08.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ପାଠପଢ଼ାର ମୂଳଦୁଆ ହେଉଛି ପବିତ୍ରତା, ଯଦି ପବିତ୍ରତା ଥିବ ତେବେ ଯୋଗ ଦ୍ୱାରା ଶକ୍ତି ଭରିପାରିବ, ଯଦି ଯୋଗର ଶକ୍ତି ଥିବ ତେବେ ଯାଇ ବାଣୀ ଶକ୍ତିଶାଳୀ ହେବ ।

ପ୍ରଶ୍ନ:-
ତୁମମାନଙ୍କୁ ଏବେ କେଉଁ ପ୍ରୟାସ ପୂର୍ଣ୍ଣ ରୂପରେ କରିବାକୁ ହେବ ?

ଉତ୍ତର:-
ମୁଣ୍ଡ ଉପରେ ଯେଉଁ ବିକର୍ମର ବୋଝ ରହିଛି ତାକୁ ସମାପ୍ତ କରିବା ପାଇଁ ପୁରା ପୁରା ପ୍ରୟାସ କରିବାକୁ ହେବ । ବାବାଙ୍କର ହେବା ପରେ ଯଦି କୌଣସି ବିକର୍ମ କରିଲ ତେବେ ବହୁତ ଜୋରରେ ତଳକୁ ଖସି ପଡିବ ଅର୍ଥାତ୍ ଦୁର୍ଗତି ହୋଇଯିବ । ଯଦି ସଂସ୍ଥାର ନିନ୍ଦା କରାଇଲ ବା କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରିଲ ତେବେ ବହୁତ ପାପ ହୋଇଯିବ । ତେଣୁ ଏହିଭଳି କର୍ମ କରି ଜ୍ଞାନ ଶୁଣିବାରେ ବା ଶୁଣାଇବାରେ କୌଣସି ଫାଇଦା ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ, କିପରି ତୁମେମାନେ ପତିତରୁ ପାବନ ହୋଇ ପାବନ ଦୁନିଆର ମାଲିକ ହୋଇପାରିବ । ପାବନ ଦୁନିଆକୁ ସ୍ୱର୍ଗ, ବିଷ୍ଣୁପୁରୀ ଅଥବା ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ କୁହାଯାଉଛି । ବିଷ୍ଣୁ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ଚିତ୍ର ଯାହଙ୍କର ଏହିପରି ଚିତ୍ର ତିଆରି କରିଛନ୍ତି, ସେଥିପାଇଁ ଏହି ଚିତ୍ର ଉପରେ ବୁଝାଯାଉଛି । ବାକି ବିଷ୍ଣୁଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝିପାରୁ ନାହାଁନ୍ତି ଯେ ଇଏ କିଏ ? ମହାଲକ୍ଷ୍ମୀଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝିନାହାନ୍ତି ଯେ ଇଏ କିଏ ? ବାବା ଏବେ ତୁମକୁ ଭିନ୍ନ ଭିନ୍ନ ରୀତିରେ ବୁଝାଉଛନ୍ତି । ଯାହାକୁ ଭଲ ଭାବରେ ଧାରଣ କରିବା ଉଚିତ୍ । କାହା କାହା ବୁଦ୍ଧିରେ ରହୁଛି ଯେ ପରମାତ୍ମା ସବୁକିଛି ଜାଣିଛନ୍ତି । ଆମେ ଯାହା କିଛି ଭଲ ଅଥବା ଖରାପ କରୁଛୁ ସିଏ ସବୁ କିଛି ଜାଣୁଛନ୍ତି । ଏହାକୁ ଅନ୍ଧଶ୍ରଦ୍ଧାର ଭାବନା କୁହାଯିବ । ଭଗବାନ ଏହିସବୁ କଥାକୁ ଜାଣୁ ନାହାଁନ୍ତି । ତୁମେ ଜାଣିଛ ଭଗବାନ ହେଲେ ପତିତ-ପାବନ । ଯିଏକି ଆତ୍ମାକୁ ପାବନ କରି ସ୍ୱର୍ଗର ମାଲିକ କରୁଛନ୍ତି । ଯିଏ ଭଲ ଭାବରେ ପାଠ ପଢ଼ିବେ ସିଏ ଉଚ୍ଚ ପଦ ପାଇବେ । ବାକି ଏପରି ଭାବିବା ଉଚିତ୍ ନୁହେଁ, ଯେ ବାବା ସମସ୍ତଙ୍କର ମନକଥାକୁ ଜାଣିଛନ୍ତି । ଏହାକୁ ଅଜ୍ଞାନତା କୁହାଯିବ । ମନୁଷ୍ୟ ଯାହା କର୍ମ କରୁଛନ୍ତି ଭଲ ଅଥବା ମନ୍ଦ ପଦ ଡ୍ରାମା ଅନୁସାରେ ତାଙ୍କୁ ମିଳିଥାଏ । ଏଥିରେ ବାବାଙ୍କର କୌଣସି ସମ୍ପର୍କ ନାହିଁ । ଏପରି ଖିଆଲ୍ କରିବା ଅନୁଚିତ୍ ଯେ ବାବା ସବୁ କିଛି ଜାଣିଛନ୍ତି । ବହୁତ ଅଛନ୍ତି ଯିଏ ବିକାରଗ୍ରସ୍ତ ହୋଇ ପାପ କରୁଛନ୍ତି ପୁଣି ଏଠାକୁ ଅର୍ଥାତ୍ ସେଣ୍ଟରକୁ ଆସିଯାଉଛନ୍ତି । ଭାବୁଛନ୍ତି ବାବା ଜାଣିଛନ୍ତି । କିନ୍ତୁ ବାବା କହୁଛନ୍ତି ମୁଁ ଏହି ଧନ୍ଦା କରୁନାହିଁ । ସର୍ବଜ୍ଞ ଶବ୍ଦ ମଧ୍ୟ ଭୁଲ୍ ଶବ୍ଦ ଅଟେ । ତୁମେମାନେ ବାବାଙ୍କୁ ଡାକୁଛ କହୁଛ, ଏଠାକୁ ଆସି ପତିତରୁ ପାବନ କର, ସ୍ୱର୍ଗର ମାଲିକ କର କାହିଁକିନା ଜନ୍ମ ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ବହୁତ ଅଛି । ଏହି ଜନ୍ମର ପାପ ମଧ୍ୟ ରହିଛି । ଏହି ଜନ୍ମର ପାପକୁ ମଧ୍ୟ ଜଣାଉଛନ୍ତି । ଅନେକ ଏପରି ପାପ କରିଛନ୍ତି ଯାହାକି ପବିତ୍ର ହେବା ବହୁତ ମୁସକିଲ୍ ଲାଗୁଛି । ମୁଖ୍ୟ କଥା ହେଉଛି ପବିତ୍ର ହେବା । ପାଠପଢ଼ା ତ ବହୁତ ସହଜ, କିନ୍ତୁ ବିକର୍ମର ବୋଝ କିପରି ସମାପ୍ତ ହେବ, ସେଥିପାଇଁ ଚେଷ୍ଟା କରିବା ଉଚିତ୍ । ଏପରି ବି ବହୁତ ଅଛନ୍ତି, ଯେଉଁମାନେ କି ବହୁତ ପାପ କରୁଛନ୍ତି, ଅପସେବା ବହୁତ କରୁଛନ୍ତି । ବ୍ରହ୍ମାକୁମାରୀ ଆଶ୍ରମକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ଯାହାର ବହୁତ ବଡ ପାପର ବୋଝ ଚଢୁଛି । ଯେଉଁ ପାପର ବୋଝ ଜ୍ଞାନ ଶୁଣାଇବା ଦ୍ୱାରା କଟିପାରିବ ନାହିଁ । ତାହା ଯୋଗବଳ ଦ୍ୱାରା ହିଁ କଟିବ । ତେଣୁ ପ୍ରଥମେ ଯୋଗଯୁକ୍ତ ହୋଇ ରହିବାର ପୁରା ପୁରୁଷାର୍ଥ କରିବା ଦରକାର । ତେବେ ଯାଇ କାହାକୁ ତୀର ଲାଗିପାରିବ । ପ୍ରଥମେ ପବିତ୍ର ହୁଅ ଯୋଗବଳ ଜମା କର, ତେବେ ବାଣୀରେ ମଧ୍ୟ ଶକ୍ତି ଭରିବ । ନଚେତ୍ କାହାକୁ କେତେ ବି ବୁଝାଅ କିନ୍ତୁ ବୁଦ୍ଧିରେ ଜ୍ଞାନ ରହିବ ନାହିଁ, ତୀର ଲାଗିବ ନାହିଁ । କାରଣ ଜନ୍ମ ଜନ୍ମାନ୍ତରର ପାପ ରହିଛି ନା । ଏବେ ଯେଉଁ ପାପ କରୁଛ, ତାହା ଜନ୍ମ ଜନ୍ମାନ୍ତର ଠାରୁ ମଧ୍ୟ ଅଧିକ ହୋଇଯାଉଛି । ସେଥିପାଇଁ ଗାୟନ କରାଯାଏ ସତ୍ଗୁରୁଙ୍କର ନିନ୍ଦୁକ... ଇଏ ସତ୍ ବାବା, ସତ୍ ଶିକ୍ଷକ, ସତ୍ ଗୁରୁ ଅଟନ୍ତି । ବାବା କହୁଛନ୍ତି ବି.କେ.ଙ୍କର ନିନ୍ଦା କରିଲେ ବହୁତ ପାପ ହେବ । ପ୍ରଥମେ ନିଜେ ପବିତ୍ର ହୁଅ । କେହି କେହି ଜ୍ଞାନ ବୁଝାଇବା ପାଇଁ ବହୁତ ସଉକ ରଖୁଛନ୍ତି । କିନ୍ତୁ ଯୋଗ ପଇସାକର ନାହିଁ, ଏଥିରେ ଲାଭ କଣ ? ବାବା କହୁଛନ୍ତି ମୁଖ୍ୟ କଥା ହେଲା ଯୋଗବଳ ଯାହା ଦ୍ୱାରା ହିଁ ପବିତ୍ର ହେବ । ଭଗବାନଙ୍କୁ ମଧ୍ୟ ପବିତ୍ର ହେବା ପାଇଁ ଡାକୁଛନ୍ତି । ଭକ୍ତି ମାର୍ଗରେ ଗୋଟିଏ ଅଭ୍ୟାସ ପଡିଯାଇଛି, ଧକ୍କା ଖାଇବା, ଫାଲ୍ତୁ ଆବାଜ୍ ଅର୍ଥାତ୍ ଗାୟନ-ଘଣ୍ଟ-ବାଦ୍ୟ-ଧ୍ୱନି କରିବା । ପ୍ରାର୍ଥନା କରୁଛନ୍ତି କିନ୍ତୁ ଭଗବାନଙ୍କର କାନ କେଉଁଠି ଅଛି, ବିନା କାନ ଏବଂ ବିନା ମୁଖରେ ଶୁଣିବେ ବା କହିବେ କିପରି ? ସେ ଅବ୍ୟକ୍ତ ଅଟନ୍ତି । ଏସବୁ ହେଉଛି ଅନ୍ଧଶ୍ରଦ୍ଧା ।

ତୁମେ ବାବାଙ୍କୁ ଯେତେ ମନେ ପକାଇବ ସେତେ ପାପ ନାଶ ହେବ । ଏପରି ନୁହେଁ ଯେ ବାବା ଜାଣିଛନ୍ତି, ଇଏ ବହୁତ ମନେ ପକାଉଛନ୍ତି ଇଏ କମ ମନେ ପକାଉଛନ୍ତି, ନା, ନିଜର ଚାର୍ଟକୁ ନିଜେ ଦେଖିବା ଉଚିତ୍ । ବାବା କହୁଛନ୍ତି ଯୋଗ ଦ୍ୱାରା ତୁମର ବିକର୍ମ ବିନାଶ ହେବ । ବାବା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି, କେତେ ସମୟ ବାବାଙ୍କୁ ମନେ ପକାଉଛ ? ଏକଥା ଚାଲି ଚଳଣ ଦ୍ୱାରା ମଧ୍ୟ ଜଣାପଡିଯାଏ । ବାବାଙ୍କ ସ୍ମରଣ ବିନା ପାପ କଟିପାରିବ ନାହିଁ । ଏପରି ନୁହେଁ ଯେ କାହାକୁ ଜ୍ଞାନ ଶୁଣାଉଛ, ତାଦ୍ୱାରା ତୁମର ତଥା ତାଙ୍କର ପାପ କଟିଯିବ । ନାଁ, ଯଦି ନିଜେ ଯୋଗ କରିବ ତେବେ ପାପ କଟିବ । ମୂଳ କଥା ହେଉଛି ପବିତ୍ର ହେବା । ବାବା କହୁଛନ୍ତି ମୋର ହୋଇଛ ତେଣୁ କୌଣସି ପାପ କରନାହିଁ । ନଚେତ୍ ଏକଦମ୍ ତଳକୁ ଖସି ପଡିବ । ପୁଣି ଆଶା ମଧ୍ୟ ରଖିବା ଉଚିତ୍ ନୁହେଁ ଯେ ମୁଁ ଭଲ ପଦ ପାଇପାରିବି । ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଉଛ ଏବଂ ଖୁସି ହୋଇଯାଉଛ, ଯେ ଆମେ ବହୁତ ସେବା କରିଲୁ । କିନ୍ତୁ ବାବା କହୁଛନ୍ତି ପ୍ରଥମେ ତୁମେ ପବିତ୍ର ହୁଅ । ବାବାଙ୍କୁ ମନେ ପକାଅ । ଯୋଗରେ ବହୁତ ଫେଲ୍ ହେଉଛନ୍ତି । ଜ୍ଞାନ ତ ବହୁତ ସହଜ, କେବଳ ୮୪ ଜନ୍ମର ଚକ୍ରକୁ ଜାଣିବାକୁ ହେବ, ହଦର ପାଠପଢ଼ାରେ କେତେ ହିସାବ କିତାବ ପଢ଼ୁଛନ୍ତି, ବହୁତ ମେହନତ କରୁଛନ୍ତି । କଣ ରୋଜଗାର କରିବେ ? ପଢ଼ୁ ପଢ଼ୁ ଯଦି ମରିଗଲେ ତେବେ ପଢ଼ା ଶେଷ । ତୁମେ ପିଲାମାନେ ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଧାରଣା ହେବ । ପବିତ୍ର ନହେଲେ, ପାପ କଟିବ ନାହିଁ ପୁଣି ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ଏପରି ନୁହେଁ ଯେ, ଆମର ସ୍ମୃତି ବାବାଙ୍କ ପାଖରେ ତ ପହଞ୍ଚୁଛି । ବାବା କଣ କରିବେ ? ତୁମେ ଯୋଗ କରିଲେ ତୁମେ ପାବନ ହେବ, ବାବା ସେଥିରେ କଣ କରିବେ । କଣ ସାବାସି ଦେବେ! ବହୁତ ସନ୍ତାନ କହୁଛନ୍ତି ଆମେ ସବୁବେଳେ ବାବାଙ୍କୁ ମନେ ପକାଉଛୁ, ତାଙ୍କ ବିନା ଆମର ଆଉ କିଏ ଅଛି ? ଏହା ମଧ୍ୟ ଗପ ଅଟେ । ଯୋଗରେ ବହୁତ ମେହନତ ରହିଛି । ଆମେ ଯୋଗ କରୁଛୁ ନାଁ ନାହିଁ, ଏକଥା ମଧ୍ୟ ବୁଝିପାରୁନାହାନ୍ତି । ନବୁଝି ନଜାଣି କହି ଦେଉଛନ୍ତି ଆମେ ଯୋଗ କରୁଛୁ । ମେହନତ ବିନା କେହି କଣ ବିଶ୍ୱର ମାଲିକ ହୋଇପାରିବ । ଉଚ୍ଚ ପଦ ପାଇପାରିବେ ନାହିଁ । ଯୋଗର ଶକ୍ତି ଭରିଲେ ସେବା କରିପାରିବ । ତାପରେ ଦେଖାଯିବ ସେବା କରି କେତେ ପ୍ରଜା ତିଆରି କରିଲ । ହିସାବ ଦରକାର ନା । ଆମେ କେତେ ଜଣଙ୍କୁ ନିଜ ସମାନ କରିଛୁ । ପ୍ରଜା ତିଆରି କରିବାକୁ ହେବ, ତେବେ ଯାଇ ରାଜ ପଦ ପାଇପାରିବ । ସେସବୁ ଏବେ କିଛି ନାହିଁ । ଯୋଗଯୁକ୍ତ ହୋଇ ରହିଲେ, ଶକ୍ତି ଭରିଲେ ଯାଇ କାହାକୁ ପୂରା ତୀର ଲାଗିବ । ଶାସ୍ତ୍ରରେ ମଧ୍ୟ ଅଛି ନା ଶେଷ ସମୟରେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଆଦିଙ୍କୁ ଜ୍ଞାନ ଦେଲେ । ଯେତେବେଳେ ତୁମର ପତିତ ପଣିଆ ସମାପ୍ତ ହୋଇ ଆତ୍ମା ସତ୍ତ୍ୱପ୍ରଧାନ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚି ଯିବ ତେବେ ଯାଇ ଆତ୍ମାରେ ଶକ୍ତି ଭରିବ ଏବଂ ତୁରନ୍ତ ତୀର ଲାଗିବ । ଏକଥା କେବେ ଖିଆଲ କରନାହିଁ ଯେ ବାବା ସବୁକିଛି ଜାଣିଛନ୍ତି । ବାବାଙ୍କର ଜାଣିବା କଣ ଦରକାର, ଯିଏ କରିବ ସିଏ ପାଇବ । ବାବା ସାକ୍ଷୀ ହୋଇ ଦେଖୁଛନ୍ତି । ବାବାଙ୍କୁ ଲେଖୁଛନ୍ତି ଆମେ ଅମୁକ ଜାଗାକୁ ଯାଇ ସେବା କରିଲୁ, ବାବା ପଚାରୁଛନ୍ତି ପ୍ରଥମେ ତୁମେ ଯୋଗର ଯାତ୍ରାରେ ତତ୍ପର ଅଛ ? ଏହା ହିଁ ହେଉଛି ପ୍ରଥମ କଥା ଆଉ ସବୁ ସଙ୍ଗ ଛାଡି ଏକମାତ୍ର ବାବାଙ୍କର ସଙ୍ଗ କର । ସେଥିପାଇଁ ଦେହୀ-ଅଭିମାନୀ ହେବାକୁ ପଡିବ । ଘରେ ରହି ମଧ୍ୟ ଭାବିବା ଉଚିତ୍ ଯେ, ଏହା ପୁରୁଣା ଦୁନିଆ, ପୁରୁଣା ଦେହ ଅଟେ । ଏହି ଦୁନିଆ ତ ଏସବୁ ଖଲାସ୍ ହୋଇଯିବ । ଆମର କାମ ବାବା ଏବଂ ବର୍ସା ସହିତ ରହିଛି । ବାବା ଏପରି କହୁନାହାନ୍ତି ଯେ ଘର ସଂସାରରେ ରୁହ ନାହିଁ, କାହା ସହିତ କଥାବାର୍ତ୍ତା କର ନାହିଁ । ବାବାଙ୍କୁ ପଚାରୁଛନ୍ତି ବିବାହ ଆଦିକୁ ଯିବୁ ? ବାବା କହୁଛନ୍ତି ଭଲେ ଯାଅ, କିନ୍ତୁ ସେଠାରେ ମଧ୍ୟ ସେବା କର । ବୁଦ୍ଧିର ଯୋଗ ଶିବବାବାଙ୍କ ସହିତ ରହୁ । କାରଣ ଜନ୍ମ-ଜନ୍ମାନ୍ତରର ବିକର୍ମ, ଯୋଗର ବଳ ଦ୍ୱାରା ହିଁ ଭସ୍ମ ହେବ । ଯଦି ଏଠାରେ ମଧ୍ୟ ବିକର୍ମ କରିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ପବିତ୍ର ହେବାର ପୁରୁଷାର୍ଥ କରୁଥିବା ଭିତରେ ଯଦି ବିକାରୀ ହେଲ ତେବେ ମରିବ । ଏକଦମ୍ ଚୁର୍ଚୁର୍ ହୋଇଯିବ । ବହୁତ ଅଛନ୍ତି ଯେଉଁମାନେ ଶ୍ରୀମତରେ ନ ଚାଲି ନିଜର ବହୁତ କ୍ଷତି କରୁଛନ୍ତି । ତେବେ ପାଦେ ପାଦେରେ ଶ୍ରୀମତ ଆବଶ୍ୟକ । କିନ୍ତୁ ଏପରି ପାପ କରୁଛନ୍ତି ଯାହା ଦ୍ୱାରା ଯୋଗ ଲାଗୁ ନାହିଁ । ଯୋଗ କରିପାରୁ ନାହାଁନ୍ତି । ଯଦି କାହାକୁ ଯାଇ କହିବେ ଭଗବାନ ଆସିଛନ୍ତି, ତାଙ୍କଠାରୁ ବର୍ସା ନିଅ, ତେବେ ସେମାନେ ମାନିବେ ନାହିଁ । ତାଙ୍କୁ ତୀର ଲାଗିବ ନାହିଁ । ବାବା କହୁଛନ୍ତି ଭକ୍ତମାନଙ୍କୁ ଜ୍ଞାନ ଶୁଣାଅ, ବ୍ୟର୍ଥରେ କାହାକୁ ଜ୍ଞାନ ଦିଅ ନାହିଁ, ନଚେତ୍ ଆହୁରି ନିନ୍ଦା କରାଇବ ।

କେତେକ ସନ୍ତାନ ବାବାଙ୍କୁ ପଚାରୁଛନ୍ତି ବାବା ଆମର ଦାନ କରିବାର ଅଭ୍ୟାସ ରହିଛି, ଏବେ ଜ୍ଞାନକୁ ଆସିଗଲୁଣି, ପୁଣି କଣ କରିବୁ ? ବାବା ରାୟ ଦେଉଛନ୍ତି ସନ୍ତାନମାନେ, ଗରୀବମାନଙ୍କୁ ଦାନ ଦେଲାବାଲା ଦୁନିଆରେ ବହୁତ ଅଛନ୍ତି । ଗରୀବମାନେ ଭୋକରେ ମରୁ ନାହାଁନ୍ତି, ଫକୀରମାନଙ୍କ ପାଖରେ ବହୁତ ପଇସା ଜମା ରହୁଛି, ସେଥିପାଇଁ ଏସବୁ କଥା ତୁମମାନଙ୍କର ବୁଦ୍ଧିରୁ ହଟିଯିବା ଉଚିତ୍ । ଦାନ ଆଦି କରିବାରେ ମଧ୍ୟ ବହୁତ ସାବଧାନ ରହିବା ଦରକାର । ଏପରି ବହୁତ କାମ କରୁଛନ୍ତି, ସେ କଥା ନ କହିଲେ ଭଲ । ପୁଣି ନିଜେ ବୁଝିପାରୁ ନାହାଁନ୍ତି ଯେ ଆମ ମୁଣ୍ଡ ଉପରେ ବହୁତ ପାପର ବୋଝ ବଢି ଚାଲିଛି । ଜ୍ଞାନମାର୍ଗ କୌଣସି ହସ ଥଟ୍ଟାର ମାର୍ଗ ନୁହେଁ । ବାବାଙ୍କ ସହିତ ପୁଣି ଧର୍ମରାଜ ମଧ୍ୟ ଅଛନ୍ତି । ଧର୍ମରାଜଙ୍କଠାରୁ ବହୁତ ବଡ ବଡ ଦଣ୍ଡା ମାଡ ସବୁ ଖାଇବାକୁ ପଡିବ । କହିଥାନ୍ତି ନା ଶେଷ ସମୟରେ ଯେତେବେଳେ ଧର୍ମରାଜ ହିସାବ ଦେଖିବେ ସେତେବେଳେ ଜଣାପଡିବ । ଜନ୍ମ-ଜନ୍ମାନ୍ତରର ପାପର ଦଣ୍ଡ ଭୋଗ କରିବାରେ କୌଣସି ସମୟ ଲାଗିବ ନାହିଁ । ବାବା କାଶୀ କଲବଟର ମଧ୍ୟ ଉଦାହରଣ ଦେଇ ବୁଝାଇଛନ୍ତି । ତାହା ଭକ୍ତିମାର୍ଗ, ଏହା ଜ୍ଞାନମାର୍ଗ । ମନୁଷ୍ୟମାନଙ୍କୁ ମଧ୍ୟ ବଳି ଚଢାଉଛନ୍ତି, ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏସବୁ କଥାକୁ ବୁଝିବାକୁ ହେବ । ଏପରି ନୁହେଁ ଯେ ଏହିପରି ଡ୍ରାମା କାହିଁକି କରାଯାଇଛି ? ଆମକୁ ଏହି ଚକ୍ରକୁ ଆଣିଲେ କାହିଁକି ? ତେବେ ଏହି ସୃଷ୍ଟିଚକ୍ରକୁ ତ ନିଶ୍ଚୟ ଆସିବାକୁ ହିଁ ହେବ । ଏହା ହେଉଛି ଅନାଦି ଡ୍ରାମା । ଚକ୍ରରେ ନ ଆସିଲେ ପୁଣି ଦୁନିଆ ହିଁ ରହିବ ନାହିଁ । ମୋକ୍ଷ ତ କାହାକୁ ମିଳୁ ହିଁ ନାହିଁ । ଯିଏ ଏହି ଡ୍ରାମାର ମୁଖ୍ୟ ତାଙ୍କୁ ମଧ୍ୟ ମୋକ୍ଷ ମିଳିପାରିବ ନାହିଁ । ୫ ହଜାର ବର୍ଷ ପରେ ପୁଣି ଏହିପରି ଚକ୍ର ଲଗାଇବେ । ଏହା ଡ୍ରାମା ଅଟେ ନା । କେବଳ କାହାକୁ ବୁଝାଇଲେ ବା ଶୁଣାଇଲେ ପଦ ମିଳିବ ନାହିଁ, ପ୍ରଥମେ ପତିତରୁ ପାବନ ହେବାକୁ ପଡିବ । ଏପରି ନୁହେଁ, ବାବା ସବୁ ଜାଣିଛନ୍ତି । ବାବା ଜାଣିଲେ ମଧ୍ୟ କଣ କରିବେ । ପ୍ରଥମେ ତୁମର ଆତ୍ମା ଜାଣିଛି ଯେ ଶ୍ରୀମତ ଅନୁସାରେ ମୁଁ କଣ କରୁଛି, ବାବାଙ୍କୁ କେତେ ସମୟ ମନେ ପକାଉଛି ? ବାବା ତୁମର ସବୁ କଥା ଜାଣିବେ, ଏଥିରେ ଫାଇଦା କଣ ? ତୁମେ ଯାହା କିଛି କରୁଛ ତାହା ତୁମେ ହିଁ ପାଇବ । ବାବା ତୁମର ଚାଲିଚଳଣ ଏବଂ ସେବା ଦ୍ୱାରା ଜାଣୁଛନ୍ତି ଏହି ସନ୍ତାନ ବହୁତ ଭଲ ସେବା କରୁଛି । ଅମୁକ ବାବାଙ୍କର ହୋଇ ମଧ୍ୟ ବହୁତ ବିକର୍ମ କରିଛି ତାଙ୍କର ମୁରଲୀ ଶୁଣାଇବାର ଶକ୍ତି ନାହିଁ । ଏହା ହେଉଛି ଜ୍ଞାନ ରୂପକ ଖଣ୍ଡା । ଏଥିରେ ଯୋଗବଳର ଶକ୍ତି ଅର୍ଥାତ୍ ଧାର ଆବଶ୍ୟକ । ଯୋଗବଳ ଦ୍ୱାରା ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ, ବାକି ଜ୍ଞାନ ଦ୍ୱାରା ନୂଆ ଦୁନିଆରେ ଉଚ୍ଚ ପଦ ପାଇବ । ପ୍ରଥମେ ପବିତ୍ର ହେବାକୁ ପଡିବ, ପବିତ୍ର ନହେଲେ ଉଚ୍ଚ ପଦ ମିଳିପାରିବ ନାହିଁ । ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସୁଛ । ତେବେ ପତିତମାନେ କଣ ନରରୁ ନାରାୟଣ ହୋଇପାରିବେ । ପବିତ୍ର ହେବା ପାଇଁ ପୂରା ଜ୍ଞାନ ଆବଶ୍ୟକ । ଯେଉଁ ଅନନ୍ୟ ସନ୍ତାନମାନେ ସେଣ୍ଟର ସମ୍ଭାଳୁଛନ୍ତି ତାଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଅଧିକ ମେହନତ କରୁ ନାହାଁନ୍ତି, ସେଥିପାଇଁ ଶକ୍ତି ଭରୁ ନାହଁ, ତୀର ଲାଗୁ ନାହିଁ । ଯୋଗର ଯାତ୍ରା କାହିଁ ? କେବଳ ପ୍ରଦର୍ଶନୀରେ ବହୁତଙ୍କୁ ବୁଝାଉଛନ୍ତି । ପ୍ରଥମେ ଯୋଗ ଦ୍ୱାରା ପବିତ୍ର ହେବାକୁ ପଡିବ, ତାପରେ ଜ୍ଞାନ । ପବିତ୍ର ହେଲେ ଯାଇ ଜ୍ଞାନର ଧାରଣା ହେବ । ପତିତଙ୍କୁ କେବେ ବି ଧାରଣା ହେବ ନାହିଁ । ମୁଖ୍ୟ ବିଷୟ ହେଉଛି ଯୋଗ । ଲୌକିକ ପାଠ ପଢାରେ ମଧ୍ୟ ନିର୍ଦ୍ଦିଷ୍ଟ ବିଷୟ ରହିଥାଏ । ତୁମ ପାଖକୁ ଆସି ଯଦିଓ ବି.କେ. ହେଉଛନ୍ତି କିନ୍ତୁ ବ୍ରହ୍ମାକୁମାର-କୁମାରୀ ବା ଭାଇ-ଭଉଣୀ ହେବା ମାଉସୀ ଘର କଥା ନୁହେଁ । କେବଳ ନାଁକୁ ମାତ୍ର ବି.କେ. ହେବା ଉଚିତ୍ ନୁହେଁ । ଦେବତା ହେବା ପାଇଁ ପ୍ରଥମେ ପବିତ୍ର ନିଶ୍ଚୟ ହେବାକୁ ପଡିବ । ପୁଣି ପାଠପଢା ମଧ୍ୟ ରହିଛି । କେବଳ ପାଠପଢା ଥିବ ପବିତ୍ରତା ନଥିବ ତେବେ ଉଚ୍ଚ ପଦ ପାଇପାରିବ ନାହିଁ । ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହେବା ଆବଶ୍ୟକ । ପବିତ୍ର ହେଲେ ହିଁ ପବିତ୍ର ଦୁନିଆରେ ଉଚ୍ଚ ପଦ ପାଇପାରିବ । ପବିତ୍ରତା ଉପରେ ହିଁ ବାବା ଜୋର ଦେଉଛନ୍ତି । ପବିତ୍ରତା ବିନା କାହାକୁ ଜ୍ଞାନ ଦେଇପାରିବ ନାହିଁ । ବାକି କିଛି ବାବା ଦେଖୁ ନାହାଁନ୍ତି । ବାବା ନିଜେ ବସିଛନ୍ତି ନା, ସବୁ କଥା ବୁଝାଉଛନ୍ତି । ଭକ୍ତିମାର୍ଗରେ ମଧ୍ୟ ଭାବନାର ଭଡା ମିଳି ଯାଇଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି, ଶରୀର ବିନା ବାବା କଥାବାର୍ତ୍ତା କିପରି କରିବେ ? ଶୁଣିବେ କିପରି ? ଆତ୍ମାର ନିଜର ଶରୀର ଅଛି ତେଣୁ ଶୁଣୁଛି, କହୁଛି । ବାବା କହୁଛନ୍ତି ମୋର ମଧ୍ୟ ଯଦି ଅରଗାନ୍ସ ଅର୍ଥାତ୍ ଶରୀର ନଥିବ ତେବେ ମୁଁ ଶୁଣିବି ବା ଜାଣିବି କିପରି ? ଭାବୁଛନ୍ତି ବାବା ଜାଣିଛନ୍ତି ଆମେ ବିକାରୀ ହେଉଛୁ । ଯଦି ନ ଜାଣୁଛନ୍ତି ତେବେ ଭଗବାନ ବୋଲି ମାନିବୁ ନାହିଁ । ଏଭଳି ମଧ୍ୟ ବହୁତ ରହିଛନ୍ତି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ପବିତ୍ରତାର ରାସ୍ତା ବତାଇବା ପାଇଁ ଆସିଛି । ବାକି ସବୁ ସାକ୍ଷୀ ହୋଇ ଦେଖୁଛି । ପିଲାମାନଙ୍କର ଚାଲି ଚଳଣିରୁ ଜଣାପଡିଯାଏ ଯେ ଇଏ କୁପୁତ୍ର, ଇଏ ସୁପୁତ୍ର ଅଟନ୍ତି ? ସେବାର ପ୍ରମାଣ ମଧ୍ୟ ଆବଶ୍ୟକ । ଏକଥା ମଧ୍ୟ ଜାଣିଛ ଯିଏ କରିବ ସିଏ ପାଇବ । ଶ୍ରୀମତରେ ଚାଲିଲେ ହିଁ ଶ୍ରେଷ୍ଠ ହେବ । ଯଦି ଶ୍ରୀମତରେ ନ ଚାଲିବ ତେବେ ନିଜେ ଖରାପ ହୋଇ ତଳକୁ ଖସିଯିବ । ଯେ କୌଣସି ବି କଥା ହେଉ ତାହା ସ୍ପଷ୍ଟ ଭାବରେ ପଚାର । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । ବାବା କେବଳ ଗୋଟିଏ କଥା କହୁଛନ୍ତି, ଶକ୍ତି ନଥିଲେ ପବିତ୍ର କିପରି ହେବ ? ଏହି ଜନ୍ମରେ ମଧ୍ୟ ଏପରି ପାପ କାମ କରୁଛନ୍ତି ସେକଥା ନ କହିଲେ ଭଲ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ, ସତ୍ୟଯୁଗ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ବର୍ତ୍ତମାନ ସଂଗମଯୁଗ । ଯଦି କାହାର ବୁଦ୍ଧି କମ ତେବେ ସିଏ ଧାରଣା କରିପାରିବେ ନାହିଁ । ବାବାଙ୍କୁ ସ୍ମରଣ କରିପାରିବେ ନାହିଁ । ପୁଣି ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଯିବ । ଦୁନିଆ ରୂପକ ପାଳଗଦାକୁ ନିଆଁ ଲାଗିଯିବ ପୁଣି ଯୋଗରେ ମଧ୍ୟ ରହିପାରିବ ନାହିଁ । ସେ ସମୟରେ ଚାରିଆଡେ ହାହାକାର ଭରିଯିବ । ବହୁତ ଦୁଃଖର ପାହାଡ ଖସିବ । ତେଣୁ ଏହି ଚିନ୍ତା ରହିବା ଉଚିତ୍ ଯେ ଆମେ ନିଜର ରାଜ୍ୟ ଭାଗ୍ୟ ବାବାଙ୍କଠାରୁ ନେଇଯିବୁ । ସେଥିପାଇଁ ଦେହ-ଅଭିମାନକୁ ଛାଡି ସେବାରେ ଲାଗିଯିବା ଉଚିତ୍ । ସମସ୍ତଙ୍କର କଲ୍ୟାଣକାରୀ ହେବାକୁ ପଡିବ । ଧନ ବ୍ୟର୍ଥରେ ଖର୍ଚ୍ଚ କରିବା ଉଚିତ୍ ନୁହେଁ । ଯିଏ ଯୋଗ୍ୟ ପାତ୍ର ନୁହେଁ, ସେଭଳି ପତିତମାନଙ୍କୁ କେବେ ଦାନ ଦେବା ଉଚିତ୍ ନୁହେଁ, ନଚେତ୍ ଦାନୀ ଉପରେ ମଧ୍ୟ ପାପ ଲାଗିଥାଏ । ଏପରି ନୁହେଁ ଯେ ଡେଙ୍ଗୁରା ପିଟିବ, ଭଗବାନ ଆସିଛନ୍ତି । ଏପରି ନିଜକୁ ଭଗବାନ ଉପାଧି ଦେଉଥିବା ମନୁଷ୍ୟ ଭାରତରେ ବହୁତ ଅଛନ୍ତି, କେହି ମାନିବେ ନାହିଁ । ଏକଥା ତୁମେ ଜାଣିଛ କାରଣ ତୁମକୁ ଜ୍ଞାନର ଆଲୋକ ମିଳିଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପାଠ ପଢିବା ସହିତ ପବିତ୍ର ନିଶ୍ଚୟ ହେବାକୁ ପଡିବ । ସେହିଭଳି ଯୋଗ୍ୟ ଅଥବା ସୁପୁତ୍ର ହୋଇ ସେବାର ପ୍ରମାଣ ଦେବାକୁ ହେବ, ଶ୍ରୀମତ ଆଧାରରେ ନିଜକୁ ଶ୍ରେଷ୍ଠ କରିବାକୁ ହେବ ।

(୨) ନିଜର ସ୍ଥୂଳ ଧନକୁ ମଧ୍ୟ ବ୍ୟର୍ଥରେ ଖର୍ଚ୍ଚ କରିବାର ନାହିଁ କିମ୍ବା ପତିତଙ୍କୁ ଦାନ କରିବାର ନାହିଁ । ଜ୍ଞାନ ଧନ ମଧ୍ୟ ପାତ୍ର ଦେଖି ଦେବା ଉଚିତ୍ ।

ବରଦାନ:-
ସର୍ବଦା ଆଡଜଷ୍ଟ ହେବା ଅର୍ଥାତ୍ ଖାପ ଖୁଆଇବାର ବିଶେଷତା ଦ୍ୱାରା ସମ୍ପର୍କ ଏବଂ ସେବାରେ ସଫଳ ହେଉଥିବା ସଫଳତାମୂରତ ହୁଅ ।

ଯେଉଁ ପିଲାମାନଙ୍କ ଭିତରେ ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବାର ବା ମୋଲ୍ଡ ହେବାର ବିଶେଷତା ଅଛି ସେମାନେ ସହଜରେ ଗୋଲ୍ଡେନ୍ ଏଜଡ୍ ଅର୍ଥାତ୍ ସତ୍ୟଯୁଗୀ ସ୍ଥିତିରେ ପହଞ୍ଚି ପାରିବେ । ଯେପରି ସମୟ, ଯେପରି ପରିସ୍ଥିତି ସେହି ଅନୁସାରେ ନିଜର ଧାରଣାକୁ ପ୍ରତ୍ୟକ୍ଷ କରିବା ପାଇଁ ମୋଲଡ୍ ହେବାକୁ ପଡିବ ଏବଂ ମୋଲଡ୍ ହୋଇପାରୁଥିବା ଆତ୍ମାମାନେ ହିଁ ରିୟଲ ଗୋଲ୍ଡ ଅର୍ଥାତ୍ ଖାଣ୍ଟି ସୁନା ଅଟନ୍ତି । ଯେପରି ସାକାର ବ୍ରହ୍ମାବାବାଙ୍କର ବିଶେଷତାକୁ ତୁମେମାନେ ଦେଖିଛ -- ଯେପରି ସମୟ, ଯେପରି ବ୍ୟକ୍ତି ସେହି ଅନୁସାରେ ବ୍ୟବହାର କରୁଥିଲେ । ତେଣୁ ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର, ତାହା ହେଲେ ସେବାରେ ଏବଂ ସମ୍ବନ୍ଧ-ସମ୍ପର୍କରେ ସହଜରେ ସଫଳତା ମୂରତ ହୋଇପାରିବ ।

ସ୍ଲୋଗାନ:-
ଯେଉଁଠାରେ ସବୁ ପ୍ରକାରର ବିଶେଷତା ରହିଛି ସେଠାରେ ନିର୍ବିଘ୍ନ ସଫଳତା ମଧ୍ୟ ସାଥୀରେ ଅଛି ।