09.02.20    Avyakt Bapdada     Odia Murli     20.11.85     Om Shanti     Madhuban


ସଂଗମଯୁଗୀ ବ୍ରାହ୍ମଣମାନଙ୍କର ସବୁଠାରୁ ଭିନ୍ନ ଏବଂ ସବୁଠାରୁ ସୁନ୍ଦର ଶ୍ରେଷ୍ଠ ସଂସାର

 


ଆଜି ବ୍ରାହ୍ମଣମାନଙ୍କର ରଚୟିତା ବାବା ନିଜର ଛୋଟିଆ ଅଲୌକିକ ସୁନ୍ଦର ସଂସାରକୁ ଦେଖୁଛନ୍ତି । ବ୍ରାହ୍ମଣମାନଙ୍କର ଏହି ସଂସାର ସତ୍ୟଯୁଗୀ ସଂସାରଠାରୁ ମଧ୍ୟ ଅତି ଭିନ୍ନ ଏବଂ ଅତି ପ୍ରିୟ ଅଟେ । ଏହି ଅଲୌକିକ ସଂସାରର ବ୍ରାହ୍ମଣ ଆତ୍ମାମାନେ କେତେ ଶ୍ରେଷ୍ଠ ଏବଂ ବିଶେଷ ଅଟନ୍ତି । ଦେବତା ସ୍ୱରୂପ ଠାରୁ ମଧ୍ୟ ଏହି ବ୍ରାହ୍ମଣ ସ୍ୱରୂପ ବିଶେଷ ଅଟେ । ଏହି ସଂସାରର ମହିମା ହେଲା ଏହାର ଭିନ୍ନତା ଅର୍ଥାତ୍ ସବୁଠାରୁ ଅଲଗା । ଏହି ସଂସାରର ପ୍ରତ୍ୟେକ ଆତ୍ମା ବିଶେଷ ଅଟନ୍ତି । ପ୍ରତ୍ୟେକ ଆତ୍ମା ହିଁ ସ୍ୱରାଜ୍ୟ ଅଧିକାରୀ ରାଜା । ପ୍ରତ୍ୟେକ ଆତ୍ମା ସ୍ମୃତିର ତିଳକଧାରୀ, ଅବିନାଶୀ ତିଳକଧାରୀ, ସ୍ୱରାଜ୍ୟ ତିଳକଧାରୀ ଏବଂ ପରମାତ୍ମାଙ୍କର ହୃଦୟ ସିଂହାସନର ଅଧିକାରୀ । ତେଣୁ ତୁମେ ସବୁ ଆତ୍ମାମାନେ ଏହି ସୁନ୍ଦର ସଂସାରର ମୁକୁଟ, ସିଂହାସନ ଏବଂ ତିଳକଧାରୀ ଅଟ ? ଏଭଳି ସଂସାର ସାରା କଳ୍ପରେ କେବେ ଶୁଣିଛ ବା ଦେଖିଛ! ଯେଉଁ ସଂସାରର ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କର ଜଣେ ହିଁ ପିତା, ଗୋଟିଏ ହିଁ ପରିବାର, ଗୋଟିଏ ହିଁ ଭାଷା, ଗୋଟିଏ ହିଁ ଜ୍ଞାନ ଏବଂ ସମସ୍ତଙ୍କ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ମଧ୍ୟ ଗୋଟିଏ । ଗୋଟିଏ ପ୍ରକାରର ଦୃଷ୍ଟି, ଗୋଟିଏ ପ୍ରକାରର ବୃତ୍ତି, ଗୋଟିଏ ଧର୍ମ ଏବଂ ଗୋଟିଏ ହିଁ ଈଶ୍ୱରୀୟ କର୍ମ । ଏହା ଏଭଳି ସଂସାର ଯାହାକି ଯେତିକି ଛୋଟିଆ ସେତିକି ସୁନ୍ଦର ମଧ୍ୟ ଅଟେ । ତେଣୁ ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ମନ ଭିତରେ ଏହି ଗୀତ ଗାଉଛ ନା ? ଏହି ସଂଗମଯୁଗୀ ସଂସାରକୁ ଦେଖି ହର୍ଷିତ ହେଉଛ ? କେତେ ପ୍ରିୟ ସଂସାର ତୁମର! ଏହି ସଂସାରର ଦିନଚର୍ଯ୍ୟା ହିଁ ଅଲଗା । ଏଠାରେ ରାଜ୍ୟ ନିଜର, ନିୟମ ନିଜର, ପ୍ରଥା-ପରମ୍ପରା ମଧ୍ୟ ନିଜର ତା ସହିତ ଏଠିକାର ରୀତି ମଧ୍ୟ ଅଲଗା ଏବଂ ପ୍ରୀତୀ ମଧ୍ୟ ଅଲଗା ଏବଂ ସୁନ୍ଦର । ଏହିଭଳି ସଂସାରରେ ରହୁଥିବା ବ୍ରାହ୍ମଣ ଆତ୍ମା ଅଟ ନା! ଏହିଭଳି ସଂସାରରେ ରହୁଛ ନା ? କେବେ କେବେ ଏହି ସଂସାରକୁ ଛାଡି ପୁରୁଣା ସଂସାରକୁ ଚାଲିଯାଉ ନାହିଁ ତ ? ସେଥିପାଇଁ ପୁରୁଣା ସଂସାରର ଲୋକମାନେ ବୁଝିପାରୁ ନାହାଁନ୍ତି ଯେ ଏମାନେ କେଉଁ ପ୍ରକାରର ବ୍ରାହ୍ମଣ ? ଏଭଳି କହୁଛନ୍ତି ନା ବ୍ରହ୍ମାକୁମାରୀ ମାନଙ୍କର ନୀତି ନିୟମ ଏବଂ ଜ୍ଞାନ ସବୁ କିଛି ସ୍ୱତନ୍ତ୍ର ଏବଂ ନିଜର ଅର୍ଥାତ୍ ସବୁଥିରେ ଅଲଗା । ଯେବେକି ତୁମର ସଂସାର ହିଁ ଅଲଗା ତେଣୁ ସବୁ କିଛି ନୂଆ ଏବଂ ଅଲଗା ହିଁ ହେବ ନା । ସମସ୍ତେ ନିଜେ ନିଜକୁ ଦେଖ ଯେ ନୂଆ ସଂସାରର ନୂଆ ସଂକଳ୍ପ, ନୂଆ ଭାଷା, ନୂଆ କର୍ମ ହିସାବରେ ସବୁଥିରେ ଅଲଗା ହେଲିଣି! କୌଣସି ପୁରୁଣା ସ୍ୱଭାବ-ସଂସ୍କାର ରହିଯାଇନି ତ ? ଯଦି ଟିକିଏ ବି ପୁରୁଣା ସ୍ୱଭାବ-ସଂସ୍କାର ଥିବ ତେବେ ତାହା ପୁରୁଣା ଦୁନିଆ ପ୍ରତି ଆକର୍ଷିତ କରାଇଦେବ ଏବଂ ଏତେ ଉଚ୍ଚ ସଂସାରରୁ ନୀଚ ସଂସାରକୁ ଚାଲିଯିବ । ତୁମର ସଂସାର ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ହୋଇଥିବା କାରଣରୁ ସ୍ୱର୍ଗକୁ ଉପରେ ଥିବାର ଦେଖାଇଛନ୍ତି ଏବଂ ନର୍କକୁ ତଳେ ଦେଖାଇଛନ୍ତି । ତେଣୁ ସଂଗମଯୁଗୀ ସ୍ୱର୍ଗ ସତ୍ୟଯୁଗୀ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚ କାରଣ ଏବେ ତୁମେମାନେ ଦୁଇଟିଯାକ ସଂସାରର ଜ୍ଞାନୀ ହୋଇଛ । ଏଠାରେ ବର୍ତ୍ତମାନ ସବୁ କିଛି ଦେଖୁଥିଲେ ମଧ୍ୟ, ଜାଣିଥିଲେ ମଧ୍ୟ ସବୁଥିରୁ ଅଲଗା, ସେଥିପାଇଁ ମଧୁବନକୁ ସ୍ୱର୍ଗ ଭଳି ଅନୁଭବ କରୁଛ । ସମସ୍ତଙ୍କୁ କହୁଛ ନା ଯଦି ସ୍ୱର୍ଗ ଦେଖିବାର ଅଛି ତେବେ ଏବେ ଦେଖ । ସ୍ୱର୍ଗ ଦୁନିଆରେ, କେହି ବି ସ୍ୱର୍ଗର ବର୍ଣ୍ଣନା ବା ମହିମା କରିବେ ନାହିଁ । କିନ୍ତୁ ଏବେ ତୁମେମାନେ ନିଶାରେ କହୁଛ ମୁଁ ସ୍ୱର୍ଗ ଦେଖିଛି ଏବଂ ଚାଲେଞ୍ଜ ମଧ୍ୟ କରୁଛ ଯେ ଯଦି ସ୍ୱର୍ଗ ଦେଖିବାର ଅଛି ତେବେ ଏଠାକୁ ଆସି ଦେଖ । ଏହିଭଳି ବର୍ଣ୍ଣନା କରୁଛ ନା । ପୂର୍ବରୁ ସ୍ୱର୍ଗ ବିଷୟରେ ଭାବୁଥିଲ, ଶୁଣୁଥିଲ ଯେ ସ୍ୱର୍ଗର ପରୀମାନେ ବହୁତ ସୁନ୍ଦର କିନ୍ତୁ କେହି ଦେଖି ନଥିଲ । ସ୍ୱର୍ଗରେ ଏହିଭଳି-ଏହିଭଳି ସବୁ ଥାଏ, ବହୁତ ଶୁଣିଥିଲ କିନ୍ତୁ ବର୍ତ୍ତମାନ ନିଜେ ହିଁ ସ୍ୱର୍ଗ ରୂପକ ସଂସାରରେ ପହଞ୍ଚିଗଲ ଏବଂ ନିଜେ ହିଁ ସ୍ୱର୍ଗ ରୂପକ ସଂସାରରେ ପହଞ୍ଚିଯାଇଛ । ନିଜେ ହିଁ ସ୍ୱର୍ଗର ପରି ହୋଇଗଲ । ଶ୍ୟାମରୁ ସୁନ୍ଦର ଅର୍ଥାତ୍ ଅପବିତ୍ରରୁ ପବିତ୍ର ହୋଇଗଲ ନା । ଡେଣା ମିଳିଗଲା ନା! ଜ୍ଞାନ ଏବଂ ଯୋଗ ରୂପକ ଏତେ ସୁନ୍ଦର ଡେଣା ମିଳିଯାଇଛି ଯାହା ଦ୍ୱାରା ତିନିଟିଯାକ ଦୁନିଆରେ ପରିକ୍ରମା କରିପାରୁଛ । ବୈଜ୍ଞାନିକମାନଙ୍କ ପାଖରେ ମଧ୍ୟ ଏତେ ତୀବ୍ର ଗତିଶୀଳ ଯାନ ନାହିଁ । ତେବେ ସମସ୍ତଙ୍କୁ ଡେଣା ମିଳିଯାଇଛି ନା ? କେତେବେଳେ ଅତିନ୍ଦ୍ରୀୟ ସୁଖର ଝୁଲଣାରେ ଝୁଲୁଛ, କେବେ ଖୁସିର ଝୁଲଣାରେ ଝୁଲୁଛ ତାସହିତ ପରମାତ୍ମାଙ୍କର କୋଳର ଝୁଲଣାରେ ମଧ୍ୟ ଝୁଲୁଛ । ପରମାତ୍ମାଙ୍କର କୋଳରେ ଝୁଲିବା ଅର୍ଥାତ୍ ଯୋଗର ଲବଲୀନ ଅବସ୍ଥାରେ ଝୁଲିବା ବା ମଗ୍ନ ହୋଇଯିବା । ଛୋଟ ପିଲାଟିଏ ଯେପରି ତାର ମା କୋଳରେ ମିଶିଯାଏ ସେହିପରି ତୁମେମାନେ ମଧ୍ୟ ପରମାତ୍ମାଙ୍କ ସ୍ମୃତିରେ ସମାହିତ ହୋଇଯାଉଛ ଅର୍ଥାତ୍ ଲବଲୀନ ହୋଇଯାଉଛ । ଏହି ଅଲୌକିକି କୋଳ ଗୋଟିଏ ସେକେଣ୍ଡରେ ଅନେକ ଜନ୍ମର ଦୁଃଖ-କଷ୍ଟ ଭୁଲାଇ ଦେଉଛି । ଏହିଭଳି ସମସ୍ତେ ଝୁଲଣାରେ ଝୁଲୁଛ ନା!

କେବେ ସ୍ୱପ୍ନରେ ବି ଭାବିଥିଲ ଯେ ଏଭଳି ଏକ ସଂସାରର ଅଧିକାରୀ ହେବୁ ବୋଲି! ବାପଦାଦା ଆଜି ନିଜର ସୁନ୍ଦର ସଂସାରକୁ ଦେଖୁଛନ୍ତି । ଏହି ସଂସାର ତୁମକୁ ପସନ୍ଦ ତ ? ସୁନ୍ଦର ଲାଗୁଛି ? କେତେବେଳେ ଗୋଟିଏ ପାଦ ସେ ସଂସାରରେ, ଗୋଟିଏ ପାଦ ଏହି ଏ ସଂସାରରେ ରଖୁନାହିଁ ତ ? ୬୩ ଜନ୍ମ ତ ସେହି ସଂସାରକୁ ଦେଖିନେଲେ, ଅନୁଭବ କରିନେଲ । କିଛି ମିଳିଲା ? ମିଳିଲା ନା ହରାଇଲ ? ଶାରୀରିକ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ମଧ୍ୟ ହରାଇଲ, ମନର ସୁଖ-ଶାନ୍ତି ମଧ୍ୟ ହରାଇଲ ଏବଂ ଧନ-ସମ୍ପତ୍ତି ମଧ୍ୟ ହରାଇଦେଲ । ତା ସହିତ ସମ୍ବନ୍ଧ ମଧ୍ୟ ହରାଇଲ । ବାବା ତୁମକୁ ଯେଉଁ ସୁନ୍ଦର ଶରୀର ଦେଇଥିଲେ ତାକୁ କେଉଁଠି ହଜାଇଦେଲ ? ଯଦିଓ ଦୁନିଆରେ ବହୁତ ଧନ ଜମା କରୁଛନ୍ତି କିନ୍ତୁ ତାହା ମଧ୍ୟ କଳାଧନ । ସ୍ୱଚ୍ଛ ଧନ କୁଆଡେ ଗଲା ? ଯଦି ବି ଧନ ଅଛି କିନ୍ତୁ ତାହା କେଉଁ କାମକୁ ନୁହେଁ । କହିବାକୁ କୋଟିପତି କିନ୍ତୁ ବାହାରକୁ ଦେଖାଇ ପାରିବେ ? ତେଣୁ ସବୁ କିଛି ହରାଇ ଦେଇଛ । ପୁଣି ବି ଯଦି ତୁମର ବୁଦ୍ଧି ଯାଉଛି ତେବେ କଣ କୁହାଯିବ! ବୁଦ୍ଧିମାନ କୁହାଯିବ ? ସେଥିପାଇଁ ନିଜର ଏହି ଶ୍ରେଷ୍ଠ ସଂସାରକୁ ସଦାସର୍ବଦା ସ୍ମୃତିରେ ରଖ । ଏହି ସଂସାରର ଏହି ଜୀବନର ବିଶେଷତା ଗୁଡିକୁ ସର୍ବଦା ସ୍ମୃତିରେ ରଖି ସମର୍ଥ ହୁଅ । ଯଦି ସର୍ବଦା ସ୍ମୃତି ସ୍ୱରୂପ ଅବସ୍ଥାରେ ରହିବ ତେବେ ଆପେ ଆପେ ନଷ୍ଟୋମୋହା ହୋଇଯିବ । ପୁରୁଣା ଦୁନିଆର କୌଣସି ଜିନିଷ ବୁଦ୍ଧିରେ ସ୍ୱୀକାର କର ନାହିଁ । ସ୍ୱୀକାର କରିବା ଅର୍ଥ ଧୋକା ଖାଇବା ଏବଂ ଧୋକା ଖାଇବା ଅର୍ଥ ଦୁଃଖ ପାଇବା । ତେଣୁ ଏବେ କେଉଁଠି ରହିବ ? ଶ୍ରେଷ୍ଠ ସଂସାରରେ ନା ପୁରୁଣା ସଂସାରରେ ? ସର୍ବଦା ଏହି ଅନ୍ତରକୁ ସ୍ପଷ୍ଟ ରୂପରେ ବୁଦ୍ଧିରେ ଜାଗ୍ରତ କରି ରଖ ଯେ ସେ ଦୁନିଆ କଣ ଏବଂ ଏ ଦୁନିଆ କଣ ? ଆଚ୍ଛା!

ସବୁଠାରୁ ଛୋଟରୁ ଛୋଟ ସଂସାରରେ ରହୁଥିବା ବିଶେଷ ବ୍ରାହ୍ମଣ ଆତ୍ମାମାନଙ୍କୁ, ସଦାସର୍ବଦା ସିଂହାସନ ଅଧିକାରୀ ହୋଇ ରହୁଥିବା ଆତ୍ମାମାନଙ୍କୁ, ସର୍ବଦା ଝୁଲଣାରେ ଝୁଲୁଥିବା ଆତ୍ମାମାନଙ୍କୁ, ସମସ୍ତଙ୍କଠାରୁ ଅଲଗା ଏବଂ ପରମାତ୍ମାଙ୍କର ପ୍ରିୟ ସନ୍ତାନମାନଙ୍କୁ ପରମାତ୍ମା ପିତାଙ୍କର ସ୍ନେହଭରା ସ୍ମୃତି ଏବଂ ନମସ୍କାର ।

ସେବାଧାରୀ ଟିଚର ଭଉଣୀମାନଙ୍କ ସହିତ:- ସେବାଧାରୀ ଅର୍ଥାତ୍ ତ୍ୟାଗୀ ତପସ୍ୱୀ ଆତ୍ମା । ସେବାର ଫଳ ତ ନିଶ୍ଚିତ ପ୍ରାପ୍ତ ହେବ କିନ୍ତୁ ତ୍ୟାଗ ଏବଂ ତପସ୍ୟା ଦ୍ୱାରା ସଦାସର୍ବଦା ଆଗକୁ ଆଗକୁ ବଢିଚାଲିବ । ସର୍ବଦା ନିଜକୁ ବିଶେଷ ଆତ୍ମା ମନେ କରି ବିଶେଷ ସେବାର ପ୍ରମାଣ ଦେବାକୁ ହେବ । ଏହି କଥା ବୁଦ୍ଧିରେ ରଖ ଯେ ମୋର ଲକ୍ଷ୍ୟ ରୂପକ ମୂଳଦୁଆ ଯେତେ ମଜବୁତ ହେବ ସେହି ଅନୁସାରେ ପୁରୁଷାର୍ଥ ରୂପୀ ଭବନ ମଧ୍ୟ ମଜବୁତ ଏବଂ ସୁନ୍ଦର ହେବ । ତେଣୁ ନିଜକୁ ସର୍ବଦା ସେବାଧାରୀ ମନେ କରି ଆଗକୁ ବଢ । ଯେପରି ବାବା ତୁମମାନଙ୍କୁ ବାଛି ବାଛି ବାହାର କରିଛନ୍ତି ସେହିପରି ତୁମେମାନେ ମଧ୍ୟ ପ୍ରଜାମାନଙ୍କୁ ବାହାର କର । ନିଜେ ସର୍ବଦା ନିର୍ବିଘ୍ନ ରହି ସେବାକୁ ମଧ୍ୟ ନିର୍ବିଘ୍ନ କରିଚାଲ । ସେବା ତ ସମସ୍ତେ କରୁଛନ୍ତି କିନ୍ତୁ ସେବା ନିର୍ବିଘ୍ନ ହେବା ଦରକାର, ଏହିଥିରେ ହିଁ ନମ୍ବର ମିଳିବ । ଯେଉଁଠି ବି ରହୁଛ ସେଠାରେ ପ୍ରତ୍ୟେକ ବିଦ୍ୟାର୍ଥୀ ନିର୍ବିଘ୍ନ ରୁହନ୍ତୁ, ବିଘ୍ନର ଲହଡି ନ ଆସୁ । ବାତାବରଣ ଶକ୍ତିଶାଳୀ ହେଉ । ତେବେ ହିଁ କୁହାଯିବ ନିର୍ବିଘ୍ନ ଆତ୍ମା । ଏହିଭଳି ଲକ୍ଷ୍ୟ ରଖ ଯାହାକି ଯୋଗର ବାତାବରଣ ଏଭଳି ରହୁ ଯେପରି ବିଘ୍ନ ଆସିପାରିବ ନାହିଁ । କିଲ୍ଲା ବା ଦୁର୍ଗ ଭିତରକୁ ଯେପରି ଶତ୍ରୁ ଆସି ପାରିନଥାଏ । ସେହିପରି ତୁମେମାନେ ମଧ୍ୟ ତେଣୁ ନିର୍ବିଘ୍ନ ସ୍ଥିତିରେ ରହି ନିର୍ବିଘ୍ନ ସେବାଧାରୀ ହୁଅ । ଆଚ୍ଛା!

ଅଲଗା ଅଲଗା ଗ୍ରୃପ ସହିତ:- ସେବା କର ଏବଂ ସନ୍ତୁଷ୍ଟତା ନିଅ । କେବଳ ସେବା କର ନାହିଁ କିନ୍ତୁ ଏପରି ସେବା କର ଯେଉଁଥିରେ ସନ୍ତୁଷ୍ଟତା ମିଳିବ ଏବଂ ସମସ୍ତଙ୍କଠାରୁ ଆଶୀର୍ବାଦ ମଧ୍ୟ ମିଳିବ । ଏହିଭଳି ଆଶୀର୍ବାଦ ଭରା ସେବା ସହଜରେ ସଫଳତା ପ୍ରାପ୍ତ କରାଇଥାଏ । ସେବା ତ ପୂର୍ବ ଯୋଜନା ଅନୁସାରେ କରିବାକୁ ହିଁ ହେବ ଏବଂ ଖୁବ୍ କର, ଖୁସି-ଉମଙ୍ଗର ସହିତ କର କିନ୍ତୁ ଏକଥା ମଧ୍ୟ ନିଶ୍ଚିତ ଧ୍ୟାନରେ ରଖ ଯେ ସେବା ତ କରିଲି କିନ୍ତୁ ସେଥିରୁ ଆଶୀର୍ବାଦ ମିଳିଲା ତ ? ନା କେବଳ ମେହନତ କରିଲି ? ଯେଉଁଠାରେ ଆଶୀର୍ବାଦ ଥିବ ସେଠାରେ ମେହନତ କରିବାକୁ ପଡିବ ନାହିଁ । ତେବେ ବର୍ତ୍ତମାନ ଏହି ଲକ୍ଷ୍ୟ ରଖ ଯେ ସାରା ଦିନ ଯେଉଁମାନଙ୍କ ସମ୍ପର୍କରେ ଆସୁଛୁ ସେମାନଙ୍କଠାରୁ ଆଶୀର୍ବାଦ ନେବୁ । ଯଦି ବର୍ତ୍ତମାନ ସମସ୍ତଙ୍କଠାରୁ ଆଶୀର୍ବାଦ ନେଇପାରିବ ତେବେ ଅଧାକଳ୍ପ ତୁମମାନଙ୍କର ଜଡ ଚିତ୍ର ମଧ୍ୟ ଆଶୀର୍ବାଦ ଦେବ । ଆଶୀର୍ବାଦ ନେବା ପାଇଁ ତୁମମାନଙ୍କ ମୂର୍ତ୍ତି ବା ଚିତ୍ର ନିକଟକୁ ଯାଉଛନ୍ତି ନା ? ଦେବୀ-ଦେବତାମାନଙ୍କ ନିକଟକୁ ଆଶୀର୍ବାଦ ନେବା ପାଇଁ ଯାଉଛନ୍ତି ନା! ତେବେ ବର୍ତ୍ତମାନ ହିଁ ତୁମେମାନେ ସମସ୍ତଙ୍କର ଆଶୀର୍ବାଦ ଜମା କରୁଛ ସେଥିପାଇଁ ଚିତ୍ର ବା ମୂର୍ତ୍ତି ଦ୍ୱାରା ମଧ୍ୟ ଦେଇପାରୁଛ । ତେଣୁ ପର୍ବପର୍ବାଣୀ ମଧ୍ୟ ପାଳନ କର, କୌଣସି ଅଭିଯାନ କର ବା କୌଣସି ଯାତ୍ରା ବାହାର କର, ଭି.ଆଇ.ପି. ଆଇ.ପିମାନଙ୍କର ସେବା ମଧ୍ୟ କର, ସବୁ କିଛି କର କିନ୍ତୁ ଆଶୀର୍ବାଦ ନେବାର ସେବା କର । ତେବେ ଆଶୀର୍ବାଦ ନେବାର ଆଧାର କଣ ? ହାଁ ଜୀ କରିବା ଅର୍ଥାତ୍ ଆଜ୍ଞାକାରୀ ହେବାର ପାଠକୁ ପକ୍କା କର । କେବେ ବି କାହାକୁ ନା ନା କରି ଶକ୍ତିହୀନ କର ନାହିଁ । ଧରିନିଅ ଯଦି କେହି ଭୁଲ୍ ବି କହୁଛି ବା କରୁଛି ତେବେ ବି ତାକୁ ସିଧାସିଧା ଭୁଲ୍ ବୋଲି କୁହ ନାହିଁ । ପ୍ରଥମେ ତାକୁ ସାହସ ଦିଅ, ଉମଙ୍ଗ-ଉତ୍ସାହ ଦିଅ, ହଁ କରିଦିଅ ପୁଣି ପରେ ବୁଝାଅ ତାହହେଲେ ସେ ବୁଝିଯିବ । ପ୍ରଥମରୁ ଯଦି ନା ନା କହିବ ତେବେ ତା ଭିତରେ ଯାହା ବି ଟିକିଏ ଶକ୍ତି ଥିବ ତାହା ମଧ୍ୟ ସମାପ୍ତ ହୋଇଯିବ । ଭୁଲ୍ ତ ଥାଇପାରେ କିନ୍ତୁ ତୁମେ ଯଦି ପ୍ରଥମରୁ ଭୁଲ୍ ବୋଲି କହିଦେବ ତେବେ ସେ ନିଜକୁ କେବେ ବି ଭୁଲ୍ ବୋଲି ଭାବିବ ନାହିଁ, ସେଥିପାଇଁ ପ୍ରଥମେ ତାକୁ ହଁ କୁହ, ତାର ସାହାସ ବଢାଅ, ତା ପରେ ସେ ନିଜେ ନିଜେ ବିଚାର କରିପାରିବ । ସମସ୍ତଙ୍କୁ ସମ୍ମାନ ଦିଅ । କେବଳ ଏହି ଗୋଟିଏ ବିଧିକୁ ଆପଣାଇ ନିଅ । ଯଦି ବି ଭୁଲ୍ ଅଛି ତେବେ ବି ପ୍ରଥମେ ଭଲ ବୋଲି କୁହ ଯାହାଦ୍ୱାରା ତାର ସାହସ ଆସିଯିବ । ଯଦି କେହି ତଳେ ପଡିଯାଇଥିବ ତେବେ କଣ ତାକୁ ଆଉ ଗୋଟିଏ ଧକ୍କା ମାରିବ ନା ଉଠାଇବ ?... ପ୍ରଥମେ ତାକୁ ସାହାରା ଦେଇ ଛିଡା କରାଅ । ଏହାକୁ କୁହାଯାଏ ଉଦାରତା । ସହଯୋଗୀ ହେଉଥିବା ଆତ୍ମାମାନଙ୍କୁ ସହଯୋଗୀ କରିଚାଲ । ତୁମେ ବି ଆଗରେ ଅଛ ମୁଁ ବି ଆଗରେ ଅଛି । ଏକାଠି ସାଥୀ ହୋଇ ଚାଲ, ହାତରେ ହାତ ମିଳାଇ ଚାଲ ତେବେ ସଫଳତା ମଧ୍ୟ ମିଳିବ ଏବଂ ସନ୍ତୁଷ୍ଟତା ରୂପୀ ଆଶୀର୍ବାଦ ମଧ୍ୟ ମିଳିବ । ଏହିଭଳି ଆଶୀର୍ବାଦ ନେବାରେ ମହାନ ଆତ୍ମା ହୁଅ ତେବେ ସେବାକ୍ଷେତ୍ରରେ ଆପେ ଆପେ ମହାନ ହୋଇଯିବ ।

ସେବାଧାରୀମାନଙ୍କ ସହିତ:- ସେବା କରିବା ସମୟରେ ସର୍ବଦା ନିଜକୁ କର୍ମଯୋଗୀ ସ୍ଥିତିରେ ସ୍ଥିତ ରହିବାର ଅନୁଭବ କରୁଛ ନା କର୍ମ କରିବା ସମୟରେ ଯୋଗ କମ୍ ହୋଇଯାଉଛି ଏବଂ ବୁଦ୍ଧି କର୍ମ ଆଡେ ଅଧିକ ଚାଲିଯାଉଛି! କାହିଁକି ନା ଯୋଗଯୁକ୍ତ ହୋଇ କର୍ମ କରିବା ଦ୍ୱାରା କେବେ ବି କ୍ଲାନ୍ତିର ଅନୁଭବ କରିବ ନାହିଁ । ଯୋଗଯୁକ୍ତ ହୋଇ କର୍ମ କରୁଥିବା ଆତ୍ମା କର୍ମ କରୁଥିବା ସମୟରେ ମଧ୍ୟ ସର୍ବଦା ଖୁସିର ଅନୁଭବ କରୁଥିବେ । ତେଣୁ କର୍ମଯୋଗୀ ହୋଇ ସର୍ବଦା କର୍ମ ଅର୍ଥାତ୍ ସେବା କରୁଛ ନା! କର୍ମଯୋଗର ଅଭ୍ୟାସୀ ଆତ୍ମା ସର୍ବଦା ପ୍ରତିପାଦରେ ନିଜର ବର୍ତ୍ତମାନ ଏବଂ ଭବିଷ୍ୟତକୁ ଶ୍ରେଷ୍ଠ କରିଥାନ୍ତି । ଭବିଷ୍ୟତର ଜମା ଖାତା ମଧ୍ୟ ସର୍ବଦା ଭରପୁର ଥାଏ ଏବଂ ବର୍ତ୍ତମାନ ମଧ୍ୟ ଶ୍ରେଷ୍ଠ ହୋଇଯାଏ । ଏହିଭଳି କର୍ମଯୋଗୀ ହୋଇ ସେବାର ପାର୍ଟ କରୁଛ ? ଭୁଲିଯାଉନ ତ ? ଯେହେତୁ ମଧୁବନରେ ସେବାଧାରୀ ଅଛ ତେବେ ମଧୁବନ ସ୍ୱତଃ ହିଁ ବାବାଙ୍କର ସ୍ମୃତିକୁ ଜାଗ୍ରତ କରିଦେଇଥାଏ । ଏଠାରେ ସର୍ବ ପ୍ରାପ୍ତିରୂପୀ ସମ୍ପତ୍ତି ଜମା କରୁଛ ନା! ସେତିକି ଜମା କରିଛ ତ ଯାହାକି ସଦାସର୍ବଦା ଭରପୁର ରହିବ ? ସଂଗମଯୁଗରେ ଆତ୍ମାରୂପୀ ବ୍ୟାଟେରୀ ସର୍ବଦା ଚାର୍ଜ ରହିଥାଏ । ଦ୍ୱାପରଯୁଗଠାରୁ ବ୍ୟାଟେରୀ ଅଧିକ ଖାଲି ହେବାକୁ ଲାଗେ । ସଂଗମଯୁଗରେ ସର୍ବଦା ଭରପୁର ଏବଂ ସର୍ବଦା ଚାର୍ଜ ରହିଥାଏ । ତେଣୁ ମଧୁବନକୁ କେବଳ ବ୍ୟାଟେରୀ ଚାର୍ଜ କରିବା ପାଇଁ ଆସୁନାହଁ, ଖୁସି ମଉଜ ପାଳନ କରିବା ପାଇଁ ମଧ୍ୟ ଆସୁଛ । ବାବା ଏବଂ ପିଲାମାନଙ୍କ ଭିତରେ ସ୍ନେହ ରହିଛି ସେଥିପାଇଁ ପରସ୍ପର ମିଶିବା, ଜ୍ଞାନ ଶୁଣିବା ଏହା ହିଁ ସଂଗମଯୁଗର ଖୁସି ମଉଜ ପାଳନ କରିବା । ଆଚ୍ଛା!

ଯୁବା ପଦଯାତ୍ରାର ସଫଳତା ପାଇଁ ବାପଦାଦାଙ୍କର ବରଦାନୀ ମହାବାକ୍ୟ:-
ଯୁବା ପ୍ରଭାଗ ତିଆରି କର, ଯାହା ବି କର ସେଥିରୁ ସନ୍ତୁଷ୍ଟତା ମିଳୁ, ସଫଳତା ମିଳୁ । ବାକି ସେବା ପାଇଁ ତ ଜୀବନ ଦେଇଛ । ନିଜର ଉମଙ୍ଗ-ଉତ୍ସାହର ସହିତ ଯଦି କୌଣସି କାର୍ଯ୍ୟ କରୁଛ ତେବେ ସେଥିରେ କୌଣସି ଆପତ୍ତି ନାହିଁ । ଯଦି କୌଣସି କାର୍ଯ୍ୟକ୍ରମ ରଖାଯାଇଛି ତେଣୁ ସେବା ତ କରିବାକୁ ହିଁ ପଡିବ -- ଏହା ପୁଣି ଅଲଗା ରୂପ ହୋଇଗଲା । କିନ୍ତୁ ଯଦି ନିଜର ଉମଙ୍ଗ-ଉତ୍ସାହରେ କରିବାକୁ ଚାହୁଁଛ ତେବେ କୌଣସି ଆପତ୍ତି ନାହିଁ । ଯେଉଁଠାକୁ ବି ଯିବ, ସେଠାରେ ଯାହା ବି ମିଳିବ ବା ଯାହା ସହିତ ବି ମିଶିବ, ଯାହା ବି ଦେଖିବ, ସବୁ କିଛି ସେବା ହିଁ ଅଟେ । କେବଳ କହିବାରେ ସେବା ହୋଇନଥାଏ ବରଂ ତୁମର ଚେହେରା ସର୍ବଦା ହର୍ଷିତ ରହିବା ଦରକାର । ଆତ୍ମ-ଅଭିମାନୀ ଚେହେରା ମଧ୍ୟ ସେବା କରିଥାଏ । ଏହି ଲକ୍ଷ୍ୟ ରଖ ଯେ ଉମଙ୍ଗ-ଉତ୍ସାହର ସହିତ ଖୁସି ଖୁସିରେ ଆତ୍ମିକ ଖୁସିର ଚମକ ଦେଖାଇ ବା ଅନୁଭବ କରାଇ ଆଗକୁ ବଢିବାକୁ ହେବ । କେବଳ କାହାକୁ ଜବରଦସ୍ତି କରିବାର ନାହିଁ । ଯେହେତୁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ତେଣୁ କରିବାକୁ ହିଁ ପଡିବ, ଏଭଳି କୌଣସି କଥା ନାହିଁ । ଯଦି ନିଜର ଉମଙ୍ଗ-ଉତ୍ସାହ ଅଛି ତେବେ କର ତାହା ହେଲେ ବହୁତ ଭଲ କଥା ।

ଯଦି କାହା ଭିତରେ ଉତ୍ସାହ ଆସୁନାହିଁ ତେବେ ବି କୌଣସି ବାଧ୍ୟତା ନାହିଁ । କୌଣସି ଆପତ୍ତି ନାହିଁ । ଏମିତି ବି ତୁମେମାନେ ଆଗାମୀ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପୂର୍ବରୁ ସବୁ ଅଞ୍ଚଳକୁ କଭର କରିବାର ଅର୍ଥାତ୍ ପହଞ୍ଚିବାର ଯେଉଁ ଲକ୍ଷ୍ୟ ରଖିଥିଲ ସେଥିରେ ଯେପରି କିଛି ସେବାଧାରୀ ପାଦଯାତ୍ରା ଦ୍ୱାରା ସଂଗଠିତ ରୂପରେ ଆସିବେ ସେହିପରି ବସ୍ ଦ୍ୱାରା ମଧ୍ୟ କିଛି ସେବାଧାରୀ ଆସନ୍ତୁ । ପ୍ରତ୍ୟେକ ଜୋନ୍ ବା ପ୍ରତ୍ୟେକ ଅଞ୍ଚଳରୁ ବସ୍ ଦ୍ୱାରା ସେବା କରି କରି ଦିଲ୍ଲୀରେ ପହଞ୍ଚିପାରିବ । ତେଣୁ ଦୁଇ ପ୍ରକାରର ସଂଗଠନ ତିଆରି କରିଦିଅ । ଗୋଟିଏ ଗୃପ ବସ୍ ଦ୍ୱାରା ସେବା କରି କରି ଆସନ୍ତୁ ଏବଂ ଅନ୍ୟମାନେ ପଦଯାତ୍ରା ଦ୍ୱାରା ସେବା କରି କରି ଆସନ୍ତୁ । ତେବେ ଡବଲ ହୋଇଯିବ । ଏଭଳି ସେବା କରିପାରିବେ କାରଣ ଯୁବକ/ଯୁବତୀ ଅଟନ୍ତି ନା । ସେମାନଙ୍କୁ ନିଜର ଶକ୍ତିକୁ କେଉଁଠି ନା କେଉଁଠି ତ ଲଗାଇବାକୁ ହିଁ ପଡିବ । ଯଦି ସେବାରେ ନିଜର ଶକ୍ତି ଲାଗିପାରୁଛନ୍ତି ତେବେ ବହୁତ ଭଲ କଥା । ଏଥିରେ ଦୁଇଟି ଯାକ ଲକ୍ଷ୍ୟ ପୂରଣ ହୋଇଯିବ ସେବା ମଧ୍ୟ ହୋଇଯିବ ଏବଂ ଯେହେତୁ ପଦଯାତ୍ରା ନାମ ରଖିଛ ତେଣୁ ତାହା ମଧ୍ୟ ପୂରଣ ହୋଇଯିବ । ପ୍ରତ୍ୟେକ ରାଜ୍ୟବାଲା ଯଦି ପଦଯାତ୍ରୀ ମାନଙ୍କର ଇଣ୍ଟରଭ୍ୟୁ ଅର୍ଥାତ୍ ସାକ୍ଷାତ୍କାର ନେବାର କାର୍ଯ୍ୟକ୍ରମ ରଖିବେ ଯାହାକି ପୂର୍ବରୁ ହିଁ ଧାର୍ଯ୍ୟ କରାଯାଇଥିବ ତେବେ ସ୍ୱତଃ ପ୍ରବୃତ୍ତ ଭାବରେ ପ୍ରଚାର ହୋଇଯିବ । କିନ୍ତୁ ସେଥିରେ ଏହା ନିଶ୍ଚିତ ହେବା ଦରକାର ଯେ ତୁମର ଯାତ୍ରା କେବଳ ଏକ ପଦଯାତ୍ରା ଭଳି ଦେଖାନଯାଉ ବରଂ ଏକ ଆଧ୍ୟାତ୍ମିକ ପଦଯାତ୍ରା ଭଳି ଦେଖାଯାଉ ଅର୍ଥାତ୍ ସେଥିରେ ଆତ୍ମିକ ବୃତ୍ତି ଏବଂ ଆତ୍ମିକ ଖୁସିର ଝଲକ ଦେଖାଯାଉ । ତେବେ ଯାଇ ସମସ୍ତଙ୍କୁ ନବୀନତା ଦେଖାଯିବ । ଯେପରି ଅନ୍ୟମାନଙ୍କର ପଦଯାତ୍ରା ଭଳି ସାଧାରଣ ନ ଲାଗୁ, ଏଭଳି ଅନୁଭବ କରନ୍ତୁ ଯେ ଏମାନେ ଡବଲ ଯାତ୍ରୀ ଅଟନ୍ତି, କେବଳ ପଦଯାତ୍ରା କରୁନାହାଁନ୍ତି ? ଯୋଗର ଯାତ୍ରା ମଧ୍ୟ କରୁଛନ୍ତି । ଯଦି ଡବଳ ଯାତ୍ରାର ପ୍ରଭାବ ତୁମ ଚେହେରାରେ ଦେଖାଯିବ ତେବେ ବହୁତ ଭଲ ହେବ ।

ସାରା ବିଶ୍ୱର ରାଜନେତାମାନଙ୍କ ପ୍ରତି ଅବ୍ୟକ୍ତ ବାପଦାଦାଙ୍କର ମଧୁର ସନ୍ଦେଶ:- ବିଶ୍ୱର ପ୍ରତ୍ୟେକ ରାଜ୍ୟନେତା ନିଜର ଦେଶକୁ ବା ଦେଶବାସୀଙ୍କୁ ପ୍ରଗତି ଆଡକୁ ନେଇଯିବା ପାଇଁ ନିଜର ଶୁଭଭାବନା ବା ଶୁଭକାମନା ସହିତ ନିଜ ନିଜ କାର୍ଯ୍ୟରେ ଲାଗି ରହିଛନ୍ତି । କିନ୍ତୁ ଭାବନା ବହୁତ ଶ୍ରେଷ୍ଠ ହୋଇଥିଲେ ମଧ୍ୟ ତାର ପ୍ରତ୍ୟକ୍ଷ ପ୍ରମାଣ ଯେତିକି ଚାହୁଁଛନ୍ତି ସେତିକି ମିଳିପାରୁନାହିଁ ଏହାର କାରଣ କଣ ? କାହିଁକି ନା ଆଜିର ଜନତା ବା ଅଧିକାଂଶ ନେତାମାନଙ୍କର ଭାବନା ସେବାଭାବ ବା ସ୍ନେହଭାବ ପରିବର୍ତ୍ତେ ସ୍ୱାର୍ଥ ଭାବନା ଏବଂ ଈର୍ଷା ଭାବନାରେ ବଦଳିଗଲାଣି, ସେଥିପାଇଁ ଏହାର ମୂଳଦୁଆକୁ ସମାପ୍ତ କରିବା ପାଇଁ ପ୍ରାକୃତିକ ଶକ୍ତି, ବୈଜ୍ଞାନିକ ଶକ୍ତି, ଦୁନିଆର ଭୌତିକ ଜ୍ଞାନର ଶକ୍ତି, ରାଜ୍ୟ କରିବାର କ୍ଷମତାର ଶକ୍ତି ଆଧାରରେ ତ ନିଜ ନିଜର ଚେଷ୍ଟା ତ କରିଆସୁଛନ୍ତି କିନ୍ତୁ ଏହାର ବାସ୍ତବିକ ଆଧାର ହେଉଛି ଆଧ୍ୟାତ୍ମିକ ଶକ୍ତି, ଯାହାଦ୍ୱାରା ମନର ଭାବନା ସହଜରେ ପରିବର୍ତ୍ତନ ହୋଇପାରିବ । କିନ୍ତୁ ସେଥିପ୍ରତି ସମସ୍ତଙ୍କର ଧ୍ୟାନ କମ ରହିଛି ସେଥିପାଇଁ ବଦଳି ଯାଇଥିବା ଭାବନାର ବୀଜ ସମାପ୍ତ ହେଉନାହିଁ ଅଳ୍ପ ସମୟ ପାଇଁ ଦବି ଯାଉଛି । ପୁଣି ସମୟ ଅନୁସାରେ ଆହୁରି ଅଧିକ ଉଗ୍ର ରୂପରେ ପ୍ରତ୍ୟକ୍ଷ ହୋଇଯାଉଛି । ସେଥିପାଇଁ ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଏହି ସନ୍ଦେଶ ଦେଉଛନ୍ତି ଯେ ସର୍ବଦା ନିଜକୁ ଆତ୍ମା ମନେ କରି, ଆତ୍ମିକ ପିତାଙ୍କ ସହିତ ସମ୍ବନ୍ଧ ଯୋଡି ତାଙ୍କଠାରୁ ଆତ୍ମିକ ଶକ୍ତି ଗ୍ରହଣ କରି ନିଜର ମନର ନେତା ହୁଅ, ତେବେ ଯାଇ ପ୍ରକୃତ ରାଜନେତା ହୋଇ ଅନ୍ୟମାନଙ୍କର ମନର ଭାବନାକୁ ମଧ୍ୟ ପରିବର୍ତ୍ତନ କରିପାରିବ । ତୁମମାନଙ୍କର ମନର ସଂକଳ୍ପ ଏବଂ ଜନତାଙ୍କର ବାସ୍ତବିକ କର୍ମ ଏକାଭଳି ହୋଇଯିବ । ଉଭୟଙ୍କର ସହଯୋଗ ଦ୍ୱାରା ସଫଳତାର ପ୍ରତ୍ୟକ୍ଷ ପ୍ରମାଣ ଅନୁଭବ ହେବ । ତେବେ ମନେ ରଖ ଯେ ନିଜ ଉପରେ ଶାସନ କରୁଥିବା ଅଧିକାରୀ ହିଁ ଯୋଗ୍ୟ ରାଜନେତା ହୋଇପାରିବ ନା ରାଜ୍ୟକୁ ଶାସନ କରିବାର ଅଧିକାରୀ ହୋଇପାରିବ ଏବଂ ସ୍ୱରାଜ୍ୟ ତୁମମାନଙ୍କର ଆତ୍ମିକ ପିତାଙ୍କଠାରୁ ପ୍ରାପ୍ତ ହେଉଥିବା ଈଶ୍ୱରୀୟ ଜନ୍ମ ସିଦ୍ଧ ଅଧିକାର । ଏହି ଜନ୍ମସିଦ୍ଧ ଅଧିକାରର ଶକ୍ତି ଦ୍ୱାରା ସଦାସର୍ବଦା ସତ୍ମାର୍ଗରେ ଚାଲିବାର ଶକ୍ତି ମଧ୍ୟ ଅନୁଭବ କରିବ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବ ।

ରଦାନ:-
ସଂଗଠନ ଭିତରେ ରହି ନିଜର ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରି ସର୍ବଦା ଶକ୍ତିଶାଳୀ ଆତ୍ମା ହୁଅ ।

ସଂଗଠନ ଭିତରେ ପରସ୍ପରକୁ ଦେଖି ଉମଙ୍ଗ-ଉତ୍ସାହ ମଧ୍ୟ ଆସିଥାଏ ଏବଂ ଆଳସ୍ୟ-ଅବହେଳା ପଣିଆ ମଧ୍ୟ ଆସିଥାଏ । ଭାବନ୍ତି ଇଏ ତ ଏମିତି କରୁଛି, ମୁଁ କରିଲେ କଣ ହେଲା, ସେଥିପାଇଁ ସଂଗଠନ ଠାରୁ ଶ୍ରେଷ୍ଠ ହେବାର ସହଯୋଗ ନିଅ । ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଏହି କଥା ପ୍ରତି ବିଶେଷ ଲକ୍ଷ୍ୟ ରଖ ବା ଧ୍ୟାନ ଦିଅ ଯେ ମୋତେ ନିଜକୁ ସମ୍ପନ୍ନ କରି ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ହେବାକୁ ପଡିବ । ମୁଁ ନିଜେ କରିବି ଏବଂ ଅନ୍ୟମାନଙ୍କୁ କରାଇବି ଏବଂ ବାରମ୍ବାର ନିଜର ଏହି ଲକ୍ଷ୍ୟକୁ ମନ ଭିତରେ ଜାଗ୍ରତ କର । ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରିଚାଲ ତେବେ ଶକ୍ତିଶାଳୀ ହୋଇଯିବ ।

ସ୍ଲୋଗାନ:-
ଶେଷ ସମୟରେ ଯଦି ତୀବ୍ର ବେଗରେ ଆଗକୁ ବଢିବାକୁ ଚାହୁଁଛ ତେବେ ସାଧାରଣ ଏବଂ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ କର ନାହିଁ ।