଥ ମଧ୍ୟ କରିପାରିବେ ନାହିଁ । କେହି କେହି ତ ବହୁତ ସୁନ୍ଦର ଭାଗ୍ୟ ଗଢିଥାଆନ୍ତି । ପ୍ରତ୍ୟେକ ନିଜକୁ ଦେଖିବା ଦରକାର ଯେ ମୁଁ କଣ ସେବା କରିପାରିବି । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ରୂପ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହୋଇ ମୁଖରୁ ସଦାସର୍ବଦା ଜ୍ଞାନରତ୍ନ ହିଁ ବାହାର କରିବାକୁ ହେବ । ବହୁତ ବହୁତ ମିଠା ହେବାକୁ ପଡିବ । ମୁଖରୁ କେବେହେଲେ କଟୁବଚନ ନ ବାହାରୁ ।

(୨) ଜ୍ଞାନ ଏବଂ ଯୋଗରେ ଆଗୁଆ ହୋଇ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବାକୁ ପରୁଷାର୍ଥ କରିବାକୁ ହେବ । ଅନ୍ଧମାନଙ୍କର ବାଡି ହେବାକୁ ପଡିବ ।

ବରଦାନ:-
ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥର ବିସ୍ତାର ଭିତରେ ରହି ଫରିସ୍ତା ପଣିଆର ସାକ୍ଷାତ୍କାର କରାଉଥିବା ସାକ୍ଷାତ୍କାର ମୂର୍ତ୍ତି ହୁଅ ।

ଘର ଗୃହସ୍ଥର ବିସ୍ତାର ଭିତରେ ରହୁଥିଲେ ମଧ୍ୟ ବିସ୍ତାରକୁ ଏକତ୍ରିତ କରିବା ଏବଂ ଉପରାମ ବୃତ୍ତିରେ ରହିବାର ଅଭ୍ୟାସ କର । ଏବେ ଏବେ ସ୍ଥୂଳ କାର୍ଯ୍ୟ କରୁଥିବ, ଏବେ ଏବେ ଅଶରୀରି ହୋଇପାରୁଥିବ ଏହି ଅଭ୍ୟାସ ହିଁ ଫରିସ୍ତା ପଣିଆର ସାକ୍ଷାତ୍କାର କରାଇବ । ସର୍ବଦା ଉଚ୍ଚ ସ୍ଥିତିରେ ରହିଲେ ଛୋଟ ଛୋଟ କଥା ସବୁ ବ୍ୟକ୍ତଭାବ ଅନୁଭବ ହେବ, ତେଣୁ ଉଚ୍ଚକୁ ଚାଲିଗଲେ ନୀଚରେ ରହିବାର ଅଭ୍ୟାସ ଆପେ ଆପେ ସମାପ୍ତ ହୋଇଯିବ । ସେଥିପାଇଁ ମେହନତ କରିବାକୁ ପଡିବ ନାହିଁ । ସମୟ ମଧ୍ୟ ବଞ୍ଚିଯିବ, ସେବା ମଧ୍ୟ ତୀବ୍ରଗତିରେ ହେବ । ତୁମର ବୁଦ୍ଧି ଏତେ ବିଶାଳ ହୋଇଯିବ ଯାହାକି ଗୋଟିଏ ସମୟରେ ଅନେକ କାମ କରିପାରିବ ।

ସ୍ଲୋଗାନ:-
ଖୁସିକୁ କାୟମ ରଖିବା ପାଇଁ ପ୍ରତିଦିନ ଆତ୍ମାରୂପୀ ଦୀପରେ ଜ୍ଞାନର ଘୃତ ଢାଳୁଥାଅ ।