08.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ବିଦେହୀ ହେବାର ଅଭ୍ୟାସ କର, ନିଜର ଏହି ବିନାଶୀ ଦେହ ଠାରୁ ସ୍ନେହ ତୁଟାଇ ଏକମାତ୍ର ଶିବବାବାଙ୍କୁ ହିଁ ସ୍ନେହ କର ।

ପ୍ରଶ୍ନ:-
ଏହି ବେହଦର ପୁରୁଣା ଦୁନିଆରୁ ଯେଉଁମାନଙ୍କୁ ବୈରାଗ୍ୟ ଆସିଯାଇଛି ସେମାନଙ୍କର ଲକ୍ଷଣ କଣ ହୋଇଥିବ?

ଉତ୍ତର:-
ସେମାନେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛନ୍ତି - ସେଗୁଡିକୁ ଦେଖି ନ ଦେଖିବା ଭଳି ରହିବେ । ସେମାନଙ୍କ ବୁଦ୍ଧିରେ ଏହି କଥା ରହିଥିବ ଯେ ଏହା ସବୁ ବିନାଶ ହେବାକୁ ଯାଉଛି । ଏମାନେ ସମସ୍ତେ ମରିପଡିଛନ୍ତି । ମୋତେ ତ ଶାନ୍ତିଧାମ, ସୁଖଧାମକୁ ହିଁ ଯିବାର ଅଛି । ସେମାନଙ୍କର ମମତ୍ୱ ଚାରିଆଡୁ ତୁଟିବାକୁ ଲାଗିବ । ଯଦି ଯୋଗରେ ରହି କାହା ସହିତ କଥାବାର୍ତ୍ତା କରିବେ ତେବେ ସେମାନଙ୍କୁ ମଧ୍ୟ ଆକର୍ଷଣ ହେବ । ସେମାନଙ୍କୁ ଜ୍ଞାନର ନିଶା ଚଢି ରହିଥିବ ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ବାବା କହୁଛନ୍ତି - ମିଠେ ବଚ୍ଚେ ତୁମେମାନେ ଶିବବାବାଙ୍କୁ ଜାଣିଗଲଣି । ପୁଣି ଏହି ଗୀତ ଗାଇବା ତ ଯେପରି ଭକ୍ତିମାର୍ଗର ହୋଇଯାଉଛି । ଭକ୍ତମାନେ ଶିବାୟ ନମଃ ବି କହିଥାନ୍ତି, ମାତା-ପିତା ବି କହିଥାନ୍ତି, କିନ୍ତୁ ତାଙ୍କୁ ଜାଣିନାହାଁନ୍ତି । ଶିବବାବାଙ୍କ ଠାରୁ ସ୍ୱର୍ଗର ବର୍ସା ମିଳିବା ଦରକାର । ତୁମମାନଙ୍କୁ ତ ବାବା ମିଳିଛନ୍ତି, ତାଙ୍କଠାରୁ ବର୍ସା ମିଳୁଛି ସେଥିପାଇଁ ତୁମେ ବାବାଙ୍କୁ ମନେ ପକାଉଛ । ତୁମକୁ ହିଁ ଶିବବାବା ମିଳିଛନ୍ତି, ଦୁନିଆକୁ ମିଳିନାହାଁନ୍ତି । ଯେଉଁମାନଙ୍କୁ ଶିବବାବା ମିଳିଛନ୍ତି ସେମାନେ ମଧ୍ୟ ଠିକ୍ ରୀତିରେ ଚାଲିପାରୁ ନାହାଁନ୍ତି । ବାବାଙ୍କର ନିର୍ଦ୍ଦେଶ ବହୁତ ମିଠା ଅଟେ । ଆତ୍ମ-ଅଭିମାନୀ ହୁଅ, ଦେହୀ-ଅଭିମାନୀ ହୁଅ । ବାବା ଆତ୍ମାମାନଙ୍କ ସହିତ ହିଁ କଥା ହେଉଛନ୍ତି । ଦେହୀ-ଅଭିମାନୀ ବାବା, ଦେହୀ-ଅଭିମାନୀ ପିଲାମାନଙ୍କ ସହିତ କଥା ହେଉଛନ୍ତି । ସିଏ ତ ଜଣେ ହିଁ ଅଟନ୍ତି । ସିଏ ପୁଣି ମଧୁବନରେ ତୁମମାନଙ୍କ ସହିତ ବସିଛନ୍ତି । ତୁମେମାନେ ଜାଣିଛ ଯେ ବାସ୍ତବରେ ବାବା ଆସିଛନ୍ତି ପାଠ ପଢାଇବା ପାଇଁ । ଏହି ପାଠ ଶିବବାବାଙ୍କ ବ୍ୟତୀତ ଆଉ କେହି ପଢାଇ ପାରିବେ ନାହିଁ । ନା ବ୍ରହ୍ମା, ନା ବିଷ୍ଣୁ ପାଠ ପଢାଇ ପାରିବେ । କେବଳ ବାବା ହିଁ ଆସି ପତିତମାନଙ୍କୁ ପବିତ୍ର କରାଉଛନ୍ତି, ଅମରକଥା ଶୁଣାଉଛନ୍ତି । ତାହା ପୁଣି ଏହିଠାରେ ହିଁ ଶୁଣାଇବେ ନା । ଅମରନାଥରେ ତ ଶୁଣାଇବେ ନାହିଁ ନା । ଏହା ହିଁ ଅମରକଥା ସତ୍ୟ ନାରାୟଣଙ୍କର କଥା ଅଟେ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ଏହିଠାରେ ହିଁ ଶୁଣାଉଛି । ବାକି ଏସବୁ ହେଉଛି ଭକ୍ତିମାର୍ଗର ଧକ୍କା । ସମସ୍ତଙ୍କର ସଦ୍‌ଗତି ଦାତା ରାମ ଏକମାତ୍ର ନିରାକାର ହିଁ ଅଟନ୍ତି । ସିଏ ହିଁ ପତିତ-ପାବନ, ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି । ବାବା ସେତେବେଳେ ହିଁ ଆସୁଛନ୍ତି ଯେତେବେଳେ ବିନାଶର ସମୟ ନିକଟତର ହୋଇଥାଏ । ସାରା ଜଗତର ଗୁରୁ ତ ଏକମାତ୍ର ପରମପିତା ପରମାତ୍ମା ହିଁ ହୋଇପାରିବେ । ସିଏ ନିରାକାର ଅଟନ୍ତି ନା । ଦେବତାମାନଙ୍କୁ ମଧ୍ୟ ମନୁଷ୍ୟ କୁହାଯାଏ । କିନ୍ତୁ ସେମାନେ ଦୈବୀଗୁଣଧାରୀ ମନୁଷ୍ୟ ଅଟନ୍ତି ସେଥିପାଇଁ ସେମାନଙ୍କୁ ଦେବତା କୁହାଯାଉଛି । ତୁମକୁ ଏବେ ଜ୍ଞାନ ମିଳୁଛି । ଜ୍ଞାନ ମାର୍ଗରେ ନିଜର ଅବସ୍ଥାକୁ ବହୁତ ମଜବୁତ ରଖିବାକୁ ହେବ । ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବାକୁ ହେବ । ବିଦେହୀ ହେବାକୁ ପଡିବ । ପୁଣି ଦେହ ସହିତ ସ୍ନେହ କାହିଁକି ରଖିବା! ବାବା ତୁମମାନଙ୍କୁ କହୁଛନ୍ତି ଶିବବାବାଙ୍କୁ ମନେ ପକାଅ ପୁଣି ବ୍ରହ୍ମାଙ୍କ ପାଖକୁ ଆସ । ଲୋକମାନେ ତ ଭାବୁଛନ୍ତି ସମସ୍ତେ ଏହି ଦାଦାଙ୍କ ସହିତ ମିଶିବା ପାଇଁ ଆସୁଛନ୍ତି । ଏକଥା ତ ତୁମେମାନେ ଜାଣିଛ ଯେ ଶିବବାବାଙ୍କୁ ମନେ ପକାଇ ଆମେ ତାଙ୍କ ସହିତ ମିଶୁଛୁ । ସେଠାରେ ତ ନିରାକାରୀ ଆତ୍ମାମାନେ ହିଁ ରହିଛନ୍ତି, ଯେଉଁମାନେ କି ବିନ୍ଦୁ ଅଟନ୍ତି । ବିନ୍ଦୁ ସହିତ କେହି ମିଶିପାରିବେ ନାହିଁ । ତେବେ ଶିବବାବାଙ୍କ ସହିତ କିପରି ମିଶିବେ ସେଥିପାଇଁ ଏଠାରେ ବୁଝାଯାଉଛି, ହେ ଆତ୍ମାମାନେ ନିଜକୁ ଆତ୍ମା ଭାବି ବୁଦ୍ଧିରେ ଏହି କଥା ରଖ ଯେ ଆମେ ଶିବବାବାଙ୍କ ସହିତ ମିଶୁଛୁ । ଏହା ତ ବଡ ଗୁପ୍ତ ରହସ୍ୟ ଅଟେ ନା । ଅନେକଙ୍କୁ ଶିବବାବାଙ୍କ ସ୍ମୃତି ରହିନଥାଏ । ବାବା ବୁଝାଉଛନ୍ତି ସର୍ବଦା ଶିବବାବାଙ୍କୁ ମନେ ପକାଅ । ଶିବବାବା ତୁମମାନଙ୍କ ସହିତ ମିଶିବା ପାଇଁ ଆସୁଛନ୍ତି, ବାସ୍ ବାବା ତୁମମାନଙ୍କର ହୋଇଛନ୍ତି ।

ଶିବବାବା ଏହାଙ୍କର ଶରୀରରେ ଆସି ଜ୍ଞାନ ଶୁଣାଉଛନ୍ତି ସିଏ ମଧ୍ୟ ନିରାକାର ଆତ୍ମା ଅଟନ୍ତି, ତୁମେ ବି ଆତ୍ମା ଅଟ । ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ । ତେବେ ଏହାର ଅର୍ଥ ହେଲା ବୁଦ୍ଧି ଦ୍ୱାରା ମନେ ପକାଅ । ଆମେମାନେ ବାବାଙ୍କ ପାଖକୁ ଆସିଛୁ । ବାବା ଏହି ପତିତ ଶରୀରରେ ଆସିଛନ୍ତି । ଆମେ ବାବାଙ୍କର ସମ୍ମୁଖକୁ ଆସିବା ଦ୍ୱାରା ହିଁ ଏହି ନିଶ୍ଚୟ କରୁଛୁ ଯେ ଶିବବାବା ଆମେ ଆପଣଙ୍କର ହୋଇଛୁ । ମୁରଲୀ ଗୁଡିକରେ ମଧ୍ୟ ଏହି କଥା ଶୁଣୁଛ ଯେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ।

ତୁମେମାନେ ଜାଣିଛ ଯେ ଇଏ ସେହି ପତିତ-ପାବନ ବାବା ଅଟନ୍ତି । ସିଏ ସଚ୍ଚା-ସଚ୍ଚା ସତଗୁରୁ ଅଟନ୍ତି । ଏବେ ତୁମ ପାଣ୍ଡବମାନଙ୍କର ପରମପିତା ପରମାତ୍ମାଙ୍କ ସହିତ ପ୍ରୀତବୁଦ୍ଧି ରହିଛି । ବାକି ସମସ୍ତଙ୍କର ତ କାହାରି ନା କାହାରି ସାଥିରେ ବିପରୀତ ବୁଦ୍ଧି ରହିଛି । ଯେଉଁମାନେ ଶିବବାବାଙ୍କର ହେଉଛନ୍ତି ସେମାନଙ୍କର ତ ଖୁସିର ନିଶା ବହୁତ ଜୋରରେ ଚଢିବା ଦରକାର । ଯେତିକି ସମୟ ନିକଟତର ହେଉଛି, ସେତିକି ଖୁସି ହେଉଛନ୍ତି । ଆମମାନଙ୍କର ଏବେ ୮୪ ଜନ୍ମ ପୂର୍ଣ୍ଣ ହେଉଛି । ଏବେ ଏହା ଆମର ଅନ୍ତିମ ଜନ୍ମ ଅଟେ । ଆମେ ଏବେ ଘରକୁ ଯିବୁ । ଏହି ସିଢିର ଚିତ୍ର ବହୁତ ଭଲ, ଏଥିରେ ସବୁ କଥା ସ୍ପଷ୍ଟ ଭାବେ ରହିଛି । ତେବେ ପିଲାମାନଙ୍କର ସାରା ଦିନ ବୁଦ୍ଧି ଚାଲିବା ଦରକାର । ଚିତ୍ର ତିଆରି କରିଲାବାଲାଙ୍କୁ ତ ବହୁତ ବିଚାର ସାଗର ମନ୍ଥନ କରିବାକୁ ହେବ, ଯେଉଁମାନେ ମୁଖ୍ୟ ଅଟନ୍ତି ସେମାନଙ୍କର ଖିଆଲ ଚାଲିବା ଦରକାର । ତୁମେମାନେ ତ ଆହ୍ୱାନ କରୁଛ - ସତ୍ୟଯୁଗୀ ଶ୍ରେଷ୍ଠାଚାରୀ ଦୈବୀ ରାଜ୍ୟରେ ୯ ଲକ୍ଷ ଲୋକ ହେବେ । ଯଦି କେହି କୁହନ୍ତି ଏହାର କଣ ପ୍ରମାଣ ଅଛି? ତେବେ କୁହ ଏହା ତ ବୁଦ୍ଧିର କଥା ଅଟେ ନା । ସତ୍ୟଯୁଗରେ କମ ଲୋକ ହେବେ । ସେଠାରେ ଧର୍ମ ବି ଗୋଟିଏ ହେବ ତେବେ ନିଶ୍ଚିତ ମନୁଷ୍ୟମାନେ ମଧ୍ୟ କମ୍ ରହିବେ । ସିଢିର ଚିତ୍ରରେ ସମସ୍ତ ଜ୍ଞାନ ରହିଛି । ଯେପରି ଏହି କୁମ୍ଭକର୍ଣ୍ଣ ଚିତ୍ର ରହିଛି । ତେବେ ଏହାକୁ ଏହିଭଳି ତିଆରି କରିବା ଦରକାର ଯେ ବି.କେ.ମାନେ ଜ୍ଞାନ ଅମୃତ ପିଆଉଛନ୍ତି, ସେମାନେ ବିକାର ବା ବିଷ ମାଗୁଛନ୍ତି । ବାବା ମୁରଲୀରେ ସବୁ ନିର୍ଦ୍ଦେଶ ଦେଉଛନ୍ତି । ପ୍ରତ୍ୟେକ ଚିତ୍ରରେ ବହୁତ ଭଲ ଭାବରେ ବୁଝାଯାଇଛି । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ କୁହ - ଏହି ଭାରତ ସ୍ୱର୍ଗ ଥିଲା, ଏଠାରେ ଗୋଟିଏ ଧର୍ମ ଥିଲା ତେବେ ସେଠାରେ କେତେ ମନୁଷ୍ୟ ରହିଥିବେ । ଏବେ ଏହି ମନୁଷ୍ୟ ରୂପୀ ବୃକ୍ଷ କେତେ ବଡ ହୋଇଗଲାଣି । ଏବେ ଏହାର ବିନାଶ ହେବ । ପୁରୁଣା ସୃଷ୍ଟିକୁ ବଦଳାଇଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ମୁଖ୍ୟ ରୂପେ ୪-୫ଟି ଚିତ୍ର ରହିଛି - ଯାହା ଦ୍ୱାରା କାହାକୁ ତୁରନ୍ତ ଜ୍ଞାନର ତୀର ଲାଗିଯିବ । ଡ୍ରାମା ଅନୁସାରେ ଦିନକୁ ଦିନ ଜ୍ଞାନର ପଏଣ୍ଟ ଗୁହ୍ୟ ହୋଇଯାଉଛି । ତେବେ ଚିତ୍ରଗୁଡିକରେ ବି ପରିବର୍ତ୍ତନ ହେବ । ପିଲାମାନଙ୍କର ବୁଦ୍ଧିରେ ମଧ୍ୟ ପରିବର୍ତ୍ତନ ହେଉଛି । ଆଗରୁ ଏହି କଥା ବୁଝୁନଥିଲେ ଯେ ଶିବବାବା ବିନ୍ଦୁ ସ୍ୱରୂପ ଅଟନ୍ତି । ଏହିପରି କେହି କହିବେ ନାହିଁ ଯେ ପୂର୍ବରୁ ଏଭଳି କାହିଁକି କହିଲେ ନାହିଁ । ବାବା କହୁଛନ୍ତି - ସବୁ କଥା ଆରମ୍ଭରୁ ବୁଝାଯାଇନଥାଏ । ବାବା ଜ୍ଞାନର ସାଗର ଅଟନ୍ତି ତେବେ ସିଏ ଜ୍ଞାନ ଦେଇଚାଲିବେ । ଏହାର ସଂଶୋଧନ ହୋଇ ଚାଲିବ । ଆରମ୍ଭରୁ ସବୁ କିଛି କହିଦେବେ ନାହିଁ । ତେବେ ତ ପୁଣି ସବୁ କିଛି ନକଲି ହୋଇଯିବ । ଅଚାନକ କୌଣସି ଦୁର୍ଘଟଣା ଆଦି ହେଲେ କହିବେ ଡ୍ରାମା । ଏପରି ନୁହେଁ ଯେ ଏସବୁ ହେବା ଉଚିତ୍ ନୁହେଁ । ମମ୍ମାଙ୍କୁ ତ ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବାର ଥିଲା । ପୁଣି ମମ୍ମା କାହିଁକି ଚାଲିଗଲେ । ଡ୍ରାମାରେ ଯାହା ହେଲା ତାହା ସଠିକ୍ । ବାବା ମଧ୍ୟ ଯାହା କହୁଛନ୍ତି ତାହା ଡ୍ରାମା ଅନୁସାରେ କହୁଛନ୍ତି । ଡ୍ରାମାରେ ମୋର ଏହିଭଳି ଅଭିନୟ ରହିଛି । ବାବା ମଧ୍ୟ ଡ୍ରାମା ଉପରେ ସବୁ କିଛି ରଖିଦେଉଛନ୍ତି । ମନୁଷ୍ୟମାନେ କହୁଛନ୍ତି ଏହା ଈଶ୍ୱରଙ୍କର ଇଚ୍ଛା । ଈଶ୍ୱର କହୁଛନ୍ତି ଏହା ଡ୍ରାମାର ନିୟତି । ଈଶ୍ୱର କହିଲେ ଅଥବା ଇଏ କହିଲେ, ଡ୍ରାମାରେ ଥିଲା । କୌଣସି ଓଲଟା କାମ ହୋଇଗଲା ତେବେ ଡ୍ରାମାରେ ଥିଲା, ପୁଣି ସଠିକ୍ ହୋଇଯିବ । ଉନ୍ନତିର କଳା ନିଶ୍ଚିତ ରହିଛି । ଉପରକୁ ଚଢୁଛନ୍ତି, ପୁଣି କେବେ ସ୍ଥିତି ଟଳମଳ ହୋଇଯାଉଛି । ଏସବୁ ମାୟାର ତୁଫାନ ଅଟେ, ଯେପର୍ଯ୍ୟନ୍ତ ମାୟା ଅଛି ସେପର୍ଯ୍ୟନ୍ତ ବିକଳ୍ପ ନିଶ୍ଚିତ ଆସିବ । ସତ୍ୟଯୁଗରେ ମାୟା ହିଁ ନାହିଁ ତେବେ ବିକଳ୍ପର କଥା ହିଁ ରହିବ ନାହିଁ । ସତ୍ୟଯୁଗରେ କେବେ କର୍ମ ବିକର୍ମ ହୋଇନଥାଏ । ବାକି ଆଉ ଅଳ୍ପ ଦିନ ଅଛି, ସେଥିପାଇଁ ତୁମେମାନେ ଖୁସିରେ ରହୁଛ । ଏହା ଆମର ଅନ୍ତିମ ଜନ୍ମ ଅଟେ । ଏବେ ଅମରଲୋକକୁ ଯିବା ପାଇଁ ଶିବବାବାଙ୍କଠାରୁ ଆମେ ଅମରକଥା ଶୁଣୁଛୁ । ଏହି କଥା କେବଳ ତୁମେମାନେ ହିଁ ବୁଝୁଛ । ଲୋକମାନେ କାହିଁ କେତେ ଦୂର ଅମରନାଥକୁ କେତେ ପରିଶ୍ରମ କରି ଯାଉଛନ୍ତି । ଏକଥା ବୁଝୁନାହାଁନ୍ତି ଯେ ପାର୍ବତୀଙ୍କୁ କିଏ କାହାଣୀ ଶୁଣାଇଥିଲେ? ସେଠାରେ ତ ଶିବଙ୍କର ଚିତ୍ର ଦେଖାଉଛନ୍ତି । ଆଚ୍ଛା ଶିବ କାହା ଉପରେ ବସିଛନ୍ତି? ଶିବ ଏବଂ ଶଙ୍କର ଦେଖାଉଛନ୍ତି ନା । କଣ ଶିବ ଶଙ୍କରଙ୍କ ଉପରେ ବସି କଥା ଶୁଣାଇଥିଲେ? କିଛି ହେଲେ ବି ବୁଝୁ ନାହାଁନ୍ତି, ଭକ୍ତମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ତୀର୍ଥ କରିବାକୁ ଯାଉଛନ୍ତି । ବାସ୍ତବରେ ଏହି କଥା ମଧ୍ୟ ବଡ ନୁହେଁ । ଅସଲ କଥା ହେଉଛି ମନମନାଭବ । ବାସ୍‌, ବୀଜକୁ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ଡ୍ରାମାର ଚକ୍ରକୁ ମନେ ପକାଅ । ଯେଉଁ ଜ୍ଞାନ ବାବାଙ୍କ ପାଖରେ ଅଛି ସେହି ଜ୍ଞାନ ଆମ ଆତ୍ମାରେ ବି ରହିଛି । ସିଏ ମଧ୍ୟ ଜ୍ଞାନର ସାଗର ଅଟନ୍ତି, ଆମେ ଆତ୍ମାମାନେ ବି ମାଷ୍ଟର ଜ୍ଞାନର ସାଗର ହେଉଛୁ । ଏଭଳି ନିଶା ଚଢିବା ଦରକାର ନା । ବାବା ଆମ ଆତ୍ମାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । କାହାର ଶରୀର ଦ୍ୱାରା ହିଁ ଶୁଣାଇବେ ନା । ଏଥିରେ ସଂଶୟ ଆସିବା ଅନୁଚିତ୍ । ବାବାଙ୍କୁ ମନେ ପକାଇବା ଦ୍ୱାରା ସମସ୍ତ ଜ୍ଞାନ ବୁଦ୍ଧିରେ ଆସିଯାଉଛି । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ, ତେବେ ମମତ୍ୱ ତୁଟିଯିବ । କେତେ ଜଣଙ୍କର ନାମ-ମାତ୍ରକୁ ସ୍ନେହ ହୋଇଥାଏ । ଆମର ମଧ୍ୟ ଏହିପରି ସ୍ନେହ ରହିଛି । ଏବେ ଆମେ ସୁଖଧାମକୁ ଯାଉଛୁ । ଏମାନେ ତ ସବୁ ମରିଯାଇଛନ୍ତି, ଏମାନଙ୍କ ସହିତ କାହିଁକି ମନ ଲଗାଇବୁ । ଆମେ ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସି ରାଜ୍ୟ କରିବୁ । ଏହାକୁ କୁହାଯାଉଛି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା । ବାବା କହୁଛନ୍ତି - ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେସବୁ ସମାପ୍ତ ହୋଇଯିବ । ବିନାଶ ପରେ ତୁମେମାନେ ସ୍ୱର୍ଗକୁ ଦେଖିବ । ଏବେ ତୁମେ ପିଲାମାନେ ବହୁତ ମିଠା ହେବା ଦରକାର । ଯଦି ତୁମେମାନେ ଯୋଗଯୁକ୍ତ ହୋଇ କାହା ସହିତ କଥା ହେବ ତେବେ ସେମାନେ ବହୁତ ଆକର୍ଷିତ ହେବେ । ଏହି ଜ୍ଞାନ ଏଭଳି ଅନ୍ୟ ସବୁ କିଛି ସ୍ୱତଃ ଭୁଲି ହୋଇଯାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନ ମାର୍ଗରେ ନିଜର ଅବସ୍ଥାକୁ ବହୁତ ମଜବୁତ କରିବାକୁ ହେବ । ବିଦେହୀ ହେବାକୁ ପଡିବ । ଏକମାତ୍ର ବାବାଙ୍କ ସାଥୀରେ ହିଁ ସଚ୍ଚା-ସଚ୍ଚା ପ୍ରୀତୀ ରଖିବାକୁ ହେବ ।

(୨) ଡ୍ରାମାର ନିଧାର୍ଯ୍ୟ ଉପରେ ଅଟଳ ରହିବାକୁ ହେବ । ଡ୍ରାମାରେ ଯାହା ହେଲା ତାହା ଯଥାର୍ଥ ଅଟେ ତେଣୁ କେବେ ବି ହଲ୍‌ଚଲ୍ ହେବାର ନାହିଁ, କୌଣସି ବି କଥାରେ ସଂଶୟ ଆଣିବାର ନାହିଁ ।

ବରଦାନ:-
ଦାତା ହୋଇ ପ୍ରତି ମୂହୁର୍ତ୍ତରେ ପ୍ରତି ସଂକଳ୍ପରେ ଦାନ କରୁଥିବା ଉଦାରଚିତ୍ତ, ମହାଦାନୀ ହୁଅ ।

ତୁମେମାନେ ଦାତାଙ୍କର ସନ୍ତାନ ଅଟ ତେଣୁ ତୁମେ ଗ୍ରହୀତା ନୁହେଁ, ଦାତା ଅଟ । ତୁମକୁ ପ୍ରତି ମୂହୁର୍ତ୍ତରେ ଏବଂ ପ୍ରତି ସଂକଳ୍ପରେ ଦେବାକୁ ହେବ, ଯେତେବେଳେ ଏହିଭଳି ଦାତା ହୋଇଯିବ ସେତେବେଳେ କୁହାଯିବ ଉଦାରଚିତ୍ତ ବା ମହାଦାନୀ । ଏହିଭଳି ମହାଦାନୀ ହେବା ଦ୍ୱାରା ସ୍ୱତଃ ହିଁ ମହାନ ଶକ୍ତିର ପ୍ରାପ୍ତି ହୋଇଥାଏ । କିନ୍ତୁ କାହାକୁ ଦାନ କରିବା ପାଇଁ ହେଲେ ନିଜର ଭଣ୍ଡାର ସର୍ବଦା ଭରପୁର ରହିବା ଦରକାର । ତୁମକୁ ଯାହା ସବୁ ନେବାର ଥିଲା ତାହା ସବୁ ନେଇ ସାରିଛ, ଏବେ କେବଳ ଦେବା ହିଁ ବାକି ରହିଛି । ତେଣୁ କେବଳ ଦେଇ ଚାଲ ଯାହା ଦ୍ୱାରା ତୁମର ଭଣ୍ଡାର ଆହୁରି ଅଧିକ ଭରପୁର ହୋଇଯିବ ।

ସ୍ଲୋଗାନ:-
ଯଦି ସବୁ ବିଷୟରେ ପୂରା ନମ୍ବର ଜମା କରିବାକୁ ଚାହୁଁଛ ତେବେ ଗମ୍ଭୀରତାର ଗୁଣକୁ ଧାରଣ କର ।


ମାତେଶ୍ୱରୀ ଜୀ ଙ୍କର ଅମୂଲ୍ୟ ମହାବାକ୍ୟ

(୧) ବ୍ରହ୍ମାଙ୍କ ଶରୀର ହିଁ ନିରାକାର ପରମାତ୍ମାଙ୍କ ଅବତରଣର ନିଦ୍ଦିଷ୍ଟ ଶରୀର

ଏହା ତ ଆମକୁ ପୂର୍ଣ୍ଣ ନିଶ୍ଚୟ ଅଛି ଯେ - ପରମାତ୍ମା ସାକାର ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପଢାଉଛନ୍ତି । ଏହି ବିଷୟରେ ବହୁତ ଜିଜ୍ଞାସୁ ପ୍ରଶ୍ନ ପଚାରୁଛନ୍ତି ଯେ ଅମୃତବେଳାରେ ନିରାକାର ପରମାତ୍ମା ଯେତେବେଳେ ସାକାର ଶରୀରରେ ପ୍ରବେଶ କରନ୍ତି ସେହି ସମୟରେ ଶରୀରରେ କଣ ପରିବର୍ତ୍ତନ ଘଟିଥାଏ? ଏହା ବୁଝିବାର କଥା ଯେ - ଯେଉଁ ସମୟରେ ପରମାତ୍ମାଙ୍କର ପ୍ରବେଶତା ହେଉଛି ବ୍ରହ୍ମାବାବାଙ୍କ ନୟନର ଦୃଷ୍ଟି ବା ହାବ ଭାବରେ କୌଣସି ପରିବର୍ତ୍ତନ ହୋଇନଥାଏ । ଯେତେବେଳେ ଧ୍ୟାନ ବା ସାକ୍ଷାତ୍‌କାର କରିଥାଆନ୍ତି ଦୃଷ୍ଟିଭଙ୍ଗୀ ଓ ହାବଭାବ ପରିବର୍ତ୍ତନ ହୋଇଯାଇଥାଏ । କିନ୍ତୁ ଏହି ସାକାର ବ୍ରହ୍ମାଙ୍କ ପାର୍ଟ ତ ଗୁପ୍ତ । ପରମାତ୍ମା ଏହାଙ୍କ ଶରୀରରେ ଆସିବା ସମୟରେ କାହାକୁ ଜଣା ପଡେ ନାହିଁ । ଏହା ତ ନିର୍ଦ୍ଧାରିତ ଶରୀର । ସେକେଣ୍ଡରେ ଆସି ସେକେଣ୍ଡରେ ଚାଲିଯାଆନ୍ତି । ଏହି ରହସ୍ୟକୁ ବୁଝିବାର ଅଛି । କିନ୍ତୁ ଏମିତି ତ ନୁହେଁ କୌଣସି ଗୋଟିଏ ପଏଣ୍ଟ୍ ବୁଝି ନ ପାରିଲେ ପାଠପଢା ଛାଡି ଦେବା । ପାଠପଢା ତ ଦିନ ପ୍ରତିଦିନ ଗୁହ୍ୟ ଓ ସ୍ପଷ୍ଟ ହୋଇ ଚାଲିଛି । ସବୁ ପାଠ ତ ଏକା ସାଙ୍ଗେ ପଢି ହେବ ନାହିଁ । ଅନ୍ୟ ଯେକୌଣସି ଧର୍ମ ପିତା ଆସୁଛନ୍ତି ସେମାନେ ପବିତ୍ର ଆତ୍ମା ରୂପେ ଆସି ନିଜର ଅଭିନୟ କରି ପୁନଃ ଏହି ସୁଖ ଦୁଃଖର ଖେଳରେ ସାମିଲ ହେଉଛନ୍ତି । ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିନଥାନ୍ତି । ଯେତେବେଳେ ନିରାକାର ପରମାତ୍ମା ଆସିଥାଆନ୍ତି, ସେ ସୁଖ ଦୁଃଖରୁ ଉର୍ଦ୍ଧ୍ୱ ସ୍ଥିତିରେ ରହୁଥିବାରୁ ନିଜର ଅଭିନୟ ସାରି ପୁନଃ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତେଣୁ ଏହି ପଏଣ୍ଟକୁ ବୁଦ୍ଧିରେ ବୁଝିବାର ଅଛି ।

(୨) ଆତ୍ମା ପରମାତ୍ମା ମଧ୍ୟରେ ଗୁଣ ଓ ଶକ୍ତିର ଫରକ

ଆତ୍ମା ଓ ପରମାତ୍ମାଙ୍କ ରୂପ ଏକାଭଳି ଜ୍ୟୋତି ସ୍ୱରୂପ ଆକାର ମଧ୍ୟ ଏକାଭଳି କିନ୍ତୁ ଗୁଣ ଓ ଶକ୍ତିରେ ଫରକ ଅବଶ୍ୟ ରହିଛି ଯେଉଁ ସମସ୍ତ ଗୁଣର ବର୍ଣ୍ଣନା ରହିଛି ତାହା ସବୁ ପରମାତ୍ମାଙ୍କ ମହିମା । ପରମାତ୍ମା ଦୁଃଖ ସୁଖରୁ ନ୍ୟାରା ସର୍ବଶକ୍ତିବାନ, ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ । ସଂସାରରେ ତାଙ୍କର ହିଁ ସମସ୍ତ ଶକ୍ତି କାମ କରୁଛି । ମନୁଷ୍ୟ ଆତ୍ମାର ଶକ୍ତି କୌଣସି କାର୍ଯ୍ୟ କରୁ ନାହିଁ । ପରମାତ୍ମାଙ୍କର ହିଁ ସମସ୍ତ ଅଭିନୟ ଚାଲିଛି । ପରମାତ୍ମା ଅଭିନୟ କରି ମଧ୍ୟ ସବୁଥିରେ ନିର୍ଲିପ୍ତ ରୁହନ୍ତି । କିନ୍ତୁ ଆତ୍ମା ଅଭିନୟ କରି କର୍ମବନ୍ଧନରେ ଅଧିନ ହୋଇଯାଉଛି । ପରମାତ୍ମା ଅଭିନୟ କରି କର୍ମ ବନ୍ଧନରୁ ନ୍ୟାରା ରହୁଛନ୍ତି ଏହା ହିଁ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଅନ୍ତର ।