10.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ତୁମକୁ ବାବଙ୍କ ସମାନ ମୁରଲୀଧର ନିଶ୍ଚିତ ହେବାକୁ ପଡିବ, ମୁରଲୀଧର ପିଲାମାନେ ହିଁ ବାବାଙ୍କର ସହଯୋଗୀ ହୋଇଥାଆନ୍ତି ଏବଂ ବାବା ସେମାନଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି ।

ପ୍ରଶ୍ନ:-
କେଉଁ ପିଲାମାନଙ୍କର ବୁଦ୍ଧି ବହୁତ ବହୁତ ନିର୍ମାନ ଅର୍ଥାତ୍ ନିରହଂକାରୀ ହୋଇଯାଏ?

ଉତ୍ତର:-
ଯେଉଁମାନେ ଅବିନାଶୀ ଜ୍ଞାନ ରତ୍ନର ଦାନ କରି ସଚ୍ଚା ପରୋପକାରୀ ହୋଇଯାଆନ୍ତି ଏବଂ ହୁସିଆର ବିକ୍ରେତା ହୋଇଯାଆନ୍ତି ସେମାନଙ୍କର ବୁଦ୍ଧି ବହୁତ ନିରହଂକାରୀ ହୋଇଯାଏ । ସେବା କରି କରି ବୁଦ୍ଧି ସ୍ୱଚ୍ଛ ହୋଇଯାଏ । ତେଣୁ ଦାନ କରିବାରେ କଦାପି ଅଭିମାନ ଆସିବା ଉଚିତ୍ ନୁହେଁ । କିନ୍ତୁ ସର୍ବଦା ବୁଦ୍ଧିରେ ରହିବା ଦରକାର ଯେ ଶିବବାବା ଦେଇଥିବା ଜ୍ଞାନ ଧନ ହିଁ ଦାନ କରୁଛି । ଏହିଭଳି ଶିବବାବାଙ୍କୁ ମନେ ପକାଇବା ଦ୍ୱାରା କଲ୍ୟାଣ ହୋଇଯିବ ।

ଗୀତ:-
ତୁହ୍ମି ହୋ ମାତା....

ଓମ୍ ଶାନ୍ତି ।
କେବଳ ମାତା ପିତାଙ୍କର ମହିମାର ଗୀତ ଶୁଣାଇବା ଦ୍ୱାରା ତାଙ୍କର ନାମ ଅର୍ଥାତ୍ ପରିଚୟ ଜଣାପଡିନଥାଏ । ପ୍ରଥମରୁ ଶିବାୟ ନମଃ ଗୀତ ଶୁଣି ପୁଣି ମାତା ପିତାଙ୍କ ଗୀତ ଶୁଣାଇଲେ ଜ୍ଞାନ କଣ ବୋଲି ଜଣାପଡିଥାଏ । ମନୁଷ୍ୟମାନେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଇଥାନ୍ତି, କୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ଯାଇଥାନ୍ତି ଏବଂ ସମସ୍ତଙ୍କୁ କହିଥାଆନ୍ତି ତୁମେ ମାତାପିତା କିନ୍ତୁ ଏହାର ଅର୍ଥକୁ କେହି ଜାଣି ନାହାଁନ୍ତି । ପ୍ରଥମରୁ ଶିବାୟ ନମଃ ଗୀତ ଶୁଣାଇ ପୁଣି ମାତାପିତାଙ୍କ ଗୀତ ଶୁଣାଇଲେ ମହିମା ଜଣାପଡିଥାଏ । ନୂଆମାନଙ୍କ ପାଇଁ ଏହି ଗୀତ ବହୁତ ଭଲ । ବୁଝାଇବା ପାଇଁ ମଧ୍ୟ ବହୁତ ସହଜ । ବାବାଙ୍କର ନାମ ହେଉଛି ଶିବ, ଏପରି ତ କେହି କହିବେ ନାହିଁ ଯେ - ଶିବ ସର୍ବବ୍ୟାପୀ ଅଟନ୍ତି । ତେବେ ତ ସମସ୍ତଙ୍କର ମହିମା ଏକା ହୋଇଯିବ । ତାଙ୍କର ନାମ ହିଁ ହେଉଛି ଶିବ । ଆଉ କେହି ନିଜର ନାମ ଶିବାୟ ନମଃ ରଖିପାରିବେ ନାହିଁ । ତାଙ୍କର ମତି ଏବଂ ଗତି ମନୁଷ୍ୟଠାରୁ ଅଲଗା । ଦେବତାମାନଙ୍କଠାରୁ ମଧ୍ୟ ଅଲଗା । ଏହି ଜ୍ଞାନ କେବଳ ମାତାପିତା ହିଁ ଶିଖାଉଛନ୍ତି । ସନ୍ନ୍ୟାସୀମାନଙ୍କ ଭିତରେ ତ ମାତା ନ ଥାନ୍ତି ସେଥିପାଇଁ ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ । ଶିବାୟ ନମଃର ମହିମା ତ କାହାକୁ ଦିଆଯାଇପାରିବ ନାହିଁ । ଶିବାୟ ନମଃର ମହିମା କଣ କୌଣସି ଦେହଧାରୀଙ୍କୁ ଦିଆଯାଇପାରିବ! ଏହିସବୁ କଥାକୁ ବୁଝାଇବାକୁ ହେବ । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ ଏହି କଥାକୁ ଯଥାଶକ୍ତି ବୁଝାଇପାରିଥାନ୍ତି । କେଉଁଠି କେଉଁଠି ଭଲ ଭଲ ପିଲାମାନେ ମଧ୍ୟ ଜ୍ଞାନର ପଏଣ୍ଟକୁ ଛାଡି ଦିଅନ୍ତି । କେହି କେହି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜକୁ ବହୁତ ବୁଦ୍ଧିମାନ ଭାବିଥାନ୍ତି । ଏଥିରେ ସ୍ୱଚ୍ଛ ହୃଦୟ ଦରକାର । ପ୍ରତି କଥାରେ ସତ୍ୟ କହିବା, ସତ୍‌ମାର୍ଗରେ ଚାଲିବା ପାଇଁ ସମୟ ଲାଗିଥାଏ । ଦେହ-ଅଭିମାନୀ ହେଲେ ଲୌକିକତା ଆସିଯାଏ । ବର୍ତ୍ତମାନ ଏପରି କେହି ନାହାଁନ୍ତି ଯିଏକି କହିପାରିବେ ଯେ, ଆମେ ସମ୍ପୂର୍ଣ୍ଣ ଦେହୀ-ଅଭିମାନୀ ଅଟୁ, ତେବେ ତ କର୍ମାତୀତ ଅବସ୍ଥା ହୋଇଯିବ । ଏବେ ତ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । କେହି-କେହି ତ କୁପୁତ୍ର ମଧ୍ୟ ଅଛନ୍ତି । ଜଣାପଡିଯାଏ କିଏ କିଏ ବାବାଙ୍କର ସେବା କରୁଛନ୍ତି । ଯଦି ତୁମେ ଶିବବାବାଙ୍କର ହୃଦୟରେ ବସିବ ତେବେ ରୁଦ୍ରମାଳାରେ ଗୁନ୍ଥା ହୋଇପାରିବ ଏବଂ ସିଂହାସନର ଅଧିକାରୀ ମଧ୍ୟ ହୋଇପାରିବ । ଲୌକିକ ପିତାଙ୍କର ହୃଦୟରେ ମଧ୍ୟ ସୁପୁତ୍ର ସନ୍ତାନମାନେ ହିଁ ରହିଥାନ୍ତି, ଯେଉଁମାନେ କି ତାଙ୍କର ସହଯୋଗୀ ହୋଇଥାନ୍ତି । ଏହା ମଧ୍ୟ ଅବିନାଶୀ ବାବାଙ୍କର ଅବିନାଶୀ ଜ୍ଞାନ ରତ୍ନର ବ୍ୟବସାୟ । ତେଣୁ ଯେଉଁମାନେ ବାବାଙ୍କର କାର୍ଯ୍ୟରେ ସହଯୋଗୀ ହେବେ, ବାବା ମଧ୍ୟ ସେମାନଙ୍କ ଉପରେ ଖୁସି ହେବେ । ଅବିନାଶୀ ଜ୍ଞାନ ରତ୍ନକୁ ନିଜେ ଧାରଣ କରିବା ସହିତ ଅନ୍ୟକୁ ଧାରଣ କରାଇବାକୁ ହେବ । କେହି-କେହି ସନ୍ତାନ ଭାବନ୍ତି ଯେ, ଆମେ ତ ସବୁକିଛି ବାବାଙ୍କୁ ସମର୍ପିତ କରି ଦେଇଛୁ । ତାର ଫଳ ତ ଆମକୁ ମିଳିଯିବ । ଏଠାରେ ତୁମକୁ ବାବାଙ୍କ ସଦୃଶ ମହାଦାନୀ ହୋଇ ଅବିନାଶୀ ଜ୍ଞାନ ରତ୍ନକୁ ଦାନ କରିବାକୁ ହେବ । ବାବା ଜ୍ଞାନ ରତ୍ନରେ ତୁମର ବୁଦ୍ଧିରୂପୀ ପାତ୍ରକୁ ଭରପୁର କରିବା ପାଇଁ ଆସିଛନ୍ତି, ଏଥିରେ ସ୍ଥୂଳ ଧନର କୌଣସି କଥା ହିଁ ନାହିଁ । ବାବା ତ ସୁପୁତ୍ର ସନ୍ତାନମାନଙ୍କୁ ହିଁ ପସନ୍ଦ କରନ୍ତି । ଯଦି ଏହି ଜ୍ଞାନରତ୍ନର ବ୍ୟବସାୟ କରିବା ଜଣାନାହିଁ ତେବେ ସେମାନେ ନିଜକୁ ମୁରଲୀଧର, ସୌଦାଗରଙ୍କର ସନ୍ତାନ ବୋଲି କିପରି କହିପାରିବେ? ଲଜ୍ୟା ଆସିବା ଉଚିତ୍ ଯେ ମୁଁ ତ ଜ୍ଞାନରତ୍ନର ବ୍ୟବସାୟ ଅର୍ଥାତ୍ ଲେଣ-ଦେଣ କରୁନାହିଁ । ବିକ୍ରି କରୁଥିବା କର୍ମଚାରୀ ଯଦି ହୁସିଆର ହୋଇଥିବ ତେବେ ତାଙ୍କୁ ବ୍ୟବସାୟରେ ଭାଗୀଦାର ମଧ୍ୟ କରିଦିଅନ୍ତି । ମାଗଣାରେ କଣ କାହାକୁ ଭାଗିଦାରୀ ମିଳିଯିବ । ଏହି କାର୍ଯ୍ୟରେ ଲାଗିଗଲେ ବୁଦ୍ଧି ନିର୍ମାଣ ହୋଇଯାଏ । ସେବା କରି-କରି ବୁଦ୍ଧି ସ୍ୱଚ୍ଛ ହୋଇଯାଏ । ବାବା-ମମ୍ମା ନିଜର ଅନୁଭବ ଶୁଣାଉଛନ୍ତି । ବାବା ହିଁ ସମସ୍ତଙ୍କୁ ଶିଖାଉଛନ୍ତି । ତୁମେମାନେ ଜାଣିଛ ଯେ ଏହି ବ୍ରହ୍ମାବାବା ନିଜେ ଭଲ ଭାବରେ ଧାରଣା କରୁଛନ୍ତି ଏବଂ ମୁରଲୀ ମଧ୍ୟ ଶୁଣାଉଛନ୍ତି । ଆଚ୍ଛା ଧରିନିଅ ୟାଙ୍କର ଶରୀରରେ ଶିବବାବା ଅଛନ୍ତି । ସିଏ ତ ମୁରଲୀଧର ଅଟନ୍ତି, କିନ୍ତୁ ଏହି ବାବା ମଧ୍ୟ ଜାଣିଛନ୍ତି ନା । ନ ହେଲେ ଏତେ ଉଚ୍ଚପଦ କିପରି ପାଇବେ? ବାବା ବୁଝାଉଛନ୍ତି - ତୁମେ ସବୁବେଳେ ଭାବ ଶିବବାବା ହିଁ ଶୁଣାଉଛନ୍ତି । ଶିବବାବାଙ୍କୁ ମନେ ପକାଇଲେ ତୁମର ମଧ୍ୟ କଲ୍ୟାଣ ହୋଇଯିବ । ବ୍ରହ୍ମାବାବାଙ୍କ ଶରୀରରେ ତ ଶିବବାବା ଆସୁଛନ୍ତି । ମମ୍ମା ତ ମା ହିସାବରେ କହୁଛନ୍ତି । ତାଙ୍କର ନାମକୁ ମଧ୍ୟ ବିଖ୍ୟାତ କରିବାକୁ ହେବ କାରଣ ଏଠାରେ ନାରୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଲୌକିକରେ ପୁରୁଷମାନେ କହିଥାନ୍ତି ସ୍ତ୍ରୀ ଯେମିତି ବି ହୋଇଥାଉ ସେ ତ ମୋର ଦାୟିତ୍ୱ ବୁଝିବାକୁ ହେବ । ସ୍ତ୍ରୀଲୋକମାନେ ଏପରି କହି ନ ଥାନ୍ତି । ବାବା ମଧ୍ୟ କହୁଛନ୍ତି ମୋ ପିଲାମାନେ ଯେମିତି ବି ହୋଇଥାନ୍ତୁ ସେମାନଙ୍କର ଦାୟିତ୍ୱ ମୋତେ ନେବାକୁ ହିଁ ହେବ । ସେଥିପାଇଁ ଲୌକିକ ପିତାଙ୍କର ମଧ୍ୟ ମହତ୍ୱ ରହିଛି । ଏଠାରେ ତ ବାବାଙ୍କର ନାମ ପୂର୍ବରୁ ହିଁ ବିଖ୍ୟାତ । ପୁଣି ଶକ୍ତିମାନଙ୍କର ନାମ ମଧ୍ୟ ପ୍ରସିଦ୍ଧ ଅଟେ । ତାଙ୍କୁ ସେବାର ମଧ୍ୟ ଭଲ ସୁଯୋଗ ମିଳୁଛି । ଆଗକୁ ତ ସେବା ବହୁତ ସହଜ ହୋଇଯିବ । ଜ୍ଞାନ ଏବଂ ଭକ୍ତି, ଦିନ ଏବଂ ରାତି । ସତ୍ୟଯୁଗ ଏବଂ ତ୍ରେତାଯୁଗ ହେଉଛି ଦିନ, ଅର୍ଥାତ୍ ସେଠାରେ ସମ୍ପୂର୍ଣ୍ଣ ସୁଖ, ଦ୍ୱାପର ଏବଂ କଳିଯୁଗ ହେଉଛି ରାତି ଅର୍ଥାତ୍ ଦୁଃଖ । ସତ୍ୟଯୁଗରେ ଭକ୍ତି କରାଯାଏ ନାହିଁ । ଏହା କେତେ ସହଜ କଥା । କିନ୍ତୁ ଭାଗ୍ୟରେ ନ ଥିଲେ ଧାରଣା କରିପାରିବେ ନାହିଁ । ଜ୍ଞାନର ପଏଣ୍ଟ ଗୁଡିକ ତ ବହୁତ ସହଜିଆ ମିଳୁଛି । ତେଣୁ ମିତ୍ର-ସମ୍ବନ୍ଧୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଅ ଏବଂ ନିଜ ଘରଲୋକ ମାନଙ୍କୁ ଉଠାଅ । ତୁମେ ତ ଗୃହସ୍ଥରେ ରହୁଛ, ତେଣୁ ବହୁତ ସହଜରେ ଅନ୍ୟମାନଙ୍କୁ ବୁଝାଇପାରିବ । ସଦ୍‌ଗତି ଦାତା ଏକମାତ୍ର ପାରଲୌକିକ ପିତା ହିଁ ଅଟନ୍ତି । ସିଏ ହିଁ ଶିକ୍ଷକ ଏବଂ ସଦ୍‌ଗୁରୁ ଅଟନ୍ତି । ବାସ୍ତବରେ ଦ୍ୱାପରଠାରୁ ତୁମର ଦୁର୍ଗତି ହୋଇଆସିଛି । ଭ୍ରଷ୍ଟାଚାରୀ ପାପ ଆତ୍ମାମାନେ କଳିଯୁଗରେ ହିଁ ଥାଆନ୍ତି । ସତ୍ୟଯୁଗରେ ପାପ ଆତ୍ମାମାନଙ୍କର ନାମ ହିଁ ରହିବ ନାହିଁ । ଏହିଠାରେ (କଳିଯୁଗରେ) ହିଁ ଅଜାମିଳ, ଗଣିକା, ଅହଲ୍ୟା ଆଦି ସବୁ ପାପ ଆତ୍ମାମାନେ ଅଛନ୍ତି । ଅଧାକଳ୍ପ ହେଉଛି ସ୍ୱର୍ଗ । ପୁଣି ଯେତେବେଳେ ଭକ୍ତି ଆରମ୍ଭ ହୁଏ, ସେତେବେଳେ ଅଧଃପତନ ହେବା ଆରମ୍ଭ ହୁଏ । ଅଧଃପତନ ତ ନିଶ୍ଚିତ ହେବ । ସୂର୍ଯ୍ୟବଂଶୀରୁ ତଳକୁ ଖସି ଖସି ଚନ୍ଦ୍ରବଂଶୀକୁ ଆସୁଛନ୍ତି । ତାପରେ ପୁଣି ତଳକୁ ତଳକୁ ଖସିଥାନ୍ତି । ଦ୍ୱାପରଠାରୁ ତୁମେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛ ସେମାନେ ତଳକୁ ଖସାଇବାର ରାସ୍ତା ହିଁ ଦେଖାଇଛନ୍ତି । ଏକଥା ମଧ୍ୟ ତୁମେମାନେ ଏବେ ଜାଣୁଛ । ଦିନକୁ ଦିନ ତୁମମାନଙ୍କ ଭିତରେ ବଳ ଭରିବାକୁ ଲାଗିବ । ସାଧୁମାନଙ୍କୁ ମଧ୍ୟ ବୁଝାଇବା ପାଇଁ ବହୁତ ଉପାୟ ବାହାର କରୁଛନ୍ତି । ଶେଷରେ ସେମାନେ ମଧ୍ୟ ବୁଝିଯିବେ ଯେ, ବାସ୍ତବରେ ପରମପିତା ପରମାତ୍ମା ସର୍ବବ୍ୟାପୀ କିପରି ହୋଇପାରିବେ? ବୁଝାଇବା ପାଇଁ ଜ୍ଞାନ ତ ବହୁତ ରହିଛି । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଥିଲା ପୁଣି ବ୍ୟଭିଚାରୀ ହେଉଛି । କଳା ସବୁ କମି କମି ଆସିଛି । ବର୍ତ୍ତମାନ ତ କୌଣସି କଳା ନାହିଁ । କଳ୍ପବୃକ୍ଷ ଏବଂ ସୃଷ୍ଟିଚକ୍ରରେ ଦର୍ଶାଯାଇଛି ଯେ, କଳା କିପରି କମ୍ ହେଉଛି । ତେବେ ଏହାକୁ ବୁଝାଇବା ତ ବହୁତ ସହଜ କିନ୍ତୁ ଭାଗ୍ୟରେ ନ ଥିଲେ ବୁଝାଇପାରିବେ ନାହିଁ । କାରଣ ପିଲାମାନେ ଦେହୀ-ଅଭିମାନୀ ହେଉନାହାଁନ୍ତି । ପୁରୁଣା ଶରୀରରେ ଅଟକି ଯାଉଛନ୍ତି । ବାବା କହୁଛନ୍ତି - ଏହି ପୁରୁଣା ଶରୀରରେ ମମତ୍ୱ ନରଖି ନିଜକୁ ଆତ୍ମା ଭାବ । ଦେହୀ-ଅଭିମାନୀ ନ ହେଲେ ଭଲ ପଦ ମଧ୍ୟ ପାଇପାରିବ ନାହିଁ । କେହି ବିଦ୍ୟାର୍ଥୀ କଣ କେବେ ଚାହିଁବ କି ଶେଷ ଧାଡିରେ ବସିବା ପାଇଁ! ଯଦି ଏପରି ହୁଏ ତେବେ ମିତ୍ର-ସମ୍ବନ୍ଧୀ, ଶିକ୍ଷକ, ଛାତ୍ର ସମସ୍ତେ ବୁଝିଯିବେ, ଏହାର ପାଠପଢାରେ ଧ୍ୟାନ ନାହିଁ । ଏଠାରେ ମଧ୍ୟ ବୁଝିଯାଆନ୍ତି ଯେ, ଶ୍ରୀମତରେ ନ ଚାଲିଲେ ଏପରି ଅବସ୍ଥା ହେବ । କିଏ ପ୍ରଜା ହେବେ, କିଏ ଦାସଦାସୀ ହେବେ, ଏକଥା ସମସ୍ତେ ଜାଣିପାରିବେ । ବାବା ବୁଝାଉଛନ୍ତି - ତୁମେ ନିଜର ମିତ୍ର-ସମ୍ବନ୍ଧୀମାନଙ୍କର କଲ୍ୟାଣ କର । ଲୌକିକରେ ନିୟମ ଅଛି, ଯଦି ଘରେ ବଡ ଭାଇ ଥାଏ, ତେବେ ଛୋଟ ଭାଇକୁ ସହଯୋଗ ଦେବା ତାର କର୍ତ୍ତବ୍ୟ । ଏହାକୁ ହିଁ କୁହାଯାଏ ଚ୍ୟାରିଟି ବିଗିନସ୍ ଆଟ୍ ହୋମ୍ ଅର୍ଥାତ୍ ଦାନ ନିଜ ଘରୁ ହିଁ ଆରମ୍ଭ ହୁଏ । ବାବା କହୁଛନ୍ତି - ଏଭଳି ଦାନ କର, ଯେତେ ଦାନ କରିଲେ ମଧ୍ୟ ସରିବ ନାହିଁ । ଯଦି ଦାନ ନ କରିବ ତେବେ କିଛି ମିଳିବ ନାହିଁ, ପଦ ମଧ୍ୟ ପାଇବ ନାହିଁ । ଏବେ ତ ତୁମମାନଙ୍କୁ ବହୁତ ଭଲ ସୁଯୋଗ ମିଳିଛି । ତେଣୁ ତୁମକୁ ଦୟାଳୁ ହେବାକୁ ପଡିବ । ତୁମେମାନେ ସାଧୁ ସନ୍ନ୍ୟାସୀଙ୍କ ଉପରେ ମଧ୍ୟ କୃପା କରୁଛ । ତୁମେ ସମସ୍ତଙ୍କୁ କହୁଛ ଏହି ଜ୍ଞାନ ଆସି ବୁଝ । ତୁମେ ନିଜର ପାରଲୌକିକ ପିତାଙ୍କୁ ଜାଣିନାହିଁ, ଯେଉଁ ପିତା ଭାରତକୁ ସବୁ କଳ୍ପରେ ସୁଖର ବର୍ସା ଦେଇଥାନ୍ତି । ଏକଥା କେହି ମଧ୍ୟ ଜାଣିନାହାଁନ୍ତି । କହୁଛନ୍ତି, ଏଠାରେ ଅଫିସରମାନେ ମଧ୍ୟ ଭ୍ରଷ୍ଟାଚାରୀ, ତେବେ ସେମାନଙ୍କୁ ଶ୍ରେଷ୍ଠାଚାରୀ କିଏ କରିବ?

ଆଜିକାଲି ତ ସାଧୁ ସମାଜର ବହୁତ ସମ୍ମାନ ରହିଛି । ତୁମେମାନେ ଲେଖୁଛ - ବାବା ତାଙ୍କ ଉପରେ ମଧ୍ୟ ଦୟା କରୁଛନ୍ତି, ଯେତେବେଳେ ଏହି କଥା ଜାଣିଯିବେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହେବେ । ଆଗକୁ ତୁମର ନାମ ବହୁତ ପ୍ରସିଦ୍ଧ ହୋଇଯିବ । ତୁମମାନଙ୍କ ନିକଟକୁ ବହୁତ ଆସିବେ । ପ୍ରଦର୍ଶନୀ ମଧ୍ୟ ଚାଲିବ । ଶେଷରେ ସମସ୍ତେ ନିଶ୍ଚିତ ରୂପେ ଜ୍ଞାନ ଶୁଣିବେ । ସନ୍ନ୍ୟାସୀମାନେ ମଧ୍ୟ ଜ୍ଞାନ ଶୁଣିବେ । ନଚେତ୍ କୁଆଡେ ଯିବେ, ଏହା ‌ତ ଏକମାତ୍ର ସ୍ଥାନ । ଆଗକୁ ବହୁତ ଉନ୍ନତି ହେବ । ବୁଝାଇବା ପାଇଁ ଭଲ ଭଲ ଚିତ୍ର ମଧ୍ୟ ବାହାରିବ ଯାହାକି କେହି ବି ଆସି ପଢିପାରିବେ । ଯେତେବେଳେ ଦୁନିଆରେ ଘୋର ଅଶାନ୍ତି ଦେଖାଦେବ ସେତେବେଳେ ଯାଇ ମନୁଷ୍ୟ ଜାଗ୍ରତ ହେବେ, କିନ୍ତୁ ସମୟ ଆଉ ନ ଥିବ । ତୁମମାନଙ୍କୁ ପୁରୁଷାର୍ଥ କରିବା ପାଇଁ ମଧ୍ୟ ସମୟ ନ ଥିବ । ଶେଷ ସମୟରେ କେତେ ବାଟ ଦୌଡିପାରିବ । ଦୌଡରେ ମଧ୍ୟ କେହି-କେହି ଆସ୍ତେ ଆସ୍ତେ ଦୌଡିଥାନ୍ତି । ଜିତିବାର ପୁରସ୍କାର ବହୁତ କମ ଜଣଙ୍କୁ ମିଳିଥାଏ । ତେବେ ଏହାକୁ ତୁମର ପୁରୁଷାର୍ଥର ଦୌଡ କୁହାଯିବ । ଜ୍ଞାନମାର୍ଗରେ ଆଗକୁ ଯିବା ପାଇଁ ମଧ୍ୟ ଜ୍ଞାନୀ ଆତ୍ମାଙ୍କର ସଙ୍ଗ ଦରକାର । କାହାକୁ ବାବାଙ୍କୁ ମନେ ପକାଇବା ପାଇଁ କହିବା ମଧ୍ୟ ଜ୍ଞାନ ଅଟେ ନା । ଏହି ଜ୍ଞାନ ଆଉ କାହାକୁ ଜଣାନାହିଁ । ଏହି ଜ୍ଞାନ ଦ୍ୱାରା ମନୁଷ୍ୟ ହୀରା ତୁଲ୍ୟ ହେଉଛନ୍ତି । ଅଜ୍ଞାନ ଦ୍ୱାରା କଉଡି ତୁଲ୍ୟ ହୋଇଯାଉଛନ୍ତି । ବାବା ଆସି ସତ୍ତ୍ୱପ୍ରଧାନ ପ୍ରାରବ୍ଧ ପ୍ରାପ୍ତ କରାଉଛନ୍ତି । ପୁଣି ତାହା ଧୀରେ ଧୀରେ କମି କମି ଯାଏ । ତେବେ ଏହି ଜ୍ଞାନକୁ ଧାରଣ କରି କର୍ମରେ ଆଣିବାକୁ ହେବ । ତୁମମାନଙ୍କୁ ମହାଦାନୀ ହେବାକୁ ପଡିବ । ଭାରତକୁ ମହାଦାନୀ କୁହାଯାଏ କାରଣ ଏଠାରେ ତୁମେମାନେ ବାବାଙ୍କ ନିକଟରେ ନିଜର ଶରୀର, ମନ ଏବଂ ଧନ ସବୁ କିଛି ଅର୍ପଣ କରି ଦେଇଛ । ତେଣୁ ବାବା ମଧ୍ୟ ସବୁ କିଛି ଅର୍ପଣ କରିଦେଉଛନ୍ତି । ଭାରତରେ ବହୁତ ମହାଦାନୀ ଅଛନ୍ତି । ବର୍ତ୍ତମାନ ତ ସମସ୍ତେ ଅନ୍ଧବିଶ୍ୱାସରେ ବୁଡି ରହିଛନ୍ତି । ଏଠାରେ ତୁମେ ଈଶ୍ୱରଙ୍କ ଶରଣକୁ ଆସିଛ । ରାବଣଠାରୁ ଦୁଃଖୀ ହୋଇ ଏବେ ରାମଙ୍କ ଶରଣକୁ ଆସିଛ । ତୁମେ ସବୁ ଶୋକବାଟିକାରେ ଥିଲ । ବର୍ତ୍ତମାନ ପୁଣି ଅଶୋକବାଟିକା ଅର୍ଥାତ୍ ସ୍ୱର୍ଗକୁ ଯିବ । ସ୍ୱର୍ଗ ସ୍ଥାପନ କରୁଥିବା ପିତାଙ୍କର ଶରଣକୁ ଆସିଛ । କେହି-କେହି ଛୋଟ ଅବସ୍ଥାରେ ହିଁ କାହାର ବାଧ୍ୟବାଧ୍ୟକତାରେ ଏଠାକୁ ଆସିଯାଇଛନ୍ତି । ତେଣୁ ତାଙ୍କୁ ଏଠାରେ ସୁଖର ଅନୁଭବ ହେଉନାହିଁ । କାରଣ ଭାଗ୍ୟରେ ନାହିଁ । ତାଙ୍କୁ ମାୟା ରାବଣର ଶରଣ ଦରକାର । ଈଶ୍ୱରଙ୍କର ଶରଣରୁ ବାହାରି ମାୟାର ଶରଣକୁ ଯିବାକୁ ଚାହୁଁଛନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ତେବେ ଏହି ଶିବାୟ ନମଃ ଗୀତ ବହୁତ ଭଲ । ତୁମେମାନେ ଏହି ଗୀତ ବଜାଇପାରିବ । ମନୁଷ୍ୟମାନେ ଏହାର ଅର୍ଥକୁ ବୁଝି ନାହାଁନ୍ତି । ତୁମେ କହିବ ଆମେ ଶ୍ରୀମତ ଅନୁସାରେ ଯଥାର୍ଥ ରୀତିରେ ବୁଝାଇପାରିବୁ । ସେମାନେ ତ ଯେପରି କଣ୍ଢେଇ ଖେଳ ଖେଳୁଛନ୍ତି । ଡ୍ରାମା ଅନୁସାରେ ଏହି ଗୀତର ମଧ୍ୟ ସହଯୋଗ ମିଳୁଛି । ବାବାଙ୍କର ହୋଇ ସେବା ନ କରିଲେ ବାବାଙ୍କ ହୃଦୟରେ କିପରି ବସିପାରିବ । କେହି କେହି ସନ୍ତାନ କୁପୁତ୍ର ହୋଇ କେତେ ଦୁଃଖ ଦେଉଛନ୍ତି । ଏହି ଜ୍ଞାନମାର୍ଗରେ ତ ମା ମରିଗଲେ ମଧ୍ୟ ହାଲୁଆ ଖାଅ, ସ୍ତ୍ରୀ ମରିଗଲେ ମଧ୍ୟ ହାଲୁଆ ଖାଅ ଅର୍ଥାତ୍ ଯେତେ ଦୁଃଖ ଆସିଲେ ମଧ୍ୟ ବିଚଳିତ ହେବାର ନାହିଁ । କାନ୍ଦିବାର ନାହିଁ । ଡ୍ରାମା ଉପରେ ନିଶ୍ଚୟ ରହିବା ଦରକାର । ମମ୍ମା-ବାବାଙ୍କ ସହିତ ଅନନ୍ୟ ସନ୍ତାନମାନେ ମଧ୍ୟ ଆଗରୁ ଚାଲିଯିବେ ଅର୍ଥାତ୍ ଶରୀର ଛାଡିଦେବେ । ଅଭିନୟ ତ କରିବାକୁ ହିଁ ହେବ । ଏଥିରେ ଚିନ୍ତାର କୌଣସି କାରଣ ନାହିଁ । ସାକ୍ଷୀ ହୋଇ ଏହି ଖେଳକୁ ଦେଖିବା ଉଚିତ୍ । ତୁମମାନଙ୍କର ଅବସ୍ଥା ସବୁବେଳେ ହର୍ଷିତ ରହିବା ଉଚିତ୍ । ବାବାଙ୍କର ମଧ୍ୟ ଚିନ୍ତନ ଚାଲୁଛି, ନିୟମ ଅନୁସାରେ ଜନ୍ମ ତ ନିଶ୍ଚିତ ନେବାକୁ ହେବ । ଏପରି ନୁହେଁ ଯେ ମମ୍ମା-ବାବା ପରିପୂର୍ଣ୍ଣ ହୋଇଗଲେଣି । ପରିପୂର୍ଣ୍ଣ ଅବସ୍ଥା ତ ଶେଷରେ ହେବ । ଏହି ସମୟରେ କେହି ବି ନିଜକୁ ପରିପୂର୍ଣ୍ଣ ବୋଲି କହିପାରିବେ ନାହିଁ । କୌଣସି କ୍ଷୟ-କ୍ଷତି ହେଲା, ଗଣ୍ଡଗୋଳ ହେଲା, ଖବରକାଗଜରେ ବ୍ରହ୍ମାକୁମାରୀ ସଂସ୍ଥା ନାମରେ ହାହାକାର ହେଲା, ଏସବୁ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ଏଥିରେ ଚିନ୍ତା କରିବାର କିଛି କଥା ନାହିଁ, ୧୦୦ ପ୍ରତିଶତ ସମ୍ପୂର୍ଣ୍ଣ ଅବସ୍ଥା ଶେଷ ସମୟରେ ହିଁ ହେବ । ବାବାଙ୍କ ହୃଦୟରେ ସେତେବେଳେ ବସିପାରିବ ଯେତେବେଳେ ଦୟାଶୀଳ ହେବ ଏବଂ ଅନ୍ୟମାନଙ୍କୁ ନିଜ ଭଳି କରିପାରିବ । ନିଜର ସର୍ବସ୍ୱ ସେବାରେ ଲଗାଇ ଦେବା ଅର୍ଥାତ୍ ବୀମା କରିବା ଅଲଗା କଥା କାରଣ ତାହା ତ ତୁମେ ନିଜ ପାଇଁ ହିଁ କରୁଛ । ଏହା ତ ଜ୍ଞାନ ରତ୍ନର ଦାନ ଯାହାକି ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ହେବ । ବାବାଙ୍କୁ ପୁରା ମନେ ନ ପକାଇଲେ ମୁଣ୍ଡ ଉପରେ ଯେଉଁ ବିକର୍ମର ବୋଝ ରହିଛି ତାହା ଭୋଗିବାକୁ ପଡିବ । ପ୍ରଦର୍ଶନୀ ବୁଝାଇବାରେ ମଧ୍ୟ ତୀକ୍ଷ୍‌ଣ ବୁଦ୍ଧି ଦରକାର । ହୁସିଆର ହେବା ଦରକାର । ରାତିରେ ବାବାଙ୍କୁ ମନେ ପକାଇବାରେ ବହୁତ ମଜା ଆସିଥାଏ । ଏହି ଆତ୍ମିକ ପ୍ରେମିକଙ୍କୁ ଅମୃତବେଳାରେ ମନେ ପକାଇବାକୁ ହେବ । ବାବା ଆପଣ କେତେ ମଧୁର ଅଟନ୍ତି, ଆମେ କଣ ଥିଲୁ ଆମକୁ କଣ କରିଦେଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ହୃଦୟରେ ସଦା ସର୍ବଦା ସତ୍ୟତାକୁ ଧାରଣ କରିବାକୁ ହେବ । ସତ୍ୟ କହିବାକୁ ହେବ ଏବଂ ସତ୍ୟମାର୍ଗରେ ଚାଲିବାକୁ ହେବ । ଦେହ-ଅଭିମାନର ବଶୀଭୂତ ହୋଇ ନିଜକୁ ସର୍ବଜ୍ଞ ବୋଲି ଭାବିବା ଉଚିତ୍ ନୁହେଁ । ଅହଂକାର କରିବା ଉଚିତ୍ ନୁହେଁ ।

(୨) ସାକ୍ଷୀ ହୋଇ ଡ୍ରାମାର ଖେଳକୁ ଦେଖିବାକୁ ହେବ । ଡ୍ରାମା ଉପରେ ନିଶ୍ଚୟ ରଖିବାକୁ ହେବ । କୌଣସି କଥାର ଚିନ୍ତା କରିବାର ନାହିଁ । ନିଜର ଅବସ୍ଥାକୁ ସର୍ବଦା ହର୍ଷିତ ରଖିବାକୁ ହେବ ।

ବରଦାନ:-
ସ୍ୱରାଜ୍ୟର ସତ୍ତା ଦ୍ୱାରା ବିଶ୍ୱ ରାଜ୍ୟର ସତ୍ତା ପ୍ରାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ ।

ଯେଉଁମାନେ ବର୍ତ୍ତମାନ ସ୍ୱରାଜ୍ୟ ସତ୍ତାଧାରୀ ଅର୍ଥାତ୍ କର୍ମେନ୍ଦ୍ରିୟଜିତ୍ ଅଟନ୍ତି ସେହିମାନେ ହିଁ ବିଶ୍ୱର ରାଜ୍ୟ ସତ୍ତା ପ୍ରାପ୍ତ କରିଥାଆନ୍ତି କାରଣ ସ୍ୱରାଜ୍ୟ ଅଧକାରୀ ହିଁ ବିଶ୍ୱ ରାଜ୍ୟ ଅଧିକାରୀ ହୋଇଥାଆନ୍ତି । ତେବେ ଚେକ୍ କର ଯେ ନିଜର ମନ-ବୁଦ୍ଧି ଏବଂ ସଂସ୍କାର ଯାହାକି ଆତ୍ମାର ଶକ୍ତି ଅଟନ୍ତି, ଆତ୍ମା ତିନୋଟି ଯାକର ମାଲିକ ଅଟେ ତ? ମନ ତୁମକୁ ଚଲାଉଛି, ନା ତୁମେ ମନକୁ ଚଲାଉଛ? ସଂସ୍କାର କେବେ କେବେ ନିଜ ଆଡକୁ ଟାଣି ନେଉନାହିଁ ତ? ତେବେ ସ୍ୱରାଜ୍ୟ ଅଧିକାରୀର ସ୍ଥିତି ସର୍ବଦା ମାଷ୍ଟର ସର୍ବଶକ୍ତିମାନ ଅଟେ ଯେଉଁଥିରେ କୌଣସି ଶକ୍ତିର କମି ନ ଥିବ ।

ସ୍ଲୋଗାନ:-
ସର୍ବ ସମ୍ପତ୍ତିର ଚାବି - ମେରା ବାବା ଶବ୍ଦର ସ୍ମୃତି ଯଦି ସାଥୀରେ ଥିବ ତେବେ କୌଣସି ଆକର୍ଷଣ ଆକର୍ଷିତ କରିପାରିବ ନାହିଁ ।