11.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସର୍ବଦା ଗୋଟିଏ ଚିନ୍ତାରେ ରୁହ ଯେ ମୋତେ ଭଲ ଭାବରେ ପାଠପଢି ନିଜକୁ ରାଜତିଳକ ଦେବାକୁ ହେବ, ଅର୍ଥାତ୍ ଯୋଗ୍ୟ ହେବାକୁ ପଡିବ କାରଣ ପାଠପଢା ଦ୍ୱାରା ହିଁ ରାଜତ୍ୱ ମିଳିଥାଏ ।

ପ୍ରଶ୍ନ:-
ସନ୍ତାନମାନଙ୍କୁ କେଉଁ ଭଳି ଉମଙ୍ଗ-ଉତ୍ସାହରେ ରହିବାକୁ ହେବ ? କେବେ ବି ଭାଙ୍ଗି ପଡିବାର ନାହିଁ, କାହିଁକି ?

ଉତ୍ତର:-
ସର୍ବଦା ଏହି ଉମଙ୍ଗ-ଉତ୍ସାହ ରହୁ ଯେ ମୋତେ ଲକ୍ଷ୍ମୀ-ନାରାୟଣଙ୍କ ଭଳି ଗୁଣବାନ ହେବାକୁ ପଡିବ, ସେଥିପାଇଁ ସେଭଳି ପୁରୁଷାର୍ଥ ମଧ୍ୟ କରିବାକୁ ହେବ । କେବେହେଲେ ନିରାଶ ହେବାର ନାହିଁ କାହିଁକି ନା ଏହି ପାଠ ପଢା ବହୁତ ସହଜ, ଘରେ ରହି ମଧ୍ୟ ପାଠ ପଢି ପାରିବ, ଏଥିପାଇଁ କୌଣସି ଫିସ୍ ମଧ୍ୟ ଦେବାକୁ ପଡେ ନାହିଁ, କିନ୍ତୁ ଏଥିପାଇଁ ସାହସ ଦରକାର ।

ଗୀତ:-
ତୁମ୍ହି ହୋ ମାତ ପିତା...

ଓମ୍ ଶାନ୍ତି ।
ସନ୍ତାନମାନେ ନିଜ ବାବାଙ୍କର ମହିମା ଶୁଣିଲେ । ମହିମା କେବଳ ଜଣଙ୍କର ହିଁ ରହିଛି । ଆଉ କାହାର ମହିମାର ଗାୟନ ହୋଇପାରିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ମଧ୍ୟ କୌଣସି ମହିମା ନାହିଁ । ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ, ବିଷ୍ଣୁଙ୍କ ଦ୍ୱାରା ପାଳନା କରାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଶିବବାବା ହିଁ ଏହିପରି ଯୋଗ୍ୟ କରିଛନ୍ତି, ତେଣୁ ତାଙ୍କର ହିଁ ମହିମା ରହିଛି, ତାଙ୍କ ବ୍ୟତୀତ ପୁଣି କାହାର ମହିମାର ଗାୟନ କରାଯିବ । ଯଦି ଏମାନଙ୍କୁ ଏପରି କରିବା ପାଇଁ କେହି ଶିକ୍ଷକ ନଥାନ୍ତେ ତେବେ ଏମାନେ ଏପରି ହୋଇ ପାରିନଥାନ୍ତେ । ବାସ୍ତବରେ ସୂର୍ଯ୍ୟବଂଶୀ ପରିବାରର ମହିମା ରହିଛି, ଯେଉଁମାନେ ସେଠାରେ ରାଜ୍ୟ କରିଥିଲେ । ଯଦି ବାବା ସଂଗମ ଯୁଗରେ ନ ଆସିଥାନ୍ତେ ତେବେ ଏମାନଙ୍କୁ ମଧ୍ୟ ରାଜତ୍ୱ ମିଳିପାରି ନଥାଆନ୍ତା । ଆଉ କାହାର ଏପରି ମହିମା ନାହିଁ । କେଉଁ ବିଦେଶୀମାନଙ୍କର ମହିମା କରିବାର ଆବଶ୍ୟକତା ନାହିଁ । ମହିମା କେବଳ ଜଣଙ୍କର ଅଛି, ଆଉ କାହାର ନାହିଁ । ଉଚ୍ଚରୁ ଉଚ୍ଚ ହେଲେ ଶିବବାବା । ତାଙ୍କଠାରୁ ହିଁ ଉଚ୍ଚ ପଦ ମିଳୁଛି, ତେଣୁ ତାଙ୍କୁ ଭଲ ଭାବରେ ସ୍ମରଣ କରିବା ଆବଶ୍ୟକ । ନିଜକୁ ରାଜପଦର ଅଧିକାରୀ କରିବା ପାଇଁ ହେଲେ ନିଜକୁ ହିଁ ପଢିବାକୁ ହେବ । ଯେପରି ବାରିଷ୍ଟରୀ ପଢୁଛନ୍ତି ନିଜେ ପାଠପଢି ବାରିଷ୍ଟର ହେଉଛନ୍ତି ନା । ତୁମେମାନେ ଜାଣିଛ ଶିବବାବା ଏବେ ଆମକୁ ପାଠ ପଢାଉଛନ୍ତି । ଯିଏ ଭଲ ଭାବରେ ପାଠ ପଢିବ, ସେ ହିଁ ଉଚ୍ଚ ପଦର ଅଧିକାରୀ ହେବ । ପାଠ ନ ପଢିଲେ ପଦ ମଧ୍ୟ ପାଇପାରିବ ନାହିଁ । ପାଠ ପଢିବା ପାଇଁ ହିଁ ଶ୍ରୀମତ ମିଳୁଛି । ମୂଳ କଥା ହେଉଛି ହିଁ ପାବନ ହେବା, ଯାହା ପାଇଁ ଏହି ପାଠପଢା ହେଉଛି । ତୁମେମାନେ ଜାଣିଛ ଏବେ ସମସ୍ତେ ତମୋପ୍ରଧାନ ପତିତ ମନୁଷ୍ୟ ଅଛନ୍ତି । ଭଲ ବା ଖରାପ ମନୁଷ୍ୟମାନେ ହିଁ ହୋଇଥାନ୍ତି । ପବିତ୍ର ଆତ୍ମାମାନଙ୍କୁ ହିଁ ଭଲ କୁହାଯାଇଥାଏ । ଭଲ ପାଠ ପଢି ବଡ ମଣିଷ ହେଲେ ହିଁ ମହିମା ହୋଇଥାଏ । କିନ୍ତୁ ଏବେ ତ ସମସ୍ତେ ପତିତ । ଜଣେ ପତିତ ହିଁ ଅନ୍ୟ ଜଣେ ପତିତଙ୍କର ମହିମା କରୁଛନ୍ତି । ସତ୍ୟଯୁଗରେ ଅଛି ପବିତ୍ରତା । ସେଠାରେ କେହି କାହାର ମହିମା କରି ନଥାନ୍ତି । ଏଠାରେ ପବିତ୍ର ସନ୍ନ୍ୟାସୀ ମଧ୍ୟ ଅଛନ୍ତି, ଅପବିତ୍ର ଗୃହସ୍ଥି ମଧ୍ୟ ଅଛନ୍ତି, ତେଣୁ ପବିତ୍ରମାନଙ୍କର ମହିମାର ଗାୟନ କରାଯାଉଛି । ସେଠାରେ ଯଥା-ରାଜା ରାଣୀ ତଥା ପ୍ରଜା ମଧ୍ୟ ରହିଥାନ୍ତି । ଦୁନିଆରେ ଆଉ କୌଣସି ଏଭଳି ଧର୍ମ ନାହିଁ ଯାହା ପାଇଁ ପବିତ୍ର, ଅପବିତ୍ର ଶବ୍ଦ କୁହାଯାଇଥାଏ । ଏଠାରେ କେହି କେହି ଗୃହସ୍ଥିମାନଙ୍କର ମଧ୍ୟ ମହିମା ଗାଉଛନ୍ତି । ମୁସଲମାନ୍ମାନଙ୍କର ମଧ୍ୟ ଯାଇ ଶିଷ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଯେପରି ସେ ଖୁଦା, ଆଲ୍ଲାହ ଅଟନ୍ତି । କିନ୍ତୁ ଆଲ୍ଲାହଙ୍କୁ ପତିତ-ପାବନ, ଲିବରେଟର (ମୁକ୍ତିଦାତା), ଗାଇଡ୍ କୁହାଯାଉଛି । ତେବେ ସେ ସବୁ କିଛି କିପରି ହୋଇପାରିବେ! ଏବେ ଦୁନିଆରେ ମଧ୍ୟ କେତେ ଘୋର ଅଜ୍ଞାନତାର ଅନ୍ଧକାର ରହିଛି । ଏକଥା କେବଳ ତୁମେମାନେ ହିଁ ବୁଝି ପାରୁଛ । ତେଣୁ ସନ୍ତାନମାନଙ୍କର ଏହି ଚିନ୍ତା ରହିବା ଆବଶ୍ୟକ ଆମେ ଏହି ପାଠ ପଢି କିପରି ନିଜକୁ ରାଜା କରିବୁ । ଆମେ ଭଲ ଭାବରେ ପୁରୁଷାର୍ଥ କରିଲେ ହିଁ ରାଜତିକଳ ପାଇ ପାରିବୁ । ସନ୍ତାନମାନେ ଉଲ୍ଲାସରେ ରହିବା ଦରକାର ଆମେ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହେବୁ । ଏଥିରେ ସଂଶୟର କୌଣସି କଥା ନାହିଁ । ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କରିବା ଆବଶ୍ୟକ । ଉଦାସ ହେବା ଉଚିତ୍ ନୁହେଁ । ଏହା ଏକ ଏଭଳି ପାଠ ପଢା ଯାହାକି ଖଟ ଉପରେ ଶୋଇ ମଧ୍ୟ ପଢିପାରିବ । ବିଲାତରେ ରହି ମଧ୍ୟ ପଢିପାରିବ । ଘରେ ରହି ମଧ୍ୟ ପଢିପାରିବ । ଏତେ ସହଜ ପାଠପଢା ଅଟେ । ପରିଶ୍ରମ କରି ନିଜର ପାପକୁ କେବଳ କାଟିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏକଥା ବୁଝାଇବାକୁ ହେବ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ଏକଥା ତୁମେମାନେ ବୁଝାଇପାରିବ । କାହାକୁ ମଧ୍ୟ ଏକଥା କହିବାକୁ ହେବ ଯେ ତୁମେ ସବୁ ଆତ୍ମା ଅଟ । ଆତ୍ମାର ସ୍ୱଧର୍ମ ମଧ୍ୟ ଗୋଟିଏ । ଏଥିରେ କୌଣସି ପାର୍ଥକ୍ୟ ହୋଇପାରିବ ନାହିଁ । ଶାରୀରିକ ସମ୍ବନ୍ଧ ଦ୍ୱାରା ହିଁ ଅନେକ ଧର୍ମ ହୋଇଥାଏ । ଆତ୍ମା ତ ଗୋଟିଏ, ସମସ୍ତେ ବାବାଙ୍କର ସନ୍ତାନ ଅଟନ୍ତି । ତୁମ ଆତ୍ମାମାନଙ୍କୁ ବାବା ଏବେ ଏଡପ୍ଟ (ପୋଷ୍ୟ) କରିଛନ୍ତି । ସେଥିପାଇଁ ବ୍ରହ୍ମା ମୁଖ ବଂଶାବଳୀର ଗାୟନ କରାଯାଇଥାଏ ।

ତୁମେମାନେ କାହାକୁ ମଧ୍ୟ ବୁଝାଇପାରିବ ଆତ୍ମାର ପିତା କିଏ ? ତୁମେ ଯେଉଁ ଫର୍ମ ପୂରଣ କରାଉଛ ସେଥିରେ ମଧ୍ୟ ବହୁତ ବଡ ଅର୍ଥ ରହିଛି । ଭଗବାନ ତ ନିଶ୍ଚୟ ଅଛନ୍ତି, ଯାହାକୁ ସମସ୍ତେ ସ୍ମରଣ ମଧ୍ୟ କରିଥାନ୍ତି, ତେବେ ଆତ୍ମା ହିଁ ଭଗବାନଙ୍କୁ ସ୍ମରଣ କରିଥାଏ । ଆଜିକାଲି ଭାରତରେ କାହାକୁ ମଧ୍ୟ ପିତା ବୋଲି କହିଦେଉଛନ୍ତି । ମେୟରଙ୍କୁ ମଧ୍ୟ ପିତା କୁହାଯିବ । କିନ୍ତୁ ଆତ୍ମାର ପିତା କିଏ, ତାଙ୍କୁ କେହି ଜାଣି ନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା-ପିତା... କିନ୍ତୁ ସେ କିଏ, କିପରି, କିଛି ବି ଜାଣି ନାହାଁନ୍ତି । କେବଳ ଭାରତରେ ହିଁ ତୁମେ ମାତା-ପିତା କହି ଡାକିଥାନ୍ତି । ବାବା ହିଁ ଏଠାକୁ ଆସି ମୁଖ ବଂଶାବଳୀ ରଚନା କରୁଛନ୍ତି । ସେଥିପାଇଁ ଭାରତକୁ ହିଁ ମାତୃଦେଶ କୁହାଯାଉଛି, କାରଣ ଏହିଠାରେ ହିଁ ଶିବବାବା ମାତା-ପିତା ରୂପରେ ଅଭିନୟ କରୁଛନ୍ତି । ଏଠାରେ ହିଁ ଭଗବାନଙ୍କୁ ମାତା-ପିତା ରୂପରେ ସ୍ମରଣ କରୁଛନ୍ତି । ବିଦେଶରେ କେବଳ ଗଡ୍ ଫାଦର କହି ଡାକିଥାନ୍ତି, ତେବେ ମାତା ମଧ୍ୟ ନିଶ୍ଚିତ ଦରକାର ଯାହା ଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ । ପୁରୁଷ ମଧ୍ୟ ସ୍ତ୍ରୀକୁ ଏଡପ୍ଟ କରୁଛନ୍ତି ପୁଣି ତାଙ୍କଠାରୁ ସନ୍ତାନ ଜନ୍ମ ହେଉଛି । ସନ୍ତାନମାନଙ୍କ ରଚନା କରାଯାଇଥାଏ । ଏଠାରେ ମଧ୍ୟ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆଡପ୍ଟ କରୁଛନ୍ତି ଏବଂ ସନ୍ତାନ ସୃଷ୍ଟି କରୁଛନ୍ତି, ତେଣୁ ତାଙ୍କୁ ମଧ୍ୟ ମାତାପିତା କୁହାଯାଉଛି । ସେ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା ପୁଣି ଏଠାରେ ଆସି ଉତ୍ପତ୍ତି କରୁଛନ୍ତି । ଏଠାରେ ତୁମେମାନେ ସନ୍ତାନ ହେଉଛ ତେଣୁ ତାଙ୍କୁ ପିତା ଏବଂ ମାତା କୁହାଯାଉଛି । ତାହା ହେଉଛି ସ୍ୱୀଟ୍ ହୋମ୍ ପରମଧାମ, ଯେଉଁଠାରେ ସମସ୍ତ ଆତ୍ମାମାନେ ରହୁଛନ୍ତି । ଯେଉଁଠାକୁ ବାବାଙ୍କ ବିନା କେହି ନେଇପାରିବେ ନାହିଁ । ଯଦି ତୁମ ସହିତ କେହି ଦେଖା ହେଉଛନ୍ତି ତେବେ କୁହ ତୁମେ ସ୍ୱୀଟ୍ ହୋମ୍ ଯିବାକୁ ଚାହୁଁଛ କି ? ତେବେ ନିଶ୍ଚୟ ପାବନ ହେବାକୁ ପଡିବ । ଏବେ ତୁମେମାନେ ପତିତ, ଏହା ହେଉଛି ଆଇରନ୍ ଏଜେଡ୍ ଅର୍ଥାତ୍ ଲୌହଯୁଗ ତମୋପ୍ରଧାନ ଦୁନିଆ । ଏବେ ତୁମକୁ ଘରକୁ ଫେରି ଯିବାକୁ ହେବ । ପତିତ ଆଇରନ୍ ଏଜେଡ୍ ଆତ୍ମାମାନେ ଘରକୁ ଫେରି ପାରିବେ ନାହିଁ । ଆତ୍ମାମାନେ ସ୍ୱୀଟ୍ ହୋମ୍ରେ ପବିତ୍ର ଥାନ୍ତି ତେଣୁ ବାବା ବୁଝାଉଛନ୍ତି, ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ତେଣୁ କୌଣସି ଦେହଧାରୀକୁ ମନେ ପକାଅ ନାହିଁ । ବାବାଙ୍କୁ ଯେତେ ମନେ ପକାଇବ ସେତେ ପାବନ ହେବ ଏବଂ କ୍ରମାନ୍ୱୟରେ ସେଠାରେ ଉଚ୍ଚ ପଦ ପାଇବ । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ବିଷୟରେ କାହାକୁ ମଧ୍ୟ ବୁଝାଇବା ବହୁତ ସହଜ । ଭାରତରେ ଦିନେ ଏମାନଙ୍କର ରାଜ୍ୟ ଥିଲା । ଏମାନେ ଯେତେବେଳେ ରାଜ୍ୟ କରୁଥିଲେ ସେତେବେଳେ ବିଶ୍ୱରେ ଶାନ୍ତି ଥିଲା । ବିଶ୍ୱରେ ଶାନ୍ତି କେବଳ ବାବା ହିଁ ଆଣିପାରିବେ, ଆଉ କାହାର ଶକ୍ତି ନାହିଁ । ଏବେ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ନୂଆ ଦୁନିଆ ପାଇଁ ରାଜାମାନଙ୍କର ରାଜା କିପରି ହୋଇପାରିବ ତାହା ମଧ୍ୟ ଆସି ଶିଖାଉଛନ୍ତି । ବାବା ହିଁ ନଲେଜ୍ଫୁଲ୍ ଅର୍ଥାତ୍ ଜ୍ଞାନର ସାଗର ଅଟନ୍ତି । ତାଙ୍କ ଠାରେ କେଉଁ ପ୍ରକାରର ଜ୍ଞାନ ଅଛି, ଏକଥା କେହି ବି ଜାଣି ନାହାଁନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଇତିହାସ-ଭୂଗୋଳ ବେହଦର ବାବା ହିଁ ଶୁଣାଉଛନ୍ତି । ମନୁଷ୍ୟମାନେ ଭଗବାନଙ୍କୁ ସର୍ବବ୍ୟାପୀ ଅଥବା ଅର୍ନ୍ତଯାମୀ ବୋଲି କହିଥାନ୍ତି । ନିଜକୁ ତ ଏକଥା କହିବେ ନାହିଁ । ଏସବୁ କଥା ବାବା ବସି ବୁଝାଉଛନ୍ତି । ଯାହାକୁ ଭଲ ଭାବରେ ଧାରଣ କରି ହର୍ଷିତ ରହିବାକୁ ହେବ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ହର୍ଷିତ ମୁଖ ଥିବାର ଦେଖାଇଥାନ୍ତି । ସ୍କୁଲ୍ରେ ମଧ୍ୟ ଭଲ ଉଚ୍ଚ ଡିଗ୍ରୀଧାରୀ କେତେ ହର୍ଷିତ ହୋଇଥାନ୍ତି । ଅନ୍ୟମାନେ ମଧ୍ୟ ବୁଝିଥାନ୍ତି ଯେ ଇଏ ବହୁତ ବଡ ପରୀକ୍ଷାରେ ପାସ୍ କରିଛନ୍ତି । କିନ୍ତୁ ଏହା ତ ବହୁତ ଉଚ୍ଚ ପାଠପଢା ଅଟେ । ଏଠି ଦରମା ଆଦିର କୌଣସି କଥା ନାହିଁ, କେବଳ ସାହାସର କଥା । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ, ଯେଉଁଥିରେ ହିଁ ମାୟା ବିଘ୍ନ ପକାଉଛି । ବାବା କହୁଛନ୍ତି, ପବିତ୍ର ହୁଅ । କିନ୍ତୁ ବାବାଙ୍କ ସହିତ ପ୍ରତିଜ୍ଞା କରି ପୁଣି କଳା ମୁହଁ କରିଦେଉଛନ୍ତି । ମାୟା ବହୁତ ଶକ୍ତିଶାଳୀ ଅଟେ, ଯଦି ଫେଲ୍ ହୋଇଗଲେ ତେବେ ସେମାନଙ୍କର ନାମର ଗାୟନ କରାଯିବ ନାହିଁ । ଅମୁକ-ଅମୁକ ପ୍ରାରମ୍ଭରୁ ବହୁତ ଭଲ ଚାଲୁଛନ୍ତି । ତାଙ୍କର ମହିମାର ଗାୟନ କରାଯାଉଛି । ବାବା କହୁଛନ୍ତି ନିଜ ପାଇଁ ନିଜେ ହିଁ ପୁରୁଷାର୍ଥ କରି ରାଜତ୍ୱ ପ୍ରାପ୍ତ କରିବାକୁ ହେବ । ପାଠପଢା ଦ୍ୱାରା ହିଁ ଉଚ୍ଚ ପଦ ପାଇବାକୁ ହେବ । ଏହା ତ ହେଉଛି ରାଜ ଯୋଗ, ପ୍ରଜା ଯୋଗ ନୁହେଁ । କିନ୍ତୁ ପ୍ରଜା ମଧ୍ୟ ହେବେ ନା । ଚେହେରା ଏବଂ ସେବାରୁ ଜଣାପଡିଯାଏ ଯେ ଇଏ କେଉଁ ପଦ ପାଇବାର ଯୋଗ୍ୟ ଅଟନ୍ତି । ଘରେ ମଧ୍ୟ ଛାତ୍ରର ଚାଲି-ଚଳଣିରୁ ବୁଝିଯାଆନ୍ତି ଇଏ ପ୍ରଥମ ନମ୍ବର, ଇଏ ତୃତୀୟ ନମ୍ବରରେ ଆସିବେ । ଏଠାରେ ମଧ୍ୟ ଏହିପରି ହୋଇଥାଏ । ପରେ ପରୀକ୍ଷା ପୂରା ହେଲେ ତୁମମାନଙ୍କୁ ସବୁ ସାକ୍ଷାତ୍କାର ହେବ । ସାକ୍ଷାତ୍କାର ହେବାରେ କୌଣସି ବିଳମ୍ବ ହୋଇନଥାଏ, ପୁଣି ଲଜ୍ଜ୍ୟା ଲାଗିବ ଯେ, ଆମେ ଫେଲ୍ ହୋଇଗଲୁ । ଫେଲ୍ ପିଲାମାନଙ୍କୁ ସ୍ନେହ କିଏ କରିବ ?

ମନୁଷ୍ୟ ବାଇସ୍କୋପ ଦେଖବାରେ ଖୁସି ଅନୁଭବ କରିଥାନ୍ତି କିନ୍ତୁ ବାବା କହୁଛନ୍ତି ନମ୍ବରୱାନ୍ ଖରାପ କରୁଛି ବାଇସ୍କୋପ । ଯେଉଁମାନେ ସେଠାକୁ ଯାଆନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଫେଲ୍ ହୋଇ ତଳକୁ ଖସି ଯାଆନ୍ତି । କେହି କେହି ଏପରି ମଧ୍ୟ ମହିଳା ଅଛନ୍ତି ଯେଉଁମାନଙ୍କୁ ବାଇସ୍କୋପ୍ ନଦେଖିଲେ ନିଦ ହୁଏ ନାହିଁ । ତେବେ ସେମାନେ ବାଇସ୍କୋପ୍ ଦେଖି ଅପବିତ୍ର ହେବାର ପୁରୁଷାର୍ଥ ନିଶ୍ଚିତ କରିବେ । ଏଠାରେ ଯାହା କିଛି ହେଉଛି, ମନୁଷ୍ୟମାନେ ଭାବୁଛନ୍ତି ଏଥିରେ ଖୁସି ରହିଛି କିନ୍ତୁ ସେସବୁ କେବଳ ଦୁଃଖ ଦେଇଥାଏ । ଏସବୁ ହେଲା ବିନାଶୀ ଖୁସି । ଅବିନାଶୀ ଖୁସି କେବଳ ଅବିନାଶୀ ବାବାଙ୍କଠାରୁ ହିଁ ମିଳୁଛି । ତୁମେମାନେ ଜାଣିଛ ବାବା ଆମକୁ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ କରୁଛନ୍ତି । ପ୍ରଥମେ ବାବା ୨୧ ଜନ୍ମ ପାଇଁ ବୋଲି କହୁଥିଲେ । ଏବେ ବାବା ଲେଖୁଛନ୍ତି ୫୦-୬୦ ଜନ୍ମ କାହିଁକି ନା ଦ୍ୱାପର ଯୁଗର ଆରମ୍ଭରେ ମଧ୍ୟ ତୁମେମାନେ ବହୁତ ଧନବାନ୍ ସୁଖୀ ରହିବ । ଯଦିଓ ପତିତ ହେବ ତଥାପି ମଧ୍ୟ ବହୁତ ଧନ ରହିବ । ଏଠାରେ ଯେତେବେଳେ ବିଲ୍କୁଲ୍ ତମୋପ୍ରଧାନ ହୋଇଯାଉଛନ୍ତି ସେତେବେଳେ ଦୁଃଖ ଆରମ୍ଭ ହେଉଛି । ପ୍ରଥମେ ତ ବହୁତ ସୁଖୀ ରହିବ । ଯେତେବେଳେ ବହୁତ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ବାବା ଆସୁଛନ୍ତି । ବାବା ମହା ଅଜାମିଳ ସଦୃଶ ପାପୀମାନଙ୍କର ମଧ୍ୟ ଉଦ୍ଧାର କରୁଛନ୍ତି । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ମୁକ୍ତିଧାମକୁ ନେଇଯିବି । ପୁଣି ସତ୍ୟଯୁଗର ରାଜତ୍ୱ ମଧ୍ୟ ତୁମମାନଙ୍କୁ ଦେଉଛି । ତେବେ ସମସ୍ତଙ୍କର କଲ୍ୟାଣ ହେଉଛି ନା । ସମସ୍ତଙ୍କୁ ଶାନ୍ତିରେ ଅଥବା ସୁଖରେ ନିଜ ଠିକଣାରେ ପହଞ୍ଚାଇ ଦେଉଛନ୍ତି । ସତ୍ୟଯୁଗରେ ସମସ୍ତେ ସୁଖରେ ରହିଥାନ୍ତି । ଶାନ୍ତିଧାମରେ ମଧ୍ୟ ସୁଖରେ ରହିବେ । ଦୁନିଆରେ ସମସ୍ତେ କହୁଛନ୍ତି ଯେ, ବିଶ୍ୱରେ ଶାନ୍ତି ହେଉ । ତେବେ ତାଙ୍କୁ କୁହ, ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ବିଶ୍ୱରେ ଶାନ୍ତି ଥିଲା ନା । ସେଠାରେ ଦୁଃଖର କୌଣସି କଥା ହୋଇପାରିବ ନାହିଁ । ଦୁଃଖ ନାହିଁ ତେଣୁ ଅଶାନ୍ତି ମଧ୍ୟ ନାହିଁ । ଏଠାରେ ତ ଘରେ-ଘରେ ଅଶାନ୍ତି ରହିଛି । ଦେଶ-ଦେଶରେ ସବୁଠାରେ ଅଶାନ୍ତି ରହିଛି । ସାରା ବିଶ୍ୱରେ କେବଳ ଅଶାନ୍ତି ହିଁ ରହିଛି । ଦେଶ କେତେ ଖଣ୍ଡ-ଖଣ୍ଡ ହୋଇଯାଇଛି । କେତେ ଫ୍ରାକ୍ସନ୍ ଅର୍ଥାତ୍ ଭାଗ ଭାଗ ହୋଇଯାଇଛି । ୧୦୦ ମାଇଲ୍ରେ ଭାଷା ଅଲଗା । ଏବେ କହୁଛନ୍ତି ଭାରତର ପ୍ରାଚୀନ ଭାଷା ସଂସ୍କୃତ ଅଟେ । ଆଦି ସନାତନ ଧର୍ମ ବିଷୟରେ କାହାକୁ ଜଣା ନାହିଁ ତେଣୁ ଏକଥା କିପରି କହୁଛନ୍ତି ଯେ ଏହା ହେଉଛି ପ୍ରାଚୀନ ଭାଷା । ତୁମେମାନେ ହିଁ କହିପାରିବ ଆଦି ସନାତନ ଦେବୀ-ଦେବତା ଧର୍ମ କେବେ ଥିଲା ? ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ଆଉ କେହି ଡଲ୍ହେଡ୍ ଅର୍ଥାତ୍ ବୋକା ମଧ୍ୟ ରହିଛନ୍ତି । ଦେଖିବାକୁ ମଧ୍ୟ ମିଳେ ଯେ ଇଏ ଯେପରି ପଥର ବୁଦ୍ଧି ଅଟନ୍ତି । ଅଜ୍ଞାନ କାଳରେ ମଧ୍ୟ କହିଥାନ୍ତି ନା ହେ ଭଗବାନ ଏହାଙ୍କ ବୁଦ୍ଧି ଉଦୟ ହେଉ ।

ବାବା ତୁମ ସମସ୍ତ ସନ୍ତାନମାନଙ୍କୁ ଜ୍ଞାନର ଆଲୋକ ଦେଉଛନ୍ତି । ଏହା ଦ୍ୱାରା ବୁଦ୍ଧି ଉଦୟ ହେଉଛି । ତଥାପି କେତେକଙ୍କର ବୁଦ୍ଧି ଉଦୟ ହେଉ ନାହିଁ । କହୁଛନ୍ତି ବାବା ଆପଣ ବୁଦ୍ଧିବାନ୍ଙ୍କର ବୁଦ୍ଧି ଅଟନ୍ତି । ଆମ ସ୍ୱାମୀଙ୍କର ବୁଦ୍ଧି ଉଦୟ ହେଉ । ବାବା କହୁଛନ୍ତି ଏଥିପାଇଁ ମୁଁ ଆସିନାହିଁ, ଜଣ-ଜଣଙ୍କର ବୁଦ୍ଧିର ଉଦୟ କରିବି, ବୁଦ୍ଧିର ତାଲା ବସି ଖୋଲିବି । ଯଦି ସମସ୍ତଙ୍କର ବୁଦ୍ଧି ଖୋଲିଯିବ, ସମସ୍ତେ ମହାରାଜା-ମହାରାଣୀ ହୋଇଯିବେ । ମୁଁ କିପରି ସମସ୍ତଙ୍କର ତାଲା ଖୋଲିବି । ସେମାନଙ୍କର ସତ୍ୟଯୁଗକୁ ଆସିବାର ନାହିଁ ମୁଁ କିପରି ତାଙ୍କ ବୁଦ୍ଧିର ଉଦୟ କରିବି । ଡ୍ରାମା ଅନୁସାରେ ଉଚିତ୍ ସମୟରେ ତାଙ୍କ ବୁଦ୍ଧିର ତାଲା ଖୋଲିବ । ମୁଁ କିପରି ଖୋଲିବି! ଏସବୁ କଥା ଡ୍ରାମା ଉପରେ ମଧ୍ୟ ନିର୍ଭର କରୁଛି ନା । ସମସ୍ତେ ତ ଫୁଲ୍ ପାସ୍ ହେବେ ନାହିଁ । ସ୍କୁଲ୍ରେ ମଧ୍ୟ କ୍ରମାନ୍ୱୟରେ ପାସ ହୋଇଥାନ୍ତି । ଏହା ମଧ୍ୟ ପାଠପଢା ଅଟେ । ସେଠାରେ ପ୍ରଜା ମଧ୍ୟ ଦରକାର । ସମସ୍ତଙ୍କର ବୁଦ୍ଧି ଉଦୟ ହୋଇଗଲେ ପୁଣି ପ୍ରଜା କେଉଁଠାରୁ ଆସିବେ । ଏଭଳି କାଇଦା ନାହିଁ । ତୁମମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ପ୍ରତ୍ୟେକଙ୍କର ପୁରୁଷାର୍ଥରୁ ସବୁ କିଛି ଜଣାପଡିଯାଏ । ଯିଏ ଭଲ ଭାବରେ ପାଠ ପଢନ୍ତି, ତାଙ୍କୁ ସବୁ ସ୍ଥାନକୁ ଡକାଯାଇଥାଏ । ବାବା ଜାଣିଛନ୍ତି କିଏ-କିଏ ଭଲ ଭାବରେ ସେବା କରୁଛନ୍ତି । ତେଣୁ ପିଲାମାନେ ଭଲ ଭାବରେ ପାଠ ପଢିବା ଦରକାର । ଯଦି ଭଲ ଭାବରେ ପଢିବେ ତେବେ ସେମାନଙ୍କୁ ଘରକୁ ନେଇଯିବି ପୁଣି ସ୍ୱର୍ଗକୁ ପଠାଇଦେବି । ନଚେତ୍ ବହୁତ କଠିନ ଦଣ୍ଡ ଭୋଗ କରିବାକୁ ପଡିବ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଛାତ୍ରମାନେ ଶିକ୍ଷକଙ୍କୁ ପ୍ରତ୍ୟକ୍ଷ କରିବା ଉଚିତ୍ । ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସୁବର୍ଣ୍ଣ ଯୁଗରେ ତୁମେମାନେ ପାରସବୁଦ୍ଧି ଥିଲ ଏବେ ବୁଦ୍ଧି ଆଇରନ୍ ଏଜଡ୍ ହୋଇଯାଇଛି । ଏଠାରେ ଗୋଲ୍ଡେନ୍ ଏଜ୍ ବୁଦ୍ଧି ହୋଇପାରିବ ନାହିଁ । ଯେତେବେଳେ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା । ସମ୍ବାଦ ପତ୍ରରେ ମଧ୍ୟ ତୁମେ ବାହାର କରିପାରିବ ଯେ ଭାରତରେ ଯେତେବେଳେ ଏମାନଙ୍କ ରାଜ୍ୟ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା । ଶେଷରେ ସମସ୍ତେ ନିଶ୍ଚୟ ବୁଝିବେ । ତୁମମାନଙ୍କ ନାମ ପ୍ରସିଦ୍ଧ ହେବ । ହଦର ପାଠପଢାରେ କେତେ ବହି ଆଦି ପଢୁଛ । ଏଠାରେ ସେସବୁ କିଛି ନାହିଁ, ଏହି ପାଠପଢା ବିଲ୍କୁଲ୍ ସହଜ । ବାକି ଯୋଗରେ ମହାରଥୀମାନେ ମଧ୍ୟ ଫେଲ୍ ହୋଇଯାଉଛନ୍ତି । ଯୋଗବଳ ନଥିଲେ ଜ୍ଞାନର ଅସ୍ତ୍ର ବା ଖଣ୍ଡା ଚାଲିବ ନାହିଁ । ବହୁତ ଯୋଗ କରିଲେ ହିଁ ଶକ୍ତି ଆସିବ । ବନ୍ଧନରେ ଥାଇ ମଧ୍ୟ ଯୋଗ କରିଲେ ହିଁ ବହୁତ ଫାଇଦା ରହିଛି । ସେମାନେ କେବେ ବାବାଙ୍କୁ ଦେଖି ନାହାଁନ୍ତି, କିନ୍ତୁ ଯଦି ଯୋଗଯୁକ୍ତ ହୋଇ ପ୍ରାଣ ଛାଡି ଦେଲେ ତେବେ ମଧ୍ୟ ବହୁତ ଭଲ ପଦ ପାଇପାରିବେ, କାହିଁକି ନା ଯୋଗ ବହୁତ କରୁଛନ୍ତି । ବାବାଙ୍କ ସ୍ମୃତିରେ ଯେଉଁ ସ୍ନେହର ଲୁହ ବୁହାଉଛନ୍ତି, ସେହି ଲୁହ ମୋତି ହୋଇଯାଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜେ ନିଜ ପାଇଁ ପୁରୁଷାର୍ଥ କରି ଉଚ୍ଚ ପଦ ପ୍ରାପ୍ତ କରିବାକୁ ହେବ । ପାଠପଢା ଦ୍ୱାରା ନିଜକୁ ରାଜତିଳକ ଦେବାକୁ ହେବ । ଜ୍ଞାନକୁ ଭଲ ଭାବରେ ଧାରଣ କରି ସର୍ବଦା ହର୍ଷିତ ରହିବାକୁ ହେବ ।

(୨) ଜ୍ଞାନ ରୂପକ ତରବାରୀରେ ଯୋଗର ଶକ୍ତି ଭରିବାକୁ ହେବ । ଯୋଗ ଦ୍ୱାରା ହିଁ ନିଜର ସମସ୍ତ ବନ୍ଧନ ସମାପ୍ତ କରିବାକୁ ହେବ । କେବେ ବି ଖରାପ ସିନେମା ଦେଖି ନିଜ ସଂକଳ୍ପକୁ ଅପବିତ୍ର କରିବା ଉଚିତ୍ ନୁହେଁ ।

ବରଦାନ:-
ସର୍ବଦା ଏକାନ୍ତ ଏବଂ ପରମାତ୍ମ ସ୍ମରଣରେ ବ୍ୟସ୍ତ ରହୁଥିବା ବେହଦର ବାନପ୍ରସ୍ଥୀ ହୁଅ ।

ବର୍ତ୍ତମାନର ସମୟ ଅନୁସାରେ ତୁମେମାନେ ବାନପ୍ରସ୍ଥ ଅବସ୍ଥାର ପାଖାପାଖି ଅଛ ଏବଂ ବାନପ୍ରସ୍ଥୀମାନେ କେବେହେଲେ କଣ୍ଢେଇ ସାଥୀରେ ଖେଳନ୍ତି ନାହିଁ । ସେମାନେ ସର୍ବଦା ଏକାନ୍ତରେ ପ୍ରଭୁ ସ୍ମୃତିରେ ବ୍ୟସ୍ତ ରହିଥାନ୍ତି । ତେଣୁ ତୁମେ ବେହଦର ବାନପ୍ରସ୍ଥୀ ସର୍ବଦା ଏକାନ୍ତରେ ଅର୍ଥାତ୍ ଜଣଙ୍କର ସ୍ମୃତିରେ ରୁହ ଏବଂ ତା ସହିତ ଜଣଙ୍କୁ ହିଁ ସ୍ମରଣ କରି ସ୍ମୃତି ସ୍ୱରୂପ ହୁଅ । ସମସ୍ତ ପିଲାମାନଙ୍କ ପ୍ରତି ବାପଦାଦାଙ୍କର ଶୁଭ ଆଶା ମଧ୍ୟ ରହିଛି ଯେ ଏବେ ବାବାଙ୍କ ସହିତ ପିଲାମାନେ ସମାନ ହୋଇଯାଆନ୍ତୁ ଏବଂ ସଦା ସର୍ବଦା ବାବାଙ୍କର ସ୍ମୃତିରେ ହିଁ ମଗ୍ନ ରୁହନ୍ତୁ । ତେବେ ସମାନ ହେବା ଅର୍ଥାତ୍ ମଗ୍ନ ରହିବା -- ଏହା ହିଁ ହେଉଛି ବାନପ୍ରସ୍ଥ ସ୍ଥିତିର ଚିହ୍ନ ।

ସ୍ଲୋଗାନ:-
ଯଦି ତୁମେ ସାହସର ଗୋଟିଏ ପାଦ ବଢାଇବ ତେବେ ବାବା ମଧ୍ୟ ଯୋଗର ହଜାର ପାଦ ବଢାଇବେ ।