08.12.19    Avyakt Bapdada     Odia Murli     18.03.85     Om Shanti     Madhuban


ସନ୍ତୁଷ୍ଟତା

 


ଆଜି ଦିଲବାଲା ପିତା ନିଜର ସ୍ନେହୀ ତଥା ହୃଦୟ ସିଂହାସନ ଅଧିକାରୀ ସନ୍ତାନମାନଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ଆସିଛନ୍ତି । ଦିଲବାଲା ବାବା ନିଜର ସଚ୍ଚା ଦିଲବାଲା ପିଲାମାନଙ୍କ ସହିତ ଦିଲ୍ ଅର୍ଥାତ୍ ହୃଦୟର ଲେନ୍-ଦେନ୍ କରିବା ପାଇଁ ଏବଂ ଦିଲର ହାଲ୍-ଚାଲ୍ ଶୁଣିବା ପାଇଁ ଆସିଛନ୍ତି । ତେଣୁ ଆତ୍ମିକ ପିତା ଆତ୍ମାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି । ଏହିଭଳି ଆତ୍ମାମାନଙ୍କର ଆତ୍ମିକ ବାର୍ତ୍ତାଳାପ କରିବାର ଅନୁଭବ କେବଳ ଏହି ସମୟରେ ହିଁ କରିପାରିବ । ତୁମେ ଆତ୍ମାମାନଙ୍କ ଭିତରେ ଏତେ ସ୍ନେହର ଶକ୍ତି ଅଛି ଯାହାକି ଆତ୍ମାମାନଙ୍କର ରଚୟିତା ପିତାଙ୍କୁ ଆତ୍ମିକ ବାର୍ତ୍ତାଳାପ କରିବା ପାଇଁ ନିର୍ବାଣ ଅବସ୍ଥାରୁ ବାଣୀକୁ ନେଇ ଆସୁଛ । ତୁମେମାନେ ଏଭଳି ଶ୍ରେଷ୍ଠ ଆତ୍ମା ଯାହାକି ବନ୍ଧନମୁକ୍ତ ଅବସ୍ଥାରେ ରହୁଥିବା ବାବାଙ୍କୁ ସ୍ନେହର ବନ୍ଧନରେ ବାନ୍ଧି ଦେଉଛ । ଦୁନିଆର ଲୋକମାନେ ବନ୍ଧନରୁ ମୁକ୍ତ କରିବାବାଲା କହି ଡାକୁଛନ୍ତି ଏବଂ ଏହିଭଳି ବନ୍ଧନମୁକ୍ତ ପିତା ପୁଣି ପିଲାମାନଙ୍କର ସ୍ନେହର ବନ୍ଧନରେ ସଦାସର୍ବଦା ବାନ୍ଧି ହୋଇ ରହିଛନ୍ତି । ତେଣୁ ବାନ୍ଧିବାରେ ମଧ୍ୟ ବହୁତ ଚତୁର ଅଟ । ଯେତେବେଳେ ବି ମନେ ପକାଉଛ ସେତେବେଳେ ବାବା ହାଜର ହୋଇଯାଉଛନ୍ତି ଅର୍ଥାତ୍ ସ୍ୱୟଂ ହଜୁର ହାଜର ଅର୍ଥାତ୍ ଉପସ୍ଥିତ ହୋଇଯାଉଛନ୍ତି । ତେଣୁ ଆଜି ବିଶେଷ କରି ଡବଲ ବିଦେଶୀ ପିଲାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବା ପାଇଁ ଆସିଛନ୍ତି । ଏବେ ଏହି ମିଳନ ଋତୁରେ ବିଶେଷ ଭାବରେ ବାବାଙ୍କ ସହିତ ମିଶିବାର ପାଳି ମଧ୍ୟ ଡବଲ ବିଦେଶୀମାନଙ୍କର ଅଛି । ତେଣୁ ଅଧିକ ସଂଖ୍ୟାରେ ଡବଲ ବିଦେଶୀ ପିଲାମାନେ ମଧ୍ୟ ଆସିଛନ୍ତି । ମଧୁବନ ନିବାସୀ ପିଲାମାନେ ତ ଏମିତି ବି ମଧୁବନ ଭଳି ଶ୍ରେଷ୍ଠ ସ୍ଥାନର ନିବାସୀ ହିଁ ଅଟନ୍ତି । ଗୋଟିଏ ସ୍ଥାନରେ ବସି ବିଶ୍ୱର ଭିନ୍ନ ଭିନ୍ନ ପ୍ରକାରର ଆତ୍ମାମାନଙ୍କର ମିଳନ ମେଳା ଦେଖୁଛନ୍ତି । ଯେଉଁମାନେ ଏଠାକୁ ଆସୁଛନ୍ତି ସେମାନେ ପୁଣି ଫେରି ମଧ୍ୟ ଯାଉଛନ୍ତି କିନ୍ତୁ ମଧୁବନ ନିବାସୀମାନେ ତ ସବୁବେଳ ପାଇଁ ଅଛନ୍ତି ।

ଆଜି ବିଶେଷ ଭାବରେ ଡବଲ ବିଦେଶୀ ପିଲାମାନଙ୍କୁ ପଚରାଯାଉଛି ସମସ୍ତେ ସନ୍ତୁଷ୍ଟମଣି ହୋଇ ବାପଦାଦାଙ୍କର ମୁକୁଟରେ ଚମକୁଛ ? ସମସ୍ତେ ସନ୍ତୁଷ୍ଟମଣି ଅଟ ? ସର୍ବଦା ସନ୍ତୁଷ୍ଟ ରହୁଛ ? କେବେକେବେ ନିଜ ଉପରେ ଅସନ୍ତୁଷ୍ଟ, ବା କେବେ ବ୍ରାହ୍ମଣ ଆତ୍ମାମାନଙ୍କ ଉପରେ ଅସନ୍ତୁଷ୍ଟ ବା କେବେ ନିଜର ସଂସ୍କାର ଉପରେ ଅସନ୍ତୁଷ୍ଟ ବା କେବେ ବାୟୁମଣ୍ଡଳର ପ୍ରଭାବରେ ଆସି ଅସନ୍ତୁଷ୍ଟ ହେଉନାହଁ ତ! ସର୍ବଦା ସବୁ କଥାରେ ସନ୍ତୁଷ୍ଟ ରହୁଛ ? କେବେକେବେ ସନ୍ତୁଷ୍ଟ, କେବେ କେବେ ଅସନ୍ତୁଷ୍ଟ ରହୁଥିବା ଆତ୍ମାମାନଙ୍କୁ ସନ୍ତୁଷ୍ଟମଣି କୁହାଯିବ ? ତୁମେମାନେ କହିଲ ନା ଆମେ ସନ୍ତୁଷ୍ଟମଣି ଅଟୁ । ପୁଣି ଏପରି ତ କହିବ ନାହିଁ ଯେ ଆମେ ତ ସନ୍ତୁଷ୍ଟ ଅଛୁ କିନ୍ତୁ ଅନ୍ୟମାନେ ଆମକୁ ଅସନ୍ତୁଷ୍ଟ କରୁଛନ୍ତି । କାରଣ କିଛି ବି ହୋଇଥାଉ ଯେଉଁମାନେ ସନ୍ତୁଷ୍ଟମଣି ଆତ୍ମା ସେମାନେ କେବେ ବି ନିଜର ସନ୍ତୁଷ୍ଟତା ରୂପୀ ବିଶେଷତାକୁ ଛାଡି ପାରିବେ ନାହିଁ । ସନ୍ତୁଷ୍ଟତା ହିଁ ବ୍ରାହ୍ଣଣ ଜୀବନର ବିଶେଷ ଗୁଣ କୁହ ବା ସମ୍ପତ୍ତି କୁହ ବା ଜୀବନର ବିଶେଷ ଶୋଭା ହିଁ ଅଟେ । ଯେପରି କାହାର ଯଦି କୌଣସି ବସ୍ତୁ ଅତି ପ୍ରିୟ ହୋଇଥାଏ ତେବେ ତାକୁ କେବେ ବି ଛାଡିପାରନ୍ତି ନାହିଁ । ସେହିପରି ସନ୍ତୁଷ୍ଟତା ମଧ୍ୟ ଏକ ବିଶେଷତା । ସନ୍ତୁଷ୍ଟତା ବ୍ରାହ୍ମଣ ଜୀବନର ବିଶେଷ ପରିବର୍ତ୍ତନର ଦର୍ପଣ ସଦୃଶ ଅଟେ ଯାହାକି ସାଧାରଣ ଜୀବନ ଏବଂ ବ୍ରାହ୍ମଣ ଜୀବନ ମଧ୍ୟରେ ଥିବା ଅନ୍ତରକୁ ଦର୍ଶାଇଥାଏ । କାରଣ ସାଧାରଣ ଜୀବନ ଅର୍ଥାତ୍ କେବେ ସନ୍ତୁଷ୍ଟ କେବେ ଅସନ୍ତୁଷ୍ଟ କିନ୍ତୁ ବ୍ରାହ୍ମଣ ଜୀବନରେ ସନ୍ତୁଷ୍ଟତା ରୂପକ ବିଶେଷତାକୁ ଦେଖି ଅଜ୍ଞାନୀ ଆତ୍ମାମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ତୁମର ଏହି ପରିବର୍ତ୍ତନ ଅନେକ ଆତ୍ମାଙ୍କୁ ପରିବର୍ତ୍ତନ କରିବାର ନିମିତ୍ତ ହୋଇଯାଏ । ସମସ୍ତଙ୍କ ମୁଖରୁ ଏହି କଥା ବାହାରିଥାଏ ଯେ ଏମାନେ ସର୍ବଦା ସନ୍ତୁଷ୍ଟ ଅର୍ଥାତ୍ ଖୁସିରେ ରହୁଛନ୍ତି । ଯେଉଁଠାରେ ସନ୍ତୁଷ୍ଟତା ଅଛି ସେଠାରେ ଖୁସି ମଧ୍ୟ ନିଶ୍ଚିତ ରହିଛି । ଅସନ୍ତୁଷ୍ଟତା ଖୁସିକୁ ଲୁଚାଇ ଦେଇଥାଏ । ଏହା ହିଁ ହେଉଛି ବ୍ରାହ୍ମଣ ଜୀବନର ମହିମା । ଯଦି ସଦାକାଳର ସନ୍ତୁଷ୍ଟତା ନାହିଁ ତେବେ ସାଧାରଣ ଜୀବନ କୁହାଯିବ । ସନ୍ତୁଷ୍ଟତା ହିଁ ସଫଳତାର ସହଜ ଆଧାର । ସନ୍ତୁଷ୍ଟତା ହିଁ ସର୍ବ ବ୍ରାହ୍ମଣ ପରିବାରର ସ୍ନେହୀ କରାଇବାର ଶ୍ରେଷ୍ଠ ସାଧନ ଅଟେ । ଯିଏ ସର୍ବଦା ସନ୍ତୁଷ୍ଟ ରହିବ ତାଙ୍କ ପ୍ରତି ସ୍ୱତଃ ହିଁ ସମସ୍ତଙ୍କର ସ୍ନେହ ରହିବ । ସନ୍ତୁଷ୍ଟ ଆତ୍ମାକୁ ସର୍ବଦା ସମସ୍ତେ ଆପେ ଆପେ ନିକଟକୁ ଆଣିବା ପାଇଁ ବା ପ୍ରତ୍ୟେକ ଶ୍ରେଷ୍ଠ କାର୍ଯ୍ୟରେ ସହଯୋଗୀ କରିବା ପାଇଁ ଚେଷ୍ଟା କରିବେ । ସେମାନଙ୍କୁ ମେହନତ କରିବା ପାଇଁ ପଡିବ ନାହିଁ ଯେ ମୋତେ ନିକଟକୁ ନିଅ ବା ପାଖକୁ ଡାକ । ମୋତେ ସହଯୋଗୀ କର ବା ବିଶେଷ ଆତ୍ମାମାନଙ୍କ ତାଲିକାରେ ରଖ । ଚିନ୍ତା ମଧ୍ୟ କରିବାକୁ ପଡିବ ନାହିଁ, କହିବାକୁ ମଧ୍ୟ ପଡିବ ନାହିଁ । ସନ୍ତୁଷ୍ଟତାର ବିଶେଷତା ଆପେ ଆପେ ପ୍ରତ୍ୟେକ କାର୍ଯ୍ୟରେ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ କରିବାର ପାତ୍ର କରିଦିଏ । ଯେକୌଣସି କାର୍ଯ୍ୟ ପାଇଁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଭିତରେ ସନ୍ତୁଷ୍ଟ ଆତ୍ମା ପ୍ରତି ଆପେ ଆପେ ସଂକଳ୍ପ ଉତ୍ପନ୍ନ ହେବ ଏବଂ ସେମାନଙ୍କୁ ସହଯୋଗୀ ହେବାର ସୁଯୋଗ ମିଳୁଥିବ । ସନ୍ତୁଷ୍ଟତା ସର୍ବଦା ସମସ୍ତଙ୍କର ସ୍ୱଭାବ ସଂସ୍କାରକୁ ମିଶାଇ ଦେଇଥାଏ । ସନ୍ତୁଷ୍ଟ ଆତ୍ମା କେବେହେଲେ କାହାର ବି ସ୍ୱଭାବ ସଂସ୍କାର ଦ୍ୱାରା ବିଚଳିତ ହୁଅନ୍ତି ନାହିଁ । ତେବେ ତୁମେମାନେ ଏହିଭଳି ସନ୍ତୁଷ୍ଟ ଆତ୍ମା ହୋଇଛ ନା । ଯେପରି ଭଗବାନ ତୁମମାନଙ୍କ ନିକଟକୁ ଆସିଲେ, ତୁମେମାନେ ତାଙ୍କ ନିକଟକୁ ଯାଇ ନାହିଁ । ଭାଗ୍ୟ ନିଜେ ତୁମମାନଙ୍କ ନିକଟକୁ ଆସିଛି । କାରଣ ଘରେ ବସି ଭଗବାନ ମିଳିଯାଇଛନ୍ତି, ଭାଗ୍ୟ ମିଳିଯାଇଛି । ଘରେ ବସି ସର୍ବ ସମ୍ପତ୍ତିର ଚାବି ମିଳିଯାଇଛି । ଯେତେବେଳେ ଚାହିଁବ, ଯାହା ଚାହିଁବ ତାହା ପ୍ରାପ୍ତ କରିପାରିବ କାରଣ ଅଧିକାରୀ ହୋଇଗଲ ନା । ତେଣୁ ସବୁ ସମ୍ପତ୍ତି ତୁମର ହୋଇଗଲା । ତେବେ ସେହିଭଳି ସମସ୍ତଙ୍କର ନିକଟବର୍ତ୍ତୀ ହେବାର, ସେବାକ୍ଷେତ୍ରରେ ମଧ୍ୟ ସମସ୍ତଙ୍କ ସହିତ ମିଶିବାର ସୁଯୋଗ ଆପେ ଆପେ ମିଳିଥାଏ । ଏହି ବିଶେଷତା ତୁମକୁ ସ୍ୱତଃ ହିଁ ଆଗକୁ ବଢାଇଥାଏ । ଯିଏ ସର୍ବଦା ସନ୍ତୁଷ୍ଟ ରହିଥାଏ ତାପ୍ରତି ସମସ୍ତଙ୍କର ସ୍ୱତଃ ହିଁ ଅନ୍ତରର ସ୍ନେହ ରହିଥାଏ । ବାହାରର ସ୍ନେହ ନୁହେଁ । ଗୋଟିଏ ହେଲା କାହାକୁ ଖୁସି କରିବା ପାଇଁ ବାହାରେ ବାହାରେ ସ୍ନେହ ଦେବା, ଆଉ ଗୋଟିଏ ହେଲା ଅନ୍ତରର ସ୍ନେହ । କାହାକୁ କାହାକୁ ନାରାଜ ନ କରିବା ପାଇଁ ମଧ୍ୟ ସ୍ନେହ କରିବାକୁ ପଡିଥାଏ । କିନ୍ତୁ ସିଏ ସବୁବେଳେ ସ୍ନେହକୁ ଗ୍ରହଣ କରିବାର ପାତ୍ର ହୋଇନଥାଏ । ସନ୍ତୁଷ୍ଟ ଆତ୍ମାକୁ ସର୍ବଦା ସମସ୍ତଙ୍କର ଅନ୍ତରର ସ୍ନେହ ପ୍ରାପ୍ତ ହୋଇଥାଏ । ଚାହେଁ କେହି ନୂଆ ହୋଇଥାଉ କି ପୁରୁଣା ହୋଇଥାଉ, କେହି କାହାର ଭଲ ରୂପେ ପରିଚିତ ହୋଇଥାଉ କି ନ ହୋଇଥାଉ କିନ୍ତୁ ସନ୍ତୁଷ୍ଟତା ହିଁ ତାକୁ ପରିଚିତ କରାଇଥାଏ । ତାଙ୍କ ସହିତ କଥା ହେବା ପାଇଁ ବା ତାଙ୍କ ନିକଟରେ ବସିବା ପାଇଁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ତେବେ ଏହିଭଳି ସନ୍ତୁଷ୍ଟ ଆତ୍ମା ଅଟ ? ପକ୍କା ଅଟ ନା! ଏମିତି ତ କହୁ ନାହଁ ଏବେ ହେଉଛୁ । ନା, କୁହ ହୋଇଯାଇଛୁ ।

ସନ୍ତୁଷ୍ଟ ଆତ୍ମାମାନେ ସର୍ବଦା ମାୟାଜୀତ୍ ହିଁ ଅଟନ୍ତି । ଏହି ସଭା ମାୟାଜିତ୍ ଆତ୍ମାମାନଙ୍କର ସଭା ଅଟେ ନା । ମାୟାକୁ ଦେଖି ବିଚଳିତ ହେଉନାହଁ ତ । ତେବେ ମାୟା ମଧ୍ୟ କାହା ପାଖକୁ ଆସିଥାଏ ? ସମସ୍ତଙ୍କ ପାଖକୁ ଆସୁଛି ନା! ଏମିତି କେହି ଅଛନ୍ତି ଯିଏକି କହିବ ମୋ ନିକଟକୁ ମାୟା ଆସେ ହିଁ ନାହିଁ । ନା, ମାୟା ସମସ୍ତଙ୍କ ନିକଟକୁ ଆସେ କିନ୍ତୁ କେହି କେହି ବିଚଳିତ ହୋଇଯାଆନ୍ତି, ଆଉ କେହି ତାକୁ ଚିହ୍ନିପାରନ୍ତି ତେଣୁ ଅସ୍ଥିର ହୁଅନ୍ତି ନାହିଁ । ତେବେ ମର୍ଯ୍ୟାଦାର ସୀମା ଭିତରେ ରହୁଥିବା ବାବାଙ୍କର ଆଜ୍ଞାକାରୀ ପିଲାମାନେ ଦୂରରୁ ହିଁ ମାୟାକୁ ଚିହ୍ନିପାରନ୍ତି । ଯେଉଁମାନେ ମାୟାକୁ ଚିହ୍ନିବାରେ ଡେରି କରିଦିଅନ୍ତି ବା ଭୁଲ୍ କରିଦିଅନ୍ତି ସେହିମାନେ ହିଁ ବିଚଳିତ ହୋଇଯାଆନ୍ତି । ତୁମମାନଙ୍କର ସ୍ମାରକୀର କାହାଣୀ ଯାହାକୁ ତୁମେମାନେ ସବୁ ଶୁଣିଛ ସୀତା କାହିଁକି ଧୋକା ଖାଇଥିଲା ? କାହିଁକି ନା ଚିହ୍ନିପାରିଲା ନାହିଁ । ମାୟାର ସ୍ୱରପକୁ ଚିହ୍ନି ନ ପାରିବା କାରଣରୁ ଧୋକା ଖାଇଲା । ଯଦି ଚିହ୍ନି ପାରିଥାନ୍ତା ଯେ ଇଏ ବ୍ରାହ୍ମଣ ନୁହେଁ କି ଭିକାରୀ ମଧ୍ୟ ନୁହେଁ, ଇଏ ତ ରାବଣ ଅଟେ ତେବେ ଶୋକ ବାଟିକାର ଏତେ ଅନୁଭବ କରିବାକୁ ପଡିନଥାନ୍ତା । କିନ୍ତୁ ବିଳମ୍ବରେ ଚିହ୍ନିବା କାରଣରୁ ଧୋକା ଖାଇବାକୁ ପଡିଲା ଏବଂ ଦୁଃଖ ଭୋଗ କରିବାକୁ ପଡିଲା ଏବଂ ଯୋଗୀରୁ ବିୟୋଗୀ ହୋଇଗଲା ଅର୍ଥାତ୍ ସର୍ବଦା ରାମଙ୍କ ନିକଟରେ ରହିବା ପରିବର୍ତ୍ତେ ଦୂରରେ ରହିଲା । ପ୍ରାପ୍ତି ସ୍ୱରୂପ ଆତ୍ମାରୁ ମାଗିବାବାଲା ବା ଡାକିବାବାଲା ଆତ୍ମା ହୋଇଗଲା । କାରଣ ? ପରଖିବାର ଶକ୍ତି କମ୍ ଥିଲା । ତେଣୁ ମାୟାର ରୂପକୁ ଚିହ୍ନିବାର ଶକ୍ତି କମ୍ ଥିବା କାରଣରୁ ମାୟାକୁ ତଡି ଦେବା ପରିବର୍ତ୍ତେ ପିଲାମାନେ ନିଜେ ବିଚଳିତ ହୋଇଯାଉଛନ୍ତି । ତେବେ ଚିହ୍ନିବାର ଶକ୍ତି କମ୍ କାହିଁକି ହୋଇଯାଉଛି ଯାହାକି ଯଥା ସମୟରେ ଚିହ୍ନିପାରୁନାହାଁନ୍ତି କିନ୍ତୁ ପଛରେ ଚିହ୍ନୁଛନ୍ତି ? ଏହାର କାରଣ କଣ ? କାହିଁକି ନା ସର୍ବଦା ବାବାଙ୍କର ଶ୍ରେଷ୍ଠ ମତ ଉପରେ ଚାଲୁନାହାଁନ୍ତି । କେତେବେଳେ ମନେ ପକାଉଛନ୍ତି, କେତେବେଳେ ନାହିଁ । କେତେବେଳେ ଉମଙ୍ଗ ଉତ୍ସାହରେ ରହୁଛନ୍ତି, କେତେବେଳେ ରହୁନାହାଁନ୍ତି । ଯେଉଁମାନେ ସବୁବେଳେ ଆଜ୍ଞାକୁ ଉଲ୍ଲଘଂନ କରିଥାନ୍ତି ଅର୍ଥାତ୍ ଆଜ୍ଞା ରୂପକ ରେଖା ଭିତରେ ନ ରହିବା କାରଣରୁ ଯଥା ସମୟରେ ମାୟା ଧୋକା ଦେଇ ଦେଇଥାଏ, କାରଣ ମାୟା ଭିତରେ ପରଖିବାର ଶକ୍ତି ବହୁତ ଅଛି । ମାୟା ଦେଖୁଛି ଇଏ ବର୍ତ୍ତମାନ ଦୁର୍ବଳ ଅଛି ତେଣୁ ଏହି ଦୁର୍ବଳତା ଆଧାରରେ ମୁଁ ଏହାକୁ ନିଜର କରିପାରିବି । ମାୟାର ଆସିବାର ରାସ୍ତା ହିଁ ହେଉଛି ଦୁର୍ବଳତା । ଟିକିଏ ରାସ୍ତା ମିଳିଗଲେ ମାୟା ତୁରନ୍ତ ଆସିଯାଏ । ଯେପରି ଆଜିକାଲି ଡାକୁମାନେ କଣ କରୁଛନ୍ତି ? ଯଦିଓ ଦରଜା ବନ୍ଦ ଥିବ କିନ୍ତୁ ଭେଣ୍ଟିଲେଟର ଅର୍ଥାତ୍ ଘର ଭିତରକୁ ବାୟୁ ଚଳାଚଳ କରିବା ପାଇଁ ଛାତ ତଳେ ସିମେଣ୍ଟ ଜାଲି ଲାଗିଥିବା ସ୍ଥାନ ବା ସ୍କାଏ ଲାଇଟ୍ ବାଟ ଦେଇ ମଧ୍ୟ ଭିତରକୁ ଆସିଯାଉଛନ୍ତି । ତେଣୁ ଟିକିଏ ବି ସଂକଳ୍ପ ମାତ୍ରରେ ବି ଦୁର୍ବଳ ହେବା ଅର୍ଥ ମାୟାକୁ ରାସ୍ତା ଦେବା । ସେଥିପାଇଁ ମାୟାଜିତ୍ ହେବାର ବହୁତ ସହଜ ଉପାୟ ହେଲା ସର୍ବଦା ବାବାଙ୍କ ସାଥୀରେ ରୁହ । ସାଥୀରେ ରହିବା ଅର୍ଥ ଆପେ ଆପେ ମର୍ଯ୍ୟାଦାର ରେଖା ଭିତରେ ରହିବା, ଯାହା ଦ୍ୱାରା ଗୋଟିଏ ଗୋଟିଏ ବିକାର ଉପରେ ବିଜୟୀ ହେବାର ମେହନତରୁ ମୁକ୍ତ ହୋଇଯିବ । ସଦା ସର୍ବଦା ସାଥୀରେ ରହିବ ତେବେ ଆପେ ଆପେ ବାବାଙ୍କ ଭଳି ହୋଇଯିବ, କାରଣ ସଂଗର ରଙ୍ଗ ଆପେ ଆପେ ଲାଗିଯିବ । ତେଣୁ ବୀଜକୁ ଛାଡି କେବଳ ଶାଖା ଗୁଡିକୁ କାଟିବାର ମେହନତ କର ନାହିଁ । ଆଜି କାମ ବିକାରଜିତ୍ ହୋଇଗଲୁ, କାଲି କ୍ରୋଧଜିତ୍ ହୋଇଗଲୁ, ନା ସଦାକାଳ ପାଇଁ ବିଜୟୀ ହୁଅ । ଯେତେବେଳେ ବୀଜରୂପ ବାବାଙ୍କ ଦ୍ୱାରା ବକାର ଗୁଡିକର ବୀଜକୁ ହିଁ ସମାପ୍ତ କରିଦେବ ସେତେବେଳେ ବାରମ୍ବାର ମେହନତ୍ କରିବାରୁ ମୁକ୍ତ ହୋଇଯିବ, ସେଥିପାଇଁ କେବଳ ବୀଜରୂପ ପିତାଙ୍କୁ ସାଥୀରେ ରଖ । ତେବେ ମାୟାର ବୀଜ ଏଭଳି ଭସ୍ମ ହୋଇଯିବ ଯେଉଁଥିରୁ ଆଉ କେବେ ବିକାରର ଅଂଶ ବି ବାହାରି ପାରିବ ନାହିଁ । ଏମିତି ବି ନିଆଁରେ ପୋଡି ଯାଇଥିବା ବୀଜରୁ କେବେହେଲେ ଫଳ ମିଳିନଥାଏ ଅର୍ଥାତ୍ ବୃକ୍ଷ ସୃଷ୍ଟି ହୋଇନଥାଏ ।

ତେଣୁ ସର୍ବଦା ସାଥୀରେ ରୁହ, ସନ୍ତୁଷ୍ଟ ରୁହ ତେବେ ମାୟା କଣ କରିପାରିବ! ସମର୍ପିତ ହୋଇଯିବ । ମାୟାକୁ ସମର୍ପିତ କରାଇବା ଜଣା ନାହିଁ କି ? ଯିଏ ନିଜେ ସରେଣ୍ଡର ହୋଇଥିବ ମାୟା ମଧ୍ୟ ତା ନିକଟରେ ନିଶ୍ଚିତ ସରେଣ୍ଡର ହୋଇଯିବ । ତାହାହେଲେ ମାୟାକୁ ସରେଣ୍ଡର କରିଛ ନା ଏବେ ସେଥିପାଇଁ ପ୍ରସ୍ତୁତ ହେଉଛ ? ଏବେ ହାଲ୍-ଚାଲ୍ କଣ ? ଯେପରି ନିଜର ସରେଣ୍ଡର ହେବାର ଉତ୍ସବ ପାଳନ କରୁଛ ସେହିପରି ମାୟାକୁ ସରେଣ୍ଡର କରାଇବାର ଉତ୍ସବ ପାଳନ କରିସାରିଛ ନା ଆଗକୁ କରିବ ? ହୋଲୀ ହୋଇଗଲା ଅର୍ଥ ଉତ୍ସବ ପାଳନ ହୋଇଗଲା ବା ଜଳିଗଲା । ପୁଣି ସେଠାକୁ ଯାଇ ଏପରି ପତ୍ର ତ ଲେଖିବ ନାହିଁ ଯେ କଣ କରିବି, ମାୟା ପୁଣି ଆସିଗଲା । ଖୁସିର ସମାଚାର ଲେଖିବ ନା! ସମର୍ପଣ ସମାରୋହ କେତେ ପାଳନ କରିଲ ତାହା ଲେଖିବ । ମୋର ତ ହୋଇଗଲା କିନ୍ତୁ ଅନ୍ୟ ଆତ୍ମାମାନଙ୍କ ଦ୍ୱାରା ମଧ୍ୟ ମାୟାକୁ ସରେଣ୍ଡର କରାଇଛି, ଏହିଭଳି ସମାଚାର ଲେଖିବ । ଆଚ୍ଛା!

ଯେତିକି ଉମଙ୍ଗ-ଉତ୍ସାହର ସହିତ ଏଠାକୁ ଆସିଛ ବାପଦାଦା ମଧ୍ୟ ସେତିକି ଉମଙ୍ଗ ଉତ୍ସାହରେ ତୁମମାନଙ୍କୁ ସଦାକାଳ ପାଇଁ ସନ୍ତୁଷ୍ଟ ଆତ୍ମା ରୂପରେ ଦେଖିବା ପାଇଁ ଚାହୁଁଛନ୍ତି । ତେବେ ଲଗନ ତ ନିଶ୍ଚିତ ଅଛି କାରଣ ଲଗନର ଚିହ୍ନ ହେଲା ଏତେ ଦୂରରୁ ଆସି ନିକଟରେ ପହଞ୍ଚି ଯାଇଛ । ରାତି ଦିନ ଲଗନର ସହିତ ଦିନ ଗଣି ଗଣି ଶେଷରେ ଏଠାରେ ଆସି ପହଞ୍ଚି ଗଲ । ଯଦି ଲଗନ ନଥାନ୍ତା ତେବେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇଥାନ୍ତା । ତେଣୁ ଲଗନ ଅର୍ଥାତ୍ ସ୍ନେହରେ ତ ନିଶ୍ଚିତ ପାସ୍ ନା । ପାସ୍ ହେବାର ପ୍ରମାଣପତ୍ର (ସାର୍ଟୀଫିକେଟ୍) ତ ମିଳିଗଲା ନା । ପ୍ରତ୍ୟେକ ବିଷୟରେ ପାସ୍ । ପୁଣି ବି ବାପଦାଦା ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି କାହିଁକି ନା ଚିହ୍ନିବାର ଦୃଷ୍ଟି ତୀକ୍ଷ୍ଣ ଅଛି । ଦୂରରେ ରହି ମଧ୍ୟ ବାବାଙ୍କୁ ଚିହ୍ନି ଯାଇଛ ଏବଂ ସାଥୀରେ ଅର୍ଥାତ୍ ଦେଶ ଭିତରେ ଥିବା ଆତ୍ମାମାନେ ଚିହ୍ନିପାରୁ ନାହାଁନ୍ତି । କିନ୍ତୁ ତୁମେମାନେ ଦୂରରେ ରହି ମଧ୍ୟ ଚିହ୍ନିପାରିଛ । ବାବାଙ୍କୁ ଚିହ୍ନି ତାଙ୍କୁ ନିଜର କରିଛ ବା ତାଙ୍କର ହୋଇଯାଇଛ । ସେଥିପାଇଁ ବାପଦାଦା ବିଶେଷ ଭାବରେ ଅନିନ୍ଦନନ ଜଣାଉଛନ୍ତି । ତେବେ ବାବାଙ୍କୁ ଚିହ୍ନିବାରେ ଯେପରି ଆଗୁଆ ହୋଇଗଲ ସେହିପରି ମାୟାଜିତ୍ ହେବାରେ ମଧ୍ୟ ନମ୍ବରୱାନ ହୋଇ ସର୍ବଦା ବାବାଙ୍କଠାରୁ ଅଭିନନ୍ଦନ ଗ୍ରହଣ କରିବାର ଯୋଗ୍ୟ ନିଶ୍ଚିତ ହେବ । ଯାହାକି ବାପଦାଦା ମାୟାଦ୍ୱାରା ହଲଚଲ୍ ହେଉଥିବା କୌଣସି ବି ଆତ୍ମାକୁ ତୁମ ନିକଟକୁ ପଠାଇପାରିବେ ଯେ ଏହି ପିଲାମାନଙ୍କ ନିକଟକୁ ଯାଇ ମାୟାଜିତ୍ ହେବାର ଅନୁଭବ ପଚାର । ଏହିଭଳି ଉଦାହରଣମୂରତ ହୋଇ ଦେଖାଅ । ଯେପରି ମୋହଜିତ୍ ପରିବାରର କାହାଣୀ ପ୍ରସିଦ୍ଧ ଅଟେ ସେହିପରି ମାୟାଜିତ୍ ସେଣ୍ଟର ମଧ୍ୟ ପ୍ରସିଦ୍ଧ ହେଉ । ଏହା ଏପରି ସେଣ୍ଟର ଯେଉଁଠି କେବେ ବି ମାୟା ଆକ୍ରମଣ କରିପାରୁ ନାହିଁ । ତେବେ ମାୟା ଆସିଯିବା ବଡ କଥା ନୁହେଁ କିନ୍ତୁ ଆକ୍ରମଣ କରିନପାରୁ । ତେଣୁ ଏଥିରେ ମଧ୍ୟ ପ୍ରଥମ ନମ୍ବର ନେବ ନା । ଏଥିରେ ନମ୍ବର ୱାନ କିଏ ହେବ ? ଲଣ୍ଡନ, ନା ଅଷ୍ଟ୍ରେଲିଆ ନା ଆମେରିକା ? ପ୍ୟାରିସ୍ ହେବ, ନା ଜର୍ମାନୀ ହେବ, ନା ବ୍ରାଜିଲ୍ ହେବ, କିଏ ନମ୍ବରୱାନ ହେବ ? ଯିଏବି ହୁଅନ୍ତୁ ବାପଦାଦା ଏହିଭଳି ଚୈତନ୍ୟ ମ୍ୟୁଜିୟମର ନାମ ସଭାରେ ଶୁଣାଇବେ । ଯେପରି ଆବୁର ମ୍ୟୁଜିୟମ୍ ଅର୍ଥାତ୍ ଆଧ୍ୟାତ୍ମିକ ସଂଗ୍ରହାଳୟକୁ ନମ୍ବରୱାନ ବୋଲି କହୁଛ । ସେବାରେ ଏବଂ ସାଜସଜାରେ ଉଭୟରେ ନମ୍ବରୱାନ । ସେହିଭଳି ମାୟାଜିତ୍ ପିଲାମାନଙ୍କର ମଧ୍ୟ ଚୈତନ୍ୟ ମ୍ୟୁଜିୟମ୍ ହେବା ଦରକାର । ସାହସ ଅଛି ନା । ଏଥିପାଇଁ ଏବେ ଆଉ କେତେ ସମୟ ଦରକାର ? ସୁବର୍ଣ୍ଣ ଜୟନ୍ତୀରେ ମଧ୍ୟ ସେମାନଙ୍କୁ ପୁରସ୍କାର ଦିଆଯିବ ଯେଉଁମାନେ କି ପ୍ରଥମେ କିଛି କରି ଦେଖାଇବେ । ତେଣୁ ଶେଷରେ ଆସି ତୀବ୍ର ପୁରୁଷାର୍ଥ କରି ଦେଖାଅ । ଭାରତବାସୀ ପିଲାମାନେ ମଧ୍ୟ ପୁରୁଷାର୍ଥର ରେସ୍ କରନ୍ତୁ । କିନ୍ତୁ ତୁମେମାନେ ତାଙ୍କ ଠାରୁ ମଧ୍ୟ ଆଗକୁ ଚାଲିଯାଅ । ବାପଦାଦା ସମସ୍ତଙ୍କୁ ଆଗକୁ ଯିବାକୁ ସୁଯୋଗ ଦେଉଛନ୍ତି, ୮ ନମ୍ବର ଭିତରେ ଆସିଯାଅ । କାରଣ ୮ ଜଣଙ୍କୁ ହିଁ ପୁରସ୍କାର ମିଳିବ । ଏମିତି ନୁହେଁ ଯେ କେବଳ ଜଣଙ୍କୁ ହିଁ ପୁରସ୍କାର ମିଳିବ । ଏପରି ଭାବୁ ନାହଁ ତ ଲଣ୍ଡନ ଏବଂ ଅଷ୍ଟ୍ରେଲିଆ ତ ପୁରୁଣା, ଆମେ ତ ଏବେ ନୂଆ ନୂଆ ଆସିଛୁ । ସବୁଠାରୁ ଛୋଟ ଅର୍ଥାତ୍ ନୂଆ ସେଣ୍ଟର କିଏ ? ଯିଏ ସବୁଠାରୁ ଛୋଟ ହୋଇଥାଏ ସିଏ ସମସ୍ତଙ୍କର ପ୍ରିୟ ହୋଇଥାଏ । ଏମିତି ବି ଛୋଟମାନଙ୍କୁ କୁହାଯାଏ । ବଡ ତ ବଡ ହିଁ ଅଟନ୍ତି କିନ୍ତୁ ଛୋଟ ବାପ ସମାନ ଅଟନ୍ତି । ସବୁକିଛି କରିପାରିବେ, ତାଙ୍କ ପାଇଁ କିଛି ବି ବଡ କଥା ନୁହେଁ । ଗ୍ରୀସ୍, ଟେମ୍ପା, ରୋମ୍ - ଏମାନେ ସବୁ ଛୋଟପିଲା ଅର୍ଥାତ୍ ନୂଆ କିନ୍ତୁ ଏମାନେ ତ ବହୁତ ଉମଙ୍ଗ-ଉତ୍ସାହରେ ରହୁଛନ୍ତି । ଟେମ୍ପା କଣ କରିବ ? ଟେମ୍ପୁଲ ଅର୍ଥାତ୍ ମନ୍ଦିର ତିଆରି କରିବ ? ସେଠିକାର ନିମିତ୍ତ ଟୀଚର ଆସିଥିଲେ ଯାହାଙ୍କୁ ବାବା କହିଥିଲେ ଟେମ୍ପାକୁ ଟେମ୍ପୁଲ୍ କରିଦିଅ । ଯିଏ ବି ଟେମ୍ପାକୁ ଆସିବେ ପ୍ରତ୍ୟେକ ଚୈତନ୍ୟ ମୂର୍ତ୍ତିକୁ ଦେଖି ଖୁସି ହୋଇଯିବେ । ତେଣୁ ତୁମେ ଶକ୍ତିଶାଳୀ ରାଜାମାନେ ପ୍ରସ୍ତୁତ ହୋଇଯାଅ । କେବଳ ତୁମେ ରାଜାମାନେ ପ୍ରସ୍ତୁତ ହୋଇଗଲେ ପ୍ରଜାମାନେ ତ ତୁରନ୍ତ ପ୍ରସ୍ତୁତ ହୋଇଯିବେ । କାରଣ ରାଜ ପରିବାରରର ସହସ୍ୟମାନଙ୍କୁ ପ୍ରସ୍ତୁତ ହେବା ପାଇଁ ସମୟ ଲାଗିଥାଏ । ଏବେ ତ ରାଜ ପରିବାର ଏବଂ ରାଜଧାନୀ ତିଆରି ହେଉଛି, ଏହା ପରେ ପ୍ରଜା ତ ଅନେକ ଆସିଯିବେ । ଏତେ ସଂଖ୍ୟାରେ ଆସିଯବେ ଯାହାକି ତୁମେମାନେ ଦେଖି ଦେଖି ବିବ୍ରତ ହୋଇଯିବ, କହିବ ବାବା ଏବେ ବନ୍ଦ କର । ତେଣୁ ପ୍ରଥମେ ରାଜ୍ୟ ଅଧିକାରୀମାନେ ସିଂହାସନ ଅଧିକାରୀ ତ ହୋଇଯାଆନ୍ତୁ ନା, ମୁକୁଟ ଏବଂ ତିଳକଧାରୀ ହୋଇଯାଆନ୍ତୁ ତେବେ ତ ପ୍ରଜାମାନେ ଜୀ ହଜୁର କହିବେ । ଯଦି ମୁକୁଟଧାରୀ ନହେବ ତେବେ ପ୍ରଜା ମଧ୍ୟ କିପରି ରାଜା ବୋଲି ମାନିବେ । ତେଣୁ ରାଜକୀୟ ପରିବାର ପ୍ରସ୍ତୁତ ହେବା ପାଇଁ ସମୟ ଲାଗୁଛି । ତୁମେମାନେ ବହୁତ ଭଲ ସମୟରେ ପହଞ୍ଚି ଯାଇଛ ଯାହାକି ରାଜକୀୟ ପରିବାରରେ ଜନ୍ମ ନେବାର ଅଧିକାରୀ ଅଟ । ଏବେ ପ୍ରଜାମାନଙ୍କର ଆସିବାର ସମୟ ମଧ୍ୟ ଆସିଯିବ । ରାଜା ହେବାର ଲକ୍ଷଣ ସବୁ ଜାଣିଛ ନା । ଏବେଠାରୁ ହିଁ ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱରାଜ୍ୟ ଅଧିକାରୀ ହୋଇଯାଅ । ରାଜ୍ୟ ଅଧିକାରୀ ହେଉଥିବା ଆତ୍ମାମାନଙ୍କର ନିକଟତମ ଏବଂ ସହଯୋଗୀ ହେଉଥିବା ଆତ୍ମାମାନେ ସେଠାରେ ମଧ୍ୟ ନିକଟରେ ରହିବେ ଏବଂ ରାଜ୍ୟ ଚଳାଇବାରେ ସହଯୋଗୀ ହେବେ । ଏବେ ସେବାରେ ସହଯୋଗୀ ହେବେ ସତ୍ୟଯୁଗରେ ରାଜ୍ୟ ଚଳାଇବାରେ ସହଯୋଗୀ ହେବେ । ତେଣୁ ଏବେଠାରୁ ଚେକ୍ କର ରାଜା ଅଟ ନା କେବେ ରାଜା କେବେ ପ୍ରଜା ହୋଇଯାଉଛ! କେବେ ଅଧୀନ କେବେ ଅଧିକାରୀ । ସଦାକାଳର ରାଜା ଅଟ ? ତୁମେମାନେ କେତେ ଭାଗ୍ୟବାନ ? ଏପରି ମଧ୍ୟ ଭାବ ନାହିଁ ଯେ ଆମେ ତ ପଛରେ ଆସିଛୁ । ଏକଥା ପଛରେ ଯେଉଁମାନେ ଆସିବେ ସେମାନଙ୍କୁ ଭାବିବାକୁ ପଡିବ । ତୁମେମାନେ ତ ଭଲ ସମୟରେ ପହଞ୍ଚି ଯାଇଛ ତେଣୁ ଭାଗ୍ୟବାନ ଅଟ । ଏପରି ଭାବନାହିଁ ଯେ ଆମେ ତ ପଛରେ ଆସିଛୁ ତେଣୁ ରାଜା ହୋଇପାରିବୁ କି ନାହିଁ! ରାଜ ପରିବାରରେ ଆସିପାରିବୁ କି ନାହିଁ ? ସବୁବେଳେ ଏହି କଥା ଭାବ ଯେ ଆମେ ଆସିବୁ ନାହିଁ ତ ଆଉ କିଏ ଆସିବ ? ଆମକୁ ଆସିବାର ହିଁ ଅଛି । କିଏ ଜାଣେ ଏଭଳି କରିପାରିବି କି ନାହିଁ, କିଏ ଜାଣେ ଏହା ହେବ କି ନାହିଁ..... ଏଭଳି ଭାବ ନାହିଁ । ମୁଁ ଜାଣିଛି ପ୍ରତି କଳ୍ପରେ ମୁଁ ହିଁ କରିଛି, ଏବେ କରୁଛି ଏବଂ ସବୁ କଳ୍ପରେ କରୁଥିବି । ବୁଝିଲ!

କେବେ ବି ଏପରି ଭାବିବ ନାହିଁ ଯେ ଆମେ ତ ବିଦେଶୀ, ଏମାନେ ଦେଶୀ ଅର୍ଥାତ୍ ଭାରତବାସୀ । ଏମାନେ ଇଣ୍ଡିଆନ୍, ଆମେ ଫରେନର । ଆମର ଚଳଣି ଅଲଗା । ଏମାନଙ୍କର ଅଲଗା । ଏହା ତ କେବଳ ପରିଚୟ ପାଇଁ ହିଁ ଡବଲ ବିଦେଶୀ କୁହାଯାଉଛି । ଯେମିତି ଏଠାରେ ମଧ୍ୟ କହୁଛନ୍ତି ଏମାନେ କର୍ଣ୍ଣାଟକବାଲା, ଏମାନେ ୟୁ.ପି. ବାଲା । ସମସ୍ତେ ବ୍ରାହ୍ମଣ ତ ଅଟ ନା । ଚାହେଁ ଭାରତୀୟ ହୋଇଥାଅ, ଚାହେଁ ବିଦେଶୀ ହୋଇଥାଅ, ସମସ୍ତେ ବ୍ରାହ୍ମଣ ଅଟ । ଆମେ ବିଦେଶୀ ଏଭଳି ଭାବିବା ଭୁଲ୍ । ନୂଆ ଜନ୍ମ ନେଇ ନାହିଁ କି ? ପୁରୁଣା ଜନ୍ମ ତ ବିଦେଶରେ ନେଇଥିଲ । ନୂଆ ଜନ୍ମ ତ ବ୍ରହ୍ମାଙ୍କର କୋଳରେ ନେଇଛ ନା । ଏହା ତ କେବଳ ପରିଚୟ ପାଇଁ କୁହାଯାଉଛି । କିନ୍ତୁ ସଂସ୍କାରରେ ବା ବୁଝିବାରେ କେବେ ବି ଅନ୍ତର ଅନୁଭବ କରିବ ନାହିଁ କାରଣ ବ୍ରାହ୍ମଣ ବଂଶର ଅଟ ନା! ଆମେରିକା ବା ଆଫ୍ରିକା ବଂଶର ତ ନୁହେଁ ନା । ସମସ୍ତଙ୍କର ପରିଚୟ କଣ ଦିଆଯାଉଛି ଶିବବଂଶୀ ବ୍ରହ୍ମାକୁମାର କୁମାରୀ । ତେବେ ଗୋଟିଏ ବଂଶର ହୋଇଗଲ ନା । କେବେ ବି ପରିଚୟ ଦେବାରେ ଅନ୍ତର ରଖ ନାହିଁ । ଭାରତୀୟମାନେ ଏଭଳି କରୁଛନ୍ତି, ବିଦେଶୀମାନେ ଏଭଳି କରୁଛନ୍ତି, ନା । ଆମେ ସମସ୍ତେ ସମାନ । ଆମ ସମସ୍ତଙ୍କର ପିତା ଜଣେ, ରାସ୍ତା ଗୋଟିଏ, ପ୍ରଥା-ପରମ୍ପରା ମଧ୍ୟ ଗୋଟିଏ, ସ୍ୱଭାବ-ସଂସ୍କାର ମଧ୍ୟ ଗୋଟିଏ ତେବେ ଦେଶୀ ଏବଂ ବିଦେଶୀର ଅନ୍ତର କେଉଁଠୁ ଆସିଲା ? ନିଜକୁ ବିଦେଶୀ କହିବା ଦ୍ୱାରା ଦୂରେଇ ଯାଉଛ ତେଣୁ ଆମେ ସମସ୍ତେ ବ୍ରହ୍ମାବଂଶୀ ବ୍ରାହ୍ମଣ । ଆମେ ବିଦେଶୀ ବା ଆମେ ଗୁଜୁରାଟୀ ସେଥିପାଇଁ ଏହିଭଳି ହେଉଛି । ନା, ସମସ୍ତେ ଜଣେ ପିତାଙ୍କର ସନ୍ତାନ । ଏହା ହିଁ ତ ଏଠିକାର ବିଶେଷତା ଯାହାକି ଭିନ୍ନ ଭିନ୍ନ ସଂସ୍କାର ମିଶି ଗୋଟିଏ ସଂସ୍କାର ହୋଇଯାଇଛି । ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଭିନ୍ନ ଜାତି-ପାତି ସବୁ କିଛି ସମାପ୍ତ ହୋଇଯାଇଛି । ଜଣଙ୍କର ହୋଇଯାଇଛ ଅର୍ଥାତ୍ ଏକ ହୋଇଯାଇଛ । ବୁଝିଲ! ଆଚ୍ଛା!

ସର୍ବଦା ସନ୍ତୁଷ୍ଟତାର ବିଶେଷତା ସମ୍ପନ୍ନ ବିଶେଷ ଆତ୍ମାମାନଙ୍କୁ, ସର୍ବଦା ସନ୍ତୁଷ୍ଟତା ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସନ୍ତାନମାନଙ୍କୁ, ସର୍ବଦା ରାଜ୍ୟ ଅଧିକାରୀ ତଥା ବିଶ୍ୱରାଜ୍ୟ ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଶ୍ଚୟ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ନମ୍ବରୱାନ ହେଉଥିବା ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ରଦାନ:-
ସାଧନଗୁଡିକୁ ନିର୍ଲେପ ବା ନ୍ୟାରା ହୋଇ କାର୍ଯ୍ୟରେ ଲଗାଉଥିବା ବେହଦର ବୈରାଗୀ ହୁଅ ।

ବେହଦର ବୈରାଗୀ ଅର୍ଥାତ୍ କାହା ସହିତ ବି ମୋହର ଆକର୍ଷଣ ନଥିବ, ସେମାନେ ସର୍ବଦା ବାବାଙ୍କର ପ୍ରିୟ ହୋଇଥିବେ । ଏହିଭଳି ବାବାଙ୍କର ପ୍ରିୟ ହେବା ହିଁ ଅନ୍ୟ ସବୁଠାରୁ ଅଲଗା ହେବା । ଯଦି ବାବାଙ୍କର ପ୍ରିୟ ନୁହେଁ ତେବେ ଅନ୍ୟ ସବୁଥିରୁ ଅଲଗା ମଧ୍ୟ ହୋଇପାରିବ ନାହିଁ ବରଂ ଆକର୍ଷଣରେ ଆକର୍ଷିତ ହୋଇଯିବ । ଯିଏ ବାବାଙ୍କର ପ୍ରିୟ ହୋଇଥିବ ସେ ସମସ୍ତ ଆକର୍ଷଣଠାରୁ ଉର୍ଦ୍ଧ୍ଵରେ ରହୁଥିବ ଅର୍ଥାତ୍ ସବୁଥିରୁ ଅଲଗା ହୋଇଥିବ ଏହାକୁ ହିଁ କୁହାଯାଏ ନିର୍ଲେପ ସ୍ଥିତି ଅର୍ଥାତ୍ ପ୍ରଭାବମୁକ୍ତ ସ୍ଥିତି ଯାହାକି କୌଣସି ପ୍ରକାରର ବିନାଶୀ ଆକର୍ଷଣର ପ୍ରଭାବରେ ପ୍ରଭାବିତ ନୁହେଁ । ଯେଉଁମାନେ ନିଜର ରଚନାକୁ ବା ସାଧନଗୁଡିକୁ ନିର୍ଲେପ ହୋଇ କାର୍ଯ୍ୟରେ ଲଗାଉଛନ୍ତି ସେହି ବେହଦର ବୈରାଗୀ ଆତ୍ମାମାନେ ହିଁ ରାଜଋଷି ଅଟନ୍ତି ।

ସ୍ଲୋଗାନ:-
ଯଦି ହୃଦୟରେ ସତ୍ୟତା ଏବଂ ସ୍ୱଚ୍ଛତା ଥିବ ତେବେ ସାହେବ ଅର୍ଥାତ୍ ବାବା ସନ୍ତୁଷ୍ଟ ହୋଇଯିବେ ।