08.05.22 Avyakt Bapdada Odia Murli 31.12.90 Om Shanti Madhuban
“ତପସ୍ୟା ହିଁ
ସର୍ବଶ୍ରେଷ୍ଠ ସମାରୋହ, ତପସ୍ୟା ଅର୍ଥାତ୍ ବାବାଙ୍କ ସହିତ ମଉଜ କରିବା”
ଆଜି ବାପଦାଦା ଚାରିଆଡ଼ୁ
ଆସିଥିବା ସମସ୍ତ ନୂଆ ଜ୍ଞାନ ଦ୍ୱାରା ସବୁ ସମୟରେ ନୂଆ ଜୀବନ, ନୂଆ ମନୋବୃତ୍ତି, ନୂଆ ଦୃଷ୍ଟି,
ନୂଆ ସୃଷ୍ଟିର ଅନୁଭବ କରୁଥିବା ପିଲାମାନଙ୍କୁ ସ୍ନେହରୂପକ ଅଭିନନ୍ଦନ ଦେଉଛନ୍ତି । ଏହି ସମୟରେ
ଚାରିଆଡ଼ର ପିଲାମାନେ ନିଜର ଦିଲ୍ ରୂପୀ ଦୂରଦର୍ଶନ ଦ୍ୱାରା ବର୍ତ୍ତମାନ ସମୟର ଦିବ୍ୟ ଦୃଶ୍ୟକୁ
ଦେଖୁଛନ୍ତି । ସମସ୍ତଙ୍କର ଗୋଟିଏ ହିଁ ସଂକଳ୍ପ ରହିଛି ଯେ ଦୂରରେ ଥିଲେ ମଧ୍ୟ ନିକଟରେ ବା
ସମ୍ମୁଖରେ ବସିଥିବାର ଅନୁଭବ କରିବୁ । ବାପଦାଦା ମଧ୍ୟ ସମସ୍ତଙ୍କୁ ଦେଖୁଛନ୍ତି । ସମସ୍ତଙ୍କର ନୂଆ
ଉମଙ୍ଗ-ଉତ୍ସାହର ଆନ୍ତରିକ ଅଭିନନ୍ଦନର ବାଦ୍ୟ ଶୁଣୁଛନ୍ତି । ସମସ୍ତଙ୍କର ଭିନ୍ନ ଭିନ୍ନ ସ୍ନେହଭରା
ବାଦ୍ୟ ବା ସଙ୍ଗୀତ ବହୁତ ସୁନ୍ଦର ଅନୁଭବ ହେଉଛି, ସେଥିପାଇଁ ବାପଦାଦା ଏହାର ପ୍ରତ୍ୟୁତ୍ତରରେ
ନୂତନ ବର୍ଷର ନୂତନ ଉମଙ୍ଗ-ଉତ୍ସାହର ସବୁ ସମୟରେ ନିଜ ଭିତରେ ଦିବ୍ୟତାକୁ ଧାରଣ କରିବାର ସଦାକାଳ
ପାଇଁ ଅଭିନନ୍ଦନ ଦେଉଛନ୍ତି । କେବଳ ଆଜି ନୂତନ ବର୍ଷ ହୋଇଥିବା କାରଣରୁ ଅଭିନନ୍ଦନ ଦେଉନାହାନ୍ତି
କିନ୍ତୁ ଅବିନାଶୀ ପିତାଙ୍କ ସହିତ ଅବିନାଶୀ ପ୍ରୀତି ରଖିଥିବା ପିଲାମାନଙ୍କ ପାଇଁ ସଙ୍ଗମଯୁଗର
ପ୍ରତିଟି ମୂହୂର୍ତ୍ତ ଜୀବନରେ ନବୀନତା ଭରିଦେଇପାରିବ, ସେଥିପାଇଁ ମଧ୍ୟ ପ୍ରତି ମୂହୁର୍ତ୍ତରେ
ଅବିନାଶୀ ପିତା ଅବିନାଶୀ ଅଭିନନ୍ଦନ ଦେଉଛନ୍ତି । ବାପଦାଦାଙ୍କର ବିଶେଷ ଖୁସିଭରା ଅଭିନନ୍ଦନ
ଅର୍ଥାତ୍ ଶୁଭେଚ୍ଛା ଆଧାରରେ ହିଁ ସମସ୍ତ ବ୍ରାହ୍ମଣ ଆତ୍ମାମାନେ ବୃଦ୍ଧି ପ୍ରାପ୍ତ କରିଚାଲିଛନ୍ତି
। ବ୍ରାହ୍ମଣ ଜୀବନର ପାଳନାର ଆଧାର ହେଲା ଅଭିନନ୍ଦନ । ଏହି ଅଭିନନ୍ଦନର ଖୁସିକୁ ଆଧାର କରି ଆଗକୁ
ବଢ଼ି ଚାଲିଛ । ପିତା ସ୍ୱରୂପରେ ସବୁ ସମୟରେ ଅଭିନନ୍ଦନ ଅର୍ଥାତ୍ ଶୁଭକାମନା କରୁଛନ୍ତି । ଶିକ୍ଷକ
ସ୍ୱରୂପରେ ସବୁ ସମୟରେ ସାବାସ୍ ସାବାସ୍ ର ବାଣୀ ହିଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେଉଛି ଏବଂ
ସଦ୍ଗୁରୁ ରୂପରେ ପ୍ରତ୍ୟେକ ଶ୍ରେଷ୍ଠ କର୍ମ ଆଧାରରେ ମିଳୁଥିବା ଆର୍ଶୀବାଦ ସହଜରେ ମଉଜ ଭରା ଜୀବନର
ଅନୁଭବ କରାଉଛି, ସେଥିପାଇଁ ପଦ୍ମାପଦ୍ମ ଭାଗ୍ୟବାନ ଅଟ । ଭାଗ୍ୟବିଧାତା ଭଗବାନଙ୍କର ସନ୍ତାନ
ହୋଇଯାଇଛ ଅର୍ଥାତ୍ ସମ୍ପୂର୍ଣ୍ଣ ଭାଗ୍ୟର ଅଧିକାରୀ ହୋଇଯାଇଛ । ଲୋକମାନେ ତ ବିଶେଷ ଦିନରେ ବିଶେଷ
ଅଭିନନ୍ଦନ ଦେଉଛନ୍ତି କିନ୍ତୁ ତୁମମାନଙ୍କୁ କ’ଣ କେବଳ ନୂତନ ବର୍ଷରେ ଅଭିନନ୍ଦନ ମିଳୁଛି? ଏକ
ତାରିଖରୁ ଦୁଇ ତାରିଖ ହୋଇଗଲେ କ’ଣ ଅଭିନନ୍ଦନ ସମାପ୍ତ ହୋଇଯିବ? ତୁମ ପାଇଁ ତ ସବୁ ସମୟ, ସବୁ
ମୂହୂର୍ତ୍ତ ବିଶେଷ ଅଟେ । ସଙ୍ଗମଯୁଗ ହିଁ ହେଉଛି ବିଶେଷ ଯୁଗ, ଅଭିନନ୍ଦନ ଦେବାର ଏବଂ ନେବାର ଯୁଗ
। ଅମୃତବେଳାରେ ପ୍ରତିଦିନ ବାବାଙ୍କ ଠାରୁ ଅଭିନନ୍ଦନ ଗ୍ରହଣ କରୁଛ ନା! ଏହି ଦିନଟିକୁ ତ ନିମିତ୍ତ
ମାତ୍ର ନୂତନ ବର୍ଷ ହିସାବରେ ପାଳନ କରୁଛ । କିନ୍ତୁ ମନେରଖ ଯେ ଆମ ପାଇଁ ପ୍ରତ୍ୟେକ ମୂହୂର୍ତ୍ତ
ମଉଜ ଭରା ମୂହୂର୍ତ ଅଟେ । ମଜା ହିଁ ମଜା ଅଛି ନା? କେହି ଯଦି ପଚାରିବ ତୁମ ଜୀବନରେ କ’ଣ ଅଛି?
ତେବେ କ’ଣ ଉତ୍ତର ଦେବ? ମଜା ହିଁ ମଜା ନା! ସାରା କଳ୍ପର ମଜା ଏହି ଜୀବନରେ ହିଁ ଅନୁଭବ କରୁଛ ।
କାହିଁକିନା ବାବାଙ୍କ ସହିତ ମିଳନ କରିବାର ମଜା ସାରା କଳ୍ପର ରାଜ୍ୟ ଅଧିକାରୀ ଏବଂ ପୂଜ୍ୟ ଅଧିକାରୀ
ଉଭୟର ଅନୁଭବ କରାଉଛି । ପୂଜ୍ୟ ପଣିଆର ମଜା ଏବଂ ରାଜ୍ୟ କରିବାର ମଜା - ଉଭୟର ଜ୍ଞାନ ବର୍ତ୍ତମାନ
ହିଁ ଅଛି । ସେଥିପାଇଁ ଏବେ ହିଁ ମଜା ରହିଛି ।
ତେବେ ଏହି ବର୍ଷ କ’ଣ ସବୁ
କରିବ? ନବୀନତା କରିବ ନା! ଏହି ବର୍ଷକୁ “ସମାରୋହ ବର୍ଷ” ରୂପରେ ପାଳନ କର । ଭାବୁଛ ତପସ୍ୟା କରିବୁ
ନା ସମାରୋହ ପାଳନ କରିବୁ? ତେବେ ତପସ୍ୟା ହିଁ ହେଉଛି ବଡ଼ରୁ ବଡ଼ ସମାରୋହ, କାରଣ ତୁମକୁ ହଠଯୋଗ ତ
କରିବାର ନାହିଁ । ତେଣୁ ତପସ୍ୟା ଅର୍ଥାତ୍ ବାବାଙ୍କ ସହିତ ଖୁସି ମଉଜ କରିବା । ମିଳନର ମଉଜ, ସର୍ବ
ପ୍ରାପ୍ତିର ମଉଜ, ପାଖାପାଖି ହେବାର ଅନୁଭବର ମଉଜ, ସମାନ ସ୍ଥିତିର ମଉଜ ...... । ତେଣୁ ଏହା ସବୁ
ସମାରୋହ ହେଲା ନା । ସେବାର ବଡ଼ ବଡ଼ ସମାରୋହ କରିବାର ନାହିଁ କିନ୍ତୁ ତପସ୍ୟାର ବାତାବରଣ
ଆତ୍ମାମାନଙ୍କୁ ବାଣୀର ସମାରୋହ ଠାରୁ ମଧ୍ୟ ବାବାଙ୍କ ପ୍ରତି ଅଧିକ ଆକର୍ଷିତ କରିବ । କାରଣ ତପସ୍ୟା
ଏକ ଆଧ୍ୟାତ୍ମିକ ଚୁମ୍ବକ ସଦୃଶ ଅଟେ ଯାହାକି ଆତ୍ମାମାନଙ୍କୁ ଦୂରରୁ ହିଁ ଶାନ୍ତି ଏବଂ ଶକ୍ତିର
ଅନୁଭବ କରାଇଥାଏ । ତେଣୁ ନିଜ ଭିତରେ କ’ଣ ସବୁ ନବୀନତା ଧାରଣ କରିବ? କାହିଁକିନା ନବୀନତା ହିଁ
ସମସ୍ତଙ୍କୁ ଭଲ ଲାଗିଥାଏ । ତେଣୁ ସର୍ବଦା ନିଜକୁ ଚେକ୍ କର ଯେ ଆଜିର ଦିନରେ ମୁଁ ନିଜର ମାନସୀକ
ଶକ୍ତି ଅର୍ଥାତ୍ ସଂକଳ୍ପ ଶକ୍ତିରେ ବିଶେଷ ଭାବରେ କେଉଁ ବିଶେଷତାକୁ ଧାରଣ କରିଛି? ଏବଂ ଅନ୍ୟ
ଆତ୍ମାମାନଙ୍କ ପ୍ରତି ମାନସୀକ ସେବା ଅର୍ଥାତ୍ ଶୁଭଭାବନା, ଶୁଭକାମନାର ବିଧି ଦ୍ୱାରା କେତେ ବୃଦ୍ଧି
ପ୍ରାପ୍ତ କରିଛି? ଅର୍ଥାତ୍ ଶ୍ରେଷ୍ଠତା ଏବଂ ନବୀନତା କ’ଣ କରିଛି? ତା’ ସହିତ ବାଣୀରେ ମଧୁରତା,
ସନ୍ତୁଷ୍ଟତା, ସରଳତାର ନବୀନତା କେତେ ପରିମାଣରେ ଆଣିପାରିଛି? ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ
ସାଧାରଣ ବାଣୀ ନୁହେଁ । ତୁମମାନଙ୍କର ବାଣୀରେ ଏହି ତିନୋଟି ଯାକ ବିଶେଷତା ନିଜକୁ ଏବଂ ଅନ୍ୟ
ଆତ୍ମାମାନଙ୍କୁ ଅନୁଭବ ହେବା ଦରକାର । ଏହାକୁ କୁହାଯାଏ ନବୀନତା । ତା’ ସହିତ ପ୍ରତ୍ୟେକ କର୍ମରେ
ନବୀନତା ଅର୍ଥାତ୍ ପ୍ରତ୍ୟେକ କର୍ମ ନିଜ ପ୍ରତି ତଥା ଅନ୍ୟ ଆତ୍ମାମାନଙ୍କ ପ୍ରତି ପ୍ରାପ୍ତିର
ଅନୁଭବ କରାଉଥିବ । କର୍ମର ପ୍ରତ୍ୟକ୍ଷ ଫଳ ବା ଭବିଷ୍ୟତ ପାଇଁ ଜମା ହେଉଥିବା ଫଳ ଅନୁଭବ ହେଉଥିବ ।
ବର୍ତ୍ତମାନ ସମୟରେ କର୍ମର ପ୍ରତ୍ୟକ୍ଷ ଫଳ ସ୍ୱରୂପ ସର୍ବଦା ଖୁସି ଏବଂ ଶକ୍ତି ରୂପୀ ପ୍ରସନ୍ନତାର
ଅନୁଭୂତି ମଧ୍ୟ ହେଉଥିବ ଏବଂ ଭବିଷ୍ୟତ ପାଇଁ ଜମା ମଧ୍ୟ ହେଉଥିବ । ତେବେ ଯାଇ ସର୍ବଦା ନିଜକୁ
ଭରପୁର ବା ସମ୍ପନ୍ନ ଅନୁଭବ କରିପାରିବ । ତୁମର ପ୍ରତ୍ୟେକ କର୍ମରୂପୀ ବୀଜ ପ୍ରାପ୍ତି ରୂପକ ବୃକ୍ଷ
ଦ୍ୱାରା ଭରପୁର ହୋଇଥିବ । ଖାଲି ନଥିବ । ତେବେ ଭରପୁର ଆତ୍ମାକୁ ସ୍ୱାଭାବିକ ଭାବରେ ଅଲୌକିକ ନିଶା
ରହିଥାଏ । ତେଣୁ ଏହିଭଳି ନବୀନତା ଯୁକ୍ତ କର୍ମ କରିଛ? ଏହା ସହିତ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ
କେଉଁଭଳି ନବୀନତା ଆଣିବାକୁ ହେବ? ଏହି ବର୍ଷ ଦାତାଙ୍କର ସନ୍ତାନ ହିସାବରେ ମାଷ୍ଟରଦାତା - ଏହାକୁ
ସ୍ମୃତି ସ୍ୱରୂପରେ ଅନୁଭବ କର । ଚାହେଁ ବ୍ରାହ୍ମଣ ଆତ୍ମା ହୋଇଥାଆନ୍ତୁ, ଚାହେଁ ସାଧାରଣ ଆତ୍ମା
ହୋଇଥାଆନ୍ତୁ, କିନ୍ତୁ ଯାହାର ବି ସମ୍ବନ୍ଧ-ସମ୍ପର୍କରେ ଆସୁଛ ସେମାନଙ୍କୁ ମାଷ୍ଟର ଦାତା ସ୍ୱରୂପ
ଦ୍ୱାରା କୌଣସି ନା କୌଣସି ପ୍ରାପ୍ତିର ଅନୁଭବ ହେଉ । ଚାହେଁ ସାହସ ମିଳୁ, ଚାହେଁ ଉମଙ୍ଗ-ଉତ୍ସାହ
ମିଳୁ, ଚାହେଁ ଶାନ୍ତି ବା ଶକ୍ତି ମିଳୁ, ସହଜ ବିଧି ମିଳୁ ଅଥବା ଖୁସି ମିଳୁ - କିନ୍ତୁ ଅନୁଭବର
ବୃଦ୍ଧି ହେବାର ଅନୁଭୂତି କରନ୍ତୁ । ସମସ୍ତଙ୍କୁ କିଛି ନା କିଛି ଦେବାର ହିଁ ଅଛି, ନେବାର ନାହିଁ,
କେବଳ ଦେବାର ଅଛି । ତେବେ ଦେବା ଭିତରେ ହିଁ ନେବା ଅନ୍ତର୍ନିହିତ ଅଟେ । କିନ୍ତୁ ମୋତେ ମାଷ୍ଟର
ଦାତା ହେବାର ଅଛି । ସେହି ଅନୁସାରେ ନିଜର ସ୍ୱଭାବ ସଂସ୍କାରରେ ବାବାଙ୍କ ସମାନ ହେବାର ନବୀନତା
ମଧ୍ୟ ଆଣିବାକୁ ହେବ । ମୋ’ର ସ୍ୱଭାବ ନୁହେଁ, ଯାହା ବାବାଙ୍କର ସ୍ୱଭାବ ତାହା ମୋ’ର ସ୍ୱଭାବ ।
ଯାହା ବ୍ରହ୍ମାଙ୍କର ସଂସ୍କାର ତାହା ବ୍ରାହ୍ମଣମାନଙ୍କର ସଂସ୍କାର । ଏହିଭଳି ପ୍ରତ୍ୟେକ ଦିନ ନିଜ
ଭିତରେ ନବୀନତାକୁ ଧାରଣା କରିଚାଲିବା ଦ୍ୱାରା ନୂତନ ସଂସାରର ସ୍ଥାପନା ସ୍ୱତଃ ଭାବରେ ହୋଇଯିବ ।
ଏବେ ବୁଝିପାରିଲ ନୂତନ ବର୍ଷରେ କ’ଣ ସବୁ କରିବ? ଯାହା ବିତିଯାଇଛି ସେହି ବିତିଯାଇଥିବା ବର୍ଷର
ସମାପ୍ତି ସମାରୋହ ପାଳନ କର ଏବଂ ବର୍ତ୍ତମାନର ସମାନତା ଏବଂ ସମୀପତାର ସମାରୋହ ପାଳନ କର, ତା’
ସହିତ ଭବିଷ୍ୟତ ପାଇଁ ସଦା ସଫଳତାର ସମାରୋହ ପାଳନ କର । ଏହିଭଳି ସମାରୋହ ବର୍ଷ ପାଳନ କରି ଉଡିବାରେ
ଲାଗିଯାଅ ।
ଡବଲ ବିଦେଶୀମାନେ ମଉଜରେ
ରହିବାକୁ ପସନ୍ଦ କରନ୍ତି ନା! ତେବେ ମଉଜ ପାଳନ କରିବା ପାଇଁ ଦୁଇଟି କଥା ମନେ ରଖିବାକୁ ହେବ,
ଗୋଟିଏ ହେଲା ଡଟ୍ ଅର୍ଥାତ୍ ବିନ୍ଦୁ ଦ୍ୱିତୀୟଟି ନଟ୍ ଅର୍ଥାତ୍ ନାହିଁ । ତେବେ ନାହିଁ କାହାକୁ
କରିବ, ତାହା ତ ଜାଣିଛ ନା । ମାୟାକୁ ନଟ୍ ଆଲାଓ ଅର୍ଥାତ୍ ଆସିବାକୁ ଅନୁମତି ନ ଦେବା । ନାହିଁ
କରିବା ଜଣା ଅଛି ନା? ନା କିଛି କିଛି ଆଲାଓ କରିବ? ଯଦି ଡଟ୍ ଲଗାଇଦେବ ତେବେ ଆପେ ଆପେ ନଟ୍
ହୋଇଯିବ । ତେବେ ଡବଲ ବିଦେଶୀଙ୍କୁ ଡବଲ ନିଶା ଅଛି ନା ।
ଭାରତବାସୀ କ’ଣ କରିବ?
ଭାରତ ମହାନ ଦେଶ - ଆଜିକାଲି ଏହି ସ୍ଳୋଗାନ ଶୁଣିବାକୁ ମିଳୁଛି ଏବଂ ଭାରତର ମହାନ ଆତ୍ମାମାନେ ହିଁ
ମହାତ୍ମା ରୂପରେ ଗାୟନ ହେଉଛନ୍ତି । ତେବେ ଭାରତ ମହାନର ଅର୍ଥ ହେଲା ଭାରତବାସୀ ମହାନ । ତେଣୁ ସବୁ
ସମୟରେ ନିଜର ମହାନତା ଆଧାରରେ ଭାରତକୁ ମହାନ ଆତ୍ମାମାନଙ୍କର, ଦେବାତ୍ମା ମାନଙ୍କର ସ୍ଥାନ ରୂପରେ
ସାକାରରେ ତିଆରି କରିବା ଯାହାଦ୍ୱାରା ଚିତ୍ରକୁ ଦେଖିବା ସମାପ୍ତ ହୋଇଯିବ ଏବଂ ଚୈତନ୍ୟ
ଦେବାତ୍ମାମାନଙ୍କର ସ୍ଥାନ ବୋଲି ସମସ୍ତଙ୍କୁ ଦେଖାଯିବ । ତେଣୁ ଡବଲ ବିଦେଶୀ ଏବଂ ଭାରତ ନିବାସୀ
ନୁହେଁ, କିନ୍ତୁ ଉଭୟ ବର୍ତ୍ତମାନ ମଧୁବନ ନିବାସୀ ଅଟ । ଆଚ୍ଛା!
ଚାରିଆଡର ସମସ୍ତ ମାଷ୍ଟର
ଦାତା ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ଦ୍ୱାରା ଅଭିନନ୍ଦନ ପ୍ରାପ୍ତ କରୁଥିବା ବିଶେଷ
ଆତ୍ମାମାନଙ୍କୁ, ସର୍ବଦା ମଉଜରେ ରହୁଥିବା ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ନିଜ ଭିତରେ
ନବୀନତାକୁ ଧାରଣ କରୁଥିବା ମହାନ ଆତ୍ମାମାନଙ୍କୁ, ଫରିସ୍ତା ତଥା ଦେବାତ୍ମା ହେଉଥିବା
ସର୍ବଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହପୂର୍ଣ୍ଣ ଶୁଭେଚ୍ଛା । ସବୁ ସମୟ ପାଇଁ
ଅଭିନନ୍ଦନ ଏବଂ ନମସ୍ତେ ।
ପାର୍ଟିମାନଙ୍କ ସହିତ
ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ୍
(୧) ଅଚଳ-ଅଟଳ ଆତ୍ମା ଅଟୁ
- ଏହିଭଳି ଅନୁଭବ କରୁଛ? ଗୋଟିଏ ପଟେ ରହିଛି ହଲ୍ଚଲ୍ର ଦୁନିଆ, ଆଉ ଗୋଟିଏ ପଟେ ତୁମେ ବ୍ରାହ୍ମଣ
ଆତ୍ମାମାନେ ସର୍ବଦା ଅଚଳ ସ୍ଥିତିବାଲା । ସେପଟେ ଯେତେବେଳେ ହଲଚଲ୍ ହେଉଛି ସେହି ଅନୁସାରେ
ତୁମମାନଙ୍କ ଭିତରେ ମଧ୍ୟ ଅଚଳ ଅଟଳ ସ୍ଥିତିର ଅନୁଭବ ବଢି ବଢି ଚାଲିଛି । ଯାହାବି ହୋଇଯାଉ କିନ୍ତୁ
ଅଚଳ-ଅଟଳ ରହିବାର ସବୁଠାରୁ ସହଜ ଉପାୟ ହେଲା - ନଥିଙ୍ଗ୍ ନ୍ୟୁ ଅର୍ଥାତ୍ ଏହା କିଛି ନୂଆ କଥା ନୁହେଁ
। କେବେ କେବେ ଆଶ୍ଚର୍ଯ୍ୟ ଲାଗୁଛି କି ଏସବୁ କ’ଣ ହେଉଛି, ଆଗକୁ କ’ଣ ହେବ? ତେବେ ଆଶ୍ଚର୍ଯ୍ୟ
ସେତେବେଳେ ଲାଗିବ ଯଦି କିଛି ନୂଆ କଥା ହେଉଥିବ । ଯଦି କୌଣସି କଥାକୁ ଭାବିନଥିବ, ଶୁଣିନଥିବ,
ବୁଝିନଥିବ କିନ୍ତୁ ଅଚାନକ ଆସିଯିବ ତେବେ ଆଶ୍ଚର୍ଯ୍ୟ ଲାଗିବ । ତେଣୁ ଆଶ୍ଚର୍ଯ୍ୟର ଚିହ୍ନ ନୁହେଁ
କିନ୍ତୁ ଫୁଲ୍ଷ୍ଟପର ବିନ୍ଦୁ ଲଗାଇବା ଦରକାର । ଦୁନିଆ ସନ୍ଦେହ ଭିତରେ ରହିଛି କିନ୍ତୁ ତୁମେମାନେ
ଖୁସି ମଉଜରେ ଅଛ । ଦୁନିଆର ଲୋକମାନେ ଛୋଟ ଛୋଟ କଥାରେ ଦ୍ୱନ୍ଦ୍ୱରେ ପଡିଯିବେ, କ’ଣ କରିବୁ, କିପରି
କରିବୁ... କିନ୍ତୁ ତୁମେମାନେ ସର୍ବଦା ମଉଜରେ ଅଛ, ତୁମର ଦ୍ୱନ୍ଦ୍ୱ ସମାପ୍ତ ହୋଇଯାଇଛି ।
ବ୍ରାହ୍ମଣ ଅର୍ଥାତ୍ ମଉଜ କରିବା, କ୍ଷତ୍ରିୟ ଅର୍ଥାତ୍ ଦ୍ୱନ୍ଦ୍ୱରେ ପଡିବା । କେବେ ମଉଜ, କେବେ
ଦ୍ୱନ୍ଦ୍ୱ । ତୁମେ ସମସ୍ତେ ନିଜର ନାମ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ବୋଲି କହୁଛ, କ୍ଷତ୍ରିୟ
କୁମାର-କ୍ଷତ୍ରିୟ କୁମାରୀ ବୋଲି ତ କହୁ ନାହଁ ନା? ସର୍ବଦା ନିଜର ଭାଗ୍ୟର ଖୁସିରେ ରହୁଥିବା ଆତ୍ମା
ଅଟ । ମନ ଭିତରେ ସର୍ବଦା ଏବଂ ସ୍ୱତଃ ଭାବରେ ଗୋଟିଏ ଗୀତ ବାଜିବାରେ ଲାଗିଛି - ବାଃ ବାବା ଏବଂ
ବାଃ ମୋ’ର ଭାଗ୍ୟ! ଏହି ଗୀତ ଆପେ ଆପେ ବାଜୁଛି, ଏହାକୁ ବଜାଇବାର ଆବଶ୍ୟକତା ନାହିଁ । ଏହା ଅନାଦି
ଭାବରେ ବାଜିବାରେ ଲାଗିଛି । ତୁମର ହାୟ-ହାୟ ସମାପ୍ତ ହୋଇଯାଇଛି, ଏବେ ବାଃ ବାଃର ଗୀତ ଗାଉଛ ।
ହାୟ ହାୟ କରିବାବାଲା ତ ବହୁତ ସଂଖ୍ୟାରେ ଅଛନ୍ତି କିନ୍ତୁ ବାଃ ବାଃ କରିବାବାଲା ତୁମେ ବହୁତ
ଅଳ୍ପସଂଖ୍ୟକ ଅଟ । ତେବେ ଏହି ନୂତନ ବର୍ଷରେ କେଉଁ କଥା ମନେ ରଖିବ? ବାଃ ବାଃ । ଯାହା ବି
ସମ୍ମୁଖରେ ଦେଖିବ, ଯାହା ଶୁଣିବ, ଯାହା କୁହାଯିବ - ସବୁ ବାଃ-ବାଃ , ହାୟ-ହାୟ ନୁହେଁ । ହାୟ ଏସବୁ
କ’ଣ ହୋଇଗଲା? ନା, ବାଃ, ଏହା ବହୁତ ଭଲ ହେଲା । ଯଦି କେହି ତୁମର ଖରାପ ମଧ୍ୟ କରୁଛି କିନ୍ତୁ ତୁମେ
ଖରାପକୁ ଭଲରେ ପରିବର୍ତ୍ତନ କରିଦିଅ । ଏହା ହିଁ ତ ପରିବର୍ତ୍ତନ ଅଟେ ନା । ତୁମମାନଙ୍କର
ବ୍ରାହ୍ମଣ ଜୀବନରେ ଖରାପ କିଛି ବି ନାହିଁ । ଯଦି କେହି ଗାଳି ବି ଦେଉଛି ତେବେ ତା’ ପ୍ରତି ମଧ୍ୟ
କୃତଜ୍ଞ ହୁଅ, ଯାହାକି ସେ ତୁମକୁ ସହନ ଶକ୍ତିକୁ ଧାରଣ କରିବାର ଶିକ୍ଷା ଦେଲା । ତେବେ ଏହା ତା’ର
ମହାନତା ହେଲା ନା, ଯାହାକି ତୁମର ଶିକ୍ଷକ ହୋଇଗଲା । ତୁମେ ତ ଜାଣିପାରିଲ ନା, ସହନଶକ୍ତି ତୁମ
ଭିତରେ କେତେ ଅଛି, ତେବେ ଖରାପ ହେଲା ନା ଭଲ ହେଲା? ବ୍ରାହ୍ମଣମାନଙ୍କ ଦୃଷ୍ଟିରେ ଖରାପ ବୋଲି କିଛି
ନାହିଁ । ବ୍ରାହ୍ମଣମାନଙ୍କ କାନକୁ କିଛି ବି ଖରାପ କଥା ଶୁଭେ ହିଁ ନାହିଁ । ସେଥିପାଇଁ ବ୍ରାହ୍ମଣ
ଜୀବନ ମଉଜ ଭରା ଜୀବନ । ଯଦି ଏବେ ଏବେ ଖରାପ, ଏବେ ଏବେ ଭଲ ତେବେ ମଉଜ ହୋଇପାରିବ ନାହିଁ । ତେଣୁ
ସର୍ବଦା ମଉଜ ହିଁ ମଉଜ । ସାରା କଳ୍ପ ଭିତରେ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀମାନେ ଶ୍ରେଷ୍ଠ
ଅଟନ୍ତି । ଦେବାତ୍ମାମାନେ ମଧ୍ୟ ବ୍ରାହ୍ମଣମାନଙ୍କ ତୁଳନାରେ କିଛି ବି ନୁହଁନ୍ତି । ତେଣୁ ସର୍ବଦା
ଏହି ନିଶାରେ ରୁହ, ଖୁସିରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସର୍ବଦା ଖୁସିରେ ରଖ । ନିଜେ ମଧ୍ୟ
ଖୁସିରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସିରେ ରଖ ।
ଏମିତି ନୁହେଁ ଯେ - ମୁଁ
ତ ଖୁସିରେ ଅଛି । ମୁଁ ସମସ୍ତଙ୍କୁ ଖୁସିରେ ରଖୁଛି - ଏହା ମଧ୍ୟ ହେବା ଦରକାର । ଯଦି ଭାବୁଛ ମୁଁ
ତ ଖୁସିରେ ଅଛି - ତେବେ ଏହାକୁ ମଧ୍ୟ ସ୍ୱାର୍ଥ କୁହାଯିବ । ବ୍ରାହ୍ମଣମାନଙ୍କର ସେବା ମଧ୍ୟ କ’ଣ?
ଜ୍ଞାନ ମଧ୍ୟ ହେଉଛି ଅନ୍ୟମାନଙ୍କୁ ଖୁସି ଦେବା ।
(୨) ସାରା ବିଶ୍ୱରେ ଯେତେ
ବି ଶ୍ରେଷ୍ଠ ଆତ୍ମାମାନଙ୍କର ଗାୟନ ହେଉଛି ସେମାନଙ୍କଠାରୁ ତୁମେ କେତେ ଶ୍ରେଷ୍ଠ ଅଟ । ବାବା ହିଁ
ତୁମର ହୋଇଯାଇଛନ୍ତି, ତେଣୁ ତୁମେମାନେ କେତେ ଶ୍ରେଷ୍ଠ ହୋଇଯାଇଛ! ସର୍ବଦା ଏହି କଥା ସ୍ମୃତିରେ ରଖ
ଯେ ଉଚ୍ଚରୁ ଉଚ୍ଚ ପିତା ଆମକୁ ବିଶ୍ୱର ଶ୍ରେଷ୍ଠ ଆତ୍ମା କରିଦେଇଛନ୍ତି । ତୁମର ଦୃଷ୍ଟି, ବୃତ୍ତି
କେତେ ଶ୍ରେଷ୍ଠ ହୋଇଯାଇଛି! ସବୁ କିଛି ବଦଳିଯାଇଛି । ଏବେ ଯଦି କାହାକୁ ଦେଖୁଛ ତେବେ ଆତ୍ମିକ
ଦୃଷ୍ଟିରେ ଦେଖୁଛ ଏବଂ ସମସ୍ତଙ୍କ ପ୍ରତି କଲ୍ୟାଣର ମନୋବୃତ୍ତି ହୋଇଯାଇଛି । ବ୍ରାହ୍ମଣ ଜୀବନ
ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଦୃଷ୍ଟି ଏବଂ ଶ୍ରେଷ୍ଠ ବୃତ୍ତି ।
(୩) ନିଜେ ନିଜକୁ
ସଫଳତାର ତାରକା ଅନୁଭବ କରୁଛ? ଯେଉଁଠି ସର୍ବଶକ୍ତି ରହିଛି ସେଠାରେ ସଫଳତା ଜନ୍ମସିଦ୍ଧ ଅଧିକାର ।
ଯେକୌଣସି କାର୍ଯ୍ୟ କରୁଛ, ଚାହେଁ ଶରୀର ନିର୍ବାହ ଅର୍ଥେ, ଚାହେଁ ଈଶ୍ୱରୀୟ ସେବା ଅର୍ଥେ, କିନ୍ତୁ
କାର୍ଯ୍ୟ କରିବା ପୂର୍ବରୁ ଏହି ନିଶ୍ଚୟ ରଖ । ତେବେ ନିଶ୍ଚୟ ରଖିବା ତ ବହୁତ ଭଲ କଥା କିନ୍ତୁ
ବାସ୍ତବିକ ରୂପରେ ଅନୁଭବୀ ଆତ୍ମା ହୋଇ ନିଶ୍ଚୟ ଏବଂ ନିଶାରେ ରୁହ । ସର୍ବଶକ୍ତିଗୁଡିକ ଏହି
ବ୍ରାହ୍ମଣ ଜୀବନରେ ସଫଳତା ପ୍ରାପ୍ତ କରିବାର ସହଜ ସାଧନ ଅଟନ୍ତି । ତୁମେମାନେ ସର୍ବଶକ୍ତିର ମାଲିକ
ଅଟ ସେଥିପାଇଁ ଯେଉଁ ଶକ୍ତିକୁ ଯେଉଁ ସମୟରେ ଆଦେଶ ଦେବେ ସେ ସେହି ସମୟରେ ଉପସ୍ଥିତ ହେଉଥିବ ।
ଯେପରି କୌଣସି ସେବାଧାରୀକୁ ଯେତେବେଳେ ବି ଆଦେଶ ମିଳିବ ସେ ସେହି ସମୟରେ ହିଁ ସେବା କରିବା ପାଇଁ
ପ୍ରସ୍ତୁତ ହୋଇଯିବ, ସେହିପରି ସର୍ବଶକ୍ତିଗୁଡିକ ମଧ୍ୟ ତୁମର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ
କରନ୍ତୁ । ଯେତେ ଯେତେ ତୁମେ ମାଷ୍ଟର ସର୍ବଶକ୍ତିବାନର ଆସନ ଉପରେ ସ୍ଥିତ ରହିଥିବ ସେତିକି ସେତିକି
ସର୍ବଶକ୍ତିଗୁଡିକ ମଧ୍ୟ ଆଦେଶକୁ ମାନି ଚାଲୁଥିବେ । ଯଦି ଟିକିଏ ବି ସ୍ମୃତି ରୂପୀ ଆସନ ଉପରୁ ତଳକୁ
ଆସିଗଲ ତେବେ ଶକ୍ତିଗୁଡିକ ମଧ୍ୟ ତୁମର ଆଦେଶ ମାନିବେ ନାହିଁ । ଯେପରି କେହି କେହି ଚାକିରିଆ ମାନେ
ମଧ୍ୟ ବହୁତ ଆଜ୍ଞାକାରୀ ଥାଆନ୍ତି ଆଉ କେହି କେହି ଆଜ୍ଞାକୁ ତଳ-ଉପର ମଧ୍ୟ କରିଦିଅନ୍ତି । ତେବେ
ତୁମମାନଙ୍କ ନିକଟରେ ସର୍ବଶକ୍ତିଗୁଡିକ କିପରି ଅଛନ୍ତି? ସମ୍ପୂର୍ଣ୍ଣ ଆଜ୍ଞାକାରୀ, ନା ଟିକିଏ
ଡେରିରେ ପହଞ୍ଚୁଛନ୍ତି? ଯେପରି ଏହି ସ୍ଥୂଳ କର୍ମେନ୍ଦ୍ରିୟଗୁଡିକୁ ଯେଉଁ ସମୟରେ ଯେପରି ଆଦେଶ
ଦେଉଛ ସେହି ସମୟରେ ସେଗୁଡିକ ଆଦେଶ ଅନୁସାରେ ଚାଲୁଛନ୍ତି, ସେହିପରି ଏହି ସୂକ୍ଷ୍ମ ଶକ୍ତିଗୁଡିକ
ମଧ୍ୟ ତୁମର ଆଦେଶ ମୁତାବକ ଚାଲିବା ଦରକାର । ଚେକ୍ କର ଯେ ସାରା ଦିନ ଭିତରେ ସର୍ବଶକ୍ତିଗୁଡିକ
ମୋ’ର ଆଦେଶ ଅନୁସାରେ କାର୍ଯ୍ୟ କରିଛନ୍ତି? କାହିଁକି ନା ଯଦି ଏହି ସମସ୍ତ ଶକ୍ତିଗୁଡିକ ଏବେଠାରୁ
ହିଁ ତୁମ ନିର୍ଦ୍ଦେଶ ଅନୁସାରେ ଚାଲୁଥିବେ ତେବେ ଯାଇ ଅନ୍ତ ସମୟରେ ତୁମେ ସଫଳତା ପ୍ରାପ୍ତ
କରିପାରିବ । ଏଥିପାଇଁ ବହୁତ ସମୟର ଅଭ୍ୟାସ ଆବଶ୍ୟକ । ତେବେ ଏହି ନୂତନ ବର୍ଷରେ ଶକ୍ତିଗୁଡିକୁ
ନିଜର ଆଦେଶ ଅନୁସାରେ ଚଲାଇବାର ବିଶେଷ ଅଭ୍ୟାସ କରିବାକୁ ହେବ, କାହିଁକି ନା ସାରା ବିଶ୍ୱର ରାଜ୍ୟ
ଭାଗ୍ୟ ପ୍ରାପ୍ତ କରିବାର ଅଛି ନା । ତେଣୁ ବିଶ୍ୱ ରାଜ୍ୟ ଅଧିକାରୀ ହେବା ପୂର୍ବରୁ ସ୍ୱରାଜ୍ୟ
ଅଧିକାରୀ ହୁଅ ।
ନିଶ୍ଚୟ ଏବଂ ନିଶା
ପ୍ରତ୍ୟେକ ସନ୍ତାନକୁ ଉଡିବାର କଳାର ଅନୁଭବ କରାଉଛି । ଡବଲ ବିଦେଶୀମାନେ ମଧ୍ୟ ବହୁତ ଭାଗ୍ୟବାନ
ଯାହାକି ଉଡିବାର କଳା ସମୟରେ ଆସିଯାଇଛନ୍ତି । ଚଢିବାର ମେହନତ କରିବାକୁ ପଡିନାହିଁ । ବିଜୟର ତିଳକ
ତୁମ ମସ୍ତକରେ ସର୍ବଦା ଚମକୁଛି । ଏହି ବିଜୟର ତିଳକ ହିଁ ଅନ୍ୟମାନଙ୍କୁ ଖୁସି ପ୍ରାପ୍ତ କରାଇବ,
କାହିଁକି ନା ବିଜୟୀ ଆତ୍ମାର ଚେହେରା ସର୍ବଦା ହର୍ଷିତ ଅବସ୍ଥାରେ ରହିଥାଏ । ତେଣୁ ତୁମମାନଙ୍କର
ହର୍ଷିତ ଚେହେରାକୁ ଦେଖି ସମସ୍ତେ ଖୁସି ପାଇବା ପାଇଁ ଆକର୍ଷିତ ହେଉଛନ୍ତି କାରଣ ଦୁନିଆର
ଆତ୍ମାମାନେ ଖୁସିକୁ ହିଁ ଖୋଜିବାରେ ଲାଗିଛନ୍ତି ତେଣୁ ତୁମମାନଙ୍କ ଚେହେରାରେ ଯେତେବେଳେ ଖୁସିର
ଝଲକ ଦେଖୁଛନ୍ତି ସେତେବେଳେ ନିଜେ ଖୁସି ହୋଇଯାଉଛନ୍ତି । ସେମାନେ ଭାବୁଛନ୍ତି ଯେ ଏମାନଙ୍କୁ କିଛି
ପ୍ରାପ୍ତି ନିଶ୍ଚିତ ହୋଇଛି । ଆଗକୁ ଗଲେ ତୁମମାନଙ୍କର ଚେହେରା ଖୁସିର ଆକର୍ଷଣ ଦ୍ୱାରା
ଆତ୍ମାମାନଙ୍କୁ ଆହୁରି ପାଖକୁ ନେଇ ଆସିବ । ଯଦି କାହାକୁ ଶୁଣିବାକୁ ମଧ୍ୟ ସମୟ ନଥିବ ତେବେ
ତୁମମାନଙ୍କର ହର୍ଷିତ ଚେହେରା ଗୋଟିଏ ସେକେଣ୍ଡରେ ସେମାନଙ୍କର ସେବା କରିଦେବ । ତୁମେମାନେ ଏଠାରେ
ଖୁସି ଏବଂ ସ୍ନେହ-ମମତାକୁ ଦେଖି ବ୍ରାହ୍ମଣ ହୋଇଛ ନା । ତେଣୁ ଏହି ତପସ୍ୟା ବର୍ଷରେ ଏହିଭଳି ସେବା
କରିବାକୁ ହେବ ।
(୪) ଏକମାତ୍ର ବାବା
ଦ୍ୱିତୀୟ କେହି ନୁହେଁ - ଏହିଭଳି ସ୍ଥିତିରେ ସର୍ବଦା ସ୍ଥିତ ରହୁଥିବା ସହଯୋଗୀ ଆତ୍ମା ଅଟ? ଜଣକୁ
ମନେ ପକାଇବା ସବୁଠାରୁ ସହଜ ବରଂ ଅନେକଙ୍କୁ ମନେ ପକାଇବା ପାଇଁ ଅସୁବିଧା ହୋଇଥାଏ । ତେଣୁ ଅନେକ
ପ୍ରକାରର ବିସ୍ତାରକୁ ଛାଡି ସାର ସ୍ୱରୂପ ଏକମାତ୍ର ବାବା ହିଁ ଅଟନ୍ତି - ଏହି ଅନୁଭବ ଭିତରେ କେତେ
ଖୁସି ରହିଛି । ଖୁସି ତ ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର ବା ପୈତୃକ ସମ୍ପତ୍ତି, ତେଣୁ ପିତାଙ୍କର
ସମ୍ପତ୍ତି ପିଲାମାନଙ୍କ ପାଇଁ ଜନ୍ମସିଦ୍ଧ ଅଧିକାର । ଯଦି କାହାର ନିଜର ସମ୍ପତ୍ତି ଥାଏ ତେବେ ତା’
ଭିତରେ ନିଶା ରହିଥାଏ, ଏହା ମୋ’ର ନିଜ ସମ୍ପତ୍ତି ଏବଂ ଏହି ସମ୍ପତ୍ତି ମଧ୍ୟ ତୁମକୁ କାହାଠାରୁ
ମିଳିଛି? ଅବିନାଶୀ ପିତାଙ୍କଠାରୁ । ତେବେ ଅବିନାଶୀ ପିତା ଯାହା ବି ଦେବେ, ଅବିନାଶୀ ହିଁ ଦେବେ
ନା । ତେଣୁ ଅବିନାଶୀ ସମ୍ପତ୍ତିର ନିଶା ମଧ୍ୟ ଅବିନାଶୀ ଅଟେ । ଏହି ନିଶା ମଧ୍ୟ କେହି ଛଡାଇ
ପାରିବ ନାହିଁ କାହିଁକି ନା ଏହା କ୍ଷତି କରିବାବାଲା ନିଶା ନୁହେଁ । ଏହା ତ ପ୍ରାପ୍ତି କରାଉଥିବା
ନିଶା । ସେହି ନିଶା ତ ପ୍ରାପ୍ତିକୁ ହରାଇ ଦେଇଥାଏ । ତେବେ ସର୍ବଦା ତୁମ ସ୍ମୃତିରେ କେଉଁ କଥା
ରହୁଛି? ଏକମାତ୍ର ବାବା, ଅନ୍ୟ କେହି ନୁହେଁ । ଯଦି କେହି ଦ୍ୱିତୀୟ ବା ତୃତୀୟ ବ୍ୟକ୍ତି ଆସିଲା
ତେବେ ଖିଟ୍ଖିଟ୍ ଲାଗିବ । ଯଦି କେବଳ ଏକମାତ୍ର ବାବାଙ୍କର ସ୍ମୃତି ରହିବ ତେବେ ସ୍ଥିତି ମଧ୍ୟ
ଏକରସ ରହିବ । ଜଣଙ୍କର ସ୍ମୃତି ରୂପକ ରସରେ ବୁଡି ରହିବାକୁ ବହୁତ ଭଲ ଲାଗିଥାଏ କାହିଁକି ନା
ଆତ୍ମାର ବାସ୍ତବିକ ସ୍ୱରୂପ ହିଁ ଏକରସ ଅର୍ଥାତ୍ ସ୍ଥିର ଅଟେ ।
ବିଦାୟ ସମୟରେ ନୂତନ
ବର୍ଷରେ ଶୁଭାରମ୍ଭର ଅଭିନନ୍ଦନ - ଚାରିଆଡର ସମସ୍ତ ଗେଲ୍ହା ଏବଂ ଭାଗ୍ୟବାନ ପିଲାମାନଙ୍କୁ ପ୍ରତି
ମୂହୁର୍ତ୍ତରେ ନୂଆ ଉମଙ୍ଗ - ନୂଆ ଉତ୍ସାହରେ ରହୁଥିବା କାରଣରୁ ବିଶେଷ ବିଶେଷ ଅଭିନନ୍ଦନ । ନିଜେ
ମଧ୍ୟ ଡାଇମଣ୍ଡ ଅର୍ଥାତ୍ ହୀରାତୁଲ୍ୟ ଅଟ ଏବଂ ଜୀବନ ମଧ୍ୟ ଡାଇମଣ୍ଡ ଅଟେ ଏବଂ ଡାଇମଣ୍ଡ
ମର୍ଣ୍ଣିଙ୍ଗ୍, ଇଭନିଙ୍ଗ୍ ଏବଂ ନାଇଟ୍ ଅର୍ଥାତ୍ ହୀରାତୁଲ୍ୟ ସକାଳ, ସଂଧ୍ୟା ଏବଂ ରାତ୍ରି
ସଦାସର୍ବଦା ରହିଥାଉ । ଏହି ବିଧି ଦ୍ୱାରା ବହୁତ ଶୀଘ୍ର ନିଜର ରାଜ୍ୟର ସ୍ଥାପନା ମଧ୍ୟ କରିବ ଏବଂ
ସେଥିରେ ରାଜ୍ୟ ମଧ୍ୟ କରିବ । ନିଜର ରାଜ୍ୟ ଅତିପ୍ରିୟ ଲାଗୁଛି ନା । ତେଣୁ ଏବେ ଶୀଘ୍ର ଶୀଘ୍ର
ରାଜ୍ୟ ସ୍ଥାପନ କର ଏବଂ ରାଜ୍ୟ କର । ନିଜର ରାଜ୍ୟ ସମ୍ମୁଖରେ ଦେଖାଯାଉଛି ନା । ତେଣୁ ଏବେ
ଫରିସ୍ତା ହୁଅ ଏବଂ ଦେବତା ହୁଅ । ଚାରିଆଡୁ ଆସିଥିବା ପିଲାମାନଙ୍କୁ ବିଶେଷ ଭାବରେ ପଦ୍ମାଗୁଣା
ୟାଦପ୍ୟାର ସ୍ୱୀକାର ହେଉ । ତେବେ ବିଦେଶୀ ହୋଇଥାଆନ୍ତୁ ବା ଦେଶବାସୀ ହୋଇଥାଆନ୍ତୁ କିନ୍ତୁ ତପସ୍ୟା
କରିବାର ଉମଙ୍ଗ-ଉତ୍ସାହରେ ବହୁତ ଭଲ ଅଟନ୍ତି ଏବଂ ଯେଉଁଠି ତପସ୍ୟା ରହିଛି ସେଠାରେ ସେବା ନିଶ୍ଚିତ
ହେଉଛି । ତେଣୁ ସର୍ବଦା ସଫଳତା ପ୍ରାପ୍ତ କରିବାର ଅଭିନନ୍ଦନ । ପ୍ରତ୍ୟେକ ସନ୍ତାନ ଏଭଳି ନବୀତନା
କରି ଦେଖାଅ ଯାହାକି ସାରା ବିଶ୍ୱ ତୁମକୁ ଦେଖିବ । ନବୀତନାର ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର
ହୋଇଯାଅ । ଆଚ୍ଛା! ପ୍ରତ୍ୟେକ ସନ୍ତାନ ନିଜ ପାଇଁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସ୍ୱୀକାର କର ।
ବରଦାନ:-
ଶୁଦ୍ଧ ସଂକଳ୍ପ
ଏବଂ ଶ୍ରେଷ୍ଠ ସଂଗ ଦ୍ୱାରା ହାଲୁକା ହୋଇ ଖୁସିର ନୃତ୍ୟ କରୁଥିବା ଅଲୌକିକ ଫରିସ୍ତା ହୁଅ ।
ତୁମେ ବ୍ରାହ୍ମଣ
ସନ୍ତାନମାନଙ୍କ ପାଇଁ ପ୍ରତିଦିନର ମୁରଲୀ ହିଁ ଶୁଦ୍ଧ ସଂକଳ୍ପର ଭଣ୍ଡାର ଅଟେ । ପ୍ରତିଦିନ ସକାଳୁ
ସକାଳୁ ବାବାଙ୍କ ଦ୍ୱାରା ତୁମକୁ କେତେ ଶୁଦ୍ଧ ସଂକଳ୍ପ ମିଳିଯାଉଛି, ତେଣୁ ଏହିସବୁ ଶୁଦ୍ଧ
ସଂକଳ୍ପର ଚିନ୍ତନ କରିବାରେ ନିଜର ବୁଦ୍ଧିକୁ ବ୍ୟସ୍ତ ରଖ ଏବଂ ସର୍ବଦା ବାବାଙ୍କର ସଂଗରେ ରୁହ ତେବେ
ସର୍ବଦା ହାଲୁକା ରହିବ ଏବଂ ଖୁସିରେ ନାଚିବାକୁ ଲାଗିବ । ତେଣୁ ଖୁସିରେ ରହିବାର ସହଜ ଆଧାର ହେଲା
- ସର୍ବଦା ହାଲୁକା ରୁହ । ତେବେ ଶୁଦ୍ଧ ସଂକଳ୍ପ ହାଲୁକା ଅଟେ ଏବଂ ବ୍ୟର୍ଥ ସଂକଳ୍ପ ଭାରୀ ଅଟେ
ସେଥିପାଇଁ ସର୍ବଦା ଶୁଦ୍ଧ ସଂକଳ୍ପର ଚିନ୍ତନରେ ବ୍ୟସ୍ତ ରହି ହାଲୁକା ହୋଇଯାଅ ଏବଂ ଖୁସିର ନୃତ୍ୟ
କରୁଥାଅ, ତେବେ କୁହାଯିବ ଅଲୌକିକ ଫରିସ୍ତା ।
ସ୍ଲୋଗାନ:-
ପରମାତ୍ମ
ସ୍ନେହର ପାଳନାର ସ୍ୱରୂପ ହେଲା - ସହଜଯୋଗୀ ଜୀବନ ।