08.03.20    Avyakt Bapdada     Odia Murli     04.12.85     Om Shanti     Madhuban


ଆଜି ବାପଦାଦା ନିଜର ଶକ୍ତି ସେନାକୁ ଦେଖୁଛନ୍ତି ଏହି ଆତ୍ମିକ ଶକ୍ତି ସେନା ମନଜିତ୍ ତଥା ଜଗତ୍ଜିତ୍ ଅଟେ ତ ? ମନଜିତ୍ ଅର୍ଥାତ୍ ମନର ବ୍ୟର୍ଥ ସଂକଳ୍ପ ଏବଂ ବିକଳ୍ପ ଉପରେ ବିଜୟୀ । ଏହିଭଳି ବିଜୟୀ ପିଲାମାନେ ବିଶ୍ୱର ରାଜ୍ୟ ଅଧିକାରୀ ହୋଇଥାନ୍ତି ସେଥିପାଇଁ ମନକୁ ଜିତିଲେ ଜଗତକୁ ଜିତିବ ବୋଲି ଗାୟନ ରହିଛି । ଯେତେ ଯେତେ ବର୍ତ୍ତମାନ ସମୟରେ ନିଜର ସଂକଳ୍ପ ଶକ୍ତି ଅର୍ଥାତ୍ ମନକୁ ନିଜର ଅଧିକାରରେ ରଖିବ ସେହି ଅନୁସାରେ ଭବିଷ୍ୟତରେ ବିଶ୍ୱର ରାଜ୍ୟ ଅଧିକାରୀ ହେବ । ଏବେ ଏହି ସମୟରେ ତୁମେମାନେ ଈଶ୍ୱରୀୟ ବାଳକ ଅର୍ଥାତ୍ ସନ୍ତାନ ଅଟ ଏବଂ ବର୍ତ୍ତମାନର ଈଶ୍ୱରୀୟ ସନ୍ତାନମାନେ ହିଁ ଭବିଷ୍ୟତରେ ବିଶ୍ୱର ମାଲିକ ହେବେ । ବାଳକ ନ ହୋଇ କେହି ମାଲିକ ହୋଇପାରିବ ନାହିଁ । ତେଣୁ ଲୌକିକ ଦୁନିଆର ବିନାଶୀ ମାଲିକ ପଣିଆର ଯେଉଁ ସବୁ ବିନାଶୀ ନିଶା ରହିଛି ସେଗୁଡିକୁ ସମାପ୍ତ କରି ବିନାଶୀ ମାଲିକ ପଣିଆରୁ ବାଳକ ପଣିଆକୁ ଆସିବାକୁ ପଡିବ ତେବେ ଯାଇ ବାଳକ ତଥା ମାଲିକ ହୋଇପାରିବ । ସେଥିପାଇଁ ଭକ୍ତିମାର୍ଗରେ କେହି କେତେ ବି ବଡ ଦେଶର ମାଲିକ ହୋଇଥାଉ ବା ବହୁତ ଧନର ମାଲିକ ହୋଇଥାଉ ବା ସମ୍ଭ୍ରାନ୍ତ ପରିବାରର ମାଲିକ ହୋଇଥାଉ କିନ୍ତୁ ଈଶ୍ୱରଙ୍କ ସମ୍ମୁଖରେ ସମସ୍ତେ ନିଜକୁ ବାଲକ୍ ତେରେ ଅର୍ଥାତ୍ ମୁଁ ତୁମର ସନ୍ତାନ ବୋଲି କହି ପ୍ରାର୍ଥନା କରିଥାନ୍ତି । ମୁଁ ଅମୁକ ଅମୁକର ମାଲିକ ବୋଲି କହି ପ୍ରାର୍ଥନା କରିନଥାନ୍ତି । ତୁମେ ବ୍ରାହ୍ମଣ ପିଲାମାନେ ମଧ୍ୟ ଯେବେକି ବାଳକ ହୋଇଯାଉଛ ସେଥିପାଇଁ ବର୍ତ୍ତମାନ ମଧ୍ୟ ଚିନ୍ତାମୁକ୍ତ ରାଜା ହେଉଛ ଏବଂ ଭବିଷ୍ୟତରେ ମଧ୍ୟ ବିଶ୍ୱର ମାଲିକ ବା ରାଜା ହେଉଛ । ତେବେ ମୁଁ ବାଳକ ହିସାବରେ ମାଲିକ ଅଟେ ଏହି ସ୍ମୃତି ସଦାସର୍ବଦା ନିରହଂକାରୀ ଏବଂ ନିରାକାରୀ ସ୍ଥିତିର ଅନୁଭବ କରାଇଥାଏ । ବାଳକ ହେବା ଅର୍ଥାତ୍ ଲୌକିକ ଜୀବନର ପରିବର୍ତ୍ତନ ହେବା । ଯେତେବେଳେ ତୁମେମାନେ ବ୍ରାହ୍ମଣ ହେଲ ସେତେବେଳେ ବ୍ରାହ୍ମଣ ଜୀବନରେ ପ୍ରଥମ ଏବଂ ସହଜରୁ ସହଜ ଶିକ୍ଷା କଣ ପାଇଲ ? ପିଲାମାନେ କହିଲେ ବାବା ଏବଂ ବାବା କହିଲେ ତୁମେମାନେ ମୋର ସନ୍ତାନ ଅର୍ଥାତ୍ ବାଳକ । ଏହି ଗୋଟିଏ ଶବ୍ଦର ଶିକ୍ଷା ହିଁ ତୁମମାନଙ୍କୁ ଜ୍ଞାନବାନ୍ କରିଦେଉଛି । ବାଳକ ବା ସନ୍ତାନ ଯଦି ଏହି ଗୋଟିଏ ଶବ୍ଦକୁ ବୁଝିଗଲ ତେବେ କେବଳ ଏହି ବିଶ୍ୱର ଜ୍ଞାନ ନୁହେଁ ତିନି ଲୋକର ଜ୍ଞାନ ବୁଝିଗଲ । ଆଜିର ଦୁନିଆରେ ଯିଏ ଯେତେ ବି ବଡ ବିଦ୍ୱାନ ହୋଇଥାଆନ୍ତୁ କିନ୍ତୁ ତିନିଲୋକର ଜ୍ଞାନକୁ ଜାଣିପାରିବେ ନାହିଁ । ତୁମଭଳି ଏହି ଗୋଟିଏ ଶବ୍ଦର ଅର୍ଥକୁ ବୁଝିଥିବା ପିଲାମାନଙ୍କ ନିକଟରେ ଦୁନିଆରେ ବଡରୁ ବଡ ବିଦ୍ୱାନ ମଧ୍ୟ ଅନଭିଜ୍ଞ ଅଟେ । ଏହିଭଳି ତୁମେମାନେ କେତେ ସହଜରେ ମାଷ୍ଟର ନଲେଜଫୁଲ ହୋଇଯାଇଛ! ବାବା ଏବଂ ସନ୍ତାନ ଏହି ଗୋଟିଏ ଜ୍ଞାନରେ ସବୁ କିଛି ସମାହିତ ଅଟେ । ଯେପରି ବୀଜ ଭିତରେ ସାରା ବୃକ୍ଷ ଅନ୍ତନିର୍ହିତ ସେହିପରି ବାଳକ ଅଥବା ସନ୍ତାନ ହେବା ଅର୍ଥ ସବୁଦିନ ପାଇଁ ମାୟାଠାରୁ ମୁକ୍ତ ରହିବା । ମୁଁ ବାବାଙ୍କର ସନ୍ତାନ ବୋଲି ସର୍ବଦା ସ୍ମୃତିରେ ରଖିବା ଅର୍ଥ ମାୟାଠାରୁ ସୁରକ୍ଷିତ ରହିବା । ସର୍ବଦା ଏହି କଥା ସ୍ମୃତିରେ ରଖ ଯେ ବାବାଙ୍କର ସନ୍ତାନ ହେବା କାରଣରୁ ହିଁ ମାୟାଠାରୁ ରକ୍ଷା ପାଇଗଲି । ତେବେ ଏହାକୁ ବୁଦ୍ଧିରେ ରଖିବା କଷ୍ଟକର କି ? ସହଜ ଅଟେ ନା, ତେବେ ଭୁଲିଯାଉଛ କାହିଁକି ? କେହି କେହି ଏଭଳି ମଧ୍ୟ ଭାବୁଛନ୍ତି ଯେ ଆମେ ତ ଭୁଲିବାକୁ ଚାହୁଁନାହୁଁ କିନ୍ତୁ ଭୁଲି ହୋଇଯାଉଛି । ତେଣୁ କୁହାଯାଉଛି ଏହା ବହୁତ ସମୟର ସଂସ୍କାର ବା ପୁରୁଣା ସଂସ୍କାର । କିନ୍ତୁ ଯେବେକି ତୁମେମାନେ ମରଜୀବା ହୋଇଗଲ ତେବେ ମରିବା ସମୟରେ କଣ କରାଯାଏ ? ଅଗ୍ନିରେ ସଂସ୍କାର କରାଯାଏ ନା । ସେହିଭଳି ତୁମେମାନେ ମଧ୍ୟ ପୁରୁଣା ଜୀବନର ଅଗ୍ନି ସଂସ୍କାର କରିସାରିଛ ତେବେ ତ ନୂଆ ଜନ୍ମ ନେଇଛ ନା । ଯେବେକି ଅଗ୍ନି ସଂସ୍କାର କରିସାରିଛ ତେବେ ପୁଣି ଏହି ପୁରୁଣା ଜୀବନର ସ୍ୱଭାବ-ସଂସ୍କାର କେଉଁଠୁ ଆସିଲା! ଯେପରି ଶରୀରର ସଂସ୍କାର କରିବା ପରେ ତାର ନାମ ରୂପ ସମାପ୍ତ ହୋଇଯାଉଛି । ଯଦି କେବେ ନାମ ଉଚ୍ଚାରଣ କରାଯାଏ ତେବେ କହିବେ ଅମୁକ ଥିଲା । ଅଛି ବୋଲି କହିବେ ନାହିଁ । ତେଣୁ ଶରୀରର ସଂସ୍କାର ହେବା ପରେ ଶରୀର ତ ସମାପ୍ତ ହୋଇଗଲା । କିନ୍ତୁ ବ୍ରାହ୍ମଣ ଜୀବନରେ କାହାର ସଂସ୍କାର କରୁଛ ? ଶରୀର ତ ଯାହା ଥିଲା ତାହା ଅଛି । କିନ୍ତୁ ଏଠାରେ ତୁମେ ପୁରୁଣା ସଂସ୍କାର, ପୁରୁଣା ସ୍ମୃତି, ପୁରୁଣା ସ୍ୱଭାବର ସଂସ୍କାର କରୁଛ ତେବେ ଯାଇ ମରଜୀବା ବୋଲାଇ ପାରୁଛ । ଯେବେକି ଏସବୁକୁ ସଂସ୍କାର କରିଦେଲ ତେବେ ପୁଣି ପୁରୁଣା ଜୀବନର ସ୍ୱଭାବ-ସଂସ୍କାର କେଉଁଠୁ ଆସିଲା । ଯଦି ସଂସ୍କାର କରାଯାଇଥିବା ମନୁଷ୍ୟ ପୁନର୍ବାର ସମ୍ମୁଖକୁ ଆସିଯାଏ ତେବେ ତାକୁ କଣ କହୁଛ ? ଭୂତ କହୁଛ ନା । ତେବେ ଏବେ ମଧ୍ୟ ତୁମର ଅଗ୍ନି ସଂସ୍କାର କରିଥିବା ପୁରୁଣା ସଂସ୍କାର ଯଦି ଜାଗ୍ରତ ହୋଇ ଯାଉଛି ତେବେ ତାକୁ କଣ କୁହାଯିବ ? ଏହାକୁ ମଧ୍ୟ ମାୟାର ଭୂତ କୁହାଯିବ ଏବଂ ଭୂତମାନଙ୍କୁ ତ ତଡିଦିଆଯାଏ ନା । ଏମିତିକି ତାଙ୍କ ବିଷୟରେ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ । ତେଣୁ ଏହିଭଳି ପୁରୁଣା ସଂସ୍କାର କହି କହି ନିଜକୁ ଧୋକା ଦେଉଛ । ଯଦି ତୁମମାନଙ୍କୁ ପୁରୁଣା କଥାକୁ ଶୁଣିବାକୁ ବା ବର୍ଣ୍ଣନା କରିବାକୁ ଭଲ ଲାଗୁଛି ତେବେ ବାସ୍ତବିକ ଭାବରେ ସବୁଠାରୁ ପୁରୁଣା ଆଦିକାଳର ସଂସ୍କାରକୁ ମନେ ପକାଅ । ଏସବୁ ତ ତୁମର ମଧ୍ୟ କାଳର ସଂସ୍କାର ସବୁଠାରୁ ପୁରୁଣା ସଂସ୍କାର ନୁହେଁ । ମଧ୍ୟକୁ ମଝି କୁହାଯାଏ ତେଣୁ ମଧ୍ୟ କାଳ ଅର୍ଥାତ୍ ମଝିକୁ ମନେ ପକାଇବା ଅର୍ଥାତ୍ ଭଉଁରୀ ମଝିରେ ପଡି ଦୁଃଖୀ ହେବା, ସେଥିପାଇଁ କେବେ ବି ଏହିଭଳି ଦୁର୍ବଳତାର କଥାକୁ ମନେ ପକାଅ ନାହିଁ । ସଦାସର୍ବଦା ଏହି ଦୁଇଟି କଥା ମନେ ରଖ ବାଳକ ତଥା ମାଲିକ । ବାଳକ ପଣିଆ ହିଁ ମାଲିକ ପଣିଆର ସ୍ମୃତିକୁ ଆପେ ଆପେ ଜାଗ୍ରତ କରିଥାଏ । ତେବେ କଣ ତୁମକୁ ବାଳକ ହେବା ଜଣା ନାହିଁ ।

ଆଜି ବାପଦାଦାଙ୍କ ସମ୍ମୁଖରେ ଦୁଇଟି ରୂପରେ ଦୁଇଟି ସଭା ରହିଛି । ଦୁଇଟିଯାକ ସଭା ସ୍ନେହୀ ପିଲାମାନଙ୍କର ହିଁ ଅଟେ । ଗୋଟିଏ ହେଲା ସାକାର ରୂପଧାରୀ ପିଲାମାନଙ୍କର ସଭା । ଦ୍ୱିତୀୟଟି ଆକାରୀ ରୂପଧାରୀ ସ୍ନେହୀ ସ୍ୱରୂପ ପିଲାମାନଙ୍କର ସଭା । ସ୍ନେହର ସାଗର ବାବାଙ୍କ ସହିତ ମିଳନ କରିବା ପାଇଁ ଚାରିଆଡର ଆକାରୀ ରୂପଧାରୀ ପିଲାମାନେ ନିଜର ସ୍ନେହକୁ ବାପଦାଦାଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ କରୁଛନ୍ତି । ବାପଦାଦା ମଧ୍ୟ ସବୁ ପିଲାଙ୍କର ସ୍ନେହଭରା ସଂକଳ୍ପ, ଅନ୍ତରର ଭିନ୍ନ ଭିନ୍ନ ଉମଙ୍ଗ-ଉତ୍ସାହ ଭରା ସଂକଳ୍ପ, ଅନ୍ତରର ଭିନ୍ନ ଭିନ୍ନ ଭାବନା ସାଥୀରେ ସ୍ନେହପୂର୍ଣ୍ଣ ସମ୍ବନ୍ଧର ଅଧିକାର ଆଧାରରେ ଅଧିକାର ଯୁକ୍ତ ମିଠା ମିଠା କଥା ଶୁଣୁଛନ୍ତି । ପ୍ରତ୍ୟେକ ସନ୍ତାନ ନିଜର ହୃଦୟର ହାଲ୍ଚାଲ, ନିଜର ଭିନ୍ନ ଭିନ୍ନ ପ୍ରବୃତ୍ତି ଅର୍ଥାତ୍ କାର୍ଯ୍ୟ ବ୍ୟବହାରରେ ଆସୁଥିବା ପରିସ୍ଥିତିର ହାଲ୍ଚାଲ୍, ସେବାର ସମାଚାରର ହାଲ୍ଚାଲ୍, ନୟନର ଭାଷା ଦ୍ୱାରା ତଥା ସ୍ନେହଭରା ଶ୍ରେଷ୍ଠ ସଂକଳ୍ପର ଭାଷା ଦ୍ୱାରା ବାବାଙ୍କ ନିକଟରେ ସ୍ପଷ୍ଟ କରୁଛନ୍ତି ଅର୍ଥାତ୍ ଜଣାଉଛନ୍ତି । ବାପଦାଦା ସବୁ ପିଲାଙ୍କର ରୁହରିହାନ ଅର୍ଥାତ୍ ଆତ୍ମିକ ବାର୍ତ୍ତାଳପକୁ ତିନି ରୂପରେ ଶୁଣୁଛନ୍ତି । ଗୋଟିଏ ହେଲା ନୟନର ଭାଷା ଦ୍ୱାରା, ଦ୍ୱିତୀୟରେ - ଭାବନାର ଭାଷା ଦ୍ୱାରା, ତୃତୀୟରେ - ସଂକଳ୍ପର ଭାଷା ଦ୍ୱାରା ମଧ୍ୟ ଶୁଣୁଛନ୍ତି । ମୁଖର ଭାଷା ତ ସାଧାରଣ ଅଟେ କିନ୍ତୁ ଏହି ତିନି ପ୍ରକାରର ଭାଷା ହିଁ ଆତ୍ମିକ ଯୋଗୀ ଜୀବନର ଭାଷା, ଯାହାକୁ କେବଳ ଆତ୍ମିକ ସନ୍ତାନମାନେ ଏବଂ ଆତ୍ମିକ ପିତା ହିଁ ଜାଣିଛନ୍ତି ଏବଂ ଅନୁଭବ କରୁଛନ୍ତି । ଯେତେଯେତେ ତୁମେମାନେ ଅନ୍ତର୍ମୁଖୀ ଗଭୀର ଶାନ୍ତି ସ୍ୱରୂପରେ ସ୍ଥିତ ହୋଇଚାଲିବ ସେହି ଅନୁସାରେ ଏହି ତିନିଟିଯାକ ଭାଷା ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଅନୁଭବ କରାଇପାରିବ । ଏହି ଅଲୌକିକ ଭାଷା କେତେ ଶକ୍ତିଶାଳୀ! ମୁଖର ଭାଷା ଶୁଣି ଶୁଣି ଏବଂ ଶୁଣାଇ ଶୁଣାଇ ଅଧିକାଂଶ ଆତ୍ମା ଥକି ଗଲେଣି ଏବଂ ମୁଖର ଭାଷା ଦ୍ୱାରା କୌଣସି କଥାକୁ ସ୍ପଷ୍ଟ କରିବା ପାଇଁ ସମୟ ମଧ୍ୟ ଲାଗିବ କିନ୍ତୁ ନୟନର ଭାଷା କେବଳ ଇଙ୍ଗିତର ଭାଷା । ମନର ଭାବନାର ଭାଷା ଚେହେରା ଦ୍ୱାରା ହାବ-ଭାବ ରୂପରେ ସ୍ପଷ୍ଟ ଜଣାପଡିଥାଏ । ଚେହେରାର ହାବ-ଭାବରୁ ମନର ଭାବନା ପ୍ରମାଣିତ ହୋଇଯାଏ । ଯେପରି କେହି ଯଦି ମନରେ କୌଣସି ଭାବନା ରଖି କାହା ପାଖକୁ ଯାଏ ତେବେ ସେ ମନ ଭିତରେ ସ୍ନେହ ରଖି ଆସିଛି ବା ଶତ୍ରୁତା ରଖି ଆସିଛି ବା କୌଣସି ସ୍ୱାର୍ଥ ହାସଲ କରିବା ପାଇଁ ଆସିଛି ତାର ମନର ଭାବ ଚେହେରାରେ ଦେଖାଯାଇଥାଏ । କିଏ କେଉଁ ଭାବନାରେ ଆସିଛି ତାହା ତାର ଦୃଷ୍ଟିଭଙ୍ଗୀ ହିଁ କହିଦିଏ । ତେଣୁ ଭାବନାର ଭାଷାକୁ ଚେହେରାର ହାବ-ଭାବ ଦ୍ୱାରା ଜାଣି ବି ପାରିବ ଏବଂ ଜଣାଇ ମଧ୍ୟ ପାରିବ । ସେହିପରି ସଂକଳ୍ପର ଭାଷା ମଧ୍ୟ ବହୁତ ଶ୍ରେଷ୍ଠ କାରଣ ସଂକଳ୍ପ ଶକ୍ତି ସବୁଠାରୁ ଶ୍ରେଷ୍ଠ ଶକ୍ତି ବା ମୂଳଶକ୍ତି ଅଟେ ଏବଂ ସବୁଠାରୁ ତୀବ୍ରଗତିର ଭାଷା ମଧ୍ୟ ସଂକଳ୍ପର ଭାଷା ହିଁ ଅଟେ । କେହି କେତେ ବି ଦୂରରେ ଥାଉ, ଆଦାନ ପ୍ରଦାନର କୌଣସି ସୁବିଧା ମଧ୍ୟ ନଥାଉ କିନ୍ତୁ ସଂକଳ୍ପର ଭାଷା ଦ୍ୱାରା କାହାକୁ ବି ସନ୍ଦେଶ ଦେଇପାରିବ । ଶେଷ ସମୟରେ ତ ଏହି ସଂକଳ୍ପର ଭାଷା ହିଁ କାମରେ ଆସିବ । ଯେତେବେଳେ ବିଜ୍ଞାନର ସବୁ ଯନ୍ତ୍ରପାତି ଫେଲ୍ ମାରିବ ସେତେବେଳେ ଏହି ଶାନ୍ତିର ଶକ୍ତି ଅର୍ଥାତ୍ ସଂକଳ୍ପର ଭାଷା ହିଁ କାମରେ ଆସିବ । କିନ୍ତୁ କୌଣସି ପ୍ରକାରର କନେକ୍ଶନ୍ ଯୋଡିବା ପାଇଁ ବୁଦ୍ଧିର ଲାଇନ୍ ସର୍ବଦା କ୍ଲିଅର ରହିବା ଦରକାର ଅର୍ଥାତ୍ ବୁଦ୍ଧି ସ୍ୱଚ୍ଛ ରହିବା ଦରକାର । ଯେତେ-ଯେତେ ଏକମାତ୍ର ବାବାଙ୍କ ସ୍ମୃତିରେ ବା ବାବାଙ୍କ ଦ୍ୱାରା ଶୁଣିଥିବା ଜ୍ଞାନର ଚିନ୍ତନରେ ବା ସେହି ଜ୍ଞାନ ଆଧାରରେ ସେବା କରିବାରେ ସର୍ବଦା ବ୍ୟସ୍ତ ରହିବାର ଅଭ୍ୟାସୀ ହୋଇଥିବ ସେହି ଅନୁସାରେ ବୁଦ୍ଧିରେ ଶ୍ରେଷ୍ଠ ସଂକଳ୍ପ ଉତ୍ପନ୍ନ ହେବା କାରଣରୁ ବୁଦ୍ଧିର ଲାଇନ୍ କ୍ଳିଅର ରହିବ ଅର୍ଥାତ୍ କୌଣସି ପ୍ରକାରର ବ୍ୟର୍ଥ ସଂକଳ୍ପ ରୂପକ ବିଶୃଂଖଳା ହେବ ନାହିଁ । ଯେତେ ଯେତେ ବ୍ୟର୍ଥ ସମାପ୍ତ ହୋଇ ସମର୍ଥ ସଂକଳ୍ପର ଚିନ୍ତନ ଚାଲିଥିବ ସେତେ ସେତେ ସଂକଳ୍ପ ରୂପକ ଶ୍ରେଷ୍ଠ ଭାଷାକୁ ମଧ୍ୟ ସ୍ପଷ୍ଟ ରୂପରେ ଅନୁଭବ କରିପାରିବ । ଯେପରି ମୁଖର ଭାଷାରୁ ସହଜରେ ଅନୁଭବ କରିପାରୁଛ । ସେହିପରି ମୁଖର ଭାଷାଠାରୁ ସଂକଳ୍ପର ଭାଷା ଗୋଟିଏ ସେକେଣ୍ଡରେ ବହୁତ ଅଧିକ ଅନୁଭବ କରାଇପାରିବ । ତିନି ମିନିଟ୍ର ଭାଷଣର ସାରାଂଶକୁ ଗୋଟିଏ ସେକେଣ୍ଡରେ ସଂକଳ୍ପର ଭାଷା ଦ୍ୱାରା ଅନୁଭବ କରାଇପାରିବ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପାଇବାର ଯେଉଁଭଳି ଗାୟନ ରହିଛି ତାହାର ଅନୁଭବ କରାଇପାରିବ ।

ତେବେ ଅନ୍ତର୍ମୁଖୀ ଆତ୍ମାମାନଙ୍କର ଭାଷା ଅର୍ଥାତ୍ ଅଲୌକିକ ଭାଷା ଏହା ହିଁ ଅଟେ । ବର୍ତ୍ତମାନ ସମୟ ଅନୁସାରେ ଏହି ତିନିଟି ଭାଷା ଦ୍ୱାରା ହିଁ ତୁମେମାନେ ସହଜରେ ସଫଳତାକୁ ପ୍ରାପ୍ତ କରିବ । ଏଥିରେ ମେହନତ ମଧ୍ୟ କମ୍ ଏବଂ ସମୟ ମଧ୍ୟ କମ୍ ଲାଗିବ କିନ୍ତୁ ସଫଳତା ସହଜରେ ମିଳିପାରିବ ସେଥିପାଇଁ ବର୍ତ୍ତମାନ ଏହି ଆତ୍ମିକ ଭାଷାର ଅଭ୍ୟାସୀ ହୁଅ । ତେବେ ଆଜି ବାପଦାଦା ମଧ୍ୟ ପିଲାମାନଙ୍କର ଏହି ତିନି ପ୍ରକାରର ଭାଷାକୁ ଶୁଣୁଛନ୍ତି ଏବଂ ସବୁ ପିଲାଙ୍କୁ ପ୍ରତ୍ୟୁତ୍ତର ମଧ୍ୟ ଦେଉଛନ୍ତି । ସମସ୍ତଙ୍କର ଅତି ସ୍ନେହଭରା ସ୍ୱରୂପକୁ ଦେଖି ବାପଦାଦା ମଧ୍ୟ ପିଲାମାନଙ୍କର ସ୍ନେହକୁ ନିଜର ସ୍ନେହର ସାଗରରେ ମିଶାଇ ଦେଉଛନ୍ତି । ସମସ୍ତଙ୍କର ସ୍ମୃତିକୁ ସଦାକାଳ ପାଇଁ ସ୍ମାରକୀର ରୂପ ଦେବା ପାଇଁ ଶ୍ରେଷ୍ଠ ବରଦାନ ମଧ୍ୟ ଦେଉଛନ୍ତି । ସମସ୍ତଙ୍କର ମନର ଭିନ୍ନ ଭିନ୍ନ ଭାବକୁ ଜାଣି ସବୁ ପିଲାଙ୍କ ପ୍ରତି ସମସ୍ତ ଭାବନାର ପ୍ରତ୍ୟୁତ୍ତରରେ ସର୍ବଦା ନିର୍ବିଘ୍ନ ଭବ, ସମର୍ଥ ଭବ, ସର୍ବଶକ୍ତି ସମ୍ପନ୍ନ ଭବର ଶୁଭଭାବନା ଏହି ରୂପରେ ଦେଉଛନ୍ତି ଏବଂ ଏହି ଶୁଭଭାବନା ମଧ୍ୟ କରୁଛନ୍ତି ଯେ ପିଲାମାନଙ୍କର ଯାହା ବି ସବୁ ଶୁଭକାମନା ରହିଛି, ପରିସ୍ଥିତି ଅନୁସାରେ ସହଯୋଗର ଭାବନା ରହିଛି ସେହି କାମନା ବାପଦାଦାଙ୍କର ଶ୍ରେଷ୍ଠ ଭାବନା ଦ୍ୱାରା ନିଶ୍ଚିତ ଭାବରେ ସମ୍ପନ୍ନ ହେବ ଅର୍ଥାତ୍ ପୂରଣ ହେବ । ପୁରୁଷାର୍ଥ କରୁ କରୁ କେବେ କେବେ ପିଲାମାନଙ୍କର ପୁରୁଣା ହିସାବ-କିତାବ ମଧ୍ୟ ପରୀକ୍ଷା ରୂପରେ ସମ୍ମୁଖକୁ ଆସିଯାଉଛି । ଚାହେଁ ମନର ବ୍ୟର୍ଥ ସଂକଳ୍ପର ତୋଫାନ ରୂପରେ ହେଉ ବା ଶାରୀରିକ ରୋଗ ବ୍ୟାଧି ରୂପରେ ହେଉ ବା କୌଣସି ସମ୍ବନ୍ଧ-ସମ୍ପର୍କ ରୂପରେ ହେଉ । ଏମିତିକି ଯେଉଁମାନେ ବହୁତ ନିକଟତମ ବା ଶ୍ରେଷ୍ଠ ସହଯୋଗୀ ଅଟନ୍ତି ସେମାନଙ୍କ ଦ୍ୱାରା ମଧ୍ୟ ସହଯୋଗ ପରିବର୍ତ୍ତେ ଛୋଟ ଛୋଟ ସଂଘର୍ଷ ମଧ୍ୟ ହୋଇଯାଉଛି । କିନ୍ତୁ ଏହାଦ୍ୱାରା ସବୁ ପୁରୁଣା ଖାତା ବା ପୁରୁଣା କରଜ ଚୁକ୍ତ ହୋଇଚାଲିଛି ସେଥିପାଇଁ ଏହିଭଳି ହଲ୍ଚଲ୍କୁ ନ ଯାଇ ଯଦି ବୁଦ୍ଧିକୁ ଶକ୍ତିଶାଳୀ କରିବ ତେବେ ନିଜର ବୁଦ୍ଧିବଳ ଦ୍ୱାରା ଏହିସବୁ ପୁରୁଣା କରଜ ଗୁଡିକୁ କରଜ ଭାବିବା ପରିବର୍ତ୍ତେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ନିଜର ଫର୍ଜ ଅର୍ଥାତ୍ ଶ୍ରେଷ୍ଠ କର୍ତ୍ତବ୍ୟ ମନେ କରିବ । କିନ୍ତୁ ଏଥିରେ କଣ ହେଉଛି ନା ବୁଦ୍ଧିବଳ ନଥିବା କାରଣରୁ ଏହିସବୁ କରଜ ଗୁଡିକ ବୋଝ ଭଳି ଅନୁଭବ କରୁଛ ଏବଂ ବୋଝ କାରଣରୁ ବୁଦ୍ଧି ଦ୍ୱାରା ଯେଉଁଭଳି ଯଥାର୍ଥ ନିର୍ଣ୍ଣୟ ହେବା ଉଚିତ୍ ତାହା ହୋଇପାରୁ ନାହିଁ ଏବଂ ଯଥାର୍ଥ ନିର୍ଣ୍ଣୟ ନ ହେବା କାରଣରୁ ସେହି ବୋଝ ତୁମକୁ ଆହୁରି ଅଧିକ ଅଧିକ ତଳକୁ ନେଇଯାଉଛି । ଯାହା ଦ୍ୱାରା ସଫଳତାର ଉଚ୍ଚ ସ୍ୱପାନରେ ପହଞ୍ଚି ପାରୁନାହଁ ସେଥିପାଇଁ ପୁରୁଣାକୁ ଚୁକ୍ତ କରିବା ପରିବର୍ତ୍ତେ କେଉଁଠି କେଉଁଠି ଆହୁରି ଅଧିକ ବଢିଯାଉଛି । ତେଣୁ ଏହିଭଳି ପୁରୁଣା କରଜକୁ ଚୁକ୍ତ କରିବାର ଉପାୟ ହେଲା ନିଜର ବୁଦ୍ଧିକୁ ସ୍ୱଚ୍ଛ ରଖ, ବୁଦ୍ଧିରେ କୌଣସି ବୋଝ ରଖ ନାହିଁ କାରଣ ବୁଦ୍ଧିକୁ ଯେତେ ଯେତେ ହାଲୁକା ରଖିବ ବୁଦ୍ଧିବଳ ସେହି ଅନୁସାରେ ସଫଳତାକୁ ସହଜରେ ପ୍ରାପ୍ତ କରାଇବ । ସେଥିପାଇଁ ବ୍ୟସ୍ତ ହୁଅ ନାହିଁ । ବ୍ୟର୍ଥ ସଂକଳ୍ପ କାହିଁକି ଆସିଲା, କଣ ହେଲା, ବୋଧ ହୁଏ ଏପରି ହୋଇଥିବ.... ଏହିଭଳି ବୋଝଯୁକ୍ତ ସଂକଳ୍ପକୁ ସମାପ୍ତ କରି ବୁଦ୍ଧିର ଲାଇନ୍ କ୍ଳିଅର ରଖ ଏବଂ ହାଲୁକା ରଖ । ତେବେ ତୁମର ସାହସ ଆଧାରରେ ବାବାଙ୍କର ସହଯୋଗ ମିଳିଯିବ ଏବଂ ସହଜରେ ସଫଳତାର ଅନୁଭବ ହେବାକୁ ଲାଗିବ । ବୁଝିଲ ।

ପିଲାମାନେ ଡବଲ ଲାଇଟ୍ ସ୍ଥିତିରେ ରହିବା ପରିବର୍ତ୍ତେ ଡବଲ ବୋଝ ଉଠାଇ ନେଉଛନ୍ତି । ଗୋଟିଏ ହେଲା ପୁରୁଣା ହିସାବ-କିତାବର ବୋଝ ଏବଂ ଦ୍ୱିତୀୟଟି ବ୍ୟର୍ଥ ସଂକଳ୍ପର ବୋଝ ତେଣୁ ଏହିଭଳି ଡବଲ ବୋଝ ତୁମକୁ ଉପରକୁ ଉଠାଇବା ନା ତଳକୁ ନେଇଯିବ ? ସେଥିପାଇଁ ବାପଦାଦା ସମସ୍ତ ପିଲାମାନଙ୍କର ବିଶେଷ ଭାବରେ ଧ୍ୟାନ ଆକର୍ଷିତ କରାଉଛନ୍ତି ଯେ ବୁଦ୍ଧିର ବୋଝକୁ ସବୁବେଳେ ଚୁକ୍ତ କରିଚାଲ କାରଣ କୌଣସି ପ୍ରକାରର ବୋଝ ବୁଦ୍ଧିଯୋଗକୁ ଯୋଡିବା ପରିବର୍ତ୍ତେ ହିସାବ-କିତାବକୁ ଚୁକ୍ତ କରିବାର ଭୋଗା ଭୋଗରେ ପରିବର୍ତ୍ତିତ ହୋଇଯାଏ ସେଥିପାଇଁ ସର୍ବଦା ନିଜର ବୁଦ୍ଧିକୁ ହାଲୁକା ରଖ ତେବେ ଯୋଗବଳ ଏବଂ ବୁଦ୍ଧିବଳ ତୁମର ଭୋଗାଭୋଗକୁ ସମାପ୍ତ କରିଦେବ ।

ସମସ୍ତଙ୍କର ସେବା କରିବାର ଭିନ୍ନ ଭିନ୍ନ ଉମଙ୍ଗ-ଉତ୍ସାହର ସଂକଳ୍ପ ମଧ୍ୟ ବାପଦାଦାଙ୍କ ନିକଟରେ ପହଞ୍ଚୁଛି । ଯେଉଁମାନେ ଯେତିକି ସଚ୍ଚା ହୃଦୟରେ ବା ନିଃସ୍ୱାର୍ଥ ଭାବନାରେ ସେବା କରୁଛନ୍ତି ସେମାନଙ୍କର ସଚ୍ଚା ହୃଦୟର ସେବା ପାଇଁ ସାହେବ ଅର୍ଥାତ୍ ବାପଦାଦା ସବୁବେଳେ ସେମାନଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ଏବଂ ବାପଦାଦାଙ୍କର ସନ୍ତୁଷ୍ଟତାର ଚିହ୍ନ ହେଲା ପିଲାମାନଙ୍କର ହୃଦୟର ସନ୍ତୁଷ୍ଟତା ଏବଂ ସେବାର ସଫଳତା । ଯାହା ସବୁ ଆଜି ପର୍ଯ୍ୟନ୍ତ କରିଆସିଛ ଏବଂ କରିଚାଲିଛ ତାହା ତ ବହୁତ ଭଲ କରିଛ ଏବଂ ଆଗକୁ ଯାଇ ଆହୁରି ଅଧିକରୁ ଅଧିକ ଭଲ ନିଶ୍ଚିତ ହେବ । ସେଥିପାଇଁ ଚାରିଆଡର ପିଲାମାନଙ୍କୁ ବାପଦାଦା ସର୍ବଦା ଉନ୍ନତିକୁ ପ୍ରାପ୍ତ କରୁଥାଅ ଏବଂ ବିଧି ଅନୁସାରେ ସର୍ବଦା ବୃଦ୍ଧିକୁ ପ୍ରାପ୍ତ କରୁଥାଅ ଏହି ବରଦାନ ଦେବା ସହିତ ପଦ୍ମଗୁଣା ୟାଦପ୍ୟାର ମଧ୍ୟ ଦେଉଛନ୍ତି । ତା ସହିତ ସମସ୍ତଙ୍କର ହାତଲେଖା ପତ୍ରର ବା ମନର ଭାବନା ଦ୍ୱାରା ଦେଇଥିବା ପତ୍ରର ଜବାବ ବାପଦାଦା ସବୁ ପିଲାମାନଙ୍କୁ ଶୁଭ ଅଭିନନ୍ଦନ ରୂପରେ ଦେଉଛନ୍ତି । ଶ୍ରେଷ୍ଠ ପୁରୁଷାର୍ଥୀ ହୋଇ, ଶ୍ରେଷ୍ଠ ଜୀବନରେ ସର୍ବଦା ବଞ୍ଚି ରହିଥାଅ । ଏହିଭଳି ସ୍ନେହପୂର୍ଣ୍ଣ ଅନେକ ଶ୍ରେଷ୍ଠ ଭାବନା ସହିତ ସମସ୍ତଙ୍କୁ ୟାଦପ୍ୟାର ଏବଂ ନମସ୍ତେ ।

ବାଳକ ହୁଅ ଅର୍ଥାତ୍ ସବୁ ପ୍ରକାରର ବୋଝରୁ ହାଲୁକା ହୁଅ । କେବେ ତୋର, କେବେ ମୋର ଏହି କଥା ହିଁ ଅସୁବିଧାରେ ପକାଇ ଦେଉଛି । ଯେତେବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛ ସେତେବେଳେ ତ କହୁଛ ତୋ କାମ ତେତେ ଜଣା କିନ୍ତୁ ଯେତେବେଳେ ସହଜ ଲାଗୁଛି ସେତେବେଳେ ମୋର କହିଦେଉଛ । ତେବେ ଏହି ମୋର ପଣିଆ ସମାପ୍ତ ହୋଇଯିବା ହିଁ ବାଳକ ତଥା ମାଲିକ ହେବା । ବାବା ତ କହୁଛନ୍ତି ପିଲାମାନେ ଏବେ ଭିକାରୀ ହୋଇଯାଅ । ଏହି ଶରୀର ରୂପକ ଘର ମଧ୍ୟ ତୁମର ନୁହେଁ । ଏହା ତ ତୁମକୁ ଧାର ସୂତ୍ରରେ ମିଳିଛି । କେବଳ ଈଶ୍ୱରୀୟ ସେବା କରିବା ପାଇଁ ବାବା ତୁମକୁ ଏହି ଶରୀର ଧାର ସୂତ୍ରରେ ଦେଇ ସେଥିରେ ତୁମକୁ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ କରିଛନ୍ତି । ତେଣୁ ଏହା ତୁମ ପାଇଁ ଈଶ୍ୱରୀୟ ଅମାନତ ଅର୍ଥାତ୍ ସମ୍ପତ୍ତି ଅଟେ । ତୁମେମାନେ ତ ନିଜର ସବୁ କିଛି ତୋର ବୋଲି କହି ବାବାଙ୍କୁ ଦେଇଦେଇଛ । ଏହିଭଳି ପ୍ରତିଜ୍ଞା କରିଛ ନା, କି ଭୁଲିଗଲଣି ? ନା ଅଧା ତୋର ଅଧା ମୋର ଭାବିଛ । ଯଦି ତୋର ବୋଲି କହିଥିବା ବସ୍ତୁକୁ ମୋର ଭାବି କାର୍ଯ୍ୟରେ ଲଗାଉଛ ତେବେ କଣ ହବ ? ସେଥିରୁ ସୁଖ ମିଳିବ ? ସଫଳତା ମିଳିବ ? ସେଥିପାଇଁ ଏହାକୁ ଈଶ୍ୱରୀୟ ଅମାନତ ମନେ କରି ଯଦି ଚାଲିବ ତେବେ ବାଳକ ହିସାବରେ ମାଲିକ ପଣିଆର ଖୁସିରେ ବା ନିଶାରେ ଆପେ ଆପେ ରହିବ । ବୁଝିଲ ? ତେଣୁ ଏହି ଶିକ୍ଷାକୁ ସର୍ବଦା ଦୃଢତା ପୂର୍ବକ ପାଳନ କର । ଏଥିରେ ଦୃଢତାକୁ ଧାରଣ କରିଛ ନା ନିଜ ନିଜର ସ୍ଥାନକୁ ଯାଇ ପୁଣି ଭୁଲିଯିବ । ଏଥିରେ ଅଭୁଲ୍ ହୁଅ । ଆଚ୍ଛା!

ସବାସର୍ବଦା ଆତ୍ମିକ ନିଶାରେ ରହୁଥିବା ବାଳକ ତଥା ମାଲିକ ପିଲାମାନଙ୍କୁ, ସର୍ବଦା ବାଳକ ପଣିଆ ଅର୍ଥାତ୍ ଚିନ୍ତାମୁକ୍ତ ରାଜା ପଣିଆର ସ୍ମୃତିରେ ରହୁଥିବା ପିଲାମାନଙ୍କୁ, ସର୍ବଦା ମିଳିଥିବା ଈଶ୍ୱରୀୟ ସମ୍ପତ୍ତିକୁ ଟ୍ରଷ୍ଟୀ ହୋଇ ସେବାରେ ଲଗାଉଥିବା ପିଲାମାନଙ୍କୁ, ସର୍ବଦା ନୂଆ ଉମଂଗ, ନୂଆ ଉତ୍ସାହରେ ରହୁଥିବା ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ରଦାନ:-
ବିଶେଷ ଶବ୍ଦର ସ୍ମୃତି ଦ୍ୱାରା ସମ୍ପୂର୍ଣ୍ଣତାର ଲକ୍ଷ୍ୟକୁ ପ୍ରାପ୍ତ କରି ସ୍ୱପରିବର୍ତ୍ତକ ହୁଅ ।

ସଦାସର୍ବଦା ଏହି କଥା ସ୍ମୃତିରେ ରହିଥାଉ ଯେ ମୁଁ ଏକ ବିଶେଷ ଆତ୍ମା, ବିଶେଷ କାର୍ଯ୍ୟ କରିବା ପାଇଁ ନିମିତ୍ତ ହେବା ସହିତ ବିଶେଷତା ପ୍ରଦର୍ଶନକାରୀ ମଧ୍ୟ ଅଟେ । ତେଣୁ ଏହି ବିଶେଷ ଶବ୍ଦକୁ ବିଶେଷ ଭାବରେ ମନେ ରଖ । କଥା କହିବା ମଧ୍ୟ ବିଶେଷ, ଦେଖିବା ମଧ୍ୟ ବିଶେଷ, କର୍ମ କରିବା ମଧ୍ୟ ବିଶେଷ, ଚିନ୍ତା କରିବା ମଧ୍ୟ ବିଶେଷ.... ପ୍ରତ୍ୟେକ କଥାରେ ଏହି ବିଶେଷ ଶବ୍ଦକୁ ସ୍ମୃତିରେ ଆଣିବା ଦ୍ୱାରା ସହଜରେ ସ୍ୱପରିବର୍ତ୍ତକ ତଥା ବିଶ୍ୱ ପରିବର୍ତ୍ତକ ହୋଇଯିବ ଏବଂ ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବାର ଯେଉଁ ଲକ୍ଷ୍ୟ ରଖିଛ ସେହି ଲକ୍ଷ୍ୟକୁ ମଧ୍ୟ ସହଜରେ ପ୍ରାପ୍ତ କରିପାରିବ ।
 

ସ୍ଲୋଗାନ:-
ବିଘ୍ନ ସମୟରେ ବିଚଳିତ ହେବା ପରିବର୍ତ୍ତେ ତାକୁ ପରୀକ୍ଷା ମନେ କରି ଅତିକ୍ରମ କରିଯାଅ ।