11/03/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ତୁମେମାନେ ବାବାଙ୍କର ସନ୍ତାନ ହିସାବରେ ମାଲିକ ଅଟ, ତେଣୁ ତୁମେମାନେ ବାବାଙ୍କ ପାଖରେ କୌଣସି ଶରଣ ନେଇ ନାହଁ, କାରଣ ସନ୍ତାନ କେବେହେଲେ ତା’ର ପିତାଙ୍କ ନିକଟରେ ଶରଣ ନେଇ ନଥାଏ ।”

ପ୍ରଶ୍ନ:-

କେଉଁ କଥାକୁ ସର୍ବଦା ସ୍ମରଣ କରୁଥିଲେ ମାୟା କେବେ ବି ହଇରାଣ କରିପାରିବ ନାହିଁ ?

ଉତ୍ତର:-

ଆମେ ସମସ୍ତେ ବାବାଙ୍କ ପାଖକୁ ଆସିଛୁ, ସେ ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତ୍ଗୁରୁ ମଧ୍ୟ ଅଟନ୍ତି କିନ୍ତୁ ସେ ହେଉଛନ୍ତି ନିରାକାର । ଆମେ ନିରାକାରୀ ଆତ୍ମାମାନଙ୍କୁ ନିରାକାର ବାବା ହିଁ ପାଠ ପଢାଉଛନ୍ତି, ଯଦି ଏକଥା ବୁଦ୍ଧିରେ ସ୍ମରଣ ରହିବ ତେବେ ଖୁସିର ପାରଦ ଅର୍ଥାତ୍ ନିଶା ଚଢି ରହିବ ଏବଂ ମାୟା ହଇରାଣ କରିପାରିବ ନାହିଁ ।

ଓମ୍ ଶାନ୍ତି । ତ୍ରିମୂର୍ତ୍ତି ଶିବବାବା ପିଲାମାନଙ୍କୁ ବୁଝାଇଛନ୍ତି । ସିଏ ତ୍ରିମୂର୍ତ୍ତି ପିତା । ତିନି ଜଣଙ୍କର ରଚୟିତା ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି କାରଣ ସେ ଉଚ୍ଚରୁ ଉଚ୍ଚ ଅଟନ୍ତି । ତୁମେମାନେ ଜାଣିଛ ଯେ ଆମେ ସମସ୍ତେ ତାଙ୍କର ସନ୍ତାନ ଅଟୁ । ଯେପରି ବାବା ପରମଧାମର ନିବାସୀ, ସେହିପରି ଆମେ ଆତ୍ମାମାନେ ମଧ୍ୟ ସେଠାକାର ନିବାସୀ ଅଟୁ । ବାବା ଏକଥା ମଧ୍ୟ ବୁଝାଇଛନ୍ତି ଯେ ଏହା ହେଉଛି ଡ୍ରାମା, ଏଥିରେ ଯାହା କିଛି ବି ହେଉଛି ସେସବୁ ଡ୍ରାମାରେ ଥରେ ମାତ୍ର ହେଉଛି । ବାବା ମଧ୍ୟ କଳ୍ପରେ ଥରେ ମାତ୍ର ପାଠ ପଢାଇବାକୁ ଆସୁଛନ୍ତି । ତୁମେ କୌଣସି ଶରଣ ନେଉ ନାହଁ । ଏହି ଅକ୍ଷର ଭକ୍ତିମାର୍ଗର — ଶରଣ ପଡି ମେଁ ତେରେ । ସନ୍ତାନ କ’ଣ କେବେ ପିତାଙ୍କର ଶରଣ ନେଇଥାଏ! ପିଲାମାନେ ତ ପିତାଙ୍କର ସମ୍ପତ୍ତିର ମାଲିକ । ତୁମେମାନେ ବାବାଙ୍କ ଶରଣରେ ଆସି ନାହଁ । ବାବା ତୁମକୁ ନିଜର କରିଛନ୍ତି । ତୁମେମାନେ ମଧ୍ୟ ବାବାଙ୍କୁ ନିଜର କରିଛ । ତୁମେମାନେ ବାବାଙ୍କୁ ଡାକୁଛ ବାବା ଆସ, ଆମକୁ ନିଜ ଘରକୁ ନେଇଯାଅ ଅଥବା ରାଜପଦ ଦିଅ । ଗୋଟିଏ ହେଲା ଶାନ୍ତିଧାମ, ଅନ୍ୟଟି ସୁଖଧାମ । ସୁଖଧାମ ହେଲା ବାବାଙ୍କର ସମ୍ପତ୍ତି ଏବଂ ଦୁଃଖଧାମ ହେଉଛି ରାବଣର ସମ୍ପତ୍ତି । ୫ ବିକାରର ବଶବର୍ତ୍ତୀ ହେବା ଦ୍ୱାରା ଦୁଃଖ ହିଁ ଦୁଃଖ ମିଳୁଛି । ବର୍ତ୍ତମାନ ପିଲାମାନେ ଜାଣିଛନ୍ତି — ଆମେ ବାବାଙ୍କ ପାଖକୁ ଆସିଛୁ । ସେ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି କିନ୍ତୁ ସେ ହେଉଛନ୍ତି ନିରାକାର । ଆମ ନିରାକାରୀ ଆତ୍ମାମାନଙ୍କର ଶିକ୍ଷାଦାତା ମଧ୍ୟ ନିରାକାର ହିଁ ଅଟନ୍ତି । ସେ ହେଲେ ଆତ୍ମାମାନଙ୍କର ପିତା । ଯଦି ଏକଥା ବୁଦ୍ଧିରେ ସଦାସର୍ବଦା ସ୍ମରଣ ରହିବ ତେବେ ଖୁସିର ନିଶା ଚଢିବ । ଏହିକଥାକୁ ଭୁଲିଯିବା ଦ୍ୱାରା ହିଁ ମାୟା ହଇରାଣ କରୁଛି । ଏବେ ତୁମେ ବାବାଙ୍କ ପାଖରେ ବସିଛ ତେଣୁ ବାବା ଏବଂ ବର୍ସା ମନେ ପଡୁଛି । ଲକ୍ଷ୍ୟ ତ ବୁଦ୍ଧିରେ ଅଛି ନା । ଶିବବାବାଙ୍କୁ ମନେ ପକାଇବାକୁ ହେବ । ଶ୍ରୀକୃଷ୍ଣଙ୍କୁ ମନେ ପକାଇବା ତ ବହୁତ ସହଜ, କିନ୍ତୁ ଶିବବାବାଙ୍କୁ ମନେ ପକାଇବା ପାଇଁ ମେହନତ କରିବାକୁ ପଡୁଛି । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ଯଦି ଶ୍ରୀକୃଷ୍ଣ ଥା’ନ୍ତେ, ତେବେ ତାଙ୍କ ଉପରେ ସମସ୍ତେ ତୁରନ୍ତ ସମର୍ପଣ ହୋଇଯାଇଥାନ୍ତେ । ବିଶେଷ କରି ମାତାମାନେ ଇଚ୍ଛା କରନ୍ତି ଯେ ଆମକୁ ଶ୍ରୀକୃଷ୍ଣଙ୍କ ସଦୃଶ ସନ୍ତାନ ମିଳୁ, ଶ୍ରୀକୃଷ୍ଣଙ୍କ ସଦୃଶ ସ୍ୱାମୀ ମିଳନ୍ତୁ । ବର୍ତ୍ତମାନ ବାବା କହୁଛନ୍ତି ମୁଁ ଆସିଛି, ତୁମକୁ ଶ୍ରୀକୃଷ୍ଣଙ୍କ ସଦୃଶ ପିଲା ଅଥବା ପତି ମଧ୍ୟ ମିଳିବ ଅର୍ଥାତ୍ ଏହାଙ୍କ ପରି ଗୁଣବାନ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ସୁଖଦାତା ତୁମକୁ ମିଳିବେ । ସ୍ୱର୍ଗ ଅଥବା କୃଷ୍ଣପୁରୀରେ କେବଳ ସୁଖ ହିଁ ସୁଖ ରହିଛି । ପିଲାମାନେ ଜାଣିଛନ୍ତି କୃଷ୍ଣପୁରୀକୁ ଯିବା ପାଇଁ ଏଠାରେ ଆମେ ପାଠ ପଢୁଛୁ । ତେବେ ସ୍ୱର୍ଗକୁ ହିଁ ସମସ୍ତେ ମନେ ପକାଉଛନ୍ତି ନା । କେହି ମୃତ୍ୟୁବରଣ କଲେ କହନ୍ତି ଅମୁକ ସ୍ୱର୍ଗବାସୀ ହେଲା ତେବେ ତ ଖୁସି ହେବା ଉଚିତ୍, ତାଳି ବଜାଇବା ଉଚିତ୍ । ନର୍କରୁ ବାହାରି ସ୍ୱର୍ଗକୁ ଗଲେ — ଏହା ତ ବହୁତ ଭଲ ହେଲା । ଯେତେବେଳେ କେହି କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା ତେବେ କୁହ କେଉଁଠାରୁ ଗଲେ ? ନିଶ୍ଚିତ ନର୍କରୁ ଗଲେ । ଇଏ ବହୁତ ଖୁସିର କଥା । ସମସ୍ତଙ୍କୁ ଡାକି ଟୋଲି (ମିଠା) ଖୁଆଇବା ଉଚିତ୍ । କିନ୍ତୁ ଏସବୁ ହେଲା ବୁଦ୍ଧିର କଥା । ସେମାନେ ଏଭଳି କହିବେ ନାହିଁ ଯେ ୨୧ ଜନ୍ମ ପାଇଁ ସ୍ୱର୍ଗକୁ ଗଲେ । କେବଳ କହିଦେଉଛନ୍ତି ସ୍ୱର୍ଗକୁ ଗଲା । ଆଚ୍ଛା! ପୁଣି ତାଙ୍କ ଆତ୍ମାକୁ ଏଠାକୁ କାହିଁକି ଡାକୁଛ ? ନର୍କର ଭୋଜନ ଖୁଆଇବା ପାଇଁ ? ନର୍କକୁ ତ ଡାକିବାର ଆବଶ୍ୟକତା ନାହିଁ । ଏକଥା ବାବା ଆସି ବୁଝାଉଛନ୍ତି, ଏସବୁ ହେଲା ଜ୍ଞାନଯୁକ୍ତ କଥା । ବାବାଙ୍କୁ ଡାକୁଛନ୍ତି ଆମକୁ ପତିତରୁ ପବିତ୍ର କର ତେବେ ନିଶ୍ଚିତ ପତିତ ଶରୀରକୁ ତ୍ୟାଗ କରିବାକୁ ପଡିବ । ସମୟ ଆସିବ ସମସ୍ତେ ମୃତ୍ୟୁମୁଖରେ ପଡିବେ ପୁଣି କିଏ କାହା ପାଇଁ କାନ୍ଦିବ ? ଏବେ ତୁମେ ଜାଣୁଛ ଆମେ ଏହି ଶରୀରରକୁ ତ୍ୟାଗ କରି ନିଜ ଘରକୁ ଫେରିଯିବୁ । ବର୍ତ୍ତମାନ ଏହି ଅଭ୍ୟାସ କରୁଛୁ ଯେ କିପରି ଏହି ଶରୀରକୁ ତ୍ୟାଗ କରିବୁ । ଏଭଳି ପୁରୁଷାର୍ଥ ଦୁନିଆରେ କେହି କରୁଥିବେ!

ଏହା ଆମର ପୁରୁଣା ଶରୀର, ତୁମମାନଙ୍କ ପାଖରେ ଏବେ ଏହି ଜ୍ଞାନ ରହିଛି । ବାବା ମଧ୍ୟ କହୁଛନ୍ତି ମୁଁ ପୁରୁଣା ଜୋତା (ଶରୀର)କୁ ଧାର ନେଉଛି । ଡ୍ରାମାରେ ଏହି ରଥ ହିଁ ନିମିତ୍ତ ହୋଇଛନ୍ତି । ଏହା କେବେ ବି ବଦଳି ପାରିବ ନାହିଁ । ଏହାଙ୍କୁ ପୁଣି ତୁମେ ୫ ହଜାର ବର୍ଷ ପରେ ଦେଖିବ । ଡ୍ରାମାର ରହସ୍ୟକୁ ବୁଝିଗଲ ନା । ବାବାଙ୍କ ବିନା ଆଉ କାହା ପାଖରେ ଏହି ଶକ୍ତି ନାହିଁ ଯିଏକି ଏହାକୁ ବୁଝାଇପାରିବେ । ଏହି ପାଠଶାଳା ବହୁତ ବିଚିତ୍ର, ଏଠାରେ ବୁଢା ମଧ୍ୟ କହୁଛନ୍ତି ଆମେ ଯାଉଛୁ ଭଗବାନଙ୍କ ପାଠଶାଳାକୁ — ଭଗବାନ ଭଗବତୀ ହେବା ପାଇଁ । ଆରେ ବୁଢୀମାନେ କ’ଣ କେବେ ସ୍କୁଲରେ ପାଠ ପଢନ୍ତି । ତୁମକୁ ଯଦି କେହି ପଚାରନ୍ତି ତୁମେ କୁଆଡେ ଯାଉଛ ? ତେବେ କୁହ, ଆମେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଉଛୁ । ସେଠାରେ ଆମେ ରାଜଯୋଗ ଶିଖୁଛ । ଏଭଳି କଥା କୁହ ଯେମିତି ସେମାନେ ଚକିତ ହୋଇଯିବେ । ବୁଢାମାନେ ମଧ୍ୟ କହିବେ ଯେ ଆମେ ଭଗବାନଙ୍କର ପାଠଶାଳାକୁ ଯାଉଛୁ । ଏଠାରେ ଆଶ୍ଚର୍ଯ୍ୟର କଥା ହେଲା, ଆମେ ଭଗବାନଙ୍କ ପାଖକୁ ପାଠ ପଢିବାକୁ ଯାଉଛୁ । ଏପରି ଆଉ କେହି କହିପାରିବେ ନାହିଁ । କହିବେ ନିରାକାର ଭଗବାନ ପୁଣି କେଉଁଠୁ ଆସିଲେ ? କାହିଁକି ନା ସେମାନେ ତ ଭାବୁଛନ୍ତି ଭଗବାନ ନାମ-ରୂପରୁ ଅଲଗା ଅଟନ୍ତି । ଏବେ ତୁମେମାନେ ଜାଣୁଛ ତେଣୁ କହୁଛ । ପ୍ରତ୍ୟେକ ମୂର୍ତ୍ତିର କର୍ତ୍ତବ୍ୟକୁ ତୁମେ ଜାଣୁଛ । ବୁଦ୍ଧିରେ ଏକଥା ନିଶ୍ଚୟ ରହିଛି ଯେ ଉଚ୍ଚରୁ ଉଚ୍ଚ ହେଲେ ଶିବବାବା, ଯାହାଙ୍କର ଆମେ ସନ୍ତାନ ଅଟୁ । ଆଚ୍ଛା, ପୁଣି ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା-ବିଷ୍ଣୁ-ଶଙ୍କର, ତୁମେ କେବଳ କଥାକୁ ମାତ୍ର କହୁନାହଁ । ତୁମେ ତ ଭଲ ଭାବରେ ଜାଣିଛ ଯେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ଶିବବାବା କିପରି କରୁଛନ୍ତି । ତୁମ ବ୍ୟତୀତ ଅନ୍ୟ କେହି ବି ତାଙ୍କ ଜୀବନକାହାଣୀ ବିଷୟରେ କହିପାରିବେ ନାହିଁ । ସେମାନେ ନିଜର ଜୀବନ କାହାଣୀକୁ ହିଁ ଜାଣିନାହାଁନ୍ତି ତେବେ ଅନ୍ୟମାନଙ୍କର କିପରି ଜାଣିବେ ? ତୁମେ ଏବେ ସବୁ କିଛି ଜାଣିଗଲଣି । ବାବା କହୁଛନ୍ତି ମୁଁ ଯାହା ଜାଣିଛି ତାହା ତୁମମାନଙ୍କୁ ବୁଝାଉଛି । ବାବାଙ୍କ ବିନା ସ୍ୱର୍ଗର ରାଜତ୍ୱ କେହି ଦେଇପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କୌଣସି ଲଢେଇ କରି ଏହି ରାଜ୍ୟ ପାଇ ନାହାଁନ୍ତି । ସେଠାରେ କୌଣସି ଲଢେଇ ହୁଏ ନାହିଁ । ଏଠାରେ ତ କେତେ ଲଢେଇ-ଝଗଡା କରୁଛନ୍ତି । କେତେ ଢେର ମନୁଷ୍ୟ ଅଛନ୍ତି । ଏବେ ତୁମମାନଙ୍କ ମନରେ ଏହି କଥା ଆସିବା ଉଚିତ୍ ଯେ ଆମେ ବାବାଙ୍କଠାରୁ ଦାଦାଙ୍କ ଦ୍ୱାରା ବର୍ସା ପାଉଛୁ । ବାବା କହୁଛନ୍ତି — ମୋତେ ମନେ ପକାଅ ଏପରି କହୁନାହାଁନ୍ତି ଯେ ଯାହାଙ୍କ ଶରୀରରେ ପ୍ରବେଶ କରିଛି ତାଙ୍କୁ ମଧ୍ୟ ମନେ ପକାଅ । ନାଁ, କହୁଛନ୍ତି କେବଳ ମୋତେ ମନେ ପକାଅ । ସେହି ସନ୍ନ୍ୟାସୀମାନେ ତ ନିଜର ଫଟୋ ନାମ ସହିତ ଦେଇଥା’ନ୍ତି । ତେବେ ତୁମେମାନେ ଶିବବାବାଙ୍କର ଫଟୋ କିପରି ଉଠାଇବ ? ବିନ୍ଦୁ ଉପରେ ନାମ କିପରି ଲେଖିବ! ବିନ୍ଦୁ ଉପରେ ଶିବବାବାଙ୍କର ନାମ ଲେଖିଲେ ବିନ୍ଦୁଠାରୁ ମଧ୍ୟ ନାମ ବଡ ହୋଇଯିବ । ଏସବୁ ବୁଝିବାର କଥା ନା । ତେବେ ପିଲାମାନେ ବହୁତ ଖୁସି ହେବା ଉଚିତ୍ ଯେ ଆମକୁ ଶିବବାବା ପାଠ ପଢାଉଛନ୍ତି । ଆତ୍ମା ପଢୁଛି ନା । ସଂସ୍କାର ଆତ୍ମା ହିଁ ନେଇଯାଇଥାଏ । ଏବେ ବାବା ଆତ୍ମାରେ ସଂସ୍କାର ଭରୁଛନ୍ତି । ସେ ପିତା ମଧ୍ୟ, ଶିକ୍ଷକ ମଧ୍ୟ ଓ ଗୁରୁ ମଧ୍ୟ ଅଟନ୍ତି । ବାବା ଯାହା ତୁମମାନଙ୍କୁ ଶିଖାଉଛନ୍ତି ତୁମେ ଅନ୍ୟମାନଙ୍କୁ ମଧ୍ୟ ଶିଖାଅ, ସୃଷ୍ଟିଚକ୍ରକୁ ସ୍ମରଣ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଅ । ଯେଉଁ ଗୁଣ ତାଙ୍କ ପାଖରେ ଅଛି ତାହା ଏବେ ପିଲାମାନଙ୍କୁ ମଧ୍ୟ ଦେଉଛନ୍ତି । କହୁଛନ୍ତି ମୁଁ ଜ୍ଞାନର ସାଗର, ସୁଖର ସାଗର ଅଟେ । ତୁମକୁ ମଧ୍ୟ ଜ୍ଞାନର ସାଗର ଏବଂ ସୁଖର ସାଗର କରୁଛି । ତେଣୁ ତୁମେମାନେ ମଧ୍ୟ ସମସ୍ତଙ୍କୁ ସୁଖ ଦିଅ । ମନ, ବଚନ, କର୍ମରେ କାହାକୁ ମଧ୍ୟ ଦୁଃଖ ଦିଅ ନାହିଁ । ସମସ୍ତଙ୍କ କାନରେ ଏହି ମିଠା ମିଠା କଥା ଶୁଣାଅ, ଶିବବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ ଯେ ବାବା ଆସିଛନ୍ତି, ତାଙ୍କଠାରୁ ଏହି ବର୍ସା ନିଅ । ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ପଡିବ । ଶେଷରେ ଖବରକାଗଜରେ ମଧ୍ୟ ବାହାର କରିବେ । ଏକଥା ତ ଜାଣିଛ ଯେ ଅନ୍ତିମ ସମୟରେ ସମସ୍ତେ କହିବେ ଅହୋ ପ୍ରଭୁ ତୁମର ଲୀଳା... ଆପଣ ହିଁ ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ଦୁଃଖରୁ ମୁକ୍ତ କରି ସମସ୍ତଙ୍କୁ ଶାନ୍ତିଧାମକୁ ନେଇଯାଉଛନ୍ତି । ଏହା ମଧ୍ୟ ଜାଦୁଗରୀ ଅଟେ ନା । ଦୁନିଆରେ ଅଳ୍ପକାଳର ଜାଦୁଗରୀ (କୁହୁକ) ଦେଖାଇଥା’ନ୍ତି । ଇଏ ତ ୨୧ ଜନ୍ମ ପାଇଁ ମନୁଷ୍ୟରୁ ଦେବତା କରୁଛନ୍ତି । ଏହି ମନମନାଭବର ଜାଦୁ ଦ୍ୱାରା ତୁମେ ଲକ୍ଷ୍ମୀ-ନାରାୟଣ ହେଉଛ । ଜାଦୁଗର, ରତ୍ନାଗର (ରତ୍ନାକର) ଏହି ସବୁ ନାମ ଶିବବାବାଙ୍କର, ବ୍ରହ୍ମାଙ୍କର ନୁହେଁ । ଏବେ ଏହି ବ୍ରାହ୍ମଣ-ବ୍ରାହ୍ମଣୀମାନେ ସମସ୍ତେ ପାଠ ପଢୁଛନ୍ତି । ନିଜେ ପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଉଛନ୍ତି । ବାବା ଜଣ ଜଣଙ୍କୁ ପାଠ ପଢାଉ ନାହାଁନ୍ତି । ସମସ୍ତଙ୍କୁ ଏକତ୍ର ପଢାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ପଢାଉଛ । ବାବା ରାଜଯୋଗର ଶିକ୍ଷା ଦେଉଛନ୍ତି । ସେହି ବାବା ରଚୟିତା ଅଟନ୍ତି, କୃଷ୍ଣ ତ ରଚନା (ସନ୍ତାନ) ଅଟନ୍ତି ନା । ବର୍ସା ତ ରଚୟିତାଙ୍କଠାରୁ ମିଳିଥାଏ, ନୁହେଁ କି ରଚନାଠାରୁ । ଶ୍ରୀକୃଷ୍ଣଙ୍କଠାରୁ ବର୍ସା ମିଳିନଥାଏ । ବିଷ୍ଣୁଙ୍କର ଦୁଇରୂପ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଛୋଟ ବୟସରେ ରାଧା-କୃଷ୍ଣ ଥିଲେ । ଏହି କଥାକୁ ମଧ୍ୟ ପକ୍କା ନିଶ୍ଚୟ କରିନିଅ । ବୁଢାମାନେ ମଧ୍ୟ ଯଦି ତୀବ୍ର ପୁରୁଷାର୍ଥ କରିବେ ତେବେ ଉଚ୍ଚପଦ ପାଇପାରିବେ । ବୁଢୀମାନଙ୍କର ପୁଣି ବି ଟିକେ ମମତା ରହିଥାଏ । ନିଜର ରଚନା (ପିଲାଛୁଆ)ର ଜାଲରେ ବାନ୍ଧି ହୋଇଯାଇଥା’ନ୍ତି । ଅନେକଙ୍କର କଥା ମନେ ପଡିଥାଏ, ତାଙ୍କଠାରୁ ବୁଦ୍ଧିଯୋଗ ତୁଟାଇ ପୁଣି ଏକମାତ୍ର ବାବାଙ୍କ ସହିତ ଯୋଡିବା, ଏଥିପାଇଁ ହିଁ ମେହନତ କରିବାକୁ ପଡିଥାଏ । ତେଣୁ ବଞ୍ଚି ଥାଉ ଥାଉ ମରିବାକୁ ହେବ । ବୁଦ୍ଧିରେ ଗୋଟିଏ ଥର ତୀର ଲାଗିଗଲା ତ ବାସ୍ । ପୁଣି କାଇଦାର ସହିତ ଚାଲିବାକୁ ହୁଏ । ଏପରି ନୁହେଁ ଯେ କାହା ସହିତ କଥାବାର୍ତ୍ତା ହେବ ନାହିଁ । ଗୃହସ୍ଥ ବ୍ୟବହାରରେ ରୁହ, ସମସ୍ତଙ୍କ ସହିତ କଥାବାର୍ତ୍ତା କର । ତାଙ୍କ ସହିତ ମଧ୍ୟ ସମ୍ପର୍କ ରଖ । ବାବା କହୁଛନ୍ତି — ଚ୍ୟାରିଟି ବିଗେନ୍ସ ଆଟ୍ ହୋମ୍ (ଦାନ ସ୍ୱ ଗୃହରୁ ହିଁ ଆରମ୍ଭ ହୁଏ) । ଯଦି ସମ୍ପର୍କ ହିଁ ରଖିବ ନାହିଁ ତେବେ ତାଙ୍କର ଉଦ୍ଧାର କିପରି କରିବ ? ଉଭୟ (ଲୌକିକ ପରିବାର ଏବଂ ବାବା)ଙ୍କ ସହିତ ସମ୍ପର୍କ ରଖିବାକୁ ପଡିବ । ବାବାଙ୍କୁ ପଚାରୁଛନ୍ତି — ବିବାହ ଆଦିକୁ ଯିବୁ ? ବାବା କହୁଛନ୍ତି କାହିଁକି ନ ଯିବ । ବାବା କେବଳ କହୁଛନ୍ତି କାମ ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ୍ଜିତ୍ ହୋଇଯିବ । ସତ୍ୟଯୁଗରେ ସମସ୍ତେ ନିର୍ବିକାରୀ ଥା’ନ୍ତି । ସେଠାରେ ଯୋଗବଳ ଦ୍ୱାରା ସମସ୍ତେ ଜନ୍ମ ନେବେ । ସେଥିପାଇଁ ବାବା କହୁଛନ୍ତି ନିର୍ବିକାରୀ ହୁଅ । ପ୍ରଥମତଃ ଏହି କଥା ଉପରେ ପକ୍କା ନିଶ୍ଚୟ କର ଯେ ଆମେ ଶିବବାବାଙ୍କ ପାଖରେ ବସିଛୁ, ଶିବବାବା ଆମକୁ ୮୪ ଜନ୍ମର କାହାଣୀ ଶୁଣାଉଛନ୍ତି । ଏହି ସୃଷ୍ଟି ଚକ୍ର ଘୂରି ଚାଲିଛି । ପ୍ରଥମେ-ପ୍ରଥମେ ସତ୍ତ୍ୱପ୍ରଧାନ ଦେବୀ-ଦେବତାମାନେ ଆସୁଛନ୍ତି, ପୁଣି ପୁନର୍ଜନ୍ମ ନେଇ-ନେଇ ତମୋପ୍ରଧାନ ହୋଇଯାଉଛନ୍ତି । ଦୁନିଆ ମଧ୍ୟ ପୁରୁଣା ପତିତ ହୋଇଯାଏ । ତେବେ ଆତ୍ମା ହିଁ ପତିତ ଅଟେ ନା । ଏଠାକାର କୌଣସି ବି ଜିନିଷରେ ଶକ୍ତି ନାହିଁ । କେଉଁଠି ସତ୍ୟଯୁଗର ଫଳ ଫୁଲ ଏବଂ କେଉଁଠି ଏଠାକାର! ସେଠାରେ କେବେ ଖଟା ବାସୀ ଜିନିଷ ରହିବ ନାହିଁ । ତୁମେମାନେ ସେଠାକାର ସାକ୍ଷାତ୍କାର ମଧ୍ୟ କରି ଆସୁଛ । ତୁମର ଇଚ୍ଛା ହେଉଛି ଏହି ଫଳ-ଫୁଲ ଆଦି ନେଇଯିବୁ । କିନ୍ତୁ ଏଠାକୁ ଆସିବା ବେଳକୁ ସବୁ ଉଭେଇ ଯାଉଛି । ଏହି ସବୁ ସାକ୍ଷାତ୍କାର କରାଇ ବାବା ପିଲାମାନଙ୍କୁ ଭୁଲାଉଛନ୍ତି । ଇଏ ହେଉଛନ୍ତି ଆତ୍ମିକ ପିତା, ଯିଏ ତୁମମାନଙ୍କୁ ପାଠ ପଢାଉଛନ୍ତି । ଏହି ଶରୀର ଦ୍ୱାରା ଆତ୍ମା ପଢୁଛି, ନୁହେଁ କି ଶରୀର । ଆତ୍ମାରେ ଶୁଦ୍ଧ ଅଭିମାନ ରହିଛି ଯେ ମୁଁ ମଧ୍ୟ ଏହି ବର୍ସା ନେଉଛି, ସ୍ୱର୍ଗର ମାଲିକ ହେଉଛି । ସ୍ୱର୍ଗକୁ ତ ସମସ୍ତେ ଯିବେ କିନ୍ତୁ ସମସ୍ତଙ୍କର ନାମ ତ ଲକ୍ଷ୍ମୀ-ନାରାୟଣ ହେବ ନାହିଁ ନା । ଆତ୍ମା ହିଁ ସମ୍ପତ୍ତି ପାଉଛି । ବାବାଙ୍କ ବିନା ଆଉ କେହି ଏ ଜ୍ଞାନ ଦେଇପାରିବେ ନାହିଁ । ଏହା ତ ବିଶ୍ୱବିଦ୍ୟାଳୟ ଅଟେ, ଏଠାରେ ଛୋଟ ପିଲା, ଯବାନ, ସମସ୍ତେ ପାଠ ପଢୁଛନ୍ତି । ଏପରି କଲେଜ କେବେ ଦେଖିଛ ? ସେମାନେ ମନୁଷ୍ୟରୁ ବାରିଷ୍ଟର, (ଓକିଲ) ଡାକ୍ତର ଆଦି ହେଉଛନ୍ତି । ଏଠାରେ ତୁମେ ମନୁଷ୍ୟରୁ ଦେବତା ହେଉଛ ।

ତୁମେ ଜାଣିଛ — ବାବା ଆମର ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି, ସେ ଆମକୁ ସାଥିରେ ନେଇଯିବେ । ପୁଣି ଆମେ ପାଠପଢା ଅନୁସାରେ ଯାଇ ସୁଖଧାମରେ ପଦ ପାଇବୁ । ବାବା ତ କେବେ ତୁମର ସତ୍ୟଯୁଗକୁ ଦେଖୁ ବି ନାହାଁନ୍ତି । ଶିବବାବା ପଚାରୁଛନ୍ତି — ମୁଁ ସତ୍ୟଯୁଗ ଦେଖୁଛି ? ଦେଖିବା ତ ଶରୀର ଦ୍ୱାରା ହୋଇଥାଏ, ତାଙ୍କର ତ ନିଜର ଶରୀର ନାହିଁ, ତେବେ କିପରି ଦେଖିବେ ? ଏଠାରେ ତୁମମାନଙ୍କ ସହିତ ଦେଖୁଛନ୍ତି, କଥା ହେଉଛନ୍ତି ଏହା ପୁରୁଣା ଦୁନିଆ ଅଟେ । ଶରୀର ବିନା ତ କିଛି ଦେଖିପାରିବେ ନାହିଁ । ବାବା କହୁଛନ୍ତି ମୁଁ ପତିତ ଦୁନିଆ ପତିତ ଶରୀରରେ ଆସି ତୁମକୁ ପବିତ୍ର କରୁଛି । ମୁଁ ସ୍ୱର୍ଗକୁ ଦେଖୁ ବି ନାହିଁ । ଏପରି ନୁହେଁ ଯେ କାହାର ଶରୀରରେ ଲୁଚି ଦେଖି ଆସିବି । ନା, ସେଠାରେ ମୋର ପାର୍ଟ ହିଁ ନାହିଁ । ତୁମେ କେତେ ନୂଆ-ନୂଆ କଥା ଶୁଣୁଛ । ତେଣୁ ଏବେ ଏହି ପୁରୁଣା ଦୁନିଆରେ ମନ ଲଗାଇବାର ନାହିଁ । ବାବା କହୁଛନ୍ତି ଯେତେ ପବିତ୍ର ହେବ ସେତେ ଉଚ୍ଚ ପଦ ମିଳିବ । ଏସବୁ ଯୋଗବଳର ପ୍ରାପ୍ତି । ଯାତ୍ରା (ତୀର୍ଥ) ସମୟରେ ମଧ୍ୟ ମନୁଷ୍ୟ ପବିତ୍ର ରହିଥା’ନ୍ତି ପୁଣି ଯେବେ ଫେରିଥା’ନ୍ତି ତେବେ ପୁଣି ଅପବିତ୍ର ହୋଇଥା’ନ୍ତି । ତୁମେ ପିଲାମାନେ ବହୁତ ଖୁସି ହେବା ଉଚିତ୍ । ଜାଣିଛ ଯେ ବେହଦର ବାବାଙ୍କଠାରୁ ଆମେ ବେହଦ ସ୍ୱର୍ଗର ବର୍ସା ନେଉଛୁ ତେଣୁ ତାଙ୍କ ଶ୍ରୀମତରେ ଚାଲିବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ୬୩ ଜନ୍ମର କଳଙ୍କି (ପାପ) ଆତ୍ମାରେ ଚଢନ୍ତି । ତାକୁ ଏହି ଗୋଟିଏ ଜନ୍ମରେ ଭସ୍ମ କରିବାକୁ ହେବ, ଆଉ କୌଣସି ଅସୁବିଧା ନାହିଁ । ବିଷ ପିଇବାର (କାମ ବିକାର) ଯେଉଁ ଭୋକ, ତାକୁ ଛାଡିଦେବାକୁ ହେବ, ତାର ଖିଆଲ ମଧ୍ୟ କର ନାହିଁ । ବାବା କହୁଛନ୍ତି ଏହି ବିକାର ଦ୍ୱାରା ହିଁ ତୁମେ ଜନ୍ମ-ଜନ୍ମାନ୍ତର ଦୁଃଖୀ ହୋଇ ଆସିଛ । କୁମାରୀମାନଙ୍କ ପ୍ରତି ତ ବହୁତ ଦୟା ଆସୁଛି । ବାଇସ୍କୋପ ଦେଖିବା ଦ୍ୱାରା ହିଁ ଖରାପ ହୋଇଯାଉଛନ୍ତି, ଏହା ଦ୍ୱାରା ହିଁ ନର୍କକୁ ଚାଲିଯାଉଛନ୍ତି । ଯଦିଓ ବାବା କାହାକୁ କହୁଛନ୍ତି ଦେଖିବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ତୁମକୁ ଦେଖି ଅନ୍ୟମାନେ ମଧ୍ୟ ଯିବାକୁ ଲାଗିବେ ସେଥିପାଇଁ ତୁମେ ମଧ୍ୟ ଯିବା ଉଚିତ୍ ନୁହେଁ । ଇଏ ହେଉଛନ୍ତି ଭାଗୀରଥ । ଭାଗ୍ୟଶାଳୀ ରଥ ଅଟନ୍ତି ନା, ଯିଏକି ନିମିତ୍ତ ହୋଇଛନ୍ତି — ଡ୍ରାମାରେ ନିଜର ରଥ (ଶରୀର)କୁ ଲୋନ ଦେବା ପାଇଁ । ତୁମେ ଜାଣୁଛ ବାବା ଏହାଙ୍କ ଶରୀରରେ ଆସୁଛନ୍ତି, ଇଏ ହେଉଛନ୍ତି ହୁସେନର ଘୋଡା (ମୁସଲମାନଙ୍କ ଧର୍ମ ଗ୍ରନ୍ଥରେ ଥିବା କାହାଣୀ) ତୁମ ସମସ୍ତଙ୍କୁ ହସୀନ ଅର୍ଥାତ୍ ସୁନ୍ଦର କରୁଛନ୍ତି । ବାବା ନିଜେ ହସୀନ ଅଟନ୍ତି, କିନ୍ତୁ ଏହି ରଥ ନେଇଛନ୍ତି । ଡ୍ରାମାରେ ୟାଙ୍କର ଏହିପରି ପାର୍ଟ ରହିଛି । ଯେଉଁ ଆତ୍ମାମାନେ କଳା ହୋଇଯାଇଛନ୍ତି ତାଙ୍କୁ ଗୋଲଡେନ୍ ଏଜଡ୍ (ସତ୍ୟଯୁଗୀ) କରିବାକୁ ହେବ ।

ବାବା ସର୍ବଶକ୍ତିମାନ ନା ଡ୍ରାମା ? ଡ୍ରାମା, ପୁଣି ସେଥିରେ ଯେଉଁ ଅଭିନେତାମାନେ ଅଛନ୍ତି ତାଙ୍କ ମଧ୍ୟରେ ସର୍ବଶକ୍ତିମାନ କିଏ ? ଶିବବାବା । ଆଉ ପୁଣି ରାବଣ । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି । ବାରମ୍ବାର ବାବାଙ୍କୁ ଲେଖୁଛନ୍ତି କି ଆମେ ବାବାଙ୍କର ସ୍ମୃତି ଭୁଲିଯାଉଛୁ । ଦୁଃଖୀ ହୋଇଯାଉଛୁ । ଆରେ ମୁଁ ତୁମକୁ ସ୍ୱର୍ଗର ମାଲିକ କରିବାକୁ ଆସିଛି ପୁଣି ତୁମେ ଉଦାସ (ଦୁଃଖୀ) କାହିଁକି ରହୁଛ! ତୁମମାନଙ୍କୁ ବହୁତ ମେହନତ କରିବାକୁ ହେବ, ପବିତ୍ର ହେବାକୁ ପଡିବ । କ’ଣ ବିନା ପରିଶ୍ରମରେ ରାଜ ତିଳକ ଦେଇଦେବି! ଜ୍ଞାନ ଏବଂ ଯୋଗ ଦ୍ୱାରା ନିଜେ ହିଁ ନିଜକୁ ରାଜତିଳକ ଦେବା ପାଇଁ ଯୋଗ୍ୟ କରିବାକୁ ହେବ । ବାବାଙ୍କୁ ସ୍ମରଣ କଲେ ତୁମେ ସ୍ୱତଃ ତିଳକର ଯୋଗ୍ୟ ହୋଇଯିବ । ବୁଦ୍ଧିରେ ଅଛି ଯେ ଶିବବାବା ଆମର ମିଠା ବାବା, ଶିକ୍ଷକ, ସତଗୁରୁ ଅଟନ୍ତି । ଆମକୁ ମଧ୍ୟ ବହୁତ ମିଠା କରୁଛନ୍ତି । ତୁମେ ଜାଣିଛ ଆମେ କୃଷ୍ଣପୁରୀକୁ ନିଶ୍ଚୟ ଯିବୁ । ପ୍ରତି ୫ ହଜାର ବର୍ଷ ପରେ ଭାରତ ସ୍ୱର୍ଗ ନିଶ୍ଚୟ ହେବ । ପୁଣି ନର୍କ ହୋଇଯାଏ । ମନୁଷ୍ୟ ଭାବୁଛନ୍ତି ଯିଏ ଧନବାନ୍ ତାଙ୍କ ପାଇଁ ଏହିଠାରେ ହିଁ ସ୍ୱର୍ଗ ଅଟେ, ଗରୀବ ନର୍କରେ ଅଛନ୍ତି । କିନ୍ତୁ ବାସ୍ତବରେ ତାହା ସତ୍ୟ ନୁହେଁ । ଏହି ଦୁନିଆ ହିଁ ନର୍କ ଅଟେ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବାଇସ୍କୋପ ଅର୍ଥାତ୍ ସିନେମା ହିଁ ନର୍କକୁ ଯିବାର ରାସ୍ତା, ସେଥିପାଇଁ ସିନେମା ଦେଖିବାର ନାହିଁ । ଯୋଗର ଯାତ୍ରା ଦ୍ୱାରା ପବିତ୍ର ହୋଇ ଉଚ୍ଚ ପଦ ପାଇବାକୁ ହେବ, ଏହି ପୁରୁଣା ଦୁନିଆରେ ମନ ଲଗାଇବାର ନାହିଁ ।

(୨) ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦେବାର ନାହିଁ । ସମସ୍ତଙ୍କ କାନରେ ମିଠା-ମିଠା କଥା ଶୁଣାଇ, ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବାକୁ ହେବ । ସମସ୍ତଙ୍କର ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ ।

ବରଦାନ:-

ପବିତ୍ରତାର ଶକ୍ତି ଦ୍ୱାରା ସର୍ବଦା ସୁଖର ସଂସାର ଭିତରେ ରହୁଥିବା ବେଗମପୁରର ରାଜା ହୁଅ ।

ସୁଖ-ଶାନ୍ତିର ମୂଳଦୁଆ ହିଁ ପବିତ୍ରତା ଅଟେ । ଯେଉଁ ପିଲାମାନେ ମନ-ବଚନ-କର୍ମ ତିନିଟି ଯାକରେ ପବିତ୍ର ହୋଇଯାଆନ୍ତି ସେହିମାନେ ହିଁ ହାଇନେସ୍ ଅର୍ଥାତ୍ ଶ୍ରେଷ୍ଠତା ଏବଂ ହୋଲୀନେସ୍ ଅର୍ଥାତ୍ ପବିତ୍ରତାର ଉପାଧିର ପଦବାଚ୍ୟ ଅଟନ୍ତି । ଯେଉଁଠାରେ ପବିତ୍ରତାର ଶକ୍ତି ରହିଛି ସେଠାରେ ସୁଖ-ଶାନ୍ତି ମଧ୍ୟ ଆପେ ଆପେ ଅନୁଭବ ହେଉଥାଏ କାରଣ ପବିତ୍ରତା ସୁଖ-ଶାନ୍ତିର ଜନନୀ ଅଟେ । ପବିତ୍ର ଆତ୍ମମାନେ କେବେହେଲେ ଉଦାସ ହୋଇ ପାରିବେ ନାହିଁ । ସେମାନେ ବେଗମପୁର ଅର୍ଥାତ୍ ଦୁଃଖ ମୁକ୍ତ ଦୁନିଆର ରାଜା ଅଟନ୍ତି । ସେମାନଙ୍କର ମୁକୁଟ ମଧ୍ୟ ଭିନ୍ନ ଏବଂ ସିଂହାସନ ମଧ୍ୟ ଭିନ୍ନ ଧରଣର ଅଟେ । ସେମାନଙ୍କର ଆଲୋକର ମୁକୁଟ ହିଁ ପବିତ୍ରତାର ସଂକେତ ଅଟେ ।

ସ୍ଲୋଗାନ:-

ମୁଁ ଆତ୍ମା, ଶରୀର ନୁହେଁ — ଏହି ଚିନ୍ତନ କରିବା ହିଁ ସ୍ୱଚିନ୍ଥନ ଅଟେ ।

*** ଓମ୍ ଶାନ୍ତି ***