10.11.19    Avyakt Bapdada     Odia Murli     06.03.85     Om Shanti     Madhuban


ସଂଗମଯୁଗ ଉତ୍ସବ ପାଳନ କରିବାର ଯୁଗ, ବ୍ରାହ୍ମଣ ଜୀବନ ଉତ୍ସାହିତ ଅବସ୍ଥାରେ ରହିବାର ଜୀବନ ।


 


ଆଜି ହୋଲୀଏଷ୍ଟ, ହାଇଏଷ୍ଟ ଅର୍ଥାତ୍ ପରମପବିତ୍ର ଏବଂ ସର୍ବଶ୍ରେଷ୍ଠ ପିତା ନିଜର ହୋଲୀ ହ୍ୟାପୀ ଅର୍ଥାତ୍ ପବିତ୍ର ଏବଂ ସୁଖୀ ହଂସ ସମାନ ପିଲାମାନଙ୍କ ସହିତ ହୋଲୀ ପର୍ବ ପାଳନ କରିବା ପାଇଁ ଆସିଛନ୍ତି । ତ୍ରିମୂର୍ତ୍ତି ପିତା ଆଜି ତିନି ପ୍ରକାରର ହୋଲୀର ଦିବ୍ୟ ରହସ୍ୟ ଶୁଣାଇବା ପାଇଁ ମଧ୍ୟ ଆସିଛନ୍ତି । ଏମିତି ବି ସଂଗମଯୁଗ ହୋଲୀ ଅର୍ଥାତ୍ ପବିତ୍ର ଯୁଗ ଅଟେ ଏବଂ ଉତ୍ସବ ପାଳନ କରିବାର ଯୁଗ ମଧ୍ୟ ଅଟେ । ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କର ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତ ଉତ୍ସାହଭରା ଉତ୍ସବ ଅଟେ । ଅଜ୍ଞାନୀ ଆତ୍ମାମାନେ ନିଜକୁ ଉତ୍ସାହିତ କରିବା ପାଇଁ ଉତ୍ସବ ପାଳନ କରିଥାନ୍ତି, କିନ୍ତୁ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କ ପାଇଁ ଏହି ବ୍ରାହ୍ମଣ ଜୀବନ, ଉତ୍ସାହପୂର୍ଣ୍ଣ ଜୀବନ, ଉମଙ୍ଗ ଏବଂ ଖୁସିରେ ଭରପୁର ରହୁଥିବା ଜୀବନ ସେଥିପାଇଁ ହିଁ ସଂଗମଯୁଗକୁ ଉତ୍ସବର ଯୁଗ କୁହାଯାଉଛି । ତୁମର ଏହି ଈଶ୍ୱରୀୟ ଜୀବନ ସର୍ବଦା ଉମଙ୍ଗ ଉତ୍ସାହରେ ରହିବାର ଜୀବନ, ଯେଉଁ ସମୟରେ ତୁମେମାନେ ସର୍ବଦା ଖୁସିରେ ନାଚି ନାଚି, ଶକ୍ତିଶାଳୀ ଜ୍ଞାନ ଅମୃତ ପାନ କରି ସୁଖର ଗୀତ ଗାଇ ଗାଇ, ଆନ୍ତରିକ ସ୍ନେହର ଗୀତ ଗାଇ ଗାଇ, ନିଜର ଶ୍ରେଷ୍ଠ ଜୀବନ ବିତାଉଛ । ଅଜ୍ଞାନୀ ଆତ୍ମାମାନେ ଗୋଟିଏ ଦିନ ଉତ୍ସବ ପାଳନ କରିଥାନ୍ତି ଏବଂ ଅଳ୍ପ ସମୟ ପାଇଁ ଉତ୍ସାହିତ ହୋଇଯାଆନ୍ତି ପୁଣି ଯେମିତିକୁ ସେମିତି ହୋଇଯାଆନ୍ତି କିନ୍ତୁ ତୁମେମାନେ ଉତ୍ସବ ପାଳନ କରିବା ସହିତ ନିଜେ ମଧ୍ୟ ହୋଲୀ ଅର୍ଥାତ୍ ପବିତ୍ର ହୋଇଯାଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିଦେଉଛ । ସେମାନେ କେବଳ ଉତ୍ସବ ପାଳନ କରୁଛନ୍ତି କିନ୍ତୁ ତୁମେମାନେ ହୋଲୀ ପର୍ବ ପାଳନ କରିବା ସହିତ ନିଜେ ମଧ୍ୟ ହୋଲୀ ହୋଇଯାଉଛ । ତେବେ ଲୋକମାନେ ତିନି ପ୍ରକାରର ହୋଲୀ ପାଳନ କରୁଛନ୍ତି - ଗୋଟିଏ ହେଲା ଜଳାଇବାର ହୋଲୀ, ଦ୍ୱିତୀୟରେ ରଙ୍ଗ ଲଗାଇବାର ହୋଲୀ, ତୃତୀୟରେ ମଙ୍ଗଳ ମିଳନ କରିବାର ହୋଲୀ । ଯେବେକି ଏହି ତିନି ପ୍ରକାରର ହୋଲୀର ଅଲଗା ଅଲଗା ଆଧ୍ୟାତ୍ମିକ ରହସ୍ୟ ରହିଛି କିନ୍ତୁ ଦୁନିଆର ଲୋକମାନେ ଏହାକୁ ସ୍ଥୂଳ ରୂପରେ ପାଳନ କରିଚାଲିଛନ୍ତି । ଏହି ସଂଗମ ଯୁଗରେ ତୁମେ ମହାନ ଆତ୍ମାମାନେ ଯେତେବେଳେ ବାବାଙ୍କର ହେଉଛ ଅର୍ଥାତ୍ ହୋଲୀ ହେଉଛ ସେତେବେଳେ ପ୍ରଥମେ କଣ କରୁଛ ? ପ୍ରଥମେ ସମସ୍ତ ସ୍ୱଭାବ ସଂସ୍କାରକୁ ଯୋଗ ଅଗ୍ନିରେ ଭସ୍ମ କରୁଛ ଅର୍ଥାତ୍ ଜଳାଉଛ । ତାହା ପରେ ବାବାଙ୍କୁ ମନେ ପକାଇବା ଦ୍ୱାରା ବାବାଙ୍କର ସଂଗର ରଙ୍ଗ ଲାଗୁଛି, ତେଣୁ ତୁମେମାନେ ମଧ୍ୟ ପ୍ରଥମେ ଜଳାଇବାର ହୋଲୀ ପାଳନ କରୁଛ, ତାପରେ ପ୍ରଭୁ ସଂଗର ରଙ୍ଗରେ ରଞ୍ଜିତ ହୋଇଯାଉଛ ଅର୍ଥାତ୍ ବାବାଙ୍କ ସମାନ ହୋଇଯାଉଛ । ବାବା ଜ୍ଞାନର ସାଗର ହେଲେ ପିଲାମାନେ ମଧ୍ୟ ବାବାଙ୍କର ସଂଗର ରଙ୍ଗରେ ଜ୍ଞାନ ସ୍ୱରୂପ ହୋଇଯାଉଛନ୍ତି । ଯାହା ବାବାଙ୍କର ଗୁଣ ତାହା ତୁମମାନଙ୍କର ଗୁଣ ହୋଇଯାଉଛି, ଯାହା ବାବାଙ୍କର ଶକ୍ତି ତାହା ତୁମମାନଙ୍କର ସମ୍ପତ୍ତି ହୋଇଯାଉଛି । ତେବେ ସଂଗର ରଂଗ ଏଭଳି ଅବିନାଶୀ ଭାବରେ ଲାଗିଯାଉଛି ଯାହାକି ଜନ୍ମ ଜନ୍ମାନ୍ତର ପାଇଁ ଏହି ରଂଗ ଅବିନାଶୀ ହୋଇଯାଉଛି ଏବଂ ଯେତେବେଳେ ଏହିଭଳି ସଂଗର ରଂଗ ଲାଗିଯାଉଛି, ଏହିଭଳି ଆତ୍ମିକ ରଂଗର ହୋଲୀ ପାଳନ କରିଦେଉଛ ସେତେବେଳ ଠାରୁ ଆତ୍ମା ଏବଂ ପରମାତ୍ମାଙ୍କ ବା ପିତା ଏବଂ ସନ୍ତାନମାନଙ୍କର ଶ୍ରେଷ୍ଠ ମିଳନର ମେଳା ସଦାସର୍ବଦା ହୋଇଚାଲିଛି । ଅଜ୍ଞାନୀ ଆତ୍ମାମାନେ ତୁମମାନଙ୍କର ଏହି ଆତ୍ମିକ ହୋଲୀ ପର୍ବକୁ ହିଁ ସ୍ମାରକୀ ରୂପରେ ପାଳନ କରିବା ଆରମ୍ଭ କରିଛନ୍ତି । ତୁମମାନଙ୍କର ବାସ୍ତବିକ ଉତ୍ସାହଭରା ଜୀବନର ଭିନ୍ନ ଭିନ୍ନ ରୂପରେ ସ୍ମାରକୀ ପାଳନ କରି ଅଳ୍ପ କାଳ ପାଇଁ ଖୁସି ହୋଇଯାଉଛନ୍ତି । ତୁମମାନଙ୍କର ଶ୍ରେଷ୍ଠ ଜୀବନର ପ୍ରତି ପଦକ୍ଷେପରେ ଯେଉଁ ସବୁ ବିଶେଷତା ଗୁଡିକ ପ୍ରାପ୍ତ ହେଉଛି ସେଗୁଡିକୁ ମନେ ପକାଇ ଅଳ୍ପ ସମୟ ପାଇଁ ସେହିଭଳି ମଉଜ ପାଳନ କରିଚାଲିଛନ୍ତି । ତେବେ ନିଜର ଏହି ସ୍ମାରକୀକୁ ଦେଖି ବା ଶୁଣି ତୁମେମାନେ ହର୍ଷିତ ହେଉଛ ନା ଯେ ଏସବୁ ତ ଆମମାନଙ୍କର ବିଶେଷତା ଗୁଡିକର ସ୍ମାରକୀ ଅଟେ! ତୁମେମାନେ ମାୟାକୁ ଜଳାଉଛ ଏବଂ ସେମାନେ ହୋଲୀକା ରାକ୍ଷସୀର ମୂର୍ତ୍ତି ତିଆରି କରି ଜଳାଇ ଦେଉଛନ୍ତି । ସେଥିରେ ମଧ୍ୟ କେତେ ମନୋରଞ୍ଜନକାରୀ କାହାଣୀ ସବୁ ଯୋଡି ଦେଇଛନ୍ତି । ଯାହାକୁ ଶୁଣି ତୁମକୁ ମଧ୍ୟ ହସ ଲାଗିବ ଯେ ଆମମାନଙ୍କର ବାସ୍ତବିକ ଜୀବନ କାହାଣୀକୁ କିଭଳି କରିଦେଇଛନ୍ତି! ହୋଲୀ ଉତ୍ସବକୁ ତୁମେମାନଙ୍କର ଭିନ୍ନ ଭିନ୍ନ ପ୍ରାପ୍ତିର ସ୍ମୃତି ରୂପରେ ପାଳନ କରୁଛନ୍ତି । ବର୍ତ୍ତମାନ ତୁମେମାନେ ସଦାସର୍ବଦା ଖୁସିରେ ରହୁଛ, ଏହି ଖୁସିର ପ୍ରାପ୍ତିର ସ୍ମାରକୀ ଭାବରେ ସେମାନେ ବହୁତ ଖୁସି ମନରେ ହୋଲୀ ପର୍ବ ପାଳନ କରୁଛନ୍ତି । ସେହି ସମୟରେ ସବୁ ଦୁଃଖ ଅଶାନ୍ତିକୁ ଭୁଲିଯାଉଛନ୍ତି, ଯେହେତୁ ତୁମେମାନେ ସବୁଦିନ ପାଇଁ ସବୁ ଦୁଃଖ ଭୁଲିଯାଇଛ ସେଥିପାଇଁ ସେମାନେ ମଧ୍ୟ ତୁମର ସୁଖର ପ୍ରାପ୍ତିର ସ୍ମାରକୀ ପାଳନ କରୁଛନ୍ତି ।

ଆହୁରି ମଧ୍ୟ ହୋଲୀ ପର୍ବ ପାଳନ କରିବା ସମୟରେ ଛୋଟ ବଡ ସମସ୍ତେ ବହୁତ ବହୁତ ହାଲୁକା ଅର୍ଥାତ୍ ନିଶ୍ଚିନ୍ତ ହୋଇ ନିଶ୍ଚିନ୍ତ ଅବସ୍ଥାରେ ପାଳନ କରିଥାନ୍ତି । ସେହିଦିନ ପାଇଁ ସମସ୍ତଙ୍କର ମୁଡ୍ ମଧ୍ୟ ବହୁତ ହାଲୁକା ରହିଥାଏ । ତେବେ ଏହା ମଧ୍ୟ ତୁମମାନଙ୍କର ଡବଲ ଲାଇଟ୍ ସ୍ଥିତିରେ ରହିବାର ସ୍ମାରକୀ ଅଟେ । ଯେତେବେଳେ ତୁମେମାନେ ପ୍ରଭୁଙ୍କର ସଂଗର ରଂଗରେ ରଞ୍ଜିତ ହୋଇଯାଉଛ ସେତେବେଳେ ଡବଲ ଲାଇଟ୍ ହୋଇଯାଉଛ ନା । ତେବେ ଏହା ମଧ୍ୟ ଏହି ବିଶେଷତାର ସ୍ମାରକୀ ଅଟେ । ଆହୁରି ମଧ୍ୟ ସେହି ଦିନ ଛୋଟ ହୋଇଥାନ୍ତୁ ବା ବଡ ସମସ୍ତେ ସମାନ ସ୍ୱଭାବରେ ରହିଥାଆନ୍ତି । ଛୋଟିଆ ନାତି ପିଲାଟି ମଧ୍ୟ ଜେଜେ ବାପକୁ ରଂଗ ଲଗାଇ ଦେଇଥାଏ ଅର୍ଥାତ୍ ସବୁ ପ୍ରକାରର ସମ୍ବନ୍ଧର, ଆୟୁଷର ସ୍ମୃତିକୁ ଭୁଲିଯାଆନ୍ତି, ସମାନ ଭାବନାରେ ଆସିଯାଆନ୍ତି । ଏହା ମଧ୍ୟ ତୁମମାନଙ୍କର ବିଶେଷ ସମାନ ଭାବନା ଅର୍ଥାତ୍ ଭାଇ ଭାଇର ସ୍ଥିତି ଅର୍ଥାତ୍ କୌଣସି ବି ଦୈହିକ ସମ୍ବନ୍ଧର ଦୃଷ୍ଟି ନଥିବା କେବଳ ଭାଇ ଭାଇର ସମାନ ସ୍ଥିତିର ସ୍ମାରକୀ ଅଟେ ।

ଆଉ ଗୋଟିଏ କଥା ହେଲା ଏହି ଦିନରେ ଭିନ୍ନ ଭିନ୍ନ ରଂଗରେ ପିଚ୍କାରୀ ଭରୀ ପରସ୍ପରକୁ ଖୁବ୍ ରଙ୍ଗ କରିଥାଆନ୍ତି । ଏହା ମଧ୍ୟ ଏହି ସମୟର ତୁମମାନଙ୍କର ସେବାର ସ୍କାରକୀ । କୌଣସି ବି ଆତ୍ମାକୁ ତୁମେମାନେ ଦୃଷ୍ଟିର ପିଚ୍କାରୀ ଦ୍ୱାରା ପ୍ରେମ ସ୍ୱରୂପ କରିବାର ରଂଗ, ଆନନ୍ଦ ସ୍ୱରୂପ କରିବାର ରଂଗ, ସୁଖର, ଶାନ୍ତିର, ଶକ୍ତି ଗୁଡିକର କେତେ ସବୁ ରଙ୍ଗ ଲଗାଉଛ । ଏଭଳି ରଙ୍ଗ ଲଗାଉଛ ଯେପରି ସବୁ ଦିନ ପାଇଁ ଲାଗି ରହିଥିବ । ଯାହାକୁ ଲିଭାଇବାକୁ ପଡିବ ନାହିଁ । ମେହନତ ମଧ୍ୟ କରିବା ପାଇଁ ପଡିବ ନାହିଁ ବରଂ ଆତ୍ମା ସବୁ ଦିନ ପାଇଁ ଏହି ରଂଗରେ ରଞ୍ଜିତ ହୋଇ ରହିବା ପାଇଁ ଚାହିଁବ ତେଣୁ ସମସ୍ତଙ୍କ ନିକଟରେ ଏହି ଆତ୍ମିକ ରଂଗର, ଆତ୍ମିକ ଦୃଷ୍ଟିର ପିଚକାରୀ ଅଛି ନା! ଏଭଳି ହୋଲୀ ଖେଳୁଛ ନା! ଏହି ଆତ୍ମିକ ହୋଲୀ ତୁମମାନଙ୍କର ଜୀବନର ହିଁ ସ୍ମାରକୀ । ତେବେ ଏହିଭଳି ଭାବରେ ବାପଦାଦାଙ୍କ ସହିତ ମଙ୍ଗଳ ମିଳନ ମଧ୍ୟ କରୁଛ, ଯାହାକି ମିଳନ କରି କରି ବାବାଙ୍କ ସମାନ ହୋଇଯାଉଛ । ଏଭଳି ମଙ୍ଗଳ ମିଳନ କରୁଛ ଯାହା ଦ୍ୱାରା ବାବାଙ୍କ ସହିତ ସର୍ବଦା ଯୁଗଳ ହୋଇ ରହିପାରିବ । କେହି ବି ଅଲଗା କରିପାରିବ ନାହିଁ ।

ଆହୁରି ମଧ୍ୟ - ଏହି ଦିନଟି ସମସ୍ତ ବିତିଯାଇଥିବା କଥାକୁ ଭୁଲାଇବାର ଦିନ । ତୁମେମାନେ ଏବେ ୬୩ ଜନ୍ମର ବିତିଯାଇଥିବା କଥାକୁ ଭୁଲିଯାଉଛ ନା । ବିତିକୁ ବିନ୍ଦୁ ଲଗାଇ ଦେଉଛ ସେଥିପାଇଁ ହୋଲୀ ଅର୍ଥାତ୍ ବିତି କଥାକୁ ବିତି କରିବା ମଧ୍ୟ କହିଥାନ୍ତି । କିପରି ବି କଡା ଶତ୍ରୁତାକୁ ଭୁଲି ପରସ୍ପର ମିଳନ କରିବାର ଦିନ ମଧ୍ୟ କହିଥାନ୍ତି । କାରଣ ତୁମେମାନେ ମଧ୍ୟ ନିଜର ଆତ୍ମାର ଶତ୍ରୁ ଆସୁରୀ ସଂସ୍କାର ଏବଂ ଆସୁରୀ ସ୍ୱଭାବକୁ ପ୍ରଭୁ ମିଳନ କରୁଛ ନା! ଭାବୁଛ ସଂକଳ୍ପ ମାତ୍ରରେ ମଧ୍ୟ ପୁରୁଣା ସଂସ୍କାର ସ୍ମୃତିରେ ନ ଆସୁ । ସେମାନେ ମଧ୍ୟ ତୁମମାନଙ୍କର ଏହିଭଳି ଭୁଲିଯିବାର ବିଶେଷତାର ସ୍କାରକୀକୁ ପାଳନ କରୁଛନ୍ତି । ଏବେ ଶୁଣିଲ! ତୁମମାନଙ୍କର କେତେ ସବୁ ବିଶେଷତା ରହିଛି ? ତେଣୁ ସେମାନେ ତୁମର ପ୍ରତ୍ୟେକ ଗୁଣର, ପ୍ରତ୍ୟେକ ବିଶେଷତାର, କର୍ମର ଅଲଗା ଅଲଗା ସ୍ମାରକୀ ସବୁ ତିଆରି କରିଦେଇଛନ୍ତି । ଯେଉଁମାନଙ୍କର ପ୍ରତ୍ୟେକ କର୍ମ ସ୍ମାରକୀ ହେଉଥିବ, ଯାହାକୁ ମନେ ପକାଇ ସମସ୍ତେ ଖୁସି ହୋଇଯାଉଥିବେ, ତେବେ ସେ ନିଜେ କେତେ ମହାନ ହୋଇଥିବେ ? ଏବେ ନିଜକୁ ବୁଝିପାରିଲ ତୁମେ କିଏ ? ହୋଲୀ ଅର୍ଥାତ୍ ପବିତ୍ର ତ ଅଟ କିନ୍ତୁ କେତେ ବିଶେଷ ଆତ୍ମା ମଧ୍ୟ ଅଟ!

ଡବଲ ବିଦେଶୀମାନେ ଯଦିଓ ନିଜର ଏହି ଶ୍ରେଷ୍ଠତାର ସ୍ମାରକୀକୁ ଜାଣି ନଥାଇ ପାରନ୍ତି କିନ୍ତୁ ତୁମମାନଙ୍କର ମନେ ପକାଇାର ମହତ୍ୱକୁ ଦୁନିଆର ଲୋକମାନେ ମନେ ପକାଇ ତାହାର ସ୍ମାରକୀ ଭାବରେ ଉତ୍ସବ ପାଳନ କରୁଛନ୍ତି । ଏବେ ବୁଝିଲ ହୋଲୀ ପର୍ବଟି କଣ ? ତୁମେ ସବୁ ତ ବାବାଙ୍କର ସଂଗର ରଙ୍ଗରେ ରଙ୍ଗୀନ ହୋଇଯାଇଛ । ଏଭଳି ପ୍ରେମର ରଙ୍ଗରେ ରଙ୍ଗୀନ ହୋଇଯାଇଛ ଯାହାକି କେବଳ ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉନାହିଁ । ସ୍ନେହରେ ହିଁ ଖାଉଛ, ପିଉଛ, ଚାଲୁଛ, ଗାଉଛ, ନାଚିବାରେ ଲାଗିଛ । ତେବେ ପକ୍କା ରଙ୍ଗ ଲାଗିଛି ନା କଞ୍ଚା ରଂଗ ଲାଗିଛି ? କିଭଳି ରଂଗ ଲାଗିଛି - କଞ୍ଚା ନା ପକ୍କା ? ବିତିକୁ ବିତି କରିଦେଇଛ ? ତେଣୁ ଭୁଲରେ ମଧ୍ୟ ପୁରୁଣା କଥା ମନେ ନପଡୁ । କହୁଛ ନା କଣ କରିବି ମନେ ପଡିଗଲା । ତେବେ ଏହା ଭୁଲରେ ଆସିଯାଉଛି । ନୂଆ ଜନ୍ମ, ନୂଆ କଥା, ନୂଆ ସଂସ୍କାର, ନୂଆ ଦୁନିଆ ଏବଂ ବ୍ରାହ୍ମଣମାନଙ୍କର ଏହି ସଂସାର ମଧ୍ୟ ନୂଆ । ବ୍ରାହ୍ମଣମାନଙ୍କର ଭାଷା ମଧ୍ୟ ନୂଆ, ଆତ୍ମାର ଭାଷା ମଧ୍ୟ ନୂଆ ଅଟେ ନା! ସେମାନେ କଣ କହୁଛନ୍ତି ଏବଂ ତୁମେମାନେ କଣ କହୁଛ! ପରମାତ୍ମାଙ୍କ ପାଇଁ ମଧ୍ୟ ନୂଆ କଥା କହୁଛ । ତେଣୁ ଭାଷା ବି ନୂଆ, ପ୍ରଥା-ପରମ୍ପରା ମଧ୍ୟ ନୂଆ, ସମ୍ପନ୍ଧ-ସମ୍ପର୍କ ମଧ୍ୟ ନୂଆ, ସବୁ କିଛି ନୂଆ ହୋଇଯାଇଛି । ପୁରୁଣା ସମାପ୍ତ ହୋଇଯାଇଛି । ନୂଆ ଆରମ୍ଭ ହୋଇଯାଇଛି । ଏବେ ତୁମେ ନୂଆ ଗୀତ ଗାଉଛ, ପୁରୁଣା ନୁହେଁ । କଣ, କାହିଁକି କିପରି କହିବା ହିଁ ପୁରୁଣା ଗୀତ ଗାଇବା । ଆହା! ବାଃ, ଓହୋ! ଏହା ହେଉଛି ନୂଆ ଗୀତ । ତେଣୁ ତୁମେମାନେ କେଉଁ ଗୀତ ଗାଉଛ ? ହାଏ, ହାଏର ଗୀତ ତ ଗାଉ ନାହଁ ନା! ହାଏ, ହାଏ କରିବା ପାଇଁ ଦୁନିଆର ବହୁତ ଅଛନ୍ତି, ତୁମେ ନୁହେଁ । ତେଣୁ ଅବିନାଶୀ ହୋଲୀ ପାଳନ କରିନେଲ ଅର୍ଥାତ୍ ବିତିକୁ ବିତି କରି ସମ୍ପୂର୍ଣ୍ଣ ପବିତ୍ର ହୋଇଗଲ । ଏବେ ବାବାଙ୍କର ସଂଗର ରଂଗରେ ରଞ୍ଜିତ ହୋଇଯାଇଛ, ତେଣୁ ହୋଲୀ ପାଳନ କରିଦେଲ ନା!

ସର୍ବଦା ବାବା ଏବଂ ମୁଁ ଏକାଠି ଅଛୁ ଏବଂ ସାରା ସଂଗମଯୁଗ ହିଁ ଏକାଠି ରହିବୁ । ଅଲଗା ହୋଇପାରିବୁ ହିଁ ନାହିଁ । କେବଳ ମୁଁ ଏବଂ ମୋର ବାବା - ଆନ୍ତରିକ ଉମଙ୍ଗ-ଉତ୍ସାହ ଏହିଭଳି ରହୁଛି ? ବା ପରଦା ପଛ ପଟେ ତୃତୀୟ ବ୍ୟକ୍ତି ମଧ୍ୟ କେହି ଅଛନ୍ତି ? କେତେବେଳେ ମୂଷା ରୂପରେ, କେତେବେଳେ ବିଲେଇ ରୂପରେ ମାୟା ଆସିଯାଉ ନାହିଁ ତ ? ସବୁ ରୂପ ସମାପ୍ତ ହୋଇଯାଇଛି ନା! ଯେବେକି ବାବା ମିଳିଗଲେ ତେବେ ସବୁ କିଛି ମିଳିଗଲା । ଆଉ କିଛି ବାକି ରହିଲା ନାହିଁ । ନା କେହି ସମ୍ବନ୍ଧୀ ରହିଲେ, ନା କୌଣସି ସମ୍ପତ୍ତି ରହିଲା, ନା ଶକ୍ତି, ନା ଗୁଣ, ନା ଜ୍ଞାନ ନା କୌଣସି ପ୍ରାପ୍ତି ବାକି ରହିଲା । ତେବେ ଆଉ କଣ ଦରକାର, ଏହାକୁ ହିଁ କୁହାଯାଏ ହୋଲୀ ପାଳନ କରିବା ।

ଏବେ ତୁମେମାନେ କେତେ ଖୁସି ମଉଜରେ ରହୁଛ । ଚିନ୍ତାମୁକ୍ତ ରାଜା, ବିନା କଉଡିର ରାଜା, ବେଗମପୁରର ରାଜା ହୋଇଗଲ । ଏହିଭଳି ମଉଜରେ କେହି ରହିପାରିବେ ନାହିଁ । ଦୁନିଆ ହିସାବରେ ଯଦିଓ କେହି ଅତି ଧନବାନ ହୋଇଥାଉ ବା ଅତି ନାମୀଗ୍ରାମୀ ବ୍ୟକ୍ତି ହୋଇଥାଉ ବା ବହୁତ ଶାସ୍ତ୍ରବାଦୀ ହୋଇଥାଉ, ବେଦ ପୁରାଣର ପାଠକ ହୋଇଥାଉ ବା ନବଧା ଭକ୍ତ ହୋଇଥାଉ, ନମ୍ବରୱାନ, ବୈଜ୍ଞାନିକ ହୋଇଥାଉ ବା କୌଣସି ପ୍ରକାରର ଧନ୍ଦା କରୁଥାଉ କିନ୍ତୁ ଏଭଳି ମଉଜଭରା ଜୀବନରେ କେବେ ବି ନଥିବ ଯେଉଁଥିରେ ମେହନତ ନାହିଁ କେବଳ ମୋହବତ୍ ହିଁ ମୋହବତ୍ ଥିବ ଅର୍ଥାତ୍ ଈଶ୍ୱରୀୟ ସ୍ନେହ ଆଧାରରେ ହିଁ ଜୀବନ ବିତାଉଥିବ । ନିଜର କୌଣସି ଚିନ୍ତା ନଥିବ କିନ୍ତୁ ସମସ୍ତଙ୍କର ଶୁଭଚିନ୍ତକ ହୋଇଥିବ ଏବଂ ଶୁଭଚିନ୍ତନ କରୁଥିବ । ଏହିଭଳି ମଉଜଭରା ଜୀବନ ବିତାଉଥିବା ଆତ୍ମା ସାରା ବିଶ୍ୱରେ ବୁଲିବୁଲି ଦେଖ ଯଦି କେହି ମିଳିଯିବ ତେବେ ଆଣି ଦେଖାଅ । ସେଥିପାଇଁ ଗୀତ ଗାଉଛ ନା - ମଧୁବନରେ, ବାବାଙ୍କର ସଂସାରରେ ମଉଜ ହିଁ ମଉଜ । ଖାଅ, ପିଅ ସବୁଥିରେ ମଉଜ । ନିଦ ପାଇଁ ଔଷଧ ଖାଇବାର କୌଣସି ଅବାଶ୍ୟକତା ନାହିଁ । ଯଦି ବାବାଙ୍କ ସାଥୀରେ ଶୋଇଯିବ ତେବେ ନିଦ ବଟିକା ଖାଇବାର ଆବଶ୍ୟକତା ପଡିବ ନାହିଁ । ଏକୁଟିଆ ଶୋଉଛ ତେଣୁ କହୁଛ ହାଇବ୍ଲଡ୍ ପ୍ରେଶର ଅଛି, ବ୍ୟଥା ହେଉଛି ତେଣୁ ଔଷଧ ଖାଇବାକୁ ପଡୁଛି । ଯଦି ବାବା ସାଥୀରେ ଥିବେ, କହିବ - ବାବା ଆପଣଙ୍କ ସାଥୀରେ ଶୋଉଛି, ତେବେ ଏହା ଔଷଧର କାମ କରିବ । ଏଭଳି ସମୟ ମଧ୍ୟ ଆସିବ ଯେପରି ଆଦି ସମୟରେ ପିଲାମାନେ ଔଷଧର ବ୍ୟବହାର କରୁନଥିଲେ, ମନେ ପଡୁଛି ନା, ଆରମ୍ଭ ସମୟରେ କେତେ ଦିନ ପର୍ଯ୍ୟନ୍ତ ଔଷଧ ନଥିଲା । ହଁ, ଟିକିଏ ଦୁଧସର ବା ଲହୁଣୀ ଖାଇଦେଉଥିଲ ରୋଗ ଠିକ୍ ହୋଇଯାଉଥିଲା । ଔଷଧ ଖାଉନଥିଲେ । ତେବେ ଆରମ୍ଭ ସମୟରେ ବାବା ତୁମମାନଙ୍କୁ ଏହିପରି ଅଭ୍ୟାସ କରାଇଥିଲେ ନା, ଯେବେକି ଶରୀର ତ ସମସ୍ତଙ୍କର ପୁରୁଣା ହିଁ ଥିଲା, ସେହିପରି ଅନ୍ତିମ ସମୟରେ ମଧ୍ୟ ଆରମ୍ଭ ସମୟର ପାର୍ଟ ରିପିଟି୍ ହେବ ଅର୍ଥାତ୍ ପୁନରାବୃତ୍ତି ହେବ । ବହୁତ ବିଚିତ୍ର ସାକ୍ଷାତ୍କାର ମଧ୍ୟ କରିବ । ବହୁତଙ୍କର ଇଚ୍ଛା ରହିଛି ନା - ଥରେ ମାତ୍ର ସାକ୍ଷାତ୍କାର ହୋଇଯାଆନ୍ତା କି! ତେବେ ଶେଷ ପର୍ଯ୍ୟନ୍ତ ଯେଉଁମାନେ ପକ୍କା ହୋଇ ରହିବେ ସେହିମାନଙ୍କୁ ହିଁ ସାକ୍ଷାତ୍କାର ହେବ ଏବଂ ତାହା ହିଁ ହେବ ସାଂଗଠନିକ ଭଟ୍ଟୀ ଯେତେବେଳେ କି ସେବା ସମାପ୍ତ ହୋଇଯାଇଥିବ । ଏବେ ସେବା କରିବା ପାଇଁ ଚାରିଆଡେ ଅଲଗା ଅଲଗା ହୋଇ ରହୁଛ । ଶେଷରେ ସବୁ ନଦୀମାନେ ସାଗରରେ ମିଶିଯିବେ ଅର୍ଥାତ୍ ସମସ୍ତେ ମଧୁବନରେ ଏକତ୍ରିତ ହୋଇଯିବେ । କିନ୍ତୁ ସେତେବେଳେ ବହୁତ ଘଡିସନ୍ଧି ମୁହୂର୍ତ୍ତ ହୋଇଥିବ । ସବୁ ପ୍ରକାରର ସାଧନ ଥାଇ ମଧ୍ୟ କିଛି କାମ କରିବ ନାହିଁ ସେଥିପାଇଁ ବୁଦ୍ଧିର ଲାଇନ୍ ବହୁତ ସ୍ୱଚ୍ଛ ରହିବା ଦରକାର ଯାହାକି ଟଚ୍ ହୋଇଯିବ ଅର୍ଥାତ୍ ଅଲୌକିକ ପ୍ରେରଣାକୁ ଗ୍ରହଣ କରିପାରିବ ଯେ ଏବେ କଣ କରିବାକୁ ହେବ । ଯଦି ଗୋଟିଏ ସେକେଣ୍ଡ ମଧ୍ୟ ବିଳମ୍ବ କରିବ ତେବେ ବହୁତ ବଡ ଅସୁବିଧା ହୋଇଯିବ । ଯେପରି ଯୁଦ୍ଧକ୍ଷେତ୍ରରେ ଥିବା ସୈନିକ ସ୍ୱିଚ୍ ଦବାଇବାରେ ଯଦି ଗୋଟିଏ ସେକେଣ୍ଡ ଡେରି କରିଦେବ ତେବେ ଅବସ୍ଥା କଣ ହେବ ? ସେହିପରି ଏଠାରେ ମଧ୍ୟ ଟଚିଂ ହେବାରେ ଯଦି ଗୋଟିଏ ସେକେଣ୍ଡ ଡେରି ହୋଇଯିବ ତେବେ ମଧୁବନରେ ବା କୌଣସି ସୁରକ୍ଷିତ ସ୍ଥାନରେ ପହଞ୍ଚିବା ମୁଶକିଲ୍ ହୋଇଯିବ । ସେଥିପାଇଁ ସେମାନେ ମଧ୍ୟ କେତେ ସତର୍କତା ପୂର୍ବକ ବସି ରହୁଛନ୍ତି । ଏଠାରେ ତ ବୁଦ୍ଧିର ଟଚିଂ ଆଧାରରେ ସବୁ କିଛି ଚାଲିବ । ଯେପରି ଆରମ୍ଭ ସମୟରେ ଘରେ ବସିଥିବା ଅବସ୍ଥାରେ ନିର୍ଦ୍ଦେଶ ଶୁଣିବାକୁ ମିଳୁଥିଲା, ନିମନ୍ତ୍ରଣ ମିଳୁଥିଲା, ଆସିଯାଅ, ପହଞ୍ଚିଯାଅ, ଘରୁ ବାହାରି ଆସ, ତେଣୁ ତୁରନ୍ତ ଆସିଗଲ ନା । ସେହିଭଳି ଅନ୍ତିମ ସମୟରେ ମଧ୍ୟ ବାବାଙ୍କର ନିର୍ଦ୍ଦେଶ ଶୁଣାଯିବ । ଯେପରି ସାକାରରେ ପିଲାମାନଙ୍କୁ ଡାକୁଥିଲେ ସେହିପରି ଆକାରୀ ଫରିସ୍ତା ରୂପରେ ମଧ୍ୟ ସବୁ ପିଲାଙ୍କୁ ଆସ ଆସ କହି ଆବାହନ କରିବେ । ବାସ୍, କେବଳ ଆସିବ ଏବଂ ସାଥୀରେ ଘରକୁ ଫେରିବ, ଏହିଭଳି ସର୍ବଦା ନିଜର ବୁଦ୍ଧି ସ୍ୱଚ୍ଛ ରହୁ । ଯଦି ଅନ୍ୟ କେଉଁଆଡେ ବି ତୁମର ଧ୍ୟାନ ଗଲା ତେବେ ବାବାଙ୍କର ନିର୍ଦ୍ଦେଶ, ବାବାଙ୍କର ଡାକରା ଶୁଣିପାରିବ ନାହିଁ । ତେଣୁ ଏହିଭଳି ଆଗକୁ ନିଶ୍ଚିତ ହେବ ।

ଟୀଚରମାନେ ଭାବୁଛନ୍ତି ଆମେ ତ ଠିକ୍ ସମୟରେ ପହଞ୍ଚି ଯିବୁ କିନ୍ତୁ ଏଭଳି ବି ହୋଇପାରେ ଯେ ବାବା ତୁମମାନଙ୍କୁ ସେହିଠାରେ ହିଁ କିଛି ନିର୍ଦ୍ଦେଶ ଦେବେ । ସେହିଠାରେ ଅର୍ଥାତ୍ ତୁମର ସେବା ସ୍ଥାନରେ ହିଁ ତୁମକୁ କୌଣସି ବିଶେଷ କାର୍ଯ୍ୟ କରିବାର ଥିବ । ସେଠାରେ କାହାକୁ ଶକ୍ତି ଦେବାର ଥିବ ବା ସାଥୀରେ ନେଇ ଆସିବାର ଥିବ । ଏଭଳି ମଧ୍ୟ ହେବ କିନ୍ତୁ ଯଦି ବାବାଙ୍କର ନିର୍ଦ୍ଦେଶ ଅନୁସାରେ ରହିଥିବ ତେବେ ହେବ, ନିଜର ମନମତରେ ରହିନଥିବ ବା ମୋହର ଆକର୍ଷଣ କାରଣରୁ ରହିନଥିବ । ହାଏ - ମୋ ସେଣ୍ଟରର କଣ ହେବ, ଏଭଳି ସଂକଳ୍ପ ଆସୁନଥିବ । ଅମୁକ ଜିଜ୍ଞାସୁକୁ ମଧ୍ୟ ସାଥୀରେ ନେଇଯିବି, ଇଏ ତ ଅନନ୍ୟ ଅଟେ, ବହୁତ ସହଯୋଗୀ ଅଟେ । ଏଭଳି ସଂକଳ୍ପ ମଧ୍ୟ ଆସୁନଥିବ । ଯଦି କାହା ପାଇଁ ବି ଅଟକିଯିବ ତେବେ ରହିଯିବ । ଏହିଭଳି ପ୍ରସ୍ତୁତ ଅଛ ନା । ଏହାକୁ ହିଁ କୁହାଯିବ ଏଭରରେଡି ଅର୍ଥାତ୍ ସର୍ବଦା ପ୍ରସ୍ତୁତ ଥିବା ଆତ୍ମା । ସବୁବେଳ ପାଇଁ ସବୁକିଛି କାର୍ଯ୍ୟ ସମାପ୍ତ କରି ପ୍ରସ୍ତୁତ ରହିଥିବ । ସେତେବେଳେ କାର୍ଯ୍ୟ ସମାପ୍ତ କରିବାର ସଂକଳ୍ପ ଯେପରି ନ ଆସେ । ଏ କାମ କରିନେବି, ସେ କାମ କରିନେବି... । ସାକାର ବାବାଙ୍କ ସମୟର କଥା ମନେ ପଡୁଛି ନା! ଯେଉଁମାନେ ଯୋଗ୍ୟ ସେବାଧାରୀ ପିଲାମାନେ ଥିଲେ ସେମାନେ ନିଜର ସ୍ଥୂଳ ବ୍ୟାଗ-ବ୍ୟାଗେଜ ସର୍ବଦା ପ୍ରସ୍ତୁତ ଅବସ୍ଥାରେ ରଖୁଥିଲେ । ଟ୍ରେନ୍ ପହଞ୍ଚିବା ପାଇଁ ମାତ୍ର ୫ ମିନିଟ୍ ବାକି ଥିବ ଏବଂ ସେତିକିବେଳେ ନିର୍ଦ୍ଦେଶ ମିଳିବ ଯେ ଅମୁକ ସେବାରେ ଯାଅ, ତେଣୁ ସେମାନଙ୍କର ବ୍ୟାଗ ବସ୍ତାନୀ ସବୁବେଳେ ପ୍ରସ୍ତୁତ ରହୁଥିଲା । ତାଙ୍କ ପୂର୍ବ ଷ୍ଟେସନରେ ଟ୍ରେନ୍ ପହଞ୍ଚି ସାରିଥିବ ଏବଂ ସେମାନେ ଯିବା ପାଇଁ ବାହାରୁଥିବେ । ଏଭଳି ମଧ୍ୟ ଅନୁଭବ କରିଛ ନା । ସେହିଭଳି ମନର ସ୍ଥିତିରେ ମଧ୍ୟ ବ୍ୟାଗ ବସ୍ତାନୀ ସର୍ବଦା ପ୍ରସ୍ତୁତ ରହିବା ଦରକାର । ବାବା ଡାକିବା କ୍ଷଣି ପିଲାମାନେ ଜୀ ହାଜିର କରି ପହଞ୍ଚି ଯାଉଥିବେ । ଏହାକୁ ହିଁ କୁହାଯିବ ଏଭରରେଡି ।

ଏହିଭଳି ସର୍ବଦା ସଂଗର ରଙ୍ଗରେ ରଞ୍ଜିତ ହୋଇଥିବା, ସର୍ବଦା ବିତିକୁ ବିତି କରି ବର୍ତ୍ତମାନ ଏବଂ ଭବିଷ୍ୟତକୁ ଶ୍ରେଷ୍ଠ କରୁଥିବା, ସର୍ବଦା ପରମାତ୍ମ ମିଳନ କରୁଥିବା, ସର୍ବଦା ପ୍ରତ୍ୟେକ କର୍ମ ଯୋଗଯୁକ୍ତ ହୋଇ କରୁଥିବା ଅର୍ଥାତ୍ ପ୍ରତ୍ୟେକ କର୍ମକୁ ସ୍ମାରକୀ ଯୋଗ୍ୟ କରୁଥିବା, ସର୍ବଦା ଖୁସିରେ ନାଚି, ଗାଇ ସଂଗମଯୁଗର ମଉଜ ପାଳନ କରୁଥିବା, ଏହିଭଳି ବାବାଙ୍କ ସମାନ, ବାବାଙ୍କର ପ୍ରତ୍ୟେକ ସଂକଳ୍ପକୁ ଗ୍ରହଣ କରିପାରୁଥିବା, ସର୍ବଦା ନିଜର ବୁଦ୍ଧିକୁ ଶ୍ରେଷ୍ଠ ଏବଂ ସ୍ପଷ୍ଟ ରଖୁଥିବା ହୋଲୀ ହ୍ୟାପୀ ହଂସମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ବାପଦାଦା ସବୁ ପିଲାଙ୍କର ପତ୍ରର ଉତ୍ତର ଦେବା ସମୟରେ ହୋଲୀ ଉତ୍ସବର ଅଭିନନ୍ଦନ ଜଣାଇଲେ :
ଚତୁଃର୍ଦ୍ଦିଗର ଅର୍ଥାତ୍ ଦେଶ ବିଦେଶର ସବୁ ପିଲାମାନଙ୍କର ସ୍ନେହ ଭରା, ଉମଙ୍ଗ ଉତ୍ସାହ ଭରା ଏବଂ କେଉଁଠି କେଉଁଠି ନିଜର ପୁରଷାର୍ଥର ପ୍ରତିଜ୍ଞା ଭରା ପତ୍ର ଏବଂ ସନ୍ଦେଶ ବାପଦାଦାଙ୍କୁ ମିଳିଛି । ବାପଦାଦା ସମସ୍ତ ହୋଲୀ ହଂସମାନଙ୍କୁ ସର୍ବଦା ଯେପରି ବାବା ସେପରି ମୁଁ ଏହି ସ୍ମୃତି ରୂପକ ବିଶେଷ ସ୍ଳୋଗାନଟିକୁ ବରଦାନ ରୂପରେ ମନେ ପକାଇ ଦେଉଛନ୍ତି । ଯେକୌଣସି କର୍ମ କରିବା ସମୟରେ ବା ସଂକଳ୍ପ କରିବା ସମୟରେ ପ୍ରଥମେ ଚେକ୍ କର ଯେ ବାବାଙ୍କର ସଂକଳ୍ପ ଯେପରି ଅଟେ ମୋର ଏହି ସଂକଳ୍ପ ମଧ୍ୟ ସେହିପରି ଅଟେ ତ! ଯାହା ବାବାଙ୍କର କର୍ମ ତାହା ହିଁ ମୋର କର୍ମ! ଗୋଟିଏ ସେକେଣ୍ଡ ଭିତରେ ଚେକ୍ କରିନିଅ ଏବଂ ତାପରେ କାର୍ଯ୍ୟରେ କର, ତେବେ ସର୍ବଦା ବାବାଙ୍କ ସମାନ ଶକ୍ତିଶାଳୀ ଆତ୍ମା ହୋଇ ସଫଳତାର ଅନୁଭବ କରିପାରିବ । ସଫଳତା ମୋର ଜନ୍ମସିଦ୍ଧ ଅଧିକାର ଏହିଭଳି ସହଜ ପ୍ରାପ୍ତିର ଅନୁଭବ କରିପାରିବ । ସଫଳତାର ତାରକା ମୁଁ ନିଜେ ହିଁ ଅଟେ ତେଣୁ ସଫଳତା ମୋଠାରୁ ଅଲଗା ହୋଇ ପାରିବ ନାହିଁ । ସଫଳତାର ମାଳା ସର୍ବଦା ତୁମ ଗଳାରେ ପଡିରହିଛି ଅର୍ଥାତ୍ ପ୍ରତ୍ୟେକ କର୍ମରେ ସଫଳତାକୁ ଅନୁଭବ କରିପାରୁଛ । ବାପଦାଦା ଆଜିର ଏହି ହୋଲୀ ପର୍ବରେ ଉପସ୍ଥିତ ଥିବା ସଂଗଠନ ଭିତରେ ତୁମଭଳି ହୋଲୀ ହଂସମାନଙ୍କୁ ସମ୍ମୁଖରେ ଦେଖୁଛନ୍ତି ଏବଂ ତୁମମାନଙ୍କ ସହିତ ହୋଲୀ ପାଳନ କରୁଛନ୍ତି । ସମସ୍ତଙ୍କୁ ସ୍ନେହ ଭରା ଦୃଷ୍ଟିରେ ଦେଖୁଛନ୍ତି - ସମସ୍ତଙ୍କର ବିଶେଷତାର ଭିନ୍ନ ଭିନ୍ନ ସୁଗନ୍ଧ ଗ୍ରହଣ କରୁଛନ୍ତି । ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ବିଶେଷତାର ସୁଗନ୍ଧ କେତେ ମଧୁର ତାହା ଅନୁଭବ କରୁଛନ୍ତି । ବାବା ପ୍ରତ୍ୟେକ ବିଶେଷ ଆତ୍ମାକୁ ତାର ବିଶେଷତା ସହିତ ଦେଖୁଛନ୍ତି ଏବଂ ଏହି ଗୀତ ଗାଉଛନ୍ତି - ବାଃ ମୋର ସହଜଯୋଗୀ ସନ୍ତାନ! ବାଃ ମୋର ପଦ୍ମାପଦ୍ମ ଭାଗ୍ୟଶାଳୀ ସନ୍ତାନ! ତେବେ ସମସ୍ତେ ନିଜ ନିଜର ବିଶେଷତା ଏବଂ ନାମ ସହିତ ନିଜକୁ ବାପଦାଦାଙ୍କ ଛତ୍ରଛାୟା ତଳେ ରହିବାର ଅନୁଭବ କର ଏବଂ ମାୟାର ପରୀକ୍ଷାରେ ଅବିଚଳିତ ସ୍ଥିତିରେ ରୁହ । ତୁମ ପାଇଁ ସବୁ କଥା ଛୋଟ, କିଛି ବି ବଡ ନୁହେଁ ତେଣୁ ଛୋଟ କଥାକୁ ବଡ କର ନାହିଁ, ବଡ କଥାକୁ ଛୋଟ କରିଦିଅ । ଯଦି ସର୍ବଦା ଉଚ୍ଚ ସ୍ଥିତିରେ ରହିବ ତେବେ ବଡ କଥା ମଧ୍ୟ ଛୋଟ ହୋଇଯିବ କିନ୍ତୁ ତଳେ ରହିଲେ ଛୋଟ କଥା ମଧ୍ୟ ବଡ ହୋଇଯିବ ସେଥିପାଇଁ ଯେହେତୁ ତୁମକୁ ବାପଦାଦାଙ୍କ ଭଳି ସାଥୀ ମିଳିଛନ୍ତି, ତାଙ୍କର ସହଯୋଗର ହାତ ସର୍ବଦା ତୁମ ସହିତ ରହିଛି ତେଣୁ ବିଚଳିତ ହୁଅ ନାହିଁ ଖୁବ୍ ଉଡ । ଉଡିବାର ସ୍ଥିତି ଦ୍ୱାରା ଗୋଟିଏ ସେକେଣ୍ଡରେ ସବୁ ପରିସ୍ଥିତିକୁ ଅତିକ୍ରମ କରିଯାଅ । ବାବାଙ୍କର ସଂଗ ସଦା ସର୍ବଦା ତୁମକୁ ନିରାପଦରେ ରଖିଛି ଏବଂ ଆଗକୁ ମଧ୍ୟ ରଖିବ । ଆଚ୍ଛା

ସମସ୍ତଙ୍କୁ ସିକିଲଧା, ଗେହ୍ଲା କହି ବାପଦାଦା ହୋଲୀ ପର୍ବର ଅଭିନନ୍ଦନ ଦେଉଛନ୍ତି । (ଏହା ପରେ ବାପଦାଦାଙ୍କ ସହିତ ସବୁ ପିଲା, ହୋଲୀ ପାଳନ କରିଲେ ତଥା ପିକନିକ୍ କରିଲେ)

ରଦାନ:-
ଉଚ୍ଚ ପିତା, ଉଚ୍ଚ ଆମେମାନେ ଏବଂ ଉଚ୍ଚ କାର୍ଯ୍ୟର ସ୍ମୃତି ଦ୍ୱାରା ଶକ୍ତିଶାଳୀ ହୋଇ ବାବାଙ୍କ ସମାନ ହୁଅ ।

ଯେପରି ଆଜିକାଲିର ଦୁନିଆରେ ଯଦି କେହି ଭି.ଆଇ.ପି.ର ସନ୍ତାନ ହୋଇଥିବ ତେବେ ସେ ନିଜକୁ ମଧ୍ୟ ଭି.ଆଇ.ପି. ମନେ କରିବ । କିନ୍ତୁ ବାବାଙ୍କଠାରୁ ବଡ ଭି.ଆଇ.ପି ତ କେହି ନୁହଁନ୍ତି ତେଣୁ ଆମେମାନେ ଏହିଭଳି ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ଆତ୍ମା ଅଟୁ - ଏହିଭଳି ସ୍ମୃତି ଆତ୍ମାକୁ ଶକ୍ତିଶାଳୀ କରିଦିଏ । ଉଚ୍ଚପିତା, ଉଚ୍ଚ ଆମେ ପିଲାମାନେ ଏବଂ ଉଚ୍ଚ କାର୍ଯ୍ୟ - ଏହିଭଳି ସ୍ମୃତିରେ ରହୁଥିବା ଆତ୍ମାମାନେ ସର୍ବଦା ବାବାଙ୍କ ସମାନ ହୋଇ ଯାଆନ୍ତି । ତେଣୁ ସାରା ବିଶ୍ୱ ସମ୍ମୁଖରେ ଶ୍ରେଷ୍ଠ ଏବଂ ଉଚ୍ଚ ଆତ୍ମା ତୁମମାନଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି ସେଥିପାଇଁ ତୁମମାନଙ୍କର ହିଁ ଗାୟନ ଏବଂ ପୂଜନ ହେଉଛି ।

ସ୍ଲୋଗାନ:-
ସମ୍ପୂର୍ଣ୍ଣତାର ଦର୍ପଣରେ ସୂକ୍ଷ୍ମ ଆକର୍ଷଣ ଗୁଡିକୁ ଚେକ୍ କର ଏବଂ ସେଥିରୁ ମୁକ୍ତ ହୁଅ ।