11.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କ ଭିତରେ ଅସରନ୍ତି ଖୁସୀ ରହିବା ଦରକାର, ଯେ ଆମେ ଏବେ ଏହି ଶରୀର ରୂପୀ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ଘରକୁ ଯିବୁ ପୁଣି ନୂଆ ବସ୍ତ୍ର ନୂଆ ଦୁନିଆରେ ଗ୍ରହଣ କରିବୁ ।

ପ୍ରଶ୍ନ:-
ଡ୍ରାମାର କେଉଁ ରହସ୍ୟକୁ ଅତି ସୂକ୍ଷ୍ମ ଭାବରେ ବୁଝିବାକୁ ହେବ ?

ଉତ୍ତର:-
ଏହି ଡ୍ରାମା ଉଙ୍କୁଣୀ ସଦୃଶ ଧୀରେ ଧୀରେ ଗତି କରୁଛି ଏବଂ ଘଣ୍ଟା ଭଳି ଟିକ୍ଟିକ୍ ହୋଇଚାଲିଛି । ଯାହାର ଯେଉଁ ଅଭିନୟ ଚାଲିଛି ତାହା ପୁଣି ସେହିପରି ୫ ହଜାର ବର୍ଷ ପରେ ମଧ୍ୟ ଅବିକଳ ପୁନରାବୃତ୍ତି ହେବ, ଏହି ସୂକ୍ଷ୍ମ ରହସ୍ୟକୁ ଭଲ ଭାବରେ ବୁଝିବାକୁ ହେବ । ଯେଉଁ ପିଲାମାନେ ଏହି ରହସ୍ୟକୁ ଯଥାର୍ଥ ରୂପେ ବୁଝିପାରି ନଥାନ୍ତି ସେମାନେ କହି ଦିଅନ୍ତି ଡ୍ରାମାରେ ଥିଲେ ପୁରୁଷାର୍ଥ କରିବୁ, ସେମାନେ କେବେ ଉଚ୍ଚ ପଦ ପାଇପାରିବେ ନାହିଁ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ବାବାଙ୍କର ପରିଚୟ ମିଳିଲା ତେଣୁ ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ, ସେଥିପାଇଁ ପବିତ୍ର ହେବାକୁ ପଡ଼ିବ । ମନୁଷ୍ୟ ଡାକୁଛି ମଧ୍ୟ ହେ ପତିତ-ପାବନ ଆସ, ଏଠାକୁ ଆସି ଆମକୁ ପବିତ୍ର କର କାରଣ ମନୁଷ୍ୟ ଜାଣିଛି ଯେ ଆମର ବୁଦ୍ଧି ପତିତ ହୋଇଯାଇଛି । ବୁଦ୍ଧି ମଧ୍ୟ କହୁଛି ଏହା ପତିତ ଲୌହଯୁଗୀ ଦୁନିଆ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ ଏବଂ ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯାଉଛି । ତୁମମାନଙ୍କୁ ଏବେ ବାବା ମିଳିଛନ୍ତି, ଭକ୍ତମାନଙ୍କୁ ଭଗବାନ ମିଳିଛନ୍ତି, ଏକଥା ମଧ୍ୟ କହିଥାନ୍ତି ଯେ ଭକ୍ତି ପରେ ଭଗବାନ ଆସିବେ, ଆମକୁ ଭକ୍ତିର ଫଳ ଦେବେ । ଭକ୍ତିମାର୍ଗରେ ବହୁତ ପରିଶ୍ରମ କରିଥାନ୍ତି ତେଣୁ ଫଳ ମଧ୍ୟ ମାଗିଥାନ୍ତି । ଭକ୍ତମାନେ କିପରି ପରିଶ୍ରମ କରୁଛନ୍ତି ତାହା ତୁମେ ଜାଣିଛ । ତୁମେମାନେ ଅଧାକଳ୍ପ ହେବ, ଭକ୍ତି ମାର୍ଗରେ ଧକ୍କା ଖାଇ ଥକି ଯାଇଛ । ଭକ୍ତିରେ ବହୁତ ମେହନତ କରିଛ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଲାଭ ପାଇବା ପାଇଁ ହିଁ ପରିଶ୍ରମ କରାଯାଇଥାଏ । ଭାବୁଛନ୍ତି ଭଗବାନ୍ ଆସିବେ ଭକ୍ତିର ଫଳ ଦେବେ, ତେବେ ଫଳଦାତା ଭଗବାନ ହିଁ ଅଟନ୍ତି । ଭକ୍ତ ଭଗବାନଙ୍କୁ ମନେପକାଇଥାନ୍ତି କାହିଁକିନା ଭକ୍ତିରେ ଦୁଃଖ ରହିଛି, ତେଣୁ କହୁଛନ୍ତି ହେ ଭଗବାନ ଆସ, ଆମର ଦୁଃଖ ହରଣ କରି ଆମକୁ, ପବିତ୍ର କର ।

ଏ ଦୁନିଆରେ କେହି ବି ଜାଣିନାହାଁନ୍ତି ଯେ ଏବେ ରାବଣ ରାଜ୍ୟ ଚାଲିଛି । ରାବଣ ହିଁ ସମସ୍ତଙ୍କୁ ପତିତ କରିଛି । ଏକଥା ମଧ୍ୟ କହୁଛନ୍ତି ଯେ ରାମ ରାଜ୍ୟ ଦରକାର କିନ୍ତୁ ତାହା କେବେ, କିପରି ହେବ ଏକଥା କେହି ବି ଜାଣିନାହାଁନ୍ତି । ଆତ୍ମା ଜାଣିଛି ଯେ ଏବେ ରାବଣ ରାଜ୍ୟ ଚାଲିଛି । ଏହା ହେଉଛି ଭକ୍ତି ମାର୍ଗ । ଭକ୍ତମାନେ ବହୁତ ନାଟ-ତାମସା କରିଥାନ୍ତି । ପ୍ରଭୁ ପ୍ରେମରେ ଖୁସି ହୋଇ ପୁଣି କାନ୍ଦିଥାନ୍ତି । ଭଗବାନଙ୍କ ପ୍ରେମରେ ଆଖିରେ ଲୁହ ମଧ୍ୟ ଆସିଯାଏ କିନ୍ତୁ ପ୍ରକୃତରେ ଭଗବାନଙ୍କୁ ଜାଣିନଥାନ୍ତି । ତେବେ ଯାହାଙ୍କ ସ୍ନେହରେ ଲୁହ ଆସିଯାଉଛି, ତାଙ୍କୁ ନିଶ୍ଚୟ ଜାଣିବା ଦରକାର । ଚିତ୍ରରୁ (ଫଟୋ) କିଛି ମିଳିନଥାଏ, କେହି କେହି ବହୁତ ଭକ୍ତି କରିଥାନ୍ତି ତେଣୁ ତାଙ୍କୁ ସାକ୍ଷାତ୍କାର ହୋଇଥାଏ । ବାସ୍ ତାହାହିଁ ତାଙ୍କ ପାଇଁ ଖୁସିର କଥା । ବର୍ତ୍ତମାନ ଭଗବାନ ନିଜେ ଆସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ କିଏ । ମୁଁ ଯିଏ ଏବଂ ଯେପରି ସେହିପରି ଏ ଦୁନିଆରେ କେହି ବି ମୋତେ ଜାଣିନାହାଁନ୍ତି । ତୁମମାନଙ୍କ ଭିତରୁ ମଧ୍ୟ ଯେଉଁମାନେ ବାବା ବାବା ବୋଲି କହୁଛନ୍ତି ସେମାନଙ୍କ ଭିତରୁ ମଧ୍ୟ କେହି ପକ୍କା, କେହି କଚ୍ଚା ଅଟନ୍ତି । ତେବେ ଦେହ-ଅଭିମାନ ତୁଟାଇବାରେ ହିଁ ପରିଶ୍ରମ କରିବାକୁ ପଡିଥାଏ । ତୁମମାନଙ୍କୁ ଏବେ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ବାବା କହୁଛନ୍ତି ତୁମେ ସମସ୍ତେ ଆତ୍ମା କିନ୍ତୁ, ତୁମେ ଏବେ ୮୪ ଜନ୍ମ ଭୋଗ କରି ତମୋପ୍ରଧାନ ହୋଇଯାଇଛ । ଏବେ ଆତ୍ମାକୁ ତୃତୀୟ ନେତ୍ର ମିଳିଛି । ତେଣୁ ଡ୍ରାମାର ସବୁ ରହସ୍ୟକୁ ବୁଝିପାରୁଛି । ତୁମମାନଙ୍କୁ ସାରା ସୃଷ୍ଟି ଚକ୍ରର ଜ୍ଞାନ ବାବା ଦେଉଛନ୍ତି । ବାବା ଜ୍ଞାନର ସାଗର ତେଣୁ ପିଲାମାନଙ୍କୁ ମଧ୍ୟ ଜ୍ଞାନ ଦେଉଛନ୍ତି । କେହି ଯଦି ତୁମମାନଙ୍କୁ ପଚାରୁଛନ୍ତି ଯେ କେବଳ ତୁମେମାନେ ହିଁ ୮୪ ଜନ୍ମ ନେଉଛ ? ତେବେ କୁହ ହଁ, ଆମ ମଧ୍ୟରେ କେହି ୮୪, କେହି ୮୨ ଜନ୍ମ ନେଉଛନ୍ତି । ଅଧିକରୁ ଅଧିକ ୮୪ ଜନ୍ମ ହିଁ ନେଉଛନ୍ତି । ଯେଉଁମାନେ ପ୍ରଥମରୁ ଆସୁଛନ୍ତି ସେହିମାନେ ହିଁ ୮୪ ଜନ୍ମ ନେଉଛନ୍ତି । ଯେଉଁମାନେ ଭଲ ଭାବରେ ପାଠପଢ଼ି ଉଚ୍ଚପଦ ପାଉଛନ୍ତି, ସେମାନେ ପ୍ରଥମେ ଆସିବେ । ସେମାନେ ମାଳାରେ ପାଖାପାଖି ରହିବେ ଅର୍ଥାତ୍ ନୂଆ ଦୁନିଆରେ ପ୍ରଥମେ ପ୍ରଥମେ ଆସିବେ । ଯେପରି ନୂଆ ଘର ତିଆରି ହେଲେ ମନରେ ଆସିଥାଏ ଯେ ଜଲ୍ଦି ସମ୍ପୂର୍ଣ୍ଣ ହୋଇଗଲେ ଆମେ ସେହି ଘରେ ଯାଇ ରହିବୁ । ସେହିଭଳି ତୁମେମାନେ ମଧ୍ୟ ଖୁସି ହେବା ଦରକାର - ଏବେ ଆମେ ଏହି ପୁରୁଣା ବସ୍ତ୍ର (ଶରୀର) ତ୍ୟାଗ କରି ନୂଆ ଗ୍ରହଣ କରିବୁ । ନାଟକରେ ଅଭିନେତାମାନେ ଘଣ୍ଟାଏ ଅଧଘଣ୍ଟା ପୂର୍ବରୁ ହିଁ ଘଡ଼ିକୁ ଦେଖିଥାନ୍ତି, ସମୟ ଶେଷ ହେଲେ ଆମେ ଘରକୁ ଯିବୁ ଏବଂ ସେହି ସମୟ ମଧ୍ୟ ଆସିଯାଇଥାଏ । ତୁମମାନଙ୍କ ପାଇଁ ଏହା ବେହଦର ଘଡ଼ି ଅଟେ । ତୁମେ ଜାଣିଛ ଆମର କର୍ମାତୀତ ଅବସ୍ଥା ଆସିଲେ ଏଠାରେ ରହିପାରିବୁ ନାହିଁ । କର୍ମାତୀତ ହେବା ପାଇଁ ମଧ୍ୟ ଯୋଗବଳ ଦରକାର, ସେଥିପାଇଁ ବହୁତ ପରିଶ୍ରମର କରିବାକୁ ହେବ । ତୁମେମାନେ ନୂଆ ଦୁନିଆକୁ ଯିବ ପୁଣି ସେଠାରେ ଗୋଟିଏ ଗୋଟିଏ ଜନ୍ମରେ ତୁମର କଳା କମ୍ ହୋଇଚାଲିବ । ନୂଆ ଘରେ ମଧ୍ୟ ୬ ମାସ ରହିଲା ପରେ କିଛି ନା କିଛି ଦାଗ ଆଦି ହୋଇଯାଇଥାଏ ନା । ସାମାନ୍ୟ ଫରକ ପଡ଼ିଥାଏ । ସେହିପରି ନୂଆ ଦୁନିଆରେ ମଧ୍ୟ କେହି କେହି ପ୍ରଥମେ ଆସିବେ, କେହି ପୁଣି ଟିକେ ବିଳମ୍ବରେ ଆସିବେ । ପ୍ରଥମେ ଯେଉଁମାନେ ଆସିବେ ତାଙ୍କୁ ସତ୍ତ୍ୱପ୍ରଧାନ କୁହାଯିବ ପୁଣି ଧିରେ-ଧିରେ କଳା କମ୍ ହୋଇଯିବ । ଏହି ଡ୍ରାମାର ଚକ୍ର ଉଙ୍କୁଣୀ ସଦୃଶ ଧୀରେ ଧୀରେ ଚାଲୁଛି ଏବଂ ଘଣ୍ଟାଭଳି ଟିକ୍ଟିକ୍ ହୋଇ ଘୁରି ଚାଲିଛି । ତୁମେ ଜାଣିଛ ସାରା ଦୁନିଆରେ ଯାହାର ଯେଉଁ ଅଭିନୟ ଚାଲିଛି, ସେହି ଚକ୍ର ଘୂରିଚାଲିଛି । ବୁଝିବା ପାଇଁ ଏହା ବହୁତ ସୂକ୍ଷ୍ମ କଥା ଅଟେ । ବାବା ନିଜ ଅନୁଭବରୁ ଏକଥା ଶୁଣାଉଛନ୍ତି ।

ତୁମେ ଜାଣିଛ ଏହି ପାଠପଢ଼ା ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ । ଏହା ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ଏହି ଚକ୍ର ବିଷୟରେ କେହି ବି ଜାଣିନାହାଁନ୍ତି । ଏହାର କ୍ରିଏଟର (ରଚୟିତା), ଡାଇରେକ୍ଟର (ନିର୍ଦ୍ଦେଶକ), ମୁଖ୍ୟ ଅଭିନେତା କିଏ ଏକଥା କେହି କିଛି ବି ଜାଣି ନାହାଁନ୍ତି । ଏବେ ତୁମେ ଜାଣୁଛ ଆମେ ୮୪ ଜନ୍ମ ଭୋଗ କରି ଘରକୁ ଫେରିବୁ । ଆମେ ଆତ୍ମା । ଯେତେ ଦେହୀ-ଅଭିମାନୀ ହୋଇ ରହିବ ସେତେ ଖୁସିର ନିଶା ଚଢ଼ିବ । ତାହା ହେଲା ବିନାଶୀ ନାଟକ, ଏହା ଅବିନାଶୀର ନାଟକ । ବାବା ଆମ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି, ଏକଥା ଆଗରୁ କହିବେ ନାହିଁ ଯେ ଅମୁକ ସମୟରେ ଏପରି ହେବ । ବାବାଙ୍କୁ କୌଣସି କଥା ପଚାରିଲେ କହନ୍ତି ଡ୍ରାମାରେ ଯାହା କିଛି କହିବାକୁ ଥିଲା କହିଦେଲି, ଡ୍ରାମା ଅନୁସାରେ ଯାହା ଉତ୍ତର ମିଳିବାକୁ ଥିଲା ମିଳିଗଲା, ବାସ୍ ସେହି ଅନୁସାରେ ଚାଲିବାକୁ ହେବ । ଡ୍ରାମା ବିନା ବାବା କିଛି ମଧ୍ୟ କରିପାରିବେ ନାହିଁ । କେହି କେହି ପିଲା କହିଥାନ୍ତି ଡ୍ରାମାରେ ଥିଲେ ଆମେ ପୁରୁଷାର୍ଥ କରିବୁ, ତେବେ ଯେଉଁମାନେ ଏଭଳି କହିଥାନ୍ତି ସେମାନେ କେବେ ଉଚ୍ଚପଦ ପାଇପାରିବେ ନାହିଁ । ବାବା କହୁଛନ୍ତି ତୁମକୁ ପୁରୁଷାର୍ଥ କରିବାକୁ ପଡ଼ିବ । କଳ୍ପ ପୂର୍ବ ଭଳି ଡ୍ରାମା ତୁମମାନଙ୍କୁ ଏବେ ମଧ୍ୟ ପୁରୁଷାର୍ଥ କରାଉଛି । କେହି କେହି ଡ୍ରାମା ଉପରେ ନିର୍ଭର କରିଥାନ୍ତି ଏବଂ କହିଥାନ୍ତି ଡ୍ରାମାରେ ଯାହା ଥିବ ହେବ, ତେବେ ସେମାନଙ୍କ ପାଇଁ ବୁଝିବାକୁ ହଏ ଯେ ଏମାନଙ୍କ ଭାଗ୍ୟରେ ନାହିଁ । ଏବେ ତୁମମାନଙ୍କର ସ୍ମୃତି ଆସୁଛି ଆମେ ହେଉଛୁ ଆତ୍ମା, ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ । ଯେପରି ଆତ୍ମା ଅବିନାଶୀ, ସେହିପରି ଆତ୍ମାର ଅଭିନୟ ମଧ୍ୟ ଅବିନାଶୀ ଅଟେ । ଆତ୍ମାରେ ୮୪ ଜନ୍ମର ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି ପୁଣି ସେହି ପାର୍ଟ ହିଁ କରିବ । ଏହାକୁ ପ୍ରକୃତି ବୋଲି କୁହାଯାଉଛି । ପ୍ରକୃତି ବିଷୟରେ ଆଉ ଅଧିକ କଣ ବର୍ଣ୍ଣନା କରିବା । ଏବେ ମୁଖ୍ୟ କଥା ହେଉଛି ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ । ଏବେ କେବଳ ଏହି ଗୋଟିଏ ଚିନ୍ତା ରହିଛି । କର୍ମଧନ୍ଦା କରି ମଧ୍ୟ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ ନା । ଏକମାତ୍ର ପ୍ରେମିକକୁ ସବୁ ପ୍ରେମିକା (ଆତ୍ମାମାନେ) ମନେପକାଇଥାନ୍ତି । ସେହି ପ୍ରେମିକ ମଧ୍ୟ କହୁଛନ୍ତି, ଏବେ କେବଳ ମୋତେ ମନେପକାଅ । ମୁଁ ତୁମକୁ ପବିତ୍ର କରିବାକୁ ଆସିଛି, ତୁମେମାନେ ମୋତେ ହିଁ ପତିତ ପାବନ ବୋଲି କହୁଛ ପୁଣି ମୋତେ ଭୁଲି ଗଙ୍ଗାକୁ କାହିଁକି ପତିତ-ପାବନୀ ବୋଲି କହୁଛ ? ଏବେ ତୁମେମାନେ ଜାଣିଗଲ ତେଣୁ ସେସବୁ ଛାଡ଼ି ଦେଇଛ । ତୁମେ ଜାଣିଛ ବାବା ହିଁ ପତିତ-ପାବନ ଅଟନ୍ତି । ତେଣୁ ଶ୍ରୀକୃଷ୍ଣଙ୍କୁ ପତିତ-ପାବନ ମନେ କରି କେବେ ବି ତାଙ୍କୁ ସ୍ମରଣ କରିବ ନାହିଁ । ଭଗବାନ କିପରି ଏ ସୃଷ୍ଟିକୁ ଆସୁଛନ୍ତି - ଏକଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କ ଆତ୍ମା ଯିଏକି ସତ୍ୟଯୁଗର ରାଜକୁମାର ଥିଲେ ସିଏ ଅନେକ ନାମ ରୂପ ଧାରଣ କରି-କରି ଏବେ ତମୋପ୍ରଧାନ ହୋଇଯାଇଛନ୍ତି ପୁଣି ସତ୍ତ୍ୱୋପ୍ରଧାନ ହେବେ । ଶାସ୍ତ୍ରରେ ଏହି ଭୁଲ୍ କରିଦେଇଛନ୍ତି । ଯେତେବେଳେ ଏହି ଭୁଲ୍ ହୋଇଥାଏ ସେତେବେଳେ ମୁଁ ଆସି ଅଭୁଲ କରାଇଥାଏ ନା । ଏହି ଭୁଲ୍ ହେବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି, ପୁଣି ମଧ୍ୟ ଏହି ଭୁଲ୍ ହେବ । ଏବେ ତୁମକୁ ବୁଝାଇ ଦିଆଯାଉଛି, ଶିବ ଭଗବାନୁବାଚ । ଭଗବାନ ଶିବଙ୍କୁ ହିଁ କହିଥାନ୍ତି । ତେଣୁ ଭଗବାନ କେବଳ ଜଣେ ହିଁ ଅଟନ୍ତି । ସବୁ ଭକ୍ତମାନଙ୍କୁ ଫଳ ଦେବାପାଇଁ ଜଣେ ମାତ୍ର ଭଗବାନ ରହିଛନ୍ତି । ତାଙ୍କୁ କେହି ବି ଜାଣି ପାରିବେ ନାହିଁ । ଆତ୍ମା ଭଗବାନଙ୍କୁ ହେ ଈଶ୍ୱର ପିତା ବୋଲି କହୁଛି । ଲୌକିକ ପିତା ତ ଏଠାରେ ଅଛନ୍ତି ତଥାପି ମଧ୍ୟ ସେହି ପିତାଙ୍କୁ ମନେପକାଉଛନ୍ତି, ତେଣୁ ଆତ୍ମାର ଦୁଇଜଣ ପିତା ହୋଇଗଲେ । ଭକ୍ତିମାର୍ଗରେ ସେହି ପିତାଙ୍କୁ ମନେପକାଇଥାନ୍ତି । ଆତ୍ମା ତ ରହିଛି । ଏତେ ସବୁ ଆତ୍ମାମାନଙ୍କୁ ନିଜ-ନିଜର ଅଭିନୟ ମିଳିଛି । ପିଲାମାନଙ୍କୁ ଗୋଟିଏ ଶରୀର ତ୍ୟାଗକରି ପୁଣି ଅନ୍ୟ ଏକ ଶରୀର ନେଇ ଅଭିନୟ କରିବାକୁ ପଡ଼ିଥାଏ । ଏସବୁ କଥା ବାବା ହିଁ ବୁଝାଉଛନ୍ତି । ସମସ୍ତେ କହିଥାନ୍ତି ମଧ୍ୟ ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ । ଏହା ଏକ ନାଟ୍ୟଶାଳା ଅଟେ । ଏଠାରେ ଏହି ଚନ୍ଦ୍ର-ତାରକା ଆଦି ସବୁ ବତୀ ଅଟେ । ଏହି ସୂର୍ଯ୍ୟ, ଚନ୍ଦ୍ର ତାରକାକୁ ମଧ୍ୟ ମନୁଷ୍ୟମାନେ ଦେବତା କହିଦେଉଛନ୍ତି । କାହିଁକିନା ଏମାନେ ବହୁତ ଭଲ କାମ କରୁଛନ୍ତି, ରିମ୍ଝିମ୍ କରୁଛନ୍ତି, କାହାକୁ କଷ୍ଟ ଦେଉନାହାଁନ୍ତି, ସମସ୍ତଙ୍କୁ ସୁଖ ଦେଉଛନ୍ତି । ବହୁତ ବଡ କାମ କରୁଛନ୍ତି ସେଥିପାଇଁ ତାଙ୍କୁ ଦେବତା କହିଦେଉଛନ୍ତି । ଯିଏ ଭଲ କାମ କରିଥାନ୍ତି ତାଙ୍କୁ କହିଥାନ୍ତି ନା ଇଏ ତ ଯେପରି ଦେବତା ଅଟନ୍ତି । ବାସ୍ତବରେ ଦେବତାମାନେ ତ ସତ୍ୟଯୁଗରେ ଥିଲେ । ସେମାନେ ସମସ୍ତେ ସୁଖଦାୟୀ ଥିଲେ । ସେଠାରେ ସମସ୍ତଙ୍କର ସମସ୍ତଙ୍କ ପ୍ରତି ବହୁତ ସ୍ନେହ ଥିଲା ସେଥିପାଇଁ ଦେବତାମାନଙ୍କ ସହିତ ତାଙ୍କର ତୁଳନା କରାଯାଇଛି । ଦେବତାମାନଙ୍କ ଗୁଣର ମଧ୍ୟ ଗାୟନ ରହିଛି । ତାଙ୍କ ଆଗରେ ଯାଇ ଗାୟନ କରିଥାନ୍ତି ଆମେ ଗୁଣହୀନ (ନିର୍ଗୁଣ) ଆମ ପାଖରେ କୌଣସି ଭଲ ଗୁଣ ନାହିଁ, ଆପଣ ହିଁ ଦୟା କରନ୍ତୁ ... ଆପଣଙ୍କୁ ତ ଦୟା କରିବାକୁ ପଡ଼ିବ । ବାବା କହୁଛନ୍ତି ମୋତେ ଦୟା ଲାଗୁଛି ତେଣୁ ମୁଁ ପୁଣି ଥରେ ଆସୁଛି, ତୁମକୁ ଗୁଣବାନ୍ କରାଇବା ପାଇଁ । ତୁମେ ପୂଜ୍ୟ ଥିଲ, ଏବେ ପୂଜାରୀ ହୋଇଛ ପୁଣି ଭବିଷ୍ୟତରେ ପୂଜ୍ୟ ହେବ । ହମ୍ ସୋ ର ଅର୍ଥକୁ ମଧ୍ୟ ମୁଁ ତୁମକୁ ବୁଝାଇଛି । ମନୁଷ୍ୟ ତ କହିଦେଉଛନ୍ତି ଆତ୍ମା ସୋ ପରମାତ୍ମା, ପରମାତ୍ମା ସୋ ଆତ୍ମା, ବାବା କହୁଛନ୍ତି ଏହା ଭୁଲ୍ ଅଟେ । ତୁମେ ଆତ୍ମାମାନେ ସବୁ ନିରାକାର ଥିଲ ପୁଣି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛ । ଏବେ ତୁମେ ବ୍ରାହ୍ମଣ ବର୍ଣ୍ଣରେ ଆସିଛ । ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋରେ ଆସୁଛି । ଏବେ ତୁମେମାନେ ବୁଝୁଛ ଯେ ଏହି ଜ୍ଞାନ ବାବା ପ୍ରତି କଳ୍ପର ସଙ୍ଗମ ଯୁଗରେ ଆମକୁ ଦେଉଛନ୍ତି । ବାସ୍ତବରେ ଭାରତ ସ୍ୱର୍ଗ ଥିଲା, ସେଠାରେ କେତେ କମ୍ ମନୁଷ୍ୟ ରହୁଥିଲେ । ବର୍ତ୍ତମାନ ହେଉଛି କଳିଯୁଗ । ସବୁ ଧର୍ମ ଏ ଦୁନିଆକୁ ଆସିଗଲେଣି । ସତ୍ୟଯୁଗରେ କୌଣସି ଧର୍ମ ନଥିଲା । ସେଠାରେ କେବଳ ଗୋଟିଏ ଧର୍ମ ରହିବ । ବାକି ସବୁ ଆତ୍ମାମାନେ ପରମଧାମକୁ ଚାଲିଯିବେ । ତୁମେମାନେ ଜାଣିଛ ବର୍ତ୍ତମାନ ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ତେଣୁ ବାବା ରାଜଯୋଗ ଶିଖାଉଛନ୍ତି । ଯଦି କେହି ବି ଆସୁଛନ୍ତି, ତେବେ ତାଙ୍କୁ କୁହ, ଏହା ବେହଦର ଘଡ଼ି ଅଟେ । ବାବା ଦିବ୍ୟ ଦୃଷ୍ଟି ଦ୍ୱାରା ଏହି ଘଡ଼ି ତିଆରି କରିଛନ୍ତି । ଯେପରି ସେହି ଘଡ଼ିକୁ ତୁମେ ବାରମ୍ବାର ଦେଖୁଛ, ଏବେ ଏହି ବେହଦର ଘଡ଼ି ମନେ ପଡ଼ୁଛି । ବାବା ବ୍ରହ୍ମାଙ୍କ ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ଆସୁରୀ ଦୁନିଆର ବିନାଶ କରାଉଛନ୍ତି । ବୁଦ୍ଧି ମଧ୍ୟ କହୁଛି ଚକ୍ର ନିଶ୍ଚୟ ଘୂରିବା ଦରକାର । କଳିଯୁଗ ପରେ ସତ୍ୟଯୁଗ ଆସିବ । ବର୍ତ୍ତମାନ ବହୁତ ମନୁଷ୍ୟ ଅଛନ୍ତି, ଉପଦ୍ରବ ମଧ୍ୟ ବହୁତ ହୋଇଚାଲିଛି । ଏହା ହିଁ ସେହି ମୁସଳ ଅଟେ । ଶାସ୍ତ୍ରରେ ତ କେତେ କଥା ଲେଖି ଦେଇଛନ୍ତି । ବାବା ଆସି ସମସ୍ତ ବେଦ-ଶାସ୍ତ୍ରର ସାରାଂଶକୁ ବୁଝାଉଛନ୍ତି । ଚାରୋଟି ମୁଖ୍ୟ ଧର୍ମ ମଧ୍ୟ ରହିଛି । ୫ ନମ୍ବରରେ ଏହି ବ୍ରାହ୍ମଣ ଧର୍ମ ରହିଛି । ଏହା ସବୁଠାରୁ ଉଚ୍ଚ ଏବଂ ଛୋଟ ଧର୍ମ । ତେବେ ବ୍ରାହ୍ମଣମାନେ ମାତ୍ର ହିଁ ଯଜ୍ଞର ଦାୟିତ୍ୱ ନେଇଥାନ୍ତି । ଏହା ଜ୍ଞାନ ଯଜ୍ଞ ଅଟେ । ଦୁନିଆରେ ଉପଦ୍ରବ ନ ହେବା ପାଇଁ ଯଜ୍ଞ ରଚନା କରିଥାନ୍ତି, ସେମାନେ ଭାବୁଛନ୍ତି ଏହି ଲଢେଇ ଆଦି ନ ଲାଗୁ । ଆରେ ଲଢେଇ ନ ଲାଗିଲେ ସତ୍ୟଯୁଗ କିପରି ଆସିବ, ଏତେ ସବୁ ମନୁଷ୍ୟ କେଉଁ ଆଡେ ଯିବେ! ମୁଁ ଆସି ସବୁ ଆତ୍ମାମାନଙ୍କୁ ନେଇଯାଉଛି ତେବେ ନିଶ୍ଚିତ ଭାବରେ ଏହିଠାରେ ହିଁ ଶରୀର ତ୍ୟାଗ କରିବାକୁ ପଡିବ । ତୁମେ ଡାକୁଛ ମଧ୍ୟ ହେ ବାବା, ଏଠାକୁ ଆସ, ଆସି ଆମକୁ ପତିତରୁ ପାବନ କର ।

ବାବା କହୁଛନ୍ତି ମୋତେ ନିଶ୍ଚୟ ପୁରୁଣା ଦୁନିଆର ବିନାଶ କରାଇବାକୁ ପଡିବ । ପବିତ୍ର ଦୁନିଆ କେବଳ ସତ୍ୟଯୁଗ କୁହାଯିବ, ବାକି ଅନ୍ୟମାନଙ୍କୁ ମୁକ୍ତିଧାମକୁ ନେଇଯାଉଛି । ତେବେ ସମସ୍ତେ କାଳକୁ ଡାକୁଛନ୍ତି ନା । କିନ୍ତୁ ଏକଥା ବୁଝିପାରୁ ନାହାଁନ୍ତି ଯେ ଆମେ ତ କାଳର କାଳଙ୍କୁ ଡାକୁଛୁ । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ମୁଁ ଆତ୍ମାମାନଙ୍କୁ ବିକାରୀ ଦୁନିଆରୁ ବାହାର କରି ଶାନ୍ତିଧାମକୁ ନେଇଯାଉଛି । ତେବେ ଏହା ତ ଭଲ କଥା ନା । ପ୍ରଥମେ ତୁମେମାନେ ମୁକ୍ତିଧାମକୁ ଯାଇ ସେଠାରୁ ଜୀବନମୁକ୍ତିକୁ ଆସି ପୁଣି ଜୀବନବନ୍ଧନରେ ଆସିବ । ଏତେ ସବୁ ସତ୍ୟଯୁଗକୁ ତ ଯିବେ ନାହିଁ, କ୍ରମଅନୁସାରେ ଆସିବେ ସେଥିପାଇଁ ଏବେ ଶାନ୍ତିଧାମ ଏବଂ ସୁଖଧାମକୁ ମନେପକାଅ । ଯେଉଁମାନେ ପରେ ଆସୁଛନ୍ତି, ତାଙ୍କର ଅଳ୍ପ ଅଭିନୟ ରହିଛି । ତେଣୁ ସେମାନେ ପ୍ରଥମେ ନିଶ୍ଚିତ କିଛି ସୁଖ ପାଇବେ । ତୁମର ଅଭିନୟ ସବୁଠାରୁ ଉଚ୍ଚ ଅଟେ । ତୁମେ ବହୁତ ସୁଖ ପାଉଛ । ଧର୍ମସ୍ଥାପକମାନେ ତ କେବଳ ଧର୍ମର ସ୍ଥାପନା କରିଥାନ୍ତି, କାହାକୁ ମୁକ୍ତି କରି ପାରିନଥାନ୍ତି । ବାବା ତ ଭାରତକୁ ଆସି ସମସ୍ତଙ୍କୁ ଜ୍ଞାନ ଦେଉଛନ୍ତି । ସିଏ ହିଁ ସମସ୍ତଙ୍କର ପତିତ-ପାବନ ଅଟନ୍ତି, ସମସ୍ତଙ୍କୁ ଏହି ବନ୍ଧନରୁ ମୁକ୍ତ କରୁଛନ୍ତି । ଅନ୍ୟ ଧର୍ମସ୍ଥାପକମାନେ କୌଣସି ସଦ୍ଗତି କରିବାକୁ ଆସିନାହାଁନ୍ତି ସେମାନେ କେବଳ ତାଙ୍କର ଧର୍ମସ୍ଥାପନ କରିବାକୁ ଆସୁଛନ୍ତି । ସେମାନେ କୌଣସି ଶାନ୍ତିଧାମ-ସୁଖଧାମକୁ ନେଇଯାଇ ନଥାନ୍ତି, ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମ ବାବା ହିଁ ନେଇଯାଆନ୍ତି । ଯିଏ ଦୁଃଖରୁ ମୁକୁଳାଇ ସୁଖ ଦେଇଥାନ୍ତି, ତାଙ୍କର ହିଁ ତୀର୍ଥ କରାଯାଇଥାଏ । ମନୁଷ୍ୟମାନେ ବୁଝିପାରୁନାହାଁନ୍ତି ଯେ, ବାସ୍ତବରେ ସତ୍ୟତୀର୍ଥ ତ ଏକମାତ୍ର ବାବାଙ୍କର ହିଁ ହେଉଛି । ମହିମା ମଧ୍ୟ ଜଣଙ୍କର ହିଁ କରାଯାଇଛି । ସମସ୍ତେ ତାଙ୍କୁ ଡାକୁଛନ୍ତି ହେ ମୁକ୍ତିଦାତା ଆସ । ଭାରତ ହିଁ ପ୍ରକୃତ ସତ୍ୟ ତୀର୍ଥ ଅଟେ, ଯେଉଁଠି ବାବା ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ତୁମେମାନେ ପୁଣି ଭକ୍ତିମାର୍ଗରେ ତାଙ୍କର ବଡ ବଡ ମନ୍ଦିର ତିଆରି କରୁଛ । ହୀରା-ନୀଳାର ମନ୍ଦିର ତିଆରି କରୁଛ । ସୋମନାଥ ମନ୍ଦିର କେତେ ସୁନ୍ଦର ଭାବରେ ତିଆରି କରିଛନ୍ତି ଏବଂ ବର୍ତ୍ତମାନ ଦେଖ ବାବା କେଉଁଠାରେ ବସିଛନ୍ତି, ପତିତ ଶରୀର, ପତିତ ଦୁନିଆରେ । ତୁମେ ପିଲାମାନେ ହିଁ ତାଙ୍କୁ ଚିହ୍ନୁଛ । ତେଣୁ ତୁମେମାନେ ବାବାଙ୍କର ସାହାଯ୍ୟକାରୀ ହେଉଛ । ଅନ୍ୟମାନଙ୍କୁ ରାସ୍ତା ବତାଇବାରେ ଯିଏ ସାହାଯ୍ୟ କରିବ ସେମାନଙ୍କୁ ଉଚ୍ଚପଦ ମିଳିବ । ଏହା ହିଁ ନିୟମ ଅଟେ । ବାବା କହୁଛନ୍ତି ତୁମେମାନେ ପରିଶ୍ରମ କର । ବହୁତଙ୍କୁ ରାସ୍ତା ବତାଅ ଯେ ବାବା ଏବଂ ବର୍ସାକୁ ମନେ ପକାଅ । ୮୪ଜନ୍ମର ଚକ୍ର ତ ସମ୍ମୁଖରେ ରହିଛି, ଏହା ଯେପରି ଅନ୍ଧମାନଙ୍କ ଆଗରେ ଆଇନା ସଦୃଶ ଅଟେ । ଏହି ଡ୍ରାମା ଅବିକଳ ପୁନରାବୃତ୍ତି ହେଉଛି ତଥାପି ମଧ୍ୟ ମୋତେ କେହି ଜାଣିପାରୁ ନାହାଁନ୍ତି । ଏପରି ନୁହେଁ ଯେ ଯେତେବେଳେ ମୋର ମନ୍ଦିର ଲୁଟି ନେଉଛନ୍ତି ସେତେବେଳେ ମୁଁ କିଛି କରିବି । ଡ୍ରାମାରେ ଲୁଟ ହେବାର ଅଛି, ତେଣୁ ଲୁଟି ନେଇଯିବେ । ମୋତେ ଡାକୁଛନ୍ତି ପତିତରୁ ପାବନ କର ସେଥିପାଇଁ ମୁଁ ଏଠାକୁ ଆସି ତୁମମାନଙ୍କୁ ପାଠ ପଢାଉଛି । ଡ୍ରାମାରେ ବିନାଶ କଥା ମଧ୍ୟ ନିଧାର୍ଯ୍ୟ ରହିଛି, ତେଣୁ ବିନାଶ ମଧ୍ୟ ହେବ । ମୁଁ କୌଣସି ମନ୍ତ୍ର ଫୁଙ୍କି ଦେଉ ନାହିଁ ଯାହା ଦ୍ୱାରା ବିନାଶ ହୋଇଯିବ । ଏହି ମୁସଳ ଆଦି ତିଆରି ହୋଇଛି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି, ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ଏଥିରେ ମୋର ଅଭିନୟ ସବୁଠାରୁ ବଡ ସୃଷ୍ଟିକୁ ବଦଳାଇ ପତିତରୁ ପାବନ କରାଇବା । ତେବେ ସମର୍ଥ କିଏ ? ମୁଁ ନା ଡ୍ରାମା ? ଡ୍ରାମା ଅନୁସାରେ ରାବଣକୁ ମଧ୍ୟ ଆସିବାକୁ ହିଁ ପଡିବ । ମୋ ପାଖରେ ଯେଉଁ ଜ୍ଞାନ ଅଛି, ମୁଁ ଆସି ତୁମମାନଙ୍କୁ ଦେଉଛି । ତୁମେ ଶିବବାବାଙ୍କର ସେନା ଅଟ । ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ବାବା କହୁଛନ୍ତି ନୂଆ ନୂଆ ସେଣ୍ଟର ସବୁ ଖୋଲିଚାଲ । ମୁଁ ପାଠ ପଢାଇବାକୁ ଆସୁଛି । ମୁଁ କିଛି ହେଲେ ତୁମଠାରୁ ନେଉ ନାହିଁ । ଯାହା କିଛି ପଇସା ଅଛି ସବୁ ଏହି ଈଶ୍ୱରୀୟ ସେବାରେ ସଫଳ କର । ଏପରି ମଧ୍ୟ ନୁହେଁ ଯେ, ସବୁକିଛି ଦାନ କରି ଦେଇ ଭୋକରେ ମରିବ । ଭୋକରେ କେହି ମରିପାରିବେ ନାହିଁ । ବ୍ରହ୍ମାବାବା ନିଜର ସବୁକିଛି ସମର୍ପଣ କରି କଣ ଭୋକରେ ମରିଯାଇଥିଲେ ? ତୁମେମାନେ କଣ ଭୋକରେ ମରୁଛ ? ଏହା ତ ଶିବବାବାଙ୍କର ଭଣ୍ଡାରା ଯେଉଁଠୁ ତୁମମାନଙ୍କୁ ଭୋଜନ ମିଳୁଛି । ଆଜିକାଲି ତ ଦୁନିଆରେ ଦେଖ କେତେ ମନୁଷ୍ୟ ଭୋକରେ ମରୁଛନ୍ତି । ଏବେ ତୁମକୁ ବାବାଙ୍କଠାରୁ ସମ୍ପୂର୍ଣ୍ଣ ବର୍ସା ନେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଏହା ହେଉଛି ଆତ୍ମାର ନେଚର କିଓର ଅର୍ଥାତ୍ ପ୍ରାକୃତିକ ଚିକିତ୍ସା । ତେବେ ଏହା ବିଲ୍କୁଲ୍ ସରଳ କଥା କେବଳ ମୁଖ ଦ୍ୱାରା କହୁଛନ୍ତି ମନମନାଭବ । ଆତ୍ମାକୁ ସୁସ୍ଥ କରୁଛନ୍ତି ସେଥିପାଇଁ ବାବାଙ୍କୁ ଅବିନାଶୀ ସର୍ଜନ ମଧ୍ୟ କୁହାଯାଉଛି । କିପରି ଭଲ ଅପରେସନ୍ ଶିଖାଉଛନ୍ତି । ମୋତେ ମନେ ପକାଇଲେ ତୁମର ସବୁ ଦୁଃଖ ଦୂର ହୋଇଯିବ । ତୁମେ ସବୁ ଚକ୍ରବର୍ତ୍ତୀ ରାଜା ହୋଇଯିବ । ଏହି କଣ୍ଟାର ଜଙ୍ଗଲରେ ରହି ଏପରି ଭାବ ଯେ ଆମେ ଫୁଲର ବଗିଚାକୁ ଯାଉଛୁ । ନିଜ ଘରକୁ ଯାଉଛୁ । ପରସ୍ପରକୁ ବାବାଙ୍କ କଥା ମନେ ପକାଇଦିଅ । ଆଲ୍ଲାଙ୍କୁ ମନେ ପକାଇଲେ ବେ ବାଦଶାହୀ ମିଳିଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଉଚ୍ଚ ପଦ ପାଇବା ପାଇଁ ବାବାଙ୍କର ପୂରା-ପୂରା ସହଯୋଗୀ ହେବାକୁ ପଡିବ । ଅନ୍ଧମାନଙ୍କୁ ରାସ୍ତା ଦେଖାଇବାକୁ ହେବ । ବେହଦର ଘଣ୍ଟାକୁ ସର୍ବଦା ମନେ ରଖିବାକୁ ହେବ ।

(୨) ଯଜ୍ଞର ଦାୟିତ୍ୱ ବହନ କରିବା ପାଇଁ ନିଷ୍ଠାପର ବ୍ରାହ୍ମଣ ହେବାକୁ ପଡିବ । ଯାହା କିଛି ଧନ ସମ୍ପତ୍ତି ଅଛି ତାକୁ ସଫଳ କରି ବାବାଙ୍କଠାରୁ ପୂର୍ଣ୍ଣ ସମ୍ପତ୍ତି ଅର୍ଥାତ୍ ରାଜତ୍ୱ କରିବାର ଅଧିକାର ନେବାକୁ ହେବ ।

ବରଦାନ:-
ସ୍ୱଉନ୍ନତି ଦ୍ୱାରା ସେବାରେ ଉନ୍ନତି କରି ସଚ୍ଚା ସେବାଧାରୀ ହୁଅ ।

ସେବାର ଉନ୍ନତିର ବିଶେଷ ଆଧାର ସ୍ୱ ଉନ୍ନତି । ଯଦି ସ୍ୱଉନ୍ନତି କମ୍ ଅଛି ତେବେ ସେବା ମଧ୍ୟ କମ୍ ହେବ । କେବଳ କାହାକୁ ମୁଖ ଦ୍ୱାରା ପରିଚୟ ଦେଇଦେବାକୁ ପ୍ରକୃତ ସେବା କୁହାଯିବ ନାହିଁ କିନ୍ତୁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ଶ୍ରେଷ୍ଠ କର୍ମର ପ୍ରେରଣା ଦେବା ମଧ୍ୟ ବହୁତ ବଡ ସେବା । ଯେଉଁମାନେ ମନ, ବଚନ, କର୍ମରେ ସର୍ବଦା ସେବାରେ ତତ୍ପର ରହିଥାନ୍ତି ସେମାନଙ୍କୁ ସେବା ଦ୍ୱାରା ଶ୍ରେଷ୍ଠ ଭାଗ୍ୟର ଅନୁଭବ ହୋଇଥାଏ । ସେମାନେ ଯେତିକି ସେବା କରିଥାନ୍ତି ସେତିକି ନିଜେ ମଧ୍ୟ ଆଗକୁ ବଢିଥାନ୍ତି । ନିଜର ଶ୍ରେଷ୍ଠ କର୍ମ ଦ୍ୱାରା ସେବା କରୁଥିବା ପିଲାମାନେ ସଦାସର୍ବଦା ପ୍ରତ୍ୟକ୍ଷ ଫଳ ପ୍ରାପ୍ତି କରିଥାନ୍ତି ।

ସ୍ଲୋଗାନ:-
ବାବାଙ୍କର ନିକଟବର୍ତ୍ତୀ ହେବା ପାଇଁ ନିଜର ବିଚାର, ବାଣୀ ଏବଂ କର୍ମକୁ ସମାନ କର ।